Unknown

 

 

 

 

 

 

 

 

 

ଦୁର୍ଗ

 

ଅନୁବାଦକ

ସୌଭାଗ୍ୟ କୁମାର ମିଶ୍ର

 

 

 

 

 

 

 

ଦୁର୍ଗ

 

[ପ୍ରାଂଞ୍ଜ କାଫ୍‌ କାଙ୍କ Castle ପୁସ୍ତକର ଓଡ଼ିଆ ଅନୁବାଦ]

 

ଅନୁବାଦକ

ଡଃ ସୌଭାଗ୍ୟ କୁମାର ମିଶ୍ର, ପ୍ରାଧ୍ୟାପକ, ଇଂରେଜୀ ବିଭାଗ, ବ୍ରହ୍ମପୁର-ବିଶ୍ୱବିଦ୍ୟାଳୟ, ଗଞ୍ଜାମ ।

 

 

ଓଡ଼ିଶା ସାହିତ୍ୟ ଏକାଡେମୀ

 

ଭୂମିକା

 

ଓଡ଼ିଆରେ ଅନୁବାଦ ସାହିତ୍ୟ ପରିମାଣାତ୍ମକ ଦୃଷ୍ଟିରୁ ପର୍ଯ୍ୟାପ୍ତ ନୁହେଁ । ସ୍ୱର୍ଗତ ଲାଲା ନଗେନ୍ଦ୍ର ରାୟ ଓ ଶ୍ରୀ ଲକ୍ଷ୍ମୀନାରାୟଣ ମହାନ୍ତି ପ୍ରମୁଖ, ବିଶ୍ୱସାହିତ୍ୟର କେତେକ କ୍ଲାସିକ୍‌ସ୍‌କୁ ଓଡ଼ିଆରେ ଅନୁବାଦ କରି ସେ ସବୁର ଭାବସମ୍ପଦ ସହିତ ଓଡ଼ିଆ ପାଠକମାନଙ୍କୁ ପରିଚିତ କରାଇ ପାରିଥିଲେ । ଏଦିଗରେ ସ୍ୱର୍ଗତ ଡକ୍ଟର ମାୟାଧର ମାନସିଂହଙ୍କ ପ୍ରଚେଷ୍ଟା ମଧ୍ୟ ଉଲ୍ଲେଖଯୋଗ୍ୟ । ତାଙ୍କରି ଅନୁବାଦ ମାଧ୍ୟମରେ ଓଡ଼ିଆ ପାଠକମାନେ ଦାର୍ଶନିକ ଥ୍ୟୁରୋ ଓ ସେକ୍‌ସପୀୟରିଆନ୍‌ ଟ୍ରାଜେଡ଼ୀ ସହିତ କିଛିଟା ପରିଚିତ ହେବାର ସୁଯୋଗ ପାଇଛନ୍ତି ।

 

ଓଡ଼ିଆ ସାହିତ୍ୟର ଦିଗନ୍ତ ଯେପରି ସୀମାବଦ୍ଧ ଏହାର ଭାବ ସମ୍ପଦ ସେହିପରି ଅପ୍ରଚୁର-। ‘‘ବିଜାତୀୟତା’’ ଧ୍ୱନି ଉଠାଇ ଓଡ଼ିଆ ଲେଖକ ମାନେ ଅନ୍ୟ ସାହିତ୍ୟରୁ ବିଶେଷ ଉପାଦାନ ସଂଗ୍ରହ କରି ପାରି ନାହାନ୍ତି । କିନ୍ତୁ ସାହିତ୍ୟ ସାର୍ବଜନୀନ ମନୁଷ୍ୟର ଭାବଲୋକର ସୃଷ୍ଟି-। ଏହାର ମହାପ୍ରବାହରୁ ବିଚ୍ଛିନ୍ନ ରହି, କୌଣସି ସାହିତ୍ୟ କଦାପି ୠଦ୍ଧିମନ୍ତ ହୋଇ ନପାରେ । ପାଶ୍ଚାତ୍ୟ ସାହିତ୍ୟ, ଭାରତୀୟ ସଂସ୍କୃତି ଓ ସାହିତ୍ୟ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିବା ବେଳେ, ଭାରତୀୟ ଭାଷା ସାହିତ୍ୟ ନିଜ ନିଜର ସିମୀତ ପରିସର ମଧ୍ୟରେ ଆବଦ୍ଧ ରହିଥିବା ପ୍ରତିବାଦର ଆଶଙ୍କା ନରଖି କୁହାଯାଇପାରେ । ଏହାର କାରଣ ଉନ୍ନତ ଅନୁବାଦର ଅଭାବ । ଓଡ଼ିଶା ସାହିତ୍ୟ ଅକାଦମୀ ଏ ଦିଗରେ ଯେଉଁ ପଦକ୍ଷେପ ନେଇଛନ୍ତି-ଫାଞ୍ଜ କାଫକାଙ୍କ ପ୍ରସିଦ୍ଧ ଉପନ୍ୟାସ ‘‘The castle” ର ଅନୁବାଦ, ତାହାର ଏକ ଅଭିନନ୍ଦନୀୟ ଅବଦାନ ।

 

ଜର୍ମାନୀ ଭାଷା, କାଫ୍‌କାଙ୍କର ମାତୃଭାଷା ନହେଲେ ହେଁ, ଏହି ଭାଷାରେ ସେ ଥିଲେ ଜଣେ ସୁବିଖ୍ୟାତ ଲେଖକ । ଜର୍ମାନୀ ଭାଷାର ନୋବେଲ-ପୁରଷ୍କାର ପ୍ରାପ୍ତ ଔପନ୍ୟାସିକ ହରମୋନ୍‌ ହେସ୍‌, କାଫ୍‌କାଙ୍କୁ ‘‘ଜର୍ମାନ ଗଦ୍ୟର ମୁକୁଟହୀନ ସମ୍ରାଟ’’-(Uncrowned king of German prose) ବୋଲି ସ୍ୱୀକାର କରିବା ପାଇଁ କୁଣ୍ଠିତ ହୋଇ ନାହାନ୍ତି । ବ୍ୟର୍ଥତା, ବିଷାଦ ଓ ବ୍ୟାଧି ମଧ୍ୟରେ କାଫକାଙ୍କ ସୃଷ୍ଟି ଅପ୍ରଚୁର ହେଲେ ହେଁ, ୟୁରୋପ ଓ ଆମେରିକାର ଲେଖକ, ଚିନ୍ତକମାନଙ୍କୁ ସେ ଗଭୀର ଭାବରେ ପ୍ରଭାବିତ କରି ପାରିଥିଲେ । ନ୍ୟୁୟର୍କ ଓ ପ୍ୟାରିସ୍‌ର ବିଦଗ୍‌ଧ ସମାଜରେ କାଫକାଙ୍କ ନାମ ଥିଲା ଖୁବ୍‌ ‘ଫାସନେବ୍‌ଲ୍‌’ । ଏବେ ସୁଦ୍ଧା କାଫ୍‌କାଙ୍କ ପ୍ରସିଦ୍ଧି ଅନାହତ ରହିଛି ।

 

ଡଃ ସୌଭାଗ୍ୟ କୁମାର ମିଶ୍ର, କାଫକାଙ୍କ ପ୍ରସିଦ୍ଧ ଉପନ୍ୟାସ “The castle” କୁ ଓଡ଼ିଆରେ ଅନୁବାଦ କରି ଓଡ଼ିଆ ପାଠକମାନଙ୍କୁ ଏକ ମହାନ ପ୍ରତିଭାଶାଳୀ ଲେଖକ ସହିତ ପରିଚିତ କରାଇ ପାରିଛନ୍ତି ।

 

ମୁଁ ଆଶା କରେ ଓଡ଼ିଆ ପାଠକ ସମାଜରେ ଏହା ଆଦୃତ ହେବ ।

 

ଶିବାନୀ

ସୁରେନ୍ଦ୍ର ମହାନ୍ତି

କଟକ-୮

ସଭାପତି

୧୯ । ୪ । ୮୨

ଓଡ଼ିଶା ସାହିତ୍ୟ ଏକାଦାମୀ

Image

 

ଦୁଇପଦ

 

ଅନ୍ୟ ଭାଷାର ଉପାଦେୟ ପୁସ୍ତକମାନ ଓଡ଼ିଆ ଭାଷାରେ ଅନୁବାଦ କରି ପ୍ରକାଶ କରିବା ଏକାଡ଼େମୀର ଅନ୍ୟତମ କାର୍ଯ୍ୟକ୍ରମ ଭାବରେ ଗୃହୀତ । ଓଡ଼ିଆ ପାଠକ ତଥା ଲେଖକମାନଙ୍କୁ ଅନ୍ୟ ସାହିତ୍ୟରେ ରଚିତ ଉଚ୍ଚକୋଟୀର ସାହିତ୍ୟକୃତି ସହିତ ପରିଚିତ କରାଇବା ଏହି କାଯ୍ୟକ୍ରମର ଉଦ୍ଦେଶ୍ୟ । ଦୁର୍ଗ (castle) ବିଶ୍ୱାସାହିତ୍ୟର ଏକ ମର୍ଯ୍ୟାଦାବନ୍ତ ଉପନ୍ୟାସ ଗ୍ରନ୍ଥ । ଏ ପୁସ୍ତକର ଓଡ଼ିଆ ସଂସ୍କରଣ ପ୍ରକାଶିତ ହେବା ପରେ ଓଡ଼ିଆ ପାଠକମାନଙ୍କୁ ଏକ ଉକ୍ତୃଷ୍ଟ ଋଚିର ଉପନ୍ୟାସ ପାଠ କରିବାର ସୁଯୋଗ ମିଳିଲା ବୋଲି କହିବା ବାହୁଲ୍ୟ ।

 

ଦୁର୍ଗର ରଚୟିତା କାଫ୍‌କାଙ୍କର ଅନ୍ୟ ଏକ ବିଶିଷ୍ଟ ରଚନା Trail ବର୍ତ୍ତମାନ ଏକାଡ଼େମୀ ପକ୍ଷରୁ ପ୍ରକାଶନାଧୀନ ରହିଛି ।

 

ଏ ପୁସ୍ତକଟି ବିଶେଷ କରି ଇଂରେଜୀ ବା ଅନ୍ୟ ଭାଷା ସହିତ ସୁପରିଚିତ ହୋଇ ନଥିବା ପାଠକ ସାଧାରଣଙ୍କ ଦ୍ୱାରା ଯଥେଷ୍ଟ ଆଦର ଲାଭ କରିବ ବୋଲି ଆଶା କରାଯାଏ ।

 

ରାଇଚରଣ ଦାସ

ତା ୨୩ । ୪ । ୮୨

ସମ୍ପାଦକ

Image

 

ଫ୍ରାଁକ୍‌ କାଫିକା ଓ ‘ଦୁର୍ଗ’

 

ଜାତିରେ ଚେକ୍‌ (Czech) ଧର୍ମରେ ଇହୁଦୀ ଏବଂ ଜର୍ମାନ ଔପନ୍ୟାସିକ ଡାଏରୀ ଲେଖକ ଓ ଗାଳ୍ପିକ ଫ୍ରାଁକ୍‌ କାଫ୍‌କା ଏ ଶତାବ୍ଦୀର ଜଣେ ପ୍ରଥିତଯଶା ଲେଖକ । ସେ ୧୮୮୩ ମସିହାରେ ଚେକୋସ୍ଲୋଭାକିଆର ପ୍ରାହା (Prague) ସହରରେ ଜନ୍ମ ହୋଇଥିଲେ ଏବଂ ଜୀବନର ଅଧିକାଂଶ ସମୟ ସେଠାରେ ଅତିବାହିତ କରିଥିଲେ । ପ୍ରଥମେ ସାହିତ୍ୟ ଓ ଚିକିତ୍ସା ଶାସ୍ତ୍ର ଏବଂ ପରେ ଆଇନ୍‌ ଅଧ୍ୟୟନ କରି ସେ ଆଇନରେ ଡକ୍ଟରେଟ ଉପାଧି ଲାଭ କଲେ ଏବଂ ଗୋଟିଏ ବୀମା ଜର୍ମାନୀରେ ଚାକିରୀ କଲେ । ପରେ ସେ ଗୋଟିଏ ଅର୍ଦ୍ଧ ସରକାରୀ ସଂସ୍ଥା, ୱାର୍କର୍‌ସ ଇନସ୍ୟୁରାନ୍‌ସ ଅଫିସ୍‌ରେ ଜଣେ କିରାଣୀ ଭାବରେ ଯୋଗ ଦେଇଥିଲେ । ଶେଷ ଜୀବନରେ ସାହିତ୍ୟଚର୍ଚ୍ଚାରେ ନିଜକୁ ସଂପୂର୍ଣ୍ଣ ନିୟୋଜିତ କରିବା ପାଇଁ ସେ ବର୍ଲିନ୍‌ ସହରର ବସ୍ତି ଅଞ୍ଚଳରେ ବସବାସ କରିଥିଲେ ।

 

କାଫକାଙ୍କ ପିତା ଥିଲେ ଜଣେ ଧନୀ ବ୍ୟବସାୟୀ । ନିଜ ପୁଅର ସାହିତ୍ୟିକ ବାସନା ପ୍ରତି ତାଙ୍କର କୌଣସି ଶ୍ରଦ୍ଧା କିମ୍ବା ସହାନୁଭୂତି ନଥିଲା । ୧୯୧୪ ମସିହାରେ ଗୋଟିଏ ଝିଅ ସହିତ କାଫ୍‌କାଙ୍କର ନିର୍ବନ୍ଧ ହେଲା, କିନ୍ତୁ ବୈବାହିକ ଜୀବନକୁ ଭୟ କରି ସେ ନିର୍ବନ୍ଧ ଭାଙ୍ଗି ଦେଲେ । ୧୯୧୯ ମସିହାରେ ପୁଣିଥରେ ଅନ୍ୟ ଜଣେ ଝିଅ ସାଙ୍ଗରେ ତାଙ୍କର ନିର୍ବନ୍ଧ ହେଲା, କିନ୍ତୁ ତାଙ୍କର ଯକ୍ଷ୍ମା ରୋଗ ହୋଇଥିବା ଜଣା ପଡ଼ିବାରୁ ଏଥର ମଧ୍ୟ ସେ ବିବାହ କରିପାରିଲେ ନାହିଁ, ଭିଏନା ସହର ନିକଟସ୍ଥ ଗୋଟିଏ ଯକ୍ଷ୍ମା ନିବାସକୁ ଚାଲିଗଲେ । ନିଜର ଅସଫଳ ଯୌନ ଜୀବନ, ପିତାଙ୍କ ସହିତ ଉଦାସୀନ ସମ୍ପର୍କ, ନିଜର ବୌଦ୍ଧିକ ସାଧୁତା ତଥା ଅତିଶୟ ଭାବ ପ୍ରବଣତା ଯୋଗୁଁ ତାଙ୍କର ଦୈହିକ ଓ ମାନସିକ ସ୍ୱାସ୍ଥ୍ୟ ଭାଙ୍ଗି ପଡ଼ିଥିଲା । ୧୯୨୪ ମସିହାରେ ପ୍ରଥମ ବିଶ୍ୱଯୁଦ୍ଧ ପରିବର୍ତ୍ତୀ ମୁଦ୍ରାସ୍ପୀତି ସମୟରେ ସେ ସେହି ଯକ୍ଷ୍ମା ନିବାସରେ ପ୍ରାଣତ୍ୟାଗ କରିଥିଲେ ।

 

କାଫ୍‌କାଙ୍କ ସାହିତ୍ୟକୃତି ମଧ୍ୟରେ ତିନୋଟି ଉପନ୍ୟାସ ବିଶେଷ ଭାବରେ ଉଲ୍ଲେଖ ଯୋଗ୍ୟ । ସେଗୁଡ଼ିକ ହେଲା ‘ଦ ଟ୍ରାୟାଲ୍‌ (ବିଚାର) ‘ଦ ଜ୍ୟାସଲ’ (ଦୁର୍ଗ) ଏବଂ ଆମେରିକା’ । ତିନୋଟିଯାକ ଉପନ୍ୟାସ ଅସଂପୂର୍ଣ୍ଣ ଏବଂ ତାଙ୍କର ମୃତ୍ୟୁ ପରେ ହିଁ ପ୍ରକାଶିତ । କାଫ୍‌କା ତାଙ୍କର ପ୍ରିୟ ବନ୍ଧୁ ଓ ଭାବି ଜୀବନୀ ଲେଖକ ମାକ୍‌ସ ବ୍ରଡ଼ଙ୍କୁ ତାଙ୍କର ସମସ୍ତ ଅପ୍ରକାଶିତ ପାଣ୍ଡୁ ଲିପିକୁ ନଷ୍ଟ କରିଦେବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ବ୍ରଡ଼ଙ୍କ ସଂପାଦନାରେ ଉପର୍ଯ୍ୟୁକ୍ତ ତିନୋଟି ଉପନ୍ୟାସ ଯଥାକ୍ରମେ ୧୯୨୫; ୧୯୨୬ ଓ ୧୯୨୭ ମସିହାରେ ପ୍ରକାଶିତ ହୋଇଥିଲା । ସେଗୁଡ଼ିକର ଇଂରାଜୀ ଅନୁବାଦ ୧୯୩୦ (ଦୁର୍ଗ), ୧୯୩୬ (ବିଚାର) ଓ ୧୯୩୮ (ଆମେରିକା) ରେ ପ୍ରକାଶିତ । କାଫ୍‌କା ତାଙ୍କର ସମସ୍ତ ଲେଖା ଜର୍ମାନ ଭାଷାରେ ଲେଖି ଯାଇଛନ୍ତି ।

 

କାଫ୍‌କାଙ୍କର ସମସ୍ତ ଲେଖା ପ୍ରତୀକ ଧର୍ମୀ । ସେଥିରେ ହିଟଲର ମୁସୋଲିନୀ-ସ୍ତାଲିନ୍-ଫ୍ରାକୋଙ୍କ ଦ୍ୱାରା ଅଧ୍ୟୁଷିତ ଓ ଅତ୍ୟାଚାରିତ ୟୁରୋପର ଭୟଙ୍କର ଅଥଚ କରୁଣ ଚିତ୍ର ପ୍ରତିଫଳିତ-। ତାଙ୍କର ନାୟକ ଜଣେ ଆଧୁନିକ ନିର୍ବାସିତ ମଣିଷ । ଆମେରିକା ଉପନ୍ୟାସରେ ସେ କାର୍ଲ ରସ୍‌ମାନ, ‘ବିଚାର’ ରେ ଯୋସେଫ କେ. ଏବଂ ‘ଦୁର୍ଗ’ ରେ କେବଳ କେ. (ଇଂରାଜୀ ଅକ୍ଷର K.)-। କେତେକ ସମାଲୋଚକଙ୍କ ମତରେ ଏମାନେ ସମସ୍ତେ ହେଉଛନ୍ତି ଲେଖକ ନିଜେ । କାରଣ କାଫ୍‌କା ସାରା ଜୀବନ ଜଣେ ନିର୍ବାସିତ ବ୍ୟକ୍ତି ଥିଲେ । ପାରଂପାରିକ ଇହୁଦୀ ପରିବାରରେ ଜନ୍ମ ହୋଇ ମଧ୍ୟ ତାଙ୍କର ବ୍ୟବସାୟୀ ପିତାଙ୍କ ସହିତ ଭଲ ସଂପର୍କ ନଥିଲା, ସେ ଇହୁଦୀ ଧର୍ମଧାରଣକୁ କଟୁ ସମାଲୋଚନା କରୁଥିଲେ ସମସ୍ତ ପ୍ରେମ ସଂପର୍କ ଅସଫଳ ହେବାରୁ ସେ ବିବାହ କରିପାରିନଥିଲେ, ତାଙ୍କର ପାରିବାରିକ ଜୀବନ ବୋଲି କିଛି ନଥିଲା; ଚେକ୍‌ ଲୋକଙ୍କ ଭିତରେ ସେ ଜର୍ମାନ୍‌ଭାଷୀ ଥିଲେ, ତେଣୁ ତାଙ୍କର ଜନ୍ମଭୂମି ବୋଲି କିଛି ନଥିଲା; ପୁଣି ସେ ତାଙ୍କର ପ୍ରଧାନ ଲେଖାଗୁଡ଼ିକ ସଂପୂର୍ଣ୍ଣ କରିପାରିନଥିଲେ, ତେଣୁ ସାହିତ୍ୟିକ ଭାବରେ ଅସ୍ୱୀକୃତ ହୋଇ ରହିଥିଲେ; ଏବଂ ସାରା ଜୀବନ ରୋଗରେ ଭୋଗିଥିଲେ । ଏହି ସମସ୍ତେ ବ୍ୟର୍ଥତାରେ କାଫ୍‌କାଙ୍କର ନାୟକମାନେ ଜର୍ଜରିତ । ‘ଆମେରିକା ଉପନ୍ୟାସରେ ନିର୍ବାସିତ ମାନଙ୍କର ସ୍ୱପ୍ନରାଜ୍ୟରେ ସେ ନିଜପାଇଁ ଟିକିଏ ଯାଗା ଖୋଜୁଛି, ‘ବିଚାର’ରେ ସହରର ଏକ ରହସ୍ୟମୟ ବିଚାରାଳୟରେ ଆସି ନ୍ୟାୟ ଦାବୀ କରୁଛି, ଏବଂ ‘ଦୁର୍ଗ’ ରେ ସେ ଖୋଜୁଛି ଚାକିରୀ, ସାମାଜିକ ନିରାପତ୍ତା, ସ୍ୱୀକୃତି ଓ ବିବାହ । ‘ମେଟାମର୍‌ଫସିସ୍‌’ ବା ‘ଘଟପରିବର୍ତ୍ତନ, ନାମକ ଏକ ପ୍ରଖ୍ୟାତ ଗଳ୍ପରେ ସେ ସକାଳୁ ଉଠି ଦେଖୁଚି ଯେ ସେ ଏକ ଅତିକାୟ ଅସରପାରେ ପରିଣତ ହୋଇଯାଇଛି, ଯଦିଓ ତା’ର ପ୍ରକୃତି ଅପରିବର୍ତ୍ତିତ ରହିଛି ।

 

ମନସ୍ତାତ୍ତିକ ଦୃଷ୍ଟିକୋଣରୁ ବିଚାରକଲେ ‘ଦୁର୍ଗ’ ଉପନ୍ୟାସର ଦୁର୍ଗ ହେଉଛି ଏକ ମାତୃ-ପ୍ରତୀକ । ଏବଂ ଯେଉଁ କାଉଣ୍ଟ୍‌ ଜଣକ ନାୟକକୁ ଦୁର୍ଗ ଭିତରେ ପ୍ରବେଶ କରିବାକୁ ଦେଉନାହାଁନ୍ତି, ସେ ହେଉଛନ୍ତି କଠୋରପ୍ରକୃତି, ରହସ୍ୟମୟ ପିତା । ମାତୃମୂର୍ତ୍ତି ପ୍ରତି ଏକ ରକମର ପାପଯୁକ୍ତ ଆକର୍ଷଣ ଏବଂ ପିତୃମୂର୍ତ୍ତି ପ୍ରତି ଇର୍ଷ୍ୟା ଏହି ଉପନ୍ୟାସର ମୁଖ୍ୟ ପ୍ରତୀକ ଗୁଡ଼ିକ ମାଧ୍ୟମରେ ପ୍ରକାଶିତ । କେହି କେହି ସମାଲୋଚକ ସାମାଜିକ, ଏପରିକି ମାର୍କସୀୟ ଦୃଷ୍ଟିକୋଣରୁ ମଧ୍ୟ ଆଲୋଚନା କରିଛନ୍ତି । ସେମାନଙ୍କ ମତରେ ଏହି ଉପନ୍ୟାସ ଗୁଡ଼ିକରେ କାଫ୍‌କା ତତ୍‌କାଳୀନ ମୁମୂର୍ଷୁ ଜମିଦାରୀ ପ୍ରଥା ଓ ଅମଲାତନ୍ତ୍ରର ଏକ ହାସ୍ୟକର ବ୍ୟଙ୍ଗ୍ୟାତ୍ମକ ଚିତ୍ର ପ୍ରଦାନ କରିଛନ୍ତି । କିନ୍ତୁ ସବୁଠାରୁ ପ୍ରଭାବଶାଳୀ ସମାଲୋଚନା କରାଯାଇଛି ଧର୍ମଭାବ ଦୃଷ୍ଟିକୋଣରୁ । ସେ ଦୃଷ୍ଟିରୁ କୌଣସି ଦୋଷ ନ କରି ବି ଗିରଫ୍ ହେଉଥିବା ଯୋସେଫ୍‌ କେ. (‘ବିଚାର’) ହେଉଛି ପାପୀ ମଣିଷ ଜାତିର ପ୍ରତୀକ । ଏବଂ ସେ ଯେଉଁ ନ୍ୟାୟ ଚାହୁଁଛି ତାହା ହେଲା ଭଗବତ କୃପା ବା Divine justice । ସେହିପରି ଦୁର୍ଗ ଉପନ୍ୟାସର କେ. ମଧ୍ୟ ମଣିଷ ଜାତିର ପ୍ରତୀକ, ସେ ସତ୍ୟାନୁସନ୍ଧାନୀ, ସଂସାରରେ ସତ୍ୟର ପ୍ରକୃତି ଓ ପ୍ରକ୍ରିୟା ସମ୍ବନ୍ଧରେ ଅନ୍ୱେଷଣରତ । ତାଙ୍କର ସମସ୍ତ ଲେଖାର ପାରମ୍ପରିକ ରୂପକଥାର ପ୍ରଭାବ ଅତି ସ୍ପଷ୍ଟ । ସେ ଅସାଧାରଣ ଘଟଣା ଗୁଡ଼ିକର ସାଧାରଣ ବର୍ଣ୍ଣନା କରିଛନ୍ତି । ସବୁ କିଛି ମନେହୁଏ ଅତି ପରିଚିତ, କିନ୍ତୁ ପର ମୁହୂର୍ତ୍ତରେ ଭୀଷଣ ରହସ୍ୟମୟ । ‘ଦୁର୍ଗ’ ଉପନ୍ୟାସରେ ଏହି ଗୁଣଟି ସର୍ବାଦୌ ଲକ୍ଷ୍ୟଣୀୟ ।

 

କେ. ପହଞ୍ଚିଲା ବେଳକୁ ରାତି ହେଲାଣି । ଗାଁଟା ବରଫରେ ବୁଡ଼ିଯାଇଛି । ଦୁର୍ଗଥିବା ପାହାଡ଼ଟା ଅନ୍ଧାରରେ, କୁହୁଡ଼ି ଆଢ଼ୁଆଳରେ ଲୁଚିଯାଇଚି । ଏମିତିକି ସାମାନ୍ୟ ଆଲୁଅ ଟିକିଏ କେଉଁଠି ନାହିଁ ଯେ ସେଠି ଦୁର୍ଗଟାଏ ଅଛି ବୋଲି ଜାଣିହେବ । ପ୍ରଧାନ ସଡ଼କରୁ ଗାଁକୁ ଯିବା ରାସ୍ତାରେ କାଠପୋଲଟା ଉପରେ ଅନେକ ସମୟ ଧରି ଠିଆ ହୋଇ କେ. ଉପରର ପ୍ରହେଳିକାମୟ ଶୂନ୍ୟତା ଆଡ଼କୁ ଅନାଇଁ ରହିଲା ।

 

ତା’ପରେ ସେ ଗଲା ରାତିକ କଟାଇବା ପାଇଁ ଯାଗା ଖୋଜିବାକୁ । ଗାଁ ହୋଟେଲଟି ସେ ଯାଏ ଖୋଲାଥିଲା । ମାଲିକ ଯଦିଓ ତାକୁ ଘରଟେ ଦେଇପାରିଲା ନାହିଁ ଏବଂ ଏତେ ଡେରିରେ ଅପ୍ରତ୍ୟାଶିତ ଭାବେ ଜଣେ ଆସି ପହଞ୍ଚିବାର ଦେଖି ବ୍ୟସ୍ତ ହୋଇ ପଡ଼ିଥିଲା, ବସିବା ଘରେ ଗୋଟାଏ ପାଲଶେଯରେ ସେ କେ, କୁ ଶୋଇବାକୁ ଦେଲା କେ. ସେଥିରେ ରାଜି ହୋଇଗଲା । କେତେଜଣ ଚାଷୀ ମୁଲିଆ ସେଯାଏ ବସି ମଦ ପିଉଥିଲେ, କିନ୍ତୁ କେ. କାହା ସାଙ୍ଗରେ କଥାହେବାକୁ ଚାହୁଁ ନ ଥିଲା, ଏବଂ ନିଜେ ଭାଡ଼ିଉପରୁ ପାଳଶେଯଟା ଟାଣିଆଣି ନିଆଁ ଉହ୍ନେଇ କଡ଼ରେ ପକାଇ ଗଡ଼ି ପଡ଼ିଲା । ଯାଗାଟା ଉଷୁମ ଲାଗୁଥାଏ । ମଦ ପିଉଥିବା ଲୋକେ ଚୁପ୍‌ଚାପ୍‌ ବସିଥାନ୍ତି; ସେମାନଙ୍କ ଉପରେ କ୍ଳାନ୍ତ ଆଖି ବୁଲାଇ ଆଣୁ ଆଣୁ କେ. କୁ ନିଦ ଲାଗିଗଲା-

 

କିନ୍ତୁ ଅଳ୍ପ ସମୟ ପରେ ତାକୁ ଉଠାଇ ଦିଆହେଲା । ସହରୀଲୋକ ଭଳି ପୋଷାକ ପିନ୍ଧିଥିବା, ଅଭିନେତା ଭଳି ମୁହଁ, ଛୋଟ ଛୋଟ ଆଖି ଓ ସ୍ପଷ୍ଟ ଭ୍ରୁଲତା ଥିବା ଜଣେ ଯୁବକ, ତା’ ପାଖରେ ଠିଆ ହୋଇଥାଏ । ସାଙ୍ଗରେ ହୋଟେଲ ମାଲିକ । ମଦ ପିଉଥିବା ଲୋକେ ସେଯାଏଁ ଭିତରେ ବସିଥାନ୍ତି । କେତେଜଣ ଘଟଣାଟା ଭଲକରି ଦେଖିବାକୁ ଓ ଶୁଣିବାକୁ ଚଉକି ସେ ଆଡ଼କୁ ବୁଲାଇ ସାରିଥାନ୍ତି । ଯୁବକ ଜଣକ କେ. କୁ ଉଠାଇ ଦେଇଥିବାରୁ ଭଦ୍ରଭାବରେ କ୍ଷମା ମାଗିନେଲା-। ନିଜକୁ ଦୁର୍ଗରକ୍ଷକଙ୍କ ପୁଅ ବୋଲି ପରିଚୟ ଦେଇସାରି କହିଲା, ଏଇ ଗାଁ’ଟା ଦୁର୍ଗର ଏବଂ ଯେ ଏଠି ରହେ ବା ରାତିଟାଏ କଟାଏ ସେ ଦୁର୍ଗ ଭିତରେ ହିଁ ତାହା କଲା ବୋଲିବାକୁ ହେବ-। କାଉଣ୍ଟଙ୍କ ଅନୁମତି ବ୍ୟତିରେକେ କେହି ସେମିତି କରିବାର କଥା ନୁହେଁ । କିନ୍ତୁ ତମ ପାଖରେ ସେମିତି କିଛି ଅନୁମତି ପତ୍ର ନାହିଁ । ଅନ୍ତତଃ ତମେ ସେମିତି କିଛି ଦେଖାଇ ନାହଁ-।’’

 

କେ. ନିଜ ଦେହକୁ ଅଧା ଉଠାଇ ସାରିଥିଲା । ଏବେ ମୁଣ୍ଡବାଳକୁ ସାଉଁଳାଇ ଦୁଇଜଣଙ୍କ ଆଡ଼କୁ ଚାହିଁ କହିଲା, ‘‘ଇଏ କୋଉ ଗାଁ ଭିତରେ ଆସି ମୁଁ ଡାକିଛି ? ଏଠି ଗୋଟେ ଦୁର୍ଗ ଅଛିକି ।’’

 

‘‘ନିଶ୍ଚେ ଅଛି,’’ ଯୁବକ ଜଣକ ଧୀରଭାବେ ଉତ୍ତର ଦେଲା ଏଣେ ଜଣେ ଅଧେ କେ. କଥା ଶୁଣି ମୁଣ୍ଡ ହଲାଇ ଥିଲେ ‘‘ଥମି ସାହେବ କାଉଣ୍ଟ ୱେଷ୍ଟ-ୱେଷ୍ଟଙ୍କ ଦୁର୍ଗ ଏଟା ।’’

 

‘‘ଏଠି ଶୋଇବା ପାଇଁ ଅନୁମତି ଦରକାର ?’’ କେ. ପଚାରିଲା, ସତେ ଯେମିତି ସେ ନିଜ ପାଖରେ ସାବ୍ୟସ୍ତ କରିବାକୁ ଚାହୁଁଥିଲା ଯେ ସେ ଯାହା ଶୁଣିଲା ତା’ ସ୍ୱପ୍ନରେ ନୁହେଁ ।

 

‘‘ଅନୁମତି ଅବଶ୍ୟ ଦରକାର’’-ମିଳିଲା ଉତ୍ତର । ଏବଂ ଯୁବକ ଜଣଙ୍କ ଯେତେବେଳେ ହାତ ଦେଖାଇ ଅନ୍ୟମାନଙ୍କୁ ‘‘ନାଁ, ଦରକାର ନାହିଁ ?’’ ବୋଲି ପଚାରୁଥିଲା, ସେତେବେଳେ ତା’ ମୁଖଭଙ୍ଗୀରେ କେ. ପ୍ରତି ବିଦ୍ରୂପ ଓ ଘୃଣାଭାବ ଫୁଟି ଉଠୁଥିଲା ।

 

‘‘ବାସ୍‌ ତାହେଲେ ଯାଇ ଅନୁମତିଟା ଆଣିବାକୁ ପଡ଼ିବ,’’-ହାଇମାରି, ସତେ ଯେମିତି ଉଠି ପଡ଼ିବ ସେମିତି ଦେହ ଉପରୁ କମ୍ବଳଟା ଛିଞ୍ଚାଡ଼ି ଦେଇ କେ. କହିଲା ।

 

‘‘କାହାଠୁ, ଆଣିବ, ଶୁଣେ ?’’ ଯୁବକଟି ପଚାରିଲା ।

 

‘‘କାଉଣ୍ଟ ଙ୍କ ପାଖରୁ,’’ କେ. କହିଲା, ‘‘ମତେ ତା’ହିଁ ତ କରିବାକୁ ପଡ଼ିବ ।’’

 

ପାଦେ ପଛକୁ ଘୁଞ୍ଚିଯାଇ ଯୁବକଟି ପାଟିକରି ଉଠିଲା, ‘‘କାଉଣ୍ଟର ପାଖରୁ ଅନୁମତି, ଏ ରାତି ଅଧରେ !’’

 

‘‘ସେଟା କ’ଣ ଗୋଟେ ଅସମ୍ଭବ କଥା,’’ ଥଣ୍ଡା ଗଳାରେ କେ. ପଚାରିଲା । ‘‘ତା’ ହେଲେ ମତେ ଉଠାଇଥିଲେ କାହିଁକି ?’’

 

ଏ କଥାରେ ଯୁବକଟି ରାଗିଗଲା । ‘‘ସେମିତି ବଜାରୀ ଟୋକାଙ୍କ ଭଳି କଥା କୁହନାହିଁ-।’’ ଯୁବକଟି ଚିତ୍‌କାର କଲା ।’’ କାଉଣ୍ଟଙ୍କ ଅଧିକାର ପ୍ରତି ତମେ ସମ୍ମାନ ଦେଖାଇବାକୁ ବାଧ୍ୟ ! ମୁଁ ତମକୁ ଉଠାଇଲି, ଏୟା ଜଣାଇ ଦେବାକୁ ଯେ ତମେ ଏକ୍ଷଣି କାଉଣ୍ଟଙ୍କ ରାଜ୍ୟ ଛାଡ଼ି ଚାଲିଯାଅ ।

 

‘‘ଥାଉ ଥାଉ ବହୁତ କହିଲଣି-’’ ଧୀର ଶାନ୍ତ ଗଳାରେ କେ କହିଲା ଏବଂ ପୁଣି ଗଡ଼ିପଡ଼ି କମ୍ବଳଟା ଦେହ ଉପରକୁ ଟାଣି ଆଣିଲା । ‘‘ତମେ ଟିକିଏ ବଢ଼ି ବଢ଼ି କଥା କହୁଚ, ବାବୁ, ଏବଂ କାଲି ତମ ବ୍ୟବହାର ସଂପର୍କରେ ମତେ ବେଶ୍‌ କିଛିଟା କହିବାକୁ ପଡ଼ିବ । ଏଇ ହୋଟେଲ ମାଲିକ ଓ ସେଇ ଭଦ୍ରଲୋକମାନେ ଦରକାର ହେଲେ ମୋ କଥାରେ ସାକ୍ଷଦେବେ । ଶୁଣ, କହୁଚି, ମୁଁ ହେଲି ସେଇ ଅମିନ ଯାହାକୁ ତମ କାଉଣ୍ଟ ଅପେକ୍ଷା କରିଛନ୍ତି । ମୋ ସହକାରୀମାନେ ଯନ୍ତ୍ରପାତିଧରି କାଲି ଗୋଟାଏ ଗାଡ଼ିରେ ଆସି ପହଞ୍ଚୁଛନ୍ତି । ବରଫ ଭିତର ଦେଇ ଚାଲିବାର ସୁଯୋଗଟା ଛାଡ଼ିବାକୁ ମୋର ଇଚ୍ଛା ହେଲା ନାହିଁ, କିନ୍ତୁ ଦୁର୍ଭାଗ୍ୟବଶତଃ ମୁଁ ଥରକୁ ଥର ଭୁଲିଗଲି । ତେଣୁ ଏତେ ଡେରିରେ ପହଞ୍ଚିଲି । ତମେ ମତେ ଜଣାଇବା ଆଗରୁ ମୁଁ ଜାଣିଚି ଯେ ମୋର ଦୁର୍ଗକୁ ଯିବା କଥା, କିନ୍ତୁ ଏତେ ରାତିରେ ନୁହେଁ । ସେଇଥିପାଇଁ ମୁଁ ରାତିଟା ଏଇଠି କଟାଇ ଦେଉଚି, ଯେଉଁଠିକି, ଗଳ୍ପକରେ କହିଲେ, ତମେ ମୋ’ ସାଙ୍ଗରେ ଆସି ଲାଗିଲ, ଅଭଦ୍ର ଭାବରେ । ଏତିକି ମୋର କହିବାର କଥା । ଶୁଭରାତ୍ରି । ଭଦ୍ରମହୋଦୟ ଗଣ !’’ ଏବଂ କେ. ଉହ୍ନେଇ ଆଡ଼କୁ କଡ଼ ବୁଲାଇ ଶୋଇପଡ଼ିଲା ।

 

ଅମିନବାବୁ ?’’ ଏଇ କୁଣ୍ଠିତ ପ୍ରଶ୍ନ କେ. ପଛରୁ ଶୁଣିଲା । ତା’ପରେ ସମସ୍ତେ ନୀରବ ହୋଇଗଲେ । କିନ୍ତୁ ଯୁବକ ଜଣକ ଖୁବ୍‌ ଶୀଘ୍ର ସାହସ ସଞ୍ଚୟ କରି, କେ. କୁ ନିଦରୁ ନ ଉଠାଇଲା ଭଳି ଧୀର ଗଳାରେ ଅଥଚ ସମସ୍ତ ସ୍ପଷ୍ଟ ଶୁଣିପାରିବା ଭଳି ସ୍ୱରରେ ହୋଟେଲ ମାଲିକକୁ କହିଲା । ମୁଁ ଫୋନ୍‌ କରି ବୁଝି ଦେଉଚି ।’’ ତା’ହେଲେ ଏଇ ଗାଁ ହୋଟେଲରେ ଗୋଟେ ଟେଲିଫୋନ୍‌ ବି ଅଛି-? ସେମାନେ ସବୁ ଦରକାରୀ ଜିନିଷ ରଖିଥିଲେ । ଏଇ ନିର୍ଦ୍ଦିଷ୍ଟ ଘଟଣାଟାରେ କେ. ଆଶ୍ଚର୍ଯ୍ୟହେଲା ସିନା, ସେ ପ୍ରାୟ ସବୁକଥା ପ୍ରକୃତରେ ଆଶା କରିଥିଲା । ମନେ ହେଲା ଯେ ଟେଲିଫୋନ୍‌ଟା କେ.ର ଠିକ୍‌ ମୁଣ୍ଡ ଉପରେ ରଖା ହୋଇଛି ଏବଂ ନିଦ ମଳ ମଳ ଅବସ୍ଥାରେ ସେ ସେଇଟାକୁ ଦେଖି ପାରି ନଥିଲା । ଯଦି ଯୁବକ ଜଣକ ନିଶ୍ଚେ ଟେଲିଫୋନ କରିବ ଯେତେ ସାବଧାନ ହେଲେ ବି ତା’କୁ କେ. କୁ ଉଠାଇବାକୁ ପଡ଼ିବ । ପ୍ରଶ୍ନ ହେଲା କେ. ତାକୁ ତା’ କରିବାକୁ ଦେବ କି ? କେ. ଠିକ୍‌ କଲା ଯେ ତାକୁ ଫୋନ୍‌ କରିବାକୁ ଦେବ । ତା’ହେଲେ ଆଉ ଶୋଇପଡ଼ିଥିବାର ଛଳନା କରି ଲାଭନାହିଁ । ତେଣୁ ସେ ପୁଣି କଡ଼ ଲେଉଟାଇଲା । ଚାଷୀଲୋକ ଗୁଡ଼ିକ ମୁହଁକୁ ମୁହଁ ଲଗାଇ କଥାବାର୍ତ୍ତା ହେଉଥିବା କେ. ଦେଖିପାରିଲା । ଜଣେ ଅମିନ ବାବୁଙ୍କର ପହଞ୍ଚିବାଟା ଗୋଟାଏ ଛୋଟ କଥା ନୁହେଁ । ରନ୍ଧାଘର କବାଟ ଖୋଲା ହୋଇ ଯାଇଥାଏ ଏବଂ ପୂରା ରାସ୍ତା ବନ୍ଦ୍‌ କରି ମୋଟୀ ହୋଟେଲ ମାଲିକାଣି ଠିଆ ହୋଇଥାଏ । ହୋଟେଲ ମାଲିକ ଆସ୍ତେ ତା’ ଆଡ଼କୁ ଆଗେଇଥାଏ । ଯାହାସବୁ ଘଟି ଯାଉଥାଏ କହିବାକୁ ଏବଂ ବର୍ତ୍ତମାନ ଟେଲିଫୋନ୍‌ରେ କଥାବାର୍ତ୍ତା ଆରମ୍ଭ ହୋଇଗଲା । ଦୁର୍ଗରକ୍ଷକ ଶୋଇପଡ଼ିଥାନ୍ତି, କିନ୍ତୁ ମିଷ୍ଟର୍‌ ଫ୍ରିଜ୍‌ ନାମକ ତାଙ୍କର ଜଣେ ଅଧସ୍ତନ ଫୋନରେ ମିଳିଲେ । ନିଜକୁ ସ୍ୱାଜର୍‍ ବୋଲି ପରିଚୟ ଦେଇ ଯୁବକ ଜଣଙ୍କ କହିଲା ଯେ ସେ କେ: କୁ ଖୋଜି ଖୋଜି ପାଇଚି । ଗୋଟାଏ ଛୋଟଲୋକ ଭଳି କେ ର ଚେହେରା; ବୟସ ୩୦ । ୩୫ ହେବ । ଗୋଟାଏ ପାଳ ଶେଯରେ କ୍ୟାନଭାସ୍‌ ମୁଣାଟେ ତକିଆ ତକିଆ କରି ଚୁପଚାପ ଗଣ୍ଠିଆ ବାଡ଼ି ପଡ଼ିଚି । ମୂଳରୁ ଲୋକଟାକୁ ଦେଖି ତା’ର ସନ୍ଦେହ ହୋଇଥିଲା, ଏବଂ ହୋଟେଲେ ମାଲିକ ଯେ ହେତୁ ତା’ କର୍ତ୍ତବ୍ୟରେ ହେଳା କରିଥିଲା, ସ୍ୱୀକାର ବାଧ୍ୟହୋଇ ଘଟଣାକୁ ଅନୁସନ୍ଧାନ କଲା । ସେ ଲୋକଟାକୁ ନିଦରୁ ଉଠାଇଲା । ପଚରା ଉଚରା କଲା ଏବଂ କାଉଣ୍ଟଙ୍କ ରାଜ୍ୟ ଛାଡ଼ି ପଳାଇ ଯିବାକୁ ତାଗିଦ କଲା । କେ: କିନ୍ତୁ ଏ ସବୁ କଥାକୁ ବେଖାତିର କଲାଭଳି ମନେହେଲା । ଏ ବେଖାତିର ଭାବ ବୋଧେ ପୂରାପୂରି ଅମୂଳକ ନୁହେଁ, କାରଣ ପରେ ଯାହା ଘଟିଲା, ଲୋକଟା ନିଜକୁ କାଉଣ୍ଟଙ୍କ ଦ୍ୱାରା କ୍ଷମତାପ୍ରାପ୍ତ ଅମିନ ବୋଲି ପରିଚୟ ଦେଲା । ଅବଶ୍ୟ, ଅତି କମ୍‌ରେ, ତା’ କଥା ସତ ବୋଲି ସରକାରୀ ପ୍ରମାଣ ଦରକାର । ତେଣୁ ସ୍ୱାଜର୍‌ ମିଷ୍ଟର ଫ୍ରିଜ୍‌ଙ୍କୁ ଅନୁରୋଧ କଲା ଯେ ଜଣେ ଅମିନ୍‌ ପ୍ରକୃତରେ ଆସିବାର ଥିଲା କି ବୋଲି ସେ କେନ୍ଦ୍ର ବୁରୋରେ ଅନୁସନ୍ଧାନ କରନ୍ତୁ ଏବଂ ଯଥାଶୀଘ୍ର ଟେଲିଫୋନ୍‌ କରନ୍ତୁ । ତା ପରେ ସବୁ ଚୁପ୍‌ ଚାପ୍‌ ହୋଇଗଲା । ତେଣେ ଫ୍ରିଜ୍‌ ଅନସନ୍ଧାନ କରୁଥାଏ ଏବଂ ଯୁବକ ଜଣକ ତା’ ଉତ୍ତରକୁ ଅପେକ୍ଷାକରି ରହିଥାଏ । କେ. ସ୍ଥିର ହୋଇ ପଡ଼ିରହିଲା, ଏପରିକି ଥରେ ହେଲେ କଡ଼ ଲେଉଟାଇଲା ନାହିଁ । ମନେହେଲା ଏସବୁ ଘଟଣା ପ୍ରତି ସେ ପୁରା ଉଦାସୀନ । କେ: ଶୂନ୍ୟକୁ ଅନାଇଁ ରହିଥାଏ । ସ୍ୱାଜରର୍‌ କଥା ଯେଉଁଥିରେ କି ବେଶ୍‌ ଘୃଣା ଓ ଚତୁରତା ମିଶି ରହିଥିଲା । ସେଥିରୁ କେ: ର ଧାରଣା ହେଲା ଯେ ସ୍ୱାଜର ଭଳି ଅତି ସାଧାରଣ ଦୁର୍ଗ କର୍ମଚାରୀ ମଧ୍ୟ କୂଟନୀତିରେ ବେଶ୍‌ ଧୁରନ୍ଧର ସେମାନେ ଖୁବ୍‌ ପରିଶ୍ରମୀ ମଧ୍ୟ, କେନ୍ଦ୍ର ଅଫିସରେ ରୀତିରେ ବି ଲୋକେ କାମ କରନ୍ତି । ଏବଂ ବୋଧେ ଖୁବ୍‌ ଶୀଘ୍ର ପ୍ରଶ୍ନର ଉତ୍ତର ଦିଅନ୍ତି । ସେତେବେଳକୁ ଫ୍ରିଜ୍‌ ଫୋନ୍‌ କରି ସାରିଥିଲା । ତାର ଉତ୍ତର ଖୁବ୍‌ ସଂକ୍ଷିପ୍ତ ମନେହେଲା, କାରଣ ସ୍ୱାଜର୍‍ ହଠାତ୍‌ ଟେଲିଫୋନଟା ରଖି ଦେଉ ଦେଉ ରାଗରେ ପାଟିକଲା । ‘‘ଗୋଟେ ଭଣ୍ଡ ମିଛୁଆ ବାରବୁଲା କି ତା ଠୁ ବି ନ୍ୟୁନ ।’’ ମୁହୂର୍ତ୍ତକ ପାଇଁ କେ: ର ମନେହେଲା ଯେ ସେମାନେ ସମସ୍ତେ-ସ୍ୱାଜର, ଚାଷୀ ଲୋକ ଗୁଡ଼ାକ, ହୋଟେଲ ମାଲିକ ଓ ମାଲିକାଣୀ-ସମସ୍ତେ ଏକାଠି ତା’କୁ ମାଡ଼ି ବସିବେ । ସେମାନଙ୍କ ପ୍ରଥମ ମାଡ଼ରୁ ନିଜକୁ ରକ୍ଷା କରିବା ପାଇଁ କେ କମ୍ବଳ ଭିତରକୁ ପୂରା ପଶିଗଲା । କିନ୍ତୁ ଟେଲିଫୋନ୍‌ ପୁଣି ବାଜି ଉଠିଲା, ଏଥର ଖୁବ୍‌ ଜୋରରେ । ଅନ୍ତତଃ କେ: ର ସେୟା ମନେ ହେଲା-। ଆସ୍ତେ କିନା ସେ ମୁଣ୍ଡଟି ବାହାର କଲା । ଏଥର ବି କେ ବିଷୟରେ କିଛି ଖବର ଆସୁଥିବା କଥା ଅନିଶ୍ଚିତ ମନେ ହେଉଥିଲେ ବି ସେମାନେ ସମସ୍ତେ ଯେଉଁଠି ସେଇଠି ଠିଆହୋଇ ପଡ଼ିଲେ ଏବଂ ସ୍ୱାଜର ପୁଣି ଥରେ ଟେଲିଫୋନ୍‌ ରିସିଭରଟା ଉଠାଇଲା । ସେ ବେଶ୍‌ କିଛି ସମୟ କଥାବର୍ତ୍ତା କଲା ଏବଂ ତା’ପରେ ଧୀରଗଳାରେ କହିଲା, ଭୂଲ ହୋଇଗଲା ? ସତରେ ? ଆରେ, ବଡ଼ ଦୁଃଖର କଥା ! ବିଭାଗୀୟ ମୁଖ୍ୟ ନିଜେ ଏକଥା କହିଲେ-? ବିଚିତ୍ର କଥା ସତରେ ବିଚିତ୍ର, ମୁଁ ଏସବୁ କେମିତି ଅମିନବାବୁଙ୍କୁ ବୁଝାଇବି ?’’

 

କେ ଉଦ୍‌ଗ୍ରୀବ ହୋଇ ଶୁଣିଲା ତା’ ହେଲେ ଦୁର୍ଗର ଲୋକେ ତା’କୁ ଅମିନ ବୋଲି ଚିହ୍ନିଲେ । ଗୋଟାଏ ଦିଗରୁ ତାହା ତା ପାଇଁ ଅଶୁଭ ସୂଚକ, କାରଣ ଏଥିରୁ ଜଣାପଡ଼ିଲା ଯେ ଦୁର୍ଗଲୋକେ ତା’ କଥା ଭଲଭାବରେ ଜାଣିଥିଲେ, ସବୁ ଘଟଣା ଅନୁମାନ କରି ନେଇଥିଲେ ଏବଂ ତା’ର ପହଞ୍ଚିବାଟାକୁ କୌତୁକ କରି ମାନୁନଥିଲେ । ଅନ୍ୟଦିଗରେ ଅବଶ୍ୟ ତାହା ଶୁଭ ସୂଚକ, କାରଣ, କେ ର ଧାରଣା ଯଦି ଠିକ୍‌ ହୁଏ, ସେମାନେ ତାର ଶକ୍ତିକୁ ଠିକ୍‌ କଳନା କରିପାରି ନାହାନ୍ତି । ଏବଂ ବର୍ତ୍ତମାନ ସେ ଯେତିକି ଆଶା କରିଥିଲା ତା’ଠୁ ଅଧିକ ସ୍ୱାଧୀନଭାବରେ କାମ କରି ପାରିବ ଏବଂ ତା’କୁ ଅମୀନ ଭାବରେ ନେଇ ସେମାନେ ଯଦି ତାଙ୍କର ବଡ଼ଲୋକିରେ ତା’କୁ ଦାବି ଦେବାକୁ ବସିବେ ସେମାନେ ଭୂଲ କରିବେ; ଏକଥା ଭାବିଲା ବେଳେ ତା’ଦେହ ଟିକିଏ ଯାହା ଶୀତେଇ ଉଠିଲା, ବାସ୍‌ ।

 

ସ୍ୱାଜର ତା’ ଆଡ଼କୁ ଡରି ଡରି ଆସୁଥିବା ଦେଖି କେ ତା’କୁ ହଟିଯିବାକୁ ଇଙ୍ଗିତ କଲା ଏବଂ ହୋଟେଲ ମାଲିକର ନିଜ ବଖରାରେ ଯାଇ ବିଶ୍ରାମ ନେବାର ଆତୁର ନିମନ୍ତ୍ରଣକୁ ଅଗ୍ରାହ୍ୟ କରିଦେଲା । ହୋଟେଲ ମାଲିକଠାରୁ ସେ କେବଳ କିଛି ଗରମ ପାନୀୟ ଗ୍ରହଣ କଲା, ମାଲିକାଣୀ ପାଖରୁ ହାତ ଧୋଇବା ପାଇଁ ବେସିନଟାଏ, ଖଣ୍ଡେ ସାବୁନ୍‌ ଓ ଗୋଟାଏ ତଉଲିଆ ନେଲା । ଘର ଭିତରୁ ସମସ୍ତେ ବାହାରି ଯାନ୍ତୁ ବୋଲି କହିବା ମଧ୍ୟ ତା’ରି ଦରକାର ହେଲା ନାହିଁ, କାରଣ ସମସ୍ତେ ମୁହଁ ବୁଲାଇ ନେଇ ବାହାରକୁ ଚାଲିଗଲେ, କାଳେ ପରଦିନ ସକାଳେ କେ: କାହାକୁ ଚିହ୍ନି ପକାଇବ-। ଆଲୁଅ ଲିଭାଇ ଦିଆଗଲା ଏବଂ ଶେଷରେ ସେ ଏକୁଟିଆ ଶାନ୍ତିରେ ଶୋଇପାରିଲା । ସକାଳ ଯାଏଁ ସେ ଭଲରେ ଶୋଇଗଲା । ଥରେ ଦୁଇଥର ମୂଷା ଦୌଡ଼ିଲେ; କିନ୍ତୁ ତା ନିଦରେ କୌଣସି ବ୍ୟାଘାତ ଘଟିଲା ନାହିଁ ।

 

ସକାଳ ଜଳଖିଆ ଖାଇଲା ବେଳେ ହୋଟେଲ ମାଲିକ କହିଲା ଯେ ତା’ର ସମସ୍ତ ରହିବା ଖାଇବା ଖର୍ଚ୍ଚ ଦୁର୍ଗ ଲୋକେ ବହନ କରିବେ । ଜଳଖିଆ ଖାଇସାରି ସେ ଗାଁ ଭିତରକୁ ବୁଲିଯିବାକୁ ତରବର ହେଉଥାଏ । ଗଲା ରାତିରେ ହୋଟେଲ ମାଲିକରେ ବ୍ୟବହାର ଦୃଷ୍ଟିରୁ କେ ତା’ ପ୍ରତି ପ୍ରାୟ ଉଦାସୀନତା ଦେଖାଉଥିଲା । କିନ୍ତୁ ବିଚରା ଲୋକଟା କେ ପାଖ ମୋଟେ ଛାଡ଼ୁ ନଥାଏ ଏବଂ ଚୁପ୍‌ ଚାପ୍‌ ତା’ ପାଇଁ ସବୁ କିଛି କରିଦେବାର ଭାବ ଦେଖାଇଥାଏ । କେ ର ଲୋକଟାପ୍ରତି ଦୟା ହେଲା ଏବଂ ସେ ତାକୁ କିଛି ସମୟ ବସିବାକୁ କହି କଥାବର୍ତ୍ତା କଲା ।

 

‘‘କାଉଣ୍ଟଙ୍କ ସାଙ୍ଗରେ ମୋର ଏଯାଏଁ ଦେଖା ହୋଇନାହିଁ,’’ କେ ଆରମ୍ଭକଲା, ‘‘କିନ୍ତୁ କାମ ଦେଖିଲେ ଭଲ ପଇସା ଦିଅନ୍ତି, ନୁହେଁ ? ମୋ ଭଳି ଜଣେଲୋକ ଘରଛାଡ଼ି ଏତେ ଦୂରକୁ ଆସିଚି ମାନେ ସେ ଚାହିଁବ ଫେରିଲା ବେଳେ ତା’ ପକେଟ କିଛିଟା ଗରମ ହୋଇଥିବ ।

 

‘‘ସେ କଥା ନେଇ ଆପଣ ମୋଟେ ବ୍ୟସ୍ତ ହେବେନି, ପାଉଣା କମ୍‌ ହେଲା ବୋଲି କେହି କେବେ ଅଭିଯୋଗ କରିନାହାନ୍ତି ।’’

 

‘‘ବେଶ୍‌’’ କେ କହିଲା, ମୁଁ ତମମାନଙ୍କ ଭଳି ଡରୁଆ ନୁହେଁ, ଆଉ କାଉଣ୍ଟଙ୍କୁ ବି‘ପଦ ଶୁଣାଇ ଦେଇ ପାରିବି । ଅବଶ୍ୟ କିଛି ଗୋଳମାଳ ନରଖି ମୂଳରୁ ସବୁକଥା ଠିକ୍‌ ଠାକ୍‌ କରିଦେଲେ ଭଲ ।

 

ହୋଟେଲ ମାଲିକ କେ ସାମ୍ନାସାମ୍ନି ଝରକା ଦାଢ଼ରେ ବସିଥିଲା । ଆଉ କିଏ ସୁବିଧା ଯାଗାରେ ବସିବାପାଇଁ ତା’ର ସାହାସ କୁଳାଉ ନଥିଲା । ସେଇଠି ବସି ତା’ର ବଡ଼ ବଡ଼ କହରା ଆଖିରେ ଆକୁଳ ଦୃଷ୍ଟିରେ କେ. ଆଡ଼କୁ ଅନାଇଁ ରହିଥାଏ । ପ୍ରଥମେ ସେ କେ: ଉପରେ ନିଜ ସହଚର୍ଯ୍ୟ ଜବରଦସ୍ତ ଲଦି ଦେଇଥିଲା । ବର୍ତ୍ତମାନ ଖସି ପଳାଇବାକୁ ବ୍ୟାକୁଳ ଥିବା ଭଳି ଦିଶୁଥିଲା-। କାଉଣ୍ଟଙ୍କ ବିଷୟରେ କାଳେ ଗୁଡ଼େଇ ତୁଡ଼େଇ ପ୍ରଶ୍ନ ପଚରା ହେବ ବୋଲି ସେ ଡରୁଥିଲା କି ? ସେ କ’ଣ ଭୟ କରୁଥିଲା ଯେ କେ: ନାମକ ଭଦ୍ରଲୋକ ଜଣକ ତାକୁ କୌଣସି ଅସୁବିଧାରେ ପକାଇ ଦେବେ ? କେ. ଭାବିଲା ତା’ ମନକୁ ଅନ୍ୟଆଡ଼େ ଟାଣିନେବ । ସେ କାନ୍ଥ ଘଡ଼ିକୁ ଚାହିଁ କହିଲା, ମୋ ସହକାରୀମାନେ ତ ଆସି ପହଞ୍ଚିଯିବେ । ତମେ କ’ଣ ଏଠି ସେମାନଙ୍କ ରହିବା ବ୍ୟବସ୍ଥା କରିଦେଇ ପାରିବ ?

 

‘‘ନିଶ୍ଚୟ, ସାର୍‌,’’ ସେ ଉତ୍ତର ଦେଲା, କିନ୍ତୁ ସେମାନେ କ’ଣ ଆପଣଙ୍କ ସାଙ୍ଗରେ ଦୁର୍ଗରେ ରହିବେ ନାହିଁ ?’’

 

ଭାବୀ ଖରିଦ୍‌ଦାର୍‌ ମାନଙ୍କୁ ଛାଡ଼ି ଦେବାକୁ ତା’ହେଲେ ହୋଟେଲ ମାଲିକ ଏତେ ବେଶୀ ରାଜି ? ବିଶେଷକରି କେ କୁ, ଯାହାକୁ ସେ ବିନା ସର୍ତ୍ତରେ ଦୁର୍ଗକୁ ପଠାଇ ଦେଇ ପାରୁଚି ? ‘‘ସେକଥା ଏଯାଏଁ ନିଶ୍ଚିତ ନୁହେଁ ।’’ କେ. କହିଲା । ‘‘ମୁଁ ଆଗ ଦେଖେ ମୋତେ କି କାମ କରିବାକୁ ପଡ଼ିବ । ମୋତେ ଯଦି ଏଇଠି ତଳେ କାମ କରିବାକୁ ହେବେ ତେବେ ମୁଁ ଏଠି ରହିବା ଠିକ୍‌ ହେବ-। ମୋର କାହିଁକି ଆଶଙ୍କା ବି ହେଉଚି ଯେ ଦୁର୍ଗର ଜୀବନ ସହିତ ମୁଁ ନିଜକୁ ଖାପଖୁଆଇ ପାରିବିନି-। ନିଜ ନିଜର କର୍ତ୍ତୃତ୍ୱରେ ରହିବାକୁ ମୋତେ ଭଲଲାଗେ ।

 

‘‘ଆପଣ ଦୁର୍ଗ କଥା ଜାଣି ନାହାଁନ୍ତି’’ ହୋଟେଲ, ମାଲିକ ଆସ୍ତେ କିନା କହିଲା ।

 

‘‘ତା’ ଅବଶ୍ୟ ଠିକ୍‌,’’ ଠିକ୍‌ ଉତ୍ତର ଦେଲା, ‘‘ସବୁ କଥା ନ ଜାଣି ମନ୍ତବ୍ୟ ଦେବା ଭୁଲ୍‌ । ଏ ଯାଏଁ ମୁଁ ଦୁର୍ଗ ବିଷୟରେ ମାତ୍ର ଏତିକି ଜାଣିଚି ଯେ ସେଠାରେ ଲୋକେ ଜଣେ ଭଲ ଅମିନକୁ ବାଛି ପାରନ୍ତି । ବୋଧେ ସେଠି ଅନ୍ୟାନ୍ୟ ଆକର୍ଷଣ ମାନ ମଧ୍ୟ ଅଛି ।’’ ହୋଟେଲ ମାଲିକ ଅଶ୍ୱସ୍ତିରେ ତା ଓଠ କାମୁଡ଼ି ଥିବା ଦେଖି ତା’କୁ ଏକାନ୍ତରେ ଛାଡ଼ି ଦେବାକୁ କେ ଉଠି ଠିଆ ହୋଇ ପଡ଼ିଲା । ଏତେ ସହଜରେ ଅନ୍ୟମାନଙ୍କ ଆଗରେ ନିଜକୁ ପ୍ରକାଶ କରିଦେବା ଅନୁଚିତ ।

 

କେ ବାହାରି ଯାଉଛି, ଦେଖିଲା କାନ୍ଥରେ ଗୋଟିଏ ବହଳ ଫ୍ରେମ ବାଲା ଚିତ୍ର ପ୍ରତିକୃତିଟି ଟଙ୍ଗା ହୋଇଚି ଆଗରୁ ସେ ଉହ୍ମେଇ ପାଖ ଖଟ ପାଖରେ ସେ ଚିତ୍ରଟାକୁ ଦେଖିଥିଲା, କିନ୍ତୁ ସେହି ଦୂରତାରୁ ଚିତ୍ରଟି ଭଲ ଭାବରେ ଦିଶୁ ନ ଥିଲା ଏବଂ ସେ ଭାବିଥିଲା ଯେ ଫ୍ରେମ ବନ୍ଧା ଖାଲି ଫଟଟିଏ ଟଙ୍ଗା ହୋଇଚି । କିନ୍ତୁ ସେଇଟା ପ୍ରକୃତରେ ଗୋଟିଏ ଚିତ୍ର ବୋଲି ବର୍ତ୍ତମାନ ଜଣା ପଡ଼ିଲା, ପଚାଶ ବର୍ଷ ପାଖାପାଖି ଜଣେ ଲୋକର ଅବାକ୍ଷ ପ୍ରତିକୃତି । ଲୋକଟାର ମୁଣ୍ଡ ଛାତି ଉପରକୁ ଏତେ ବେଶୀ ଝୁଙ୍କି ପଡ଼ିଥିଲା ଯେ ତା’ ଆଖି ଯୋଡ଼ିକ ପ୍ରାୟ ଦିଶୁନଥିଲା । ଏବଂ ଉଚାଁ ମୋଟା କପାଳ ଓ ଜୋର୍‌ଦାର୍‌ ବଙ୍କା ନାକର ଓଜନରେ ମୁଣ୍ଡଟା ଝୁଙ୍କି ପଡ଼ିଥିଲା । ଏହି ଭଙ୍ଗା ଯୋଗୁଁ ଲୋକଟାର ଲମ୍ବା ଦାଢ଼ି ଥୋଡ଼ି ପାଖରେ ଚାପି ହୋଇ ଯାଇଥିଲା ଏବଂ ତଳକୁ ବେଶ୍‌ ଯାଗା ମାଡ଼ି ଯାଇଥିଲା । ତା’ର ବାଁ ହାତ ଗହଳିଆ ବାଳ ଭିତରେ ପୋତି ହୋଇ ଯାଇଥିଲା । କିନ୍ତୁ ମୁଣ୍ଡଟାକୁ ଟେକି ଧରିବାକୁ ଅସମର୍ଥ ବୋଲି ଜଣା ପଡ଼ୁଥିଲା ‘‘କିଏ ଏ ?’’ କେ ପଚାରିଲା, ‘କ’ଣ କାଉଣ୍ଟ ?’’ ସେ ଛବିଟାକୁ ଅନାଇଁ ଛିଡ଼ା ହୋଇଥାଏ, ମୋଟେ ହୋଟେଲ ମାଲିକ ଆଡ଼କୁ ବୁଲି ଚାହୁଁ ନଥାଏ । ‘‘ନାଁ’’ ହୋଟେଲ ମାଲିକ କହିଲା, ‘‘ଦୁର୍ଗ ରକ୍ଷକ,’’ ବେଶ୍‌ ସୁନ୍ଦର ଦୁର୍ଗରକ୍ଷକ ଜଣେ ତ’’ କେ: କହିଲା ‘ଦୁଃଖର କଥା ତାଙ୍କ ପୁଅଟା ଏଡ଼େ ଅସଭ୍ୟ ।’’ ‘‘ନା, ନା,’’ କେ: କୁ ପାଖକୁ ଡାକି ତା’ କାନରେ ଫିସ୍‌ ଫିସ୍‌ ହୋଇ ହୋଟେଲ ମାଲିକ କହିଲା, ‘‘ସ୍ୱାଜର କାଲି ବଢ଼େଇ କରି କହିଲା, ତା’ ବାପା ଜଣେ ଛୋଟକାଟିଆ ଦୁର୍ଗ ଜଗୁଆଳି, ଖୁବ୍‌ ତଳିଆ କର୍ମଚାରୀ ଜଣେ ଏକା ।’’ ସେ ମୁହୂର୍ତ୍ତରେ କେ: ର ମନେହେଲା ଯେ ହୋଟେଲ ମାଲିକ ଗୋଟିଏ ଛୋଟପିଲା । ‘‘ବଦମାସଟା’’ କେ. ହସିପକାଇ କହିଲା, କିନ୍ତୁ ହୋଟେଲ ମାଲିକ ନ ହସି କହିଲା ‘‘ତା ବାପର ବି ବେଶ୍‌ ପ୍ରତିପତ୍ତି-।’’ ‘ଯାଅ ହେ,’’ କେ: କହିଲା ‘‘ତମପାଇଁତ ସମସ୍ତେ ଖୁବ୍‌ ବଡ଼ବଡ଼ିଆ, ମୁଁ ବି ବୋଧେ ?’’ ‘‘ନା,’’ ସେ ଉତ୍ତର ଦେଲା, ଡରି ଡରି କିନ୍ତୁ ଗମ୍ଭୀର ଭାବରେ । ମୁଁ ଆପଣଙ୍କୁ ସେମିତି ବୋଲି ଭାବୁନି ।’’ ‘‘ତମର ବୁଦ୍ଧି ଖୁବ୍‌ ତୀକ୍ଷଣ,’’ କେ: କହିଲା, ‘‘କାରଣ ତମ ମୋ’ ଭିତରେ ମୁଁ ପ୍ରକୃତରେ ଜଣେ ବଡ଼ବଡ଼ିଆ ନୁହେଁ । ତେଣୁ ମୁଁ ଭାବୁଚି, ବଡ଼ବଡ଼ିଆଙ୍କ ପ୍ରତି ତମର ଯେତିକି ସମ୍ମାନ ମୋ’ର ତାଠୁ କିଛି ଉଣା ନୁହେଁ । ଖାଲି ଏତିକି ଯେ ମୁଁ ତମଭଳି ଖୋଲା ନୁହେଁ ଏବଂ ଏକଥା ମାନିନେବାକୁ ସବୁବେଳେ ଚାହୁଁନାହିଁ । ‘‘ତା’ପରେ, ହୋଟେଲ୍‌ ମାଲିକକୁ ଖୁସି କରିବା ପାଇଁ ଏବଂ ତା’ର ବନ୍ଧୁତା ଉଦ୍ରେକ କରିବା ପାଇଁ କେ: ତା ଗାଲକୁ ଆସ୍ତେ କିନା ଟିପି ଦେଲା । ଏହାଫଳରେ ହୋଟେଲ ମାଲିକ ଟିକିଏ ହସିଦେଲା । ଲୋକଟିର ବୟସ ପ୍ରକୃତରେ କମ୍‌, ମୁହଁଟି ନରମ ଓ ଚିକ୍‌କଣ । ତା’ ସ୍ତ୍ରୀ ଟା ଯିଏକି ଛୋଟ ଝରକା ଭିତରେ ଦେଇ କହୁଣୀ ଠେଲି ଠେଲି ରନ୍ଧାଘର ଏପାଖ ସେପାଖ ହେଉଥିବାର ଦିଶୁଛି, ଏଡ଼େ ମୋଟି ଓ ବୟସ୍କା ହେଲା କେମିତି ? କେ: ଆଉ ଅଧିକ ନିଜକୁ ପ୍ରକାଶ କରିବାକୁ, କି ଯୋଉ ହସ ଟିକକ ଫୁଟାଇଥିଲା ତାକୁ ଲିଭାଇ ଦେବାକୁ ଚାହୁଁ ନଥିଲା । ତେଣୁ ସେ କବାଟଟା ଖୋଲି ଦେବାକୁ ଖାଲି ଇଙ୍ଗିତ ଦେଲା ଏବଂ ବାହାରିଗଲା ଶୀତଋତୁର ଉଜ୍ଜ୍ୱଳ ସକାଳକୁ ।

 

ବର୍ତ୍ତମାନ ଚକ୍‌ ଚକ୍‌ ଆଲୁଅରେ ସେ ଉପରର ଦୁର୍ଗଟାକୁ ସ୍ପଷ୍ଟ ଦେଖିପାରିଲା । ପତଳା କୁହୁଡ଼ି ପର୍ଦ୍ଦାରେ ଘୋଡ଼ାଇ ହୋଇ ଦୁର୍ଗଟା ଅଧିକ ସ୍ପଷ୍ଟଭାବରେ ଦେଖା ଯାଉଥିଲା । ମନେ ହେଉଥାଏ ଯେ ତଳ ଗାଁ ଅପେକ୍ଷା ପାହାଡ଼ ଉପରେ କମ୍‌ ବରଫ ପଡ଼ିଛି । କିନ୍ତୁ ପୂର୍ବଦିନ ମୁଖ୍ୟ ସଡ଼କରେ ଚାଲିବା ଯେତିକି କଷ୍ଟକର ହେଉଥିଲା ବର୍ତ୍ତମାନ ଉପରକୁ ଉଠିବା ମଧ୍ୟ ସେତିକି କଷ୍ଟ ଲାଗିଲା । ଏଠି ତଳେ ବରଫ ଝଡ଼ ସିଧା ଯାଇ ଛୋଟ ଛୋଟ ଘରଗୁଡ଼ିକର ଝରକାରେ ମାଡ଼ ହେଉଥାଏ ଏବଂ ପୁଣି ଅଳ୍ପ ଉଚା ଛାତ ଉପରେ ଅଜାଡ଼ି ହୋଇ ପଡ଼ିଥାଏ । କିନ୍ତୁ ପାହାଚ ଉପରେ ହାଲକା ସହଜଭାବରେ ସବୁ ଆକାଶ ଆଡ଼କୁ ଉଠି ଯାଉଥାଏ ଅନ୍ତତଃ ତଳୁ ଚାହିଁଲେ ସେୟା ମନେ ହେଉଥିଲା ।

 

ମୋଟ ଉପରେ ଦୂରରୁ ଦୁର୍ଗର ଦୃଶ୍ୟ ଦେଖି କେ: ବେଶ୍‌ ସନ୍ତୋଷ ଲାଭକଲା । ଦୁର୍ଗଟା ଗୋଟାଏ ପୁରୁଣା ଗଡ଼ ନୁହେଁ କି ଗୋଟାଏ ନୂଆ ଅଟ୍ଟାଳିକା ନୁହେଁ । ବରଂ ଅସଂଖ୍ୟ ଛୋଟ ଛୋଟ କୋଠା ଘରକୁ, ଯେମିତି ଜବରଦସ୍ତ ଏକାଠି ଜମା କରି ଦିଆ ଯାଇଥାଏ, ଗୋଟାଏ କି ଦୁଇଟା ମହଲରେ । ସେଇଟା ଗୋଟାଏ ଦୁର୍ଗ ବୋଲି ଆଗରୁ ଜଣା ନଥିଲେ କେ: ବୋଧହୁଏ ଭାବିଥାନ୍ତା ଯେ ସେଇଟା ଗୋଟିଏ ଛୋଟ ସହର । ସେ ଯେତିକି ଦେଖି ପାରିଲା, ସେଠି ମାତ୍ର ଗୋଟାଏ ଗମ୍ବୁଜ ଥିଲା । ଗମ୍ବୁଜଟା ଲୋକେ ରହୁଥିବା ଘରର କି ଚର୍ଚ୍ଚର ସେ ଠିକ୍‌ ଜାଣିପାରିଲା ନାହିଁ । ଶହ ଶହ କୁଆ ଗମ୍ବୁଜ ଚାରିପାଖରେ ଉଡ଼ି ବୁଲୁଥିଲେ ।

 

ଦୁର୍ଗ ଉପରେ ଦୃଷ୍ଟି ରଖି କୌଣସି କଥା ନଭାବି ଆଗେଇ ଚାଲିଲା । କିନ୍ତୁ ଦୁର୍ଗ ପାଖରେ ପହଞ୍ଚିବା ପରେ କେ, କୁ ନିରାଶ ହେବାକୁ ପଡ଼ିଲା । ଦୁର୍ଗଟା ଗୋଟାଏ ଅସୁନ୍ଦର ସାନସହର ମାତ୍ର । ଗୁଡ଼ିଏ ଗାଉଁଳି ଘରର ସମାହାର । ଭଲ ଦିଗ କହିଲେ ଏତିକି ଯେ ଘରଗୁଡ଼ିକ ପଥରରେ ତିଆରି; କିନ୍ତୁ ଚୂନସୁରକି ପରସ୍ତ ପରସ୍ତ ବାହାରି ଯାଇଥାଏ । ଏବଂ ପଥର ଗୁଡ଼ିକ ଭାଙ୍ଗି ପଡ଼ୁଥାଏ । ତା’ନିଜ ସହର କଥା ମୁହୂର୍ତ୍ତକ ପାଇଁ କେ: ର ମନେ ପଡ଼ିଗଲା । ତା’ କୋଉ ଗୁଣରେ ଏଇ ଦୁର୍ଗଠୁ’ ନ୍ୟୁନ ନୁହେଁ । ଯଦି ଖାଲି ଦୁର୍ଗର ଦୃଶ୍ୟ ଉପଭୋଗ କରିବା ତା’ର ଉଦ୍ଦେଶ୍ୟ ଥିଲା ତା’ହେଲେ ତାର ଏତେ ବାଟ ଆସିବା ବୃଥା ହୋଇଗଲା । ନିଜ ସହରକୁ ଯାଇ ବୁଲି ଆସିଥିଲେ ବରଂ ଭଲ ହୋଇଥାନ୍ତା, ସେ ସେଠିକି ଅନେକ ଦିନ ହେଲା ଯାଇନାହିଁ । ମନେ ମନେ ସେ ତା’ ନିଜ ସହରର ଚର୍ଚ୍ଚ ଗମ୍ବୁଜ ଓ ଏଇ ଗମ୍ବୁଜଟାର ତୁଳନା କଲା । କି ସୁନ୍ଦର ଗଠନ ତାର, ଆଗ ଯାଏଁ ସିଧା ଉପରକୁ ଉଠି ଯାଇଛି, ଅଗର ଓସାରିଆ ଛାତରେ ନାଲି ରଙ୍ଗର ଟାଇଲ୍‌, ପାର୍ଥିବ ବସ୍ତୁଟିଏ, ମଣିଷ ଆଉ ଅଧିକା କ’ଣ ତିଆରି କରିପାରେ ? କିନ୍ତୁ ସାଧାରଣ ଘର ଅପେକ୍ଷା ତା’ର ଲକ୍ଷ୍ୟ ଅଧିକ ଗିରୀୟାନ୍‌, ନିତିଦିନିଆ ଜୀବନର ଜଂଜାଳ ଠାରୁ ତା’ର ଅର୍ଥ ଅଧିକ ସ୍ପଷ୍ଟ କିନ୍ତୁ ଏଠି ଆଖିରେ ପଡ଼ୁଥିବା ଗୋଟିକ ଗୋଟିଏ ଗମ୍ବୁଜ ଗୋଟିଏ ରହିବା ଘରର ବୋଲି ବର୍ତ୍ତମାନ ଜଣା ପଡ଼ୁଥିଲା । ବୋଧହୁଏ ସବୁଠୁ ବଡ଼ ଘରଟାରେ ବେଶ୍‌ ଗୋଲ୍‌ଗୋଲ୍‌ ଦେଖିବାକୁ ଉପରେ କିଛି ବାଟ ଆଇଭି ଲତା ମାଡ଼ି ଯାଇଚି, ସାନ ସାନ ଝରକା ଗୁଡ଼ିକ ସୂର୍ଯ୍ୟାଲୋକରେ ଚକ୍‌ ଚକ୍‌ କରୁଛି, କେମିତି ଏକ ପ୍ରକାର ଉଦଭ୍ରାନ୍ତ ଭାବରେ, ଅଗରେ ଭାଡ଼ି ଭଳି କ’ଣ ଗୋଟାଏ, ଏବଂ ବନ୍ଧୁକ କମାଣ ଫୁଟାଇବା ପାଇଁ କାନ୍ଥ ଦେହରେ ଥିବା ଫାଙ୍କ ଗୁଡ଼ିକ ଅନିୟମିତ ଭଙ୍ଗାରୁଜା, ଅସଂଯତ, ସତେ ଯେମିତି ଜଣେ; ସାନପିଲା । ସେଗୁଡ଼ିକୁ ଥର ଥର ହାତରେ କିମ୍ବା ବେହୁସିଆର ଭାବରେ ଗଢ଼ିଛି । ଆକାଶର ନୀଳରେ ସ୍ପଷ୍ଟ ଦେଖାଯାଉଛି ଗମ୍ବୁଜଟା । ମନେ ହେଉଥାଏ ସତେ ଯେମିତି ଜଣେ ବିମର୍ଷ ପାଗଳ ବାସିନ୍ଦା ଯେ କି ଘରର ସବୁଠାରୁ ଉପର ବଖରାରେ ବନ୍ଦ ହୋଇ ରହିବା କଥା, ଛାତ ଉଲାରି ଜବରଦସ୍ତ ବାହାରକୁ ଚାଲି ଆସିଛି ଏବଂ ସାରା ପୃଥିବୀର ବୃଷ୍ଟି ତା’ ଉପରେ ପଡ଼ିଲା ଭଳି ଯାଗାରେ ଆସି ଠିଆ ହୋଇ ପଡ଼ିଛି ।

 

ପୁଣି କେ ଚାଲିବା ବନ୍ଦ କରିଦେଲା, ସତେ ଯେମିତି ନିଶ୍ଚଳ ହୋଇ ଠିଆ ହେଲେ ତା’ର ଚିନ୍ତାଶକ୍ତି ପ୍ରଖର ହୋଇଯିବ । କିନ୍ତୁ ସେ ବ୍ୟସ୍ତ ହୋଇ ପଡ଼ିଥାଏ । ଗାଉଁଲି ଚର୍ଚ୍ଚ ପାଖରେ ସେ ଠିଆ ହୋଇ ପଡ଼ିଥିଲା । ଚର୍ଚ୍ଚଟା ପ୍ରକୃତରେ ଖୁବ୍‌ ସାନ, କଡ଼ରେ ଖଳାଘର ଭଳି ଗୁଡ଼ିଏ ଘର ଥାଇ ଓସାରିଆ ଦିଶୁଛି; ଘର ଗୁଡ଼ିକରେ ସେଇ ଚର୍ଚ୍ଚ ଅଧୀନରେ ଥିବା ଲୋକେ ରହୁଥିଲେ । ଚର୍ଚ୍ଚର ଠିକ୍‌ ପଛରେ ସ୍କୁଲ । ଅଳ୍ପ ଉଁଚା, ଲମ୍ବା ଘରଟାଏ, ଚେହେରାରେ ବୟସର ପ୍ରବୀଣତା ଓ ଆଞ୍ଚଳିକତା ଅଦ୍‌ଭୂତ ଭାବରେ ମିଶି ରହିଛି । ବାଡ଼ ଘେରା ଗୋଟାଏ ବଗିଚା ପଛରେ ଘରଟା ଠିଆ ହୋଇଥାଏ-। ବଗିଚାଟା ବରଫ ପଡ଼ି ଭର୍ତ୍ତି ହୋଇଯାଏ । ସେତିକି ବେଳକୁ ସ୍କୁଲ ପିଲାଏ ଶିକ୍ଷକଙ୍କ ସାଙ୍ଗରେ ସ୍କୁଲରୁ ବାହାରୁଥାନ୍ତି । ସେମାନେ ତା’କୁ ଘେରିଗଲେ ଏବଂ ତା’ ମୁହଁକୁ ଚାହିଁ କ’ଣ ସବୁ ଖୁବ୍‌ ଶୀଘ୍ର ଶୀଘ୍ର କିଚିରି ମିଚିରି ହୋଇ କହିଗଲେ । କେ କିଛି ବୁଝିପାରିଲା ନାହିଁ । ଶିକ୍ଷକ ଜଣକ ଯୁବକ, ଉଚ୍ଚତା ସାଧାରଣ, ଅଣ ଓସାରିଆ କାନ୍ଧ, କିନ୍ତୁ ବେଶ୍‌ ଛାଟଁକାଟ୍‌ ଭାବ ଚେହେରାରେ ତା’ ସତ୍ତ୍ୱେ ସେ ହାସ୍ୟକର ଦିଶୁ ନଥାନ୍ତି । ଏବଂ ଦୂରରୁହିଁ ସେ କେ ଆଡ଼କୁ ଏକା ଲୟରେ ଚାହିଁ ରହିଥାନ୍ତି, ତା’ ସ୍ୱାଭାବିକ, କାରଣ ସ୍କୁଲ ପିଲାଙ୍କ ଛଡ଼ା ସେଠି ଅନ୍ୟ କେହି ପଢ଼ୁ ନଥାନ୍ତି । ନିଜେ ଅଚିହ୍ନା ପରଦେଶୀ ହୋଇଥିବାରୁ କେ. କିଛି ପାଦ ପ୍ରଥମେ ଆଗେଇଲା କାରଣ ଅନ୍ୟ ଜଣକ ଖର୍ବକାୟ ହେଲେ ବି ବେଶ୍‌ ବ୍ୟକ୍ତିତ୍ୱ ସଂପନ୍ନ ମନେ ହେଉଥିଲା । କେ. ସାଙ୍ଗରେ ତୃପ୍ତ ହୋଇଗଲେ, ବୋଧହୁଏ ଶିକ୍ଷକ ମହାଶୟ ଚାହୁଁଥିଲେ ଯେ ସେ ମୁହଁ ଖୋଲିବା ଆଗରୁ ସଂପୂର୍ଣ୍ଣ ନୀରବତା ଆବଶ୍ୟକ । ‘‘ଆପଣ ଦୁର୍ଗ ଦେଖୁଛନ୍ତି’’ ? ସେ ଏତେ ଭଦ୍ର ଭାବରେ ପଚାରିଲେ ଯା’ କେ ଆଶା କରି ନଥିଲା କିନ୍ତୁ ତାଙ୍କ ସ୍ୱରରୁ ଜଣା ପଡ଼ୁଥିଲା ଯେ କେ. ଯାହା ଯାହା କରୁଛି ସେ ତା’ ପସନ୍ଦ କରୁ ନାହାନ୍ତି । ‘‘ହଁ’’ କେ କହିଲା ‘‘ମୁଁ ନୁଆ ଲୋକ ଏଠି, ଗଲା ରାତିରେହି ଏ ଗାଁକୁ ଆସିଚି’’ ‘‘ଦୁର୍ଗଟା ଆପଣଙ୍କୁ ଭଲ ଲଗୁନାହିଁ’’ ? ଶିକ୍ଷକ ଜଣକ ତତ୍‌କ୍ଷଣାତ୍‌ ପଚାରିଲେ । ‘‘କ’ଣ କହିଲେ’’ ? ସାମାନ୍ୟ ଆଶ୍ଚର୍ଯ୍ୟ ହୋଇ କେ. ପ୍ରଶ୍ନଟା କିଛିଟା ବଦଳାଇ ଦେଇ ନିଜକୁ ପଚାରିଲା, ‘‘ଦୁର୍ଗଟା ମତେ ଭଲ ଲାଗୁଚି ? ଆପଣ କାହିଁକି ଭାବିନେଲେ ଯେ ଦୁର୍ଗଟା ମତେ ଭଲ ଲାଗୁନାହିଁ’’ ? ‘‘ନୂଆ ଆସିଥିବା ଲୋକଙ୍କୁ ଭଲ ଲାଗେ ନାହିଁ’’ ଶିକ୍ଷକ ଜଣକ କହିଲେ କାଳେ କ’ଣ ଭୂଲ କଥା କହିଦେବ ବୋଲି ଆଶଙ୍କା କରି କେ କଥାବର୍ତ୍ତାର ବିଷୟବସ୍ତୁ ବଦଳାଇ ଦେଇ ପଚାରିଲା, ‘‘ମୁଁ ଭାବୁଚି ଆପଣଙ୍କର କାଉଣ୍ଟଙ୍କ ସାଙ୍ଗରେ ଜଣାଶୁଣା ଅଛି ।’’ ମୁହଁ ବୁଲାଇ ଦେଇ ଶିକ୍ଷକ ଜଣକ ଉତ୍ତର ଦେଲେ, ‘‘ନା ।’’ କିନ୍ତୁ କେ ନଛୋଡ଼ବନ୍ଧା । ପୁଣି ପଚାରିଲା, ‘‘କ’ଣ ଆପଣ କାଉଣ୍ଟଙ୍କୁ ଜାଣି ନାହାନ୍ତି-?’’ ‘‘ମୋର କ’ଣ ଦରକାର ?’’ -ଧୀର ଗଳାରେ ଶିକ୍ଷକ ଜଣଙ୍କ ଉତ୍ତର ଦେଲେ ଏବଂ ଫରାସୀ ଭାଷାରେ ଜୋର୍‌ରେ କହିଲେ, ‘‘ମନେ ରଖନ୍ତୁ ଦୟାକରି, ଏଠି ନିରୀହ ପିଲାଏ ଅଛନ୍ତି ।’’ ଏହାଶୁଣି କେ. ଭାବିଲା ଯେ, ୟା’ ପରପ୍ରଶ୍ନ ପଚାରିବା ଯୁକ୍ତିଯୁକ୍ତ ହେବ । ‘‘ଦିନେ ମୁଁ ଆପଣଙ୍କୁ ଦେଖା କରିବାକୁ ଆସିପାରେ କି, ଆଜ୍ଞା ? ମତେ ଏଠି ଏଇନେ କିଛିଦିନ ରହିବାକୁ ପଡ଼ିବ । ଏବଠୁଁ ମତେ ଏକୁଟିଆ ଲାଗିଲାଣି । ନା ଗାଁ ଲୋକଙ୍କ ସହିତ ନା ଏ ଦୁର୍ଗ ଲୋକଙ୍କ ସାଙ୍ଗରେ ମୁଁ ନିଜକୁ ଖାପଖୁଆଇ ପାରୁଛି ।’’ ‘‘ଗାଁ ଲୋକ ଓ ଦୁର୍ଗ ଲୋକଙ୍କ ଭିତରେ କିଛି ପାର୍ଥକ୍ୟ ନାହିଁ,’’-ଶିକ୍ଷକ ଜଣକ କହିଲେ । ‘‘ତା ହୋଇପାରେ,’’ କେ କହିଲା, ‘‘କିନ୍ତୁ ସେଥିରେ ମୋ’ ଅବସ୍ଥା ତ ବଦଳୁନି । ମୁଁ ଆପଣଙ୍କ ପାଖକୁ ଦିନେ ଆସିପାରେ କି ?’’ ‘‘ମୁଁ ରହୁଚି ସ୍ୱାନଷ୍ଟ୍ରୀଟ୍‌ରେ, ମାଂସଦୋକାନୀ ଘରେ-।’’ ବାକ୍ୟଟା ସାଧାରଣ ବାକ୍ୟଟିଏ ଭଳି ହିଁ ଶୁଭିଲା । ନିୟନ୍ତ୍ରଣ ଭଳି ନୁହେଁ । କିନ୍ତୁ କେ କହିଲା, ଠିକ୍‌ ଅଛି, ମୁଁ ଆସିବି ।’’ ଶିକ୍ଷକ ଜଣକୁ ମୁଣ୍ଡ ହଲାଇଲେ ଏବଂ ପିଲାଦଳଙ୍କୁ ଧରି ଚାଲିବାକୁ ଲାଗିଲେ । ତତ୍‌କ୍ଷଣାତ୍‌ ପିଲାଏ ଚିତ୍‌କାର କରିବା ଆରମ୍ଭ କରିଦେଲେ । ଆଖି ପିଛୁଳାକେ ସେମାନେ ଗୋଟାଏ ଜଳଗଡ଼ାଣିଆ ଗଳିରାସ୍ତାରେ ଅଦୃଶ୍ୟ ହୋଇଗଲେ ।

 

କିନ୍ତୁ ଏଇ କଥାବର୍ତ୍ତା କେ. କୁ ବିରକ୍ତ ଓ ବ୍ୟସ୍ତ କରି ପକାଇଲା । ସେ ଆସି ପହଞ୍ଚିବା ପରଠୁଁ ପ୍ରଥମଥର ପାଇଁ ଖୁବ୍‌ କ୍ଳାନ୍ତବୋଧ କଲା । ଏତେ ଲମ୍ବା ରାସ୍ତା ଆସିଥିଲେ ମଧ୍ୟ ପ୍ରଥମେ ପ୍ରଥମେ ସେ କୌଣସି କ୍ଳାନ୍ତି ଅନୁଭବ କରିନଥିଲା । କେଡ଼େ ଆରାମରେ ଗୋଟିଏ ଗୋଟିଏ କରି ତା’ଦିନ ଗୁଡ଼ିକ କଟି ଯାଉଥିଲା । କିନ୍ତୁ ବର୍ତ୍ତମାନ ତା ପରିଶ୍ରମର ପରିଣାମକୁ ସେ ଅଙ୍ଗେ ନିଭାଉଥିଲା । ସେ ଅସମୟରେ, ନୂଆଲୋକଙ୍କ ସାଙ୍ଗରେ ଚିହ୍ନା ପରିଚୟ ହେବାକୁ ତା’ର ଭୀଷଣ ଇଚ୍ଛା ହେଉଥିଲା । କିନ୍ତୁ ପ୍ରତ୍ୟେକଟି ପରିଚୟ ତା’ର କ୍ଳାନ୍ତି ବଢ଼ାଇ ଦେଲାଭଳି ମନେ ହେଉଥିଲା । ବର୍ତ୍ତମାନ ପରିସ୍ଥିତିରେ ସେ ଯଦି ମାଡ଼ିମକଚି କୌଣସି ମତେ ଦୁର୍ଗଦ୍ୱାର ପର୍ଯ୍ୟନ୍ତ ଚାଲିଯାଏ ତା’ ହେଲେ ଯଥେଷ୍ଟ ହେବ ।

 

ତେଣୁ ସେ ପୁଣି ଚାଲିବା ଆରମ୍ଭ କରିଦେଲା, କିନ୍ତୁ ରାସ୍ତାଟା ଖୁବ୍‌ ଲମ୍ବା ମନାହେଲା । କାରଣ ସେ ଯେଉଁ ସାହି ରାସ୍ତାରେ ଯାଉଥିଲା-ଗାଁର ସବୁଠୁଁ ବଡ଼ ଦାଣ୍ଡରେ ସେଟା ଦୁର୍ଗଥିବା ପାହାଡ଼ ଆଡ଼କୁ ଯାଇନଥିଲା । ସେ ଆଡ଼କୁ ମୁହାଁଇଥିଲା ଅବଶ୍ୟ, କିନ୍ତୁ ହଠାତ୍‌ ଜାଣି ଶୁଣି ବୁଲିଗଲା ଭଳି ବୁଲି ଯାଇଥିଲା । ଯଦିଓ ରାସ୍ତାଟା ଦୁର୍ଗଠାରୁ ଦୂରେଇ ଯାଉ ନଥିଲା । ସେମିତି କିଛି ପାଖେଇ ପାଖେଇ ଆସୁନଥିଲା ମଧ୍ୟ । ପ୍ରତ୍ୟେକ ମୋଡ଼ରେ କେ. ଆଶା କରୁଥିଲା ଯେ ରାସ୍ତାଟା ହଠାତ୍‌ ଦୁର୍ଗଆଡ଼କୁ ଚାଲି ଯାଇଥିବ, ଏବଂ କେବଳ ଏୟା ଆଶାକରି ସେ ଚାଲିଥିଲା । ହାଲିଆ ହୋଇ ପଡ଼ିଥିବାରୁ ଗାଁ ଦାଣ୍ଡ ଛାଡ଼ି ଯିବାକୁ ସେ ମୋଟେ ଚାହୁଁ ନଥିଲା । ଗାଁଟା ଏତେ ଲମ୍ବା ଦାଣ୍ଡରେ ଅସରନ୍ତି ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା । ଗୋଟିକ ପରେ ଗୋଟିଏ ସେଇ ଏକା ଭଳି ଛୋଟ ଛୋଟ ଘର । ବରଫ ବୋଳା ଝରକା କାଚ ଓ ବରଫ ଏବଂ କେହି କୁଆଡ଼େ ନଥାନ୍ତି ଶୁନ୍‌ଶାନ୍‌ । କିନ୍ତୁ ଶେଷରେ ସେ ଦାଣ୍ଡ ରାସ୍ତାରେ ଆକର୍ଷଣରୁ ନିଜକୁ ଜବରଦସ୍ତ ଅଲଗା କରିଦେଲା ଏବଂ ଗୋଟିଏ ସାନ ଗଳିରାସ୍ତାରେ ପଶିଲା । ସେଠି ଗହିରିଆ ବରଫ ପଡ଼ିଥିଲା, ଏବଂ ପାଦ ଉଠାଇ ଚାଲିଲା ବେଳେ ବେଶ୍‌ କଷ୍ଟ ହେଉଥିଲା । ଝାଳନାଳ ହୋଇଯାଇ ସେ ହଠାତ୍‌ ଅଟକିଗଲା-। ଆଉ ଆଗେଇ ପାରିଲା ନାହିଁ ।

 

ଅବଶ୍ୟ ସେ ଗୋଟାଏ ଜନମାନବହୀନ ଦ୍ୱୀପରେ ନଥିଲା । ତା’ ଦୁଇପାଖରେ ସାନ ସାନ କୁଡ଼ିଆ ଘର ଗୁଡ଼ିଏ ଦିଶିଲା । ସେ ଗୋଟିଏ ବରଫଗୁଳା କରି ଗୋଟିଏ ଝରକା ଉପରକୁ ପିଙ୍ଗିଲା । ଘରର କବାଟ ତତ୍‌କ୍ଷଣାତ୍‌ ଖୋଲିଗଲା । ତା’ର ଗାଁ ଦାଣ୍ଡରେ ଚାଲିବା ଭିତରେ ପ୍ରଥମ କବାଟ । ଏବଂ ଜଣେ ବୁଢ଼ା ଚଷାଲୋକ ମାଟିଆ ରଙ୍ଗର ରୁମରୁମିଆ କୋଟଟେ ପିନ୍ଧି ବାହାରି ଆସିଲା । ମୁଣ୍ଡଟା ଗୋଟାଏ ପାଖକୁ ବଙ୍କେଇଥାଏ । ପତଳା, ଦୟାଳୁ ଚେହେରା । ‘‘ମୁଁ ଟିକିଏ ତମ ଘର ଭିତରକୁ ଆସିପାରେ କି ?’’ କେ. ପଚାରିଲା, ‘‘ମତେ ଭାରି ହାଲିଆ ଲାଗୁଚି ।’’ ସେ ବୁଢ଼ା ଲୋକଟିର ଉତ୍ତର ଶୁଣି ପାରିଲା ନାହିଁ, କିନ୍ତୁ କୃତଜ୍ଞ ଆଖିରେ ଦେଖିଲା, ଗୋଟେ କାଠପଟା ତା ଗୋଡ଼ ଆଡ଼କୁ ବଢ଼େଇ ଦିଆହେଲା ଯା’ ଉପରେ ଚାଲି ସେ ବରଫରୁ ରକ୍ଷା ପାଇଯିବ ଏବଂ ଦୁଇଚାରି ପାହୁଣ୍ଡ ଉଠି ଯାଇ ରନ୍ଧାଘର ଭିତରେ ଢୁକିଗଲା ।

 

ବେଶ୍‌ ବଡ଼ ରନ୍ଧାଘର, ଅନ୍ଧାରୁଆ । ବାହାରୁ ପଶିଆସି ଜଣେ ପ୍ରଥମେ କିଛି ଦେଖିପାରିବ ନାହିଁ । କେ. ଗୋଟାଏ ଲୁଗାଧୁଆ କୁଣ୍ଡକୁ ଝୁଣ୍ଟିଲା, ଜଣେ ସ୍ତ୍ରୀ ଲୋକର ହାତ ତା’କୁ ପଡ଼ୁ ପଡ଼ୁ ଧରି ପକାଇଲା । ଗୋଟାଏ କଣରୁ ପିଲାଙ୍କର ବଡ଼ପାଟିଆ କାନ୍ଦ ଶୁଭିଲା । ଆଉଗୋଟାଏ କଣରୁ ଖୁବ୍‌ ଧୁଆଁ ଉଠୁଥିଲା ଓ ଘରଟିର ଆଲୁଅ ଟିକକୁ ଘୋଡ଼ାଇ ପକାଉଥିଲା । କେ. ର ମନେହେଲା ସେ ଯେମିତି ମେଘଭିତରେ ଠିଆ ହୋଇଛି । ‘‘ଲୋକଟା ନିଶ୍ଚେ ମଦ ପିଇଚି’’–କିଏ ଜଣେ କହିଲା ‘‘ତମେ କିଏ ?’’–ଆଉ ଜଣେ କଡ଼ାଗଳାରେ ପଚାରିଲା । ଏବଂ ତାପରେ ବୁଢ଼ା ଲୋକଟିର ଲକ୍ଷକରି କହିଲା, ‘‘ତାକୁ ଘରେ ଢୁକିବାକୁ ଦେଲ କାହିଁକି ? ଦାଣ୍ଡରେ ଯିଏ ବୁଲୁଚି ତାକୁ କ’ଣ ଆମେ ଘରେ ଆଣି ପୂରାଇବା ?’’ ‘‘ମୁଁ କାଉଣ୍ଟଙ୍କର ଅମିନ୍‌’’-କେ କହିଲା ଏଯାଏଁ ଅଦୃଶ୍ୟ ଥିବା ଲୋକଟି ଆଗରେ ନିଜର ଉପସ୍ଥିତିକୁ ଜାହିର୍‌ କରିବାକୁ । ‘‘ଓହୋଃ, ଇଏ ଅମିନ୍‌ ବାବୁ’’ । ତମେ ମତେ ଜାଣିଚ, ତାହେଲେ ?’’ କେ. ପଚାରିଲା । ‘‘ନିଶ୍ଚୟ’’–ପୁଣି ସେଇ ସ୍ୱର ଶୁଭିଲା । କିନ୍ତୁ ତା’କୁ ଯେ ସେମାନେ ଚିହ୍ନିଛନ୍ତି ଏକଥା ତା’ର ଉପସ୍ଥିତିକୁ ସମର୍ଥନ କରୁଥିବା ଭଳି ମନେହେଲା ନାହିଁ ।

 

ଶେଷରେ ଧୁଆଁ ଟିକିଏ ପତଳା ହୋଇଗଲା, ଏବଂ କେ. ଆସ୍ତେ ଆସ୍ତେ ଘରଭିତରର ଆସବାବ ପତ୍ର ଦେଖିପାରିଲା । ମନେ ହେଲା ସମସ୍ତଙ୍କ ପାଇଁ ସେଦିନଟା ଥିଲା ଲୁଗା ସଫା କରିବାର ଦିନ । କବାଟ ପାଖରେ ଲୁଗା ସଫା କରାଯାଉଥିଲା । କିନ୍ତୁ ବାମ୍ଫଧୂଆଁ ଆଉ ଗୋଟିଏ କଣରୁ ଉଠୁଥିଲା । ସେଠି ଦି’ଜଣିଆ ଖଟଠୁଁ ବଡ଼ ଗୋଟାଏ ଗାଧୁଆ କୁଣ୍ଡରେ ଦି’ଜଣ ଲୋକ ବାମ୍ଫ ବାହରୁଥିବା ଗରମ ପାଣିରେ ଗାଧୋଉ ଥିଲେ । ଏତେ ବଡ଼ କୁଣ୍ଡ କେ. ଆଗରୁ କେବେ ଦେଖିନଥିଲା । କିନ୍ତୁ ଘରର ଡାହାଣ ପଟ କୋଣରୁ ଦିଶିଲା ଅଧିକ ଆଶ୍ଚର୍ଯ୍ୟଜନକ ଗୋଟାଏ ଦୃଶ୍ୟ-। ଅବଶ୍ୟ ସେଥିରେ କ’ଣ ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଥିଲା ତା’ କହିବା କଷ୍ଟ । ପଛ କାନ୍ଥର ଏକମାତ୍ର ଜଳାବାଟ, ବେଶ ବଡ଼ଟାଏ; ତା’ଦେଇ ବୋଧହୁଏ ଅଗଣାରୁ ଆଲୁଅ ଆସୁଥିଲା, ମହଳ ବରଫ ଭଳି ଧଳା ଆଲୁଅ । ଗୋଟାଏ ଉଚାଁ ଆର୍ମଚେୟାରରେ ଜଣେ ସ୍ତ୍ରୀ ଲୋକ ପ୍ରାୟ ଶୋଇ ରହିଥିଲା । ଆଲୁଅତକ ସେ ସ୍ତ୍ରୀଲୋକର ପିନ୍ଧାଲୁଗାରେ ପଡ଼ି ଏକପ୍ରକାର ରେଶମୀ ଆଭା ସୃଷ୍ଟି କରୁଥିଲା । ‘ପିଲାଟିଏ ସେ ସ୍ତ୍ରୀ ଲୋକଠୁଁ’ କ୍ଷୀର ଖାଉଥାଏ । ଗୁଡ଼ିଏ ପିଲା ତା’ ଚାରିପାଖରେ ଖେଳୁଥାନ୍ତି । ଚଷା ପିଲାଏ ନିଶ୍ଚୟ, ଆଉ କିଏ ? କିନ୍ତୁ ସ୍ତ୍ରୀଲୋକ ଜଣକ ଅଲଗା ସଂପ୍ରଦାୟରୁ ଆସିଥିଲା ଭଳି ଦିଶୁଥିଲା । ଅବଶ୍ୟ ରୋଗ ବାଧିକା ଓ ଓ ଜଞ୍ଜାଳ ଯୋଗୁଁ ଚଷା ଲୋକମାନେ ବି କେମିତି ସଭ୍ୟ ସଭ୍ୟ ଦିଶୁଥିଲେ ।

 

‘‘ବସ’’-ସେମାନଙ୍କ ଭିତରୁ ଜଣେ ଲୋକ କହିଲା । ତା’ ଦାଢ଼ି ବେଶ୍‌ ବଡ଼ । ମେଲା ପାଟି ବାଟେ ସେ ଖୁବ୍‌ ଜୋରରେ ନିଶ୍ୱାସ ନେଉଥାଏ । ଗାଧୁଆ କୁଣ୍ଡ ଉପରେ ଓଦା ହାତ ବଢ଼ାଇ ଦେଖାଇ ଦେଲା ଗୋଟାଏ ଉଚାଁ ବେଞ୍ଚ । ହାତ ବଢ଼ାଇ ଦେଲାବେଳେ ତା ହାତରୁ ଗରମ ପାଣି ବୁନ୍ଦା ବୁନ୍ଦା କେ. ର ମୁହଁ ଯାକରେ ପଡ଼ିଲା । ପୂରା ଦୃଶ୍ୟଟା ବେଶ୍‌ ହାସ୍ୟକର ମନେହେଲା । କେ. କୁ ଯେଉଁ ବୁଢ଼ା ଲୋକ ଜଣକ ଘରେ ପୂରାଇଥିଲା, ସେ କୁଁକଡ଼ି କାଁକୁଡ଼ି ହୋଇ, କେ. ପାଇଁ ଯାଗା କରି ଦେଇ ବେଞ୍ଚ ଉପରେ ବସିଥାଏ । ବସିବାପାଇଁ ଯାଗା ଟିକିଏ ମିଳିଯିବାରୁ କେ. ମନେ ମନେ ଧନ୍ୟବାଦ ଦେଲା । କେହି ଆଉ ତା’ପ୍ରତି ଅଧିକ ଦୃଷ୍ଟି ଦେଲେନାହିଁ । ଲୁଗାଧୁଆ କୁଣ୍ଡ ପାଖରେ ବସି ସଫା କରୁଥିବା ଅଳ୍ପବୟସୀ, ସ୍ୱାସ୍ଥ୍ୟବତୀ, ଗୋରୀ ସ୍ତ୍ରୀଲୋକଟି ଗୁଣୁ ଗୁଣୁ ହୋଇ ଗୀତ ଗାଉଥାଏ । ପୁରୁଷ ଲୋକ ଦି’ଜଣ ଗାଧୁଆ କୁଣ୍ଡରେ ଧସ୍ତା ଧସ୍ତି ଚବର ଚାବର ହେଉଥାନ୍ତି । ପିଲାଏ ସେମାନଙ୍କ ପାଖକୁ ଯିବାକୁ ଚେଷ୍ଟା କରୁଥାନ୍ତି । କିନ୍ତୁ ଖୁବ୍‌ ଜୋରରେ ପାଣି ଛାଟି ସେମାନଙ୍କୁ ବାରମ୍ବାର ତଡ଼ି ଦିଆ ଯାଉଥାଏ । ପାଣି ଛିଟିକ ଆସି କେ. ମୁହଁରେ ବି ବାଜୁଥାଏ । ଏବଂ ଆର୍ମ ଚେୟାରରେ ଶୋଇଥିବା ସ୍ତ୍ରୀଲୋକ ଜଣକ ମଲା ଭଳି ପଡ଼ିରହି ଛାତକୁ ଅନାଇଁଥାଏ । ତାଠୁ କ୍ଷୀର ଖାଉଥିବା ପିଲାଟି ଆଡ଼କୁ ଥରେ ହେଲେ ଚାହୁଁ ନଥାଏ ।

 

ସ୍ତ୍ରୀ ଲୋକଟି ଗୋଟିଏ ସୁନ୍ଦର, ଦୁଃଖଦାୟକ, ସ୍ଥିର ଚିତ୍ର ଭଳି ଦିଶୁଥାଏ । ଏବଂ କେ. ତାକୁ ଦୀର୍ଘସମୟ ଧରି ଅନାଇ ରହିଲା । ତା’ପରେ ବୋଧହୁଏ ସେ ଶୋଇ ପଡ଼ିଥିଲା । କାରଣ କାହାର ଚଢ଼ା ଗଳା ଶୁଣି ସେ ଉଠି ପଡ଼ି ଦେଖିଲା ତା’ ମୁଣ୍ଡ ବୁଢ଼ା ଲୋକଟିର କାନ୍ଧ ଉପରେ ରହିଛି-। ପୁରୁଷ ଲୋକ ଦିଜଣଙ୍କର ଗାଧୁଆ ସରିଥାଏ; ସେ ଦୁହେଁ ଲୁଗାପଟା ପିନ୍ଧି ସାରି କେ. ସାମ୍ନାରେ ଠିଆ ହୋଇଥାନ୍ତି । ଗାଧୁଆ କୁଣ୍ଡଟାରେ ବର୍ତ୍ତମାନ ପିଲାମାନେ ଡିଆଁଡ଼େଇଁ କରୁଥାନ୍ତି ଶୁଭ୍ରକେଶୀ ସ୍ତ୍ରୀ ଲୋକଟିର ତଦାରଖରେ । କେ ଜାଣିପାରିଲା ଯେ ବେଶୀ ପାଟିତୁଣ୍ଡ କରୁଥିବା ଦାଢ଼ିଆ ଲୋକଟା ଦି’ଜଣଙ୍କ ଭିତରେ ଗୌଣ । ଅନ୍ୟ ଜଣକ ଚୁପ୍‌ଚାପ୍‌, ଧୀରସ୍ଥିର, ମୁଣ୍ଡ ପୋତି ରହିଥାଏ । ଦି’ଜଣଯାକର ଉଚ୍ଚତା ଏକା, କିନ୍ତୁ ଏହାର ଦାଢ଼ି ଅନ୍ୟଜଣଙ୍କ ତୁଳନାରେ ବେଶ୍‌ ସାନ । କାନ୍ଧ ଓ ମୁହଁ ବେଶ୍‌ ଚଉଡ଼ା । ଏହି ଲୋକଟି ହିଁ କହିଲା, ‘‘ଆପଣ ଏଠି ରହି ପାରିବେନି, ଆଜ୍ଞା କିଛି ଖରାପ ଭାବିବେନି’’ । ‘‘ମୁଁ ରହିବାକୁ ଚାହୁଁନି,’’ କେ. କହିଲା, ‘‘ମୁଁ କେବଳ ଟିକିଏ ବିଶ୍ରାମ ନେବାକୁ ଆସିଥିଲି । ମୋର ବିଶ୍ରାମ ନେବା ସରିଲା, ଏବେ ମୁଁ ଯାଉଚି’’ । ‘‘ଆପଣ ବୋଧେ ଆଶ୍ଚର୍ଯ୍ୟ ହେଉଛନ୍ତି ଆମର ଆତିଥ୍ୟ ହୀନତା ଦେଖି,’’ ଲୋକଟି କହିଲା, ‘‘କିନ୍ତୁ ଆମର ଏଠି ଆତିଥ୍ୟର ପରଂପରା ନାହିଁ, ଅତିଥିମାନଙ୍କ ଠାରୁ ଆମର କିଛି ଦରକାର ନାହିଁ ।’’ କିଛି ସମୟ ଶୋଇ ଯାଇଥିବାରୁ କେ କିଛିଟା ସତେଜ ଅନୁଭବ କରୁଥିଲା, ତା’ର ବୋଧ ଶକ୍ତି ପ୍ରଖର ଭାବରେ କାମ କରୁଥିଲା; ଲୋକଟାର ଖୋଲା ପଣ ଦେଖି ସେ ଖୁସି ହେଲା । ସେ ନିଜେ କିଛିଟା ସ୍ୱାଧିନ ମନେ କଲା ନିଜକୁ, ବାଡ଼ି ଖଣ୍ଡେ ଧରି ଏଣେ ତେଣେ ଅଣ୍ଡାଳିଲା, ଏବଂ ଆର୍ମ ଚେୟାରରେ ପଡ଼ିଥିବା ସ୍ତ୍ରୀ ଲୋକଟି ପାଖକୁ ଗଲା । ସେ ଜାଣି ପାରିଲା ଯେ ଘରଟା ଭିତରେ ଥିବା ସମସ୍ତଙ୍କ ଠାରୁ ସେ ନିଜେ ଅଧିକ ଲମ୍ବା ଚଉଡ଼ା ।

 

କେ. କହିଲା, ପ୍ରକୃତରେ ବାହାରୁ ଆସିଥିବା ଲୋକଙ୍କ ପାଖରେ ତମର କି କାମ ? ତଥାପି ବେଳେ ବେଳେ ଜଣେ ଅଧେ ବାହାର ଲୋକ ତମର ଦରକାର, ଯେମିତି ମୁଁ, ଜଣେ ଅମିନ-।’ ‘‘ସେ ସବୁ କଥା ମୁଁ ଜାଣେନି,’’ ଲୋକଟି ଆସ୍ତେ ଉତ୍ତର ଦେଲା ।’’ ଆପଣଙ୍କୁ ଯଦି ଡକା ହୋଇଚି, ଆପଣଙ୍କ ପାଖରେ ନିଶ୍ଚୟ କିଛି ଦରକାର ଅଛି । ସେ କଥା ନିଆରା । କିନ୍ତୁ ଆମେ ଗରିବ ଲୋକେ ନିଜ ପରଂପରାକୁ ଧରି ପଡ଼ିଥାଉ । ଏଥିପାଇଁ ଆପଣ ଆମକୁ ଦୋଷ ଦେଇ ପାରିବେ ନାହିଁ ।’’ ‘‘ନା, ନା, ତା ନୁହେଁ,’’–କେ: କହିଲା, ‘‘ମୁଁ ଏଠି ତମ ସମସ୍ତଙ୍କୁ ମୋର କୃତଜ୍ଞତା ଜଣାଉଚି ।’’ ଏବଂ ସମସ୍ତଙ୍କୁ ବିସ୍ମିତ କରି ସେ ହଠାତ୍ ବୁଲି ପଡ଼ି ଆର୍ମଚେୟାର୍‌ର ସ୍ତ୍ରୀ ଲୋକଟି ସାମ୍ନାରେ ଠିଆ ହୋଇଗଲା । କ୍ଳାନ୍ତ, ନେଲିଆ ଆଖିରେ ସ୍ତ୍ରୀଲୋକଟି ତା’କୁ ଚାହିଁଲା । ଖଣ୍ଡେ ସ୍ୱଚ୍ଛ ରେଶମୀ ରୁମାଲ୍ ତା’ କପାଳର ମଝି ଯାଏଁ ଝୁଲି ରହିଥାଏ, ଏବଂ ପିଲାଟି ତା’ ଛାତି ଉପରେ ଶୋଇ ଯାଇଥାଏ । ‘‘ତମେ କିଏ ?’’ କେ: ପଚାରିଲା ବେଶ୍ ବେଖାତିରିଆ ଭାବରେ । କେ: ପ୍ରତି ଘୃଣାରୁ ହେଉ କି ନିଜ ଉତ୍ତର ବିଷୟରେ ନିଜର ସନ୍ଦେହରୁ, ସ୍ତ୍ରୀ ଲୋକଟି କହିଲା, ‘‘ଦୁର୍ଗରୁ ଆସିଥିବା ଜଣେ ସ୍ତ୍ରୀଲୋକ ।’’

 

ସେକେଣ୍ଡଟେ ଯାଇଥିବେ କି ନାହିଁ କେ. ଦି ପାଖରେ ଦି ଜଣଯାକ ପୁରୁଷ ଲୋକ ଆସି ଠିଆ ହୋଇ ପଡ଼ିଥିଲେ ଏବଂ ତା’କୁ କବାଟ ଆଡ଼କୁ ପେଲିବାରେ ଲାଗିଥିଲେ । ସତେ ଯେମିତି ତା’କୁ ତଡ଼ିବାର ଅନ୍ୟ ବାଟ ଆଉ ନଥିଲା । ଚୂପ୍‌ଚାପ୍‌ ସେ ଦୁହେଁ କେ. କୁ ପେଲୁଥିଲେ ନିଜ ନିଜର ସମସ୍ତ ବଳ ପ୍ରୟୋଗ କରି । ଏହି ଘଟଣାର କୌଣସି ଅଂଶ ବୁଢ଼ା ଲୋକଟିକୁ ବେଶ୍ ଆମୋଦଦାୟକ ମନେ ହେଉଥିଲା, ଏବଂ ସେ ତାଳି ମାରୁଥିଲା । ଗାଧୁଆ କୁଣ୍ଡ ପାଖର ସ୍ତ୍ରୀଲୋକଟି ମଧ୍ୟ ହସିଲା ଏବଂ ପିଲା ଗୁଡ଼ାକ ହଠାତ୍‌ ଠୋ’ ଠୋ’ ହୋଇ ହସିବାକୁ ଲାଗିଲେ ।

 

ଖୁବ୍‌ ଶୀଘ୍ର ସେ ଦୁହେଁ କେ କୁ ଦାଣ୍ଡରେ ଆଣି ଛାଡ଼ିଦେଲେ, ଏବଂ ଏରୁଣ୍ଡି ବନ୍ଧ ପାଖରେ ଠିଆ ହୋଇ ତାକୁ ଲକ୍ଷ୍ୟ କଲେ । ପୁଣି ବରଫ ପଡ଼ୁଥାଏ, କିନ୍ତୁ ଆକାଶ ସାମାନ୍ୟ ଉଜ୍ଜ୍ୱଳ ଦିଶୁଥାଏ । ଦାଢ଼ିଆ ଲୋକଟି ଅଧୈର୍ଯ୍ୟ ଭାବରେ ପାଟିକଲା : ‘‘ତମେ କୁଆଡ଼େ ଯିବ କି ? ଏ ରାସ୍ତା ଦୁର୍ଗଆଡ଼େ ଯାଇଛି, ଆଉ ସେଇଟା ଗାଁକୁ ।’’ କେ: ତାକୁ କିଛି ଉତ୍ତର ଦେଲା ନାହିଁ । ବରଂ ଅନ୍ୟ ଲୋକଟି ଯେ କି ଲାଜକୁଳା ହେଲେ ବି ଦି’ଜଣକ ଭିତରେ ଅଧିକ ସ୍ନେହୀ ମନେ ହେଉଥିଲା, ତା’ ଆଡ଼କୁ ବୁଲିପଡ଼ି କହିଲା ‘‘ତମେ କିଏ ? ମତେ ଆଶ୍ରା ଦେଇଥିବା ପାଇଁ ମୁଁ କାହାକୁ ଧନ୍ୟବାଦ ଦେବି ?’’ ‘‘ମୁଁ ହେଉଚି ଚମଡ଼ା ବ୍ୟବସାୟୀ ଲେଜ୍‌ମାନ୍‌’’ ଲୋକଟି କହିଲା, ‘‘କିନ୍ତୁ ତମର କାହାକୁ ଧନ୍ୟବାଦ ଦେବା ଦରକାର ନାହିଁ ।’’ ‘‘ଠିକ୍‌ ଅଛି, ତା’ ହେଲେ ପରେ ଦେଖା ହେବ–’’ କେ: କହିଲା-। ‘‘ନା, ବୋଧେ ନୁହ-’’ ଲୋକଟି ଉତ୍ତର ଦେଲା । ଠିକ୍‌ ସେତିକି ବେଳେ ଅନ୍ୟ ଲୋକଟି ହାତ ହଲାଇ ପାଟି କରି ଉଠିଲା, ‘‘ଆରେ, ଆର୍ଥର୍‌, ଜେରେମିଆ ଆସ ଆସ ।’’ କେ: ବୁଲିପଡ଼ି ଅନାଇଲା । ନାଁ ଦାଣ୍ଡରେ କିଛି ଲୋକ ଚାଲବୁଲ ତା’ ହେଲେ ! ଦୁର୍ଗ ଆଡ଼ୁ ଦୁଇଜଣ ଯୁବକ ଆସିଲେ, ବେଶୀ ଡେଙ୍ଗା ନୁହଁନ୍ତି, ଉଭୟେ ଖୁବ୍‌ ପତଳା, ପୋଷାକ ପତ୍ର ପିନ୍ଧିଥାନ୍ତି, ଉଭୟଙ୍କ ଦେହର ଗଠନ ଏକାଭଳି, ଉଭୟଙ୍କ ଦେହର ରଙ୍ଗ କେମିତି ଗୋଟାଏ କାଳିଚିଆ ମାଟିଆ, ଯାହାକି ସେମାନଙ୍କର ଗୋଜିଆ କଳା ଦାଢ଼ିକୁ ଅଧିକ ସ୍ପଷ୍ଟ କରି ଦେଉଥାଏ । ରାସ୍ତାର ଅବସ୍ଥା ଯାହା ତା’ ଉପରେ ପୁଣି ସେମାନେ ଖୁବ୍‌ ଜୋରରେ ଚାଲୁଥାନ୍ତି, ପତଳା ପତଳା ଗୋଡ଼ ଠିକ୍‌ ଠିକ୍‌ ଉଠୁଥାଏ, ପଡ଼ୁଥାଏ ଦାଢ଼ିଆ ଲୋକ ଜଣକ ପଚାରିଲା, ‘‘କୁଆଡ଼ ଚାଲିଲ ତମେ ଦିହେଁ ?’’ ସେ ଦୁହେଁ ଏତେ ଜୋରରେ ଚାଲୁଥିଲେ ଯେ ଆଉ ସେଇଠି ସେମାନେ ଅଟକିଲା ଭଳି ଲାଗୁନଥିଲା । ତେଣୁ ସେମାନଙ୍କୁ ଖୁବ୍‌ ପାଟି କରି ପଚାରିବାକୁ ପଡ଼ିଲା । ‘‘କାମରେ ଯାଉଚୁ,’’ ସେ ଦୁହେଁ ପାଟି କରି ହସି ହସି କହିଲେ । ‘‘କୁଆଡ଼େ ?’’ ‘‘ହୋଟେଲକୁ ।’’ ‘‘ମୁଁ ମଧ୍ୟ ସେଠିକି ଯାଉଚି,’’ କେ: ହଠାତ୍ କହିଲା, ସମସ୍ତଙ୍କଠୁ’ ବଡ଼ ପାଟିରେ । ସେ ଦୁହିଁଙ୍କ ସାଙ୍ଗରେ ଯିବାକୁ ତା’ର ଖୁବ ଇଚ୍ଛା ହେଉଥିଲା । ଅବଶ୍ୟ ସେମାନଙ୍କ ସାଙ୍ଗରେ ଗଲେ ଯେ କିଛି ଗୋଟାଏ ବଡ଼ କଥା ହୋଇଯିବ ସେଥିପାଇଁ ନୁହେଁ, ସେ ଦୁହେଁ ଭଲ, ହସ ଖୁସି ଲୋକ ଭଳି ଜଣା ଯାଉଥିଲେ ।

 

କେ. ଏଯାଏଁ ବରଫ ଭିତରେ ଠିଆ ହୋଇଥିଲା । ବରଫ ଭିତରୁ ପାଦ ଟେକି ପୁଣି ପକାଇବାକୁ ତା’ର ମୋଟେ ଇଚ୍ଛା ହେଉନଥାଏ । ଚମଡ଼ା ବ୍ୟବସାୟୀ ଜଣକ ଓ ତା’ର ସାଙ୍ଗ ଜାଣିଲେ ଯେ କେ. ଆଉ ବାହୁଡ଼ି ଆସିବ ନାହିଁ, ଏବଂ ଧୀରେ ଧୀରେ କଡ଼େଇ କଡ଼େଇ ଘରେ ଭିତରକୁ ପଶିଗଲେ । କବାଟଟା ଅଳ୍ପ ଖୋଲା ଥାଏ । ଭିତରକୁ ଗଲାବେଳେ ସେମାନେ ବୁଲି ବୁଲି କେ.କୁ ଚାହୁଁଥାନ୍ତି । କେ. ବରଫ ଭିତରେ ଏକୁଟିଆ ଠିଆ ହୋଇଥାଏ । ‘‘ଦୁଃଖରେ ଭାଙ୍ଗି ପଡ଼ିବା ପାଇଁ ବଢ଼ିଆ ପରିବେଶଟିଏ,’’ କେ.ର ମନକୁ ଏ ଧାରଣା ଆସିଲା, ‘‘ଅବଶ୍ୟ ଯଦି ମୁଁ ଏଠି ଘଟଣାକ୍ରମେ ଠିଆ ହୋଇଥାନ୍ତି, କାହାର ସୁଚିନ୍ତିତ ଯୋଜନା ଫଳରେ ନୁହେଁ ।’’

 

ଠିକ୍‌ ସେତିକି ବେଳେ ବାଁପଟେ ଥିବା ଗୋଟିଏ ଚାଳ ଘରର ସାନ ଝରକାଟିଏ ଖୋଲିଗଲା । ବନ୍ଦ ଥିଲାବେଳେ ସେଇଟି ଖୁବ୍‌ ନେଳି ଦିଶୁଥିଲା, ବୋଧହୁଏ ବରଫର ପ୍ରତିଫଳନ ଯୋଗୁଁ । ଝରକାଟି ଏତେ ସାନ ଯେ ଖୋଲା ହେବା ପରେ ଖୋଲିବା ଲୋକର ପୂରା ମୁହଁ ମୋଟେ ଦିଶୁନଥାଏ, ଖାଲି ତା’ର ଆଖି ଦୁଇଟା ଦିଶିଲା, ପୁରୁଣା ମାଟିଆ ଆଖି ଯୋଡ଼ାଏ । ‘‘ହେଇ, ସେଇ ଲୋକଟା,’’ କେ: ଜଣେ ସ୍ତ୍ରୀ ଲୋକର ଥର ଥର ଗଳା ଶୁଣିଲା । ‘‘ଇଏ ହେଲେ ଅମିନ ବାବୁ,’’ ପୁରୁଷ ଲୋକ, ଜଣେ ଉତ୍ତର ଦେଲା । ତା’ପରେ ଲୋକ ଜଣକ ଝରକା ପାଖକୁ ଆସି ପଚାରିଲା, ‘‘ତମେ କାହାକୁ ଅପେକ୍ଷା କରିଚ କି ?’’ ଲୋକଟାର ସ୍ୱର ଅବଶ୍ୟ ରୁକ୍ଷ ନଥିଲା, କିନ୍ତୁ ମନେ ହେଉଥିଲା ଯେ ତା’ ଘର ଆଗରେ କିଛି ଗଣ୍ଡଗୋଳ ନ ଘଟୁ ବୋଲି ସେ ବ୍ୟସ୍ତ ହେଉଥିଲା । ‘‘ସ୍ଳେଜ୍ ଗାଡ଼ିଟେ ପାଇଁ, ମୁଁ ଯିବି,’’ କେ: କହିଲା । ‘‘ଏବାଟେ ସ୍ଳେଜ୍‌ ଗାଡ଼ି ଯା ଆସ କରେ ନି, କେବେ ନୁହଁ,’’ ଲୋକଟା କହିଲା । ‘‘ କିନ୍ତୁ ଏ ରାସ୍ତାଟା ଯେ ସିଧା ଦୁର୍ଗଆଡ଼େ ଯାଇଚି,’’ କେ. ଆପତ୍ତି କଲା । ‘‘ହେଲେ ବି, ଏବାଟେ କିଛି ଗାଡ଼ି ଯାଏ ନାଇଁ,’’ ଏ ବିଷୟରେ ଆଉ କିଛି ଯୁକ୍ତି ତର୍କର ଆବଶ୍ୟକତା ନଥିଲା ଭଳି ଲୋକଟା କହିଲା । ତା’ପରେ ଉଭୟେ ଚୁପ୍‌ ହୋଇଗଲେ । କିନ୍ତୁ ଲୋକଟା ନିଶ୍ଚୟ କ’ଣ ଗୋଟାଏ ଭାବୁଥିଲା, କାରଣ ଝରକାଟି ସେମିତି ଖୋଲି ରଖିଲା । ତା’ଠୁ କଥା ଆଦାୟ କରିବା ପାଇଁ କେ. କହିଲା ଏ ରାସ୍ତାଟା ଭାରି ଖରାପ ।’’ କିନ୍ତୁ ସେ କେବଳ ଏତିକି ଉତ୍ତର ପାଇଲା, ‘‘ହଁ ଭାରି ଖରାପ ।’’ ଏବଂ ଟିକକ ପରେ ଲୋକଟା ନିଜେ ପ୍ରଥମେ କହିଲା, ‘‘ତମେ ଯଦି ଚାହିଁବ, ମୁଁ ମୋ ନିଜ ସ୍ଲେଜଗାଡ଼ିରେ ତମକୁ ନେଇଯିବି ।’’ ହେଉ, ଭଲ କଥା,’’ କେ. ଖୁସି ହୋଇ କହିଲା, ‘‘କେତେ ଭଡ଼ା ନବ ?’’ ‘‘କିଛି ନେବିନି,’’ ଲୋକଟି ଉତ୍ତର ଦେଲା । କେ: ଖୁବ୍‌ ଆଶ୍ଚର୍ଯ୍ୟ ହେଲା । ‘‘ଆଚ୍ଛା, ତମେ ହେଲ ଅମିନ ବାବୁ, ଆଉ ତମେ ଦୁର୍ଗର ଲୋକ,’’ ଲୋକଟି ବୁଝାଇବା ଭଙ୍ଗିରେ କହିଲା, ‘‘ତମେ ଏବେ କୁଆଡ଼େ ଯିବ ?’’ ଚଟ୍‌କିନା କେ: କହିଲା, ଦୁର୍ଗକୁ ।’’ କୌଣସି କୁଣ୍ଠା ନ କରି ଲୋକଟା କହିଲା, ‘‘ମୁଁ ସେଠିକି ତମକୁ ନେଇ ପାରିବିନି-।’’ କିନ୍ତୁ ମୁଁ ଯେ ଦୁର୍ଗର ଲୋକ,’’ ଲୋକଟା ଯାହା କହିଥିଲା କେ: ତାର ପୁନରାବୃତ୍ତି କଲା-। ‘‘ହେଇ ପାର,’’ ଏତିକି କହିଲା ଲୋକଟା ‘‘ଆଚ୍ଛା, ତାହେଲେ ମୋତେ ହୋଟେଲକୁ ନେଇଯାଅ । କେ. କହିଲା । ‘‘ଠିକ୍‌ ଅଛି,’’ ଲୋକଟା କହିଲା,’’ ମୁଁ ଏଇନେ ମୋ ସ୍ଳେଜ୍‌ଗାଡ଼ି ଧରି ଆସୁଚି-।’’ ଲୋକଟାର ବ୍ୟବହାର ଜଣା ପଡ଼ୁନଥିଲା ଯେ କେ: ସାଙ୍ଗରେ ବନ୍ଧୁତା କରିବାକୁ ତା’ର ଟିକିଏ ହେଲେ ସ୍ପୃହା ଅଛି । ବରଂ ତା’ ଘର ସାମ୍ନାରୁ ହଟାଇ ଦେବା ପାଇଁ ଗୋଟାଏ ପ୍ରବଳ, ସ୍ୱାର୍ଥପର ଜିଦ୍ୱି ଥିଲା ଭଳି ମନେ ହେଉଥିଲା ।

 

ଘର ବାଡ଼ି ପଟର ଗେଟ୍ ଖୋଲିଲା ଏବଂ ତା’ ଭିତରୁ ଗୋଟିଏ ସାନ, ହାଲ୍‌କା ସ୍ଳେଜ୍‌ଗାଡ଼ିଟିଏ ବାହାରିଲା । ସେଥିରେ କୌଣସି ପ୍ରକାରର ସିଟ୍‌ ନଥିଲା, ଗାଡ଼ି ଟାଣୁଥିଲା ଗୋଟିଏ ସାନ ଦୁର୍ବଳିଆ ଘୋଡ଼ା । ଗାଡ଼ି ପଛରେ ଛୋଟେଇ ଛୋଟେଇ ଚାଲୁଥାଏ ଲୋକଟି; ଦୁର୍ବଳିଆ ଦେହ, ନଇଁ ପଡ଼ିଥାଏ ଆଗକୁ । ମୁଣ୍ଡରେ ଜୋରରେ ଭିଡ଼ା ହୋଇଥିବା ମଫଲର୍ ତଳେ ରୋଗା, ନାଲି ମୁହଁ କେମିତି ବିଚିତ୍ର ଭାବରେ ଛୋଟ ଦିଶୁଥାଏ । ଲୋକଟାର ଦେହ ଭଲ ନାହିଁ ନିଶ୍ଚୟ । ତଥାପି, ଖାଲି କେ. କୁ ନେଇ ଯିବା ପାଇଁ ହିଁ ଘରୁ ବାହାରିବାକୁ ପଡ଼ିଚି ତା’କୁ । ଏ କଥା କହିବା ପାଇଁ କେ. ଯେମିତି ଆରମ୍ଭ କରିଛି, ଲୋକଟା ତା’କୁ ହାତ ହଲାଇ ଚୁପ କରି ଦେଲା । ତା’ଠୁ କେ, କେବଳ ଏତିକି ଜାଣି ପାରିଲା ଯେ ଲୋକଟାର ନାଁ ଗର୍‌ଷ୍ଟ୍ୟାକର୍, ଜଣେ ଗାଡ଼ିବାଲା; ଏବଂ ସେ ଏଇ ଭଙ୍ଗାରୁଜା ଗାଡ଼ିଟିକି ନେଇ ବାହାରିଚି, କାରଣ ଏଇ ଗାଡ଼ିଟି ହିଁ ସଜ ହୋଇ ରହିଥିଲା, ଅନ୍ୟ ଗାଡ଼ି ଆଣିବାକୁ ହେଲେ ଗୁଡ଼ାଏ ସମୟ ନଷ୍ଟ ହୋଇଥାନ୍ତା । ‘‘ବସ,’’ ଲୋକଟି ଗାଡ଼ି ଆଡ଼କୁ ଦେଖାଇ କହିଲା । ‘‘ମୁଁ ତମ ପାଖରେ ବସିବି,’’ କେ. କହିଲା । ‘‘ମୁଁ ତ ଚାଲିବି,’’ ଲୋକଟା ଉତ୍ତର ଦେଲା । ‘‘କିନ୍ତୁ କାହିଁକି ?’’ ପଚାରିଲା କେ. । ‘‘ମୁଁ ଚାଲି ଚାଲି ଯିବି,’’ ପୁଣି କହିଲା ଗର୍‌ଷ୍ଟ୍ୟାକର, ଏବଂ କହୁ କହୁ ତା’ର ଏତେ ଜୋର୍‌ରେ କାଶ ହେଲା ଯେ ତା’ ସାରା ଦେହ ଥରିଗଲା । ସେ ବରଫ ଭିତରେ ପାଦ ଚାପି ରଖି ସ୍ଲେଜଗାଡ଼ି ଉପରକୁ ହାମୁଡ଼ି ପଡ଼ିଲା । କେ. ଆଉ କିଛି ନ କହି ସ୍ଲେଜଗାଡ଼ିରେ ଯାଇ ବସିଲା । ଲୋକଟାର କାଶ ଟିକିଏ କମିଲା । ତା’ ପରେ ଗାଡ଼ି ଚାଲିଲା ।

 

ସେମାନଙ୍କ ପଛରେ ଦୁର୍ଗ, ଯେଉଁଠି କେ. ସେଦିନ ହିଁ ପହଞ୍ଚିଯିବ, ବୋଲି ଭାବି ଥିଲା, ଦୁର୍ଗଟା ବେଶ୍ ଅନ୍ଧାରୁଆ ହୋଇ ଉଠୁଥିଲା ଏବଂ ଆହୁରି ଦୂରକୁ ହଟି ଯାଉଥିଲା । କିନ୍ତୁ ଆଉ ଥରେ ଭେଟ ହେବା ଯାଏଁ ବିଦାୟର ସୂଚନା, ଦେଲା ଭଳି ଗୋଟିଏ ଘଣ୍ଟା ସେଠି ବେଶ୍ ବାଜିବାକୁ ଲାଗିଲା । ଘଣ୍ଟାର ଶବ୍ଦ ଏମିତି ଭୟାନକ ଶୁଭୁଥିଲା ଯେ କେ.ର ଛାତି ମୁହୂର୍ତ୍ତକ ପାଇଁ ହେଲେ ବି ଥରିଗଲା । ସତେ ଯେମିତି ଘଣ୍ଟାଟା ଡରାଉଥିଲା ଯେ କେ.ର ଅସ୍ପଷ୍ଟ ଆକାଂକ୍ଷା ପୂରଣ ହୋଇ ଯିବାକୁ ବସିଛି । ଅବଶ୍ୟ ସେ ଭୟାନକ ଘଣ୍ଟା ଶବ୍ଦ ବନ୍ଦ୍ ହୋଇଗଲା । କିନ୍ତୁ ତା’ ଯାଗାରେ ଶୁଭିଲା ଗୋଟିଏ ଦୁର୍ବଳ ବିରକ୍ତିକର ଟିନ୍‌ ଟିନ୍‌ ଶବ୍ଦ । ଶବ୍ଦଟା ଦୁର୍ଗ ଭିତରୁ ଆସି ଥାଇପାରେ କିମ୍ବା ଗାଁର ଅନ୍ୟ ଯେ କୌଣସି ଯାଗାରୁ । ତା’ର ଧୀର ଗତି ସ୍ଲେଜ ଯାତ୍ରା ସାଙ୍ଗରେ ଏବଂ ଦୁଃସ୍ଥ ଅଥଚ ରହସ୍ୟମୟ ଗାଡ଼ିବାଲା ସାଙ୍ଗରେ କିନ୍ତୁ ଶବ୍ଦଟା ବେଶ୍ ମାଳ ଖାଉଥିଲା ।

 

‘‘ଶୁଣୁଚ ?’’ କେ. ହଠାତ୍‌ ଆରମ୍ଭ କଲା, ମୋତେ ଆଶ୍ଚର୍ଯ୍ୟ ଲାଗୁଚି ଯେ ତମେ ତମ ନିଜ ଦାୟିତ୍ୱରେ ମତେ ଗାଡ଼ିରେ ଆଣିବାକୁ ସାହସ କଲ, ଏୟା କରିବାପାଇଁ ତମକୁ ଅନୁମତି ମିଳିଚି?’’ ସେତେବେଳକୁ ଗାଡ଼ି ଗୀର୍ଜା ଘର ପାଖରେ ପହଞ୍ଚି ସାରିଥିଲା ଏବଂ ହୋଟେଲ୍‌ଟା ଆଉ ବେଶୀ ଦୂର ନୁହେଁ ଦେଖି କେ. ଭାବିଲା ଯେ ସେ ବର୍ତ୍ତମାନ କିଛି ପଚାରି ପାରିବ । ଗର୍‌ଷ୍ଟ୍ୟାକର୍ ତା’ କଥାକୁ କାନ ଦେଲା ନାହିଁ, ଛୋଟ ଘୋଡ଼ାଟି କଡ଼ରେ ସେମିତି ଚୁପ ଚାପ ଚାଲି ଥାଏ । ‘‘ହଇଓ’’ କେ. ପାଟିକଲା ଏବଂ ସ୍ଲେଜ ଦେହରୁ ଉଖାରି କିଛି ବରଫ ଧରିଲା, ଗୁଳା କରି ଏମିତି ଫିଙ୍ଗିଲା ଯେ ସେଟାଯାଇ ଗର୍‌ଷ୍ଟ୍ୟାକର୍‌ର କାନ ମୁଣ୍ଡାରେ ବାଜିଲା । ସେ ଅଟକିଲା ଏବଂ ବୁଲି ପଡ଼ିଲା । ଗାଡ଼ିଟି ଟିକିଏ ଆଗକୁ ଚାଲିଯାଇ ଥିବାରୁ କେ ତାକୁ ଖୁବ୍‌ ପାଖରୁ ଦେଖିଲା, ଦେଖିଲା, ଲୋକଟାର ନଇଁ ଯାଇଥିବା ଅତ୍ୟଚାରିତ ଦେହଟାକୁ, ପତଳା, ନାଲି ପଡ଼ିଯାଇଥିବା ମୁହଁ ଓ ବିକୃତ ଗାଲ ଯୋଡ଼ାକୁ; ଗୋଟାଏ ଚେପଟା ଓ ଅନ୍ୟଟା ଭିତରକୁ ପଶି ଯାଇଥାଏ । ଲୋକଟା ହାଁ କରି କେ, ର କଥା ଶୁଣୁଥାଏ । ତା’ ପାଟିରୁ ଅଳ୍ପ କେତେଟା ଦାନ୍ତ ଦିଶୁଥାଏ । କେ, ର ମନେ ହେଲା ଯେ ସେ ହିଁସାରେ ବର୍ତ୍ତମାନ ଯାହା କହିଲା, ସେକଥା ଆଉ ଥରେ ଦୟାରେ କହିବାକୁ ପଡ଼ିବ । ମାନେ ତା’କୁ ଗାଡ଼ିରେ ଆଣିଥିବାରୁ ଗର୍‌ଷ୍ଟ୍ୟାକର୍‌ ଦଣ୍ଡ ପାଇବ କି ନାହିଁ ପଚାରିବ । କିଛି ନ ବୁଝି ପାରିଲା ଭଳି ଗର୍‌ଷ୍ଟ୍ୟାକର୍ କହିଲା, ‘‘କଣ ତମେ କହୁଚ ?’’ ଏ ପ୍ରଶ୍ନର ଉତ୍ତରକୁ ଅପେକ୍ଷା ନ କରି ସେ ଘୋଡ଼ାଟିକୁ କ’ଣ କହିଲା ଏବଂ ଗାଡ଼ି ପୁଣି ଚାଲିଲା ।

 

।। ଦୁଇ ।।

 

ଗୋଟିଏ ମୋଡ଼ ବୁଲିବା ପରେ କେ: ଯେତେବେଳେ ଜାଣିପାରିଲା ଯେ ସେମାନେ ହୋଟେଲ ପାଖକୁ ଆସିଗଲେଣି, ଅନ୍ଧାର ହୋଇ ଯାଇଥିବା ଦେଖି ସେ ଭାରି ଆଶ୍ଚର୍ଯ୍ୟ ହୋଇଗଲା । ସେ କ’ଣ ଏତେବେଳଯାଏଁ ବାହାରେ ବୁଲୁଥିଲା ? ତା’ ଅନୁମାନରେ ନିଶ୍ଚୟ ଘଣ୍ଟାଏ ଦୁଇ ଘଣ୍ଟାରୁ ବେଶୀ ନୁହେଁ ଏବଂ ଯେତେବେଳେ ବାହାରିଥିଲା ସେତେବେଳେ ସକାଳ ହୋଇଥିଲା-। ଏବଂ ତା’କୁ ମୋଟେ ଭୋକ ଲାଗି ନାହିଁ । ଏବଂ ଅଳ୍ପ ସମୟ ଆଗରୁ ବେଶ୍ ଦିନ ଥିଲା, ଏବଂ ଏବେ ରାତିର ଅନ୍ଧାର ମାଡ଼ି ଆସିଛି ସେମାନଙ୍କ ଉପରକୁ । ‘‘କେଡ଼େ ଛୋଟ ଦିନ ଗୁଡ଼ା,’’ କେ. ନିଜକୁ ନିଜେ କହିଲା, ସ୍ଲେଜ ଗାଡ଼ିରୁ ଓହ୍ଲାଇ ପଡ଼ି ହୋଟେଲ ଆଡ଼କୁ ଚାଲିଲା ।

 

ଘର ଭିତରକୁ ଉଠିଥିବା ଛୋଟ ସିଡ଼ି ଉପର ପାହାଚରେ ହୋଟେଲ୍‌ ମାଲିକ ଠିଆ ହୋଇଥିଲା, ସ୍ୱାଗତ କରିବା ଭଙ୍ଗୀରେ, ହାତରେ ଲଣ୍ଠନଟିଏ ଧରି । ତା’କୁ ଆଣିଥିବା ଗାଡ଼ିବାଲାକୁ କେ. ମୁହୂର୍ତ୍ତକ ପାଇଁ ମନେ ପକାଇଲା; ତା ପଛରେ ଅନ୍ଧାର ଭିତରୁ କାଶ ଶୁଭିଲା । ସେଇଠି ଲୋକଟା ଠିଆ ହୋଇଛି । ହଁ, କେ. ତାକୁ ଖୁବ୍‌ ଶୀଘ୍ର ଦେଖା କରିବ । ଉପରକୁ ଉଠି ଯାଇ ସେ ହୋଟେଲ୍‍ ମାଲିକ ପାଖରେ ଯେମିତି ପହଞ୍ଚିଛି ହୋଟେଲ୍ ମାଲିକ ନମ୍ର ଭାବରେ ତା’କୁ ଅଭିବାଦନ ଜଣାଇଲା । ଠିକ୍‌ ସେତିକିବେଳେ ସେ ଦେଖିଲା, ଦୁଇ ଜଣ ଲୋକ କବାଟର ଦୁଇ ପାଖରେ ଠିଆ ହୋଇଛନ୍ତି । ହୋଟେଲ୍‌ ମାଲିକ ହାତରୁ ଲଣ୍ଠନଟି ନେଇ ସେ ସେମାନଙ୍କ ଆଡ଼କୁ ଟେକି ଧରିଲା । ସେ ଲୋକ ଦୁଇ ଜଣଙ୍କୁ ସେ ଆଗରୁ ଦେଖିଛି; ସେ. ଦୁହେଁ ହେଲେ ଅର୍ଥର୍‌ ଓ ଜେରେମିଆ । ବର୍ତ୍ତମାନ ସେ ଦୁହେଁ ତା’କୁ ସଲାମ୍‌ କଲେ । କେ.ର ମନେ ପଡ଼ିଲା ତା’ର ସୁଖୀ ଅତୀତ, ଯେତେବେଳେ ସେ ଜଣେ ସୈନ୍ୟ ଥିଲା, ଏବଂ ସେ ହସିଲା । ଜଣକ ପରେ ଆର ଜଣକୁ ଚାହିଁ ସେ ପଚାରିଲା, ‘‘ତମେ ଦୁହେଁ କିଏ ?’’ ‘ଆପଣଙ୍କର ସହକାରୀ,’’ ସେ ଦୁହେଁ ଉତ୍ତର ଦେଲେ । ‘‘ସହକାରୀ ଦି’ ଜଣ,’’ ଧୀର ଗଳାରେ ହୋଟେଲ୍ ମାଲିକ କଥାଟାକୁ ସମର୍ଥନ କଲା । ‘‘କ’ଣ ହେଲା ?’’ କହିଲା କେ. ‘‘ତମେ ଦି’ ଜଣ ମୋର ସହକାରୀ, ଯାହାଙ୍କୁ ମୁଁ ଆସିବାକୁ କହିଥିଲି ମୋ ପଛେ ପଛେ ? ଏବଂ ଯାହାଙ୍କୁ ମୁଁ ଅପେକ୍ଷା କରିଚି ?’’ ସେ ଦୁହେଁ ହଁ ବୋଲି କହିଲେ । ‘‘ଭଲ ହେଲା ତେବେ,’’ ମୁହୂର୍ତ୍ତକ ପାଇଁ ଚୁପ୍‌ ରହି କେ. କହିଲା । ‘‘ତମେ ଆସି ଯାଇଥିବା ଦେଖି ମୁଁ ଖୁସି-।’’ ଆଉ ମୁହୂର୍ତ୍ତେ ଚୁପ୍‌ ରହି ସେ କହିଲା, ‘‘ହେଲା ଯେ, ତମେ ଦିହେଁ ଆସିବାରେ ଏତେ ଡେରି କଲ, ବଡ଼ ଢିଲା ହେଲଣି ତମେ ସବୁ ।’’ ସେ ଦୁହିଁଙ୍କ ଭିତରୁ ଜଣେ କହିଲା, ‘‘ବହୁତ ଦୂର ବାଟ ।’’ ‘‘ଦୂର ବାଟ ?’’ ପଚାରିଲା କେ., ‘‘କିନ୍ତୁ ମୁଁ ‘‘ଏଇନେ ତମକୁ ଦୁର୍ଗକୁ ଆସୁ ଥିବାର ଦେଖିଲି-।’’ ବେଶୀ କିଛି ନ କହି ସେ ଦୁହେଁ ହଁ ଭରିଲେ । ‘‘ଯନ୍ତପାତି କାଇଁ ?’’ କେ. ପଚାରିଲା । ସେ ଦୁହେଁ ଉତ୍ତର ଦେଲେ, ‘ସେ ସବୁ କିଛି ଆମ ପାଖେ ନାଇଁ ।’’ ‘‘ମୁଁ ତମକୁ ଯୋଉ ଗୁଡ଼ା ଦେଇଥିଲି-?’’ କେ. ପଚାରିଲା । ‘‘ଆମ ପାଖେ ତ ସେଗୁଡ଼ା କିଛି ନାହିଁ,’’ ଦୁହେଁ ଯାକ ପୁଣି ସେହି କଥା କହିଲେ । ‘‘ବଢ଼ିଆ ଲୋକ ତମେ ସବୁ,’’ କେ. କହିଲା, ‘‘ଜମି ମାପ ଚୁପ କାମ କିଛି ଜଣା ଅଛି-?’’ ‘‘ନା,’’ ସେମାନେ ଉତ୍ତର ଦେଲେ । ‘‘କିନ୍ତୁ ତମେ ଦିହେଁ ଯଦି ମୋର ପୁରୁଣା ସହକାରୀ, ସେ ସବୁ କାମ ତମକୁ ଜଣା ଥିବା କଥା,’’ କେ: କହିଲା । ସେମାନେ କୌଣସି ଉତ୍ତର ଦେଲେ ନାହିଁ-। ‘‘ଆଚ୍ଛା, ଚାଲ ‘‘କେ, କହିଲା, ଏବଂ ସେମାନଙ୍କୁ ଠେଲି ନେଲା ଘର ଭିତରକୁ ।

 

ତା’ପରେ ତିନି ଜଣ ଯାକ ଛୋଟ ଟେବୁଲ୍ ଉପରେ ବିୟର୍‌ ଧରି ବସିଲେ । କେହି କିଛି କହୁ ନ ଥାନ୍ତି । କେ. ମଝିରେ, ଏବଂ ତା’ ଦୁଇ ପାଖରେ ସହକାରୀ ଦୁଇ ଜଣ ବସିଥାନ୍ତି । ସବୁ ଦିନ ଭଳି, ଆଉ ଯେଉଁ ଗୋଟିଏ ଟେବୁଲ୍ ଥିଲା ସେଠି ବସିଥାନ୍ତି କେତେଜଣ ଗାଉଁଲି ଲୋକ । ‘‘ତମେ ଦିହେଁ ଗୋଟେ ସମସ୍ୟା,’’ କେ କହିଲା, ଉଭୟଙ୍କୁ ତୁଳନା କରି । ଆଗରୁ ସେମିତି କେତେ ଥର କରିଛି । ‘‘ତମ ଦି’ ଜଣଙ୍କୁ ମୁଁ କେମିତି ଅଲଗା ଅଲଗା କରି ଚିହ୍ନିବି ? ତମ ଭିତରେ ଗୋଟିଏ ମାତ୍ର ତଫାତ୍‌ ହେଲା ତମ ଦି’ ଜଣଙ୍କର ଅଲଗା ଅଲଗା ନାଁ । ନ ହେଲେ ତମେ ଦିହେଁ ତ ବିଲକୁଲ୍ ଏକା ଭଳି.... ।’’ ସେ ଅଟକି ଗଲା ଏବଂ ତା’ପରେ ତା ପାଟିରୁ ଯେମିତି ଆପେ ବାହାରି ଆସିଲା, ‘‘ତମେ ଦିହେଁ ଏକା ରକମର ସାପ ଦି’ଟା ପରି ।’’ ସେ ଦୁହେଁ ହସିଲେ । ‘‘ଲୋକେ ତ ଆମକୁ ଠିକ୍‌ ଠିକ୍‌ ଚିହ୍ନି ପାରନ୍ତି,’’ ସେମାନେ ଜୋର୍ ଦେଇ କହିଲେ । ‘‘ହଁ, ମୁଁ ଜାଣେ ଯେ ସେମାନେ ଚିହ୍ନିଥିବେ,’’ କେ କହିଲା ମୁଁ ନିଜ ଆଖିରେ ଦେଖିଛି, କିନ୍ତୁ ମୋରମାତ୍ର ଏ ଯୋଡ଼ାକ ଆଖି, ଆଉ ଏଥିରେ ମୁଁ ତମ ଦିହେଁ କିଏ କୋଉ ଲୋକ ଚିହ୍ନି ପାରିବିନି । ତେଣୁ ମୁଁ ତମ ଦିହିଁଙ୍କ ସାଙ୍ଗରେ ଏମିତି ବ୍ୟବହାର କରିବି ଯେ ତମେ ଦି’ଜଣ ନୁହ ଜଣେ, ଆଉ ତମ ନାଁ ହେଲା ଆର୍ଥର୍‌ । କାହା ନାଁ ଆର୍ଥର୍‌, ତମ ନାଁ, ନୁହେ ?’’ ସେ ଜଣକୁ ପଚାରିଲା । ଲୋକଟି କହିଲା, ‘‘ନା, ମୁଁ ଜେରେମିଆ ।’’ ‘‘ସେଥିରେ କିଛି ଯାଏ ଆସେ ନି,’’ କେ କହିଲା, ‘‘ମୁଁ ତମ ଦି’ଜଣକୁ ଆର୍ଥର୍‌ ବୋଲି ଡାକିବି । ମୁଁ ଯଦି ଆର୍ଥର୍‌କୁ କହିଲି କୁଆଡ଼େ ଯିବାକୁ । ତମେ ଦି’ ଜଣ ଯାକ ଯିବ । ମୁଁ ଯଦି ଆର୍ଥର୍‌କୁ କିଛି କାମ ଦିଏ, ତମେ ଦି’ଜଣ ଯାକ ସେଟା କରିବ । ତମ ଦି’ଜଣଙ୍କୁ ତା’ ଫଳରେ ଅଲଗା ଅଲଗା କାମରେ ଲଗାଇ ପାରିବିନି, କିନ୍ତୁ ମୋର ସୁବିଧାଟା ହେବ ମୁଁ ଯାହା କରିବାକୁ କହିବି, ସେଥିପାଇଁ ତମେ ଦି’ଜଣଯାକ ସମାନ ଭାବେ ଦାୟୀ ରହିବ । କାମଟା ତମ ଦି’ଜଣଙ୍କ ଭିତରେ ତମେ କିମିତି ବାଣ୍ଟିବ ମୋତେ ଜଣା ନାଇଁ । ଖାଲି ଏତିକି ଯେ ଭୁଲ୍ ଭଟକା ହେଲେ ତମେ ଜଣେ ଆର ଜଣକ ଉପରେ ଦୋଷ ଲଦି ଦେଇ ପାରିବ ନାହିଁ । ମୋ ପାଇଁ ତମେ ଦି’ଜଣ ଜଣେ ଲୋକ ।’’ ଦୁହେଁ ଯାକ କିଛି ସମୟ ଭାବିଲେ ଏବଂ ତା’ପରେ କହିଲେ, ‘‘ଏ ବ୍ୟବସ୍ଥା ତ ଆମର ପସନ୍ଦ ହେଉନି ।’’ ‘‘ମୁଁ’’ ବି ତ ଭାବୁ ନାଇଁ । ନିଶ୍ଚେ ଏକଥା ତମକୁ ଭଲ ଲାଗିବ ନି, କିନ୍ତୁ ଏୟା ହିଁ ହେବ ।’’ କେ. କହିଲା କିଛି ସମୟ ଧରି ଜଣେ ଗାଉଁଲି ଲୋକ ସେମାନଙ୍କ ଟେବୁଲ୍ ପାଖରେ ଆସି ଲୁଙ୍ଗୁପୁଙ୍ଗୁ ହେଉ ଥିବାର କେ. ଲକ୍ଷ୍ୟ କରୁଥିଲା । ବର୍ତ୍ତମାନ ସେ ଲୋକଟା ଜଣେ ସହକାରୀ ପାଖକୁ ଚାଲି ଯାଇ ତା’ କାନରେ ଫୁସ୍‌ ଫୁସ୍‌ ହୋଇ କଣ କହୁଥିଲା । ‘‘ଦେଖନ୍ତୁ,’’ କେ. ଟେବୁଲ୍ ଉପରେ ହାତ ବାଡ଼େଇ, ଠିଆ ହୋଇ ପଡ଼ି କହିଲା, ‘‘ଏ ଦିହେଁ ମୋର ସହକାରୀ ଏବଂ ଆମେ ଆମ ଭିତର କଥା କଥାବାର୍ତ୍ତା ହେଉଛୁ । ଆମ କଥାବାର୍ତ୍ତାରେ ଗୋଳମାଳ କରିବା ଅଧିକାର କାହାର ନାଇଁ ।’’ ଭୁଲ୍ ହେଇଗଲା, ଆଜ୍ଞା, ଭୁଲ୍ ହେଇଗଲା,–‘‘ବଡ଼ ବ୍ୟସ୍ତ ହୋଇ ଲୋକଟି କହି ପକାଇଲା ଏବଂ ତା’ ସାଙ୍ଗସାଥୀଙ୍କ ପାଖକୁ ବାହୁଡ଼ିଗଲା । ବସି ପଡ଼ି କେ. କହିଲା, ‘‘ତମକୁ ମୋର ସବୁଠୁଁ ବଡ଼ ତାଗିଦାଟା ହେଲା, ମୋ ଠୁ’ ଅନୁମତି ନ ନେଇ ତମେ କାହା ସାଙ୍ଗରେ କଥାବାର୍ତ୍ତା କରିପାରିବ ନାଇଁ । ଏଠି ମୁଁ ନୂଆ ଲୋକ, ଏବଂ ତମେ ଦିହେଁ ଯଦି ମୋର ପୁରୁଣା ସହକାରୀ ହୋଇଥାଅ, ତମେ ବି ନୂଆ । ଆମେ ତିନିଜଣଯାକ ନୂଆ ଲୋକ । ସେଥିପାଇଁ ପରସ୍ପରକୁ ସାହାଯ୍ୟ କରିବାକୁ ପଡ଼ିବ । ମୋତେ କଥା ଦିଅ, ଏୟା କରିବ ବୋଲି ।’’ ଖୁବ୍‌ ଆଗ୍ରହରେ ସେ ଦୁହେଁ କେ. ଆଡ଼କୁ ହାତ ବଢ଼ାଇ ଦେଲେ । ‘‘ଏମିତି କହିଲି ବୋଲି କିଛି ଭାବିବ ନି,’’ ସେ କହିଲା, କିନ୍ତୁ ମନେରଖ, ମୋ କଥା ମାନିବାକୁ ପଡ଼ିବ ହିଁ ପଡ଼ିବ । ମୁଁ ଏବେ ଶୋଇବାକୁ ଯିବି, ଏବଂ ତମେ ବି ଯାଅ ଶୋଇବ–ଏୟା ମୋର ପରାମର୍ଶ । ଆଜି ଦିନଯାକ ଆମେ କିଛି କାମ କରିନେ; କାଲି ଖୁବ୍‌ ଶୀଘ୍ର ଜଲ୍‌ଦି ଆରମ୍ଭ କରିବାକୁ ପଡ଼ିବ । ଦୁର୍ଗକୁ ଯିବା ପାଇଁ ମୋ ଲାଗି ଗୋଟିଏ ଗାଡ଼ିର ବ୍ୟବସ୍ଥା ତମେ କରିବ ଏବଂ ଗାଡ଼ିଟା ଛ’ଟା ବେଳକୁ ସଜ ହୋଇ ଏଇ ହୋଟେଲ୍ ପାଖରେ ଠିଆ ହୋଇଥିବା ଦରକାର । ‘‘ଠିକ୍‌ ଅଛି,’’ ଜଣେ କହିଲା । କିନ୍ତୁ ଅନ୍ୟ ଜଣଙ୍କ ତା’କୁ ବାଧା ଦେଲା, ‘‘ତୁ ଠିକ୍‌ ଅଛି କହି ଦେଉଛୁ କିନ୍ତୁ ତୁ ଜାଣିଛୁ ତା’ କରି ହେବ ନାଇ ।’’ ‘‘ଚୁପ୍‌ କର,’’ କେ: କହିଲା,’’ ତମେ ଦିହେଁ ପରସ୍ପର ଅଲଗା ଅଲଗା ଲୋକ ବୋଲି ଭାବିବାକୁ ଆରମ୍ଭ କରିଦେଲେଣି ।’’ କିନ୍ତୁ ସେତିକିବେଳେ ପ୍ରଥମ ଲୋକଟି କହିଲା, ‘‘ସେ ଠିକ୍‌ କହୁଚି, ତା’ ହେଇ ପାରିବ ନାଇଁ, ଅନୁମତି ବିନା କୌଣସି ନୂଆ ଲୋକ ଦୁର୍ଗ ଭିତରକୁ ଯାଇ ପାରିବ ନାଇଁ ଅନୁମତି ପାଇଁ କାହାକୁ କହିବାକୁ ପଡ଼ିବ ?’’ ‘‘ମୁଁ ଜାଣେ ନି. ବୋଧେ ଦୁର୍ଗ ରକ୍ଷକଙ୍କୁ ।’’ ‘‘ତା ହେଲେ ଆମେ ଟେଲିଫୋନ୍‌ କରି ଅନୁମତି ଚାହିଁବା, ଯା’ ଦି’ଜଣଯାକ ଯାଅ ଦୁର୍ଗ ରକ୍ଷକଙ୍କୁ ଟେଲିଫୋନ କର, ଏଇକ୍ଷଣି ।’’ ଦୁହେଁ ଯାକ ଫୋନ୍‌ ପାଖକୁ ଦୌଡ଼ିଗଲେ, ଦୁର୍ଗର ନମ୍ବର ମାଗିଲେ । କେଡ଼େ ଆଗ୍ରହ ଦେଖାଉଥିଲେ ଦୁହେଁଯାକ । ବାହାରୁ ତାଙ୍କର ଆଦେଶ ପାଳନ ପଣ କେମିତି ହାସ୍ୟ କର ଦେଖା ଯାଉଥାଏ । ଫୋନ୍‌ରେ ପଚାରିଲେ ଯେ ପରଦିନ ସକାଳେ କେ. ସେ ଦୁହିଁଙ୍କ ସାଙ୍ଗରେ ଦୁର୍ଗ ଭିତରକୁ ଆସି ପାରିବ କି ? ଯେଉଁ ‘ନା’ ଉତ୍ତରଟି ଆସିଲା ତା’ କେ: ଟେବୁଲ ପାଖରୁ ବି ଶୁଣି ପାରିଲା । କିନ୍ତୁ ଉତ୍ତରଟି ଆହୁରି ସ୍ପଷ୍ଟ ହୋଇ ଆସିଲା । ତା’ ହେଲା ‘‘କେବଳ କାଲି ନୁହେ, କେସ୍ମିନ୍ କାଳେ ଆସି ପାରିବ ନାହିଁ ସେ ।’’ ‘‘ମୁଁ ନିଜେ ଫୋନ୍‌ କରିବି, ‘‘କହି କେ ଉଠି ଆସିଲେ ଏ ଯାଏଁ ଓ ତା’ର ସହକାରୀ ଦୁଇଜଣଙ୍କୁ କେହି ବିଶେଷ ଲକ୍ଷ୍ୟ କରୁ ନଥିଲେ । ଖାଲି ଯାହା ସେହି ଲୋକଟି ଥରେ ଆସିଥିଲା । କିନ୍ତୁ ବର୍ତ୍ତମାନ କେ. ର କଥା ଶୁଣି ସମସ୍ତେ ତା’ ଆଡ଼କୁ ଚାହିଁଲେ । କେ. ଉଠିବା ଦେଖି ସମସ୍ତେ ଉଠି ପଡ଼ିଲେ । ଏବଂ ହୋଟେଲ ମାଲିକ ସେମାନଙ୍କୁ ଘଉଡ଼ାଇବା ସତ୍ତ୍ୱେ ସେମାନେ ଟେଲିଫୋନ୍‌ ପାଖରେ କେ.କୁ ଘେରି ଅର୍ଦ୍ଧଚନ୍ଦ୍ରାକାରେ ଠିଆ ହୋଇଗଲେ । ସମସ୍ତେ କହୁଥିଲେ ଯେ କେ: କୌଣସି ପ୍ରକାର ଉତ୍ତର ପାଇବ ନାହିଁ । ସେମାନଙ୍କୁ ଚୁପ୍‌ ରହିବାକୁ ଅନୁନୟ କରିବାକୁ ପଡ଼ିଲା କେ: କୁ । ସେ କହିଲା, ସେମାନଙ୍କ ମତାମତ ଶୁଣିବାକୁ ତା’ର ଇଚ୍ଛା ନାହିଁ ।

 

ରିସୀଭର୍‌ରୁ ଏମିତି ଗୋଟାଏ ଶବ୍ଦ ଶୁଭିଲା ଯାହାକି କେ. ଆଗରୁ କେବେ କୌଣସି ଟେଲିଫୋନ୍‌ରୁ ଶୁଣି ନଥିଲା । ଅସଂଖ୍ୟ ପିଲାମାନଙ୍କର ସ୍ୱରର ହୁଁ ଉଉ ଶବ୍ଦ ଭଳି । କିନ୍ତୁ ଠିକ୍‌ ହୁଁଉଉ ଶବ୍ଦ ନୁହେଁ. ବରଂ ଅସୀମ ଦୂରତ୍ୱରୁ ଆସୁଥିବାରୁ ସଂଗୀତର ପ୍ରତିଧ୍ୱନିଟାଏ । ପିଲାମାନଙ୍କର ସ୍ୱର ସବୁ ଅସମ୍ଭବ ଭାବରେ ମିଶ୍ରିତ ହୋଇ ସୃଷ୍ଟି କରୁଥିଲା ଗୋଟାଏ ଉଚ୍ଚ ମୂର୍ଚ୍ଛନାର ଶବ୍ଦ । ମନେ ହେଲା ସତେ ଯେମିତି ସେ ଶବ୍ଦ ଶ୍ରବଣେନ୍ଦ୍ରିୟ ଟପି ଅନ୍ୟ କୌଣସି କ୍ଷେତ୍ରରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା । ଫୋନ୍‌ରେ କିଛି କହିବାକୁ ଚେଷ୍ଟା ନ କରି କେ ସେ ଶବ୍ଦ ଶୁଣିବାକୁ ଲାଗିଲା, ତା’ର ବାଁ ହାତ ଟେଲିଫୋନ୍‌ ରହିଥିବା ଥାକ ଉପରେ ଭରା ଦେଇ ।

 

ଏମିତି କେତେ ସମୟ ସେ ଠିଆ ହୋଇ ରହିଲା ସେ ଜାଣି ପାରୁ ନଥିଲା । ହଠାତ୍‌ ହୋଟେଲ୍ ମାଲିକ ତା’’ କୋଟ୍ କହିଲା ଯେ ତା’ ସାଙ୍ଗରେ କଥାବାର୍ତ୍ତା କରିବା ପାଇଁ ଜଣେ ଆସିଛି-। ‘‘ପଳା,’’ କେ ଚିତ୍‌କାରକଲା ରାଗରେ, ବୋଧହୁଏ ଫୋନ୍‌ ଭିତରକୁ, କାରଣ ସେପଟରୁ ତତ୍‌କ୍ଷଣାତ୍ କୌଣସି ଉତ୍ତର ଆସୁଥିବା ଶୁଭିଲା ତାପରେ ନିମ୍ନଲିଖିତ କଥାବାର୍ତ୍ତା ହେଲା : ‘‘ମୁଁ ଅଷ୍‌ଓ୍ୱାଲ୍‌ଡ଼୍, ତମେ କିଏ ?’’–କିଏ ଜଣେ ଖୁବ୍‌ ଉତ୍ତ୍ୟକ୍ତ ଗଳାରେ ପଚାରିଲା । ତା’ର ପାଟି ଟିକିଏ ଲାଗୁଥିଲା । ଏହି ଦୋଷକୁ ସେ ତାର ତୀବ୍ର ସ୍ୱରରେ ଘୋଡ଼ାଇ ଦେବାକୁ ଚେଷ୍ଟା କରୁଥିଲା ଭଳି କେ.କୁ ଜଣାଗଲା । କେ ନିଜ ନାଁ କହିବାକୁ କୁଣ୍ଠା ବୋଧ କଲା, କାରଣ ସେ ବର୍ତ୍ତମାନ ଟେଲିଫୋନ୍‌ଟାର କର୍ତ୍ତୃତ୍ୱ ଅଧୀନ । ସେପଟର ଲୋକ ଚିତ୍‌କାର କରି ତା’କୁ ଦାବି ଦେଇପାରେ କିମ୍ବା ଫୋନ୍‌ଟା ରଖି ଦେଇପାରେ । ତା’ର ଅର୍ଥ ହେବ ଯେ ପରିଚିତ ହେବାର ଗୋଟାଏ ପ୍ରାୟ ଫଳପ୍ରଦ ବାଟ ତଦ୍ଦ୍ୱାରା ବନ୍ଦ ହୋଇଯିବ । କେ: ଚୁପ୍‌ ରହିବା ଦେଖି ସେ ପଟର ଲୋକଟା ଅଧୈର୍ଯ୍ୟ ହୋଇ ଉଠିଲା । ‘‘କିଏ ସେଠି କହୁଚ?’’-ଲୋକଟା ପୁଣି ପଚାରିଲା । ଏବଂ ଆହୁରି କହିଲା, ‘‘ସେଠୁ ବେଶୀ ଟେଲିଫୋନ୍ ନ ହେଲେ ମୁଁ ଖୁସି ହେବି; ମିନିଟ୍‌କ ଆଗରୁ କିଏ ଜଣେ ଟେଲିଫୋନ୍‌ କରୁଥିଲା ।’’ କେ. ଏ କଥାକୁ କାନ ଦେଲା ନାହିଁ, ଏବଂ ହଠାତ୍ କହି ଲାଗିଲା, ‘‘ମୁଁ ଅମିନ ବାବୁଙ୍କ ସହକାରୀ କହୁଚି ।’’ ‘କୋଉ ଅମିନ ବାବୁ, କୋଉ ସହକାରୀ ?’’ କେ. ଗଲା କାଲିର ଫୋନ୍‌ କଥାବାର୍ତ୍ତା ମନେ ପକାଇ ସଂକ୍ଷେପରେ କହିଲା, ‘‘ଫ୍ରିଜ୍‌କୁ ପଚାରନ୍ତୁ ।’’ ଏଇ କଥା ବେଶ କାମ କଲା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା । ନିଜ କଥାର ସଫଳତା ଅପେକ୍ଷା ଆହୁରି ଆଶ୍ଚର୍ଯ୍ୟ କରିଦେଲା ତା’କୁ ଦୁର୍ଗର ସଂଗଠିତ ଶାସନ ବ୍ୟବସ୍ଥା । ଉତ୍ତର ଆସିଲା ‘‘ହଁ, ହଁ, ଅଚ୍ଛା ସେଇ ଚିରନ୍ତନ ଅମିନ ବାବୁ । ସେଇ ତ ! କ’ଣ ହେଲା? କୋଉ ସହକାରୀ ?’’ ‘‘ଯୋସେଫ୍,’’ କେ. କହିଲା । ତା’ ପଛରେ ଗାଉଁଲି ଲୋକ ଗୁଡ଼ାକ ଫିସ ଫିସ୍‌ ହେୁଥିବା ଶୁଣି କେ. ଟିକିଏ ଦବିଗଲା । ସେମାନେ ନିଶ୍ଚୟ ତା’ ମିଛ କୌଶଳକୁ ପସନ୍ଦ କରୁନାହାନ୍ତି । ସେମାନଙ୍କୁ ନେଇ ମୁଣ୍ଡ ଖେଳାଇବାକୁ ଅବଶ୍ୟ ତା’ର ସମୟ ନଥିଲା, ସେ ଫୋନ୍‌ କଥାବାର୍ତ୍ତାରେ ମଜ୍ଜି ଯାଉଥିଲା ’ ‘‘ଯୋସେଫ୍‌ ?’’ –ପ୍ରଶ୍ନ ହେଲା । ‘‘କିନ୍ତୁ ସହକାରୀ ମାନଙ୍କ ନାଁ ତ.....’’ଲୋକଟା ରହିଗଲା, ନିଶ୍ଚୟ ଅନ୍ୟ କାହା ଠାରୁ ନାଁ ଦୁଇଟା ବୁଝିବାକୁ, ‘‘ଆର୍ଥର୍‌ ଓ ଜେରେମିଆ ।’’ କେ କହିଲା, ‘‘ଏମାନେ ହେଲେ ନୂଆ ଲୋକ, ମୁଁ ପୁରୁଣା ଲୋକ; ମୁଁ ଆଜି ଅମିନ ବାବୁଙ୍କ ପଛେ ପଛେ ଆସି ପହଞ୍ଚିଛି ।’’ ‘‘ନା’’–ସେ ପାଖରୁ ପାଟି ଶୁଭିଲା । ‘‘ତାହେଲେ ମୁଁ କିଏ ?’’ କେ ପଚାରିଲା, ଆଗଭଳି ଭଦ୍ର ଭାବରେ ।

 

କିଛି ସମୟରେ ନୀରବତା ପରେ ସେହି ଲୋକ ସେମିତି ଖନେଇ ଖନେଇ କହିଲା, ‘‘ତମେ ହେଉଚ ପୁରୁଣା ସହକାରୀ ଜଣକ ।’’ ତା’ ସ୍ୱର ଏଥର ଅବଶ୍ୟ ଆହୁରି ଗଭୀର ଓ ଜୋରଦାର୍ ଶୁଭୁଥିଲା ।

 

କଥାବାର୍ତ୍ତା ଏ ପ୍ରକାର ନୂଆ ମୋଡ଼ ନେଉଥିବା ଦେଖି କେ. ବିହ୍ୱଳ ହୋଇ ଯାଇଥିବାରୁ ପ୍ରଶ୍ନଟା ପ୍ରାୟ ଶୁଣି ପାରିଲା ନାହିଁ–‘‘ତମର କ’ଣ ଦରକାର ?’’ ସେ ଭାବିଲା ଫୋନଟା ରଖିଦେବ-। ଏହି କଥାବାର୍ତ୍ତାରୁ ସେ ଆଉ ଅଧିକ କିଛି ଆଶା କରୁନଥିଲା । କିନ୍ତୁ ପ୍ରଶ୍ନର ଚାପରେ ସେ ହଠାତ୍‌ ଉତ୍ତର ଦେଲା । ‘‘ମୋ’ ହାକିମ ଦୁର୍ଗକୁ କେତେବେଳେ ଆସି ପାରିବେ ?’’ ‘‘କେବେ ନୁହଁ,’’ ଆସିଲା ଉତ୍ତର । ଠିକ୍‌ ଅଛି,’’ କହିଲା କେ. ଓ ଟେଲିଫୋନ୍‌ଟା ରଖିଦେଲା ।

 

ତା’ ପଛରେ ଗାଉଁଲି ଚଷା ଲୋକ ଗୁଡ଼ାକ ବେଶ୍ ଭିଡ଼ ଜମାଇ ଦେଇଥାନ୍ତି । ତା’ର ସହକାରୀ ଦୁଇ ଜଣ ଯାକ ତା’ ଆଡ଼କୁ କଣେଇ କଣେଇ ଚାହିଁ ସେମାନଙ୍କୁ ହଟାଇବାକୁ ଚେଷ୍ଟା କରୁଥାନ୍ତି । କିନ୍ତୁ ହେଉ ନଥାଏ । ସେ ଯାହା ହେଉ, ଗାଉଁଲି ଲୋକ ଗୁଡ଼ାକ କଥାବାର୍ତ୍ତାର ଫଳାଫଳରେ ସନ୍ତୁଷ୍ଟ ହୋଇ ଭିଡ଼ ଭାଙ୍ଗିବାକୁ ଆରମ୍ଭ କରିଦେଲେ । ଭିଡ଼ ଠେଲି ଜୋର୍ ପାଦ ପକାଇ ଜଣେ ଲୋକ ବାହାରି ଆସିଲା, କେ. କୁ ଅଭିବାଦନ ଜଣେଇ ଗୋଟିଏ ଚିଠି ବଢ଼ାଇ ଦେଲା । କେ. ଚିଠିଟା ତା’ ହାତରୁ ନେଲା, କିନ୍ତୁ ଲୋକଟାକୁ ଅନାଇଲା । ସେହି ମୁହୂର୍ତ୍ତରେ ଲୋକଟା ବେଶୀ ଗୁରୁତ୍ୱପୂର୍ଣ୍ଣ ମନେ ହେଲା ତା’କୁ । ତା’ ସହକାରୀ ଏବଂ ଏହି ଲୋକଟାର ଚେହେରା ଭିତରେ ବହୁତ ସାମଞ୍ଜସ୍ୟ ଥିଲା । ସେ ଦୁହିଁଙ୍କ ଭଳି ଏ ଲୋକଟା ମଧ୍ୟ ପତଳା ଓ ଜାକ ପୋଷାକ ପତ୍ର ପିନ୍ଧିଥିଲା, ସେମିତି ଚିହିଁକିଆ ତରତର ଚାଲି । ତଥାପି ଏ ଲୋକଟା କେମିତି ଅଲଗା । ୟାକୁ ସହକାରୀ ଭାବରେ ପାଇଥିଲେ କେ. କେତେ ଖୁସି ହୋଇ ନଥାନ୍ତା ! ୟାକୁ ଦେଖି କେ.ର କିଛିଟା ମନେ ପଡ଼ିଗଲା ଚମଡ଼ା ବ୍ୟବସାୟୀ ଘରେ ଦେଖିଥିବା ସ୍ତ୍ରୀ ଲୋକଟିକୁ, ଯିଏ ଛୁଆଟିଏ କୋଳରେ ଧରିଥିଲା । ଲୋକଟା ପୂରା ଧଳା ପୋଷାକ ପିନ୍ଧିଥିଲା, ଯଦିଓ ସିଲ୍‌କର ନୁହେ । ଅନ୍ୟମାନଙ୍କ ଭଳି ସେ ମଧ୍ୟ ଗରମ ଶୀତ ଦିନିଆ ପୋଷାକ ପିନ୍ଧିଛି; କିନ୍ତୁ ଏମିତି କନାରେ ସେ ପୋଷାକ ତିଆରି ଯେ ମନେ ହେଲା ତାହା ସିଲ୍‌କ ଭଳି ନରମ ଓ ଦାମୀ । ମୁହଁ ବେଶ୍ ସ୍ପଷ୍ଟ ଓ ଆନ୍ତରିକ, ଆଖି ଯୋଡ଼ିକ ସାଧାରଣ ଆଖି ଠାରୁ ବଡ଼ । ତା’ ହସରେ ଥିଲା ଅସାଧାରଣ ଆନନ୍ଦ । ସେ ସେଇ ହସ ଲୁଚାଇବାକୁ ମୁହଁ ଉପରେ ହାତ ବୁଲାଇଲା, କିନ୍ତୁ ପାରିଲା ନାହିଁ । ‘‘ତମେ କିଏ ?’’ –ପଚାରିଲା କେ: । ‘‘ମୋ ନାଁ ବାର୍ଣ୍ଣାବୋସ୍‌,’’ ସେ ଉତ୍ତର ଦେଲା, ‘‘ମୁଁ ଡାକ ନେଇ ଆସେ-।’’ ସେ କଥା କହିଲା ବେଳେ ତା’ ଓଠ ଦୁଇଟି ବେଶ୍ କଠିନ କିନ୍ତୁ ଭଦ୍ର ଦିଶୁଥାଏ । ‘ତମକୁ ଏ ଗୁଡ଼ାକ ଭଲ ଲାଗୁଛି ?’’ କେ: ପଚାରିଲା, ଗାଉଁଳି ଲୋକମାନଙ୍କ ଆଡ଼କୁ ହାତ ଦେଖାଇ । ସେମାନଙ୍କ ପାଇଁ ସେ ଏଯାଏଁ ଥିଲା କୌତୁହଳର ବସ୍ତୁ । ସେମାନେ ପାଟି ମେଲା କରି, ଫାଟିଲା ଫାଟିଲା ଓଠ ଓ ବିକୃତ ମୁହଁ ଦେଖାଇ ତା’ ଆଡ଼କୁ ଚାହିଁ ରହିଥାନ୍ତି । ସେମାନଙ୍କୁ ଦେଖିଲେ ମନେ ହେଉଥାଏ ଯେ ଉପରୁ ବାଡ଼େଇ କେହି ସେମାନଙ୍କ ମୁଣ୍ଡକୁ ଚେପା କରି ଦେଇଛି, ଆଉ ସେହି ମାଡ଼ରେ ସେମାନଙ୍କ ଦେହ ଏମିତି ବଙ୍କାଢୁଙ୍କା ହୋଇଯାଇଛି । କେ. କୁ ଚାହିଁ ରହିଥିଲେ ମଧ୍ୟ ସେମାନେ ତା’କୁ ଚାହିଁ ରହି ନଥିଲେ, କାରଣ ସେମାନଙ୍କ ଦୃଷ୍ଟି ବାରମ୍ବାର ଘର ଭିତରର ଯେ କୌଣସି ଗୋଟିଏ ବେକାର ଜିନିଷ ଉପରେ ପଡ଼ୁଥାଏ ଏବଂ ପୁଣି କେ. ଉପରେ ଆସି ସ୍ଥିର ହୋଇ ଯାଉଥାଏ । କେ. ତା’ର ସହକାରୀ ଦୁଇ ଜଣଙ୍କ ଆଡ଼କୁ ମଧ୍ୟ ହାତ ଦେଖାଇଲା ତା’ପରେ । ସେ ଦୁହେଁ, ମୁହଁକୁ ମୁହଁ ଲଗାଇ ଠିଆ ହୋଇ ହସୁଥିଲେ, କେ. ପ୍ରତି ଆନୁଗତ୍ୟ ଦେଖାଇ କି ତାକୁ ଥଟ୍ଟା କରି କହିବା ମୁସ୍କିଲ । ସମସ୍ତଙ୍କ ଆଡ଼କୁ ହାତ ଦେଖାଇ କେ: ବୋଧହୁଏ ଜଣାଉଥିଲା ଯେ ପରିସ୍ଥିତିର ଚାପରେ ଦଳେ ଲୋକ ତା’ର ଅନୁଗାମୀ ହୋଇ ପଡ଼ିଛନ୍ତି ଏବଂ ସେ ବୋଧହୁଏ ଚାହୁଁଥିଲା ଯେ ବାର୍ଣ୍ଣାବାସ୍‌ ସେ ସମସ୍ତ ଲୋକ ଓ ତା’ ଭିତରେ ଥିବା ପର୍ଥକ୍ୟ କୁ ଠିକ୍‌ ଧରି ପାରିବ-। କେ.ର ମନେ ହେଲା ଏମିତି ଆଶା କରିବା ପଛରେ ବାର୍ଣ୍ଣାବାସ୍‌ ପ୍ରତି ତା’ର ଆନ୍ତରିକତା ରହିଛି । କିନ୍ତୁ ବାର୍ଣ୍ଣାବାସ୍‌ ନିରୀହ ଭାବରେ ବୋଲି ବେଶ୍ ଜଣା ପଡ଼ୁଥିଲା–ତା’ ପ୍ରଶ୍ନକୁ କାନ ଦେଲା ନାହିଁ । ଜଣେ ମାର୍ଜିତ ସ୍ୱଭାବ ନୌକାର ଯେମିତି ଖାଉନ୍ଦ ତା’ ପ୍ରତି ସାଧରଣ ଭାବେ କରିଥିବା ମନ୍ତବ୍ୟର କୌଣସି ଉତ୍ତର ଦିଏ ନାହିଁ, ସେମିତି ବାର୍ଣ୍ଣାବାସ୍‌ କେ.ର ପ୍ରଶ୍ନଟାକୁ ବିନା ଉତ୍ତରରେ ଛାଡ଼ି ଦେଲା । ଏବଂ ପ୍ରଶ୍ନର ଚାପରେ କେବଳ ଘର ଭିତରଯାକ ଆଖି ବୁଲାଇ ଆଣିଲା । ଗାଉଁଲି ଲୋକଙ୍କ ଭିତରେ ଚିହ୍ନା ଜଣା କେତେକଙ୍କୁ ଦେଖି ହାତ ଚାପି ଅଭିବାଦନ ଜଣାଇଲା ଏବଂ ସହକାରୀ ଦୁଇ ଜଣଙ୍କ ସାଙ୍ଗରେ ପଦେ ଦୁଇ ପଦ କଥାବାର୍ତ୍ତା କଲା । ଏହା ସବୁ ସେ ଖୁବ୍‌ ସ୍ୱାଧୀନ ଭାବରେ କଲା, ଯାହା ଫଳରେ ସେ ଯେ ସମସ୍ତଙ୍କଠାରୁ କେତେ ଭିନ୍ନ ତା’ ସ୍ପଷ୍ଟ ବାରି ହେଉ ଥିଲା । କେ. ଦବିଗଲା, କିନ୍ତୁ ହାରିଗଲା ନାହିଁ । ସେ ଚିଠିଟା ନେଇ ଖୋଲିଲା । ଚିଠିରେ ଏୟା ଲେଖା ହେଉଥିଲା: ‘‘ପ୍ରିୟ ମହାଶୟ; ଆପଣ ଜାଣନ୍ତି ଯେ କାଉଣ୍ଟ୍‌ଙ୍କ କାମ ପାଇଁ ଆପଣଙ୍କୁ ନିଯୁକ୍ତ କରାଯାଇଛି । ଆପଣଙ୍କର ନିକଟତମ ଉପରିସ୍ଥ ଅଧିକାରୀ ହେଉଛନ୍ତି ଗାଁର ସୁପରିଣ୍ଟେଡ଼େଣ୍ଟ୍‌; ଆପଣଙ୍କୁ କାମର ଟିକିନିଖି ତାଲିକା ଓ ଆପଣଙ୍କ ନିଯୁକ୍ତିର ସର୍ତ୍ତାବଳୀ ସେ ଆପଣଙ୍କ ଦେବେ । ଆପଣ ସବୁ କାମ ପାଇଁ ତାଙ୍କ ପାଖରେ ଦାୟୀ ରହିବେ । ଅବଶ୍ୟ ମୁଁ ନିଜେ ଆପଣଙ୍କ ଗତିବିଧି ତଦାରଖ କରିବାକୁ ଚେଷ୍ଟା କରିବି । ଏହି ପତ୍ର ବାହକ ବାର୍ଣ୍ଣାବାସ୍‌ ଆପଣଙ୍କ ସାଙ୍ଗରେ ବିଭିନ୍ନ ସମୟରେ ଯାଇ ଦେଖା କରିବ, ଆପଣ କ’ଣ ଚାହୁଁଛନ୍ତି ମୋତେ ଜଣାଇବ । ମୁଁ ସବୁବେଳେ ଆପଣଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି । ମୋର କର୍ମଚାରୀ ମାନଙ୍କୁ ସନ୍ତୁଷ୍ଟ କରି ରଖିବା ମୋର ଇଚ୍ଛା ।’’ ଦସ୍ତଖତଟା ପଢ଼ି ହେଲାନାହିଁ, କିନ୍ତୁ ପାଖରେ ଅମୁକ ବିଭାଗର ମୁଖ୍ୟ ବୋଲି ମୋହର ମରାଯାଇ ଥିଲା । ‘‘ଟିକିଏ ରହ,-’’ କେ : ବାର୍ଣ୍ଣାବାସ୍‌କୁ କହିଲା । ମୁଣ୍ଡ ନୁଆଇଁ ନେଇ ଯିବାକୁ କେ: ହୋଟେଲ୍ ମାଲିକକୁ ଆଦେଶ ଦେଲା । କାରଣ ସେ କିଛି ସମୟ ଏକୁଟିଆରେ ଚିଠିଟା ପଢ଼ିବାକୁ ଚାହୁଁଥିଲା । ତତ୍ ସଙ୍ଗେ ସଙ୍ଗେ ସେ ଭାବିଲା ଯେ ଦେଖିବାକୁ ଏଡ଼େ ସୁନ୍ଦର ହେଲେ ବି ବାର୍ଣ୍ଣାବାସ୍‌ ଜଣେ ଚପରାସି ମାତ୍ର, ସେ ତା’ ପାଇଁ ଗ୍ଳାସେ ବିୟର୍ ମଗାଇଲା । ବାର୍ଣ୍ଣାବାସ୍‌ କ’ଣ କରୁଛି ଦେଖିବାକୁ ସେ ତା’ ଆଡ଼େ ଚାହିଁଲା କିନ୍ତୁ ବାର୍ଣ୍ଣାବାସ୍‌ ଖୁବ୍‌ ଖୁସି ହୋଇ ବିୟର୍ ପିଇବା ଆରମ୍ଭ କରିଦେଲା । ତା’ପରେ କେ ହୋଟେଲ୍ ମାଲିକ ସାଙ୍ଗରେ ଚାଲିଗଲା । ଘରଟା ଏତେ ଛୋଟ ଯେ ଗୋଟିଏ ଛୋଟ ଭାଡ଼ି ଘର ଛଡ଼ା କେ ପାଇଁ ଆଉ କେଉଁଠି ଯାଗା ନଥିଲା । ସେତକ ମିଳିବାରେ ବି ଅସୁବିଧା ହେଉଥିଲା, କାରଣ ଯେଉଁ ଦୁଇଜଣ ଚାକରାଣୀ ଏ ଯାଏଁ ସେଠି ଶୋଉଥିଲେ, ସେମାନଙ୍କ ପାଇଁ ଅନ୍ୟତ୍ର ଯାଗା କରି ଦେବାକୁ ପଡ଼ିଲା । ସେ ଦୁଇଜଣଙ୍କୁ ବାହାର କରିଦେବା ଛଡ଼ା ଆଉ ଅଧିକା କିଛି କରା ଯାଇନଥିଲା । ରୁମ୍‌ଟା ସେମିତି ଅସଜଡ଼ା ହୋଇ ପଡ଼ିଥିଲା; ଜଣିକିଆ ଖଟଟାରେ ଚଦର ପଡ଼ି ନ ଥିଲା, କେବଳ କେତେଟା ତକିଆ ଓ କମ୍ବଳଟା ସକାଳେ ଯେମିତି ମୋଡ଼ି ମୋଡ଼ି ହୋଇଥିଲା ସେହି ଅବସ୍ଥାରେ ପଡ଼ିଥିଲା । କେତେକ ସୈନ୍ୟଙ୍କର ଫଟୋ ଓ ଚିତ୍ର କେତେଟା କାନ୍ଥରେ ଟଙ୍ଗା ହୋଇଥିଲା, ଘରଟା ଝଡ଼ା ଝଡ଼ି ମଧ୍ୟ ହୋଇ ନଥିଲା । ସେମାନେ ନିଶ୍ଚୟ ଭାବିଥିଲେ ଯେ ନୂଆ ଆସିଥିବା ଅତିଥି ବେଶୀ ଦିନ ରହିବେ ନାହିଁ, ଏବଂ ବେଶୀ ଦିନ ରହିବାକୁ ସେମାନେ ତାକୁ ମୋଟେ ଉତ୍ସାହିତ କରୁନଥିଲେ । ଅବଶ୍ୟ କେ. କୌଣସି ପ୍ରକାର ଘୃଣା ବୋଧ କଲା ନାହିଁ, କମ୍ବଳଟା ଘୋଡ଼େଇ ହୋଇ ପଡ଼ି ଟେବୁଲ ପାଖରେ ବସିଲା ଏବଂ ମହମବତୀ ଆଲୁଅରେ ଚିଠିଟା ପଢ଼ିବାକୁ ଆରମ୍ଭ କଲା ।

 

ଚିଠିଟାରେ ସେମିତି କିଛି ସଂଗତି ନଥିଲା । ସେଥିର କେତେକାଂଶରେ ତା’ର ସ୍ୱାଧୀନତାକୁ ସ୍ୱୀକାର କରାଯାଇଥିଲା । ଉଦାହରଣତଃ ସମ୍ବୋଧନରେ ଏବଂ ତା’ର ନିଜର ଇଚ୍ଛାକୁ ମାନିନେବାର ପ୍ରତିସୃତିରେ କିନ୍ତୁ ଅନ୍ୟ ଅନେକ ଯାଗାରେ ତା’କୁ ପ୍ରତ୍ୟକ୍ଷ କିମ୍ୱା ପରୋକ୍ଷ ଭାବରେ ଜଣେ ନ୍ୟୁନ ଦରର କର୍ମଚାରୀ ଭାବରେ ଗ୍ରହଣ କରାଯାଇଥିଲା, ସେ ଯେମିତି ବିଭିନ୍ନ ବିଭାଗରେ ମୁଖ୍ୟଙ୍କ ପାଇଁ ଆଖି ଦୁରୁଶିଆ ନୁହେ । ଚିଠିର ଲେଖକ ତା’ର ଗତିବିଧି ‘‘ତଦାରଖ’’ କରିବାକୁ ଚେଷ୍ଟିତ ହେବେ, ତା’ର ଉପରିସ୍ଥ ଲୋକ ହେବ ଗାଁର ସାଧାରଣ ସୁପରିଣ୍ଟେଣ୍ଡେଣ୍ଟ୍ ଜଣକ, ଯାହା ପାଖରେ ସେ ପ୍ରକୃତରେ ଦାୟୀ ରହିବା କଥା । ବୋଧହୁଏ ତା’ର ଏକମାତ୍ର ସହକର୍ମୀ ହେବ ଗାଁର ପୁଲିସ୍‌ବାଲା । ଏ ସବୁ ଚିଠିର ଅସଂଗତି, ଏଥିରେ ସନ୍ଦେହ ନାହିଁ । ଅସଂଗତି ଗୁଡ଼ାକ ଏତେ ସ୍ପଷ୍ଟ ଯେ ସେ ଗୁଡ଼ାକର ସାମ୍ନା କରିବାକୁ ହିଁ ପଡ଼ିବ । ସେ ଗୁଡ଼ାକ ଚିଠି ଲେଖିଥିବା ଲୋକର ଅବ୍ୟ ବସ୍ଥିତତା ଯୋଗୁଁ ଘଟିଥାଇ ପାରେ ବୋଲି କେ. ମୋଟେ ଭାବି ପାରିଲା ନାହିଁ । ଏତେ ବେଶୀ ସଂଗଠିତ ଅନୁଷ୍ଠାନ ସଂପର୍କରେ ଏମିତି ଭାବିବା ପାଗଳାମି ହିଁ ହେବ । ତା’କୁ ବରଂ ଅଧିକ ଖୁସି ଲାଗିଲା ଏୟା ଭାବିବାକୁ ଯେ ଚିଠିରେ ତା’କୁ ଗୋଟିଏ ବାଟ ବାଛି ନେବାକୁ କୁହାଯାଉଛି । ବର୍ତ୍ତମାନ ସେ ନିଜର ମନ ମୁତାବକ ଚିଠିର ଅର୍ଥ କଲା । ଏକରେ ସେ ହେବ ଦୁର୍ଗ ସହିତ ଏକ ଗୌରବାବହ ଅଥଚ ଉପର ଠାଉରିଆ ସଂପର୍କ ଥିବା ଜଣେ ଗ୍ରାମ କର୍ମଚାରୀ । ନ ହେଲେ ହେବ ଜଣେ ଗ୍ରାମ କର୍ମଚାରୀ ଯାହାକୁ ବାର୍ଣ୍ଣାବାସ୍‌ ଜରିଆରେ କାମ ବତାଇ ଦିଆଯିବ । ଏ ଦୁଇଟା ଭିତରୁ ସେ ଯେ କୌଣସି ଗୋଟାଏ ବାଟ ବାଛି ନେଇପାରେ । କେ ନିଜ ବାଟ ବାଛି ନେବାକୁ ମୋଟେ କୁଣ୍ଠା ବୋଧ କଲା ନାହିଁ । ସେ ଆସି ପହଞ୍ଚିବା ବେଳୁ ତା’ର ଯାହା ସବୁ ଅନୁଭୂତି ହୋଇଛି, ସେ ସବୁ ନ ହୋଇଥିଲେ ମଧ୍ୟ ସେ କୁଣ୍ଠାବୋଧ କରି ନଥାନ୍ତା । ଦୁର୍ଗର ପରିସରରୁ ଯଥା ସମ୍ଭବ ବାହାରେ, ଗାଁ ଭିତରେ କାମ କରି ହିଁ କେବଳ ସେ ଦୁର୍ଗ ପରିସର ଭିତରେ କିଛିଟା ହାସଲ୍ କରି ପାରିବ ବୋଲି ଆଶା କଲା । ଗାଁ ଲୋକେ ବର୍ତ୍ତମାନ ତା’କୁ ସନ୍ଦେହ କରୁଛନ୍ତି । ସେ ସେମାନଙ୍କର ଠିକ ବନ୍ଧୁ ନ ହେଉ, ଥରେ ସେମାନଙ୍କ ସହିତ ନାଗରିକ ସଂପର୍କ ହୋଇଗଲେ ସେମାନେ ତା’ ସାଙ୍ଗରେ କଥାବାର୍ତ୍ତା ହେବା ଆରମ୍ଭ କରିଦେବେ । ଏବଂ ଗର୍‌ଷ୍ଟ୍ୟାକର୍ କିମ୍ବା ଲେଜ୍‌ମାନ୍‌ ସାଙ୍ଗରେ ସମାନ ହୋଇଗଲେ ତା’ପାଇଁ ସବୁ ରାସ୍ତା ଖୋଲିଯିବ । ଏହା ଯେତେ ଶୀଘ୍ର ସମ୍ଭବ ଘଟିଯିବା ଭଲ, ଏହା ଉପରେ ସବୁ ନିର୍ଭର କରେ । ସେ ଯଦି ଦୁର୍ଗର ଲୋକଙ୍କ ସଦିଚ୍ଛା ଉପରେ କେବଳ ନିର୍ଭର କରି ରହିବ; ତା’ହେଲେ କେଉଁ ରାସ୍ତା ତ ଖୋଲିବ ନାହିଁ, ବରଂ ସେଗୁଡ଼ିକ ଅଦୃଶ୍ୟ ହୋଇ ରହିଯିବ । ଅବଶ୍ୟ ଗୋଟାଏ ବିପଦ ଅଛି ସେଥିରେ । ଏହା ଚିଠିରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭାବରେ ଉଲ୍ଲେଖ କରାଯାଇଛି, ଏବଂ ଖୁବ୍‌ ବିଶଦ ଭାବରେ ମଧ୍ୟ, ସତେ ଯେମିତି ସେ ବିପଦ ଏଡ଼ାଇ ହେବ ନାହିଁ । ବିପଦଟା ହେଲା ସାଂଧାରଣ କର୍ମଚାରୀଙ୍କ ସ୍ତରକୁ ଖସି ପଡ଼ିବା; ଚାକିରୀ, ଭଲ କାମ, ଚାକିରୀ ସର୍ତ୍ତ, ଦାୟିତ୍ୱର ସ୍ତରକୁ । ଚିଠିରେ ଏକଥା ଭରି ରହିଥିଲା । ଏବଂ ଯାହା ସବୁ ବ୍ୟକ୍ତିଗତ କଥା ସେଥିରେ ଥିଲା, ସେଗୁଡ଼ିକ ମାଲିକର ଦୃଷ୍ଟିକୋଣରୁ ଲେଖା ଯାଇଥିଲା । ଯଦି କେ. କର୍ମଚାରୀ ଭାବରେ ରହିବାକୁ ଚାହୁଁଥିବ, ସେ ତାହା ହୋଇପାରେ । କିନ୍ତୁ ସେ ଖୁବ୍‌ ଶୀଘ୍ର ତାହା ହେବାକୁ ପଡ଼ିବ, ଏବଂ ତା’ପାଇଁ ଅନ୍ୟ କୌଣସି ସମ୍ଭାବନା ରହିବ ନାହିଁ । ସେ ଜାଣିଥିଲା ଯେ ସେମିତି କିଛି ବାଧ୍ୟତାମୂଳକ ଆଚରଣ ବିଧି ନାହିଁ, ଯାହାକୁ କି ସେ ଭୟ କରିବ । ସେ ପ୍ରକୃତରେ ଭୟ କରୁ ନଥିଲେ ଏବଂ ଏ କ୍ଷେତ୍ରରେ ତ ମୋଟେ ନୁହେଁ । କିନ୍ତୁ ନୈରାଶ୍ୟ ଜନକ ପରିବେଶ, ହତାଶକୁ ଗ୍ରହଣ କରି ନେବାର ବର୍ଦ୍ଧିଷ୍ଣୁ ଇଚ୍ଛା, ପ୍ରତ୍ୟେକ ମୁହୂର୍ତ୍ତରେ ଅଦୃଶ୍ୟ ଶକ୍ତିଙ୍କର ପ୍ରଭାବ–ଏ ସବୁର ଚାପକୁ ସେ ଭୟ କରୁଥିଲା । କିନ୍ତୁ ଏ ପ୍ରକାର ବିପଦ ପ୍ରତି ତା’କୁ ସତର୍କ ରହିବାକୁ ପଡ଼ିବ । ଯଦି କେତେ ବେଳେ ସଂଘର୍ଷ ଉପୁଜିବ, କେ.ର ଜୋର ଅଛି । ପ୍ରଥମେ ସେଆଡ଼କୁ ଆଗେଇ ଯିବା ପାଇଁ–ଏ କଥାର ସୂଚନା ମଧ୍ୟ ଚିଠିରେ ଥିଲା । ଏ କଥା ବେଶ୍ ସୂକ୍ଷ୍ମ ଭାବରେ ସୂଚାଇ ଦିଆ ଯାଇଥିଲା, ଏତେ ସୂକ୍ଷ୍ମ ଭାବରେ ଯେ କେବଳ ଗୋଟିଏ ତ୍ରସ୍ତ ଆତୁର ଲୋକର ମସ୍ତିଷ୍କ ତାହା ବୁଝିପାରିବ । ତ୍ରସ୍ତ ଆତୁର ଲୋକ କେବଳ, କୁବୁଦ୍ଧି ଲୋକ ନୁହେ । ଏହି ସୂଚନା ତିନୋଟି ଶବ୍ଦରେ ନିହିତ.....‘‘ତମେ ଜାଣ ଯେ’’-ଯାହାକି କାଉଣ୍ଟଙ୍କ ଅଧୀନରେ ତା’ର ଚାକିରୀ କରିବା ସଂକ୍ରାନ୍ତରେ ଲେଖା ଯାଇଥିଲା । କେ: ତା’ର ପହଞ୍ଚିବା କଥା ଜଣାଇ ଦେଇଥିଲା । ତା’ପରେ ହିଁ ସେ ଜାଣି ପାରିଥିଲା ଯେ ସେ ଚାକିରୀରେ ଆସିଛି । ଏହା ଚିଠିରେ ଉଲ୍ଲେଖ ଥିଲା ।

 

କେ: କାନ୍ଥରୁ ଗୋଟିଏ ଫଟୋ କାଢ଼ି ଆଣିଲା ଏବଂ ଚିଠିଟା ତା’ କଣ୍ଟାରେ ଲଗାଇ ଦେଲା । ଏହି ଘରେ ତା’କୁ ରହିବାକୁ ପଡ଼ିବ ଏବଂ ଚିଠିଟା ଏଠି ଟଙ୍ଗା ହେବା ଦରକାର ।

Unknown

 

ତା’ପରେ ସେ ହୋଟେଲ୍‌ର ବାରନ୍ଦା ଆଡ଼କୁ ଗଲା । ବାର୍ଣ୍ଣାବାସ୍ ତା’ ସହକାରୀ ମାନଙ୍କ ସହିତ ଗୋଟାଏ ଟେବୁଲ ପାଖରେ ବସିଥିଲା । ‘‘ଆରେ, ତମେ ତ ଏଇଠି,’’ କେ. କହି ପକାଇଲା କୌଣସି କାରଣ ନଥାଇ । ବାର୍ଣ୍ଣାବାସ, କୁ ଦେଖି ସେ ଖୁସି ହୋଇ ଯାଇଥିଲା । ବାର୍ଣ୍ଣାବାସ୍ ହଠାତ୍ ଠିଆ ହୋଇ ପଡ଼ିଲା । କେ. କୁ ଯେମିତି ଦେଖିଛନ୍ତି ସବୁ ଚାଷୀ ଲୋକ ଗୁଡ଼ାକ ଉଠି ପଡ଼ିଲେ ଏବଂ କେ. ଚାରିପାଖରେ ଘେରିଗଲେ । ତା’ ପଛରେ ଏମିତି ଗୋଡ଼ାଇବା ସେମାନଙ୍କର ଅଭ୍ୟାସ ହୋଇଯାଇଥାଏ । ‘‘ତମେ ସମସ୍ତେ ମୋ’ ପଛରେ ସବୁବେଳେ ଏମିତି ଗୋଡ଼େଇଛ କାହିଁକି ?’’ –କେ.ପାଟି କଲା । ସେମାନେ ଅପମାନିତ ବୋଧ କଲେ ନାହିଁ, ଏବଂ ଆସ୍ତେ ଆସ୍ତେ ପୁଣି ନିଜ ନିଜ ଯାଗାରେ ଯାଇ ବସିଲେ । ସେମାନଙ୍କ ଭିତରୁ ଜଣେ କହୁ କହୁ କ୍ଷମା ପ୍ରାର୍ଥନା କଲାଭଳି ସ୍ୱରରେ କହି ପକାଇଲା ‘‘ସବୁବେଳେ କିଛି କିଛି ନୂଆ କଥା ଶୁଣିବାକୁ ମିଳୁଚି,’’ ଏବଂ ଏହା କହୁ କହୁ ସେ ତା’ ଓଠ ଉପରେ ଜିଭ ବୁଲାଇ ଆଣିଲା ସତେ ଯେମିତି ନୂଆ ଗୁଡ଼ାକ ତା’ପାଇଁ’’ ଖାଦ୍ୟ । ତା’ ମୁହଁରେ ଗୋଟାଏ ରହସ୍ୟମୟ ହସ ଲାଗି ରହିଥାଏ, ଏବଂ ତାହା ଅନ୍ୟାନ୍ୟ ଅନେକଙ୍କ ମୁହଁରେ ପ୍ରତିଫଳିତ ହୋଇଥାଏ । ସେମାନଙ୍କ ମନ ବହଲେଇବା ଭଳି କୌଣସି କଥା କେ: କହିଲା ନାହିଁ । ତା’ପ୍ରତି ସେମାନଙ୍କର କିଛିଟା ସମ୍ମାନ ରହିବା ସେମାନଙ୍କ ପକ୍ଷରେ ଭଲ । କିନ୍ତୁ ସେ ଯେମିତି ବାର୍ଣ୍ଣାବାସ୍‌ ପାଖରେ ପହଞ୍ଚିଲା, ତା’ ବେକ ଉପରେ ଜଣେ ଚାଷୀ ଲୋକର ନିଃଶ୍ୱାସ ଆସି ବାଜିଲା-। ଲୋକଟି କହିଲା ସେ ଲୁଣ ଗିନାଟା ନେବାକୁ ଆସିଛି । କିନ୍ତୁ କେ. ଅତି ରାଗରେ ତଳେ ପାଦ ବାଡ଼େଇଲା ଏବଂ ଚାଷୀ ଲୋକଟି ଲୁଣଗିନା ନନେଇ ପଳାଇଗଲା । କିନ୍ତୁ କେ. ଅତି ରାଗରେ ତଳେ ପାଦ ବାଡ଼େଇଲା ଏବଂ ଚାଷୀ ଲୋକଟି ଲୁଣଗିନା ନ ନେଇ ପଳାଇଗଲା । କେ.କୁ ରଗାଇବା ଭାରି ସହଜ; ଖାଲି ଚାଷୀ ଲୋକ ଗୁଡ଼ାକୁ ତା’ ପଛରେ ଲଗାଇ ଦେଲେ ହେଲା-। ସେମାନଙ୍କର ଲୁଙ୍ଗୁପୁଙ୍ଗୁ ହେବା ଅଭ୍ୟାସ ଅନ୍ୟମାନଙ୍କର ଗାମ୍ଭୀର୍ଯ୍ୟ ଅପେକ୍ଷା ଅଧିକ ଆପତ୍ତି ଜନକ ମନେ ହେଉଥିଲା । ସେମାନେ ଯେ ମୋଟେ ଗମ୍ଭୀର ଓ ଚୁପ୍‌ଚାପ ନଥିଲେ ତା’ ନୁହେ-। ସେ ଯଦି ସେମାନଙ୍କ ଟେବୁଲ ପାଖରେ ଆସି ବସନ୍ତା ସେମାନେ ମୋଟେ ସେଠି ବସି ରହନ୍ତେ ନାହିଁ । କେବଳ ବାର୍ଣ୍ଣାବାସ୍‌ ସେଠି ଥିବାରୁ କେ. ଗଣ୍ଡଗୋଳ କଲା ନାହିଁ । କିନ୍ତୁ ସେ ସେମାନଙ୍କୁ କଡ଼ା ଆଖିରେ ଅନାଇବାକୁ ବୁଲି ପଡ଼ିଲା । ଏବଂ ଦେଖିଲା ଯେ ସେମାନେ ମଧ୍ୟ ତା’ ଆଡ଼କୁ ଅନାଉଁଛନ୍ତି-। ସେମାନେ ନିଜ ନିଜ ଯାଗାରେ ବସି ଥାନ୍ତି, କଥାବାର୍ତ୍ତା କରୁ ନଥାନ୍ତି, ଏବଂ ସେମାନଙ୍କ ଭିତରେ କଣସି ବୁଝାମଣା ଥିଲା ଭଳି ଜଣା ଯାଉନଥାଏ । କେ. ଆଡ଼କୁ ଅନାଇବାହିଁ ସେମାନଙ୍କ ଭିତରେ ଏକମାତ୍ର ବୁଝାମଣା ଯେମିତି । ସେମାନଙ୍କୁ ଏ ଅବସ୍ଥାରେ ଦେଖି କେ. ର ମନେ ହେଲା ଯେ ସେମାନେ କୌଣସି ଖରାପ ଉଦ୍ଦେଶ୍ୟ ନେଇ ତା’ପଛରେ ଲାଗି ନାହାନ୍ତି । ବୋଧହୁଏ ସେମାନେ ପ୍ରକୃତରେ ତା’ ଠାରୁ କିଛି ଚାହୁଁଛନ୍ତି, ଏବଂ କ’ଣ ଚାହୁଁଛନ୍ତି ତା’ ପ୍ରକାଶ କରିବାକୁ ଅକ୍ଷମ ସେମାନେ-। ତା’ ଯଦି ନ ହୁଏ, ସେମାନଙ୍କର ଗୋଡ଼ାଇବା ସୁଦୂ ପିଲାଳିଆମି ହୋଇ ପାରେ, ପିଲାଳିଆମି ତ ସେ ହୋଟେଲ୍‌ରେ ଫେସନ ଭଳି ଲାଗୁଥାଏ । ହୋଟେଲ ମାଲିକ ଜଣକ ନିଜେ କ’ଣ ପିଲାଳିଆ ନୁହେଁ ? ସେ ଆଉ କାହା ଆଡ଼କୁ ନ ଯାଇ ବିୟର, ଗ୍ଳାସଟା ଧରି କେ ପାଖରେ ସ୍ଥାଣୁ ଭଳି ଠିଆ ହୋଇଥାଏ, ଏବଂ ରନ୍ଧାଘର ଭିତରକୁ ମୁହଁ ବାହାର କରି ଡାକୁଥିବା ତା’ ସ୍ତ୍ରୀ ଆଡ଼କୁ ମୋଟେ ଅନାଉ ନଥାଏ ।

 

ଅପେକ୍ଷାକୃତ ଶାନ୍ତ ହୋଇ କେ: ବାର୍ଣ୍ଣାବାସ୍‌ ଆଡ଼କୁ ବୁଲି ଅନାଇଲା । ତା’ର ଇଚ୍ଛା ହେଉଥିଲା ବାର୍ଣ୍ଣାବାସ୍‌ର ସହକାରୀ ମାନଙ୍କୁ ତଡ଼ି ଦେବାକୁ, କିନ୍ତୁ କି ଆଳରେ ତଡ଼ିବ ଭାବି ପାରିଲା ନାହିଁ । ତା’ ଛଡ଼ା ସେମାନେ ବିୟର୍ ଗ୍ଳାସ ଧରି ଚୁପ୍‌ଚାପ୍ ବସିଥିଲେ । ‘‘ସେ ଚିଠିଟା,’’ କେ: ଆରମ୍ଭ କଲା, ‘‘ମୁଁ ପଢ଼ିଲି । ତମେ ଜାଣିଚ ସେଥିରେ କଣ ଲେଖା ହୋଇଚି ?’’ ‘‘ନା,’’ ବାର୍ଣ୍ଣାବାସ୍‌ ଉତ୍ତର ଦେଲା । ତା’ କଥା ଅପେକ୍ଷା ତା’ ଚାହାଣୀ ଅଧିକ ଅର୍ଥପୂର୍ଣ୍ଣ ମନେ ହେଉଥିଲା । କେ. ବୋଧହୁଏ ଭୁଲ୍‌ରେ ଭାବୁଥିଲା ଯେ ବାର୍ଣ୍ଣାବାସ୍‌ ବେଶ୍ ଭଲ ଲୋକ, ଯେମିତି ସେ ଭାବୁଥିଲା ଯେ ଚାଷୀ ଲୋକ ଗୁଡ଼ାକ ତା’କୁ ଘୃଣା କରୁଛନ୍ତି । ସେ ଯାହା ହେଉ, ବାର୍ଣ୍ଣାବାସ୍‌ର ଉପସ୍ଥିତି ତା’କୁ ସୁଖ ଲାଗୁଥିଲା । ‘‘ଚିଠିରେ ତମ କଥା ମଧ୍ୟ ଲେଖା ହୋଇଛି, ତମେ କୁଆଡ଼େ ଦରକାର ବେଳେ ମୋ ପାଖରୁ ଖବର ନେଇ ବଡ଼ ସାହେବଙ୍କ ପାଖକୁ ନେବ । ସେଇଥିପାଇଁ ଭିବିଲି ଯେ ଚିଠିରେ କଣ ସବୁ ଅଛି ତମେ ଜାଣିଥିବ ।’’ ବାର୍ଣ୍ଣାବାସ୍‌ କହିଲା, ‘‘ନା, ମତେ କେବଳ କୁହାଯାଇଚି ଯେ ଚିଠିଟା ଆପଣଙ୍କୁ ଦେଇ ଦେବାକୁ, ଆପଣ ପଢ଼ି ସାରିଲା ଯାଏଁ ଅପେକ୍ଷା କରିବାକୁ, ଏବଂ ଆପଣ ଯଦି ଦରକାର ମନେ କରିଥାନ୍ତି ମୌଖିକ ବା ଲିଖିତ ଉତ୍ତର ଦେଲେ ତା’କୁ ନେଇ ମୁଁ ସେମାନଙ୍କୁ ଦେବି-।’’ କେ: କହିଲା, ‘‘ଠିକ ଅଛି, ମୋର କିଛି ଲେଖିବା ଦରକାର ନାହିଁ, ବଡ଼ ସାହେବଙ୍କୁ କହିଦେବ–ହଁ, ତାଙ୍କ ନାଁ କ’ଣ ? ମୁଁ ତାଙ୍କ ଦସ୍ତଖତ ପଢ଼ିପାରିଲି ନାହିଁ ।’’ ‘‘କ୍ଳାମ୍‌,’’ ବାର୍ଣ୍ଣାବାସ୍‌, କହିଲା । ‘‘ବାସ୍‌, କ୍ଳାମ୍‌ ସାହେବଙ୍କୁ କହିଦେବ ଯେ ତାଙ୍କର ମୋ ପ୍ରତି ଯେଉଁ ଦୟା ଦୃଷ୍ଟି ସେଥିପାଇଁ ମୁଁ ଧନ୍ୟବାଦ ଜଣାଉଛି । ମୁଁ ଏମିତି ଜଣେ ଲୋକ, ଯିଏ ଏ ଯାଏଁ ତା’ର ଯୋଗ୍ୟତା ଏଠି ସାବ୍ୟସ୍ତ କରି ପାରିନି । ତାଙ୍କ ବ୍ୟବହାରରେ ମୁଁ ଭାରି ଖୁସି । ସେ ଯା’ କହିବେ ମୁଁ ଅକ୍ଷରେ ଅକ୍ଷରେ ପାଳନ କରିବି । ଆଜି ତାଙ୍କୁ ମାଗିଲା ଭଳି ମୋର ସେମିତି କିଛିନାହିଁ ।’’ ବାର୍ଣ୍ଣାବାସ୍‌ ପୂରା ମନୋଯୋଗ ସହକାରେ ଶୁଣିଲା, କେ.ଯାହା କହିଲା, ତାହା ନିଜେ ଦୋହରେଇବାକୁ କେ:ର ଅନୁମତି ମାଗିଲା । କେ. ହଁ କରିବାରୁ ପୂରାଟା ଠିକ୍‌ ଠିକ୍‌ କହିଗଲା । ତା’ପରେ ସେ ଯିବାକୁ ଉଠିଲା ।

 

ଏତେବେଳଯାକେ କେ. ବାର୍ଣ୍ଳାବାସ୍‌ର ମୁହଁକୁ ନିରୀକ୍ଷଣ କରୁଥିଲା, ବର୍ତ୍ତମାନ ସେ ଆଉ ଥରେ ଭଲ କରି ଦେଖି ନେଲା । ବାର୍ଣ୍ଣିବାସ୍‌ ପ୍ରାୟ କେ. ଊଁଚା ହେବ, କିନ୍ତୁ ତା’ ଆଖି ଯୋଡ଼ାକ ସାମାନ୍ୟ ଉପରୁ କେ.କୁ ଅନାଉଁଥିଲା ଭଳି ମନେ ହେଉଥାଏ । ତାବିଏକ ପ୍ରକାର ନମ୍ର ଭାବରେ । ଏଇ ଲୋକଟି ଯେ କାହାକୁ ହଇରାଣ କରି ଦେଇପାରେ, ସେ କଥା ଭାବିବା ଅସମ୍ଭବ ଲାଗୁଥାଏ । ଲୋକଟି ଅବଶ୍ୟ ଜଣେ ଚିଠି, ପତ୍ର ଆଣିଲା ବାଲା ଏବଂ ସେ ଆଣୁଥିବା ଚିଠି ପତ୍ରରେ କଣ ଲେଖା ହୋଇଥାଏ ଜାଣେ ନାହିଁ । କିନ୍ତୁ ତା ଆଖିର ଭାବଭଙ୍ଗୀ, ତା’ ମୁରକି ହସ, ହାବଭାବ ଯେମିତି କିଛି ଗୋଟାଏ ନିର୍ଦ୍ଦିଷ୍ଟ ସୂଚନା ଦେଉଥାଏ । ଯଦିଓ ଲୋକଟି ତା’ ଜାଣି ପାରୁ ନଥାଏ । ଏବଂ କେ: ତାର କରମର୍ଦ୍ଦନ କଲା । ଏହା ତା’କୁ ଆଶ୍ଚର୍ଯ୍ୟ କରିଦେଲା ଭଳି ମନେ ହେଲା କାରଣ ବାର୍ଣ୍ଣାବାସ୍ ସାଧାରଣ ମୁଣ୍ଡ ହଲାରେ ସନ୍ତୁଷ୍ଟ ହୋଇଥାନ୍ତା ।

 

ସେ ଚାଲିଯିବା କ୍ଷଣି–କବାଟ ଖୋଲିବା ଆଗରୁ ମୁହୂର୍ତ୍ତକ ପାଇଁ କବାଟ ଉପରେ ତା’ କାନ୍ଧ ଭରା ଦେଇଥିଲା ଏବଂ ନିବିଡ଼ ଦୃଷ୍ଟିରେ ଘର ଭିତର ଚାରିଆଡ଼େ ଅନାଇଲା–କେ. ସହକାରୀ ମାନଙ୍କୁ କହିଲା । ‘‘ମୁଁ ମୋ ରୁମ୍‌ରୁ ପ୍ଳାନ୍‌ ଗୁଡ଼ାକ ନେଇ ଆସୁଛି, କୋଉ କାମ ପହିଲେ କରିବାକୁ ହେବ ଆଲୋଚନା କରିବା ।’’ ସେମାନେ ଚାହିଁଲେ ତା’ ସାଙ୍ଗରେ ଯିବାକୁ । ‘‘ଏଇଠି ଥାଅ,’’ କେ. କହିଲା ତଥାପି ସେମାନେ ତା ସାଙ୍ଗରେ ଯିବାକୁ ବାହାରିଲେ । କେ. ତା’ର ଆଦେଶକୁ ଆହୁରି ଜୋର ଦେଇ ଘୋଷଣା କରିବାକୁ ପଡ଼ିଲା । ବାର୍ଣ୍ଣାବାସ ହଲ୍ ଭିତରେ ଆଉ ନଥିଲା । କିନ୍ତୁ ସେ ସଦ୍ୟ ସେଠୁ ବାହାରି ଯାଇଥିଲା । ତଥାପି କେ. ତା’କୁ ଘର ସାମ୍ନାରେ ବି ଦେଖିବାକୁ ପାଇଲା ନାହିଁ-। ପୁଣି ବରଫ ପଡ଼ୁଥାଏ । ସେ ପାଟକରି ଡାକିଲା, ‘‘ବାର୍ଣ୍ଣାବାସ୍‌ !’’ କୌଣସି ଉତ୍ତର ନାହିଁ । ସେ କ’ଣ ଏଯାଏଁ ଘର ଭିତରେ ଥିବ ? ଅନ୍ୟ କେଉଁଠି ଥିବା ସମ୍ଭବ ବୋଲି ମନେ ହେଉ ନଥାଏ ସେ ଯାହାହେଉ କେ. ତା’ର ସମସ୍ତ ଶକ୍ତି ସଞ୍ଚୟ କରି ବଡ଼ ପାଟିରେ ତା’ ନାଁ ଧରି ଡାକିଲା । ତାର ଚିତ୍କାର ରାତିର ଅନ୍ଧକାରକୁ ଫଟାଇ ଦେଲା । ଏବଂ ଦୂରରୁ ଗୋଟିଏ ଝାପସା ଉତ୍ତର ଆସିଲା; ବାର୍ଣ୍ଣାବାସ ଏତେବାଟ ପଳାଇ ଯାଇ ସାରିଲାଣି । କେ. ତା’କୁ ଫେରି ଆସିବାକୁ କହିଲା ଏବଂ ତତ୍‌ ସଙ୍ଗେ ସଙ୍ଗେ ନିଜେ ତାକୁ ଭେଟିବାକୁ ଆଗେଇ ଗଲା । ଯେଉଁ ଯାଗାରେ ସେ ଦୁହେଁ ଭେଟା ଭେଟି ହେଲେ ସେ ଯାଗାଟା ହୋଟେଲରୁ ଦେଖା ଯାଉନଥାଏ ।

 

‘‘ବାର୍ଣ୍ଣାବାସ୍‌,’’ କେ. ଆରମ୍ଭ କଲା–ଗଳା ତା’ର ଯେତେ ଚେଷ୍ଟା କଲେ ବି ଥରୁଥାଏ–‘‘ତମକୁ ମୋର ଆଉକିଛି କହିବାର ଅଛି । ହଁ, ମନେ ପଡ଼ିଲା, ତମେ ଏଠିକି କେବେ କେମିତି ଆସିବ, ମୋ’ଠୁ ଖବର ନେଇ ଦୁର୍ଗରେ ପହଞ୍ଚେଇ ଦେବାକୁ । ଏୟା ଉପରେ ମୁଁ ନିର୍ଭର କରି ରହିବି, ଏଟା କିଛିଭଲ ବ୍ୟବସ୍ଥା ନୁହ । ମୁଁ ତମକୁ ଯଦି ଏଇନେ ଧରି ପାରି ନଥାନ୍ତି–ତମେ କି ଯୋରରେ ଦୌଡ଼ି ପଳାଉଚ । ମୁଁ ତ ଭାବିଥିଲି ତମେ ଏଯାଏଁ ଭିତରେ ଅଛ- କିଏ ଜାଣେ ତମେ ଆଉ କେବେ ଯାଇ ଆସିଥାନ୍ତ, ମତେ କେତେଦିନ ଏଠି ଅପେକ୍ଷା କରିବାକୁ ପଡ଼ିଥାନ୍ତା ?’’ ବାର୍ଣ୍ଣାବାସ୍‌ କହିଲା, ‘‘ଆପଣ ବଡ଼ ସାହେବଙ୍କୁ କହିପାରନ୍ତି, ମତେ କେତେକ ନିର୍ଦ୍ଦିଷ୍ଟ ସମୟରେ ପଠାଇବାକୁ, ଯୋଉ ସମୟ ଆପଣ କହିବେ ।’’ ‘‘ତାହେଲେ ବି ଚଳିବନି,’’ କେ. କହିଲା, ମତେ ଏକାଥରେ ବର୍ଷେ ଯାଏଁ କିଛି ଖବର ଦେବାକୁ ନପଡ଼ିପାରେ, କିନ୍ତୁ ବେଳେ ବେଳେ ଏମିତି ହୋଇପାରେ ଯେ ତମେ ଯିବାର ପନ୍ଦର ମିନିଟ ଭିତରେ ହିଁ ମୋର କିଛି ଜରୁରୀ ଖବର ଦେବା ଦରକାର ପଡ଼ିପାରେ ।’’

 

‘‘ହୁଁ,’’ କହିଲା ବାର୍ଣ୍ଣାବାସ୍‌, ‘‘ତା’ହେଲେ କ’ଣ ମୁଁ ବଡ଼ ସାହେବଙ୍କୁ କହିବି ଯେ ଆପଣ ଆଉ ତାଙ୍କ ଭିତରେ ମୋ ବଦଳରେ ଅନ୍ୟ କୌଣସି ଖବର ନିଅ ଆଣର ବ୍ୟବସ୍ଥା କରିବାକୁ ?’’ ‘‘ନା, ନା,’’ କେ. ଉତ୍ତର ବେଲା, ‘‘ମୋଟେ ନୁହ, ମୁଁ ଖାଲି ଏମିତି କଥାଟା ଉଠେଇଲି, କାରଣ ଏଇଥର ମୋ ଭାଗ୍ୟ ଯେ ତମକୁ ଧରିପାରିଲି ।’’ ବାର୍ଣ୍ଣାବାସ ପଚାରିଲା, ‘‘ହୋଟେଲକୁ ଫେରିଯିବା କି ? ସେଠି ଆପଣ ମତେ ନୂଆ ଖବରଟା ଦେଇ ପାରନ୍ତି ।’’ ହୋଟେଲ ଆଡ଼େ ସେ ପାଦେ ଆଗେଇ ଯିବା ପରେ କେ. କହିଲା, ‘‘ବାର୍ଣ୍ଣାବାସ ! ସେଠିକି ଯିବା ଦରକାର ନାହିଁ । ମୁଁ ତମ ସାଙ୍ଗରେ କିଛି ବାଟ ଚାଲି ଯିବି ।’’ ବାର୍ଣ୍ଣାବାସ ପଚାରିଲା, ‘ହୋଟେଲକୁ ଯିବାକୁ ମନା କରୁଛନ୍ତି କାହିଁକି ?’’ ‘‘ସେଠି ସେ ଲୋକ ଗୁଡ଼ାକୁ ଦେଖିଲେ ମତେ ବିରକ୍ତ ଲାଗୁଛି’’ କେ. କହିଲା ‘‘ତମେ ତ ନିଜେ ଦେଖିଲ ସେ ଚାଷୀଲୋକ ଗୁଡ଼ାକ କି ଲାଗି ଜୋଡ଼ ।’’ ବାର୍ଣ୍ଣାବାସ କହିଲା, ଆମେ ତମ ରୁମ ଭିତରେ କଥାବାର୍ତ୍ତା କରିପାରନ୍ତେ । ‘‘କେ. କହିଲା, ସେଇଟା ଚାକରାଣୀର ରୁମ୍‌, ଗନ୍ଧିଆ, ଅସନା–ସେଠିକି ଏଇନେ ନଯିବା ପାଇଁ ହିଁ ମୁଁ ତମ ସାଙ୍ଗରେ କିଛି ବାଟ ଚାଲିଯିବା ଚାହୁଁଚି । ଖାଲି ଏତିକି, ମୁଁ ତମ ହାତ ଟିକିଏ ଧରିବି, କାରଣ ତମେ ଏ ରାସ୍ତାରେ ଯେତେ ସହଜରେ ଚାଲିପାରିବ ମୁଁ ପାରିବି ନାହିଁ ।’’ କେ. ଏୟା କହିଲା ବାର୍ଣ୍ଣାବାସର କୁଣ୍ଠାଭାବକୁ ପୂରା ଦବାଇ ଦେବା ପାଇଁ । ଏବଂ କେ. ବାର୍ଣ୍ଣାବାସର ହାତ ଧରିଲା । ବେଶ୍ ଅନ୍ଧାର ହୋଇଥାଏ; କେ. ବାର୍ଣ୍ଣାବାସର ମୁହଁ ଦେଖିପାରୁ ନଥାଏ, କେବଳ ତା’ର ଛାୟା ମୂର୍ତ୍ତିଟି ଅଳ୍ପ ଅଳ୍ପ ଦିଶୁଥାଏ; ମିନିଟିଏ ଦି ମିନିଟ୍ ପାଇଁ ବାର୍ଣ୍ଣାବାସର ହାତ ଧରିବାକୁ କେ. କୁ ଅଣ୍ଡାଳିବାକୁ ପଡ଼ିଲା ।

 

ବାର୍ଣ୍ଣାବାସ ଶେଷରେ ରାଜି ହେଲା ଏବଂ ସେ ଦୁହେଁ ହୋଟେଲ ଠାରୁ ଦୂରକୁ ଚାଲିଲେ-। କେ. ବେଶ୍ ହୃଦୟଙ୍ଗମ କରିପାରିଲା ଯେ ଶତ ଚେଷ୍ଟା କରି ମଧ୍ୟ ସେ ବାର୍ଣ୍ଣାବାସ ସାଙ୍ଗରେ ତାଳ ଦେଇ ଚାଲି ପାରୁନାହିଁ, ବାର୍ଣ୍ଣାବାସ୍‌କୁ ତାକୁ ଟାଣି ନେବାକୁ ପଡ଼ୁଛି ଏବଂ ସାଧାରଣ ଅବସ୍ଥାରେ ଏଇ ସାମାନ୍ୟ ଦୁର୍ବଳତା ଟିକକ ସବୁ କିଛି ନଷ୍ଟ କରି ଦେବାକୁ ଯଥେଷ୍ଟ । ଆଉ ସେଇ ଗଳି ରାସ୍ତା କଥା ନ କହିବା ଭଲ, ଯେମିତି ସେଇ ଗଳି ରାସ୍ତାଟା, ଯେଉଁଠି ସେଦିନ ସକାଳେ ସେ ଏତେ ହଇରାଣ ହେଲା, ଯାହା ଭିତରୁ ସେ ମୋଟେ ବାହାରି ପାରି ନଥାନ୍ତା ଯଦି ବାର୍ଣ୍ଣାବାସ ତାକୁ ଟେକି ଆଣି ନଥାନ୍ତା । କିନ୍ତୁ ଏ ପ୍ରକାର ସକଳ ଶଙ୍କା ସେ ମନରୁ ଦୂରେଇ ଦେଲା, ଏବଂ ବାର୍ଣ୍ଣାବାସର ନୀରବତା ତାକୁ ସୁଖ ଲାଗିଲା । କାରଣ ସେମାନେ ଯଦି ଏମିତି ଚୁପ୍‌ ଚାପ୍‌ ଚାଲୁଥିବେ, ତା’ହେଲେ ବାର୍ଣ୍ଣାବାସ୍‌ ମଧ୍ୟ ଭାବିବାକୁ ବାଧ୍ୟ ହେବ ଯେ ସେମାନଙ୍କର ଏକାଠି ଚାଲିବା ହିଁ ସେମାନଙ୍କ ସମ୍ପର୍କର ଏକମାତ୍ର କାରଣ ।

 

ଦୁହେଁ ଚାଲୁଥାନ୍ତି, କିନ୍ତୁ କେ. ଜାଣିନଥାଏ କୁଆଡ଼କୁ, କିଛି ଦେଖି ପାରୁ ନଥାଏ । ଏପରିକି ସେ ଜାଣି ପାରୁନଥାଏ ସେମାନେ ଗୀର୍ଜା ଘର ଟପି. ସାରିଲେଣି କି ନା । ଖାଲି ଚାଲିବା ପାଇଁ ତା’କୁ ଯେତିକି କଷ୍ଟ କରିବାକୁ ପଡ଼ୁଥାଏ, ସେଥିରୁ ସେ ତା’ର ଚିନ୍ତାଧାରାକୁ ଆଉ ନିୟନ୍ତ୍ରଣ କରିପାରୁ ନଥାଏ । ନିର୍ଦ୍ଦିଷ୍ଟ ବିଷୟ ଉପରେ ସ୍ଥିର ନରହି ପାରି ତା’ ଚିନ୍ତା ଗୁଡ଼ାକ ଇତସ୍ତତଃ ହେଉଥାଆନ୍ତି । ତା ନିଜ ଘରର ସ୍ମୃତି ବାରମ୍ବାର ଆସି ତା’ ମନକୁ ଉଛୁଳାଇ ଦେଉଥାଏ । ସେଠି ମଧ୍ୟ ବଜାର ଭିତରେ ଗୋଟିଏ ଗୀର୍ଜାଘର ଅଛି, ତା’ ଚାରିକଡ଼ରେ କବର ଖାନା ଓ କବର ଖାନା ଚାରିଆଡ଼େ ଉଁଚା କାନ୍ଥ । ପିଲାମାନେ ସେ କାନ୍ଥ ଡେଇଁ ପାରୁ ନଥିଲେ, ଏବଂ କିଛି ଦିନ ଧରି କେ: ମଧ୍ୟ ପାରି ନଥିଲା । ସେମାନେ ଯେ କୌତୁହଳ ବଶତଃ କାନ୍ଥ ଡେଇଁବାକୁ ଚାହୁଁଥିଲେ, ତା’ ନୁହେଁ । କବରଖାନା ସେମାନଙ୍କ ପାଇଁ ସେମିତି ଗୋଟାଏ ପ୍ରହେଳିକା ଥିଲା । ଅନେକ ସମୟରେ ସେମାନେ ଗୋଟିଏ ଛୋଟ ଗେଟ୍ ବାଟେ କବରଖାନା ଭିତରେ ପଶୁଥିଲେ । ଚିକ୍‌କଣ ଉଁଚା କାନ୍ଥଟାକୁ ଜୟ କରିବାକୁ ହିଁ ସେମାନେ ଚେଷ୍ଟା କରୁଥିଲେ । କିନ୍ତୁ ଦିନେ ସକାଳେ–ଖାଲି ଖାଲି, ଚୁପ୍‌ଚାପ ବଜାରଟା ସୂର୍ଯ୍ୟାଲୋକରେ ଭାସୁଥାଏ, ଆଗରୁ ବା ପରେ ସେମିତି ସୂର୍ଯ୍ୟାଲୋକ କେ. କେବେ ଦେଖିଥିଲା କି ? –କେ: କାନ୍ଥଟା ଡେଇଁ ପାରିଲା ଖୁବ୍‌ ସହଜରେ, ଆଶ୍ଚର୍ଯ୍ୟ କଥା । ଏମିତି ଗୋଟାଏ ଯାଗାରେ, ଯେଉଁଠି ସେ ବାରମ୍ବାର ଚଢ଼ିବାକୁ ଚେଷ୍ଟା କରି ଖସି ପଡ଼ିଥିଲା । କିନ୍ତୁ ଏଥର ପ୍ରଥମ ଚେଷ୍ଟାରେ ହିଁ ସେ ଉପରକୁ ଉଠି ପାରିଲା, ଦାନ୍ତରେ ଗୋଟିଏ ଛୋଟ ପତାକା କାମୁଡ଼ି । ତା’ ଗୋଡ଼ ପାଦ ତଳୁ ଖଣ୍ଡ ଖଣ୍ଡ ପଥର ଖସି ପଡ଼ୁଥାଏ । କିନ୍ତୁ ସେ ଉପରକୁ ଉଠି ପଡ଼ିଥାଏ । ସେ ପତାକାଟି ପୋତି ଦେଲା, ସେଇଟା ପବନରେ ଫର ଫର ହୋଇ ଉଡ଼ିଲା, ସେ ତଳକୁ ଅନାଇଁଲା, ଚାରି ଆଡ଼କୁ ଚାହିଁଲା, ମୁହଁ ଏପଟେ ସେପଟେ କରି ମଧ୍ୟ ଦେଖିଲା ତଳେ ମାଟି ଉପରେ ଭଙ୍ଗା ଅସନା କ୍ରୁଶ ଗୁଡ଼ାକୁ । ସେହି ମୁହୂର୍ତ୍ତରେ ଏବଂ ସେ ଯାଗାରେ ତା’ଠାରୁ ବଡ଼ କେହି ନଥିଲେ । ଅକସ୍ମାତ୍‌ ତା’ର ଶିକ୍ଷକ ସେବାଟେ ଆସିଗଲେ ଏବଂ କଡ଼ା ଆଖିରେ ଅନାଇ କେ: କୁ ଓହ୍ଳାଇ ଦେଲେ । ତଳକୁ ଡେଇଁ ପଡ଼ିଲା ବେଳେ ତା’ ଆଣ୍ଠୁ ଖଣ୍ଡିଆ ହୋଇ ଗଲା, ଏବଂ ଘରକୁ ଚାଲି ଚାଲି ଗଲାବେଳେ ତା’କୁ କଷ୍ଟ ହେଲା । ତଥାପି ସେ କାନ୍ଥ ଉପରକୁ ତ ଉଠି ପାରିଲା । ସେତେବେଳେ ତା’ର ସେହି ଜିତାପଣ ଜୀବନର ଚରମ ବିଜୟ ବୋଲି ମନେ ହୋଇଥିଲା । ଏପରି ମନେ ହେବା ତା’ ପକ୍ଷରେ ସପୂର୍ଣ୍ଣ ବୋକାମି ନଥିଲା, କାରଣ ଏତେ ବର୍ଷ ପରେ ବରଫ ପଡ଼ୁଥିବା ରାତିରେ, ବାର୍ଣ୍ଣାବାସ୍‌ର ହାତ ଧରି ଚାଲିବା ବେଳେ, ସେହି ଘଟଣାର ସ୍ମୃତି ଆସି ତା’କୁ ଶାନ୍ତି ଦେଉଥାଏ ।

 

ସେ ବାର୍ଣ୍ଣାବାସ୍‌ର ହାତକୁ ଆହୁରି ଜୋର୍‌ରେ ପକଡ଼ିଲା; ବାର୍ଣ୍ଣାବାସ୍‌ ପ୍ରାୟ ତା’କୁ ଟାଣି ଟାଣି ନେଉଥାଏ, ସବୁ ସେମିତି ଚୁପ୍‌ ଚାପ୍‌ । ସେ ଦୁହେଁ ଯେଉଁ ରୋଡ଼୍‌ରେ ଚାଲିଥିଲେ, ତା’ ଉପରକୁ କେ. କେବଳ ଏତିକି ଅନୁଭବ କରି ପାରୁଥିଲା ଯେ ସେମାନେ ଏ ଯାଏଁ କୌଣସି ଗଳି ଭିତରେ ପଶି ନାହାନ୍ତି । ସେ ନିଜ ପାଖରେ ଶପଥ କଲା ଯେ ରାସ୍ତା ଯେଡ଼େ ଅସୁବିଧା ହେଉ ପଛକେ ଏବଂ ସେ ଏକା ଫେରି ଆସି ପାରିବାର ସମ୍ଭାବନା ଯେତେ ସନ୍ଦେହ ଜନକ ହେଉପଛକେ ସେ ଚାଲିବା ମୋଟେ ବନ୍ଦ୍‌ କରିବ ନାହିଁ । ଟାଣି ହୋଇ ଯିବା ପାଇଁ ଯେତିକି ଶକ୍ତି ଦରକାର ତା’ର ନିଶ୍ଚୟ ସେତିକି ରହିବ । ଏବଂ କେତେ ବେଳେ ହେଲେ ରୋଡ଼୍‌ଟା ଶେଷ ହେବ । ଦିନବେଳେ ଦୁର୍ଗ ଖୁବ୍‌ ପାଖରେ ବୋଲି ମନେ ହେଉଥିଲା ଏବଂ ବାର୍ଣ୍ଣାବାସ୍‌ ଅବଶ୍ୟ ଯେଉଁ ବାଟେ ରାସ୍ତା କମ୍‌ ପଡ଼ିବ ସେ ବାଟେ ଯିବ ।

 

ଏହି ସମୟରେ ବାର୍ଣ୍ଣାବାସ୍‌ ଅଟକିଗଲା । ବର୍ତ୍ତମାନ ସେ ଦୁହେଁ କେଉଁଠି ? ଏଇଠି କଣ ଶେଷ ? ବାର୍ଣ୍ଣାବାସ୍‌ କ’ଣ ତା’କୁ ଛାଡ଼ି ଚାଲିଯିବ ? ସେ ତା’ କରି ପାରିବ ନାହିଁ । କେ ତା’ ହାତକୁ ଏତେ ଜୋର୍‌ରେ ଚିପି ଧରିଲା ଯେ ହାତଟା ପ୍ରାୟ ବିନ୍ଧିଲା । ଅଥବା, ଅବିଶ୍ୱାସ ଘଟଣାଟା ତେବେ କ’ଣ ଘଟି ଯାଇଛି ? ସେ ଦୁହେଁ କ’ଣ ଦୁର୍ଗ ଭିତରେ କିମ୍ୱା ଗେଟ୍‌ ପାଖରେ ପହଞ୍ଚି ଗଲେଣି ? କିନ୍ତୁ କେ. ର ଯାହା ଧାରଣା ସେମାନେ ତ କେଉଁଠି ଉଠାଣି ଉଠି ନାହାନ୍ତି ନା ବାର୍ଣ୍ଣାବସ୍‌ ତା’କୁ କେଉଁ ଅସ୍ପଷ୍ଟ ଉଠାଣି ବାଟରେ ନେଇ ଆସିଛି ? ‘‘ଆମେ କେଉଁଠି ?’’ କେ. ପଚାରିଲା, ବାର୍ଣ୍ଣାବାସକୁ ଯେତେ ନୁହେଁ ସେତେ ନିଜକୁ, ଚାପା ଗଳାରେ । ‘‘ଘରେ,’’ ବାର୍ଣ୍ଣାବାସ୍‌ ଉତ୍ତର ଦେଲା ପ୍ରାୟ ସେମିତି ବାପା ଗଳାରେ । ‘‘ଘରେ’’ ‘‘ସାବଧାନରେ ଆସନ୍ତୁ, ଆଜ୍ଞା, ନହେଲେ ପଡ଼ିଯିବେ, ଆମେ ଏଠୁ ଗଡ଼ିଯିବା ।’’ ‘‘ଗଡ଼ିଯିବା ?’’ ପାହୁଣ୍ଡେ ଦି’ ପାହୁଣ୍ଡ ମାତ୍ର,’’ କହିଲା ବାର୍ଣ୍ଣାବାସ୍‌, ଏବଂ କୌଣସି ଘରର କବାଟ ବାଡ଼େଇବା ଆରମ୍ଭ କରି ଦେଇଥିଲା ।

 

ଝିଅଟିଏ କବାଟ ଖୋଲିଲା, ଏବଂ ସେମାନେ ପ୍ରାୟ ଅନ୍ଧୁରୁଆ ଗୋଟାଏ ବଡ଼ ରୁମ୍‌ର ଏରୁଣ୍ଡିବନ୍ଧରେ ଠିଆ ହୋଇଥିଲେ । ସେ ଆଡ଼କୁ ଗୋଟିଏ ଟେବୁଲ ଉପରେ ଥିବା ଛୋଟ ଲଣ୍ଠନଟି ଛଡ଼ା ଅନ୍ୟ କୌଣସି ଆଲୁଅ ନଥିଲା । ତମ ସାଙ୍ଗରେ ଇଏ କିଏ, ବାର୍ଣ୍ଣାବାସ୍‌ ଝିଅ ଜଣକୁ ପଚାରିଲା ‘‘ଅମିନବାବୁ’’ ବାର୍ଣ୍ଣାବାସ କହିଲା । ‘‘ଅମିନ ବାବୁ’’-ଝିଅଟି ଏଇ ପଦକ ଦୋହରାଇ ଉଁଚା ଗଳାରେ, ଏବଂ ଟେବୁଲ ଆଡ଼କୁ ଆଗେଇଲା । ସେଠି ବସିଥିବା ଦି’ଜଣ ବୁଢ଼ାବୁଢ଼ୀ ଏବଂ ଆଉ ଜଣେ ଝିଅ ଉଠି ଠିଆ ହେଲେ । ସେମାନେ କେ: କୁ ସମ୍ଭାଷଣ କଲେ । ବାର୍ଣ୍ଣାବାସ ସମସ୍ତଙ୍କୁ ପରିଚୟ କରାଇ ଦେଲା, ତା’ ବାପ ମା’ଙ୍କୁ ଓ ଦୁଇ ଭଉଣୀ ଓଲ୍‌ଗା ଓ ଆମେଲିଆଙ୍କୁ । କେ ସେମାନଙ୍କୁ ଭଲ କରି ଦେଖିଛି କି ନାହିଁ ସେମାନେ ତା’ର ଓଦା କୋଟ୍‍ ବାହାର କରି ନେଇଗଲେ, ଚୁଲି ମୁଣ୍ଡରେ ଶୁଖାଇବାକୁ ।

 

ତା’ହେଲେ ଏଇଟା କେବଳ ବାର୍ଣ୍ଣାବାସ୍‌ର ଘର, ତା’ର ନିଜର ନୁହେଁ । କିନ୍ତୁ ସେମାନେ ଏଠିକି କାହିଁକି ଆସିଲେ ? କେ: ବାର୍ଣ୍ଣାବାସ୍‌କୁ ଗୋଟାଏ କଡ଼କୁ ଡାକି ନେଇ ପଚାରିଲା, ‘‘ତମେ ଏଠିକି କାହିଁକି ଆସିଲ ? ନା, ତମେ ଦୁର୍ଗ ହତା ଭିତରେ ହିଁ ରହ ?’’ ‘‘ଦୁର୍ଗ ହତା ?’’ ବାର୍ଣ୍ଣାବାସ୍‌ ଦୋହରାଇଲା, ସତେ ଯେମିତି ସେ କଥଥାଟା ବୁଝି ପାରିଲା ନାହିଁ । ‘‘ବାର୍ଣ୍ଣାବାସ୍‌ କେ. କହିଲା, ‘‘ତମେ ହୋଟେଲ୍‌ରୁ ଆସିଲ ଦୁର୍ଗକୁ ଯିବାକୁ ।’’ ‘‘ନା,’’ ବାର୍ଣ୍ଣାବାସ୍‌ କହିଲା, ‘‘ମୁଁ ? ହୋଟେଲ୍‌ ରୁ ବାହାରି ଆସିଲି ଘରକୁ ଆସିବାକୁ । ସକାଳ ନ ହେବା ଯାକେ ମୁଁ ଦୁର୍ଗକୁ ଯାଏନି, ସେଠି ରାତିରେ ମୁଁ କେବେ ଶୁଏନି ।’’ ‘‘ଓ ଆଚ୍ଛା,’’ କେ. କହିଲା, ତା’ ହେଲେ ତମେ ଦୁର୍ଗକୁ ଯାଉ ନଥିଲ ଏଠିକି ଆସୁଥିଲ ।’’ ଲୋକଟିର ହସ ଆଗ ଭଳି ଆଉ ଉଜ୍ଜ୍ୱଳ ଦିଶୁ ନଥିଲା, କି ତା’ ଚେହେରା ଓଜନଦାର୍‌ ମନେ ହେଉଥିଲା । ‘‘ମତେ ସେ କଥା କହିଲ ନି କାହିଁକି ?’’ ‘‘ଆପଣ ତ ମତେ ପଚାରି ନଥିଲେ, ଆଜ୍ଞା’’ ବାର୍ଣ୍ଣାବାସ୍‌ କହିଲା, ‘‘ଆପଣ ଖାଲି କହିଲେ ଯେ ମୋ ହାତରେ କ’ଣ ଖବର ହେବେ, କିନ୍ତୁ ଆପଣ ହୋଟେଲ୍‌ ବାରନ୍ଦାରେ ତା’ ମତେ କହିଲେ ନାହିଁ, କି ଆପଣଙ୍କ ରୁମ୍‌ରେ ବି ନୁହେ, ତେଣୁ ମୁଁ ଭାବଲି ଯେ ଆମ ଘରେ ଆପଣ ମୋ ସାଙ୍ଗରେ ନିଶ୍ଚିନ୍ତରେ କଥାବାର୍ତ୍ତା କରି ପାରିବେ । ଆପଣ ଯଦି କହିବେ ମୁଁ ଏମାନଙ୍କୁ ଏଠୁ ପଳେଇବାକୁ କହିବି, ଏବଂ ଆପଣଙ୍କ ଇଚ୍ଛା ହେଲେ ଆପଣ ଏଠି ରାତିଟା କଟେଇ ପାରନ୍ତି । ମୁଁ ଠିକ୍‌ କଲିନି ? କେ, କିଛି ଉତ୍ତର ଦେଇ ପାରିଲା ନାହିଁ-। ଏ ସବୁ ହେଲା ଗୋଟାଏ ଭୁଲ ବୁଝାମଣାର ଫଳ; ଗୋଟାଏ ସାଧାରଣ, ବାଜେ ଧରଣର ଭୁଲ ବୁଝାମଣା ଏବଂ କେ: ତା’ର ଶିକାର ହୋଇ ପଡ଼ିଥିଲା । ସେ ବାର୍ଣ୍ଣାବାସ୍‌ର ଦେହକୁ ଜଡ଼ି ରହିଥିବା ରେଶମ ଭଳି ଉଜ୍ଜ୍ୱଳ କୋଟ୍‌ ଦେଖି ମୋହିତ ହୋଇ ଯାଇଥିଲା । ବର୍ତ୍ତମାନ ସେଇଟା ଖୋଲିଦେଲା ପରେ ଦିଶିଲା ମୋଟ କନାର ମଇଳା ପାଉଁଶିଆ ରଙ୍ଗର ତାଳିପକା ସାଟ୍‌ ଓ ସାଟ୍‌ ତଳେ ଜଣେ ଶ୍ରମିକର ବିଶାଳ ଟାଣୁଆ ଛାତି । ଚତୁର୍ଦ୍ଦିଗର ପରିବେଶ ମଧ୍ୟ ଏହି ଧାରଣାକୁ କେବଳ ସମର୍ଥନ କଲା ନାହିଁ, ବଳିଷ୍ଠତର କରିଦେଲା । ବାତୁଆ ବୁଢ଼ା ବାପଟି ତା’ର ଠିଆ ଠିଆ ଗୋଡ଼ ଉପରେ ଭାରା ନ ଦେଇ ବେଶୀ ହାତ ଅଣ୍ଡାଳି ଅଣ୍ଡାଳି ହିଁ ଚଲାବୁଲା କରୁଥାଏ, ଏବଂ ବୁଢ଼ୀ ମା’ଟି ଏତେ ମୋଟୀ ଯେ ସେ ବି ତା’ ଛାତି ଉପରେ ଦି’ ହାତ ଯାକ ରଖି ତା’ବୁଢ଼ା ସ୍ୱାମୀ ଭଳି ବେଶୀ ଚଳପ୍ରଚଳ ହୋଇ ପାରୁ ନଥାଏ କେ. ପହଞ୍ଚିବା ବେଳଠୁ ବୁଢ଼ାବୁଢ଼ୀ ଦି’ଜଣ ଯାକ ସେମାନଙ୍କ ଯାଗାରୁ ଉଠି ଆସିବାକୁ ଚେଷ୍ଟା କରୁଥାନ୍ତି ତା’ ଆଡ଼କୁ, କିନ୍ତୁ ବେଶୀ ବାଟ ଆଗେଇ ପାରି ନଥାନ୍ତି ସେ ଯାଏଁ । ପୀତକେଶୀ ଭଉଣୀ ଦୁଇଟା ପରସ୍ପର ଦେଖିବାକୁ ଏକା ପରି ଏବଂ ଉଭୟେ ଦେଖିବାକୁ ବାର୍ଣ୍ଣାବାସ୍‌ ପରି, କିନ୍ତୁ ବାର୍ଣ୍ଣାବାସ୍‌ ଅପେକ୍ଷା ଦୁହିଁଙ୍କର ଦେହର ଗଠନ ଅଧିକ ଶକ୍ତ । ଦୁଇଟା ଯାକ ଝିଅ ବାପ ମା’ଙ୍କ ପାଖରେ ଲଙ୍ଗପଙ୍ଗ ହେଉଥାନ୍ତି । କିନ୍ତୁ କେ: ପାଟିରୁ କଥା ବାହାରିଲା ନାହିଁ ତା’କୁ ବିଶ୍ୱାସ କରାଇ ଦିଆ ଯାଇଥିଲା ଯେ ସେ ଗାଁରେ ପ୍ରତ୍ୟେକ ଲୋକ ତା’ ପାଇଁ ଗୁରୁତ୍ୱପୂର୍ଣ୍ଣ, ଏବଂ ପ୍ରକୃତରେ ସେ କଥା ସତ । କିନ୍ତୁ ଏହି ଲୋକ ଗୁଡ଼ାକ ପାଇଁ କେ. ସାମାନ୍ୟ ତମ ଉତ୍ସାହ ଅନୁଭବ କରି ପାରିଲା ନାହିଁ । ସେ ଯଦି କଷ୍ଟେ ମଷ୍ଟେ ହୋଟେଲ୍‌କୁ ଫେରି ଯାଇ ପାରନ୍ତା, ତେବେ ସେ ଏହି ମୁହୂର୍ତ୍ତରେ ପଳାଇଯାନ୍ତା । ବଢ଼ି ସକାଳୁ ବାର୍ଣ୍ଣାବାସ୍‌ ସାଙ୍ଗରେ ଦୁର୍ଗକୁ ଯିବାର ସମ୍ଭାବନା ତା’କୁ ଆଉ ଆକୃଷ୍ଟ କରୁ ନଥିଲା । ସେ ଆଶା କରିଥିଲା ସେ ସମସ୍ତଙ୍କ ଅଲକ୍ଷ୍ୟରେ ଅନ୍ଧାରରେ ସେ ବର୍ଣ୍ଣାବାସ୍‌ର ହାତ ଧରି ଦୁର୍ଗ ଭିତରେ ପଶିଥାନ୍ତା । ସେ କଳ୍ପନା କରିଥିଲା ଏମିତି ଜଣେ ବାର୍ଣ୍ଣାବାସ୍‌ର ଯେ କି ଅନ୍ୟମାନଙ୍କ ଅପେକ୍ଷା ତା’ପାଇଁ ବେଶୀ ଗୁରୁତ୍ୱପୂର୍ଣ୍ଣ, ଯେ କି ତା’ର ପ୍ରକାଶ୍ୟ ପରିସ୍ଥିତି ଅପେକ୍ଷା ଅନେକ ଉଚ୍ଚରେ ଏବଂ ଦୁର୍ଗ ଭିତରେ ଯାହାର ଥିଲା ଅବାଧ ପ୍ରବେଶ । କିନ୍ତୁ ଏହି ପରିବାରର ପୁଅ; ଏ ପ୍ରକାର ପରିବେଶ ସହିତ ଓତଃପ୍ରୋତ ଭାବରେ ଜଡ଼ିତ ବ୍ୟକ୍ତିଟି ଯେ କି ଅନ୍ୟମାନଙ୍କ ସାଙ୍ଗରେ ଏକା ଟେବୁଲରେ ବସି ସାରିଲାଣି, ଏବଂ ରାତିରେ ଦୁର୍ଗ ଭିତରେ ଶୋଇ ପାରିବାର ଅଧିକାର ଯାହାର ନାହିଁ-ଏମିତି ଜଣେ ବାର୍ଣ୍ଣାବାସ୍‌ ସାଙ୍ଗରେ ସମ୍ଭବତଃ ସେ ଦୁର୍ଗ ଭିତରକୁ ଯାଇ ପାରିବ ନାହିଁ ସ୍ପଷ୍ଟ ଦିବା ଲୋକରେ । ଏମିତି ଲୋକ ସାଙ୍ଗରେ ଯିବା ବଡ଼ ହାସ୍ୟକର ଓ ନୈରାଶ୍ୟ ଜନକ ହେବ ।

 

କେ. ଝରକା ପାଖରେ ଗୋଟାଏ ବେଞ୍ଚ୍‌ରେ ବସି ପଡ଼ିଲା ଏବଂ ମନେ ମନେ ଠିକ୍‌ କଲା ଯେ ଏମାନଙ୍କଠାରୁ କୌଣସି ସାହାଯ୍ୟ ନ ନେଇ ରାତିଟା ସେମିତି କଟାଇଦେବି । ଗାଁର ଅନ୍ୟ ଲୋକମାନେ ଯେଉଁମାନେ ତା’କୁ ତଡ଼ି ଦେଇଥିଲେ କିମ୍ୱା ତା’କୁ ଭୟ କରୁଥିଲେ, ଏମାନଙ୍କଠାରୁ କମ୍‌, ବିପଜ୍ଜନକ ମନେ ହେଲେ । କାରଣ ସେମାନେ ଯାହା କରିଥିଲେ ତଦ୍ଦ୍ୱାରା ସେମାନେ କେ. କୁ ତା’ ନିଜ ବୁଦ୍ଧି ବିଦ୍ୟା ଉପରେ ଛାଡ଼ି ଦେଇଥିଲେ, ତା’ ନିଜର ଶକ୍ତି ସଞ୍ଚୟ କରିବାକୁ ସାହାଯ୍ୟ କରିଥିଲେ । କିନ୍ତୁ ଏଇ ଯେଉଁମାନେ ଏତେ ପ୍ରତ୍ୟେକ୍ଷ ଭାବରେ ସାହାଯ୍ୟ କରୁଛନ୍ତି । ଯେଉଁମାନେ ମିଛ କହି ଛଳନା କରି ତା’କୁ ଦୁର୍ଗ ଭିତରକୁ ନେବା ବଦଳରେ ନିଜ ନିଜ ଘରକୁ ନେଇ ଆସୁଛନ୍ତି । ସେମାନେ ଜାଣି ଶୁଣି ହେଉ କି ନ ହେଉ ତାକୁ ତା’ର ଲକ୍ଷ୍ୟ ପଥରୁ ବିତ୍ୟୁତ କରି ଦେଉଛନ୍ତି ତା’କୁ ନଷ୍ଟ କରି ଦେଉଛନ୍ତି । ତା’କୁ ସମସ୍ତଙ୍କ ସାଙ୍ଗରେ ବସି ଖାଇବାକୁ ଡକା ହେଲା, କିନ୍ତୁ ସେ ଜମ୍ମା ଶୁଣିଲା ନାହିଁ । ବେଞ୍ଚ ଉପରେ ମୁଣ୍ଡ ତଳକୁ କରି ସେ ସେମିତି ବସି ରହିଲା ।

 

ତା’ପରେ ଦୁଇ ଭଉଣୀଙ୍କ ମଧ୍ୟରେ ଅପେକ୍ଷାକୃତ ଭଦ୍ର ଝିଅ ଓଲ୍‌ଗା ସାମାନ୍ୟ ଲଜେଇ ଯାଇ ଉଠିଲା, କେ. ପାଖକୁ ଆସିଲା ଓ ତା’କୁ ସମସ୍ତଙ୍କ ସାଙ୍ଗରେ ପାଉଁରୋଟି ଓ ମାଂସ ଖାଇବାକୁ ଡାକିଲା ଏବଂ କହିଲା ଯେ ସେ କିଛି ବିୟର ଆଣିବାକୁ ଯାଉଛି । କୋଉଠୁ ?’’ କେ. ପାରିଲା । ହୋଟେଲ୍‌ରୁ, ସେ କହିଲା’ କଥାଟା କେ.କୁ ଖୁବ୍‌ ଭଲ ଲାଗିଲା । ସେ ଝିଅଟିକୁ ଅନୁରୋଧ କଲା ଯେ ବିୟର ଆଣିବା ବଦଳରେ ସେ ହୋଟେଲ ଯାଏଁ ତା’ସାଙ୍ଗରେ ଆସୁ, ସେଠି ତା’ର ବହୁତ କାମ ବାକୀ ପଡ଼ିଛି । କିନ୍ତୁ ପ୍ରକୃତରେ ଯାହା ଜଣା ପଡ଼ିଲା, ଝିଅଟି ହୋଟେଲ ଯାଏଁ ଯାଉ ନଥିଲା, ସେ ଯାଉଥିଲା ହେରେନ୍‌ହଫ୍‌ ନାକମ ଗୋଟାଏ ପାଖ ହୋଟେଲକୁ । ତଥାପି କେ. ଅନୁନୟ କଲା, ଝିଅଟି ସାଙ୍ଗରେ ତା’କୁ ଯିବାକୁ ଦିଆଯାଉ । ସେ ଭାବୁଥିଲା ଯେ ବୋଧହୁଏ ରାତିକ ରହିଯିବା ପାଇଁ ସେ ହୋଟେଲରେ ତା’କୁ ଯାଗାଟିଏ ମିଳିଯିବ । ଯେତେ ଖରାପ ସେ ଯାଗା ହେଉ ପଛକେ, ଏଇ ଲୋକମାନେ ଯାହା ତା’କୁ ଯୋଗାଇ ଦେବେ ତା’ଅପେକ୍ଷା ସେ ହୋଟେଲକୁ ହିଁ ଅଧିକ ପସନ୍ଦ କରିବ । ଓଲ୍‌ଗା ହଠାତ୍‌ କିଛି ଉତ୍ତର ଦେଲା ନାହିଁ, ଟେବୁଲ୍‌ ଆଡ଼କୁ ଅନାଇଁଲା । ତା’ ଭାଇ ଠିଆ ହୋଇ ପଡ଼ିଲା, ରାଜି ହୋଇଯିବା ଭଙ୍ଗୀରେ ମୁଣ୍ଡ ହଲାଇଲା ଏବଂ କହିଲା ‘‘ଭଦ୍ର ଲୋକଙ୍କର ଯା, ଇଚ୍ଛା ।’’ ତା’ର ଏଇ ରାଜି ହୋଇଯିବା ଯଥେଷ୍ଟ କାରଣ ଥିଲା କେ:ତା’ ନିଜ ଅନୁରୋଧକୁ ଫେରାଇ ନେବା ପାଇଁ । ବାର୍ଣ୍ଣାବାସ୍‌ ଯେଉଁଥିରେ ରାଜି ହୋଇ ଯାଉଛି ସେଥିରେ କିଛି ମୂଲ୍ୟ ନଥାଇ ପାରେ । କିନ୍ତୁ ସେମାନେ ଯେତେବେଳେ କହିଲେ ଯେ କି. ସେ ହେଟେଲ୍‌ରେ ଯାଗା ପାଇବା ସମ୍ୱନ୍ଧରେ ସେମାନେ ସନ୍ଧିହାନ, ସେ ଏକା ଜିଦ୍‌ କଲା ଯେ ଯିବ ଏବଂ ତା’ର ଏହି ଆଗ୍ରହ ପାଇଁ ସେ ସେମିତି କୌଣସି ବିଶ୍ୱାସ ଯୋଗ୍ୟ କାରଣ ଦେଖାଇବାକୁ ଗଲା ନାହିଁ । ଏହି ପରିବାରର ଲୋକଙ୍କୁ ସେ ଯେମିତିକା ଲୋକ ସେମିତି ଭାବରେ ହିଁ ତା’କୁ ଗ୍ରହଣ କରିବାକୁ ପଡ଼ିବ, ସେମାନଙ୍କ କ୍ଷେତ୍ରରେ କେ: କୌଣସି ଲଜ୍ଜାବୋଧ କଲା ନାହିଁ । ତେବେ ଆମେଲିଆର ସିଧା ଓ ଗମ୍ଭୀର ଦୃଷ୍ଟି ତା’କୁ କିଛିଟା ବିଚଳିତ କରି ପକାଇଲା । ସେ ଚାହାଁଣୀ ଥିଲା ଅଖଣ୍ଡ ଏବଂ ବୋଧହୁଏ କିଛି ପରିମାଣରେ ନିର୍ବୋଧ ।

 

ପାଖ ହୋଟେଲକୁ ଚାଲି ଚାଲି ଗଲା ବେଳେ-କେ. ଓଲ୍‌ଗାର ହାତ ଧରିଥାଏ ଓ ତା’ ଦେହର ସମସ୍ତ ଓଜନକୁ ତା’ ଉପରେ ଲଦି ଦେଇଥାଏ । ଯେମିତି ସେ ବାର୍ଣ୍ଣାବାସ୍‌ ଉପରେ ଲଦିଥିଲା । ଅନ୍ୟଥା ସେ ଚାଲି ପାରୁନଥାଏ-ସେ ଶୁଣିଲା ଯେ ସେ ହୋଟେଲଟା ଦୁର୍ଗର ଭଦ୍ରଲୋକମାନଙ୍କ ପାଇଁ ପୂରାପୂରୀ ସଂରକ୍ଷିତ । ସେମାନେ ସେଠି ଖାଆନ୍ତି ଏବଂ ବେଳେ ବେଳେ ଗାଁରେ କାମ ଥିଲେ, ସେଠି ଶୋଇଯାନ୍ତି । ଓଲ୍‌ଗା ନୀଚା ଗଳାରେ ଓ ବିଶ୍ୱସ୍ତଭାବର କେ. ସାଙ୍ଗରେ କଥାବାର୍ତ୍ତା କରୁଥାଏ, ତା’ ସାଙ୍ଗରେ ଚାଲିବାକୁ ବେଶ୍‌ ମଜ୍ଜା ଲାଗୁଥାଏ । ପ୍ରାୟ ଯେମିତି ଲାଗୁଥିଲା ତା’ ଭାଇ ସାଙ୍ଗରେ ଚାଲିଲା ବେଳେ । ଝିଅଟି ଯେଉଁ ଆରାମ ଟିକକ ଦେଉଥିଲା କେ. ସେ ଅନୁଭବକୁ ନଷ୍ଟ କରି ଦେବାକୁ ଚେଷ୍ଟା କଲା, କିନ୍ତୁ ତାହା ନଷ୍ଟ ହେଲାନାହିଁ ।

 

ବାହାରୁ ନୂଆ ହୋଟେଲଟା କେ. ଯେଉଁ ହୋଟେଲରେ ଥିଲା ଠିକ୍‌ ତା’ ଭଳି ଦିଶୁଥିଲା-। ଗାଁର ସବୁଯାକ ଘର ପ୍ରାୟ ଏକାଭଳି, ତଥାପି ଏହି ଘରଟାରେ କେତେକ ଛୋଟ ଛୋଟ ପାର୍ଥକ୍ୟ-। ତତ୍‌କ୍ଷଣାତ୍‌ ଆଖିରେ ପଡ଼ିଲା; ସାମ୍ନା ପାହାଚ ଗୁଡ଼ାକରେ ବାଡ଼ ଦିଆ ହୋଇଥିଲା, ଏବଂ ଦୁଆର ଉପରେ ଗୋଟିଏ ସୁନ୍ଦର ଲଣ୍ଠନ ଖଞ୍ଜା ଯାଇଥିଲା । ସେ ଦୁହେଁ ଭିତରକୁ ପଶିଲା ବେଳେ ମୁଣ୍ଡ ଉପରେ କ’ଣ ଗୋଟାଏ ଫର୍‌ ଫର୍‌ ହେଲା । ସେଇଟା ଥିଲା କାଉର୍ଟଙ୍କ ଚିହ୍ନଥିବା ଗୋଟିଏ ପତାକା ହଲରେ ସେ ଦୁହିଁଙ୍କର ହଠାତ୍‌ ହୋଟେଲ ମାଲିକ ସଙ୍ଗରେ ଦେଖା ହୋଇଗଲା । ସେ ନିଶ୍ଚୟ ହୋଟେଲ୍‌ର ବ୍ୟବସ୍ଥା ତଦାରଖ କରିବାକୁ ବାହାରିଥିଲା । ସେ କେ.ଆଡ଼କୁ ଆନମନା ଅନଇଁଲା । ତା’ ଆଖିଯୋଡ଼ିକ ଖୁବ୍‌ ଛୋଟ ଦିଶୁଥିଲା । ହୁଏତ ଦୃଷ୍ଟିର ତୀବ୍ରତା ଯୋଗୁଁ କିମ୍ୱା ନିଦ ମଳ ମଳ ହୋଇଥିବା ଯୋଗୁଁ । ସେ କହିଲା, ‘‘ଅମିନବାବୁ ଆଉ କେଉଁଠିକି ନଯାଇ ସିଧା ବାର୍‌ ଭିତରକୁ ଯିବା ଉଚିତ ।’’ ‘‘ନିଶ୍ଚୟ,’’ ଓଲ୍‌ଗା କହିଲା, ହଠାତ୍‌ କେ.ର ପ୍ରତିନିଧିତ୍ୱ କରି, ‘‘ସେ ତ ମୋ’ ସାଙ୍ଗରେ ଆସିଛନ୍ତି ।’’ କିନ୍ତୁ କେ ଅକୃତଜ୍ଞ ଭାବେ ତା’ ହାତ ଛାଡ଼ିଦେଲା ଏବଂ ହୋଟେଲ୍‌ ମାଲିକକୁ ଗୋଟାଏ କଡ଼କୁ ଡାକିନେଲା । ଓଲ୍‌ଗା ହଲ୍‌ ମୁଣ୍ଡରେ ଧୈର୍ଯ୍ୟଧରି ଅପେକ୍ଷା କରି ରହିଥାଏ । ଏଠି ରାତିଟା କଟାଇବାକୁ ମୋର ଇଚ୍ଛା’’ କେ. କହିଲା । ‘‘ମୋର ଆଶଙ୍କା ତା ଆପଣ କରି ପାରିବେ ନାହିଁ,’’ ହୋଟେଲ୍‌ ମାଲିକ ଉତ୍ତର ଦେଲା । ଆପଣ ବୋଧେ ଜାଣନ୍ତି ନାହିଁ ଯେ ଏ ହୋଟେଲ ଏ ଦୁର୍ଗର ଭଦ୍ରଲୋକ ମାନଙ୍କ ପାଇଁ ପୂରାପୂରି ରିଜର୍ଭ ଥାଏ ।’’ ‘‘ହେଲା, ସେଇଟା ଏହାର ନିୟମ ହୋଇପାରେ,’’ କେ. କହିଲା, କିନ୍ତୁ ମତେ ଶୋଇବାକୁ ଟିକିଏ ଯାଗାଦେବା ନିଶ୍ଚୟ ସମ୍ଭବ ।’’ ମାଲିକ କହିଲା, ‘‘ଆପଣଙ୍କୁ ସାହାଯ୍ୟ କରି ପାରିଲେ ମୁଁ ଖୁବ୍‌ ଖୁସି ହୁଅନ୍ତି । କିନ୍ତୁ ଏକେ ଏଠି ନିୟମଟା କଡ଼ାକଡ଼ି ଭାବେ ପାଳନ କରାଯାଏ, ଏବଂ ଆପଣ କେବଳ ଜଣେ ନୂଆଲୋକ ହିସାବରେ ନିୟମ କଥା ଉଠାଇଲେ-ଦ୍ୱିତୀୟରେ ଆପଣଙ୍କୁ ଯାଗା ନ ଦେବାର ଆଉ ଗୋଟାଏ କାରଣ ଅଛି, ଦୁର୍ଗର ବାବୁଭୟାମାନେ ଏତେ ବାରନ୍ତି ଯେ ସେମାନେ ଜଣେ ଅଜଣା ଅଶୁଣା ଲୋକ ଦେଖିଲେ ମୋଟେ ସହି ପାରିବେ ନାହିଁ, ଏ କଥାରେ ମୁଁ ନିଃସନ୍ଦେହ, ଅନ୍ତତଃ ଆଗରୁ ସେମାନେ ସେଥିପାଇଁ ପ୍ରସ୍ତୁତ ନଥିଲେ । ଏବଂ ମୁଁ ଯଦି ଆପଣଙ୍କୁ ଏଠି ଶୋଇବାକୁ ଦେବି ଓ ଦୁର୍ଘଟଣା ବଶତଃ-ଏବଂ ସେ ବାବୁଭୟାମାନେ ଜାଣି ଯିବାର ସମ୍ଭାବନା ବହୁତ ବେଶୀ-ଯଦି ସେମାନେ ଆପଣଙ୍କୁ ଦେଖି ପକାନ୍ତି, ତେବେ ତା’ର ପରିଣତି ହେବ କେବଳ ମୋର ଚରମ କ୍ଷତି ନୁହେଁ, ଆପଣଙ୍କର ବି । କଥାଟା ବେକାର ଶୁଭୁଚି, କିନ୍ତୁ ତା’ସତ ।’’ ଡେଙ୍ଗା, ସବୁତକ ବୋତାମ ନିଖୁଣ ଭାବେ ଲଗାଇଥିବା ଲୋକଟି ତା’ ଗୋଡ଼ ଛନ୍ଦି ଠିଆ ହୋଇଥାଏ, ଗୋଟିଏ ହାତ କାନ୍ଥ ଉପରେ ଭରା ଦେଇ ଓ ଅନ୍ୟଟି ତା’ ଜଘଂ ଉପରେ ରଖି, କେ.ଆଡ଼କୁ ଟିକିଏ ଝୁଙ୍କିପଡ଼ି ତା’ସାଙ୍ଗରେ ଚୁପ୍‌ ଚୁପ୍‌ କଥାବାର୍ତ୍ତା କରୁଥାଏ । ଲୋକଟିର ଗାଁର ଅନ୍ୟାନ୍ୟ ଲୋକମାନଙ୍କ ସାଙ୍ଗରେ କିଛି ସାମାଞ୍ଜସ୍ୟ ଥିଲା ଭଳି ମନେ ହେଉ ନଥାଏ, ଯଦିଓ ତା’ର କଳା ପୋଷାକ ଗୋଟିଏ ଚାଷୀଲୋକର ବେହରଣ ଭଳି ଦିଶୁଥାଏ । ‘‘ମୁଁ ତମ କଥା ପୂରାପୂରି ବିଶ୍ୱାସ କରୁଛି ।’’ କେ. କହିଲା, ‘‘ଏବଂ ମୁଁ ତମ ନିୟମ ଅବମାନନା କରିବାକୁ ଚାହୁଁ ନଥିଲି ଯଦିଓ ମୁଁ ଠିକ୍‌ ଭାବେ ନିଜକୁ ପ୍ରକାଶ କରିପାରିଲିନି । ଖାଲି ଗୋଟିଏ କଥା ମୁଁ ଜଣାଇଦେବାକୁ ଚାହେଁ, ଦୁର୍ଗ ଭିତରେ ମୋର କିଛି ପ୍ରଭାବ ଅଛି, ଓ ସେ ପ୍ରଭାବ ବଢ଼ିବ । ମୁଁ ଏଠି ରାତିଟା କଟାଇବା ଫଳରେ ଯଦି କିଛି ବିପଦ ଘଟେ, ସେ ପ୍ରଭାବ ସେଥିରୁ ତମକୁ ବଞ୍ଚେଇଦବ, ଏବଂ ତା ଗୋଟେ ଗ୍ୟାରାଣ୍ଟି ଯେ ତମେ ମତେ ଯୋଉ ଟିକକ ସାହାଯ୍ୟ କରିବ ତା’ର ପୂରା ପ୍ରତିଦାନ ମୁଁ ଦେବି ।’’ ‘‘ମୁଁ ଜାଣେ,’’ ମାଲିକ କହିଲା, ଏବଂ ପୁଣି କହିଲା, ‘‘ମୁଁ ସେସବୁ ଜାଣେ’’ । ଏତିକିବେଳେ କେ.ତା’ ଇଚ୍ଛାକୁ ଅଧିକ ସ୍ପଷ୍ଟଭାବରେ ପ୍ରକାଶ କରିବାର କଥା, କିନ୍ତୁ ମାଲିକର ଉତ୍ତର ତା’କୁ ବିବ୍ରତକରି ପକାଇଲା । ତେଣୁ ସେ କେବଳ ପଚାରିଲା, ‘‘ଆଜି ରାତିରେ କ’ଣ ଏଠି ଦୁର୍ଗର ବହୁତ ବାବୁଭୟା ରହୁଛନ୍ତି ?’’ ‘‘ସେ ଦୃଷ୍ଟିରୁ, ଆଜି ରାତିଟା ଅନୁକୂଳ,’’ ଉତ୍ତର ଦେଲା ହୋଟେଲ ମାଲିକ, ସତେ ଯେମିତି କେ. କୁ ଉତ୍ସାହିତ କରୁଥିଲା ସେ, ‘‘ଆଜି ରାତିରେ ମାତ୍ର ଜଣେ ବାବୁ ରହୁଛନ୍ତି । ‘‘ତଥାପି କଥାଟା ବଢ଼ାଇବାକୁ ଅସମର୍ଥ ବୋଧକଲା । କିନ୍ତୁ ତା, କଥା ଯେ ରହିବ ଏଇ ଆଶା କରି ସେ ଦୁର୍ଗ ବାବୁଙ୍କର ନାଁଟା ପଚାରି ଦେଇ ସନ୍ତୁଷ୍ଟ ହେଲା । ‘‘କ୍ଳାମ୍‌,’’ ହୋଟେଲ ମାଲିକ ନିରାସକ୍ତ ଭାବରେ କହିଲା । କହୁ କହୁ ସେ ତା’ ସ୍ତ୍ରୀ ଆଡ଼କୁ ଅନାଇଁଲା-। ସ୍ତ୍ରୀଲୋକଟି ଗୋଟିଏ କୋଚଟା ମଇଳା, ପୁରୁଣାକାଳିଆ ଗାଉନ ପିନ୍ଧି ତା ଆଡ଼କୁ ଲସର ପସର ହୋଇ ମାଡ଼ି ଆସୁଥାଏ । ଗାଉନଟାରେ କେତେ ରକମର ଭାଙ୍ଗ ହୋଇଥାଏ ଓ ଝାଲର ଲାଗିଥାଏ, କିନ୍ତୁ ସେଇଟା ବେଶ୍‌ ସହରୀ ଢାଞ୍ଚାରି ହୋଇଥାଏ । ସେ ଆସିଥାଏ ତା’ ସ୍ୱାମୀଙ୍କୁ ଡାକିବାକୁ-। କାରଣ ବଡ଼ବାବୁଙ୍କର କ’ଣ ଗୋଟାଏ ଦରକାର ପଡ଼ିଥାଏ । ହୋଟେଲ ମାଲିକ ଯିବା ଆଗରୁ କିନ୍ତୁ ବୁଲିପଡ଼ି କେ. କୁ ଅନାଇଲା ସତେ ଯେମିତି ରାତିରେ ସେଠି ରହିବା ନରହିବାର ନିଷ୍ପତ୍ତି କେ. ଉପରେ ନିର୍ଭର କରୁଥିଲା । କିନ୍ତୁ କେ. ପାଟିରୁ ପଦେହେଲେ କଥା ବାହାରିଲା ନାହିଁ । ହୋଟେଲ ଭିତରେ ତା’ର ମାଲିକ ଥିବା ଜାଣିପାରି ସେ ବେଶ୍‌ ବିହ୍ୱଳ ହୋଇ ପଡ଼ିଥିଲା । ଦୁର୍ଗର ଅନ୍ୟମାନଙ୍କ ଅପେକ୍ଷା କ୍ଳାମର ଉପସ୍ଥିତିରେ ତାର କିଛି କରିବାରେ ସ୍ୱାଧୀନତା ବହୁତ କମ୍‌....ଏକଥର ନିଜକୁ ସମ୍ପୂର୍ଣ୍ଣ ଭାବରେ ବୁଝାଇ ନପାରିଲେ ବି ସେ ଅନୁଭବ କରୁଥିଲା । ଏବଂ କ୍ଳାମ କାଳେ ତା’କୁ ହୋଟେଲ ଭିତରେ ଦେଖିଦେବେ–ଏ କଥାରେ ସେ ହୋଟେଲ ମାଲିକ ଭଳି ଭୀତତ୍ରସ୍ତ ନହେଲେ ମଧ୍ୟ କେମିତି ବିବ୍ରତ ବୋଧକଲା, ସତେ ଯେପରି ସେ ନିର୍ବୋଧତା ଯୋଗୁଁ ଜଣେ ଲୋକର ମନକୁ ଆଘାତ ଦେବାକୁ ଯାଉଛି । ଯାହା ସହିତ ସେ କୃତଜ୍ଞଳା ଡୋରିରେ ବନ୍ଧା । ତତ୍‌ ସଙ୍ଗେ ସଙ୍ଗେ କିନ୍ତୁ ସେ ବିରକ୍ତ ବୋଧକଲା ଯେତେବେଳେ ବୁଝିପାରିଲା ଯେ ତା’ର ଏଇ କୁଣ୍ଠାବୋଧ ମୂଳରେ ରହିଛି ଗୋଟାଏ ତଳ ସ୍ତରକୁ ଖସିଯାଇ ଥିବାର ପ୍ରଭାବ ଯେଉଁସ୍ଥରକୁ କାଳେ ଖସିଯିବ ବୋଲି ସେ ଭୟ କରୁଥିଲା । ଏବଂ ସେ ଆହୁରି ମଧ୍ୟ ବୁଝିପାରିଲା ଯେ ଏଇ ପ୍ରଭାବ ଏତେ ସ୍ୱଷ୍ଟ ହେଲେ ବି ତାକୁ ନଷ୍ଟ କରିବାର ଶକ୍ତି ସେଥିରେ ନଥିଲା-। ତେଣୁ ଓଠ କାମୁଡ଼ି କାମୁଡ଼ି ସେ ଚୁପ୍‌ ଚାପ ଠିଆ ହୋଇ ରହିଲା । ହୋଟେଲ ମାଲିକ ଆଉ ଥରେ ତା’ ଆଡ଼କୁ ବୁଲି ଅନାଇଁଲା ଏବଂ ଦୁଆର ଭିତରେ ଅଦୃଶ୍ୟ ହୋଇଗଲା । କେ. ମଧ୍ୟ ସେଠି ସେମିତି ଠିଆ ହୋଇ ତା’ ଆଡ଼େ ଅନାଇଁଲା । ଶେଷରେ ଓଲଗା ଉଠି ଆସି ତା’କୁ ଟାଣିନେଲା-। ‘‘ହୋଟେଲ ମାଲିକକୁ ଆପଣ କଣ ମାରୁଥିଲେ’’ ? ସେ ପଚାରିଲା । ‘‘ରାତିକ ଶୋଇବା ପାଇଁ ଯାଗା,’’ କେ. ଉତ୍ତର ଦେଲା । ‘‘କିନ୍ତୁ ଆପଣ ତ ଆମ ଘରେ ରହିବେ ।’’ ଆଶ୍ଚର୍ଯ୍ୟ ହୋଇ ଓଲ୍‌ଗା କହିଲା । ‘‘ନିଶ୍ଚେ’’ କେ କତୁଲା; ଏଲ୍‌ଗା ସେଥିରୁ ଯାହା ବୁଝିବ ବୁଝୁଥାଉ ।

Image

 

।। ତିନି ।।

 

ମଝିରେ ଖାଲି ଯାଗା ଥାଇ ବଡ଼ ଗୋଟାଏ ରୁମ ହେଲା ବାର । ତା’ ଭିତରେ କାନ୍ଥକୁ ଲାଗି ରଖା ହୋଇଥିବା ମଦ ପିମ୍ପା ଉପରେ ବେଶ୍‌ କେତେଜଣ ଚାଷୀ ଲୋକ ବସିଥିଲେ । କିନ୍ତୁ ସେମାନେ କେ.ର ହୋଟେଲର ଚାଷୀଲୋକଙ୍କ ଠାର ଭିନ୍ନ ଦିଶୁଥାନ୍ତି । ସେମାନେ ସମସ୍ତେ ପ୍ରାୟ ଏକାଭଳି ପିନ୍ଧିଥାନ୍ତି । ଅଧିକ ଯତ୍ନ ସହକାରେ, ମୋଟା ହଳଦିଆ ମିଶା ଧୂସର ରଙ୍ଗର କନାର ପୋଷାକ, ଢିଲା ଜ୍ୟାକେଟ ଓ ଦେହକୁ ଜଡ଼ି ରହୁଥିବା ପ୍ୟାଣ୍ଟ । ଅଳ୍ପ ଉଁଚା ମଣିଷ ଗୁଡ଼ାକ, ପ୍ରଥମ ଦେଖାରେ ମନେ ହେବ ସମସ୍ତେ ଏକେବାରେ ଏକପ୍ରକାର ଚେହେରାର, ଚେପ୍‌ଟା ହାଡ଼ୁଆ ମୁହଁ, କିନ୍ତୁ ଗୋଲଗାଲିଆ ଗାଲ । ସେମାନେ ଚୁପ୍‌ଚାପ ବସିଥାନ୍ତି । କୌଣସି ପ୍ରକାର ଅଙ୍ଗଚାଳନା ନକରି । କେବଳ ଯଦି ନୂଆ ଲୋକ କିଏ ପଶି ଆସିଲା ତା’କୁ ନିଠେଇ ଚାହୁଁଥାନ୍ତି । ତା’ବି ଖୁବ୍‌ ଆସ୍ତେ ଆସ୍ତେ ଏବଂ ଉଦାସୀନ ଭାବରେ । ତଥାପି ସେମାନଙ୍କର ସଂଖ୍ୟା ଓ ସେମାନଙ୍କର ନୀରବତା କେ.କୁ ଗୋଟାଏ ନିର୍ଦ୍ଦିଷ୍ଟ ବାଟରେ ପ୍ରଭାବିତ କଲା । ସେ ପୁଣି ଓଲଗାର ହାତ ଧରିଲା ସତେ ଯେମିତି ସେଠାରେ ତା’ର ଉପସ୍ଥିତିକୁ ସେ ବୁଝାଇବାକୁ ଯାଉଛି । ଗୋଟାଏ କଣରୁ ଜଣେ ଲୋକ ଉଠିଲା, ଓଲଗାର ଚିହ୍ନା ଜଣା ଲୋକଟିଏ ଏବଂ ଓଲଗା ଆଡ଼କୁ ଆଗେଇଲା । କିନ୍ତୁ କ. ଓଲଗାର ହାତ ଧରି ଜୋରରେ ଘୂରାଇ ନେଲା ଅନ୍ୟ ଗୋଟାଏ ଦିଗରେ । ତା’ର ଏମିତି କରିବା ଅନ୍ୟ କେହି ଦେଖି ପାରିଲେନାହିଁ, କେବଳ ଓଲଗା ଜାଣିଲା ଏବଂ ସହାସ୍ୟ ଅପାଙ୍ଗ ଚାହାଣି ତାହା ଗ୍ରହଣ କରିନେଲା ।

 

ବିୟର୍‌ ଆଣିଲା ଫ୍ରୀଡ଼ା ନାମ୍ନୀ ଜଣେ କମ୍‌ ବୟସୀ ଝିଅ । ସରଳ ସାନ ଝିଅଟିଏ, ସୁନ୍ଦର ବାଳ, ବିମର୍ଷ ଆଖି, ଓ ପଶିଲା ପଶିଲା ଗାଲ । କିନ୍ତୁ ଚାହାଁଣୀରେ ଗୋଟାଏ ସଚେତନ ବଡ଼ ପଣ ଫୁଟି ଉଠୁଛି । ତା’ର ଆଖି ଯେମିତି କେ:ର ଆଖି ସାଙ୍ଗରେ ମିଶି ଯାଇଛି, କେ:ର ମନେ ହେଲା ଯେ ଝିଅଟାର ଚାହାଁଣୀ ତା’ନିଜ ସମ୍ୱନ୍ଧରେ କଣ ଗୋଟାଏ ନିଷ୍ପତ୍ତି ନେଇ ଯାଉଛି, ଏମିତି କିଛି ଯାହା କି ଆଗରୁ ଅଛି ବୋଲି ସେ ଜାଣି ନଥିଲା, କିନ୍ତୁ ଯାହା କି ଥିଲା ବୋଲି ସେ ଚାହାଁଣୀ କହି ଦେଉଛି । ସେ ଗୋଟାଏ ପାଖରୁ ଝିଅଟାକୁ ନିରୀକ୍ଷଣ କରିବାକୁ ଲାଗିଲା; ଯଦିଓ ଝିଅଟା ଓଲ୍‌ଗା ସାଙ୍ଗରେ କଥାବାର୍ତ୍ତା କରୁଥିଲା । ମନେ ହେଲା ଯେ ଓଲ୍‌ଗା ଓ ଫ୍ରୀଡ଼ା ଅନ୍ତରଙ୍ଗ ନୁହଁନ୍ତି, ସେ ଦୁହେଁ କେତେ ପଦ ନିରାସକ୍ତ କଥାବାର୍ତ୍ତା ମାତ୍ର କଲେ । କେ. ଅଧିକ କିଛି ଶୁଣିବାକୁ ଚାହିଁଲା ଏବଂ ତେଣୁ ଉପରେ ପଡ଼ି ପଚାରିଲା । ତମେ ମି: କ୍ଲାମ୍‌ଙ୍କୁ ଜାଣ ?’’ ଓଲ୍‌ଗା ଜୋର୍‌ରେ ହସି ପକାଇଲା । ‘‘ହସୁଚ କୋଉଥିପାଇଁ ? କେ:’’ ପଚାରିଲା ବିରକ୍ତ ହୋଇ । ‘‘ମୁଁ ତ ହସୁନି,’’ ସେ କହିଲା ଓ ସେମିତି ହସିବାରେ ଲାଗିଲା । ‘‘ଓଲ୍‌ଗା ଭାରି ପିଲାଳିଆ,’’ କେ. କହିଲା କାଉଣ୍ଟର୍‌ ଉପରକୁ ଝୁଙ୍କିପଡ଼ି, ପୁଣି ଥରେ ଫ୍ରିଡ଼ାର ଦୃଷ୍ଟି ଆକର୍ଷଣ କରିବା ପାଇଁ । କିନ୍ତୁ ଫ୍ରୀଡ଼ା ତା’ର ଦୃଷ୍ଟି ତଳକୁ କରିଦେଲା ଏବଂ ଲାଜେଇ ହସିଦେଲା । ‘‘ମି ! କ୍ଲାମ୍‌ଙ୍କୁ ଭେଟିବେ କି ?’’ କେ. ଲୋକଟାକୁ ଦେଖିବା ପାଇଁ ଅନୁନୟ କଲା । ସେ ଦେଖାଇ ଦେଲା ବାଁ ପଟର ଗୋଟାଏ ଦୁଆର ଆଡ଼କୁ । ‘‘ସେ କବାଟରେ ଛୋଟିଆ କଣାଟିଏ ଅଛି, ତା’ ଭିତର ଦେଇ ଦେଖି ପାରନ୍ତି ।’’ ‘‘ଅନ୍ୟାମାନେ ସମସ୍ତ କେଉଁଠି ? କେ. ପଚାରିଲା । ଝିଅଟା ତଳ ଓଠ ମୋଡ଼ି ଦେଇ କେ.କୁ କବାଟ ଆଡ଼କୁ ଟାଣିନେଲା । ତା’ ହାତଟି ଆଶ୍ଚର୍ଯ୍ୟ ଜନକ ଭାବରେ ନରମ ଲାଗୁଥିଲା । ଗୋପନରେ ଦେଖିବାପାଇଁ ନିଶ୍ଚୟ ସେ ଛିଦ୍ରଟି ଖୋଲା ଯାଇଥିଲା, ଏବଂ ତା’ବାଟ ଦେଇ ପାଖ ରୁମ୍‌ର ସବୁ କିଛି ଦେଖି ହେଉଥିଲା । ରୁମ୍‌ର ମଝିରେ ପଡ଼ିଥିବା ଗୋଟିଏ ଡେସ୍କ ପାଖରେ ଗୋଟିଏ ଆରାମ ଚଉକୀରେ ବସିଥାନ୍ତି ମି.କ୍ଲାସ୍‌; ସାମ୍ନାରେ ବେଶ୍‌ ତଳକୁ ଝୁଲୁଥିବା ଗୋଟିଏ ଉଜ୍ଜ୍ୱଳ ଆଲୁଅରେ ତାଙ୍କ ମୁହଁ ଦାଉ ଦାଉ ଜଳୁଥାଏ । ମଝିଲା ଉଚ୍ଚତାର ଗୋଲ୍‌ଗାଲିଆ, ମୋଟା ଲୋକଟାଏ । ଲୋକଟାଏ ମୁହଁଟା ଏଯାଏଁ ବେଶ୍‌ ଚିକ୍‌କଣ ରହିଛି, କିନ୍ତୁ ବୟସ ହୋଇଥିବା ଯୋଗୁଁ ଗାଲ ଯୋଡ଼ାକର ମାଂସ ଝୁଲି ପଡ଼ିଲାଣି । କଳା ଲମ୍ୱା ନିଶ ହଳକ ଦୁଇ ପାଖରେ ଗୋଜିଆ ହୋଇ । ଏବଂ ଠିକ୍‌ ମାନୁ ନଥିଲା ଚଷମା ପଛରେ ଆକି ଯୋଡ଼ିକ ଲୁଚି ଯାଇଥାଏ । ସେ ଯଦି ତାଙ୍କ ଟେବୁଲ୍‌ ପାଖରେ ଯେମିତି ବସିବା କଥା ବସିଥାନ୍ତେ କେ. ତାଙ୍କର ଗୋଟିଏ ପାଖ ହିଁ ଦେଖି ପାରିଥାନ୍ତା, କିନ୍ତୁ ଯେହେତୁ ସେ କେ. ଆଡ଼କୁ ବୁଲି ବସଥିଲେ ତାଙ୍କର ପୂରା ମୁହଁ ଦିଶୁଥିଲା । ତାଙ୍କର ବାଁ କହୁଣୀ ଟେବୁଲ୍‌ ଉପରେ ଭାରା ଦେଇଥିଲା, ତାଙ୍କର ଡାହାଣ ହାତ ଯେଉଁଥିରେ କି ସେ ଗୋଟିଏ ଭର୍ଜିନିଆ ସିଗାର୍‌ ଧରିଥିଲେ ସେଇଟା ତାଙ୍କ ଆଣ୍ଠୁ ଉପରେ ରହିଥିଲା । ଟେବୁଲ୍‌ ଉପରେ ଗୋଟିଏ ବିୟର୍‌ ଗ୍ଲାସ ଥୁଆ ହୋଇଥିଲା । କିନ୍ତୁ ଟେବୁଲ୍‌ ଚାରିପଟେ ଗୋଟିଏ ବାଡ଼ ଦିଆ ଯାଇଥିବାରୁ କେ ଦେଖି ପାରିଲା ନାହିଁ ତା’ ଉପରେ କିଛି କାଗଜ ପତ୍ର ଅଛି କି ନା । ତା’ର କିନ୍ତୁ ଧାରଣା ହେଲା ଯେ ସେଠି କୌଣସି କାଗଜ ପତ୍ର ନଥିଲା । ଏ ବିଷୟରେ ନିଶ୍ଚିତ ହେବା ପାଇଁ ସେ ଫ୍ରୀଡ଼ାକୁ କହିଲା ଛିଦ୍ର ଭିତରକୁ ଚାହିଁବା ପାଇଁ ଏବଂ ତାକୁ କହିବା ପାଇଁ ଟେବୁଲ୍‌ ଉପରେ କିଛି କାଗଜପତ୍ର ଅଛି କି ନା । ଯେହେତୁ ଫ୍ରୀଡ଼ା ଅଳ୍ପ ସମୟ ଆଗରୁ ସେ ରୁମ୍‌ରେ ଥିଲା, ସେ ଆଉ କଥା ନ ବଢ଼ାଇ କହି ଦେଇ ‘‘ପାରିଲା ଯେ ଟେବୁଲ୍‌ ଟା ଫାଙ୍କା । କେ. ପଚାରିଲା ତା’ର ଛିଦ୍ରବାଟେ ଅନାଇଁବା ସରିଲା କି ବୋଲି । କିନ୍ତୁ ଝିଅଟା କହିଲା ଯେ ତା’ର ଯେତେ ସମୟ ଇଚ୍ଛା ସେ ଅନାଇଁପାରେ । ବର୍ତ୍ତମାନ କେ. ଓ ଫ୍ରୀଡ଼ା ଏକାଠି, ଏକାନ୍ତରେ । ତରବରିଆ ଦୃଷ୍ଟିରେ ସେ ଦେଖିନେଲା ଯେ ଓଲ୍‌ଗା ତା’ର ଚିହ୍ନା ଲୋକଟି ପାଖକୁ ବାଟ କାଟିଲାଣି ଏବଂ ବର୍ତ୍ତମାନ କେ. ଗୋଟିଏ ଉଁଚା ପିଙ୍ଖା ଉପରେ ବସି ଗୋଡ଼ ହଲାଉଛି । ଫିସ୍‌ ଫିସ୍‌ କରି କେ: ପଚାରିଲା, ‘‘ଫ୍ରୀଡ଼ା, ତମ କ’ଣ ମି. କ୍ଲାମ୍‌ଙ୍କୁ ଭଲ ଭାବରେ ଜାଣ ?’’ ‘‘ହଁ, ହଁ’’ ଝିଅଟି କହିଲା, ‘‘ଖୁବ୍‌ ଭଲ ଭାବରେ ।’’ ସେ କେ. ଉପରକୁ ଝିଙ୍କି ପଡ଼ିଲା କେ ଜାଣି ପାରିଲା ଯେ ଝିଅଟା ତା’ର ଦୁବୁଲା ପତଳା ଦେହକୁ ବେଖାପିଆ ଦିଶୁଥିବା ଗହମ ରଙ୍ଗର ଛୋଟ ବ୍ଲାଉଜ୍‌ଟା ଉପରେ ଛତରୀଙ୍କ ଭଳି ଆଙ୍ଗୁଠି ବୁଲାଉଛି-। ତା’ପରେ ଝିଅଟା କହିଲ. ‘‘ଓଲ୍‌ଗା କେମିତି କେମିତି ହସିଲା ଦେଖିଲେ ତ ?’’ ‘‘ହଁ, ବଦ୍‌ମାସ ଟୋକୀ,’’ କେ. କହିଲା । ‘‘ହେଲା,’’ ସେ ଓଲ୍‌ଗାର ଦୋଷ ଘୋଡ଼ାଇ ଦେଲାଭଳି କହିଲା, ହସିବାର କାରଣ ଥିଲା । ଆପଣ ପଚାରିଲେ ମୁଁ କ୍ଳାମ୍‌କୁ ଜାଣେ କି ବୋଲି, ଆଉ ମୁଁ’’-ବର୍ତ୍ତମାନ ସେ ଅବଲୀଳା କ୍ରମେ ତା’ର ଥୋଡ଼ି ଟିକିଏ ଉପରକୁ ଉଠାଇ ଦେଲା । ଏବଂ ତାର ଦୃପ୍ତ ଚାହାଁଣୀ ଯାହା ସହିତ ସେ କହୁଥିବା କଥାର କୌଣସି ସମ୍ପର୍କ ନଥିଲା, କେ; ଉପରେ ବୁଲି ଆସିଲା, ‘‘ମୁଁ ତାଙ୍କର ରକ୍ଷିତା ।’’ ‘‘କ୍ଲାମ୍‌ଙ୍କ ରକ୍ଷିତା ?’’ କେ. କହିଲା । ଝିଅଟା ମୁଣ୍ଡ ହଲାଇଲା ।’’ ତା’ହେଲେ,’’ କେ. କହିଲା, ବାତାବରଣକୁ ଅଧିକ ଗମ୍ଭୀର ନକରିବା ପାଇଁ ଅଳ୍ପ ହସି ଦେଇ,‘‘ମା ପାଇଁ ତମେ ଜଣେ ଅତି ସମ୍ମାନୀୟ ମହିଳା ।’’ ‘‘କେବଳ ଆପଣଙ୍କ ପାଇଁ ନୁହେଁ,’’, ଫ୍ରିଡ଼ା କହିଲା ବେଶ୍‌ ବଂଧୁତ୍ୱପୂର୍ଣ୍ଣ ଗଳାରେ, କିନ୍ତୁ ହସିଲା ନାହିଁ । ତା’ର ଗର୍ବକୁ ଚୁନା କରି ଦେବା ପାଇଁ କେ. ପାଖରେ ଗୋଟିଏ ଅସ୍ତ୍ର ଥିଲା ଏବଂ ସେ ତାହା କାମରେ ଲଗାଇଲା । ‘‘ତମେ କେବେ ଦୁର୍ଗ ଭିତରକୁ ଯାଇଚ-?’’ କିନ୍ତୁ ଅସ୍ତ୍ରଟା ଠିକ୍‌ ଲକ୍ଷ୍ୟ ସ୍ଥଳରେ ବାଜିଲା ନାହିଁ, କାରଣ ଫ୍ରୀଡ଼ା ଉତ୍ତର ଦେଲା ‘‘ନା, କିନ୍ତୁ ମୁଁ ଏଠି ବାର୍‌ରେ ଥିବାଟା କ’ଣ ଯଥେଷ୍ଟ ନୁହେଁ ?’’ ତା’ର ଅହଙ୍କାର ନିଶ୍ଚୟ ଥିଲା ଅସୀମ ଏବଂ ମନେ ହେଉଥିଲା ଯେ ସେ ନିର୍ଦ୍ଦିଷ୍ଟ ଭାବରେ ଚାହୁଁଥିଲା କେ. ସେ ଅହଙ୍କାରକୁ ଇନ୍ଧନ ଯୋଗାଉ-। ‘‘ଆବଶ୍ୟ,’’ କେ. କହିଲା, ତମେ ଏଇ ବାର୍‌ରେ ତମେ ମାଲିକର ଯାଗା ନେଇଚ ।’’ ‘‘ହଁ,’’ ସେ ସ୍ୱୀକାର କଲା’’ ପୋଲ ପାଖ ହୋଟେଲ୍‌ରେ ମୁଁ ଜଣେ ଗୁହାଳ ପୋଇଲି ଭାବରେ ଚାକିରୀ ଆରମ୍ଭ କରିଥିଲି ।’’ ‘‘ଏଇ କଅଁଳ ହାତରେ ?’’ କେ. କହିଲା, ଅଧା ପ୍ରଶ୍ନ କରିବା ଭଙ୍ଗରେ-। ସେ ଜାଣି ପାରୁନଥିଲା । ଯେ ସେ ଫ୍ରୀଡ଼ାକୁ ଖୋସାମତ କରୁଥିଲା, ନା ତା’ଠି ଏମିତି କିଛି ଦେଖିଥିଲା ଯାହା ଫଳରେ ଏକଥା କହିବାକୁ ବାଧ୍ୟ ହେଉଥିଲା । ଝିଅଟାର ହାତ ଯୋଡ଼ିକ ନିଶ୍ଚୟ ସାନ ଓ ନରମ, କିନ୍ତୁ ସେ ଯୋଡ଼ିକୁ ମଧ୍ୟ ଦୁର୍ବଳିଆ ଓ ନିଜତ୍ୱହୀନ କୁହାଯାଇପାରନ୍ତା-। ‘‘ସେତେବେଳେ କେହି ମୋ ହାତକୁ ପଚାରିଲେ ନାହିଁ,’’ ଝିଅଟା କହିଲା, ‘‘ଆଉ ଏବେ ବି-’’ କେ. କ’ଣ ପଚାରିବ ପଚାରିବ ହୋଇ ତା’ଆଡ଼କୁ ଚାହିଁଲା । ଝିଅଟା ମୁଣ୍ଡ ହଲାଇଲା, ଆଉ କିଛି ଯେମିତି କହିବ ନାହିଁ । ‘‘ତମେ ଅନେକ କଥା ଲୁଚାଉଛ, ଲୁଚେଇବା କଥା, ‘‘କେ କହିଲା, ‘‘ଆଉ ତମେ ଯାହାକୁ ଏଇ ଅଧଘଣ୍ଟେ ତଳେ ଜାଣିଲ ଏବଂ ଯିଏ ତା’ନିଜ ବିଷୟରେ ତମକୁ କିଛି କହିବାର ସୁଯୋଗ ଏଯାଏଁ ପାଇନି, ତା’କୁ ତ ସେ ସବୁ କଥା କହି ଦେଇ ପାରିବନି ।’’ ଏପରି ମନ୍ତବ୍ୟ ଦେବା ମୋଟେ ଠିକ୍‌ ହେଲା ନାହିଁ, କାରଣ ଏହା କେ. ପାଇଁ ଅନୁକୂଳ ହୋଇଥିବା ଗୋଟାଏ ମୋହାବିଷ୍ଟତାରୁ ଫ୍ରୀଡ଼ା ଉଠାଇ ଦେଲା ଭଳି ମନେ ହେଲା ତା’ ଅଣ୍ଟାରେ ଝୁଲୁଥିବା ଚମଡ଼ା ମୁଣିରୁ ଫ୍ରୀଡ଼ା ଖଣ୍ଡିଏ ଛୋଟିଆ କାଠି ବାହାର କଲା ଏବଂ କବାଟର ଛିଦ୍ରଟାକୁ ବନ୍ଦ, କରିଦେଲା । ତା’ ଦୃଷ୍ଟି ଭଙ୍ଗୀରେ ଘଟିଯିବା ପରିବର୍ତ୍ତନକୁ ଲୁଚାଇବା ପାଇଁ ନିଶ୍ଚିତ ଚେଷ୍ଟା କରି ସେ କେ. କୁ କହିଲା, ‘‘ହଁ, ହଁ, ମୁଁ ଆପଣଙ୍କ ବିଷୟରେ ସବୁ ଜାଣିଚି, ଆପଣ ହେଉଛନ୍ତି ଅମିନବାବୁ’’ ସେଥିରେ ପୁଣି ଯୋଡ଼ିଲା, ‘‘କିନ୍ତୁ ମତେ ଏବେ କାମ ଉପରକୁ ଫେରିଯିବାକୁ ପଡ଼ିବ ।’’ ଏହା କହି ସେ ବାର କାଉଣ୍ଟର ପାଖ ତା’ ଯାଗାକୁ ଫେରିଗଲା । ସେତେବେଳେ ଏଠୁ ସେଠୁ ଜଣେ ଅଧେ ଲୋକ ଉଠି ଆସି ତାଙ୍କର ଖାଲି ଗ୍ଲାସ ଭର୍ତ୍ତି କରି ନେଇ ଯାଉଥାନ୍ତି । ଫ୍ରୀଡ଼ା ସାଙ୍ଗରେ ଆଉଥରେ କଥାବାର୍ତ୍ତା କରିବାକୁ କେ.ର ଇଚ୍ଛା ହେଲା । ତେଣୁ ସେ ଅରା ଉପରୁ ଗୋଟିଏ ଖାଲି ଗ୍ଲାସ ନେଇ ଫ୍ରୀଡ଼ା ପାଖକୁ ଗଲା । ତେଣୁ ଏବଂ କହିଲା, ଆଉ ଗୋଟିଏ କଥା ଫ୍ରୀଡ଼ା ଦେବୀ, ତମେ ଯେ ଜଣେ ଗୁହାଳ ପୋଇଲିରୁ ଆରମ୍ଭ କରି ବର୍ତ୍ତମାନ ଏ ଅବସ୍ଥାକୁ ଉଠି ପାରିଚ ତାହା ଗୋଟିଏ ବଡ଼ କୃତିତ୍ୱ ଓ ତମ ଦୃଢ଼ ମନୋବଳର ପରିଚୟ, କିନ୍ତୁ ଏହା କଣ ତମ ଭଳି ଜଣେ ଝିଅ ପକ୍ଷରେ ସର୍ବଶେଷ ଆକାଂକ୍ଷା ? ବାଜେ କଥା । ତମର ଆଖି-ମୋ କଥାକୁ ହସି ଦିଅନାଇଁ ଫ୍ରୀଡ଼ା ଦେବୀ-ମତେ କହୁଚି, ତମେ ହାସଲ କରି ସାରି ଥିବା କୃତିତ୍ୱ ଅପେକ୍ଷା ବେଶୀ ତମେ ହାସଲ କରିବାକୁ ଯାଉଥିବା କୃତିତ୍ୱର କଥା । କିନ୍ତୁ ସଂସାରରେ ତ ବହୁ ବାଧାବିଘ୍ନର ସାମ୍ନା କରିବାକୁ ପଡ଼େ, ଯାହାର ଅକାଂକ୍ଷା ଯେତେ ଉଚ୍ଚ ତା’ ବାଟରେ ସେତିକି ବେଶୀ ବାଧା ବିଘ୍ନ ଆସି ପହଞ୍ଚେ । ଏବଂ ଏମିତି ଜଣେ ଲୋକର ସାହାଯ୍ୟ ନେବା କିଛି ଲଜ୍ଜାକର ନୁହେଁ ଯିଏ କି ନିଜେ ଉପରକୁ ଉଠିବାକୁ ସଂଗ୍ରାମ କରି ଚାଲିଚି, ସେ ଯେତେ ସାଧାରଣ ଓ ପ୍ରଭାବହୀନ ହେଉ ପଛକେ । ଆଉ କେବେ ଆମେ ଚୁପଚାପ ଏ ବିଷୟର କଥାବାର୍ତ୍ତା ହେଲେ ବୋଧେ ଭଲ ହେବ; ଏତେ ଲୋକ ନଥିବା ଯାଗାରେ । ‘‘ଆପଣ କ’ଣ କହୁଛନ୍ତି ମୁଁ ଜାଣିନି, ଝିଅଟି କହିଲା, ଏବଂ ଏଥର ତା’ର ସ୍ୱରରେ ଶୁଭୁଥିବା ପରି ମନେ ହେଲା ଅବଶ୍ୟ ତା’ଇଚ୍ଛା ବିରୁଦ୍ଧରେ, ଅତୀତର କୃତିତ୍ୱ ଅପେକ୍ଷା ବେଶୀ ଅମାପ ବ୍ୟର୍ଥତାର ପ୍ରତିଧ୍ୱନି ।’’ ଆପଣ ବୋଧହୁଏ ମତେ କ୍ଲାମ ପାଖରୁ ଦୂରେଇ ନେବାକୁ ଚାହାଁନ୍ତି ? ହେ ଭଗବାନ-।’’ ଝିଅଟା ତାଳି ମାରିଲା । ‘‘ତମେ ମୋ ମନ କଥା ଠିକ୍‌ ଧରିଚ, ‘‘କେ, କହିଲା, ସତେ ଯେମିତି ସେ ଏତେ ଅବିଶ୍ୱାସରେ କ୍ଲାନ୍ତ ହୋଇ ପଡ଼ିଲାଣି, ‘‘ମୋର ଗୋପନ ଇଚ୍ଛା ଠିକ୍‌ ସେଇଆ । ତମେ କ୍ଲାମକୁ ଛାଡ଼ି ମୋ’’ ପ୍ରେମିକା ହେବା ଉଚିତ । ଏବଂ ବର୍ତ୍ତମାନ ମୁଁ ଯାଉଚି ଓଲ୍‌ଗା ! ସେ ପାଟିକଲା-। ‘‘ଏଥର ଆମେ ଘରକୁ ଯିବା ।’’ ବାଧ୍ୟ ଝିଅଟି ଭଳି ଓଲ୍‌ଗା ମଦ ପିମ୍ପା ଉପରୁ ଓହ୍ଲାଇ ଆସିଲା କିନ୍ତୁ ତା’ ଚାରିକଡ଼ରେ ଘେରି ରହିଥିବା ସାଙ୍ଗମାନଙ୍କ କବଳରୁ ହଠାତ୍‌ ବାହାରି ଆସି ପାରିଲା ନାହିଁ-। ତା’ପରେ ଫ୍ରୀଡ଼ା କେ. ଆଡ଼କୁ ଆକ୍ରମଣାତ୍ମକ ଦୃଷ୍ଟିରେ ଅନାଇଁ ନୀଚା ଗଳାରେ କହିଲା, ‘‘ପୁଣି କେବେ ଆପଣଙ୍କ ସାଙ୍ଗରେ କଥାବାର୍ତ୍ତା ହେବ ?’’ ‘‘ମୁଁ ଏଠି ରାତିଟା କଟାଇ ପାରେ କି ?’’ କେ. ପଚାରିଲା । ‘‘ହଁ’’ ଫ୍ରୀଡ଼ା ଉତ୍ତର ଦେଲା । ‘‘ମୁଁ ଏବେ ରହି ଯାଇଁ ପାରିବି ? ‘‘ଆଗେ ଓଲ୍‌ଗା ସାଙ୍ଗରେ ବାହାରି ଯାନ୍ତୁ, ତା’ ହେଲେ ଯାଇ ମୁଁ ଅନ୍ୟ ସମସ୍ତଙ୍କୁ ଏଠୁ ନିକାଲି ଦେଇ ପାରିବି-। ତା’ର ଅଳ୍ପ ସମୟ ପରେ ଆପଣ ଫେରି ଆସିବେ ।’’ ‘‘ଠିକ୍‌ ଅଛି,’’ କେ. କହିଲା ଏବଂ ଓଲ୍‌ଗା ପାଇଁ ଅଧୈର୍ଯ୍ୟ ହୋଇ ଅପେକ୍ଷା କଲା । କିନ୍ତୁ ଚାଷୀ ଲୋକ ଗୁଡ଼ାକ ଓଲ୍‌ଗାକୁ ଛାଡ଼ୁ ନଥାନ୍ତି, ସେମାନେ ଗୋଟାଏ ନାଚର ଆୟୋଜନ କଲେ ଯେଉଁଥିରେ ମୁଖ୍ୟ ଭୁମିକା ଥିଲା ଓଲ୍‌ଗାର । ସେମାନେ ସମସ୍ତେ ଏକାଠି ଚିତ୍‌କାରକରି ତା’ ଚାରି ପାଖରେ ଘୂରୁଥାନ୍ତି ଏବଂ ବାରମ୍ୱାର ଜଣେ ଲେଖାଏ ଘେର ଭିତରୁ ବାହାରି ଆସେ; ଓଲ୍‌ଗାକୁ ତା’ ଅଣ୍ଟା ପାଖରେ ଜୋର୍‌ରେ ଜାବୁଡ଼ି ଧରେ ଏବଂ ତା’କୁ ଘୂରାଏ । ନାଚର ଗତି ଆସ୍ତେ ଆସ୍ତେ କ୍ଷିପ୍ର ହେଉଥାଏ, ଚିତ୍‌କାର ଅଧିକ ତୀବ୍ର ହେଉଥାଏ, କ୍ଷୁଧାର୍ତ୍ତ ହେଉଥାଏ, ସେମାନଙ୍କର ପାଗଳ ପାଟି ତୁଣ୍ଡ ଗୋଟାଏ ଅଖଣ୍ଡ ଚିତ୍‌କାରରେ ପରିଣତ ହେଲା ପର୍ଯ୍ୟନ୍ତ । ଓଲ୍‌ଗା ହସି ହସି ବାହାରିଥିଲା ଘେର ଭିତରୁ ଖସି ଆସିବାକୁ କିନ୍ତୁ ବର୍ତ୍ତମାନ ସେ ଖୋଲା ବାଳ ଉଡ଼ାଇ ଏ ପୁରୁଷ ପାଖରୁ ସେ ପୁରୁଷ ପାଖକୁ ଫିଙ୍ଗି ହେଲା ପରି ଚାଲି ଯାଉଥିଲା । ‘‘ଏଇ ଲୋକ ଗୁଡ଼ାକକର ଦାୟିତ୍ୱ ଦିଆ ହୋଇଚି ମୋ’ ଉପରେ’’ ଫ୍ରୀଡ଼ା କହିଲା, ଘଣାରେ ତା’ ପାତଳା ଓଠ କାମୁଡ଼ି କାମୁଡ଼ି । ‘‘ଏମାନେ କିଏ ?’’ କେ. ପଚାରିଲା । ‘‘କ୍ଲାମ୍‌ଙ୍କର ଚାକର ବାକର’’ ଫ୍ରୀଡ଼ା କହିଲା, ସେ ଏମାନଙ୍କୁ ସବୁବେଳେ ସାଙ୍ଗରେ ଧରି ଆସିବେ ଏବଂ ଏମାନେ ମୋ’ ମୁଣ୍ଡ ଖରାପ କରିବେ । ମୁଁ ଆପଣଙ୍କୁ କ’ଣ କହିଥିଲି ଆଉ ମୋର ମନେ ପଡ଼ୁନି, କିନ୍ତୁ ମୁଁ ଯଦି ଆପଣଙ୍କୁ ଆଘାତ ଦେଇଥାଏ ମତେ ଦୟାକରି କ୍ଷମା କରିବେ । ସବୁ ଏଇ ଲୋକ ଗୁଡ଼ାକର ଦୋଷ, ମୋ’ ଜଣାରେ ଏମାନେ ହେଉଚନ୍ତି ସବୁଠୁ ବେଶୀ ଘୃଣ୍ୟ ଓ ବିଭତ୍ସ ଲୋକ, ଏବଂ ମତେ ସେମାନଙ୍କର ଗ୍ଲାସରେ ବିୟର ଢାଳି ଭର୍ତ୍ତି କରିବାକୁ ପଡ଼ୁଚି । କେତେଥର ମୁଁ କ୍ଲାମ୍‌ଙ୍କୁ କହିଲଣି ଯେ ଏମାନଙ୍କୁ ସାଙ୍ଗରେ ନଆଣନ୍ତୁ । ମତେ ଅବଶ୍ୟ ଅନ୍ୟ ଭଦ୍ରଲୋକ ମାନଙ୍କ ଚାକର ବାକରଙ୍କ ସାଙ୍ଗରେ ଚଳିବାକୁ ପଡ଼େ । କିନ୍ତୁ କ୍ଲାମ୍‌ ନିଶ୍ଚୟ ମୋ ଅବସ୍ଥାଟିକି ଭାବି ପାରନ୍ତେ-। କିନ୍ତୁ କିଛି ଲାଭ ହେଇନି । ସେ ଆସି ପହଞ୍ଚିବାର ଘଣ୍ଟାକୁ ଆଗରୁ ଏମାନେ ଗାଈ ଗୋରୁ ଗହାଳକୁ ପଶିଲା ଭଳି ଏଠିକି ମାଡ଼ି ଆସିବେ । କିନ୍ତୁ ବର୍ତ୍ତମାନ ସେମାନେ ପ୍ରକୃତରେ ଚାଲିଯିବା ଉଚିତ ନିଜ ନିଜ ଗୁହାଳକୁ, ଯୋଉଁଠି ସେମାନେ ରହନ୍ତି । ଆପଣ ଯଦି ଏଠି ନଥାନ୍ତେ ମୁଁ ଏ ଦୁଆରଟା ଖୋଲି ପକାନ୍ତି ଓ କ୍ଲାମ୍‌ ବାଧ୍ୟ ହୁଅନ୍ତେ ନିଜେ ଏମାନଙ୍କୁ ତଡ଼ି ଦେବାକୁ ।’’ ‘‘ସେ କ’ଣ ଏମାନଙ୍କ ପାଟି ତୁଣ୍ଡ ଶୁଣି ପାରନ୍ତିନି, ତା’ ହେଲେ ? ‘‘କେ. ପଚାରିଲା । ‘‘ନା’’ ଫ୍ରୀଡ଼ା କହିଲା, ‘‘ସେ ଶୋଇ ପଡ଼ିଛନ୍ତି ।’’ ‘‘ଶୋଇ ପଡ଼ିଚନ୍ତି ?’’ କେ.ବଡ଼ ପାଟିରେ କହିଲା । ‘‘କିନ୍ତୁ ମୁଁ କଣା ବାଟେ ଚାହିଁଲା ବେଳକୁ ସେ ଚେଁଇଥିଲେ ଓ ଟେବୁଲ ପାଖରେ ବସିଥିଲେ । ‘‘ସେ ସବୁବେଳେ ସେମିତି ବସିଥାନ୍ତି ଫ୍ରୀଡ଼ା କହିଲା, ‘‘ଆପଣ ଦେଖିଲା ବେଳେକୁ ସେ ଶୋଇଥିଲେ । ସେ ନ ଶୋଇଥିଲେ କ’ଣ ମୁଁ ଆପଣଙ୍କୁ ଅନାଇଁବାକୁ ଦେଇଥାନ୍ତି ? ସେ ସେମିତି ହିଁ ଶୁଅନ୍ତି, ଭଦ୍ର ଲୋକମାନେ ବହୁତ ଶୁଅନ୍ତି, କଥାଟା ବୁଝିବା ସତରେ କଷ୍ଟ । ସେ ଯା’ ହେଉ, ସେ ଯଦି ଏତେ ଶୋଉ ନ ଥାନ୍ତେ, ତାଙ୍କ ଚାକର ବାକରଙ୍କ ସାଙ୍ଗରେ ସେ ଚଳି ପାରନ୍ତେ ନାଇଁ । ‘‘ସେ ଘର କଣରୁ ଗୋଟିଏ କୋରଡ଼ା ଆଣିଲା ଏବଂ ଏକାଡ଼ିଆଁ କେ ନାଚୁଥିବା ଲୋକଙ୍କ ଘେର ଭିତରକୁ ପଶିଗଲା, ସାମାନ୍ୟ ଅନିଶ୍ଚିତ ଭାବରେ ଯେମିତି ଗୋଟିଏ ମେଣ୍ଢା ଛୁଆ ଡେଇଁବ । ପ୍ରଥମ ସେମାନେ ତା’କୁ ଚାହିଁଲେ, ସତେ ଯେମିତି ସେ ନୂଆ କରି ନାଚରେ ଅଂଶ ଗ୍ରହଣ କରିବାକୁ ଆସିଛି, ଏବଂ ପ୍ରକୃତରେ ମୁହୂର୍ତ୍ତକ ପାଇଁ ଫ୍ରୀଡ଼ା କୋରଡ଼ାଟା ପକାଇ ଦେବାକୁ ଚାହୁଁଛି ବୋଲି ମନେ ହେଲା, କିନ୍ତୁ ପୁଣି ସେ କୋରଡ଼ା ଉଁଚାଇ ପାଟି କଲା, ‘‘କ୍ଲାମ୍‌ଙ୍କ ଆଦେଶ, ଚାଲ ସମସ୍ତେ, ଚାଲ ଚାଲ, ଘରକୁ ଯାଅ । ‘‘ସେମାନେ ଯେତେବେଳେ ଦେଖିଲେ ଯେ ଫ୍ରୀଡ଼ା ପ୍ରକୃତରେ ସେମାନଙ୍କୁ ତଡ଼ୁଛି, ସେମାନେ ପଛ ପଟ କାନ୍ଥ ଆଡ଼କୁ ମାଡ଼ି ଚାଲିଲେ ଏମିତି ଏକ ଭୟର ଯାହାକି କେ ବିଶ୍ୱାସ କରି ପାରିଲା ନାହିଁ । ପ୍ରଥମ କେତେଜଣଙ୍କ ଧକ୍‌କାରେ ଗୋଟିଏ କବାଟ ଖୋଲିଗଲା । ରାତିର ପବନ ହାବୁକାଏ ପଶି ଆସିଲା, ଏବଂ ସେମାନେ ସମସ୍ତେ ବାହାରେ ଅଦୃଶ୍ୟ ହୋଇଗଲେ ଫ୍ରୀଡ଼ା ସେମାନଙ୍କ ପଛେ ପଛେ ସେମାନଙ୍କୁ ଘଉଡ଼ାଇ ଦେଉଥାଏ ଅଗଣା ସେ ପାଖରେ ଥିବା ଛୋଟ ଘର ଗୁଡ଼ାକ ଆଡ଼କୁ ।

 

ହଠାତ୍‌ ସବୁ ଚୁପ୍‌ଚାପ ହୋଇଗଲା ଏବଂ କେ. ବାହାର ଘରେ ପାଦ ଶବ୍ଦ ଶୁଣି ପାରିଲା-। କେଉଁ ଯାଗାଟା ତା’ ପାଇଁ ଠିକ୍‌ ହେବ ତା’ କିଛିଟା ଧାରଣା କରି ନେଇ କେ. ବାର୍‌ କାଉଣ୍ଟର ପଛକୁ ଖସି ପଳାଇଲା । ରୁମ ଭିତରେ ସେଇ ଗୋଟିକ ଯାଗା ତା’କୁ କିଛିଟା ନିରାପଦ ମନେ ହେଲା । ବାର୍‌ ଭିତରକୁ ଆସିବା ପାଇଁ ତା’ର ନିଶ୍ଚୟ ଅଧିକାର ଅଛି, କିନ୍ତୁ ଯେହେତୁ ତା’ର ସେଠି ରାତିଟା କଟାଇବାର କଥା, ତା’କୁ କେହି ନ ଦେଖିବା ଉଚିତ । ତେଣୁ ଦୁଆରଟା ଯେତେବେଳେ ପ୍ରକୃତରେ ଖୋଲିଗଲା, ସେ କାଉଣ୍ଟର ତଳେ ପଶିଗଲା । ସେଠି ଲୁଚିଥିବା ଅବସ୍ଥାରେ ସେ ଧରା ପଡ଼ିଲେ ବିପଦ ଅଛି ନିଶ୍ଚୟ, ତଥାପି ସେ ବିଶ୍ୱାସ ଯୋଗ୍ୟ ଭାବରେ ବୁଝାଇ ଦେଇପାରେ ଯେ ଚାଷୀ ଲୋକ ଗୁଡ଼ାଙ୍କର ଉତ୍‌ପାତରୁ ରକ୍ଷା ପାଇବାକୁ ସେ ସେଠି ଲୁଚିଥିଲା । ହୋଟେଲ ମାଲିକ ପଶି ଆସିଲା । ‘‘ଫ୍ରୀଡ଼ା,’’ ସେ ଡାକିଲା, ଏବଂ ରୁମ୍‌ରେ ଏ ମୁଣ୍ଡରୁ ସେ ମୁଣ୍ଡ କେତେଥର ବୁଲିଗଲା-

 

ସୌଭାଗ୍ୟକୁ ଫ୍ରୀଡ଼ା ଶୀଘ୍ର ଫେରି ଆସିଲା, ସେ କେ. କଥା ଉଠାଇଲା ନାହିଁ, କେବଳ ଚାଷୀ ଲୋକ ଗୁଡ଼ାଙ୍କ ବିରୁଦ୍ଧରେ ଅଭିଯୋଗ କଲା, ଏବଂ କେ. କୁ ଖୋଜିବାକୁ ଏଣେତେଣେ ଚାହିଁ କାଉଣ୍ଟର ପଛକୁ ଗଲା, ଫଳରେ କେ. ତା’ର ପାଦ ଛୁଇଁ ପାରିଲା । ସେଇ ମୁହୂର୍ତ୍ତକରୁ ସେ ନିଜକୁ ନିରାପଦ ମଣିଲା । ଫ୍ରୀଡ଼ା ଯେ ହେତୁ କେ କଥା ମୋଟେ ଉଠାଇଲା ନାହିଁ, ମାଲିକ ତା’’ କଥା ପଚାରିବାକୁ ବାଧ୍ୟ ହଲା । ‘‘ଆଉ, ଅମିନ ବାବୁଟା କୁଆଡ଼େ ଗଲା ? ‘‘ସେ ପଚାରିଲା ସେ ବୋଧେ ବେଶ୍‌ ଭଦ୍ର ସ୍ୱଭାବର ଲୋକ, ତା’ଠାରୁ ଉପରିଷ୍ଟ ଲୋକମାନଙ୍କ ସାଙ୍ଗରେ ନିୟମିତ କିଛିଟା ସ୍ୱାଧିନ ଭାବରେ ଚଳପ୍ରଚଳ କରି ତା’ ଆଚାର ବ୍ୟବହାର ଶୁଦ୍ଧ ହୋଇଛି । କିନ୍ତୁ ଫ୍ରୀଡ଼ା ସାଙ୍ଗରେ କଥାବାର୍ତ୍ତାରେ ତା’ସ୍ୱରରେ ଉଲ୍ଲେଖ ଯୋଗ୍ୟ ଦରଦ ଥିଲା । ଏହା ଖୁବ୍‌ ଷ୍ପଷ୍ଟ ଭାବରେ ଜଣା ପଡ଼ୁଥିଲା, କାରଣ ତା’ କଥାବାର୍ତ୍ତା ଥିଲା ଜଣେ ମାଲିକର ତା’ ଚାକର ସାଙ୍ଗରେ କଥାବାର୍ତ୍ତା, ତା’ ପୁଣି ଜଣେ ଅମାନିଆଁ ଚାକର ସାଙ୍ଗରେ । ‘‘ଅମିନବାବୁ-ମୁଁ ତ ତାଙ୍କ କଥା ଭୁଲି ଯାଇଛି, ‘‘ଫ୍ରାଡ଼ା କହିଲା, କେ. ର ଛାତି ଉପରେ ତା’ର ଛୋଟ ପାଦ ପକାଇ ।’’ ସେ ନିଶ୍ଚୟ କେତେବେଳୁ ପଳାଇ ଯିବେଣି ।’’ ‘‘କିନ୍ତୁ ମୁଁ ତାକୁ ଦେଖିନି,’’ ମାଲିକ କହିଲା, ‘‘ମୁଁ ତ ସବୁବେଳେ ହଲ୍‌ ଭିତରେ ଅଛି ।’’ ‘‘ସେ ଏଠି ନାହାନ୍ତି,’’ ନିରାସକ୍ତ ଭାବରେ କହିଲା ଫ୍ରୀଡ଼ା । ‘‘ବୋଧେ ସେ କୋଉଠି ଲୁଚିଚି,’’ ମାଲିକ କହି ଚାଲିଲା । ‘‘ମୋର ଯା’ ଧାରଣା ସେ ବହୁତ କିଛି କରିପାରେ ।’’ ‘‘ଲୁଚି ଯିବାକୁ ତାଙ୍କର ସାହସ ହେବନି,’’ ଫ୍ରୀଡ଼ା କହିଲା କେ ଉପରେ ତା’ ପାଦ ଚାପି । ତା’ ଚାଲି ଚଳନରେ ଗୋଟାଏ ଖୁସ୍‌ମିଜାଜ ଓ ସ୍ୱାଧୀନତା ଥିଲା ଯାହାକି କେ. ଆଗକୁ ଲକ୍ଷ୍ୟ କରି ନଥିଲା, ଏବଂ ହଠାତ୍‌ ତାହା ବ୍ୟକ୍ତିତ୍ୱକୁ ଅଧିକାର କରିନେଲା । କାରଣ ହଠାତ୍‌ ସେ ହସି ପକାଇ ତଳେ କେ. ଉପରକୁ ନଇଁ ପଡ଼ିଲା ଏବଂ କହିଲା ‘‘ବୋଧେ ସେ ଏଇଠି ଲୁଚିଚନ୍ତି ।’’ ତା’କୁ ଆସ୍ତେ ଗେଲ କରିଦେଲା ଏବଂ ପୁଣି ଉଠି ଠିଆ ହୋଇପଡ଼ିଲା ଓ ସାମାନ୍ୟ ବିବ୍ରତ ସ୍ୱରରେ କହିଲା, ‘‘ନା, ସେ ଏଠି ନାହାନ୍ତି-।’’ ତା’ପରେ ହୋଟେଲ୍‌ ମାଲିକ ମଧ୍ୟ କେ: କୁ ଆଶ୍ଚର୍ଯ୍ୟାନ୍ୱିତ କରିଦେଲା ଯେତେବେଳେ ସେ କହିଲା, ‘‘ସେ ଗଲାଣି କି ନାହିଁ ଠିକ୍‌ ଜାଣି ପାରୁନଥିବାରୁ ମତେ ବ୍ୟସ୍ତ ଲାଗୁଚି । ଖାଲି କ୍ଲାମ୍‌ ସାହେବଙ୍କ ପାଇଁ ନୁହ, ହୋଟେଲ୍‌ର ନିୟମ କାନୁନ୍‌ ଦୃଷ୍ଟିରୁ । ଏବଂ ସେ ନିୟମ କାନୁନ ମୋ ପ୍ରତି ଯେମିତି ତମ ପ୍ରତି ବି ସେମିତି ଲାଗୁ ଫ୍ରୀଡ଼ା ଦେବୀ । ‘‘ହଁ, ତମେ ଯଦି କହୁଚ ସେ ବାର୍‌ ଭିତରେ ନାଇଁ । ମୁଁ ଯାଉଚି ଅନ୍ୟ ରୁମ୍‌ ଗୁଡ଼ାକ ଖୋଜିବ ଶୁଭରାତ୍ରି ! ଥା !’’ ସେ ରୁମ୍‌ ଭିତରୁ ବାହାରିଛି କି ନାହିଁ ଫ୍ରୀଡ଼ା ଲାଇଟ୍‌ ଲିଭାଇ ଦେଇ କାଉଣ୍ଟର ତଳେ କେ: ପାଖକୁ ଯାଇ ଫିସ୍‌ ଫିସ୍‌ କରି କହିଲା, ‘‘ମୋ ଧନ, ମୋ ଧନ,’’ କିନ୍ତୁ ସେ କେ. କୁ ଛୁଇଁଲା ନାହିଁ । ପ୍ରେମରେ ମୂର୍ଚ୍ଛା ହେଲା ପରି ସେ ଚିତ୍‌ ହୋଇ ଶୋଇଲା ଓ ଦୁଇ ହାତ ଲମ୍ୱାଇ ଦେଲା । ସୁଖ ଆଶାରେ ସମୟ ନିଶ୍ଚୟ ଅସରନ୍ତି ମନେ ହୋଇଥିବ, ଏବଂ ଏଣୁ ତେଣୁ ଗୀତ ପଦେ ଗାଇବା ବଦଳରେ ସେ ଦୀର୍ଘ ନିଶ୍ୱାସ ମାରିଲା ।’ ତା’ପରେ କେ. ତା’ ଭାବନାରେ ସେମିତି ମଜ୍ଜି ରହିଥାଏ–ସେ ଚିହିଁକି ଉଠି ପଡ଼ିଲା ଏବଂ ଛୁଆଙ୍କ ପରି କେ. କୁ ଟଣା ଓଟରା କଲା ‘‘ଆସନ୍ତୁ, ଏଇ ଯାଗାଟି କି ଉଶୁମ !’’ ଦୁହେଁ ପରସ୍ପରକୁ ଆଲିଙ୍ଗନ କଲେ, କେ. ର ହାତକୁ ତା’ର ଛୋଟ ଦେହଟି ତତାଇ ଦେଲା, ଏକ ପ୍ରକାର ଅଚେତନ ଅବସ୍ଥାରେ-। କେ. ସେ ଅବସ୍ଥାକୁ ଅତିକ୍ରମ କରିବାକୁ ବାରମ୍ୱାର ଚେଷ୍ଟା କଲା କିନ୍ତୁ ପାରିଲା ନାହିଁ । ସେମାନେ ସାମାନ୍ୟ ଦୂରକୁ ଗଡ଼ିଗଲେ ଏବଂ କ୍ଲାମ୍‌ର ଦୁଆର ଦେହରେ ବାଡ଼େଇ ହୋଇଗଲେ । ସେଠି ସେ ଦୁହେଁ ଏଠି ସେଠି ଛାଡ଼ି ଯାଇଥିବା ବିୟର ଓ ଅନ୍ୟାନ୍ୟ ଅଳିଆ ଭିତରେ ପଡ଼ି ରହିଲେ-। ଘଣ୍ଟା ପରେ ଘଣ୍ଟା ଅତିକ୍ରାନ୍ତ ହୋଇଗଲା, ଦୁହେଁ ଗୋଟିଏ ନିଃଶ୍ୱାସ ନେଉଥାନ୍ତି, ଦୁଇ ହୃତ୍‌ପିଣ୍ଡ ଏକ ହୋଇ ଧପ୍‌ ଧପ୍‍ ହେଉଥାନ୍ତି । କେ.ର ବାରମ୍ୱାର ଧାରଣା ହେଉଥାଏ ଯେ ସେ ନିଜକୁ ହରାଇ ଦେଉଛି, କିମ୍ୱା ଗୋଟିଏ ଅଚିହ୍ନା ରାଜ୍ୟକୁ ଚାଲି ଯାଉଛି । ମଣିଷ ଦେଖିଥିବା ସବୁ ରାଜ୍ୟ ଠାରୁ ଅନେକ ଦୂରରେ, ଏମିତି ଗୋଟିଏ ରାଜ୍ୟକୁ ଯେଉଁଠାରେ ପବନ ମଧ୍ୟ ତା’ର ପରିଚିତ ପୃଥିବୀର ପବନ ଠାରୁ ପୂରା ଭିନ୍ନ, ଯେଉଁଠି ଖାଲି ଆଶ୍ଚର୍ଯ୍ୟ ଘଟଣା ଦେଖି ଦେଖି ଜଣେ ମରି ଯାଇପାରେ । କିନ୍ତୁ ସେ ରାଜ୍ୟର ମୋହିନୀ ଶକ୍ତି ଏମିତି ଯେ ଜଣେ କେବଳ ତା’ ଭିତରକୁ ଭିତରକୁ ପଶି ଚାଲିଥିବ ଏବଂ ନିଜକୁ ବେଶୀ ବେଶୀ ହରାଇ ବସୁଥିବ । ତେଣୁ କ୍ଲାମ୍‌ଙ୍କ ରୁମ୍‌ରୁ ଯେତେବେଳେ ଗୋଟିଏ ଗଭୀର, ଅଧିକାରପୂର୍ଣ୍ଣ, ନୈବ୍ୟତ୍ରିକ ସ୍ୱର ଫ୍ରୀଡ଼ାକୁ ଡାକିଲା କେ. ଆଶ୍ଚର୍ଯ୍ୟ ଚକିତ ହେଲାନାହିଁ, ବରଂ ଏକ ପ୍ରକାର ଅସ୍ପଷ୍ଟ ସାନ୍ତ୍ୱନା ଅନୁଭବ କଲା । ‘‘ଫ୍ରୀଡ଼ା’’, କେ. ଫ୍ରୀଡ଼ାକୁ ଫିସ୍‌ ଫିସ୍‌ କରି କହିଲା, କିଏ ଡାକୁଛି ବୋଲି ଜଣାଇ । ଆଜ୍ଞବହତାର ଏକ ପ୍ରକାର ଯାନ୍ତ୍ରିକ ପ୍ରବୃତ୍ତିରେ ଫ୍ରୀଡ଼ା ଚମକି ଉଠି ଠିଆ ହେଲା, ତା’ପରେ ତାର ମନେ ପଡ଼ିଲା ସେ କେଉଁଠି ଅଛି, ସେ ଅଳସ ଭାଙ୍ଗିଲା, ଚୁପ୍‌ଚାପ ହସିଲା ଏବଂ କହିଲା, ‘‘ମୁଁ ଯିବିନି, ମୁଁ ଆଉ କେବେ ତାଙ୍କ ପାଖକୁ ଯିବିନି ।’’ କେ. ଆପତ୍ତି କରିବାକୁ ଚାହିଁଲା, ତା’କୁ କ୍ଲାମ୍‌ ପାଖକୁ ଯିବା ପାଇଁ ପ୍ରବର୍ତ୍ତାଇବାକୁ ଚାହିଁଲା । ଏବଂ ତାର ଅସ୍ତବ୍ୟସ୍ତ ବ୍ଲାଉଜର ବୋତାମ ଦେଲା, କିନ୍ତୁ ସେ କିଛି କହିବା ଅବସ୍ଥାରେ ନଥିଲା, ଫ୍ରୀଡ଼ାକୁ ଛାତିରେ ଭିଡ଼ ଧରି ସେ ଖୁବ୍‌ ସୁଖ ଅନୁଭବ କରୁଥିଲା, ସେଇ ମୁଖ ଭିତରେ ବି ବିବ୍ରାତ ବୋଧ କରୁଥିଲା, କାରଣ ତା’ର ମନେ ହେଉଥାଏ ଯେ ଫ୍ରୀଡ଼ାକୁ ଯିବାକୁ ଦେଲେ ସେ ତା’ର ସବୁ କିଛି ହରାଇ ବସିବ । ଏବଂ ତା’ର ସମର୍ଥନ ତା’କୁ ବଳ ଦେଇଛି ଯେମିତି, ସେଇ ଭାବରେ ଫ୍ରୀଡ଼ା ହାତ ମୁଠା କଲା ଓ ଦୁଆର ବାଡ଼େଇ ପାଟି କଲା । ‘‘ମୁଁ ଅମିନ ବାବୁଙ୍କ ସାଙ୍ଗରେ ଅଛି !’’ ଯେମିତି ହେଉ କ୍ଲାମ୍‌ ଚୁପ୍‌ ହୋଇଗଲେ, କିନ୍ତୁ କେ. ଚମକି ଉଠିଲା, ଏବଂ ଫ୍ରୀଡ଼ା ପାଖରେ ଆଣ୍ଠେଇ ଭୋର୍‌ର ଅନିର୍ଦ୍ଦିଷ୍ଟ ଆଲୁଅରେ ଚାରି ଆଡ଼କୁ ଅନାଇଁଲା । କ’ଣ ହେଲା ? ତା’ ଆଶା ଆକାଂକ୍ଷା ସବୁ କୁଆଡ଼େ ଗଲା ? ବର୍ତ୍ତମାନ ସେ ଫ୍ରୀଡ଼ାଠୁ’ କ’ଣ ଚାହୁଁଛି ଯେ ସେ ଅନ୍ୟ ସବୁ କଥା ଭୁଲି ଯିବ ? ତା’ ଶତ୍ରୁର ଏବଂ ନିଜସ୍ୱ ଆକାଂକ୍ଷାର ଗୁରୁତ୍ୱ ଉପଯୋଗୀ ବ୍ୟାବହାରିକ ବୁଦ୍ଧି ପ୍ରୟୋଗ କରି ଆଗେଇଯିବା ପରିବର୍ତ୍ତେ ସେ ରାତିଟାଏ କଟାଇ ଦେଲା ତଳେ ଜମିଥିବା ବିୟର୍‌ରେ ଘାଣ୍ଟି ହୋଇ, ଯାହାର ଗନ୍ଧ ତା’କୁ ପ୍ରାୟ ବେହୋସ୍‌ କରି ଦେଉଥିଲା, ‘‘ତୁ କ’ଣ କଲୁ ?’’ ସେ ପଚାରିଲା, ସତେ ଯେମିତି ନିଜକୁ । ‘‘ଆମେ ଉଭୟେ ନଷ୍ଟ ହୋଇଗଲେ ।’’ ‘‘ନା,’’ ଫ୍ରୀଡ଼ା କହଲା, ‘‘ଖାଲି ମୁଁ ହିଁ ନଷ୍ଟ ହୋଇଗଲି, କିନ୍ତୁ ମୁଁ ତ ତମକୁ ପାଇଲି । ବ୍ୟସ୍ତ ହୁଅନ୍ତି । କିନ୍ତୁ ଅନା, ଏ ଯୋଡ଼ାକ କେମିତି ହସୁଛନ୍ତି ।’’ ‘‘କିଏ?’’ କେ. ପଚାରିଲା ଏବଂ ବୁଲି ପଡ଼ିଲା । ବାର୍‌ କାଉଣ୍ଟର୍‌ ଉପରେ ତା’ର ସହକାରୀ ଦି’ଜଣ ବସିଥାନ୍ତି, ରାତି ଅନିଦ୍ରାରୁ ଆଖି ଭାରି ଭାରି ଦିଶୁଥାଏ, କିନ୍ତୁ ବେଶ୍‌ ଖୁସି ଦେଖା ଯାଉଥାନ୍ତି । କର୍ତ୍ତବ୍ୟ ପାଳନ କରିଥିବାର ସନ୍ତୋଷ ସେ ଖୁସିରେ ମୂଳରେ ।’’ ତମେ ଦିହେଁ ଏଠି କ’ଣ କରୁଚ ?’’ କେ. ପଚାରିଲା, ସତେ ଯେମିତି ସବୁ କଥା ପାଇଁ ସେମାନେ ଦୋଷୀ । ‘‘ଆପଣଙ୍କୁ ଖୋଜିବାକୁ ପଡ଼ିଲା ଆମକୁ,’’ ସହକାରୀମାନେ ବୁଝାଇଲେ, ‘ଯେହେତୁ ଆପଣ ହୋଟେଲ୍‌କୁ ଫେରିଲେ ନାହିଁ; ଆମେ ବାର୍ଣ୍ଣାବାସ୍‌ ଘରେ ଆପଣଙ୍କୁ ଖୋଜିଲୁ ଏବଂ ଶେଷରେ ଏଇଠି ଆପଣଙ୍କୁ ପାଇଲୁ । ଆମେ ରାତି ସାରା ଏଇଠି ବସିଚୁ । ଇଏ ଭାରି କଷ୍ଟ କାମ-।’’ ‘‘ଦିନ ବେଳା ହିଁ ତମ ପାଖରେ ମୋର କାମ, କେ. କହିଲା, ରାତିରେ ନୁହ, ପଳା ଏଠୁ-। ‘‘କିନ୍ତୁ ଏବେ ତ ଦିନ ହେଲାଣି,’’ ସେଠୁ ନ ଘୁଞ୍ଚି ସେମାନେ କହିଲେ । ପ୍ରକୃତରେ ଦିନ ହୋଇ ସାରି ଥାଏ, ଅଗଣା ପଟ କବାଟ ସବୁ ଖୋଲା ହୋଇ ଯାଇଥାଏ । ଚାଷୀ ଲୋକ ଗୁଡ଼ାକ ଭିତରକୁ ପଶି ଆସିଲେ ସେମାନଙ୍କ ସାଙ୍ଗରେ ଓଲ୍‌ଗା, ଯାହା କଥା କେ: ପୂରାପୂରି ଭୁଲି ଯାଇଥିଲା-। ତା’ବାଳ ଓ ଲୁଗାପଟା ଯଦିଓ ଅସ୍ତବ୍ୟସ୍ତ ହୋଇଯାଇଥାଏ, ଓଲ୍‌ଗା ପୂର୍ବ ଦିନ ସନ୍ଧ୍ୟାରେ ଯେମିତି ସେମିତି ଚଞ୍ଚଳ ଥାଏ । ସେ ଏରୁଣ୍ଡିବନ୍ଧ ଟପୁଣୁ ତା’ ଦୃଷ୍ଟି କେ. ଆଡ଼କୁ ଦୌଡ଼ିଗଲା । ‘‘ଆପଣ କାହିଁକି ମୋ ସାଙ୍ଗରେ ଘରକୁ ଆସିଲେ ନି ?’’ ସେ ପଚାରିଲା, ପ୍ରାୟ କାନ୍ଦ କାନ୍ଦ ହୋଇ । ‘‘ତାଭଳ ମାଇକିନିଆଟେ ଲାଗି !’’ ସେ ତାପରେ କହିଲା ଏବଂ କଥାଟା ବାରମ୍ୱାର ଦୋହରାଇଲା ଫ୍ରୀଡ଼ା, ଯେକି ମୁହୂର୍ତ୍ତକ ପାଇଁ ଅଦୃଶ୍ୟ ହୋଇ ଯାଇଥିଲା, ଗୋଟିଏ ଛୋଟ ଲୁଗା ଗଣ୍ଠିଲି ଧରି ଫେରିଲା, ଏବଂ ଓଲ୍‌ଗା ବିମର୍ଶ ମୁହଁରେ ଗୋଟିଏ ପାଖକୁ ଘୁଞ୍ଚିଗଲା । ‘‘ଏବେ ଆମେ ଚାଲିଯିବା,’’ ଫ୍ରୀଡ଼ା କହିଲା, ଏ କଥା ସ୍ପଷ୍ଟ ଜଣାପଡ଼ୁଥିଲା ଯେ ସେ ପୋଲ ପାଖ ହୋଟଲକୁ ଫେରିଯିବାକୁ କହୁଥିଲା । କେ. ଫ୍ରୀଡ଼ା ସାଙ୍ଗରେ ଚାଲିଲା, ଏବଂ ସେ ଦୁହିଁଙ୍କ ପଛରେ ସହକାରୀ ଦି’ ଜଣ ଯାକ; ଛୋଟ ଶୋଭାଯାତ୍ରାଟିଏ । ଚାଷୀ ଲେକମାନେ ଫ୍ରୀଡ଼ା ପ୍ରତି ଭୟଙ୍କର ଘୃଣା ପ୍ରଦର୍ଶନ କଲେ । ତାହା ବେଶ୍‌ ବୁଝି ହେଉଥିଲା କାରଣ ଫ୍ରୀଡ଼ା ଏଯାଏଁ ସେମାନଙ୍କୁ ଦୂର ଦୂର ମାର୍‌ ମାର୍‌ କରି ଆସିଛି । ଏପରିକି ସେମାନଙ୍କ ଭିତରୁ ଜଣେ ଗୋଟିଏ ବାଡ଼ି ଧରି ଉଠାଇଲା, ସତେ ଯେମିତି ସେ ଫ୍ରୀଡ଼ାକୁ ଯିବାକୁ ଦେବନାହିଁ । ଫ୍ରୀଡ଼ା ବାଡ଼ିଟାକୁ ଡେଇଁଗଲା ଏବଂ ତାର ଗୋଟାଏ ଚାହାଁଣୀରେ ସେମାନେ ସମସ୍ତେ ଦବିଗଲେ । ସେମାନେ ଯେତେବେଳେ ବାହାରର ବରଫ ଉପରକୁ ଚାଲି ଆସିଲେ କେ. ଟିକିଏ ଅଧିକ ସ୍ୱାଧୀନ ଭାବରେ ନିଃଶ୍ୱାସ ମାରିଲା । ଖୋଲା ପବନକୁ ଚାଲି ଆସିବା ଏତେ ସ୍ୱସ୍ତି ଦାୟକ ହେଲା ଯେ ସେମାନଙ୍କ ଯାତ୍ରା ବହୁତ ସହଜ ହୋଇଗଲା । ସେ ଯଦି ଏକୁଟିଆ ଥାଆନ୍ତା ତା’କୁ ଆହୁରି ଭଲ ଲାଗିଥାନ୍ତା । ସେ ଯେତେବେଳେ ହୋଟେଲ୍‌ରେ ପହଞ୍ଚିଲା, ସିଧା ତା’ ରୁମ୍‌ ଭିତରକୁ ପଶିଗଲା ଓ ଖଟ ଉପରେ ଗଡ଼ି ପଡ଼ିଲା । ଫ୍ରୀଡ଼ା ତଳେ କେ. ଖଟ ପାଖରେ ନିଜ ପାଇଁ ଗୋଟିଏ ଶେଯ ପକାଇଲା । ସହକାରୀ ଦୁଇ ଜଣ ମଧ୍ୟ ଘର ଭିତରକୁ ପଶି ଆସିଥିଲେ, ଏବଂ ସେମାନଙ୍କୁ ତଡ଼ି ଦିଆ ଯିବାରୁ ସେମାନେ ଝରକା ବାଟେ ପୁଣି ଭିତରକୁ ଚାଲିଆସିଲେ । ସେମାନଙ୍କୁ ପୁଣି ଥରେ ତଡ଼ିବା ପାଇଁ କେ.ର ଆଉ ବଳ ନଥିଲା । ହୋଟେଲ୍‌ ମାଲିକାଣୀ ସ୍ୱତନ୍ତ୍ର ଭାବରେ ଫ୍ରୀଡ଼ାକୁ ସମ୍ଭଷଣ କରିବାକୁ ଆସିଲା, ଫ୍ରୀଡ଼ା ତା’କୁ ‘‘ମା’’ ବୋଲି ଡାକିଲା । ସେ ଦୁହିଁଙ୍କର ମିଳନ ରହସ୍ୟମୟ ଭାବରେ ଅନ୍ତରଙ୍ଗ ଥିଲା, ବହୁବାର ଚୁମ୍ୱନ ଓ ଆଲିଙ୍ଗନରେ । ରୁମ୍‌ ଭିତରେ କୌଣସି ପ୍ରକାର ଶାନ୍ତି ମିଳିଲା ନାହିଁ, କାରଣ ହୋଟେଲ୍‌ ପରିଚାରିକାମାନେ ସେମାନଙ୍କର ବୁଟ ପିନ୍ଧି ମଚମଚ ହୋଇ ମାଡ଼ି ଆସିଲେ, ସେମାନେ ଅନେକ ଜିନିଷ ହାତରେ ଧରିଥିଲେ କିମ୍ୱା ଖୋଜୁଥିଲେ । ଏବଂ ଯେତେବେଳେ ସେମାନେ ଖଟ ଉପରେ ପଡ଼ିଥବା ଏଣୁ ଏଣୁ ଜିନିଷ ଭିତରୁ କିଛି ଗୋଟାଏ ଜିନିଷ ଚାହୁଁଥିଲେ, ସେମାନେ କେ. ପିଠିତଳୁ ସେଠାକୁ ଟାଣି ନେଉଥିଲେ । ସେମାନଙ୍କ ଭିତରକୁ ଜଣେ ଭାବରେ ସେମାନେ ଫ୍ରୀଡ଼ାକୁ ସମ୍ଭାଷଣ କଲେ ଏ ସମସ୍ତ ଯିବା ଆସିବା ସତ୍ତ୍ୱେ କେ. ସାରା ଦିନ ଖଟ ଉପରେ ପଡ଼ି ରହିଲା, ସାରା ରାତିଟା ମଧ୍ୟ । ଫ୍ରୀଡ଼ା ତା’ର ଛୋଟ ଛୋଟ କାମ କରି ଦେଉଥାଏ । ତା’ପରଦିନ ସକାଳେ ସେ ଯେତେବେଳେ ଉଠିଲା, ତା’କୁ ବହୁତ ଭଲ ଲାଗୁଥାଏ । ଏବଂ ସେଇଟା ଥିଲା ସେ ଗାଁରେ ସେ ଆସି ପହଞ୍ଚିବାର ଚତୁର୍ଥ ଦିନ ।

 

।। ଚାରି ।।

 

ଫ୍ରୀଡ଼ା ସାଙ୍ଗରେ କିଛିଟା ଅନ୍ତରଙ୍ଗ କଥାବାର୍ତ୍ତା କରିବାକୁ ସେ ସେ ଚାହୁଁଥିଲା । କିନ୍ତୁ ସହକାରୀ ଦୁଇଜଣ ତାଙ୍କର ନିର୍ବୋଧ ଉପସ୍ଥିତି ଦ୍ୱାରା ତାହା କରାଇ ଦେଲେନାହିଁ । ଏବଂ ଫ୍ରୀଡ଼ା ମଧ୍ୟ ସେ ଦୁହିଁଙ୍କ ସାଙ୍ଗରେ ଥରକୁ ଥର ହସି ହସି ଥଟ୍ଟା ତାମସା ହେଲା । ନହଲେ ସେ ଦୁହେଁ ସେମିତି କିଛି ହଇରାଣ କରୁନଥିଲେ । ଘରର ଗୋଟିଏ କଣରେ ତଳେ ଦୁଇଟା ପୁରୁଣା ସ୍କର୍ଟ ବିଛାଇ ସେମାନେ ବସିଥାନ୍ତି । ସେ ଦୁହେଁ ଗୋଟିଏ କଥାକୁ ଭାରି ଜଗିଥାନ୍ତି, ସେକଥା ସେ ଦୁହେଁ ବହୁଥର କହିଲେ, କଥାଟି ହେଲା ସେମାନେ ଅମିନବାବୁଙ୍କୁ ବିରକ୍ତ କରିବେ ନାହିଁ ଏବଂ ଯେତେ କମ୍‌ ଯାଗା ସମ୍ଭବ ସେତିକି ଯାଗାରେ ଚଳିବେ । ଏହା କରିବାକୁ ଯାଇ, ଯଦିଓ ସେ ଦୁହେଁ ବାରମ୍ୱାର ଫିସ୍‌ ଫିସ୍‌ ହେଉଥାନ୍ତି ଓ ହସୁଥାନ୍ତି, ସେମାନେ ଖୁବ୍‌ କମ୍‌ ଯାଗା ଭିତରେ ଜାକି ଜୁକି ହୋଇ ରହୁଥାନ୍ତି, ଏବଂ ଗୋଟିଏ କୋଣରେ ଏମିତି ଜାକିଜୁକି ହୋଇ ବସି ମହଳ ଆଲୁଅରେ ଗୋଟାଏ ବଡ଼ ବୁଜୁଳା ଭଳି ଦିଶୁଥାନ୍ତି । ଦିନର ଆଲୁଅରେ ସେ ଦୁହିଁଙ୍କ ସାଙ୍ଗରେ ତା’ର ଯାହା ଅନୁଭୂତି ସେଥିରୁ କେ. ଭଲଭାବରେ ଜାଣିଥିଲା ଯେ ସେ ଦୁହେଁ ସବୁକଥା ବେଶ ନିରୀକ୍ଷଣ କରି ଦେଖୁଛନ୍ତି ଏବଂ ତା’ଉପରୁ ମୋଟେ ଦୃଷ୍ଟି ଫେରାଉ ନାହାନ୍ତି । ଅନ୍ୟ ଯାହା କରୁଥାନ୍ତୁ ପଛକେ, ପିଲାଙ୍କ ଭଳି ହିଁ ହିଁ ହୁଅନ୍ତୁ ହାତକୁ ଦୂରବୀକ୍ଷଣ ଯନ୍ତ୍ର ଭଳି, କିମ୍ୱା ତା’ ଆଡ଼କୁ ଖାଲି ଅନାଇଁ ଥାନ୍ତୁ ନିଜ ନିଜ ଦାଢ଼ି ସାଉଁଳାଇବାରେ ପୂରାପୂରି ନିମଗ୍ନ ରହି । ଦାଢ଼ି ବିଷୟରେ ସେ ଦୁହେଁ ବହୁତ ଭାବିଥାନ୍ତି, ପରସ୍ପର ଦାଢ଼ିର ଦୈର୍ଘ୍ୟ ଓ ଘନତ୍ୱ ତୁଳନା କରୁଥାନ୍ତି ଏବଂ କୌଣସି ସମସ୍ୟା ଉପୁଜିଲେ ଫ୍ରୀଡ଼ାକୁ ଡାକୁଥାନ୍ତି ସମାଧାନ ପାଇଁ । ସେ ଦୁହିଁଙ୍କର ଏ ମାଙ୍କଡ଼ାମିକୁ କେ. ଅନେକ ସମୟରେ ତା’ ଖଟ ଉପରେ ସମ୍ପୂର୍ଣ୍ଣ ଉଦାସୀନ ଭାବରେ ଲକ୍ଷ୍ୟ କରୁଥାଏ ।

 

ଖଟକୁ ଓହ୍ଲାଇ ଆସିବା ଭଳି ତା’କୁ ଯେତେବେଳେ ଭଲ ଲାଗିଲା, ସେମାନେ ସମସ୍ତେ ଦୌଡ଼ିଲେ ତା’ର ସେବା କରିବାକୁ । ସେମାନଙ୍କ ସେବା ସୁଶ୍ରୁଷାକୁ ଆଡ଼େଇ ଦେଲାଭଳି ବଳ ତା’ର ସେ ଯାଏଁ ହୋଇ ନଥାଏ, ଏବଂ ତେଣୁ ସେ ସେମାନଙ୍କ ଉପରେ ନିର୍ଭର କରିବା ଅବସ୍ଥାରେ ପହଞ୍ଚିଥାଏ । ଏହାର ପରିଣତି ଖରାପ ହୋଇପାରେ କିନ୍ତୁ ସେ ଏ ବିଷୟରେ କିଛି କରିପରିଲା ନାହିଁ । ଫ୍ରୀଡ଼ା ଆଣିଥିବା ସୁନ୍ଦର କଫି ଖାଇବା, ଫ୍ରୀଡ଼ା ଜାଳିଥିବା ନିଆଁରେ ପୋଇଁ ହେବା କିଛି ଖରାପ ଲାଗୁ ନଥିଲା । ନା ଖରାପ ଲାଗୁଥିଲା ସହକାରୀ ଯୋଡ଼ାକୁ ପନ୍ଦର ଥର ଉପର ତଳ ଦଉଡ଼ାଇବାକୁ, ସାବୁନ ପାଣି, ପାନିଆଁ, ଦର୍ପଣ ଏବଂ ଶେଷରେ ଛୋଟ ଗ୍ଲାସେ ରମ୍‌ ଆଣିବାକୁ । ରମ୍‌ ଗ୍ଲାସ୍‌ଟା ପାଇଁ ସେ ଚାପା ଗଳାରେ ସେ ଦୁହିଁଙ୍କୁ କହିଥିଲା । ସେ ସମସ୍ତ ଆଦେଶ ଦେବା ଓ ସେଗୁଡ଼ିକ ପାଳିତ ହେବା ଭିତରେ କେ. କହିଲା-ସେ ଦୁହେଁ ମାନିବେ ବୋଲି ଆଶା କରିବା ନୁହେଁ, ଖାଲି ମଜାରେ-‘‘ତମେ ଦି’ଜଣ ଯାଅ ଏଥର, ଏବେ ଆଉ ମୋର କିଛି ଦରକାର ନାଇଁ, ଏବଂ ମୋର ଫ୍ରୀଡ଼ା ଦେବୀଙ୍କ ସାଙ୍ଗରେ ଏକାନ୍ତରେ କଥାବାର୍ତ୍ତା କରିବାର ଅଛି ।’’ ଏବଂ ସେ ଯେତେବେଳେ ଦେଖିଲା ଯେ ସେ ଦୁହିଙ୍କ ମୁହଁରେ ଏ ଆଦେଶ ଅମାନ୍ୟ କରିବାର କୌଣସି ସୂଚନା ନାହିଁ, ସେ ଆହୁରି କହିଲା ସେ ଦୁହିଙ୍କୁ ସନ୍ତୁଷ୍ଟ କରିବାକୁ ‘‘ଆମେ ତିନି ଜଣ ଯାକ ମିଶି ପରେ ଗାଁରେ ସୁପରିଣ୍ଟେଣ୍ଡେଣ୍ଟ ପାଖକୁ ଯିବା, ତଳେ ବାର୍‌ରେ ମୋ’ ପାଇଁ ଅପେକ୍ଷା କରିବ, ଯାଅ-।’’ ଆଶ୍ଚର୍ଯ୍ୟ କଥା, ସେମାନେ ଆଦେଶ ପାଳନ କଲେ, ଯିବା ଆଗରୁ ବୁଲିପଡ଼ି କେବଳ କହିଲେ, ‘‘ଆମେ ଏଇଠି ଅପେକ୍ଷା କରିପାରନ୍ତୁ । ‘‘କେ, ଉତ୍ତର ଦେଲା, ‘‘ମୁଁ ଜାଣେ, କିନ୍ତୁ ତମେ ଦିହେଁ ଏଇଠି ଅପେକ୍ଷା କରିବା ମୁଁ ଚାହେଁନି ।’’

 

ସହକାରୀ ଦୁହେଁ ଯେମିତି ଚାଲି ଯାଇଛନ୍ତି ଫ୍ରୀଡ଼ା ଆସି କେ.ର ଜଙ୍ଘ ଉପରେ ବସିଲା । କେ:କୁ ବିରକ୍ତ ଲାଗିଲା ତଥାପି ଗୋଟାଏ ଦୃଷ୍ଟିରୁ ଖୁସି ଲାଗିଲା ଯେତେବେଳେ ଫ୍ରୀଡ଼ା କହିଲା: ‘‘ତମେ କ’ଣ ପାଇଁ ସେ ଦିହିଁଙ୍କ ଉପରେ ରାଗୁଚ, ଧନ ? ସେମାନଙ୍କ ଆଗରେ ଆମେ କିଛି ପ୍ରହେଳିକା ରଖିବା ଦରକାର ନାହିଁ । ସେମାନେ ସଚ୍ଚା ବନ୍ଧୁ ।’’ ଓଃ, ସଚ୍ଚା ବନ୍ଧୁ ।’’ କେ କହିଲା, ‘‘ସବୁବେଳେ ମୋ ପଛରେ ଗୁଇଦା ଭଳି ଲାଗିଛନ୍ତି, ତା’ର କିଛି ଅର୍ଥନାହିଁ, କିନ୍ତୁ ଏମିତି ପଛରେ ଲାଗିବା ବଡ଼ କଦର୍ଯ୍ୟ କଥା ।’’ ତମେ କ’ଣ କହିବାକୁ ଚାହୁଁଚ ମୁଁ ବୁଝୁଚି ବୋଲି ମୋର ବିଶ୍ୱାସ,’’ ଫ୍ରୀଡ଼ା କହିଲା ଏବଂ ସେ କେ.ର ବେକ ଜାବୁଡ଼ି ଧରିଲା; ଏବଂ ଅନ୍ୟ କିଛି କଥା କହିବାକୁ ଚେଷ୍ଟା କଲା, କିନ୍ତୁ କହିପାରିଲା ନାହିଁ, ଏବଂ ସେମାନଙ୍କର ଚେୟାର ଯେହେତୁ ଖଟର ଖୁବ୍‌ ପାଖରେ ଥିଲା ଦୁହେଁ ଖଟ ଉପରକୁ ଗଡ଼ିପଡ଼ିଲେ । ସେଠି ସେ ଦୁହେଁ ପଡ଼ି ରହିଲେ । କିନ୍ତୁ ପୂର୍ବ ରାତି କଥା ଭୁଲିଯାଇ ନୁହେଁ । ଇଏ ଖୋଜୁ ଥାଏ ସିଏ ଖୋଜୁଥାଏ, ଦୁହେଁ ଉଚ୍ଚାଟ ହେଲେ, ମୁହଁ ବିକୃତ କଲେ ଏବଂ ପରସ୍ପରର ଛାତି ଭିତରେ ମୁଣ୍ଡଗୁଞ୍ଜିଲେ କିଛି ଖୋଜୁଥିବାର ଉଦ୍‌ବେଗରେ, ଏବଂ ସେ ଦୁହିଁଙ୍କର ଆଲିଙ୍ଗନ ଓ ଉଚାଟ ଅଙ୍ଗଚାଳନା ସେମାନଙ୍କୁ ଭୂଲାଇ ଦେଇ ପାରିଲା ନାହିଁ, କିନ୍ତୁ କେବଳ ସେ ଦୁହେଁ ଯାହା ଖୋଜୁଥିଲେ ତାକୁ ମନେ ପକାଇଦେଲା । କୁକୁର ପ୍ରାଣମୂର୍ଚ୍ଛା ମାଟି ବିଦାରି ପକାଇଲା ପରି ଦୁହେଁ ପରସ୍ପରର ଦେହକୁ ବିଦାରି ପକାଉଥାନ୍ତି, ଏବଂ ଅନେକ ମୁହୂର୍ତ୍ତରେ, ନିରାଶ୍ରୟ ଭାବରେ ବାଉଳା ହୋଇ ସୁଖଲାଭ କରିବାର ଚରମ ଚେଷ୍ଟା କରି ଦୁହେଁ ପରସ୍ପରର ନାକ ଘଷାଘଷି ହେଲେ ଏବଂ ମୁହଁ ଚାଟି ପକାଇଲେ । ପରିଶେଷରେ ଦୁହେଁ କ୍ଲାନ୍ତ ହୋଇ ସ୍ଥିର ହୋଇଗଲେ ଏବଂ ପରସ୍ପର ପରସ୍ପରପ୍ରତି କୃତଜ୍ଞ ରହିଲେ । ତା’ପରେ ପରିଚାରିକାମାନେ ଆସିଲେ । ‘‘ଅନା, ଦିହେଁ କେମିତି ପଡ଼ିଚନ୍ତି ସେଠି, ‘‘ଜଣେ କହିଲା, ଏବଂ ଦୟା ପରବଶ ହୋଇ ଦୁହିଁଙ୍କ ଉପରେ ଗୋଟିଏ ଚାଦର ଘୋଡ଼ାଇ ଦେଲା ।

 

କିଛି ସମୟ ପରେ ଯେତେବେଳେ କେ. ଚଦର ଭିତରୁ ମୁହଁ କାଢ଼ିଲା ଓ ଚାରିଆଡ଼କୁ ଅନାଇଲା. ସେ ଦେଖିଲା-ଏବଂ ଆଶ୍ଚର୍ଯ୍ୟ ହେଲାନାହିଁ-ଯେ ଦୁଇଜଣ ଯାକ ସହକାରୀ ପୁଣି ତାଙ୍କ ଯାଗାକୁ ଫେରି ଆସିଛନ୍ତି । କେ. ଆଡ଼କୁ ଗୋଟିଏ ଆଙ୍ଗୁଠି ଦେଖାଇ ଦୁହେଁ ପରସ୍ପରକୁ ଖେଞ୍ଚିଲେ ଏବଂ କେ.କୁ ସାଲ୍ୟୁଟ୍‌ କଲେ । କିନ୍ତୁ ସେ ଦୁହିଁଙ୍କ ଛଡ଼ା ହୋଟେଲ ମାଲିକାଣୀ ବି ଆସି ଖଟ ପାଖରେ ବସି ଗୋଟିଏ ମୋଜା ବୁଣି ଚାଲିଥିଲା । ତା’ର ବିଶାଳ ବପୁ ଯାହାକି ରୁମ୍‌ଟାକୁ ଅନ୍ଧାର କରି ଦେଉଥିଲା । ସେ ବପୁକୁ ବୁଣିବାଭଳି କ୍ଷୁଦ୍ରାତି କାମଟା ମୋଟେ ମାନୁନଥାଏ । ‘‘ମୁଁ ଏଠିକି କେତେବେଳୁ ଆସିଲିଣି,’’ ସେ କହିଲା, ତାର ଚଉଡ଼ା ଓ ଶିରାଳ ମୁହଁ ଉଠାଇ, ଯେଉଁ ମୁହଁ ସେଯାଏଁ ଗୋଲଥିଲା ଏବଂ ଅତୀତର ସୁନ୍ଦର ଥାଇପାରେ ବୋଲି ମନେ ହେଲା । ତା’ର କଥା ଗାଳି ଭଳି ଶୁଭିଲା, ଅସମୟରେ ଗାଳିଭଳି, କାରଣ ସେ ସେଠାକୁ ଆସୁବୋଲି କେ ଚାହିଁ ନଥିଲା । ତେଣୁ ସେ କଥା ଶୁଣି କେବଳ ମୁଣ୍ଡ ହଲାଇଲା ଏବଂ ଉଠି ବସିଲା । ଫ୍ରୀଡ଼ା ବି ଉଠିଲା, ଏବଂ କେ. ହୋଟେଲ ମାଲିକାଣୀର ଚେୟାର ଉପରକୁ ଝୁଙ୍କିପଡ଼ିଲା । ‘‘ମୋ ସାଙ୍ଗରେ ତମର ଯଦି କଥା ଅଛି’’ କେ: ବାଉଲା ହୋଇ କହିଲା ‘‘ତମେ କ’ଣ ଅପେକ୍ଷା କରି ପାରିବ ନାହିଁ, ମୁଁ ସୁପରିଣ୍ଟେଣ୍ଡଣ୍ଟ୍‌ଙ୍କ ପାଖକୁ ଯାଇ ଫେରିଆସିବା ଯାଏଁ ? ମୋର ତାଙ୍କ ସାଙ୍ଗରେ ବହୁତ ଦରକାରୀ କାମ ଅଛି ।’’ ‘‘ଇଏ ବେଶ୍‌ ଗରୁତ୍ୱପୂର୍ଣ୍ଣ କାମ ଆଜ୍ଞା,’’ ମାଲିକାଣୀ କହିଲା, ‘‘ଆପଣଙ୍କର ଅନ୍ୟ କାମ ଗୋଟିଏ କାମ ମାତ୍ର, କିନ୍ତୁ ଇଏ ଯେ ଜଣେ ଜୀବନ୍ତ ମଣିଷର କଥା-ଫ୍ରୀଡ଼ା, ମୋ’ ପ୍ରିୟ ପରିଚାରିକାର କଥା ।’’ ‘‘ଓଃ, କଥାଟ ଯଦି ସେୟା,’’ କେ. କହିଲା, ‘‘ତାହେଲେ ତମେ ନିଶ୍ଚୟ ଠିକ୍‌ କହୁଚ । କିନ୍ତୁ ମୁଁ ବୁଝିପାରୁନି ଆମକୁ ଆମ ନିଜ କଥା ସମ୍ଭାଳିବାକୁ ଦିଆଯାଉନି କାଇଁକି । ‘‘କାରଣ ମୁଁ ତାକୁ ଭଲପାଏ ଓ ତାର ଭଲମନ୍ଦ ଦେଖେ,’’ ଫ୍ରୀଡ଼ାର ମୁଣ୍ଡ ନିଜ ଆଡ଼କୁ ଟାଣିଆଣି ମାଲିକାଣୀ କହିଲା, କାରଣ ଫ୍ରୀଡ଼ା ଠିଆ ହେଲାବେଳେ ମାଲିକାଣୀର କାନ୍ଧପର୍ଯ୍ୟନ୍ତ ହୁଏ । ‘‘ଫ୍ରୀଡ଼ା ଯେହେତୁ ତମକୁ ଏତେ ବିଶ୍ୱାସ କରେ ।’’ କେ. କହିଲା, ‘‘ମୁଁ ବି ତମ ଉପରେ ଆସ୍ଥା ରଖିବି, ଏବଂ ଫ୍ରୀଡ଼ା ଯେହେତୁ ଅଳ୍ପଦିନ ତଳେ ମୋ’ ସହକାରୀ ମାନଙ୍କୁ ସଚ୍ଚା ବନ୍ଧୁ ବୋଲି କହିଲା ଆମେ ସମସ୍ତେ ପରସ୍ପରର ବନ୍ଧୁ । ତେଣୁ ମୋର କହିବାର କଥା ଏୟା ଯେ ଫ୍ରୀଡ଼ା ଓ ମୁଁ ବାହା ହୋଇଗଲେ ଖୁବ୍‌ ଭଲହେବ, ଯେତେ ଜଲଦି ହେବ ସେତେ ଭଲ । ମୁଁ ଜାଣେ, ହଁ, ମୁଁ ଜାଣେ, ମୋ ଲାଗି ଫ୍ରୀଡ଼ା ଯା’ ସବୁ ହରାଇ ବସିଚି ତା’ ମୁ: ତା’ ପାଇ: ଫେରାଇ ଆଣି ଦେଇ ପାରିବିନି ହେରେନ୍‌ହଫ୍‌ରେ ତା’ ଚାକିରୀ ଓ କ୍ଲାମଙ୍କ ସହ ତା’ର ବନ୍ଧୁତା ।’’ ଫ୍ରୀଡ଼ା ମୁହଁ ଉଠାଇଲା, ତା’ ଆଖି ଲୁହରେ ଡବ ଡବ ହେଉଥାଏ ଏବଂ ସେଥିରେ ବିଜୟଲାଭର ଚିହ୍ନ ସୁଦ୍ଧା ନଥାଏ । କାଇଁକି ? ସମସ୍ତଙ୍କ ଭିତରୁ ମତେ କାଇଁକି ବଛା ହେଲା ?’’ ‘‘କଣ ହେଲା ?’’ ଉଭୟ କେ. ଏବଂ ହୋଟେଲ ମାଲିକାଣୀ ଏକା ସାଙ୍ଗରେ ପଚାରିଲେ ।’’ ତା’ମନ ଖରାପ ହୋଇ ଯାଇଚି, ବିଚାରୀ ପିଲାଟା,’’ ମଲିକାଣୀ କହିଲା, ‘‘ଅତି ବେଶୀ ସୁଖ ଓ ଦୁଃଖ ଏକାଠି ମିଶିଯିବାରୁ ତା’ ମୁଣ୍ଡ ଗୋଳମାଳ ହୋଇଯାଇଚି ।’’ ଏବଂ ମାଲିକାଣୀ କଥାର ପ୍ରମାଣ ଦେଲାଭଳି ଫ୍ରୀଡ଼ା ବର୍ତ୍ତମାନ କେ. ଉପରକୁ କଚାଡ଼ି ପଡ଼ିଲା, ଏବଂ ତା’କୁ ଏତେ ଜୋରରେ ଚୁମ୍ୱନ କଲା ସତେ ଯେମିତି ସେ ଘରେ ଆଉ କେହି ନାହାନ୍ତି., ଏବଂ ତା’ପରେ କାନ୍ଦି କାନ୍ଦି, କେ. କୁ ସେମିତି ଜାବୁଡ଼ିଧରି ତା’ଆଗରେ ଆଣ୍ଠେଇ ପଡ଼ିଲା । ଦୁଇହାତରେ ଫ୍ରୀଡ଼ାର ବାଳ ସାଉଁଳାଉ ସାଉଁଳାଉ କେ. ମାଲିକାଣୀକୁ ପଚାରିଲା, ‘‘ତମର କିଛି ଆପତ୍ତି ନାହିଁ ତ ?’’ ‘‘ଆପଣ ଜଣେ ଭଦ୍ରଲୋକ,’’ ମାଲିକାଣୀ କହିଲା । ତା’ଆଖିରେ ବି ଲୁହ ଥିଲା । ସେ ଟିକିଏ କ୍ଲାନ୍ତ ଦିଶୁଥିଲା ଏବଂ କଷ୍ଟକରି ନିଃଶ୍ୱାସ ମାରୁଥିଲା କିନ୍ତୁ ବଳ ସଞ୍ଚୟ କରି ସେ କହିଲା, ‘‘ବର୍ତ୍ତମାନ ଖାଲି ଗୋଟିଏ ପ୍ରଶ୍ନ ଉଠୁଚି, ଆପଣ ଫ୍ରୀଡ଼ାକୁ କି କି କଥାରେ ଗ୍ୟାରେଣ୍ଟି ଦେବେ । କାରଣ ଆପଣଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ଥିଲେ ବି ଆପଣ ଏଠି ନୂଆ ଲୋକ; ଏଠି ଜଣେହେଲେ ଲୋକ ନାହିଁ ଯେ କି ଆପଣଙ୍କ ପାଇଁ କହିବ, ଆପଣଙ୍କ ପାରିବାରିକ ଅବସ୍ଥା ଏଠି କେହି ଜାଣନ୍ତିନି, ତେଣୁ କିଛି ଗୋଟାଏ ଗ୍ୟାରେଣ୍ଟି ଦରକାର । ଆପଣ କଥାଟା ବୁଝିବା ଦରକାର ଆଜ୍ଞା, ଏବଂ ପ୍ରକୃତରେ ଆପଣ କଥାଟା ଉଠାଇ ସାରିଲେଣି । ଆପଣ ଯେ ଏଇନେ କହିଲେ ଆପଣଙ୍କ ମିଶିବାଦ୍ୱାରା ଫ୍ରୀଡ଼ାର କି କ୍ଷତି ହେବାକୁ ଯାଉଚି । ହଁ, ହଁ, ଗ୍ୟାରେଣ୍ଟି ନିଶ୍ଚୟ ନିଶ୍ଚୟ,’’ କେ କହିଲା, ‘‘କିନ୍ତୁ ଜଣେ ମାଜିଷ୍ଟ୍ରେଟଙ୍କ ଆଗରେ ଗ୍ୟାରେଣ୍ଟି ଦେଲେ ଭଲ ହେବ, ଏବଂ ତା’ ସାଙ୍ଗେ ସଙ୍ଗେ କଉଣ୍ଟ୍‌ଙ୍କର ଅନ୍ୟାନ୍ୟ କର୍ମଚାରୀ ମାନେ ବି ବୋଧେ ରହିବେ । ତା’ଛଡ଼ା, ବାହାହେବା ଆଗରୁ, ମତେ ଗୋଟିଏ କାମ କରିବାକୁ ହେବ । କ୍ଲାମଙ୍କ ସାଙ୍ଗରେ ମୋତେ କଥାବାର୍ତ୍ତା କରିବାକୁ ପଡ଼ିବ ।’’ ‘‘ତା’ ଅସମ୍ଭବ,’’ ଫ୍ରୀଡ଼ା କହିଲା, ଟିକିଏ ଉଠି ପଡ଼ି ଓ କେ. ପାଖକୁ ଲାଗିଆସି, ‘‘କି କଥା !’’ ‘‘କିନ୍ତୁ ତା କରିବାକୁ ପଡ଼ିବ, କେ. କହିଲା, ‘‘ମୁଁ: ଯଦି ତା’ କରିବା ଅସମ୍ଭବ, ତା’ହେଲେ ତମକୁ କରିବାକୁ ହେବ ।’’ ‘‘ମୁଁ ପାରିବିନି କେ. ମୁଁ ପରିବିନି,’’ ‘‘ମୋ’ ସାଙ୍ଗେ ବି ନୁହଁ,’’ ଫ୍ରୀଡ଼ା କହିଲା, ‘‘ଆପଣଙ୍କ ସାଙ୍ଗେ ନୁହେଁ କି ମୋ’ ସାଙ୍ଗେ ନୁହେଁ, ପୂରାପୂରି ଅସମ୍ଭବ ।’’ କେ. ଆଡ଼କୁ ହାତ ଦେଖାଇ ସେ ମାଲିକାଣୀ ଆଡ଼କୁ ବୁଲି ଚାହିଁଲା । ‘‘ଦେଖୁଚ, ଇଏ କ’ଣ କହୁଚନ୍ତି ।’’ ‘‘ଆପଣ ଜଣେ ବିଚିତ୍ର ଲୋକ,’’ ମାଲିକାଣୀ କହିଲା । ବର୍ତ୍ତମାନ ସେ ସିଧା ହୋଇ ବସିଥାଏ, ଗୋଡ଼ ଲମ୍ୱାଇ ଦେଇ, ତା’ର ମୋଟା ମୋଟା ଆଣ୍ଠୁ ପତଳା ସ୍କାର୍ଟ ତଳୁ ବାହାରି ଆସୁଥାଏ ଏବଂ ଏ ଅବସ୍ଥାରେ ସେ ଅତି ବିଶାଳ ଓ ଭୟପ୍ରଦ ଦିଶୁଥାଏ । ‘‘ଆପଣ ଅସମ୍ଭବ କଥା କହୁଚନ୍ତି ।’’ ‘‘ଅସମ୍ଭବ କାହିଁକି ?’’ କେ. ପଚାରିଲା । ‘‘ସେଇ କଥା ତ ମୁଁ ଆପଣଙ୍କୁ କହିବାକୁ ଯାଉଚି,’’ ମାଲିକାଣୀ କହିଲା । ତା’ର ସ୍ୱର ଏମିତି ଶୁଭିଲା ଯେ ସତେ ଯେମିତି ସେ ଗୁଡ଼ାଏ ଦଣ୍ଡର ତାଲିକାରେ ପ୍ରଥମ ଦଣ୍ଡଟି କ’ଣ ତାହା ବୁଝାଇ କହୁଥିଲା, ଜଣେ ବନ୍ଧୁଙ୍କୁ ସାହାଯ୍ୟ କରିବାକୁ ଯାଉ ନଥିଲା । ‘‘ସେଇକଥା ଆପଣଙ୍କୁ ଜଣାଇ ଦେବାକୁ ମୋର ଇଚ୍ଛା । ମୁଁ ଯଦି ଓ ଦୁର୍ଗର କେହି ନୁହଁ, ଜଣେ ସ୍ତ୍ରୀଲୋକ ମାତ୍ର, ଏଇ ଛୋଟ ହୋଟେଲ ଖଣ୍ଡକର ମାଲିକାଣୀ ମାତ୍ର-ହୋଟେଲଟା ଏକବାରେ ଛୋଟ ନୁହଁ, ତବେ ବି ଛୋଟ ଏବଂ ଏଇଥିପାଇଁ ଆପଣ ମୋ’ କଥା ବିଶ୍ୱାସ କରି ନପାରନ୍ତି, ତଥାପି ମୁଁ ସାରାଜୀବନ ଖୋଲା ଆଖିରେ ଦେଖିଛି ଏବଂ ଅନେକ ପ୍ରକାର ଲୋକଙ୍କୁ ଭେଟିଚି ଏବଂ ହୋଟେଲଟାର ପୂରା ଭାର ନିଜେ ସମ୍ଭାଳିଚି, କାରଣ ମାର୍ଟିନ ଭଲ ଲୋକଟିଏ ହେଲେ ବି ମାଲିକ ହେବା ଉପଯୁକ୍ତ ନୁହଁ, ଏବଂ ଦାୟିତ୍ୱବୋଧ ଗୋଟେ ଜିନିଷ ସେ କେବେ ବୁଝିଲା ନାହିଁ । ତା’ର ଦାୟିତ୍ୱ ହୀନତାକୁ ଆପଣ ବଧେଇ ଦେବା ଉଚିତ-ସେଦିନ ସଂଧ୍ୟାରେ ମୁଁ ଏତେ ହାଲିଆ ହୋଇ ଯାଇଥିଲି-ଯୋଉଥି ହେତୁ ଆପଣ ଏ ଗାଁରେ ଆସି ରହିଚନ୍ତି, ଏ ଖଟ ଉପରେ ସୁଖ ଶାନ୍ତିରେ ବସଚନ୍ତି । ‘‘କଣ କହିଲ ?’’ କେ, କହିଲା, ଗୋଟାଏ ଅନ୍ୟମନଷ୍କତା ଭିତରୁ ଉଠି ଆସି, ରାଗ ଅପେକ୍ଷା ବେଶି କୌତୁହଳର ଖେଞ୍ଚାରେ । ‘‘ଏଥିପାଇଁ ଆପଣ ତା’ ଦାୟିତ୍ୱହୀନତାକୁ ବଧେଇ ଦେବା ଦରକାର,’’ ମାଲିକାଣୀ ପୁଣି କହିଲା କେ. ଆଡ଼କୁ ବିଶି ଆଙ୍ଗୁଠି ଦେଖାଇ । ଫ୍ରୀଡ଼ା ତାକୁ ଚୁପ୍‌ କରାଇବାକୁ ଚେଷ୍ଟା ଦଲା । ‘‘ମୁଁ କ’ଣ କରିବି ?’’ ମାଲିକାଣୀ କହିଲା, ତା’ର ସମଗ୍ର ଦେହଟା ହଠାତ୍‌ ବୁଲାଇ ଦେଇ । ‘‘ଆମିନ ବାବୁ ମତେ କଥାଟିଏ ପଚାରିଲେ, ଆଉ ମୁଁ ତା’ର ଉତ୍ତର ଦେବି । ଆମେ ଯାହା ଠିକ୍‌ ବୋଲି ଭାବୁଚେ ତା’ ତାଙ୍କୁ ବୁଝାଇବାର ଅଲଗାବାଟ କିଛି ନାହିଁ । ଯଥା-କ୍ଲାମ ସାହେବ ତାଙ୍କ ସଙ୍ଗେ କେବେ କଥାବାର୍ତ୍ତା କରିବେ ନାହିଁ ବୋଲି କହିଲିକି ?–କରିପାରିବେ ନାହିଁ । କ୍ଲାମ ସାହେବ ଦୁର୍ଗର ଜଣେ ଭଦ୍ରଲୋକ, ଏବଂ ସେଠି ତାଙ୍କର ସ୍ଥାନ କ’ଣ ସେ ବିଚାର ନକରି କାଲି ସେଠିକି ଦେଖିଲେ ବି କୁହାଯାଇ ପାରିବ ଯେ ସେ ଜଣେ ବଡ଼ବଡ଼ିଆ । କିନ୍ତୁ ଆପଣ କ’ଣ ଆପଣ ? ଯାହାଙ୍କର ବାହାଘର ପାଇଁ ଅନୁମତି ପାଇବା ଲାଗି ଆମେ ଏଠି ଦୟନୀୟ ଭାବରେ ବିଭିନ୍ନ ବାଟ କଥା ଚିନ୍ତା କରୁଚୁ ? ଆପଣ ଦୁର୍ଗର ଲୋକ ନୁହଁନ୍ତି, ନା ଗାଁର, ଆପଣ କିଛି ନୁହଁନ୍ତି । କିମ୍ୱା ଦୁର୍ଭାଗ୍ୟ ବଶତଃ ବରଂ ଆପଣ କେହି ଜଣେ, ଅଚିହ୍ନା ଲୋକ, ଯାହାକୁ ଏଠି କେହି ଚାହାଁନ୍ତି ନି ଏବଂ ଯିଏ ସବୁରି ବାଟଓଗାଳି ଠିଆ ହୋଇଚି; ଯିଏ ସବୁବେଳେ ଗଣ୍ଡଗୋଳ କରୁଚି, ଯିଏ ପରିଚାରିକାଙ୍କ ଘରଟା ନେଇ ରହୁଚି, ଯାହାର ଇଚ୍ଛା କ’ଣ ଜାଣିବା ମୁସ୍କିଲ, ଯିଏ କି ଆମ ଆଦରର ଫ୍ରୀଡ଼ାକୁ ନଷ୍ଟ କରିଚି ଏବଂ ଯାହାକୁ ଆମେ ଦୁର୍ଭାଗ୍ୟ ବଶତଃ ତା‘ର ସ୍ୱାମୀ ଭାବରେ ଗ୍ରହଣ କରିବାକୁ ପଡ଼ିବ । ଆପଣଙ୍କ ବିରୁଦ୍ଧରେ ଏ ସବୁ କଥା ମୁଁ ଧରୁନାଇଁ । ଆପଣ ଯାହା ସେୟା, ଏବଂ ମୁଁ ଜୀବନରେ ବହୁତ କିଛି ଦେଖିଚି ଯାହା ଫଳରେ ମୁଁ ସତ୍ୟକୁ ଭାବରେ ନେବାଲାଗି ମୋର ବଳ ଅଛି । କିନ୍ତୁ ବର୍ତ୍ତମାନ ଭାବନ୍ତୁ ଆପଣ କ’ଣ ଚାହୁଁଛନ୍ତି । କ୍ଲାମ୍‌ଙ୍କ ପରି ଜଣେ ଲୋକ ଆପଣଙ୍କ ସାଙ୍ଗେ କଥାବାର୍ତ୍ତା କରିବେ । ଫ୍ରୀଡ଼ା ଆପଣଙ୍କୁ କବାଟର କଣାରେ ଅନାଇଁବାକୁ ଦେଇଥିବା ଶୁଣି ମୋର ରାଗ ହେଲା-। ସେ ତା’ କଲା ବେଳକୁ ଆପଣ ତା’କୁ ନଷ୍ଟ କରି ସାରିଲେଣି । କିନ୍ତୁ ଖାଲି ଏତିକି ମତେ କହନ୍ତି, କ୍ଲାମ୍‌ଙ୍କୁ ଦେଖିବାର ସାହସ କେମିତି ହେଲା ଆପଣଙ୍କର । ଆପଣ କିଛି କହିବା ଦରକାର ନାଇଁ, ମୁଁ ଜାଣେ ଯେ ଆପଣ ତା’ କରିବାକୁ ଯୋଗ୍ୟ ବୋଲି ଭାବୁଚନ୍ତି ନିଜକୁ । କ୍ଲାମ୍‌ ଯାହା ତାଙ୍କୁ ସେ ଭାବରେ ଦେଖିବାପାଇଁ ବି ଆପଣ ଅସମର୍ଥ; ମୁଁ ବଢ଼ାଇ କହୁନି, କାରଣ ମୁଁ ବି ତା’ କରିପାରିବିନାଇ: । କ୍ଲାମ୍‌ ଆପଣଙ୍କ ସାଙ୍ଗେ କଥାବାର୍ତ୍ତା କରିବେ, କିନ୍ତୁ ଏଣେ ସେ ଗାଁର କାହା ସାଙ୍ଗେ ବି କେବେ ଏଯାଏଁ ପଦେ ହେଲେ କଥାବାର୍ତ୍ତା କରି ନାହାନ୍ତି । ଅଧିକାର ଥିଲା ଫ୍ରୀଡ଼ାର; ଏମିତି ଗୋଟାଏ ଅଧିକାର ଯାହାକୁ ନେଇ ମୁ: ମଲା ଯାଏଁ ଗର୍ବ କରିବି, କ୍ଲାମ୍‌ ତା’ ନାଁ ଧରି ଡାକୁଥିଲେ, ଏବଂ ସିଏ ତାଙ୍କ ସାଙ୍ଗରେ ଯେତେବେଳେ ଚାହିଁବ କଥାବାର୍ତ୍ତା କରି ପାରିଥାନ୍ତା, ସେ କଣାବାଟେ ଚାହିଁବାର ଅନୁମତି ତା’କୁ ମିଳିଥିଲା, କିନ୍ତୁ ତା’ ସାଙ୍ଗେ ବି ସେ କେବେହେଲେ କଥାବାର୍ତ୍ତା କରି ନାହାଁନ୍ତି । ଏବଂ ସେ ଯେ ଫ୍ରୀଡ଼ାର ନାଁ ଧରି ଡାକିଲେ, ତା’ର ଅର୍ଥ ଆମେ ଯାହ ଭାବିବା ତା’ମୋଟେ ନ ହୋଇପାରେ, ସେ ଖାଲି ଫ୍ରୀଡ଼ାର ନାଁ ଧରିଲେ-କିଏ କହିବ ସେ କ’ଣ ଭାବୁଥିଲେ ?-ଏବଂ ଫ୍ରୀଡ଼ା ଯେ ତାଙ୍କ ପାଖୁ ସହଜରେ ପଳାଇ ଆସିଲା ସେଇଟା ତା’ ନିଜ କଥା, ଏବଂ ତାକୁ ଯେ କିଛି ବାଧା ନଥାଇ ଘରେ ପଶିବାକୁ ଦିଆଗଲା ସେଇଟା କ୍ଲାମ୍‌ଙ୍କର ଦୟା, କିନ୍ତୁ ସେ ଯେ ତା’କୁ ଜାଣିଶୁଣି ଡାକିଲେ ଏକଥା ଆମେ କହି ପାରିବା ନାଇଁ । ଆବଶ୍ୟ ସେ ସବୁ କଥା ତ ସବୁ ଦିନ ପାଇଁ ସରିଲାଣି । କ୍ଲାମ୍‌ ପୁଣି ଆଗ ଭଳି ‘‘ଫ୍ରୀଡ଼ା’’ ବାଲି ଡାକି ପାରନ୍ତି, ତା’ସମ୍ଭବ କିନ୍ତୁ ସେ ଆଉ କେବେ ତାଙ୍କ ସାମ୍ନାକୁ ଯିବାକୁ ତା’କୁ ଅନୁମତି ମିଳିବନି-ତା’କୁ ସେଇ ଝିଅକୁ ଯିଏ କି ଆପଣଙ୍କ ଉପରକୁ ଢଳି ସାରିଚି । ଏବଂ ଆଉ ଖାଲି ଗୋଟିଏ କଥା, ଯାହାକି ମୋ ଛୋଟ ବୁଦ୍ଧିରେ ମୁଁ ବୁଝିପାରୁନି । କ୍ଲାମ୍‌ଙ୍କ ରକ୍ଷିତା ବୋଲି ଯୋଉ ଝିଅର ନାଁ ଡ଼ାକ ଥିଲ-ମୋ’ ମତରେ ମୁଁ କିଛି ବଢ଼ାଇ କହୁନି-ସେ ପୁଣି ଆପଣଙ୍କୁ ତା’ ଦେହରେ ଟିପ ଦେବାକୁ ପ୍ରଶ୍ରୟ ଦେବ ।

 

‘‘ଭାରି ବଡ଼ କଥାଟେ ନିଶ୍ଚୟ,’’ କେ କହିଲା, ଫ୍ରୀଡ଼ାକୁ ଛାତି ଉପରକୁ ଟାଣି ଆଣି-ଫ୍ରୀଡ଼ା ସେଇକ୍ଷଣି ଆଉଜିଗଲା, ଯିଓ ମୁଣ୍ଡ ତଳକୁ କରି–‘‘କିନ୍ତୁ ମୋ ମତରେ ଯେ କେତେକ କଥା ଭୁଲ୍‌ ବୁଝି ଥାଇପାରେ ସେ ସମ୍ଭାବନାକୁ ତାହା ପ୍ରମାଣିତ କୁରୁଚି । ତମେ ଠିକ୍‌ କହୁଚ ଯେ କ୍ଲାମ୍‌ଙ୍କ ତୁଳନାରେ ମୁଁ ଅତି ନଗଣ୍ୟ, ଏବଂ ତା’ ସତ୍ତ୍ୱେ ମୁ: ଯଦି କ୍ଲାମ୍‌ଙ୍କ ସାଙ୍ଗେ କଥାବାର୍ତ୍ତା କରିବାକୁ ଜିଦ୍‌ କରୁଚି, ଏବଂ ତମର ସବୁ ଯୁକ୍ତି ସତ୍ତ୍ୱେ ବି ସେ ଜିଦ୍‌ ଛାଡ଼ୁନି, ତା’ର ଅର୍ଥ ମୋଟେ ନୁହେଁ ଯେ ଆମ ଭିତରେ ଗୋଟାଏ ଦୁଆର ନଥାଇ ମୁଁ କ୍ଲାମଙ୍କ ସାମ୍ନା କରି ପାରୁଚି କିମ୍ୱା ତାଙ୍କୁ ଦେଖି ପକାଇଲେ ମୁଁ ବାହାରକୁ ଦୌଡ଼ି ନ ପଳାଇବି । କିନ୍ତୁ ଏ ପ୍ରକାର ଅନୁମାନ ଯେଡ଼େ ଯୁକ୍ତିଯୁକ୍ତ ହେଉ ପଛକେ ମୁଁ ମୋ ଚେଷ୍ଟାକୁ ବିରତ ହେବା ପାଇଁ ଯଥେଷ୍ଟ କାରଣ ନୁହେଁ ମୁଁ ଯଦି ମୋ’କାମ କରିପାରେ ସେ ମତେ କିଛି କହିବା ଦରକାର ନାହିଁ, ମୋ’କଥା ତାଙ୍କ ଉପରେ କି ପ୍ରଭାବ ପକାଉଚି ତା’ ଦେଖିବା ମୋ ପାଇଁ ଯଥେଷ୍ଟ ହେବ, ଏବଂ ମୋ’ କଥାଗୁଡ଼ା ଯଦି କିଛି ପ୍ରଭାବ ପକାଇବନି ବା କ୍ଲାମ୍‌ ମୋ’ କଥାକୁ ଖାତିର ନ କରନ୍ତି । ଯାହା ହେଲେ ବି ମତେ ଖୁସି ଲାଗିବ ଯେ ମୁଁ ଜଣେ ବଡ଼ ଲୋକଙ୍କୁ ମୋ ମନ କଥା ଖୋଲି କହିଚି । କିନ୍ତୁ ତମେ ଯା’ର ମଣିଷମାନଙ୍କ ବିଷୟରେ ଏତେ ଜ୍ଞାନ, ଏବଂ ଫ୍ରୀଡ଼ା ଯେ କି ଏଇ କାଲି କ୍ଲାମ୍‌ଙ୍କ ରକ୍ଷିତା ଥିଲା-ତା’ର ସେ ପରିଚୟକୁ ପ୍ରଶ୍ନ କରିବା ପାଇଁ ମୁଁ କିଛି କାରଣ ଦେଖୁନାହିଁ-ତମେ ଦି’ଜଣ ଅତି ସହଜରେ କ୍ଲାମ୍‌ଙ୍କ ସାଙ୍ଗରେ ମୋର ଭେଟ କରାଇ ଦେଇ ପାରନ୍ତ । ଯଦି ଏ ଭେଟ ଅନ୍ୟ କୋଉ ବାଟରେ କରାଯାଇ ପାରିବନି, ତେବେ ମୁଁ ହେରେନ୍‌ ହଫରେ ତାଙ୍କୁ ନିଶ୍ଚିତ ଭାବେ ଭେଟି ପାରିବି, ସେ ବୋଧେ ଏଯାଏଁ ସେଠି ଅଛନ୍ତି ।’’

 

‘‘ଅସମ୍ଭବ,’’ ମାଲିକାଣୀ କହିଲା, ‘‘ଏବଂ ମୁଁ ଜାଣିପାରୁଚି ଯେ ତା’ କାହିଁକି ଅସମ୍ଭବ ବୁଝିବାକୁ ଆପଣ ଅସମର୍ଥ । କିନ୍ତୁ ଖାଲି ଏତିକି କହନ୍ତୁ ତ, କ୍ଲାମ୍‌ଙ୍କ ସାଙ୍ଗେ ଆପଣ କୋଉ ବିଷୟରେ କଥାବାର୍ତ୍ତା କରିବେ ?’’

 

‘‘ଫ୍ରୀଡ଼ା ବିଷୟରେ, ଅବଶ୍ୟ,’’ କେ କହିଲା ।

 

‘‘ଫ୍ରୀଡ଼ା ବିଷୟରେ ?’’ ମାଲିକାଣୀ ଦୋହରାଇଲା, କିଛି ନବୁଝି ପାରିଲା ଭଳି, ଏବଂ ଫ୍ରୀଡ଼ାକୁ ବୁଲି ଅନାଇଁଲା । ‘‘ଶୁଣୁଚି, ଫ୍ରୀଡ଼ା, ସେ, ସେ ତୋ’ ବିଷୟରେ କ୍ଲାମ୍‌, କ୍ଲାମ୍‌ଙ୍କ ସାଙ୍ଗରେ କଥାବାର୍ତ୍ତା କରିବାକୁ ଚାହୁଁଚନ୍ତି !

 

‘‘ଆଃ,’’ କେ କହିଲା, ‘‘ତମେ ଜଣେ ଚାଲାକ ଚତୁର ସ୍ତ୍ରୀଲୋକ ତେବେ ପ୍ରତ୍ୟେକ ଛୋଟ କଥାରେ ତମ ମୁଣ୍ଡ ଗୋଳମାଳ ହେଇଯାଉଚି । ହଁ, ମୁଁ କହୁଚି, ମୁଁ ଫ୍ରୀଡ଼ା ବିଷୟରେ ତାଙ୍କ ସାଙ୍ଗରେ କଥାବାର୍ତ୍ତା କରିବାକୁ ଚାହେଁ; ଏଇଟା ଏମିତି କିଛି ଗୋଟେ ଭୟଙ୍କର କଥା ନୁହେଁ, ଏଇଟା ସ୍ୱାଭାବିକ ମାତ୍ର । ଏବଂ ତମର ଧାରଣା ପୂରା ଭୁଲ ଯେ ମୁଁ ଆସି ପହଞ୍ଚିବା ମୁହୂର୍ତ୍ତରୁ କ୍ଲାମ୍‌ଙ୍କ ପାଖରେ ଫ୍ରୀଡ଼ାର ପ୍ରାଧାନ୍ୟ ପୂରା ଶେଷ ହୋଇ ଯାଇଚି । ତମେ ଯଦି ସେୟା ଭାବୁଚ, ତେବେ ତାଙ୍କୁ ତମେ ଛୋଟ କରି ଦେଖୁଚ । ମୁଁ ଭଲ ଭାବରେ ବୁଝୁଚି ଯେ ଏ ବିଷୟରେ ତମ ଆଗରେ ଆଇନ କାନୁନ ବାଢ଼ିବା ମୋ ପକ୍ଷରେ ଧୃଷ୍ଟତା । କିନ୍ତୁ ମତେ ତା’ କରିବାକୁ ପଡ଼ିବ । କ୍ଲାମ୍‌ଙ୍କ ସାଙ୍ଗରେ ଫ୍ରୀଡ଼ାର ସଂପର୍କରେ କୌଣସି ପରିବର୍ତ୍ତନର କାରଣ ମୁଁ ହୋଇନପାରେ । ଏକେ ସେ ଦୁହିଁଙ୍କ ଭିତରେ କୌଣସି ଗଭୀର ସଂପର୍କ ନଥିଲା-ଏବଂ ଏୟା ହିଁ ବୁଝିବାକୁ ପଡ଼ିବ ଯଦି ଲୋକେ କହନ୍ତି ଯେ କ୍ଲାମ୍‌ ଫ୍ରୀଡ଼ାର ସମ୍ମାନିତ ପ୍ରେମକ ନଥିଲେ-ଯଦି ତା’ ହୁଏ ତେବେ ଏଯାଏଁ ତାଙ୍କ ଭିତରେ କୌଣସି ସଂପର୍କ ନାହିଁ କିମ୍ୱା ଗୋଟାଏ କିଛି ସମ୍ପର୍କ ଥିଲା, ତା’ ହେଲେ ମୁଁ, ତମେ କହିଲା ଭଳ କ୍ଲାମ୍‌ଙ୍କ ଆଖିରେ ଜଣେ ନଗଣ୍ୟ ଲୋକ, ମୁଁ ସେ ସମ୍ପର୍କକୁ କେମିତି ବଦଳାଇଦେଇ ପାରେ ? ଭୟର ପ୍ରଥମ ପ୍ରଥମ ଅବସ୍ଥାରେ ଜଣେ ହଠାତ୍‌ ସେ ପ୍ରକାର ଧାରଣା କରି ଦେଇପାରେ, କିନ୍ତୁ ଟିକିଏ ଚିନ୍ତା କଲେ ଏ ଭୁଲ ଧାରଣାକୁ ଠିକ୍‌ କରି ଦେଇ ହେବ । ସେ ଯାହା ହେଉ, ଫ୍ରୀଡ଼ା ଏ ବିଷୟରେ କ’ଣ ଭାବୁଚି ଶୁଣାଯାଉ ।

 

ବହୁ ଦୂରକୁ ଅନାଇଁଥିଲା ଭଳି ଦୃଷ୍ଟି ଆଖିରେ ଏବଂ ଗାଲ କେ ଛାତି ଉପରେ ରଖି ଫ୍ରୀଡ଼ା କହିଲା । ‘‘ମୋ’ କହିଲା ଭଳି କ୍ଲାମ୍‌ ମୋ’ ସାଙ୍ଗେ ଆଉ କୌଣସି ସଂପର୍କ ନ ରଖିବା ନିଶ୍ଚିତ-। କିନ୍ତୁ ମୁଁ ମାନୁଚି ଯେ ତମେ ୟାର କାରଣ ନୁହ, ପ୍ରିୟତମ ଏ ପ୍ରକାର କଥା ତାଙ୍କୁ ବିଚଳିତ କରେ ନା । ଅନ୍ୟ ପକ୍ଷରେ ମୁଁ ଭାବୁଚି ଯେ ଆମର ଯେ ବାର୍‌ କାଉଣ୍ଟର ତଳେ ଦଖା ହେଲା ଏହା ପୂରାପୂରି ତାଙ୍କର କାମ, ସେ ମୁହୂର୍ତ୍ତଟିକି ଆମେ ଘୃଣା ନ କରି ଆଦର କରିବା ଉଚିତ ।’’

 

‘‘କଥାଟା ଯଦି ସେୟା,’’ କେ. କହିଲା, ଆସ୍ତେ ଆସ୍ତେ, କାରଣ ଫ୍ରୀଡ଼ାର କଥା ଗୁଡ଼ିକ ଭାରି ମିଠା ଶୁଭୁଥିଲା ଏବଂ ସେ ମୁହୂର୍ତ୍ତକ ପାଇଁ ଆଖି ବୁଜି ଦେଲା ଏଇଥିପାଇଁ ଯେ କଥା ଗୁଡ଼ିକର ମାଧୁର୍ଯ୍ୟ ତା’ ଭିତରେ ଭେଦି ଯିବ, ‘‘କଥାଟା ଯଦି ସେୟା, କ୍ଲାମ୍‌ଙ୍କ ସାଙ୍ଗେ ଭେଟ କରାଇ ଦେବାର କିଛି କାରଣ ନାଇଁ ।’’

 

‘‘ରାଣ ଅଛି,’’ ମାଲିକାଣୀ କହିଲା, ଉପରକୁ ନାକ ଟେକି, ‘‘ଆପଣଙ୍କ କଥା ଶୁଣୁଥିଲେ ମୋ ସ୍ୱାମୀ ମନେ ପଡ଼ି ଯାଉଚନ୍ତି, ଏକବାରେ ତାଙ୍କ ଭଳି ପିଲାଳିଆ ଓ ଜିଦ୍‌ ଖୋର ଆପଣ । ଆପଣ ଏଇ କେତେଟା ଦିନ ହେଲା ଏ ଗାଁକୁ ଆସିଚନ୍ତି ଏବଂ ଆପଣ ଭାବିବା ଆରମ୍ଭ କରି ସାରିଲେଣି ଯେ ଆପଣ ସବୁ କଥା ଜାଣି ସାରିଲେଣି, ଏ ଗାଁରେ ଜୀବନ ବିତେଇ ଦେଇଥିବା ଲୋକଙ୍କଠୁ’ ବି ବେଶୀ ଭଲ ଭାବରେ, ଏବଂ ଫ୍ରୀଡ଼ାଠୁ’ ବି ଭଲ ଭାବରେ, ଯିଏ କି ହେରେନ୍‌ ହଫ୍‌ରେ ଏତେ କଥା ଦେଖିଚି, ଏତେ କଥା ଶୁଣିଚି । ମୁଁ କହୁନି ଯେ ପ୍ରତ୍ୟେକ ନିୟମ ଓ ପରମ୍ପରା ବିରୁଦ୍ଧରେ ଯାଇ ବେଳେ ବେଳେ କିଛିଟା କୃତିତ୍ୱ ହାସଲ କରିବା ଅସମ୍ଭବ । ମୁଁ ନିଜେ ଏମିତି କିଛି କେବେ ହାସଲ କରିପାରିନି, କିନ୍ତୁ ମୁଁ ବିଶ୍ୱାସ କରୁଚି ଯେ ଆଗରୁ ତା’ର ନଜର ଅଛି । ତା’ ସମ୍ଭବ ହୋଇପାରେ, କିନ୍ତୁ ଆପଣ ଯୋଉଁ ବାଟରେ ଚାହୁଁଚନ୍ତି ସେ ବାଟରେ ନିଶ୍ଚେ ନୁହେଁ, ଖାଲି ‘‘ନା’, ନା’’ କହି ନୁହେଁ, କି ଆପଣଙ୍କ ନିଜ ମତକୁ ଜାବୁଡ଼ି ଧରି ଏବଂ ଅନ୍ୟମାନଙ୍କର ସଦୁପଦେଶକୁ ଅବଜ୍ଞା କରି ନୁହେଁ । ଆପଣ କ’ଣ ଭାବୁଚନ୍ତି ମୁଁ ଆପଣଙ୍କୁ ନେଇ ଉଦ୍‌ବିଘ୍ନ ? ଆପଣ ଯେତେବେଳେ ନିଜ ବାଟରେ ଚାଲୁଥିଲେ, ମୁଁ କ’ଣ କେବେ ଆପଣଙ୍କ କଥାରେ ମୁଣ୍ଡ ପୂରାଇଚି ? ଯଦିଓ ତା’ କରିଥିଲେ ଭଲ ହୋଇଥାନ୍ତା ଏବଂ ଗୁଡ଼ାଏ ଗୋଳମାଳ ଘଟି ନଥାନ୍ତା । ଆପଣଙ୍କ ବିଷୟରେ ଯୋଉ ଗୋଟିକ କଥା ମୋ’ ସ୍ୱାମୀଙ୍କୁ ମୁଁ କହିଚି ସେଇଟି ହେଲା । ‘‘ତାଙ୍କ କଥା ଯୋଉଠି ସେଠୁ ଦୂରେଇ ରହ ।’’ ଏବଂ ମୁଁ ବି ନିଜେ ଏଯାଏଁ ତ’ କରିଥାନ୍ତି ଯଦି ଫ୍ରୀଡ଼ା ଆପଣଙ୍କ କାରବାରରେ ମୁଣ୍ଡ ପୂରାଇ ନଥାନ୍ତା ତା’କୁ ହିଁ ଆପଣ ଧନ୍ୟବାଦ ଦେବ କଥା ଆପଣଙ୍କୁ ଭଲ ଲାଗୁ କି ନ ଲାଗୁ ଆପଣଙ୍କ କଥାରେ ଯଦି ମୁଁ ମୁଣ୍ଡ ପୁରାଇଲି, ଆପଣଙ୍କ ଜୀବନକୁ ଯଦି ମୁଁ ଲକ୍ଷ୍ୟ କଲି, ସବୁ ତା’ପାଇଁ ଏବଂ ଆପଣ ମୋ କଥାକୁ ସହଜରେ ଉଡ଼ାଇ ଦେଇ ପାରିବେନି, କାରଣ ମୁଁ ହିଁ ଏକମାତ୍ର ଲୋକ ଯେ କି ଫ୍ରୀଡ଼ାର ଭଲ ମନ୍ଦ ବୁଝେ, ତେଣୁ ଆପଣ ମୋ ପାଖରେ ଦାୟୀ ରହିଲେ-। ଫ୍ରୀଡ଼ା ହୁଏତ ଠିକ୍‌ କଥା କହୁଚି, ଏବଂ ଯାହା ସବୁ ଘଟି ଯାଇଚି ତା’ କ୍ଲାମ୍‌ଙ୍କ ଇଚ୍ଛାରେ ହୋଇଛି, କିନ୍ତୁ ଏବେ ଏଇଠି କ୍ଲାମ୍‌ଙ୍କ ସାଙ୍ଗେ ମୋର କିଛି କାମ ନାହିଁ । ମୁଁ ତାଙ୍କ ସାଙ୍ଗରେ କେବେ କଥାବାର୍ତ୍ତା କରି ପାରିବିନି, ସେ ମୋ’ ସୀମାର ବାହାରେ । କିନ୍ତୁ ଆପଣ ଏଇଠି ବସିଚନ୍ତି, ମୋ’ ଫ୍ରୀଡ଼ାକୁ ରଖିଚନ୍ତି, ଏବଂ ମୁଁ ଏକଥା ନିଶ୍ଚେ କହିବି ଯେ ଆପଣଙ୍କୁ ମୁଁ ରଖିଚି । ହିଁ, ମୁଁ ରଖିଚି, ବାବୁ, ମୁଁ ଦେଖିବି ତ ଆପଣ ଏ ଗାଁରେ କେଉଁଠି ରହିବାକୁ ଯାଗା ପାଇବେ ଯଦି ମୁଁ ଆପଣଙ୍କୁ ତଡ଼ିଦିଏ, କୁକୁର-ଘରଟାଏ ବି ମିଳିବନି ।’’ ଏବଂ ଫ୍ରୀଡ଼ାର ପରିସ୍ଥିତି ବି ?’’

 

‘‘ଧନ୍ୟବାଦ,’’ କେ. କହିଲା, ‘‘ଆପଣ ଖୋଲା କଥା କହିଚନ୍ତି, ମୁଁ ଆପଣଙ୍କୁ ପୂରାପୁରି ବିଶ୍ୱାସ କରୁଚି । ତା’ହେଲେ ମୋ’ଅବସ୍ଥା ଏତେ ବେଶୀ ଖରାପ, ନା କ’ଣ ?

 

‘‘ନା,’’ ମାଲିକାଣୀ ରାଗିଯାଇ କହିଲା, ‘‘ଏ ଦୃଷ୍ଟିରୁ ଆପଣଙ୍କ ପରିସ୍ଥିତି ସାଙ୍ଗରେ ଫ୍ରୀଡ଼ାର ପରିସ୍ଥିତିର କୌଣସି ସଂପର୍କ ନାହିଁ । ଫ୍ରୀଡ଼ା ମୋ’ ଘରର ଝିଅ, ଏବଂ ତା’ ପରିସ୍ଥିତି ଖରାପ ବୋଲି କହିବାର ଅଧିକାର କାହାର ନାହିଁ ।’’

 

‘ହେଉ, ହେଲା,’’ କେ କହିଲା, ‘‘ମୁଁ ତା’ ମାନିନେଉଚି, ବେଶୀ ଏଇଥି ପାଇଁ ଯେ, ଏମିତି କିଛି କାରଣ ଅଛି ଯା’ ଭିତରେ ମୁଁ ପଶି ପାରୁନି, ତମେ କହିଲା ବେଳେ ଫ୍ରୀଡ଼ା କିଛି କହିବା ପାଇଁ ଡରୁଚି । ତେଣୁ ମୋ କଥା ହିଁ ଦେଖ ବର୍ତ୍ତମାନ ପାଇଁ । ମୋ ପରିସ୍ଥତି ବେଶ୍‌ ଅନିଶ୍ଚିତ, ତମେ ସେ କଥା ଅସ୍ୱୀକାର କରୁନ, ବରଂ ତମେ ଭିନ୍ନ ଭିନ୍ନ ବାଟରେ ସେ କଥା ଉପରେ ଜୋର୍‌ ଦେଉଚ । ତମର ଅନ୍ୟ ସବୁ କଥାରେ ଯେମିତି ଏଥିରେ ମଧ୍ୟ ସେମିତି ଅନେକଟା ସତ୍ୟତା ଅଛି, କିନ୍ତୁ ଏହା ପୂରାପୂରି ସତ୍ୟ ନୁହେଁ । ଦେଖ, ମୁଁ ଜାଣେ ମୁଁ ଚାହିଁଲେ ମତେ ଖୁବ୍‌ ଭଲ ଯାଗାଟିଏ ମିଳିବ ଶୋଇବା ପାଇଁ ।’’

 

‘‘କୋଉଠି ? କୋଉଠି ?’’ ଫ୍ରୀଡ଼ା ଚିତ୍‌କାର କଲା ଏବଂ ମାଲିକାଣୀ ମଧ୍ୟ ଏକା ସାଙ୍ଗରେ, ଏବଂ ଏତେ ଉତ୍‌କଣ୍ଠାର ସହିତ ଯେ ମନେ ହେଲା ତା’ ପଚାରିବା ପଛରେ ଉଭୟଙ୍କର ଉଦ୍ଦେଶ୍ୟ ଏକ ।

 

‘‘ବାର୍ଣ୍ଣାବାସ୍‌ ଘରେ,’’ କେ କହିଲା ।

 

‘‘ସେଇ ବଦ୍‌ମାସଟା !’’ ମାଲିକାଣୀ ଗର୍ଜନ କଲା । ‘‘ସେ ସଇତାନଟା ! ବାର୍ଣ୍ଣାବାସ୍‌ ଘରେ । ଶୁଣୁଚ–‘‘ସେ ଘରର କଣ ଆଡ଼କୁ ବୁଲି ଅନାଇଁଲା କିନ୍ତୁ ସହଜାରୀମାନେ କେତେବେଳୁ ଉଠି ଯାଇଥିଲେ ଏବଂ ବର୍ତ୍ତମାନ ହାତ ଧରା ଧରି, ହୋଇ ତା’ ପଛରେ ଠିଆ ହୋଇଥିଲେ ଏବଂ ତେଣୁ ବର୍ତ୍ତମାନ, ସତେ ଯେମିତି ସେ ବଳ ଖୋଜୁଚି, ସେ ଜଣଙ୍କର ହାତ ଧରି ପକାଇଲା ଶୁଣୁଚ ଭଦ୍ରଲୋକ କୋଉଠି ଯାଇ ଲଙ୍ଗରପଙ୍ଗର ହେଉଚନ୍ତି, ବାର୍ଣ୍ଣାବାସର ପରିବାର ସାଙ୍ଗରେ । ଓଃ, ନିଶ୍ଚେ ତାଙ୍କୁ ସେଠି ଶୋଇବା ଯାଗା ମିଳିଯିବ, ମୋର ଖାଲି ଇଚ୍ଛା ସେ ହେରେନ୍‌ ହଫ୍‌ରେ ନ ରହି ସେଠି ରାତିଟା ରହନ୍ତେ କି ! କିନ୍ତୁ ତମେ ଦି’ଜଣ କ’ଣ କରୁଥିଲ ?’’

 

ସହକାରୀମାନେ ଉତ୍ତର ଦେବା ଆଗରୁ କେ. କହିଲା, ‘‘ଶୁଣ, ଏମାନେ ମୋର ସହକାରୀ । କିନ୍ତୁ ତମେ ଏମାନଙ୍କ ସାଙ୍ଗେ ଏମିତି ବ୍ୟବହାର କରୁଚ ସତେ ଯେମିତି ସେମାନେ ତମର ସହକାରୀ ଏବଂ ମୁଁ ସେମାନଙ୍କ ଚାକର । ଅନ୍ୟ ସବୁ କଥାରେ ମୁଁ ତମ ସାଙ୍ଗରେ ଭଦ୍ର ଭାବରେ ଯୁକ୍ତି କରିବାକୁ ପ୍ରସ୍ତୁତ, କିନ୍ତୁ ମୋ’ ସହକାରୀ ମାନଙ୍କ କଥା ଉଠିଲା ବେଳେ ନୁହ, ଏଇଟା ଜଣା ଶୁଣା କଥା । ମୁଁ ତେଣୁ ଅନୁରୋଧ କରୁଚି ମୋ’ସହକାରୀ ମାନଙ୍କୁ କିଛି କହନାହିଁ, ଏବଂ ମୋ’ ଅନୁରୋଧ ଯଦି ନ ରହେ, ତେବେ ମୋ’ ସହକାରୀ ମାନଙ୍କୁ ଉତ୍ତର ଦେବାକୁ ମନା କରିଦେବି ।’’

 

‘‘ତା’ ହେଲେ ତମ ସାଙ୍ଗରେ କଥାବାର୍ତ୍ତା କରିବାକୁ ମତେ ମନା,’’ ହୋଟେଲ୍‌ ମାଲିକାଣୀ କହିଲା, ଏବଂ ତିନି ଜଣ ଯାକ ହସିଲେ ମାଲିକାଣୀ ଉର୍ତ୍ସନା କଲାଭଳି, କିନ୍ତୁ କେ. କେତେ ଦୂର ଆଶଙ୍କା କରିଥିଲା ସେତେ ରାଗରେ ନୁହେଁ, ଏବଂ ସହକାରୀମାନେ ତାଙ୍କ ସାଧାରଣ ଢଙ୍ଗରେ, ଯାହାର ଅର୍ଥ ହେଲା ଉଭୟ ବେଶୀ ଆଉ କମ୍‌ । ଏବଂ ସେମାନେ ସମସ୍ତ ଦାୟିତ୍ୱ ଅସ୍ୱୀକାର କରିଦେଲେ । ‘‘ରାଗନି,’’ ଫ୍ରୀଡ଼ା କହିଲା, ‘‘ତମେ ବୁଝିବା ଦରକାର ଆମେ ଏତେ ବିଚଳିତ ହୋଇ ପଡ଼ିଚୁ କାହିଁକି । ମୁଁ କଥାଟା ଏଇ ଭାବରେ କହିପାରେ, ଆମେ ବର୍ତ୍ତମାନ ପରସ୍ପରର ହୋଇ ପାରିଚେ କେବଳ ବାର୍ଣ୍ଣାବାସ୍‌ ପାଇଁ । ମୁଁ ଯେତେବେଳେ ବାର୍‌ରେ ତମକୁ ପ୍ରଥମ ଦେଖିଲି-ତମେ ଓ ଓଲ୍‌ଗା ହାତ ଧରା ଧରି ହୋଇ ଆସିଥିଲ-ମୁଁ ତମ ବିଷୟରେ କିଛିଟା ଜାଣିଥିଲି, କିନ୍ତୁ ମୁଁ ତମ ପ୍ରତି ପୂରା ଉଦାସୀନ ଥିଲି । ମୁଁ ଖାଲି ତମ ପ୍ରତି ଉଦାସୀନ ନଥିଲି, ସବୁ ବିଷୟ ପ୍ରତି ଉଦାସୀନ ନଥିଲି, ସବୁ ବିଷୟ ପ୍ରତି ଉଦାସୀନ ଥିଲି, ହଁ, ପ୍ରାୟ ସବୁ ବିଷୟ ପ୍ରତି । କାରଣ ସେ ସମୟରେ ମୁଁ ଅନେକ କଥା ନେଇ ଅସନ୍ତୁଷ୍ଟ, ମୋର ବିରକ୍ତି ଗୋଟାଏ ବିଚିତ୍ର ପ୍ରକାରର ଥିଲା । ଧର, ବାର୍‌ରେ କେହି ଜଣେ ମତେ ଅପମାନ ଦେଲା-ସେମାନେ ମୋ’ପଛରେ ସବୁବେଳେ ଲାଗିଥାନ୍ତି-ତମେ ତ ଦେଖିଲ କି ପ୍ରକାର ଲୋକ ସେମାନେ, କିନ୍ତୁ ସେମାନଙ୍କଠୁଁ ଖରାପ ବି ଅନେକ ଥିଲେ, କ୍ଲାମ୍‌ଙ୍କ ଚାକର ବାକର ସବୁଠୁ’ ଖରାପ ନଥିଲେହଁ, ଜଣେ କେହି ଯଦି ମତେ ଅପମାନ ଦେଲା, ସେଥିରେ ମୋର କ’ଣ ଗଲା ? ମୁଁ ଭବୁଥିଲି ସେ ଅପମାନ ଯେମିତି ମତେ ବହୁ ବର୍ଷ ତଳେ ମିଳିଥିଲା, କିମ୍ୱା ତା’ ମତେ ନୁହ ଅନ୍ୟ କାହାକୁ ମିଳିଥିଲା, କିମ୍ୱା ସେ ବିଷୟରେ ମୁଁ ଖାଲି ଶୁଣିଥିଲି ଏବଂ ତା’ ମୁଁ ସେତେବେଳକୁ ଭୁଲି ସାରିଥିଲି । କିନ୍ତୁ ମୁଁ ସେ କଥା ବର୍ଣ୍ଣନା କରି ପାରିବି ନି, ଏବେ ସେ କଥା ମୁଁ କଳ୍ପନା ସୁଦ୍ଧା କରି ପାରୁନି, କ୍ଲାମ୍‌ଙ୍କ ହରାଇବା ଦିନଠୁ’ ସବୁ କଥା ଏତେ ବଦଳି ଯାଇଚି ।’’

 

ଏବଂ ଫ୍ରୀଡ଼ା ହଠାତ୍‌ ଅଟକି ଗଲା, ଦୁଃଖରେ ମୁଣ୍ଡ ତଳକୁ କରି, ଏବଂ ଛାତିରେ ଦୁଇ ହାତ ରଖି ।

 

‘‘ଦେଖନ୍ତୁ,’’ ମାଲିକାଣୀ ପାଟି କଲା, ଏବଂ ସେ ଯେମିତି ନିଜେ କହୁ ନଥାଏ ବରଂ ଫ୍ରୀଡ଼ାକୁ ତା’ ନିଜର ସ୍ୱର ଦେଇଥାଏ; ସେ ପାଖକୁ ଘୁଞ୍ଚି ଆସିଲା ମଧ୍ୟ, ଏବଂ ଫ୍ରୀଡ଼ା ପାଖକୁ ଲାଗି ବସିଲା, ‘‘ଦେଖନ୍ତୁ, ଆଜ୍ଞା, ଆପଣ କୃତକର୍ମର ଫଳ, ଏବଂ ଆପଣଙ୍କ ସହକାରୀମାନେ ଯାହାଙ୍କ ସାଙ୍ଗେ ମତେ କଥାବାର୍ତ୍ତା କରିବା ମନା, ସେମାନେ ମଧ୍ୟ ଦେଖନ୍ତୁ, ତାଙ୍କର ମଙ୍ଗଳ ହେବ । ଆପଣ ଫ୍ରୀଡ଼ାକୁ ଟାଣି ନେଇଚନ୍ତି ତା’ର ଚରମ ସୁଖୀ ଅବସ୍ଥାରୁ, ଏବଂ ତା’ କରିପାରିଲେ ବେଶୀ ଏଇଥିପାଇଁ ଯେ ସେ ତା’ର ପିଲାଳିଆ ଦୁର୍ବଳତା ଯୋଗୁଁ ଆପଣଙ୍କୁ ଓଲ୍‌ଗାର ହାତ ଧରି ଆସୁଥିବା ଦେଖି ଏବଂ ଏତେ ଖୋଲା ଖୋଲି ଭାବରେ ବାର୍ଣ୍ଣାବାସ୍‌ ପରିବାର ସାଙ୍ଗେ ମିଶିଥିବା ଦେଖି ସହି ପାରିଲା ନାହିଁ । ସେ ଆପଣଙ୍କୁ ସେଥିରୁ ଉଦ୍ଧାର କଲା ଏବଂ ତା’ କରି ନିଜ ସୁଖକୁ ବଳିଦେଲା । ଏବଂ ବର୍ତ୍ତମାନ ଯେହେତୁ ତା’ ଘଠି ଯାଇଚି ଏବଂ ଫ୍ରୀଡ଼ା ଆପଣଙ୍କ ଜଘଂରେ ବସିବାରେ ଆନନ୍ଦ ଟିକକ ପାଇଁ ସବୁ କିଛି ତ୍ୟାଗ କରି ଦେଇଚି, ଆପଣ ଏବେ ଗର୍ବ କରୁଚନ୍ତି ଯେ ଦିନେ କେବେ ଆପଣ ବାର୍ଣ୍ଣାବାସ୍‌ ଘରେ ଶୋଇବା ଯାଗା ପାଇଥିଲେ । ମୁଁ କହି ଦେଉଚି, ଆପଣ ଯଦି ତା’ ଘରେ ଶୋଇଥାନ୍ତେ, ଆପଣ ମୋ ଠୁ ଏତେ ଦୂରରେ ଥାଆନ୍ତେ ଯେ ଆଖି ପିଛୁଳାକେ ଆପଣ ଏ ଘରୁ ତଡ଼ା ଖାଆନ୍ତେ ।’’

 

‘‘ବାର୍ଣ୍ଣାବାସ୍‌ ଘର ଲୋକେ କି ପାପ କରିଚନ୍ତି ମୁଁ ଜାଣେନା, କେ. କହିଲା, ସାବଧାନରେ ଫ୍ରୀଡ଼ାକୁ ଉଠାଇ–ଯେ କି ମଲା ଲୋକ ଭଲି ଝୁଳି ପଡ଼ୁଥାଏ-ଖଟ ଉପରେ ଆସ୍ତେ ଗଡ଼ାଇ ଦେଇ ଏବଂ ନିଜେ ଠିଆ ହୋଇପଡ଼ି, ‘‘ତମେ ସେମାନଙ୍କ ବିଷୟରେ ଠିକ୍‌ କଥା କହୁଥାଇ ପାର, କିନ୍ତୁ ମୁଁ ଜାଣେ ମୁଁ ଭଲ କରିଚି ଏୟା କହି ଯେ ତମେ ମତେ ଓ ଫ୍ରୀଡ଼ାକୁ ଆମ ନିଜ କଥା ଆମ ଭିତରେ ବୁଝାଶୁଣା କରିବାକୁ ଛାଡ଼ି ଦିଅ । ତମେ ତମର ସ୍ନେହ ମମତା କଥା କହିଲ, କିନ୍ତୁ ମୁଁ ସେମିତି କିଛି ଦେଖିଲିନି, ବରଂ ଦେଖିଲି ବହୁତ ଘୃଣା ଓ ରାଗ, ଏବଂ ଶୁଣିଲି ଏଠିକି ଆସିବାକୁ ମତେ ତମେ ମନା କଲା । ତମେ ଯଦି ଚାହୁଁଥିଲ ଯେ ମତେ ଫ୍ରୀଡ଼ାଠୁ କିମ୍ୱା ଫ୍ରୀଡ଼ାକୁ ମୋଠୁ’ ଅଲଗା କରିଦେବ, ତମେ ଯାହା କଲା ତା’ ଠିକ ଥିଲା, ତଥାପି ମୁଁ ଭବୁଚି ତମ ଚେଷ୍ଟା ସଫଳ ହେବନି, ଏବଂ ଯଦି ବା ହୁଏ-ଏମିତି ସେମିତି ଧମକ ଦେବା ବର୍ତ୍ତମାନ ମୋର ପାଳି-ତମେ ଅନୁତାପ କରିବ । ତମେ ଯୋଉ ଯାଗା ଟିକକ ଦେଇ ମତେ ସାହାଯ୍ୟ କରିଚ-ଯାଗାମାନେ ଏ ଅସନା ଗୁହାଟା-ତା’ ତମ ସ୍ୱାଧୀନ ଇଚ୍ଛାରେ ଯେ ମତେ ଦେଇଚ ତା’ ସନ୍ଦେହଜନକ, ବରଂ ହୋଇପାରେ ଯେ ଉପରିସ୍ଥ ଲୋକେ ଏଇଟା ଦେବାକୁ ତମକୁ ବାଧ୍ୟ କରିଚନ୍ତି । ବର୍ତ୍ତମାନ ମୁଁ ସେମାନଙ୍କୁ ଜଣାଇ ଦେବି ଯେ ମତେ ତଡ଼ି ଦିଆଯାଉଚି-ଏବଂ ମତେ ଯଦି ଅନ୍ୟ କୋଉଠି ଯାଗା ଦିଆଯାଏ, ତମେ ବୋଧେ ଆଶ୍ୱସ୍ତ ହେବ, କିନ୍ତୁ ମୁଁ ଯେତେ ହେବି ସେତେ ନୁହ । ଏବଂ ବର୍ତ୍ତମାନ ଏଇ କଥା ଓ ଅନ୍ୟାନ୍ୟ ବିଷୟ ସୁପରିଣ୍ଟେଣ୍ଡଣ୍ଟଙ୍କ ସାଙ୍ଗରେ ଆଲୋଚନା କରିବି, ଦୟା କରି ଅନ୍ତତଃ ଫ୍ରୀଡ଼ାର ଦେଖା ଶୁଣା କରିବ, ଯାହାକୁ ତମର ତଥା କଥିତ ମାତୃ ସୁଲଭ ଉପଦେଶ ଦେଇ ତମେ ଏତେ କଷ୍ଟ ଦେଲାଣି ।’’

 

ତା’ପରେ ସେ ସହକାରୀଙ୍କ ଆଡ଼କୁ ବୁଲି ଚାହିଁଲା । ‘‘ଚାଲିଆସ,’’ ସେ କହିଲା, କଣ୍ଟାରୁ କ୍ଲାମ୍‌ଙ୍କ ଚିଠିଟା କାଢ଼ି ଏବଂ ଦୁଆର ଆଡ଼କୁ ଆଗେଇ । ହୋଟେଲ୍‌ ମାଲିକାଣୀ ନାରବରେ ତାକୁ ଅନାଇଲା, ଏବଂ ତା’ ହାତ ଯେତେବେଳେ କବାଟର କିଳିଣି ଛୁଇଁଚି ସେତେବେଳେ ହିଁ ସେ କହିଲା, ‘‘ଆଉ ଗୋଟିଏ ଜିନିଷ ତମ ସାଙ୍ଗରେ ନେଇଯିବ, କାରଣ ତମେ ଯାହ କହ ପଛକେ, ମୋ ଭଳି ଜଣେ ବୁଢ଼ୀ ଲୋକ କୁ ଯା’ ଅପାମାନ ଦିଅ ପଛକ, ତମେ ଯେ ହେଉଚ ଫ୍ରୀଡ଼ାର ଭାବୀ ସ୍ୱାମୀ । ତା ହିଁ ହେଉଚି ଏକମାତ୍ର କାରଣ ଯୋଉଥି ପାଇଁ ମୁଁ କହୁଚି ଯେ ଏଠାର ପରିସ୍ଥିତି ସମ୍ପର୍କରେ ଆପଣଙ୍କ ଅଜ୍ଞତା ଭୟଙ୍କର, ଏତେ ଭୟଙ୍କର ଯେ ଆପଣଙ୍କ କଥା ଶୁଣି, ଆପଣଙ୍କ ଧାରଣା ଓ ମତାମତ ଏଠାକାର ପ୍ରକୃତ ପରିସ୍ଥିତି ସାଙ୍ଗରେ ତୁଳନା କରି, ମୋ ମୁଣ୍ଡ ଘୂରି ଯାଉଚି । ସେଇଟା ଏମିତି ଗୋଟାଏ ଅଜ୍ଞତା ଯାହା ଥରକର ଚେଷ୍ଟାରେ ଦୂରେଇ ଦେଇ ହେବନି, ବୋଧେ କେବେ ହେଲେ ଦୂରେଇ ଦେଇ ହେବ ନି, କିନ୍ତୁ ଆପଣ ଯଦି ମୋ ଉପରେ ଟିକିଏ ବିଶ୍ୱାସ ରଖନ୍ତେ, ଏବଂ ଆପଣ ବହୁତ କିଛି ଜାଣନ୍ତିନି ବି ବୋଲି ସବୁବେଳେ ସଚେତନ ରହନ୍ତେ, ଆପଣ ଅନେକ କଥା ଶିଖି ପାରନ୍ତେ, । ଯଥା ଆପଣ ମୋ’ ପ୍ରତି ଏତେ ନିଷ୍ଠୁର ହୁଅନ୍ତେନି ଏବଂ ମୁଁ ଯୋଉ ଆଘାତ ପାଇଚି ସେ ବିଷୟରେ କିଛିଟା ଧାରଣା କରିପାରନ୍ତେ-ଯୋଉ ଆଘାତ ଯୋଗୁଁ ମୁଁ ଏଯାଏଁ କଷ୍ଟ ପାଉଚି-ଯୋଉ ଆଘାତ ମୁଁ ପାଇଲି ଯେତେବେଳେ ବୁଝିପାରିଲି ଯେ ମୋ’ ଆଦରର ଫ୍ରୀଡ଼ା, ଯାହା କହନ୍ତି, ସରଗର ଚାନ୍ଦ ଛାଡ଼ିଚି ମାଟିର ପିତୁଳା ପାଇଁ ପ୍ରକୃତ ଅବସ୍ଥା ତା’ଠୁ ବି ଅଧିକ ଖରାପ-। ଏବଂ ଏ ସବୁ ଭୁଲି ଯିବାକୁ ମୁଁ ଚେଷ୍ଟା କରିଯିବି, ଆପଣମାନଙ୍କ ସାଙ୍ଗରେ ମୋଟେ ନ ରାଗି କଥାବାର୍ତ୍ତା କରି ପାରିବି ବୋଲି । ଆଃ, ଆପଣ ପୁଣି ରାଗି ଯାଉଚନ୍ତି ! ନା, ଦୟାକରି ପଳାନ୍ତୁ ନି, ଏଇ ଗୋଟିକ ଅନୁରୋଧ ରଖନ୍ତୁ, ଆପଣ ଯୋଉଠି ଥାନ୍ତୁ’’ ନା କହିଁକି, କେବେ ଭୁଲିବେ ନି ଯେ ଏ ଗାଁର ସବୁଠୁ ଅଜ୍ଞ ଲୋକ ଆପଣ, ଏବଂ ସାବଧାନ ରହିବେ, ଏଇଠି ଏଇ ଘରେ ଯୋଉଠି ଫ୍ରୀଡ଼ା ଅଛି ବୋଲି ଆପଣଙ୍କ କେହି କିଛି କ୍ଷତି କରି ପାରୁନି, ଏଠି ଆପଣ ମନ ଖୁସି କରି ବିତଣ୍ଡା ଯୁକ୍ତି କରି ପାରନ୍ତି, ଯଥା: ଏଇଠି ଆପଣ ଆମକୁ ବୁଝାଇ ପାରନ୍ତି କୋଉଁ ବାଟରେ ଆପଣ କ୍ଲାମ୍‌ଙ୍କୁ ଭେଟିବେ ବୋଲି ଭାବୁଚନ୍ତି । କିନ୍ତୁ ମୁଁ ହାତ ଯୋଡ଼ି କହୁଚି, ହଁ ହାତ ଯୋଡ଼ି କହୁଚି, ତରବର ହୋଇ ତା’ କରନ୍ତୁ ନାହିଁ ।’’

 

Unknown

ସେ ଠିଆ ହୋଇ ପଡ଼ିଲା, ରାଗରେ ସାମାନ୍ୟ ଟଳିଟଳି, କେ. ପାଖକୁ ଗଲା, ତା’ ହାତ ଧରିଲା ଏବଂ ବିକଳ ହୋଇ ତା’କୁ ଅନାଇଁଲା । ‘‘ମ୍ୟାଡ଼ାମ,’’ କେ: କହିଲା, ‘‘ମୁଁ ବୁଝି ପାରୁନି ତମେ କାହିଁକି ଏମିତି ଗୋଟାଏ କଥା ପାଇଁ ମତେ ଏତେ କରୁଣ ଭାବରେ ଅନୁନୟ କରୁଚ । ଯଦି, ତମେ କହିଲା ଭଳି, ମୋ’ ପକ୍ଷରେ କ୍ଲାମ୍‌ଙ୍କ ସାଙ୍ଗରେ କଥାବାର୍ତ୍ତା କରିବା ଅସମ୍ଭବ, ମୁଁ ତା’ ତ ଏମିତିରେ କରି ପାରୁନି, ତମେ ମତେ ଅନୁନୟ କର କି ନ କର । କିନ୍ତୁ ତା’ ଯଦି ସମ୍ଭବ ହୁଏ, ମୁଁ ତା କରିବିନି କାହିଁକି, ବିଶେଷ କରି ତା’ ତମର ପ୍ରଧାନ ଆପତ୍ତି ଦୂରେଇ ଦେବ ଏବଂ ତମର ଅନ୍ୟ ଧାରଣା ଗୁଡ଼ିକୁ ସନ୍ଦେହାତ୍ମକ କରିଦେବ । ଅବଶ୍ୟ ମୁଁ ଅଜ୍ଞ ଏହା ଗୋଟିଏ ନିରାଟ ସତ୍ୟ ଏବଂ ମୋ ପାଇଁ ଗୋଟିଏ ଦୁଃଖଦାୟକ ସତ୍ୟ । କିନ୍ତୁ ଏହା ମତେ ଅଜ୍ଞାତର ସମସ୍ତ ସୁବିଧା ହେଉଚି, ମାନେ ମତେ ଅଧିକ ସାହସ ଯୋଗାଉଚି । ଏବଂ ତେଣୁ ମୋ ଅଜ୍ଞତାକୁ ନେଇ ଅଜ୍ଞତାର ଖରାପ ପରିଣତି ଇତ୍ୟାଦିକୁ ନେଇ, ବଞ୍ଚିବାକୁ ମୁଁ ପ୍ରସ୍ତୁତ, ଅନ୍ତତଃ କିଛି ଦିନ ପାଇଁ, ଯେତେ ଦିନ ଯାଏଁ ମୋର ଶକ୍ତି ଅଛି । କିନ୍ତୁ ଏ ସମସ୍ତ ପରିଣତିର ପ୍ରଭାବ ମୋ’ ଛଡ଼ା ଅନ୍ୟ କାହା ଉପରେ ନାହିଁ:, ଏବଂ ତେଣୁ ମୁଁ ମୋଟେ ତମର ଅନୁନୟ ବିନୟକୁ ବୁଝିପାରୁନି । ମୁଁ ନିଶ୍ଚିତ ଯେ ତମେ ସବୁବେଳେ ଫ୍ରୀଡ଼ାର ଯତ୍ନ ନେବ, ଏବଂ ମୁଁ ଯଦି ଫ୍ରୀଡ଼ାର ଆଖି ଆଗରୁ କେବେ ଉଭାନ୍‌ ହୋଇ ଯାଏ, ତମେ ତା’କୁ ସୌଭାଗ୍ୟ ଛଡ଼ା ଅନ୍ୟ କିଛି ବୋଲି ଭାବିବନି । ତେଣୁ ତମେ କୋଉ କଥାକୁ ଭୟ କରୁଚ ? ତମେ ନିଶ୍ଚେ ଡରୁନ ଯେ-ଜଣେ ଅଜ୍ଞ ଲୋକ ଭାବେ ଯେ ସବୁକିଛି ସମ୍ଭବ–ଏଇଠି କେ. ଦୁଆରଟା ଖୋଲି ଦେଲା–ତମେ ନିଶ୍ଚେ କ୍ଲାମ୍‌ଙ୍କ ପାଇଁ ଭୟ କରୁନ ?’’ ହୋଟେଲ ମାଲିକାଣୀ ତା’ ପଛରେ ନୀରବରେ ଅନାଇଁ ରହିଲା । କେ. ସିଡ଼ିରେ ଓହ୍ଲାଇଗଲା, ତା’ ପଛେ ପଛେ ତା’ର ସହକାରୀମାନେ-

 

।। ପାଞ୍ଚ ।।

 

ସୁପରିଣ୍ଟେଣ୍ଡେଣ୍ଟଙ୍କ ସାଙ୍ଗରେ ଏତେ ସହଜରେ ଦେଖା ମିଳିଗଲା ଯେ କେ. ଆଶ୍ଚର୍ଯ୍ୟ ହୋଇଗଲା । ସେ ନିଜକୁ ବୁଝାଇବାକୁ ଚେଷ୍ଟାକଲା ଯେ, ଏଯାଏଁ: ତା’ର ଯାହା ସବୁ ଅନୁଭୁତି ହୋଇଚି ସେ ଦୃଷ୍ଟିରୁ, ଉପରିସ୍ଥ ଲୋକଙ୍କ ସାଙ୍ଗରେ ଅଫିସିଆଲ କାରବାର କରିବା ତା’ ପକ୍ଷରେ ସବୁବେଳେ ଖୁବ୍‌ ସହଜ । ଏହାର କାରଣ ଏକ ପକ୍ଷରେ ହେଲା, ତା’ ବିଷୟ ପ୍ରକାଶ୍ୟ ସହାନୁଭୂତିର ସହିତ ବିଚାର କରିବା ପାଇଁ ସବୁବେଳ ପାଇଁ ଆଦେଶ ହୋଇ ଯାଇଥିଲା; ଅନ୍ୟ ପକ୍ଷରେ ସରକାରୀ କାର୍ଯ୍ୟକଳାପରେ ଥିଲା ଏକ ପ୍ରଶଂସନୀୟ ସ୍ୱୟଂକ୍ରିୟତା, ଏହା ଯେଉଁଠି ବାହାରକୁ ଦେଖା ଯାଉନଥିଲା ସେଠି ହିଁ ଏହାର ଏକ ବିଚିତ୍ର ପ୍ରଭାବ ଥିଲା ବୋଲି ଜଣେ ଅନୁଭବ କରିବ । ଏ ସବୁ କଥା ବିଚାରକୁ ନେଇ, ତା’ ପରିସ୍ଥିତି ଆଶା ଜନକ ବୋଲି ଭାବିବାର ବିପଦ କେ. ଅନେକ ସମୟରେ ବରଣ କରୁଥିଲା ତଥାପି ଏ ସମସ୍ତ ସହଜ ଆତ୍ମବିଶ୍ୱାସ ସତ୍ତ୍ୱେ ସେ ଆଗଭର ହେଉଥାଏ ନିଜକୁ କହିବାକୁ ଯେ ଏଥିରେ ହିଁ ତା’ର ବିପଦ ନିହିତ ।

 

ଉପରିସ୍ଥ ଲୋକଙ୍କ ସହିତ ସିଧା କାରବାର କରିବା ତାହେଲେ ନିର୍ଦ୍ଦିଷ୍ଟ ଭାବେ କଷ୍ଟକର ନଥିଲା, କାରଣ ସେମାନେ ଯେତେ ସୁସଂଗଠିତ ହେଲେ ବି ସେମାନେ କେବଳ ଦୂରରେ ଥିବା ଅଦୃଶ୍ୟ ହାକିମ ମାନଙ୍କର ଦୂରରେ ଥିବା ଅଦୃଶ୍ୟ ସ୍ୱାର୍ଥକୁ ଜଗୁଥିଲେ । ଏଣେ କେ. ତା’ ନିଜ ସାଙ୍ଗରେ ନିକଟ ଓ ଘନିଷ୍ଠ ସଂପର୍କ ଥିବା ଗୋଟାଏ ଜିନିଷ ପାଇଁ ଲଢ଼ୁଥିଲା, ଏବଂ ଏହା ଛଡ଼ା, ଅନ୍ତତଃ ପ୍ରଥମେ ପ୍ରଥମେ, ନିଜ ଚେଷ୍ଟାରେ, କାରଣ ସେଥିଲା ଆକ୍ରମଣ କରିବା ଲୋକ । ଏବଂ ପୁଣି ସେ କେବଳ ନିଜ ପାଇଁ ଲଢ଼ୁ ନଥିଲା, ସ୍ପଷ୍ଟ ଭାବେ ଅନ୍ୟାନ୍ୟ ଶକ୍ତି ପାଇଁ ବି ଲଢ଼ୁ ଥିଲା, ଯାହାକୁ ସେ ଜାଣିନଥିଲା, କିନ୍ତୁ ଯେଉଁଥିରେ ଆସ୍ଥା ରଖିବା ପାଇଁ ତାକୁ ଅନୁମତି ମିଳିଥିଲା, ଅବଶ୍ୟ ଉପରିସ୍ଥ ଲୋକଙ୍କ ଆଇନ କାନୁନକୁ ଅବମାନନା ନ କରି । କିନ୍ତୁ ବର୍ତ୍ତମାନ, ଯେହେତୁ ସବୁ ଗୌଣ ବିଷୟରେ ତା’ର ଇଚ୍ଛା ଆକାଂକ୍ଷାକୁ ସେ ଶକ୍ତି ଗୁଡ଼ିକ ବେଶ୍‌ ପୂରଣ କରି ସାରି ଥିଲେ-ଏବଂ ଏଯାଏଁ କେବଳ ଗୌଣ ବିଷୟ ଗୁଡ଼ିକ ହିଁ ମୁଣ୍ଡ ଟେକି ଥିଲେ-ସେ ଶକ୍ତି ଗୁଡ଼ିକ ତା’ଠାରୁ ସହଜ ନିରାଡ଼ମ୍ୱର ବିଜୟର ସମ୍ଭାବନାକୁ ଛଡ଼ାଇ ନେଇଥିଲେ, ଏବଂ ତା’ ସଙ୍ଗେ ନେଇଯାଇଥିଲେ ସେ ବିଜୟ ଲାଭ ପରବର୍ତ୍ତୀ ସନ୍ତୋଷକୁ ଏବଂ ସେ ବିଜୟ ଯେଉଁ ସମସ୍ତ ବଡ଼ ଧରଣର ଭାବୀ ସଂଘର୍ଷକୁ ଜନ୍ମ ଦେଇଥିଲା ସେ ସଂଘର୍ଷ ପାଇଁ ନିଜର ସୁପ୍ରତିଷ୍ଠିତ ଆତ୍ମ ବିଶ୍ୱାସକୁ । ଏହା ପରିବର୍ତ୍ତେ, ସେ ଶକ୍ତି ଗୁଡ଼ିକ କେ: କୁ ଯେଉଁ ଆଡ଼େ ଇଚ୍ଛା ସେଆଡ଼େ ଯିବାକୁ ଦେଇଥିଲେ-ଆବଶ୍ୟ ଗାଁର ପରିସୀମା ଭିତରେ-ଏବଂ ତା’କୁ ଏପରି ଭାବରେ ଗେହ୍ଲା କରିଥିଲେ, ଉତ୍ସାହିତ କରିଥିଲେ, ସଂଘର୍ଷର ସମ୍ଭାବନାକୁ ଅକାମି କରି ଦେଇଥିଲେ, ଉତ୍ସାହିତ କରିଥିଲେ, ସଂଘର୍ଷର ସମ୍ଭାବନାକୁ ଅକାମି କରି ଦେଇଥିଲେ, ଏବଂ ତା’କୁ ଗୋଟାଏ ବ୍ୟକ୍ତିଗତ, ପୂରାପୂରି ଅସ୍ୱୀକୃତ, ବିଚଳିତ ଏକାକୀ, ସ୍ଥିତି ଭିତରକୁ ପଠାଇ ଦେଇଥିଲେ । ସେ ଯଦି ସବୁବେଳେ ସାବଧାନ ରହେ, ଏବଂ ଉପରିସ୍ଥ ଲୋକଙ୍କ ସହୃଦୟତା ଏବଂ ତା’ ନିଜର ଅତି ଲଘୁ କର୍ତ୍ତବ୍ୟ ଗୁଡ଼ିକର ନିଖୁଣ ପାଳନ ସତ୍ତ୍ୱେ, ସେ-ତା’ପ୍ରତି ପ୍ରଦର୍ଶିତ ଦୟା ଦ୍ୱାରା ଠକି ଯାଇ-ଏମିତି ମୁର୍ଖ ବ୍ୟବହାର କରିପାରେ ଯେ ତା’ର ତା’ର ପତନ ହୋଇପାରେ । ଏ ପ୍ରକାର ଜୀବନରେ ଏହା ସହଜରେ ଘଟିପାରେ । ଏବଂ ଉପରିସ୍ଥ ଲୋକମାନେ, ନରମ ଓ ସହୃଦୟ ରହି, ବି, ଏବଂ ହୁଏତ ତାଙ୍କ ଇଚ୍ଛା ବିରୁଦ୍ଧରେ, କିନ୍ତୁ ତା’କୁ ଅଜଣା ଥିବା କୌଣସି ସରକାରୀ ଆଇନର ଦ୍ୱାହି ଦେଇ, ଆସି ତାକୁ ସେମାନଙ୍କ ବାଟରୁ ହଟାଇ ଦେଇପାରନ୍ତି । କିନ୍ତୁ ଏଇଟା କ’ଣ ଏଇ ଦୋସରା ଜୀବନଟା କ’ଣ, ଯାହା ଭିତରକୁ ତା’କୁ ଠେଲି ଦିଆଯାଇଛି ? ଚାକିରୀ ଓ ଜୀବନ ଏଠି ଯେତେ ଆଙ୍ଗାଙ୍ଗୀ ଭାବେ ଜଡ଼ିତ ଏହା କେ. ଆଗରୁ କେବେ ଦେଖି ନାହିଁ, ଏତେ ବେଶୀ ଜଡ଼ିତ ଯେ ବେଳେବେଳେ ଜଣେ ଭାବି ପାରେ ସେ ଦୁଇଟା ପରସ୍ପର ସ୍ଥାନ ପରିବର୍ତ୍ତନ କରିଛନ୍ତି । ଉଦାହରଣତଃ, ଯେଉଁ ଶକ୍ତି ଏଯାଏଁ କେବଳ ନିୟମର ବିଷୟ ହୋଇ ରହିଛି, ଏବଂ ଯାହାକି କ୍ଲାମ୍‌ କେ: ର ଚାକିରୀ ଉପରେ ପ୍ରୟୋଗ କରିଛନ୍ତି, ତା’ତୁ ଯଦି କ୍ଲାମ୍‌ କେ: ର ଶୋଇବା ଘର ଭିତରେ ଜାହିର୍‌ କରୁଥିବା ଅତି ବାସ୍ତବ ଶକ୍ତି ସହିତ ତୁଳନା କରାଯାଏ, ତେବେ ସେ ଶକ୍ତିର କି ଗୁରୁତ୍ୱ ଅଛି ? ତେଣୁ ଏହା ସହଜରେ ଅନୁମେୟ ଯେ ଉପରିସ୍ଥ ଲୋକଙ୍କ ସାଙ୍ଗରେ ସିଧା କାରବାର ପାଇଁ ଏକ ପ୍ରକାର ଲଘୁ ହେରେସାମି, ଏକ ନିର୍ଦ୍ଦିଷ୍ଟ ଧରଣର ଇଚ୍ଛାକୃତ ଦାୟିତ୍ୱ ହୀନତା ଯଥେଷ୍ଟ ହେଲାବେଳେ, ଅନ୍ୟ ସବୁ କ୍ଷେତ୍ରରେ ଜଣେ ଅତି ସାବଧାନ ରହିବା ଆବଶ୍ୟକ, ଏବଂ ପାଦେ ଆଗେଇବା ଆଗରୁ ଚାରି ଆଡ଼କୁ ଭଲ କରି ଦେଖିବା ଦରକାର ।

 

ସୁପିଣ୍ଟେଣ୍ଡେଣ୍ଟଙ୍କୁ ଦଖା କଲା ପରେ କେ: ଜାଣି ପାରିଲା ଯେ ସେଠାରେ ଉପରିସ୍ଥ ଲୋକମାନଙ୍କ ସମ୍ୱନ୍ଧରେ ତା’ ଧାରଣା ଠିକ୍‌ । ସୁପରିଣ୍ଟେଣ୍ଡଣ୍ଟ, ଜଣେ ଦୟାଶୀଳ, ମୋଟା ଚିକ୍‌କଣ ଖିଅର ହୋଇଥିବା ଲୋକ, ଶୋଇ ରହିଥାନ୍ତି; ସେ ବାତ ରୋଗରେ ପଡ଼ିଥାନ୍ତି, ସେମିତି ଶୋଇବା ଅବସ୍ଥାରେ ସେ କେ. କୁ ଦେଖା ଦେଲେ । ‘‘ତା’ ହଲେ, ଈଏ ହେଲେ ଆମର ଅମିନବାବୁ, ‘‘ସେ କହିଲେ ଏବଂ ଉଠି ବସିବାକୁ ଚେଷ୍ଟା କଲେ, ପାରିଲେ ନାହିଁ, ପୁଣି ଶେଯରେ କଚାଡ଼ି ହୋଇ ପଡ଼ିଲେ କ୍ଷମା ମାଗିବା ଭଙ୍ଗୀରେ ନିଜ ଗୋଡ଼ ଆଡ଼କୁ ହାତ ଦେଖାଇ । ରୁମ୍‌ ଭିତରର ମହଲ ଆଲୁଅରେ ଯେଉଁଠି ଛୋଟ ଝରକା ଗୁଡ଼ିକ ପର୍ଦା ଲାଗି ଥିବା ଯୋଗୁଁ ଅନ୍ଧାରୁଆ ହୋଇ ଯାଇଥିଲେ, ଜଣେ ସ୍ତ୍ରୀ ଲୋକ, ଛାଇଟିଏ ଭଳି ଚୁପ୍‌ଚାପ୍‌, କେ. ଆଡ଼କୁ ଗୋଟିଏ .ଚେୟାର ବଢ଼ାଇ ଦେଲା ଏବଂ ସେଟିକୁ ଖଟ ପାଖରେ ରଖିଲା । ‘‘ବସନ୍ତୁ, ଅମିନ ବାବୁ, ବସନ୍ତୁ’’ ସପୁରିଣ୍ଟେଣ୍ଡେଣ୍ଡ କହିଲେ, ଆପଣଙ୍କ ଇଚ୍ଛା କ’ଣ କହନ୍ତୁ ।’’ କେ. କ୍ଳାମଙ୍କ ଚିଠିଟା ପଢ଼ିଲା ଓ ତା’ସାଙ୍ଗରେ ନିଜର କିଛିଟା ମନ୍ତବ୍ୟ ଯୋତି ଦେଲା । ପୁଣି ସେ ଅନୁଭବ କଲା ଏକ ଆଶ୍ଚର୍ଯ୍ୟ ଜନକ ସ୍ୱସ୍ତି ଉପରିସ୍ଥ ଲୋକଙ୍କ ସହିତ କାରବାର କଲା ବେଳେ । ସେମାନେ ସବୁ ଦାୟିତ୍ୱ ମୁଣ୍ଡାଇ ନେଲା ଭଳି ମନେ ହେଉଥାଏ, ସେମାନଙ୍କ ମୁଣ୍ଡ ଉପରେ ଜଣେ ସବୁ ଦାୟିତ୍ୱ ଲଦି ଦେଇ ପାରେ ଏବଂ ନିଜେ ବେଶ୍‌ ସ୍ୱାଧୀନ ଓ ନିରଙ୍କୁଶ ରହିପାରେ । ସୁପରିଣ୍ଟେଣ୍ଡେଣ୍ଟ୍‌ ଖଟ ଉପରେ କଷ୍ଟ ପାଇଲା ପରି ମୋଡ଼ି ଭିଡ଼ି ହେଲେ, ସତେ ଯେମିତି ସେ ନିଜେ ବି ଏହା ଅନୁଭବ କରୁଥିଲେ । ଶେଷରେ ସେ କହିଲେ, ‘‘ଆପଣ ଯେମିତି କହିଲେ ମୁଁ ସେ ବିଷୟଟା ଜାଣେ । ମୁଁ ଏ ଯାଏଁ କିଛି କରିନାହିଁ ତା’ର କାରଣ ହେଲା ପ୍ରଥମେ ମୋର ଅସୁସ୍ଥତା ଏବଂ ଦ୍ୱିତୀୟରେ ଆପଣ ଆସିବାକୁ ଏତେ ଡେରି କଲେ । ମୁଁ ଶେଷରେ ଭାବିଥିଲି ଯେ ଆପଣ ବିଷୟଟାକୁ ହାତଛଡ଼ା କରି ଦେଲେଣି । କିନ୍ତୁ ବର୍ତ୍ତମାନ ଯେତେବେଳେ ଆପଣ ଦୟାକରି ଆସି ପହଞ୍ଚି ଯାଇଚନ୍ତି, ମତେ କଥାଟା ସମ୍ୱନ୍ଧରେ ସ୍ପଷ୍ଟ ଉଲଗ୍ନ ସତ୍ୟଟା କହି ଦେବାକୁ ପଡ଼ିବ । ଆପଣ କହିଲା ଭଳି ଆପଣଙ୍କୁ ଅମିନ ଭାବରେ ନିଆଯାଇଚି, କିନ୍ତୁ ଦୁର୍ଭାଗ୍ୟର କଥା, ଆମର ଜଣେ ଅମିନ ଦରକାର ନାହିଁ । ଜଣେ ଅମିନ ପାଇଁ ଏଠି କୌଣସି କାମ ନାହିଁ । ଆମ ଛୋଟ ରାଜ୍ୟର ସୀମା ସରହଦ ସବୁ ଚିହ୍ନିତ କରା ହୋଇ ସାରିଛି ଏବଂ କାଗଜ ପତ୍ରରେ ରେକଡ଼ କରାଯାଇଛି । ତେଣୁ ଆମେ ଜଣେ ଅମିନଙ୍କୁ ନେଇ କ’ଣ କରିବୁ ?’’ ଯଦିଓ ସେ ଏ ବିଷୟରେ ମୁହୂର୍ତ୍ତକ ପାଇଁ ଆଗରୁ ଚିନ୍ତା କରି ନଥିଲା କେ. ତାର ଅନ୍ତଃକରଣରେ ନିଶ୍ଚିତ ହୋଇ ସାରିଥିଲା ଯେ ସେ ଏ ପ୍ରକାର ପ୍ରତିକ୍ରିୟା ହିଁ ଆଶା କରି ଆସିଛି । ସେଥିପାଇଁ କେବଳ ସେ ହଠାତ୍‌ ଉତ୍ତର ଦେବାକୁ ସମର୍ଥ ହେଲା ! ‘‘ମତେ ତ ବଡ଼ ଆଶ୍ଚର୍ଯ୍ୟ ଲାଗୁଚି । ମୋର ସବୁ ହିସାବ ଗଣ୍ଡଗୋଳ ହୋଇଗଲା । ମୋର ଏକମାତ୍ର ଭରସା ଯେ କୋଉଠି କିଛି ଭୁଲ ବୁଝାମଣା ରହି ଯାଇଛି ।’’ ‘‘ନା, ଦୁର୍ଭାଗ୍ୟ ବଶତଃ, ମୁଁ ଯା’ କହୁଚି ତା’ ସତ,’’ ସୁପରିଣ୍ଟେଣ୍ଡେଣ୍ଟ୍‌ କହିଲେ । ‘‘କିନ୍ତୁ ତା’ କେମିତି ସମ୍ଭବ ?’’ କେ. ପଚାରିଲା । ‘‘ମୁଁ ନିଶ୍ଚେ ଏତେ ବାଟ ଅତିକ୍ରମ କରି ଆସିନି ଏମିତି ବାହୁଡ଼ି ଯିବାକୁ ।’’ ‘‘ସେଇଟା ଅଲଗା କଥା,’’ ସୁପରିଣ୍ଟେଣ୍ଡେଣ୍ଟ ଉତ୍ତର ଦେଲେ, ‘‘ଯୋଉ ବିଷୟରେ କି ମୁଁ କୌଣସି ନିଷ୍ପତ୍ତି ନେଇ ପାରିବିନି, କିନ୍ତୁ ବୁଝାମଣାରେ ଏ ଭୁଲ କେମିତି ଘଟିଲା ତା’ ମୁଁ ବୁଝାଇ ଦେଇ ପାରିବି । କାଉଣ୍ଟଙ୍କ ଅଫିସ ଭଳି ଏତେ ବଡ଼ ସରକାରୀ ଅଫିସରେ, ବେଳେ ବେଳେ ଏମିତି ଘଟିଥାଏ ଯେ ଗୋଟାଏ ବିଭାଗ ୟା’ କହିଲା ବେଳକୁ ଆଉ ଗୋଟାଏ ବିଭାଗ ତା’ କହିଲାଣି; ଇଏ ତା’ କଥା ଜାଣେନି କି ସିଏ ୟା’ କଥା ଜାଣେନି, ଏବଂ ସବା ଉପରେ ଥିବା ଶକ୍ତି ଯଦିଓ ପୂରାପୂରି ସବୁ ନିୟନ୍ତ୍ରଣ କରିଥାଏ, ତା’ ପ୍ରକୃତି ଏମିତି ଯେ ସେ ଡେରି କରିଦିଏ ଏବଂ ତେଣୁ ପ୍ରାୟ କିଛି ନା କିଛି ଛୋଟ ଧରଣର ଗୋଳମାଳ ଘଟୁଥାଏ । ଅବଶ୍ୟ ଏହା ଘଟେ ଅତି ଛୋଟ ଛୋଟ ବିଷୟରେ, ଧରାନ୍ତୁ ଯେମିତି ଆପଣଙ୍କ ବିଷୟଟା । ବଡ଼ ବଡ଼ ବିଷୟରେ ଭୁଲ ହେବା ମୁଁ ଏଯାଏଁ ଜାଣିନି, କିନ୍ତୁ ଛୋଟ ଛୋଟ ଘଟଣା ବି ସବୁବେଳେ ବେଶ୍‌ କଷ୍ଟଦାୟକ । ବର୍ତ୍ତମାନ ଆପଣଙ୍କ ବିଷୟଟା, ମୁଁ ଆପଣଙ୍କୁ ତା’ ଇତିହାସ ସଂପର୍କରେ ଖୋଲି କହିବି ଏବଂ କୌଣସି ଅଫିସିଆଲ ରହସ୍ୟରେ ତା’କୁ ଘୋଡ଼ାଇ ଦେବିନି-ମୁଁ ସେମିତି ଅଫିସିଆ ଲୋକ ବି ନୁହେଁ, ମୁଁ ଜଣେ ଚାଷୀ ଓ ସବୁଦିନ ପାଇଁ .ସେୟା ହିଁ ରହିବି । ଅନେକ ଦିନ ଆଗେ-ଅଳ୍ପ କେତେ ମାସ ହେବ ମୁଁ ସୁପରିଣ୍ଟେଣ୍ଡେଣ୍ଟ ହୋଇଥାଏ-ଗୋଟାଏ ଅର୍ଡ଼ର୍‍ ଆସିଲା, ମୋର ମନେ ନାହିଁ କୋଉ ବିଭାଗରୁ, ଯେଉଁଥିରେ, ସେ ବିଭାଗରେ ଥିବା ଭଦ୍ରଲୋକ ମାନଙ୍କ ସ୍ୱାଭାବିକ ନିର୍ଦ୍ଦିଷ୍ଟତା ସହିତ ଜଣାଇ ଦିଆଯାଇଥିଲା ଯେ ଜଣେ ଅମିନଙ୍କୁ ଅଣାଯିବ ଏବଂ ମ୍ୟୁନିସିପାଲିଟିଙ୍କୁ କୁହାଯାଇଥିଲା ଅମିନଙ୍କ କାମ ପାଇଁ ଦରକାରୀ ଯୋଜନା ଓ ମପାମପି ହିସାବ ନେଇ ପ୍ରସ୍ତୁତ ରହିବାକୁ । ଏ ଅର୍ଡ଼ର ନିଶ୍ଚୟ ଆପଣଙ୍କ ପାଇଁ ନଥିଲା; କାରଣ ଏହା ବହୁତ ଦିନ ଆଗେ ଦିଆଯାଇଥିଲା, ଏବଂ ମୋର ବି ସେ କଥା ମନେ ପଡ଼ି ନଥାନ୍ତା ଯଦି ମୋ’ ଦେହ ଖରାପ ନଥାନ୍ତା ଏବଂ ଯେତେ ସବୁ ଉଦ୍‌ଭଟ୍ଟ କଥା ଭାବିବାକୁ ମୋର ଯଥେଷ୍ଟ ସମୟ ନଥାନ୍ତା-ମିଜି’’, ସେ ଡାକିଲେ-ହଠାତ୍‌ ଅଟକି ଯାଇ-ସ୍ତ୍ରୀ ଲୋକଟିକୁ ଯେକି ଏଯାଏଁ ଘର ଭିତରେ ଏପାଖ ସେପାଖ ହେଉଥିଲା ଏବଂ କିଛି ଗୋଟାଏ ଅବୋଧ୍ୟ କାମ କରୁଥିଲା; ‘‘ଦେଖିଲ ସେ ବାକ୍‌ସରେ ଟିକିଏ; ଅର୍ଡ଼ରଟାଏ ବୋଧେ ସେଠି ଅଛି ।’’ ‘‘ହଁ, ମୋ’ ଚାକିରୀ କରିବାର ପ୍ରଥମ ମାସ ବେଳର କଥା’’, ସେ କେ. କୁ ବୁଝାଇଥିଲେ ‘‘ସେ ସମୟରେ ସବୁ, କିଛି ଫାଇଲ୍‌ କରି ଦେଉଥିଲି ।’’ ସ୍ତ୍ରୀ ଲୋକଟି ତତ୍‌କ୍ଷାଣତ୍‌ ବାକ୍‌ସ ଖୋଲିଲା । କେ. ଓ ସୁପରିଣ୍ଟେଣ୍ଡଣ୍ଟ ଦେଖୁଥାନ୍ତି । ବାକ୍‌ସଯାକ କାଗଜ ପତ୍ର ଭର୍ତ୍ତି ହୋଇଥିଲା । ସେଇଟା ଯେମିତି ଖୋଲିଛି ଜାଳେଣି କାଠ ଭଳି ଗୋଲ ହୋଇ ବନ୍ଧା ହୋଇଥିବା ଦୁଇଟା ବଡ଼ କାଗଜ ବଣ୍ଡିଲ ଖସି ପଡ଼ିଲା; ସ୍ତ୍ରୀ ଲୋକଟି ଛାନିଆରେ ପଛକୁ ଘୁଞ୍ଚି ଆସିଲା ।’’ ସେ କାଗଜଟା ତଳ ଆଡ଼କୁ ଥିବ, ସବା ତଳେ,’’ ସୁପରିଣ୍ଟେଣ୍ଡେଣ୍ଟ୍‌ କହିଲେ, ଖଟ ଉପରକୁ ନିର୍ଦ୍ଦେଶ ଦେଇ । ଦୁଇ ହାତରେ ସବୁ କାଗଜ ପତ୍ର ସ୍ତ୍ରୀ ଲୋକଟି ବକ୍‌ସ ଭିତରୁ ବାହାର କରି ଆଣିଲା, ସବା ତଳେ କାଗଜ ଗୁଡ଼ିକ ପଢ଼ିବା ପାଇଁ । କାଗଜ ପତ୍ରରେ ଘରର ମେଜିଆ ଅଧା ଭର୍ତ୍ତି ହୋଇଗଲା ।’’ ଏଠି ଅନେକ ଗୁଡ଼ାଏ କାମ ହୁଏ;’’ ମୁଣ୍ଡ ହଲାଇ ସୁପରିଣ୍ଟେଣ୍ଡେଣ୍ଟ କହିଲେ, ‘‘ଏବଂ ଯାହା ଦେଖୁଚନ୍ତି ତା’ ଗୋଟିଏ କ୍ଷୁଦ୍ର ଅଂଶ ମାତ୍ର । ସବୁଠୁ ବେଶୀ ଦରକାରୀ କାଗଜ ପତ୍ର ଗୁଡ଼ିକ ମୁଁ ?

 

କିନ୍ତୁ ବହୁତ ଗୁଡ଼ାଏ କାଗଜ ପତ୍ର ଏଠି ସେଠି ରହି ଯାଇଚି । ସେଡ଼୍‌ରେ ରଖି ଦେଇଚି । କିଏ ସେଗୁଡ଼ିକ ସବୁ ଏକାଠି ରଖି ପାରିବ । କିନ୍ତୁ ସେଡ଼୍‍ରେ ଆହୁରି ଅନେକ ବିଡ଼ା କାଗଜ ପତ୍ର ଅଛି ।’’ ‘‘ତମେ କ’ଣ ଅର୍ଡ଼ର୍‍ଟା ଖୋଜି ପାଇବ ?’’ ତାଙ୍କ ସ୍ତ୍ରୀ ଆଡ଼କୁ ପୁଣି ଅନାଇଁ ସେ କହିଲେ, ‘‘ଦେଖ, ସେ କାଗଜଟାରେ ଅମିନ ଶବ୍ଦ ତଳେ ନେଳି ପେନ୍‌ସିଲ୍‌ ଗାର ଦିଆହୋଇଥିବ ।’’ ‘‘ଭାରି ଅନ୍ଧାର ହୋଇଚି,’’ ସ୍ତ୍ରୀ ଲୋକ ଜଣକ କହିଲା, ‘‘ମୁଁ ଗୋଟେ ମହାମବତୀ ଆଣେ,’’ କହି ସେ ତଳେ ପଡ଼ିଥିବା କାଗଜ ଗୁଡ଼ାକ ମାଡ଼ି ଦୁଆର ଆଡ଼କୁ ଚାଲିଲା । ‘‘ମୋ ସ୍ତ୍ରୀ ମତେ ବହୁତ ସାହାଯ୍ୟ କରନ୍ତି,’’ ସୁପରିଣ୍ଟେଣ୍ଡେଣ୍ଟ୍‌ କହିଲା, ‘‘ଏସବୁ କଠିନ ଅଫିସ୍‌ କାମରେ, ତଥାପି ଆମେ ପୁରା କାମଟା ସମ୍ଭାଳି ପାରୁନୁ । ଲେଖା ଲେଖି କାମ କରିବାକୁ ମୋର ଆଉଜଣେ ସହକାରୀ ଅଛି ସତ-ମାଷ୍ଟ୍ର ଜଣକ । ତଥାପି ସବୁ ଠିକ୍‌ଠାକ୍‌ କରି ରଖିବା ଅସମ୍ଭବ, ଏମିତି ଗୁଡ଼ାଏ କାମ ସବୁବେଳେ ଆସୁଚି ଯାହାକୁ ପକାଇ ରଖିବାକୁ ପଡ଼ୁଚି; ସେଗୁଡ଼ାକ ସବୁ ସେ ବାକ୍‌ସରେ ରଖି ଦିଆ ହୋଇଚି,’’ ଏହା କହି ସେ ଆଉ ଗୋଟିଏ ବାକ୍‌ସ ଆଡ଼କୁ ଦେଖାଇଲେ । ‘‘ଏବଂ ବର୍ତ୍ତମାନ, ମୁଁ ଯେହେତୁ ପଡ଼ି ଯାଇଚି, କାମ ଜମା ହେବାରେ ଲାଗିଚି,’’ ସେ କହିଲେ, ଏବଂ କ୍ଳାନ୍ତ ଅଥଚ ଅହଙ୍କାରୀ ଭାବ ଦେଖାଇ ପୁଣି ଗଡ଼ି ପଡ଼ିଲେ । ସ୍ତ୍ରୀ ଲୋକ ଜଣକ ମହମବତୀ ଧରି ଆସିବା ଏବଂ ବାକ୍‌ସ ପାଖରେ ଆଣ୍ଠେଇ ପଡ଼ି କାଗଜଟାକୁ ଖୋଜୁଥିବା ଦେଖି କେ. କହିଲା, ‘‘ମୁଁ, ମୁଁ ଆପଣଙ୍କ ସ୍ତ୍ରୀଙ୍କୁ ସେଇଟା ଖୋଜିବାରେ ସାହାଯ୍ୟ କରିପାରେ କି ?’’ ସୁପରିଣ୍ଟେଣ୍ଡେଣ୍ଟ ହସି ମୁଣ୍ଡ ହଲାଇଲେ ‘‘ମୁଁ ଆଗରୁ କହିଚି, ଆପଣଙ୍କ ଆଗରେ ଅଫିସର ଗୋପନୀୟତା ଏତେ ବେଶୀ ବୋଲି ଦେଖେଇ ହେବାକୁ ମୁଁ ଚାହୁଁନି; କିନ୍ତୁ ଆପଣ ସେ ସବୁ କାଗଜ ପତ୍ର ନିଜେ ଦେଖିବେ-ନା, ମୁଁ ସେତେଦୂର ଯାଇ ପାରିବିନି ।’’ ବର୍ତ୍ତମାନ ରୁମ୍‌ ଭିତର ଚୁପ୍‌ଚାପ୍‌ ହୋଇଗଲା, କେବଳ କାଗଜର ଖସ୍‌ ଖସ୍‌ ଶବ୍ଦ ଶୁଭୁଥାଏ, କିଛି ମିନିଟ୍‌ ପାଇଁ ମନେ ହେଲା ଯେ ସୁପରିଣ୍ଟେଣ୍ଡେଣ୍ଟ ଘୁମାଉଛନ୍ତି । କବାଟ କିଏ ଆସ୍ତେ ବାଡ଼େଇବା ଶୁଣି କେ. ବୁଲି ଚାହିଁଲା । ବାଡ଼ଉଥିଲେ ତା’ ସରକାରୀ ମାନେ । ତଥାପି ତାଙ୍କ ଉପରେ ଯେ ଟ୍ରେନିଂର କିଛି ପ୍ରଭାବ ପଡ଼ିଛି ତା’ ବେଶ୍‌ ଜଣାପଡ଼ିଲା, ଦୁହେଁ ରୁମ୍‌ ଭିତରକୁ ଭୁସ୍‌ କିନା ପଶି ଆସିଲେ ନାହିଁ, ବରଂ ପ୍ରଥମେ ଅଳ୍ପ ଖୋଲା ହୋଇଥିବା ଦୁଆର ଫାଙ୍କରେ ଫିସ୍‌ ଫିସ୍‌ ହୋଇ କହିଲେ, ‘‘ଏଠି ବାହାରେ ଭାରି ଥଣ୍ଡା ।’’ କିଏ ?’’ ଚମକି ପଡ଼ି ସୁପରିଣ୍ଟେଣ୍ଡେଣ୍ଟ ପଚାରିଲେ-।’’ ଏମାନେ ମୋର ସରକାରୀ,’’ କେ. ଉତ୍ତର ଦେଲା । ‘‘ମୁଁ ବୁଝି ପାରୁନି କୋଉଠି ଏମାନଙ୍କୁ ମୋ ପାଇଁ ଅପେକ୍ଷା କରିବାକୁ କହିବି, ବାହାରେ ଭାରି ଥଣ୍ଡା ଏବଂ ଭିତରେ ସେମାନେ ରହିଲେ ଅଡ଼ୁଆ-।’’ ‘‘ସେମାନେ ଥିଲେ କିଛି ଅସୁବିଧା ହେବନି ମୋର,’’ ସୁପରିଣ୍ଟେଣ୍ଡେଣ୍ଟ ଦୟାପରବଶ ହୋଇ କହିଲେ । ‘‘ସେମାନଙ୍କୁ କହ, ଭିତରକୁ ଆସନ୍ତୁ ।’’ ମୁଁ ସେମାନଙ୍କୁ ଜାଣିଚି । କେବଠୁ, ଚିହ୍ନା ପରିଚୟ ।’’ ‘‘କିନ୍ତୁ ସେମାନେ ମତେ ଅଡ଼ୁଆରେ ପକାଉଚନ୍ତି,’’ କେ. ରୋକ୍‌ଠାକ୍‌ କହିଲା, ତା’ ଦୃଷ୍ଟି ସହକାରୀ ମାନଙ୍କ ଉପରୁ ସୁପରିଣ୍ଟେଣ୍ଡେଣ୍ଡଙ୍କ ଯାଏ ବୁଲାଇ ନେଇ ଫେରାଇ ଆଣିଲା, ଏବଂ ତିନି ଜଣକର ମୁହଁରେ ଏକା ପ୍ରକାର ହସ ଦେଖିଲା ।’’ କିନ୍ତୁ ତମେମାନେ ଯେ ଏଠିକିମିତି ଳଆସି ସାରିଲିଣି, ‘‘କେ. ପରୀକ୍ଷା କଲା ଭଳି କହିଲା,’’ ଏଠି ରହ ଏବଂ ସୁପରିଣ୍ଟେଣ୍ଡଣ୍ଟଙ୍କ ସ୍ତ୍ରୀ ଗୋଟିଏ କାଗଜ ଖୋଜୁଛନ୍ତି, ତାଙ୍କୁ ସାହାଯ୍ୟ କର ଖୋଜିବାରେ, କାଗଜଟାରେ ‘ଅମିନ’ ଶବ୍ଦ ତଳେ ନେଳି ପେନ୍‌ସିଲ୍‌ ଗାର ଦିଆ ହୋଇଚି ।’’ ସୁପରିଣ୍ଟେଣ୍ଡେଣ୍ଟ୍‌ କୌଣସି ଆପତ୍ତି କଲେନି । ଯାହା କରିବା ପାଇଁ କେ. କୁ ମନା କରାଯାଇଥିଲା ତା’ ସହକାରୀମାନଙ୍କୁ କରିବାକୁ ଦିଆଗଲା । ସେମାନେ ତତ୍‌କ୍ଷାଣ୍‌ତ କାଗଜ ଗୁଡ଼ାକ ଉପରକୁ କୁଦି ପଡ଼ିଲେ, କିନ୍ତୁ ସେମାନେ କାଗଜ ଗୁଡ଼ାକ ଘାଣ୍ଟିବା ଛଡ଼ା କିଛି ଖୋଜୁଥିଲା ଭଳି ଲାଗିଲା ନାହିଁ, ଏବଂ ଜଣେ ଗୋଟାଏ କାଗଜ ଗୋଟାଇ ପଢ଼ିଲା ବେଳକୁ ଆର ଜଣକ ସେଟାକୁ ତା’ ହାତରୁ ଛଡ଼ାଇ ନେଉଥିଲା । ଏ ଭିତରେ ସ୍ତ୍ରୀ ଲୋକଟି ଖାଲି ବାକ୍‌ସ ସାମ୍ନାରେ ଆଣ୍ଠେଇ ପଡ଼ିଥାଏ, ଖୋଜାଖୋଜି କରିବା ପୂରା ଛାଡ଼ି ଦେଇଥାଏ ବୋଲି ମନେ ହେଉଥାଏ । ସେ ଯାହା ହେଉ, ମହମବତୀଟି ତା’ଠୁ ବେଶ୍‌ ଦୂରରେ ରଖା ଯାଇଥାଏ ।

 

ଆତ୍ମ-ସନ୍ତୋଷର ହସଟିଏ ହସି, ଯାହାର ଅର୍ଥ ହେଲା ଯେ ସେ ହିଁ ସବୁ କରାଉଛନ୍ତି, ଯଦିଓ କାହାର ଏମିତି ଭାବିବାର ଅଧିକାର ନଥିଲା, ସୁପରିଣ୍ଟେଣ୍ଡେଣ୍ଟ୍‌ କହିଲେ, ‘ସହକାରୀମାନେ ତା’ ହେଲେ ଆପଣଙ୍କୁ ଅଡ଼ୁଆରେ ପକାଉଛନ୍ତି ? ତଥାପି ଏମାନେ ଆପଣଙ୍କ ନିଜର ସହକାରୀ ।’’ ‘‘ନା,’’ କେ. ଉତ୍ତର ଦେଲା ଥଣ୍ଡା ଗଳାରେ, ‘‘ଏମାନେ କେବଳ ଏଠି ଆସି ମତେ ଧରିଚନ୍ତି ।’’ ଆପଣଙ୍କୁ ଧରିଚନ୍ତି, ‘‘ସେ କହିଲେ,’’ ଆପଣ କହିବାର ଅର୍ଥ ଅବଶ୍ୟ ହେଲା, ଏମାନଙ୍କୁ ଆପଣଙ୍କ ପାଇଁ ଯୋଗାଇ ଦିଆଯାଇଚି ।’’ ‘‘ହେଉ, ହେଲା, ମତେ ଏମାନଙ୍କୁ ଦିଆଯାଇଚି,’’ କେ. କହିଲା, ‘‘କିନ୍ତୁ ଏମାନେ ଆକାଶରୁ ବି ଖସି ପାରିଥାନ୍ତି, ଏମାନଙ୍କୁ ବାଛିବା ଆଗରୁ ଯେ ପ୍ରକାର ଚିନ୍ତା କରିଯାଇଚି ସେ ଦୃଷ୍ଟିରୁ ।’’ ‘‘ଚିନ୍ତା ନ କରି ଏଠି କିଛି କରାଯାଏନି,’’ ସୁପରିଣ୍ଟେଣ୍ଡେଣ୍ଟ୍‍ କହିଲେ, ତାଙ୍କ ପାଦର ଯନ୍ତ୍ରଣା ଭୁଲିଯାଇ, ଉଠି ପଡ଼ିବ ।’’ କିଛି କରାଯାଏନି ।’’ କେ. କହିଲା, ‘‘ତା’ ହେଲେ ମତେ ଏଠିକି ଡକାହେବା କଥାଟା କେମିତି ଘଟିଲା ?’’ ‘‘ଏପରିକି ଆପଣଙ୍କୁ ଏଠିକି ଡକା ହେବା କଥାଟା ମଧ୍ୟ ବହୁତ ଭାବିଚିନ୍ତି କରାଯାଇଛି,’’ ସୁପରିଣ୍ଟେଣ୍ଡେଣ୍ଟ କହିଲେ, ‘‘କେବଳ କେତେକ ଆନୁସାଙ୍ଗିକ ପରିସ୍ଥିତି ସୃଷ୍ଟି ହୋଇ ବିଷୟଟାକୁ ଗୋଳମାଳିଆ କରି ଦେଲେ, ଅଫିସିଆଲ କଗଜ ପତ୍ରରୁ ମୁଁ ଏହା ପ୍ରମାଣ କରିଦେବି । ‘‘କାଗଜ ପତ୍ର ମିଳିବ ନି, ‘‘କେ. କହିଲା । ମିଳିବ ନି ?’’ ସୁପରିଣ୍ଟେଣ୍ଡେଣ୍ଟ କହିଲେ, ‘‘ମିଜ, ଟିକିଏ ଜଲ୍‌ଦି କର ! ନ ମିଳିଲେ ବି; କାଗଜ ପତ୍ର ନ ଦେଖି ବି, ମୁଁ ଆପଣଙ୍କୁ ମୁଁ ପୂରା ଘଟଣାଟା କହି ଦେଇ ପାରିବି । ଯୋଉ ଅର୍ଡ଼ର୍‍ କଥା କହିଲି ଆମେ ତା’ ଉତ୍ତରରେ ଧନ୍ୟବାଦ; ଆମର ଜଣେ ଅମିନ ଦରକାର ନାହିଁ ବୋଲି ଲେଖି ଦେଲୁ । କିନ୍ତୁ ଆମ ଉତ୍ତର ମୂଳ ବିଭାଗରେ ପହଞ୍ଚିଲାନି ବୋଧେ, ସେ ବିଭାଗର ନାଁ ଧରନ୍ତୁ ‘କ’: ତା’ ଭୁଲ୍‌ରେ କିନ୍ତୁ ଆଉ ଗୋଟିଏ ବିଭାଗ ‘ଖ’ କୁ ଚାଲିଗଲା । ତେଣୁ ‘କ’ ବିଭାଗରେ ଆମ ଉତ୍ତର ତ ପହଞ୍ଚିଲା ନି; ଦୁର୍ଭାଗ୍ୟର କଥା ଆମର ପୂରା ଉତ୍ତରଟା ‘ଖ’ ବିଭାଗକୁ ମଧ୍ୟ ଯାଇ ପାରିଲାନି । ଆମେ ଉତ୍ତର ସାଙ୍ଗରେ ଅର୍ଡ଼ର୍‍ଟା ଏକେ ପଠାଇ ନଥିଲୁ କିମ୍ୱା ସେଇଟା ବାଟରେ କୋଉଠି ହଜିଗଲା-ନିଶ୍ଚେ ଆମ ବିଭାଗରେ ହଜିନାହିଁ; ଏ କଥା ମୁଁ ଜୋର୍‌ ଦେଇ କହି ପାରେ-ସେ ଯା’ ହେଉ ‘ଖ’ ବିଭାଗରେ ଯା’ ପହଞ୍ଚିଲା ସେଇଟା କେବଳ ସାଙ୍ଗରେ ପଠା ହୋଇଥିବା ଚିଠିଟା; ଯୋଉଥିରେ ଖାଲି ଲେଖା ହୋଇଥିଲା ଯେ ସାଙ୍ଗରେ ଥିବା ଅର୍ଡ଼ର, ଦୁର୍ଭାଗ୍ୟୁ ନକରି ହେଲା ଭଳି ଗୋଟାଏ ଅର୍ଡ଼ର; ଜଣେ ଅମିନଙ୍କ ନିଯୁକ୍ତି ବିଷୟରେ ପଠାଇଯାଇଚି । ୟା ଭିତରେ ‘କ’ ବିଭାଗ ଆମ ଉତ୍ତରକୁ ଅପେକ୍ଷା କରୁଥାନ୍ତ; ସେମାନେ ଅବଶ୍ୟ ଆମ ବିଷୟଟା ମନେ ପକାଇ ଦେଇ ଆଉ ଥରେ ଲେଖିଥାନ୍ତି; କିନ୍ତୁ ଯାହା ସବୁବେଳେ ଘଟିଥାଏ ଏବଂ କ୍ଷମଣୀୟ, ଏପରିକି ସବୁଠୁ କାମିକା ଅଫିସର ବି ଘଟିବାକୁ ବାଧ୍ୟ, ତା’ ଘଟିଲା; ଆମକୁ ଚିଠି ଲେଖିଥିବା ଲୋକ ବିଶ୍ୱାସ କରୁଥିଲେ ଯେ ଆମେ ଉତ୍ତର ଦେବୁ; ଯାହା ପରେ କି ସେ ଅମିନଙ୍କୁ ଡକାଇବେ; କିମ୍ୱା ଦରକାର ପଡ଼ିଲେ ସେ ବିଷୟରେ ଆମକୁ ଆଉ ଥରେ ଲେଖିବେ । ଏହା ଫଳରେ ସେ ତାଙ୍କର ମନେ ପକାଇ ଦେବା ଚିଠି କଥା କେବେ ଉଲ୍ଲେଖ କଲେ ନାହିଁ ଏବଂ ବିଷୟଟା ସମସ୍ତେ ପୂରାପୂରି ଭୁଲିଗଲେ । କିନ୍ତୁ ‘ଖ’ ବିଭାଗରେ ସାଙ୍ଗରେ ଯାଇଥିବା ଚିଠିଟା ଜଣେ ଭଦ୍ରଲୋକଙ୍କ, ହାତରେ ପଡ଼ିଲା; ଭଦ୍ରଲୋକ ତାଙ୍କର ଗୁଣ ପାଇଁ ସୁପରିଚି, ତାଙ୍କ ନାଁ ସଡ଼ିନି; ସେ ଇଟାଲୀର ଲୋକ । ମୁଁ ଏଯାଏଁ ବୁଝିପାରୁନି; କାହିଁକି ଗୋଟାଏ ତଳ ସ୍ତରର ଚାକିରୀରେ ରଖାଯାଇଚି । ଏଇ ସଡ଼ିନି ଯା’ କରିବା କଥା କଲେ, ସାଙ୍ଗରେ ଯାଇଥିବା ଚିଠିଟା ଫେରାଇ ଦେଲେ, ଅର୍ଡ଼ରଟା ଯୋଡ଼ି ପୁଣି ପଠାଇବାକୁ କହି । ‘କ’ ବିଭାଗରୁ ପ୍ରଥମ ଚିଠି ଆସିବା ବେଳୁ ମାସ ମାସ, ବର୍ଷ ବର୍ଷ ନୁହେଁ ଗଡ଼ିଯାଇଥାଏ ସ୍ୱାଭାବିକ ମଧ୍ୟ । କାରଣ ଯେତେବେଳେ ଗୋଟାଏ କାଗଜ ଠିକ୍‌ ବାଟରେ ଯାଏ–ଯୋଉଟା ନିୟମ-ତା’ ବାହାରେ ଥିବା ବିଭାଗରେ ଦିନକରେ ପହଞ୍ଚି ଯାଏ ଏବଂ ସେ ଦିନ ହିଁ ତା’ ନିଷ୍ପତ୍ତି ହୋଇଯାଏ; କିନ୍ତୁ ବେଳେ ବେଳେ ତା’ କୋଉଠି ହଜିଗଲେ । ଆମର ସଂସ୍ଥା ଭଳି ଏକ କାମିକା ସଂସ୍ଥାରେ ତା’ର ପ୍ରକୃତ ଲକ୍ଷ୍ୟ ସ୍ଥଳକୁ ଶତ ଚେଷ୍ଟା କରି ଖୋଜାଯାଏ, ନ ହେଲେ ତା’ କେବେ ମିଳି ନପାରେ । ଏବଂ ତା’ପରେ, ତା’ପରେ ବହୁ ସମୟ ଧରି ଖୋଜା ଚାଲେ । ଠିକ୍‌ କେମିତି, ଆମେ ଯେତେବେଳେ ସଡ଼ିନିଙ୍କ ଚିଠି ପାଇଲୁ, ଆମେ ବିଷୟଟା ଅତି ଅସ୍ପଷ୍ଟ ଭାବରେ ମନେ ପକାଇ ପାରିଲୁ । ସେ କାମ କରିବା ପାଇଁ ଆମେ ସେତେବେଳେ ଦି’ଜଣ ମାତ୍ର ଲୋକ ଥିଲୁ, ମିଜି ଓ ମୁଁ; ମାଷ୍ଟ୍ରବାବୁଙ୍କୁ ଆମକୁ ଦିଆଯାଇନଥିଲା ସେ ଯାଏ । ଆମେ କେବଳ ଅତି ଦରକାରୀ କାଗଜପତ୍ର ରଖୁଥିଲୁ, ତେଣୁ ଆମେ ଅତି ଅନିର୍ଦ୍ଦିଷ୍ଟ ଅସ୍ପଷ୍ଟ ଉତ୍ତରଟାଏ ଦେଲୁ ଯେ ଜଣେ ଅମିନଙ୍କ ନିଯୁକ୍ତି ବିଷୟରେ ଆମେ କିଛି ଜାଣୁନୁ, ଏବଂ ଆମର ଯେତେଦୂର ଧାରଣା ଆମର ଜଣେ ଅମିନ ଦରକାର ନାହିଁ ।

 

‘‘କିନ୍ତୁ,’’ ଏଇଠି ସୁପରିଣ୍ଟେଣ୍ଡେଣ୍ଟ ଅଟକି ଗଲେ, ସତେ ଯେମିତି ଏ କାହାଣୀ ଦ୍ୱାରା ପ୍ରଭାବିତ ହୋଇ ସେ ଅନେକ ବାଟ ଆଗେଇ ଗଲେଣି, କିମ୍ୱା ସତେ ଯେମିତି ଅନ୍ତତଃ ସେ ଅନେକ ବାଟ ଆଗେଇ ଯାଇଥିବା ଖୁବ ସମ୍ଭବ, ‘‘ଏ କାହାଣୀ ଆପଣଙ୍କୁ ବିରକ୍ତ କରୁନି ତ ?

 

‘‘ନା,’’ କେ. କହିଲା, ମତେ ମଜା ଲାଗୁଚି ।’’

 

ଏହା ଶୁଣି ସୁପରିଣ୍ଟେଣ୍ଡେଣ୍ଟ କହିଲେ; ଆପଣଙ୍କୁ ମଜା ଲାଗିବା ପାଇଁ ମୁଁ କହୁନି ।’’

 

‘‘ମତେ ମଜାଇ ଲାଗୁଚି,’’ କେ. କହିଲା, ‘‘କାରଣ କେତେକ ପରିସ୍ଥିତିରେ ହାସ୍ୟକର ଗୋଳମାଳ କେମିତି ଜଣେ ମଣିଷର ଜୀବନଟାକୁ ନିୟନ୍ତ୍ରଣ କରିପାରେ, ସେ ସଂପର୍କରେ ଏହା ମତେ ଅନ୍ତର୍ଦୃଷ୍ଟି ଯୋଗାଉଛି ।’’

 

‘‘ସେ ସଂପର୍କରେ ଆପଣଙ୍କୁ ଏଯାଏଁ କୌଣସି ଅନ୍ତର୍ଦୃଷ୍ଟି ଦିଆଯାଇନି ଗମ୍ଭୀର ଭାବରେ ଉତ୍ତର ଦେଲେ ସୁପରିଣ୍ଟେଣ୍ଡେଣ୍ଟ, ‘‘ଏବଂ ମୁଁ ମୋର କହି ଚାଲିବି । ସଡ଼ିନି ଆମ ଉତ୍ତରରେ ସନ୍ତୁଷ୍ଟ ହେଲେନି, ନ ହେବା କଥା ବି । ମୁଁ ଲୋକଟାକୁ ଭାରି ପସନ୍ଦ କରେ, ଯଦିଓ ସେ ମତେ ବହୁତ ହଇରାଣ କରନ୍ତି । ସେ ସମସ୍ତଙ୍କୁ ଭାରି ଅବିଶ୍ୱାସ କରନ୍ତି, ଏପରିକି, ଧରନ୍ତୁ, ସେ ଅସଂଖ୍ୟ ପରିସ୍ଥିତି ଭିତରେ ଦେଇ ଜଣେ ଲୋକଙ୍କୁ ଜାଣିଚନ୍ତି ପୃଥିବୀର ସବୁଠୁ ବେଶୀ ନିର୍ଭର ଯୋଗ୍ୟ ବୋଲି, କିନ୍ତୁ ନୂଆ ପରିସ୍ଥିତି ମୁଣ୍ଡ ଟେକିଲାକ୍ଷଣି ସେ ତାକୁ ଅବିଶ୍ୱାସ କରନ୍ତି; ସତେ ଯେମିତି ତାକୁ ଜାଣିବାକୁ ସେ ଆଉ ଚାହୁଁନାହାନ୍ତି, କିମ୍ୱା ସେ ଯେମିତି ତାକୁ ଜାଣିବାକୁ ଚାହୁଁଚନ୍ତି, ଯେ ଲୋକଟା ଗୋଟାଏ ବଦ୍‌ମାସ । ମୁଁ ଭାବେ ଯେ ତା’ ଠିକ୍‌ କଥା, ଜଣେ ଅଫିସର୍‌ ସେମିତି ବ୍ୟବହାର କରିବା ଉଚିତ, ଦୁଃଖର କଥା ମୋ’ ପ୍ରକୃତି ଏମିତି ଯେ ମୁଁ ଏ ନୀତି ଅନୁସରଣ କରିପାରେନି, ଆପଣ ତ ନିଜେ ଦେଖୁଚନ୍ତି ମୁଁ କେଡ଼େ ଖୋଲା ଖୋଲି କଥା କହୁଚି ଆପଣଙ୍କ ଭଳି ଜଣେ ଅପରିଚିତ ଲୋକ ସାଙ୍ଗରେ ସେ ସବୁ ବିଷୟରେ; ଅନ୍ୟ ପ୍ରକାର ବ୍ୟବହାର ମୁଁ କରି ପାରିବିନି । ଅନ୍ୟ ପକ୍ଷରେ କିନ୍ତୁ ସଡ଼ିନି ଆମ ଉତ୍ତର ପଢ଼ି ସନ୍ଦେହରେ ପଡ଼ିଲେ । ବହୁତ ଚିଠି ପତ୍ର ଦିଆନିଆ ଚାଲିଲା । ସଡ଼ିନି ପଚାରିଲେ ଯେ ଜଣେ ଅମିନଙ୍କୁ ଡକା ନ ହେବା ଉଚିତ ବୋଲି ମୋର ହଠାତ୍‌ କେମିତି ମନେ ପଡ଼ିଲା ? ମିଜର୍‌ ଚମତ୍‌କାର ସ୍ମରଣ ଶକ୍ତି ଉପରେ ନିର୍ଭର କରି ମୁଁ ଉତ୍ତର ଦେଲି ଯେ ସେ ବିଷୟରେ ପ୍ରଥମ ପରାମର୍ଶ ଆସିଥିଲା ସିଧା ଚାନସେଲେରିରୁ (ମୁଖ୍ୟ ଦପ୍ତର) (ଅନେକ ଆଗରୁ ଅବଶ୍ୟ ଆମେ ଭୁଲି ସାରିଥିଲୁ ଯେ ପରାମର୍ଶଟା ଆସିଥିଲା ଅଲଗା ଗୋଟାଏ ବିଭାଗରୁ) । ସଡ଼ିନି ପଚାରିଲେ ମୁଁ କାହିଁକି ତେବେ ଖାଲି ଅଫିସିଆଲ ଅର୍ଡ଼ରଟା କଥା ଉଠାଇଥିଲି ?–ମୁଁ ଉତ୍ତର ଦେଲି, ‘‘କାରଣ ମୋର ସେଇଟା ମନେ ପଡ଼ିଥିଲା ସେତେବେଳେ ।’’ ସଡ଼ିନି ‘ତା’ ବେଶ୍‌ ଅସାଧାରଣ କଥା ।’’ ମୁଁ ତା’ ମୋଟେ ଅସାଧାରଣ ନୁହେଁ, ଏମିତିକା ବହୁ ଦିନ ଧରି ଗଡ଼ୁଥିବା ଗୋଟାଏ ବିଷୟରେ ।’’ ସଡ଼ିନି । ‘ହଁ’, ସେଇଟା ଅସାଧାରଣ କାରଣ ମୋର ଯେଉଁ ଅର୍ଡ଼ର୍‌ କଥା ମନେ ପଡ଼ିଲା ‘ସେଇ ଅର୍ଡ଼ର୍‌ କେବେ ହୋଇ ନଥିଲା । ’ ମୁଁ, ଅବଶ୍ୟ ସେ ଅର୍ଡ଼ର୍‍ ହୋଇ ନଥିଲା କାରଣ ପୂରା କାଗଜ ପତ୍ର ହଜି ଯାଇଥିଲା ।’ ସଡ଼ିନି; ‘କିନ୍ତୁ ପ୍ରଥମ ଚିଠି ସମ୍ପର୍କରେ ଗୋଟାଏ ରିମାଇଣ୍ଡର ତ ଥିବା କଥା କିନ୍ତୁ ତା’ ନଥିଲା ।’ ଏଇ କଥାରେ ମୁଁ ଦବିଗଲି, କାରଣ ସଡ଼ିନିଙ୍କ ବିଭାଗରେ ଭୁଲଟାଏ ହୋଇଯିବ, ଏ କଥା କହିବାକୁ କି ବିଶ୍ୱାସ କରିବାକୁ ମୋର ସାହସ ହେଲା ନାହିଁ । ଶୁଣୁନ୍ତୁ ଅମିନବାବୁ, ଆପଣ ବୋଧହୁଏ ମନେ ମନେ ସଡ଼ିନିଙ୍କୁ ଗାଳି କରୁଥିବେ, ଭାବୁଥିବେ ଯେ ମୋ କହିବା କଥା ଶୁଣି ସେ ଅନ୍ତତଃ ଘଟଣାଟା ବିଷୟରେ ଅନ୍ୟାନ୍ୟ ବିଭାଗରେ ଅନୁସନ୍ଧାନ କରିବା ଉଚିତ ଥିଲା । କିନ୍ତୁ ସେ ତା’ କରିଥିଲେ ଭୁଲ ହୋଇନଥାନ୍ତା । ଏ ଲୋକଟିକୁ ଦୋଷ ଦେବେ ଆପଣ, ତା ମୁଁ ଚାହେଁନି, ନା ମନେ ମନେ ବି ନୁହେଁ । ଏଇଟା ହେଡ଼୍‌ ବୁରୋର ନୀତି ଯେ ଭୁଲ୍‌ର ସମ୍ଭାବନାକୁ ମଧ୍ୟ ଦୂରେଇ ରଖାଯିବ । ଶାସନର ଚମତ୍‌କାର ସଙ୍ଗଠନ ଏ ମୂଳ ନୀତିକୁ ସମର୍ଥନ କରେ । ଏବଂ କାମକୁ ଯଥେଷ୍ଟ ତ୍ୱରାନିତ୍ୱ କରିବା ପାଇଁ ଏ ନୀତି ଆବଶ୍ୟକ । ତେଣୁ ଅନ୍ୟାନ୍ୟ ବିଭାଗରେ ଅନୁସନ୍ଧାନ କରିବା ସଡ଼ିନିଙ୍କ ଅଧିକାର ବାହାରେ ଥିଲା । ଆଉ, ସେମାନେ ବି ମୋଟେ ଉତ୍ତର ଦେଇ ନଥାନ୍ତେ, କାରଣ ସେମାନେ ଖୁବ୍‌ ଶୀଘ୍ର ଅନୁମାରି କରି ପାରିଥାଆନ୍ତେ ଯେ କମଟା ହେଲା କେବଳ ଗୋଟିଏ ସମ୍ଭାବ୍ୟ ଭୁଲ୍‌କୁ ଖୋଜି ବାହାର କରିବା ।’’

 

‘‘ସୁପରିଣ୍ଟେଣ୍ଡେଣ୍ଟ ସାହେବ, ଆପଣଙ୍କୁ ଗୋଟାଏ କଥା ପଚାରିବା ପାଇଁ ଅନୁମତି ଦିଅନ୍ତୁ,’ କେ. କହିଲା । ‘‘ଆପଣ ଥରେ ଗୋଟାଏ ନିୟନ୍ତ୍ରଣ ଦପ୍ତର କଥା କହୁନଥିଲେ ? ଆପଣଙ୍କ ବର୍ଣ୍ଣନା ଶୁଣିଲେ ସମଗ୍ର ଅର୍ଥନୀତି ବିଷୟରେ ଜଣଙ୍କର ସନ୍ଦେହ ଉପୁଜିବ, ଯଦି ଜଣେ ନିୟନ୍ତ୍ରଣ ଦପ୍ତରର ଅସାମର୍ଥ୍ୟ କଥା କଳ୍ପନା କରିବ ।’’

 

‘‘ଆପଣ ଭାରି କଡ଼ା ଲୋକ, ଦେଖୁଚି,’’ ସୁପରିଣ୍ଟେଣ୍ଡେଣ୍ଟ କହିଲେ, ‘‘କିନ୍ତୁ ଆପଣ ଆହୁରି ହଜାରେ ଗୁଣ କଡ଼ା ହୁଅନ୍ତୁ ଏବଂ ନିୟନ୍ତ୍ରଣ ଦପ୍ତର ନିଜକୁ ଯେତେ କଡ଼ାକଡ଼ି ଭାବରେ ପରିଚାଳିତ କରେ, ତା ତୁଳନାରେ ଆପଣଙ୍କର କଡ଼ା ହେବାଟା କିଛି ନୁହଁ । ଜଣେ ପୂରା ପୂରି ନୂଆ ଲୋକ ହିଁ ଏପରି ପ୍ରଶ୍ନ ପଚାରିବ । ଗୋଟାଏ ନିୟନ୍ତ୍ରଣ ଦପ୍ତର ବୋଲି କିଛି ଅଛି କି ?’’ କେବଳ ଭିନ୍ନ ଭିନ୍ନ ନିୟନ୍ତ୍ରଣ ଦପ୍ତର ଗୁଡ଼ାଏ ଅଛି । ସତ କହୁଚି ସାଧାରଣ ଅର୍ଥରେ ଆମେ ଯାହାକୁ ଭୁଲ ବୋଲି କହୁଚୁ, ତା’ ଖୋଜି ବାହାର କରିବା ସେମାନଙ୍କ କାମ ନୁହେଁ, କାରଣ ଭୁଲଭାଲ୍‌ ହୁଏ ନାହିଁ, ଏବଂ ଯଦି କେବେ କେମିତି ଭୁଲ୍‌ଟାଏ ହୋଇଯାଏ, ଯେମିତି ହେଲା ଆପଣଙ୍କ ବିଷୟରେ ତାକୁ ପରିଶେଷରେ ଭୁଲ ବୋଲି କିଏ କହିବ ?

 

‘‘ବଢ଼ିଆ କଥା ତ !’’ କେ. କହି ପକାଇଲା । ମୋ ପାଇଁ ତ ପୁରୁଣା କଥା’’, ସୁପରିଣ୍ଟେଣ୍ଡେଣ୍ଟ କହିଲେ । ‘‘ପ୍ରାୟ ଆପଣଙ୍କ ଭଳି ମୁଁ ବି ବିଶ୍ୱାସ କରୁଚି ଭୁଲଟାଏ ହୋଇ ଯାଇଚି, ଏବଂ ୟା ଫଳରେ ସଡ଼ିନି ବହୁତ ବ୍ୟସ୍ତ ହେଉଚନ୍ତି, ଏବଂ ପ୍ରଥମ ନିୟନ୍ତ୍ରଣ ଅଫିସରମାନେ, ଯେଉଁମାନେ ଭୁଲର ମୂଳଉତ୍ସ ଆବିଷ୍କାର କରିଥିବା ଯୋଗୁଁ ଆମର ଧନ୍ୟବାଦାର୍ହ, ସେମାନେ ମାନୁଚନ୍ତି ଯେ ଭୁଲଟାଏ ହୋଇ ଯାଇଚି । କିନ୍ତୁ କିଏ ଜୋର୍‌ ଦେଇ କହି ପାରିବ ଯେ ଦ୍ୱିତୀୟ ପର୍ଯ୍ୟାୟର ନିୟନ୍ତ୍ରଣ ଅଫିସରମାନେ ବି ସେୟା କହିବେ, ତୃତୀୟ ଓ ଅନ୍ୟାନ୍ୟ ପର୍ଯ୍ୟାୟର ଅଫିସରମାନେ ବି ସେୟା କରିବେ ?’’

 

‘‘ହେଇପାରେ,’’ କେ. କହିଲା, ‘‘ମୁଁ ବରଂ ଏ ପ୍ରକାର ଅନୁମାନ ଭିତରକୁ ପଶୁନି ଏଯାଏଁ, ଆଉ, ନିୟନ୍ତ୍ରଣ ଅଫିସରମାଙ୍କ କଥାରେ ପ୍ରଥମ କରି ମୁଁ ଶୁଣୁଚି ଏବଂ ମୁଁ ସେମାନଙ୍କୁ ଏଯାଏଁ ବୁଝିପାରୁନି, ନ ପାରିବା କଥା । କିନ୍ତୁ ମୁଁ ଭାବୁଚି ଦି’ଟା କଥାକୁ ଏଠି ଅଲଗା କରାଯାଉ; ପ୍ରଥମ ଅଫିସମାନଙ୍କରେ ଯାହା ସବୁ କାମ ହେଉଚି ଏବଂ ଏ ବାଟରେ ସେବାଟରେ ଯାହାକୁ ବୁଝି ହେବ, ଏବଂ ଦ୍ୱିତୀୟ, ମୁଁ ଏଇ ଲୋକଟି, ମୁଁ ନିଜେ, ଅଫିସ ବାହାରେ ଯିଏ ରହିଚି ଏବଂ ଅଫିସରମାନଙ୍କ ଅତ୍ୟାଚାରରେ ଭୟ ଯାହାକୁ ଦେଖାଯାଉଚି । ସେ ଅତ୍ୟାଚାର ଏତେ ଅର୍ଥହୀନ ଯେ ବିପଦଟା ଏତେ ଭୟାନକ ବୋଲି ବି ମୁଁ ବିଶ୍ୱାସ କରି ପାରୁନି । ପ୍ରଥମଟା ବିଷୟରେ ତ ଆପଣ, ସୁପରିଣ୍ଟେଣ୍ଡେଣ୍ଟ ସାହେବ, ଏତେ ଅସାଧାରଣ ଓ ଭୟପ୍ରଦ କଥା କହି ସାରିଲେଣି, ବର୍ତ୍ତମାନ ମୋ’ ନିଜ ବିଷୟରେ ପଦେ ଶୁଣିବାକୁ ଚାହୁଁଚି ।’’

 

‘‘ମୁଁ ସେକଥା ଉପରକୁ ଆସୁଚି,’’ ସୁପରିଣ୍ଟେଣ୍ଡେଣ୍ଟ କହିଲେ, ‘‘କିନ୍ତୁ କେତେଟା ପ୍ରାଥମିକ କଥା ନ କହିଲେ ଆପଣ ବୁଝି ପାରିବେ ନି । ନିୟନ୍ତ୍ରଣ ଅଫିସର ମାନଙ୍କ କଥା ମୋର ଏବେ କହିବା ଉଚିତ ହେଲାନି । ତେଣୁ ସଡ଼ିନିଙ୍କ ଗୋଳମାଳ ଉପରକୁ ମୁଁ ଫେରି ଆସୁଚି । କ’ଣ କହୁଥିଲି ? ହଁ, ମୋର ଆତ୍ମ ସମର୍ଥନ ଦୁର୍ବଳ ହୋଇ ପଡ଼ିଲା । କିନ୍ତୁ ସଡ଼ିନି ଯଦି କେତେବେଳେ କାହା ପଛରେ ଟିକିଏ ଲାଗିବେ, ସେ ପ୍ରାୟ ସଫଳ ହୋଇଯିବେ, କାରଣ ସେତେବେଳେ ତାଙ୍କର ଗୁଇନ୍ଦାଗିରି, ବଳ, ସଚେତନତା ସବୁ ବଢ଼ିଯିବ ଏବଂ ତାଙ୍କର ଶତ୍ରୁ ପାଇଁ ତା ହେବ ଗୋଟାଏ ଭୟଙ୍କର ମୁହୂର୍ତ୍ତ ଏବଂ ଶତ୍ରୁର ଶତ୍ରୁମାନଙ୍କ ପାଇଁ ଅତି ଆନନ୍ଦର ବେଳା । ମୁଁ ଖାଲି ଅନ୍ୟ କେତେକ ପରିସ୍ଥିତିରେ ଶେଷୋକ୍ତ ଅନୁଭବଟି କରିଚି ବୋଲି ଏବେ ତାଙ୍କ ସମ୍ପର୍କରେ ଏ କଥା କହି ପାରୁଚି । ତଥାପି ତାଙ୍କ ଆଖି ଆଗକୁ ଆସିବା ଏଯାଏ ମୋ’ ଦେଇ ହୋଇ ପାରିନି । ସେ ଏଠିକି ଆସି ପାରିବେନି, କାମରେ ତ ବୁଡ଼ି ରହିଚନ୍ତି, ତାଙ୍କ ରୁମ୍‌ର ବର୍ଣ୍ଣନା ଯାହା ମୁଁ ଶୁଣିଚି କାଗଜ ବିଡ଼ା ଥାକ ଥାକ ହୋଇ ଥୁଆ ହୋଇଥିବାରୁ ପ୍ରତ୍ୟେକଟି କାନ୍ଥ ଭର୍ତ୍ତି, ସେଗୁଡ଼ାକ ସଡ଼ିନି କରୁଥିବାର କାମ ସମ୍ପର୍କୀୟ କାଗଜପତ୍ର ମାତ୍ର, ଏବଂ ଯେହେତୁ ବିଡ଼ା ବିଡ଼ା କାଗଜ ପତ୍ର ନିଆ ହେଉଚି, ଅଣା ହେଉଚି, ତା’ ପୁଣି ଖୁବ୍‌ ତରବରରେ, ଥାକ ଗୁଡ଼ାକ ସବୁବେଳେ ତଳେ ଭଷୁଡ଼ି ପଡ଼ୁଚି । ଏବଂ ଏଇ ଧୂସ୍‌ଧାସ୍‌ ଧଡ଼୍‌ ଧାଡ଼୍‌ ଶବ୍ଦ ସବୁବେଳେ ଏକାଦିକ୍ରମେ ଚାଲିଥାଏ ଓ ସେଥିରୁ ଏହା ସଡ଼ିନିଙ୍କ ଅଫିସ ରୁମ୍‌ ବୋଲି ସହଜରେ ଜାଣି ହୋଇଯାଏ । ହଁ ସଡ଼ିନି ଜଣେ କାମିକା ଲୋକ, ଛୋଟ ହେଉ ବଡ଼ ହେଉ, ସବୁ ବିଷୟର ସେ ଅତିଶୟ ଯତ୍ନ ନିଅନ୍ତି ।’’

 

‘‘ସୁପରିଣ୍ଟେଣ୍ଡେଣ୍ଟ ସାହେବ’’, କେ. କହିଲା, ‘‘ମୋ ବିଷୟଟାକୁ ଆପଣ ସବୁବେଳେ ଛୋଟ ବୋଲି କହୁଚନ୍ତି, ତେବେ ବି ତା’ ଅନେକ ଅଫିସରଙ୍କୁ ଅନେକ ହଇରାଣରେ ପକାଇଲାଣି । ଏବଂ ଯଦିଓ ଆରମ୍ଭରେ ତା’ ହୁଏତ ଗୌଣ ଥିଲା, ସଡ଼ିନିଙ୍କ ଭଳି ଅଫିସରମାନଙ୍କ ଚେଷ୍ଟାରେ ତା’ ଗୋଟିଏ ବଡ଼ ସମସ୍ୟା ହୋଇ ସାରିଲାଣି । ଦୁର୍ଭାଗ୍ୟର କଥା, ମୋ ଇଚ୍ଛା ବିରୁଦ୍ଧରେ ମଧ୍ୟ । କାରଣ ଥାକ ଥାକ କାଗଜ ପତ୍ର ମୋ ଚାରିଆଡ଼େ ଜମା ହେଉଥିବା ଓ ପଡ଼ିଯାଉଥିବା ଦେଖିବାକୁ ମୋର କୌଣସି ଆକାଂକ୍ଷା ନାହିଁ, ମୁଁ କହୁଚି ଜଣେ ଛୋଟ ଅମିନ ହିସାବରେ ଚୁପ୍‌ଚାପ୍‌ ମୋ ଡ୍ରଇଁ ବୋଡ଼୍‌ ଧରି କାମ କରିବାକୁ ।’’

 

‘‘ନା,’’ ସୁପରିଣ୍ଟେଣ୍ଡେଣ୍ଟ କହିଲେ, ‘‘ଏଇଟା ଏମିତି କିଛି ବଡ଼ ସମସ୍ୟା ନୁହେଁ-ସେ ଦୃଷ୍ଟିରୁ ଆପଣଙ୍କର ଅଭିଯୋଗ କରିବାର କିଛି କାରଣ ନାହିଁ, ଅତି ଗୌଣ ବିଷୟ ମାନଙ୍କ ଭିତରେ ଗୌଣତମ ବିଷୟଟା ଏଇଟା । କୌଣସି ସମସ୍ୟାର ଗୁରୁତ୍ୱ ସେଥିପାଇଁ ଯେତେ କାମ କରିବାକୁ ପଡ଼େ ତା’ ଦ୍ୱାରା ସ୍ଥିରୀକୃତ ହୁଏନା । ଏଥିରେ ଯଦି ଆପଣ ବିଶ୍ୱାସ କରୁଥାନ୍ତି ଆପଣ ତେବେ ଶାସନ କର୍ତ୍ତୃପକ୍ଷଙ୍କୁ ମୋଟେ ବୁଝିପାରି ନାହାନ୍ତି । କିନ୍ତୁ କାମର ପରିମାଣ କଥା ଉଠିଲେ ବି, ଆପଣଙ୍କ ବିଷୟଟା ଅତି ଛୋଟ ହୋଇ ହିଁ ରହିବ । ଅନେକ ସାଧାରଣ ବିଷୟ, ମାନେ ଯେଉଁଥିରେ ତଥା କଥିତ ଭୁଲ ଭଟକା ଘଟିନି, ସେଗୁଡ଼ିକ ପାଇଁ କାମ କରିବାକୁ ପଡ଼େ, ବେଳେ ବେଳେ ସେ କାମ ବି ଲାଭଜନକ ହୁଏ । ତା’ ଛଡ଼ା ଆପଣଙ୍କ ବିଷୟରେ ପ୍ରକୃତରେ କି କାମ ହୋଇଚି ସେ ସଂପର୍କରେ ଆପଣ କିଛି ଜାଣନ୍ତିନି । ମୁଁ ବର୍ତ୍ତମାନ ସେ କଥା କହିବି । ହିଁ ବର୍ତ୍ତମାନ ପାଇଁ ସଡ଼ିନି ମତେ ଛାଡ଼ିଦେଲେ, କିନ୍ତୁ କିରାଣୀଦଳ ଆସିଲେ, ଏବଂ ପ୍ରତିଦିନ ସମାଜର ଗଣ୍ୟମାନ୍ୟ ବ୍ୟକ୍ତି ମାନଙ୍କୁ ନେଇ ହେରେନ୍‌ ହଫ୍‌ ଠାରେ ଇନ୍‌କ୍ୱାଇରି ଚାଲିଲା । ଅଧିକାଂଶ ମୋ’ ପକ୍ଷ ନେଲେ, ଅଳ୍ପ କେତେଜଣ ଚୁପ୍‌ ରହିଲେ-ଅମିନ ବିଷୟଟି ଚାଷୀମାନଙ୍କୁ ପ୍ରିୟ-ସେମାନେ ନନା ଫିନ୍ଦି ଫିକର ଓ ଅନ୍ୟାୟ ଇତ୍ୟାଦିର ସୂଚନା ପାଇଲେ, ଜଣକୁ ନେତା କଲେ, କମ୍‌ କଥା ନୁହେଁ ଏବଂ ସେମାନଙ୍କ ବୟାନ ଶୁଣି ସଡ଼ିନି ବାଧ୍ୟ ହେଲେ ବିଶ୍ୱାସ କରିବାକୁ ଯେ ମୁଁ ଯଦି ଟାଉନ୍‌ କାଉନ୍‌ସିଲ୍‌ରେ ବିଷୟଟା ଉଠାଇଥାନ୍ତି, ଜଣେ ଅମିନଙ୍କୁ ଅଣାଇବା ବିରୁଦ୍ଧରେ ପ୍ରତ୍ୟେକ ଲୋକ ମତ ଦେଇ ନଥାନ୍ତେ । ତେଣୁ ଗୋଟେ ଅତି ସାଧାରଣ କଥା-ଯେ ଜଣେ ଅମିନର କୌଣସି ଆବଶ୍ୟକତା ନାହିଁ-ଅନ୍ତତଃ ଗୋଟାଏ ସନ୍ଦେହଜନକ ବିଷୟରେ ପରିଣତ ହୋଇଗଲା । ବ୍ରନ୍‌ସୱିକ୍‌ ବୋଲି ଜଣେ ଲୋକ ବେଶ୍‌ ନାଁ କରିଗଲା, ଆପଣ ଅବଶ୍ୟ ତାଙ୍କୁ ଜାଣି ନାହାଁନ୍ତି । ସେ ବୋଧେ ଖରାପ ଲୋକ ନୁହେଁ, ଖାଲି ମୁର୍ଖ ଓ ବାହାପିଆଟାଏ, ସିଏ ଲେଜ୍‌ମାନଙ୍କର ଜଣେ ଜୋଇଁ-

 

‘‘ମୁଖ୍ୟ ଚମଡ଼ା ବ୍ୟବସାୟୀମାନଙ୍କର ?’’ କେ; ପଚାରିଲା, ଏବଂ ଲେଜ୍‌ମାନଙ୍କ ଘରେ ଦେଖିଥିବା ଦାଢ଼ିଆ ଲୋକଟିକୁ ବର୍ଣ୍ଣନା କଲା ।

 

‘‘ହଁ, ସେଇ ଲୋକ,’’ ସୁପରିଣ୍ଟେଣ୍ଡେଣ୍ଟ କହିଲେ ।

 

‘‘ମୁଁ ତାଙ୍କ,’’ ସ୍ତ୍ରୀ କୁ ବି ଜାଣେ’’ କେ. କହିଲା ସାମନ୍ୟ ତରବରରେ ।

 

‘‘ଜାଣିଥିବେ,’’ ସୁପରିଣ୍ଟେଣ୍ଡେଣ୍ଟ ସଂକ୍ଷିପ୍ତ ଉତ୍ତର ଦେଲେ ।

 

‘‘ମହିଳା ସୁନ୍ଦରୀ,’’ କେ. କହିଲା, ‘‘କିନ୍ତୁ କେମିତି ନିଷ୍ପ୍ରଭ ଓ ରୋଗିଣୀ । ସିଏ କ’ଣ ଦୁର୍ଗରୁ ଆସିଚି ?’’ ପ୍ରଶ୍ନଟା ଥିଲା ଅଧା ।

 

ସୁପରିଣ୍ଟେଣ୍ଡେଣ୍ଟ କାନ୍ଥ ଘଣ୍ଟାକୁ ଅନାଇଲେ, ଗୋଟିଏ ଚାମୁଚରେ କିଛି ଗୋଟାଏ ଔଷଧ ଢାଳିଲେ, ଏବଂ ଚଟ୍‌କିନା ତା’ ଢୋକି ଦେଲେ ।

 

‘‘ଆପଣ କ’ଣ ଦୁର୍ଗର ଖାଲି ଅଫିସିଆଲ, ଦିଗଟା ଜାଣନ୍ତି ? କେ. ରୋକଠୋକ୍‌ ଭାବେ ପଚାରିଦେଲା ।

 

‘‘ହଁ, ସେଇଆ’’ ସୁପରିଣ୍ଟେଣ୍ଡେଣ୍ଟ ଉତ୍ତର ଦେଲେ, ଗୋଟାଏ ବ୍ୟଙ୍ଗ୍ୟାତ୍ମକ ଅଥଚ କୃତଜ୍ଞ ହସ ହସି,’’ କିନ୍ତୁ ସେଇ ଦିଗଟା ସବୁଠୁ’ ବଡ଼ ଦିଗ । ଆଉ ବ୍ରନ୍‌ସୱିକ୍‌ ବିଷୟ, ଆମେ ଯଦି ତାକୁ କାଉନ୍‌ସିଲରୁ କାଢ଼ି ନେଇ ପାରିଥାନ୍ତୁ’ ଆମେ ପ୍ରାୟ ସମସ୍ତେ ଖୁସି ହୋଇଥାନ୍ତୁ, ଲେଜ୍‌ମାନ୍‌ ମଧ୍ୟ । କିନ୍ତୁ ସେତେବେଳେ ବ୍ରନ୍‌ସୱିକ୍‌ କିଛିଟା ପ୍ରଭାବ ହାସଲ କରିନେଲା । ସିଏ ଜଣେ ଭଲ ବକ୍ତା ନୁହେଁ ଅବଶ୍ୟ, କିନ୍ତୁ ବହୁତ ପାଟି କରିପାରେ, କିନ୍ତୁ ତା’ କରିପାରିଲେ ବି ବେଶ୍‌ କାମ ହୁଏ । ଏବଂ ତେଣୁ ଏଇଆ ହେଲା ଯେ ମୁଁ ଟାଉନ୍‌ କାଉନ୍‌ସିଲ୍‌ ଆଗରେ କଥାଟା ପକାଇବାକୁ ବାଧ୍ୟ ହେଲି, ସେ ଯାହା ହେଉ, ଏଇଟା ଥିଲା ବ୍ରନ୍‌ସୱିକ୍‌ ପାଇଁ ପ୍ରଥମ ବିଜୟ । କାରଣ ଟାଉନ୍‌ କାଉନ୍‌ସିଲ ବହୁ ଭୋଟରେ ମନା କରିଦେଲେ ଯେ ସେମାନେ ଅମିନ ବିଷୟଟି ମୋଟେ ଶୁଣିବେ ନାହିଁ । ଅନେକ ଦିନ ହେଲାଣି ସେ ଘଟଣା ଘଟିବାର, କିନ୍ତୁ ଏତେ ଦିନ ଯାଏଁ ସେ ବିଷୟରେ ସେମିତି କଥାବାର୍ତ୍ତା ଚାଲିଚି । କିଛିଟା ସଡ଼ିନିଙ୍କ ବିବେକୀ ପଣ ଯୋଗୁଁ । ସେ ବହୁ କଷ୍ଟ ସ୍ୱୀକାର କରି ବିଭିନ୍ନ ଦିଗ ଆଲୋଚନା କରି, ସରକାରୀ ଦଳ ଓ ବିରୋଧୀଦଳ ଉଭୟଙ୍କର ଗୋପନ ଉଦ୍ଦେଶ୍ୟ କଳନା କରିଚନ୍ତି, କିଛିଟା ବ୍ରନସିୱିକ୍‌ର ମୂର୍ଖାମି ଓ ଉଚ୍ଚକାକ୍ଷାଂ ଯୋଗୁଁ; ସେ କୃର୍ତ୍ତପକ୍ଷଙ୍କ ଭିତରୁ ଅନେକଙ୍କୁ ବ୍ୟକ୍ତିଗତ ଭାବେ ଜାଣିଥିଲା, ଯେଉଁମାନଙ୍କୁ ସେ ତା’ କଳ୍ପନାପ୍ରସୁତ ନୂଆ ନୂଆ କାହାଣୀ ଶୁଣାଇ କାମରେ ଲଗାଇ ଦେଲା । ସଡ଼ିନି କିନ୍ତୁ କେବେହେଲେ ବ୍ରନ୍‌ସିୱିକ୍‌ ଦ୍ୱାରା ଠକି ଯିବାକୁ ଦେଲେନି ନିଜକୁ–ବ୍ରନସୱିକ୍‌ କେମିତି ସଡ଼ିନିଙ୍କୁ ଠକନ୍ତା ?–କିନ୍ତୁ ଖାଲି ଠକି ନଯିବା ପାଇଁ ଆଉ କେତେକ କଥା ଘାଣ୍ଟିବା ଦରକାର ଦେଲା, ଏବଂ ଘଟଣାଟା ସରିବାର ଅନେକ ଆଗରୁ ବ୍ରନ୍‌ସୱିକ୍‌ କିଛି ନୂଆ ଚିନ୍ତା କରିସାରିଥିଲା; ସେ ଭାରି ପାରିବାର ଲୋକ, ଏଥିରେ ସନ୍ଦେହ ନାଇଁ, ଯେତେ ମୂର୍ଖ ହେଉ ପଛକେ । ବର୍ତ୍ତମାନ ଆମ ଶାସନ କଳର ଗୋଟିଏ ବିଚିତ୍ର ବିଭାଗ ଉପରକୁ ମୁଁ ଆସୁଚି । ଆମ ଶାସନ କାଳ ଯେତିକି ମାପିଚୁପି କାମ କରେ ସେତିକି ସ୍ପର୍ଶ କାତର ବି । ଯଦି ଗୋଟିଏ ବିଷୟ ବହୁ ଦିନ ଧରି ଆଲୋଚିତ ହେଲାଣି, ଏୟା ଘଟିପାରେ ଯେ-ଏପରିକି ବିଷୟଟିର ଆଲୋଚନା ପୂରାହେବା ଆଗରୁ ବି-ହଠାତ୍‌ କୁଆଡ଼ୁ କିଛି ସୋର ଶବ୍ଦ ନଥାଇ ଗୋଟିଏ ଆଶାତୀତ ସ୍ଥାନରୁ ନିଷ୍ପତ୍ତି ଆସି ପହଞ୍ଚିଯିବ; ଏହା ଛଡ଼ା ପରେ ସେ ନିଷ୍ପତ୍ତି ଦେଖିବାକୁଇ ମିଳିବନି, ଏମିତି ଗୋଟିଏ ନିଷ୍ପତ୍ତି ଯା’ ଦ୍ୱାରା ବିଷୟଟାର ପେଡ଼ି ପୁଟୁଳା ବନ୍ଧା ହୋଇଯିବ । ଅନେକ ସ୍ଥଳରେ ଆଇନଗତ ଭାବରେ, ତଥାପି ଜୋର୍‌ ଜବର ଦସ୍ତିରେ । ସତେ ଯେମିତି ଶାସନକାଳ ବିଷୟଟିର ଚାପ ସହିବାକୁ ଅସମର୍ଥ ହୋଇପଡ଼େ, ବର୍ଷ ବର୍ଷ ଧରି ଚାଲିଥିବା ବିରକ୍ତିର ଚାପକୁ-ବୋଧେ ସେମିତି ଜୋର୍‌ ନୁହେଁ-ଏବଂ ନିଜେ ହିଁ ନିଷ୍ପତ୍ତି ନେଇଯାଏ; ଅଫିସର ମାନଙ୍କ ସାହାଯ୍ୟ ନ ନେଇ । ଅବଶ୍ୟ ଆଚମ୍ୱିତ କିଛି ଘଟିଲାନି ଏବଂ ନିଶ୍ଚେ ଜଣେ କିରାଣୀ ମୁଣ୍ଡରୁ ସେ ପ୍ରକାର ସମାଧାନଟି କିମ୍ୱା ଅଲିଖିତ ନିଷ୍ପତ୍ତିଟି ବାହାରିଥିଲା । କିନ୍ତୁ ସେ ଯା’ ହେଉ ଆମେ ଅନ୍ତତଃ ଏଇଠି, କି ମୁଖ୍ୟ ଦପ୍ତର (ହେଡ଼୍‌ବୁରୋ) କେହିବି ଜାଣି ପାରିଲୁନି, କୋଉ କିରାଣୀ କୋଉ ଭିତ୍ତିରେ ଏ ନିଷ୍ପତ୍ତି ନେଇଥିଲା । କେବଳ ନିୟନ୍ତ୍ରଣ ଅଫସିର୍‌ମାନେ ଅନେକ ପରେ ସେତକ ଜାଣି ପାରିଲେ, କିନ୍ତୁ ଆମେ କେବେ ଜାଣି ପାରିବୁନି, ତା’ ଛଡ଼ା ସେତେବେଳକୁ ଆଉ କେହି ସେ ବିଷୟରେ ଭାବୁନଥିବେ । ବର୍ତ୍ତମାନ କଥା ହେଲା ଏ ସମସ୍ତ ନିଷ୍ପତ୍ତି ପ୍ରାୟ ଉଚ୍ଚ ଧରଣର । ସେ ଗୁଡ଼ିକ ବିଷୟରେ ଏକମାତ୍ର ବିରକ୍ତିକର କଥା ହେଲା-ସାଧାରଣତଃ ସେ ପ୍ରକାର ବିଷୟରେ ଏୟା ଘଟିଥାଏ-ଯେ ଜଣେ ଡେରିରେ ସେ ଗୁଡ଼ିକୁ ଜାଣେ ଓ ସେଇଥିପାଇଁ ଜାଣିଲାଯାଏଁ ଯାହା ଅନେକ ଆଗରୁ ନିଷ୍ପତ୍ତି ହୋଇଥିଲା, ସେ ଗୁଡ଼ିକୁ ବେଶ୍‌ ଉତ୍ସାହର ସହିତ ପ୍ରଚାର କରୁଥାଏ । ମୁଁ ଜାଣେନି ଆପଣଙ୍କ ସଂପର୍କରେ ଏମିତି ଗୋଟାଏ ନିଷ୍ପତ୍ତି ହୋଇଚି କି ନାହିଁ-କେତେକ କହୁଚନ୍ତି ହୋଇଚି, କେତେକ କହୁଚନ୍ତି ନାହିଁ-କିନ୍ତୁ ତା’ ଯଦି ହୋଇଥାନ୍ତା, ଆପଣଙ୍କ ପାଖକୁ ଖବର ଯାଇଥାନ୍ତା ଓ ଆପଣ ଏତେ ବାଟ ଘୂରି ଘୂରି ଏଠିକି ଆସିଥାନ୍ତେ, ବହୁତ ସମୟ ଲାଗିଥାନ୍ତା, ଏବଂ ତା’ ଭିତରେ ସଡ଼ିନି ହାଲିଆ ହେଲା ଯାଏଁ ସାରାଟା ସମୟ ଖଟିଥାନ୍ତେ । ବ୍ରନ୍‌ସ୍‌ୱିକ୍‌ କିଛି ଫିନ୍ଦି କରିଥାନ୍ତା, ଏବଂ ଦି’ଜଣ ଯାକ ମତେ ବହୁତ ହଇରାଣ କରିଥାନ୍ତେ । ମୁଁ କେବଳ ଏ ପ୍ରକାର ସମ୍ଭାବନାର ସୂଚନା ଦେଲି, ବର୍ତ୍ତମାନ ଯା’ କହୁଚି, ତା’ ସତରେ ଘଟିଚି; ୟା ଭିତରେ ଜଣେ ନିୟନ୍ତ୍ରଣ ଅଫିସ୍‌ର ଜାଣିପାରିଲେ ଯେ ବହୁବର୍ଷ ଆଗରୁ ‘କ’ ବିଭାଗ ଟାଉନ୍‌ କାଉନ୍‌ସିଲ୍‌କୁ କେତେକ କଥା ପଚାରି ଚିଠି ଦେଇଥିଲେ ଜଣେ ଅମିନ ବିଷୟରେ, କିନ୍ତୁ ସେ ଯାଏଁ କୌଣସି ଉତ୍ତର ପାଇ ନଥାନ୍ତି । ନୂଆ ଇନ୍‌କ୍ୱାଇରିଟିଏ ମୋ’ ପାଖକୁ ପଠା ହେଲା, ଏବଂ ତା’ପରେ ଯାଇ ସାରା ବିଷୟଟାର ସମାପ୍ତି ଘଟିଲା । ‘କ’ ବିଭାଗ ସନ୍ତୁଷ୍ଟ ହେଲେ ମୋଠୁ ଶୁଣି ଯେ ଜଣେ ଅମିନର ଆବଶ୍ୟକତା ନାହିଁ, ଆଉ ସଡ଼ିନି ବାଧ୍ୟ ହେଲେ ବୁଝିବାକୁ ଯେ ବିଷୟଟା ସାମାଧାନ କରିବା ତାଙ୍କ ସାମର୍ଥ୍ୟର ବାହାରେ, ଆଉ ସତରେ ସେ ନିରୀହ ଭାବେ ଏତେ ପରିଶ୍ରମ କଲେ ମୁଣ୍ଡ ଖରାପ କରି ଓ ତା’ର କିଛି ଫଳ ହେଲା ନାହିଁ । ଯଦି ସବୁବେଳ ପରି ଚାରିଆଡ଼ୁ ନୂଆ କାମ ସବୁ ମାଡ଼ି ଆସି ନଥାନ୍ତା, ଏବଂ ଆପଣଙ୍କ ବିଷୟଟା ଯଦି ଏତେ ଗୌଣ ନ ହୋଇନଥାନ୍ତା-କୁହାଯାଇପାରେ ଗୌଣ କାମମାନଙ୍କ ଭିତରେ ଗୌଣତମ ବୋଲି-ଆମେ ସମସ୍ତେ ସ୍ୱସ୍ତିର ନିଃଶ୍ୱାସ ମାରିଥାନ୍ତୁ, ମୁଁ ଭାବୁଚି ସଡ଼ିନି ବି । ଏକମାତ୍ର ଲୋକ ବ୍ରନ୍‌ସୱିକ୍‌ ଯେ କି ଗର୍‌ଗର୍‌ ହେଲା, କିନ୍ତୁ ତାର ଏମିତି ହେବା ହାସ୍ୟକର । ଆଉ ବର୍ତ୍ତମାନ ଅମିନ ବାବୁ, ଟିକିଏ ଭାବନ୍ତୁ ମୁଁ କି ହଇରାଣରେ ପଡ଼ିଲି, ସାରା ବିଷୟଟାର ସମାପ୍ତି ଘଟିଚି ଭାଗ୍ୟକୁ-ଆଉ ୟା ଭିତରେ ଅନେକ ଗୁଡ଼ାଏ ସମୟ ବିତିଲାଣି-ହଠାତ୍‌ ଆପଣ ଆସି ପହଞ୍ଚୁଚନ୍ତି ଆଉ ମନେ ହେଉଚି ଯେ ବିଷୟଟା ପୁଣି ମୂଳରୁ ଆରମ୍ଭ କରିବାକୁ ପଡ଼ିବ । ମୋ’ କଥା କହିବାକୁ ଗଲେ, ସେ କଥା ଘଟିବାକୁ ନ ଦେବା ଲାଗି ମୁଁ ପୂରା ସ୍ଥିର କରି ସାରିଚି, ଆପଣ ଅବଶ୍ୟ ଏହା ବୁଝିପାରୁଚନ୍ତି ?’’

 

‘‘ନିଶ୍ଚୟ,’’ କେ. କହିଲା,’’ ମୁଁ ଆହୁରି ଭଲ ଭାବେ ବୁଝି ପାରୁଚି ଯେ ମୋ ବିଷୟଟାର ଓ ସମ୍ଭବତଃ ଆଇନର ଭୟଙ୍କର ଅବମାନନା କରା ହେଉଚି । ମୋ କଥା ମୁଁ କହୁଚି, ମୁଁ ଜାଣି ପାରିବି, ନିଜକୁ ଏଥିରୁ ରକ୍ଷା କରିବି କେମିତି ।’’

 

‘‘କେମିତି କରିବେ ?’’ ସୁପରିଣ୍ଟେଣ୍ଡେଣ୍ଟ ପଚାରିଲେ ।

 

‘‘ସେ କଥା ଖୋଲି କହିବାକୁ ମୋର ସ୍ୱାଧୀନତା ନାହିଁ,’’ କେ. କହିଲା ।

 

‘‘ଆପଣଙ୍କର ଉପରେ ମୋ’ ନିଜକୁ ଚାପି ଦେବାକୁ ମୁଁ ଚାହିଁନି,’’ ସୁପରିଣ୍ଟେଣ୍ଡେଣ୍ଡ କହିଲେ, ‘‘କିନ୍ତୁ ଏତିକି ଆପଣ ଚିନ୍ତା କଲେ ଭଲ ହୁଅନ୍ତା, ମୋ’ ଭିତରେ ଆପଣ ପାଇବେ-ମୁଁ କହିବିନି ଜଣେ ବନ୍ଧୁ କାରଣ ଆମେ ତ ପରସ୍ପରର ଅଚିହ୍ନା କିନ୍ତୁ କିଛି ପରିମାଣରେ ଜଣେ ସାହାଯ୍ୟକାରୀ ମଣିଷକୁ । କେବଳ ଗୋଟିଏ କଥା ମୁଁ ଗ୍ରହଣ କରିପାରିବିନି; ତା’ହେଲା, ଆପଣଙ୍କୁ ଜଣେ ଅମିନ ଭାବରେ ନିଆଯାଉ, କିନ୍ତୁ ଅନ୍ୟ ସବୁ ବିଷୟରେ ଆପଣ ମତେ ବିଶ୍ୱାସ କରି ପାରନ୍ତି, ମୁଁ ସାହାଯ୍ୟ କରିବି ମୋ’ ଶକ୍ତି ମୁତାବକ, ଅବଶ୍ୟ ମୋ ଶକ୍ତି ସେମିତି କିଛି ବେଶୀ ନୁହେଁ-।’’

 

‘‘ଆପଣ ସବୁବେଳେ ସେ ଗୋଟିଏ କଥା କହୁଚନ୍ତି,’’ କେ. କହିଲା, ମତେ ଅମିନ ଭାବେ ନିଆ ନ ଯାଉ ବୋଲି, ମୁଁ ଅମିନ ନିଆ ହୋଇ ସାରିଲିଣି, ହେଇ ଦେଖନ୍ତୁ କ୍ଳାମଙ୍କ ଚିଠି ।’’

 

‘‘କ୍ଳାମଙ୍କ ଚିଠି,’’ ସୁପରିଣ୍ଟେଣ୍ଡେଣ୍ଟ କହିଲେ । ‘‘ସେଇଟା ମୂଲ୍ୟବାନ ଓ ସମ୍ମାନ ପାଇବା ଯୋଗ୍ୟ, ଯେହେତୁ ସେଥିରେ କ୍ଳାମ୍‌ଙ୍କ ଦସ୍ତଖତ ଅଛି, ଦସ୍ତଖତଟା ପ୍ରକୃତରେ କ୍ଳାମଙ୍କର ବୋଲି ମନେ ହେଉଚି, କିନ୍ତୁ ତା’ ସତ୍ତ୍ୱେ–ମୁଁ ତାର ପ୍ରମାଣ ନ ପାଇଲା ଯାଏଁ ଏହାକୁ ଗ୍ରହଣ କରି ପାରିବିନି-। ମିଜି,’’ ସେ ଡାକିଲେ, ଏବଂ ତାପରେ: କିନ୍ତୁ ତମେ କ’ଣ କରୁଚ ?’’

 

ଏତେ ସମୟ ଧରି କେହି ସେମାନଙ୍କୁ ପଚାରୁନାହିଁ ଦେଖି, ମିଜି ଓ ସହକାରୀମାନେ ସେମାନେ ଖୋଜୁଥିବା କାଗଜଟାକୁ ନିଶ୍ଚିତ ଭାବେ ନପାଇ, ସବୁ କାଗଜପତ୍ର ରଖି ଦେଇ ବାକ୍‌ସଟା ବନ୍ଦ କରି ଦେବାକୁ ଚେଷ୍ଟା କରିଥିଲେ, କିନ୍ତୁ କାଗଜ ପତ୍ର ସଂଖ୍ୟା ଏତେ ବେଶୀ ଥିବାରୁ ଏବଂ ଏଠି ସେଠି ସବୁ ପଡ଼ିଥିବାରୁ ସେମାନେ ତାହା କରି ପାରି ନଥିଲେ । ତା’ପରେ ସହକାରୀ ମାନଙ୍କ ମୁଣ୍ଡକୁ ଗୋଟିଏ କଥା ଜୁଟିଲା ଯାହାକି ସେମାନେ ବର୍ତ୍ତମାନ କରୁଥିଲେ । ସେମାନେ ବାକ୍‌ସଟାକୁ ଓଲଟାଇ ଦେଇ ମେଜିଆ ଉପରେ ରଖିଥାନ୍ତି, ସେଥିରେ ସବୁ କାଗଜ ପତ୍ର ଖୁନ୍ଦି ଦେଇଥାନ୍ତି, ତା’ପରେ ମିଜି ସମେତ ସମସ୍ତେ ବାକ୍‌ସ ଉପରେ ଆଣ୍ଠେଇ ପଡ଼ି ସେଇଟାକୁ ସେହି ଅବସ୍ଥାରେ ବନ୍ଦ କରିବାକୁ ଚେଷ୍ଟା କରୁଥାନ୍ତି ।

 

‘‘କାଗଜଟା ମିଳିଲାନି ତା’ ହେଲେ,’’ ସୁପରିଣ୍ଟେଣ୍ଡେଣ୍ଟ କହିଲେ । ‘‘ଦୁଃଖର କଥା କିନ୍ତୁ ଆପଣ ତ ଘଟଣାଟା ଜାଣିସାରିଲେଣି, ଆଉ କାଗଜଟା ଆମର ପ୍ରକୃତରେ ଦରକାର ନାହିଁ, ତା’ଛଡ଼ା ସେଇଟା ନିଶ୍ଚେ ଦିନେ ନା ଦିନେ ମିଳିବ, ବୋଧେ ସେଇଟା ମାଷ୍ଟ୍ରବାବୁଙ୍କ ଘରେ ଅଛି, ସେଠି ବି କାଗଜ ପତ୍ର ଗଦା ହୋଇଚି । କିନ୍ତୁ ମହମବତୀଟା ଧରି ଏଠିକି ଆସ, ମିଜି, ଏ ଚିଠିଟା ଟିକିଏ ପଢ଼ିବ ।’’

 

ମିଜି ଗଲେ ଏବଂ ଆହୁରି ବେଶି ବୁଢ଼ୀ ଦିଶିଲେ, ସାନ ଦିଶିଲେ । ସେ ଖଟ ଦାଢ଼ରେ ବସିଲେ ଓ ଟାଣୁଆ ଜୋର୍‌ଦାର ଲୋକଟା ଉପରକୁ ଝୁଙ୍କି ପଡ଼ିଲେ । ଲୋକଟି ତାଙ୍କ ଅଣ୍ଟାରେ ହାତ ବେଢ଼ାଇଦେଲେ । ମହମବତୀଟିର ଆଲୁଅରେ କେବଳ ତାଙ୍କର ଛୋଟିଆ ମୁହଁଟି ସ୍ପଷ୍ଟ ଭାବେ ଦିଶୁଥାଏ, ମୁହଁଟିର ସରଳ ଗମ୍ଭୀର ରେଖା ଗୁଡ଼ିକ ଯାହାକୁକି ବୟସ ନରମ କରି ଦେଇଥାଏ । ଚିଠିଟା ଉପରେ ଆଖି ପକାଉଛନ୍ତି କି ନାହିଁ ସେ ଦୁଇ ହାତ ଆସ୍ତେ ଚାପି ଧରିଲେ ଏବଂ କହିଲେ: ‘‘କ୍ଳାମ୍‌ଙ୍କର ।’’ ତା’ପରେ ଦୁଇଜଣ ଯାକ ମିଶି ଚିଠିଟା ପଢ଼ିଲେ, ମୁହୂର୍ତ୍ତକ ପାଇଁ ଫିସ୍‍ ଫିସ୍‍ ହେଲେ, ଏବଂ ପରିଶେଷରେ, ବାକ୍‌ସଟା ବନ୍ଦ କରି ଦେଇ ପାରି ଥିବାରୁ ସହକାରୀମାନେ ‘‘ବାଃ, ବାଃ’’ କହିଲା ବେଳକୁ-ମିଜି ନୀରବରେ ସେମାନଙ୍କ ଆଡ଼େ କୃତଜ୍ଞ ଆଖିରେ ଚାହିଁଥାନ୍ତି-ସୁପରିଣ୍ଟେଣ୍ଡେଣ୍ଟ କହିଲେ:

 

‘‘ମିଜି ମୋ’ ସାଙ୍ଗେ ଏକମତ, ଆଉ ବର୍ତ୍ତମାନ ମୋ’ ନିଜ ମତ ପ୍ରକାଶ କରିବି । ଏଇ ଚିଠିଟା କୌଣସି ବାଟେ ଗୋଟେ ଅଫିସିଆଲ ଚିଠି ନୁହେଁ, ଏଇଟା ଗୋଟେ ବ୍ୟକ୍ତିଗତ ଚିଠି । ଯୋଉ ଭାବରେ ସମ୍ୱୋଧନ କରାଯାଇଚି ସେଥିରୁ ଏୟା ସ୍ପଷ୍ଟ ଲକ୍ଷ୍ୟ କରି ହେବ; ପ୍ରିୟ ମହାଶୟ । ତା’ଛଡ଼ା, ଏଥିରେ ଗୋଟିଏ ଶବ୍ଦ କୋଉଠି ନାଇଁ ଯୋଉଥିରୁ ଜାଣିହେବ ଯେ ଆପଣଙ୍କୁ ଅମିନ ଭାବରେ ନିଆ ସରିଲାଣି, ଅନ୍ୟ ପକ୍ଷରେ ଏଇଟା ସାଧାରଣ ଭାବରେ ସରକାରୀ ଚାକିରୀ ବିଷୟରେ, ଆଉ ତା’ର ବି ପୂରା ଗ୍ୟାରିଣ୍ଟ ନାଇଁ, ବୁଝିଲେ ? ତା’ ମାନେ, ଆପଣଙ୍କ ଚାକିରୀ ହୋଇ ଯାଇଚି–ଏକଆ ପ୍ରମାଣ କରିବାର ଦାୟିତ୍ୱ ଆପଣଙ୍କ ଉପରେ । ଶେଷରେ, ଆପଣଙ୍କୁ ସରକାରୀ ଭାବରେ, ଜରୁରୀ ଭାବେ ମୋ ପାଖକୁ, ସୁପରିଣ୍ଟେଣ୍ଡେଣ୍ଟ ପାଖକୁ, ପଠାଯାଇଚି, ମୁଁ ଯେହେତୁ ଆପଣଙ୍କର ପ୍ରଥମ ଉପରିସ୍ଥ ଅଫିସର । ଆପଣଙ୍କୁ ସବୁ କଥା ମୋର ଜଣାଇ ଦେବା ଚାହେ, ଯାହାକି ମୁଁ ଅନେକଟା ଆପଣଙ୍କୁ ଜଣାଇ ଦେଇ ସାରିଚି । ଅଫିସିଆଲ ଚିଠିପତ୍ର କେମିତି ପଢ଼ିବାକୁ ହେବ ଜାଣିଥିବା ଆଉ ବ୍ୟକ୍ତିଗତ ଚିଠି ପତ୍ର କେମିତି ପଢ଼ିବାକୁ ହେବ ତା’ ଆହୁରି ଭଲ ଭାବରେ ଜାଣିଥିବା ଯେ କୌଣସି ଲୋକକୁ ଏହା ସ୍ପଷ୍ଟ ଜଣା ପଡ଼ିଯାଉଚି । ସାଧାରଣ ଭାବରେ ଚିଠିଟାର ଅର୍ଥ କେବଳ ଏତିକି ଯେ କ୍ଳାମ୍‌ ଆପଣଙ୍କ ବିଷୟରେ ବ୍ୟକ୍ତିଗତ ଭାବେ ସମ୍ପୃକ୍ତ ହେବାକୁ ଚାହୁଁଚନ୍ତି, ଯଦି ଆପଣଙ୍କୁ ସରକାରୀ ଚାକିରୀରେ ନିଆଯାଏ ।’’

 

‘‘ସୁପରିଣ୍ଟେଣ୍ଡେଣ୍ଟ ବାବୁ’’ କେ. କହିଲା, ‘‘ଆପଣ ଚିଠିଟାର ଏଡ଼େ ସୁନ୍ଦର ଅର୍ଥ କରୁଚନ୍ତି ଯେ ଚିଠିଟା କେବଳ ଖଣ୍ଡେ ଖାଲି କାଗଜ ଓ ସେଥିରେ ଦସ୍ତଖତ୍‌ଟେ ଅଛି ବୋଲି ମନେ ହେଉଚି । ଆପଣ କ’ଣ ଜାଣି ପାରୁନାହାନ୍ତି ଯେ ଏମିତି କରି ଆପଣ କ୍ଳାମ୍‌ଙ୍କ ନାଁର ଅବମାନନା କରୁଚନ୍ତି, ସମ୍ମାନ ଦେଖାଉଥିବାର ଛଳନା କରି ?’’

 

‘‘ଆପଣ ମତେ ଭୁଲ ବୁଝୁଚନ୍ତି,’’ ସୁପରିଣ୍ଟେଣ୍ଡେଣ୍ଟ କହିଲେ, ‘‘ମୁଁ ଚିଠିଟାର ଭୁଲ ଅର୍ଥ କରୁନି, ମୋ ପଢ଼ା ଚିଠିଟାର କିଛି ଅବମାନନା କରୁନି, ବରଂ ତା’ର ଓଲଟାଟା କରୁଚି । କ୍ଳାମଙ୍କ ପାଖରୁ ଆସିଥିବା ଗୋଟେ ବ୍ୟକ୍ତିଗତ ଚିଠିର ଗୁରୁତ୍ୱ ଅଫିସିଆଲ ଚିଠି ଠାରୁ ଅଧିକ, କିନ୍ତୁ ଏ ଚିଠିଟାରେ ସେମିତି କିଛି ଗୁରୁତ୍ୱ ନାହିଁ, ଯା’ ଅଛି ବୋଲି ଆପଣ ଭାବୁଚନ୍ତି ।’’

 

‘‘ଆପଣ ସ୍ୱାକର୍‌ଙ୍କୁ ଜାଣନ୍ତି ?’’ କେ. ପଚାରିଲା ।

 

‘‘ନା,’’ ସୁପରିଣ୍ଟେଣ୍ଡେଣ୍ଟ ଉତ୍ତର ଦେଲେ । ତମେ ବୋଧେ ଜାଣିଚ, ମିଜି ? ନା, ତମେ ବି ଜାଣିନା ? ନା, ଆମେ ଜାଣୁନି ।’’ ‘‘ଆଶ୍ଚର୍ଯ୍ୟ କଥା’’, କେ. କହିଲା,’’ ସିଏ ଜଣେ ଦୁର୍ଗରକ୍ଷକର ପୁଅ ।

 

‘‘ଦେଖନ୍ତୁ ଅମିନ ବାବୁ,’’ ସୁପରିଣ୍ଟେଣ୍ଡେଣ୍ଟ ଉତ୍ତର ଦେଲେ, ‘‘ମୁଁ ଭଲ କେମିତି ଜାଣିବ ସବୁ ଦୁର୍ଗରକ୍ଷକ ମାନଙ୍କର ପୁଅମାନଙ୍କୁ ?’’

 

‘‘ଠିକ୍‌ କଥା,’’ କେ. କହିଲା, ‘‘ତା ହେଲେ ମୋ’ କଥା ଆପଣଙ୍କୁ ମାନି ନେବାକୁ ହେବ ଯେ ସିଏ ସେମାନଙ୍କ ଭିତରୁ ଜଣେ । ମୁଁ ଆସି ଆସି ପହଞ୍ଚିବା ଦିନ ମୋର ତା ସାଙ୍ଗେ ବେଶ୍‌ କିଛି ସମୟ କଥାବାର୍ତ୍ତା ହୋଇଥିଲା । ପରେ ସିଏ ଫ୍ରିଜ୍‌ ନାମକ ଜଣେ ଦୁର୍ଗ ରକ୍ଷକକୁ ଟେଲିଫୋନ୍‌ରେ ପଚାରିଲା, ଉତ୍ତର ଆସିଲା ଯେ ମୁଁ ଅମିନ ଭାବରେ ନିଯୁକ୍ତ ହୋଇଚି । ଏ ଘଟଣା ଆପଣ କେମିତି ବୁଝେଇବେ, ଆଜ୍ଞା ?’’

 

‘‘ଖୁବ୍‌ ସହଜରେ,’’ ସୁପରିଣ୍ଟେଣ୍ଡେଣ୍ଟ ଉତ୍ତର ଦେଲେ ‘‘ଆମ ଉପର ହାକିମଙ୍କ ପ୍ରକୃତ ସଂସ୍ପର୍ଶରେ ଆପଣ ଥରେ ହେଲେ ଏଯାଏଁ ଆସିନାହାନ୍ତି । ଯେଉଁ ସଂସ୍ପର୍ଶରେ ଆସିଥିବା କଥା ଆପଣ କହୁଚନ୍ତି ତା’ ପ୍ରହେଳିକା ମାତ୍ର, ପରିସ୍ଥିତି ସଂପର୍କରେ ଆପଣଙ୍କର ଜ୍ଞାନ ନ ଥିବାରୁ ଆପଣ ତାକୁ ବାସ୍ତବ ବୋଲି ଭାବୁଚନ୍ତି । ଆଉ ଟେଲିଫୋନ୍‌ କଥା । ଆପଣ ଦେଖୁଚନ୍ତି ଆମର ଏଠି ଟେଲିଫୋନ୍‌ ନାହିଁ, ଯଦିଓ ହାକିମ ମାନଙ୍କ ସାଙ୍ଗରେ ଅନେକ କାମ । ଛୋଟ ଛୋଟ ହୋଟେଲ୍‌ ବା ସେମିତି ଯାଗା ମାନଙ୍କରେ ଟେଲିଫୋନ୍‌ଟେ ଦରକାର ହୋଇପାରେ, ପଇସା ଗଳେଇଲେ ଗୀତ ବାଜୁଥିବା ଯନ୍ତ୍ର ଯେମିତି, ତା’ ଠୁ ଅଧିକା କିଛି ନୁହେଁ । ଆପଣ କେବେ ଆମର ଏଠିକି ଟେଲିଫୋନ୍‌ କରିଚନ୍ତି ? ହଁ ? ବାସ୍‌, ତା’ ହେଲେ ବୋଧେ ଆପଣ ବୁଝି ପାରୁଚନ୍ତି ମୁଁ କ’ଣ କହୁଚି-। ଦୁର୍ଗ ଭିତରେ ଅବଶ୍ୟ ଟେଲିଫୋନ୍‌ ସୁନ୍ଦର କାମ ଦିଏ, ମୁଁ ଶୁଣିଚି ସେଠିକି ଅନବରତ ଟେଲିଫୋନ୍‌ରେ ଡକା ଚାଲିଥାଏ, ତା’ ଫଳରେ କାମ ଜଲ୍‌ଦି ଜଲ୍‌ଦି ହୋଇପାରୁଚି । ଅନବରତ ଟେଲିଫୋନ୍‌ କଥାବାର୍ତ୍ତା ଆମର ଏଠା ଟେଲିଫୋନ୍‌ରେ ଶୁଭେ, ଗୁଣୁଗୁଣୁ ହେଲା ପରି, ଗୀତ ଗାଇଲା ପରି, ଆପଣ ବି ନିଶ୍ଚେ ଶୁଣିଥିବେ । ଆଉ ଏ ଗୁଣୁ ଗୁଣୁ ଗୀତ ଯାହାକି ଆମ ଟେଲିଫୋନ୍‌ରେ ଶୁଭେ, ଏୟା ହିଁ ଏକମାତ୍ର ବାସ୍ତବ ଓ ନିର୍ଭର ଯୋଗ୍ୟ କଥା ଆପଣଙ୍କର ଶୁଣିବା ପାଇଁ, ଆଉ ସବୁ ମିଛ । ଦୁର୍ଗ ସହିତ ସ୍ଥାୟୀ କନେକ୍‌ସନ୍‌ ନାହିଁ, କୌଣସି କେନ୍ଦ୍ରୀୟ ଏକ୍‌ସଚେଞ୍ଜ ନାହିଁ ଆମ ଡାକକୁ ଅଧିକା ବାଟ ପଠାଇବା ପାଇଁ । ଯଦି କେହି ଏଠୁ ଦୁର୍ଗକୁ ଟେଲିଫୋନ୍‌ କରେ ସବୁ ବାଜି ଉଠେ ସବୁ ଅଧସ୍ତନ ବିଭାଗରେ ପ୍ରାୟ-ଏ ବିଷୟରେ ମୁଁ ନିଶ୍ଚିତ-ଯଦି ରିସିଭର୍‌ ଗୁଡ଼ିକ ଉଠାଇ ଦିଆ ନ ଯାଇଚି । ବେଳେ ବେଳେ ଅବଶ୍ୟ ଜଣେ କ୍ଳାନ୍ତ ଅଫିସରଙ୍କର ମନକୁ ହାଲୁକା କରିବା ଦରକାର ପଡ଼େ, ବିଶେଷ କରି ସନ୍ଧ୍ୟାବେଳେ ଓ ରାତିରେ, ଆଉ ସିଏ ରିସିଭର୍‌ ଠିକ୍‌ ଜାଗାରେ ରଖି ଦେଇଥାନ୍ତି । ସେତେବେଳେ ଆମେ ଉତ୍ତର ପାଉ, କିନ୍ତୁ ଅବଶ୍ୟ ଏମିତି ଗୋଟେ ଉତ୍ତର ଯାହାକି ଗୋଟେ ପ୍ରକାର ଥଟ୍ଟା । ଆଉ ତା ମଧ୍ୟ କିଛି ଆଶ୍ଚର୍ଯ୍ୟ କଥା ନୁହେଁ । କାରଣ ରାତି ଅଧରେ, ସେଠି ଅନବରତ ଭୀଷଣ ଭାବେ ଚାଲିଥିବା ଅତି ଜରୁରୀ କାମରେ ବ୍ୟାଘାତ ସୃଷ୍ଟି କରିବାର ଦାୟିତ୍ୱ କିଏ ନେବ, ନିଜର ଛୋଟ ଛୋଟ ବ୍ୟକ୍ତିଗତ ସମସ୍ୟା ବିଷୟରେ ଖବର ପଠାଇ-? ମୁଁ ବୁଝିପାରୁନି ଜଣେ ଅଚିହ୍ନା ଲୋକ କେମିତି ଭାବିବ ଯେ ସିଏ ଯଦି ସଡ଼ିନିଙ୍କୁ ଟେଲିଫୋନ କରୁଚି ସିଏ ପ୍ରକୃତ ସଡ଼ିନିଙ୍କୁ ପାଉଚି ବୋଲି ? ବରଂ ଏହା ଅଧିକ ସମ୍ଭବ ଯେ ଗୋଟେ ପୂରା ଅଲଗା ବିଭାଗର ଜଣେ ତଳୁଆ କିରାଣୀ କଥାବାର୍ତ୍ତା କରୁଥିବ । ଅନ୍ୟ ପକ୍ଷରେ କେବେ କେମିତି ଥରେ ଏୟା ଘଟୁଥିବ ଯେ ଜଣେ ତଳୁଆ କିରାଣୀଟିକୁ ଟେଲିଫୋନ୍‍ କରି ସଡ଼ିନିଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥିବ । ତେଣୁ ଶେଷରେ ସବୁଠୁ ଭଲ କଥା ହେଲା, ଟେଲିଫୋନ୍‌ ପରେ ବାଜିଲା କ୍ଷଣି ସେଠୁ ଦୌଡ଼ି ପଳାଇ ଯିବା ।’’

 

‘‘ମୁଁ ମୋଟେ ଜାଣି ନଥିଲି ଏ କାରବାର,’’ କେ. କହିଲା, ମୁଁ ଏସବୁ ବିଚିତ୍ର ବ୍ୟବସ୍ଥା ଜାଣି ପାରନି, କିନ୍ତୁ ସେ ସବୁ ଟେଲିଫୋନ୍‌ କଥାବାର୍ତ୍ତା ଉପରେ ମୁଁ ସେମିତି କିଛି ଆସ୍ଥା ରଖିନି, ଆଉ ମୁଁ ଜାଣିଚି ଯେ ଦୁର୍ଗରେ ଯାହା ସବୁ ଘଟିଯାଏ, ସେଗୁଡ଼ିକ ହିଁ ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ ବିଷୟ-।’’

 

‘‘ନା,’’ ସୁପରିଣ୍ଟେଣ୍ଡେଣ୍ଟ କହିଲେ, ଶବ୍ଦଟା ଉପରେ ଜୋର୍‌ ଦେଇ, ଟେଲିଫୋନ୍‌ରେ ଆସୁଥିବା ଉତ୍ତର ଗୁଡ଼ାକର ଗୋଟାଏ ଅର୍ଥ ଅଛି, ନ ରହିବ ବା କାହିଁକି ? ଦୁର୍ଗର ଜଣେ ଅଫିସର ଦେଉଥିବା ଖବରଟା କେମିତି ଗୌଣ ହେବ ? କ୍ଳାମ୍‌ଙ୍କ ଚିଠି ସଂପର୍କରେ କହିଲା । ବେଳେ ମୁଁ ଯେଉଁ କଥା କହିଚି । ଏସବୁ କଥାବାର୍ତ୍ତାର ଅଫିସିଆଲ୍‌ ମୂଲ୍ୟ କିଛି ନାହିଁ; ଆପଣ ଯଦି ସେଗୁଡ଼ିକୁ ଅଫିସିଆଲ ମୂଲ୍ୟ ଦେବେ ଆପଣ ଭୁଲ କରିବେ । ଅନ୍ୟ ପକ୍ଷରେ ସେଗୁଡ଼ିକର ବ୍ୟକ୍ତିଗତ ମୂଲ୍ୟ ବହୁତ ବେଶୀ, ବନ୍ଧୁତା ଦୃଷ୍ଟିରୁ ହେଉ କି ଶତ୍ରୁତା ଦୃଷ୍ଟିରୁ ହେଉ । ଅଫିସିଆଲ ଚିଠି ପତ୍ର ଅପେକ୍ଷା ପ୍ରାୟ ଅଧିକ ମୂଲ୍ୟବାନ ।

 

‘‘ଭଲ କଥା,’’ କେ. କହିଲା । ‘‘ଆପଣ ଯେମିତି କହିଲେ ତା’ ହେଲେ ବି ଦୁର୍ଗ ଭିତରେ ମୋର ଅନେକ ଶୁଭେଚ୍ଛୁ ବନ୍ଧୁ ଥିବେ । ଠିକ୍‌ ଭାବରେ ଦେଖିଲେ, ଜଣେ ଅମିନଙ୍କୁ ଡାକି ଅଣାଯିବା ବିଷୟରେ ଏଇ କେତେ ବର୍ଷ ଆଗେ ସେ ବିଭାଗର ଯୋଉ ଉତ୍ସାହ ଅକସ୍ମାତ୍‌ ହୋଇଥିଲା, ତା’ ମୋ ପ୍ରତି ତାଙ୍କର ବନ୍ଧୁତ୍ୱ ପୂର୍ଣ୍ଣ ବ୍ୟବହାର ବୋଲି କହିବାକୁ ହେବ; କିନ୍ତୁ ତା’ ପରେ ଯାହା ଘଟିଲା, ଘଟଣା ପରେ ଘଟଣା, ଏବଂ ଶେଷରେ କୋଉ ଗୋଟାଏ ଅଶୁଭ ଦିନରେ । ମୁଁ ଏଠିକି ଆକୃଷ୍ଟ ହୋଇ ଆସିଲି ଏବଂ ତା ପରେ ଏଠୁ ତଡ଼ା ହେବାର ଧମକ ଶୁଣିଲି ।’’ ‘‘ଆପଣ ଯୋଉ ଦୃଷ୍ଟିରେ ଘଟଣାଟାକୁ ଦେଖୁଚନ୍ତି ସେଥିରେ କିଛିଟା ସତ୍ୟତା ଅଛି,’’ ସୁପରିଣ୍ଟେଣ୍ଡେଣ୍ଟ କହିଲେ,’’ ଦୁର୍ଗରୁ ଆସୁଥିବା ପରାମର୍ଶ ଇତ୍ୟାଦିକୁ ଶାବ୍ଦିକ ଅର୍ଥରେ ନିଆଯିବା ଉଚିତ୍‌ ନୁହେଁ, ଆପଣ ଠିକ୍‌ କହିଚନ୍ତି । କିନ୍ତୁ ସବୁବେଳେ ସାବଧାନ ରହିବା ଦରକାର, ଖାଲି ଏଠି ନୁହେଁ, ଆଉ ଯଦି ଆଦେଶଟା ବେଶୀ ଜରୁରୀ ତା’ ହେଲେ ଅଧିକ ସତର୍କତାର ପ୍ରୟୋଜନ । କିନ୍ତୁ ଆପଣ ସେତେବେଳେ କହିଲେ ଆପଣ ଆକୃଷ୍ଟ ହୋଇ ପଳାଇ ଆସିଲେ ବୋଲି, ମୁଁ ଆପଣଙ୍କୁ ଆଉ ବୁଝି ପାରିଲିନାହିଁ । ଆପଣ ଯଦି ମୋର ବୟାନ ଭଲ ଭାବରେ ଶୁଣିଥାନ୍ତେ, ତା’ ହେଲେ ଜାଣି ପାରିଥାନ୍ତେ ଯେ ଆପଣଙ୍କୁ ଏଠିକି ଡକା ହେବା ବିଷୟଟା ଏଠି ଏଇ ଅଳ୍ପ ସମୟର କଥାବାର୍ତ୍ତା ଭିତରେ ସମାଧାନ ହେବା ଅତି କଷ୍ଟକର ।’’

Unknown

 

‘‘ତା’ ହେଲେ ସିଦ୍ଧାନ୍ତ ହେଲା ଏୟା,’’ କେ. କହିଲା, ‘‘ଯେ ସବୁ କ ଥା ବଡ଼ ଅନିଶ୍ଚିତ ଓ ଜଟିଳ, ଏପରିକି ମତେ ଏଠୁ’ ତଡ଼ା ହେବାଟା ବି ।’’

 

‘‘ଆପଣଙ୍କୁ ତଡ଼ି ଦେବାର ବିପଦ କିଏ ବରଣ କରିବ, ଅମିନ ବାବୁ ?’’ ସୁପରିଣ୍ଟେଣ୍ଡେଣ୍ଟ ପଚାରିଲେ । ‘‘ଆପଣଙ୍କୁ ଡକା ହେବାର ଅନିଶ୍ଚିତତାଇ ଆପଣଙ୍କ ପ୍ରତି ଭଦ୍ର ବ୍ୟବହାର ଦେଖାଇବାର ଏକ ପ୍ରତିଶ୍ରୁତି, ଖାଲି ମୁଁ ସବୁଆଡ଼ୁ ଦେଖି ପାରୁଚି, ଆପଣ ଭାରି ଭାବପ୍ରବଣ । ଆପଣଙ୍କୁ ଏଠି କେହି ରଖୁନି, ତା’ର ଅର୍ଥ ନିଶ୍ଚେ ଏୟା ନୁହେଁ ଯେ ଆପଣଙ୍କୁ ତଡ଼ି ଦିଆହେବ ।’’

 

ଓଃ, ସୁପରିଣ୍ଟେଣ୍ଡେଣ୍ଟ ସାହେବ,’’ କେ. କହିଲା, ‘‘ପୁଣି ଆପଣ ଘଟଣାଟାକୁ ଅତି ସରଳ ଭାବରେ ଦେଖୁଚନ୍ତି । ମୁଁ ଏଠି ରହିବା ପାଇଁ ଯୋଉ କେତେଟା କାରଣ ଅଛି ସେଗୁଡ଼ିକ ମୁଁ ଆପଣଙ୍କ ସାହାଯ୍ୟରେ ଲାଗିପାରେ ବୋଲି କହି ଦେଉଚି : ମୋ ଘର ଛାଡ଼ି ଆସିବାରେ ମୁଁ ଯୋଉ ତ୍ୟାଗ କରିଚି, ଏତେ ବାଟ କଷ୍ଟ କରି ଆସିଚି, ଏଠି ଚାକିରୀ ପାଇ ମୁଁ ଏତେ ସବୁ ଯଥାର୍ଥ ଆଶାର ମିନାର ତୋଳିଚି, ଏଠୁ ଗଲାପରେ ମୋ’ ଘର ପାଖରେ କୋଉଠି ଗୋଟେ ଭଲ ଚାକିରୀ ପାଇବା ଅସମ୍ଭବ, ଆଉ ଶେଷରେ ତା’ ବି କମ୍‌ ବଡ଼ କାରଣ ନୁହେଁ, ମୋ’ ପ୍ରେମିକା ଏଠି ରହୁଚି ।’’

 

‘‘ଓହୋ, ଫ୍ରୀଡ଼ା !’’ ସୁପରିଣ୍ଟେଣ୍ଡେଣ୍ଟ କହିଲେ ମୋଟେ ଆଶ୍ଚର୍ଯ୍ୟ ନ ହୋଇ । ‘‘ମୁଁ ଜାଣେ ! କିନ୍ତୁ ଫ୍ରୀଡ଼ା ଆପଣ ଯୁଆଡ଼େ ଯିବେ ଆପଣଙ୍କ ପଛେ ପଛେ ଯିବ । ଆଉ ଯୋଉ ସବୁ କଥା ଆପଣ କହିଲେ, ସେ ବିଷୟରେ କିଛିଟା ସୁବିଚାର ହେବା ଉଚିତ, ମୁଁ ସେ ବିଷୟରେ ଦୁର୍ଗ ସାଙ୍ଗରେ କଥାବାର୍ତ୍ତା କରିବି । ଯଦି କୌଣସି ନିଷ୍ପତ୍ତି ନିଆଯିବା କଥା, କିମ୍ୱା ଯଦି ପ୍ରଥମେ ଆପଣଙ୍କୁ ପଚରା ଉଚରା କରିବା ଦରକାର ପଡ଼େ, ମୁଁ ଆପଣଙ୍କୁ ଡକାଇବି । ଆପଣ ଏଥିରେ ରାଜି ତ ?’’

 

‘‘ନା, ମୋଟେ ନୁହେଁ,’’ କେ. କହିଲା, ‘‘ମତେ ଦୁର୍ଗ କୌଣସି ଅଯାଚିତ ସାହାଯ୍ୟ କରନ୍ତୁ, ଏୟା ମୁଁ ଚାହେଁନି । କିନ୍ତୁ ମୋର ନ୍ୟାୟ ସଙ୍ଗତ ଦାବୀ ଯାହା ତା’ ଦିଆଯାଉ ।’’

 

‘‘ମିଜି,’’ ସୁପରିଣ୍ଟେଣ୍ଡେଣ୍ଟ ତାଙ୍କ ସ୍ତ୍ରୀଙ୍କୁ କହିଲେ; ଯେ କି ସେ ଯାଏଁ ତାଙ୍କ ଦେହକୁ ଲାଗି ବସିଥାନ୍ତି ଓ ଦିବା ସ୍ୱପ୍ନରେ ବୁଡ଼ି ରହି କ୍ଳାମ୍‌ଙ୍କ ଚିଠିଟା ଏପାଖ ସେପାଖ କରୁଥାନ୍ତି, ସେଟାକୁ ଭାଙ୍ଗିଭୁଙ୍ଗି ଗୋଟାଏ ଡଙ୍ଗା କରିସାରି । –କେ. ଛାନିଆଁ ହୋଇ ସେଇଟା ତାଙ୍କ ହାତରୁ ଟାଣି ନେଲା-। ‘‘ମିଜି, ମୋ ପାଦ ପୁଣି ଥରିବାର ଆରମ୍ଭ କଲାଣି, ଆମେ ଆଉ ଥରେ ସେକ ଦେବା ଦରକାର-।’’

 

କେ. ଉଠି ଠିଆ ହେଲା, । ‘‘ତା’ହେଲେ ମୁଁ ଏଥର ଆସେ,’’ ସେ କହିଲା । ‘ହିଁ,’’ ମିଜି କହିଲେ, ସେକ ଦେବା ପାଇଁ କନା ବିଣ୍ଡାଟା ତିଆର କରୁ କରୁ ‘‘ୟା ଆଗ ସେକଟା ବହୁତ ବେଶୀ ହୋଇ ଯାଇଥିଲା ।’’ କେ. ବୁଲି ପଡ଼ିଲା । ତା’ ଶେଷ କଥା ପଦକ ଶୁଣି, ସହକାରୀମାନେ, କାମିକା ବୋଲି ଦେଖାଇ ହେବାର ସ୍ୱାଭାବିକ ଅଯଥା ଉତ୍ସାହରେ ଦୁଇ ପାଖର କବାଟ ଖୋଲି ସାରିଥିଲେ । ବାହାରୁ ଯେଉଁ ଭୀଷଣ ଥଣ୍ଡା ପବନ ପଶି ଆସୁଥିଲା ସେଥିରୁ ରୋଗୀ ଶୋଇଥିବା ଘରଟାକୁ ରକ୍ଷା କରିବା ପାଇଁ ସୁପରିଣ୍ଟେଣ୍ଡେଣ୍ଟକୁ ଗୋଟିଏ ତରବରିଆ ଜୁହାର କରି ଦେଇ ସନ୍ତୁଷ୍ଟ ହେବାକୁ ପଡ଼ିଲା କେ. କୁ । ତା’ପରେ, ଆଗେ ଆଗେ ସହକାରୀମାନଙ୍କୁ ଠେଲି, ସେ ବାହାରକୁ ଚାଲି ଆସିଲା ଏବଂ ତତ୍‌କ୍ଷଣାତ୍‌ କବାଟ ବନ୍ଦ କରିଦେଲା ।

 

।। ଛଅ ।।

 

ହୋଟେଲ୍‌ ସାମ୍ନାରେ ହୋଟେଲ୍‌ ମାଲିକ ତା’କୁ ଅପେକ୍ଷା କରିଥିଲା । କେ. ଯଦି କିଛି ନ ପଚାରିବ, ସେ ତା’କୁ କିଛି କହିବାକୁ ସାହସ କରିବ ନାହିଁ । ସେ ଦୃଷ୍ଟିରୁ କେ. ତାର କ’ଣ କାମ ଅଛି ବୋଲି ପଚାରିଲେ । ତଳକୁ ଅନାଇଁ ହୋଟେଲ୍‌ ମାଲିକ ପଚାରିଲା, ‘‘ଆପଣ କୋଉଠି ରହିବା ପାଇଁ ଜାଗା ପାଇଲେ ?’’ ‘‘ତମକୁ କ’ଣ ତମ ସ୍ତ୍ରୀ କହିଚନ୍ତି ଏକଥା ପଚାରିବାକୁ ?’’ କେ. ଉତ୍ତରରେ କହିଲା, ‘‘ତମ ଉପରେ କ’ଣ ତାଙ୍କର ଏତେ ବେଶୀ ପ୍ରଭାବ ?’’ ‘‘ନା’’, ହୋଟେଲ୍‌ ମାଲିକ କହିଲା, ‘‘ମୋ ସ୍ତ୍ରୀ କହିଚି ବୋଲି ଯେ ପଚାରିଲି ତା’ ନୁହେଁ । କିନ୍ତୁ ସେ ଆପଣଙ୍କ କଥା ନେଇ ବହୁତ ଚିନ୍ତିତା ଓ ଅସୁଖୀ, କିଛି କରିପାରୁନି, ଖଟରେ ପଡ଼ି ରହି ଦୀର୍ଘ ନିଃଶ୍ୱାସ ପକାଉଚି ଆଉ ସବୁବେଳେ ଗର୍‌ ଗର୍‌ ହେଉଚି ।’’ ‘‘ମୁଁ ଯାଇ ତାଙ୍କୁ ଦେଖି ଆସିବି ?’’ କେ. ପଚାରିଲା । ‘‘ଆପର ତା’ କରନ୍ତେ ହେଲେ,’’ ହୋଟେଲ୍‌ ମାଲିକ କହିଲା । ‘‘ମୁଁ ଆପଣଙ୍କୁ ଆଣିବାକୁ ସୁପରିଣ୍ଟେଣ୍ଡେଣ୍ଟ ପାଖକୁ ଯାଇ ଫେରିଲିଣି । ମୁଁ କବାଟ ପାଖରେ କାନେଇଲି । ଆପଣ କଥାବାର୍ତ୍ତା କରୁଥିଲେ । ଆପଣଙ୍କୁ ହଇରାଣ କରିବାକୁ ମୁଁ ଚାହିଁଲିନି, ତା’ ଛଡ଼ା ମୋ ସ୍ତ୍ରୀ କଥା ନେଇ ମୁଁ ଉଦ୍‌ବିଘ୍ନ ଥିଲି, ତେଣୁ ଜଲ୍‌ଦି ଫେରିଲେ । କିନ୍ତୁ ସେ ମତେ ତା’ ପାଖକୁ ଯିବାକୁ ଦେଲାନି, ତେଣୁ ଆପଣଙ୍କୁ ଏଠି ଅପେକ୍ଷା କରିବା ଛଡ଼ା ମୁଁ ଆଉ କ’ଣ କରିଥାନ୍ତି ?’’ ‘‘ତା’ହେଲେ ଚାଲ, ଏକ୍ଷଣି ଯିବା’’ କେ. କହିଲା, ‘‘ମୁଁ ତାଙ୍କୁ ବୁଝାଇଦେବି ।’’ ‘‘ଆପଣ ଯଦି ସେତକ କରନ୍ତେ,’’ ମାଲିକ କହିଲା-

 

ସେ ଦୁହେଁ ଉଜ୍ଜ୍ୱଳ ରୋଷେଇ ଘର ବାଟେ ପଶିଲେ । ସେଠି ତିନି ଚାରିଜଣ ଚାକରାଣୀ ଅଲଗା ଅଲଗା ଯାଗାରେ ସେମାନଙ୍କ କାମ କରୁଥାନ୍ତି । ଏମାନଙ୍କୁ ଦେଖି ସେମାନେ-ସ୍ପଷ୍ଟ ଦିଶିଲା-ସ୍ଥାଣୁ ହୋଇଗଲେ । ରୋଷେଇ ଘରୁ ହିଁ ହୋଟେଲ୍‌ ମାଲିକାଣୀର ଦୀର୍ଘନିଃଶ୍ୱାସ ଶୁଭୁଥାଏ-। ରୋଷେଇ ଘରକୁ ଲାଗି ପତଳା କାଠପଟା ବେଢ଼ା ହୋଇ ଥିବା, ଝରକା ନଥିବା ଗୋଟାଏ ବଖରାରେ ସେ ପଡ଼ିଥାଏ । ଗୋଟାଏ ବଡ଼ ଖଟ ଓ ବାକ୍‌ସ ପାଇଁ ହିଁ ସେ ଭିତରେ ଯାଗାଥାଏ-। ଖଟଟା ଏମିତି ଯାଗାରେ ପଡ଼ିଥାଏ ଯେ ତା’ ଉପରୁ ଜଣେ ପୂରା ରୋଷେଇ ଘରଟା ଦେଖି ପାରିବ ଓ କାମ ଦାମ ତଦାରଖ କରି ପାରିବ । ରୋଷେଇ ଘରୁ କିନ୍ତୁ ପଟା ବାଡ଼ ଦିଆ ବଖରାର କିଛି ଦେଖା ଯାଉନଥାଏ । ବଖରାଟା ପୂରା ଅନ୍ଧାର, କେବଳ ନାଲି ବିଛଣା ଚାଦରଟାର ଫିକା ରଙ୍ଗ ଜାଣି ହେଉଥାଏ । ଜଣେ ଭିତରେ ନ ପଶିଲା ଯାଏଁ ଏବଂ ତା’ ଆଖି ଅନ୍ଧାରରେ ଅଭ୍ୟସ୍ତ ନ ହେଲା ଯାଏଁ ଗୋଟି ଗୋଟି କରି ଆସବାବ ପତ୍ର ସେ ଦେଖି ପାରିବ ନାହିଁ ।

 

‘‘ଶେଷରେ ଆପଣ ଆସିଲେ,’’ ମାଲିକାଣୀ ଅତି ଦୁର୍ବଳ ଭାବରେ କହିଲା । ସେ ଚିତ୍‌ ହୋଇ ପଡ଼ିଥାଏ, ନିଃଶ୍ୱାସ ନେବାରେ ଯେ ତାକୁ କଷ୍ଟ ହେଉଚି ତା’ ସ୍ପଷ୍ଟ ଜାଣି ହେଉଥାଏ, ସେ ପକ୍ଷୀ ପରର କନ୍ଥାଟା ଆଡ଼େଇ ଦେଇଥାଏ । ସାଧାରଣ ପୋଷାକ ପତ୍ର ପିନ୍ଧିଥିବା ବେଳ ଅପେକ୍ଷା ଖଟରେ ପଡ଼ିଲା ବେଳେ ତା ବୟସ କମ୍‌ ବୋଲି ମନେ ହେଉଥାଏ । କିନ୍ତୁ ସୂକ୍ଷ୍ମ ଝାଳର କାମ ହୋଇଥିବା ଯୋଉ ଟୋପିଟା ସେ ପିନ୍ଧିଥାଏ, ସେଇଟା ବହୁତ ଛୋଟ ହୋଇଥିଲେ ବି, ତା’ ମୁଣ୍ଡ ଉପରୁ ଖସି ପଡ଼ୁଥିଲେ ବି, ତାର ରୋଗିଣା ମୁହଁକୁ ଦୟନୀୟ କରି ପକାଉଥାଏ । ‘‘ମୁଁ କାହିଁକି ଆସିଥାନ୍ତି ଯେ ?’’ କେ. ନରମ ଗଳାରେ ପଚାରିଲା । ‘‘ତମେ ତ ମତେ ଡାକି ନଥିଲ ।’’ ‘‘ଆପଣ ମତେ ଏତେ ସମୟ ଧରି ଅପେକ୍ଷା କରାଇବା ଠିକ ହୋଇନି,’’ ଜଣେ ପଙ୍ଗୁର ଅଳି ଅର୍ଦ୍ଦଳି କଲା ସ୍ୱରରେ ମାଲିକାଣୀ କହିଲା, ‘‘ବସନ୍ତୁ,’’ ଖଟକୁ ହାତ ଦେଖାଇ ସେ କହିଲା, ‘‘ଆଉ ଅନ୍ୟ ସମସ୍ତେ ଏଠୁ ଯାଅ ।’’ ଏ ଭିତରେ ଚାକରାଣୀ ଓ ସହକାରୀମାନେ ଆସି ଭିତରେ ଜମି ଯାଇଥାନ୍ତି । ‘‘ମୁଁ ବି ଯାଉଚି, ଗାଡ଼ାନା,’’ ହୋଟେଲ୍‌ ମାଲିକ କହିଲା । ଏଇ ପ୍ରଥମଥର କେ. ମାଲିକାଣୀର ନାଁ ଶୁଣିଲା । ‘‘ନିଶ୍ଚୟ, ମାଲିକାଣୀ ଆସ୍ତେ ଉତ୍ତର ଦେଲାଏବଂ ସତେ ଯେମିତି ଅନ୍ୟ କଥା କ’ଣ ଭାବୁଛି ସେମିତି ଅନ୍ୟମନସ୍କ ଭାବରେ କହିଲା, ‘‘ଅନ୍ୟମାନ; ଯଦି ନ ରହିବେ ତମେ ରହି କ’ଣ କରିବ ବା ?’’ କିନ୍ତୁ ସେମାନେ ସମସ୍ତେ ରୋଷେଇ ଘରକୁ ପଳାଇଗଲା ପରେ-ଏଥର ଏପରିକି ସହକାରୀମାନେ ବି ତତ୍‌କ୍ଷଣାତ୍‌ ପଳାଇଗଲେ, ତା’ ଛଡ଼ା ଜଣେ ଚାକରାଣୀ ତାଙ୍କ ପଛରେ-ଗାଡ଼ାନାର ବୁଝିପାରିବାକୁ ଶକ୍ତି ହେଲା ଯେ ସେ ଯାହା କଥାବାର୍ତ୍ତା କରିବ ରୋଷେଇ ଘରକୁ ବି ତା ଶୁଭିବ, କାରଣ ପଟା ବାଡ଼ ଘେରା ବଖରାରେ କବାଟ ନଥିଲା, ତେଣୁ ସେ ରୋଷେଇ ଘର ଛାଡ଼ି ଚାଲି ଯିବାକୁ ସମସ୍ତଙ୍କୁ କହିଲା । ସମସ୍ତେ ସେୟା କଲେ ।

 

‘‘ଅମିନବାବୁ,’’ ଗାଡ଼ାନା କହିଲା, ‘‘ସେ ବାକ୍‌ସ ପାଖରେ ଗୋଟେ ଚଦର ଝୁଲୁଚି, ସେଇଟା ମତେ ଟିକିଏ ବଢ଼େଇ ଦେବେ । ମୁଁ ସେଇଟା ଘୋଡ଼ି ହେବି । ଏ ପକ୍ଷୀପର କନ୍ଥାଟା ମୁଁ ସହି ପାରୁନି, ନିଃଶ୍ୱାସ ନେବାକୁ ମତେ ବଡ଼ କଷ୍ଟ ହେଉଚି ।’’ ଏବଂ କେ. ଯେମିତି ଚଦରଟା ବଢ଼ାଇ ଦେଇଚି ସେ କହିଲା, ‘‘ଦେଖନ୍ତୁ, ଏ ଚଦରଟା ଭାରି ସୁନ୍ଦର ନୁହଁ ?’’ କେ. ର ମନେ ହେଲା ଯେ ସେଇଟା ଗୋଟାଏ ସାଧାରଣ ପଶମ ଚଦର, ଖାଲି ମାଲିକାଣୀ କଥା ରଖିବାକୁ ସେ ଚଦରଟାରେ ଆଙ୍ଗୁଠି ବୁଲାଇ ଆଣିଲା, କିନ୍ତୁ କୌଣସି ଉତ୍ତର ଦେଲା ନାହିଁ । ‘‘ହଁ, ଏଇ ଚଦରଟା ଭାରି ସୁନ୍ଦର’’, ଘୋଡ଼ି ହୋଇପଡ଼ି ଗାଡ଼ାନା କହିଲା । ବର୍ତ୍ତମାନ ତାକୁ ଆରାମ ଲାଗିଲା, ତାର ସବୁ ଯନ୍ତ୍ରଣା ଚାଲି ଯାଇଥିବାର ଭଳି ମନେ ହେଲା, ତା ମୁଣ୍ଡବାଳ କଥା ଭାବିବାକୁ ତାର ଯଥେଷ୍ଟ ଶକ୍ତି ଥାଏ; ପଡ଼ି ରହିବା ଫଳରେ ତା’ ବାଳ ଅଡ଼ୁଆ ହୋଇ ଯାଇଥାଏ । ସେ ମୁହୂର୍ତ୍ତକ ପାଇଁ ଉଠି ବସିଲା ଏବଂ ଟୋପି ଚାରିକଡ଼େ ତା’ ଜୁଡ଼ାକୁ ଟିକିଏ ସଜାଡ଼ି ଦେଲା । ତା’ ମୁଣ୍ଡରେ ଗହଳ ବାଳ ।

 

କେ. ଅଧୈର୍ଯ୍ୟ ହୋଇପଡ଼ି ଆରମ୍ଭ କଲା, ‘‘ମୁଁ ଆଉ କୋଉଠି ରହିବା ଯାଗା ପାଇଲି କି ନାହିଁ ପଚାରୁଥିଲ ତମେ ।’’ ‘‘ମୁଁ ପଚାରିବି ? ମାଲିକାଣୀ କହିଲା, ‘‘ନା, ଆପଣ ଭୁଲ ଶୁଣିଚନ୍ତି ।’’ ‘‘ଏଇ କେତେ ମିନିଟ୍‌ ତଳେ ତମ ସ୍ୱାମୀ ମତେ ପଚାରିଲେ ।’’ ‘‘ତା ହୋଇଥିବେ,’’ ମାଲିକାଣୀ କହିଲା, ‘‘ତାଙ୍କର ମୋର ପଡ଼ୁନି ।’’ ମୁଁ ଯେତେବେଳେ ଚାହୁଁ ନଥିଲି ଯେ ଆପଣ ଏଠି ରହନ୍ତୁ, ସେତେବେଳେ ସେ ଆପଣଙ୍କୁ ଏଠି ରଖିଲେ, ଏବେ ମତେ ଭଲ ଲାଗୁଚି ଆପଣ ଏଠି ରହିଲେ, ସେ ଆପଣଙ୍କୁ ତଡ଼ି ଦେବାକୁ ଚାହୁଁଚନ୍ତି । ସେ ସବୁବେଳେ ଏମିତି ।’’ ‘‘ମୋ ବିଷୟରେ ତମର ମତ କ’ଣ ଏତେ ବଦଳି ଯାଉଚି ତା’ହେଲେ ?’’ ବଳାଇନି,’’ ମାଲିକାଣୀ କହିଲା ଅଧିକ ସ୍ୱାଧୀନ ଭାବରେ, ଆପଣଙ୍କ ହାତଟା ବଢ଼େଇଲେ । ବାସ୍‌, ମୋ ସାଙ୍ଗେ ଆନ୍ତରିକ ହେବେ ବୋଲି ଶପଥ କରନ୍ତୁ, ମୁଁ ବି ସେୟା କରିବି ।’’ ‘‘ଠିକ୍‌ ଅଛି,’’ କେ. କହିଲା ‘‘କିନ୍ତୁ କିଏ ଆଗ ଆରମ୍ଭ କରିବ ?’’ ‘‘ମୁଁ କହିବି,’’ ମାଲିକାଣୀ କହିଲା । କେ. ସାଙ୍ଗରେ ଅଧା ପାନ୍ତରିଆ ମିଳାମିଶା କରିବାକୁ ଚାହୁଁଛି-ଏମିତି ଧାରଣା ସେ ଦେଉ ନଥିଲା, ବରଂ ସେ ଯେ ପ୍ରଥମେ ଆଗେଇଯିବାକୁ ଆଗ୍ରହୀ ଏ ଧାରଣା ଦେଉଥିଲା ।

 

ତକିଆ ତଳୁ ସେ ଗୋଟିଏ ଫଟୋ ବାହାର କଲା ଏବଂ କେ. ଆଡ଼କୁ ବଢ଼ାଇଦେଲା । ‘‘ଏଇ ଫଟୋଟା ଦେଖନ୍ତୁ,’’ ସେ ଆଗ୍ରହରେ କହିଲା । ଭଲ କରି ଦେଖିବା ପାଇଁ କେ. ରୋଷେଇ ଘର ଭିତରକୁ ଚାଲିଗଲା, କିନ୍ତୁ ସେଠାରେ ଫଟୋଟାରେ କ’ଣ ଅଛି ଦେଖିବା ସହଜ ହେଲା ନାହିଁ, କାରଣ ଫଟୋଟା ବହୁ ଦିନର ହୋଇଥିବା ଯୋଗୁଁ ଫିକା ପଡ଼ିଯାଇଥିଲା, କେତେକ ଯାଗାରେ ଫାଟି ଯାଇଥିଲା ଲୋଚା କୋଚା ଓ ମଇଳା ହୋଇ ଯାଇଥିଲା । ‘‘ଏଇଟା ତ ଭଲ ଅବସ୍ଥାରେ ନାହିଁ; ‘‘କେ. କହିଲା ।’’ ‘‘ଦୁଃଖର କଥା, ନାହିଁ,’’ ମାଲିକାଣୀ କହିଲା, ‘‘ଜଣେ ଯଦି ଗୋଟେ ଜିନିଷଟାକୁ ତା’ ସାଙ୍ଗରେ ବର୍ଷ ବର୍ଷ ଧରି ବୁଲେ, ଏ ଅବସ୍ଥା ହୁଏ । କିନ୍ତୁ ଆପଣ ଯଦି ଭଲ କରି ଦେଖିବେ, ଆପଣ ସବୁ କଥା ଠଉରାଇ ପାରିବେ, ଦେଖନ୍ତୁ । ତେବେ ମୁଁ ଆପଣଙ୍କୁ ସାହାଯ୍ୟ କରି ପାରେ, କହନ୍ତୁ କ’ଣ ସବୁ ଦେଖୁଚନ୍ତି, ଫଟୋଟା ବିଷୟରେ କିଏ କିଛି କହିଲେ ମତେ ଭଲ ଲାଗେ-। ଦେଖିଲେ ? କ’ଣ ? ‘‘ଜଣେ ଯୁବକ,’’ କେ. କହିଲା । ‘‘ଠିକ୍‌,’’ ମାଲିକାଣୀ କହିଲା । ‘‘ନା, ଖୁବ୍‌ ଭଲ ହେଇଚି,’’ ସେ କହିଲା । ‘‘କିନ୍ତୁ ଏଇଟା ପଟା ଆଉ ହେଇ ସିଏ ତ ତା’ ଉପରେ ପଡ଼ିଚି,’’ କେ. ନିଜ ପକ୍ଷ ସମର୍ଥନ କରି ଜୋର୍‌ ଦେଲା । ‘‘କିନ୍ତୁ ଆହୁରି ଭଲ ଭାବରେ ଦେଖନ୍ତୁ,’’ ମାଲିକାଣୀ କହିଲା ରାଗି ଯାଇ, ‘‘ସିଏ କ’ଣ ପ୍ରକୃତରେ ପଡ଼ିଚି ?’’ ‘‘ନା,’’ ବର୍ତ୍ତମାନ କେ. କହିଲା, ‘‘ସିଏ ଭାସୁବି, ଆଉ ଏବେ ମୁଁ ଦେଖି ପାରୁଚି ଏଇଟା ପଟା ନୁହେଁ ମୋଟେ, ବୋଧେ ଗୋଟେ ଦଉଡ଼ି, ଆଉ ଯୁବକ ଜଣକ ଉପରକୁ ଡେଉଁଚି ।’’ ‘‘ଦେଖିଲେ ତ,’’ ଜୟ କଲା ଭଳି ମାଲିକାଣୀ କହିଲା, ‘‘ସିଏ ଡେଉଁଚି, ସରକାରୀ ଚିଠି ପତ୍ର ନେବା ଆଣିବା ଲୋକେ ଏମିତି ଅଭ୍ୟାସ କରନ୍ତି । ମୁଁ ଭଲ କରି ଜାଣି ଥିଲି ଯେ ଆପଣ ଠିକ୍‌ ଠଉରାଇ ପାରିବେ । ଆପଣ ଏ ମୁହଁଟା ବି ଦେଖି ପାରୁଚନ୍ତି-?’’ ‘‘ମୁଁ ମୁହଁଟା ଅଳ୍ପ ଅଳ୍ପ ଜାଣି ପାରୁଚି,’’ କେ. କହିଲା, ସିଏ ନିଶ୍ଚୟ ବହୁତ ଚେଷ୍ଟା କରୁଚି, ତା’ ପାଟି ମେଲା ଆଖି ନିବୁଜ ଓ ବାଳ ଫର୍‌ ଫର୍‌ ଉଡ଼ୁଚି ।’’ ‘‘ବଢ଼ିଆ ହେଲା,’’ ମାଲିକାଣୀ କହିଲା ପ୍ରଶଂସାର ସ୍ୱରରେ, ‘‘ଯିଏ ତାକୁ କେବେ ନ ଦେଖିଚି ୟାଠୁ’’ ଅଧିକ ଜାଣିପାରନ୍ତା ନି । କିନ୍ତୁ ସିଏ ଥିଲା ଜଣେ ସୁନ୍ଦର ଯୁବା । ମୁଁ ଥରେ କେବଳ ତାକୁ ମୁହୂର୍ତ୍ତକ ପାଇଁ ଦେଖିଥିଲି, ଆଉ ତାକୁ କେବେ ଭୁଲି ପାରିବି ନି ।’’ ‘‘ତା’ ହେଲେ ସେ କିଏ ?’’ କେ. ପଚାରିଲା । ‘‘ସିଏ ହେଲା ସେଇ ପିଅନ ଯାହାକୁ କ୍ଳାମ୍‌ ପ୍ରଥମ ଥର ପଠେଇଥିଲେ ମତେ ଡାକି ନେବାକୁ ?

 

କେ. ଭଲ ଭାବେ ଶୁରି ପାରିଲା ନାହିଁ, କାଚ ଝଣ ଝଣ ହେବା ଶବ୍ଦରେ ତାର ଧ୍ୟାନ ଭଙ୍ଗ ହେଲା । ଗୋଳମାଳର କାରଣଟା ସେ ତତ୍‌କ୍ଷଣାତ୍‌ ଆବିଷ୍କାର କଲା । ସହକାରୀ ଦୁଇ ଜଣ ଯାକ ଦାଣ୍ଡରେ ବରଫ ଉପରେ ଠିଆ ହୋଇ ଏ ପାଦ ତା’ ପରେ ସେ ପାଦ ପକାଇ ଢଳୁଥାନ୍ତି, ସତେ ଯେମିତି ତାକୁ ପୁଣି ଦେଖି ଦୁହେଁ ଭାରି ଖୁସି ଖୁସିରେ ଦୁହେଁ ପରସ୍ପର ଆଡ଼କୁ ଆଙ୍ଗୁଠି ଦେଖାଇ କେ. କୁ ଦେଖାଇ ଦେଉଥାନ୍ତି ଏବଂ ରୋଷେଇ ଘରର କାଚ ଝରକାର କ୍ରମାଗତ ହାତ ବାଡ଼ାଉଥାନ୍ତି । କେ. ଯେମିତି ଗୋଟାଏ ଧମକ ପୂର୍ଣ୍ଣ ଭଙ୍ଗୀ କରିଛି ଦୁହେଁ ତତ୍‌କ୍ଷଣାତ୍‌ ଅଟକି ଗଲେ, ପରସ୍ପରକୁ ଟାଣି ପଳାଇବାକୁ ଚେଷ୍ଟା କଲେ, କିନ୍ତୁ ଜଣେ ଆର ଜଣକ ମୁଠାରୁ ଚଟ୍‌ କରି ଖସି ଆସି ପୁଣି ଉଭୟେ କାଚ ଝରକା ପାଖରେ ପହଞ୍ଚିଲେ । କେ. ପାଖ ବଖରାକୁ ଦୌଡ଼ି ପଳାଇଲା, ଯେଉଁଠି ସହକାରୀ ଦୁହେଁ ତାକୁ ଦେଖି ପାରିବେ ନାହିଁ କି ସେ ସେମାନଙ୍କୁ ଦେଖିବ ନାହିଁ । କିନ୍ତୁ ସେଠି ମଧ୍ୟ ଅନେକ ବେଳ ଯାଏ ତାକୁ ଶୁଭିଲା ଡାକ ପକେଇଲା ଭଳି ଝରକା ବାଡ଼େଇବାର ଅସ୍ପଷ୍ଟ ଶବ୍ଦ ।

 

‘‘ପୁଣି ସେଇ ସହକାରୀ ଯୋଡ଼ାକ,’’ କେ. କ୍ଷମା ମାଗିଲା ଭଳି ମାଲିକାଣୀକୁ କହିଲା ଓ ବାହାରକୁ ହାତ ଦେଖାଇଲା । କିନ୍ତୁ ମାଲିକାଣୀ ତା ପ୍ରତି କର୍ଣ୍ଣପାତ କଲା ନାହିଁ । ସେ ଫଟୋଟା କେ. ହାତରୁ ନେଇ ଯାଇଥାଏ, ସେଟାକୁ କିଛି କ୍ଷଣ ପାଇଁ ଅନାଇଁ ହାତରେ ସାଉଁଳାଇ ଦେଇ ପୁଣି ତକିଆ ତଳେ ନେଇ ରଖିଲା । ତାର ଅଙ୍ଗ ଚାଳନା ମନ୍ଥର ହୋଇ ଯାଇଥାଏ, କ୍ଳାନ୍ତିରେ ନୁହେଁ, ସ୍ମୃତିର ଭାରାରେ । ସେ ଚାହିଁଥିଲା କେ. କୁ ତା ନିଜ ଜୀବନର କାହାଣୀ ଶୁଣାଇବ, କିନ୍ତୁ କାହାଣୀ କଥା ଭାବି ଭାବି ସେ କେ.କୁ ଭୁଲି ଯାଇଥାଏ । ଚଦର କାନି ଧରି ସେ ଏପାଖ ସେପାଖ କରୁଥାଏ-। ଏମିତି କିଛି ସମୟ ଚାଲିଗଲା, ତା’ପରେ ସେ ମୁହଁ ଟେକିଲା ଆଖି ଉପରେ ହାତ ବୁଲାଇ ନେଲା, ଏବଂ କହିଲା ‘‘କ୍ଳାମ୍‌ ମତେ ଏଇ ଚଦରଟା ଦେଇଥିଲେ । ଆଉ ଏ ଟୋପିଟା ବି । ଫଟୋଟା, ଚଦରଟା ଓ ଟୋପିଟା, ଏଇ ତିନିଟା ଜିନିଷ ହିଁ ପାଖରେ ରଖିଚି ସ୍ମାରକୀ ଭାବେ । ଫ୍ରୀଡ଼ା ଭଳି ମୁଁ କମ୍‌ ବୟସୀ ନୁହେଁ, ତା ଭଳି ଉଚ୍ଚାକାଂକ୍ଷୀ ନୁହେଁ, ଭାବ ପ୍ରବଣ ବି ନୁହେଁ, ସିଏ ଭାରି ଭାବ ପ୍ରବଣ ସତରେ, ମୁଁ ଜାଣେ ଜୀବନ ସାଙ୍ଗେ ଖାପ ଖୁଆଇ କେମିତି ଚଳିବାକୁ ହେବ, କିନ୍ତୁ ଗୋଟେ କଥା ମୁଁ ନିଶ୍ଚେ ମାନିବି, ଏଇ ତିନିଟା ଜିନିଷ ଛଡ଼ା ମୁଁ ଏଠି ଏତେ ଦିନ ଧରି ବଞ୍ଚି ପାରିନଥାନ୍ତି । ବୋଧେ ଏ ଜିନିଷ ଗୁଡ଼ାକ ଆପଣଙ୍କୁ ଭାରି ନଗଣ୍ୟ ମନେ ହେଉଚି, କିନ୍ତୁ ଶୁଣନ୍ତୁ ଫ୍ରୀଡ଼ା ଯେ କି କ୍ଳାମ୍‌ଙ୍କ ସାଙ୍ଗେ ବହୁ ଦିନ ଧରି ସଂପର୍କ ରଖିଥିଲା, ତା’ପାଖରେ ଗୋଟିଏ ହେଲେ ଏମିତି ଜିନିଷ ନାଇଁ ଯା’ ସେ କ୍ଳାମ୍‌ଙ୍କ ପାଖରୁ ପାଇଚି । ମୁଁ ତାକୁ ପଚାରିଚି, ସେ ଭାରି କଳ୍ପନାବିଳାସୀ, ତାକୁ ସନ୍ତୁଷ୍ଟ କରିବା ସହଜ ନୁହେଁ । ଅନ୍ୟ ପକ୍ଷରେ ମୁଁ, ଯଦିଓ କ୍ଳାମ୍‌ଙ୍କ ସାଙ୍ଗେ ମାତ୍ର ତିନିଥର ରହିଚି-ତା’ପରେ ସେ କେବେ ମତେ ଡକେଇ ନାହାଁନ୍ତି, କାହିଁକି ମୁଁ ଜାଣେନି-ମୁଁ ତିନିଟା ଯାକ ଉପହାର ସାଙ୍ଗରେ ନେଇ ଆସି ପାରିଲି ଯା’ହେଉ, ମତେ କେମିତି ଲାଗୁଥିଲା ଯେ ମୁଁ କ୍ଳାମ୍‌ଙ୍କ ସାଙ୍ଗେ ବେଶୀ ଦିନ ରହି ପାରିବିନି । ଅବଶ୍ୟ ଏଠି ଗୋଟେ କଥା କହି ରଖିବାକୁ ହେବ-। କ୍ଳାମ୍‌ ନିଜର କିଛି କେବେ ଦିଅନ୍ତି ନାହିଁ, କିନ୍ତୁ ସେଠି ପଡ଼ିଥିବା କୋଉ ଜିନିଷଟା ଦେଖି ଯଦି ଜଣକର ଭଲ ଲାଗେ ଯେ ସେଇଟା ତାଙ୍କ ପାଖରୁ ପାଇ ଯାଇପାରେ ।

 

ଏସବୁ କଥା ଶୁଣି କେ; ଅସ୍ୱସ୍ତି ବୋଧ କଲା, ଯଦିଓ କଥା ଗୁଡ଼ିକ ତାକୁ ଭଲ ଲାଗୁଥିଲା-। ‘‘କେବର କଥା ଏ ସବୁ, ତା’ ହେଲେ ?’’ ଦୀର୍ଘ ନିଃଶ୍ୱାସ ପକାଇ କେ: ପଚାରିଲା ।

 

‘‘କୋଡ଼ିଏ ବର୍ଷ ତଳର,’’ ମାଲିକାଣୀ ଉତ୍ତର ଦେଲା, କୋଡ଼ିଏ ବର୍ଷରୁ ଅନେକ ବେଶୀ ହେବ ।’’

 

‘‘ତା’ ହେଲେ ଜଣେ ଏତେ ବର୍ଷ ଯାଏ କ୍ଳାମ୍‌ଙ୍କ ପ୍ରତି ବିଶ୍ୱସ୍ତ ରହିପାରେ,’’ କେ. କହିଲା-। କିନ୍ତୁ ତମେ କ’ଣ ଜାଣିପାରୁଚି ଯେ ଏ ସବୁ କାହାଣୀ ଶୁଣିଲେ ମୋ’ ଭବିଷ୍ୟତ ବିବାହିତ ଜୀବନ ବିଷୟରେ ମତେ ଭୟ ଲାଗୁଚି ?’’

 

ହୋଟେଲ୍‌ ମାଲିକାଣୀ ଏ ଅବେଳାରେ କେ. ର ବ୍ୟକ୍ତିଗତ କଥାରେ ମୁଣ୍ଡ ଖେଳାଇବାକୁ ଚାହିଁଲା ନାହିଁ ଏବଂ ରାଗରେ କେ. କୁ କଣେଇ ଚାହିଁଲା ।

 

‘ମୋ’ ଉପରେ ରାଗନ୍ତି, କେ. କହିଲା, ‘‘କ୍ଳାମ୍‌ଙ୍କ ବିରୁଦ୍ଧରେ ମୋର କହିବାର କିଛି ନାଇଁ-। ତେବେ ପରିସ୍ଥିତିରେ ତାପରେ ମୁଁ ଏକ ପ୍ରକାର ତାଙ୍କ ସ୍ପର୍ଶରେ ଆସିଚି, ତାଙ୍କର ସବୁଠୁ’ ବଡ଼ ସ୍ରାବକ ବି ଏକଥା ମନା କରି ପାରିବ ନାଇଁ । ବାସ୍‌ । ତା’ ଫଳରେ କ୍ଳାମ୍‌ଙ୍କ କଥା ଉଠିଲେ ଇ ମୁଁ ମୋ ନିଜ କଥା ଭାବିବାକୁ ବାଧ୍ୟ ହେଉଚି, ନ ଭାବିଲେ ହେଉନି । ତା’ଛଡ଼ା,’’ ବର୍ତ୍ତମାନ କେ. କାଲିକାଣୀର କୁଣ୍ଠିତ ହାତ ଧରି ପକାଇଲା, ‘‘ଭାବିଲି ଗତ ଥର ଆମ କଥା ବାର୍ତ୍ତା କେଡ଼େ ଖରାପ ଆଡ଼କୁ ଯାଇଥିଲା, ଆଉ ଏଥର ଆମେ ଖୁସିରେ ପରସ୍ପରଠୁ’ ବିଦାୟ ନେବାକୁ ଚାହୁଁଚେ ।’’

 

‘‘ଆପଣ ଠିକ୍‌ କହୁଚନ୍ତି’’ ମୁଣ୍ଡ ନୁଆଇଁ ମାଲିକାଣୀ କହିଲା, ‘‘କିନ୍ତୁ ମତେ ସେଥିରେ ପୂରାନ୍ତୁନି । ମୁଁ ଅନ୍ୟ ମାନଙ୍କ ଅପେକ୍ଷା ବେଶୀ ଭାବ ପ୍ରବଣ ନୁହେଁ; ବରଂ ଅନ୍ୟ ମାନଙ୍କର ଭାବପ୍ରବଣ ହେବା ପାଇଁ କେତେ ଗୁଡ଼ିଏ କଥା ଅଛି, ଆଉ ମୋର କେବଳ ଏଇ ଗୋଟିକ ।’’

 

‘‘ଦୁଃଖର କଥା ମୋର ବି ସେଇ ଗୋଟିକ,’’ କେ. କହିଲା ‘‘କିନ୍ତୁ ମୁଁ ନିଜକୁ ନିଜ ଅକ୍ତିଆରରେ ରଖିବି, ଶପଥ କରୁଚି । ଏବେ କହ ମତେ, ଏ ଭୟଙ୍କର ବିଶ୍ୱସ୍ତତା ଆଗରେ ମୁଁ ମୋ’ ବିବାହିତ ଜୀବନ ନେଇ ଚଳିବ କେମିତି, ଫ୍ରୀଡ଼ା ସେ ଦୃଷ୍ଟିରୁ ତମ ଭଳି ବୋଲି ମାନିଲେ ବି ?’’

 

‘‘ଭୟଙ୍କର ବିଶ୍ୱସ୍ତତା ?’’ ମାଲିକାଣୀ ଗର୍ଜନ କରି କହିଲା, ‘‘ଏଇଟା କ’ଣ ବିଶ୍ୱସ୍ତତାର କଥା ?’’ ମୁଁ ମୋ ସ୍ୱାମୀଙ୍କ ପ୍ରତି ବିଶ୍ୱସ୍ତ-କିନ୍ତୁ କ୍ଳାମ୍‌ ? କ୍ଳାମ ଦିନେ ମତେ ତାଙ୍କ ରକ୍ଷିତା କରି ନେଇଥିଲେ, ସେ ଗୌରବ କ’ଣ ମୁଁ କେବେ ହରେଇ ଦେଇ ପାରିବି ? ଆଉ ଆପଣ ପଚାରୁଛନ୍ତି ଫ୍ରୀଡ଼ା ସାଙ୍ଗେ ଚଳିବେ କେମିତି ? ଓଃ, ଅମିନବାବୁ, ଆପଣ ଏମିତି କିଏ ଯେ ଏମିତି କଥା ପଚାରିବାକୁ ସାହସ କରୁଚନ୍ତି ?’’

 

‘‘ହେଇଟି,’’ କେ. କହିଲା ଧମକ ଦେବା ଭଙ୍ଗୀରେ । ମୁଁ ଜାଣେ,’’ ମାଲିକାଣୀ ନିଜକୁ ସଂଯତ କରି କହିଲା, ‘‘କିନ୍ତୁ ମୋ’ ସ୍ୱାମୀ କେବେ ଏମିତି ନା କଥା ପଚାରି ନଥିଲେ । ମୁଁ ବୁଝି ପାରୁନି କିଏ ବେଶୀ ଦୁଃଖୀ ବୋଲି କହିବି ସେତେବେଳକାର ମୁଁ ନା ଏଥର ଫ୍ରୀଡ଼ା ?’’ ଫ୍ରୀଡ଼ା ଯିଏ ଗର୍ବରେ କ୍ଳାମ୍‌ଙ୍କୁ ଛାଡ଼ି ଦେଲା; ମୁଁ ଯାହାକୁ କ୍ଳାମ୍‌ ଡାକିବା ବନ୍ଦ କରିଦେଲେ ? ତେବେ ବେଶୀ ଦୁଃଖୀ ବୋଧେ ଫ୍ରୀଡ଼ା ମୋର ସେୟା ମନେ ହେଉଚି, ଯଦିଓ ସିଏ ଏଯାଏଁ ତା’ ଦୁଃଖର ପରିମାଣ ଅନୁମାନ ବି କରିପାରିନି । ତେବେ, ସେତେବେଳେ ମୋ’ ଦୁଃଖର ଚିନ୍ତାରେ ମୋ’ ମନ ବୁଡ଼ି ରହିଥାଏ, କାରଣ ସବୁବେଳେ ମୁଁ ନିଜକୁ ଗୋଟାଏ ପ୍ରଶ୍ନ ପଚାରୁଥାଏ, ଆଉ ପ୍ରକୃତରେ ଏଯାଏଁ ବି ଯେ ପ୍ରଶ୍ନଟି ପଚାରି ଆସୁଚି ! ଏମିତି କାହିଁକି ହେଲା ? କ୍ଳାମ୍‌ ମତେ ତିନିଥର ଡକାଇ ପଠାଇଲେ, କିନ୍ତୁ ଆଉ ଥରେ ବି ଡକାଇଲେ ନି, ନା ଆଉ ଥରଟେ ବି ନୁହେଁ ? ସେତେବେଳେ ମୁଁ ଆଉ କ’ଣ ବା ଭାବିଥାନ୍ତି ? ଆଉ କୋଉ ବିଷୟରେ ବା ମୋ ସ୍ୱାମୀଙ୍କ ସାଙ୍ଗେ କଥାବାର୍ତ୍ତା କରିଥାନ୍ତି, ମୋ’ ସ୍ୱାମୀ ଯାହାଙ୍କୁ ମୁଁ ତା’ ପରେ ପରେ ବାହା ହେଲି ? ଦିନରେ ଆମର ସମୟ ନଥାଏ-ଆମେ ନେଲା ବେଳେ ହୋଟେଲ୍‌ଟାର ଅବସ୍ଥା ଭାରି ଖରାପ ଥିଲା, ତା’କୁ ବାଗେଇବାକୁ ଆମକୁ ବହୁତ କଷ୍ଟ କରିବାକୁ ପଡ଼ୁଥାଏ-କିନ୍ତୁ ରାତିରେ ? ବର୍ଷ ବର୍ଷ ଧରି ରାତିରେ ଆମ କଥାବାର୍ତ୍ତା ଖାଲି କ୍ଳାମଙ୍କ ବିଷୟରେ ହେଉଥାଏ, ତାଙ୍କ ମନ ବଦଳିଯିବାର କାରଣ ବିଷୟରେ । ଆଉ ଯଦି ମୋ’ ସ୍ୱାମୀ ଶୋଇ ପଡ଼ୁଥାନ୍ତି କଥାବାର୍ତ୍ତା କଲାବେଳେ, ମୁଁ ତାଙ୍କୁ ଉଠାଇ ଦିଏ ଓ ଆମର କଥାବାର୍ତ୍ତା ପୁଣି ଚାଲେ ।’’

 

‘‘ବର୍ତ୍ତମାନ,’’ କେ. କହିଲା, ‘‘ତମେ ଯଦି ମତେ ଅନୁମତି ଦେବ, ମୁଁ ତମକୁ ଗୋଟେ ନିଷ୍ଠୁର ପ୍ରଶ୍ନ ପଚାରିବି ।’’

 

ହୋଟେଲ୍‌ ମାଲିକାଣୀ ଚୁପ୍‌ ରହିଲା ।

 

‘‘ତା’ହେଲେ ମୁଁ ପଚାରିବିନି,’’ କେ. କହିଲା, ‘‘ହେଉ, ତା’ ବି ମୋ’ ଉଦ୍ଦେଶ୍ୟ ସାଧିତ କରୁଚି ।’’

 

‘‘ହଁ,’’ ମାଲିକାଣୀ ଉତ୍ତର ଦେଲା, ‘‘ତା’ ବି ଆପଣଙ୍କ ଉଦ୍ଦେଶ୍ୟ ସାଧିତ କରୁଚି, ଆଉ ଖୁବ୍‌ ଭଲ ଭାବରେ ମଧ୍ୟ । ଆପଣ ସବୁ କଥାର ତେଢ଼ା ଅର୍ଥ କରୁଚନ୍ତି; ଜଣଙ୍କର ନୀରବତାର ବି । ଆପଣ ଆଉ କିଛି କରି ପାରିବେନି । ହଁ; ପଚାଚନ୍ତୁ ଆପଣଙ୍କର ପ୍ରଶ୍ନ ।’’

 

‘‘ମୁଁ ଯଦି ସବୁ କଥା ଭୁଲ, ବୁଝୁଚି; ବୋଧେ ମୋ’ ପ୍ରଶ୍ନଟାକୁ ବି ମୁଁ ଭୁଲ୍‍ ବୁଝିଚି ବୋଧେ ସେଇଟା ସେତେ ବେଶୀ ନିଷ୍ଠୁର ନୁହେଁ । ମୁଁ ଖାଲି ଏତିକି ଜାଣିବାକୁ ଚାହୁଁଚି; ତମର ତମ ସ୍ୱାମୀଙ୍କ ସାଙ୍ଗେ କେମିତି ଦେଖା ହେଲା; ଆଉ ଏ ହୋଟେଲ୍‌ଟା ତମ ହାତକୁ ଆସିଲା କେମିତି ?’’

 

ହୋଟେଲ୍‌ ମାଲିକାଣୀ କପାଳ କୁଞ୍ଚିତ କହି ଦେଲା; କିନ୍ତୁ ଉଦାସ ଗଳାରେ କହିଲା, ‘‘ଘଟଣାଟା ଅତି ସହଜ । ମୋ’ ବାପା ଥିଲେ କମାର, ଆଉ ହାନ୍‌ସ୍‌ ମୋ’ ସ୍ୱାମୀ, ଜଣେ ବଡ଼ ଚାଷୀଙ୍କ ପାଖରେ କାମ ଶିଖୁଥିଲେ । ସେ ଅନେକ ସମୟରେ ବାପାଙ୍କ ପାଖକୁ ଆସନ୍ତି । ସେତେବେଳକାର କଥା; ଇଏ; ଯେତେବେଳେ କ୍ଳାମ୍‌ଙ୍କ ସାଙ୍ଗେ ମୋର ଶେଷ ଥର ପାଇଁ ଭେଟ ହୋଇ ସାରିଥାଏ । ମୁଁ ଭାରି ଦୁଃଖରେ ଥିଲି; ଯଦିଓ ଦୁଃଖ କରିବା ପାଇଁ ମୋର ଅଧିକାର ନଥିଲା; ସବୁ କଥା ଯେମିତି ଘଟିବା କଥା ଘଟିଥିଲା; ଆଉ ମତେ ଯେ କ୍ଳାମଙ୍କ ସାଙ୍ଗେ ପୁଣି ଦେଖା କରିବାକୁ ଅନୁମତି ମିଳିଲାନି ସେଇଟା ଥିଲା କ୍ଳାମ୍‌ଙ୍କ ନିଷ୍ପତ୍ତି । ଯାହା ଯେମିତି ଘଟିବା କଥା ଘଟିଥିଲା ସେତେବେଳେ; ଖାଲି କାରଣ ଗୁଡ଼ାକ ବୁଝି ହେଉ ନଥିଲା । ଚାହିଁଥିଲେ ମୁଁ ସେ କାରଣ ଗୁଡ଼ାକ ଭିତରକୁ ଯାଇ ପାରିଥାନ୍ତି; କିନ୍ତୁ ଦୁଃଖ କରିବାର ଅଧିକାର ମୋର ନଥିଲା । ସେ ଯା’ ହେଉ; ମୁଁ ସେମିତି ଥାଏ କିଛି କରିପାରୁ ନଥାଏ ଏବଂ ଦିନ ସାରା ଆମ ଘର ଆଗ ବଗିଚାରେ ବସିଥାଏ । ସେଠି ହାନ୍‌ସ ମତେ ଦେଖିଲେ, ଅନେକ ସମୟରେ ମୋ’ ପାଖେ ଆସି ବସନ୍ତି । ମୁଁ ତାଙ୍କୁ କିଛି କହୁ ନଥାଏ, କିନ୍ତୁ ସେ ଜାଣିଥିଲେ କ’ଣ ସବୁ କେମିତି ଘଟିଚି, ଆଉ ଯେହେତୁ ସେ ଜଣେ ଭଲ ଲୋକ ଥିଲେ, ମୋ’ ସାଙ୍ଗରେ ବସି କାନ୍ଦନ୍ତି । ସେତେବେଳକାର ହୋଟେଲ୍‌ ମାଲିକଙ୍କ ସ୍ତ୍ରୀ ମରି ଯାଇ ଥାନ୍ତି ଏବଂ ସେ ତାଙ୍କ ବ୍ୟବସାୟ ଛାଡ଼ି ଦେବାକୁ ବସିଥାନ୍ତି-ତା’ ଛଡ଼ା ସେତେବେଳକୁ ସେ ଭାରି ବୁଢ଼ା ହୋଇ ଯାଇଥାନ୍ତି । ଆଚ୍ଛା, ଦିନେ ସେ ଆମ ବଗିଚା ବାଟେ ଯାଉ ଯାଉ ଆମ ଦି’ ଜଣଙ୍କୁ ସେଠି ବସିଥିବାର ଦେଖିଲେ, ଅଟକିଲେ, ଆଉ କୌଣସି ଗୌରଚନ୍ଦ୍ରିକା ନ କରି ହୋଟେଲ୍‌ଟା ଆମକୁ ଭଡ଼ାରେ ଯାଚିଲେ, ଅଗ୍ରୀମ ଟଙ୍କା ମାଗିଲେନି, କାରଣ ସେ ଆମକୁ ବିଶ୍ୱାସ କରୁଥିଲେ, ଆଉ ଭଡ଼ାଟା ବହୁତ କମ୍‌ରେ ସ୍ଥିର କଲେ । ମୋ ବାପାଙ୍କ ମୁଣ୍ଡରେ ବୋଝ ଦେବାକୁ ମୁଁ ଚାହୁଁ ନଥିଲି, ଆଉ କୋଉ କଥାରେ ମୋର ଖାତିର୍‌ ନଥାଏ, ତେଣୁ ହୋଟେଲ୍‌ଟା କଥା ଭାବି, ମୋ’ ନୂଆ କାମ ଯା’ କରି ମୁଁ କିଛିଟା ଭୁଲି ଯାଇ ପାରିବି ବୋଲି ଭାବିଲି ସେ କାମ କଥା ଭାବି, ମୁଁ ହାନ୍‌ସଙ୍କ ହାତ ଧରିଲି । ପୁରା ଘଟଣାଟା ହେଲା ଏୟା ।’’

 

ଦୁହେଁ କିଛି ସମୟ ଚୁପ୍‌ ଚାପ୍‌ ହୋଇଗଲେ, ତା’ ପରେ କେ. କହିଲା, ‘‘ହୋଟେଲ ମାଲିକଙ୍କ ବ୍ୟବହାର ଦୟାଶୀଳ ନିଶ୍ଚୟ, କିନ୍ତୁ ସୁଚିନ୍ତିତ ନୁହେ, ନା ସେ ତମ ଦୁହିଁଙ୍କୁ ବିଶ୍ୱାସ କରିବାର କିଛି ନିର୍ଦ୍ଦିଷ୍ଟ କାରଣ ଥିଲା ?’’

 

‘‘ସେ ହାନ୍‌ସଙ୍କୁ ଭଲ ଭାବେ ଜାଣିଥିଲେ,’’ ମାଲିକାଣୀ କହିଲା, ‘‘ସେ ହାନ୍‌ସଙ୍କ ମାମୁଁ-।’’

 

‘‘ତା ହେଲେ’’ କେ କହିଲା’ ‘‘ତମ ପରିବାର ସାଙ୍ଗରେ ସଂପର୍କ କରିବାକୁ ହାନ୍‌ସଙ୍କ ପରିବାର ବହୁତ ଉଦ୍‌ଗ୍ରୀବ ହୋଇଥିବେ ।’’

 

‘‘ହୋଇଥିବେ,’’ ମାଲିକାଣୀ କହିଲା, ‘‘ମୁଁ ଜାଣେନି ମୁଁ ସେ କଥା କେବେ ଭାବିନି ।’’

 

‘‘କିନ୍ତୁ ତା’ ଯେ ସେମାନଙ୍କର ବୋକାମି ନଥିଲା ତା’ ପରେ ପ୍ରମାଣିତ ହୋଇଗଲା,’’ ମାଲିକାଣୀ କହିଲା । ‘‘ମୁଁ କାମରେ ମଜ୍ଜିଗଲି ଭାରି ବଳୁଆ ଥିଲି, ଆଉ ମୁଁ କମାର ଝିଅ, ମୋର ଚାକର ବାକର ଦରକାର ହେଲାନି । ଯୋଉଠି ଦେଖିବ ମୁଁ, ପାଣି ଘରେ, ରୋଷେଇ ଘରେ ଘୋଡ଼ାଶାଳରେ, ଦାଣ୍ଡରେ । ମୁଁ ଏତେ ଭଲ ରାନ୍ଧୁଥିଲି ଯେ ହେରେନ୍‌ହଫ୍‌ର ଖାଉଟି କେତେଜଣ ଟାଣି ହୋଇ ପଳେଇ ଆସିଲେ । ଖରାବେଳ ଖିଆବେଳେ ଆପଣ ଆମ ହୋଟେଲକୁ କେବେ ଆସି ନାହାଁନ୍ତି, ଆମ ଦିନ ଖାଉଟି ମାନଙ୍କୁ ଆପଣ ଜାଣି ନାହାଁନ୍ତି, ସେତେବେଳେ ସେମାନେ ବହୁତ ଆସୁଥିଲେ, ଆଜିକାଲି ଅନେକେ ଆସିବା ବନ୍ଦ କରିଦେଲେଣି । ଫଳରେ ହେଉଥିଲା କ’ଣ ନା ଆମେ ଖାଲି ଯେ ନିୟମିତ ଭଡ଼ା ଦେଇ ପାରୁଥିଲୁ ତା’ ନୁହ, କେତେଟା ବର୍ଷ ପରେ ଆମେ ପୂରା ଯାଗାଟା କିଣି ନେଲୁ, ଆଉ ଏବେ ଆମର କିଛି ଧାର୍‌ ନାଇଁ କହିଲେ ଚଳେ । ଆଉ ଗୋଟିଏ ଫଳ ହେଲା, ମୁଁ ମାନୁଚି, ମୋ ସ୍ୱାସ୍ଥ୍ୟ ମୁଁ ନଷ୍ଟ କରି ଦେଲି ହୃତ୍‌ରୋଗ ହେଲା, ଏବେ ମୁଁ ଗୋଟିଏ ବୁଢ଼ୀ ସ୍ତ୍ରୀ ଲୋକ । ଆପଣ ବୋଧେ ଭାବୁଚନ୍ତି ମୁଁ ହାନ୍‌ସଙ୍କଠୁ । ବୟସରେ ବହୁତ ବଡ଼, କିନ୍ତୁ ସତ କଥା ହେଲା ସେ ମୋଠୁ’ ମାତ୍ର ଦି’ ତିନି ବର୍ଷ ସାନ ଆଉ ସେ କେବେ ବୁଢ଼ା ହେବେନି । କାରଣ ତାଙ୍କ କାମ କଣ ? –ପାଇପ୍‌ ଟାଣିବା, ଖାଉଟି ମାନଙ୍କ କଥା ଶୁଣିବା, ପାଇପ୍‌ରୁ ପାଉଁଶ ଝାଡ଼ିବା, ଆଉ କେବେ କେମିତି ବୋତଲରେ ବିୟର୍‌ ଆଣିବା–ଏମିତି କାମ କରି କେହି କେବେ ବୁଢ଼ା ହୁଏନି-।’’

 

‘‘ତମେ ଯା’ କରିଚ ବଢ଼ିଆ ହେଇଚି,’’ କେ. କହିଲା, ‘‘ସେଥିରେ ମୋର ତିଳେ ମାତ୍ର ସନ୍ଦେହ ନାହିଁ, କିନ୍ତୁ ଆମେ ତମ ବାହାଘର ଆଗର କଥା କଥାବାର୍ତ୍ତା କରୁଥିଲେ, ଆଉ ସେ ସମୟରେ ଭାରି ବଡ଼ କଥା ହୋଇଥିବ ହାନ୍‌ସଙ୍କ ପରିବାର ବାହାଘରଟା ଉପରେ ଜୋର ଦେବା-ଟଙ୍କା ଯାଉଚି, ହୋଟେଲଟା ଦେଇଦେବା ମାନେ ବିପଦ ଅଛି-ଆଉ କିଛି ନୁହ, ଖାଲି ତମ କାମ କରିବା ଶକ୍ତି ଉପରେ ପୁରା ବିଶ୍ୱାସ ରଖି, ତା’ ଛଡ଼ା ସେ ବିଷୟରେ ସେତେବେଳେ କେହି କିଛି ଜାଣି ନଥିବେ, ଆଉ ହାନ୍‌ସଙ୍କ କାମ କରିବାର ଶକ୍ତି ବିଷୟରେ ଲୋକେ ଜାଣିଥିବେ ଯେ ସେ କିଛି ପାରିବେନି ।’’

 

‘‘ହଁ,’’ ମାଲିକାଣୀ ବ୍ୟସ୍ତ ହୋଇ କହିଲା, ‘‘ମୁଁ ଜାଣେ ଆପଣ କଥା’ଟା କୁଆଡ଼କୁ ନେଉଚନ୍ତି ଆଉ ଆପଣ କେଡ଼େ ଭୁଲ୍‌ ବୁଝିଚନ୍ତି । ଏ ଘଟଣା ସହିତ କ୍ଳାମ୍‌ଙ୍କର କୌଣସି ସଂପର୍କ ନଥିଲା । ସେ କାହିଁକି ମୋ କଥା ନେଇ ମୁଣ୍ଡ ଖେଳାଇଥାନ୍ତେ, କିମ୍ବା ଆହୁରି ଭଲ ଭାବରେ କଥାଟା କହିଲେ, ସେ କାହିଁକି ଓ କିପରି ବା ମୋ କଥାରେ ମୁଣ୍ଡ ପୂରାଇଥାନ୍ତେ ? ସେତେବେଳେକୁ ସେ ମୋ’ ବିଷୟରେ କିଛି ଜାଣିନଥିଲେ । ସେ ମତେ ଡକେଇବା ଯେ ବନ୍ଦ୍‌ କରି ଦେଇଥିଲେ ସେଥିରୁ ଜଣା ପଡ଼ୁଥିଲା ଯେ ସେ ମତେ ଭୁଲି ଯାଇଚନ୍ତି । ସେ ଯେତେବେଳେ ଲୋକଙ୍କୁ ଡକେଇବା ବନ୍ଦ କରି ଦିଅନ୍ତି, ସେମାନଙ୍କୁ ପୂରା ଭୁଲିଯାନ୍ତି । ଫ୍ରୀଡ଼ା ଆଗରେ ଏକଥା କହିବାକୁ ମୁଁ ଚାହିଁଲିନି । ଆଉ ତା’ ପୁଣି ଖାଲି ଭୁଲିଯିବା ନୁହ, ତା’ ଠୁ ଅଧିକ କିଛି । କାରଣ ଯାହାକୁ ଜଣେ ଭୁଲିଯିବ, ସେ ପୁଣି ତା’ ସ୍ମୃତିକୁ ଫେରି ଆସିବ ଅବଶ୍ୟ । କ୍ଳାମ୍‌ଙ୍କ ପାଖରେ ତା’ ଅସମ୍ଭବ । ସେ ଯାହାକୁ ଡକାଇବା ଥରେ ବନ୍ଦ୍‌ କଲେ, ତା’ କଥା ପୂରା ଭୁଲିଗଲେ, ଖାଲି ଅତୀତଟା ନୁହ, ଭବିଷ୍ୟତ ପାଇଁ ବି । ମୁଁ ଯଦି ବହୁତ ଚେଷ୍ଟା କରେ, ମୁଁ ଅବଶ୍ୟ ଆପଣଙ୍କ ଚିନ୍ତା ଭିତରକୁ ଆସି ପାରିବି, ଠିକ୍‌ କଥା, ବୋଧହୁଏ, ଏପରିକି ଆପଣ ଯେଉଁଠୁ ଆସିଚନ୍ତି ସେଠି ଆପଣ ଥିଲେ ବି । କିନ୍ତୁ ଜଣେ ପାଗଳ ନ ହେଲେ ଏ କଥା ଭାବିବ ନାଇଁ ଯେ କ୍ଳାମ୍‌ ମତେ ହାନସଙ୍କୁ ନେଉଚନ୍ତି ମୋ’ ସ୍ୱାମୀ ଭାବରେ, ଏଇଥିପାଇଁ ଯେ ସେ ଯଦି କେତେବେଳେ ମତେ ଡାକନ୍ତି ମୋର ତାଙ୍କ ପାଖକୁ ଯିବାରେ ବେଶୀ କିଛି ଅସୁବିଧା ହେବନି । କ୍ଳାମ୍‌ ଯଦି ତାଙ୍କ କାଣି ଆଙ୍ଗୁଠିଟା ଦେଖାନ୍ତି, ମୁଁ ତାଙ୍କ ପାଖୁ ଦୌଡ଼ି ପଳେଇବାରେ କୋଉ ପୁଅଟା ମତେ ବାଧା ଦେବ ? ପାଗଳାମି, ନିଛକ ପାଗଳାମି, ଏ ପ୍ରକାର କଥା ଭାବିଲେ ଯେ କାହାର ମୁଣ୍ଡ ଗୋଳମାଳ ହେବାକୁ ଆରମ୍ଭ କରିବ ।’’

 

‘‘ନା,’’ କେ କହିଲା, ‘‘ମୁଣ୍ଡ ଗୋଳମାଳ କରିବାକୁ ମୋର ଇଚ୍ଛା ନାଇଁ; ତମେ ଯେତେ ଦୂର ଯାଏଁ ଭାବିଗଲ ସେ ଯାଏଁ ମୁଁ ଯାଇନଥିଲି, ଯଦିଓ, ସତ କଥା କହୁଚି, ମୁଁ ସେତେ ଦୂର ଯିବାକୁ ବାହାରି ଥିଲି । ବର୍ତ୍ତମାନ ପାଇଁ ଖାଲି ଗୋଟାଏ କଥା ମତେ ଆଶ୍ଚର୍ଯ୍ୟ ଲାଗୁଚି ଯେ ହାନ୍‌ସଙ୍କ ବନ୍ଧୁବାନ୍ଧବମାନେ ତାଙ୍କ ବାହାଘରୁ ଏତେ କିଛି ଆଶା କରିଥିଲେ ଆଉ ସେ ସବୁ ଆଶା ପ୍ରକୃତରେ ପୂରଣ ହେଲା, ତମର ସୁସ୍ଥ ହୃଦୟ, ତମର ସ୍ୱାସ୍ଥ୍ୟକୁ ବଳି ଦେବାକୁ ପଡ଼ିଲା ସେଥିପାଇଁ । ଏୟା ସତ-। ଏ ସବୁ ଘଟଣା ସହିତ କ୍ଳାମ୍‌ଙ୍କର ସଂପର୍କ ଥିବା କଥା ମୋ’ ମନକୁ ଆସିଥିଲା, ମୁଁ ମାନୁଚି, କିନ୍ତୁ ଏତେ ରୋକ୍‌ଠୋକ୍‌ ଭାବରେ ନୁହ, କିମ୍ବା ତମେ ଯେଡ଼େ ରୋକ୍‌ ଠୋକ୍‌ ଭାବରେ ଏବେ କହୁଚ ସେମିତି ନୁହଁ–ଏବଂ ତମେ ଏମିତି କହୁଚ ମତେ ଦାବିବାକୁ, କାରଣ ସେମିତି କରି ତମେ ଆନନ୍ଦ ପାଇବ । ବାସ୍‌, ଯେତେ ଇଚ୍ଛା ଆନନ୍ଦ ପାଉଚ ପାଅ ! ମୁଁ କିନ୍ତୁ ଭାବୁଥିଲି ଏୟା : ପ୍ରଥମ କଥା, ତମ ବାହାଘର ପାଇଁ ମୂଳ କାରଣ ନିଶ୍ଚୟ ଥିଲେ କ୍ଳାମ୍‌ । କ୍ଳାମ୍‌ ନଥିଲେ ତମେ କୌଣସି କଷ୍ଟ ପାଇ ନଥାନ୍ତ, ଆଉ କିଛି ନ କରି ବଗିଚାରେ ବସି ରହି ନ ଥାନ୍ତ, ପୁଣି କ୍ଳାମ୍‌ ନଥିଲେ ତମେ ସେଠି ବସି ଥିଲା ବେଳେ ହାନ୍‌ସ ତମକୁ ଦେଖି ନଥାନ୍ତେ, ତମେ ଦୁଃଖରେ ନଥିଲେ ହାନ୍‌ସଙ୍କ ଭଳି ଜଣେ ଲାଜକୁଳା ଲୋକ ତମକୁ କିଛି କହିବାକୁ ସାହସ କରି ନଥାନ୍ତେ, କ୍ଳାମ୍‌ ନଥିଲେ ସେଇ ଭଲ ମଣିଷ ଜଣକ ମାନେ ମାମୁଁ, ତମ ଦି’ଜଣଙ୍କୁ ଶାନ୍ତିରେ ଏକାଠି ବସିବା ଦେଖି ନଥାନ୍ତେ, କ୍ଳାମ୍‌ ନଥିଲା ତମେ ଏତେ ଉଦାସୀନ ହେଇନଥାନ୍ତ ଜୀବନ ତଥାପି ଯାହା ଯାଚୁଥିଲା ସେଥିପ୍ରତି, ଏବଂ ତେଣୁ ହାନ୍‌ସଙ୍କୁ କେବେ ବାହା ହୋଇ ନଥାନ୍ତ । ବର୍ତ୍ତମାନ ଏ ସବୁଥିରେ ତ କ୍ଳାମ୍‌ ଅଛନ୍ତି, ମୋର ସେୟା ମନେ ହେଉଚି । କିନ୍ତୁ ସେଇଟା ଶେଷ କଥା ନୁହେଁ । ତମେ ଯଦି ଭୁଲି ଯିବାକୁ ଚେଷ୍ଟା କରି ନ ଥାନ୍ତ, ତମେ ନିଶ୍ଚେ ଏତେ ପରିଶ୍ରମ କରି ଦେହକୁ କଷ୍ଟ ଦେଇ ନ ଥାନ୍ତ ଆଉ ହୋଟେଲ୍‌ଟା ଏତେ ଭଲ କରି ପାରିନଥାନ୍ତ । ତେଣୁ ସେଥିରେ ମଧ୍ୟ କ୍ଳାମ୍‌ ଅଛନ୍ତି । ଏ ସବୁ ଛଡ଼ା କ୍ଳାମ୍‌ ମଧ୍ୟ ତମ ରୋଗର ମୂଳ କାରଣ, କାରଣ ତମ ବାହାଘର ଆଗରୁ ତମର ହୃଦ୍‌ଯନ୍ତ୍ର ତାଙ୍କ ପାଇଁ ତମର ସୀମାହୀନ ଆକର୍ଷଣ ଯୋଗୁଁ ଦୁର୍ବଳ ହୋଇ ପଡ଼ିଥିଲା । ବର୍ତ୍ତମାନ ଶେଷ ପ୍ରଶ୍ନଟି ହେଉଚି, ବାହାଘର କରିବା ପାଇଁ ହାନ୍‌ସଙ୍କ ବନ୍ଧୁବାନ୍ଧବମାନେ ଏତେ ଉଦ୍‌ଗ୍ରୀବ ହେଲେ କାହିଁକି ? ତମେ ନିଜେ ଏବେ କହିଲ ଯେ କ୍ଳାମ୍‌ଙ୍କ ରକ୍ଷିତା ହେବାର ଗୌରବକୁ ହରାଇ ଦେଇ ହେବନି, ତେଣୁ ଏୟା ହୋଇପାରେ ଯେ ସେମାନେ ସେଥିପ୍ରତି ଆକୃଷ୍ଟ ହୋଇ ପଡ଼ିଥିଲେ । କିନ୍ତୁ ତା’ଛଡ଼ା, ମୁଁ ଯାହା ଭାବୁଚି, ସେମାନେ ଆଶା କରିଥିଲେ ଯେ ଯୋଉ ଶୁଭଗ୍ରହ ତମକୁ କ୍ଳାମ୍‌ଙ୍କ ପାଖକୁ ନେଇଥିଲା–ଧରି ନିଆ ଯାଉ ସେଇଟା ଗୋଟିଏ ଶୁଭଗ୍ରହ ଥିଲା, ତମେ କିନ୍ତୁ କହି ଆସିଚ ସେଇଟା ଶୁଭଗ୍ରହ ବୋଲି-ସେ ଶୁଭଗ୍ରହଟା ତମର ଥିଲା ଓ ତମର ହୋଇ ଚିରଦିନ ରହିବ, ଏତେ ଶୀଘ୍ର ତମକୁ ଛାଡ଼ି ଚାଲି ଯିବନି ଯେତେ ଶୀଘ୍ର କ୍ଳାମ୍‌ ତମକୁ ଛାଡ଼ି ଦେଲେ ।

 

‘‘ଆପଣଯା’ ସବୁ କହୁଚନ୍ତି ତା’ ସେୟା ତ ? ମାଲିକାଣୀ ପଚାରିଲା,

 

‘‘ହଁ, ସେୟା,’’ କେ ତତ୍‌କ୍ଷଣାତ୍‌ ଉତ୍ତର ଦେଲା, ‘‘ମୁଁ ଖାଲି ଏତିକି ଭାବୁଚି ଯେ ହାନ୍‌ସଙ୍କ ବନ୍ଧୁବାନ୍ଧବମାନେ ଯାହା ଆଶା କରିଥିଲେ ସେଥିରେ ସେମାନେ ପୁରା ଠିକ୍‌ କରି ନଥିଲେ କି ପୁରା ଭୁଲ୍‌ କରି ନଥିଲେ । ମୁଁ ଆହୁରି ମଧ୍ୟ ଭାବୁଚି ଯେ ସେମାନେ ଯୋଉ ଭୁଲ୍‌ଟା କଲେ ତା’ ମୁଁ ଦେଖି ପାରୁଚି । ବାହାରକୁ ଅବଶ୍ୟ ମନେ ହେଉଚି ଯେ ସବୁ କିଛି ସଫଳ ହୋଇଛି । ହାନ୍‌ସଙ୍କ ଅବସ୍ଥା ସ୍ୱଚ୍ଛଳ, ସୁନ୍ଦରୀ ସ୍ତ୍ରୀ, ଲୋକେ ତାଙ୍କ ମୁହଁକୁ ଅନାନ୍ତି, ଆଉ ହୋଟେଲ୍‌ର କୌଣସି ଧାର ନାଇଁ । କିନ୍ତୁ ବାସ୍ତବ କ୍ଷେତ୍ରରେ ସବୁ କିଛି ସଫଳ ହୋଇନି, ଜଣେ ସରଳ ଝିଅକୁ ବାହା ହୋଇ ତା’ର ପହିଲି ପ୍ରେମ ପାଇଥିଲେ ହାନ୍‌ସ ନିଶ୍ଚେ ଅଧିକ ସୁଖୀ ହୋଇଥାନ୍ତେ, ଆଉ ତମେ ଯେ କହୁଚ ସେ ବେଳେବେଳେ ମନମାରି ଠିଆ ହୋଇଥାନ୍ତି ହୋଟେଲରେ ତା’ର କାରଣ ହେଲା ତାଙ୍କ ମନ ପ୍ରକୃତରେ ମରି ଯାଇଚି–ମୁଁ ସତ କହୁଚି, ସେ କଥାରେ ମନ ଖରାପ ନ କଲେ ବି ମୁଁ ହାନ୍‌ସଙ୍କ ବିଷୟରେ ଏତକ ଜାଣି ସାରିଚି-ଆଉ ଏୟା ସତ ଯେ ତାଙ୍କ ଭଳି ଜଣେ ସୁନ୍ଦର, ବୁଦ୍ଧିମାନ ଯୁବକ ଅନ୍ୟ ପ୍ରକାର ସ୍ତ୍ରୀଟିଏ ପାଇଲେ ନିଶ୍ଚେ ଅଧିକ ସୁଖୀ ହେବେ, ଅଧିକ ସୁଖୀ ମାନେ ଅଧିକ ସ୍ୱାଧୀନ, ପରିଶ୍ରମୀ ଓ ସୁପୁରୁଷ ହେବେ । ଆଉ ତମେ ନିଜେ ସୁଖୀ ହୋଇ ପାରିବନି ନିଶ୍ଚେ, ତମେ ଯେ କହୁଚ ଏ ତିନୋଟି ସ୍ମାରକୀ ଛଡ଼ା ତମେ ମୋଟେ, ଚଳି ପାରିବ ନାଇଁ, ଆଉ ତମର ହୃଦଯନ୍ତ୍ରର ଅବସ୍ଥା ବି ଖରାପ । ତା ହେଲେ ସେ ସବୁ ଆଶା କରି ହାନ୍‌ସଙ୍କ ବନ୍ଧୁ ବାନ୍ଧବ କ’ଣ ଭୁଲ୍‌ କରିଥିଲେ ? ମୁଁ ସେମିତି ଭାବୁନି । ତମ ଉପରେ ଇଶ୍ୱରଙ୍କ ଆଶୀର୍ବାଦ ଥିଲା, କିନ୍ତୁ ତା’ କେମିତି ଭୋଗ କରିବାକୁ ହେବ ତା’ ସେମାନେ ଜାଣି ପାରିନଥିଲେ ।’’

 

‘‘ତା ହେଲେ କ’ଣ କରିବାକୁ ସେମାନେ ଭୁଲି ଗଲେ ବୋଲି ଭାବୁଚନ୍ତି ?’’ ମାଲିକାଣୀ ପଚାରିଲା । ବର୍ତ୍ତମାନ ଛାତ ଆଡ଼କୁ ଚାହିଁ ଚିତ୍‌କାତ୍‌ ହୋଇ ସେ ଖଟ ଉପରେ ପଡ଼ିଥାଏ ।

 

‘‘କ୍ଳାମ୍‌ଙ୍କୁ ପଚାରିବାକୁ,’’ କେ: କହିଲା ।

 

‘‘ତା’ ହେଲେ ଆମେପୁଣି ଆପଣଙ୍କ ବିଷୟ ଉପରକୁ ଫେରି ଆସିଲେ ମାଲିକାଣୀ କହିଲା ।

 

‘‘କିମ୍ବା ତମ ବିଷୟ ଉପରକୁ,’’ କେ କହିଲା । ‘‘ଆମ ଉଭୟଙ୍କ ବିଷୟ ତ ସମାନ୍ତର ରେଖାରେ ଚାଲିଚି ।’’

 

‘‘ଆପଣ କ୍ଳାମ୍‌ଙ୍କଠୁ’ କ’ଣ ଚାହାଁନ୍ତି ?’’ ମାଲିକାଣୀ ପଚାରିଲା । ସେ ବର୍ତ୍ତମାନ ଉଠି ବସିଥାଏ, ଆଉଜି ବସିବା ପାଇଁ ତକିଆ ଗୁଡ଼ାକ ସଜାଇ ଦେଇଥାଏ, ଏବଂ କେ ଆଡ଼କୁ ପୂର୍ଣ୍ଣ ଦୃଷ୍ଟିରେ ଚାହିଁଥାଏ । ‘‘ମୁଁ ଖୋଲା ଖୋଲି ଭାବେ ମୋ’ ଅନୁଭୂତି ଗୁଡ଼ାକ କହିଗଲି, ଆପଣ ସେଥିରୁ କିଛି ଶିଖି ପାରିଥାନ୍ତି । ଆପଣ ବର୍ତ୍ତମାନ ମତେ ଖୋଲି କହନ୍ତୁ, କ୍ଳାମ୍‌ଙ୍କୁ ମୁଁ ଆପଣ କ’ଣ ପଚାରିବାକୁ ଚାହାଁନ୍ତି । ଫ୍ରିଡ଼ାକୁ ତ’ ରୁମ୍‌କୁ ପଠାଇ ସେଠି ରଖାଇବାକୁ ମୁଁ ବହୁତ ହଇରାଣ ହେଇଚି, ମୋର ଆଶଂକା ହେଲା ତା’ ସାମ୍ନାରେ ଆପଣ ମନଖୋଲା କଥାବାର୍ତ୍ତା କରିବେନି ।’’

 

‘‘ମୋର କିଛି ଲୁଚେଇବାର ନାହିଁ, ‘‘କେ କହିଲା । କିନ୍ତୁ ପ୍ରଥମେ ଗୋଟିଏ ବିଷୟ ପ୍ରତି ମୁଁ ତୁମର ଦୃଷ୍ଟି ଆକର୍ଷଣ କରିବାକୁ ଚାହେଁ । କ୍ଳାମ୍‌ ଖୁବ୍‌ ଶୀଘ୍ର ଭୁଲିଯାନ୍ତି ବୋଲି ତମେ କହିଲ । ବର୍ତ୍ତମାନ, ପ୍ରଥମତଃ ସେଟା ଖୁବ୍‌ ଅସମ୍ଭବ ମନେ ହେଉଚି ମତେ, ଆଉ ଦ୍ୱିତୀୟତଃ ତା’ ପ୍ରମାଣ କରି ହେବନି, ଗୁଲିଗପ ଛଡ଼ା ଅଧିକା କିଛି ନୁହେ ନିଶ୍ଚୟ, ଏବଂ ଯେଉଁମାନେ କ୍ଳାମ୍‌ଙ୍କଠୁ ସାହାଯ୍ୟ ପାଇ ଆସୁଚନ୍ତି ସେମାନଙ୍କ ପିଲାଳିଆ ମନରୁ କଥାଟା ବାହାରିଚି । ମତେ ଆଶ୍ଚର୍ଯ୍ୟ ଲାଗୁଚି ଦେଖି ଯେ ତମେ ଏମିତି ଗୋଟାଏ ବାଜେ କାହାଣୀକୁ ବିଶ୍ୱାସ କରୁଚ ।’’

Unknown

 

‘‘ଏଇଟା କାହାଣୀ ନୁହେଁ,’’ ମାଲିକାଣୀ କହିଲା, ‘‘ବରଂ ଏଇଟା ସମସ୍ତେ ଅଙ୍ଗେ ନିଭେଇଚନ୍ତି ।’’

 

‘‘ଆଚ୍ଛା ଆଚ୍ଛା, ଏମିତି ଗୋଟେ କଥା ତା’ହେଲେ ଯାହାକି ଆହୁରି ଅଧିକା ଅନୁଭୂତି ହେଲେ ଭୁଲ୍‌ ବୋଲି ପ୍ରମାଣିତ କରି ଦେଇହେବ । ତା’ଛଡ଼ା ତମର ଓ ଫ୍ରୀଡ଼ାର ବିଷୟ ଭିତରେ ଆଉ ଗୋଟିଏ ତଫାତ୍‌ ଅଛି । ଫ୍ରୀଡ଼ା କ୍ଷେତ୍ରରେ, କ୍ଳାମ୍‌ ଯେ ତାକୁ ଆଉ ଡକାଇଲେନି ତା’ ନୁହେ, ବରଂ ସେ ଡକାଇଲେ କିନ୍ତୁ ଫ୍ରୀଡ଼ା ଗଲା ନାହିଁ । ଏୟା ହୋଇପାରେ ସେ ଏଯାଏଁ ତା’କୁ ଅପେକ୍ଷା କରିଚନ୍ତି ।’’

 

ମାଲିକାଣୀ ଚୁପ୍‌ ରହିଲା, ଏବଂ ଏକ ବିଚାରପୂର୍ଣ୍ଣ ଦୃଷ୍ଟିରେ କେତକୁ ତଳୁ ଉପରଯାଏଁ ଅନାଇଁଲା । ଶେଷରେ ସେ କହିଲା ଆପଣଙ୍କ କଥା ଚୁପ୍‌ଚାପ୍‌ ଶୁଣିବାକୁ ମୁଁ ଚେଷ୍ଟା କରିବି । ମନ ଖୋଲି ସବୁ କଥା କହନ୍ତୁ, ମତେ ବାଧିବ ଏକଥା ଭାବନ୍ତୁନି । ମୋର ଖାଲି ଗୋଟିଏ ଅନୁରୋଧ । କ୍ଳାମଙ୍କ ନାଁ ଧରନ୍ତୁନି । ତାଙ୍କୁ ‘ସେ’ ବୋଲି କହନ୍ତୁ ବା ସେମିତି କିଛି । କ୍ଳାମଙ୍କ ନାଁ ଉଚ୍ଚାରଣ କରନ୍ତୁ ନି ।

 

‘‘ନିଶ୍ଚୟ,’’ କେ ଉତ୍ତର ଦେଲା, ‘‘କିନ୍ତୁ ମୁଁ ତାଙ୍କଠୁ’ ଯାହା ଚାହେଁ ତା’ କଥାରେ କହି ହେବନି । ପ୍ରଥମ କପା, ମୁଁ ତାଙ୍କୁ ଖୁବ୍‌ ପାଖରେ ଦେଖିବାକୁ ଚାହେଁ; ତା’ପରେ ମୁଁ ତାଙ୍କ ସ୍ୱର ଶୁଣିବାକୁ ଚାହେଁ; ତା’ପରେ ଜାଣିବାକୁ ଚାହେଁ ଆମର ବିବାହକୁ ସେ କୋଉ ଦୃଷ୍ଟିରେ ଦେଖୁଚନ୍ତି । ତା’ପରେ ମୁଁ ତାଙ୍କଠୁ’ କ’ଣ ମାଗିବି ସେଇଟା ଆମ ଭେଟର ଫଳା ଫଳ ଉପରେ ନିର୍ଭର କରେ । କଥାବାର୍ତ୍ତା ଚାଲିଥିଲା ବେଳେ ଗୁଡ଼ାଏ ବିଷୟ ଉଠିପାରେ, କିନ୍ତୁ ମୋ’ ପାଇଁ ସବୁଠୁ’ ବଡ଼ କଥା ହେଲା ତାଙ୍କ ସାଙ୍ଗରେ ଦେଖା ହେବା । ତମେ ଜାଣ, ମୁଁ ଏଯାଏଁ ଜଣେ ପ୍ରକୃତ ଅଫିସର ସାଙ୍ଗରେ କଥାବାର୍ତ୍ତା କରିପାରିନି । ତା’ ମୁଁ ଯେତିକି ଭାବିଥିଲି ତା’ଠୁ ଅଧିକ କଷ୍ଟକର ବ୍ୟାପାର । କିନ୍ତୁ ବର୍ତ୍ତମାନ ତାଙ୍କ ସାଙ୍ଗରେ ବ୍ୟକ୍ତିଗତ ସ୍ତରରେ କଥାବାର୍ତ୍ତା କରିବାକୁ ବାଧ୍ୟ ହେଉଚି, ତା’ କରିବା ମୋ’ ମତରେ ସହଜ ହୋଇପାରେ । ଜଣେ ଅଫିସର ଭାବେ ମୁଁ ତାଙ୍କ ସାଙ୍ଗରେ କେବଳ ଦୁର୍ଗ ଭିତରେ ତାଙ୍କ ଅଫିସରେ କଥାବାର୍ତ୍ତା କରିପାରେ, ଯାହା ଭିତରକୁ ପଶିବା ମୋ’ ପକ୍ଷରେ ସମ୍ଭବ ନ ହୋଇପାରେ, କିମ୍ବା-ଆଉ ତା’ବି ଆପତ୍ତିଜନକ ହେରେନ୍‌ହଫରେ । କିନ୍ତୁ ଜଣେ ସାଧାରଣ ଲୋକ ହିସାବରେ ମୁଁ ତାଙ୍କ ସାଙ୍ଗରେ ଯେ କୌଣସି ଯାଗାରେ କଥାବାର୍ତ୍ତା କରିପାରେ, କୋଉ ଘର ଭିତରେ, ରାସ୍ତାରେ, ଯୋଉଠି ତାଙ୍କ ସାଙ୍ଗରେ ମୋର ଦେଖା ହେବ । ମୁଁ ଯଦି ସେ ଅଫିସରଙ୍କୁ ମୋ’ ସାମ୍ନାରେ ପାଏ, ତା’ ହେଲେ ଖୁସିରେ ସବୁ କଥା ପଚାରିନେବି, କିନ୍ତୁ ସେଇଟା ମୋର ମୂଳ ଲକ୍ଷ୍ୟ ନୁହେ ।’’

 

‘‘ଠିକ କଥା,’’ ମାଲିକାଣୀ କହିଲା, ତକିଆ ଭିତରେ ମୁହଁ ଗୁଞ୍ଜି ଦେଇ, ସତେ ଯେମିତି ସେ କୌଣସି ଲଜ୍ଜାକର କଥା କହିବାକୁ ଯାଉଛି । ‘‘ଯଦି ମୋର ପ୍ରଭାବ ଜାହିର୍‌ କରି ଦେଖା କରିବା ପାଇଁ ଆପଣଙ୍କର ଅନୁରୋଧକୁ ମୁଁ କ୍ଳାମ୍‌ଙ୍କ ପାଖରେ ପହଞ୍ଚାଇ ଦିଏ, ମତେ କଥା ଦିଅନ୍ତୁ ଉତ୍ତର ନ ଆସିବା ଯାଏଁ ଆପଣ ନିଜ ଇଚ୍ଛାରେ କିଛି କରି ବସିବେ ନାଇଁ ।’’

 

‘‘ମୁଁ କଥା ଦେଇ ପାରିବି ନି,’’ କେ କହିଲା, ‘‘ଯଦିଓ ତମର ଇଚ୍ଛା ଯାହା, ତମ ମୁଣ୍ଡରେ ଯା’ ପଶିଚି, ସେ ସବୁ ପୁରଣ କରିଦେଲେ ମୁଁ ଖୁସି ହେବି । ବିଷୟଟା ବହୁତ ଜରୁରୀ, ବୁଝିଲ, ବିଶେଷ କରି ସୁପରିଣ୍ଟେଣ୍ଡେଙ୍କ ସାଙ୍ଗରେ ମୋର କଥାବାର୍ତ୍ତାର ଦୁର୍ଭାଗ୍ୟଜନକ ପରିଣତି ପରେ ।’’

 

‘‘ସେଇଟା କ’ଣ ଗୋଟାଏ କଥାରେ କଥା ?’’ ମାଲିକାଣୀ କହିଲା, ‘‘ସୁପରିଣ୍ଟେଣ୍ଡେଣ୍ଟ ଜଣେ ଏମିତି ବଡ଼ ଲୋକ ନୁହନ୍ତି । ଆପଣ କ’ଣ ସେ କଥା ଜାଣି ପାରିଲେ ନାଇଁ ? ତାଙ୍କ ସ୍ତ୍ରୀଙ୍କ ଛଡ଼ା, ଯେ କି ସବୁ କାମ ଚଳାନ୍ତି, ତାଙ୍କ ଛଡ଼ା, ସେ ଦିନେ ହେଲେ ତାଙ୍କ ଚାକିରୀରେ ରହି ପାରିବେନି ।’’

 

‘‘ମିଜି ?’’ କେ: ପଚାରିଲା । ମାଲିକାଣୀ ମୁଣ୍ଡ ହଲାଇଲା । ‘‘ସେ ବି ଥିଲେ ।’’ କେ କହିଲା । ‘‘ସେ ତାଙ୍କ ନିଜ ମତାମତ ଦେଲେ କି ?’’ ମାଲିକାଣୀ ପଚାରିଲା ।

 

‘‘ନା,’’ କେ କହିଲା, ‘‘କିନ୍ତୁ ମୋର ଧାରଣା ହେଲାନି ଯେ ସେ ଦେଇଥାନ୍ତେ ।’’

 

‘‘ବର୍ତ୍ତମାନ ବୁଝିଲେ ତ, ମାଲିକାଣୀ କହିଲା, ଏଠାର ସବୁ ବିଷୟରେ ଆପଣଙ୍କ ଧାରଣା କେଡ଼େ ଗୋଳମାଳିଆ ? ସେ ପା’ ହେଉ ସୁପରିଣ୍ଟେଣ୍ଡେଣ୍ଟ ଆପଣ ପାଇଁ ଯାହା ସବୁ ବ୍ୟବସ୍ଥା କରିଚନ୍ତି ସେଗୁଡ଼ାକର କିଛି ଅର୍ଥ ନାଇଁ, ଆଉ ମୋର ବେଳ ହେଲେ ମୁଁ ତାଙ୍କ ସ୍ତ୍ରୀଙ୍କ ସାଙ୍ଗରେ କଥାବାର୍ତ୍ତା କରିବି । ୟା ଛଡ଼ା ମୁଁ ଯଦି ବର୍ତ୍ତମାନ କଥା ଦିଏ ଯେ କ୍ଳାମ୍‌ଙ୍କ ଉତ୍ତର ଖୁବ୍‌ ବେଶୀରେ ସପ୍ତାହକ ଭିତରେ ଆସିବ, ମୋ କଥା ନଶୁଣିବା ପାଇଁ ଆପଣଙ୍କର ନିଶ୍ଚୟ ଅନ୍ୟ କିଛି କାରଣ ନାଇଁ ।’’

 

‘‘ଏ ସବୁ କଥାରେ ମୋର କିଛି ଯାଏ ଆସେ ନାଇଁ,’’ କେ କହିଲା, ‘‘ମୋ ମୋ ନିଷ୍ପତ୍ତି ମୁଁ ନେଇ ସାରିଚି, ଆଉ ମତେ ନ ସୁହାଇଲା ଭଳି ଉତ୍ତର ଆସିଲେ ବି ମୋର ଯାହା କରିବା କଥା ମୁଁ କରିବି । ଆଉ ଯେହେତୁ ମୋର ଇଚ୍ଛାଟା ପକ୍‌କା, ମୁଁ ଆଗରୁ ଦେଖା କରିବାକୁ ଚାହିଁବି ନି । ମୁଁ ଦେଖା କରିବାକୁ ନ ଚାହିଁଲେ ହିଁ ମୋ ଚେଷ୍ଟାଟା ଗୋଟାଏ ସାହସିକ ଚେଷ୍ଟା ହୋଇ ରହିବ, ଆନ୍ତରିକ ଚେଷ୍ଟା ହୋଇ ରହିବ, କିନ୍ତୁ ଗୋଟାଏ ଖରାପ ଉତ୍ତର ପାଇଲା ପରେ ତା’କଲେ ତାହା ଅତି ଖୋଲାଖୋଲି ଆଇନ ବିରୁଦ୍ଧ କାମ ହେବ । ତା’ ହେଲେ ତ ବହୁତ ଖରାପ ହେବ ।’’

 

‘‘ଖରାପ ?’’ ମାଲିକାଣୀ କହିଲା, ‘‘ଯା’ କଲେ ବି ଆଇନ ବିରୁଦ୍ଧ କାମ ହେବ ହିଁ ହେବ-। ଆଉ ବର୍ତ୍ତମାନ ଆପଣ ଯା’ ଇଚ୍ଛା ତା’ କରିପାରନ୍ତି । ମତେ ଟିକିଏ ସ୍କାଟ୍‌ଟା ବଢ଼େଇ ଦେବେ-?

 

କେ. ର ଉପସ୍ଥିତିକୁ ଖାତିର ନ କରି ସେ ସ୍କାଟ୍‌ଟା ପିନ୍ଧିଲା ଏବଂ ରୋଷେଇ ଘର ଭିତରକୁ ଚାଲିଗଲା । କେତେବେଳୁ କେ.କୁ ଖାଇବା ଘରୁ ପାଟିତୁଣ୍ଡ ଶୁଭୁଥିଲା ରୋଷେଇ ଘର ଜଳା କବାଟରେ ହାତ ବାଡ଼େଇବା ଶବ୍ଦ ଶୁଭିଲା । ସହକାରୀମାନେ ସେଇଟା ଖୋଲି ଦେଇଥିଲେ ଏବଂ ଭାରି ଭୋକ ହେଲାଣି ବୋଲି ପାଟି କରୁଥିଲେ । ତା’ପରେ ସେଠି ଅନ୍ୟ ଗୁଡ଼ିଏ ମୁହଁ ଦିଶିଲା-। ଗୁଡ଼ାଏ ଲୋକ ଚାପା ଗଳାରେ ଗୋଟିଏ କିଛି ଗୀତ ଗାଉଥିବା ମଧ୍ୟ ଶୁଭୁଥିଲା-

 

ଖରା ବେଳର ଭୋଜନ ପ୍ରସ୍ତୁତିରେ ଅନେକ ଡେରି ହୋଇଯାଇଥିଲା, କେ. ହୋଟେଲ୍‌ ମାଲିକାଣୀର କଥାବାର୍ତ୍ତା ଯୋଗୁଁ । ଏହା ନିଶ୍ଚିତ । କୌଣସି ଖାଦ୍ୟ ସେ ଯାଏଁ ପ୍ରସ୍ତୁତ ହୋଇ ନଥିଲା ଏବଂ ଖାଇବା ପାଇଁ ଲୋକେ ଜମି ଯାଇଥିଲେ । ତଥାପି ମାଲିକାଣୀ ଆଦେଶ ଅବଜ୍ଞାକରି ରୋଷେଇ ଘର ଭିତରେ ପଶିବାକୁ କେହି ସାହସ କରୁ ନଥିଲେ । କିନ୍ତୁ ବର୍ତ୍ତମାନ କଳା କବାଟ ପାଖରେ ଠିଆ ହୋଇଥିବା ଲୋକେ ଯେମିତି କହିଛନ୍ତି ଯେ ମାଲିକାଣୀ ଆସୁଛନ୍ତି, ପରିଚାରିକାମାନେ ରୋଷେଇ ଘର ଭିତରକୁ ଦୌଡ଼ିଗଲେ, ଏବଂ କେ: ଖାଇବା ଘରକୁ ପଶି ଦେଖିଲା, ଆଶ୍ଚର୍ଯ୍ୟ କଥା, କୋଡ଼ିଏ ଜଣରୁ ବେଶୀ ପୁରୁଷ ଓ ସ୍ତ୍ରୀ ଜମା ହୋଇଛନ୍ତି-ସମସ୍ତେ ଦେଶୀ ପୋଷାକ ପିନ୍ଧିଛନ୍ତି, ମଫସଲିଆ ପୋଷାକ ନୁହେଁ-ଏବଂ ସେମାନେ ନିଜ ନିଜର ବସିବା ଯାଗା ମାଡ଼ି ବସିବା ପାଇଁ ଜଳା କବାଟ ପାଖରୁ ଟେବୁଲ ଆଡ଼କୁ ଦୌଡ଼ି ଆସିଲେ । ଗୋଟିଏ ଛୋଟ ଟେବୁଲ୍‌ ପାଖରେ କେବଳ ଗୋଟିଏ ବି ଦମ୍ପତ୍ତି କେତେ ଜଣ ଛୁଆଙ୍କୁ ଧରି ବସିଥାନ୍ତି । ପୁରୁଷ ଜଣକ-ଉଦାର ଚେହେରା, ନେଳି ନେଳି ଆଖି ଓ ଅସଂଯତ ପାଚିଲା ବାଳ ଓ ଦାଢ଼ି-ଛୁଆମାନଙ୍କ ଉପରକୁ ଝୁଙ୍କି ପଡ଼ି ଠିଆ ହୋଇଥାଏ ଏବଂ ସେମାନଙ୍କ ଗୀତ ସାଙ୍ଗକୁ ଗୋଟିଏ ଛୁରିରେ ବାଜା ବଜାଉଥାଏ, ଏବଂ ଗୀତକୁ କମ୍‌ଜୋର୍‌ କରି ଦେବାକୁ ବାରମ୍ବାର ଚେଷ୍ଟା କରୁଥାଏ । ବୋଧହୁଏ ସେ ଚେଷ୍ଟା କରୁଥାଏ ଛୁଆ ଗୁଡ଼ାକର ଭୋକ ଭୁଲାଇଦେବାକୁ । ହୋଟେଲ୍‌ ମାଲିକାଣୀ ଉଦାସୀନ ଭାବରେ ସମସ୍ତଙ୍କଠାରୁ କ୍ଷମା ମାଗି ନେଲା, କେହି ତା’ର ବ୍ୟବହାର ବିରୁଦ୍ଧରେ ଅଭିଯୋଗ କଲେ ନାହିଁ । ସେ ମାଲିକଙ୍କୁ ଏଣେ ତେଣେ ଅନାଇଁ ଖୋଜିଲା, କିନ୍ତୁ ଅନେକ ବେଳୁ ମାଲିକ ସେ ଗୁରୁତର ପରିସ୍ଥିତିରୁ ଖସି ପଳାଇଥାଏ । ତା’ପରେ ସେ ଆସ୍ତେ ଆସ୍ତେ ରୋଷେଇ ଘର ଭିତରକୁ ଗଲା; ଆଉ କେ: ପ୍ରତି ଦୃଷ୍ଟି ଦେଲା ନାହିଁ; କେ: ଏଣେ ଫ୍ରୀଡ଼ା ପାଖକୁ ତା’ ରୁମ୍‌କୁ ଧାଇଁଗଲା ।

 

।। ସାତ ।।

 

ଉପର ମହଲାରେ କେ.ର ମାଷ୍ଟର ବାବୁଙ୍କ ସାଙ୍ଗରେ ଦେଖା ହୋଇଗଲା । ରୁମ୍‌ଟାକୁ ଏତେ ଦୂର ବାଗେଇ ଦିଆ ଯାଇଥିଲା ଯେ ଚିହ୍ନି ହେଉ ନଥିଲା; ଫ୍ରୀଡ଼ା ଅନେକ ପରିଶ୍ରମ କରିଥିଲା-। ଭିତରକୁ ପବନ ଭଲ ଆସୁଥିଲା, ନିଆଁ ଯାଗାରେ କାଠ ସଜା ହୋଇ ରହିଥିଲା, ମେଜିଆ ପୋଛା ହୋଇଥିଲା, ବିଛଣା ସଜଡ଼ା ହୋଇଥିଲା, ପରିଚାରିକାମାନେ ଜମା କରିଥିବା ଅସନା ଜିନିଷ ପତ୍ର ଏବଂ ଏପରିକି ସେମାନଙ୍କର ଫଟୋ ସବୁ ବାହାର କରି ଦିଆ ହୋଇଥିଲା, ଭିତରେ ପଶିଲେ ଯାହା ଉପରର ଧୂଳି ପରସ୍ତ ଉପରେ ପ୍ରଥମେ ଆଖି ପଡ଼ିଥିଲା, ସେଇ ଟେବୁଲ୍‌ ଉପରେ ଗୋଟିଏ ଧଳା ଛୁଞ୍ଚି କାମ ହୋଇଥିବା କନା ବିଛା ହୋଇଥିଲା । ବର୍ତ୍ତମାନ ଅତିଥିମାନଙ୍କୁ ନେଇ ଭିତରେ ବସାଇ ପାରିବ ଜଣେ । କେ.ର ସେଇ ଅଳ୍ପ କେତେଟା ଚଡ଼ି ଗଞ୍ଜି ନିଆଁ ଜଳା ଯାଗା ଆଗରେ ଝୁଲା ହୋଇଥିଲା-ଫ୍ରୀଡ଼ା ବଡ଼ି ଭୋର୍‌ରୁ ସଫା କରିଦେଇଛି ନିଶ୍ଚୟ କିନ୍ତୁ ସେଗୁଡ଼ା ଭିତରର ସୌନ୍ଦର୍ଯ୍ୟ ନଷ୍ଟ କରୁନଥିଲା । ଫ୍ରୀଡ଼ା ଓ ମାଷ୍ଟର ବାବୁ ଟେବୁଲ ପାଖରେ ବସିଥିଲେ, କେ. ପଶିବା କ୍ଷଣି ଉଠି ଠିଆ ହେଲେ । ଫ୍ରୀଡ଼ା ଚୁମ୍ବନ କରି କେ.କୁ ସ୍ୱାଗତ କଲା, ମାଷ୍ଟରବାବୁ ମୁଣ୍ଡ ଅଳ୍ପ ନୁଆଁଇ-। ହୋଟେଲ୍‌ ମାଲିକାଣୀ ସାଙ୍ଗରେ କଥାବାର୍ତ୍ତା କରି କେ. ବିବ୍ରତ ହୋଇ ପଡ଼ିଥାଏ ଏବଂ ଏଯାଏଁ ତା’କୁ ବିରକ୍ତ ଲାଗୁଥାଏ; ମାଷ୍ଟରବାବୁଙ୍କ ସାଙ୍ଗରେ ଏଯାଏଁ ଦେଖା କରିବାକୁ ଯାଇ ପାରିନାହିଁ ବୋଲି ସେ କ୍ଷମା ମାଗିଲା । ସତେ ଯେମିତି ସେ ଭାବୁଥିଲା ଯେ ତା’ର ନଯିବାରେ ଅଧୈର୍ଯ୍ୟ ହୋଇ ପଡ଼ି ମାଷ୍ଟରବାବୁ ଶେଷରେ ନିଜେ ତା’କୁ ଦେଖା କରିବାକୁ ଆସିଛନ୍ତି । ଅନ୍ୟ ପକ୍ଷରେ ମାଷ୍ଟର ମହାଶୟ ତାଙ୍କ ନିଜ ନିର୍ଦ୍ଦିଷ୍ଟ ବାଟରେ ଆସ୍ତେ ଆସ୍ତେ ମନେ ପକାଇଲା ଭଳି ଲାଗୁଥିଲା ଯେ କେବେ ଥରେ କେ. ଆଉ ତାଙ୍କ ଭିତରେ ଦେଖା କରିବାର କଥା ଉଠିଥିଲା । ‘‘ଆପଣ ନିଶ୍ଚେ, ଅମିନବାବୁ, ସେଇ ଲୋକ,’’ ସେ ଧୀରେ କହିଲେ ‘‘ଯାହା ସଙ୍ଗରେ ସେ ଦିନେ ଚର୍ଚ୍ଚ ଛକରେ ଅଳ୍ପ କେଇ ପଦ କଥାବର୍ତ୍ତା ହୋଇଥିଲା ।’’, ‘ହଁ,’’ ମୁଁ,’’ କେ ସଂକ୍ଷିପ୍ତ ଭାବେ ଉତ୍ତର ଦେଲା; ସେ ନିଜକୁ ବେଘର ବୋଲି ଭାବୁଥିଲା ବେଳେ ଯେଉଁ ପ୍ରକାର ବ୍ୟବହାର କରୁଥିଲା, ସେ ପ୍ରକାର ବ୍ୟବହାର ବର୍ତ୍ତମାନ ଏହି ରୁମ୍‌ ଭିତରେ କରିବାକୁ ତା’ର ଇଚ୍ଛା ନଥିଲା । ସେ ଫ୍ରୀଡ଼ା ଆଡ଼କୁ ଚାହିଁଲା ଏବଂ ତା’ ସାଙ୍ଗରେ ପରାମର୍ଶ କଲା, ଗୋଟିଏ ଯାଗାକୁ ସେହି ମୁହୂର୍ତ୍ତରେ ଯିବା ବିଷୟରେ । ଏବଂ ସେଥିପାଇଁ ତା’ର ସବୁଠାରୁ ଭଲ ପୋଷାକଟା ଦରକାର ହେବ, ଅଧିକା କିଛି ନ ପଚାରି ଫ୍ରୀଡ଼ା ସହକାରୀମାନଙ୍କୁ ଡାକିଲା–ସେମାନେ ସେତେବେଳକୁ ନୂଆଁ ଟେବୁଲ କ୍ଳଥ୍‌ଟାକୁ ପରୀକ୍ଷା କରିବାରେ ଲାଗି ଯାଇଥିଲେ–ଏବଂ ସେମାନଙ୍କୁ ଆଦେଶ କଲା ଅଗଣାକୁ ନେଇ କେ.ର ସୁଟ୍‌ ଓ ଜୋତା ବ୍ରଶ କରି ଦେବାକୁ । କେ: ସେତେବେଳକୁ ତା’ର ସୁଟ୍‌ ଓ ଜୋତା ଓହ୍ଲାଉଥାଏ । ସେ ନିଜେ ତାର ଉପରୁ ସାର୍ଟଟିଏ ନେଲା ଏବଂ ରୋଷେଇ ଘରକୁ ଦୌଡ଼ିଗଲା ସେଇଟା ଇସ୍ତ୍ରୀ କରିବାକୁ-

 

ବର୍ତ୍ତମାନ କେ. ଓ ମାଷ୍ଟର ବାବୁଙ୍କ ସାଙ୍ଗରେ ଏକୁଟିଆ; ମାଷ୍ଟରବାବୁ ଚୁପ୍‌ଚାପ୍‌ ହୋଇ ପୁଣି ଟେବୁଲ୍‌ ପାଖରେ ବସିଯାଇଥାନ୍ତି; କେ: ତାଙ୍କୁ କିଛି ସମୟ ଅପେକ୍ଷା କରାଇଲା, ସାର୍ଟ ବାହାର କରି ଦେଇ କଳ ପାଖରେ ମୁହଁ ହାତ ଧୋଇବା ଆରମ୍ଭ କରି ଦେଲା । କେବଳ ସେତେବେଳେ ଯାଇ, ମାଷ୍ଟରବାବୁଙ୍କ ଆଡ଼କୁ ପଛ କରି, ସେ ପଚାରିଲା ସେ କ’ଣ ପାଇଁ ଆସିଛନ୍ତି । ଅଞ୍ଚଳ ସୁପରିଣ୍ଟେଣ୍ଡେଣ୍ଟଙ୍କ କଥାରେ ମୁଁ ଆସିଚି,’’ ସେ କହିଲେ । କେ. ଶୁଣିବା ପାଇଁ ପ୍ରସ୍ତୁତ ହେଲା । କିନ୍ତୁ ପାଣି ପଡ଼ିବାର ଶବ୍ଦରେ ଯେହେତୁ ମାଷ୍ଟରବାବୁ କେ. ର କଥା ଶୁଣି ପାରିଲେ ନାହିଁ, ସେ ପାଖକୁ ଚାଲି ଆସିଲେ ଏବଂ କେ. ପାଖରେ କାନ୍ଥକୁ ଆଉଜି ଠିଆ ହେଲେ । ଯିବାକୁ ଥିବାରୁ ସେ ମୁହଁ ହାତ ଧୋଉଛି ଏବଂ ତରବର ହେଉଛି ବୋଲି କେ କହିଲା । ମାଷ୍ଟରବାବୁ ତା’ କଥାକୁ ଆଡ଼େଇ ଦେଲେ ଏବଂ କହିଲେ, ‘‘ଆପଣ ଅଞ୍ଚଳ ସୁପରିଣ୍ଟେଣ୍ଡେଣ୍ଟଙ୍କ ସାଙ୍ଗରେ ଦୁବ୍ୟବହାର କଲେ । ସେ ଜଣେ ବୁଢ଼ାଲୋକ, ଅନୁଭୂତି ସଂପନ୍ନ ଲୋକ, ତାଙ୍କୁ ଆମର ସମ୍ମାନ କରିବା କଥା ।’’ ପୋଛି ହେଉ ହେଉ କେ କହିଲା, ‘‘ମୁଁ ଦୁବ୍ୟବହାର କରିଚି କି ନା ଜାଣେନି, କିନ୍ତୁ ଭଦ୍ର ବ୍ୟବହାର ଅପେକ୍ଷା ଅଧିକ ଜରୁରୀ ବିଷୟ ମତେ ଚିନ୍ତା କରିବାକୁ ପଡ଼ିଥିଲା, ଏକଥା ସତ, କାରଣ ମୋର ସ୍ଥିତି ବିପନ୍ନ ହୋଇ ପଡ଼ିଚି, ଗୋଟାଏ କଦର୍ଯ୍ୟ ଅମଲାତନ୍ତ୍ର ଦ୍ୱାରା, ଯାହାର ଦୁର୍ଗୁଣ ସବୁ ଆପଣଙ୍କ ଆଗରେ ବଖାଣିବା ଦରକାର ନାହିଁ । କାରଣ ମୁଁ ଜାଣେ ଯେ ଆପଣ ସେଥିରେ ଜଣେ ସକ୍ରିୟ ସଭ୍ୟ ଅଞ୍ଚଳ ସୁପରିଣ୍ଟେଣ୍ଡେଣ୍ଟ କ’ଣ ମୋ ବିରୁଦ୍ଧରେ ଅଭିଯୋଗ କରିଚନ୍ତି ?’’ ‘‘ଏମିତି ଲୋକଟେ କିଏ ଅଛି ଯାହା ବିରୁଦ୍ଧରେ ସେ ଅଭିଯୋଗ କରିବା ଦରକାର ପଡ଼ିବ ? ଏବଂ ଥିଲେ ବି ଆପଣ କ’ଣ ଭାବୁଛନ୍ତି ସେ ତାହା କରିବେ ? ଆପଣ ଦୁହିଁଙ୍କର କଥାବାର୍ତ୍ତାର ବିବରଣୀ ସେ ମୋତେ ଡାକିଦେଲେ ଏବଂ ମୁଁ କେବଳ ସଂକ୍ଷିପ୍ତ ଭାବରେ ଲେଖି ଦେଇଛି । ସେଥିରୁ ମୁଁ ସ୍ପଷ୍ଟ ଭାବରେ ବୁଝି ପାରିଛି ସୁପରିଣ୍ଟେଣ୍ଡେଣ୍ଟ କି ଉଦାର ବ୍ୟବହାର ଦେଖାଇଥିଲେ ଏବଂ ଆପଣ କି ପ୍ରକାର ଉତ୍ତର ଦେଇଛନ୍ତି ।’’

 

ପାନିଆଁଟା ଖୋଜୁ ଖୋଜୁ-ପାନିଆଁଟା ଫ୍ରୀଡ଼ା ନେଇ କେଉଁଠି ରଖି ଦେଇଥିଲା-କେ. କହିଲା, ‘‘କ’ଣ ? ଗୋଟିଏ ବିବରଣୀ ? ତା’ ପୁଣି ଲେଖା ହେଲା ମୋ ଅନୁପସ୍ଥିତିରେ, ଏମିତି ଜଣେ ଲୋକଙ୍କ ଦ୍ୱାରା ଯେ କି ଆମ କଥାବାର୍ତ୍ତା ବେଳେ ସେଠି ନଥିଲେ ? ଭଲ କଥା ତ ! କିନ୍ତୁ ଗୋଟିଏ ବିବରଣୀ କୋଉଥି ପାଇଁ ? ସେଇଟା ତା’ହେଲେ କ’ଣ ଅଫିସିଆଲ୍‌ କଥାବାର୍ତ୍ତା ଥିଲା ?’’ ‘‘ନା,’’ ମାଷ୍ଟର୍‌ ବାବୁ ଉତ୍ତର ଦେଲେ, ‘‘ଅଧା-ଅଫିସିଆଲ୍‌, ବିବରଣୀଟା ବି ଅଧା ଅଫିସିଆଲ । ସେଇଟା ଲେଖା ହେଲା କେବଳ ଏଇଥିପାଇଁ ଯେ ଆମର ଏଠି ସବୁ କାମ ନିୟମ ଅନୁଯାୟୀ କରା ହୋଇଥାଏ । ସେ ଯାହା ହେଉ, ସେଟା ତ ଲେଖା ସରିଲାଣି, ଏବଂ ତାହା ଆପଣଙ୍କର ଗୌରବ ବୃଦ୍ଧି କରୁନାହିଁ ।’’ ପାନିଆଁଟା ଶେଯ ତଳେ ଗୁଞ୍ଜା ହୋଇଥିଲା, ଶେଷରେ କେ. ସେଟାକୁ ଖୋଜି ପାଇଲା, ଏବଂ ଉତ୍ତେଜିତ ନ ହୋଇ କହିଲା : ‘‘ବାସ୍‌, ତା’ହେଲେ ସେଟା ଲେଖା ସରିଚି । ଆପଣ କ’ଣ ସେକଥା ମତେ କହିବାକୁ ଆସିଚନ୍ତି ?’’ ‘‘ନା’’ ମାଷ୍ଟରବାବୁ କହିଲେ, ‘‘କିନ୍ତୁ ମୁଁ ଗୋଟାଏ ମେସିନ୍‌ ନୁହେ, ଏବଂ ଆପଣଙ୍କୁ ମୋର ମତାମତ ଦେବାର କଥା, ଦେଲି । ମୋତେ ଯାହା କୁହାଯାଇଛି, ତାହା ସୁପରିଣ୍ଟେଣ୍ଡେଣ୍ଟଙ୍କ ଉଦାରତାର ଅନ୍ୟ ଏକ ପ୍ରମାଣ ? ମୁଁ ଜୋର ଦେଇ କହିବାକୁ ଚାହେଁ ଯେ ଏ ଘଟଣାରେ ସୁପରିଣ୍ଟେଣ୍ଡେଣ୍ଟଙ୍କ ଉଦାରତା ମୋ’ ପାଇଁ ଅବୋଧ୍ୟ, ଏବଂ ମୁଁ କେବଳ ତାଙ୍କର କହିବା ଅନୁସାରେ କାର୍ଯ୍ୟ କରୁଛି, କାରଣ ତାହା ମୋର କର୍ତ୍ତବ୍ୟ ଏବଂ ସୁପରିଣ୍ଟେଣ୍ଡେଣ୍ଟ୍‌ ମୋର ସମ୍ମାନୀୟ ବ୍ୟକ୍ତି ।’’ ମୁହଁ ହାତ ଧୋଇ, ମୁଣ୍ଡ କୁଣ୍ଡାଇ କେ. ଟେବୁଲ୍‌ ପାଖରେ ବସିଲା ତା’ର ସାର୍ଟ ଓ ଅନ୍ୟ ପୋଷାକ ପତ୍ର ଆଣିବାକୁ ଅପେକ୍ଷା କରି; ମାଷ୍ଟର ବାବୁ ଯେଉଁ ଖବର ଆଣିଥିଲେ ତାହା ଜାଣିବାକୁ ତା’ର କୌଣସି କୌତୁହଳ ନଥିଲା; ତା’ ଛଡ଼ା ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ ବିଷୟରେ ହୋଟେଲ ମାଲିକାଣୀର ଖରାପ ଧାରଣା ଦ୍ୱାରା ସେ ପ୍ରଭାବିତ ହୋଇ ପଡ଼ିଥିଲା । ‘‘ବାରଟା ଉପରେ ହେବଣି ନିଶ୍ଚେ ?’’ ସେ କହିଲା, ଏତେ ବାଟ ଚାଲି ଚାଲି ଯିବାକୁ ହେବ ଭାବି । ତା’ପରେ ସେ ନିଜେ ମନେ ପକାଇଲା, ଏବଂ କହିଲା, ‘‘ଆପଣ ମୋ ପାଇଁ କ’ଣ ଖବର ଆଣିଚନ୍ତି ପରା ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ ପାଖରୁ !’’ ‘‘ଆଚ୍ଛା, ହଁ’’ ମାଷ୍ଟର ବାବୁ କହିଲେ, କାନ୍ଧ ଦୋହଲାଇ, ସତେ ଯେମିତି ସେ ସମସ୍ତ ଦାୟିତ୍ୱ ପରିହାର କରୁଛନ୍ତି । ‘‘ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କର ଭୟ ଯେ, ଯଦି ଆପଣଙ୍କ ବିଷୟରେ ନିଷ୍ପତ୍ତି ଆସିବାରେ ବିଳମ୍ବ ହୁଏ, ଆପଣ ନିଜେ ନ ଭାବି ନ ଚିନ୍ତି କ’ଣ ଗୋଟାଏ କରି ବସିବେ । ମୋ’ କଥା ମୁଁ କହୁଛି । ସେ କାହିଁକି ଭୟ କରୁଛନ୍ତି ମୁଁ ଜାଣେ ନାହିଁ–ମୋ’ ନିଜସ୍ୱ ମତ ହେଲା, ଆପଣଙ୍କୁ ଯାହା ଇଚ୍ଛା ତାହା କରିବା ପାଇଁ ଦେଇ ଦେବା ଉଚିତ-। ଆମେ ଆପଣଙ୍କର ବିବେକ ଦାତା ଦେବଦୂତ ନୋହୁ, ଏବଂ ଆପଣଙ୍କ କ୍ରିୟା କଳାପ ପଛରେ ସବୁବେଳେ ଲାଗିବାକୁ ଆମେ ବାଧ୍ୟ ନୋହୁ । ବେଶ ଭଲ କଥା । ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ ମତ କିନ୍ତୁ ଭିନ୍ନ । ସେ ଅବଶ୍ୟ ନିଷ୍ପତ୍ତିକୁ ତ୍ୱରାନିତ୍ୱ କରି ପାରିବେ ନାହିଁ, ତାହା ଉପରିସ୍ଥ ଲୋକଙ୍କ ହାତରେ । କିନ୍ତୁ ତାଙ୍କ ନିଜର ପରିସର ଭିତରେ ଗୋଟାଏ ଅସ୍ଥାୟୀ ଏବଂ ପ୍ରକୃତରେ ସଦୟ ସାଲିସ୍‌ କରିବା ପାଇଁ ସେ ଇଚ୍ଛୁକ; ତାହା ଗ୍ରହଣ କରିନେବା ଆପଣଙ୍କର କାମ । ସେ ଆପଣଙ୍କୁ ଅସ୍ଥାୟୀ ଭାବରେ ଜଣେ ସ୍କୁଲ ଜାନିଟର୍‌ (ମେହେନ୍ତର ଜାତୀୟ) ଚାକିରୀ ଯାଚୁଛନ୍ତି ।’’ ଚାକିରୀଟା ବିଷୟରେ ପ୍ରଥମେ କେ. କୌଣସି ଗୁରୁତ୍ୱ ଦେଲାନାହିଁ, କିନ୍ତୁ ତା’କୁ ଯେ ଚାକିରୀଟେ ଯଚା ହେଉଛି, ଏହାର ନିଶ୍ଚୟ କିଛି ମୂଲ୍ୟ ଅଛି ବୋଲି ତା’ର ମନେ ହେଲା । ପୁଣି ମନେ ହେଲା ଯେ ସୁପରିଣ୍ଟେଣ୍ଡେଣ୍ଟଙ୍କ ମତରେ ତା’ର ନିଜକୁ ଚଳାଇ ପାରିବାର ଶକ୍ତି ଅଛି; ଯେଉଁ ସବୁ ଯୋଜନା ବିଷୟରେ ଟାଉନ୍‌ କାଉନ୍‌ସିଲ୍‌ ବିପରୀତ ଧର୍ମୀ ବ୍ୟବସ୍ଥାମାନ କରିବାକୁ ଚେଷ୍ଟା କରୁଛନ୍ତି, ସେ ସବୁ ଯୋଜନା ସେ କାର୍ଯ୍ୟକାରୀ କରିପାରିବ । ଏବଂ କି ଗୁରୁତ୍ୱ ଦେଉଛନ୍ତି ସେମାନେ ବିଷୟଟା ଉପରେ ! ମାଷ୍ଟରବାବୁ ଯେ କି ଅପେକ୍ଷା କରି ବସିଥାନ୍ତି, ଏବଂ ତା’ ଛଡ଼ା ଆଗରୁ ଯିଏ ବିବରଣୀ ପ୍ରସ୍ତୁତ କରିଥିଲେ, ସୁପରିଣ୍ଟେଣ୍ଡେଣ୍ଟ୍‌ ନିଶ୍ଚୟ ତାଙ୍କୁ ଏଠାକୁ ଧାଇଁ ଆସିବାକୁ କହିଛନ୍ତି । ମାଷ୍ଟର ବାବୁ ଯେତେବେଳେ ଦେଖିଲେ ଯେ ସେ କେ. କୁ ଚିନ୍ତାରେ ପକାଇ ଦେଇଛନ୍ତି, ସେ କହି ଲାଗିଲେ, ‘‘ମୁଁ ମୋର ଆପତ୍ତି ଦର୍ଶାଇଲି । ମୁଁ ଜଣାଇ ଦେଲି ଯେ ଏ ପର୍ଯ୍ୟନ୍ତ ଜଣେ ଜାନିଟର୍‌ର ଆବଶ୍ୟକତା ଉପଲବ୍‌ଧି କରା ହୋଇ ନାହିଁ, ଚର୍ଚ୍ଚ ଓ୍ୱାଡ଼େନ୍‌ଙ୍କ ସ୍ତ୍ରୀ ଥରକୁ ଥର ଯାଗାଟା ଓଳାଇ ପରିଷ୍କାର କରି ଦେଇଥାନ୍ତି, ଏବଂ ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ଗିସା କଥାଟା ଶୁଣିଲେ ନାହିଁ । ପିଲାମାନେ ମୋତେ ଯଥେଷ୍ଟ ହଇରାଣ କରୁଛନ୍ତି, ଆଉ, ଜଣେ ମେହେନ୍ତର ମୋତେ ହଇରାଣରେ ପକାଉ, ଏ କଥା ମୁଁ ଚାହୁଁ ନ ଥିଲି । ସୁପରିଣ୍ଟେଣ୍ଡେଣ୍ଟ କିନ୍ତୁ କହିଲେ ଯେ ସେ ଯାହା ହେଉ ସ୍କୁଲଟା ବଡ଼ ଅପରିଷ୍କାର ହୋଇ ପଡ଼ିଛି । ମୁଁ ଉତ୍ତର ଦେଲି-ଏବଂ କଥାଟା ସତ-ଯେ ସେତେଟା ଅପରିଷ୍କାର ନୁହେ । ପୁଣି ମୁଁ କହିଲି ଏ ଲୋକ ଜଣକୁ ମେହେନ୍ତର କରି ନେଲେ କ’ଣ କିଛି ଉନ୍ନତି ହେବ ? ନିଶ୍ଚୟ ନୁହେ । କାମ ସଂପର୍କରେ ତ ଲୋକଟାର କୌଣସି ଧାରଣା ନାହିଁ, ତ’ଛଡ଼ା ସ୍କୁଲରେ ମାତ୍ର ଦୁଇଟା ବଡ଼ କ୍ଲାସ୍‍ ରୁମ୍‍ ଅନ୍ୟ ରୁମ୍‍ ନାହିଁ; ତେଣୁ ମେହେନ୍ତର ଓ ତା’ ପରିବାରକୁ ଗୋଟିଏ କ୍ଲାସ୍‍ ରୁମ୍‍ରେ ରହିବାକୁ ପଡ଼ିବ, ସେଠି ହିଁ ସେମାନେ ଶୋଇବେ ଏବଂ ରୋଷେଇ ମଧ୍ୟ କରିବେ । ଏହା ହେଲେ ସ୍କୁଲଟା କୌଣସି ମତେ ଅଧିକ ପରିଷ୍କାର ହୋଇ ପାରିବ ନାହିଁ । କିନ୍ତୁ ସୁପରିଣ୍ଟେଣ୍ଡେଣ୍ଟ ଜୋର୍‌ ଦେଇ କହିଲେ ଯେ ଏ ଚାକିରୀ ଆପଣଙ୍କୁ ହଇରାଣ ହରକତରୁ ମୁକ୍ତି ଦେବ ଏବଂ ଆପଣ ମଧ୍ୟ ଠିକ୍‌ ଭାବରେ କାମ କରିବାକୁ ସବୁ ମନ୍ତେ ଚେଷ୍ଟା କରିବେ, ସେ ଆହୁରି ମଧ୍ୟ କହିଲେ ଯେ ଆପଣଙ୍କ ସାଙ୍ଗରେ ଆପଣଙ୍କ ସ୍ତ୍ରୀ ଓ ସହକାରୀମାନେ ସହଯୋଗ କରିବେ, ତା’ ଫଳରେ ସ୍କୂଲଟାକୁ ଖୁବ୍‌ ପରିଷ୍କାର ପରିଚ୍ଛନ୍ନ ରଖିହେବ, ଏବଂ କେବଳ ସ୍କୁଲଟା ନୁହେ, ବଗିଚାଟାକୁ ମଧ୍ୟ । ମୁଁ ସହଜରେ ପ୍ରମାଣ କରି ଦେଲି ଯେ ଏହା ସମ୍ଭବ ହେବ ନାହିଁ । ଶେଷରେ, ସୁପରିଣ୍ଟେଣ୍ଡେଣ୍ଟ ଆପଣଙ୍କ ସପକ୍ଷରେ ଆଉ କୌଣସି ଯୁକ୍ତି ବାଢ଼ି ପାରିଲେ ନାହିଁ; ସେ ହସିଲେ ଏବଂ ଖାଲି କହିଲେ ଯେ ଆପଣ ଜଣେ ଅମିନ ହୋଇ ଥିବାରୁ ପରିବା କିଆରୀ ଗୁଡ଼ାକ ସୁନ୍ଦର ଭାବେ ତିଆରି କରି ପାରିବେ । ବାସ୍‌, ଥଟ୍ଟା ଆଗରେ କୌଣସି ଯୁକ୍ତି କାଟୁ କରିବ ନାହିଁ, ଏବଂ ତେଣୁ ମୁଁ ଏ ପ୍ରସ୍ତାବ ନେଇ ଆପଣଙ୍କ ପାଖକୁ ଆସିଛି । ‘‘ଆପଣ ଅଯଥାରେ ଏତେ ହଇରାଣ ହେଲେ, ମାଷ୍ଟର ବାବୁ,’’ କେ. କହିଲା, ‘‘ଚାକିରୀଟା ଗ୍ରହଣ କରିବାକୁ ମୋର ମୋଟେ ଇଚ୍ଛା ହେଉନି ।’’ ‘‘ଚମତ୍‌କାର !’’ ମାଷ୍ଟର୍‌ବାବୁ କହିଲେ, ‘‘ଚମତ୍‌କାର । ଆପଣ ତ କୌଣସି ସର୍ତ୍ତ ନ ଦେଇ ମନା କରୁଛନ୍ତି,’’ ଏବଂ ସେ ଟୋପିଟା ଉଠାଇ ଧରିଲେ, ଜୁହାର କଲେ, ଏବଂ ଚାଲିଗଲେ ।

 

ଠିକ୍‌ ତା’ପରେ ଫ୍ରୀଡ଼ା ଉତ୍ତେଜିତ ଅବସ୍ଥାରେ ସିଡ଼ିରେ ଦୌଡ଼ି ଦୌଡ଼ି ଉଠି ଆସିଲା, ସାର୍ଟଟା ଇସ୍ତିରି ନ କରି ହାତରେ ଧରିଥାଏ । କେ: ର ପ୍ରଶ୍ନର ସେ କୌଣସି ଉତ୍ତର ଦେଲା ନାହିଁ । ତା’ ମନ ଭୁଲେଇବା ପାଇଁ ସେ ତା’କୁ ମାଷ୍ଟର ବାବୁ ଓ ଚାକିରୀ ବିଷୟ କହିଲା; ସେ କଥା ଶୁଣିଛି କି ନାହିଁ ଫ୍ରୀଡ଼ା ସାର୍ଟଟା ଫିଙ୍ଗି ଦେଲା ଏବଂ ପୁଣି ବାହାରି ଚାଲିଗଲା । ସେ ଶୀଘ୍ର ଫେରି ଆସିଲା, କିନ୍ତୁ ମାଷ୍ଟରଙ୍କୁ ସାଙ୍ଗରେ ଧରି; ମାଷ୍ଟରବାବୁ ବିରକ୍ତ ଦେଖା ଯାଉଥିଲେ ଏବଂ କୌଣସି ସମ୍ଭାଷଣ ନ କରି ହିଁ ଭିତରକୁ ପଶିଲେ । ସାମାନ୍ୟ ଧୈର୍ଯ୍ୟ ଧରିବାକୁ ଫ୍ରୀଡ଼ା ତା’କୁ ଅନୁରୋଧ କଲା-ଉପରକୁ ଆସିବା ବାଟରେ ସେ ନିଶ୍ଚୟ ବହୁବାର ଏପରି ଅନୁରୋଧ କରିଥିଲା-ତା’ପରେ ଗୋଟାଏ କଡର ଦୁଆର ଆଡ଼କୁ କେ: କୁ ଟାଣିନେଲା, ଏମିତି ଗୋଟାଏ ଦୁଆର ଅଛି ବୋଲି କେ. କେବେ ସନ୍ଦେହ କରି ନଥିଲା, ତା’ପରେ ଟାଣି ନେଲା, ଗୋଟାଏ ସିଡ଼ି ଘର ଭିତରକୁ, ଏବଂ ଶେଷରେ ଉତ୍ତେଜନାରେ ଧଇଁ ସଇଁ ହୋଇ କହିଗଲା ତା’କୁ ନେଇ କ’ଣ ସବୁ ଘଟିଯାଇଛି । ଫ୍ରୀଡ଼ା କେ. କୁ ଖୋଲା ଖୋଲି ପସନ୍ଦ କରି ନିଜକୁ ନ୍ୟୁନ କରି ଦେଇଥିବାରୁ ପୁଣି ବେଶୀ ଖରାପ କଥା କେବଳ କ୍ଳାମ୍‌ଙ୍କ ସାଙ୍ଗରେ ଦେଖା କରାଇ ଦେବା ପାଇଁ କେ. ପ୍ରତି ଆନୁଗତ୍ୟ ଦେଖାଇଥିବାରୁ ଏବଂ ପୁରସ୍କାର ସ୍ୱରୂପ, ସେ ଯାହା କହୁଛି, ଉଦାସୀନ ଓ ଆନ୍ତରିକତା ବିହୀନ ପ୍ରେମ ସମ୍ଭାଷଣ ଛଡ଼ା ଅନ୍ୟ କିଛି ପାଇ ନଥିବାରୁ, ହୋଟେଲ୍‌ ମାଲିକାଣୀ ଠିକ୍‌ କରି ଦେଇ ଥିଲା ଯେ ସେ କେ. କୁ ତା’ ଘରେ ଆଉ ରଖାଇ ଦେବ ନାହିଁ । କେ: ର ଯଦି ଦୁର୍ଗ ଭିତରେ କେହି ଚିହ୍ନା ପରିଚୟ ଅଛନ୍ତି, ସେ ଅତିଶୀଘ୍ର ସେମାନଙ୍କର ସାହାଯ୍ୟ ନେଉ କାରଣ ସେହି ଦିନ ସେହି ମୁହୂର୍ତ୍ତରେ ହିଁ ସେ ହୋଟେଲ୍‌ ଛାଡ଼ି ଚାଲିଯିବାକୁ ପଡ଼ିବ, ଏବଂ କେବଳ ଉପରିସ୍ଥ ଲୋକଙ୍କର ସ୍ପଷ୍ଟ ଆଦେଶ ହେଲେ ହିଁ ସେ ପୁଣି କେ. କୁ ହୋଟେଲ୍‌ରେ ଯାଗା ଦେବ । କିନ୍ତୁ ସେ ଆଶା କରୁଥିଲା ଯେ ସେ ପ୍ରକାର କିଛି ଘଟିବ ନାହିଁ, କାରଣ ତା’ ନିଜର ଚିହ୍ନା ପରିଚୟ ଲୋକ ଦୁର୍ଗ ଭିତରେ ଅଛନ୍ତି ଏବଂ ସେ ଜାଣେ ସେମାନଙ୍କର ସାହାଯ୍ୟ କେଉଁ ଭାବରେ ନେବ । ତା’ଛଡ଼ା କେ. ହୋଟେଲ୍‌ରେ ରହିଛି କେବଳ ହୋଟେଲ୍‌ ମାଲିକର ଅବହେଳା ଯୋଗୁଁ, ପୁଣି ସେ ତ ବେଘର ଅବସ୍ଥାରେ ନାହିଁ, କାରଣ ସେ ଦିନ ସକାଳେ ହିଁ ସେ ଗର୍ବ କରି କହୁଥିଲା ଯେ ରାତିକ ରହିବା ପାଇଁ ତା’କୁ ଯାଗା ନିଶ୍ଚୟ ମିଳିଯିବ । ଫ୍ରୀଡ଼ା ଅବଶ୍ୟ ହୋଟେଲ୍‌ରେ ରହିବ; ଯଦି ସେ କେ: ସାଙ୍ଗରେ ଚାଲିଯିବାକୁ ଚାହିଁବ ତା’ହେଲେ ସେ, ମାନେ ହୋଟେଲ୍‌ ମାଲିକାଣୀ, ବଡ଼ ଦୁଃଖ କରିବ । ରୋଷେଇ ଘରେ ନିଆଁ ଯାଗା ପାଖରେ ଗୋଟାଏ ଚୌକିରେ ଗୁମ୍‌ ହୋଇ ବସି ସେ ଏକଥା ଭାବି କାନ୍ଦି ପକାଇଲା । ବିଚାରୀ ରୋଗିଣୀ ସ୍ତ୍ରୀ ଲୋକଟି; କିନ୍ତୁ ସେ ଅନ୍ୟ ପ୍ରକାର ଆଚରଣ ବା କେମିତି ଦେଖାଇ ପାରିଥାନ୍ତା, ବର୍ତ୍ତମାନ ଯେତେବେଳେ ଅନ୍ତତଃ ତା’ କଳ୍ପନାରେ ସେ ଭାବୁଛି ଯେ କ୍ଳାମ୍‌ ଦେଇଥିବା ସ୍ମାରକୀ ଗୁଡ଼ିକର ଗୌରବ ସହିତ ଘଟଣାଟା ଜଡ଼ିତ ? ହୋଟେଲ୍‌ ମାଲିକାଣୀ ସେହି ଭାବରେ ହିଁ ପୂରା ଘଟଣାଟା ନେଇଥିଲା । ଅବଶ୍ୟ କେ ଯେଉଁ ଆଡ଼େ ଯିବାକୁ ଚାହିଁବ ତା’ ପଛେ ପଛେ ସେଆଡ଼େ ଯିବ । କିନ୍ତୁ ଯାହା ହେଉନା କାହିଁକି ଉଭୟଙ୍କର ପରିସ୍ଥିତି ବେଶ୍‌ ଖରାପ; କେବଳ ସେହି କାରଣରୁ ମାଷ୍ଟରବାବୁ ଯାଚୁଥିବା ଚାକିରୀ କଥା ଶୁଣି ସେ ଖୁସି ହୋଇ ଯାଇଥିଲା । ଚାକିରୀଟା କେ: ର ଉପଯୁକ୍ତ ନହେଲେ ମଧ୍ୟ-ଏହା ଉପରେ ବହୁତ ଜୋର୍‌ ଦିଆ ଯାଇଥିଲା-ସେଟା ତ ଅସ୍ଥାୟୀ; ଜଣେ ସେଥିରେ ରହିଗଲେ କିଛି ଦିନ ପରେ ସହଜରେ ଅନ୍ୟାନ୍ୟ ସୁଯୋଗ ପାଇଯିବ; ଶେଷ ନିଷ୍ପତ୍ତିଟା ଅନିଷ୍ଟକର ହେଲେ ମଧ୍ୟ, ‘‘ଯଦି ଘଟଣାଟା ବହୁତ ଖରାପ ଆଡ଼କୁ ଯାଏ,’’ ଫ୍ରୀଡ଼ା କହି ପକାଇଲା ଶେଷରେ, କେ.ର କାନ୍ଧ ଉପରେ ଲୋଟି ପଡ଼ି, ‘‘ଆମେ ପଳେଇବା, ଏ ଗାଁରେ ଏମିତି କିଏ ଅଛି କି ଆମର ? କିନ୍ତୁ ବର୍ତ୍ତମାନ ପାଇଁ, ମୋ ଧନ, ଆମେ ଚାକିରୀଟା ନେଇନେବା, ନେବା ନି ? ମୁଁ ମାଷ୍ଟରବାବୁଙ୍କୁ ଫେରାଇ ଆଣିଚି, ତମେ ଖାଲି ତାଙ୍କୁ କହିଦିଅ, ହେଲା, ବାସ୍‌ ସେତିକି, ଆଉ ଆମେ ସ୍କୁଲକୁ ପଳେଇବା ।’’

 

‘‘ବଡ଼ ହଇରାଣ ହେଲା ମଣିଷ,’’ କେ. କହିଲା ଯଦିଓ ସେ ଠିକ୍‌ ସେ କଥା କହିବାକୁ ଚାହୁଁ ନଥିଲା, କାରଣ ରହିବା ଯାଗା ବିଷୟରେ ସେ ବିଶେଷ ଚିନ୍ତିତ ନଥିଲା । ଏବଂ ଗଞ୍ଜି ଦେହରେ ସେ ସେହି ସିଡ଼ିଘର ଭିତରେ ଥରୁଥିଲା । ସେଠାରେ ଦୁଇ ପାଖରେ କାନ୍ଥ କିମ୍ବା ଝରକା ନ ଥିଲା, ଥଣ୍ଡା ପବନ ଜୋର୍‌ରେ ବହୁଥିଲା । ‘‘ତମେ ରୁମ୍‍ଟା କେଡ଼େ ସୁନ୍ଦର କରି ସଜେଇଲ, ଆଉ ଏବେ ଆମକୁ ଛାଡ଼ି ଚାଲି ଯିବାକୁ ହେବ । ଚାକିରୀଟା ନେବି, କିନ୍ତୁ ମୋର ସେଥିରେ ମୋଟେ ମନ ଲାଗୁନି । ମାଷ୍ଟର ବାବୁ ଯୋଉ କେତେ ପଦ କଡ଼ା କଥା ଶୁଣାଇ ସାରିଲାଣି, ସେଥିରେ ମୁଁ ଭାରି କଷ୍ଟ ପାଇଲିଣି, ଆଉ କ’ଣ ନା ଏବେ ସିଏ ମୋ ଉପରେ ରହିବ । ଆମେ ଯଦି ଆଉ କିଛି ସମୟ ପାଇଁ ଏଠି ରହି ଯାଇ ପାରନ୍ତେ, ଆଜି ଉପରଓଳି ମୋ’ ପରିସ୍ଥିତିରେ କିଛିଟା ଉନ୍ନତି ଘଟିପାରେ ବୋଧହୁଏ । ଯଦି ତମେ ଅନ୍ତତଃ ଏଠି ରହି ପାରନ୍ତ, ଆମେ କିଛି ସମୟ ଅପେକ୍ଷା କରିଯାନ୍ତେ ଓ ମାଷ୍ଟରବାବୁକୁ ଗୋଟାଏ ହଁ ନୁହଁ ନାହିଁ ଉତ୍ତର ଦେଇ ଦିଅନ୍ତେ । ଆଉ ମୋ’ କଥା, ପରିସ୍ଥିତି ଯଦି ସେମିତି ଖରାପ ହୁଏ, ମୁଁ ପ୍ରକୃତରେ ରାତିକ ରହିବା ପାଇଁ ଯାଗା ପାଇଯିବି ବାର୍ଣ୍ଣା– ।’’ ତା’ ପାଟିରେ ହାତ ଦେଇ ଫ୍ରୀଡ଼ା କେ. ର କଥା ବନ୍ଦ କରି ଦେଲା । ‘‘ନା, ତା’ କରିବ ନି,’’ ସେ ପ୍ରାର୍ଥନା କଲା ଭଳି କହିଲା,’’ ଦୟା କରି ସେ କଥା ମତେ କେବେ କହିବ ନି । ଆଉ ସବୁ କଥାରେ ମୁଁ ତମକୁ ମାନିବି । ତମେ ଯଦି ଚାହୁଁଥାଅ, ମୁଁ ଏଠି ଏକୁଟିଆ ରହିଯିବି, ଯେଡ଼େ କଷ୍ଟ ହେଉ ପଛକେ ତମେ ଯଦି ଚାହୁଁଥାଅ, ଆମେ ଚାକିରୀଟା ମନା କରି ଦେବା, ସେଟା ଯେଡ଼େ ଭୁଲ୍‌ ହେବ ବୋଲି ମୁଁ ଭାବେ ପଛକେ । କାହିଁକିନା ଦେଖ, ତମକୁ ଆଉ କିଛି ମିଳିଯିବ ବୋଲି ଭାବୁଚ, ଆଜି ଉପରଓଳି ଭିତରେ, ଏକଥା ନିଶ୍ଚିତ ଯେ ଆମେ ସ୍କୁଲ ଚାକିରୀଟାକୁ ଛାଡ଼ି ଦେବା, କେହି ଆପତ୍ତି କରିବେନି । ଆଉ ତମେ ଯୋଉ ଭାବୁଚ ମାଷ୍ଟରବାବୁ ଆଗରେ ତମକୁ ଅପମାନ ଲାଗିବ, ମୁଁ ଦେଖିବି, ସେମିତି କିଛି ଘଟିବ ନାଇଁ । ମୁଁ ନିଜେ ତାଙ୍କ ସାଙ୍ଗରେ କଥା ବାର୍ତ୍ତା କରିବି । ତମେ ଖାଲି ସେଠିକି ଯିବ, ପାଟି ଫିଟାଇବା ଦରକାର ନାଇଁ, ଆଉ ପରେ ବି ସେୟା କରିବା, ତମକୁ କେବେ କିଛି କହିବାକୁ ପଡ଼ିବ ନାଇଁ, ଯଦି ତମେ ନ ଚାହିଁବ; ମୁଁ, ମୁଁ ନିଜେ ତାଙ୍କର ଚାକର ହେବି ପ୍ରକୃତରେ, ଆଉ ମୁଁ ବି ତା’ ହେବି ନି କାରଣ ମୁଁ ତାଙ୍କର ଦୁର୍ବଳତା ସବୁ ଜାଣିଚି । ସେଇଥିପାଇଁ ଆମେ ଯଦି ଚାକିରୀଟା ନେଇ ନେଉ କିଛି ଭାସି ଯିବ ନି ଆମର, କିନ୍ତୁ ନ ନେଲେ ବହୁତ କ୍ଷତି ହେବ । ସବୁଠୁ ବଡ଼ କଥା ହେଲା, ତମେ ଯଦି ଆଜି ଭିତରେ ଦୁର୍ଗ ଲୋକଙ୍କଠୁ’ କିଛି ଯୋଗାଡ଼ ନ କରି ପାରିବ, ତମେ ଏ ଗାଁର କୋଉଠି ହେଲେ ରାତିକ ରହିବା ଲାଗି ଯାଗା ଖୋଜି ପାଇବ ନି, ଖାଲି ତମେ ରହିବା ପାଇଁ ବି, କୋଉଠି ପାଇବ ନି, ଆଉ ତା’ ହେଲେ ତମ ଭାବୀ ସ୍ତ୍ରୀ ଭାବେ ମତେ ବି ଲଜ୍ଜିତ ହେବାକୁ ପଡ଼ିବ ନି । ଆଉ ତମେ ଯଦି ରାତିକ ପାଇଁ ଯାଗା ନ ପାଅ, ତମେ କ’ଣ ଭାବୁଚ ଯେ ତମେ ଅନ୍ଧାର ରାତିରେ ଥଣ୍ଡାରେ ଏଣେ ତେଣେ ବୁଲୁଚ ଜାଣି ବି ମୁଁ ଏଇଠି ଶୋଇ ଉଷୁମ ଟାଣିବି ?’’ ଏତେ ସମୟ ଧରି ଥଣ୍ଡାରୁ ରକ୍ଷା ପାଇବା ପାଇଁ କେ. ଶଗଡ଼ିଆଙ୍କ ପରି ଛାତିରେ ହାତ ବାଡ଼େଇ ଚାଲିଥିଲା । ଫ୍ରୀଡ଼ା କଥା ଶୁଣି ସେ କହିଲା, ‘‘ତା’ ହେଲେ ଚାକିରୀଟା ନେଇ ନେବା ଛଡ଼ା ଉପାୟ ନାଇଁ, ଚାଲ ।’’

 

ଦୁହେଁ ରୁମ୍‌କୁ ଫେରିବା ପରେ କେ. ସିଧା ନିଆଁ ପାଖକୁ ଚାଲିଗଲା; ସେ ମାଷ୍ଟରବାବୁଙ୍କୁ ଜମ୍ମା ଅନାଇଁଲା ନାହିଁ । ମାଷ୍ଟରବାବୁ ଟେବୁଲ୍‌ ପାଖରେ ବସିଥିଲେ; ସେ ଘଣ୍ଟା ବାହାର କରି ଦେଖିଲେ ଏବଂ କହିଲେ, ‘‘ଡେରି ହେଲାଣି ।’’ ‘‘ମୁଁ ଜାଣିଚି, କିନ୍ତୁ ଆମେ ପୂରା ରାଜି ଶେଷରେ,’’ ଫ୍ରୀଡ଼ା କହିଲା, ‘‘ଆମେ ଚାକିରୀଟା ନେଉଚୁ । ‘‘ଭଲ ହେଲା, ‘‘ମାଷ୍ଟରବାବୁ କହିଲେ,’’ କିନ୍ତୁ ଚାକିରୀଟା ଦିଆ ଯାଉଚି ଅମିନ ବାବୁଙ୍କୁ, ସେ ନିଜ ମୁହଁରେ ହଁ କରିବାକୁ ପଡ଼ିବ । ଫ୍ରୀଡ଼ା କେ. କୁ ରକ୍ଷା କରିଦେଲା । ‘‘ସତରେ,’’ ସେ କହିଲା, ‘‘ସେ ଚାକିରୀଟା ନେଉଚନ୍ତି, ନା କ’ଣ କହୁଚ କେ-?’’ ଏହା ଫଳରେ କେ.ର ବକ୍ତବ୍ୟ ଗୋଟିଏ ସରଳ ‘ହଁ’ ରେ ସୀମିତ ରହି ପାରିଲା, ଏବଂ ତା’ ପୁଣି ମାଷ୍ଟରବାବୁଙ୍କୁ ନୁହେଁ, ଫ୍ରୀଡ଼ା ଆଡ଼େ ଚାହିଁ କୁହାଗଲା । ‘‘ତାହା ହେଲେ, ମାଷ୍ଟରବାବୁ କହିଲେ ଗୋଟିଏ କାର୍ଯ୍ୟ କରିବାକୁ ପଡ଼ିବ ତାହା ଆପଣଙ୍କୁ ଜଣାଇ ଦେବା । ଏହା କରିଦେଲେ ସବୁ ଦିନ ପାଇଁ ଆମ ଭିତରେ ଗୋଟାଏ ବୁଝାମଣା ହୋଇଯିବ । ଆପଣ, ଅମିନବାବୁ, ପ୍ରତିଦିନ ଉଭୟ କ୍ଲାସ୍‌ରୁମ୍‍ ପରିଷ୍କାର କରିବେ ଏବଂ ଗରମ ରଖିବେ, ଘରଟାର ଛୋଟ ଛୋଟ ମରାମତ କାମ କରିବେ, ତାହା ଛଡ଼ା ବ୍ୟକ୍ତିଗତ ଭାବରେ କ୍ଲାସ୍‍ର ଏବଂ ବ୍ୟାୟାମ ପାଇଁ ଆବଶ୍ୟକ ଯନ୍ତ୍ରପାତିର ହେପାଜତ କରିବେ, ବଗିଚାର ରାସ୍ତାରୁ ବରଫ ପରିଷ୍କାର କରିବେ, ମୋ’ ପାଖକୁ ଏବଂ ଶିକ୍ଷୟିତ୍ରୀଙ୍କ ପାଖକୁ ଖବର ଆଣିବେ, ଏବଂ ବର୍ଷର ଉଷ୍ଣ ଋତୁ ମାନଙ୍କରେ ବଗିଚାର ସମସ୍ତ କାର୍ଯ୍ୟର ତଦାରଖ କରିବେ । ଏହାର ପ୍ରତିଦାନରେ ଆପଣଙ୍କ ପସନ୍ଦ ମୁତାବକ ଯେ କୌଣସି କ୍ଲାସ୍‍ରୂମ୍‌ରେ ରହିବା ପାଇଁ ଆପଣଙ୍କର ଅଧିକାର ରହିବ; କିନ୍ତୁ କେବଳ ସେହି ସମୟରେ ଯେତେବେଳେ ଶିକ୍ଷା ଦାନ ପାଇଁ ଉଭୟ ରୁମ୍‍ ବ୍ୟବହାର କରାଯାଉନାହିଁ; ଯଦି ଆପଣ ରହୁଥିବା ରୁମ୍‍ଟା ଆବଶ୍ୟକ ହୁଏ, ଆପଣଙ୍କୁ ଅବଶ୍ୟ ଅନ୍ୟ ରୁମ୍‍ଟାକୁ ଚାଲି ଯିବାକୁ ପଡ଼ିବ । ସ୍କୁଲ ଭିତରେ ଆପଣ ରୋଷାଇ କରି ପାରିବେ ନାହିଁ, ଏହା ବଦଳରେ ଟାଉନ୍‌ କାଉନ୍‌ସିଲ ନିଜ ଖର୍ଚ୍ଚରେ ଆପଣଙ୍କର ଏବଂ ଆପଣଙ୍କ ଉପରେ ନିର୍ଭର କରୁଥିବା ପରିବାରର ଭୋଜନ ବ୍ୟବସ୍ଥା ଏହି ହୋଟେଲ୍‌ରେ କରିବେ । ଆପଣ ଏ ପ୍ରକାର ବ୍ୟବହାର କରିବେ ଯଦ୍ଦ୍ୱାରା ସ୍କୂଲର ସମ୍ମାନ କ୍ଷୂର୍ଣ୍ଣ ହେବ ନାହିଁ, ଏବଂ ନିର୍ଦ୍ଦିଷ୍ଟ ଭାବରେ ଦେଖିବେ ସ୍କୂଲ ଚାଲିଥିବା ବେଳେ ପିଲାମାନଙ୍କ ପାଇଁ କ୍ଷତିକର କୌଣସି ଦାମ୍ପତ୍ୟ ପ୍ରେମର ଦୃଶ୍ୟ ଯେମିତି ସେମାନଙ୍କ ଆଖିରେ ନପଡ଼େ । ମୁଁ ଏ ବିଷୟ ପ୍ରସଙ୍ଗ କ୍ରମେ ଉଲ୍ଲେଖ କରୁଛି ମାତ୍ର, କାରଣ ଜଣେ ଶିକ୍ଷିତ ବ୍ୟକ୍ତି ଭାବରେ ଆପଣ ଏ ସମସ୍ତ ବିଷୟ ଅବଗତ ଅଛନ୍ତି । ଏ ସଂପର୍କରେ ମୁଁ ଆହୁରି କହି ଦେବାକୁ ଚାହେଁ ଯେ ଶ୍ରୀମତୀ ଫ୍ରୀଡ଼ା ସହିତ ଆପଣଙ୍କର ସଂପର୍କ ଯେତେ ଶୀଘ୍ର ସମ୍ଭବ ଆଇନାନୁମୋଦିତ ହେବା ଉପରେ ଆମେ ଜୋର୍‌ ଦେବୁ । ଏ ସମସ୍ତ ତଥା ଅନ୍ୟାନ୍ୟ କେତେକ ଗୌଣ ବିଷୟରେ ଆପଣଙ୍କ ସହିତ ଗୋଟାଏ ଚୁକ୍ତି ପତ୍ର ସଂପାଦିତ ହେବ, ଆପଣ ସ୍କୁଲରେ ଯାଇ ରହିବା ପରେ ପରେ ହିଁ ତାହା ଦସ୍ତଖତ କରିବେ ।’’ ଏ ସବୁ କଥାର କୌଣସି ଗୁରୁତ୍ୱ ଥିଲାଭଳି କେ. ର ମନେ ହେଲା ନାହିଁ, ସତେ ଯେମିତି ସେ ଏ ସବୁ ସହିତ ସଂପୃକ୍ତ ନୁହେଁ କିମ୍ବା ହେଲେ ବି ଏହା କରିବାକୁ ବାଧ୍ୟ ନୁହେଁ, କିନ୍ତୁ ମାଷ୍ଟରବାବୁଙ୍କ ଆତ୍ମ ବଡ଼ିମା ଦେଖି ସେ ବିରକ୍ତ ହୋଇଗଲା, ଏବଂ ସେ ବେଖାତିର ଭାବରେ କହିଲା, ‘‘ମୁଁ ଜାଣିଚି, ଏଗୁଡ଼ାକ ତ ଜଣା ଶୁଣା କାମ ।’’ ଏହି ମନ୍ତବ୍ୟ ସୃଷ୍ଟି କରିଥିବା ଧାରଣାକୁ ପୋଛି ଦେବା ପାଇଁ ଫ୍ରୀଡ଼ା ଦରମା କଥା ପଚାରିଲା । ‘‘କୌଣସି ଦରମା ଦିଆ ଯିବ କି ନାହିଁ,’’ ମାଷ୍ଟରବାବୁ କହିଲେ, ‘‘ସେ କଥା ମାସକର କାମ ଦେଖିବା ପରେ ହିଁ ବିଚାର କରାଯିବ ।’’ କିନ୍ତୁ ୟା କଲେ ତ ଆମର ଅସୁବିଧା ହେବ,’’ ଫ୍ରୀଡ଼ା କହିଲା, ‘‘ଆମ ପାଖରେ ପଇସାଟିଏ ନାଇଁ, ଆମେ ବାହା ହେବୁ, ଘର କରିବୁ । ଆପଣ ଟିକିଏ ଟାଉନ୍‌ କାଉନ୍‌ସିଲ୍‌ଙ୍କୁ କହନ୍ତେନି, ଆଜ୍ଞା, ଆମକୁ ଆରମ୍ଭରୁ ଅଳ୍ପ କିଛି ଦରମା ଦେବାକୁ ଆପଣ ସେମିତିକା ପରାମର୍ଶ ଦିଅନ୍ତେ ନି ।’’ ‘‘ନା,’’ ମାଷ୍ଟରବାବୁ କହିଲେ, ସେମିତି କେ. ଆଡ଼କୁ ଅନାଇ, ‘‘ମୁଁ କହିଲେ ହିଁ କୌଣସି ଆବେଦନ ପତ୍ର ଟାଉନ୍‌ କାଉନ୍‌ସିଲ୍‌ଙ୍କୁ ଦିଆ ଯାଇ ପାରିବ, କିନ୍ତୁ ମୁଁ କହିବି ନାହିଁ ବ୍ୟକ୍ତିଗତ ସାହାଯ୍ୟ ଭାବରେ ଏ ଚାକିରୀଟା ଆପଣଙ୍କୁ ଦିଆଯାଇଛି, ଏବଂ ଗୋଟାଏ ସାହାଯ୍ୟକୁ ଜଣେ କେତେ ଦୂର ବା ନେଇ ଯାଇପାରିବ ଯଦି ସେ ତା’ର ସ୍ପଷ୍ଟ ଦାୟିତ୍ୱ ବିଷୟରେ ସାମାନ୍ୟ ସଚେତନ । ‘‘ବର୍ତ୍ତମାନ କେ: ହସ୍ତକ୍ଷେପ କଲା ପରିଶେଷରେ, ପ୍ରାୟ ନିଜ ଇଚ୍ଛା ବିରୁଦ୍ଧରେ । ‘‘ଯୋଉ ସାହାଯ୍ୟ କଥା ଆପଣ କହୁଚନ୍ତି, ମାଷ୍ଟରବାବୁ, ଆପଣ ସେଟାକୁ ଠିକ୍‌ ଧରି ପାରିନାହାନ୍ତି ବୋଲି ମୋର ମନେ ହେଉଚି । ସେଟା ବୋଧ ହୁଏ ମୁଁ ନିଜ ଯୋଗ୍ୟତା ବଳରେ ହାସଲ କରିଚି ।’’ ‘‘ନା,’’ ମାଷ୍ଟରବାବୁ ଉତ୍ତର ଦେଲେ, ସେ କେ. କୁ ଶେଷରେ ମୁହଁ ଖୋଲିବାକୁ ବାଧ୍ୟ କରି ପାରିଲେ ବୋଲି ମୁଚୁକି ମୁଚୁକି ହସୁଥାନ୍ତି । ‘‘ସେ କଥା କହିବା ପାଇଁ ଯଥେଷ୍ଟ କାରଣ ଅଛି ମୋ ପାଖରେ । ଜଣେ ମେହେନ୍ତରର ଆବଶ୍ୟକତା ଆମ ପାଖରେ ସେତିକି, ଯେତିକି ଜଣେ ଅମିନର ଆବଶ୍ୟକତା । ମେହେନ୍ତର ହେଉ, ଅମିନ ହେଉ, ଉଭୟେ ଆମ କାନ୍ଧରେ ଗୋଟାଏ ଗୋଟାଏ ବୋଝ । ଟାଉନ୍‌ କାଉନ୍‌ସିଲ୍‌ଙ୍କ ଆଗରେ ଏ ଚାକିରୀଟାର ଯୁକ୍ତି ଯୁକ୍ତତା ସାବ୍ୟସ୍ତ କରିବା ପାଇଁ ମୋତେ ଚିନ୍ତା କରିବାକୁ ପଡ଼ିବ, ବହୁତ ହଇରାଣ ହେବାକୁ ହେବ । ସବୁଠାରୁ ଭଲ ହେବ, ଠିକ୍‌ ହେବ, ପ୍ରସ୍ତାବଟା କେବଳ ପେଶ କରିଦେଲେ, ଏବଂ କୌଣସି ଯଥାର୍ଥ୍ୟ ସାବ୍ୟସ୍ତ ନ କଲେ ।’’ ‘‘ମୁଁ ଠିକ୍‌ ସେୟା କହୁଥିଲି,’’ କେ: ଉତ୍ତର ଦେଲା, ‘‘ମତେ ଆପଣ ଆପଣଙ୍କ ଇଚ୍ଛା ବିରୁଦ୍ଧରେ ହିଁ ନେଇ ଯିବାକୁ ପଡ଼ିବ । ଏବଂ ଜଣେ ଅନ୍ୟ ଜଣକୁ ନେବା ପାଇଁ ଯେତେବେଳେ ବାଧ୍ୟ ହୁଏ ଓ ସେ ଅନ୍ୟ ଜଣକ ନିଆ ହୋଇ ଯିବା ପାଇଁ ରାଜି ହୋଇଯାଏ, ତା’ ହେଲେ ସେ ଅନ୍ୟ ଜଣକ ହିଁ ପ୍ରକୃତରେ ସାହାଯ୍ୟ ଦେଲା ବୋଲି କୁହାଯିବ ।’’ ‘‘ଆଶ୍ଚର୍ଯ୍ୟ କଥା !’’ ମାଷ୍ଟରବାବୁ କହିଲେ, ‘‘ଆପଣଙ୍କୁ ନେବା ପାଇଁ ଆମେ ବାଧ୍ୟ କାହିଁକି ହେବୁ ? ଆମକୁ ବାଧ୍ୟ କରୁଛି କେବଳ ସୁପରିଣ୍ଟେଣ୍ଡେଣ୍ଟଙ୍କ ଉଦାର ହୃଦୟ, ତାଙ୍କର ଅତି ଉଦାର ହୃଦୟ । ମୁଁ ଦେଖୁଛି, ଅମିନବାବୁ, ଆପଣ ଜଣେ କାମିକା ମେହେନ୍ତର ହେବା ଆଗରୁ ଆପଣଙ୍କୁ ଗୁଡ଼ାଏ ଭ୍ରାନ୍ତ ଧାରଣାରୁ ମୁକ୍ତ ହେବାକୁ ପଡ଼ିବ । ଏବଂ ଆପଣ ଯେଉଁ ପ୍ରକାର ମନ୍ତବ୍ୟ ସବୁ କରୁଛନ୍ତି, ତଦ୍ଦ୍ୱାରା ଆପଣଙ୍କୁ ଦରମା ଦେବା ପାଇଁ କୌଣସି ଅନୁକୂଳ ପରିବେଶ ସୃଷ୍ଟି ହେଉନାହିଁ । ଆହୁରି ମଧ୍ୟ ମୁଁ ଦୁଃଖରେ ସହିତ ଲକ୍ଷ୍ୟ କରୁଛି ଯେ ଆପଣଙ୍କ ଦୃଷ୍ଟି ଭଙ୍ଗୀ ମୋତେ ବହୁତ ଜଞ୍ଜାଳରେ ପକାଇବ; ଏତେ ସମୟ ଧରି-ମୋ’ ନିଜ ଆଖିରେ ମୁଁ ଏହା ଦେଖିଛି, କିନ୍ତୁ ବିଶ୍ୱାସ କରି ପାରୁ ନାହିଁ-ଆପଣ ସାର୍ଟ ଓ ଚଡ଼ି ପିନ୍ଧି ମୋ ସହିତ କଥା ବାର୍ତ୍ତା କରୁଛନ୍ତି ।’’ ‘‘ଠିକ୍‌ କହିଛନ୍ତି,’’ କେ. ହସି ପକାଇ କହିଲା ଏବଂ ତାଳି ମାରିଲା, ‘‘ଏ ପ୍ରାଣ ଛଡ଼ା ସହକାରୀ ହଳକ, କୁଆଡ଼େ ଗଲେ ଏ ଯାଏଁ ? ଫ୍ରୀଡ଼ା ଦୁଆର ଆଡ଼କୁ ଦୌଡ଼ିଗଲା; ମାଷ୍ଟରବାବୁ ଦେଖିଲେ ଯେ କେ. କୁ ଆଉ ଟାଣି ଆଣି ହେବ ନାହିଁ କଥାବାର୍ତ୍ତା ଭିତରକୁ, ତେଣୁ ସେ ଫ୍ରୀଡ଼ାକୁ ପଚାରିଲେ ଯେ ସେ କେବେ ସ୍କୁଲରେ ଯାଇ ରହିବ । ‘‘ଆଜି,’’ ଫ୍ରୀଡ଼ା କହିଲା । ‘‘ତାହା ହେଲେ ପରିସ୍ଥିତି ଲକ୍ଷ୍ୟ କରିବା ପାଇଁ ମୁଁ କାଲି ଆସିବି,’’ ମାଷ୍ଟରବାବୁ କହିଲେ, ହାତ ହଲାଇ ବିଦାୟ ନେଲେ ଏବଂ ଫ୍ରୀଡ଼ା ନିଜେ ଯିବା ପାଇଁ ଖୋଲି ଥିବା ଦୁଆର ଆଡ଼କୁ ମୁହାଁଇଲେ । କିନ୍ତୁ ସେ ପରିଚାରିକାମାନଙ୍କୁ ହଠାତ୍‍ ଭେଟିଲେ; ସେମାନେ ଜିନିଷ ପତ୍ର ଧରି ରୁମ୍‍ଟା ଅଧିକାର କରି ନେବାକୁ ଆସୁଥାନ୍ତି । ସେ କାହାକୁ ବାଟ ନ ଛାଡ଼ି ନିଜେ ସେମାନଙ୍କ ମଝିରେ ଗଳି ଚାଲିଗଲେ । ଫ୍ରୀଡ଼ା ତାଙ୍କ ପଛେ ପଛେ ଗଲା । ତମେମାନେ ଭାରି ତରବର ହେଉଚ,’’ କେ: କହିଲା, ବର୍ତ୍ତମାନ ତା’କୁ ପରିଚାରିକାମାନେ ବେଶ ଭଲ ଲାଗୁଥିଲେ, ‘‘ଆମେ ଏଠି ଥାଉ ଥାଉ ହିଁ ତମେମାନେ କ’ଣ ପଶି ଆସିବ ?’’ ସେମାନେ କୌଣସି ଉତ୍ତର ଦେଲେ ନାହିଁ, ଖାଲି ଲାଜରେ ସେମାନଙ୍କ ବୁଜୁଳି ଗୁଡ଼ିକ ମୋଡ଼ା ମୋଡ଼ି କଲେ । ସେ ଗୁଡ଼ିକ ଭିତରୁ ଜଣା ଶୁଣା ମଇଳା କନା ସବୁ ବାହାରି ପଡ଼ିଥିବା କେ. ଲକ୍ଷ୍ୟ କଲା । ‘‘ତା’ ହେଲେ ତମ ଲୁଗାପଟା ତମେ ଏଯାଏଁ କେବେ ସଫା କଲନି,’’ କେ: କହିଲା । ଏ କଥାରେ ରାଗ ନଥିଲା, ବରଂ ଥିଲା କିଛିଟା ସ୍ନେହ । ସେମାନେ ଏହା ଲକ୍ଷ୍ୟ କଲେ, ଏକା ଥରେ ସମସ୍ତେ ସେମାନଙ୍କର ବନ୍ଦ୍‌ ପାଟି ଆଁ କଲେ, ସେମାନଙ୍କର ସୁନ୍ଦର ପଶୁ ସୁଲଭ ଦାନ୍ତ ଗୁଡ଼ିକ ଦେଖାଇଲେ ଏବଂ ନିଃଶବ୍ଦରେ ହସିଲେ । ‘‘ଆସ, ଆସ’’ କେ. କହିଲା, ‘‘ତମ ଜିନିଷ ପତ୍ର ରଖାରଖି କର, ଏଇଟା ତ ଯାହା ହେଲେ ବି ତମର ରୁମ୍‍ ।’’ ସେମାନେ ଆସୁ ନଥିବା ଦେଖି-ରୁମ୍‍ଟା ସେମାନଙ୍କୁ ପୂରା ବଦଳି ଯାଇଥିବା ଭଳି ମନେ ହୋଇଥିବ–କେ. ସେମାନଙ୍କ ଭିତରୁ ଜଣକର ହାତଟା ଧରି ଆଗକୁ ଟାଣିନେଲା । କିନ୍ତୁ ସେ ହଠାତ୍‌ ତା’ ହାତ ଛାଡ଼ି ଦେଲା, ଉଭୟେ ଆଶ୍ଚର୍ଯ୍ୟ ହୋଇ ଅନାଇଁଲେ, ତା’ ପରେ ପରସ୍ପରକୁ ମୁହୂର୍ତ୍ତକ ପାଇଁ ଅନାଇଁ ଦେବା ପରେ ସେମାନଙ୍କ ଦୃଷ୍ଟି କେ. ଉପରେ ନିବଦ୍ଧ କଲେ । ‘‘କିନ୍ତୁ ତମେ ଦୁହେଁ ତ ମତେ ବହୁତ ସମୟ ହେଲା ଅନାଇଲଣି,’’ କେ: କହିଲା, ଗୋଟାଏ ଅସ୍ପଷ୍ଟ, ଅଶ୍ୱସ୍ତିକର ଅନୁଭବକୁ ବାଧା ଦେଇ । ଫ୍ରୀଡ଼ା ଆସି ସାରିଥାଏ, ତା’ ପଛରେ ଚୋର ଭଳି ସହକାରୀ ହଳକ । ସେ ସଦ୍ୟ ଯେଉଁ ପୋଷାକ ଓ ଯୋତା ଆଣି ପହଞ୍ଚିଥିଲା, କେ. ସେଗୁଡ଼ିକ ନେଇ ପିନ୍ଧି ପକାଇଲା ତା’ ପରେ । ସହକାରୀ ମାନଙ୍କୁ ଫ୍ରୀଡ଼ା ଧୈର୍ଯ୍ୟ ସହକାରେ ସହୁଥାଏ ଏବଂ କେ: କୁ ଏ ପ୍ରକାର ଧୈର୍ଯ୍ୟ ସବୁବେଳେ ଅବୋଧ୍ୟ ମନେ ହେଉଥାଏ । ସେ ଧୈର୍ଯ୍ୟ ବର୍ତ୍ତମାନ ପୁଣି କେ: ଲକ୍ଷ୍ୟ କଲା । ବହୁତ ସମୟ ଖୋଜିବା ପରେ ଫ୍ରୀଡ଼ା ସେ ଦୁହିଁଙ୍କୁ ଆବିଷ୍କାର କରିଥିଲା । ତଳ ମହଲାରେ ଶାନ୍ତିରେ ଖାଉଥିବା ଅବସ୍ଥାରେ, ଯେଉଁ ଲୋଚା କୋଚା ଲୁଗା ପଟାକୁ ସେ ଦୁହେଁ ଅଗଣାରେ ଯାଇ ବ୍ରଶ୍‌ କରିବା କଥା, ସେ ସେମିତି ଦୁହିଁଙ୍କ କୋଳରେ ପଡ଼ିଥାଏ । ତା’ପରେ ଫ୍ରୀଡ଼ା ନିଜେ ସେ ସବୁ ବ୍ରଶ୍‌ କଲା, ତଥାପି ସେ ସାଧାରଣ ଲୋକଙ୍କୁ ସେମାନଙ୍କ ନିଜ ନିଜ ଯାଗାରେ ରଖିବାରେ ଏତେ ଧୁରନ୍ଧର, ସେ ଏ ଦୁହିଁଙ୍କୁ ଟିକିଏ ଗାଳି ବି ଦେଲା ନାହିଁ । ବରଂ ଦୁହିଁଙ୍କ ସାମ୍ନାରେ ଦୁହିଁଙ୍କ କାମରେ ହେଳା କଥା କହିଲା ସତେ ଯେମିତି ତାହା ଅତି ସାମାନ୍ୟ ଭୁଲଟିଏ । ଏବଂ ସେ ଜଣକୁ ତା’ ଗାଲରେ ସରୁ ଚାପୁଡ଼ାଟିଏ ମାରିଲା, ଗେଲ କଲା ଭଳି । ବର୍ତ୍ତମାନ କେ. ଏ ବିଷୟରେ ତା’ ସାଙ୍ଗରେ କଥାବାର୍ତ୍ତା କରିବା କଥା । କିନ୍ତୁ ସେମାନଙ୍କର ଯିବା ବେଳ ହେଲାଣି । ‘‘ସହକାରୀ ଦୁହେଁ ଏଠି ରହିବେ ଜିନିଷ ପତ୍ର କଢ଼ା କଢ଼ିରେ ତମକୁ ସାହାଯ୍ୟ କରିବାକୁ,’’ କେ. କହିଲା । ଏ ବ୍ୟବସ୍ଥା ସହକାରୀ ଦୁହିଁଙ୍କୁ ମୋଟେ ଭଲ ଲାଗିଲା ନାହିଁ । ଖିଆପିଆ ସାରି ସେ ଦୁହେଁ ଆରାମରେ ଥାଆନ୍ତି, ବର୍ତ୍ତମାନ ଟିକିଏ ବ୍ୟାୟାମ କରିଥିଲେ ଦୁହିଁଙ୍କୁ ଭଲ ଲାଗିଥାନ୍ତା । କେବଳ ଫ୍ରୀଡ଼ା ଯେତେବେଳେ କହିଲା, ‘‘ନିଶ୍ଚୟ, ତମେ ଦିହେଁ ଏଠି ଥାଅ,’’ ସେମାନେ ରାଜି ହେଲେ । ‘‘ମୁଁ କୁଆଡ଼େ ଯାଉଚି ତମେ ଜାଣିଚ କି ?’’ କେ. ପଚାରିଲା, ‘‘ହଁ’’ ଫ୍ରୀଡ଼ା ଉତ୍ତର ଦେଲା, ଆଉ ତମେ ମତେ ଆଉ ଅଟକେଇବାକୁ ଚାହୁଁନ ତ ?’’ କେ. ପଚାରିଲା ।’’ ‘‘ତମେ ଅନେକ ଅସୁବିଧାରେ ପଡ଼ିବ,’’ ଫ୍ରୀଡ଼ା ଉତ୍ତର ଦେଲା, ‘‘ତା’ ତୁଳନାରେ ମୋ’ କହିବା କଥା କିଛି ନୁହ !’’ ସେ କେ. କୁ ଚୁମ୍ବନ କରି ବିଦାୟ ଦେଲା, ଏବଂ କେ. ଯେହେତୁ ଖରାବେଳେ କିଛି ଖାଇ ନ ଥିଲା, ତା’କୁ ପାଉଁରୋଟି ମାଂସ ପୁଡ଼ାଟିଏ ଦେଲା, ଯାହାକୁ କି ସେ ତଳ ମହଲାରୁ ଆଣିଥିଲା, ତା’କୁ ମନେ ପକାଇ ଦେଲା ଯେ ସେ ଆଉ ଏଠିକି ନ ଫେରି ସିଧା ସ୍କୁଲକୁ ଚାଲିଯିବ, ଏବଂ ତା’ କାନ୍ଧ ଉପରେ ହାତ ରଖି ଦୁଆର ଯାଏଁ ତା’ ସାଙ୍ଗରେ ଗଲା ।

 

।। ଆଠ ।।

 

ସେହି ଉଷୁମ ଘର ଭିତରେ ପରିଚାରିକା ଓ ସହକାରୀମାନଙ୍କ ଗହଳିରୁ ଖସି ଆସିଥିବାରୁ କେ. କୁ ପ୍ରଥମେ ଖୁସି ଲାଗିଲା । ସାମାନ୍ୟ ଥଣ୍ଡା ଲାଗୁଥାଏ, ବରଫ ଟିକିଏ ଟାଣ ହୋଇ ଯାଇଥାଏ, ଚାଲିବା ସହଜ ଲାଗୁଥାଏ, କିନ୍ତୁ ଅନ୍ଧାର ପ୍ରକୃତରେ ମାଡ଼ି ଆସିବାକୁ ଆରମ୍ଭ କରିଥାଏ । ଏବଂ ସେ ଜଲ୍‌ଦି ଚାଲିବାକୁ ଲାଗିଲା ।

 

ଦୁର୍ଗର ଆକୃତି ଆକାର ଆଉ ବାରି ହେଉ ନ ଥାଏ, ସବୁବେଳ ପରି ତା’ ଚୁପ୍‌ ଚାପ୍‌ ଥାଏ; ଏଯାଏଁ କେବେ ହେଲେ ସେଠି ଲୋକବାକ ଥିବାର ସୂଚନା କେ. ପାଇ ନଥାଏ-ବୋଧହୁଏ ଏତେ ଦୂରରୁ କିଛି ଦେଖି ପାରିବା ଅସମ୍ଭବ, ତଥାପି ଆଖି ଚାହୁଁଥାଏ ଦେଖିବାକୁ ଏବଂ ସେ ନୀରବତାକୁ ସହି ପାରୁ ନଥାଏ । କେ ଯେତେବେଳେ ଦୁର୍ଗ ଆଡ଼କୁ ଅନାଏଁ, ସବୁ ସମୟରେ ତା’ର ମନେହୁଏ, ସତେ ଯେମିତି ସେ ଦେଖୁଛି କିଏ ଜଣେ ତା’ ଆଗରେ ଚୁପ୍‌ ଚାପ୍‌ ବସି ଚାହିଁ ରହିଛି, ଚିନ୍ତାରେ ବୁଡ଼ି ନୁହେ, ସବୁ କଥା ପ୍ରତି ଉଦାସୀନ ରହି ନୁହେ; ବରଂ ସ୍ୱାଧୀନ ଓ ଜଞ୍ଜାଳହୀନ ଭାବରେ, ସତେ ଯେମିତି ସେ ଏକାନ୍ତ କେହି ତା’କୁ ଲକ୍ଷ୍ୟ କରୁନାହିଁ, କିନ୍ତୁ ତା’କୁ କେହି ଲକ୍ଷ୍ୟ କରିବା ସେ ନିଶ୍ଚୟ ଦେଖିବ, ଏବଂ ଏହା ସତ୍ତ୍ୱେ ସେ ତା’ର ନୀରବତା ବଜାଇ ରଖିଛି, ସାମାନ୍ୟତମ ଜଞ୍ଜାଳ ନାହିଁ । ଏବଂ ପ୍ରକୃତରେ-ଜଣେ ଜାଣି ପାରିବ ନାହିଁ ସେଟା କାରଣ ନା ପରିଣତି-ଲକ୍ଷ୍ୟ କରୁଥିବା ବ୍ୟକ୍ତିର ଦୃଷ୍ଟି ସେଠି ସ୍ଥିର ରହି ପାରିବ ନାହିଁ, ଖସି ଯିବ, ଆଜିର ଗୋଧୂଳି ବେଳାରେ ତା’ର ଏହି ଅନୁଭବ ଆହୁରି ଅଧିକ ତୀବ୍ର ହୋଇଗଲା । ସେ ଯେତେ ବେଶୀ ଅନାଉଁଥାଏ, ସେତେ କମ୍‌ ସେ ଦେଖି ପାରୁଥାଏ, ଏବଂ ଗୋଧୂଳିର ଅନ୍ଧାର ଭିତରେ ସବୁ ହଜି ଯାଉଥାଏ ।

 

ହେରେନ୍‌ ହଫରେ ପହଞ୍ଚି କେ. ଦେଖିଲା ଆଲୁଅ ଲାଗିନାହିଁ, ପ୍ରଥମ ମହଲାର ଝରକାଟିଏ ଖୋଲାଅଛି, ଏବଂ ଜଣେ ମୋଟା ଚିକକଣ ଖିଅର ହୋଇଥିବା ଯୁବକ ରୁମରୁମିଆ କୋଟଟିଏ ପିନ୍ଧି ଝରକା ପାଖରେ ଠିଆ ହୋଇ ବାହାରକୁ ଅନାଇଁଛି । କେ. ର ସମ୍ଭାଷଣ ପ୍ରତି ସେ ସାମାନ୍ୟତମ ଦୃଷ୍ଟି ଦେଲା ଭଳି ମନେ ହେଲାନାହିଁ । ହଲ୍‌ରେ ନୁହେ କି ମଦ ବିକା ଘରେ ନୁହେ, କେ. କାହାକୁ ଦେଖିଲା ନାହିଁ । ଗତ ଥର ଅପେକ୍ଷା ପଚା ବିୟର୍‌ର ଦୁର୍ଗନ୍ଧ ଆହୁରି ତୀବ୍ର ମନେ ହେଲା । ପୋଲ ପାଖରେ ଥିବା ହୋଟେଲ୍‌ରେ ଏପ୍ରକାର ଦୁରବସ୍ଥା କେବେ ହେବାକୁ ଦିଆଯାଏ ନାହିଁ । ଯେଉଁ ଦୁଆର ବାଟେ କେ: କ୍ଳାମ୍‌ଙ୍କୁ ଦେଖିଥିଲା, ସେଠିକି ସେ ସଧା ଚାଲିଗଲା, ସାବଧାନରେ କିଳିଣି କାଠ ଉଠାଇଲା, କିନ୍ତୁ ଦୁଆରଟା ଭିତରୁ ବନ୍ଦ୍‌ କରି ଦିଆହୋଇଥିଲା । ତା’ପରେ ସେ ଛିଦ୍ରଟା ଅଣ୍ଡାଳିଲା, କିନ୍ତୁ ତା’ବି ଏମିତି ମୁଦି ଦିଆ ହୋଇଥିଲା ସେ ଯାଗାଟା ବି ଖୋଜି ପାଇଲା ନାହିଁ, ତେଣୁ ସେ ଦିଆସିଲି କାଠିଟେ ଜଳାଇଲା । ଗୋଟାଏ ଚିତ୍‌କାର ଶୁଣି ସେ ଚମକି ପଡ଼ିଲା । ଦୁଆର ଓ ପଇସା ରଖିବା ଡ୍ରୟର୍‌ ମଝିରେ, ନିଆଜଳା ଯାଗା ପାଖରେ, ଗୋଟିଏ କମ୍‌ ବୟସୀ ଝିଅ ଆଣ୍ଠେଇ ପଡ଼ି ଦିଆସିଲି ଆଲୁଅରେ ତା’ ଆଡ଼କୁ ଅନାଇଁ ଥିଲା । ନିଦ ମଳ ମଳ ଅଧା ଖୋଲା ଆଖିରେ । ସେ ନିଶ୍ଚୟ ଫ୍ରୀଡ଼ା ଯାଗାରେ ଆସିଥିଲା । ସେ ଶୀଘ୍ର ନିଜକୁ ସଂଯତ କରି ନେଲା ଏବଂ ଇଲେକ୍‌ଟ୍ରିକ୍‌ ଲାଇଟ ଜଳାଇଲା । ତା’ ମୁହଁରେ ରାଗ । ତା’ପରେ ସେ କେ. କୁ ଚିହ୍ନି ପାରିଲା । ‘‘ଆରେ, ଅମିନବାବୁ,’’ ସେ ହସି କହିଲା, ତା’ ହାତ ବଢ଼ାଇଦେଲା ଏବଂ ନିଜର ପରିଚୟ ଦେଲା । ‘‘ମୋ ନାଁ ପେପି ।’’ ଛୋଟ ହୋଇ, ନାଲି ଗାଲି, ଥାକୁଲ୍‌ ଥୁକୁଲ୍‌ ଝିଅଟିଏ; ତା’ର ନାଲିଚିଆ ସୁନା ରଙ୍ଗର ଗହଳ ବାଳରେ ବନ୍ଧା ହୋଇଥାଏ ବେଣୀ, ତଥାପି କେତେଟା ବାଳ ଫିଟି ଆସି କପାଳ ଉପରେ କୁଞ୍ଚି କୁଞ୍ଚି ହୋଇ ପଡ଼ିଥାଏ । ସେ ପିନ୍ଧିଥାଏ ଧ୍ୱସର ରଙ୍ଗର ଚକ୍‌ ଚକ୍‌ କନାରେ ତିଆରି ପୋଷାକ, ସିଧା ସିଧା ତଳକୁ ଲମ୍ବିଥାଏ ଚକ୍‌ ଚକିଆ ଗାର, ସେ ପୋଷାକ, ତା’କୁ ମୋଟେ ମାନୁନଥାଏ; ସବା ତଳେ ପୋଷାକଟାରେ ଯୋଡ଼ା ହୋଇଥାଏ ଝାଲର ଲାଗିଥିବା ଗୋଟାଏ ପିଲାଳିଆ ଅଡ଼ୁଆ ଧରଣର ଫିତା, ଯାହା ଫଳରେ ସେ କଷ୍ଟରେ ଚାଲୁଥାଏ । ସେ ଫ୍ରୀଡ଼ା କଥା କହିଲା ଏବଂ ସେ ଶୀଘ୍ର ଫେରି ଆସୁଛି କି ବୋଲି ପଚାରିଲା । ପ୍ରଶ୍ନଟା ବେଶ୍‌ ଫୁଟାଣିଆ ମନେ ହେଲା । ‘‘ଫ୍ରୀଡ଼ା ଚାଲି ଯିବା ସାଙ୍ଗେ ସାଙ୍ଗେ,’’ ସେ ତା’ ପରେ କହିଲା, ‘‘ମତେ ଜରୁରୀ ଡାକରା ଆସିଲା କାରଣ ବର୍ତ୍ତମାନ ପାଇଁ ସେମାନେ ଉପଯୁକ୍ତ ଝିଅଟିଏ ପାଇଲେ ନାଇଁ । ମୁଁ ଶେଇବା ଘର ଦେଖାଶୁଣା କରୁଚି । କିନ୍ତୁ ଏଠିକି ଆସି କିଛି ଭଲ କଲିନି । ଏ ଚାକିରୀରେ ସଞ୍ଜବେଳେ ଓ ରାତିରେ ବହୁତ କାମ, ଭାରି ହାଲିଆ ଲାଗୁଚି, ବେଶୀ ଦିନ ଟିକିବି ବୋଲି ମୋର ମନେ ହେଉନି । ଫ୍ରୀଡ଼ା ଛାଡ଼ି ଚାଲି ଗଲା ବୋଲି ମୁଁ ମୋଟେ ଆଶ୍ଚର୍ଯ୍ୟ ହେଉନି । ‘‘ଫ୍ରୀଡ଼ା ଏଠି ଖୁବ୍‌ ସୁଖରେ ଥିଲା,’’ କେ. କହିଲା, ତା’କୁ ଜଣାଇ ଦେବାକୁ ଯେ ଫ୍ରୀଡ଼ା ଓ ତା’ ଭିତରେ ଅନେକ ପାର୍ଥକ୍ୟ ଅଛି, କିନ୍ତୁ ଝିଅଟିକୁ ଏକଥା ଭଲ ନ ଲାଗିଲା ଭଳି ମନେ ହେଲା । ‘‘ତା’ କଥା ବିଶ୍ୱାସ କରନ୍ତୁନି,’’ ପେପି କହିଲା । ‘‘ଫ୍ରୀଡ଼ା ଅନ୍ୟ ଅନେକଙ୍କ ଅପେକ୍ଷା ବେଶୀ କଥା ଲୁଚାଇପାରେ । ସେ ଯା’ ମାନିବାକୁ ଚାହିଁବନି କେବେ ମାନିବନି, ଆଉ ସେଇଥି ପାଇଁ କେହି କେବେ ଜାଣି ପାରିନି ସିଏ କିଛି ଲୁଚଉଚି ବୋଲି । ମୁଁ ଏଠି କେତେ ବର୍ଷ ତା’ ସାଙ୍ଗରେ ଚାକିରୀ କରିଚି । ସବୁଦିନ ରାତିରେ ଆମେ ଏକା ଖଟରେ ଶୋଉ, ତେବେ ବି ମୁଁ ତା’ ସାଙ୍ଗେ ଘନିଷ୍ଠ ହୋଇ ପାରିନି, ଆଉ ଏବେ ମୋ’ କଥା ତା’ର ମୋଟେ ମନେ ପଡ଼ୁ ନଥିବ, ଏକଥା ନିଶ୍ଚିତ । ତା’ର ଏକମାତ୍ର ସାଙ୍ଗ ବୋଧହୁଏ ‘ବ୍ରିଜ୍‌ ଇନ୍‌’ର ବୁଢ଼ୀ ମାଲିକାଣୀ ଜଣକ । ଆଉ ତା’ ପଛରେ ଗୋଟେ ଘଟଣା ଅଛି ।’’ ‘‘ଫ୍ରୀଡ଼ାକୁ ମୁଁ ବାହା ହେଉଚି,’’ କେ. କହିଲା, କବାଟ ଉପରେ ସିଦ୍ରଟା ଖୋଜୁ ଖୋଜୁ । ‘‘ମୁଁ ଜାଣିଚି,’’ ପେପି କହିଲା, ସେଇଥିପାଇଁ ତ ମୁଁ ଆପଣଙ୍କୁ କହିଲି । ନ ହେଲେ ଆପଣ କାଇଁକି କଥାଟା ଶୁଣିବାକୁ ଯିବେ ?’’

 

‘‘ମୁଁ ବୁଝୁଚି, କେ. କହିଲା । ‘‘ତମେ କହିବାକୁ ଚାହୁଁଚ ଯେ ମୁଁ ଏମିତି ଜଣେ ଓଠ ଚିପା ଝିଅକୁ ପାଇ ଗର୍ବିତ ହେବା ଉଚିତ । ‘‘ହଁ, ସେୟା,’’ ପେପି କହିଲା, ବିଜୟ ଦର୍ପରେ ହସି, ସତେ ଯେମିତି ଫ୍ରୀଡ଼ା ସଂପର୍କରେ କେ. ଏବଂ ତା’ ଭିତରେ ଗୋଟିଏ ଗୁପ୍ତ ବୁଝାମଣା ହୋଇ ଯାଇଛି ।

 

କିନ୍ତୁ ସେ ପ୍ରକୃତରେ ଯାହା ସବୁ କହିଲା ତା’ ଅପେକ୍ଷା ତା’ର ଚେହେରା ଏବଂ ଏଠି ତା’ର ଉପସ୍ଥିତି କେ. କୁ ଅଧିକ ବିଚଳିତ କରି ଦେଲା ଏବଂ ତା’ର ଗନ୍ତବ୍ୟ ରାସ୍ତାରୁ ସାମାନ୍ୟ ବିଚ୍ୟୁତ କରିଦେଲା । ଝିଅଟି ନିଶ୍ଚୟ ଫ୍ରୀଡ଼ାଠୁ ବହୁତ ସାନ, ପିଲାଟିଏ ଏବଂ ତା’ ପୋଷାକ ପତ୍ର ହାସ୍ୟକର । ଜଣେ ବାର୍‌ମେଡ଼ (ମଦ ପରଷିବା ପରିଚାରିକା) ସଂପର୍କରେ ତା’ର ଯେଉଁ ଉଚ୍ଚ ଧାରଣା ଥିଲା ସେ ଅନୁସାରେ ନିଶ୍ଚୟ ଝିଅଟି ପୋଷାକ ପିନ୍ଧିଥିଲା । ଏବଂ ତା’ ପାଇଁ ସେ ପ୍ରକାର ଧାରଣା ଠିକ୍‌ ଥିଲା, କାରଣ ଏ କାମ ତୁଲାଇବା ପାଇଁ ସେ ଏଯାଏଁ ଅସମର୍ଥ ଥିଲେ ମଧ୍ୟ ଚାକିରୀଟା ତା’କୁ ମିଳିଥିଲା ଖୁବ୍‌ ସହଜରେ ଓ ଆଶାତୀତ ଭାବରେ, ଏବଂ କେବଳ ବର୍ତ୍ତମାନ ପାଇଁ । ଏପରିକି ଯେଉଁ ଚମଡ଼ା ମୁଣିଟା ଫ୍ରୀଡ଼ା ସବୁବେଳେ ତା’ ବେଲ୍‌ଟରେ ଝୁଲାଇଥାଏ ସେଟା ଝିଅଟିକୁ ଏଯାଏଁ ମିଳିନଥିଲା । ଏବଂ ତା’ ଚାକିରୀ ନେଇ ତା’ର ପ୍ରକାଶ୍ୟ ଅସନ୍ତୋଷ ଅନ୍ୟ କିଛି ନଥିଲା, ଥିଲା ଏକପ୍ରକାର ଦେଖେଇ ହେବା । ତଥାପି, ତାର ପିଲାଳିଆ ମନ ସତ୍ତ୍ୱେ, ତା’ର ବି ଦୁର୍ଗରେ ଚିହ୍ନା ପରିଚୟ ଲୋକ ଥିଲା ଭଳି ମନେ ହେଉଥିଲା; ସେ ଯଦି ମିଛ କହୁ ନ ଥାଏ ସେ ଜଣେ ଚାମ୍ବର୍‌ମେଡ଼ (ହୋଟେଲ୍‌ ମାନଙ୍କରେ ଯେଉଁ ପରିଚାରିକା ବିଛଣା ପାରି ଦିଏ;) ତା’ ନିଜ ପାଖରେ କ’ଣ ଅଛି ସେ ବିଷୟରେ ଅଜ୍ଞ ଥାଇ ସେ ଦିନ ସାରା ଏଠି ଶୋଇ ରହୁଛି; ଏବଂ କେ. ଯଦି ଏଇ ସାନ, ଥାକୁଲ୍‌ ଥୁକୁଲ୍‌ ସାମାନ୍ୟ ଗାଲିଆ ପିଠି ବାଲୀ ଝିଅଟିକି ଆଲିଙ୍ଗନ କରନ୍ତା, ସେ ବି ବୁଝି ପାରନ୍ତା ନାହିଁ ତା’ ପାଖରେ କ’ଣ ଅଛି । ତଥାପି ସେ କ’ଣଟା ସହିତ ସେ ସଂପର୍କ ସ୍ଥାପନ କରି ପାରନ୍ତା ଏବଂ ତା’ ନିଜର କଠିନ କାର୍ଯ୍ୟ କରିବା ପାଇଁ ପ୍ରେରଣା ପାଆନ୍ତା । ତା’ହେଲେ ଝିଅଟିର ଅବସ୍ଥା ବର୍ତ୍ତମାନ କ’ଣ ଫ୍ରୀଡ଼ାର ଅବସ୍ଥା ଭଳି ? ନା, ନା, ତା’ ଭିନ୍ନ ଧରଣର । ଫ୍ରୀଡ଼ାର ଚାହାଣୀ ଦେଖିଲେ ହିଁ ଜଣେ ଜାଣି ପାରିବ । କେ. ପେପିକୁ କଦାପି ଛୁଇଁ ପାରିନଥାନ୍ତା । ତଥାପି ତା’ର ଦୃଷ୍ଟି କିଛିଟା ତଳକୁ କରିବାକୁ ପଡ଼ିଲା ତା’କୁ, ଏଡ଼େ ଲୋଭରେ ସେ ଝିଅଟିକି ଚାହିଁଥାଏ ।

 

ଲାଇଟ ଲିଭାଇ ଦେଇ ପେପି କହିଲା, ‘‘ଲଇଟ ଜଳିବା ନିୟମ ନାଇଁ । ମୁଁ ଖାଲି ଜଳେଇ ଦେଲି କାରଣ ଆପଣଙ୍କୁ ଦେଖି ମୁଁ ଡରି ଯାଇଥିଲି । ଆପଣଙ୍କର ଏଠି କାମ କ’ଣ ପ୍ରକୃତରେ ? ଫ୍ରୀଡ଼ା କ’ଣ ଛାଡ଼ି ଯାଇଚି କି ?’’ ‘‘ହଁ,’’ କେ. କହିଲା, ଦୁଆର ଆଡ଼କୁ ହାତ ଦେଖାଇ, ‘‘ଗୋଟେ ଟେବୁଲ କ୍ଳଥ୍‌, ଧଳା ଛୁଞ୍ଚି କାମ ହୋଇଥିବା ଟେବୁଲ୍‌ କ୍ଳଥ, ୟା ପର ରୁମ୍‍ଟାରେ ।’’ ‘‘ହଁ, ଟେବୁଲ୍‌ କ୍ଳଥ’’ ପେପି କହିଲା, ମୋର ମନେ ଅଛି, ସୁନ୍ଦର ଜିନିଷଟିଏ । ମୁଁ ନିଜେ ସେଥିରେ କିଛିଟା କାମ କରିଚି; କିନ୍ତୁ ସେ ରୁମ୍‌ରେ ସେଟ ନଥିବ । ଫ୍ରୀଡ଼ା ଭାବୁଚି ଅଛି । ସେଠି କିଏ ରହୁଚି ତେବେ-?’’ କେ: ପଚାରିଲା । ‘‘କେହି ନାଇଁ,’’ ପେପି କହିଲା, ‘‘ଭଦ୍ରଲୋକଙ୍କ ରୁମ୍‍ ସେଟା, ଭଦ୍ରଲୋକମାନେ ସେଠି ଖିଆ ପିଆ କରନ୍ତି, ମାନେ, ରୁମ୍‍ଟା କେବଳ ସେଇଥିପାଇଁ ଅଛି, କିନ୍ତୁ ଅଧିକାଂଶ ଭଦ୍ରଲୋକ ଉପର ମହଲାରେ ତାଙ୍କ ନିଜ ନିଜ ରୁମ୍‍ରେ ରହନ୍ତି ।’’ ‘‘ମୁଁ ଯଦି ଜାଣିଥାନ୍ତି,’’ କେ. କହିଲା, ‘‘ଯେ ସେଠି ଏବେ କେହି ନାହାନ୍ତି, ମୁଁ ଭିତରକୁ ପଶିଥାନ୍ତି ଓ ଟେବୁଲ୍‌ କ୍ଳଥଟା ଖୋଜିଥାନ୍ତି । କିନ୍ତୁ କିଛି ଜାଣି ହେବନି; କାହିଁକିନା କ୍ଳାମ୍‌ଙ୍କ ଅଭ୍ୟାସ ସେ ଅନେକ ସମୟରେ ସେଠି ବସିଥାନ୍ତି,’’ ‘‘କ୍ଳାମ୍‌ କିନ୍ତୁ ଏବେ ସେଠି ନାହାନ୍ତି,’’ ପେପି କହିଲା । ‘‘ସେ ଏଇକ୍ଷଣି ଚାଲିଯିବେ, ସେଥିପାଇଁ ପ୍ରସ୍ତୁତ ହେଉଚନ୍ତି, ଦାଣ୍ଡରେ ସ୍ଲେଜଗାଡ଼ି ଅପେକ୍ଷା କରିଚି ।’’

 

ଆଉ ପଦେ କଥା ନ କହି କେ: ମଦ ବିକା ଘରୁ ତତ୍‌କ୍ଷଣାତ୍‌ ବାହାରିଗଲା । ହଲ୍‌ରେ ପହଞ୍ଚିବା ପରେ ସେ ଦୁଆର ପାଖକୁ ନ ଆସି ଘର ଭିତର ଆଡ଼େ ପଶିଲା, ଏବଂ ଦି’ ଚାରି ପାହୁଣ୍ଡରେ ଅଗଣାରେ ପହଞ୍ଚିଗଲା । କି ସୁନ୍ଦର ଚୁପ୍‌ଚାପ୍‌ ଏଇ ଯାଗାଟି ! ଚାରି ଚଉକ ଅଗଣାଟିଏ, ତିନି ପାଖରେ ଘର, ଏବଂ ଦାଣ୍ଡ ଆଡ଼କୁ–ଗୋଟିଏ କଡ଼ ଗଳି, କେ: ଜାଣି ନଥିଲା-ଗୋଟାଏ ଉଁଚା ଧଳା କାନ୍ଥ, ବଡ଼ ଓଜନିଆ ଗେଟ୍‌ଟାଏ ସେଥିରେ, ବର୍ତ୍ତମାନ ଖୋଲା । ଏଠି, ଏଇ ଅଗଣାରେ, ଘରଟା ଦାଣ୍ଡପଟ ଅପେକ୍ଷା ବେଶୀ ଚୁପଚାପ୍‌ ଲାଗୁଥିଲା । କିଛି ନହେଲେ ବି, ପୂରା ଉପର ମହଲାଟା ବାହାରକୁ ବାହାରିପଡ଼ି ଭାରି ସୁନ୍ଦର ଦିଶୁଥାଏ, କାରଣ ତା’ ଚାରି ପାଖରେ ଥାଏ କାଠର ଗ୍ୟାଲେରି, ପୂରା ନିବୁଜ, ଖାଲି ଗୋଟିଏ ଛୋଟ ଫାଙ୍କ ଥାଏ ଅନାଇବା ପାଇଁ । କେ: ର ବିପରୀତ ଦିଗରେ, ଏବଂ ତଳ ମହଲାରେ, କିନ୍ତୁ ସେଇ ଯାଗାରେ ଯେଉଁଠି ଘରର ବିପରୀତ ପଟ ମୁଖ୍ୟ ଘର ସାଙ୍ଗରେ ଯୋଡ଼ି ହୋଇଥାଏ । ଘର ଭିତରକୁ ଯିବାକୁ ଗୋଟାଏ ବାଟ, ଖୋଲା, ଦୁଆର ନାହିଁ । ତା’ ସାମ୍ନାରେ ଠିଆ ହୋଇଥାଏ ଗୋଟିଏ କଳା ରଙ୍ଗର ନିବୁଜ ସ୍ଳେଜ୍‌ଗାଡ଼ି, ହେଲେ ଘୋଡ଼ା ଯୋଚା ହୋଇଥାନ୍ତି । ଗାଡ଼ିବାଲା ଯାହାକୁ ଏତେ ଦୂରରୁ ଏବଂ ସନ୍ଧ୍ୟା ବେଳର କ୍ଷୀଣ ଆଲୁଅରେ କେ: ଚିହ୍ନି ପାରିଲା ନାହିଁ, କିନ୍ତୁ ଅନୁମାନ କରି ପାରିଲା କିଏ ହୋଇଥିବ, ସେ ଗାଡ଼ିବାଲା ଛଡ଼ା ଆଉ କେହି ଦେଖାଯାଉ ନଥାନ୍ତି ।

 

ପକେଟ୍‌ରେ ହାତ ପୂରାଇ, ଚାରିଆଡ଼କୁ ସନ୍ତର୍ପଣରେ ଅନାଇ କେ. ଆସ୍ତେ ଆସ୍ତେ ଅଗଣାର ଦୁଇ ପାଖରେ କଡ଼େ କେଡ଼େ ଯାଇ ସ୍ଳେଜ୍‌ ଗାଡ଼ିଟା ପାଖରେ ପହଞ୍ଚିଲା । ଗାଡ଼ିବାଲା-ଜଣେ ଚାଷୀ ଯେକି ସେ ଦିନ ରାତିରେ ମଦ ବିକା ଘରେ ଥିଲା-ରୁମରୁମିଆ କୋଟ ପିନ୍ଧି ବେଶ୍‌ ଛାଁଟ୍‌ କାଟ୍‌ ଦିଶୁଥିଲା, ସେ କେ. ର ଉଦ୍ଦେଶ୍ୟହୀନ ଭାବରେ ଆସିବା ଲକ୍ଷ୍ୟ କରୁଥାଏ, ପ୍ରାୟ ଯେମିତି ଜଣେ ଗୋଟିଏ ବିରାଡ଼ିକୁ ଲକ୍ଷ୍ୟ କରେ । କେ. ତା’ ପାଖରେ ଯାଇ ଠିଆ ହେଲା ପରେ ବି, ତା’କୁ ସମ୍ଭାଷଣ ଜଣାଇବା ପରେ ବି-ଏବଂ ଜଣେ ଲୋକ ଅନ୍ଧାର ଭିତରୁ ବାହାରି ଆସୁଥିବା ଦେଖି ଘୋଡ଼ା ଯୋଡ଼ାକ ସାମାନ୍ୟ ଚଞ୍ଚଳ ହୋଇ ଉଠିଥାନ୍ତି-ଗାଡ଼ିବାଲା ସେମିତି ନିର୍ବକାର ରହିଲା-। କେ. ଠିକ୍‍ ସେୟା ଚାହୁଁ ଥିଲା । ଘର କାନ୍ଥ ଦେହରେ ଆଉଜି କେ. ଖାଦ୍ୟ ପୁଡ଼ିଆଟା ବାହାର କଲା, ସେଟା ଦେଇଥିବାରୁ ଫ୍ରୀଡ଼ାକୁ ମନେ ମନେ କୃତଜ୍ଞତା ଜଣାଇଲା, ଏବଂ ଘର ଭିତରକୁ ନିଠେଇ ଚାହିଁଲା । ଗୋଟାଏ ଅଖାଡ଼ୁଆ ଭଙ୍ଗା ସିଡ଼ି ତଳକୁ ଲମ୍ବିଥିଲା, ଏବଂ ତଳେ ମିଶିଥିଲା ଗୋଟାଏ ନୀଚା କିନ୍ତୁ ଗହୀରିଆ ବାରନ୍ଦା ସହିତ; ସବୁଆଡ଼ ଚୂନ ଧଉଳା ହୋଇ ପରିଷ୍କାର ଦିଶୁଥିଲା, ତୀକ୍ଷ୍ମ ଓ ସ୍ପଷ୍ଟ ଦିଶୁଥିଲା ।

 

ଯେତେ ସମୟ ଲାଗିବ ଭାବିଥିଲା ତା’ ଠାରୁ ଅଧିକ ସମୟ କେ. କୁ ଅପେକ୍ଷା କରିବାକୁ ପଡ଼ିଲା । ଅନେକ ଆଗରୁ ତାର ଖିଆ ସରିଥାଏ, ତା’କୁ ଭାରି ଥଣ୍ଡା ଲାଗୁଥାଏ, ସନ୍ଧ୍ୟା କଟି ପୂରା ଅନ୍ଧାର ହେଇ ଯାଇଥାଏ, ତଥାପି କ୍ଳାମ ଆସିନଥାନ୍ତି ।’’ ଆହୁରି ଅନେକ ଡେରି ହେଇପାରେ,’’ କାହାର ରୁକ୍ଷ ଗଳା ଶୁଭିଲା ହଠାତ୍‌, ଏତେ ପାଖରେ ଯେ କେ ଚମକି ପଡ଼ିଲା । ସେଟା ଥିଲା ଗାଡ଼ି ବାଲାର ଗଳା । ଗାଡ଼ିବାଲା ନିଦରୁ ଉଠିଲା ପରି ଅଳସ ଭାଙ୍ଗିଲା ଏବଂ ଶବ୍ଦ କରି ହାଇ ମାରିଲା ।’’ କ’ଣଟା ଅନେକ ଡେରି ହେବ,’’ କେ ପଚାରିଲା, ଗାଡ଼ିବାଲା ପ୍ରତି କିଛିଟା କୃତଜ୍ଞ ରହି କାରଣ ଯାଗାଟାର ନୀରବତା ଓ ତା’ ନିଜର ଉତ୍‌କଣ୍ଠା କେ. ମୁଣ୍ଡରେ ଗୋଟିଏ ବୋଝ ହୋଇ ସାରିଥିଲା । ‘‘ତମେ ଚାଲିଯିବ ଗାଡ଼ିବାଲା କହିଲା । କେ. ତା’ କଥା ବୁଝି ପାରିଲା ନାହିଁ, କିନ୍ତୁ ଆଉ କିଛି ପଚାରିଲା ନାହିଁ, ସେ ଭାବିଲା ଯେ ସେମିତି ଚୁପ୍‌ ରହିଲେ ହିଁ ସେ ଅହଙ୍କାରୀ ଲୋକଟାକୁ କଥା କୁହାଇ ପାରିବ । ଏହି ଅନ୍ଧାର ଭିତରେ ଉତ୍ତର ନ ଦେବା ମାନେ ହେଲା ଟିହାଇବା, ଏବଂ ପ୍ରକୃତରେ କିଛି ସମୟ ପରେ ଗାଡ଼ିବାଲା ପଚାରିଲା, ‘‘କିଛି ବ୍ରାଣ୍ଡି ପିଇବ କି ?’’ ‘‘ହଁ,’’ କେ. କହିଲା । କିଛି ଚିନ୍ତା ନ କରି, ବ୍ରାଣ୍ଡି ଲୋଭରେ, କାରଣ ତା’ ଦେହ ହାତ କାଲୁଆ ହୋଇ ଯାଉଥିଲା । ‘‘ତେବେ ଗାଡ଼ି କବାଟ ଖୋଲ,’’ ଗାଡ଼ିବାଲା କହିଲା, ‘‘ମୁଣାରେ କେତେଟା ଫ୍ଳାସ୍କ ଅଛି, ଗୋଟେ କାଢ଼; ଟିକିଏ ପିଇ ମତେ ଦିଅ । ଏଇ କୋଟ୍‌ ପିନ୍ଧି ତଳକୁ ଓହ୍ଲାଇବାକୁ ମତେ କଷ୍ଟ ହେବ ।’’ ୟାକର ତା’କର ଶୁଣି କେ. କୁ ବିରକ୍ତ ଲାଗିଲା, କିନ୍ତୁ ଗାଡ଼ିବାଲା ସାଙ୍ଗରେ ସଂପର୍କ ସ୍ଥାପନ କରି ପାରିଛି ଦେଖି ସେ ତା’ କଲା, ଗାଡ଼ି ଭିତରେ କ୍ଳାମ୍‌ ବସିଥିବାର ଆଶଙ୍କା ଥିଲେ ମଧ୍ୟ । ସେ ଚଉଡ଼ା କବାଟଟା ଖୋଲିଲା ଏବଂ କବାଟ ଭିତର ପଟେ ଝୁଲୁଥିବା ମୁଣାରୁ ଫ୍ଳାସ୍‌କଟିଏ ସହଜରେ ବାହାର କରି ଆଣି ପାରିଥାନ୍ତା, କିନ୍ତୁ କବାଟ ଖୋଲା ଦେଖି ଗାଡ଼ି ଭିତରକୁ ଟିକିଏ ଯିବାକୁ ତା’ର ଅଦମ୍ୟ ଇଚ୍ଛା ହେଲା, ସେ ଖାଲି ଚାହୁଁ ଥିଲା ଭିତରେ ଯାଇ ମୁହୂର୍ତ୍ତେ ବସିବ । ସେ ଭିତରକୁ ପଶିଲା, ଗାଡ଼ି ଭିତରେ ଭାରି ଉଷୁମ ଲାଗୁଥାଏ, ଉଷୁମ ସେମିତି ରହିଥାଏ ଯଦିଓ କବାଟଟା ପୁରା ଖୋଲା ଥାଏ, ବନ୍ଦ୍‌ କରିବାକୁ କେ. ର ସାହସ କୁଳାଇ ନଥାଏ । ଚାରିଆଡ଼େ ଏତେ କମ୍ବଳ, କୁସନ୍‌ ଓ ରୁମ୍‌ ରୁମିଆ ଗଦି ପଡ଼ିଥାଏ ଯେ ଜଣେ ସୀଟ୍‌ ଉପରେ ବସିଛି କି ନାହିଁ ଜାଣି ପାରିବ ନାହିଁ; ଯେଉଁ ପଟକୁ ଇଚ୍ଛା ସେ ପଟେ ବୁଲି ହେବ, ଗୋଡ଼ ଲମ୍ବାଇ ହେବ, ଏବଂ ଯାହା କର, ଉଷୁମ ନରମ ଗଦି ଭିତରେ ବୁଡ଼ି ରହିଥିବ । ଦୁଇ ହାତ ଲମ୍ବାଇ, ତକିଆ ଉପରେ ମୁଣ୍ଡ ରଖି-ସବୁଠି ତକିଆ ପଡ଼ିଥିଲା ଭଳି ଲାଗୁଥାଏ-କେ: ଗାଡ଼ି ଭିତରୁ ଅନ୍ଧାର ଘର ଆଡ଼କୁ ଚାହିଁଲା । ବାହାରିବା ପାଇଁ କ୍ଳାମ୍‌ ଏତେ ଡେରି କରୁଛନ୍ତି କାହିଁକି ? ବରଫ ଉପରେ ଏତେ ସମୟ ଅପେକ୍ଷା କଲା ପରେ ଏ ଉଷୁମ ଭିତରେ ସେ ବିହ୍ୱଳ ହୋଇ ପଡ଼ିଛି ଯେମିତି, କେ: ଚାହିଁଲା କ୍ଳାମ୍‌ ଶୀଘ୍ର ବାହାରି ଆସନ୍ତୁ । କ୍ଳାମ୍‌ ତା’କୁ ଏ ଅବସ୍ଥାରେ ନ ଦେଖନ୍ତୁ-ଏ ଚିନ୍ତା ତା’ ମନକୁ ଖାଲି ଛୁଇଁ ଦେଇ ଚାଲି ଯାଉଥାଏ, ତା’ର ଉପସ୍ଥିତି ଆରାମକୁ ଟିକିଏ ଚହଲାଇ ଦେଇ । ଗାଡ଼ିବାଲାର ବ୍ୟବହାର ତା’ର ଏହି ଆତ୍ମ-ବିସ୍ତୃତ ଭାବକୁ ପୁଷ୍ଟ କରୁଥାଏ । ଗାଡ଼ିବାଲା ନିଶ୍ଚୟ ଜାଣିଥାଏ ଯେ କେ: ଗାଡ଼ି ଭିତରେ ପଶିଛି, କିନ୍ତୁ ଥରେ ହେଲେ ତା’କୁ ବ୍ରାଣ୍ଡିଟା ମାଗୁ ନଥାଏ, ତା’କୁ ସେମିତି ବସିବାକୁ ଦେଇଥାଏ ଲୋକଟା ଭାରି ଉଦାର କିନ୍ତୁ କେ: ଚାହିଁଲା ତାକୁ ବ୍ରାଣ୍ଡିଟା ଦେବ । ବସିବା ଯାଗାରୁ ନ ଉଠି ଆସ୍ତେ କିନା କେ, ମୁଣା ଭିତରେ ହାତ ପୁରାଇଲା । ଖୋଲାଥିବା କବାଟର ମୁଣାରେ ନୁହେ, ତା’ ପଛ ପଟେ ଥିବା ବନ୍ଦ୍‌ କବାଟର ମୁଣାରେ, ସେଥିରେ କିଛି ଯାଏ ଆସେନାହିଁ, କାରଣ ସେ ମୁଣାଟାରେ ବି ଗୁଡ଼ାଏ ଫାସ୍କ ଥିଲା, ସେ ଗୋଟାଏ ଫ୍ଳାସ୍କ ବାହାର କରି ଆଣିଲା, ଠିପି ଖୋଲିଲା ଏବଂ ଶୁଂଘିଲା; ତା’ ମୁହଁରେ ହସ ଫୁଟିଲା ଏଡ଼େ ସୁନ୍ଦର ବାସ୍ନା ସେ ବ୍ରାଣ୍ଡିର, ଏଡ଼େ ମିଠା; ବହୁତ ଭଲ ଲାଗୁଥିବା ଲୋକର ପ୍ରଶଂସା ପରି, ଭଲ କଥା ପଦକ ପରି, ଯେଉଁକଥା ପଦକର ଉଦ୍ଦେଶ୍ୟ କ’ଣ ଜଣା ପଡ଼େ ନାହିଁ, ଜାଣିବାକୁ ଇଚ୍ଛା ହୁଏ ନାହିଁ, ଖାଲି ଏତିକି ଜାଣି ଖୁସି ଲାଗେ ଯେ କହୁଥିବା ଲୋକଟି ଜଣେ ସାଙ୍ଗ । ‘‘ଏଇଟା କ’ଣ ବ୍ରାଣ୍ଡି ?’’ କେ ସନ୍ଦେହରେ ପଡ଼ି ନିଜକୁ ପଚାରିଲା ଏବଂ କୌତୁହଳ ବଶତଃ ଟିକିଏ ଚାଖିଲା । ହଁ, ଆଶ୍ଚର୍ଯ୍ୟ କଥା, ଏଇଟା ବ୍ରାଣ୍ଡି, ଏବଂ ତା’ ଭିତରଟା ଗରମ ହୋଇଗଲା । ପିଇଲା ପରେ କି ଆଶ୍ଚର୍ଯ୍ୟ ଭାବରେ ଜିନିଷଟା ବଦଳିଗଲା, ସାଧାରଣ ଅତର ଭଳି ବାସ୍ନା ହେଉଥିବା ଗୋଟାଏ ପାଣି ଜିନିଷ ଜଣେ ଗାଡ଼ିବାଲାର ଉପଯୁକ୍ତ ମଦ୍ୟରେ ପରିଣତ ହୋଇଗଲା ! ‘‘ସତରେ କ’ଣ ବ୍ରାଣ୍ଡି ?’’ କେ ନିଜକୁ ପଚାରିଲା ସତେ ଯେମିତି ନିଜକୁ ତିରସ୍କାର କରୁଛି, ଏବଂ ପୁଣି ଢୋକେ ପିଇଲା ।

 

ତା’ପରେ-କେ ସେତେବେଳକୁ ପାଟିରେ ପାଟିଏ ବ୍ରାଣ୍ଡି ଧରି ଢୋକୁଥାଏ-ସବୁ କିଛି ଉଜ୍ଜ୍ୱଳ ହୋଇଗଲା, ସିଡ଼ିରେ ଇଲେକ୍‌ଟ୍ରିକ ଲାଇଟ ଗୁଡ଼ାକ ଜଳି ଉଠିଲା, ବାରନ୍ଦାରେ ପହିଲା ନମ୍ବର ହଲ୍‌ରେ, ବାହାରେ, ଦୁଆର ବନ୍ଧ ଉପରେ ସବୁଠି । ସିଡ଼ିରେ କାହାର ଓହ୍ଲାଇବା ଶବ୍ଦ ଶୁଭିଲା, କେ: ହାତରୁ ଫ୍ଲାସ୍‌ଟାକୁ ଖସି ପଡ଼ିଲା, ତଳ ଗାଲିଚାରେ ବ୍ରାଣ୍ଡିଗୁଡ଼ା ପଡ଼ିଗଲା, ସ୍ଲେଜ ଭିତରୁ ସେ ବାହାରକୁ ଡେଇଁ ପଡ଼ିଲା, ଜୋର୍ ଶବ୍ଦ କରି କବାଟଟା ବନ୍ଦ୍ କରିଛି କି ନାହିଁ ଜଣେ ଭଦ୍ର ଲୋକ ଧୀରେ ଧୀରେ ବାହାରକୁ ଆସିଲେ । କେ. ଆଶ୍ୱସ୍ତ ହେଲା ଦେଖି ଯେ ଭଦ୍ରଲୋକ କ୍ଳାମ୍ ନୁହଁନ୍ତି, କିନ୍ତୁ ତାହା କ’ଣ ଦୁଃଖର କଥା ନୁହେ ବରଂ ? ସେହି ଭଦ୍ରଲୋକ ଯାହାକୁ ପ୍ରଥମ ମହଲାରେ ଝରକା ପାଖରେ ଦେଖିଥିଲା । ଯୁବକ, ଦେଖିବାକୁ ଭାରି ସୁନ୍ଦର, ଗୋଲାପୀ ଗୋରା ଦେହ, କିନ୍ତୁ ଭାରି ଗମ୍ଭୀର । କେ, ମଧ୍ୟ ତାଙ୍କ ଆଡ଼କୁ ଗମ୍ଭୀର ଭାବରେ ଚାହିଁଲା, କିନ୍ତୁ ତା’ର ଗାମ୍ଭୀର୍ଯ୍ୟ ଥିଲା ତା’ ନିଜ ପାଇଁ ଉଦ୍ଦିଷ୍ଟ । ପ୍ରକୃତରେ ଭଲ ହୋଇଥାନ୍ତା ସେ ଯଦି ତା’ ସହକାରୀମାନଙ୍କୁ ଏଠାକୁ ପଠାଇଥାନ୍ତା, ସେମାନେ ତା’ ଅପେକ୍ଷା ବେଶୀ ନିର୍ବୋଧ ବ୍ୟବହାର ଦେଖାଇ ନଥାନ୍ତେ । ଭଦ୍ରଲୋକ ଜଣକ ଚୁପ୍‌ଚାପ୍‌ ତା’ ଆଡ଼କୁ ଚାହିଁଥାନ୍ତି, ସତେ ଯେମିତି ତା’କୁ ଯାହା କହିବା କଥା କହିବା ପାଇଁ ତାଙ୍କର ଉତ୍ତେଜିତ ଫୁସ୍‌ ଫୁସ୍‌ରେ ଆଉ ପବନ ନଥିଲା । ‘‘ଏକଥା କେବେ ତ ଶୁଣା ନଥିଲା, ସେ କହିଲେ ଶେଷରେ, କପାଳ ଉପରକୁ ଟେ ପିଟା ସାମାନ୍ୟ ଟେକି ଦେଇ । ଏହାପରେ କ’ଣ ? କେ. ର ଗାଡ଼ି ଭିତରେ ଯାଇ ବସିବା କଥା ଭଦ୍ର ଲୋକ ବୋଧହୁଏ ଜାଣି ନଥିଲେ, ତଥାପି କେବେ ଶୁଣା ନଥିବା କଥାଟେ ସେ ଦେଖିଲେ ? କ’ଣ କେ: ଅଗଣା ମାଡ଼ି ଆସିଥିବା କଥାଟା ? ‘‘ଆପଣ ଏଠିକି କେମିତି ଆସିଲେ ?’’ ଭଦ୍ରଲୋକ ପଚାରିଲେ ତା’ ପରେ, ଖୁବ୍‌ ଧୀର ଗଳାରେ, ଆରାମରେ ନିଃଶ୍ୱାସ ମାରି ଏବଂ ଅପରିହାର୍ଯ୍ୟ ଯାହା ତାହାକୁ ଗ୍ରହଣ କରି ନେଇ । କି ପ୍ରଶ୍ନ ଏ ସବୁ । ଏବଂ ଜଣେ ବା କି ଉତ୍ତର ଦେବ ? କେ: କ’ଣ ଲୋକଟା ଆଗରେ ସିଧା ସହଜ ଭାବରେ ମାନିଯିବ ଯେ ଏତେ ଆଶା କରି ସେ ଯେଉଁ ଚେଷ୍ଟା କରିଥିଲା ତାହା ବିଫଳ ହୋଇଗଲା ? ଉତ୍ତର ଦେବା ପରିବର୍ତ୍ତେ କେ, ସ୍ଲେଜ ଆଡ଼କୁ ଗଲା, କବାଟ ଖୋଲିଲା, ତା’ ଟୋପିଟା ଆଣିଲା ଯେଉଁଟା ସେ ସେଠି ଭୁଲ୍‌ରେ ଛାଡ଼ି ଆସିଥିଲା । ପାଦ ରଖିବା ପଟାରୁ ବ୍ରାଣ୍ଡି ଟୋପା ଟୋପା ପଡ଼ୁଥିବା ଦେଖି ତା’କୁ ଆସ୍ୱସ୍ତି ଲାଗିଲା ।

 

ତା’ପରେ ସେ ଭଦ୍ରଲୋକଙ୍କ ଆଡ଼କୁ ବୁଲିଲା, ସେ ଗାଡ଼ି ଭିତରେ ପଶିଥିଲା ବୋଲି ଭଦ୍ରଲୋକଙ୍କୁ ଜଣାଇବାକୁ ସେ ଆଉ କୌଣସି ବାଧ୍ୟ ବାଧକତା ଅନୁଭବ କଲା ନାହିଁ, ତା’ଛଡ଼ା ସେଟା ତ ସବୁଠାରୁ ଖରାପ କଥା ନୁହେ । ତା’କୁ ଯଦି ପଚରାଯାଏ ଏବଂ କେବଳ ପଚରାଗଲେ ହିଁ ସେ କହିଦେବ ଯେ ଅନ୍ତତଃ ଗାଡ଼ିବାଲା ନିଜେ ଗାଡ଼ିର କବାଟ ଖୋଲିବା ପାଇଁ ତା’କୁ କହିଥିଲା । କିନ୍ତୁ ପ୍ରକୃତ ବିପର୍ଯ୍ୟୟଟା ହେଲା, ସେ ଭଦ୍ରଲୋକଙ୍କୁ ଦେଖି ବିସ୍ମିତ ହୋଇ ପଡ଼ିଥିଲା, ଲୁଚି ପଡ଼ିବାକୁ ତା’ ହାତରେ ଯଥେଷ୍ଟ ସମୟ ନଥିଲା, ତା’ପରେ ସେ ଆରାମରେ କ୍ଳାମ୍‌ଙ୍କୁ ଅପେକ୍ଷା କରିଥାନ୍ତା । କିମ୍ବା କବାଟ ବନ୍ଦ କରି ଦେଇ ଗାଡ଼ିରେ କମ୍ବଳ ଭିତରେ କ୍ଳାମ୍‌କୁ ଅପେକ୍ଷା କରି ରହିବା ପାଇଁ କିମ୍ବା ଅନ୍ତତଃ ଏ ଲୋକ ଜଣକ ପାଖ ଆଖରେ ଥିବା ଯାଏଁ ଗାଡ଼ି ଭିତରେ ରହିଯିବା ପାଇଁ ତା’ ମୁଣ୍ଡକୁ ବୁଦ୍ଧି ଜୁଟିଲା ନାହିଁ । ସତ, ସେ ଅବଶ୍ୟ ଜାଣି ପାରିନଥିଲା ଯେ ଆସୁଥିବା ଲୋକ ଜଣକ କ୍ଳାମ୍ ନୁହଁନ୍ତି, ଯଦି କ୍ଳାମ୍‌ ହୋଇଥାନ୍ତେ ତା’ହେଲେ ଗାଡ଼ି ବାହାରେ ହିଁ ତାଙ୍କୁ ଅଟକାଇ କଥାବାର୍ତ୍ତା କରିଥିଲେ ପ୍ରକୃତରେ ଭଲ ହୋଇଥାନ୍ତା । ହଁ, ବହୁତ କଥା ଚିନ୍ତା କରିବାର ଥିଲା, କିନ୍ତୁ ବର୍ତ୍ତମାନ ଆଉ ନୁହେଁ, କାରଣ ଏହା ହିଁ ତ ଶେଷ ।

 

‘‘ମୋ’ ସାଙ୍ଗରେ ଆସନ୍ତୁ,’’ ଭଦ୍ରଲୋକ କହିଲେ, ଆଦେଶ କଲା ଭଳି ନୁହେଁ, କାରଣ ଏ ଶବ୍ଦ ଗୁଡ଼ିକରେ ଆଦେଶ ନିହିତ ନଥିଲା, ଥିଲା ସେ ବଢ଼ାଇଥିବା ହାତର ସାମାନ୍ୟ ସୁଚିନ୍ତିତ ଉଦାସୀନ ଭଙ୍ଗିରେ । ‘‘ମୁଁ ଏଠି ଜଣକୁ ଅପେକ୍ଷା କରିଚି,’’ କେ. କହିଲା, କୌଣସି ସଫଳତା ଆଶା କରି ନୁହେ, କେବଳ ନୀତିଗତ ଭାବରେ । ‘‘ଆସନ୍ତୁ,’’ ଭଦ୍ରଲୋକ ମୋଟେ ବିଚଳିତ ନ ହୋଇ ପୁଣି ଥରେ କହିଲେ, ସତେ ଯେମିତି ସେ ଜଣାଇଦେବାକୁ ଚାହୁଁଥିଲେ ଯେ କେ: କାହାକୁ ଅପେକ୍ଷା କରି ରହିଥିବା ବିଷୟରେ ସେ ନିଃସନ୍ଦେହ ଥିଲେ । ‘‘କିନ୍ତୁ ତା’ ହେଲେତ ଲୋକଟି ସାଙ୍ଗରେ ମୋର ଦେଖା ହୋଇ ପାରିବନି,’’ ଜୋର୍‌ରେ ମୁଣ୍ଡ ହଲାଇ କେ: କହିଲା । ଯାହା ସବୁ ଘଟିଗଲା ତା’ ସତ୍ତ୍ୱେ କେ:ର ଧାରଣା ହେଉଥିଲା ଯେ ସେ ଏଯାଏଁ ଯାହା ହାସଲ କରିଛି ତାହା ତା’ର ଲାଭ ହୋଇଛି । ଅବଶ୍ୟ ବର୍ତ୍ତମାନ ତା’ର ମନେ ହେଉଥିଲା ଯେ ତାହା ଲାଭ ଭଳି ଦିଶୁଛି ମାତ୍ର, କିନ୍ତୁ ଖାଲି ଗୋଟିଏ ଭଦ୍ର ଆଦେଶ ପାଇଁ ସେ ତାହା ତ ପରିତ୍ୟାଗ କରି ପାରିବ ନାହିଁ । ‘‘ଆପଣ ଲୋକଟାର ଦେଖା ପାଇବେ ନାହିଁ, ରହନ୍ତୁ କି ଯାଆନ୍ତୁ,’’ ଭଦ୍ରଲୋକ ରୋକ୍‌ ଠୋକ୍‌ ଭାବରେ କହିଲେ, କିନ୍ତୁ କେ.ର ଚିନ୍ତାଧାରା ପ୍ରତି କିଛିଟା ଆଶାତୀତ ସହାନୁଭୂତି ଦେଖାଇ । ‘‘ତା’ ହେଲେ ମୁଁ ଅପେକ୍ଷା କରିବି, ଦେଖା ନହେଲେ ନାଇଁ,’’ କେ. କହିଲା, ତାଙ୍କ କଥା ଅମାନ୍ୟ କରି । ଏଇ ଯୁବକଟିର କଥାରେ ପଡ଼ି ସେ ନିଶ୍ଚୟ ଏଠାରୁ ଚାଲିଯିବ ନାହିଁ । ଏହା ପରେ ଭଦ୍ରଲୋକ ତାଙ୍କ ମୁଣ୍ଡ ପିଠିପଟକୁ ଝୁଙ୍କାଇ, ମୁହଁରେ ଅହଙ୍କାର ଭାବ ଫୁଟାଇ, କିଛିକ୍ଷଣ ପାଇଁ ଆଖି ବନ୍ଦ୍‌ କଲେ, ସତେ ଯେମିତି ସେ ଚାହୁଁଥିଲେ, କେ.ର ମୂର୍ଖାମି ଭିତରୁ ନିଜର ବୁଦ୍ଧିମତ୍ତା ଆଡ଼କୁ ଫେରି ଆସିବାକୁ ଅଳ୍ପ ଖୋଲିଥିବା ଓଠ ଦୁଇଟି ଉପରେ ଜିଭ ଆଗ ବୁଲାଇ ଆଣିଲେ ଏବଂ ପରିଶେଷରେ ଗାଡ଼ିବାଲାକୁ କହିଲେ, ‘‘ଘୋଡ଼ାଙ୍କୁ ଫିଟେଇ ଦିଅ ।’’

 

ଭଦ୍ରଲୋକଙ୍କ ଆଜ୍ଞା ପାଳନ କରି, କିନ୍ତୁ କେ. ଆଡ଼କୁ ରାଗରେ ବଙ୍କେଇ ଚାହିଁ, ତା’ର ରୁମ ରୁମିଆ କୋଟ ସତ୍ତ୍ୱେ ଗାଡ଼ିବାଲାକୁ ବର୍ତ୍ତମାନ ଓହ୍ଲାଇବାକୁ ପଡ଼ିଲା । ସତେ ଯେମିତି ସେ ଭଦ୍ରଲୋକଙ୍କର ଠାରୁ ଅନ୍ୟ ପ୍ରକାର ଗୋଟାଏ ଆଦେଶ ଅପେକ୍ଷା କେ, ଠାରୁ ଗୋଟିଏ ଯୁକ୍ତିଯୁକ୍ତ ମନ୍ତବ୍ୟ ଅଧିକ ଆଶା କରୁଥିଲା । ଗାଡ଼ିବାଲା ସ୍ଲେଜ ଓ ଘୋଡ଼ାଙ୍କୁ କଡ଼ ଘର ଆଡ଼କୁ ପଛେଇ ନେଲା କୁଣ୍ଠିତ ଭାବରେ, ସେଠି ବୋଧହୁଏ ଗାଡ଼ି ରହିବା ସେଡ଼୍‌ଟା ଥିଲା, ଗୋଟାଏ ବଡ଼ କବାଟର ପଛ ପଟେ, କେ: ଦେଖିଲା ଯେ ସମସ୍ତେ ତା’କୁ ଛାଡ଼ିଗଲେ, ସ୍ଲେଜଟା ଗୋଟାଏ ଦିଗରେ ଅଦୃଶ୍ୟ ହୋଇ ଯାଉଥାଏ, ଅନ୍ୟ ଦିଗରେ, ଯେଉଁ ବାଟରେ ସେ ନିଜେ ଆସିଥିଲେ; ଭଦ୍ରଲୋକ ଚାଲି ଯାଉଥାନ୍ତି । ଉଭୟେ ଆସ୍ତେ ଆସ୍ତେ ଯାଉଥାନ୍ତି, ସତ କଥା । ସତେ ଯେମିତି ସେମାନେ କେ.କୁ ଜଣାଇ ଦେବାକୁ ଚାହୁଁଥାନ୍ତି ଯେ ତା’ର ଇଚ୍ଛା ହେଲେ ସେ ସେମାନଙ୍କୁ ଫେରି ଆସିବା ପାଇଁ କହିପାରେ ।

 

ବୋଧହୁଏ ସେ ତାହା କରିପାରିଥାନ୍ତି; କିନ୍ତୁ ତାହା କରି ତା’ର କୌଣସି ଲାଭ ହୋଇ ନଥାନ୍ତା; ସ୍ଲେଜକୁ ବାହୁଡ଼ାଇ ଆଣିବା ଅର୍ଥ ନିଜକୁ ସେଠାରୁ ତଡ଼ି ଦେବା । ତେଣୁ ସେଠାରେ ସେ ସେମିତି ଠିଆ ହୋଇ ରହିଲା ତା’ କ୍ଷେତ୍ର ଅଧିକାର କରି, କିନ୍ତୁ ତା’ର ବିଜୟ ଲାଭ ତା’କୁ ଆନନ୍ଦ ଦେଉ ନଥିଲା । ଥରେ ଭଦ୍ର ଲୋକଙ୍କର ତ ଥରେ ଗାଡ଼ିବାଲାର ପଛକୁ ସେ ଅନାଇଁଲା । କେ: ଯେଉଁ ଦୁଆର ବାଟେ ପ୍ରଥମ ଅଗଣାକୁ ଆସିଥିଲା ଭଦ୍ରଲୋକ ସେ ଦୁଆର ପାଖରେ ପହଞ୍ଚି ସାରିଥାନ୍ତି; ତଥାପି ସେ ଥରେ ପଛକୁ ବୁଲି ଚାହିଁଲେ; କେ. କଳ୍ପନା କଲା ଯେ ତା’ର ଜିଦ୍‌କୁ ତିରସ୍କାର କରି ଭଦ୍ରଲୋକ ମୁଣ୍ଡ ହଲାଉଥିବା ସେ ଦେଖିଲା । ତା’ପରେ ଏକା ଥରକେ ଶେଷ ପାହୁଣ୍ଡ ଉଠାଇ ଭଦ୍ର ଲୋକ ବୁଲି ପଡ଼ିଲେ, ହଲ୍‌ ଭିତରକୁ ପଶିଲେ ଏବଂ ତା’ ଭିତରେ ତତ୍‌କ୍ଷଣାତ୍‌ ଅଦୃଶ୍ୟ ହୋଇଗଲେ । ଗାଡ଼ିବାଲା କିଛିକ୍ଷଣ ପାଇଁ ଅଗଣାରେ ଠିଆ ହୋଇ ରହିଲା, ଗାଡ଼ିଟା ପାଇଁ ତା’କୁ ଗୁଡ଼ାଏ କାମ କରିବାକୁ ପଡ଼ିଲା, ସେଡ଼୍‌ର ଓଜନିଆ କବାଟଟା ଖୋଲିବାକୁ ଗାଡ଼ିଟା ପଛେଇ ନେଇ ଠିକ୍‌ ଯାଗାରେ ରଖିବାକୁ, ଘୋଡ଼ାଙ୍କୁ ଫିଟେଇବାକୁ, ଶାଳ ଭିତରେ ପୂରାଇବାକୁ । ଗମ୍ଭୀର ଭାବରେ ମନଯୋଗ ଦେଇ ସେ ସବୁ କାମ କଲା । ଜଲ୍‌ଦି ପୁଣି ବାହାରକୁ ପଡ଼ିବ ବୋଲି ସେ ନିଶ୍ଚୟ ଆଶା କରୁ ନଥିଲା । ଥରେ ହେଲେ କେ: ଆଡ଼କୁ ବଙ୍କାଇ ନଚାହିଁ ତା’ର କାମ ଭିତରେ ଏମିତି ବୁଡ଼ି ରହିବା ଭଦ୍ରଲୋକଙ୍କ ବ୍ୟବହାର ଅପେକ୍ଷା ତା’ ପ୍ରତି ଅଧିକ ତିରସ୍କାର ସୂଚକ ବୋଲି କେ.ର ମନେ ହେଲା । ଏବଂ ବର୍ତ୍ତମାନ ଯେତେବେଳେ ସେଡ଼୍‌ ଭିତରେ ତା’ର କାମ ଦାମ ସାରିଦେଇ ଗାଡ଼ିବାଲା ଅଗଣା ମଝିରେ ଧୀରେ ମନ୍ଥର ଗତିରେ ଚାଲିଗଲା, ବିଶାଳକାୟ ଗେଟ୍‌ଟା ବନ୍ଦ କରିଦେଲା ଆସ୍ତେ କରି–କେ: ଅନାଇଁଥାଏ ଅନ୍ୟ କିଛି ନୁହେ ବରଫ ଦେହରେ ତା’ ନିଜ ପାଦ ଚିହ୍ନ ଗୁଡ଼ାକୁ–ଏବଂ ସେଡ଼୍ ଭିତରେ ପଶି ଭିତରୁ କବାଟ ବନ୍ଦ କରିଦେଲା; ଏବଂ ବର୍ତ୍ତମାନ ଯେତେବେଳେ ସବୁଯାକ ଇଲେକ୍‌ଟ୍ରିକ୍‌ ଲାଇଟ ଲିଭିଗଲା–କାହା ପାଇଁ ବା ସେ ଗୁଡ଼ାକ ଜଳୁଥାନ୍ତେ-? –କାଠ ଗ୍ୟାଲେରି ଦେହର ଫାଙ୍କ ଉପରଟା କେବଳ ଉଜ୍ଜ୍ୱଳ ଦିଶୁଥାଏ, ଦର୍ଶକର ବିସ୍ମିତ ଦୃଷ୍ଟିକୁ କିଛିଟା ଆକୃଷ୍ଟ କରି, କେ. ର ମନେ ହେଲା ସତେ ଯେମିତି ଶେଷରେ ସେମାନେ ସମସ୍ତ ତା’ ସହିତ ସମସ୍ତ ସଂପର୍କ ତୁଟାଇ ଦେଲେ ଏବଂ ସତେ ଯେମିତି ବାସ୍ତବିକ ସେ ଆଗ ଅପେକ୍ଷା ଅଧିକ ସ୍ୱୀଧୀନ, ଏବଂ ତା’ ପ୍ରାୟ ନିଷିଦ୍ଧ ଏହି ଯାଗାରେ ଯେତେ ଇଚ୍ଛା ସେତେ ସମୟ ସେ ଅପେକ୍ଷା କରି ପାରିବ ନିଜ ଇଚ୍ଛାରେ, ଏବଂ ସତେ ଯେମିତି ସେ ଏମିତି ଏକ ସ୍ୱାଧୀନତା ପାଇଛି ଯାହା ଆଗରୁ କେହି କେବେ ପାଇନାହିଁ, ଏବଂ ସତେ ଯେମିତି କେହି ତା’ ଦେହରେ ହାତ ଦେବାକୁ କିମ୍ବା ତା’କୁ ତଡ଼ି ଦେବାକୁ, ଏପରିକି ତା’କୁ କିଛି କହିବାକୁ ସାହସ କରିବେ ନାହିଁ; କିନ୍ତୁ–ଏହି ବିଶ୍ୱାସ ବି ସମାନ ଭାବରେ ହେଉଥିଲା–ସତେ ଯେମିତି ତା’ ସଙ୍ଗେ ସଙ୍ଗେ ଏହି ସ୍ୱାଧୀନତା, ଏହି ଅପେକ୍ଷା, ଏହି ନିରଙ୍କୁଶତାଠାରୁ ଅଧିକ ଅର୍ଥହୀନ, ନୈରାଶ୍ୟ ଜନକ ଅବସ୍ଥା କିଛି ନାହିଁ ।

 

।। ନଅ ।।

 

ଏବଂ ସେ ସେଯାଗାଟା ଛାଡ଼ି ଛୁଡ଼ି ଦେଇ ଘର ଭିତରକୁ ଚାଲିଗଲା–ଏଥର ଆଉ କାନ୍ଥ କଡ଼େ କଡ଼େ ନଯାଇ ସିଧା ବରଫ ଭିତରେ ପଶି–ଏବଂ ହଲ୍‌ରେ ହୋଟେଲ୍‌ ମାଲିକ ସାଙ୍ଗରେ ତା’ର ଦେଖା ହେଲା । ହୋଟେଲ ମାଲିକ ତା’କୁ ନୀରବରେ ସମ୍ଭାଷଣ ଜଣାଇଲା ଏବଂ ଦୁଆର ଆଡ଼କୁ ହାତ ଦେଖାଇଲା । କେ. ଇଙ୍ଗିତ ବୁଝିପାରିଲା, କାରଣ ସେ ଶୀତରେ ଥରୁଥାଏ, ଏବଂ ମଣିଷ ମୁହଁ ଦେଖିବାକୁ ଚାହୁଁଥାଏ; କିନ୍ତୁ ସେ ଭୀଷଣ ହତାଶ ହେଲା ଯେତେବେଳେ ସେ ଦେଖିଲା ଯେ ଯୁବକ ଭଦ୍ରଲୋକ ଜଣକ ଗୋଟାଏ ଛୋଟ ଟେବୁଲ୍‌ ପାଖରେ ବସିଛନ୍ତି ଅଳ୍ପ ଦୂରରେ–ଟେବୁଲ୍‌ଟା ନିଶ୍ଚୟ ସ୍ୱତନ୍ତ୍ର ଭାବରେ ପକା ଯାଇଥିଲା, କାରଣ ସାଧାରଣତଃ ଖାଉଟିମାନେ ଓଲଟା ମଦ ପିମ୍ଫା ଉପରେ ବସିଥାନ୍ତି–ଏବଂ ତା’ ଆଗରେ ଠିଆ ହୋଇଥାଏ ବ୍ରିଜ୍‌ଇନ୍‌ର ମାଲିକାଣୀ–କେ. ତା’କୁ ସେଠି ଦେଖିବା ମୋଟେ ଚାହୁଁ ନଥିଲା । ପେପି ଗର୍ବରେ ମୁହଁ ଉପରକୁ କରିଥାଏ ଏବଂ ତା’ ମୁହଁରେ ହସ ଲାଗି ରହିଥାଏ । ତା’ର ଅପ୍ରତିଦ୍ୱନ୍ଦୀ ଗୌରବ ବିଷୟରେ ସେ ସଚେତନ ଥାଏ, ଉଠିଲେ ବସିଲେ ତା’ର ବେଣୀ ଦୋହଲୁଥାଏ । ସେ ବିୟର୍ ଧରି ଏବଂ ତା’ପରେ କଲମ ଓ କାଳି ଧରି ଏପାଖ ସେପାଖ ଦୌଡ଼ୁଥାଏ । କାରଣ ଭଦ୍ରଲୋକ ଜଣକ ତାଙ୍କ ସାମ୍ନାରେ କ’ଣ ସବୁ କାଗଜ ପତ୍ର ଖୋଲି ବସିଥାନ୍ତି, ଏ ପାଖର କାଗଜ ଏବଂ ତା’ପରେ ଟେବୁଲ୍‌ର ଆର ପାଖରେ ବିଛା ହୋଇଥିବା କାଗଜକୁ ଅନାଇ ତାରିଖ ମିଳାଉ ଥାନ୍ତି, ଏବଂ କ’ଣ ସବୁ ଲେଖିବାକୁ ପ୍ରସ୍ତୁତ ହେଉଥାନ୍ତି । ସିଧା ମୁଣ୍ଡ ଟେକି ଠିଆ ହୋଇ ମାଲିକାଣୀ ଭଦ୍ରଲୋକଙ୍କୁ ଓ କାଗଜ ପତ୍ର ଗୁଡ଼ାକୁ ଅନାଉଥାଏ, ଓଠ ଚିପି କ’ଣ ଯେମିତି ଭାବୁଥାଏ; ସତେ ଯେମିତି ଯାହା ଯାହା ଦରକାର ସେ କହି ସାରିଥାଏ । ଏବଂ ତାର କଥା ସବୁ ଭଲଭାବେ ଶୁଣା ଯାଇଥାଏ । କେ. ଯେମିତି ପଶିଛି, ଭଦ୍ରଲୋକ ଜଣକ କହିଲେ, ‘‘ଅମିନ ବାବୁ ଆସିଗଲେ ତା’ ହେଲେ’’, ଅଳ୍ପ ଟିକିଏ ଚାହିଁ ଦେଇ ପୁଣି କାଗଜ ପତ୍ର ଦେଖିବାରେ ଲାଗିଗଲେ । ମାଲିକିଆଣୀ ମଧ୍ୟ କେ ଆଡ଼କୁ ଉଦାସିନ କିନ୍ତୁ ସାମାନ୍ୟ ଆଶ୍ଚର୍ଯ୍ୟ ଦୃଷ୍ଟିରେ ଅନାଇଲା । କିନ୍ତୁ ପେପି କେ. କୁ ପ୍ରଥମ ଥର ପାଇଁ ଲକ୍ଷ୍ୟ କଲା ଭଳି ମନେ ହେଲା, ଯେତେବେଳେ କେ. ବାର ପାଖକୁ ଯାଇ ବ୍ରାଣ୍ଡି ମାଗିଲା ।

 

କେ. ସେଠି ଆଉଜି ଠିଆ ହେଲା, ଆଖି ଉପରେ ହାତ ଚାପି ସେ ପୂରା ଆତ୍ମ ବିସ୍ମୃତ ଥିଲା । ତା’ପରେ ବ୍ରାଣ୍ଡି ଟିକିଏ ଚାଖିଲା ଏବଂ ତାହା ପିଇ ହେଉନାହିଁ କହି ଆଡ଼େଇ ଦେଲା । ‘‘ସମସ୍ତେ ତ ପିଉଚନ୍ତି,’’ ପେପି ରୋକ ଠୋକ ଭାବରେ କହିଲା, ବଳକା ବ୍ରାଣ୍ଡିତକ ଢାଳି ନେଇଗଲା, ଗ୍ଳାସ୍‌ଟାକୁ ସଫା କରିଦେଇ ରାକ୍‌ ଉପରେ ନେଇ ରଖି ଦେଲା । ‘‘ସେମାନେ ଆହୁରି ଭଲ ଜିନିଷ ମଧ୍ୟ ପିଉଚନ୍ତି,’’ କେ: କହିଲା । ‘‘ହେଇପାରେ,’’ ପେପି କହିଲା, ‘‘କିନ୍ତୁ ମୋ’ ପାଖରେ ନାଇଁ,’’ ଏବଂ ସେତକ କହି ଦେଇ ସେ କେ. ସାଙ୍ଗରେ କାମ ତୁଟାଇ ଦେଲା, ଏବଂ ଅନ୍ୟ ଭଦ୍ରଲୋକଙ୍କ ସେବା କରିବାକୁ ଚାଲିଗଲା । ସେ ଅବଶ୍ୟ କିଛି ମାଗୁ ନଥାନ୍ତି । କିନ୍ତୁ ତାଙ୍କ ପଛ ଆଡ଼େ ସେ କେବଳ ଏଣେ ତେଣେ ଚକ୍‌କର କାଟି ବୁଲିଲା ଏବଂ ତାଙ୍କ କାନ୍ଧ ଉପର ଦେଇ କାଗଜ ପତ୍ର ଆଡ଼କୁ ସମ୍ଭ୍ରମ ସହକାରେ ଚାହିଁଲା । କିନ୍ତୁ ତା’ ଥିଲା କେବଳ ତାର ଅର୍ଥ ହୀନ କୌତୁହଳ ଓ ଆତ୍ମଶ୍ଳାଘା ଯାହାକୁ କି ମାଲିକାଣୀ ମଧ୍ୟ ଭ୍ରୂକୁଞ୍ଚିତ କରି ତିରସ୍କାର କରୁଥିଲା ।

 

ତା’ପରେ ହଠାତ୍ ମାଲିକାଣୀର ଧ୍ୟାନ ଭଙ୍ଗ ହେଲା, ସେ କାନ ପାତି ବଡ଼ ବଡ଼ ଆଖିରେ ଶୂନ୍ୟକୁ ଅନାଇଲା । କେ. ବୁଲି ପଡ଼ିଲା, ନିର୍ଦ୍ଦିଷ୍ଟ କିଛି ଶୁଣି ପାରିଲା ନାହିଁ, କିମ୍ବା ଅନ୍ୟମାନଙ୍କୁ କିଛି ଶୁଭୁଥିବା ଭଳି ମନେ ହେଲା ନାହିଁ, କିନ୍ତୁ ମାଲିକାଣୀ ସନ୍ତର୍ପଣରେ ଯାଇ ଅଗଣା ଆଡ଼ର ଦୁଆର ପାଖରେ ଲମ୍ବା ଲମ୍ବା ପାହୁଣ୍ଡ ପକାଇ ପହଞ୍ଚିଲା, ଚାବି କଣା ବାଟେ ଅନାଇଁଲା, ତା’ପରେ ଅନ୍ୟ ମାନଙ୍କ ଆଡ଼କୁ ବୁଲି ଚାହିଁଲା ବଡ଼ ବଡ଼ ଆଖିରେ । ତା’ ମୁହଁ ରଙ୍ଗା ପଡ଼ିଯାଇଥାଏ । ସେ ଅନ୍ୟ ମାନଙ୍କୁ ମଙ୍ଗୁଠି ଠାରରେ ପାଖକୁ ଡାକିଲା, ଏବଂ ବର୍ତ୍ତମାନ ସମସ୍ତେ ଜଣକ ପରେ ଜଣେ ଚାବି କଣା ବାଟେ ଅନାଇଁଲେ । ମାଲିକାଣୀ କିନ୍ତୁ ସମସ୍ତଙ୍କ ଅପେକ୍ଷା ବେଶୀ ସମୟ ଅନାଇଁଲା, କିନ୍ତୁ ପେପି ମଧ୍ୟ ବେଶ୍ କିଛି ସମୟ ଧରି ଅନାଇଁଲା । କିନ୍ତୁ ଭଦ୍ରଲୋକ ଜଣକ ତିନି ଜଣଙ୍କ ଭିତରେ ପ୍ରାୟ ସବୁଠାରୁ ବେଶୀ ଉଦାସୀନ ରହିଲେ । ପେପି ଓ ଭଦ୍ରଲୋକ ଜଣକ ଶୀଘ୍ର ବାହୁଡ଼ି ଆସିଲେ; କିନ୍ତୁ ମାଲିକାଣୀ ଜଣକ ଉଦ୍‌ବିଘ୍ନ ହୋଇ, ନଇଁପଡ଼ି, ପ୍ରାୟ ଆଣ୍ଠେଇ ପଡ଼ି ଅନାଇଁ ରହିଥାଏ । ଦେଖିଲେ ପ୍ରାୟ ମନେ ହେବ ଯେ ସେ ସେହି ଚାବି କଣାଟା ବାଟେ ପଶି ଚାଲିଯିବ ବୋଲି ଚାବି କଣଟାକୁ ଅନୁନୟ କରୁଥାଏ । କାରଣ ଦୁଆର ଆରପଟେ ଏମିତି କିଛି ନଥାଏ ଯାହାକୁ କି ଏତେ ସମୟ ଧରି ଦେଖିବା କଥା । ଶେଷରେ ସେ ଉଠି ଠିଆ ହେଲା, ମୁହଁ ଉପରେ ହାତ ବୁଲାଇ ଆଣିଲା, ବାଳ ସଜାଡ଼ି ଦେଲା, ଦୀର୍ଘ ନିଃଶ୍ୱାସ ମାରିଲା, ଏବଂ ବର୍ତ୍ତମାନ ରୁମ୍‌ ଓ ତା’ ଭିତରର ଲୋକମାନଙ୍କ ସହିତ ପୁଣି ତା’ ଦୃଷ୍ଟି ସାମିଲ୍‌ କରିବା ପାଇଁ କୁଣ୍ଠିତ ଭାବରେ ଚେଷ୍ଟା କଲା ଭଳି ମନେ ହେଲା । ତାର ନିଜ ସନ୍ଦେହକୁ ଯଥାର୍ଥ ପ୍ରତିପାଦିତ କରିବା ପାଇଁ ଯେତେ ନୁହେଁ ସେତେ ଘୋଷଣାଟା ଆଗରୁ କରିଦେବା ପାଇଁ–ତା’ ଉପରେ ଆକ୍ରମଣ ହୋଇପାରେ ବୋଲି ସେ ବେଶ୍ ଅନୁଭବ କରୁଥିଲା ବର୍ତ୍ତମାନ କେ.କହିଲା, ‘‘କ୍ଲାମ୍‌ ତା’ ହେଲେ କ’ଣ ଚାଲି ଗଲେଣି ?’’ ମାଲିକାଣୀ ତା’ ସାମ୍ନା ଦେଇ ଚୁପ୍‌ଚାପ୍‌ ଚାଲିଗଲା, କିନ୍ତୁ ଭଦ୍ରଲୋକ ଜଣକ ତାଙ୍କ ଟେବୁଲ ପାଖରୁ ଉତ୍ତର ଦେଲେ; ‘‘ହଁ, ହଁ, ନିଶ୍ଚୟ । ଆପଣ ଯେମିତି ସେ ଯାଗା ଛାଡ଼ି ଆସିଛନ୍ତି କ୍ଳାମ୍‌ ପଳାଇଯାଇ ପାରିଲେ କିନ୍ତୁ ଆଶ୍ଚର୍ଯ୍ୟ କଥା ସେ ଏତେ ବେଶୀ ଭାବ ପ୍ରବଣ । ଆପଣ ଦେଖିଲେ, ଆଜ୍ଞା, (ମାଲିକାଣୀକୁ) ସେ କେମିତି ବ୍ୟସ୍ତ ହୋଇ ଏଣେ ତେଣେ ଚାହିଁଲେ ?’’ ମାଲିକାଣୀ ତାହା ଦେଖିଥିଲା ଭଳି ମନେ ହେଲା ନାହିଁ, କିନ୍ତୁ ଭଦ୍ରଲୋକ ଜଣକ କହି ଚାଲିଲେ; ‘‘ଯା’ ହେଉ, ଭାଗ୍ୟ ଭଲ, ତାଙ୍କର ଦେଖିବା ପାଇଁ କିଛି ନଥିଲା ଆଉ, ଗାଡ଼ିବାଲା ବରଫ ଉପରୁ ପାଦ ଚିହ୍ନ ଗୁଡ଼ାକ ବି ଲିଭାଇ ଦେଇଥିଲା ।’’ ‘‘ମାଳିକାଣୀ କିଛି ଦେଖି ନାହାନ୍ତି,’’ କେ. କହିଲା, କିନ୍ତୁ କଥାଟା ସେଇ ଜୋର୍‌ ଦେଇ ସେ କହି ପାରିଲା ନାହିଁ । କେବଳ ଭଦ୍ରଲୋକଙ୍କ କଥା ଶୁଣି ସେ ସହି ପାରିଲା ନାହିଁ ବୋଲି କହିଲା–ଭଦ୍ରଲୋକ ଏମିତି ସ୍ୱରରେ କଥାଟା କହିଥିଲେ ଯେମିତି ତାଙ୍କ କଥା ଉପରେ ଆଉ କିଛି କୁହାଯାଇ ପାରିବ ନାହିଁ । ‘‘ବୋଧେ ମୁଁ ଠିକ୍‌ ସେତିକିବେଳେ କଣାବାଟେ ଅନାଉଁ ନଥିଲି,’’ ମାଲିକାଣୀ ବର୍ତ୍ତମାନ କହିଲା, ଭଦ୍ରଲୋକଙ୍କ କଥାକୁ ସମର୍ଥନ କରି, ତଥାପି ସେ କ୍ଳାମ୍‌ଙ୍କୁ ତାଙ୍କର ଯଥୋଚିତ ସମ୍ମାନ ଦେବାକୁ ବାଧ୍ୟ ହେଲା ଏବଂ କହିଲା,’’ ସେ ଯା’ ହେଉ, କ୍ଲାମ୍‌ ଏତେ ବେଶୀ ଭାବପ୍ରବଣ ବୋଲି ମୁଁ ବିଶ୍ୱାସ କରି ପାରୁନି । ଆମେ ତାଙ୍କ ବିଷୟରେ ଉଦ୍‌ବିଘ୍ନ ଏବଂ ତାଙ୍କୁ ଜାଣିବା ପାଇଁ ଚେଷ୍ଟା କରୁଥାଇଁ, ଏବଂ ତେଣୁ ଭାବି ନେଉଚୁ ଯେ ସେ ଭାବପ୍ରବଣ ହୋଇଥିବେ । ସେ ଯାହା କହିଚନ୍ତି ଠିକ୍‌ କରିଚନ୍ତି, ତାଙ୍କର ନିଜ ଇଚ୍ଛାରେ ନିଶ୍ଚୟ । କିନ୍ତୁ ପ୍ରକୃତରେ କ’ଣ ହୋଇଚି ଆମେ ଜାଣୁନା । ଏହା ନିଶ୍ଚିତ କଥା କ୍ଳାମ୍‌ ଯାହା ସାଙ୍ଗରେ କଥାବାର୍ତ୍ତା ହେବାକୁ ଚାହିଁବେ ନି, ତା’ ସାଙ୍ଗରେ କଥାବାର୍ତ୍ତା କରିବେ ନି, ସେ ଲୋକ କଥାବାର୍ତ୍ତା କରିବାକୁ ଯେତେ କଷ୍ଟ ପଡ଼ୁ ପଛକେ, ଯେତେ ଆଗେଇ ଥାଉ ପଛକେ । କିନ୍ତୁ କ୍ଳାମ୍‌ ଯେ ସେ ଲୋକ ସାଙ୍ଗରେ କଥାବାର୍ତ୍ତା କରିବେ ନି, ତା’କୁ ତାଙ୍କ ସାମ୍ନାକୁ ଆସିବାକୁ ଦେବେନି–ଏ କଥାଟା ଏତିକିରେ ରହୁ; ୟାର ଅର୍ଥ କାହିଁକି ହେବ ଯେ ସେ ଲୋକର ତାଙ୍କ ପାଖକୁ ଆସିବା ସହ୍ୟ କରିବା ପାଇଁ ସେ ଅସମର୍ଥ ? ଯାହା ହେଲେ ବି ଏ କଥା ପ୍ରମାଣ କରି ହେବ ନି, କାରଣ ପ୍ରମାଣ କରିବାର ପରିସ୍ଥିତି କେବେ ଉପୁଜିବନି । ‘‘ଭଦ୍ରଲୋକ ଜଣକ ତରବର ହୋଇ ମୁଣ୍ଡ ହଲାଇଲେ । ‘‘ମୋ ମତ ମଧ୍ୟ ଠିକ୍‌ ସେୟା,’’ ସେ କହିଲେ, ମୁଁ ଯଦି ଅନ୍ୟ ଭାବରେ ଟିକିଏ କଥାଟା କହିଲି, ଏଇଥି ପାଇଁ କହିଲି ଯେ ଅମିନବାବୁ ମୁଁ ଯାହା କହୁଚି ବୁଝି ପାରିବେ । ସେ ଯା’ ହେଉ ଏହା ସତ ଯେ କ୍ଳାମ୍ ବାହାରକୁ ଆସି ଅନେକ ଥର ଏଣେ ତେଣେ ଚାହିଁଲେ ।’’ ବୋଧେ ସେ ମତେ ଖୋଜୁଥିଲେ,’’ କେ. କହିଲା । ‘‘ହେଇପାରେ’’ ଭଦ୍ରଲୋକ ଜଣକ କହିଲେ । ‘‘ମୁଁ କାହିଁକି ସେମିତି ଭାବି ନଥିଲି ।’’ ସମସ୍ତେ ହସିଲେ, ଏବଂ ପେପି ଯେ କି ଯାହା ସବୁ କଥାବାର୍ତ୍ତା ହେଲା ମୋଟେ କିଛି ବୁଝିନଥିଲା, ସେ ସବୁଠୁ’ ଜୋର୍‌ରେ ହସିଲା ।

 

‘‘ଆମେ ସମସ୍ତେ ବର୍ତ୍ତମାନ ଏଠି ଖୁବ୍‌ ମଜା କରୁଚେ, ଭଦ୍ରଲୋକ କହି ଚାଲିଲେ, ‘‘ମୁଁ ଆପଣଙ୍କୁ ଅନୁରୋଧ କରୁଚି, ଅମିନବାବୁ, ମୋର କେତେଟା ପ୍ରଶ୍ନର ଉତ୍ତର ଦେଇ ମୋ’ କାଗଜ ପତ୍ର ଠିକ୍‌ ଠାକ୍‌ କରିବାରେ ମତେ ସାହାଯ୍ୟ କରନ୍ତୁ ।’’ ‘‘ସେଥିରେ ତ ବହୁତ କିଛି ଲେଖା ହୋଇଚି,’’ କେ. କହିଲା, ଠିଆ ହେବା ଯାଗାରୁ କାଗଜ ଗୁଡ଼ାକୁ ଅନାଇଁ । ‘‘ହଁ, ଭାରି ବିରକ୍ତ ଲାଗିଲାଣି,’’ ପୁଣି ହସି ଭଦ୍ରଲୋକ କହିଲେ ।’’ କିନ୍ତୁ ଆପଣ ବୋଧେ ଏଯାଏଁ ମତେ ଜାଣି ନାହାଁନ୍ତି, ମୋ’ ନାଁ ମୋନସ୍‌, ମୁଁ କ୍ଳାମଙ୍କର ଗ୍ରାମ ସଚିବ ।’’ ଏକଥା ପରେ, ପରେ ରୁମ୍‍ ଭିତରର ପରିବେଶ ଗମ୍ଭୀର ହୋଇ ଉଠିଲା, ଯଦିଓ ମାଲିକାଣୀ ଓ ପେପି ଆଗରୁ ଭଦ୍ରଲୋକଙ୍କୁ ଜାଣିଥିଲେ, ତାଙ୍କର ନାଁ ଓ ପଦବୀ ଉଚ୍ଚାରିତ ହେବା ଶୁଣି ଦୁହେଁ ଅତିଶୟ ବିସ୍ମିତ ହୋଇ ପଡ଼ିଲେ । ଏପରିକ ଭଦ୍ର ଲୋକ ନିଜେ ମଧ୍ୟ, ସତେ ଯେମିତି ତାଙ୍କର ବିବେକ ଯେତିକି ଅନୁମୋଦନ କରନ୍ତା ତା’ ଠାରୁ ବେଶୀ ସେ କହି ପକାଇଲେ, ଏବଂ ସତେ ଯେମିତି ତାଙ୍କ କଥାରେ ନିହିତ ଗାମ୍ଭୀର୍ଯ୍ୟର ପ୍ରଭାବରୁ ଖସି ପଳାଇବା ପାଇଁ ସେ ଠିକ୍‌ କରି ସାରିଥିଲେ । ସେ ପୁଣି କାଗଜ ପତ୍ରରେ ମନୋନିବେଶ କଲେ ଏବଂ ଲେଖିବାକୁ ଆରମ୍ଭ କଲେ । ଫଳରେ କଲମର କର୍‌ କର୍‌ ଶବ୍ଦ ଛଡ଼ା ରୂମ୍ ଭିତରେ ଆଉ କିଛି ଶୁଭିଲା ନାହିଁ । ‘‘କ’ଣ ସେଟା ! ମୋନ୍‌ସ୍‌ଙ୍କ ପକ୍ଷରୁ ମାଲିକାଣୀ ଉତ୍ତର ଦେଲା । କାରଣ ନିଜର ପରିଚୟ ଦେଇ ସାରିବା ପରେ ତା’କୁ ପୁଣି ନିଜେ ବୁଝାଇ କହିବା ତାଙ୍କର ପସନ୍ଦ ହେଲା ନାହିଁ । ‘‘ମି ! ମୋମସ୍‌ କ୍ଲାମ୍‌ଙ୍କର ଅନ୍ୟ ସଚିବ ମାନଙ୍କ ଭଳି ଜଣେ ସଚିବ, କିନ୍ତୁ ତାଙ୍କର ସରକାରୀ କର୍ତ୍ତୃତ୍ୱ ଏବଂ, ମୁଁ ଯଦି ଭୁଲ୍ କହୁନଥାଏ, ତାଙ୍କର ସରକାରୀ ଗୁରୁତ୍ୱ, ଅନ୍ୟ ମାନଙ୍କଠାରୁ ଭିନ୍ନ,’’–ମୋମସ୍‍ ସେମିତି ଲେଖି ଚାଲିଥାନ୍ତି ଏବଂ ତାଙ୍କର ମୁଣ୍ଡ ହଲା ଦେଖି ମାଲିକାଣୀ ନିଜକୁ ସଂଶୋଧନ କରି ନେଲା–‘‘ମାନେ, ତାଙ୍କର ସରକାରୀ କର୍ତ୍ତୃତ୍ୱ, ଗୁରୁତ୍ୱ ନୁହେଁ, ଏ ଗାଁ ଭିତରେ ସୀମିତ । ଗାଁ ଭିତରର ଦରକାରୀ କାଗଜ ପତ୍ର ମି. ମୋମସ୍‌ କ୍ଲାମ୍‌ଙ୍କ ପାଖକୁ ପଠାନ୍ତି । ଏବଂ ଗାଁରୁ କୌଣସି ପିଟିସନ୍‌ କ୍ଲାମ୍‌ଙ୍କ ପାଖକୁ ଯିବା କଥା, ସେ କ୍ଳାମ୍‌ଙ୍କ ପ୍ରତିନିଧି ଭାବରେ ତାହା ରଖନ୍ତି ।’’ ଏସବୁ କଥା ଶୁଣିବା ପରେ ବି କେ.ର କୌଣସି ନିର୍ଦ୍ଦିଷ୍ଟ ଧାରଣା ନ ହେବା ଦେଖି, ଏବଂ କେ. ତା’ ଆଡ଼େ ବଳବଲ କରି ଚାହୁଁଥିବା ଦେଖି ମାଲିକାଣୀ ପ୍ରାୟ ଲଜ୍ଜିତ ସ୍ୱରରେ କହିଲା, ‘‘ଏୟା ହେଲା ବ୍ୟବସ୍ଥା; ଦୁର୍ଗ ଭିତରର ସମସ୍ତ ଭଦ୍ରଲୋକଙ୍କର ଗ୍ରାମସଚିବମାନେ ଅଛନ୍ତି । ମୋମସ୍‌ ଯେ କି କେ. ଅପେକ୍ଷା ଅଧିକ ମନଯୋଗ ସହକାରେ ଶୁଣୁଥିଲେ ଆଉ ଗୋଟିଏ ତଥ୍ୟ ମାଲିକାଣୀରୁ ଯୋଗାଇ ଦେଲେ ! ଅଧିକାଂଶ ଗ୍ରାମ ସଚିବ କେବଳ ଜଣେ ଭଦ୍ରଲୋକଙ୍କ ପାଇଁ କାର୍ଯ୍ୟ କରନ୍ତି, କିନ୍ତୁ ମୁଁ ଦୁଇଜଣଙ୍କ ପାଇଁ କାର୍ଯ୍ୟ କରେ, କ୍ଲାମ୍‌ଙ୍କ ପାଇଁ ଏବଂ ଭାଲାବୀନଙ୍କ ପାଇଁ ।’’ ‘‘ହଁ,’’ ମାଲିକାଣୀର ନିଜର ମଧ୍ୟ ମନେ ପଡ଼ିଲା, କେ. ଆଡ଼କୁ ଚାହିଁ ସେ କହିଲା, ‘‘ମି. ମୋମସ୍‌ ଦୁଇ ଜଣ ଭଦ୍ରଲୋକଙ୍କ ପାଇଁ କାମ କରନ୍ତି, କ୍ଳାମ୍‌ଙ୍କ ପାଇଁ ଓ ଭାଲାବୀନଙ୍କ ପାଇଁ, ତେଣୁ ସେ ଏକା ଦୁଇ ଦୁଇଟା ଗ୍ରାମ ସଚିବ ।’’ ପ୍ରକୃତରେ ଦୁଇ ଦୁଇଟା,’’ କେ. କହିଲା, ମୋମସ୍‌ଙ୍କୁ ଚାହିଁ ମୁଣ୍ଡ ହଲାଇ–ଯେ କି ବର୍ତ୍ତମାନ ସାମାନ୍ୟ ଆଗକୁ ଝୁଙ୍କିପଡ଼ି ତା’ ମୁହଁକୁ ସିଧା ଚାହିଁଥିଲେ–ଯେମିତି ସଦ୍ୟ ପ୍ରଶଂସା ପାଇଥିବା ପିଲାଟିଏ ଆଡ଼େ ଚାହେଁ ଜଣେ ମୁଣ୍ଡ ହଲାଏ । ଯଦି ତା’ର ଭଙ୍ଗୀରେ କୌଣସି ଘୃଣାର ସୂଚନା ଥିଲା ତାହା ଏକେ କେହି ଲକ୍ଷ୍ୟ କରି ପାରିଲେ ନାହିଁ କିମ୍ବା ପ୍ରକୃତରେ ତାହା ଆଶା କରାଯାଉଥିଲା । ନିର୍ଦ୍ଦିଷ୍ଟ ଭାବରେ କେ.ର ହିଁ ମନେ ହେଲା ଯେ ତା’କୁ ଯାହାକୁ କି କ୍ଳାମ୍‌ ଚାଲିଲେ ବେଳେ ବି ଆଖି ପକାଇ ଦେବାର ଯୋଗ୍ୟ ବୋଲି ଏମାନେ ବିଚାରୁ ନଥିଲେ, ତା’କୁ ଉଦ୍ଦେଶ୍ୟ କରି ଏମାନେ କ୍ଲାମ୍‌ଙ୍କ ଗୋଷ୍ଠୀର ଜଣେ ଲୋକର କାମ ଧନ୍ଦା ଏତେ ବିଶଦ ଭାବରେ ବର୍ଣ୍ଣନା କଲେ । ସେମାନଙ୍କର ପ୍ରକାଶ୍ୟ ଉଦ୍ଦେଶ୍ୟ ଥିଲା କେ.ର ସ୍ୱୀକୃତି ଓ ପ୍ରଶଂସା ହାସଲ କରିବା । ଏବଂ ତଥାପି କେ. ଠିକ୍‌ କଥାଟା ପସନ୍ଦ କରି ପାରିଲା ନାହିଁ; ସେ ଯେ କି ତା’ର ସମସ୍ତ ଶକ୍ତି ପ୍ରୟୋଗ କରି କ୍ଳାମ୍‌ଙ୍କର ଦେଖା ଟିକିଏ ପାଇବା ପାଇଁ ଏତେ ଚେଷ୍ଟାକଲା, କ୍ଳାମ୍‌ଙ୍କ ଉପରେ ନିର୍ଭର କରି ଚଳୁଥିବା ଜଣେ ମୋନସ୍‌ର ଚାକିରୀଟା ପ୍ରତି ବେଶୀ ଗୁରୁତ୍ୱ ଦେଲା ନାହିଁ; କାରଣ ସେ ଭାବୁ ନଥିଲା ଯେ କ୍ଳାମ୍‌ଙ୍କ ପରିବେଷ୍ଟନୀ ଭିତରକୁ ପଶିବା ପାଇଁ ଚେଷ୍ଟା କରିବାରେ କୌଣସି ମୂଲ୍ୟ ଅଛି ବୋଲି; ବରଂ ସେ ନିଜେ କେ; ସେ ଏବଂ ଅନ୍ୟ କେହି ନୁହେଁ କାମଙ୍କ ପାଖରେ ପହଞ୍ଚିବା ଏବଂ ତାଙ୍କ ପାଖରେ ରହିଯିବା ପାଇଁ ନୁହେଁ, ବରଂ ତାଙ୍କୁ ଟପି, ଆହୁରି ଦୂରକୁ, ଦୁର୍ଗଭିତରକୁ ଯିବାପାଇଁ ।

 

ଏବଂ ସେ ଘଣ୍ଟାକୁ ଚାହିଁଲା ଏବଂ କହିଲା; ‘ଏବେ କିନ୍ତୁ ମୁଁ ଘରକୁ ଯାଉଚି ।’’ ତତ୍‌କ୍ଷଣାତ ପରିସ୍ଥିତି ମୋମସଙ୍କ ପାଇଁ ଅନୁକୂଳ ହୋଇଗଲା । ‘‘ହ, ନିଶ୍ଚୟ,’’ ସେ କହିଲେ, ‘‘ସ୍କୁଲକାମ ଡାକୁଚି । କିନ୍ତୁ ଆପଣ ମତେ ଆଉ ମୁହୂର୍ତ୍ତେ ସମୟ ଦିଅନ୍ତୁ । ଖାଲି କେତୋଟି ଛୋଟ ପ୍ରଶ୍ନ ଅଛ ।’’ ‘‘ମୋର ଆଉ ସେଥିରେ ମନ ଲାଗୁନି,’’ କେ. କହିଲା ଏବଂ ଦୁଆର ଆଡ଼କୁ ମୁହୋଁଇଲା । ମୋମସ ଗୋଟିଏ କାଗଜ ଟେବୁଲ୍‌ ଉପରେ ପକାଇ ଦେଇ ଉଠି ଠିଆ ହେଲେ; ‘‘କ୍ଳାମଙ୍କ ନାଁ ଧରି ମୁଁ ଆଦେଶ କରୁଛି, ମୋ’ ପ୍ରଶ୍ନର ଉତ୍ତର ଦିଅନ୍ତୁ ।’’ ‘‘କ୍ଳାମଙ୍କ ନାଁ ଧରି,’’ କେ. କଥାଟା ଦୋହୋରାଇଲା, ‘‘ସେ କ’ଣ ତେବେ ମୋ’ ବିଷୟରେ ଟିକିଏ ହେଲେ ଭାବୁଚନ୍ତି ?’’ ‘‘ସେ ବିଷୟରେ’’ ମୋମସ୍‌ ଉତ୍ତର ଦେଲେ, ‘‘ମୋ ପାଖରେ କିଛି ଖବର ନାହିଁ, ଆପଣଙ୍କ ପାଖରେ ଆହୁରି କମ୍‌ ଥିବ । ଆମେ ନିରାପଦରେ ସେ ବିଷୟ ତାଙ୍କ ଉପରେ ଛାଡ଼ିଦେବା । ସେ ଯାହା ହେଉ କ୍ଳାମ୍‌ ମତେ ଦେଇଥିବା ଅଧିକାର ବଳରେ ମୁଁ ଆପଣଙ୍କୁ ଆଦେଶ କରୁଚି, ଏଠି ରହନ୍ତୁ ଏବଂ ପ୍ରଶ୍ନର ଉତ୍ତର ଦିଅନ୍ତୁ ।’’ ‘‘ଅମିନବାବୁ,’’ ମାଲିକାଣୀ ଆରମ୍ଭ କଲା, ‘‘ମୁଁ ଆପଣଙ୍କୁ ଆଉ ପରାମର୍ଶ ଦେବନି । ମୁଁ ଏଯାଏଁ ଯା’ସବୁ ପରାମର୍ଶ ଦେଇଚି–ଅର୍ପଣ ଏତେ ଭଲ ପରାମର୍ଶ କେବେ କାହାଠୁଁ ପାଇନଥିବେ–ତା’ ଆପଣ ଅତି କଦର୍ଯ୍ୟ ଭାବରେ ମୋ’ ଉପରକୁ ପୁଣି ଫୋପାଡ଼ି ଦେଲେ ଏବଂ ମୁଁ ଏଠି ମି: ମୋମସ୍‌ଙ୍କ ପାଖକୁ ଆସିଛି–ମୋର କିଛି ଲୁଚେଇବାର ନାଇଁ–ଖାଲି ଆପଣଙ୍କ ବ୍ୟବହାର ଓ ଉଦ୍ଦେଶ୍ୟ ବିଷୟରେ ସରକାରଙ୍କୁ ଯଥେଷ୍ଟ ଧାରଣା ଦେବାକୁ ଏବଂ ଆପଣଙ୍କୁ ମୋ ହୋଟେଲରେ ମତେ ଯେମିତି ପୁଣି ଯାଗା ଦେବାକୁ ନପଡ଼ିବ ସେଇ ବ୍ୟବସ୍ଥା ସବୁଦିନ ପାଇଁ କରିବାକୁ । ଏୟା ହେଲା ବର୍ତ୍ତମାନ ଆପଣଙ୍କର ଓ ମୋ ଭିତରେ ସଂପର୍କ ଏବଂ ଭବିଷ୍ୟତରେ ସବୁବେଳେ ସଂପର୍କ ଏୟା ରହିବ । ଆଉ ମୋ’ ମନକଥା ଖୋଲି କହୁନି, ଯଦି କହିବି ଏୟାହିଁ କହିବି, ଆପଣଙ୍କର ଭଲ ପାଇଁ, ଆଉ ଆପଣଙ୍କ ସାଙ୍ଗରେ ଚଳିବାରେ ମି. ମୋମସ୍‌ଙ୍କୁ ଯୋଉ କଷ୍ଟ କରିବାକୁ ପଡ଼ିବ ତା’ କିଛିଟା କମେଇ ଦେବା ପାଇଁ । ସେ ଯାହା ହେଉ, ମୋର ମନ ଖୋଲା କଥାବାର୍ତ୍ତ ଯୋଗୁଁ ଖାଲି–ମୁଁ ଚେଷ୍ଟା କଲେ ବି ଆପଣଙ୍କ ସାଙ୍ଗରେ ମନ ଖୋଲି କଥା ବାର୍ତ୍ତା ନ କରି ରହି ପାରିବି ନି–ମୁଁ ଯା’ କହୁଚି ସେଥିରୁ ଆପଣ ନିଜକୁ ସାହାଯ୍ୟ କଲାଭଳି କିଛି କଥା ବାହାର କରି ପାରିବେ, ଯଦି ଅବଶ୍ୟ ଆପଣ କଷ୍ଟ କରନ୍ତି । ବର୍ତ୍ତମାନ ଯୋଉ କଥା ପଡ଼ିଚି, ମୁଁ ଆପଣଙ୍କୁ ଜଣେଇ ଦେବାକୁ ଚାହୁଚି ଯେ କ୍ଳାମ୍‌ଙ୍କ ପାଖରେ ପହଞ୍ଚିବାର ଏକମାତ୍ର ବାଟ ହେଲା ମି. ମୋମସ୍‌ଙ୍କ ଜରିଆରେ ଯିବା । କିନ୍ତୁ ମୁଁ ବଢ଼େଇ କହୁନାଇଁ, ବୋଧେ ସେ ବାଟ ଆପଣଙ୍କୁ କ୍ଳାମ୍‌ଙ୍କ ଯାଏଁ ଯିବାକୁ ଦେବନି, ବୋଧେ ତା’ର ଅନେକ ଆଗରୁ ସରିଯିବ । ମି: ମୋମସ୍‌ଙ୍କ ବିଚାର ବୁଦ୍ଧି ସେ କଥା ଠିକ୍‌ କରିବ । କିନ୍ତୁ ସେ ଯାହା ହେଉ, ସେଇଟା ହିଁ ଏକମାତ୍ର ବାଟ ଆପଣଙ୍କୁ କ୍ଳାମ୍‌ଙ୍କ ଆଡ଼େ ନେବା ପାଇଁ । ଆଉ ଆପଣ କ’ଣ ସେ ବାଟରେ ଯିବାକୁ ମନା କରୁଚନ୍ତି, ଆଉ କିଛି ପାଇଁ ନୁହେ ଖାଲି ଗର୍ବରେ ?’’ ‘‘ହେଇଟି ଶୁଣ,’’ କେ. କହିଲା । ‘‘ସେଇଟା କ୍ଳାମ୍‌ଙ୍କ ପାଖରେ ପହଞ୍ଚିବାର ଏକମାତ୍ର ବାଟ ନୁହେ କି ଅନ୍ୟ ସବୁ ବାଟଠୁ ସେଇଟା ଭଲ ନୁହେ । କିନ୍ତୁ ଆପଣ, ସଚିବ ମହାଶୟ, ଏପ୍ରଶ୍ନର ସମାଧାନ କରନ୍ତୁ । ମୁଁ ଯା’ କହିବି ତା’ କ୍ଳାମ୍‌ଙ୍କ ଯାଏ ଯିବ କି ନାଇଁ ।’’ ‘‘ନିଶ୍ଚେ ଯିବ,’’ ମୋମସ୍‌ କହିଲେ, ଗର୍ବରେ ଦୃଷ୍ଟି ଅବନତ କରି ଏବଂ କୌଣସି ଆଡ଼େ ନ ଚାହିଁ,’’ ନ ହେଲେ ମୁଁ ଏଠି ସଚିବ ହେଇଚି କାହିଁକି ?’’ ‘‘ବର୍ତ୍ତମାନ ତମେ ଦେଖ, ମାଲିକାଣୀ,’’ କେ. କହିଲା ‘‘ମୋର କ୍ଳାମ୍‌ଙ୍କ ପାଖ ଯିବା ବାଟ ଲୋଡ଼ା ନାଇଁ, ଖାଲି ସଚିବ ମହାଶୟଙ୍କ ପାଖୁ ଗଲେ ହେଲା ।’’ ‘‘ମୁଁ ଏ ବାଟଟା ଆପଣଙ୍କ ପାଇଁ ଖୋଲା ଛାଡ଼ି ଦେବାକୁ ଚାହୁଁଥିଲି,’’ ମାଲିକାଣୀ କହିଲା,‘‘ଆପଣଙ୍କୁ ସକାଳେ କହୁ ନଥିଲି ଯେ କ୍ଳାମ୍‌ଙ୍କୁ ଆପଣଙ୍କ ଅନୁରୋଧ ଜଣାଇ ଦେବି ବୋଲି ? ମି: ମୋମସ୍‌ଙ୍କ ଜରିଆରେ ତା’ କରାଯାଇ ପାରିଥାନ୍ତା । କିନ୍ତୁ ଆପଣ ମନା କଲେ, ଆଉ ଏଣିକି ଏ ବାଟଟି ଛଡ଼ା ଆପଣଙ୍କ ପାଇଁ ଆଉ କୋଉ ବାଟ ରହିବନି । କିନ୍ତୁ ସତରେ, କ୍ଳାମ୍‌ଙ୍କ ବ୍ୟକ୍ତିଗତ ଜୀବନ ଭିତରେ ପଶିବାକୁ ଆପଣ ଯାହା କଲେ, ତା’ ପରେ, ଆପଣ ସେମିତି କିଛି ସଫଳ ହେବେନି । ସେ ଯାହା ହେଉ ଏଇ ଶେଷ, ଛୋଟ, ହଜିଯାଉଥିବା, ହଁ ପ୍ରକୃତରେ ଅଦୃଶ୍ୟ ଆଶାଟି ହିଁ ଆପଣଙ୍କ ପାଇଁ ଏକମାତ୍ର ଆଶା ।’’ ‘‘ଇଏ କେମିତି କଥା, ହଇଓ,’’ କେ. କହିଲା, ‘‘ପ୍ରଥମେ ତମେ ମତେ କ୍ଳାମ୍‌ଙ୍କ ପାଖରୁ ଦୂରେଇ ରଖିବାକୁ ଚେଷ୍ଟା କଲ, ଆଉ ଏବେ ତାଙ୍କୁ ଦେଖା କରିବାପାଇଁ ମୋ ଇଚ୍ଛା ଉପରେ ଏତେ ଜୋର୍‌ ଦେଉଚ, ଆଉ ମୋ’ ଯୋଜନା ଫସର ଫାଟି ଯାଇ ଥିବାରୁ ମନେ ହେଉଚି ତମେ ଭାବୁଚ ଯେ ମୁଁ ବୁଡ଼ିଗଲି ? ଯଦି ଥରେ ତମେ ଅତି ଆନ୍ତରିକ ଭାବରେ ମତେ ମନା କଲ କ୍ଳାମ୍‌ଙ୍କ ସାଙ୍ଗରେ ଦେଖା କରିବା ପାଇଁ ଚେଷ୍ଟା କରିବାକୁ, ଏବେ କେମିତି ତମେ କ୍ଳାମ୍‌ଙ୍କ ପାଖରେ ପହଞ୍ଚିବା ବାଟରେ ମତେ ଚଳାଇ ଦେବାକୁ ବସିଚ, ତା’ ପୁଣି ସେମିତି ଆନ୍ତରିକ ଭାବରେ, ଯଦିଓ ଆମେ ସମସ୍ତେ ମାନୁଚେ ଯେ ସେବାଟେ ଗଲେ କ୍ଳାମ୍‌ଙ୍କ ପାଖରେ ପହଞ୍ଚି ନ ହୋଇପାରେ?’’ ‘‘ମୁଁ ଆପଣଙ୍କୁ ଚଲାଉଚି,’’ ମାଲିକାଣୀ ପଚାରିଲା । ‘‘ଆପଣଙ୍କ ଚେଷ୍ଟା କିଛି ଫଳ ହେବନି ବୋଲି କହିଲେ କ’ଣ ନା ଆପଣଙ୍କୁ ମୁଁ ଚଲାଉଚି ? ଆପଣ ସେମିତି ମୋ ଉପରକୁ ଦାୟିତ୍ୱଟା ଠେଲି ଦେଲେ ବୁଝିବାକୁ ହେବ ଯେ ଆପଣଙ୍କ ଦୁଃସାହସ ଚରମ ସୀମାରେ ପହଞ୍ଚି ଗଲାଣି । ବୋଧେ ମି. ମୋମସ୍‌ ଏଠି ଅଛନ୍ତି ବୋଲି ଆପଣଙ୍କ ସାହସ ବଢ଼ି ଯାଉଚି । ନା, ଅମିନବାବୁ, ମୁଁ ଆପଣଙ୍କୁ କୁଆଡ଼କୁ ହେଲେ ଠେଲି ଦେବାକୁ ଚେଷ୍ଟା କରୁନି । ମୁଁ ଖାଲି ଗୋଟିଏ ଭୁଲ କରିଚି ବୋଲି ମାନୁଚି, ଆପଣଙ୍କ ସାଙ୍ଗରେ ପହିଲେ ଯେତେବେଳେ ଦେଖା ହେଲା, ମୁଁ ଆପଣଙ୍କ ବିଷୟରେ କିଛିଟା ଉଚ୍ଚ ଧାରଣା କରି ବସିଥିଲି । ଆପଣ ଏତେ ଶୀଘ୍ର ଫ୍ରୀଡ଼ାର ମନ ଜଣିନେଲେ, ସେଥିରେ ମୁଁ ଡରିଗଲି, ମୁଁ ଜାଣି ପାରୁନଥିଲି ଆପଣ ଆହୁରି କ’ଣ କ’ଣ କରିପାରନ୍ତି । ଅଧିକା କ୍ଷତି ଯେମିତି ନହେବ ସେୟା ମୁଁ ଚାହୁଁଥିଲି, ଆଉ ଭାବିଲି ଯେ ତା’ କରିବାକୁ ହେଲେ ମୋ’ ପାଇଁ ଗୋଟିଏ ମାତ୍ର ବାଟ ହେଲା ହାତ ଯୋଡ଼ି, ଭୟ ଦେଖାଇ ଆପଣଙ୍କର ନିଷ୍ପତ୍ତିକୁ ଦୋହଲାଇ ଦେବା । ତା’ ପରେ ପୂରା ବିଷୟଟାକୁ ଧୀର ସୁସ୍ଥ ମନରେ ଭାବିବାକୁ ମୁଁ ଶିଖିଚି । ଆପଣ ଯା’ ଇଚ୍ଛା ତା’ କରି ପାରନ୍ତି । ଆପଣଙ୍କ କ୍ରିୟାକଳାପ ସେଠି ଅଗଣାର ସେ ବରଫ ଉପରେ ଗଭୀର ପାଦଚିହ୍ନ ଛାଡ଼ିଯାଇପାରେ, ସନ୍ଦେହ ନାଇଁ, କିନ୍ତୁ ଅଧିକା କିଛି କରି ପାରିବ ନାଇଁ ।’’ ‘‘ଏ ପରସ୍ପର ବିରୋଧୀ ଘଟଣା ଗୁଡ଼ିକ ଠିକ୍‌ ବୁଝାଇ ଦିଆହେଲା ବୋଲି ମୋର ମନେ ହେଉନି,’’ କେ. କହିଲା, ‘‘କିନ୍ତୁ ମୁଁ ସୁଖୀ ଯେ ସେଥିପ୍ରତି ଦୃଷ୍ଟି ଆକର୍ଷଣ କରିପାରିଚି । କିନ୍ତୁ ବର୍ତ୍ତମାନ ମୁଁ ଆପଣଙ୍କୁ ଅନୁରୋଧ କରୁଚି, ସଚିବ ମହାଶୟ, ମତେ କହନ୍ତୁ ମଲିକାଣୀଙ୍କ ମତଟା ଠିକ୍‌ କି, ମାନେ ମୋ’ ଉତ୍ତର ସବୁ ନେଇ ଆପଣ ଯୋଉ ଦଲିଲ୍ ପ୍ରସ୍ତୁତ କରୁଚନ୍ତି, ତା’ ଫଳରେ ମୁଁ କ୍ଳାମ୍‌ଙ୍କୁ ଦେଖା କରି ପାରିବି କି ? ତା ଯଦି ହୁଏ, ମୁଁ ଆପଣଙ୍କର ସବୁ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ, ଏଇକ୍ଷଣି । ସେୟା ହେଲେ ମୁଁ ପ୍ରକୃତରେ ସବୁ କିଛି କରିବାକୁ ପ୍ରସ୍ତୁତ ।’’ ‘‘ନା, ‘‘ମୋମସ୍‌ ଉତ୍ତର ଦେଲେ, ‘‘ତା’ର ଅର୍ଥ ସେୟା ନୁହେ ମୋଟେ-। ମୁଁ ଖାଲି ଏତିକି କରୁଚି, କ୍ଳାମଙ୍କର ଗ୍ରାମ୍ୟ ଅଫିସରେ ରହିବା ପାଇଁ ଏ ଅପରାହ୍ନର ଘଟଣାବଳୀ ମୁଁ ଲେଖି ନେଉଚି । ଦଲିଲ୍‌ଟା ଲେଖା ସରିଲାଣି, ଖାଲି ଗୋଟେ ଯୋଡ଼େ ଯାଗା ଖାଲିଅଛି ଯାହା କି ନିୟମ ଦୃଷ୍ଟିରୁ ଆପଣଙ୍କୁ ଭର୍ତ୍ତି କରିବାକୁ ପଡ଼ିବ; ଅନ୍ୟ କିଛି ଉଦ୍ଦେଶ୍ୟ ନାଇଁ, ଅନ୍ୟ କୌଣସି ଉଦ୍ଦେଶ୍ୟ ସଫଳ ହେବନି ।’’ କେ. ଚୁପ୍‌ଚାପ୍‌ ମାଲିକାଣୀ ଆଡ଼େ ଚାହିଁଲା । ‘‘ଆପଣ କାଇଁକି ମୋ’ ଆଡ଼େ ଚାହୁଁଚନ୍ତି ?’’ ମାଲିକାଣୀ, ‘‘ମୁଁ ଆଉ କଣ କହିଲି କି ? ସେ ସବୁବେଳେ ସେମିତି, ସଚିବ ମହାଶୟ, ସେ ସବୁବେଳେ ସେମିତି । ଜଣେ ଯାହା ଖବର ଦେବ ତାକୁ ଓଲଟାଇ ଦେବେ, ଏବଂ କହିବେ ଯେ ତାଙ୍କୁ ଭୁଲ୍‌ ଖବର ଦିଆ ହୋଇଚି । ମୁଁ ମୂଳରୁ ତାଙ୍କୁ କହିଚି ଆଉ ଆଜି ପୁଣି ଥରେ କହୁଚି ଯେ କ୍ଳାମଙ୍କ ପାଖୁ ଯିବାର ଟିକିଏ ହେଲେ ସମ୍ଭାବନା ତାଙ୍କର ନାଇଁ; ଆଉ ଯଦି ସମ୍ଭାବନା ନାଇଁ, ଯାହା ହେଲେ ବି ଏ ଦଲିଲ ଜରିଆରେ ସେ କଥା ସେ ବଦଳାଇ ଦେଇ ପାରିବେନି । ଆଉ କେତେ ସ୍ପଷ୍ଟକରି କହିବି ? ମୁଁ ପୁଣି କହିଲି ଯେ କାଗଜ ପତ୍ରରେ ସଂପର୍କ ହିଁ ଏକମାତ୍ର ଅଫିସିଆଲ ସଂପର୍କ ଯାହା କ୍ଳାମଙ୍କ ସାଙ୍ଗରେ ଜଣେ ରଖି ପାରିବ । ଏକଥା ବି ବେଶ୍ ସ୍ପଷ୍ଟ ଓ ସତ୍ୟ ମଧ୍ୟ କିନ୍ତୁ ତା’ ସତ୍ତ୍ୱେ ସେ ଯଦି ମତେ ବିଶ୍ୱାସ କରିବେନି; ଆଉ ଆଶାକରି ଚାଲିଯିବେ ଯେ କ୍ଳାମଙ୍କ ପାଖରେ ସେ ପହଞ୍ଚି ପାରିଚେ,–ମୁଁ ଜାଣେନି କାଇଁକି ଓ କି ଉଦ୍ଦେଶ୍ୟ ତାଙ୍କର–ସେ ଯେତେଦିନ ଯାଏ ଏପ୍ରକାର ଦୃଷ୍ଟିଭଙ୍ଗୀ ନେଇ ରହିଥିବେ । ଗୋଟିଏ ଜିନିଷ ହିଁ ତାଙ୍କୁ ସାହାଯ୍ୟ କରିବ । ତା’ହେଲା କ୍ଳାମଙ୍କ ସାଙ୍ଗରେ ତାଙ୍କର ଯେଉଁ ଅଫିସିଆଲ ସଂପର୍କ ଅଛି, ମାନେ ଏ କାଗଜପତ୍ର । ମୁଁ ଏୟାହିଁ କହିଚି, ଆଉ ଯଦି କିଏ ୟାର ଓଲଟା ଅର୍ଥ କରେ, ମୁଁ କହିବି ଯେ ସେ ଉଦ୍ଦେଶ୍ୟ ରଖି ମୋ କଥା ଗୁଡ଼ାକର ଅର୍ଥ ବଦଳେଇ ଦେଉଛି ।’’ ‘‘ଘଟଣାଟା ଯଦି ସେୟା, ମାଲିକାଣୀ,’’ କେ. କହିଲା, ‘‘ତା’ ହେଲେ ମୁଁ ଭୁଲ ମାଗୁଚି, ମୁଁ ତମକୁ ଭୁଲ ବୁଝିଲି; କାରଣ ମୁଁ ଭାବିଲି–ଏବେ ଯାହା ଜଣା ପଡ଼ୁଛି, ଭୁଲରେ ନିଶ୍ଚୟ–ଯେ ତମେ ୟା ଆଗରୁ ଯାହାସବୁ କହିଲି ସେଥିରୁ ମୁଁ ନିଶ୍ଚୟ ସୂଚନା ପାଇବି ଯେ ସଫଳତାର କ୍ଷୀଣ ଆଶା ଟିକିଏ ତଥାପି ଅଛି ।’’ ‘‘ନିଶ୍ଚୟ,’’ ମାଲିକାଣୀ କହିଲା, ‘‘ମୁଁ ତ ସେୟା କହୁଚି । ଆପଣ ମୋ’ କଥାର ଅଡ଼ୁଆ ଅର୍ଥ କରୁଚନ୍ତି । ଏଥର ପୂରା ଓଲଟା ପଟିଆ । ମୋ’ ମତରେ ଆପଣଙ୍କ ପାଇଁ ଏତକ ଆଶା ଅଛି, କିନ୍ତୁ ଏ କାଗଜପତ୍ର ଜରିଆରେ ହିଁ, ଅଛି । ଅନ୍ୟ କୋଉ ବାଟରେ ନୁହେ । କିନ୍ତୁ ଏଇସବୁ ସେମିତିକା ଦଲିଲ ନୁହେଁ ଯେ, ଆପଣ ମି. ମୋସସ୍‌ଙ୍କୁ ପଚାରି ଦେଇ ବସିବେ ଏ ପ୍ରଶ୍ନ । ମୁଁ ଯଦି ଆପଣଙ୍କ ପ୍ରଶ୍ନର ଉତ୍ତର ଦେଇଦିଏ ମତେ କ୍ଳାମଙ୍କୁ ଦେଖା କରିବାକୁ ଅନୁମତି ମିଳିବ କି-? ଜଣେ ପିଲା ଯେତେବେଳେ ଏମିତିକା ପ୍ରଶ୍ନ ପଚାରେ ଲୋକେ ହସନ୍ତି, ଜଣେ ବୟସ୍କ ଲୋକ ଯଦି ପଚାରେ ତା’ ଶାସନ ପ୍ରତି ଅପମାନ ବୋଲି ଧରାଯାଏ । ମି. ମୋସସ୍‌ ଅତି ଭଦ୍ର ଭାବରେ ଉତ୍ତର ଦେଇ ଏକଥା ଲୁଚାଇ ଦେଲେ । କିନ୍ତୁ ମୁଁ ଯେଉଁ ଆଶା ଅଛି କହୁଚି ତା’ ହେଲା ଏତିକି । କାଗଜ ପତ୍ରରେ ଆପଣଙ୍କର ଗୋଟାଏ ପ୍ରକାର ସଂପର୍କ ଅଛି, ଗୋଟାଏ ପ୍ରକାର ସଂପର୍କ, କ୍ଳାମଙ୍କ ସାଙ୍ଗରେ ବୋଧହୁଏ । ସେତିକି କ’ଣ ଯଥେଷ୍ଠ ନୁହେଁ ? ଯଦି ଜଣେ ପଚାରେ ଯେ ଏ ପ୍ରକାର ଆଶା ରଖିବାର ଗୌରବ ପାଇଁ ଆପଣ କି ସେବା କରିଚନ୍ତି–ଆପଣ କ’ଣ ଅଳ୍ପ କିଛି ବି ଦେଖାଇ ପାରିବେ ଶେଷଥର ପାଇଁ କହି ରଖୂଚି, ଆପଣଙ୍କ ଆଶା ବିଷୟରେ ୟାଠୁ ଭଲକଥା କିଛି କୁହାଯାଇ ନପାରେ, ଆଉ ସରକାରୀ ଚାକିରିଆ ହିସାବରେ ମି. ମୋମସ୍‌ ସେ ବିଷୟରେ ସାମାନ୍ୟ ଟିକିଏ ସୂଚନା ବି ଦେଇପାରି ନଥାନ୍ତେ । ତାଙ୍କ ପାଇଁ ଏଇଟା ଯାହା ସିଏ ନିଜେ କହୁଚନ୍ତି, ଖାଲି ଉପର ତଳିର ଘଟଣାଗୁଡ଼ାକ ଲେଖି ରଖିବା କଥା, ତାଠୁ ଅଧିକା କିଛି ସେ କହିବେ ନାଇଁ, ଏପରିକି ଏ ମୁହୂର୍ତ୍ତରେ ଆପଣ ତାଙ୍କୁ ଯଦି ପଚାରନ୍ତି ମୋ କଥା ସଂପର୍କରେ ତାଙ୍କର ମତ କଣ, ତା’ହେଲେ ବି ସେ କହିବେ ନାହିଁ । ‘‘କ୍ଳାମ୍ ତାହେଲେ, ସଚିବ ମହାଶୟ, କ’ଣ ଏ ଦଲିଲ ପଢ଼ିବେ ?’’ କେ. ପଚାରିଲା । ‘‘ନା’’ ମୋସସ୍‌ ଉତ୍ତର ଦେଲେ, ‘‘ସେ କାହିଁକି ପଢ଼ିବେ ? କ୍ଳାମ ସବୁ ଦଲିଲ୍ ପଢ଼ି ପରିବେନି, ପ୍ରକୃତରେ କୌଣସିଟା ପଢ଼ନ୍ତିନି । ସେ ଦଲିଲ ଗୁଡ଼ାକ ଧରି ମୋ ପାଖକୁ ଆସନ୍ତି,’ ସେ ପ୍ରାୟ କହନ୍ତି ।’’ ‘‘ଅମିନବାବୁ,’’ ମାଲିକାଣୀ ବିବ୍ରତ ହୋଇ କହିଲା, ‘‘ଆପଣଙ୍କ ପ୍ରଶ୍ନ ସବୁ ଶୁଣି ମୁଁ ହାଲିଆ ହେଲିଣି । ଆପଣ କଣ ଭାବୁଚନ୍ତି ଏୟା ଦରକାର, ବା ଅନ୍ତତଃ ହୋଇ ପାରିଲେ, ଭଲ ଯେ କ୍ଳାମ ଏଇ ଦଲିଲ୍‌ଟା ପଢ଼ିବେ ଆଉ ଆପଣଙ୍କ ଜୀବନରେ ଘଟିଥିବା ଛୋଟ ଘଟଣା ଗୁଡ଼ାକ ବିଷୟରେ ଜାଣିବେ ଠିକ୍‍ ଠିକ୍‍ । ଆପଣ କଣ ନମ୍ରଭାବରେ ଅନୁରୋଧ କରିବା ଉଚିତ ନୁହେଁ ଯେ ଦଲିଲ୍‌ଟା କ୍ଳାମଙ୍କ ପାଖରୁ ଲୁଚାଯାଉ–ଅବଶ୍ୟ ଆପଣଙ୍କର ଏଇ ପ୍ରାର୍ଥନା ଅନ୍ୟ ସବୁ ପ୍ରାର୍ଥନା ପରି ଯୁକ୍ତିହୀନ ହେବ । ଏବଂ କ୍ଳାମଙ୍କ ପାଖରୁ କୌଣସି ବିଷୟ କିଏ ଲୁଚେଇବ କେମିତି, ସେ ଯେତେ ଉଦାର ପ୍ରକୃତିରେ ଲୋକ ବୋଲି ଜଣା ପଡ଼ନ୍ତୁ ପଛକେ ? ଆପଣ ଯାହାକୁ ଆଶା କହୁଚନ୍ତି ତା’ପାଇଁ ଏୟା ପ୍ରକୃତରେ ଦରକାର କି ? ଆପଣ କ’ଣ ନିଜେ କହିନାହାନ୍ତି ଯେ କ୍ଳାମଙ୍କୁ କିଛି କହିବାର ସୁଯୋଗ ମିଳିଗଲେ ହିଁ ଆପଣ ଖୁସି ହେବେ, ସେ ଆପଣଙ୍କ ମୁହଁଙ୍କୁ ନଚାହିଁଲେ ବି ଆପଣଙ୍କ କଥା ନଶୁଣିଲେ ବି ! ଆଉ ଏ ଦଲିଲ୍ ଜରିଆରେ ଆପଣ କ’ଣ ସେତକ ହାସଲ କରିପାରିବେନି, ବୋଧେ ଅଧିକା ଅନେକ କିଛି କରିପାରିବେ !’’ କେ. ପଚାରିଲା, ‘‘କେମିତି ! ‘‘ଆପଣ ସବୁ କଥାରେ ପିଲାଙ୍କ ଭଳି ନ କହିଲେ ସେ ଗୁଡ଼ା ଯେମିତି ଖାଇବା ଜିନିଷ ! ଏମିତିକା ପ୍ରଶ୍ନର ଉତତ୍ତର କିଏ ବା ଦେଇ ପାରିବ ? ଦଲିଲ୍‌ଟା କ୍ଳାମ୍‌ଙ୍କ ଗ୍ରାମ ରେଜିଷ୍ଟରରେ ରଖାଯିବ, ଆପଣ ତ ତା’ ଶୁଣି ସାରିଲେଣି, ତା’ଠୁ ଅଧିକ କିଛି ନିଶ୍ଚିତ ଭାବରେ କହି ହେବନି । କିନ୍ତୁ ଆପଣ କ’ଣ ଏଯାଏଁ ଦଲିଲ୍‌ର, ମି. ମୋମସ୍‌ଙ୍କର ଓ ଗ୍ରାମ ରେଜିଷ୍ଟରର ପୂରା ଗୁରୁତ୍ୱ ବୁଝିଛନ୍ତି ? ଆପଣ କ’ଣ ଜାଣିଛନ୍ତି ମି. ମୋମସ୍‌ଙ୍କ ପରୀକ୍ଷାର ଅର୍ଥ କ’ଣ ? ବୋଧେ–ଅନ୍ତତଃ ଯାହା ବାହାରକୁ ଜଣା ପଡ଼ିଚି–ସେ ନିଜେ ତା’ ଜାଣିନାହାନ୍ତି । ସେ ସେଠି ଚୁପ୍‌ଚାପ୍‌ ବସି ତାଙ୍କ କାମ କରନ୍ତି, ନୀତି ନିୟମ ପାଇଁ, ସେ ଯେମିତି କହିଲେ । କିନ୍ତୁ ବିଚାର କରନ୍ତୁ, କ୍ଳାମ୍‌ ତାଙ୍କୁ ଚାକିରୀ ଦେଇଚନ୍ତି, ସେ କ୍ଳାମ୍‌ଙ୍କ ପାଖରେ ନ ପହଞ୍ଚୁ ଥିଲେ ବି, ଆଗରୁ କ୍ଳାମ୍‌ ସେ ସବୁ ପାଇଁ ଅନୁମତି ଦେଇଥାନ୍ତି । ଆଉ କ୍ଳାମ କୌଣସି କାମ ପାଇଁ ଅନୁମତି ଦେବେ କେମିତି ଯଦି ସେଥିରେ ତାଙ୍କର ପୂରା ମନ ନଥାଏ ? ମି. ମୋମସ୍‌ଙ୍କୁ ମୁଁ ଶସ୍ତା ଖୋସାମତି କଥା କହୁନି–ତା’ଛଡ଼ା ମୁଁ କହିଲେ ସେ ନିଜେ ମତେ ଅଟକେଇ ଦେବେ କିନ୍ତୁ ସେ ଜଣେ ସ୍ୱାଧୀନ ଲୋକ ଭାବରେ ମୁଁ ତାଙ୍କ ବିଷୟରେ କହୁନି, କହୁଚି କ୍ଳାମ୍‌ଙ୍କ ଅନୁମତି ପାଇଥିବା ଜଣେ ଲୋକ ଭାବରେ, ଯେମିତି ସିଏ ବର୍ତ୍ତମାନ; ତା’ ହେଲେ କ୍ଳାମ୍‌ଙ୍କର ସେ ହାତ ବାରିସି, ଯିଏ ଏକଥା ନ ମାନିବ ସେ ହଇରାଣ ହେବ ।

 

ମାଲିକାଣୀର ଧମକରେ କେ: ଡରିଗଲା ନାହିଁ; ମାଲିକାଣୀ ଯାହା ସବୁ ଆଶା ଦେଖାଇଲା ସେଥିରେ ସେ କ୍ଳାନ୍ତ ହୋଇ ପଡ଼ିଲା । କ୍ଳାମ୍‌ ଥିଲେ ବହୁତ ଦୂରରେ । ଥରେ ମାଲିକାଣୀ କ୍ଳାମ୍‌ଙ୍କୁ ଗୋଟାଏ ଇଗଲ ପକ୍ଷୀ ସାଙ୍ଗରେ ତୁଳନା କରିଥିଲା, ତୁଳନାଟା କେ:କୁ ଉଦଭଟ୍ଟ ମନେ ହୋଇଥିଲା, କିନ୍ତୁ ବର୍ତ୍ତମାନ ତାହା ଆଉ ଉଦଭଟ୍ଟ ମନେ ହେଲା ନାହିଁ । ସେ ଭାବିଲା କ୍ଳାମ୍‌ଙ୍କର ଦୂରତ୍ୱ କଥା, ତାଙ୍କର ନିବୁଜ ଘର, ନୀରବତା, ଯାହାକି ଭାଙ୍ଗୁଥିଲା ବୋଧହୁଏ କେ: କେବେ ଶୁଣିନଥିବା ଭଳି କାନ୍ଦଣାରେ, ତାଙ୍କର ନିମ୍ନଗାମୀ ଦୁଷ୍ଟି, ଯାହାକି କେବେ ପ୍ରମାଣ କରି ହେବ ନାହିଁ କିମ୍ବା ମିଛ ବୋଲି କହି ହେବ ନାହିଁ, ତାଙ୍କର ଉପରେ ଚକ୍‌କର କାଟିବା ଯାହାକି କେ. ତଳେ ରହି ଯାହା କଲେ ବି ବାଧା ପ୍ରାପ୍ତ ହେବ ନାହିଁ; ଏବଂ ଯାହାକି ସେ ଉପରେ ଥାଇ କରନ୍ତି କେତେକ ଅବୋଧ୍ୟ ନିୟମର ବଶବର୍ତ୍ତୀ ହୋଇ ଏବଂ ପୁଣି ଯାହାକି କେତେକ ମୁହୂର୍ତ୍ତରେ ହିଁ ଜଣା ପଡ଼ୁଥିଲା–ଏ ସବୁ ଥିଲା କ୍ଳାମ୍‌ ଏବଂ ଗୋଟାଏ ଇଗଲ ପକ୍ଷୀ ଭିତରେ ସାମଞ୍ଜସ୍ୟ । କିନ୍ତୁ ଦଲିଲ୍ ସହିତ ଏ ସବୁ‌ଥିର ନିଶ୍ଚୟ କିଛି ସଂର୍ପକ ନଥିଲା, ଯେଉଁ ଦଲିଲ୍‌ ଉପରେ କି ବର୍ତ୍ତମାନ ମୋମସ୍‌ ଲୁଣ ଦିଆ ହୋଇଥିବା ଗୋଟିଏ ରୋଲ୍‌ ଭାଙ୍ଗୁଥାନ୍ତି ଏବଂ ସହଜରେ ଗିଳି ହେବ ବୋଲି ବିୟର ସାଙ୍ଗରେ ଖାଉଥାନ୍ତି । ଫଳରେ ସବୁଯାକ କାଗଜ ଲୁଣ ଓ ରାଶିରେ ଭର୍ତ୍ତି ହୋଇ ଯାଉଥାଏ ।

 

‘‘ଶୁଭ ରାତ୍ରି,’’ କେ. କହିଲା ।’’ କୌଣସି ପ୍ରକାର ପରୀକ୍ଷା ପାଇଁ ମୋର ଆପତ୍ତି ନାହିଁ,’’ ଏବଂ ବର୍ତ୍ତମାନ ଶେଷରେ ସେ ଦୁଆର ଆଡ଼କୁ ଗଲା । ’ ସେ ପଳାଉଚନ୍ତି ତା’ ହେଲେ,’’ ମୋମସ୍‌ ପ୍ରାୟ ଉଦବିଘ୍ନ ହୋଇ ମାଲିକାଣୀକୁ କହିଲେ । ‘‘ତାଙ୍କର ସାହସ ହେବନି,’’ ମାଲିକାଣୀ କହିଲା; କେ.କୁ ଆଉ କିଛି ଶୁଭିଲା ନାହିଁ, ସେ ହଲ ଭିତରକୁ ଚାଲି ଯାଇଥିଲା । ଭାରି ଥଣ୍ଡା ଲାଗୁଥାଏ, ଜୋର୍‌ରେ ପବନ ବୋହୁଥାଏ । ବିପରୀତ ଦିଗର ଗୋଟାଏ ଦୁଆର ବାଟେ ହୋଟେଲ ମାଲିକ ପଶିଲେ, ଗୋଟିଏ କଣା ପଛ ପଟେ ଠିଆ ହୋଇ ସେ ହଲ୍‌ଟାକୁ ଜଗି ରହିଥିଲା ବୋଲି ମନେ ହେଲା । ହଲ, ଭିତରେ ପବନ ଏତେ ଜୋରରେ ବୋହୁ ଥିଲା ଯେ ସେ ତା’ର କୋଟର ତଳଟାକୁ ଆଣ୍ଠୁରେ ଗୁଡ଼ାଇ ଧରିଥାଏ । ‘‘ଆପଣ କ’ଣ ଚାଲିଲେ,ଅମିନବାବୁ ?’’ ସେ ପଚାରିଲା । ‘‘ଆପଣଙ୍କୁ କ’ଣ ତା’ ଆଶ୍ଚର୍ଯ୍ୟ ଲାଗୁଚି ?’’ କେ. ପଚାରିଲା । ‘‘ହଁ,’’ ମାଲିକ କହିଲା, ଆପଣଙ୍କୁ କ’ଣ ପରୀକ୍ଷା କରା ହେଲା ନି ତା’ ହେଲେ ?’’ ‘‘ନା,’’ କେ: ଉତ୍ତର ଦେଲା । ‘‘ମତେ ପରୀକ୍ଷା କରିବାକୁ ମୁଁ ଦେଲେନି ।’’ ‘‘କାହିଁକି ଦେଲେ ନି ?’’ ମାଲିକ ପଚାରିଲା । ‘‘ମୁଁ ଜାଣିନି,’’ କେ. କହିଲା,, ‘‘କାହିଁକି ମତେ ପରୀକ୍ଷା କରିବାକୁ ଦେବି, କାହିଁକି ଗୋଟେ ପରିହାସ ସରକାରୀ ପାଗଳାମିର ଶିକାର ହେବାକୁ ଯିବ । ବୋଧେ ଅନ୍ୟ କୋଉ ସମୟରେ ମୁଁ ମୋ ଆଡ଼ୁ ସେଟାକୁ ଗୋଟେ ପରିହାସ, ଗୋଟେ ପାଗଳାମି ବୋଲି ଧରି ନେଇଥାନ୍ତି, କିନ୍ତୁ ଆଜି ନୁହେଁ ।’’ ‘‘ଠିକ କଥା, ଠିକ କଥା,’’ ମାଲିକ କହିଲା, କିନ୍ତୁ କେବଳ ଭଦ୍ରତା ଦୃଷ୍ଟିରୁ, କଥାଟାକୁ ପୂର୍ଣ୍ଣ ସମର୍ଥନ କରି ନୁହେ । ‘‘ବର୍ତ୍ତମାନ ମୁଁ ଚାକର ଗୁଡ଼ାକୁ ମଦ ବିକା ଘରକୁ ପଠେଇ ଦେବି,’’ ମାଲିକ ବର୍ତ୍ତମାନ କହିଲା, ‘‘ବହୁତ ବେଳ ହେଲାଣି । ପରୀକ୍ଷା ଚାଲିଥିଲା ବୋଲି ମୁଁ ଗୋଳମାଳ କରିବାକୁ ଚାହୁଁ ନଥିଲି ।’’ ‘‘ତମେ କ’ଣ ଭାବୁଥିଲ ଯେ ସେଟା ଏତେ ଗୁରୁତ୍ୱପୂର୍ଣ୍ଣ ?’’ କେ: ପଚାରିଲା । ‘‘ହଁ, ହଁ,’’ ମାଲିକ ଉତ୍ତର ଦେଲା । ‘‘ମୋର ମନା କରିବା ଠିକ୍‌ ହେଲାନି,’’ କେ. କହିଲା । , ‘ନା,’’ ମାଲିକ ଉତ୍ତର ଦେଲା,’’ ଆପଣ ତା’ କରିବା ଉଚିତ ହେଲାନି ।’’ କେ: ଚୁପ୍‌ ହୋଇଯିବା ଦେଖି ସେ ପୁଣି କହିଲା, କେ.କୁ ଖୁସି କରିବା ପାଇଁ କି ନିଜେ ଜଲ୍‌ଦି ବାଟ କାଟିବା ପାଇଁ କେଜାଣି, ‘‘ହେଉ, ହେଉ, ଆକାଶ ସେଥିପାଇଁ ଗନ୍ଧକ ବର୍ଷିବନି ।’’ ‘‘ନା,’’ କେ. ଉତ୍ତର ଦେଲା, ‘‘ପାଣି ପାଗରେ ସୂଚନା ସେମିତି କିଛି ନାହିଁ ।’’ ଏବଂ ଉଭୟେ ହସି ହସି ବିଦାୟ ନେଲେ ।

 

।। ଦଶ ।।

 

ଭାରି ଜୋର୍‌ରେ ପବନ ବୋହୁଥାଏ । କେ: ବାହାରକୁ ଆସିଲା ଏବଂ ଅନ୍ଧାର ଭିତରକୁ ନିଠେଇ ଚାହିଁଲା । ଭାରି ଭୟଙ୍କର ପାଗ । ଦୁଇଟା କଥା ଭିତରେ କିଛି ସଂପର୍କ ଅଛି ଯେମିତି, କେ. ଭାବିଲା ସେ ଦଲିଲ୍‌ଟା ଗ୍ରହଣ କରି ନେଉ ବୋଲି ମାଲିକାଣୀ କେମିତି ଚେଷ୍ଟା କଲା ଏବଂ ସେ ନିଜେ କେମିତି ତାହା କଲାନାହିଁ । ମାଲିକାଣୀର ଚେଷ୍ଟା ଅବଶ୍ୟ ଖୁବ୍‍ ସିଧା ନଥିଲା, ସେ ଲୁଚାଇ ଲୁଚାଇ ଏକା ସାଙ୍ଗରେ ଚେଷ୍ଟା କରିଥିଲା କେ. ଦଲିଲର ବିରୋଧ କରୁ ବୋଲି । ବାସ୍ତବରେ ସେ କ’ଣ କରିଛି, ଦଲିଲ୍‌ଟା ଗ୍ରହଣ କରିନେଲା କି ନେଲା ନାହିଁ, ସେ ଜାଣି ପାରୁନଥିଲା । ଗୋଟାଏ ଫିସାଦିଆ ପ୍ରକୃତି, ଅନ୍ଧ ଭାବରେ କାମ କରି ଯାଉଥିଲା, ମନେ ହେଲା ଯେମିତି, ପବନ, କେତେକ ଅପରିଚିତ ସୁଦୂର ଶକ୍ତିର ତାଡ଼ନାରେ, ଯାହାର ସ୍ୱରୂପ କଳନା କରି ହେବ ନାହିଁ ।

 

ମୁଖ୍ୟ ସାହି ରାସ୍ତାରେ ସେ ଦୁଇ ପାହୁଣ୍ଡ ଆଗେଇଛି କି ନାହିଁ ଦେଖିଲା ଦୂରରେ ଦୁଇଟା ଆଲୋକ ଝୁଲୁଛି । ଜୀବନର ଏ ସଂକେତ ଦେଖି ସେ ଖୁସି ହୋଇଗଲା ଏବଂ ସେ ଆଡ଼କୁ ତରବରରେ ମାଡ଼ି ଆସିଲା । ଆଲୋକ ଦୁଇଟା ମଧ୍ୟ ତା’ ଆଡ଼କୁ ଆସୁଛି । ସେ ଭାବି ପାରିଲା ନାହିଁ ଯେ ସହକାରୀମାନଙ୍କୁ ଚିହ୍ନିବା ପରେ ସେ ଏତେ ନିରାଶ ହୋଇ ଗଲା କାହିଁକି ? ତଥାପି ସେମାନେ ତା’କୁ ଭେଟିବାକୁ ଆସୁଥାନ୍ତି, ବୋଧହୁଏ ଫ୍ରୀଡ଼ା ସେମାନଙ୍କୁ ପଠାଇଛି । ଯେଉଁ ଲଣ୍ଠନ ଦୁଇଟା ତା’କୁ ଚାରି ପାଖରେ ଗର୍ଜୁଥିବା ଅନ୍ଧାର ଠାରୁ ରକ୍ଷା କଲା, ସେ ଦୁଇଟା ତା’ର ବୋଲି ସେ ଜାଣି ପାରିଲା । ତଥାପି ସେ ନିରାଶ ହେଲା, ସେ ଅନ୍ୟ କିଛି ଆଶା କରୁଥିଲା, ବହୁ ଦିନରୁ ଚିହ୍ନା ଏ ସହକାରୀ ଯୋଡ଼ାଙ୍କୁ ନୁହେଁ, ଯେଉଁମାନେ କି ତା’ ମୁଣ୍ଡରେ ବୋଝ ହୋଇ ସାରିଥିଲେ । କିନ୍ତୁ ସହକାରୀ ଦୁଇଜଣ କେବଳ ଆସୁ ନଥିଲେ, ଅନ୍ଧାର ଭିତରୁ ସେ ଦୁହିଁଙ୍କ ମଝିରେ ପଶି ଆସିଲା ବାର୍ଣ୍ଣାବାସ୍‌ । ‘‘ବାର୍ଣ୍ଣାବାସ୍‌ !’’ କେ: ଚିତ୍‌କାର କଲା, ଏବଂ ହାତ ବଢ଼ାଇ ଦେଲା ତା’ ଆଡ଼କୁ, ‘‘ତମେ ମତେ ଦେଖିବାକୁ ଆସିଚ ?’’ ତା’କୁ ଆଉ ଥରେ ଭେଟିବାରେ କେ: ଆଶ୍ଚର୍ଯ୍ୟ ହୋଇଗଲା, ଏବଂ ଦିନେ ସେ ବାର୍ଣ୍ଣାବାସ ଉପରେ ଯାହା ବିରକ୍ତ ହୋଇଥିଲା, ତାହା ଏ ଆଶ୍ଚର୍ଯ୍ୟ ଭାବ ଯୋଚାଁ କଟିଗଲା । ‘‘ଆପଣଙ୍କୁ ଦେଖିବାକୁ,’’ ଉତ୍ତର ଦେଲା ବାର୍ଣ୍ଣାବାସ୍‌, ଠିକ୍‌ ଆଗ ଭଳି ବଂଧୁତ୍ୱ ପୂର୍ଣ୍ଣ ଭାବରେ, ‘‘କ୍ଳାମ୍‌ଙ୍କଠୁ’ ଗୋଟିଏ ଚିଠି ଆଣିଚି ।’’ ‘କ୍ଳାମ୍‌ଙ୍କଠୁ’ ଚିଠି !’’ କେ.ଚିତ୍‌କାର କଲା ମୁହଁ ଉପରକୁ ଟେକି । ‘‘ଆଲୁଅ ଦେଖାଅ,’’ ସେ ସହକାରୀମାନଙ୍କୁ ଡାକିଲା । ଦୁହେଁ ବର୍ତ୍ତମାନ ଲଣ୍ଠନ ଟେକି ଧରି ଦୁଇ ପାଖରେ ତା’ ଦେହକୁ ଲାଗି ଠିଆ ହୋଇଗଲେ । ଲମ୍ବା କାଗଜଟା ଭାଙ୍ଗି ଭୁଙ୍ଗି ଛୋଟ କରି କେ: ଧରିଲା । କାଳେ ପବନରେ ଉଡ଼ିଯିବ ବୋଲି । ତା’ ପରେ ସେ ପଢ଼ିଲା ! ‘‘ବ୍ରିଜ୍‌ ଇନ୍‌ରେ ଥିବା ଅମିନ ବାବୁଙ୍କୁ । ଆପଣ ଏଯାଏଁ ଯେଉଁ ସର୍ଭେ କାମ କରିଛନ୍ତି ତାହା ମୋର ପସନ୍ଦ ହୋଇଛି । ସହକାରୀମାନଙ୍କ କାମ ମଧ୍ୟ ପ୍ରଶଂସନୀୟ । ସେମାନଙ୍କ ଠାରୁ କାମ କେମିତି ଆଦାୟ କରି ହେବ ତାହା ଆପଣଙ୍କୁ ଜଣା । ଆପଣଙ୍କର ଚେଷ୍ଟା ଅବ୍ୟାହତ ରଖନ୍ତୁ ! ଗୋଟାଏ ଶୁଭଙ୍କର ସମାପ୍ତି ଆଡ଼କୁ ଆଗେଇ ନିଅନ୍ତୁ କାମ । ସାମାନ୍ୟ ହେଳା ହେଲେ ମୁଁ ଅସନ୍ତୁଷ୍ଟ ହେବି । ଅନ୍ୟ ସବୁ ବିଷୟରେ ନିଶ୍ଚିନ୍ତ ରହନ୍ତୁ; ଦରମା ବିଷୟରେ ବର୍ତ୍ତମାନ ନିଷ୍ପତ୍ତି କରାଯିବ । ମୁଁ ଆପଣଙ୍କୁ ଭୁଲିବି ନାହିଁ ।’’ କେବଳ ମୁଣ୍ଡ ଉଠାଇ ଚାହିଁ, କିନ୍ତୁ ସହକାରୀ ଦୁଇଜଣ, କେ: ଅପେକ୍ଷା ବହୁତ ମଠେଇ ମଠେଇ ପଢ଼ି ସାରି, ଶୁଭ ଖବର ଆସିଛି ଦେଖି ଆନନ୍ଦରେ ଚିତ୍‌କାର କରି ଉଠିଲେ ଏବଂ ଲୁଣ୍ଠନ ଟେକି ହଲାଇଲେ । ‘‘ଚୁପ୍‌କର,’’ କେ: କହିଲା, ଏବଂ ବାର୍ଣ୍ଣାବାସ୍‌କୁ ଗୋଟାଏ ଭୁଲ୍‌ ବୁଝାମଣା ହୋଇ ଯାଇଚି ।’’ ବାର୍ଣ୍ଣାବାସ ବୁଝିପାରିଲା ଭଳି ମନେ ହେଲା ନାହିଁ । ‘‘ଗୋଟାଏ ଭୁଲ ବୁଝାମଣା ହୋଇଯାଇଚି,’’ ସେ ପୁଣି ଥରେ କହିଲା, ଏବଂ ଅପରାହ୍ନରେ ସେ ଯେଉଁ କ୍ଳାନ୍ତି ବୋଧ କରିଥିଲା ତାହା ପୁଣି ଫେରି ଆସିଲା । ସ୍କୁଲ ଘରକୁ ରାସ୍ତା ବହୁତ ଲମ୍ବା ମନେହେଲା, ଏବଂ ବାର୍ଣ୍ଣାବାସ୍‌ ପଛରେ ତା’ର ପୂରା ପରିବାର ଠିଆ ହୋଇଥିବା ସେ ଦେଖି ପାରିଲା, ଏବଂ ସହକାରୀ ଦୁଇଜଣ ତା’ ଉପରକୁ ଏତେ ଚଢ଼ି ଆସୁଥାନ୍ତି ଯେ ସେ ତା’କୁ କହୁଣୀରେ ଠେଲି ତଡ଼ିବାକୁ ପଡ଼ିଲା । ତା’କୁ ଭେଟିବାକୁ ଫ୍ରୀଡ଼ା ଏମାନଙ୍କୁ କେମିତି ପଠାଇଲା ? ସେ ତ କହି ଆସିଥିଲା ଯେ ସେମାନେ ଫ୍ରୀଡ଼ା ପାଖରେ ରହିବେ ବୋଲି । ସେ ନିଜେ ତ ଘର ଚିହ୍ନି ଯାଇ ପାରିଥାନ୍ତା, ଏକୁଟିଆ ବହୁତ ଭଲ, ଏ ଦଳ ସାଙ୍ଗରେ ଯିବା ଅପେକ୍ଷା । ଖାଲି ସେତିକି ନୁହେ, ଦୁହିଁଙ୍କ ଭିତରୁ ଜଣେ ତା’ ବେକରେ ଗୋଟାଏ ସ୍କାଫି ଗୁଡ଼ାଇଥାଏ, ସେଟାର ଦୁଇ ପାଖ ପବନରେ ଉଡ଼ି ବେଶ୍ କେତେ ଥର କେ. ମୁହଁରେ ବାଡ଼େଇ ହୋଇ ସାରିଥାଏ । ଅନ୍ୟ ଜଣକ ସହକାରୀ ତା’ର ଲମ୍ବା, ଗୋଜିଆ ଓ ସବୁବେଳେ ଖଲ ଖଲ ହେଉଥିବା ଆଙ୍ଗୁଠିରେ ସ୍କାଫିଟାକୁ ସେକ୍ଷଣି ଟାଣି ନେଉଥାଏ ସତ । କିନ୍ତୁ ତା’ ଫଳରେ ପରିସ୍ଥିତିରେ କିଛି ଉନ୍ନତି ହେଉ ନଥାଏ । ମନେ ହେଉଥାଏ ସତେ ଯେମିତି ଦୁଇଜଣ ଯାକ ଭାବି ନେଇଥାନ୍ତି ଯେ ଏଠାକୁ ଚାଲି ଚାଲି ଆସି ପୁଣି ଚାଲି ଚାଲି ଯିବା ପ୍ରକୃତରେ ଖୁବ୍‌ ଆନନ୍ଦ ଦାୟକ । ପବନ ଓ ଚତୁର୍ଦ୍ଦିଗରେ ଭୟଙ୍କର ଅନ୍ଧାର ଦୁହିଁଙ୍କୁ ଉଚ୍ଚାଟ କରୁଥାଏ । ‘‘ପଳା’ ଏଠୁ,’’ କେ: ପାଟିକଲା, ‘‘ଆସିଲ ତ ମୋ’ ପାଖକୁ, ମୋ’ ବାଡ଼ିଟା ଆଣିଲ ନି କେମିତି ? କ’ଣ ଧର ମୁଁ ତମକୁ ଘରଯାଏ ଅଡ଼ାଇ ନେବି ଏବେ ?’’ ଦୁହେଁ ବାର୍ଣ୍ଣାବାସ ପଛରେ ଯାଇ ଲୁଚିଲେ, କିନ୍ତୁ ତାଙ୍କ ରକ୍ଷାକାରୀର ବାଁ ଡାହାଣ ଦୁଇ କାନ୍ଧରେ ଲୁଣ୍ଠନ ଦୁଇଟା ରଖିବାକୁ ଭୟ କଲେ ନାହିଁ; ସେ ସେକ୍ଷଣି କାନ୍ଧ ହଲାଇ ଲଣ୍ଠନ ଦୁଇଟା ତଳେ ପକାଇ ଦେଲା । ‘‘ବାର୍ଣ୍ଣାବାସ,’’ କେ. କହିଲା, ଏବଂ ତା’ ଛାତିରେ ପଥର ପଡ଼ିଲା ଭଳି ତା’କୁ ଲାଗିଲା, ଯେତେବେଳେ ସେ ଦେଖିଲା ଯେ ବାର୍ଣ୍ଣାବାସ ତା’କୁ ନିଶ୍ଚୟ ବୁଝି ପାରୁନାହିଁ, ସମୟ ଭଲଥିଲା ବେଳେ ତା’ ପୋଷାକ ଚକ୍‌ଚକ୍‌ କରୁଥିଲା, କିନ୍ତୁ ଘଟଣା ଗୁଡ଼ାକ ଖରାପ ହୋଇଯିବା ପରେ ତା’ଠାରୁ ଆଉ କୌଣସି ସାହାଯ୍ୟ ମିଳିବାର ନାହିଁ, ନୀରବ ବିରୁଦ୍ଧାଚରଣ ଛଡ଼ା, ସେ ବିରୁଦ୍ଧାଚରଣ ବିରୋଧରେ ଲଢ଼ି ହେବ ନାହିଁ, କାରଣ ବାର୍ଣ୍ଣାବାସ ନିଜେ ବଡ଼ ନିରାଶ୍ରୟ, ସେ କେବଳ ହସି ଦେବ, କିନ୍ତୁ ସେ ହସ କିଛି କରି ପାରିବ ନାହିଁ, ଯେମିତି ଉପରର ତାରା ଗୁଡ଼ାକ ତଳର ଏ ଝଡ଼ ବିରୁଦ୍ଧରେ କିଛି କରି ପାରିବେ ନାହିଁ । ‘‘ଦେଖ, କ୍ଳାମ୍‌ କ’ଣ ଲେଖିଚନ୍ତି ‘କେ: କହିଲା, ତା’ ମୁହଁ ଆଗରେ ଚିଠିଟା ଧରି । ‘‘ତାଙ୍କୁ ଭୁଲ୍ ଖବର ଦିଆ ହୋଇଚି । ମୁଁ ମୋଟେ ସର୍ଭେ କାମ କରିନି, ଆଉ ତମେ ତ ଦେଖୁଚ ମୋ’ ସହକାରୀ ଯୋଡ଼ାକ କି କାମିକା ଲୋକ ! ଆଉ ନିଶ୍ଚିତ କଥା, ମୁଁ ଯୋଉ କାମ କେବେ ଆରମ୍ଭ କରିନି ତା’ ବନ୍ଦ କରି ପାରିବିନି, ମୁଁ ଭଦ୍ରଲୋକଙ୍କୁ ଅସନ୍ତୁଷ୍ଟ ବି କରି ପାରିବିନି, ତେଣୁ ମୁଁ କେମିତି ତାଙ୍କଠୁ’ ପ୍ରଶଂସା ପାଇଲି ? ଆଉ ନିଶ୍ଚିତ ରହିବା କଥା, ତା’ ମୁଁ କେବେ ରହି ପାରିବିନି ।’’ ‘ମୁଁ ବୁଝିବି ସେକଥା,’’ ବାର୍ଣ୍ଣାବାସ କହିଲା । ସେ ଏତେବେଳଯାଏଁ କେବଳ ଚିଠିଟା ଉପରେ ଆଖି ବୁଲାଇ ଦେଉଥାଏ, ସେ ଯାହା ହେଉ ସେ ଚିଠିଟା ନିଶ୍ଚୟ ପଢ଼ି ପାରିନଥିବ, କାରଣ ସେ ଚିଠିଟା ମୁହଁକୁ ଲଗାଇ ଧରିଥିଲା । ‘‘ଓ,’’ କେ. କହିଲା, ‘‘ତମେ କଥା ଦେଉଚ ଯେ ଘଟଣାଟା ବୁଝିବ, କିନ୍ତୁ ପ୍ରକୃତରେ କ’ଣ ତମକୁ ବିଶ୍ୱାସ କରିପାରିବି ? ମୋର ଦରକାର ଜଣେ ବିଶ୍ୱସ୍ତ ଦୂତ; ଆଗ ଅପେକ୍ଷା ବର୍ତ୍ତମାନ ବେଶୀ ।’’ କେ. ଅଧୈର୍ଯ୍ୟ ହୋଇ ଓଠ କାମୁଡ଼ିଲା । ‘‘ଆଜ୍ଞା,’’ ବାର୍ଣ୍ଣାବାସ ଉତ୍ତର ଦେଲା, ସାମାନ୍ୟ ମୁଣ୍ଡ ନୁଆଁଇଁ–କେ.ପ୍ରାୟ ବାର୍ଣ୍ଣାବାସକୁ ବିଶ୍ୱାସ କରିବାକୁ ନିଜକୁ ପ୍ରସ୍ତୁତ କରିନେଲା, ସେ ଭଙ୍ଗୀର ପ୍ରଭାବରେ–‘‘ମୁଁ ନିଶ୍ଚେ ଘଟଣାଟା ବୁଝିବି, ଆଉ ଗତ ଥର ଆପଣ ଯୋଉ ଖବର ପଠାଇଥିଲେ ସେ କଥା ନିଶ୍ଚେ ବୁଝିବି ।’’ ‘‘କ’ଣ ହେଲା !’’ କେ. ପାଟିକଲା, ‘‘ତମେ ତା’ ହେଲେ ସେ କଥା ଏଯାଏଁ ବୁଝିନ ? ତମେ କ’ଣ ପରଦିନ ଦୁର୍ଗକୁ ଯାଇନଥିଲ ?’’ ‘‘ନା,’’ ବାର୍ଣ୍ଣାବାସ ଉତ୍ତର ଦେଲା, ‘‘ମୋ’ ବାପା ବୁଢ଼ା ଲୋକ, ଆପଣ ନିଜେ ତ ଦେଖିଚନ୍ତି, ଆଉ ସେତିକିବେଳେ ବହୁତ କାମ ପଡ଼ିଗଲା, ମତେ ତାଙ୍କୁ ସାହାଯ୍ୟ କରିବାକୁ ହେଲା, କିନ୍ତୁ ବର୍ତ୍ତମାନ ଖୁବ୍‌ ଶୀଘ୍ର ଦିନେ ମୁଁ ଦୁର୍ଗକୁ ଯିବି ।’’ ‘‘କିନ୍ତୁ ତମେ କୋଉ କଥା ଭାବିଚ, ଗୋଳମାଳିଆ ଲୋକ କୋଉଠିକାର ?’’ କେ. ପାଟିକଲା, କପାଳରେ ହାତ ବାଡ଼େଇ, ‘‘କ୍ଳାମ୍‌ଙ୍କ କାମ ସବା ଆଗେ ହେଉନି ନିଶ୍ଚୟ ତା’ହେଲେ ? ତମର ଦାୟିତ୍ୱ କେତେ, ତମେ ଚିଠି ପତ୍ର ନେଇଯିବା ଲୋକ, ଆଉ ତଥାପି ତମେ ମତେ ଏମିତି ହଇରାଣ କରୁଚ ? ତମ ବାପାଙ୍କ କାମରୁ ଆମକୁ କ’ଣ ମିଳିବ ? କ୍ଳାମ୍‌ ଏ ଖ‌ବରଟା ପାଇଁ ଅପେକ୍ଷା କରିଚନ୍ତି, ଆଉ ଏଟାକୁ ଧରି ଦଉଡ଼ି ଧାପୁଡ଼ି ପିଠି କରି ଯିବ କ’ଣ, ତମେ ଘୋଡ଼ାଶାଳ ସଫା କରୁଚ !’’ ‘‘ମୋ’ ବାପା ଜଣେ ମୋଚି,’’ ବାର୍ଣ୍ଣାବାସ ଉତ୍ତର ଦେଲା ଶାନ୍ତ ଭାବରେ, ‘ବ୍ରନ୍‌ସଓ୍ୱିକ୍‌ ପାଖରୁ କାମ ଆସିଥିଲା, ଆଉ ମୁଁ ମୋ’ ବାପାଙ୍କର ସହକାରୀ ।’’ ‘‘ମୋଚିକାମ-ବ୍ରନ୍‌ସଓ୍ୱିକ ।’’ କେ. ଚିଡ଼ାଇଲା ଭଳି କହିଲା, ସତେ ଯେମିତି ଶବ୍ଦ ଗୁଡ଼ାକୁ ସେ ଚିରାଦିନ ପାଇଁ ରଦ୍ଦ କରିଦେବାକୁ ଚାହୁଁଥିଲା ।’’ ଆଉ, ଆବହମାନ କାଳରୁ ଫାଙ୍କା ପଡ଼ିଥିବା ଏ ରାସ୍ତା ଗୁଡ଼ାକରେ କାହାର ବ ! ବୂଟ ଦରକାର ହେଉଚି ? ଆଉ ଏ ଯୋତା ତିଆରିରୁ ମତେ କ’ଣ ମିଳିବ ? ମୁଁ ତମ ହାତରେ ଚିଠିଟିଏ ଦେଲି, ତମେ ସେଟାକୁ ଏଠି ସେଠି ପକେଇବ ବୋଲି ନୁହ, ଭାଙ୍ଗିଭୁଙ୍ଗି ବେଞ୍ଚ ଉପରେ ରଖିଦେବ ବୋଲି ନୁହ, ଶୀଘ୍ର କ୍ଲାମଙ୍କ ପାଖରେ ନେଇ ପହଞ୍ଚେଇ ଦେବାକୁ ।’’ କେ, ସାମାନ୍ୟ ଶାନ୍ତ ହୋଇଗଲା, ସେତେବେଳେ ତା’ର ମନେ ପଡ଼ିଲା ଯେ କ୍ଳାମ୍‌ ହେରେନ୍‌ ହଫ୍‌ରେ ଦେହ ଖରାପରେ ବୋଧେ ପଡ଼ିଚନ୍ତି । ଦୁର୍ଗକୁ ମୋଟେ ଯାଇ ନାହିଁନ୍ତି; କିନ୍ତୁ ବାର୍ଣ୍ଣାବାସ୍‌ ପୁଣି ତା’କୁ ବିରକ୍ତ କରିଦେଲା, ଯେତେବେଳେ ସେ କେ.ର ପ୍ରଥମ ଚିଠି କଥା ଭୁଲିନାହିଁ ବୋଲି ପ୍ରମାଣ କରିବାକୁ ଚିଠିର କଥା ବସ୍ତୁ ଆବୃତ୍ତି କଲା । ‘‘ହେଲା, ଯଥେଷ୍ଟ ହେଲା ! ମୁଁ ଆଉ ଶୁଣିବାକୁ ଚାହୁଁନି,’’ ସେ କହିଲା ।’’ ମୋ’ ଉପରେ ରାଗନ୍ତୁନି, ଆଜ୍ଞା,’’ ବାର୍ଣ୍ଣାବାସ କହିଲା, ଏବଂ ସତେ ଯେମିତି ଅଚେତନରେ କେ.ର ବ୍ୟବହାରକୁ ଅଗ୍ରାହ୍ୟ କରିବାକୁ ଚାହୁଁଛି, ସେମିତି ସେ କେ. ଉପରୁ ତା’ର ଦୃଷ୍ଟି ଫେରାଇ ଆଣିଲା ଏବଂ ମୁହଁ ତଳକୁ କଲା । କିନ୍ତୁ ସମ୍ଭବତଃ ସେ କେ.ର ପାଟି ତୁଣ୍ଡରେ ବିବ୍ରତ ହୋଇ ପଡ଼ିଥିଲା ମାତ୍ର-। ‘‘ମୁଁ ତମ ଉପରେ ରାଗି ନାହିଁ,’’ କେ. କହିଲା, ଏବଂ ବର୍ତ୍ତମାନ ସେ ନିଜ ଉପରେ ବିରକ୍ତ ହେଲା, ‘‘ତମ ଉପରେ ନୁହ, ମୋ’ ନିଜ ଉପରେ, କାରଣ ଖୁବ୍‌ ଜରୁରୀ ଚିଠି ପତ୍ର ନିଆ ଆଣ କରିବା ପାଇଁ ମୁଁ ତମ ଭଳି ଲୋକଟିଏ ଧରିଚି ।’’ ‘‘ଦେଖନ୍ତୁ;’’ ବାର୍ଣ୍ଣାବାସ କହିଲା, ଏବଂ ସତେ ଯେମିତି ଜଣେ ଦୂତ ଭାବରେ ସେ ନିଜର ସମ୍ମାନ ରକ୍ଷା କରିବା ପାଇଁ ଯେତିକି ଦରକାର ତା’ଠାରୁ ବେଶୀ କହୁଥାଏ, ‘‘କ୍ଲାମ୍ ପ୍ରକୃତରେ ଆପଣଙ୍କଠୁ’ ଖବର ପାଇବାକୁ ଅପେକ୍ଷା କରିନାହାଁନ୍ତି, ମୁଁ ପହଞ୍ଚିଲେ ହିଁ ସେ ବିରକ୍ତ ହୁଅନ୍ତି ।’’ ପୁଣି ଗୋଟାଏ ନୂଆ ଖବର,’’ ଥରେ ସେ କହିଲେ; ଏବଂ ପ୍ରାୟ ମତେ ଦୂରରୁ ଦେଖିଦେଇ ସେ ଉଠିଯାଇ ପାଖ ବଗିଚାରେ ପଶିଯାନ୍ତି ଓ ମତେ ଦେଖା ଦିଅନ୍ତି ନାହିଁ । ତା’ଛଡ଼ା ଏମିତି କିଛି ନିୟମ ନାହିଁ ଯେ ପ୍ରତିଟି ଖବର ମୁଁ ସେକ୍ଷଣି ନେଇ ପହଞ୍ଚେଇବି, ଯଦି ନିୟମ ଥା’ନ୍ତା ମୁଁ ନିଶ୍ଚୟ ପହଞ୍ଚେଇ ଦିଅନ୍ତି କିନ୍ତୁ ସେମିତି ନିୟମ ନାହିଁ, ଆଉ ମୁଁ କେବେ ନଗଲେ ବି ମତେ କିଛି କୁହାଯିବ ନାହିଁ । ଖବରଟେ ଧରି ଯିବି, ତା’ପରେ ମୋ’ ଇଚ୍ଛା ।’’ ‘‘ଭଲ କଥା,’’ କେ, ଉତ୍ତର ଦେଲା, ବାର୍ଣ୍ଣାବାସ୍‌ ଆଡ଼କୁ ଅନାଇଁ, ଏବଂ ସେ ଇଚ୍ଛା କରି ସହକାରୀମାନଙ୍କୁ କିଛି କହିଲା ନାହିଁ । ସେ ଦୁହେଁ ବାର୍ଣ୍ଣାବାସ୍‌ର କାନ୍ଧ ପଛରୁ ଆସ୍ତେ ଆସ୍ତେ ଉଠାଇଥାନ୍ତି, ଗୋଟିଏ ଛୋଟ କବାଟ ସେପାଖରୁ ଯେମିତି, ଏବଂ ପବନର ଅନୁକରଣରେ ଚାପା ସୁସୁରି ମାରି ପୁଣି ଲୁଚି ଯାଉଥାନ୍ତି ସତେ ଯେମିତି ଦୁହେଁ କେ: କୁ ଭୀଷଣ ଡରି ଯାଇଥାନ୍ତି । ବହୁତ ସମୟ ଧରି ସେ ଦୁହେଁ ଏମିତି ମଜା କଲେ । ‘‘କ୍ଳାମ୍ କ’ଣ କରନ୍ତି ମୁଁ ଜାଣେନି, କିନ୍ତୁ ତମେ ଯେ ସବୁ କଥା ଠିକ୍‌ ବୁଝିପାରୁଚ ସେଥିରେ ମୋର ସନ୍ଦେହ ଅଛି, ଆଉ ତମେ ବୁଝି ପାରୁଥିଲେ ବି ଆମେ ସେଠାର ପରିସ୍ଥିତିରେ କିଛି ଉନ୍ନତି କରି ପାରିବାନି । କିନ୍ତୁ ତମେ ଖବରଟେ ନେଇ ଯିବ, ଆଉ ଏତିକି ହିଁ ମୁଁ ତମଠୁଁ ଚାହୁଁଚି । ଅତି ଛୋଟ ଖବରଟିଏ । ତମେ ସେଟା କାଲି ଧରି ଯାଇ କାଲି ହିଁ ଉତ୍ତର ଆଣି ଦେଇ ପାରିବ କି, ଅନ୍ତତଃ ତମକୁ କେମିତି ବ୍ୟବହାର କଲେ ମତେ କହିବ କି ? ତା’ ତମେ କରିପାରିବ-? କରିବ ? ମତେ ବଡ଼ ସାହାଯ୍ୟ ହୁଅନ୍ତା । ଆଉ ବୋଧେ ମୁଁ ତମକୁ ଉପଯୁକ୍ତ ପୁରସ୍କାର ଦେବାର ସୁଯୋଗ ପାଆନ୍ତି, ନା ତମର କିଛି ଆଶା ଅଛି ବୋଧେ, ଯାହାକୁ ମୁଁ ପୂରଣ କରି ପାରିବି-?’’ ‘‘ମୁଁ ନିଶ୍ଚେ ଆପଣଙ୍କ ଆଦେଶ ପାଳନ କରିବି,’’ ବାର୍ଣ୍ଣାବାସ୍ କହିଲା । ‘‘ଆଉ ତା’ ତମ ସାଧ୍ୟ ମତେ ଭଲ ଭାବରେ କରିବାକୁ ତମେ ପ୍ରାଣପଣେ ଚେଷ୍ଟା କରିବ କି; ସିଧା କ୍ଳାମ୍‌ଙ୍କୁ ଚିଠିଟା ଦେଇ ତାଙ୍କଠୁ ଉତ୍ତର ଆଣିବ କି, ଆଉ ଖୁବ୍‌ ଶୀଘ୍ର, ସବୁ କଥା ଖୁବ୍‌ ଶୀଘ୍ର, କାଲି, ସକାଳେ, କରିବ ?’’ ‘‘ମୋ ଦେଇ ଯାହା ହେବ କରିବି,’’ ବାର୍ଣ୍ଣାବାସ କହିଲା, ‘‘କିନ୍ତୁ ସବୁବେଳେ ତ ମୁଁ ସେୟା କରେ ।’ ‘‘ଆଉ ସେ ବିଷୟରେ ଆମେ ବର୍ତ୍ତମାନ ଯୁକ୍ତତର୍କ କରିବାନି,’’ କେ. କହିଲା । ‘‘ଖବରଟା ହେଲା ଏୟା: ‘ଅମିନ ନିର୍ଦ୍ଦେଶକଙ୍କୁ ଅନୁରୋଧ କରୁଛି, ତାଙ୍କ ସାଙ୍ଗରେ ଦେଖା କରିବା ପାଇଁ ଅନୁମତି ମିଳୁ । ଏହି ଅନୁମତି ପାଇବା ପାଇଁ ଯଦି କୌଣସି ସର୍ତ୍ତ ଥାଏ, ତାହା ସେ ଆଗରୁ ଗ୍ରହଣ କରି ନେଉଛି । ସେ ଏ ପ୍ରକାର ଅନୁରୋଧ କରିବା ପାଇଁ ବାଧ୍ୟ ହେଉଛି କାରଣ ଏପର୍ଯ୍ୟନ୍ତ ସମସ୍ତ ମଝିମଝିଆ ଅଫିସର୍‌ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଏହାର ପ୍ରମାଣ ସ୍ୱରୂପ ସେ ଜଣାଉଛି ଯେ ସେ ଏଯାଏଁ କୌଣସି ସର୍ଭେ କାମ କରିନାହିଁ, । ଏବଂ ଗ୍ରାମ ସୁପରିଣ୍ଟେଣ୍ଡେଣ୍ଟଙ୍କ କହିବା ଅନୁସାରେ ସେ ଏପ୍ରକାର କାମ କେବେ କରିବ ନାହିଁ । ଫଳରେ ଅପମାନ ଓ ନୈରାଶ୍ୟ ଜର୍ଜରିତ ହୋଇ ସେ ନିର୍ଦ୍ଦେଶକଙ୍କର ଗତ ଚିଠିଟି ପଢ଼ିଲା । ଏ କ୍ଷେତ୍ରରେ ନିର୍ଦ୍ଦେଶକଙ୍କ ସହିତ ବ୍ୟକ୍ତିଗତ ସାକ୍ଷାତ ହିଁ କିଛିଟା ସାହାଯ୍ୟ କରିବ । ଅମିନ ଜାଣେ ଯେ ତା’ର ଅନୁରୋଧ କେତେ ଅସାଧାରଣ, କିନ୍ତୁ ନିର୍ଦ୍ଦେଶକ ଯେତେ କମ୍‌ ହଇରାଣ ହେବେ ସେ ସବୁମନ୍ତେ ଚେଷ୍ଟା କରି ଦେଖିବ । ସାକ୍ଷାତର ସମୟ ସୀମା ଯାହା ଧାର୍ଯ୍ୟ ହେବ ସେଥିରେ ସେ ରାଜି ଏବଂ ଆହୁରି ମଧ୍ୟ ସାକ୍ଷାତ ବେଳେ କେତେ ସଂଖ୍ୟକ ଶବ୍ଦ କହିବାକୁ ଅନୁମତି ମିଳିବ ତାହା ନିର୍ଦ୍ଦେଶକ ସ୍ଥିର କରିବେ । ସେ ବିଶ୍ୱାସ କରୁଛି ଯେ ଦଶଟି ଶବ୍ଦ କହିବାକୁ ମିଳିଲେ ମଧ୍ୟ ସେ ଚଳାଇନେଇ ପାରିବ । ଗଭୀର ସମ୍ମାନ ଓ ତୀବ୍ର ଉତ୍‌କଣ୍ଠାର ସହିତ ସେ ଆପଣଙ୍କର ନିଷ୍ପତ୍ତିର ଅପେକ୍ଷା କରୁଛି । ’,, ଏକଥା କହିଲା ବେଳେ କେ. ନିଜକୁ ଭୁଲି ଯାଇଥିଲା, ସତେ ଯେମିତି ସେ କ୍ଳାମଙ୍କ ଘର ଆଗରେ ଠିଆ ହୋଇ ତାଙ୍କ ଦରୁଓ୍ୱାନ୍‌ ସାଙ୍ଗରେ କଥାବାର୍ତ୍ତା କରୁଥିଲା ।’’ ମୁଁ ଯେତିକି ଭାବିଥିଲି ତା’ଠୁ ବେଶୀ ଲମ୍ବା ହୋଇଗଲା,’’ କେ କହିଲା,’’ କିନ୍ତୁ ତୁମେ ଏସବୁ କଣ୍ଠସ୍ଥ କରିନେବାକୁ ପଡ଼ିବ, ମୁଁ ଗୋଟେ ଚିଠି ଲେଖିବାକୁ ଚାହୁଁନି, ଲେଖିଲେ ସେଟା ଅନ୍ୟ ସବୁ କାଗଜପତ୍ର ପରି କୋଉ ଦୂର ଦୂରାନ୍ତରେ ଯାଇ ହଜିଯିବ ।’’ ତେଣୁ ବାର୍ଣ୍ଣାବାସର ସୁବିଧା ପାଇଁ କେ. ଖଣ୍ଡେ କାଗଜରେ ଏସବୁ ଲେଖିଦେଲା ଜଣେ ସହକାରୀର ପିଠି ଉପରେ କାଗଜଟା ରଖି, ଅନ୍ୟ ସହକାରୀ ଜଣକ ଲଣ୍ଠନ ଟେକି ଧରିଥାଏ । କିନ୍ତୁ ବାର୍ଣ୍ଣାବାସ୍ ପୂରାଟା ଡାକି ଦେଲା ଏବଂ କେ: ଲେଖିଲା । ବାର୍ଣ୍ଣାବାସ୍‌ ସବୁଟା ସେତେବେଳକୁ କଣ୍ଠସ୍ଥ କରି ସାରିଥାଏ; ସହକାରୀମାନେ ଭୁଲ୍‌ଭାଲ୍ କଥା ଯୋଡ଼ିବା ସତ୍ତ୍ୱେ ସେ ପୂରାଟା ଠିକେ ଠିକେ କହିଗଲା । ‘‘ତମର ତ ବିଚକ୍ଷଣ ସ୍ମୃତି ଶକ୍ତି,’’ କେ. କହିଲା କାଗଜ ଖଣ୍ଡକ ବଢ଼ାଇଦେଇ, ‘‘କିନ୍ତୁ ବର୍ତ୍ତମାନ କାମରେ ମଧ୍ୟ ବିଚକ୍ଷଣ ବୋଲି ଦେଖାଅ । ଆଉ ତମର କିଛି କହିବାର ଅଛି ? କିଛି ନାଇଁ ? ତମର କିଛି କହିବାର ଥିଲେ କହ, ତା’ ହେଲେ ମୋ’ ଖବର ଠିକ୍‌ ପହଞ୍ଚିବ ବୋଲି ମୁଁ ଆଶ୍ୱସ୍ତି ହେବି–ମୁଁ ସତ କହୁଚି ।’’ ପ୍ରଥମେ ବାର୍ଣ୍ଣାବାସ୍‌ ନୀରବ ରହିଲା, ତା’ପରେ ସେ କହିଲା, ମୋ’ ଭଉଣୀମାନେ ଆପଣଙ୍କୁ ନମସ୍କାର ଜଣାଇନ୍ତି ।’’ ‘‘ତମ ଭଉଣୀ,’’ କେ. ଉତ୍ତର ଦେଲା ‘‘ଓ ହୋ, ହଁ ସେଇ ବଡ଼ ବଡ଼ ବଳୁଆ ଝିଅ ଦୁଇଟି ।’’ ‘‘ଉଭୟେ ନମସ୍କାର ଜଣାଇଛନ୍ତି, କିନ୍ତୁ ବିଶେଷ କରି ଆମାଲିଆ,’’ ବାର୍ଣ୍ଣାବାସ କହିଲା, ‘‘ତା’ ଛଡ଼ା ସିଏ ହିଁ ଆଜି ଦୁର୍ଗରୁ ଆପଣଙ୍କ ପାଇଁ ଏ ଚିଠିଟା ଆଣି ମତେ ଦେଇଛି ।’’ ଏ ଖବରରେ ବିସ୍ମିତ ହୋଇ କେ. ପଚାରିଲା: ‘‘ତା’ ହେଲେ ମୋ ଖବର ନେଇ ସେ ଦୁର୍ଗରେ ପହଞ୍ଚାଇ ଦେଇ ପାରନ୍ତା ନାହିଁ ? କିମ୍ବା ତମେ ଉଭୟେ ଯା’ନ୍ତ, ନିଜ ନିଜ ଭାଗ୍ୟ ପରୀକ୍ଷା କରନ୍ତ ?’’ ‘‘ଚାନସେଲରି ଭିତରକୁ ଯିବାକୁ ଆମାଲିଆ ଅନୁମତି ପାଇନି,’’ ବାର୍ଣ୍ଣାବାସ୍‌ କହିଲା, ‘ନହେଲେ ସେ ଖୁସିରେ ସେ କାମଟା କରନ୍ତା ।’’ ‘‘ମୁଁ ଆସି ତମକୁ ଦେଖା କରିବି, ବୋଧେ କାଲି,’’ କେ. କହିଲା, ‘‘ଖାଲି ତମେ ଉତ୍ତରଟା ଧରି ଆଗେ ଆସ । ମୁଁ ତମକୁ ସ୍କୁଲଠି ଅପେକ୍ଷା କରିବି । ତମ ଭଉଣୀ ମାନଙ୍କୁ ମୋର ଶୁଭେଚ୍ଛା ଜଣାଇ ଦେବ ।’’ କେ.ର କଥା ଶୁଣି ବାର୍ଣ୍ଣାବାସ୍‌ ଖୁବ୍‌ ଖୁସି ହେଲା ପରି ମନେ ହେଲା, ଏବଂ ଦୁହେଁ କରମର୍ଦ୍ଦନ କଲା ପରେ ସେ କେ.ର କାନ୍ଧ ଉପରେ ଆସ୍ତେକିନା ହାତ ନ ପକାଇ ରହି ପାରିଲା ନାହିଁ । ସତେ ଯେମିତି ସବୁ ପୁଣି ଆଗ ଭଳି ହୋଇଗଲା, ଯେତେବେଳେ ବାର୍ଣ୍ଣାବାସ୍‌ ପ୍ରଥମେ ଚାଷୀ ଲୋକଙ୍କ ଭିତରେ ପଶି ସଗର୍ବରେ ହୋଟେଲ୍‌ ଭିତରେ ପହଞ୍ଚିଥିଲା, କାନ୍ଧ ଉପରେ ତା’ ହାତର ସ୍ପର୍ଶ କେ. କୁ ବେଶ୍ ସମ୍ମାନ ଜନକ ମନେ ହେଲା, ଯଦିଓ ସେ ତାହା ଦେଖି ହସିଲା । ବର୍ତ୍ତମାନ ତା’ର ମାନସିକ ଅବସ୍ଥା ଭଲ ଥିଲା, ଘରକୁ ଫେରିବା ବାଟରେ ସହକାରୀମାନେ ଯାହା କଲେ ବି ସେ କିଛି କହିଲା ନାହିଁ ।

Unknown

 

।। ଏଗାର ।।

 

ଦେହ ହାତ କାଲୁଆ ହୋଇ ଯାଇଥାଏ । ସେ ସ୍କୁଲରେ ପହଞ୍ଚିଲା ଭୀଷଣ ଅନ୍ଧାର ହୋଇଥାଏ । ଲଣ୍ଠନର ବତୀ ଗୁଡ଼ାକ ପୋଡ଼ି ଯାଇଥାଏ । ସହକାରୀ ମାନେ ଆଗରୁ ସେ ଜାଗାକୁ ଆସିଥାନ୍ତି, ସେ ଦୁହିଁଙ୍କ ସହାୟତାରେ ସେ ବାଟ ଉଣ୍ଡି ଉଣ୍ଡି ଗୋଟାଏ କ୍ଳାସରୁମ୍‍ ଭିତରେ ପଶିଲା-।’’ ତମେ ଦୁହେଁ ପ୍ରଥମ ଥର ପାଇଁ ଯା’ ହେଉ କିଛି ଗୋଟାଏ କଲ, ସେ କହିଲା କ୍ଳାମ୍‌ଙ୍କ ଚିଠି କଥା ମନେ ପକାଇ । ଅଧା ନିଦରେ ଫ୍ରୀଡ଼ା ଘର ଭିତରୁ ପାଟି କଲା, ‘‘କେ. ଶୁଅନ୍ତୁ । ତାଙ୍କୁ ହଇରାଣ କରନି ।’’ ସେ ଏତେ ବେଶୀ କେ. କଥା ଭାବୁଥିଲା, ଯଦିଓ ତାକୁ ଏମିତି ନିଦ ଲାଗିଥିଲା ଯେ ସେ କେ.ର ଆସିବା ଯାଏଁ ଅପେକ୍ଷା କରି ପାରି ନଥିଲା । ବର୍ତ୍ତମାନ ଗୋଟାଏ ଆଲୁଅ ଆସିଲା, କିନ୍ତୁ ଲ୍ୟାଂପ୍‌ରେ କମ୍‌ ମହମ ଥିବାରୁ ବେଶୀ ସମୟ ଜଳାଇ ରଖାଯାଇ ପାରିଲା ନାହିଁ । ଘରେ ଏଯାଏଁ ଅନେକ ଗୁଡ଼ାଏ ଦରକାରି ଜିନିଷ ପତ୍ର ନଥିଲା । ଘର ଭିତରଟାକୁ ଗରମ କରାଯାଇଥାଏ ସତ, କିନ୍ତୁ ବଡ଼ ରୁମ୍‍ଟାଏ, ବେଳେ ବେଳେ ବ୍ୟାୟମଶାଳା ଭାବରେ ବ୍ୟବହାର କରାଯାଉଥାଏ–କୁସ୍ତି କସରତ ଯନ୍ତ୍ରପାତି ଏଠି ସେଠି ପଡ଼ିଥାଏ ଏବଂ ଛାତରୁ ଝୁଲୁଥାଏ ଏବଂ ଗରମ କରିବା ପାଇଁ ସବୁତକ କାଠ ଜଳାଯାଇ ସାରିଥାଏ । ବେଶ୍ ଉଷୁମ ହୋଇ ଯାଇଥିଲା ନିଶ୍ଚୟ, କେ. ଭାବିଲା,, କିନ୍ତୁ ଦୁଖର କଥା ବର୍ତ୍ତମାନ ପୁଣି ଖୁବ୍‌ ଥଣ୍ଡା ହୋଇ ଯାଇଥିଲା । ଅବଶ୍ୟ ଗୋଟାଏ ସେଡ଼୍‌ରେ ବହୁତ ଗୁଡ଼ାଏ କାଠ ଥିଲା, କିନ୍ତୁ ସେଡ଼ଟା ତାଲା ପଡ଼ିଥିଲା ଓ ଚାବି ମାଷ୍ଟର ବାବୁଙ୍କ ପାଖରେ ଥିଲା, ପଢ଼ା ପଢ଼ି ଚାଲିଥିଲା ବେଳେ ସ୍କୁଲ ଘରଟା ଗରମ କରିବା ପାଇଁ କେବଳ ମାଷ୍ଟର ବାବୁ ସେ କାଠ ଦେଉଥିଲେ । ଥଣ୍ଡା କୌଣସି ପ୍ରକାରେ ସହି ହୁଅନ୍ତା ଯଦି ରୁମ୍‌ଟା ଭିତରେ ଖଟ ପଡ଼ିଥାନ୍ତା, ସେଥିରେ ଯାଇ ଆଶ୍ରୟ ନେଇ ହୁଅନ୍ତା । କିନ୍ତୁ ରୁମ୍‍ଟା ଭିତରେ ସେମିତିକା କିଛି ନଥିଲା, ଥିଲା କେବଳ ନଡ଼ା ଭର୍ତ୍ତି ଗୋଟାଏ ବଡ଼ ଅଖା, ଯାହା ଉପରେ ଫ୍ରୀଡ଼ା ଭାରି ସୁନ୍ଦର କରି ନିଜର ଗୋଟିଏ ପଶମ ଗାଲିଚା ପକାଇ ଦେଇ ଥିଲା । କିନ୍ତୁ ଗୋଟାଏ ହେଲେ ପକ୍ଷୀ-ପର ତିଆରି ଶେଯ ନ ଥିଲା, ଖାଲି ଥିଲା ଦୁଇଟା ଟାଆଁ ସିଆ କମ୍ବଳ । ସେଥିରେ ଶୀତ ଯାଉ ନଥିଲା ମୋଟେ, ଏବଂ ସେହି କଦର୍ଯ୍ୟ ଅଖାଟା ଆଡ଼କୁ ହିଁ ସହକାରୀ ମାନେ ଲୋଭୀ ଆଖିରେ ଅନାଇଁଥାନ୍ତି । ଅବଶ୍ୟ ତା ଉପରେ ଶୋଇବା ପାଇଁ ତାଙ୍କ ଅନୁମତି ମିଳିବାର କୌଣସି ଆଶା ନଥିଲା । ଫ୍ରୀଡ଼ା ବ୍ୟସ୍ତ ହୋଇ କେ. ଆଡ଼କୁ ଅନାଇଁଲା । ସେ ଜାଣିଥିଲା ଗୋଟିଏ ଘରକୁ, ଏପରି କି କଦର୍ଯ୍ୟ ଅବସ୍ଥାରେ ଥିବା ଗୋଟିଏ ଘରକୁ କିପରି ବାସ ଯୋଗ୍ୟ କରି ହେବ । ଏକଥା ସେ ବ୍ରିଜ୍ ଇନ୍‌ରେ ପ୍ରମାଣିତ କରି ଦେଇଥିଲା । କିନ୍ତୁ ଏଠି ସେ ବିଶେଷ କିଛି କରି ପାରି ନଥିଲା, କାରଣ ଗୁଡ଼ାଏ ଦରକାରି ଜିନିଷ ସେ ପାଇ ନଥିଲା । ‘‘ଏ କୁସ୍ତି କସରତ ଯନ୍ତ୍ରପାତି ହିଁ ଆମର ଅଳଙ୍କାର,’’ ସେ କହିଲା, ଲୁହଭର୍ତ୍ତି ଆଖିରେ ହସିବାକୁ ଚେଷ୍ଟା କରି । କିନ୍ତୁ ଘରେ ଯେଉଁ ବଡ଼ ଧରଣର ଅଭାବ ଗୁଡ଼ିକ ଥିଲା, ଶୋଇବା ଯାଗା ଓ କାଠର ଅଭାବ, ତା’ ପରଦିନ ସେ ସବୁ ବିଷୟରେ ନିଶ୍ଚୟ କିଛି କରିବ ବୋଲି ସେ କଥା ଦେଲା, ଏବଂ ସେଯାଏଁ କେ.କୁ ଧୈର୍ଯ୍ୟ ଧରିବାକୁ କହିଲା । କୌଣସି ଶବ୍ଦରୁ, ଭଙ୍ଗୀରୁ, ସୂଚନାରୁ କାହାର ବି ମତେ ହେବ ନାହିଁ ଯେ କେ, ବିରୁଦ୍ଧରେ ତା’ର ମନରେ ସାମାନ୍ୟ ଟିକିଏ ବିରାଗ ଥାଇପାର;, ଯଦିଓ, କେ. କହିଲା ପରି, ସେ ଫ୍ରୀଡ଼ାକୁ ପକରଥମେ ହେରେନ୍‌ହଫ୍‌ରୁ ଏବଂ ବର୍ତ୍ତମାନ ବ୍ରିଜ୍ ଇନ୍‌ରୁ ନେଇ ପଳାଇ ଆସିଛି । ତେଣୁ ପ୍ରତିଦାନର କେ. ସବୁ ଜିନିଷ ଚଳାଇ ନେବାକୁ ଯଥୋଚିତ ଚେଷ୍ଟା କରୁଥାଏ । ଏଥିପାଇଁ ତା’କୁ କଷ୍ଟ କରିବାକୁ ପଡ଼ୁନଥାଏ, କାରଣ ତା’ ଚିନ୍ତାରେ ସେ ଏପର୍ଯ୍ୟନ୍ତ ବର୍ଣ୍ଣାବାସ୍‌ ସାଙ୍ଗରେ ଥାଏ, ତା’କୁ ପଦ ପଦ କରି ତା,ର ଖବରଟା ଶୁଣାଉଥାଏ; ଅବଶ୍ୟ ଯେଉଁ ଭାବରେ ବାର୍ଣ୍ଣାବାସ୍‌କୁ କହିଥିଲା ସେମିତି ନୁହେ, କ୍ଳାମ୍‌ଙ୍କୁ ଯେଉଁ ପ୍ରକାର ଶୁଣାଯିବ ବୋଲି ସେ ଭାବୁଥିଲା ସେମିତି । ସେ ଯାହା ହେଉ ଫ୍ରୀଡ଼ା ଗୋଟିଏ ଷ୍ଟୋଭ୍‌ରେ କଫି କରିଥିବା ଦେଖି ସେ ଭାରି ଖୁସି ହୋଇଗଲା, ଏବଂ ପ୍ରାୟ ଲିଭି ଯାଇଥିବା ଉଁଚା ଚୁଲି ଉପରେ ଆଉଜି ଫ୍ରୀଡ଼ା ଗତି ସନ୍ତର୍ପଣରେ ତା’ର ଅଭ୍ୟସ୍ତ ହାତରେ ଅପରିହାର୍ଯ୍ୟ ଧଳା ଟେବୁଲ କ୍ଲଥଟି ମାଷ୍ଟର ବାବୁଙ୍କ ଟେବୁଲ୍ ଉପରେ ବିଛାଇ ଦେଲା, ଗୋଟିଏ ଫୁଲପକା କପ୍‌ ରଖିଲା, ତା’ପରେ ପାଉଁରୋଟି ଓ ମାଂସ ଏବଂ ପ୍ରକୃତରେ ଗୋଟିଏ ସାଡ଼ିନ୍ ମାଛ ଟିଣ । ବର୍ତ୍ତମାନ ସବୁ ପ୍ରସ୍ତୁତ ହୋଇଗଲେ; ଫ୍ରୀଡ଼ା ମଧ୍ୟ ଏଯାଏଁ ଖାଇ ନଥାଏ, କେ.ର ଆସିବାକୁ ଅପେକ୍ଷା କରିଥାଏ । ଦୁଇଟା ଚେୟାର ମିଳିଲା, ଗୋଟିକରେ କେ. ଏବଂ ଅନ୍ୟଟିରେ ଫ୍ରୀଡ଼ା ବସିଲେ. ସହକାରୀମାନେ ତାଙ୍କ ପାଦ ପାଖରେ ଡାୟାସ ଉପରେ ବସିଲେ, କିନ୍ତୁ ସେମାନେ ମୋଟେ ଚୁପ୍‌ ହୋଇ ରହିପାରୁ ନଥାନ୍ତି, ଖାଇଲାବେଳେ ବି ଗୋଳମାଳ କଲେ । ସେମାନଙ୍କୁ ଯଦିଓ ସବୁ ଜିନିଷ ଯଥେଷ୍ଟ, ସେମାନେ ଥରକୁ ଥର ଉଠି ଟେବୁଲ ଉପରେ ଆଉ କିଛି ଅଛି କମି ନାହିଁ ଦେଖୁଥାନ୍ତି ଏବଂ ସେମାନଙ୍କ ପାଇଁ ଆହୁରି କିଛି ଆଶା କରୁଥାନ୍ତି । କେ. ସେମାନଙ୍କ ପ୍ରତି କୌଣସି ଦୃଷ୍ଟି ଦେଲାନାହିଁ, କେବଳ ଫ୍ରୀଡ଼ା ଯେତେବେଳେ ସେମାନଙ୍କୁ ଚାହିଁ ହସିଲା, ସେ ସେମାନଙ୍କୁ ଅନାଇଁଲା-। କେ. ସ୍ନେହରେ ଆଣି ଫ୍ରୀଡ଼ାର ହାତ ତା’ ନିଜ ହାତ ଉପରେ ରଖିଲା ଏବଂ ନରମ ଗଳାରେ ପଚାରିଲେ, ସେ କାହିଁକି ସହକାରୀମାନଙ୍କ ପ୍ରତି ଏତେ ଶ୍ରଦ୍ଧା ଦେଖାଉଛି ଏବଂ ସେମାନଙ୍କର ଦୁଷ୍ଟାମି କେମିତି ସହୁଛୁ ? ଏମିତି କଲେ ସେମାନଙ୍କ କବଳରୁ ମୋଟେ ରକ୍ଷା ମିଳିବ ନାହିଁ । ବରଂ କିଛିଟା କଡ଼ା ବ୍ୟବହାର ଦେଖାଇଲେ, ସେମାନଙ୍କର ଚାଲିଚଳନ ଦୃଷ୍ଟିରୁ ଯାହା ଉପଯୁକ୍ତ, ସେମାନଙ୍କୁ ଜଣେ ଦବାଇ ଦେଇ ପାରିବ କିମ୍ବା ଯାହା ବେଶୀ ସମ୍ଭବ ଓ କରଣୀୟ, ସେମାନଙ୍କ ପାଇଁ ପରିସ୍ଥିତିକୁ ଏତେ ଅସହ୍ୟ କରି ଦେଇ ହେବ ଯେ ସେମାନେ ଛାଡ଼ି ପଳାଇବେ । ବେଶୀଦିନ ରହିବା ପାଇଁ ସ୍କୁଲଟା ବେଶ୍ ସୁଖକର ବୋଲି ଏଣେ ମନେ ହେଉ ନ ଥାଏ, କିନ୍ତୁ କିଏ ବା ବେଶୀ ଦିନ ରହିବ; କିନ୍ତୁ ସହକାରୀମାନେ ପଳାଇବା ପରେ, ଖାଲି ସେ ଓ ଫ୍ରୀଡ଼ା ସେଠି ରହିଲେ, ଘରଟାର ଅଭାବ ଅସୁବିଧା ଏତେ ବାଧିବ ନାହିଁ । ଏବଂ ଫ୍ରୀଡ଼ା କ’ଣ ଲକ୍ଷ୍ୟକରି ପାରୁନାହିଁ ଯେ ସହକାରୀମାନେ ପଳାଇବା ପରେ, ଖାଲି ସେ ଓ ଫ୍ରୀଡ଼ା ସେଠି ରହିଲେ, ଘରଟାର ଅଭାବ ଅସୁବିଧା ଏତେ ବାଧିବ ନାହିଁ । ଏବଂ ଫ୍ରୀଡ଼ା କ’ଣ ଲକ୍ଷ୍ୟକରି ପାରୁନାହିଁ ଯେ ସହକାରୀମାନେ ଦିନକୁ ଦିନ ବେଶୀ ଅମାନିଆ ହୋଇ ଯାଉଛନ୍ତି; ସତେ ଯେପରି ଫ୍ରୀଡ଼ାର ଉପସ୍ଥିତି ସେମାନଙ୍କର ସାହସ ବଢ଼ାଇ ଦେଉଛି ଏବଂ ସେମାନେ ଭାବୁଛନ୍ତି ଯେ କେ. ସେମାନଙ୍କ ପ୍ରତି କଠୋର ବ୍ୟବହାର କରିବନାହିଁ, ଯାହାକି ପରିସ୍ଥିତି ଅନ୍ୟପ୍ରକାର ହୋଇଥିଲେ ସେ କରିଥାନ୍ତା-। ତା’ ଛଡ଼ା ସମ୍ଭବତଃ ଅତିସହଜ ଉପାୟରେ ସେମାନଙ୍କୁ ଶୀଘ୍ରତଡ଼ି ଦିଆଯାଇ ପାରନ୍ତା-। କୌଣସି ଅଯଥା ଗଣ୍ଡଗୋଳ, ନକରି, ବୋଧହୁଏ ଫ୍ରୀଡ଼ାକୁ ସେ ଉପାୟ ଗୁଡ଼ିକ ଜଣା, କାରଣ ସେ ସବୁପ୍ରକାର ପରିସ୍ଥିତି ସହିତ ଭଲଭାବରେ ପରିଚିତ ଏବଂ ଯାହା ଜଣାପଡ଼ୁଥିଲା, ଯଦି କୌଣସି ଉପାୟରେ ସହକାରୀମାନଙ୍କୁ ତଡ଼ି ଦିଆଯିବ ସେମାନଙ୍କର ପ୍ରକୃତରେ ମଙ୍ଗଳ ହେବ, କାରଣ ଏଠି ରହି ସେମାନେ ଯେଉଁ ସୁବିଧା ସୁଯୋଗ ପାଉଥିଲେ, ତାହା ସେମିତି କିଛି ନୁହେଁ, ଏବଂ ତା’ଛଡ଼ା ସେମାନେ ଏତେଦିନ ଧରି ଯେଉଁ ଅଳସୁଆମି ଉପଭୋଗ କରୁଛନ୍ତି, ତାହା ଶେଷ ହେବ, କିଛି ପରିମାଣରେ ନିଶ୍ଚୟ, କାରଣ ଗତ କିଛିଦିନର ଉତ୍ତେଜନା ପରେ ଫ୍ରୀଡ଼ା ବିଶ୍ରାମ ନେଲେ ଏବଂ କେ. ତା’ର ଯନ୍ତ୍ରଣାଦାୟକ ଅବସ୍ଥାରୁ ମୁକ୍ତିପାଇବା ପାଇଁ ବାଟ ଖୋଜିବାରେ ଲାଗିଗଲେ, ସେମାନଙ୍କୁ ଖଟିବାକୁ ପଡ଼ିବ । ସେ ଯାହାହେଉ, ସହକାରୀମାନେ ଯଦି ଚାଲିଯିବେ, ସେ ଏତେ ଆଶ୍ୱସ୍ତ ହେବ ଯେ ସେ ସ୍କୁଲର ସବୁକାମ ସହିତ ତା’ର ଅନ୍ୟାନ୍ୟ କର୍ତ୍ତବ୍ୟ କରିପାରିବ-

 

ଫ୍ରୀଡ଼ା ମନଯୋଗ ସହକାରେ ଶୁଣୁଥିଲା । ସେ କେ.ର ବାହୁକୁ ଆଉଁଷି ଦେଇ କହିଲା ଯେ ତା’ର ମତ ବି ସେୟା, କିନ୍ତୁ ବୋଧହୁଏ କେ. ସହକାରୀମାନଙ୍କ ଦୁଷ୍ଟାମୀ କଥା ବେଶୀ ଧରୁଛି; ସେ ଯୋଡ଼ାକ ପିଲା, ଉତ୍‌ପାତିଆ, ପ୍ରଥମ କରି ଅଲଗା ପ୍ରକାର କାମ କରୁଥିବାରୁ କିଛିଟା ଅଡ଼ୁଆ ଲାଗୁଛି, ଦୂର୍ଗର କଠୋର ଶୃଙ୍ଖଳା ଭିତରୁ ଏଇ ତ ମୁକୂଳିଛନ୍ତି, ଏବଂ ତେଣୁ କିଛିଟା ବିସ୍ମିତ ଓ ଉତ୍ତେଜିତ ହୋଇ ପଡ଼ିଛନ୍ତି । ଏବଂ ଏ ପରିସ୍ଥିତିରେ ସେମାନେ ଅବଶ୍ୟ ଗୁଡ଼ାଏ ଭୁଲକାମ କରିଛନ୍ତି, ଦେଖିଲେ ରାଗ ହେବା ସ୍ୱାଭାବିକ, କିନ୍ତୁ ସେ ଗୁଡ଼ାକ ଦେଖି ହସି ଦେବା ହିଁ ବୁଦ୍ଧିମାନର କାମ ହେବ । ଅନେକ ସମୟରେ ସେ ନହସି ରହି ପାରୁ ନଥିଲା । ତଥାପି ସେ କେ.ସହିତ ପୁରା ଏକମତ ହେଲା ଯେ ସହକର୍ମୀମାନଙ୍କୁ ଅନ୍ୟ କେଉଁଆଡ଼େ ପଠାଇ ଦେଇ ସେ ଦୁହେଁ ଏକାଠି ଏକାନ୍ତରେ ରହିଲେ ବହୁତ ଭଲ ହେବ । ଫ୍ରୀଡ଼ା କେ.ପାଖକୁ ଲାଗି ଆସିଲା ଓ ତା’ର କାନ୍ଧ ଉପରେ ମୁହଁ ଗୁଞ୍ଜି ଦେଲା । ଓ ଫିସ୍‌ ଫିସ୍‌ କରି ସେ କ’ଣ କହିଲା, ଏତେ ଚାପା ଗଳାରେ ଯେ ଶୁଣିବା ପାଇଁ କେ.କୁ ମୂଣ୍ଡ ନୁଆଁଇଁବାକୁ ପଡ଼ିଲା । ସେ କହିଲା, ଯାହା ହେଲେ ବି ସହକାରୀମାନଙ୍କ ସହିତ କେମିତି ବ୍ୟବହାର କରିବାକୁ ହେବ ସେ ଜାଣେ ନାହି, ଏବଂ କେ. ଯେଉଁ ଉପାୟ ସବୁ ବତାଇଲା, ସେଥିରେ କିଛି ଫଳ ହେବନାହିଁ ବୋଲି ତାର ଭୟ ହେଉଛି । ସେ ଯେତେ ଦୂର ଜାଣେ କେ. ନିଜେ ହିଁ ସେମାନଙ୍କୁ ମଗାଇ ଆଣିଥିଲା । ବର୍ତ୍ତମାନ ସେମାନେ ତା ପାଖରେ ଅଛନ୍ତି ଏବଂ ସେ ସେମାନଙ୍କୁ ରଖିବାକୁ ପଡ଼ିବ । ସେମାନଙ୍କୁ ଗୋଟାଏ ହସ କଥା ଭାବରେ ଦେଖିବାହିଁ ସବୁଠାରୁ ଭଲ ହେବ । ସେମାନେତ ସେୟା; ସେମାନଙ୍କ ସାଙ୍ଗରେ ଚଳିବାପାଇଁ ତାହା ହିଁ ସବୁଠାରୁ ଭଲବାଟ ।

 

ଏପ୍ରକାରର ଉତ୍ତରରେ କେ ଅସନ୍ତୁଷ୍ଟ ହେଲା । କିଛିଟା ଥଟ୍ଟାରେ କିଛିଟା ସତରେ ସେ କହିଲା ଯେ ଫ୍ରୀଡ଼ା ସେମାନଙ୍କ ସାଙ୍ଗରେ ମେଳି ବାନ୍ଧିଛି, କିମ୍ବା ଅନ୍ତତଃ ପକ୍ଷେ ସେମାନଙ୍କ ପ୍ରତି ତା’ର ବଡ଼ ଦୁର୍ବଳତା; ହେଲା, ସେ ଦୁହେଁ ଯୁବକ, ଦେଖିବାକୁ ସୁନ୍ଦର, କିନ୍ତୁ ଦୁଇଜଣଯାକ ଏଡ଼େ ବଦମାସ୍‌ ଯେ ଯେକୌଣସି ଲୋକ ତାଙ୍କ କବଳରୁ ଖସିବାପାଇଁ ଚେଷ୍ଟା କରିବ ଏବଂ ସହକାରୀମାନେ ସେ ପ୍ରକାର ଲୋକ ବୋଲି ସେ ଫ୍ରୀଡ଼ାକୁ ଦେଖାଇ ଦେବ ।

 

ଫ୍ରୀଡ଼ା କହିଲା ଯେ କେ. ଯଦି ତାହା କରିଦେଇ ପାରିବ, ସେ ତା’ ପ୍ରତି କୃତଜ୍ଞ ରହିବ । ଏବଂ ଏଣିକି ସେ ସେମାନଙ୍କ କଥାରେ ହସିବ ନାହିଁ, କିମ୍ବା ଦରକାର ନଥାଇ ସେମାନଙ୍କ ସାଙ୍ଗରେ କଥାବାର୍ତ୍ତା କରିବ ନାହିଁ । ତା’ଛଡ଼ା ହସିବା ଭଳି କଥା ସେ କିଛି ଦେଖୁନାହିଁ, ଦୁଇଜଣ ପୁରୁଷ ଲୋକ ତା’ ଉପରେ ସବୁବେଳେ ନଜର ରଖିବେ–ଏଇଟା ବି ଥଟ୍ଟା କଥା ନୁହେଁ । କେ.ର ଦୃଷ୍ଟିରେ ସେମାନଙ୍କୁ ଦେଖିବାକୁ ସେ ଶିଖି ସାରିଛି । ଏବଂ ସେ ପ୍ରକୃତରେ ସାମାନ୍ୟ ସଂକୁଚିତ ହୋଇଗଲା-। ଯେତେବେଳେ ସେ ଦେଖିଲା ଯେ ସହକାରୀମାନେ ପୁଣି ଉଠିଲେ, କିଛିଟା ଟେବୁଲ ଉପରେ ଆଉ କ’ଣ ଖାଇବା ଜିନିଷ ଅଛି ଦେଖିବାକୁ, ଏବଂ କିଛିଟା କେ ଓ ଫ୍ରୀଡ଼ା ଫିସ୍ ଫିସ୍ କରି କ’ଣ କଥାବାର୍ତ୍ତା ହେଉଛନ୍ତି ଶୁଣିବାକୁ ।

 

ସହକାରୀମାନଙ୍କ ପ୍ରତି ଫ୍ରଡ଼ାର ବିରକ୍ତ ବଢ଼ାଇବା ପାଇଁ କେ. ଏହି ଘଟଣାକୁ ଅସ୍ତ୍ର ଭାବରେ ବ୍ୟବହାର କଲା, ଫ୍ରୀଡ଼ାକୁ ପାଖକୁ ଟାଣି ନେଲା ଏବଂ ଏହିଭାବରେ ପାଖାପାଖି ବସି ଦୁହେଁ ଖାଇବା ଶେଷକଲେ । ବର୍ତ୍ତମାନ ଶୋଇବାକୁ ଯିବା କଥା, କାରଣ ସମସ୍ତଙ୍କୁ ଭାରି ନିଦ ଲାଗୁଥାଏ; ଜଣେ ସହକାରା ତ ଖାଉ ଖାଉ ଶୋଇ ପଡ଼ିଥାଏ; ଅନ୍ୟ ଜଣଙ୍କୁ ଏହା ଦେଖି ଭାରି ମଜା ଲାଗୁଥାଏ । ତା’ର ସାଙ୍ଗର ଫାଙ୍କା ମୁହଁଟାକୁ ସମସ୍ତେ ଦେଖନ୍ତୁ ବୋଲି ସେ ସବୁପ୍ରକାର ଚେଷ୍ଟା କଲା, କିନ୍ତୁ ପାରିଲା ନାହିଁ । କେ. ଓ ଫ୍ରୀଡ଼ା ସେଥିପ୍ରତି ମୋଟେ ଦୃଷ୍ଟି ନଦେଇ ବସିଥାନ୍ତି ସେମିତି । ଏତେ ବେଶୀ ଥଣ୍ଡା ଲାଗୁଥାଏ ଯେ ଶୋଇବାକୁ ଯିବାକୁ ସେମାନେ କୁଣ୍ଠିତ ହେଉଥାନ୍ତି । ଷେରେ କେ. ଘୋଷଣା କଲା ଯେ ରୁମ୍‍ଟାକୁ ଗରମ କରିବାକୁ ପଡ଼ିବ, ନହେଲେ ଶୋଇ ହେବନାହିଁ । ଗୋଟାଏ କୁରାଢ଼ି ଫୁରାଢ଼ି ଖୋଜିବାକୁ ସେ ଏଣେ ତେଣେ ଚାହିଁଲା । ସହକାରୀମାନେ ଗୋଟିଏ କୁରାଢ଼ି କଥା ଜାଣିଥିଲେ, ସେଟାକୁ ଆଣିଲେ ଏବଂ ବର୍ତ୍ତମାନ ସେମାନେ ସେଡ଼୍‌ ଆଡ଼କୁ ଚାଲିଲେ । ଅନ୍ପ କେତେଟା ମିନିଟ ଭିତରେ ପତଳା କବାଟଟା ଭଙ୍ଗାଗଲା ଓ ସେଡ଼୍‌ ଖୋଲି ଦିଆହେଲା । ସତେ ଯେପରି ଏ ପ୍ରକାର ଗୋଟଏ ଗୌରବ ପୂର୍ଣ୍ଣ କାର୍ଯ୍ୟ ସେମାନେ କେବେ କରି ନଥିଲେ । ସହକାରୀମାନେ କ୍ଳାସରୁମ ଭିତରକୁ କାଠ ବୋହିବାରେ ଲାଗିଗଲା, ଇଏ ତା’ ପଛରେ ସିଏ ତା ପଛରେ ଗୋଡ଼ାଇ ପରସ୍ପରି ହୋଇ । ଖୁବ୍‌ଶୀଘ୍ର ଗୁଡ଼ାଏ କାଠ ଜମା ହୋଇଗଲା । ନିଆଁ ଜଳା ହେଲା । ସମସ୍ତେ ତା ଚାରିପଟେ ଗଡ଼ିପଡ଼ିଲେ, ଭିତରେ ଗୁଞ୍ଜି ହୋଇ ଶୋଇବା ପାଇଁ ସହକାରୀମାନଙ୍କୁ ଗୋଟାଏ କମ୍ବଳ ଦିଆହେଲା–ସେଇଟା ସେମାନଙ୍କ ପାଇଁ ଯଥେଷ୍ଟ ହେଲା କାରଣ ଠିକ୍ ହେଲା ଯେ ଜଣେ ଶୋଇଲେ ଅନ୍ୟ ଜଣଙ୍କ ଚେଇଁ ରହିବ, ନିଆଁଟା ଜଳାଇ ରଖିବାପାଇଁ ଏବଂ ଶୀଘ୍ର ଏତେ ଗରମ ହେବାକୁ ଆରମ୍ଭ କଲା ଯେ କମ୍ବଳ ଆଉ ଦରକାର ହେଲାନାହିଁ । ଆଲୁଅ ଲିଭାଇ ଦିଆଗଲା, ଏବଂ କେ. ଓ ଫ୍ରୀଡ଼ା ସେହି ଉଷୁମ ନୀରବତା ଭିତରେ ଦେହ ଲମ୍ବାଇ ଦେଇ ଶୋଇପଡ଼ିଲେ ।

 

ରାତିରେ କ’ଣ ଗୋଟାଏ ଶବ୍ଦ ଶୁଣି କେ. ଉଠି ପଡ଼ିଲା ଏବଂ ନିଦ ମଳ ମଳ ଆଖିରେ ଫ୍ରୀଡ଼ାକୁ ଅଣ୍ଡାଳି ଖୋଜିଲା । ସେ ଦେଖିଲା ଫ୍ରୀଡ଼ା ବଦଳରେ ଜଣେ ସହକାରୀ ତା’ ପାଖରେ ଶୋଇଛି । ସମ୍ଭବତଃ ହଠତ୍ ଉଠିପଡ଼ିବା ଫଳରେ ତା’କୁ ବିରକ୍ତ ଲାଗୁଥିଲା ଏବଂ ତାକୁ ଭୀଷଣ ଡର ମାଡ଼ିଲା । ସେ ଗାଁକୁ ଆସିବା ଦିନଠାରୁ ଏତେ ଡର ତା’କୁ କେବେ ଲାଗି ନଥିଲା । ଚିତ୍‌କାର କରି ସେ ଉଠି ବସିଲା ଏବଂ କ’ଣ କରୁଛି ଜାଣି ନପାରି ସହକାରୀ ଜଣକୁ ଏମିତି ଘୂଷିଟାଏ ମାରିଲା ଯେ ସେ କାନ୍ଦିବାକୁ ଆରମ୍ଭ କଲା । ସେ ଯାହାହେଉ ମୁହୂର୍ତ୍ତକ ଭିତରେ କଥା କ’ଣ ଜଣା ପଡ଼ିଗଲା । ଫ୍ରୀଡ଼ା ଉଠି ପଡ଼ିଥିଲା–ଅନ୍ତଃତ ତା’ର ସେୟା ମନେ ହୋଇଥିଲା–ଗୋଟାଏ ବଡ଼ ଜନ୍ତୁଦ୍ୱାରା, ବୋଧହୁଏ ଗୋଟିଏ ବିରାଡ଼ି ଯେ କି ତା’ ଛାତି ଉପରକୁ ଡେଇଁଥିଲା ଏବଂ ତା’ପରେ ଡେଇଁ ପଳାଇ ଥିଲା । ସେ ଉଠି ପଡ଼ି ଗୋଟିଏ ମହମବତୀ ଧରି ଜନ୍ତୁଟାକୁ ଘର ସାରା ଖୋଜୁଥାଏ-। ସହକାରୀ ଜଣଙ୍କ ନଡ଼ା ଭର୍ତ୍ତୀ ଅଖା ଉପରେ କିଛି ସମୟ ଶୋଇବାର ସୁଯୋଗ ନେଇଗଲା, ଯେଉଁଥି ଲାଗି ସେ ବର୍ତ୍ତମାନ ବହୁତ ଅନୁତାପ କରୁଥାଏ । ଫ୍ରୀଡ଼ା କିନ୍ତୁ ଜନ୍ତୁଟାକୁ ପାଇଲା ନାହିଁ, ବୋଧହୁଏ ତାର ଭ୍ରମ ହୋଇଥିଲା, ସେ କେ. ପାଖକୁ ବାହୁଡ଼ି ଗଲା । ଏବଂ ଗଲାବେଳେ ଆଣ୍ଠେଇପଡ଼ି କୁଁ କୁଁ ହେଉଥିବା ସହକାରୀ ମୁଣ୍ଡ ଆଉଁଷି ଦେଲା ତା’କୁ ବୋଧ କରିବା ପାଇଁ, ସତେ ଯେମିତି ସେ ସନ୍ଧ୍ୟାବେଳର କଥାବାର୍ତ୍ତା ଭୁଲି ଯାଇଥିଲା । କେ. କିଛି କହିଲାନାହିଁ, କିନ୍ତୁ ନିଆଁରେ ଆଉ କାଠ ନପକାଇବାକୁ ସେ ସହକାରୀ ଜଣଙ୍କୁ କହିଲା, କାରଣ ପାୟ ସବୁତକ କାଠ ଜଳା ହୋଇ ସାରି ଥିବାରୁ ଘରଟା ବହୁତ ବେଶୀ ଗରମ ହୋଇ ଯାଇଥିଲା ।

 

।। ବାର ।।

 

ତା’ପରଦିନ ସ୍କୁଲ ପିଲାଏ ଆସି ପହଞ୍ଚିବା ଯାଏଁ କେହି ଉଠି ନଥିଲେ । ପିଲାଗୁଡ଼ିକ ବଡ଼ ବଡ଼ ଆଖି କରି ଶୋଇଲା ଲୋକଙ୍କ ଚାରିପଟେ ଠିଆ ହୋଇଥାନ୍ତି । ଘଟଣାଟା ବଡ଼ ଅସ୍ୱସ୍ତିକର ମନେହେଲା କାରଣ ବହୁତ ଗରମ ଯୋଗୁଁ–ଅବଶ୍ୟ ସକାଳ ଆଡ଼କୁ ଗରମ କମି ଯାଇଥାଏ କିଛିଟା ଥଣ୍ଡା ଲାଗୁଥାଏ–ସେମାନେ ସାର୍ଟଗୁଡ଼ିକ ଛଡ଼ା ଆଉ ସବୁ ପୋଷାକ ଓହ୍ଳାଇ ପକାଇଥାନ୍ତି ଏବଂ ସେମାନେ ପୋଷାକ ପିନ୍ଧିବାକୁ ଆରମ୍ଭ କରିଛନ୍ତି । ଏହି ସମୟରେ ମାଷ୍ଟରାଣୀ ଗିସା ଦୁଆର ମୁହଁରେ ଦେଖା ଦେଲା । ଗୋରୀ, ଡେଙ୍ଗା, ସୁନ୍ଦରୀ କିନ୍ତୁ କିଛିଟା ଗମ୍ଭୀର ଝିଅଟିଏ । ସେ ନିଶ୍ଚୟ ନୂଆ ଜାନିଟର ଆସିବ ବୋଲି ପ୍ରସ୍ତୁତ ହୋଇ ରହିଥିଲା ଏବଂ ମାଷ୍ଟର ବାବୁ ତା’କୁ କ’ଣ କରିବାକୁ ହେବ ଶିଖାଇ ଦେଇଥିବା ଭଳି ମନେ ହେଉଥାଏ । କାରଣ ସେ ଆସି ପହଞ୍ଚିବା କ୍ଷଣି ଆରମ୍ଭ କଲା: ‘‘ଏସବୁ ମୁଁ ସହି ପାରିବିନି । ଇଏ ଭାରି ସୁନ୍ଦର ବ୍ୟବସ୍ଥା । କ୍ଳାସରୁମ୍‍ରେ ଶୋଇବାକୁ ଆପଣଙ୍କୁ ଅନୁମତି ଦିଆଯାଇଛି କିନ୍ତୁ ବାସ୍‌ ସେତିକି । ମୁଁ ଆପଣଙ୍କ ଶୋଇବା ଘରେ ପଢ଼ାଇବାକୁ ବାଧ୍ୟ ନୁହେଁ । ଜଣେ ଜାନିଟିର୍‌ର ପରିବାର ସକାଳୁ ବେଶ୍ ଡେରିଯାଏଁ ଶେଯରେ ପଡ଼ିଚନ୍ତି ! ଯାଃ !’’ ହଁ ସେ ବିଷୟରେ କହିବା କଥା, ନିର୍ଦ୍ଦିଷ୍ଟଭାବରେ ତା’ର ପରିବାର ଓ ଶେଯଗୁଡ଼ିକ ସେଠି ଥିବା ଦୃଷ୍ଟିରୁ । କେ: ଏମିତି ଭାବିଲା ଏବଂ ଫ୍ରୀଡ଼ାର ସହାୟତାରେ–ସହକାରୀ ଯୋଡ଼ାକ କିଛି କାମର ନୁହଁନ୍ତି, ତଳେ ତଳେ ପଡ଼ି ରହି ସେଦୁହେଁ ଆଶ୍ଚର୍ଯ୍ୟ ମାଷ୍ଟରାଣୀ ଓ ପିଲାମାନଙ୍କ ଆଡ଼େ ଅନାଇଁ ଥାନ୍ତି–ସେ କେତେଟା କୁସ୍ତି କସରତ ସରଞ୍ଜାମ ଘୁଞ୍ଚାଇ ନେଇ ସେ ଗୁଡ଼ିକ ଉପରେ କମ୍ବଳ ଢାଙ୍କିଦେଲା । ଏପରି ଭାବରେ ସେ ଗୋଟିଏ ଯାଗା ତିଆରି କଲା, ଯେଉଁଠି ପିଲାମାନଙ୍କ ଅନ୍ତରାଳରେ ଜଣେ ପୋଷାକପତ୍ର ପିନ୍ଧାପିନ୍ଧି କରିପାରିବ । ତାକୁ କିନ୍ତୁ ମୁହୂର୍ତ୍ତକ ପାଇଁ ବି ଶାନ୍ତି ମିଳିଲାନାହିଁ, କାରଣ ହାତଧୁଆ ବେସିନରେ ପାଣି ନଥିବାରୁ ମାଷ୍ଟରାଣୀ ତା’କୁ ଗାଳି ଦେବାକୁ ଆରମ୍ଭ କଲା ଠିକ୍‌ ସେତିକି ବେଳେ କେ. ଭାବୁଥିଲା ସେ ଓ ଫ୍ରୀଡ଼ା ହାତ ମୁହଁ ଧୋଇବା ପାଇଁ ସେ ବେସିନ୍‌ଟା ନେଇ ଆସିବ, କିନ୍ତୁ ସେକ୍ଷଣି ହିଁ ସେ ତାହା ନକରିବାକୁ ସ୍ଥିର କରି ନେଲା, କାରଣ ମାଷ୍ଟରାଣୀ ବେଶୀ ରାଗି ଯାଇପାରେ, କିନ୍ତୁ ତା’ର ତ୍ୟାଗର କୌଣସି ଫଳ ହେଲା ନାହିଁ । କାରଣ ଠିକ୍‌ ତା ପରେ କ’ଣ ଗୋଟାଏ ପଡ଼ି ଭାଙ୍ଗିଯିବା ଶବ୍ଦ ଶୁଭିଲା; ଦୁର୍ଭାଗ୍ୟର କଥା, ଯାହା ମନେ ହେଲୋ, ମାଷ୍ଟରଙ୍କ ଟେବୁଲ ଉପରୁ ଅଇଁଠା ପ୍ଳେଟ ଇତ୍ୟାଦି ଉଠାଇ ନେଇ ଯିବାକୁ ସେମାନେ ଭୁଲି ଯାଇଥିଲେ, ତେଣୁ ମାଷ୍ଟରାଣୀ ଗୋଟାଏ ରୁଲବାଡ଼ିରେ ସେ ଗୁଡ଼ାକ ଆଡ଼େଇ ତଳେ ଫିଙ୍ଗିଦେଲା । ସାଡ଼ିନ ତେଲ ଓ ବଳି ପଡ଼ିଥିବା କଫି ତଳେ ପଡ଼ିଯିବା ଓ କଫିକପ୍‌ଟା ଭାଙ୍ଗି ଚୂନା ହୋଇଯିବା ନେଇ ସେ ମୁଣ୍ଡ ଖେଳାରିବା ଦରକାର ନଥିଲା, କାରଣ ଜାନିଟର ସେ ଗୁଡ଼ାକ ଯେମିତି ହେଲେ ସଫା କରିଦେବ । ପିନ୍ଧା ପିନ୍ଧି ସାରି ପାରାଲେଲ୍ ବାର୍‌ ଉପରେ ଆଉଜି କେ. ଓ ଫ୍ରୀଡ଼ା ସେମାନଙ୍କର ଅଳ୍ପ କେତେଟା ଜିନିଷ ଯାହା ଥିଲା ତାହା ଧ୍ୱଂସ ହୋଇ ଯିବାର ଦେଖିଲେ । ସହକାରୀମାନେ ପିନ୍ଧା ପିନ୍ଧି କରିବା କଥା ମୋଟେ ଭାବି ନଥିଲେ, ସେ ଦୁହେଁ ତଲେ ପଡ଼ିଥିବା କମ୍ବଳର ଭାଙ୍ଗ ଭିତରୁ ମୁଣ୍ଡଟିମାନ ପଦାକୁ ବାହାର କରି ବସିଥାନ୍ତି । ପିଲାମାନଙ୍କୁ ଏ ଦୃଶ୍ୟ ଭାରି ମଜା ଲାଗୁଥାଏ । କଫି କପ୍‌ଟା ଭାଙ୍ଗିଯିବା ଦେଖି ଫ୍ରୀଡ଼ାକୁ ସବୁଠୁଁ ବେଶୀ ଦୁଃଖ ଲାଗିଲା । କେ ଯେତେବେଳେ ତା’କୁ ସାନ୍ତ୍ୱନା ଦେବାକୁ ଯାଇ କହିଲା ଯେ ସେ ସେହିକ୍ଷଣି ଗ୍ରାମ ସୁପରିଣ୍ଟେଣ୍ଡେଣ୍ଡ ପାଖକୁ ଯିବ ଏବଂ ଆଉ ଗୋଟିଏ କଫି ପଟ୍ ଦାବୀ କରିବ ଏବଂ ତାହା ଯେମିତି ମିଳିବ ସେ ବ୍ୟବସ୍ଥା କରିବ, ସେତେବେଳେ ଯାଇ ଫ୍ରଡ଼ାର ମନ ଶାନ୍ତ ହେଲା ଏବଂ ସେ ପିନ୍ଧାଯାଗାରୁ ସେମିଜ୍‌ ଓ ସ୍କଟ୍ ଦେହରେ ଦୌଡ଼ିଗଲା, ଆଉ ବେଶୀ ଅସନା ହେବା ଆଗରୁ ଟେବୁଲ୍ କ୍ଳଥଟା ନେଇଆସିବାକୁ । ସେ ସେଇଟା ନେଇ ଆସି ପାରିଲା, ଯଦିଓ ତାକୁ ଡରାଇବା ପାଇଁ ମାଷ୍ଟରାଣୀ ଟେବୁଲ ଉପରେ ରୁଲ୍ ବାଡ଼ିଟା ଅତି ଜୋର୍‌ରେ ବାଡ଼େଇଲା । ସେ ଶବ୍ଦ ମୁଣ୍ଡ ଗୋଳମାଳ କରି ଦେଉଥାଏ । କେ. ଓ ଫ୍ରୀଡ଼ା ଯେତେବେଳେ ପିନ୍ଧା ପିନ୍ଧି ସାରିଲେ, ସେମାନେ ସହକାରୀମାନଙ୍କୁ ବାଧ୍ୟକଲେ–ସେ ଘଟଣା ଦେଖି ସହକାରୀମାନେ ମୁକ ହୋଇ ଯାଇଥାନ୍ତି–ଲୁଗାପଟା ପିନ୍ଧି ନେବାକୁ; ସେମାନଙ୍କୁ ଯେ ଖାଲି କହିଲେ ଓ ଠେଲିଲେ ତା’ ନୁହେ, ପ୍ରକୃତରେ ସେମାନଙ୍କ କେତେଟା ଜିନିଷ ପିନ୍ଧାଇ ଦେଲେ ମଧ୍ୟ । ତା’ପରେ ପିନ୍ଧା ପିନ୍ଧି ଯେମିତି ସରିଲା କେ. ବାକୀ କାମତକ ବାଣ୍ଟି ଦେଲା, ସହକାରୀମାନେ କାଠ ଆଣିବେ ଓ ନିଆଁ ଜଳାଇବେ, କିନ୍ତୁ ପ୍ରଥମେ ଅନ୍ୟ ରୁମ୍‍ଟାରେ । ସେ ରୁମରେ ଆଉ ଗୋଟାଏ ବିପଦ ଆସି ପହଞ୍ଚି ଯାଇଥିଲା, କାରଣ ମାଷ୍ଟର ବାବୁ ବୋଧହୁଏ ଆସି ଯାଇଥିଲେ । ଫ୍ରୀଡ଼ା ମେଜିଆ ଘଷି ପରିଷ୍କାର କରିବ ଏବଂ କେ: ପାଣି ଆଣିବ ଓ ଜିନିଷପତ୍ର ଠିକ୍‌ ଠାକ୍‌ କରି ରଖିବ । ଏତେବେଳେ ଆଉ ସକାଳ ଜଳଖିଆ କଥା ଭାବି ହେଲାନାହିଁ-। କିନ୍ତୁ ମାଷ୍ଟରାଣୀର ମନରେ କ’ଣ ଅଛି ତାହା ନିର୍ଦ୍ଦିଷ୍ଟ ଭାବରେ ଜାଣିବାକୁ କେ. ପ୍ରଥମେ ପିନ୍ଧା ପିନ୍ଧି ଯାଗାରୁ ବାହାରି ଆସିବାକୁ ସ୍ଥିର କଲା । ସେ ଯେତେବେଳେ କହିବ ଅନ୍ୟମାନେ ତା’ ପଛେ ପଛେ ଆସିବେ । ସେ ଏପ୍ରକାର ଯୋଜନା କଲା, ଏଥିପାଇଁ ଯେ ସହକାରୀମାନଙ୍କର କୌଣସି ଭୁଲ୍ କାମ ଯୋଗୁଁ,, ପରିସ୍ଥିତି ଯେମିତି ମୂଳରୁ ଖରାପ ହୋଇ ଯିବ; ଅନ୍ୟ ପକ୍ଷରେ ସେ ଚାହୁଁଥିଲା ଫ୍ରୀଡ଼ାକୁ ଯେମିତି ବେଶୀ ଫୁରୁସତ ମିଳିବ । କାରଣ ଫ୍ରୀଡ଼ାର କେତେକ ଆକାଂକ୍ଷା ଥିଲା, ତା’ ନିଜର କିଛି ନ ଥିଲା; ଫ୍ରୀଡ଼ା ଭାରି ଭାବ ପ୍ରବଣ, ସେ ନୁହେ; ଫ୍ରୀଡ଼ା କେବଳ ସେତେବେଳକାର ଛୋଟ ଛୋଟ ଅସୁବିଧାଗୁଡ଼ିକ କଥା ଭାବୁଥାଏ, କିନ୍ତୁ କେ. ଭାବୁଥାଏ, ବାର୍ଣ୍ଣାବାସ୍‌ କଥା ଓ ଭବିଷ୍ୟତ କଥା । ଫ୍ରୀଡ଼ା କେ. ଯାହା ଯାହା କହିଲା ତାହା ଶୁଣିଲା, କିନ୍ତୁ କେ ଉପରୁ ତା’ ଦୃଷ୍ଟି ମୋଟେ ଫେରାଇ ନେଲା ନାହିଁ । କେ. ଯେମିତି ବାହାର ପଡ଼ିଛି ପିଲାଙ୍କ ହାସ୍ୟରୋଳ ଭିତରେ ସେ ହାସ୍ୟରୋଳ ଆଉ ଶେଷ ହେଲା ନାହିଁ–ମାଷ୍ଟରାଣୀ ଚିତ୍କାର କଲା: ଭଲ ନିଦ ହେଲାତ ?’’ ଏବଂ କେ. ଯେମିତି ସେ କଥା ଶୁଣିଲା ନାହିଁ,–ସେ ଦେଖିଲା ! ଯେ ସେଇଟା ଠିକ୍‌ ପ୍ରଶ୍ନଟିଏ ନୁହେ–ଏବଂ ଓ୍ୱାସ୍‌ ଷ୍ଟାଣ୍ଡଟା ସଫା କରିବାକୁ ଆରମ୍ଭ କଲା, ମାଷ୍ଟରାଣୀ ପଚାରିଲା:’’ କ’ଣ ସବୁ କରିଚନ୍ତି ମୋ’ ବିଲେଇ କି ! ଗୋଟାଏ ବଡ଼, ମୋଟା ବିରାଡ଼ି ଟେବୁଲ୍ ଉପରେ ଆରାମରେ ଶୋଇଥାଏ, ଏବଂ ମାଷ୍ଟରାଣୀ ତା’ର ଗୋଟିଏ ଫଟୋକୁ ଏ ପାଖ ସେପାଖ କରି ଦେଖୁଥାଏ, ସେଇଟା ଖଣ୍ଡିଆ ହୋଇ ଯାଇଥାଏ ନିଶ୍ଚୟ ! ତା ହେଲେ ଫ୍ରୀଡ଼ା ଠିକ୍‌ କହୁଥିଲା । ଅବଶ୍ୟ ଏ ବିରାଡ଼ିଟା ତା’ ଉପରକୁ ଡେଇଁ ନଥିବ, କାରଣ ତା’ର ଡେଇଁବା ବୟସ ଗଡ଼ି ଯାଇଥିଲା-। ବୋଧହୁଏ ବିରାଡ଼ିଟା ତା’ଉପରେ ଚାଲି ଯାଇଥିଲା, ଫାଙ୍କା ଘରଟାରେ ଲୋକବାକ ଦେଖି ଡରି ଯାଇଥିଲା, ତରବରରେ ଲୁଚି ପଡ଼ିଥିଲା ଏବଂ ତରବରରେ ଯିବା ଅଭ୍ୟାସ ନଥିବାରୁ କେଉଁଠି ମାଡ଼ ବାଜି ଯାଇଥିଲା । କେ. ଧୀର ଭାବରେ ଏ ସମସ୍ତ ବିଷୟ ମାଷ୍ଟରାଣୀକୁ ବୁଝାଇବାକୁ ଚେଷ୍ଟା କଲା-। କିନ୍ତୁ ମାଷ୍ଟରାଣୀ କେବଳ ମାଡ଼ବାଜିଥିବା ଯାଗାଟାକୁ ଅନାଉଁଥାଏ ଏବଂ ସେ ଉତ୍ତର ଦେଲା-! ‘‘ଓହୋ, ତାହେଲେ ଏଠିକି ଆସି ଆପଣ ଏଇ କାଣ୍ଡ କରିଚନ୍ତି । ଟିକିଏ ଦେଖିଲେ ଏଇଟା, ଏବଂ ସେ କେ.କୁ ଟେବୁଲ ପାଖକୁ ଡାକିଲା, ବିରାଡ଼ିର ଗୋଡ଼ଟା ଦେଖାଇଲା ଏବଂ କେ. ସେଇଟା ଭଲକରି ଦେଖିବା ଆଗରୁ ତା’ ପାପୁଲି ପଛକୁ ଗୋଟିଏ ଚମଡ଼ା ଫିତାରେ ଜୋରରେ ବାଡ଼େଇ ଦେଲା; ଫିତାଟାର ଅଗ ଗୁଡ଼ାକ ମାଖୁନା ହୋଇ ଯାଇଥିଲା ସତ, କିନ୍ତୁ ଏଥର ବିରାଡ଼ିଟା ମାଖୁନା ମୋଟେ ନଭାବି ସେ ସେଗୁଡ଼ାକ ଏତେ ଜୋରରେ ଗେଞ୍ଜି ଦେଲା ଯେ ରକ୍ତ ବାହାରି ପଡ଼ିଲା-। ‘‘ଯାଆନ୍ତୁ ଏବେ ଆପଣଙ୍କର କାମ କରିବେ,’’ ସେ ଅଧୈର୍ଯ୍ୟ ଭାବରେ କହିଲା, ପୁଣି ଥରେ ବିରାଡ଼ି ଉପରକୁ ନଇଁପଡ଼ି । ଫ୍ରୀଡ଼ା ସହକାରୀମାନଙ୍କ ସହିତ ପାରାଲେଲ୍ ବାର୍ ପଛରୁ ଅନାଇଁ ରହିଥାଏ । ସେ ରକ୍ତ ଦେଖି ଚିତ୍‌କାର କରି ଉଠିଲା । କେ. ପିଲାଙ୍କୁ ହାତଟା ଦେଖାଇ କହିଲା ! ‘‘ଦେଖ, ଗୋଟେ ଚତୁର ଦୁଷ୍ଟ ବିଲେଇ ମତେ କ’ଣ କରିଚି ।’’ ପିଲାଙ୍କର ତଦ୍ଦ୍ୱାରା କିଛି ଲାଭ ହେବ ବୋଲି ସେ ଅବଶ୍ୟ ତାହା କହିନଥିଲା । ସେମାନେ ସେମିତି ପାଟିତୁଣ୍ଡ କରୁଥାନ୍ତି, ଅଧିକା ପାଟିତୁଣ୍ଡ କରିବା ପାଇଁ କୌଣସି ପରିସ୍ଥିତି ବା ଉତ୍ସାହର ଆବଶ୍ୟକତା ନଥାଏ । କେ.ର କୌଣସି କଥା ସେମାନଙ୍କ ମୁଣ୍ଡରେ ପଶିଲା ନାହିଁ । ସେମାନଙ୍କୁ ପ୍ରଭାବିତ କଲାନାହିଁ । କିନ୍ତୁ କେ: ଦେଖିଲା ଯେ ମାଣ୍ଟରାଣୀ ମଧ୍ୟ କେବଳ ଗୋଟିଏ ଆଡ଼ ଚାହାଣୀ ଦେଇ ଚୁପ ରହିଲା । ବିରାଡ଼ିଟା ସାଙ୍ଗରେ ସେମିତି ବ୍ୟସ୍ତ ରହିଲା । ତା’ର ପ୍ରଥମ ପ୍ରଥମ ରାଗଟା ରକ୍ତ ବାହାରିବାରେ ଶାନ୍ତହୋଇ ଯାଇଥାଏ-। ଏହା ଦେଖି କେ. ଫ୍ରୀଡ଼ା ଓ ସହକାରୀମାନଙ୍କ ଡାକିଲା, ଏବଂ କାମ ଆରମ୍ଭ ହେଲା-

 

କେ. ମଇଳାପାଣି ବାଲ୍‌ଟିଟା ବାହାରକୁ ନେଇଯାଇ, ସଜ ପାଣି ଆଣି ସାରିଥିଲା । କ୍ଳାସ ରୁମ୍‍ରୁ ବାହାରୁଛି ଏତିକିବେଳେ ବୟସ ପ୍ରାୟ ବାର ହେବ ଗୋଟିଏ ପିଲା ତା’ ଡେସ୍କ ପାଖରୁ ଉଠି ଆସିଲା, କେ.ର ହାତ ଛୁଇଁଲା ଏବଂ କିଛି କହିଲା ଯାହାକି ଅନ୍ୟପିଲାଙ୍କ ପାଟିତୁଣ୍ଡ ଯୋଗୁଁ ଶୁଭିଲା ନାହିଁ । ତା’ପରେ ହଠାତ୍‌ ସବୁ ଶବ୍ଦ ବନ୍ଦ ହୋଇଗଲା ଏବଂ କେ: ବୁଲି ଚାହିଁଲା । ସକାଳ ସାରା ଯେଉଁ କଥାକୁ ସେ ଡରୁଥିଲା ତାହା ଘଟି ସାରିଥିଲା । ମାଷ୍ଟରବାବୁ ଦୁଆର ପାଖରେ ଠିଆ ହୋଇଥାନ୍ତି; ଛୋଟିଆ ଲୋକଟି ଦୁଇ ହାତରେ ଦୁଇଜଣ ଯାକ ସହକାରୀଙ୍କୁ ତାଙ୍କ ବେକମୁଣ୍ଡାରୁ ଧରିଥାନ୍ତି । ଯାହା ଜଣା ପଡ଼ିଲା ସେ ସେମାନଙ୍କୁ କାଠ ଆଣିଲା ବେଳେ ଧରିଥିଲେ, କାରଣ ସେ ଖୁବ୍‌ ଯୋର୍‌ରେ ପାଟିତୁଣ୍ଡ କରୁଥାନ୍ତି, ପ୍ରତ୍ୟେକ ଶବ୍ଦ ପରେ କିଛିକ୍ଷଣ ଚୁପ୍‌ ରହି । ‘‘କାଠ–ଘରେ ପଶିବାକୁ କାହାର ସାହସ ହେଲା ? କେଉଁଠି ସେ ବଦ୍‌ମାସ, ଆଜି ତାକୁ ମାରିଦେବି ?’’ ତା’ପରେ ଫ୍ରୀଡ଼ା ଉଠି ଠିଆ ହେଲା । ସେ ମାଷ୍ଟରାଣୀ ପାଦ ପାଖରେ ମେଜିଆ ସଫା କରୁଥିଲା । ଫ୍ରୀଡ଼ା କେ: ଆଡ଼କୁ ଚାହିଁଲା, ସତେ ଯେପରି ସେ ତା’ଠାରୁ ଶକ୍ତି ସଂଗ୍ରହ କରିବାକୁ ଚେଷ୍ଟା କରୁଥାଏ, ଏବଂ ତା’ ଚାହାଣୀ ଓ ଭଙ୍ଗୀରେ କିଛିଟା ପୁରୁଣା ଅହଙ୍କାର ଫୁଟାଇ ସେ କହିଲା, ‘‘ମାଷ୍ଟରବାବୁ, ମୁଁ କରିଚି । ମତେ ଆଉ କିଛି ବାଟ ଦିଶିଲାନି । ଠିକ୍‌ ସମୟରେ ଯଦି କ୍ଳାସରୁମ୍‍କୁ ଗରମ କରିବାକୁ ହେବ, ତେବେ କାଠଘର ଖୋଲିବାକୁ ପଡ଼ିବ । ରାତି ଅଧରେ ଆପଣଙ୍କୁ ଯାଇ ଚାବି ମାଗିବାକୁ ସାହସ ହେଲାନି, ମୋ’ ଭାବିସ୍ୱାମୀ ହେରେନ୍‌ ହଫ୍‌ରେ ଥିଲେ । ମୁଁ ଭାବିଲି ଯେ ସେ ରାତିଟା ସେଠି ରହିଯାଇ ପାରନ୍ତି, ତେଣୁ ଯାହା କରିବା କଥା ମତେ କରିବାକୁ ପଡ଼ିଲା । ମୁଁ ଯଦି ଭୁଲ କରିଛି, ମୁଁ ନୂଆ ଲୋକ, ମତେ କ୍ଷମାକରନ୍ତୁ । ମୋ ଭାବୀ ସ୍ୱାମୀ ମତେ ବହୁତ ଗାଳି ଦେଇ ସାରିଲେଣି, ଯା’ ଘଟିଚି ତା’ ଦେଖିବା ପରେ । ହଁ, ନିଆଁଟା ଜଲଦି ଜଳାଇବାକୁ ବି ସେ ମନା କଲା, କାରଣ ସେ ଭାବିଲେ ଯେ ଆପଣ ଯେତେବେଳେ କାଠଘର ତାଲା ପକାଇ ଦେଇଛନ୍ତି, ଆପଣ ଚାହାଁନ୍ତି ନାଇଁ ଯେ ଆପଣ ନିଜେ ଆସିବା ଆଗରୁ ନିଆଁଜଳା ହେଉ ବୋଲି । ନିଆଁଟା ଯେ ଜଳା ହୋଇନି ସେଇଟା ତାଙ୍କର ଭୁଲ୍, କାଠଘର କବାଟ ଯେ ଭଙ୍ଗା ହୋଇଚି ସେଇଟା ମୋର ଭୁଲ୍ । ‘‘କିଏ କବାଟ ଭାଙ୍ଗିଲା ?’’ ମାଷ୍ଟରବାବୁ ପଚାରିଲେ, ସହକାରୀ ମାନଙ୍କ ଆଡ଼କୁ ଚାହିଁ । ସେ ଦୁହେଁ ତାଙ୍କ ହାତ ଛଡ଼ାଇବାକୁ ବୃଥା ଚେଷ୍ଟା କରୁଥାନ୍ତି । ‘‘ଏଈ ଭଦ୍ରଲୋକ ଉଭୟେ ଉତ୍ତର ଦେଲେ, ଏବଂ କୌଣସି ସନ୍ଦେହ ନ ରଖିବା ପାଇଁ, କେ. ଆଡ଼କୁ ହାତ ଦେଖାଇଲେ । ଫ୍ରୀଡ଼ା ହସି ଦେଲା, ତା’ କଥା ଅପେକ୍ଷା ତା’ ହସ ସତ୍ୟଟାକୁ ବହୁତ ବେଶୀ ପ୍ରମାଣିତ କରିଦେଲା । ତା’ପରେ ସେ ଘରପୋଛା କନାଟାକୁ ବାଲ୍‌ଟି ଭିତରେ ଚିପୁଡ଼ିବାକୁ ଆରମ୍ଭ କଲା, ସତେ ଯେପରି ତା’ର କଥାରେ ଘଟଣାଟା ସେଇଠି ସରିଥିଲା ଏବଂ ସହକାରୀ ମାନଙ୍କ ସାକ୍ଷ୍ୟପ୍ରମାଣ ଖାଲି ଗୋଟାଏ ଡେରିରେ ହେଉଥିବା ତାମସା । ତଳେ ଆଣ୍ଠେଇପଡ଼ି କାମରେ ଲାଗିଲା ପରେ ହିଁ ସେ କହିଲା, ‘‘ଆମ ସହକାରୀ ଯୋଡ଼ାକ ପିଲା, ତାଙ୍କର ବୟସ ସତ୍ୱେ ସେ ଦୁହେଁ ସ୍କୁଲ ଡେକ୍‌ସ ପାଖରେ ବସିବା କଥା-। କାଲି ସନ୍ଧ୍ୟାରେ ମୁଁ ପ୍ରକୃତରେ କୁରାଢ଼ିରେ କବାଟଟା ଭାଙ୍ଗ ଦେଲି, ଭାରି ସହଜରେ ଭାଙ୍ଗିଗଲା, ସହକାରୀମାନଙ୍କ ସାହାଯ୍ୟ ମୋର ଦରକାର ହେଲାନି, ସେମାନେ କେବଳ ଗୋଳମାଳ କରିଥାନ୍ତେ । କିନ୍ତୁ ପରେ ରାତିରେ ଯେତେବେଳେ ମୋ’ ଭାବୀସ୍ୱାମୀ ଆସି ପହଞ୍ଚିଲେ ଏବଂ କ’ଣ ସବୁ ଭଙ୍ଗା ଭଙ୍ଗି ହୋଇଚି ଦେଖିବାକୁ ଏବଂ ସମ୍ଭବ ହେଲେ ସଜାଡ଼ି ଦେବାକୁ ଗଲେ-। ସହକାରୀମାନେ ତାଙ୍କ ପଛରେ ଗୋଡ଼ାଇଲେ କାରଣ ବୋଧେ ଏଠି ଏକୁଟିଆ ରହିବାକୁ ସେମାନଙ୍କୁ ଡର ମାଡ଼ିଲା । ଆଉ ସେମାନେ ମୋ’ ଭାବୀ ସ୍ୱାମୀଙ୍କୁ ଭଙ୍ଗା କବାଟଟା ସଜାଡ଼ୁଥିବା ଦେଖିଲେ, ସେଇଥିପାଇଁ ଏବେ ସେମାନେ କହୁଛନ୍ତି–କିନ୍ତୁ ସେମାନେ ପିଲାଲୋକ- ।’’ ଠିକ୍‌, ଠିକ୍‌, ସହକାରୀମାନେ ମୁଣ୍ଡ ହଲାଉଥାନ୍ତି ଫ୍ରୀଡ଼ା କହିଲାବେଳେ, ପୁଣି କେ. ଆଡ଼କୁ ସେମାନେ ହାତ ଦେଖାଇଲେ ଏବଂ ସେମାନଙ୍କର ନୀରବ ଅଭିନୟ ଦ୍ୱାରା ଫ୍ରୀଡ଼ାକୁ କଥା କହିବାରୁ ନିବୃତ୍ତ କରିବାକୁ ଯତ୍‌ପରୋନାସ୍ତି ଚେଷ୍ଟା କଲେ । କିନ୍ତୁ ସଫଳ ନହେବାରୁ ଶେଷରେ ସେମାନେ ଚୁପ୍‌ ହୋଇଗଲେ, ଫ୍ରୀଡ଼ାର କଥା ଗୁଡ଼ାକ ଆଦେଶ ଭାବରେ ନେଲେ ଏବଂ ମାଷ୍ଟରବାବୁ ପୁଣି ପଚାରିବାରୁ କିଛି ଉତ୍ତର ଦେଲେ ନାହିଁ । ‘‘ତା’ ହେଲେ,’’ ମାଷ୍ଟରବାବୁ କହିଲେ ‘‘ତମେ ଯୋଡ଼ାକ ମିଛ କହୁଥିଲ ? କିମ୍ବା ଅନ୍ତତଃ ବିନା କାରଣରେ ଜାନିଟରଙ୍କୁ ଦୋଷ ଦେଉଥିଲ ? ତଥାପି ସେ ଦୁହେଁ ଚୁପ୍‌ ରହିଲେ, କିନ୍ତୁ ସେମାନଙ୍କର ଥରିବା ଓ ଭୟାକୁଳ ଦୃଷ୍ଟିରୁ ସେମାନେ ଦୋଷୀ ବୋଲି ସୂଚନା ମିଳୁଥିଲା । ‘‘ତା’ ହେଲେ ମୁଁ ଏବେ ଏଇଠି ତମକୁ ଟାଙ୍କେ ଦେବି,’’ ସେ କହିଲେ, ଏବଂ ସେ ଗୋଟିଏ ପିଲାକୁ ଆର ରୁମରୁ ବେତଟା ଆଣିବାକୁ ପଠାଇଲେ । ତା’ପରେ ସେ ଯେମିତି ବେତଟା ଉଠାଇଛନ୍ତି ଫ୍ରୀଡ଼ା ପାଟିକଲା ! ‘‘ସହକାରୀ ମାନେ ସତ କହିଛନ୍ତି !’’ ହତାଶ ହୋଇ ସେ ଘର ପୋଛା କନାଟାକୁ ବାଲ୍‌ଟି ଭିତରେ ପକାଇ ଦେଲା, ଚାରିଆଡ଼େ ପାଣି ଉଚ୍ଛୁଳି ପଡ଼ିଲା, ତା’ପରେ ସେ ପାରାଲେଲ୍ ବାର୍ ପଛକୁ ପଳାଇ ସେଇଠି ଲୁଚି ରହିଲା । ‘‘ମିଛୁଆ ପଞ୍ଝେ !’’ ମାଷ୍ଟରାଣୀ ମନ୍ତବ୍ୟ କଲା । ସେ ବିରାଡ଼ିର ପାଦଟାକୁ ସଦ୍ୟ ବ୍ୟାଣ୍ଡେଜ୍‌ କରି ପଶୁଟାକୁ ତା’ କୋଳକୁ ଉଠାଇ ନେଲା, ଯେଉଁଥିଲାଗି ବିରାଡ଼ିଟା ଏତେ ବଡ଼ ଦିଶୁଥାଏ ।

 

‘‘ଜାନିଟର ତା’ ହେଲେ,’’ ମାଷ୍ଟରବାବୁ କହିଲେ, ସହକାରୀମାନଙ୍କୁ ଠେଲି ଦେଇ ଏବଂ କେ. ଆଡ଼କୁ ଅନାଇଁ । ଏତକ ସମୟ ଧରି ଝାଡ଼ୁବାଡ଼ି ଉପରେ ଭାରା ଦେଇ କେତେ ସବୁ ଶୁଣୁଥାଏ । ‘‘ଭଲ ଜଣେ ଏଇ ଜାନିଟର, ନିଜର କାପୁରୁଷ ପଣ ଯୋଗୁଁ ଅନ୍ୟମାନଙ୍କ ଉପରେ ମିଛରେ ଲଦି ଦେଉଛନ୍ତି ନିଜର ଦୋଷ ।’’ ‘‘ହେଲା,’’ କେ: କହିଲା । ସେ ଦେଖିଥାଏ ଯେ ଫ୍ରୀଡ଼ା ମୁଣ୍ଡ ପୂରାଇବା ଫଳରେ ମାଷ୍ଟର ବାବୁଙ୍କର ପ୍ରଥମ ଅଦମ୍ୟ ରାଗ ଶାନ୍ତ ହୋଇ ଯାଇଥାଏ ।’’ ସହକାରୀମାନେ ଯଦି ବେତମାଡ଼ ଟିକିଏ ଚାଖିଥାନ୍ତେ ମତେ ଦୁଃଖ ଲାଗନ୍ତାନି; କାରଣ ଥାଇ ମଧ୍ୟ ଯଦି ସେମାନେ ଦଣ୍ଡ ନପାଇ ଦଶଥର ଖସିନଯାଇ ପାରିବେ, ତା’ବଦଳରେ ଅନ୍ତତଃ ଥରେ ସେମାନେ ବିନାକାରଣରେ ଦଣ୍ଡ ପାଇବା କଥା । କିନ୍ତୁ ତା’ ଛଡ଼ା, ଆପଣ, ମାଷ୍ଟରବାବୁ, ଆପଣ ଓ ମୋ’ ଭିତରେ ସିଧା ସିଧା ଝଗଡ଼ା ନ ହୋଇଥିଲେ ମତେ ବହୁତ ଭଲ ଲାଗିଥାନ୍ତି, ଆପଣଙ୍କୁ ବି ବୋଧହୁଏ ବହୁତ ଭଲ ଲାଗିଥାନ୍ତା । କିନ୍ତୁ ମୁଁ ଯେତେବେଳେ ଦେଖୁଚି ଯେ ଫ୍ରୀଡ଼ା ଏବେ ମତେ ସହକାରୀମାନଙ୍କ ପାଇଁ ବଳି ଦେଇ ଦେଇଚି-’’ ଏଇଠି କେ. ଅଟକି ଗଲା, ଏବଂ ନୀରବତା ଭିତରେ ପର୍ଦ୍ଦା ଆଢ଼ୁଆଳରୁ ଫ୍ରୀଡ଼ାରୁ କଇଁ କଇଁ କାନ୍ଦ ଶୁଭିଲା–ପୂରା ଘଟଣାଟା ଭଲକରି ବୁଝିବା ଦରକାର ପଡ଼ୁଚି । ‘‘ଛି !’’ ମାଷ୍ଟରାଣୀ କହିଲା । ‘‘ମୁଁ ତମ ସାଙ୍ଗରେ ପୂରା ଏକମତ, ରିସାଦେବୀ,’’ ମାଷ୍ଟରବାବୁ କହିଲେ । ଆପଣ, ଜାନିଟର, ଏସବୁ ଦୁଷ୍କର୍ମ ଯୋଗୁଁ ଆପଣଙ୍କୁ ଚାକିରୀରୁ ବରଖାସ୍ତ କରାଗଲା । ଆପଣ ଅନ୍ୟ ଦଣ୍ଡ ସବୁ କ’ଣ ପାଇବେ ମୁଁ ବର୍ତ୍ତମାନ କହୁନାହିଁ, କିନ୍ତୁ ଏ ମୁହୂର୍ତ୍ତରେ ଆପଣ ଆପଣଙ୍କ ଜିନିଷପତ୍ର ନେଇ ଏଠୁ ଚାଲିଯାନ୍ତୁ । ଆମେ ପ୍ରକୃତରେ ବଡ଼ ଆଶ୍ୱସ୍ତ ହେବୁ, ଏବଂ ପଢାପଢ଼ି ଶେଷରେ ଯେମିତି ହେଲେ ଚାଲିବ । ଯା’ନ୍ତୁ, ଶୀଘ୍ର ।’’ ‘‘ମୁଁ ଏଠୁ ପାଦେହେଲେ ଘୁଞ୍ଚିବିନି,’’ କେ. କହିଲା, ଆପଣ ମୋ’ ଉପରେ ଥାଇ ପାରନ୍ତି, କିନ୍ତୁ ମତେ ଏ ଚାକିରୀ ଦେଇଥିବା ଲୋକ ନୁହଁନ୍ତି, ସୁପରିଟେଣ୍ଡଣ୍ଟ ମତେ ଚାକିରୀ ଦେଇଛନ୍ତି, ଏବଂ ସେ କହିଲେ ହିଁ ମୁଁ ଯିବି । ଏବଂ ସେ ନିଶ୍ଚୟ ମତେ ଚାକିରୀରେ ରଖି ନଥିଲେ, ମୁଁ ଓ ମୋ’ ପରିବାର ଏଠି ଶୀତରେ ସଢ଼ିବୁ ବୋଲି, କିନ୍ତୁ–ଆପଣ ମତେ ଯାହା କହିଥିଲେ–ଏଇଥିପାଇଁ ରଖିଥିଲେ ଯେ ମୁଁ ହତାଶ ହୋଇ କିଛି କାଣ୍ଡ କରି ନ ବସିବି ଯେମିତି । ମତେ ଏଇନେ ହଠାତ୍‌ ବରଖାସ୍ତ କରିଦେବା ମାନେ ହେବ ପୂରା ତାଙ୍କ ଇଚ୍ଛା ବିରୁଦ୍ଧରେ ଯିବା; ମୁଁ ତାଙ୍କ ମୁହଁରୁ ନ ଶୁଣିଲାଯାଏଁ ଏକଥା ବିଶ୍ୱାସ କରିବିନି । ତାଛଡ଼ା, ଆପଣ,ତେ ତରବରରେ ଦେଇଥିବା ଆଦେଶ ଯଦି ମୁଁ ନମାନେ, ତା’ହେଲେ ଖୁବ୍‌ ସମ୍ଭବ ଆପରଙ୍କର ବହୁତ ସୁବିଧା ହେବ ।’’ ‘‘ତା’ହେଲେ ଆପଣ ଯିବେନାହିଁ ?’’ ମାଷ୍ଟର ବାବୁ ପଚାରିଲେ କେ ମୁଣ୍ଡ ହଲାଇଲା । ‘‘ଭଲକରି ଭାବନ୍ତୁ,’’ ମାଷ୍ଟରବାବୁ କହିଲେ, ‘‘ଆପଣ ସବୁବେଳେ ଠିକ୍‌ ନିଷ୍ପତ୍ତି ନିଅନ୍ତି ନାହିଁ; ଯଥା, ଭାବନ୍ତୁ କାଲି ଓପର ଓଳିର କଥା, ଆପଣ କେମିତି ପଚରା ଉଚରା ହେବାକୁ ମନା କରି ଦେଲେ । ‘‘ଆପଣ ସେକଥା ଏବେ ଉଠଉଚନ୍ତି କାହିଁକି ? କେ. ପଚାରିଲା ।’’ କାରଣ ମୋର ମନ କହୁଚି,’’ ମାଷ୍ଟରବାବୁ ଉତ୍ତର ଦେଲେ, ‘‘ଆଉ ମୁଁ ବର୍ତ୍ତମାନ ଶେଷଥର ପାଇଁ କହୁଚି, ବାହାରିଯାନ୍ତୁ ଏଠୁ !’’ କିନ୍ତୁ ତା’ର ବି କିଛି ଫଳ ନହେବାରୁ ମାଷ୍ଟରବାବୁ ଟେବୁଲ୍‌ ପାଖକୁ ଗଲେ ଏବଂ ଫିସ୍‌ ଫିସ୍‍ ହୋଇ ଗିସା ଦେବୀ ସାଙ୍ଗରେ କ’ଣ ପରାମର୍ଶ କଲେ । ଗୀସା ପୁଲିସ୍‌ କଥା କ’ଣ କହିଲା, କିନ୍ତୁ ମାଷ୍ଟରବାବୁ ସେଥିରେ ରାଜି ହେଲେ ନାହିଁ, ଶେଷରେ ସେମାନେ ଏକମତ ହେଲେ, ମାଷ୍ଟରବାବୁ ପିଲାମାନଙ୍କୁ ତାଙ୍କ କ୍ଳାସରୁମ୍‍କୁ ଚାଲିଯିବାକୁ କହିଲେ, ସେଠି ଅନ୍ୟ ପିଲାଙ୍କ ସାଙ୍ଗରେ ସେମାନେ ପଢ଼ିବେ । ଏହି ପରିବର୍ତ୍ତନରେ ସମସ୍ତ ଖୁସି ହେଲେ, ମୁହୂର୍ତ୍ତକ ଭିତରେ ରୁମ୍‍ଟା ଖାଲି ହୋଇଗଲା ହସ ଓ ପାଟିତୁଣ୍ଡ ଭିତରେ, ମାଷ୍ଟରବାବୁ ଓ ଗିସା ଦେବୀ ସବାପଛରେ ଗଲେ । ଗିସା ଧରିଥାଏ କ୍ଳାସ ରେଜିଷ୍ଟରଟା ଏବଂ ତା’ ଉପରେ ମୋଟା ବିରାଡ଼ିଟା ସଂପୂର୍ଣ୍ଣ ନିର୍ବିକାର ହୋଇ ଶୋଇଥାଏ । ମାଷ୍ଟର ବାବୁ ବିନା ଦ୍ୱିଧାରେ ବିରାଡ଼ିଟାକୁ ସେଠି ଛାଡ଼ିଦେଇ ଯାଇଥାନ୍ତେ, କିନ୍ତୁ ସେ କଥାର ସୂଚନା ଦେବାରୁ ଗିସା ପୂରା ମନା କରି ଦେଲା, କେ.ର ଅମାନୁଷିକତା କଥା ଉଠାଇ । ତେଣୁ, ତାଙ୍କର ଅନ୍ୟାନ୍ୟ ବିରକ୍ତ ସହିତ, ମାଷ୍ଟର ବାବୁ ବିରାଡ଼ିଟା ପାଇଁ ମଧ୍ୟ କେ.କୁ ଦୋଷୀ କଲେ, ଏବଂ ତା’ର ପ୍ରଭାବ ପଡ଼ିଲା କେ. ପ୍ରତି ତାଙ୍କର ଶେଷ କେତେ ପଦ କଥା ଉପରେ, ଯାହା ସେ ଦୁଆର ପାଖରେ ପହଞ୍ଚିବା ପରେ କହିଲେ: ‘‘ଆପଣ ଜୋର ଜବରଦସ୍ତ କରି ମୋ’ କଥା ଶୁଣିବାକୁ ମନା କରି ଦେବାରୁ ଭଦ୍ର ମହିଳା ତାଙ୍କ ପିଲାଙ୍କୁ ନେଇ ପଳାଇବାକୁ ବାଧ୍ୟ ହେଲେ, ଆଉ ଜଣେ ଯୁବତୀ ଝିଅକୁ ତ କିଏ କହି ନଥାନ୍ତା ଆପଣଙ୍କ ଅସନା ଘରକରଣା ଭିତରେ ରହି ପାଠ ପଢ଼ାଇବାକୁ । ତେଣୁ ଆପଣ ବର୍ତ୍ତମାନ ଯାହା ଇଚ୍ଛା କରନ୍ତୁ, ଯେତେ ଇଚ୍ଛା ନିଜର ଅଧିକାର ବିସ୍ତାର କରନ୍ତୁ, କୌଣସି ଭଦ୍ର ଘରର ଲୋକ ଆଉ ଆପଣଙ୍କୁ ହଇରାଣ କରିବାକୁ ନାହିଁ । କିନ୍ତୁ ଏ କଥା ବେଶୀ ଦିନ ଚାଲି ପାରିବ ନାହିଁ, ମୁଁ କହି ଦେଉଚି ।’’ ଏହା କହି ସେ କବାଟଟା ଧଡ଼ି କନା ବନ୍ଦ୍‌ କରି ଦେଲେ ।

 

।। ତେର ।।

 

ସେମାନେ ଯାଇଛନ୍ତି କି ନାହିଁ କେ ସହକାରୀମାନଙ୍କୁ କହିଲା, ‘‘ଭାଗ୍‌ ଏଠୁ !’’ ଏହି କଳ୍ପନାତୀତ ଆଦେଶରେ ବିବ୍ରତ ହୋଇ ସେମାନେ ଚାଲିଗଲେ, କିନ୍ତୁ କେ. ଯେମିତି କବାଟ ବନ୍ଦ ଦେଲା ସେମାନେ ପୁଣି ଆସିବାକୁ ଚେଷ୍ଟା କଲେ, ବାହାରେ କୁଁ କାଁ ହେଲେ ଏବଂ କବାଟ ବାଡ଼େଇଲେ । ତମ ଦୁହିଁଙ୍କୁ ଦରଖାସ୍ତ କରାଗଲା,’’ କେ. ପାଟି କରି କହିଲା, ‘‘ଆଉ କେବେ ମୁଁ ତମକୁ ପାଖରେ ପୂରାଇବି ନାହିଁ !’’ କିନ୍ତୁ ସେମାନେ ଠିକ୍ ସେହି କଥାଟି ଚାହୁଁ ନଥିଲେ, ଏବଂ କବାଟ ଉପରେ ଗୋଡ଼ ହାତ ବାଡ଼େଇ ଲାଗିଲେ । ‘‘ଆମକୁ ଆସିବାକୁ ଦିଅନ୍ତୁ, ଆଜ୍ଞା !’’ ସେମାନେ ପାଟିକଲେ, ସତେ ଯେପରି ସେମାନେ ନଈ ବଢ଼ିରେ ଭାସି ଯାଉଥିଲେ ଏବଂ କେ. ସେମାନଙ୍କ ପାଇଁ ଥିଲା ଗୋଟିଏ ଶୁଖିଲା ଯାଗା । କିନ୍ତୁ କେ. ଚଙ୍କିଲା ନାହିଁ, ସେ ଅଧୈର୍ଯ୍ୟ ହୋଇ ଅପେକ୍ଷା କଲା, ଅସହ୍ୟ ଶବ୍ଦ ଶୁଣି ମାଷ୍ଟର୍ ବାବୁ ଆସିବେ ବୋଲି । ଖୁବ୍‌ ଶୀଘ୍ର ସେୟା ଘଟିଲା । ‘‘ଆପଣଙ୍କର ପାଗଳ ସହକାରୀ ମାନଙ୍କୁ ଆସିବାକୁ ଦିଅନ୍ତୁ !’’ ସେ ପାଟି କଲେ । ‘‘ମୁଁ ସେମାନଙ୍କୁ ବରଖାସ୍ତ କରି ଦେଇଚି,’’ କେ. ଉତ୍ତର ଦେଲା ପାଟି କରି । ଏହାର ତତ୍‌କାଳୀନ ପ୍ରଭାବ ହେଲା ଏୟା, ମାଷ୍ଟର ବାବୁଙ୍କ ଦେଖାଇ ଦିଆଗଲା କେମିତି ଖାଲି ଆଦେଶ ଦେଲେ ହେବ ନାହିଁ, ସେ ଆଦେଶକୁ କାର୍ଯ୍ୟରେ ପରିଣତ କରାଇବାକୁ ହେବ, ଏବଂ ଶୀଘ୍ର ହେଉ କି ବିଳମ୍ବରେ ହେଉ, କେ. ନିଶ୍ଚୟ ସେମାନଙ୍କୁ ପୁଣି ଘରକୁ, ଆସିବାକୁ ଦେବ । ଏହାପରେ ମାଷ୍ଟର ବାବୁ ଚାଲିଗଲେ । ଏବଂ ବର୍ତ୍ତମାନ ସବୁ କଥା ଠିକ୍‌ଠାକ୍‌ ହୋଇଯାଇଥାନ୍ତା ଯଦି କେ. ପୁଣି ପାଟି କରି ନଥାନ୍ତା ଯେ ସେମାନଙ୍କୁ ସବୁଦିନ ପାଇଁ ବରଖାସ୍ତ କରାଗଲା ଏବଂ ସେମାନଙ୍କର ପୁଣି ଫେରିବାର ଲେଶମାତ୍ର ସମ୍ଭାବନା ନାହିଁ । ତାହା ଶୁଣି ସେମାନେ ପୁଣି କବାଟ ବାଡ଼େଇବା ଆରମ୍ଭ କରିଦେଲେ । ମାଷ୍ଟର୍ ବାବୁ ପୁଣି ଥରେ ଆସିଲେ, କିନ୍ତୁ ଏଥର ସେ ଆଉ ସେମାନଙ୍କୁ ବୁଝାଇ କହିଲେ ନାହିଁ, ବୋଧହୁଏ ତାଙ୍କର ଭୟପ୍ରଦ ବେତ ଦେଖାଇ ସେମାନଙ୍କୁ ବାହାରକୁ ତଡ଼ି ଦେଲେ ।

 

ଖୁବ୍‌ ଶୀଘ୍ର ସେ ଦୁହେଁ ବ୍ୟାୟାମ ଶାଳାର ଝରକା ପାଖକୁ ଆସିଗଲେ, ଝରକା କାଚ ଉପରେ ହାତ ବାଡ଼େଇଲେ ଏବଂ କ’ଣ କହିଲେ, କିନ୍ତୁ ସେମାନେ କ’ଣ କହୁଛନ୍ତି ସ୍ପଷ୍ଟ ଶୁଭିଲା ନାହିଁ, ସେଠାରେ ସେମାନେ ବେଶୀ ସମୟ ମଧ୍ୟ ଠିଆ ହୋଇ ରହି ପାରିଲେ ନାହିଁ, ସେମାନଙ୍କର ଉତ୍ତେଜନା ଯେତେ ସକ୍ରିୟତା ଆବଶ୍ୟକ କରୁଥିଲା ବରଫରେ ଠିଆ ହୋଇ ସେମାନେ ସେତେ ସକ୍ରିୟ ହୋଇ ପାରିଲେ ନାହିଁ । ତେଣୁ ସେମାନେ ସ୍କୁଲ ବଗିଚାରେ ଲୁହାବାଡ଼ ଆଡ଼କୁ ଧାଇଁଲେ, ପଥର କାନ୍ଥି ଉପରକୁ ଉଠିଗଲେ, ଯେଉଁଠାରୁ କି କିଛିଟା ଦୂରରୁ ହେଲେ ମଧ୍ୟ ସେମାନେ ଘର ଭିତରଟା ଭଲ ଭାବରେ ଦେଖିପାରିଲେ । ତା’ ଉପରେ ରେଲିଂ ଧରି ସେମାନେ ଏପଟ ସେପଟ ହେଲେ, ତା’ପରେ ଠିଆହୋଇ ଗଲେ, ଏବଂ ଦୁଇହାତ ଚାପିଧରି ପ୍ରାର୍ଥନା କରିବା ଭଳି ଭଙ୍ଗୀରେ କେ. ଆଡ଼କୁ ବଢ଼ାଇଲେ । ବହୁତ ସମୟ ଧରି ସେମାନେ ଏଭଳି କଲେ, ତାଙ୍କ ଚେଷ୍ଟାରେ ଯେ କିଛି ଫଳହେବ ନାହିଁ । ସେ କଥା ଭାବିଲେ ନାହିଁ । ସେମାନଙ୍କୁ ନିଶା ଲାଗିଥିଲା ସତେ ଯେମିତି, ସେମାନଙ୍କ ମୁହଁ ନ ଦେଖିବା ପାଇଁ କେ. ଝରକାର ପର୍ଦ୍ଦା ଗୁଡ଼ାକ ପକାଇ ଦେଲା ପରେ ବି ସେମାନେ ସେଥିରୁ ନିବୃତ୍ତ ହେଲେ ନାହିଁ । ବର୍ତ୍ତମାନ ଘର ଭିତରଟା ଅନ୍ଧାର ହୋଇଗଲା, ଏବଂ ସେ ଅନ୍ଧାର ଭିତରେ ଫ୍ରୀଡ଼ାକୁ ଖୋଜିବା ପାଇଁ କେ. ପାରାଲାଲବାର୍ ଆଡ଼କୁ ଗଲା । ତା’ ଉପରେ କେ.ର ଆଖି ପଡ଼ିଯିବାରୁ ଫ୍ରୀଡ଼ା ଉଠି ଠିଆ ହେଲା, ବାଳ ସଜାଡ଼ିଲା, ଲୁହ ପୋଛିଲା ଏବଂ ଚୁପ୍‌ଚାପ୍‌ କଫି ତିଆରି କରିବାକୁ ଆରମ୍ଭ କଲା । ଯଦି ଓ ସେ ସବୁକଥା ଜାଣିଥିଲା କେ. ଆନୁଷ୍ଠାନିକ ଭାବରେ ତା’ ଆଗରେ ଘୋଷଣା କଲା ଯେ ସେ ସହକାରୀ ମାନଙ୍କୁ ବରଖାସ୍ତ କରି ଦେଇଛି । ଫ୍ରୀଡ଼ା ମୁଣ୍ଡ ଲାଡ଼ିଲା କେବଳ । କେ. ଗୋଟିଏ ଡେସ୍କ ଉପରେ ବସି ପଡ଼ିଲା ଏବଂ ଫ୍ରୀଡ଼ାର କ୍ଳାନ୍ତ ଭାବରେ ଚଳପ୍ରଚଳ ହେବା ଲକ୍ଷ୍ୟ କଲା । ତା’ର ଅଦମ୍ୟ ଖୁସିମିଜାଜ ଓ ନିଷ୍ପତ୍ତି ପ୍ରବଣତା ତା’ ନଗଣ୍ୟ ଚେହେରାକୁ ସୁନ୍ଦର କରି ତୋଳିଥିଲା, ବର୍ତ୍ତମାନ ସେ ସୌନ୍ଦର୍ଯ୍ୟ ଚାଲି ଯାଇଥିଲା । କେ. ସାଙ୍ଗରେ ଅଳ୍ପ କେତେଟା ଦିନର ରହଣି ସେ ସୌନ୍ଦର୍ଯ୍ୟକୁ ନଷ୍ଟ କରିଦେବା ପାଇଁ ଯଥେଷ୍ଟ ହୋଇଥିଲା । ମଦବିକା ଘରେ ତା’ର କାମ ଅବଶ୍ୟ ଉଶାସିଆ ନ ଥିଲା କିନ୍ତୁ ତା’ ତା’ କୁ ସୁହାଉ ଥିଲା । ନା, କ୍ଳାମଙ୍କ ପାଖରୁ ବିଚ୍ଛିନ୍ନ ହୋଇଯିବା ଫଳରେ ତା’ର ଏହି ଦୁର୍ଗତି ହୋଇଛି ? କ୍ଳାମ୍‌ଙ୍କ ପାଖ ଆଖରେ ରହିଥିବା ଯୋଗୁଁ ସେ ଏତେ ଭୀଷଣ ଭାବରେ ଆକୃଷ୍ଟ କରି ପାରୁଥିଲା; ସେହି ଆକର୍ଷଣ ଫଳରେ କେ. ତା’ ପାଖକୁ ଟାଣି ହୋଇ ଆସିଥିଲା, ଏବଂ ବର୍ତ୍ତମାନ ସେ କେ. ହାତରେ ମଉଳି ଯାଉଛି ।

 

‘‘ଫ୍ରୀଡ଼ା,’’ କେ. କହିଲା, ସେ କଫି ସରଞ୍ଚାମ ରଖି ଦେଇ ତତ୍‌କ୍ଷଣାତ୍‌ କେ. ବସିଥିବା ଡେସ୍କ ପାଖକୁ ଉଠିଗଲା । ‘‘ତମେ ମୋ’ ଉପରେ ରାଗିଚ ?’’ ଫ୍ରୀଡ଼ା ପଚାରିଲା, ‘‘ନା’’, କେ. ଉତ୍ତର ଦେଲା ।’’ ମୁଁ ଭାବି ପାରୁନି ତମେ ଏଇନେ କ’ଣ କରିବ । ହେରେନ୍‌ ହଫ୍‌ରେ ତମେ ସୁଖରେ ଥିଲ । ମୁଁ ତମକୁ ସେଠି ରହିବାକୁ ଦେଇଥିଲେ ଭଲ ହୋଇଥାନ୍ତା । ‘ହଁ’’, ଫ୍ରୀଡ଼ା କହିଲା, ବିଷର୍ଣ୍ଣ ଆଖିରେ ଅନାଇଁ, ‘‘ତମେ ମତେ ସେଠି ରହିବାକୁ ଦେବା ଉଚିତ ଥିଲା । ମୁଁ ତମ ସାଙ୍ଗରେ ରହିବା ପାଇଁ ଯୋଗ୍ୟ ନୁହେଁ । ମୋ’ କବଳରୁ ମୁକୁଳିଲେ ବୋଧେ ତମେ ଯା’ କରିବାକୁ ଚାହୁଁଚ କରି ପାରିବ, ମୋ ଲାଗି କେବଳ ତମେ ମାଷ୍ଟର ବାବୁର ଅତ୍ୟାଚାର ଚୁପ୍‌ଚାପ ସହି ଯାଉଚି, ଏଇ ନିଉଛୁଣା ଚାକିରୀଟା ନେଇଚ, ଆଉ ପ୍ରାଣପଣେ ଚେଷ୍ଟା କରୁଚ କ୍ଳାମଙ୍କ ସାଙ୍ଗରେ ଦେଖା କରିବା ପାଇଁ । ସବୁ ମୋ’ ଲାଗି, କିନ୍ତୁ ତା’ ବଦଳରେ ମୁଁ ତ ବେଶୀ କିଛିଦେଇ ପାରୁନି ।’’ ‘‘ନା, ନା,’’ କେ. କହିଲା, ଆଦରରେ ଫ୍ରୀଡ଼ା ଦେହରେ ହାତ ବେଢ଼ାଇ ଆଣି । ‘‘ଏସବୁ ଛୋଟ ଛୋଟ କଥା ମତେ କଷ୍ଟ ଦେଉନି, ଆଉ ଖାଲି ତମ ଲାଗି ହିଁ ମୁଁ କ୍ଳାମ୍‌ଙ୍କ ପାଖରେ ପହଞ୍ଚିବାକୁ ଚାହୁଁଚି ! ଆଉ ଭାବିଲ ଦେଖି ତମେ ମୋ’ ପାଇଁ କ’ଣ ସବୁ ନ କରିଚ : ତମକୁ ଚିହ୍ନିବା ଆଗରୁ ମୁଁ ଅନ୍ଧ ହୋଇ ବୁଲୁଥିଲି । ମତେ କେହି ପଚାରୁ ନଥାନ୍ତି, ଆଉ ମୁଁ ଯଦି କାହା ପାଖକୁ ଗଲି ସେ ମତେ ସେଇକ୍ଷଣି ଫେରାଇ ଦେଉଥିଲା । ଆଉ ଯଦି କେବେ କେଉଁଠି ଅତିଥି ହେବାର ଟିକିଏ ସୁଯୋଗ ମିଳିଲା, ଏମିତି ଲୋକଙ୍କ ପାଖରେ ମିଳିଲା ଯୋଉ ମାନଙ୍କ ପାଖରୁ ମୁଁ ଛାଟି ପିଟି ହୋଇ ପଳାଇ ଯିବାକୁ ଚାହୁଁଥିଲି, ଯେମିତି ବାର୍ଣ୍ଣାବାସର ପରିବାର-’’ ‘‘ତମେ ସେମାନଙ୍କଠୁ’ ପଳେଇବାକୁ ଚାହୁଁଥିଲ ? ସତରେ ? ମୋ’ ଧନ !’’ ଫ୍ରୀଡ଼ା ଆବେଗରେ କହିଗଲା, ଏବଂ କେ. ପାଖରୁ ଗୋଟିଏ କୁଣ୍ଠିତ ‘‘ହଁ’’ ପରେ, ପୁଣି ଆଗଭଳି ଚୁପ୍‌ଚାପ ହୋଇଗଲା । କିନ୍ତୁ କେ.ର ଆଉ ପ୍ରବୃତ୍ତି ହେଉ ନଥିଲା ବୁଝାଇବାକୁ ଫ୍ରୀଡ଼ା ସହିତ ତା’ର ସଂପର୍କ ଜରିଆରେ କେମିତି ତା’ର ସବୁ କଥା ବଦଳି ଯାଇଛି, ଭଲ ହୋଇ ଯାଇଛି । ସେ ଆସ୍ତେ ତା’ର ହାତ କାଢ଼ି ନେଲା, ଏବଂ ଦୁହେଁ କିଛି ସମୟ ଚୁପ୍‌ଚାପ୍‌ ବସିଲେ, ଯେତେବେଳେ ସତେ ଯେପରି ତ’ ହାତ ଫ୍ରୀଡ଼ାକୁ ଉଷୁମ ଲାଗୁଥିଲା, ଆରାମ ଲାଗୁଥିଲା, ସେ ହାତଟା ଛଡ଼ା ସେ ରହି ପାରିବ ନାହିଁ–ଫ୍ରୀଡ଼ା କହିଲା; ‘‘ମୁଁ ଆଉ ଏଠି ବଞ୍ଚିପାରିବ ନାଇଁ । ତମେ ଯଦି ମତେ ପାଖରେ ରଖିବାକୁ ଚାହୁଁଚ, ଆମକୁ କୁଆଡ଼େ ହେଲେ ପଳେଇ ଯିବାକୁ ପଡ଼ିବ, ଦକ୍ଷିଣ ଫ୍ରାନ୍‌ସକୁ କି ସ୍ପେନ୍‌କୁ ।’’ ‘‘ମୁଁ ପଳେଇ ଯାଇ ପାରିବିନି,’’ କେ. ଉତ୍ତର ଦେଲା । ‘‘ମୁଁ ଏଠି ରହିବାକୁ ଆସିଚି । ଏଠି ରହିବି ।’’ ଏବଂ ସେ ସ୍ୱବିରୋଧୀ କଥାଟିଏ ଉଚ୍ଚାରଣ କଲା ଯାହାକୁ ସେ ବୁଝାଇବାକୁ ଚେଷ୍ଟା କଲା ନାହିଁ, ଏବଂ ନିଜକୁ କହିଲା ଭଳି କହିଲା,’’ ରହିବାର ଇଚ୍ଛା ନ ଥିଲେ କୋଉ ଆକର୍ଷଣରେ ମୁଁ ଏଇ ଶୂନଶାନ୍ ମଫସଲକୁ ଆସିଥାନ୍ତି ?’’ ତା’ ପରେ ସେ କହି ଚାଲିଲା, ‘‘କିନ୍ତୁ ତମେ ବି ତ ଏଠି ରହିବାକୁ ଚାହୁଁଚ, ଯା’ ହେଲେବି ଏଇଟା ତମ ନିଜ ଯାଗା । ଖାଲି ଯା’ ତମେ କ୍ଲାମ୍‌ଙ୍କୁ ଝୁରୁଚ, ଆଉ ସେଇଥିପାଇଁ ଏଡ଼େ ହତାଶ ହୋଇପଡ଼ୁଚ ।’’ ‘‘ମୁଁ କ୍ଲାମ୍‌ଙ୍କୁ ଝୁରୁଚି?’’ ଫ୍ରୀଡ଼ା କହିଲା । ‘‘କ୍ଳାମ୍‌ଙ୍କଠୁ’ ମୋର ଯାହା ଦରକାର ସବୁ ମତେ ଏଠି ମଳୁଚି, ବହୁତ ବେଶୀ ମିଳୁଚି, ତାଙ୍କଠୁ’ ରକ୍ଷା ପାଇଯିବା ପାଇଁ ପଳେଇବାକୁ ଚାହୁଁଚି । ମୁଁ କ୍ଳାମ୍‌ଙ୍କ ଝୁରୁନି, ଝରୁଚି ତମକୁ । ମୁଁ ତମରି ଭଲ ପାଇଁ ପଳେଇବାକୁ ଚାହୁଁଚି, କାରଣ ମୁଁ ତମକୁ ଯଥେଷ୍ଟ ଭାବେ ପାଉନି, ଏଇଠି ଯୋଉଠିକି ସବୁ ଜିନିଷରେ ମୋ ମୁଣ୍ଡ ଗୋଳମାଳ ହେଇଯାଉଚି, ତମ ସାଙ୍ଗରେ ମତେ ଯଦି ଶାନ୍ତିରେ ରହିବାକୁ ଦିଆଯାନ୍ତା, ମୁଁ ଖୁସିରେ ମୋର ସୁନ୍ଦର ଚେହେରା ନଷ୍ଟ କରି ଦିଅନ୍ତି, ଖସିରେ ରୋଗିଣା ହୋଇଥାନ୍ତି ।’’ କେ. କେବଳ ଗୋଟାଏ କଥା ପ୍ରତି ଲକ୍ଷ୍ୟ କଲା । ‘‘ତା’ ହେଲେ କ୍ଳାମ୍‌ ଏବେ ବି ତମକୁ ଚିଠିପତ୍ର ଦେଉଚନ୍ତି ?’’ ସେ ଉଦ୍‌ବିଗ୍ନ ହୋଇ ପଚାରିଲା, ‘‘ତମକୁ ଡକାଉଚନ୍ତି ?’’ ‘‘ମୁଁ କ୍ଳାମ୍‌ଙ୍କ କଥା ଜାଣେନି,’’ ଫ୍ରୀଡ଼ା ଉତ୍ତର ଦେଲ, ‘‘ମୁଁ ଏଇନେ ଅନ୍ୟ ମାନଙ୍କ କଥା କହୁଥିଲି, ମାନେ ସହକାରୀ ମାନଙ୍କ କଥା ।’’ ‘‘ଓ, ସହକାରୀମାନଙ୍କ କଥା,’’ କେ. ନିରାଶ ହୋଇ କହିଲା, ‘‘ସେମାନେ କ’ଣ ତମକୁ ହରକତ କରୁଚନ୍ତି ?’’ ‘‘ତମେ କ’ଣ କେବେ ସେ କଥା ଲକ୍ଷ୍ୟ କରିନ ?’’ କେ. ପଚାରିଲା । ‘‘ନା’’ କେ. ଉତ୍ତର ଦେଲା, ଯେ କୌଣସି କଥା ମନେ ପକାଇବାକୁ ବୃଥା ଚେଷ୍ଟା କରି, ‘‘ସେ ଯୋଡ଼ାକ ନିଶ୍ଚୟ ଯୋଡ଼େ ଲୁଙ୍ଗୁଡ଼ା, କିନ୍ତୁ ତମକୁ ଆଖି ପକେଇବା ତ ମୁଁ କେବେ ଲକ୍ଷ୍ୟ କରିନି ।’’ ‘‘କରିନ ?’’ ଫ୍ରୀଡ଼ା କହିଲା, ‘‘ତମେ କ’ଣ ଲକ୍ଷ୍ୟ କରିନ ବ୍ରିଜ୍ ବନ୍‌ରେ କେମିତି ମୋଟେ ବାହାରକୁ ଯିବେନି, ଡାହାଣାଙ୍କ ଭଳି ଆମଆଡ଼େ ଚାହିଁଥିବେ; ତମେ କ’ଣ ଦେଖିଲନି କେମିତି ଜଣେ ମୋ’ ଅଖା ଉପରେ ଆସି ଶୋଇଲା, କେମିତି ମିନିଟ୍‌କ ଆଗରୁ ସେମାନେ ତମ ବିରୁଦ୍ଧରେ ସାକ୍ଷ୍ୟ ଦେଲେ ତମକୁ ଏଠୁ ତଡ଼ି ଦେବାପାଇଁ, ତମକୁ ଧ୍ୱସଂ କରି ଦେବାପାଇଁ, ଆଉ ତମେ ପଳେଇଲେ ମୋ’ ସାଙ୍ଗରେ ରହିବା ପାଇଁ ? ତମେ ଏଗୁଡ଼ା ମୋଟେ ଲକ୍ଷ୍ୟ କରିନ ?’’ କୌଣସି ଉତ୍ତର ନ ଦେଇ କେ. ଫ୍ରୀଡ଼ା ଆଡ଼କୁ ଚାହିଁଲା । ସହକାରୀମାନଙ୍କ ବିରୁଦ୍ଧରେ ତା’ର ଅଭିଯୋଗ ଗୁଡ଼ିକ ସତ୍ୟ, ତଥାପି ସେ ଗୁଡ଼ିକୁ ସହକାରୀକାନଙ୍କର ଅତି ପିଲାଳିଆ, ଦାୟିତ୍ୱହୀନ ଓ ଅସଂଯତ ବ୍ୟବହାରର ଫଳ ଭାବରେ ମଧ୍ୟ ସହଜରେ ନିଆଯାଇପାରେ । ଏବଂ ଦୁହେଁ ତ ସବୁବେଳେ କେ: ଯେଉଁଆଡ଼େ ଯିବ ତା’ ସାଙ୍ଗରେ ଯିବାକୁ ସବୁପ୍ରକାର ଚେଷ୍ଟା କରନ୍ତି, ଫ୍ରୀଡ଼ା ପାଖରେ ରହିବାକୁ ନୁହେ । ଏହା କ’ଣ ଦୁହିଁଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରୁନାହିଁ କି ? କେ. ପ୍ରାୟ ସେୟା ସୂଚନା ଦେଲା । ‘‘ସେଇଟା ତାଙ୍କର ଛଳନା’’, ଫ୍ରୀଡ଼ା କହିଲା, ‘‘ତମେ କ’ଣ କେବେ ତା’ ଭିତରକୁ ଯାଇନ ? ଆଚ୍ଛା, ଯଦି ସେୟା କାରଣ ନୁହେ, ତମେ ସେମାନଙ୍କୁ ତଡ଼ି ଦେଲ କାହିଁକି ?’’ ଏବଂ ସେ ଝରକା ପାଖକୁ ଗଲା, ପର୍ଦ୍ଦା ଟିକିଏ ଆଡ଼େଇ ଦେଲା, ବାହାରକୁ ଅନାଇଁଲା ଏବଂ କେ.କୁ ପାଖକୁ ଡାକିଲା । ସହକାରୀମାନେ ସେଯାଏଁ ରେଲିଂ ଜାବୁଡ଼ି ରହିଥାନ୍ତି; ନିଶ୍ଚୟ ହାଲିଆ ହୋଇ ଯାଇଥିବେ, କିନ୍ତୁ ସେମାନେ ଶକ୍ତି ଶଞ୍ଚୟ କରି ଥରକୁ ଥର ପ୍ରାର୍ଥନା କଲା ଭଙ୍ଗୀରେ ସ୍କୁଲ ଆଡ଼କୁ ହାତ ବଢ଼ାଉଥାନ୍ତି-। ସବୁବେଳେ ରେଲିଂ ଧରିବାକୁ ପଡ଼ିବ ନାହିଁ ବୋଲି ଜଣେ ତା’ କୋଟ୍‌ର ତଳଟା ଗଣ୍ଠି ପକାଇ ନିଜକୁ ରେଲିଂ ଦେହରେ ବାନ୍ଧି ଦେଇଥାଏ ।

 

‘‘ବିଚରା ! ଆହା !’’ ଫ୍ରୀଡ଼ା କହିଲା ।

 

‘‘ତମେ ପଚାରୁଚ ମୁଁ କାହିଁକି ସେମାନଙ୍କୁ ତଡ଼ି ଦେଲି ?’’ କେ. ପଚାରିଲା । ‘‘ସେଥିପାଇଁ ତମେ ହିଁ ଏକମାତ୍ର କାରଣ ।’’ ‘‘ମୁଁ ?’’ ସହକାରୀମାନଙ୍କ ଉପରୁ ଦୃଷ୍ଟି ଫେରାଇ ନେଇ ଫ୍ରୀଡ଼ା ପଚାରିଲା । ‘‘ତମର ସେମାନଙ୍କ ପ୍ରତି ଏତେ ଦୟା,’’ କେ. କହିଲା, ‘‘ତମେ ତାଙ୍କର ସବୁ ଦୋଷ ମାଫ୍‌ କରି ଦେଲ, ତାଙ୍କୁ ଚାହିଁ ହସିଲ, ତାଙ୍କ ମୁଣ୍ଡ ଆଉଁଷି ଦେଲ, ସେମାନଙ୍କ ପାଇଁ ତମର ସବୁବେଳେ ଏତେ ସହାନୁଭୂତି–ତମେ ଏଇନେ କହିଲ, ‘ବିଚରା ! ଆହା !’ –ଆଉ ଶେଷରେ ଯାହା ଘଟିଗଲା, ସେମାନଙ୍କୁ ମାଡ଼ରୁ ରକ୍ଷା କରିବା ପାଇଁ ତମେ ମତେ ସବୁ ଦୋଷ ଦେଇ ଦେଲ, ଟିକିଏ ବି ଭାବିଲନି ।’’ ‘‘ହଁ, ଠିକ୍‌ କଥା, ମୁଁ ସେୟା ହିଁ ତମକୁ କହିବାକୁ ଚାହୁଁଚି, ଯଦିଓ ତମ ସାଙ୍ଗରେ ସଦାବେଳେ ରହିବା ଅପେକ୍ଷା ବଡ଼ ସୁଖ ମୁଁ କଳ୍ପନା କରି ପାରୁ ନାହିଁ–ତମ ପାଖରେ ରହିବି, ମୁହୂର୍ତ୍ତକ ପାଇଁ ବି ଅଲଗା ହେବିନି–ଯଦିଓ ମୋର ମନେ ହେଉଚି ଯେ ଆମର ଭଲ ପାଇବା ପାଇଁ ଚୁପ୍‌ଚାପ ଯାଗାଟିଏ କୋଉଠି ନାହିଁ, ନା ଏ ଗାଁରେ ନା ଅନ୍ୟ କୋଉଠି, ଆଉ ମୁଁ ଗୋଟିଏ ସ୍ୱପ୍ନ ଦେଖୁଚି, ଛୋଟ ଗହ୍ୱୀର କବରଟିଏ ଯା’ ଭିତରେ ଆମେ ପରସ୍ପରକୁ ଛାତିରେ ଜାବୁଡ଼ି ଧରିବା ଲୁହା ବାଡ଼ିରେ ଯୋଡ଼ା ହେଲା ଭଳି, ଆଉ ମୁଁ ତମ ଛାତି ଭିତରେ ମୁହଁ ଲୁଚେଇ ଦେବି, ତମେ ମୋ’ ଛାତିରେ ମୁହଁ ଗୁଞ୍ଜି ଦେବ, ଆଉ କେହି କେବେ ଆମକୁ ଦେଖି ପାରିବେ ନାହିଁ-। କିନ୍ତୁ ହେଇ–ଦେଖ, ସେଇଠି ସେ ସହକାରୀ ଯୋଡ଼ାକ ! ସେମାନେ ଯେତେବେଳେ ହାତ ଚାପି ଧରୁଚନ୍ତି, ତା’ ତମ ପାଇଁ ନୁହ, ମୋ’ ପାଇଁ,’’ ‘‘ଆଉ ମୁଁ ସେମାନଙ୍କ ମଡ଼େ ଅନାଉଁନି,’’ କେ. କହିଲା, ‘‘ତମେ ଅନେଇଁଚ ।’’ ‘‘ହଁ, ମୁଁ’’ ଫ୍ରୀଡ଼ା କହିଲା ରାଗିଯାଇ, ‘‘ସେୟା ହିଁ ମୁଁ ସବୁବେଳେ କହି ଆସିଚି; ନ ହେଲେ ସେମାନେ କାଇଁକି ସବୁବେଳେ ମୋ ପଛରେ ଗୋଡ଼ାଉ ଥାନ୍ତେ, ସେମାନେ କ୍ଳାମ୍‌ଙ୍କ ଲୋକ ହେଲେ ବି ?’’ ‘‘କ୍ଳାମ୍‌ଙ୍କ ଲୋକ ?’’ କେ. ଏ ପ୍ରକାର ବର୍ଣ୍ଣନାରେ ଆଶ୍ଚର୍ଯ୍ୟ ହୋଇ ପଚାରିଲା, ଯଦିଓ କଥାଟା ବେଶ୍ ସ୍ୱାଭାବିକ ମନେ ହେଲା । ‘‘ହଁ, ନିଶ୍ଚୟ, କ୍ଳାମ୍‌ଙ୍କ ଲୋକ,’’ ଫ୍ରୀଡ଼ା କହିଲା । ‘‘ତା’ ହେଲେ ବି ସେମାନେ ମୂର୍ଖ ଟୋକା ଯୋଡ଼େ, ତାଙ୍କ ମୁଣ୍ଡରେ ବୁଦ୍ଧି ପୂରେଇବାକୁ ପଡ଼ିବ । କି କଦର୍ଯ୍ୟ କଳା ମୁହଁ ସଇତାନ ସେ ଦି’ଟା, ଆଉ ତାଙ୍କ ମୁହଁ ଯାହାକି ଯେ କେହି ଭାବିବ ବଡ଼ ପିଲାଙ୍କର ବୋଲି, ପ୍ରାୟ ଛାତ୍ର ମାନଙ୍କର ବୋଲି, ଆଉ ସେମାନଙ୍କର ପିଲାଳିଆ ମୂର୍ଖ ବ୍ୟବହାର, ତା’ ଭିତରେ କି ବିରକ୍ତିକର ତଫାତ୍‌ । ତମେ କ’ଣ ଭାବୁଚ ମୁଁ ତା’ ଦେଖି ପାରୁନି ? ସେମାନଙ୍କ ଲାଗି ମତେ ଲାଜ ମାଡ଼ୁଚି । ବାସ୍‌, କଥାଟା ସେୟା, ସେମାନେ ମୋ’ ମନରେ ଘୃଣାଜନ୍ମାଉ ନାହାଁନ୍ତି, କିନ୍ତୁ ସେମାନଙ୍କ ପାଇଁ ମୁଁ ଲଜ୍ଜିତ । ମୁଁ ସେମାନଙ୍କ ଆଡ଼କୁ ନ ଅନାଇଁ ରହି ପାରିବିନି । ଆଉ କିଏ ସେମାନଙ୍କ ଉପରେ ବିରକ୍ତ ହେଲାବେଳେ, ମୁଁ ତାଙ୍କ କଥା ହସି ଉଡ଼ାଇ ଦେଉଚି ଖାଲି । ଲୋକେ ତାଙ୍କୁ ମାରିବାକୁ ଗଲାବେଳେ ମୁଁ କେବଳ ତାଙ୍କ ମୁଣ୍ଡ ଆଉଁଷି ଦେଉଚି । ଆଉ ରାତିରେ ତମ ପାଖରେ ଶୋଇଥିଲା ବେଳେ ମତେ ନିଦ ହେଉନି. ମୁଁ ସବୁବେଳେ ତମ ଉପରକୁ ଉହୁଁଙ୍କି ସେମାନଙ୍କୁ ଦେଖୁଚି, ଜଣେ କମ୍ବଳ ଭିତରେ ଗୁଡ଼େଇ ହୋଇ ଶୋଇଯାଇଥିବ ଆଉ ଆରଜଣକ ନିଆଁ ଜଳା ଯାଗା ପାଖରେ ଆଣ୍ଠେଇ ପଡ଼ି କାଠ ଦେଉଥିବ, ମୁଁ ଏତେ ବେଶୀ ଉହୁଙ୍କି ପଡ଼ୁଚି ତମ ଉପରେ ଯେ ତମ ନିଦ ଭାଙ୍ଗି ଯାଉଚି । ଆଉ ମୁଁ ଏତେ ଡରି ଯାଉଥିଲି ବିରାଡ଼ିଟା ପାଇଁ ନୁହ–ଓଃ, ମୁଁ କେତେ ବିରାଡ଼ି ଦେଖିଚି, ଆଉ ମଦବିକା ଘରେ କେତେ ରାତି ମୋର ଗୋଳମାଳରେ କଟିଚି–ବିରାଡ଼ିଟା ପାଇଁ ମୁଁ ଡରି ଯାଇ ନଥିଲି, ମୋର ନିଜକୁ ହିଁ ଭାରି ଡର-। ନା, ମତେ ଉଠେଇ ଦେବା ପାଇଁ ସେ ବିରାଡ଼ିଟା ଭଳି ଗୋଟେ ବଡ଼ ଜନ୍ତୁ ଦରକାର ନାହିଁ, ଟିକିଏ ଶବ୍ଦରେ ମୁଁ ଚମକି ପଡ଼ୁଚି । ଏ ମୁହୂର୍ତ୍ତରେ ମତେ ଡର ମାଡ଼ୁଚି, ତମେ ଉଠି ପଡ଼ିବ ବୋଲି, ସବୁ ଗୋଳମାଳ କରି ଦେବ ବୋଲି, ଆଉ ଆର ମୁହୂର୍ତ୍ତରେ ମୁଁ ଧଡ଼ପଡ଼ ହୋଇ ଉଠୁଚି, ଆଲୁଅ ଜଳାଉଚି ତମକୁ ସେଇକ୍ଷଣି ଉଠାଇ ଦେବାକୁ, ତମେ ମତେ ରକ୍ଷା କରିବ ବୋଲି ।’’ ‘‘ମୁଁ ଏସବୁ କଥା କିଛି ଜାଣିନି,’’ କେ. କହିଲା, ‘‘ଖାଲି ଏମିତି କିଛି ଟିକିଏ ସନ୍ଦେହ ମୋର ହେଲା ବୋଲି ମୁଁ ସେମାନଙ୍କୁ ତଡ଼ି ଦେଲି । କିନ୍ତୁ ବର୍ତ୍ତମାନ ତ ସେମାନେ ଗଲେ, ଫ୍ରୀଡ଼ା କହିଲା, କିନ୍ତୁ ତା’ର ମୁହଁ ଆତଙ୍କିତ ଦିଶିଲା, ସନ୍ତୁଷ୍ଟ ନୁହେ, ‘‘ଖାଲି ଆମେ ଜାଣିନେ ସେମାନେ କିଏ । ମୋ ମନକୁ ଆସିଲା, ମୁଁ କହିଲି ସେମାନେ କ୍ଳାମ୍‌ଙ୍କ ଲୋକ, ନିଶ୍ଚିତ ଭାବରେ ନୁହେ, କିନ୍ତୁ ସେମାନେ ବୋଧେ ପ୍ରକୃତରେ କ୍ଳାମ୍‌ଙ୍କ ଲୋକ । ସେମାନଙ୍କର ଆଖି ଗୁଡ଼ାକ–ସେଇ ସରଳ କିନ୍ତୁ ଉଜ୍ଜଳ ଆଖି ଗୁଡ଼ାକ–ଦେଖିଲେ କାହିଁକି କେଜାଣି ମୋର କ୍ଳାମ୍‌ଙ୍କ କଥା ମନେ ପଡ଼ିଯାଏ; ହଁ, ସେୟା ତାଙ୍କ ଆଖିରୁ ବାହାରି କ୍ଳାମ୍‌ଙ୍କ ଚାହାଁଣୀ ମୋ ଦେହରେ ଭେଦିଯାଏ । ଆଉ ସେଇଥିପାଇଁ, ମୁଁ ଯେତେବେଳେ କହୁଚି ଯେ ମୁଁ ସେମାନଙ୍କ ପାଇଁ ଲଜ୍ଜିତ, ତା’ ସତ ନୁହେ । ମୁଁ ଖାଲି ଭାବୁଚି ତା’ ସତ ହୋଇଥାନ୍ତା କି ! ମୁଁ ଭଲ ଭାବରେ ଜାଣେ ଯେ ଅନ୍ୟ ଯେ କୌଣସି ଯାଗାରେ ଅନ୍ୟ ଯାହା ପାଖରେ ହେଲେ ସେ ପ୍ରକାର ବ୍ୟବହାର ଭାରି କଦର୍ଯ୍ୟ ଓ ଅପମାନ ଜନକ ମନେ ହେବ । କିନ୍ତୁ ସେମାନଙ୍କ ପାଖରେ ନୁହ । ସମ୍ମାନର ସହିତ ପ୍ରଶଂସା ପୂର୍ଣ୍ଣଦୁଷ୍ଟିରେ ମୁଁ ସେମାନଙ୍କର କାଣ୍ଡ କାରଖାନା ଦେଖେ । କିନ୍ତୁ ସେମାନେ ଯଦି କ୍ଳାମ୍‌ଙ୍କ ଲୋକ, ସେମାନଙ୍କ କବଳରୁ ଆମକୁ କିଏ ରକ୍ଷା କରିବ ? ତା’ ହୋଇଥିଲେ ତମେ କ’ଣ ସେ ଦୁହିଁଙ୍କୁ ଏ ମୁହୂର୍ତ୍ତରେ ଫେରାଇ ଆଣିବନି, ଆଉ ସେମାନେ ଫେରି ଆସିବାକୁ ରାଜି ହେଲେ ଖୁସି ହେବନି ? ‘‘ତମେ କ’ଣ ମୁଁ ସେମାନଙ୍କୁ ଫେରାଇ ଆଣିବା ଚାହୁଁଚ-?’’ କେ. ପଚାରିଲା । ‘‘ନା, ନା,’’ ଫ୍ରୀଡ଼ା କହିଲା, ‘‘ତା’ ମୁଁ ମୋଟେ ଚାହୁଁନି । ସେମାନେ ଏବେ ଏଠିକି ଦୌଡ଼ି ଆସନ୍ତି, ସେମାନଙ୍କ ମୁହଁ, ମତେ ଦେଖି ସେମାନଙ୍କର ଖୁସି, ସେମାନେ ଯୋଉ ପିଲାଙ୍କ ଭଳି ଡିଆଁ ଉକୁସା କରିବେ ଆଉ ମୋ’ ଆଡ଼କୁ ପୁରୁଷଙ୍କ ଭଳି ହାତ ବଢ଼ାଇବେ, ନା, ମୁଁ ଭାବୁନି ସେ ସବୁ ସହି ପାରିବି ବୋଲି । କିନ୍ତୁ ଯାହା ହେଲେ ବି ମୁଁ ଯେତେବେଳେ ଭାବୁଚି ଯେ ତମେ ସେମାନଙ୍କ ପ୍ରତି କଠୋର ହେବା ଫଳରେ ବୋଧେ କେବେହେଲେ କ୍ଳାମ୍‌ଙ୍କ ପାଖରେ ପହଞ୍ଚି ପାରିବନି, ମୁଁ ଚାହୁଁଚି ତମକୁ କଳେ ବଳେ କୌଶଳେ ସେ ପ୍ରକାର ପରିସ୍ଥିତିରୁ ରକ୍ଷା କରିବି-। ଏ କ୍ଷେତ୍ରରେ ମୋର ଏକମାତ୍ର ଇଚ୍ଛା ଯେ ତମେ ସେମାନଙ୍କୁ ଫେରାଇ ଆଣ । ପୁଣି, ଏଇ ମୁହୂର୍ତ୍ତରେ । ମୋ’ ବିଷୟରେ ଚିନ୍ତା କରନି, ମୁଁ ବା କିଏ ? ଯେତେଦୂର ପାରିବି ମୁଁ, ନିଜକୁ ରକ୍ଷା କରିବି, ଆଉ ଯଦି ମତେ ମୁଣ୍ଡ ନୁଆଁଇବାକୁ ପଡ଼େ, ତେବେ ମୁଁ ତା’ ତମ ପାଇଁ କରୁଚି ବୋଲି ଭାବି କରିବି ।’’ ‘‘ସହକାରୀମାନଙ୍କ ବିଷୟରେ ମୁଁ ଯାହା ନିଷ୍ପତ୍ତି କରିଚି ତମେ ତା’କୁ ୟା’ଦ୍ୱାରା ସମର୍ଥନ କରୁଚ କେବଳ,’’ କେ. କହିଲା । ‘‘ମୋ ଇଚ୍ଛାରେ ମୁଁ ତାଙ୍କୁ କେବେ ଆଣିବିନି । ମୁଁ ଯେ ସେମାନଙ୍କୁ ୟା’ ଭିତରୁ ବାହାର କରି ଦେଇଚି ସେଥିରୁ ଅନ୍ତତଃ ଏତିକି ପ୍ରମାଣିତ ହୋଇ ଯାଉଚି ଯେ କେତେକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ସେମାନଙ୍କୁ ନେଇ ଚଳି ହେବ, ଆଉ ସେଥିପାଇଁ ମଧ୍ୟ, ତା’ ଛଡ଼ା ଆହୁରି ପ୍ରମାଣିତ ହେଉଚି ଯେ କ୍ଳାମ୍‌ଙ୍କ ସହିତ ସେମାନଙ୍କର କିଛି ସମ୍ପର୍କ ନାହିଁ । ଏଇ କାଲି ରାତିରେ ମୁଁ କ୍ଳାମ୍‌ଙ୍କଠୁ’ ଯୋଉ ଚିଠି ପାଇଚି, ସେଥିରୁ ସ୍ପଷ୍ଟ ଜଣା ପଡ଼ୁଚି ଯେ ସହକାରୀମାନଙ୍କ ବିଷୟରେ କ୍ଳାମଙ୍କୁ ମିଛ କଥା କୁହା ଯାଇଥିଲା, ଆହୁରି ବି ଜଣେ ଏଇ ଧାରଣା କରିବ ଯେ କ୍ଳାମ୍‌ ସେମାନଙ୍କ ବିଷୟରେ ପୂରା ଉଦାସୀନ, କାରଣ ତା’ ନ ହୋଇଥିଲେ ସେ ସେମାନଙ୍କ ବିଷୟରେ ସଠିକ୍‌ ତଥ୍ୟ ସଂଗ୍ରହ କରିଥାନ୍ତେ । ଆଉ ତମେ ଯେ ସେମାନଙ୍କ ଭିତରେ କ୍ଳାମ୍‌ଙ୍କୁ ଦେଖୁଚ, ସେଥିରୁ କୌଣସି କଥା ପ୍ରମାଣିତ ହେଉନି, କାରଣ ଦୁଃଖର କଥା ଏଯାଏଁ ହୋଟେଲ୍ ମାଲିକାଣୀର ପ୍ରଭାବ ତମ ଉପରେ ରହିଚି ଆଉ ସବୁଠି କ୍ଳାମ୍‌ଙ୍କୁ ଦେଖୁଚି । ତମେ ଏଯାଏଁ କ୍ଳାମ୍‌ଙ୍କର ପ୍ରେମିକା, କୋଉ ଦୃଷ୍ଟିରୁ ହେଲେ ବି ମୋ’ ସ୍ତ୍ରୀ ନୁହ । ବେଳେ ବେଳେ ସେ କଥା ଭାବିଲେ ମୋ ମନ କଷ୍ଟ ହେଉଚି, ମୁଁ ଭାବୁଚି ସତେ ଯେମିତି ମୁଁ ସବୁ ହରେଇ ବସିଚି, ସତେ ଯେମିତି ମୁଁ ନୂଆ ଏ ଗାଁକୁ ଆସିଚି, କିନ୍ତୁ ଯୋଉ ଆଶା ନେଇ ଆସିଥିଲି ସେ ଆଶା କିଛି ନାହିଁ, ଆଉ ମୁଁ ଜାଣୁଚି ଯେ ମୋ ପାଇଁ ଅଛି ଖାଲି ନୈରାଶ୍ୟ, ଆଉ ମୁଁ ସବୁ ଶେଷ ଯାଏଁ ସହି ନେବାକୁ ପଡ଼ିବ । ଅବଶ୍ୟ ବେଳେବେଳେ ସେମିତି ଯେ ତା’ କଥା ଶୁଣି ଫ୍ରୀଡ଼ା ମନକଷ୍ଟ କରୁଚି, ‘‘ଆଉ ଏ ସବୁଥିରୁ ଗୋଟି, ଭଲ କଥା ପ୍ରମାଣିତ ହେଉଚି; ସେଇଟା ହେଲା, ମୁଁ ତମକୁ ବହୁତ ବେଶୀ ଚାହେଁ । ଆଉ ବର୍ତ୍ତମାନ ତମେ ଯଦି ତମେ ଓ ସହକାରୀମାନଙ୍କ ଭିତରେ ଜଣକୁ ବାଛି ନେବାକୁ ମତେ କହିବ, ସହକାରୀମାନଙ୍କ ଭାଗ୍ୟ ନିରୂପଣ କରିବା ପାଇଁ ସେତିକି ଯଥେଷ୍ଟ ହେବ । କି କଥା, ତମେ ଓ ସହକାରୀମାନଙ୍କ ଭିତରେ ଜଣକୁ ବାଛିବ ! କିନ୍ତୁ ଏବେ ମୁଁ ସେମାନଙ୍କ କବଳରୁ ରକ୍ଷା ପାଇବାକୁ ଚାହେଁ, ଉଭୟ କାର୍ଯ୍ୟରେ ଓ ଚିନ୍ତାରେ । ତା’ଛଡ଼ା କିଏ ଜାଣେ, ଆମେ ଯେ ଏତେ ଦୁର୍ବଳ ଅନୁଭବ କରୁଚେ, ତା’ର କାରଣ ହେଇପାରେ ଆମେ ଏଯାଏଁ ସକାଳ ଜଳଖିଆ ଖାଇନେ !’’ ହେଇପାରେ,’’ ଫ୍ରୀଡ଼ା ଉତ୍ତର ଦେଲା ଏବଂ କ୍ଳାନ୍ତ ହସଟିଏ ହସି ଦେଇ ତା’ କାମ କରିବାକୁ ଚାଲିଗଲା । କେ. ମଧ୍ୟ ତା’ ଝାଡ଼ୁଟାକୁ ଉଠାଇ ଧରିଲା ।

 

କିଛି ସମୟପରେ କବାଟ କିଏ ଆସ୍ତେ ବାଡ଼ାଇବା ଶୁଭିଲା । ‘‘ବାର୍ଣ୍ଣାବାସ !’’ କେ. ଚିତ୍‌କାର କଲା, ଝାଡ଼ୁଟା ପକାଇ ଦେଲା, ଏବଂ ଧଡ଼ପଡ଼ ହୋଇ କବାଟ ପାଖରେ ପହଞ୍ଚିଗଲା । ଫ୍ରୀଡ଼ା ତା’ ଆଡ଼କୁ ଅନାଇଁଲା, ନାଁ ଟା ଶୁଣି ଭୀଷଣ ଡରି ଯାଇଥିଲା । ତା’ର ଥରଥର ହାତରେ କେ. କିଳିଣିଟା ହଠାତ୍‌ ଖୋଲି ପାରିଲା ନାହିଁ, ‘‘ହଁ, ଖୋଲୁଚି ଏଇକ୍ଷଣି,’’ ବୋଲି ସେ ବାରମ୍ବାର କହୁଥାଏ, ଅଥଚ କିଏ ବୋଲି ପଚାରୁ ନଥାଏ । ଏବଂ ତା’ପରେ ସେ ପ୍ରକୃତ ଅତିଥିକୁ ଦେଖିଲା, ଆଗରୁ ଯେଉଁ ସାନ ପିଲାଟି ତା’ ସାଙ୍ଗରେ କଥାବାର୍ତ୍ତା କରିବାକୁ ଚେଷ୍ଟା କରିଥିଲା, ସେହି ପିଲାଟି ଭିତରକୁ ପଶି ଆସିଲା, ବାର୍ଣ୍ଣାବାସ୍‌ ନୁହେ । କିନ୍ତୁ କେ. ସେ ପିଲାଟି କଥା ମନେ ପକାଇବାକୁ ଚାହୁଁ ନଥିଲା । ‘‘କ’ଣ ଦରକାର ଏଠି ?’’ ସେ ପଚାରିଲା । ‘‘ଆର ରୁମ୍‍ରେ କ୍ଳାସ ହେଉଚି ।’’ ‘‘ମୁଁ ସେଇଠୁ ଆସିଚି,’’ ପିଲାଟି ଉତ୍ତର ଦେଲା । ଦୁଇ ହାତ ଦୁଇ ପାଖରେ ଲମ୍ବାଇ ଦେଇ, ସିଧା ଠିଆ ହୋଇ ସେ ତା’ର ବଡ଼ ବଡ଼ ମାଟିଆ ଆଖିରେ କେ. ମୁହଁକୁ ଅନାଇଁଥାଏ । ‘‘କ’ଣ ତୋର ଦରକାର ତେବେ, ହେ !’’ କେ. କହିଲା, ଆଗକୁ ସାମାନ୍ୟ ଉହୁଙ୍କି ପଡ଼ି, କାରଣ ପିଲାଟି ଚାପା ଗଳାରେ କଥା କହୁଥାଏ । ‘‘ମୁଁ ଆପଣଙ୍କୁ ସାହାଯ୍ୟ କରିପାରେ କି ?’’ ପିଲାଟି ପଚାରିଲା । ‘‘ସିଏ ଆମକୁ ସାହାଯ୍ୟ କରିବାକୁ ଚାହୁଁଚି;’’ କେ. ଫ୍ରୀଡ଼ାକୁ କହିଲା, ଏବଂ ତା’ ପରେ ପିଲାଟିକୁ, ତୋ’ ନାଁ’ କ’ଣ-?’’ ‘‘ହାନ୍‌ସ ବ୍ରନସଓ୍ୱିକ୍‌,’’ ପିଲାଟି ଉତ୍ତର ଦେଲା,’’ ଚାରି କ୍ଲାସ୍‍, ଅଟ୍ଟୋ ବ୍ରନସଓ୍ୱିକ୍‌, ମାଡ଼େଲିନ୍‌ ଗାସ୍‌ର ବଡ଼ ମୋଚିଙ୍କ ପୁଅ ।’’ ‘‘ଓହୋ, ତୋ ନାଁ ତେବେ ବ୍ରନସଓ୍ୱିକ୍‌,’’ କେ. କହିଲା, ବର୍ତ୍ତମାନ ସ୍ନେହ ପୂର୍ଣ୍ଣ ସ୍ୱରରେ । କଥାଟା ହେଲା, କେ. ହାତରୁ ମାଷ୍ଟରାଣୀ ଯେଉଁ ରକ୍ତ ବାହାର କରି ଦେଇଥିଲା, ହାନ୍‌ସ ତାହା ଦେଖି ଏତେ ରାଗି ଯାଇଥିଲା ଯେ ସେ କେ.ର ପକ୍ଷ ନେବ ବୋଲି ସ୍ଥିର କରି ନେଇଥିଲା । ସେ ଅତି ସାହସର ସହିତ ଆର ରୁମ୍‌ରେ ଚାଲିଥିବା କ୍ଲାସ୍‍ରୁ ଖସି ଆସିଥିଲା କଠିନ ଦଣ୍ଡ ପାଇବାର ବିପଦ ବରଣ କରି; ଯେମିତି ଜଣେ ନିଜ ଦଳ ଛାଡ଼ି ଶତ୍ରୁ ପକ୍ଷରେ ଯାଇ ମିଶିଯାଏ । ପ୍ରକୃତରେ ଏପ୍ରକାର କୌଣସି ପିଲାଳିଆ ଧାରଣା ବଶବର୍ତ୍ତୀ ହୋଇ ପିଲାଟି ପଳାଇ ଆସିଥିଲା । ତା’ କ୍ରିୟାକଳାପ ଯେଉଁ ଆନ୍ତରିକତା ଥିଲା, ସେଥିରୁ ଏ ପ୍ରକାର ସୂଚନା ମିଳୁଥିଲା-। ପ୍ରଥମେ ସେ ଲାଜ କରି ବିଶେଷ କିଛି କହିଲା ନାହିଁ, କିନ୍ତୁ ଖୁବ୍‌ ଶୀଘ୍ର ସେ ଫ୍ରୀଡ଼ା ଓ କେ. ସାଙ୍ଗରେ ମିଶିଗଲା । ଏବଂ ତାକୁ ଯେତେବେଳେ କପେ ଗରମ କଫି ଦିଆ ହେଲା, ସେ ବେଶ୍ ଖୁସି ହୋଇଗଲା, ବିଶ୍ୱସ୍ତ ହୋଇ ପଡ଼ିଲା ଏବଂ ପଚାରିଲା, ସତେ ଯେପରି ଯେତେ ଶୀଘ୍ର ସମ୍ଭବ ସେ ଘଟଣାର ମୂଳ ବିଷୟଟି ଜାଣି ନେବାକୁ ଚାହିଁଥିଲା, ଏବଂ ଯାହା ଫଳରେ ସେମାନେ କ’ଣ କରିବା ଉଚିତ ସେ ସମ୍ପର୍କରେ ସ୍ୱାଧୀନ ଭାବରେ ଗୋଟାଏ ନିଷ୍ପତ୍ତି ସେ ନେଇ ପାରିବ । ତା’ ଚରିତ୍ରରେ ଏକ ପ୍ରକାର ପ୍ରଭୂତ୍ୱ ଜାହିର କରିବାର ସୂଚନା ଥିଲା, କିନ୍ତୁ ତା’ର ପିଲାଳିଆ ନିରୀହତା ସାଙ୍ଗରେ ଏତେ ବେଶୀ ମିଶି ରହିଥିଲା ଯେ ସେମାନେ କୌଣସି ଆପତ୍ତି ନକରି ତାହା ଗ୍ରହଣ କରି ନେଲେ, ଅଧା ହସ, ଅଧା ଆନ୍ତରିକତାର ସହିତ । ସେ ଯାହା ହେଉନା କାହିଁକି ସେମାନଙ୍କର ସମସ୍ତ ମନୋଯୋଗ ସେ ଦାବୀ କରି ବସିଲା; କାମ ପୂରା ବନ୍ଦ୍ ହୋଇଗଲା,. ଏବଂ ସକାଳ ଜଳଖିଆ ଖାଇବା କଥା କାହାର ମନେ ପଡ଼ିଲା ନାହିଁ । ଯଦିଓ ହାନ୍‌ସ ଗୋଟିଏ ଡେସ୍କ ପାଖରେ ବସିଥିଲା ଏବଂ କେ. ଡାୟାସ୍‌ ଉପରେ ଗୋଟାଏ ଚୌକୀରେ ଫ୍ରୀଡ଼ା ପାଖରେ ବସିଥିଲା, ମନେ ହେଉଥିଲା ସତେ ଯେମିତି ମାଷ୍ଟର ଏବଂ ସତେ ଯେମିତି ସେ ସେମାନଙ୍କ ପରୀକ୍ଷା କରୁଥିଲା ଏବଂ ସେମାନଙ୍କର ଉତ୍ତର ଶୁଣି ଯୋଗ୍ୟତା ବିଚାର କରୁଥିଲା । ତା’ର ନରମ ପାଟିରେ ଲାଗି ରହିଥିବା ହସ ଟିକକରୁ ମନେ ହେଉଥିଲା ଯେ ସେ ସବୁ ଗୋଟାଏ ଖେଳ ବୋଲି ସେ ଭଲ ଭାବରେ ଜାଣୁଥିଲା, କିନ୍ତୁ ତାହା ଜାଣୁଥିବାରୁ ସେ ତା’ର ଖେଳକୁ ଅଧିକ ଗାମ୍ଭୀର୍ଯ୍ୟ ପୂର୍ଣ୍ଣ ଭାବରେ ଖେଳୁଥିଲା । ଆହୁରି ମଧ୍ୟ ତାହା ବୋଧହୁଏ ହସ ନଥିଲା, ତା’ର ପିଲାଦିନର ସୁଖ ତା’ ଓଠ ଚାରିକଡ଼େ ଖେଳି ବୁଲୁଥିଲା । ଆଶ୍ଚର୍ଯ୍ୟ କଥା, ସେ ବହୁତ ସମୟ କଥାବାର୍ତ୍ତା କରିବା ପରେ କେବଳ ମାନିଲା ଯେ ଲେଜ୍‌ମାନ୍‌ ଘରକୁ ସେ ଯିବା ଦିନଠାରୁ ସେ କେ.କୁ ଜାଣିଛି । କେ. ଖୁସି ହୋଇଗଲା । ‘‘ତୁ ଭଦ୍ର ମହିଳାଙ୍କ ଗୋଡ଼ ପାଖରେ ବସି ଖେଳୁଥିଲୁ ?’’ କେ: ପଚାରିଲା । ‘‘ହଁ,’’ ହାନ୍‌ସ ଉତ୍ତର ଦେଲା, ‘‘ସେ ଭଦ୍ର ମହିଳା ମୋର ମା’ ।’’ ଏବଂ ବର୍ତ୍ତମାନ ତା’କୁ ମା’ଙ୍କ କଥା କହିବାକୁ ପଡ଼ିଲା । କିନ୍ତୁ ସେ ଅତି କୁଣ୍ଠିତ ଭାବରେ ଏବଂ ବାରମ୍ବାର ପଚାରିବା ପରେ ହିଁ ତା’ ମା’ଙ୍କ କଥା କହିଲା । ଏବଂ ବର୍ତ୍ତମାନ ସ୍ପଷ୍ଟ ହୋଇଗଲା ଯେ ସେ କେବଳ ଛୁଆଟିଏ ଯାହା ପାଟିରୁ ସତରେ–ବିଶେଷ କରି ତା’ ପ୍ରଶ୍ନ ଗୁଡ଼ିକରେ–ବେଳେବେଳେ ଗୋଟାଏ କର୍ମଠ, ଦୂର ଦୃଷ୍ଟି ସମ୍ପନ୍ନ ଲୋକର ସ୍ୱର ଶୁଭୁଥିଲା; କିନ୍ତୁ ତା’ପରେ ହଠାତ୍, କୌଣସି ସୂଚନା ନ ଦେଇ, ସେ ପୁଣି ଗୋଟିଏ ସ୍କୁଲପିଲା ହୋଇ ଯାଉଥିଲା, ଅନେକ ପ୍ରଶ୍ନ ନିଜେ ବୁଝୁଥିଲା, ଏବଂ ପିଲାଳିଆ ବୁଦ୍ଧିହୀନତା ଯୋଗୁଁ ସ୍ୱରରେ କଥାବାର୍ତ୍ତା କରୁଥିଲା, ସେଥିପ୍ରତି ତା’ ଦୃଷ୍ଟି ବାରମ୍ବାର ଆକର୍ଷଣ କରାହେବା ସତ୍ୱେ । ଏବଂ ଜିଦ୍‌ କରି ସେ ଅନ୍ୟାନ୍ୟ ପ୍ରଶ୍ନର ଉତ୍ତର ଦେବାକୁ ଚୁପ୍‌ଚାପ ମନାକରି ଦେଉଥିଲା, କୌଣସି ଲଜ୍ଜାବୋଧ ନ କରି, ଯାହା ଅବଶ୍ୟ ଜଣେ ବୟସ୍କ ଲୋକ କଦାପି କରି ପାରନ୍ତା ନାହିଁ । ସେ ବୋଧହୁଏ ଭାବୁଥିଲା ଯେ ପ୍ରଶ୍ନ ପଚାରିବା ପାଇଁ କେବଳ ତା’ର ହିଁ ଅଧିକାର ଅଛି, ଏବଂ କେ. ଓ ଫ୍ରୀଡ଼ା ପ୍ରଶ୍ନ ପଚାରିଲେ କୌଣସି ନିୟମ ଭଙ୍ଗ ହେଉଥିଲା ଓ ସମୟ ନଷ୍ଟ କରାଯାଉଥିଲା । ସେଥିପାଇଁ ସେ ଅନେକ ସମୟ ଚୁପ୍‌ଚାପ ବସିଲା ସିଧା ହୋଇ, ମୁଣ୍ଡନୁଆଁଇଁ ଏବଂ ତା’ର ତଳଓଠଟି ଆଗକୁ ବାହାରକରି । ଏ ସମସ୍ତ ମୁହୂର୍ତ୍ତରେ ତା’ର ଭାବଭଙ୍ଗୀ ଦେଖି ଫ୍ରୀଡ଼ା ଏତେ ମୁଗ୍‌ଧ ହୋଇଗଲା ଯେ ସେ ପୁଣି ସେମିତି ଭାବଭଙ୍ଗୀ କରିବ ବୋଲି ଆଶା କରି ଫ୍ରୀଡ଼ା ଗୁଡ଼ାଏ ପ୍ରଶ୍ନ ପଚାରିଲା । ସେ ଅନେକ ଥର ସଫଳ ହେଲା, କିନ୍ତୁ କେ. କେବଳ ବିରକ୍ତ ହେଲା । ସେମାନେ ଯାହା ଶୁଣିଲେ ତାହା ସେମିତି ବେଶୀ କିଛି ନୁହେ । ହାନ୍‌ସର ମା’ଙ୍କର ଦେହ ସାମାନ୍ୟ ଖରାପ ଥିଲା, କିନ୍ତୁ ତାଙ୍କୁ କି ରୋଗ ହୋଇଥିଲା ଅଜଣା ରହିଲା; ତାଙ୍କ କୋଳରେ ଥିବା ଶିଶୁଟି ହେଲା ହାନ୍‌ସର ଭଉଣୀ ଏବଂ ତା’ ନାଁ ହେଲା ଫ୍ରୀଡ଼ା (ଏଇ ନାଁ ତା’କୁ ପ୍ରଶ୍ନ ପଚାରୁଥିବା ମହିଳାଙ୍କ ନାଁ ଏକା ହୋଇ ଥିବାରୁ ହାନ୍‌ସକୁ ଭଲ ଲାଗିଲା ନାହିଁ ।) ସେମାନେ ସେ ଗାଁରେ ଅଛନ୍ତି, କିନ୍ତୁ ଲେଜ୍‌ମାନ୍‍ଙ୍କ ଘରେ ନୁହେଁ–ଲେଜମାନ୍‌ ଘରକୁ ସେମାନେ ବୁଲି ଯାଇଥିଲେ, ଗାଧୋଇବାକୁ ଯାଇଥିଲେ କେବଳ, କାରଣ ସେଠାରେ ଗୋଟାଏ ବଡ଼ ଗାଧୁଆ ଟବ୍‌ ଥିଲା । ସେଥିରେ ଗାଧୋଇବାକୁ; ପାଣି ଫିଙ୍ଗାଫିଙ୍ଗି କରିବାକୁ ଛୋଟ ପିଲାମାନେ (ହାନ୍‌ସ ସେମାନଙ୍କ ଭିତରେ ନଥିଲା) ବହୁତ ଭଲ ପାଉଥିଲେ । ହାନ୍‌ସ ତା’ ବାପାଙ୍କ ବିଷୟରେ କଥାବାର୍ତ୍ତା କଲା, ବର୍ତ୍ତମାନ ସମ୍ମାନର ସହିତ ତା’ପର ମୁହୂର୍ତ୍ତରେ ଭୟରେ, କିନ୍ତୁ କେବଳ ଯେତେବେଳେ ସେ ମା’ଙ୍କ କଥା କହୁନଥାଏ । ତା’ ମା’ଙ୍କ ତୁଳନାରେ ବାପା ନିଶ୍ଚୟ କିଛି ନୁହଁନ୍ତି, କିନ୍ତୁ ବ୍ରନ୍‌ସଓ୍ୱିକ୍‌ ପରିବାର ସମ୍ପର୍କରେ ସେମାନଙ୍କର ସମସ୍ତ ପ୍ରଶ୍ନ, ସେମାନଙ୍କର ସବୁ ଚେଷ୍ଟା ସତ୍ତ୍ୱେ; ଅନୁତ୍ତରିତ ରହିଲା । କେ. ଶୁଣିଲା, ସେ ଯାଗାରେ ତା’ ବାପାଙ୍କର ବଡ଼ ଯୋତା ତିଆରି ବ୍ୟବସାୟ ଅଛି, କେହି ତାଙ୍କ ସାଙ୍ଗରେ ଟକ୍‌କର ଦେଇପାରି ନାହାଁନ୍ତି । ଏ ତଥ୍ୟଟି ଅନ୍ୟାନ୍ୟ ପ୍ରଶ୍ନର ଉତ୍ତରରୁ ବାରମ୍ବାର ଠଉରାଇ ହେଲା । ସେ ପ୍ରକୃତରେ ଅନ୍ୟ ଯୋତା ତିଆରି କଲା ବାଲାଙ୍କୁ ଚାକିରୀ ଦେଇଥିଲେ, ଯେମିତି ବାର୍ଣ୍ଣାବାସ୍‌ର ବାପାଙ୍କୁ–ତାଙ୍କ କ୍ଷେତ୍ରରେ ଅବଶ୍ୟ ହାନ୍‌ସର ବାପା ସ୍ୱତନ୍ତ୍ର ଭାବରେ ସାହାଯ୍ୟ ପ୍ରଦର୍ଶନ କରିଥିଲେ–ଅନ୍ତତଃ ହାନ୍‌ସର ଗର୍ବୋଦ୍ଧତ ମୁଣ୍ଡ ହେଲାରୁ ଏହାର ସୂଚନା ମିଳିଲା । ଏ ଭଙ୍ଗୀ ଦେଖି ଫ୍ରୀଡ଼ା ଦୌଡ଼ିଯାଇ ହାନ୍‌ସ ଗାଲରେ ଚୁମା ଦେଲା । ସେ ଏଯାଏଁ କେବେ ଦୁର୍ଗକୁ ଗଲାଣିକି–ଏ ପ୍ରଶ୍ନର ଉତ୍ତର ସେ ବାରମ୍ବାର ପଚାରିବା ପରେ ହିଁ ଦେଲା, ଏବଂ କହିଲା, ‘‘ନା ।’’ ତା’ ମାଙ୍କ ସମ୍ପର୍କରେ ସେ ପ୍ରଶ୍ନ ପଚରା ଯିବାରୁ ସେ କୌଣସି ଉତ୍ତର ଦେଲା ନାହିଁ-। ପରିଶେଷରେ କେ. କ୍ଲାନ୍ତ ହୋଇ ପଡ଼ିଲା, ତା’କୁ ମଧ୍ୟ ଏ ପ୍ରଶ୍ନ ଗୁଡ଼ିକ ଅର୍ଥହୀନ ମନେ ମନେ ହେଲା, ସେ ମାନିଲା ଯେ ପିଲାଟି ଠିକ୍‌ କରୁଚି; ତା’ଛଡ଼ା ଗୋଟିଏ ସାନ ପିଲାଠୁ’ ତା’ ଘରର ଗୁମର ଗୋପନୀୟ ବିଷୟ ଗୁଡ଼ିକ ଆଦାୟ କରିବା କିଛିଟା ଅପମାନ ଜନକ ମନେ ହେଲା । ତା’କୁ ଆହୁରି ବେଶୀ ଅପମାନିତ ଲାଗିଲା ଏଥିପାଇଁ ଯେ ସେ ଚେଷ୍ଟା କରି ମଧ୍ୟ କିଛି ଜାଣି ପାରିଲା ନାହିଁ-। ଏବଂ କଥାବାର୍ତ୍ତା ଶେଷ କରିବାକୁ ଯାଇ ସେ ପିଲାଟିକୁ ପଚାରିଲା ସେ କି ସାହାଯ୍ୟ ଦେବାକୁ ଆସିଛି ? ହାନ୍‌ସ ଯେତେବେଳେ କହିଲା ଯେ ସେ କେବଳ ସ୍କୁଲ କାମରେ ସାହାଯ୍ୟ କରିବାକୁ ଆସିଛି ସେ ବିଶେଷ ଆଶ୍ଚର୍ଯ୍ୟ ହେଲା ନାହିଁ । ହାନ୍‌ସ କହିଲା ସେ ସ୍କୁଲ କାମରେ ସାହାଯ୍ୟ କଲେ ମାଷ୍ଟର ବାବୁ ଓ ତାଙ୍କ ସହକାରୀଠାରୁ କେ.କୁ ଆଉ ବେଶୀ ଗାଳି ଶୁଣିବାକୁ ପଡ଼ିବ ନାହିଁ । କେ: ହାନ୍‌ସକୁ ବୁଝାଇ ଦେଲା ଯେ ସେ ପ୍ରକାର ସାହାଯ୍ୟର ଆବଶ୍ୟକତା ନାହିଁ; ଗାଳିଦେବା ମାଷ୍ଟର ବାବୁଙ୍କର ପ୍ରକୃତି, ଏବଂ ଯେତେ କାମ କଲେ ବି ଜଣେ ତାଙ୍କ ଗାଳିରୁ ରକ୍ଷା ପାଇ ପାରିବ ନାହିଁ; କାମଟା ସେତେ କଷ୍ଟ ନୁହେ, କିନ୍ତୁ କେତେକ ସ୍ୱତନ୍ତ୍ର ପରିସ୍ଥିତି ଯୋଗୁଁ ସକାଳର କାମ ସେତେ ଆଗେଇ ପାରିନାହିଁ; ତା’ ଛଡ଼ା ଜଣେଛାତ୍ର ଉପରେ ଗାଳିର ଯେଉଁପ୍ରଭାବ ପଡ଼ିବ ତାହାକେ. ଉପରେ ପଡ଼ୁନାହିଁ ବିଷୟରେ ସେ ମୋଟେ ମୁଣ୍ଡ ଖେଳାଉନାହିଁ; ଏବଂ ସେ ମଧ୍ୟ ଆଶା କରୁଛି ଯେ ଶୀଘ୍ର ସେ ମାଷ୍ଟର୍‌ବାବୁଙ୍କ କବଳରୁ ମୁକ୍ତ ପାଇଯିବ । ହାନ୍‌ସ ଯଦିଓ ମାଷ୍ଟର ବାବୁଙ୍କ ସହିତ ଚଳିବାରେ କେବଳ ତା’କୁ ସାହାଯ୍ୟ କରିବାକୁ ଆସିଥିଲା, ସେ ତା’କୁ ଆନ୍ତରିକ ଧନ୍ୟବାଦ ଜଣାଇଲା ଏବଂ ବର୍ତ୍ତମାନ ତା’ କ୍ଳାସକୁ ଫେରିଯିବା ଭଲ ହେବ ବୋଲି କହିଲା । ସେ ଯଦି ସେକ୍ଷଣି ପଳାଏ, ଭାଗ୍ୟ ଭଲ ଥିଲେ ଦଣ୍ଡ ପାଇବ ନାହିଁ । ମାଷ୍ଟର ବାବୁଙ୍କ ସହିତ ଚଳିବାରେ ସେ କାହାର ସାହାଯ୍ୟ ଦରକାର କରୁନାହିଁ, କିନ୍ତୁ ଅନ୍ୟାନ୍ୟ କେତେକ ବିଷୟରେ ସାହାଯ୍ୟ ଦରକାର ପଡ଼ୁଛି । କେ. ଅବଶ୍ୟ ବିଶେଷ ଜୋର୍‌ ଦେଇ କହି ନଥିଲା, କହୁ କହୁ ସୂଚେଇ ଦେଇଥିଲା ମାତ୍ର । କିନ୍ତୁ ହାନ୍‌ସ କଥାଟା ଠିକ୍‌ ଧରି ପାରିଲା ଏବଂ ତା’ର ଅନ୍ୟ କୌଣସି ପ୍ରକାର ସାହାଯ୍ୟ ଦରକାରକି ବୋଲି କେ.କୁ ପଚାରିଲା । ସାହାଯ୍ୟ କରି ପାରିଲେ ସେ ଖୁବ୍‌ ଖୁସି ହେବ, ଏବଂ ସେ ନିଜେ ଯଦି ନପାରେ, ସେ ତା’ର ମା’ଙ୍କୁ କହିବ, ଏବଂ ତାହାହେଲେ ସବୁକଥା ଠିକ୍‌ଠାକ୍‌ ହୋଇଯିବ । ତା’ ବାପା ଯେତେବେଳେ ଅସୁବିଧାରେ ପଡ଼ନ୍ତି ସେ ବି ମା’ଙ୍କର ସାହାଯ୍ୟ ଲୋଡ଼ନ୍ତି । ଏବଂ ତା’ ମା’ ଥରେ କେ. କଥା ପଚାରିଥିଲେ. ସେ ନିଜେ କେବେ ଘରଛାଡ଼ି କେଉଁଆଡ଼େ ଯାଆନ୍ତି ନାହିଁ, ସେଦିନ ଲେଜ୍‌ମାନ୍‌ ଘରକୁ ଯିବା ତାଙ୍କ ପକ୍ଷରେ ଗୋଟାଏ ଆଶ୍ଚର୍ଯ୍ୟ କଥା । କିନ୍ତୁ ହାନ୍‌ସ ଲେଜ୍‌ମାନ୍‌ ଘର ପିଲାଙ୍କ ସାଙ୍ଗରେ ଖେଳିବାପାଇଁ ସେଠାକୁ ଯାଏ, ଏବଂ ତା’ ମା’ ଥରେ ପଚାରୁଥିଲେ ଯେ ଅମିନ ବାବୁ ସେଠାକୁ କେବେ କେମିତି ଆସନ୍ତି କି ବୋଲି । ତା’ ମା’ଙ୍କର ବେଶୀ କଥାବାର୍ତ୍ତା କରିବା କଥା ନୁହେ: କାରଣ ସେ ବହୁତ ଦୁର୍ବଳ ଓ କ୍ଳାନ୍ତ, ଏବଂ ତେଣୁ ଅମିନବାବୁଙ୍କୁ ଦେଖି ନାହିଁ । ଆଉ ବେଶୀ କିଛି କଥାବାର୍ତ୍ତା ହୋଇ ନଥିଲା । କିନ୍ତୁ ସେ ଯେତେବେଳେ ଅମିନ ବାବୁଙ୍କୁ ଏଇ ସ୍କୁଲରେ ଦେଖିଲା, ସେ ତାଙ୍କ ସାଙ୍ଗରେ କଥାବାର୍ତ୍ତା କଲା, ଘରକୁ ଯାଇ ତା’ ମା’ଙ୍କୁ ଖବରଟା ଦେବ ବୋଲି-। କାରଣ ତା’ ମା’ ଯେତେବେଳେ ଦେଖନ୍ତି ଯେ ସେ ନିଜେ କିଛି ନ କହିଲେ ମଧ୍ୟ କେହି ତାଙ୍କର ଇଚ୍ଛା ଯାହା ତାହା କରି ଦେଉଛି ସେଥିରେ ସେ ଭାରି ଖୁସି ହୁଅନ୍ତି । ଅଳ୍ପ କେତେଟା ମିନିଟ୍ ଚିନ୍ତାକରି କେ. କହିଲା ଯେ ତା’ର କୌଣସି ସାହାଯ୍ୟ ଦରକାର ନାହିଁ, ତା’ର ଯେତିକି ଦାରକାର ସେ ପାଇସାରିଛି, କିନ୍ତୁ ହାନ୍‌ସ ତା’କୁ ସାହାଯ୍ୟ କରିବାକୁ ଆସିବା ବେଶ୍ ଭଲ କଥା ଏବଂ ହାନ୍‌ସର ସଦିଚ୍ଛା ପାଇଁ ସେ ତା’କୁ ଧନ୍ୟବାଦ ଜଣାଇଲା-। ହୁଏତ ଭବିଷ୍ୟତରେ କେବେ ସେ ସାହାଯ୍ୟ ଲୋଡ଼ିପାରେ, ସେତେବେଳେ ସେ ହାନ୍‌ସକୁ ଖବର ଦେବ, ତା’ର ଠିକଣା ପାଖରେ ଅଛି, ତା’ ବଦଳରେ ବୋଧହୁଏ କେ. କିଛିଟା ସାହାଯ୍ୟ କରିବାକୁ କ୍ଷମ ହୋଇପାରେ; ହାନ୍‌ସର ମା’ଙ୍କର ଦେହ ଖରାପ ଏବଂ ଗାଁରେ କେହି ବି ତାଙ୍କର ରୋଗଟା କଣ ଜାଣି ପାରୁନାହାଁନ୍ତି ଶୁଣି ସେ ଦୁଃଖିତ । ଯଦି ଏମିତି ହେଳା କରାଯାଏ, ଗୋଟିଏ ସାଧାରଣ ରୋଗର ପରିଣତି ବି ଅତି ଭୟାବହ ହୋଇପାରେ । ଏଣେ ସେ କେ. କିଛିଟା ଚିକିତ୍ସା ବିଜ୍ଞାନ ଜାଣିଥିଲା ଏବଂ ଆହୁରି ବଡ଼ କଥା, ରୋଗୀଙ୍କୁ ଚିକିତ୍ସା କରିବାର କିଛିଟା ଅନୁଭୂତି ତା’ର ଥିଲା । ଏମିତି ଅନେକ ଥର ଘଟିଥିଲା, ଡାକ୍ତରମାନେ ହାର୍‌ ମାନି ଯାଇଥିଲେ, କିନ୍ତୁ କେ. ରୋଗ ଭଲକରି ଦେଇଥିଲା । ଗାଁରେ ତା’କୁ ‘ପିତା ଚେରମୂଳି’’ ବୋଲି ଡାକୁଥିଲେ, ତା’ର ରୋଗ ଭଲ କରିଦେବା ଶକ୍ତି ଯୋଗୁଁ । ସେ ଯାହା ହେଉ ସେ ହାନ୍‌ସରେ ମା’ଙ୍କ ସାଙ୍ଗରେ ଯାଇ କଥାବାର୍ତ୍ତା କଲେ ଖୁସି ହେବ । ସେ ହୁଏତ ତାଙ୍କୁ କିଛି ଭଲ ପରାମର୍ଶ ଦେଇ ପାରିବ, ଖାଲି ହାନ୍‌ସ ପାଇଁ ଏହା କଲେ ମଧ୍ୟ ତା’କୁ ବହୁତ ଖୁସି ଲାଗିବ । ଏକଥା ଶୁଣି ହାନ୍‌ସର ଆଖି ପ୍ରଥମେ ଉଜ୍ଜ୍ୱଳ ହୋଇ ଉଠିଲା, ସେଥିରେ କେ. ଅଧିକ ଉତ୍ସାହିତ ହୋଇ ପଡ଼ିଲା, କିନ୍ତୁ ଏ ସବୁର କିଛି ଫଳ ହେଲା ନାହିଁ । କାରଣ ଲେଶମାତ୍ର ଦୁଃଖ ପ୍ରକାଶ ନ କରି ହାନସ୍‌ ଅନେକ ପ୍ରଶ୍ନର ଉତ୍ତର ଏହା ଦେଲା ଯେ କୌଣସି ଅଚିହ୍ନା ଲୋକ ତା’ ମା’ଙ୍କୁ ଦେଖିବାକୁ ଯାଇପାରିବ ନାହିଁ, ତା’ଙ୍କୁ ଏତେ ଯତ୍ନ ସହକାରେ ରଖିବାକୁ ପଡ଼ୁଛି । ଯଦିଓ ସେଦିନ କେ: ତାଙ୍କ ସାଙ୍ଗରେ ବେଶୀ କିଛି କଥାବାର୍ତ୍ତ କରିପାରି ନଥିଲା, ଅନେକ ଦିନ ଧରି ସେ ଶେଯରେ ପଡ଼ି ରହିଥିଲେ ମଧ୍ୟ । ଏମିତି ପ୍ରାୟ ଅନେକ ସମୟରେ ଘଟୁଥିଲା । କିନ୍ତୁ ତା’ର ବାପା ସେଦିନ କେ. ଉପରେ ବହୁତ ରାଗି ଯାଇଥିଲେ ଏବଂ ସେ ତାଙ୍କ ଘରକୁ ଯିବାପାଇଁ କଦାପି କେ. କୁ ଅନୁମତି ଦେବେ ନାହିଁ । ପ୍ରକୃତରେ ତା’ର ମୂର୍ଖାମି ପାଇଁ ଦଣ୍ଡ ଦେବାକୁ ସେ କେ:କୁ ଖୋଜି ବାହାର କରିବାକୁ ଚାହୁଁଥିଲେ, କେବଳ ହାନ୍‌ସର ମା’ ତାଙ୍କୁ ଅଟକାଇଥିଲେ । ସେ ଯାହା ହେଲେ ବି ତା’ ମା’ କେବେ କାହା ସାଙ୍ଗରେ କଥାବାର୍ତ୍ତା କରିବାକୁ ଚାହୁଁ ନଥିଲେ, ଏବଂ କେ. ବିଷୟରେ ତାଙ୍କର ପଚରା ଉଚରା କରିବା ଏ ନିୟମର ବିରୁଦ୍ଧାଚରଣ କରୁନଥିଲା । ଅନ୍ୟ ପକ୍ଷରେ ତା’ କଥା ଉଲ୍ଲେଖ କରାଯାଉଥିବା ଶୁଣି ସେ ତା’କୁ ଦେଖିବାକୁ ଇଚ୍ଛା ପ୍ରକାଶ କରିପାରିଥାନ୍ତେ, କିନ୍ତୁ ସେ ତ ତା କରିନଥିଲେ ଏବଂ ତଦ୍ଦ୍ୱାରା ତାଙ୍କର ଇଚ୍ଛା କ’ଣ ସେ ଜଣାଇ ଦେଇଥିଲେ । କେ. କଥା ଶୁଣିବାକୁ କେବଳ ସେ ଚାହୁଁଥିଲେ, ତା’ ସାଙ୍ଗରେ କଥାବାର୍ତ୍ତା କରିବାକୁ ନୁହେ । ତା’ ଛଡ଼ା ତାଙ୍କର ପ୍ରକୃତରେ କୌଣସି ରୋଗ ହୋଇନଥିଲା, ତାଙ୍କର ଏ ଅବସ୍ଥାର କାରଣ ସେ ଭଲ ଭାବରେ ଜାଣିଥିଲେ ଏବଂ ଅନେକ ସମୟରେ ତା’ର ସୂଚନା ଦେଉଥିଲେ; ଯାହା ଜଣା ପଡ଼ୁଥିଲା ସେ ଏଠାର ଜଳବାୟୁ ସହ୍ୟକରି ପାରୁନଥିଲେ, କିନ୍ତୁ ତେବେ ବି ତାଙ୍କ ସ୍ୱାମୀ ଓ ପିଲାମାନଙ୍କ ଯୋଗୁଁ ଏ ଯାଗା ଛାଡ଼ି ଯାଇପାରୁନଥିଲେ । ତା’ଛଡ଼ା ଆଗ ଅପେକ୍ଷା ତାଙ୍କ ଦେହ ବହୁତ ଭଲ ହୋଇ ଯାଇଥିଲା । ଏହା କହିଲା ବେଳେ, କେ:ଠାରୁ ତା’ ମା’ଙ୍କୁ ଦୂରେଇ ରଖିବା ପାଇଁ ହାନ୍‌ସ ଚେଷ୍ଟା କରୁଥିଲାବେଳେ, ତାର ଚିନ୍ତା ଶକ୍ତି ବହୁତ ବଢ଼ି ଯାଉଥିବା କେ: ଲକ୍ଷ୍ୟକଲା । ଏହି କେ:କୁ ହିଁ ହାନ୍‌ସ ସାହାଯ୍ୟ କରିବାକୁ ଆସିଥିଲା । ହଁ, ଏପରିକି ମା’ଙ୍କୁ କେ:ଠାରୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ହାନ୍‌ସ ଅନେକ କ୍ଷେତ୍ରରେ ପରସ୍ପର ବିରୋଧୀ କଥା କହିଲା, ବିଶେଷ କରି ତା’ ମା’ଙ୍କର ସ୍ୱାସ୍ଥ୍ୟ ବିଷୟରେ-। ତଥାପି କେ: ଲକ୍ଷ୍ୟ କଲା; ତା ପ୍ରତି ହାନ୍‌ସର ମତିଗତି ବେଶ୍ ଭଲ, କେବଳ ତା’ ମା’ଙ୍କ କଥା ଉଠିଲେ ସେ ସବୁକିଛି ଭୁଲି ଯାଉଥିଲା । ତା ମା’ଙ୍କ ବିଷୟ ସହିତ ଯାହାର କଥା ଉଠିଲା ସେ ଅସୁବିଧାରେ ପଡ଼ୁଥିଲା; ବର୍ତ୍ତମାନ ସେ ଲୋକ ହେଲା କେ; କିନ୍ତୁ ତା’ ବାପା ମଧ୍ୟ ସେଇ ଲୋକ ହୋଇ ପାରିଥାନ୍ତେ ବୋଲି ଧରି ନିଆଯାଇ ପାରେ । କେ: ଏହି ଧାରଣାକୁ ପରୀକ୍ଷା କରିବାକୁ ଚାହିଁଲା ଏବଂ କହିଲା ଯେ ତା’ ମା’ଙ୍କୁ ଏପରି ଭାବରେ ସମସ୍ତ ଗୋଳମାଳଠାରୁ ଦୂରେଇ ରଖି ତା’ ବାପା ବୁଦ୍ଧିମାନର କାମ କରିଛନ୍ତି; ଏବଂ ସେ ଯଦି ସେଦିନ ପରିସ୍ଥିତି ଏ ପ୍ରକାର ବୋଲି ଅନୁମାନ କରି ପାରିଥାନ୍ତା, ସେ କଦାପି ତା’ ମା’ଙ୍କ ସାଙ୍ଗରେ କଥାବାର୍ତ୍ତା କରିବାର ସାହସ କରି ନଥାନ୍ତା । ଏବଂ କେ. ହାନ୍‌ସକୁ କହିଲା ଯେ ସେ ତା’ ମା’ଙ୍କୁ ସେଥିପାଇଁ କ୍ଷମା ମାଗୁଛି । ଅନ୍ୟ ପକ୍ଷରେ, ହାନ୍‌ସ କହିଲା ଭଳି ତା’ ମା’ଙ୍କ ରୋଗର କାରଣଟା ଯଦି ଏତେ ସ୍ପଷ୍ଟ, ହାନ୍‌ସର ବାପା ତାଙ୍କୁ ଭଲ କରିବା ପାଇଁ ଅନ୍ୟ କେଉଁଆଡ଼େ ନେଇଯାଉ ନାହାଁନ୍ତି, ତା’ କେ: ମୋଟେ ବୁଝିପାରିଲା ନାହିଁ । ଯେ କେହି ଭାବିବ ଯେ ସେ (ହାନ୍‌ସର ବାପା) ହିଁ ତାଙ୍କୁ ଅଟକାଇ ରଖିଛନ୍ତି, କାରଣ ସେ (ହାନସର ମା) କେବଳ ତାଙ୍କ ପାଇଁ ଓ ପିଲାମାନଙ୍କ ପାଇଁ ଅଟକି ଯାଇଛନ୍ତି, କିନ୍ତୁ ସେ ପିଲାମାନଙ୍କୁ ସାଙ୍ଗରେ ନେଇ ଚାଲି ଯାଇ ପାରନ୍ତି, ଏବଂ ତାଙ୍କର ଅନେକ ଗୁଡ଼ାଏ ଦିନ ପାଇଁ ଯିବା ଦରକାର ନାହିଁ କି ବହୁତ ଦୂରକୁ ଯିବା ଦରକାର ନାହିଁ; ଏପରିକି ଦୁର୍ଗ ପାହାଡ଼ ଉପରର ଜଳବାୟୁ ବି ବହୁତ ଅଲଗା ପ୍ରକାରର । ବାହାରକୁ ଯିବାରେ ଯାହା ଖର୍ଚ୍ଚ ହେବ ସେଥିରେ ହାନ୍‌ସର ବାପାଙ୍କର ଡରିବାର କିଛି ନାହିଁ, କାରଣ ସେ ଯାଗାରେ ସେ ହେଲେ ସବୁଠାରୁ ବଡ଼ ଯୋତା ବ୍ୟବସାୟୀ ଏବଂ ଏହା ପୂରା ନିଶ୍ଚିତ ଯେ ଦୁର୍ଗରେ ତାଙ୍କର କିମ୍ବା ତାଙ୍କ ସ୍ତ୍ରୀଙ୍କର ଜଣାଶୁଣା ଲୋକ ବନ୍ଧୁ ବାନ୍ଧବ ଅଛନ୍ତି, ସେମାନେ ତାଙ୍କୁ ନେଇଯିବା ପାଇଁ ଆଗ୍ରହୀ ହେବେ । ସେ କାହିଁକି ତାଙ୍କୁ (ହାନ୍‌ସର ମା’ଙ୍କୁ) ଛାଡ଼ୁ ନାହାଁନ୍ତି ? ସେ ଏପ୍ରକାର ରୋଗକୁ ହେଳା କରିବା ଉଚିତ ନୁହେ । କେ. ହାନ୍‌ସର ମା’ଙ୍କୁ ମିନିଟିଏ ପାଇଁ ଦେଖିଥିଲା, କିନ୍ତୁ ତାଙ୍କ ମୁହଁର ଶେତା ରଙ୍ଗ ଓ ଦୁର୍ବଳତା ଦେଖି ହିଁ ତାଙ୍କ ସାଙ୍ଗରେ କଥାବାର୍ତ୍ତା କରିବା ପାଇଁ କେ. ଇଚ୍ଛା କରିଥିଲା । ସେତେବେଳେ ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲା ଏହା ଦେଖି ଯେ ଦେହ ଖରାପରେ ମଧ୍ୟ ଲୁଗା ସଫା କରିବା, ଗାଧୋଇବା ଯାଗାରେ ଓଦାରେ ବସିଥିଲେ ବି ତାଙ୍କୁ ତାଙ୍କ ସ୍ୱାମୀ କିଛି କହୁନଥିଲେ, ଏବଂ ସେ ଅନ୍ୟମାନଙ୍କ ସାଙ୍ଗରେ ସେମିତି ବଡ଼ ପାଟିରେ କଥାବାର୍ତ୍ତା କରୁଥିଲେ । ହାନ୍‌ସର ବାପା ପ୍ରକୃତରେ ଜାଣି ନଥିଲେ କି ପ୍ରକାର ଅବସ୍ଥା ହୋଇଛି; ଗତ କେତେ ସପ୍ତାହ ଭିତରେ ତାଙ୍କର ରୋଗ, କିଛିଟା ଭଲ ହୋଇ ଯାଇଥିଲେ ମଧ୍ୟ, ସେ ରୋଗ ସେମିତି, ବେଳେବେଳେ ବଢ଼ିଯିବ, ତା’ପରେ କମିଯିବ; ଏବଂ ତା’ ପଛରେ ନ ଲାଗିଲେ ଶେଷରେ ଦୁଇଗୁଣ ଶକ୍ତିରେ ମାଡ଼ି ଆସିବ ଏବଂ ସେତେବେଳେ ରୋଗୀକୁ ଆଉ କୌଣସି ପ୍ରକାରେ ସାହାଯ୍ୟ କରି ହେବ ନାହିଁ । ହାନ୍‌ସର ମା’ଙ୍କ ସାଙ୍ଗରେ କଥାବାର୍ତ୍ତା କରି ନ ହେଲା ନାହିଁ, କିନ୍ତୁ ତା’ ବାପାଙ୍କ ସାଙ୍ଗରେ କତାବାର୍ତ୍ତା କରି ଏସବୁ ବିଷୟ ପ୍ରତି ତାଙ୍କର ଦୃଷ୍ଟି ଆକର୍ଷଣ କରିବା ବୋଧହୁଏ ଠିକ୍‌ ହେବ ।

 

ହାନ୍‌ସ ମନଯୋଗ ସହକାରେ ଶୁଣୁଥିଲା, ପ୍ରାୟ ସବୁକିଛି ବୁଝି ପାରୁଥିଲା, ଏବଂ ଏପ୍ରକାର କୁପରାମର୍ଶ ଭିତରେ ଲୁଚି ରହିଥିବା ବିପଦକୁ ସେ ଗଭୀର ଭାବରେ ହୃଦୟଙ୍ଗମ କରିପାରିଲା । ତଥାପି ସେ କେ.କୁ ତା’ର ଉତ୍ତର ଦେଇ କହିଲା ଯେ ତା’ ବାପାଙ୍କ ସାଙ୍ଗରେ କେ. କଥାବାର୍ତ୍ତା କରି ପାରିବ ନାହିଁ, କାରଣ ତା’ ବାପା ତା’କୁ ଘୃଣାକରନ୍ତି ଏବଂ ବୋଧହୁଏ ସେ ମାଷ୍ଟର ବାବୁଙ୍କ ଭଳି ବ୍ୟବହାର ଦେଖାଇବେ । କେ. କଥା କହିଲାବେଳେ ତା’ମୁହଁରେ ଗୋଟିଏ ଲାଜୁରା ହସ ଲାଗି ରହିଥାଏ ଏବଂ ତା’ ବାପାଙ୍କ କଥା ସେ ଅତି ଦୁଃଖ ଓ ବିରକ୍ତିରେ କହୁଥାଏ । କିନ୍ତୁ ସେ ଆହୁରି ମଧ୍ୟ କହିଲା ଯେ କେ. ବୋଧହୁଏ ତା’ ମା’ଙ୍କ ସାଙ୍ଗରେ କଥାବାର୍ତ୍ତା କରିପାରିବ, ଅବଶ୍ୟ ତା’ ବାପାଙ୍କ ଅଜଣାରେ । ତା’ପରେ ସାମ୍ନାକୁ ଅନାଇଁ ହାନ୍‌ସ କିଛି ଗଭୀର ଭାବରେ ଚିନ୍ତା କଲା–ଠିକ୍‌ ଜଣେ ସ୍ତ୍ରୀଲୋକ ଭଳି, ଯେ ଗୋଟିଏ ନ କରିବା କାମ କରିବାକୁ ଯାଉଛି ଏବଂ କୌଣସି ଦଣ୍ଡ ନପାଇ ତାହା କରି ଦେବାପାଇଁ ସୁଯୋଗ ଉଣ୍ଡୁଛି–ଏବଂ କହିଲା ଯେ ଆସନ୍ତା ପରଦିନ ସେ କଥା ସମ୍ଭବ ହୋଇପାରେ, ତା’ ବାପା ସନ୍ଧ୍ୟାବେଳେ ହେରେନ୍‌ହଫକୁ ଯିବେ, ସେଠାରେ ତାଙ୍କର ଗୋଟିଏ ସଭା ଅଛି; ତା’ପରେ, ହାନ୍‌ସ ନିଜେ ସନ୍ଧ୍ୟାବେଳକୁ ଆସିବ ଏବଂ କେ. କୁ ତା’ ମା’ଙ୍କ ପାଖକୁ ନେଇଯିବ ଅବଶ୍ୟ ତା’ ମା’ ସେଥିପାଇଁ ରାଜି ହେଲେ, କିନ୍ତୁ ସେ ରାଜି ହେବାର ବିଶେଷ ସମ୍ଭାବନା ନାହିଁ । ତା ବାପାଙ୍କ ଇଚ୍ଛା ବିରୁଦ୍ଧରେ ମା’ କେବେ କିଛି କରନ୍ତି ନାହିଁ; ସବୁ କଥାରେ ସେ ତାଙ୍କୁ ମାନି ଚଳନ୍ତି, ଏପରିକି ଯେଉଁ ସବୁ କଥା ଅତି ଅଯୌକ୍ତିକ ବୋଲି ହାନ୍‌ସ ମଧ୍ୟ ବୁଝିପାରେ, ସେ କଥାରେ ମଧ୍ୟ ।

 

ଏହାର ଅନେକ ଆଗରୁ କେ. ହାନ୍‌ସକୁ ଡାୟାସ୍ ଉପରକୁ ଟାଣି ଆଣିଥାଏ ଏବଂ ତା’କୁ ଆସ୍ତେ ଆସ୍ତେ ଆଉଁଷି ଦେଉଥାଏ । ହାନ୍‌ସର ସାମୟିତ ଜିଦ୍‌ ସତ୍ତ୍ୱେ ଏତେ ପାଖାପାଖି ରହିବା ଫଳରେ ସେ ଦୁହିଁଙ୍କ ଭିତରେ ନିମ୍ନଲିଖିତ ଗୋଟାଏ ବୁଝାମୁଣା କଥାରେ ଏକମତ ହେଲେ ପ୍ରଥମେ ହାନ୍‌ସ ତା’ ମା’ଙ୍କୁ ସବୁକଥା କହିବ, ଯାହାଫଳରେକି ସେ ସହଜରେ ରାଜି ହୋଇଯିବେ; ପୁଣି କହିବ ଯେ କେ. ବ୍ରନ୍‌ସଓ୍ୱିକ୍‌ଙ୍କ ସାଙ୍ଗରେ ମଧ୍ୟ କଥାବାର୍ତ୍ତା କରିବାକୁ ଚାହୁଁଛି, ମୋଟେ ତାଙ୍କ (ହାନ୍‌ସର ମା’) ବିଷୟରେ ନୁହେଁ, ତା’ ନିଜ ବିଷୟରେ ନୁହେ, ତା’ ନିଜ ବିଷୟରେ । ତା’ ଛଡ଼ା ତାହା ହିଁ ତ ପ୍ରକୃତରେ ସତ; କଥାବାର୍ତ୍ତା ଚାଲିଥିଲାବେଳେ କେ.ର ମନେ ପଡ଼ିଲା ଯେ ବ୍ରନସ୍‌ଓ୍ୱିକ୍‌ ଯେତେ ଖରାପ ଓ ବିପଜ୍ୱନକ ଲୋକ ହେଲେ ମଧ୍ୟ ବର୍ତ୍ତମାନ ତା’ର ଶତ୍ରୁତା କରିବ ନାହିଁ, ଯଦି ସୁପରିଣ୍ଟେଣ୍ଡେଣ୍ଟ୍‌ କହିବା ଅନୁସାରେ ସେ ସେହିମାନଙ୍କର ନେତୃତ୍ୱ ନେଇଥିଲା ଯେଉଁମାନେ କି ରାଜନୈତିକ କାରଣ ଯୋଗୁଁ ହେଲେବି ଜଣେ ଅମିନକୁ ନିଯୁକ୍ତିଦେବା ସପକ୍ଷରେ ଥିଲେ । କେ. ଆସି ଗାଁରେ ପହଞ୍ଚିବା ତେଣୁ ବ୍ରନ୍‌ସଓ୍ୱିକକୁ ବହୁତ ଭଲ ଲାଗିଥିବ । କିନ୍ତୁ ତାହା ଯଦି ହୋଇଥାଏ, ପ୍ରଥମ ଦିନ ତା’ର ବିଷର୍ଣ୍ଣ ସମ୍ଭାଷଣ ଏବଂ ହାନ୍‌ସ ଯେଉଁ ଘୃଣା କଥା କହିଲା ତାହା କିଛି ବୁଝିହେଉ ନଥିଲା–ସେ ଯାହା ହେଉ ବୋଧହୁଏ କେ: ପ୍ରଥମରୁ ତା’ ପାଖକୁ ସାହଯ୍ୟ ପାଇଁ ଯାଇ ନଥିଲା ବୋଲି ବ୍ରନସଓ୍ୱିକ୍‌ ଆଘାତ ଅନୁଭବ କରିଛି । ଅନ୍ୟାନ୍ୟ ଭୁଲ ବୁଝାମଣା ମଧ୍ୟ ରହିଛି ବୋଧହୁଏ, ଯେଉଁ ଗୁଡ଼ିକ ଅଳ୍ପ କେତେ ପଦ କଥାରେ ଦୂର ହୋଇଯିବ । କିନ୍ତୁ ତାହା ଯଦି ହୋଇ ପାରନ୍ତା, କେ. ମାଷ୍ଟର ବାବୁଙ୍କ ବିରୁଦ୍ଧରେ ଠିଆ ହେବାପାଇଁ ବ୍ରନସଓ୍ୱିକ୍‌ର ସମର୍ଥନ ପାଇପାରନ୍ତା । ହଁ, ଏବଂ ସୁପରିଣ୍ଟେଣ୍ଡେଣ୍ଟ୍ ବିରୁଦ୍ଧରେ ବି; ସେହି ଅଫିସିଆଲ୍ ଷଡ଼ଯନ୍ତ୍ରଟା–ଷଡ଼ଯନ୍ତ୍ର ଛଡ଼ା ତା’ ଆଉ କ’ଣ ହୋଇପାରେ ? –ଯାହାଦ୍ୱାରା ସୁପରିଣ୍ଟେଣ୍ଡଣ୍ଟ୍ ଓ ମାଷ୍ଟର ବାବୁ କେ: କୁ ଦୁର୍ଗର କର୍ତ୍ତୃପକ୍ଷକୁ ପାଖରେ ପହଞ୍ଚିବାରେ ବାଧା ସୃଷ୍ଟି କରୁଛନ୍ତି ଏବଂ ତା’କୁ ଜଣେ ଜାନିଟର୍‌ର ଚାକିରୀ ନେବାକୁ ବାଧ୍ୟ କରିଛନ୍ତି; ସେ ଷଡ଼ଯନ୍ତ୍ରଟା ପଦାରେ ପଡ଼ି ଯାଆନ୍ତା । ଆଉ ଯଦି କେ: କୁ ନେଇ ବ୍ରନସଓ୍ୱିକ୍‌ ଓ ସୁପରିଣ୍ଟେଣ୍ଡେଣ୍ଟଙ୍କ ମଧ୍ୟରେ ପୁଣି ସଂଘର୍ଷ ହୁଏ, ବ୍ରନସଓ୍ୱିକ୍‌ କେ: କୁ ତା’ର ନିଜ ପକ୍ଷଭୁକ୍ତ କରିବାକୁ ପଡ଼ିବ ଏବଂ କେ. ବ୍ରନ୍‌ସଓ୍ୱିକ୍‌ ଘରେ ଯାଇ ଅତିଥି ହେବ । ସୁପରିଣ୍ଟେଣ୍ଡେଣ୍ଟ୍‌ ଜଡ଼ିତ ଥିଲେ ମଧ୍ୟ ବ୍ରନସଓ୍ୱିକ୍‌ର ସମସ୍ତ ରଣ କୌଶଳ କେ. ନିଜ ହାତକୁ ନେଇ ଆସି ପାରିବ । ସେଗୁଡ଼ିକ ବ୍ୟବହାର କରି ସେ କ’ଣ ଯେ ହାସଲ ନ କରିବ କିଏ କହିବ, ଏବଂ ସେ ଯାହା ହେଉ, ସେତ ସବୁବେଳେ ଭଦ୍ର ମହିଳାଙ୍କ ସଖ୍ୟ ଲାଭ କରି ପାରିବ–ଏହି ଭାବରେ କେ. ତା’ର ସ୍ୱପ୍ନଙ୍କୁ ନେଇ ଖେଳିଲା ଏବଂ ସ୍ୱପ୍ନମାନେ ତା’କୁ ନେଇ ଖେଳିଲେ । ଏବଂ ହାନ୍‌ସ ତା’ ମା’ଙ୍କ କଥା କେବଳ ଭାବି ଭାବି କେ.ର ନୀରବତାକୁ ଲକ୍ଷ୍ୟ କଲା ବଡ଼ କଷ୍ଟରେ, ଯେମିତି ଜଣେ ଲକ୍ଷ୍ୟ କରେ ଡାକ୍ତରକୁ, ଡାକ୍ତର ଯେତେବେଳେ ଗୋଟାଏ ଭୟଙ୍କର ରୋଗ ପାଇଁ ଔଷଧ ଠିକ୍‌ କରିବା ପାଇଁ ଚିନ୍ତା କରୁଥାଏ । ତା’ର ଅମିନ ଚାକିରୀ ବିଷୟରେ ବ୍ରନ୍‌ସଓ୍ୱିକ୍‌ ସାଙ୍ଗରେ କଥାବାର୍ତ୍ତା କରିବା ପାଇଁ କେ.ର ପ୍ରସ୍ତାବରେ ହାନ୍‌ସ ରାଜି ହୋଇଗଲା । କିନ୍ତୁ କେବଳ ଏଇଥିପାଇଁ ଯେ ଏହା ଦ୍ୱାରା ତା’ର ମା’ଙ୍କୁ ବାପାଙ୍କ ଠାରୁ ଦୂରେଇ ରଖି ହେବ, ଏବଂ ପୁଣି ଏଇଥିପାଇଁ ଯେ, ଯାହା ହେଲେ ବି ତାହା ଥିଲା ଶେଷ ଚେଷ୍ଟା ଏବଂ ଭାଗ୍ୟ ଭଲ ଥିଲେ ତାହା କରିବା ଦରକାର ପଡ଼ି ନ ପାରେ । ହାନ୍‌ସ କେ.କୁ ଏତିକି ପଚାରିଲା, ତାଙ୍କୁ ଦେଖା କରିବାକୁ ଆସିବାରେ ଏତେ ଡେରି ହେଲା କାହିଁକି ବୋଲି କେ. କେମିତି ତା’ ବାପାଙ୍କୁ ବୁଝାଇବ । କେ. ଯେତେବେଳେ କହିଲା ଯେ ସ୍କୁଲରେ ତା’ର ଅସହ୍ୟ ଚାକିରୀ ଓ ମାଷ୍ଟରବାବୁଙ୍କର ଅପମାନ ଜନକ ବ୍ୟବହାର ଯୋଗୁଁ ତାର ବିଚାର ବୁଦ୍ଧି, ନଷ୍ଟ ହୋଇଯାଇଥିଲା ବୋଲି କହିବ, ହାନ୍‌ସ ସନ୍ତୁଷ୍ଟ ହେଲା, ଯଦିଓ ତା’ର ମୁହଁ ସାମାନ୍ୟ ବିଷର୍ଣ୍ଣ ଦିଶିଲା ।

 

ବର୍ତ୍ତମାନ ଯାହା ଜଣା ପଡ଼ୁଥିଲା ସବୁ ବ୍ୟବସ୍ଥା ଠିକ୍ ଠାକ୍ ହୋଇ ସାରିଥିଲା ଏବଂ ତାଙ୍କର ଯୋଜନା ସଫଳ ହେବାର ସମ୍ଭାବନା ଅନ୍ତତଃ ଦେଖା ଯାଉଥିଲା ! ହାନ୍‌ସ ତା’ର ଚିନ୍ତାର ଦୟାରୁ ମୁକ୍ତ ହୋଇ ବହୁତ ଖୁସି ହୋଇଗଲା ଏବଂ ଆଉ କିଛି ସମୟ କେ. ସାଙ୍ଗରେ ଓ ତା’ପରେ ଫ୍ରୀଡ଼ା ସାଙ୍ଗରେ କଥାବାର୍ତ୍ତା କଲା । ଫ୍ରୀଡ଼ା ବହୁତ ସମୟ ଧରି ସଂପୂର୍ଣ୍ଣ ଭିନ୍ନ ଧରଣର ଚିନ୍ତରେ ମଗ୍ନ ଥିଲା ଭଳି ବସିଥିଲା, ଏବଂ ବର୍ତ୍ତମାନ ପୁଣି କଥାବାର୍ତ୍ତାରେ ଯୋଗଦେବା ଆରମ୍ଭ କଲା । ଅନ୍ୟ ସବୁ କଥା ଭିତରେ ସେ ପଚାରିଲା ବଡ଼ ହେଲେ ହାନ୍‌ସ କ’ଣ ହେବ; ହାନ୍‌ସ ବେଶୀ ବେଳ ଚିନ୍ତା ନକରି କହିଦେଲା ଯେ ସେ କେ. ଭଳି ମଣିଷଟିଏ ହେବ । କାହିଁକି ସେ ଏୟା ଠିକ୍‌ କରିଛି ବୋଲି ପୁଣି ତା’କୁ ଯେତେବେଳେ ପଚରାଗଲା, ସେ କ’ଣ ଉତ୍ତର ଦେବ ବୁଝି ପାରିଲା ନାହିଁ । ଏବଂ ସେ ଜଣେ ଜାନିଟର ହେବ କି ପଚରା ଯିବାରୁ ସେ ପୂରା ମନା କରିଦେଲା । ଆହୁରି ଅନେକ ପ୍ରଶ୍ନ ପଚାରିବା ପରେ ଯାଇ ସେମାନେ ଜାଣି ପାରିଲେ ଯେ କେତେ ଅଡ଼ୁଆ ବାଟ ଦେଇ ଆସି ହାନ୍‌ସ ଏୟା ହେବ ବୋଲି ଠିକ୍‌ କରିଛି । କେ.ର ବର୍ତ୍ତମାନ ପରିସ୍ଥିତି କୌଣସି ଦୃଷ୍ଟିରୁ ଆରାମ ଦାୟକ ନଥିଲା, ବରଂ ଥିଲା କଦର୍ଯ୍ୟ ଓ ଅପମାନ ଜନକ । ଏପରିକି ହାନ୍‌ସ ମଧ୍ୟ ଏକଥା ବୁଝି ପାରୁଥିଲା, ଅନ୍ୟ କାହାକୁ ନ ପଚାରିବି । କେ.ର ପଦେ କଥା ଶୁଣିବା, ଏପରିକି ତା’କୁ ଦେଖା ଦେବା ଦାୟରୁ ସେ ଯଦି ତା’ ମା’ଙ୍କୁ ରକ୍ଷା କରିପାରନ୍ତା, ସେ ନିଜେ ବହୁତ ଖୁସି ହୁଅନ୍ତା । ଏ ସବୁ ସତ୍ତ୍ୱେ କିନ୍ତୁ ସେ କେ. ପାଖକୁ ଆସିଥିଲା ଏବଂ ତା’କୁ ସାହାଯ୍ୟ କରିବାକୁ ଦିଆଯାଉ ବୋଲି ଅନୁରୋଧ କରିଥିଲା ଏବଂ କେ. ରାଜି ହେବା ଦେଖି ଖୁସି ହୋଇଥିଲା । ସେ ଆହୁରି ବି କଳ୍ପନା କଲା ଯେ ଅନ୍ୟମାନେ ମଧ୍ୟ ଏୟା ଅନୁଭବ କରିଥିବେ, ଏବଂ ସବୁଠୁ’ ବଡ଼ କଥା, ତା’ ମା’ ନିଜେ କେ.ର ନାଁ ଉଲ୍ଲେଖ କରିଥିଲେ । ଏ ସମସ୍ତ ପରସ୍ପର ବିରୋଧୀ କଥା ତା’ ମନରେ ଏଇ ବିଶ୍ୱାସ ଜନ୍ମାଇଥିଲା ଯେ ବର୍ତ୍ତମାନ କେ.ର ଅବସ୍ଥା ଯେତେ କକର୍ଯ୍ୟ ଓ ଘୃଣ୍ୟ ହେଉ ପଛକେ, ସୁଦୂର ଅଚିନ୍ତନୀୟ ଭବିଷ୍ୟତରେ ସେ ସମସ୍ତଙ୍କୁ ଟପିଯିବ, ଏବଂ ଠିକ୍‌ ଏହି ଉଦ୍‌ଭଟ୍ଟ ଭାବରେ ଦୂରରେ ଥିବା ଭବିଷ୍ୟତ ଏବଂ ସେ ଆଡ଼କୁ ଗତି କରିଥିବା ଘଟଣାବଳୀ ହାନ୍‌ସକୁ ଆକୃଷ୍ଟ କରିଥିଲା; ସେଥିପାଇଁ କେ.ର ବର୍ତ୍ତମାନ ଅବସ୍ଥାରେ ବି ସେ କେ.କୁ ଗ୍ରହଣ କରି ନେବାକୁ ଇଚ୍ଛା କରୁଥିଲା । ତା’ ଇଚ୍ଛାର ଏହି ବିଚିତ୍ର ପିଲାଳିଆ-ବୟସ୍କ ସୁଲଭ ତୀବ୍ରତାର ତାତ୍‌ପର୍ଯ୍ୟ ହେଲା ହାନ୍‌ସ କେ.କୁ ଜଣେ ସାନ ଭାଇ ଭାବରେ ଦେଖୁଥିଲା, ଯାହାର ଭବିଷ୍ୟତ, ଗୋଟିଏ ଅତି ସାନ ପିଲାର ଭବିଷ୍ୟତ ଅପେକ୍ଷା ଅଧିକ ଉନ୍ନତ ହେବ । ଏବଂ ଫ୍ରିଡ଼ାର ପ୍ରଶ୍ନରେ ହଡ଼ବଡ଼େଇ ଯାଇ ଶେଷରେ ଏକ ପ୍ରକାର ଉଦ୍‌ବେଗ ମିଶା ଗାମ୍ଭୀର୍ଯ୍ୟ ସହିତ ହାନ୍‌ସ ଏସବୁ ମାନିଗଲା । କେ. ତାକୁ ପୁଣି ଖୁସି କରିଦେଲା ଏକଥା କହି ଯେ ହାନ୍‌ସ କ’ଣ ପାଇଁ ତା’କୁ ଇର୍ଷା କରୁଛି ସେ ଜାଣିଛି, ସେ ତା’କୁ ଇର୍ଷା କରୁଛି ତା’ର ସୁନ୍ଦର ହାତ ବାଡ଼ିଟି ପାଇଁ, ଯେଉଁଟି ଟେବୁଲ ଉପରେ ରଖା ହୋଇଥିଲା ଏବଂ କଥାବାର୍ତ୍ତା ଚାଲିଥିଲାବେଳେ ହାନ୍‌ସ ଯେଉଁଟିକି ଅନ୍ୟମନସ୍କ ଭାବରେ ଏପଟ ସେପଟ କରୁଥିଲା । ଆଉ ସେମିତିକା ବାଡ଼ି କେମିତି ତିଆରି କରିବାକୁ ହେବ କେ. ଜାଣିଛି ଏବଂ ତାଙ୍କର ଯୋଜନା ସଫଳ ହେଲେ ସେ ହାନ୍‌ସ ପାଇଁ ଆହୁରି ସୁନ୍ଦର ବାଡ଼ିଟିଏ ତିଆରି କରିଦେବ । ହାନ୍‌ସ ପ୍ରକୃତରେ ସେ ବାଡ଼ିଟି ପ୍ରତି ଯେ ଆକୃଷ୍ଟ ହୋଇନଥିଲା ସେକଥା ସେ କଥା ବର୍ତ୍ତମାନ ଆଉ ସ୍ପଷ୍ଟ କହି ହେଉନଥିଲା, କେ. କଥା ଶୁଣି ସେ ବହୁତ ଖୁସି ହୋଇ ଯାଇଥିଲା । ହସ ହସ ମୁହଁରେ ସେ ବିଦାୟ ନେଲା, ବେଶ୍ ଜୋରରେ କେ.ର କରମର୍ଦ୍ଦନ କରି: ପରିଦିନ ଦେଖା ହେବ ତା’ ହେଲେ ।’’

 

ହାନ୍‌ସ ଫେରିବାରେ ଅନେକ ଡେରି ହୋଇ ଯାଇଥିଲା, କାରଣ ଠିକ୍‍ ତା’ ଯିବା ପରେ ପରେ ମାଷ୍ଟର ବାବୁ ଧଡ଼ କିନା କବାଟଟା ଖୋଲି ଦେଲେ ଏବଂ କେ. ଓ ଫ୍ରୀଡ଼ା କିଛି କାମ ନ କରି ଟେବୁଲ୍ ପାଖରେ ବସିଥିବା ଦେଖି ପାଟି କଲେ ଯମା କରିବେ କିନ୍ତୁ, ମୋତେ କହିବେ କି କେତେବେଳେ ଆଉ ଏ ଘର ଭିତରଟା ଠିକ୍ ଠାକ ହେବ ? ଆମେ ହେରିଙ୍ଗ ମାଛ ଭଳି ଖୁନ୍ଦା ଖୁନ୍ଦି ହୋଇ ଏଠି ବସିଛୁ, ତା’ ଫଳରେ ପଢ଼ା ପଢ଼ି ହୋଇ ପାରୁନାହିଁ । ଆଉ ଆପଣ ସେଠି ବ୍ୟାୟମଶାଳା ଭିତରେ ବସି ଆରାମ କରୁଛନ୍ତି, ଏବଂ ଖାଲି ତା’ ନୁହେଁ, ବେଶୀ ଯାଗା ମିଳିବ ବୋଲି ସହକାରୀ ମାନଙ୍କୁ ବି ତଡ଼ି ଦେଇଛନ୍ତି । ଅନ୍ତତଃ ଉଠନ୍ତୁ ଟିକିଏ, କିଛି କାମ କରନ୍ତୁ !’’ ତା’ ପରେ କେ.କୁ ‘‘ଯାଆନ୍ତୁ ବର୍ତ୍ତମାନ, ବ୍ରିଜ୍‌ଇନ୍‌ରୁ ମୋ’ ପାଇଁ ଖାଇବା ନେଇ ଆସନ୍ତୁ ।’’ ଭୟଙ୍କର ଚଢ଼ା ଗଳାରେ ଏସବୁ କଥା କୁହାଗଲା, ଯଦିଓ କଥା ଗୁଡ଼ାକ ସେତେ ଅପମାନ ଜନକ ନଥିଲା । କେ. ଆଦେଶ ପାଳନ କରିବାକୁ ପ୍ରସ୍ତୁତ ଥିଲା, କିନ୍ତୁ ମାଷ୍ଟରବାବୁଙ୍କୁ ଚିଡ଼ାଇବା ପାଇଁ ସେ କହିଲା: ‘‘କିନ୍ତୁ ମତେ ତ ବରଖାସ୍ତ ନୋଟିସ ଦିଆ ସରିଚି ।’’ ‘‘ନୋଟିସ ଦିଆ ହୋଇଥାଉ କି ନଥାଉ, ମା’ ଖାଇବା ଆଣି ଦିଅନ୍ତୁ,’’ ମାଷ୍ଟରବାବୁ ଉତ୍ତର ଦେଲେ । ‘‘ନୋଟିସ ଦିଆହେଇଛି ନା ନାହିଁ, ଠିକ ସେଇ କଥା ମୁଁ ନିଶ୍ଚିତ ଭାବେ ଜାଣିବାକୁ ଚାହୁଁଚି, ‘‘କେ. କହିଲା । ‘‘କ’ଣ କହୁଚନ୍ତି ଏସବୁ ? ମାଷ୍ଟରବାବୁ ପଚାରିଲେ । ‘‘ଆପଣ ଜାଣନ୍ତି ଆପଣ ନୋଟିସଟା ଗ୍ରହଣ କଲେ ନାହିଁ ।’’ ‘‘ସେଟାକୁ ଅକାମି କରିଦେବା ପାଇଁ କ’ଣ ତା’ ଯଥେଷ୍ଟ ?’’ କେ ପଚାରିଲା ‘‘ମୋ’ ପାଇଁ ନୁହେଁ,’’ ମାଷ୍ଟରବାବୁ କହିଲେ, ‘‘ମୁଁ କହି ଦେଉଛି, କିନ୍ତୁ ସୁପରିଣ୍ଟେଣ୍ଡେଣ୍ଟଙ୍କ ପାଇଁ ଯା ମନେହେଉଛି, ଜଦିଓ ମୁଁ କିଛି ବୁଝି ପାରୁନାହିଁ । କିନ୍ତୁ ବର୍ତ୍ତମାନ ଦୌଡ଼ିଯାନ୍ତୁ, ନ ହେଲେ ମୁଁ ଆପଣଙ୍କୁ ଟେକି ବାହାରକୁ ଫିଙ୍ଗି ଦେବି, କହି ଦେଉଛି । ‘‘କେ ସନ୍ତୁଷ୍ଟ ହେଲାଶୁଣି ଯେ ମାଷ୍ଟରବାବୁ ସୁପରିଣ୍ଟେଣ୍ଡଣ୍ଟଙ୍କ ସାଙ୍ଗରେ କଥାବାର୍ତ୍ତା କରିଛନ୍ତି, କିମ୍ବା ବୋଧ ହୁଏ ମୋଟେ କଥାବାର୍ତ୍ତା କରିନାହାନ୍ତି, ଖାଲି ସୁପରିଣ୍ଟେଣ୍ଡେଣ୍ଡଙ୍କ ମତି ଗତି କ’ଣ ହୋଇପାରେ ତାହା ଯତ୍ନ ସହକାରେ ଭାବି ଠିକ୍‌ କରି ନେଇଛନ୍ତି, ଏବଂ ଏସବୁ କେ. ର ସପକ୍ଷରେ ଯାଇଛି । ବର୍ତ୍ତମାନ କେ. ତରବର ହୋଇ ଖାଇବା ଆଣିବାକୁ ବାହାରି ଯାଉଥିଲା, କିନ୍ତୁ ମାଷ୍ଟର ବାବୁ ତା’କୁ ଡାକି ଏରୁଣ୍ଡିବନ୍ଧ ପାଖରୁ ଫେରାଇ ଆଣିଲେ । ହୁଏତ ଏ ପ୍ରକାର ଓଲଟା ଆଦେଶ ଦେଇ ସେ ପରୀକ୍ଷା କରୁଥିଲେ କେ. ତାଙ୍କ କଥା ମାନୁଛି କି ନାହିଁ, ଯାହା ଫଳରେ ଭବିଷ୍ୟତର ସେ କେତେଦୂର ଯାଇ ପାରିବେ ଜାଣି ପାରିବେ ବୋଲି, କିମ୍ବା ତାଙ୍କ ମୁଣ୍ଡକୁ ପୁଣି ଥରେ ରାଗ ଚଢ଼ି ଯାଇଥିଲା ଏବଂ ଜଣେ ଚାକର ଭଳି କେ. କୁ ଏପାଖ ସେପାଖ ଦଉଡ଼ାଇ ତାଙ୍କୁ ଖୁସି ଲାଗୁଥିଲା । ଏଣେ କେ. ଜାଣି ପାରୁଥିଲା ଯେ ସେ ଯଦି ସବୁକଥା ମାନିଯାଏ, ସେ ମାଷ୍ଟର ବାବୁଙ୍କର ଦାସ ହୋଇଯିବ, ତାଙ୍କ ହାତରେ ବଳି ପଡ଼ିଯିବ । କିନ୍ତୁ ସେ ବର୍ତ୍ତମାନ ପାଇଁ ନିର୍ଦ୍ଧିଷ୍ଟ ସୀମା ଭିତରେ ଲୋକଟାର ମୁଣ୍ଡକୁ ଯାହା ଜୁଟୁଛି ତାହା କରି ନେବାକୁ ସ୍ଥିର କଲା । କାରଣ ଯାହା ଦେଖା ଗଲାଣି, ମାଷ୍ଟର ବାବୁ ତାକୁ ବରଖାସ୍ତ କରି ନପାରିଲେ ମଧ୍ୟ ତା’ କାମରେ ଏତେ ଗଣ୍ଡଗୋଳ ପୂରାଇ ଦେଇ ପାରିବେ ଯାହାକି ତା’ ପକ୍ଷରେ ଅସହ୍ୟ ହେବ । ଏବଂ ଆଗ ଅପେକ୍ଷା ଚାକିରିଟା ବର୍ତ୍ତମାନ ବେଶୀ ଗୁରୁତ୍ୱପୂର୍ଣ୍ଣ କେ. ଆଖିରେ । ହାନସ ସହିତ କଥାବାର୍ତ୍ତା ତା’ ମନରେ ନୂତନ ଆଶାର ସଞ୍ଚାର କରିଥିଲା । ସେ ଆଶା ସଫଳ ନ ହୋଇ ପାରେ, କେ. ଭାବିଲା, ପୂରାପୂରୀ ଭିତ୍ତିହୀନ ମଧ୍ୟ ହୋଇପାରେ, କିନ୍ତୁ ତାହାକୁ ମନରୁ ତଡ଼ି ଦେଇ ହେବ ନାହିଁ । ସେ ଆଶା ବାର୍ଣ୍ଣାବାସ ଠାରୁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ । ସେ ଯଦି ସେ ଆଶା ଉପରେ ସଂପୂର୍ଣ୍ଣ ନିର୍ଭର କରିଯାଏ-ନକରି ଅନ୍ୟ ଉପାୟ ନାହିଁ-ତା ହେଲେ ସେ ତାର ସମସ୍ତ ଶକ୍ତି ଖଟାଇବାକୁ ପଡ଼ିବ, ଖାଇବା, ରହିବା, ଗାଁର ସରକାରୀ କର୍ତ୍ତୃପକ୍ଷ କୌଣସି ବିଷୟରେ ମୁଣ୍ଡ ଖେଳାଇବ ନାହିଁ, ନା, ଏପରି କି ଫ୍ରୀଡ଼ା ବିଷୟରେ ବି ନୁହେ-ଏବଂ ବାସ୍ତବ କ୍ଷେତ୍ରରେ ସବୁ କଥା ଫ୍ରୀଡ଼ା ଆଡ଼କୁ ହିଁ ଆସି ଯାଉଥିଲା, କାରଣ ଫ୍ରୀଡ଼ାକୁ ନେଇ ହିଁ ସେ ସବୁ କଥାରେ ବ୍ୟସ୍ତ ହୋଇ ପଡ଼ୁଥିଲା । ଏଥିପାଇଁ ସେ ଚାକିରୀଟା ରଖିବା ପାଇଁ ଚେଷ୍ଟା କରିବ, ଯେଉଁ ଚାକିରୀଟା ଫ୍ରୀଡ଼ାକୁ ନିରାପତ୍ତା ଯୋଗାଉଥିଲା । ଏବଂ ସେ କୌଣସି ପ୍ରକାର ଆପତ୍ତି କରିବ ନାହିଁ, ଯଦି ଏଥିପାଇଁ ତାକୁ ମାଷ୍ଟର-ବାବୁଙ୍କ ହାତରେ ଅଧିକ ଗଞ୍ଚଣା ସହିବାକୁ ପଡ଼େ, ସାଧାରଣ ଭାବରେ ସେ ଯାହା ଭୋଗି ଥାନ୍ତା ତା’ ଠାରୁ ଅଧିକ । ସେ ସବୁ କଷ୍ଟ ସହି ହୋଇଯିବ, ସେ ଗୁଡ଼ାକ ସାଧାରଣ ଜୀବନର ଛୋଟ ଛୋଟ ବିରକ୍ତି ପରିସ୍ଥିତି ମାତ୍ର ଏବଂ କେ. ଯେଉଁଥିପାଇଁ ସଂଘର୍ଷ କରି ଚାଲିଛି ତା’ ତୁଳନାରେ କିଛି ନୁହେଁ । ଆଉ ସେତ ଏଠିକି ଆସି ନାହିଁ ଏକ ସମ୍ମାନ ଜନକ ସୁଖୀ ଜୀବନ କଟାଇବାକୁ ।

 

ଏବଂ ସେଥିପାଇଁ, ସେ ହୋଟେଲକୁ ଦୌଡ଼ି ଯିବାକୁ ତ ପ୍ରସ୍ତୁତ ହୋଇ ସାରିଥିଲା ବର୍ତ୍ତମାନ ଦ୍ୱିତୀୟ ଆଦେଶଟା ପାଳନ କରିବାକୁ ପ୍ରସ୍ତୁତ ବୋଲି ସୂଚନା ଦେଲା । ପ୍ରଥମେ ଅବଶ୍ୟ ସେ ରୁମ୍‍ଟା ଠିକ୍‌ ଠାକ୍‍ କରି ଦେବ, ଯାହା ଫଳରେ ମାଷ୍ଟରାଣୀ ଓ ତା’ ପିଲାମାନେ ସେଠିକି ଫେରି ଆସି ପାରିବେ । କିନ୍ତୁ ତାହା ଖୁବ୍‌ ତରବରରେ କରିବାକୁ ପଡ଼ିବ, କାରଣ ତାକୁ ତା’ ପରେ ଖରାବେଳ ଖିଆ ଯାଇ ଆଣିବାକୁ ପଡ଼ିବ, ମାଷ୍ଟର ବାବୁ ଭୋକରେ ଆଉଟୁ ପାଉଟୁ ହେଲେଣି । କେ. ତାଙ୍କୁ କଥା ଦେଲା ଯେ ତାଙ୍କ ଇଚ୍ଛା ଅନୁଯାୟୀ ସବୁ କାମ ଖୁବ୍‌ ଶୀଘ୍ର କରାହେବ । ମାଷ୍ଟର ବାବୁ କିଛି ସମୟ ଅନାଇଁ ରହିଲେ, କେ. ତରବରରେ ନଡ଼ା ଶେଯଟା ଉଠାଇ ନେଲା, ବ୍ୟାୟାମ ଆସବାବ ପତ୍ର ଠିକ୍‌ ଯାଗାରେ ନେଇ ରଖିଲା, ଏବଂ ଘରଟା ଓଳାଇ ଦେଲା । ଫ୍ରୀଡ଼ା ଡାୟାସ୍‌ଟା ଘଷି ମାଜି ଧୁଆ ଧୋଇ କରିଦେଲା । ସେମାନଙ୍କର କାମ ଦେଖି ମାଷ୍ଟର ବାବୁ ଶାନ୍ତ ହେଲା ଭଳି ମନେ ହେଲା । ସେ କେବଳ ଏତିକି ଜଣାଇ ଦେଲେ ଯେ ଘର ବାହାରେ ନିଆଁ ଜାଳିବା ପାଇଁ କାଠ ଜମା କରି ରଖା ହୋଇଛି ସେ ଆଉ ଅବଶ୍ୟ ସେଡ଼୍‌ ଭିତରେ ପଶିବାକୁ କେ. କୁ ଅନୁନତି ଦେବେ ନାହିଁ-ଏବଂ ତା’ପରେ ସେ କ୍ଲାସ୍‍କୁ ଫେରିଗଲେ, ଯିବା ପୂର୍ବରୁ ଧମକାଇ ଦେଇ ଗଲେ ଯେ ସେ ଖୁବ୍‌ ଶ୍ରୀଘ୍ର ଫେରି କାମ ତଦାରଖ କରିବେ ।

 

Unknown

କିଛି ସମୟ ଚୁପ୍‌ ଚାପ କାମ କରିବା ପରେ ଫ୍ରୀଡ଼ା କେ. କୁ ପଚାରିଲା, ସେ ବର୍ତ୍ତମାନ ଏତେ ନମ୍ର ଭାବରେ ମାଷ୍ଟର୍‌ ବାବୁଙ୍କର ସବୁ କଥା ମାନି ଯାଉଛି କାହିଁକି ବୋଲି । ଏକ ସହାନୁଭୂତିଶୀଳ, ଉଦ୍‌ବିଗ୍ନ ସ୍ୱରରେ ପ୍ରଶ୍ନଟା ପଚରା ହୋଇଥିଲା । କିନ୍ତୁ କେ. ଭାବୁଥିଲା, ମାଷ୍ଟର ବାବୁଙ୍କର ଆଦେଶ ଓ ଅପମାନ ଜନକ ବ୍ୟବହାରରୁ ତା’କୁ ରକ୍ଷା କରିବା ପାଇଁ ଫ୍ରୀଡ଼ା ଯେଉଁ ପ୍ରତିଶ୍ରୁତି ପ୍ରଥମେ ଦେଇଥିଲା ତାହା କେମିତି ସେ ପାଳନ କରି ପାରି ନାହିଁ । କେ. କେବଳ ଉତ୍ତରରେ ଏତିକି କହିଲା ଯେ ଯେହେତୁ ସେ ଜଣେ ଜାନିଟର୍‌, ସେ ତା’ର କର୍ତ୍ତବ୍ୟ କରିବାକୁ ପଡ଼ିବ । ତା’ ପରେ ଉଭୟେ ନୀରବ ରହିଲେ । କିନ୍ତୁ ଏଇ ଅଳ୍ପ କେତେ ପଦ କଥା ବାର୍ତ୍ତାରେ କେ. ର ମନେ ପଡ଼ିଗଲା ଯେ ଫ୍ରୀଡ଼ା କେମିତି ଅନେକ ସମୟ ଧରି କୌଣସି ବିଷୟରେ ଉଦବିଗ୍ନ ହୋଇ ରହିଛି-ଏବଂ ବିଶେଷ କରି ହାନ୍‌ସ ସହିତ କଥାବାର୍ତ୍ତା ଚାଲିଥିବା ବେଳେ । ସେ କାଠ ଗୋଛାକୁ ବୋହି ଆଣିଲା ବେଳେ କେ. ରୋକ୍‌ ଠୋକ୍‌ ଭାବରେ ପଚାରିଲା ଫ୍ରୀଡ଼ା କ’ଣ ଏତେ ଭାବୁଛି ବୋଲି । ତା’ ଆଡ଼କୁ ଆସ୍ତେ ଆଖି ଫେରାଇ ଫ୍ରୀଡ଼ା ଉତ୍ତର ଦେଲା ଯେ ସେମିତି କିଛି ନିର୍ଦ୍ଦିଷ୍ଟ କଥା ନାହିଁ, ସେ କେବଳ ହୋଟେଲ ମାଲିକାଣୀ କଥା ଓ ସେ ଯାହା କହିଥିଲା ତାର ସତ୍ୟାସତ୍ୟ କଥା ଭାବୁଛି । କେ. ଯେତେବେଳେ ଜୋର୍‌ କଲା, ସେତେବେଳେ ଯାଇ ସେ ଏକାଦିକ୍ରମେ ଉତ୍ତର ଦେଲା, ଅବଶ୍ୟ ବେଶ୍‌ କିଛି ବେଳ କହିବ ନକହିବ ହୋଇ, ଏବଂ କରୁଥିବା କାମ ବନ୍ଦ୍‌ ନ କରି-ସେ ଯେ ଭାବିଚିନ୍ତି କାମ ବନ୍ଦ୍‌ କରୁନଥିଲା ତା’ ନୁହେ, କାମ ସେମିତି କିଛି ଆଗଉ ନଥିଲା, କେବଳ କେ. ଆଡ଼କୁ ମୁହଁ ଟେକି ଚାହିଁବାକୁ ବାଧ୍ୟ ହୋଇପାରେ ବୋଲି ସେ ସେମିତି କରୁଥିଲା । ଏବଂ ବର୍ତ୍ତମାନ ସେ କେ. କୁ କହିଲା ଯେ ହାନସ ସାଙ୍ଗରେ ସେ କଥାବାର୍ତ୍ତା କରୁଥିଲା ବେଳେ ସେ (ଫ୍ରୀଡ଼ା) ପ୍ରଥମ କିଛି ସମୟ ଚୁପଚାପ୍‍ ଶୁଣୁଥିଲା, ତା’ପରେ କେ. ର କେତେଟା ଶବ୍ଦ ଶୁଣି ଚମକି ପଡ଼ିଲା, ତା’ପରେ ସେ ସବୁ ଶବ୍ଦର ଅର୍ଥ ଭଲ ଭାବରେ ବୁଝିବାକୁ ଆରମ୍ଭ କଲା, ଏବଂ ସେତେବେଳୁ ସେ କେ. କହିବା କଥାର ଭିତିରି ଅର୍ଥ ସବୁ ବୁଝି ପାରିବାକୁ ଚେଷ୍ଟା କରି ଆସିଛି । ଏବଂ ହୋଟଲ ମାଲିକାଣୀ ତା’କୁ ଯେଉଁ ସାବଧାନ ବାଣୀ ଶୁଣାଇଥିଲା, ଯାହାକି ସେ ନିଜେ ବିଶ୍ୱାସ କରିବାକୁ ରାଜି ହୋଇନଥିଲା, ତାହା ସତ ବୋଲି ସେ କେ. କଥାରୁ ବୁଝିପାରିଛି । ଏସମସ୍ତ ବୁଲା ବଙ୍କା କଥାରେ ସେ ବିବ୍ରତ ହୋଇ ପଡ଼ିଲା ଏବଂ ଫ୍ରୀଡ଼ାର ଅଶ୍ରୃସିକ୍ତ, ଅଭିଯୋଗ-ପୂର୍ଣ୍ଣ ସ୍ୱରରେ ଦବି ଯିବା ଅପେକ୍ଷା ଅଧିକ ବିରକ୍ତ ହୋଇଗଲା । ତା’କୁ ବେଶୀ ବିରକ୍ତ ଲାଗିଲା ଏଥିପାଇଁ ଯେ ହୋଟେଲ ମାଲିକାଣୀ ପୁଣି ତା’ ନିଜ କଥା ଭିତରକୁ ପଶିଆସୁଛି, ଯଦିଓ କେବଳ ଗୋଟାଏ ସ୍ମୃତି ଭାବରେ, କାରଣ ଏଯାଏଁ ହୋଟେଲ ମଲିକାଣୀ ନିଜେ ଉପସ୍ଥିତ ରହି ମଧ୍ୟ ବିଶେଷ କିଛି କରିପାରି ନାହିଁ । କେ. ବୋହି ଆଣୁ ଥିବା କାଠ ଗୋଛାକ ତଳେ କଚାଡ଼ି ଦେଲା, ତା’ ଉପରେ ବସିଲା, ଏବଂ ବେଶ୍‌ ଗମ୍ଭୀର ସ୍ୱରରେ ସତ କଥାଟା ପୂରା କ’ଣ ତାହା ଜାଣିବାକୁ ଚାହିଁଲା-। ‘‘ଅନେକ ଥର,’’ ଫ୍ରୀଡ଼ା ଆରମ୍ଭ କଲା, ‘‘ହଁ, ଆରମ୍ଭରୁ ହିଁ ହୋଟଲ ମାଲିକାଣୀ ମତେ ତୁମକୁ ସନ୍ଦେହ କରିବାକୁ ପ୍ରବର୍ତ୍ତାଇଛି, ସେ କହିନି ଯେ ତମେ ମିଛ କହୁଚ, ବରଂ ସେ କହିଚି ଯେ ତମେ ପିଲାଙ୍କ ଭଳି ଅତି ଖୋଲା; କିନ୍ତୁ ତମ ଚରିତ୍ର ଆମଠୁ, ଏତେ ବେଶୀ ଅଲଗା ଯେ ତମେ ଖୋଲା ଖୋଲି କଥା କହିଲେ ମଧ୍ୟ ଆମକୁ ତା’ ବିଶ୍ୱାସ କରିବାକୁ କଷ୍ଟ ହେବ ହିଁ ହେବ । ଏବଂ ଆମେ ଯଦି କାହାରି ଉପଦେଶ ନଶୁଣୁ, ତେବେ ଅତି କଷ୍ଟକର ଅନୁଭୂତି ଦେଇ ତୁମକୁ ବିଶ୍ୱାସ କରିବା ଆମକୁ ଶିଖିବାକୁ ପଡ଼ିବ । ସେ ଲୋକଙ୍କୁ ଚିହ୍ନିବାରେ ଧୁରନ୍ଧର, ତଥାପି ସେ ବି ତମ ଆଡ଼େ ପୂରା ଢଳିଯାଇଥିଲା । କିନ୍ତୁ ବ୍ରିଜ୍‌ଇନରେ ତମ ସାଙ୍ଗରେ କଥାବାର୍ତ୍ତା ହେଲା ପରେ–ସେ ମତେ ଯାହା କହିଚି ମୁଁ ସେତିକି ହିଁ କହୁଚି–ସେ ତମର କୌଶଳ ସବୁ ବୁଝି ପାରିଲା ବୋଲି ସେ କହିଲା, ଆଉ ତା’ ପରେ ତମେ ତମର ଉଦ୍ଦେଶ୍ୟ ଯେତେ ଲୁଚାଇବାକୁ ଚେଷ୍ଟା କଲେ ବି ତା’କୁ ଠକି ପାରିବ ନାଇଁ-। କିନ୍ତୁ ତମେ କିଛି ଲୁଚାଇଲନି, ଏ କଥା ବାରମ୍ବାର କହିଲା, ଏବଂ ପରେ ସେ କହିଲା; ୟା ପରେ ପହିଲି ସୁଯୋଗରେ ହିଁ ତା’ କଥା ମନୋଯୋଗ ଦେଇ ଶୁଣ ବେପରୁଆ ଭାବରେ ନୁହଁ, ମନଧ୍ୟାନ ଦେଇ ପୂରା ପୂରୀ । ସେ ଖାଲି ଏତିକି କରିଥିଲା, ଏବଂ ତମର କଥାବାର୍ତ୍ତା ତା’କୁ ମୋ ବିଷୟରେ ଏସବୁ କଥା କହିଥିଲା; ଯେ ତମେ ମତେ ପକଡ଼ିଲ–ସେ ସେ ଠିକ୍‌ ଏହି ଭାଷାରେ କହିଲା–ଖାଲି ଏଇଥିପାଇଁ ଯେ ମୁଁ ତମ ହାବୁଡ଼ରେ ପଡ଼ିଥିଲି, ମୁଁ ପ୍ରକୃତରେ ତମ ମନରେ ଘୃଣା ଜନ୍ମାଇ ନ ଥିଲି । ଏବଂ ତମର ବଡ଼ଭୁଲ୍‌ ଧାରଣଟେ ହୋଇଥିଲା ଯେ ହୋଟେଲ୍‌କୁ ଆସିଥିବା ଅତିଥି ଜଣେ ହାତ ବଢ଼ାଇ ବାକୁ ଚାହିଁଲେ ବାରମେଡ଼ଟିହିଁ ତାଙ୍କର ନିଶ୍ଚିତ ଶିକାର ହେବାକୁ ରହିଚି-। ତା’ ଛଡ଼ା ତମେ ଚାହିଁଥିଲ, କୋଉଥିପାଇଁ କେଜାଣି, ହେରେନ୍‌ ହଫରେ ରାତିଟା କଟାଇବାକୁ–ଏକଥା ହୋଟେଲ ମାଲିକାଣୀ ହେରେନ ହଫରେ ଶୁଣିଥିଲା–ଏବଂ କୌଣସି ପରିସ୍ଥିତିରେ ମୋ ସାହାଯ୍ୟ ବିନା ତମେ ତା’ କରି ପାରିବ ନାହିଁ । ଆଉ ରାତିକ ପାଇଁ ତମେ ମୋର ପ୍ରେମିକ ହେବା ଲାଗି ସେ ସବୁ ଯଥେଷ୍ଟ କାରଣ ହୋଇଥିଲା । କିନ୍ତୁ ଘଟଣାଟାକୁ ଅଧିକ ଗୁରୁତ୍ୱପୂର୍ଣ୍ଣ କରିବା ପାଇଁ ଅନ୍ୟ କିଛିର ଦରକାର ହେଲା । ଆଉ ସେଇ ଅଧିକା କିଛି ହେଲେ କ୍ଳାମ୍‌-। ତମେ କ୍ଳାମ ଙ୍କ ଠୁ’ କ’ଣ ଚାହିଁ ସେ ଜଣେ ବୋଲି ହୋଟେଲ ମାଲିକାଣୀ କହୁନାଇଁ । ସେ ଖାଲି ଏତିକି କହୁଚି ଯେ ତମେ ମତେ ଜାଣିବା ଆଗରୁ କ୍ଳାମ୍‌ଙ୍କ ପାଖେ ପହଞ୍ଚିବା ପାଇଁ ଯେତିକି ଚେଷ୍ଟା କରୁଥିଲ ଏବେ ବି ତା’ କରୁଚ । ତଫାତ୍‌ କେବଳ ଏତିକି, ମତେ ଜାଣିବା ଆଗରୁ ତମର କୌଣସି ଆଶା ନ ଥିଲା, କିନ୍ତୁ ଏବେ ତମେ ଭାବି ନେଇଚ ଯେ କ୍ଳାମଙ୍କ ପାଖରେ ପହଞ୍ଚିବା ପାଇଁ ମୁଁ ଗୋଟେ ନିର୍ଭରଯୋଗ୍ୟ ବାଟ, ତମେ ନିଶ୍ଚେ ପହଞ୍ଚିଯାଇ ପାରିବ, ତା’ ପୁଣି ଶୀଘ୍ର ଓ ତମର ସେଥିରେ ଲାଭ ହେବ ! ମୁଁ କେମିତି ଚମକି ପଡ଼ିଲି-କିନ୍ତୁ ତା’ ଖାଲି ଉପର ଠାଉରିଆ ଭୟ କିଛି ଭିତିରି କାରଣ ନଥାଇ ତମେ ଆଜି ଯେତେବେଳେ କହିଲ ଯେ ମତେ ଜାଣିବା ଆଗରୁ ତମେ ଖାଲି ଅନ୍ଧାରରେ ବାଡ଼ି ବୁଲାଇଥିଲ । ହୋଟେଲ୍‌ ମାଲିକାଣୀ ଠିକ୍‌ ଏଇ ଭାଷାରେ ବୋଧେ କହିଥିବ; ସେ ବି କହୁଚି ଯେ ତମେ ମତେ ଜାଣିବା ପରଠୁ ହିଁ ତମେ ତମ ଲକ୍ଷ୍ୟ ବିଷୟରେ ସଚେତନ ହୋଇଚ । କାହିଁକି ନା ତମେ ଭାବୁଚ ଯେ ମତେ ଧରି ତମେ କ୍ଳାମ୍‌ଙ୍କର ଜଣେ ପ୍ରେମିକାକୁ ଧରିଚ, ଆଉ ସେଇଥିପାଇଁ ମୁଁ ତମ ହାତରେ ଗୋଟିଏ ପଣ ହୋଇଚି ଆଉ ମୋର ଦାମ୍‌ ବହୁତ । ତମର ଏକମାତ୍ର ଚେଷ୍ଟା ହେଲା କ୍ଳାମ୍‌ଙ୍କୁ ଏଇ ପଣ ଆଡ଼କୁ ଆକୃଷ୍ଟ କରିବା । ତମ ଆଖିରେ ମୁଁ କିଛି ନୁହେଁ, ମୋ’ ଦାମ୍‌ଟାଇ ସବୁ, ତେଣୁ ମତେ ନେଇ ତମେ ଯା’ କିଛି କରିଦେଇ ପାରିବ, କିନ୍ତୁ ମୋ’ ଦାମ୍‌ଟା କେବେ ଛାଡ଼ିବନି । ତେଣୁ ହେରେନ୍‌ହଫ୍‌ରେ ମୋ’ ଚାକିରି ଚାଲି ଯାଇଥିଲେ ବି ତମର କିଛି ଯାଏ ଆସେନା, ବ୍ରିଜ୍‌ ଇନ ମତେ ଛାଡ଼ିବାକୁ ପଡ଼ିଥିଲେ ବି । ତମେ ଏତେ ଉଦାସୀନ ଯେ ଏ ସ୍କୁଲରେ ମତେ ଏତିକି ଖଟଣି ସହିବାକୁ ପଡ଼ୁଚି । ମୋ ପ୍ରତି ତମର ଟିକିଏ ଦୟା ନାଇଁ, ଏପରିକି କଥା ବୁଝିବାକୁ ତମର ବେଳ ବି ନାଇଁ । ମତେ ତମେ ସହକାରୀଙ୍କ ପାଖରେ ଛାଡ଼ି ଦେଉଚ, ସାମାନ୍ୟ ଈର୍ଷା ବି ତମ ମନରେ ହେଉନି, ମୋର ମୂଲ୍ୟ ଏତିକି ମାତ୍ର ଯେ ମୁଁ ଦିନେ କ୍ଳାମଙ୍କର ପ୍ରେମିକା ଥିଲି, ତମର ବୋକାମି ଯୋଗୁଁ ମୁଁ କେମିତି କ୍ଳାମଙ୍କୁ ଭୁଲି ନ ଯାଏ ସେଥିପାଇଁ ତମେ ବହୁତ ଚେଷ୍ଟା କରୁଚ, ଏଇଥିପାଇଁ ଯେ ନିଷ୍ପତ୍ତି ନେବାର ମୁହୂର୍ତ୍ତ ଯେତେବେଳେ ଆସିବ ମୁଁ କୌଣସି ପ୍ରତିରୋଧ କରିବି ନାଇଁ; ତଥାପି ତା’ ସାଙ୍ଗେ ସାଙ୍ଗେ ତମେ ହୋଟଲ ମାଲିକାଣୀ ସାଙ୍ଗରେ ଝଗଡ଼ା କରି ଲାଗିଚ, ତମେ ଭାବୁଚ ଯେ ସେଇ ଜଣକ ହିଁ ମତେ ତମଠୁ ଅଲଗା କରିଦେଇ ପାରିବ, ଆଉ ସେଇଥିପାଇଁ ତମର ତା’ ‘ସାଙ୍ଗରେ ଝଗଡ଼ାକୁ ତମେ ଚରମ ସୀମାରେ ପହଞ୍ଚାଇ ଦେଲ, ମୋ’ ସାଙ୍ଗରେ ବ୍ରିଜ୍‌ ଇନ ଛାଡ଼ି ପଳାଇ ଆସିବାକୁ । କିନ୍ତୁ ଯାହା ହେଲେ ବି, ମୋ ଦୃଷ୍ଟିରୁ ମୁଁ କହୁଚି, ମୁଁ ଯେ ତମର ଏଥିରେ ତିଳେ ହେଲେ ସନ୍ଦେହ ନାହିଁ । ତମେ ଭାବୁଚ କ୍ଳାମଙ୍କ ସାଙ୍ଗରେ ତମର ଭେଟ ଏକ ରକମ ବ୍ୟବସାୟିକ ସଂପର୍କ, କଞ୍ଚା ଧନର ବିଷୟ । ସବୁ ପ୍ରକାର ସମ୍ଭାବନାକୁ ତମେ ହିସାବ କରୁଚ, ତମ ଲକ୍ଷ୍ୟ ହାସଲ କରିବା ପାଇଁ ତମେ ଯାହା କିଛି କରିବା ପାଇଁ ପ୍ରସ୍ତୁତ ରହିଚ, କ୍ଳାମ ଯଦି ଚାହିଁବେ ମତେ ତାଙ୍କ ହାତରେ ଦେଇ ଦବାକୁ ତମେ ରାଜି, ସେ ଯଦି ଚାହିଁବେ ତମେ ମୋ ପାଖରେ ରହ ବୋଲି ତେବେ ତମେ ମୋ ପାଖରେ ରହିବ, ସେ ଯଦି କହିବେ ତମେ ମତେ ଫୋପାଡ଼ି ଦିଅ ବୋଲି, ତା ହେଲେ ତମେ ମତେ ଫୋପାଡ଼ି ଦେବ-। କିନ୍ତୁ ତମେ ବି ତମ ଖେଳ ଟିକିଏ ଖେଳିବାକୁ ପ୍ରସ୍ତୁତ ଅଛ । ତମକୁ ସୁବିଧା ହେବ ଦେଖିଲେ ତମେ ମତେ କହିବ ଯେ ତମେ ମତେ ଭଲ ପାଉଚ, ତମେ ନିଜର ନ୍ୟୁନତା ଉପରେ ଜୋର ଦେଇ ତାଙ୍କର ଉଦାସୀନତା ଦୂରେଇଦେବ, ଏବଂ ପରେ ତାଙ୍କର ଉତ୍ତରାଧିକାରୀ ହୋଇଯାଇ ତାଙ୍କୁ ଲଜ୍ଜିତ କରିଦେବ, କିମ୍ବା ତାଙ୍କୁ ମୁଁ ଭଲ ପାଏ ବୋଲି ଯାହା କହିଚି ଓ ତମେ ଜାଣିଛ, ସେ ସବୁ ଯାଇ ତମେ ତାଙ୍କ ପାଖରେ କହିବ, ଆଉ ମତେ ଫେରାଇ ନେବା ପାଇଁ ତମେ ତାଙ୍କୁ ଅନୁନୟ କରିବ, ଅବଶ୍ୟ ତମ ନିଜର ସର୍ତ୍ତରେ । ଆଉ ଏଥିରେ ଯଦି କିଛି ଫଳ ନ ହେବ, ତା’ ହେଲେ ତମେ ଯାଇ କେ. ଓ ତା’ ସ୍ତ୍ରୀ ନାଁରେ ଖାଲି ଦୟିନି କରିବ । କିନ୍ତୁ ହୋଟେଲମାଲିକାଣୀ ପରିଶେଷରେ କହିଲା ତମେ ଯେତେବେଳେ ଦେଖିବ ଯେ ତମେ ସବୁ କଥାରେ ନିଜକୁ ଠକିଚ, ତମର ଧାରଣାରେ, ତମର ଆଶା ଆକାଂକ୍ଷାରେ, କ୍ଳାମଙ୍କ ସହିତ ମୋ’ ସଂପର୍କ ବିଷୟରେ ତମର ଚିନ୍ତାରେ, ସେତେବେଳେ ମୋର ନର୍କବାସ ଆରମ୍ଭ ହେବ, କାରଣ ସେତବେଳେ ପ୍ରଥମ କରି ମୁଁ ତମର ଗୋଟାଏ ପ୍ରକୃତ ସଂପତ୍ତି ହେବି, ଯାହା ଉପରେ କି ତମେ ନିର୍ଭର କରିବ କିନ୍ତୁ ତା’ ସାଙ୍ଗେ ସାଙ୍ଗେ ମୁଁ ଗୋଟାଏ ଏମିତି ସଂପତ୍ତି ହେବି, ଯାହାର କିଛି ମୂଲ୍ୟ ନାଇଁ ବୋଲି ପ୍ରଣାମ ମିଳି ସାରିଥିବ, ଆଉ ତମେ ସେଇ ଭାବରେ ହିଁ ମତେ ଦେଖିବ, କାରଣ ମୁଁ ତମର ଅଧିକାରରେ-ଏୟା ଛଡ଼ା ମୋ’ ସଂପର୍କରେ ତମର ଆଉ କିଛି ଧାରଣା ନାଇଁ ।’’

 

ଜୋର୍‌ରେ ଓଠ କାମୁଡ଼ି କେ. ମନୋଯୋଗ ସହକାରେ ଶୁଣୁଥିଲା, ସେ ଯେଉଁ କାଠଗୋଛା ଉପରେ ବସିଥିଲା ସେଇଟା ଭୁଷୁଡ଼ି ପଡ଼ିଥିଲା, ଯଦିଓ ସେ ତାହା ଲକ୍ଷ୍ୟ କରିନଥିଲା, ସେ ତଳକୁ ପ୍ରାୟ ଖସି ପଡ଼ିଥିଲା, ଏବଂ ବର୍ତ୍ତମାନ ଶେଷରେ ସେ ଉଠିଲା, ଡାୟସ ଉପରେ ବସିଲା, ଫ୍ରୀଡ଼ାର ହାତ ଧରିଲା, ଫ୍ରୀଡ଼ା ତା’ ହାତ ଛଡ଼ାଇ ନେବାକୁ ଦୁର୍ବଳ ଚେଷ୍ଟା କଲା, ଏବଂ କେ. କହିଲା: ‘‘ତମେ ଯାହା ସବୁ କହିଗଲ ସେଥିରୁ ତମର ଓ ହେଟେଲ୍‌ ମାଲିକାଣୀର ମନୋଭାବ ଭିତରେ ମୁଁ କୌଣସି ପାର୍ଥକ୍ୟ ଦେଖି ପାରୁନି ।’’ ‘‘ସେ ସବୁ ପୂରା ପୂରୀ ହୋଟେଲ୍‌ ମାଲିକାଣୀର ଧାରଣା,’’ ଫୀଡ଼ା କହିଲା, ‘‘ମୁଁ ତା’ କଥା ସବୁ ଶୁଣିଲି କାରଣ ମୁଁ ତା’ କୁ ସମ୍ମାନ କରୁଥିଲି, କିନ୍ତୁ ମୋ ଜୀବନରେ ପ୍ରଥମ ଥର ପାଇଁ ସେତେବେଳେ ତା’ର ମତାମତକୁ ମୁଁ ପୂରାପୂରୀ ଆଗ୍ରହ୍ୟ କରି ଦେଇଥିଲି । ସେ ଯାହା ସବୁ କହିଲା ମତେ ଭାରି କରୁଣ ମନେ ହେଲା, ତମ ମୋ’ ଭିତରେ ଘଟିଯାଇଥିବା ଘଟଣା ମୁଁ ଯେମିତି ବୁଝିଚି ତା’ ଠୁ ପୂରା ଅଲଗା ଲାଗିଲା । ମୋର ପ୍ରକୃତରେ ମନେ ହେଲା ଯେ ସେ ଯାହା କହୁଚି ତା’ର ଠିକ୍‌ ଓଲଟା ଟା ହିଁ ଅଧିକ ସତ । ଆମ ଦୁହିଁଙ୍କର ପ୍ରଥମ ରାତି ପର ଦୁଃଖୀ ସକାଳଟା କଥା ମୁଁ ଭାବିଲି । ତମେ ମୋ’ ପାଖରେ ଆଣ୍ଠେଇ ବସିଚ, ତମ ମୁହଁରୁ ମନେ ହେଉଚି ସତେ ଯେମିତି ତମେ ସବୁ କିଛି ହରାଇ ବସିଚ । ଆଉ ସେତେବେଳେ କେମିତି ଲାଗୁଥାଏ ଯେ ମୁଁ ଯାହା କିଛି କରିପାରିଲେ ବି ମୁଁ ତମକୁ ସାହାଯ୍ୟ କରୁନି, ବରଂ ତମ ପାଇଁ ଅସୁବିଧା ସୃଷ୍ଟି କରୁଚି । ମୋ ଯୋଗୁଁ ହିଁ ହୋଟେଲ୍‌ ମାଲିକାଣୀ ତମର ଶତ୍ରୁ ହେଲା, ବେଶ୍‌ ବଡ଼ ଶତ୍ରୁ, ଯାହାକୁ କି ତମେ ଏଯାଏଁ ଠିକ୍‌ ବୁଝି ପାରିନ । ମୋ’ ଲାଗି ହିଁ ତମେ ଏତେ ଚିନ୍ତା କଲ, ଚାକିରିଟା ପାଇଁ ଏତେ ଚେଷ୍ଟା କଲ, ସୁପରିଣ୍ଟେଣ୍ଡେଣ୍ଟ୍‌ ପାଖରେ ଅସୁବିଧାରେ ପଡ଼ିଲ, ମାଷ୍ଟର ବାବୁ ଆଗରେ ତମକୁ ମୁଣ୍ଡ ନୁଆଁଇବାକୁ ପଡ଼ିଲା ଓ ସହକାରୀ ମାନଙ୍କ ହାତରେ ତମକୁ ଦିଆ ହେଲା । ସବୁଠୁ’ ଖରାପ ହେଲା ମୋ ଲାଗି ହିଁ ତମେ ବୋଧେ କ୍ଳାମ୍‌ଙ୍କ ସାଙ୍ଗରେ ତମର ସବୁ ସୁଯୋଗ ହରାଇ ବସିଲ । କ୍ଳାମ୍‌ଙ୍କ ପାଖରେ ପହଞ୍ଚିବା ପାଇଁ ତମେ ଯେ ଆଗ ଭଳି ଚେଷ୍ଟା ଚଳେଇଲ, ତା’ କେବଳ ତାଙ୍କୁ କୌଣସି ବାଟରେ ସନ୍ତୁଷ୍ଟ କରିବା ପାଇଁ ଗୋଟିଏ ଦୁର୍ବଳ ଚେଷ୍ଟା । ଆଉ ମୁଁ ନିଜକୁ ବୁଝେଇଲି ଯେ ହୋଟେଲ୍‌ ମାଲିକାଣୀ ଯେ କି ମୋଠୁ’ ନିଶ୍ଚେ ବେଶୀ ଜାଣେ, ସେ ମତେ ସୂଚନା ଦେଉଥିଲା ଭବିଷ୍ୟତରେ ମୁଁ ଯେମିତି ନିଜେ ନିଜକୁ ଘୃଣା କରିବାକୁ ନ ପଡ଼େ । ତା’ ଚେଷ୍ଟା ପଛରେ ଥିବା ଉଦ୍ଦେଶ୍ୟଟି ଭଲ କିନ୍ତୁ ସେ ଚେଷ୍ଟା ଅଦରକାରୀ । ତମ ପ୍ରତି ମୋର ଭଲ ପାଇବା ସବୁ କଥାରେ ମତେ ସାହାଯ୍ୟ କରିଚି, ଆଉ ତମକୁ ବି ସାହାଯ୍ୟ କରିବ, ଶେଷରେ, ଯଦିବା ଏ ଗାଁରେ ନୁହ, ଆଉ କୋଉଠି; ତା’ର ଶକ୍ତିର ପ୍ରମାଣ ମିଳି ସାରିଚି, ସେ ଭଲ ପାଇବା ତମକୁ ବାର୍ଣ୍ଣାବାସ୍‌ ପରିବାର କବଳରୁ ତୁମକୁ ରକ୍ଷା କରିଚି ।’’ ‘‘ତା’ ହେଲେ ସେତେବେଳେ ଏଇଟା ତମର ମତ ଥିଲା,’’ କେ. କହିଲା ‘‘ଆଉ ଏବେ କ’ଣ ତା’ ବଦଳିଲାଣି ?’’ ‘‘ମୁଁ ଜାଣେନି, ଫ୍ରୀଡ଼ା ଉତ୍ତର ଦେଲା, କେ. ହାତକୁ ଅନାଇଁ, ଯୋଉ ହାତ ତା’ ହାତକୁ ଧରିଥିଲା, ‘‘ବୋଧେ କିଛି ବଦଳିନି, ତମେ ଯେତେବେଳେ ମୋର ଏତେ ପାଖରେ ଆଉ ଏତେ ଶାନ୍ତ ଭାବରେ ମତେ ପଚାରୁଚ, ମୁଁ ଭାବୁଚି କିଛି ବଦଳିନି । କିନ୍ତୁ ପ୍ରକୃତରେ-’’ ସେ କେ. ପାଖରୁ ତା’ ହାତ ଟାଣି ନେଲା, ତା’ ସାମ୍ନାରେ ସିଧା ହୋଇ ବସିଲା ଏବଂ ମୁହଁ ନ ଲୁଚାଇ କାନ୍ଦିବାକୁ ଲାଗିଲା । ସେ ତା’ର ଲୁହ ସର ସର ମୁହଁ କେ. ଆଗରେ ଟେକି ରଖିଲା, ସତେ ଯେମିତି ସେ ନିଜ ପାଇଁ କାନ୍ଦୁନାହିଁ ଓ ସେଥିପାଇଁ ତାର କିଛି ଲୁଚାଇବାର ନାହିଁ, ବରଂ ସେ ଯେମିତି କେ.ର ବିଶ୍ୱାସଘାତକତା ଯୋଗୁଁ କାନ୍ଦୁଚି ଏବଂ ସେଥିପାଇଁ ତାର ଲୁହ କେ. କୁ ଦେଖିବାକୁ ପଡ଼ିବ–‘‘କିନ୍ତୁ ପ୍ରକୃତରେ ସବୁ କିଛି ବଳଦିଯାଇଚି, ତମର ସେ ପିଲା ସାଙ୍ଗରେ କଥାବାର୍ତ୍ତା ମୁଁ ଯେତେବେଳେଠୁ’ ଶୁଣିଲିଣି । କେଡ଼େ ନିରୀହ ଭାବରେ ତମେ ତା’ ଘର କଥା ତା’କୁ ପଚାରିଲ, ଏକଥା ସେକଥା ପଚାରିଲ ! ତମେ ମତେ ଦିଶିଲ ଠିକ୍‌ ଯେମିତି ଦିଶିଥିଲ ସେଇ ରାତିରେ, ଯେତେବେଳେ ତମେ ମଦବିକା ଘର ଭିତରକୁ ଆସିଲ, କି ଉତ୍ସାହ, କି ଖୋଲା ଖୋଲି କଥାବାର୍ତ୍ତା, ପିଲାଳିଆ ଆଗ୍ରହ ଦେଖାଇ ମତେ ଆକୃଷ୍ଟ କରିବାକୁ ଚେଷ୍ଟା କଲ । ତମେ ଠିକ୍‌ ସେମିତି ଲାଗୁଥିଲ, ଆଉ ମୁଁ ଖାଲି ଏତିକି ଚାହୁଁଥିଲି ଯେ ଏଠି ହୋଟେଲ୍‌ ମାଲିକାଣୀ ଥାଆନ୍ତା, ତମ କଥାବାର୍ତ୍ତା ଶୁଣନ୍ତା, ଆଉ ତା’ପରେ ଆମେ ଦେଖିଥାନ୍ତେ ସେ ତା’ର ମତ ନ ବଦଳାଇ ରହି ପାରୁଚି କି ନା । କିନ୍ତୁ ତା’ ପରେ ହଠାତ୍‌ ତା’ କେମିତି ଘଟିଲା ମୁଁ ଜାଣେନି–ମୁଁ ଲକ୍ଷ୍ୟ କଲି ଯେ ଗୋଟିଏ ଗୋପନ ଉଦ୍ଦେଶ୍ୟ ନେଇ ତମେ ସେ ପିଲା ସାଙ୍ଗରେ କଥାବାର୍ତ୍ତା କରୁଚ-। ତମେ ତା’ ମନ ଜିଣିନେଲ–ଆଉ ତା’ ବି ଏତେ ସହଜରେ ନୁହ–କଅଁଳ କଥା କହି ଖାଲି ଏଇଥିପାଇଁ ଯେ ଆହୁରି ସହଜରେ ତମେ ତମ ଲକ୍ଷ୍ୟ ହାସଲ କରିପାରିବ, ଏକଥା ମୁଁ ଅଧିକ ଭଲ ଭାବରେ ବୁଝିପାରିଲି । ତମର ଲକ୍ଷ୍ୟ ଥିଲା ସେ ସ୍ତ୍ରୀ ଲୋକଟା । ତମେ ତା’ ବିଷୟରେ ଭଦ୍ରଲୋକ ଦେଖାଇ ଯା’ ସବୁ ପ୍ରଶ୍ନ ପଚାରିଲ, ମୁଁ ସେଥିରେ ଭଲ ଭାବରେ ଦେଖିପାରିଲି ଯେ ତମ କଥା ନେଇ ହିଁ ତମେ ଖୁବ୍‌ ବ୍ୟସ୍ତ । ତମେ ସେ ସ୍ତ୍ରୀ ଲୋକଟାକୁ ହାସଲ୍‌ କରିବା ଆଗରୁ ହିଁ ତା’ ପ୍ରତି ବିଶ୍ୱାସଘାତକତା କଲ । ତମ କଥାବାର୍ତ୍ତାରୁ ମୁଁ ଖାଲି ମୋ’ ଅତୀତକୁ ଦେଖିଲିନି, ମୋ’, ଭବିଷ୍ୟତକୁ ବି ଜାଣିଲି, ମତେ ଲାଗିଲା ସତେ ଯେମିତି ହୋଟେଲ୍‌ ମାଲିକାଣୀ ମୋ ପାଖରେ ବସିଚି ଓ ସବୁକଥା ମତେ ବୁଝେଇ ଦେଉଚି, ଆଉ ମୋର ସବୁ ବଳ ପ୍ରୟୋଗ କରି ମୁଁ ତା’କୁ ଠେଲି ଦେଉଚି, କିନ୍ତୁ ମୁଁ ଭଲ ଭାବରେ ଦେଖି ପାରୁଚି ମୋ’ ଚେଷ୍ଟାର ବ୍ୟର୍ଥତା, ତେବେ ମୁଁ ପ୍ରକୃତରେ ବିଶ୍ୱାସ ଘାତକତାର ଶିକାର ହେବାକୁ ଯାଉନାଇଁ, ଯାଉଚି ସେଇ ଅଜଣା ସ୍ତ୍ରୀ ଲୋକଟା-। ଆଉ ପରେ ମୁଁ ଯେତେବେଳେ ନିଜକୁ ସଂଯତ କରି ନେଲି ଓ ସେ କ’ଣ ହେବାକୁ ଚାହୁଁଚି ବୋଲି ହାନସକୁ ପଚାରିଲି ଆଉ ସିଏ କହିଲା ଯେ ସେ ତମ ଭଳି ହେବ, ଆଉ ମୁଁ ଦେଖିଲି ଯେ ସେ ତମ ଦ୍ୱାରା ପୂରା ପୂରି ପ୍ରଭାବିତ ହୋଇଗଲାଣି । ମୁଁ ଭାବିଲି, ଯା, ତେବେ ଆଉ ବେଶୀ କ’ଣ ତଫାତ୍‌ ଅଛି ବିଚରା ସେ ପିଲାଟିକୁ ଏଠି ଓ ମତେ ସେତେବେଳେ ମଦବିକା ଘରେ ତମେ ନିଜ ସ୍ୱାର୍ଥପାଇଁ ବ୍ୟବହାର କରିବା ଭିତରେ ।

 

‘‘ସବୁକଥା’’ କେ. କହିଲା । ଫ୍ରୀଡ଼ାକୁ ଶୁଣିବା ଭିତରେ ସେ ଶାନ୍ତ ହୋଇ ଯାଇଥିଲା । ‘‘ସବୁକଥା, ଯା’ ତମେ କହୁଚ, ଗୋଟାଏ ଦୃଷ୍ଟିରୁ ସତ, ମିଛନୁହ, ତେବେ ଖାଲି ଏକ ପାଖିଆ ।’’ ଏଗୁଡ଼ାକ ହୋଟେଲ୍‌ ମାଲିକାଣୀ ଧାରଣା, ମୋ ଶତ୍ରୁର ଧାରଣା, ଯଦିଓ ତମେ ଭାବୁଚ ଯେ ଏଗୁଡ଼ାକ ତମ ନିଜର ଧାରଣା ବୋଲି; ଏବଂ ସେତିକି ମୋର ସାନ୍ତ୍ୱନା । କିନ୍ତୁ ଏଗୁଡ଼ାକ ବେଶ୍‌ ଶିକ୍ଷଣୀୟ, ହୋଟେଲ୍‌ ମାଲିକାଣୀ ଠୁ’ ଜଣେ ବହୁତ କିଛି ଶିଖିବାର ଅଛି । ସେ ବ୍ୟକ୍ତିଗତ ଭାବରେ ଏଗୁଡ଼ାକ ମୋ’ ଆଗରେ ପ୍ରକାଶ କରିନାଇଁ, ଯଦିଓ ଅନ୍ୟ ବାଟରେ ସେ ମତେ ଆଘାତ ନକରି ଛାଡ଼ିନାଇଁ; ସେ ତମ ହାତରେ ଏ ଅସ୍ତ୍ର ଦେଇଚି ବୋଧେ ଏଇଥିପାଇଁ ଯେ ତମେ ୟାକୁ ମୋର ଗୋଟାଏ ଖରାପ କିମ୍ବା ଗୁରୁତ୍ୱପୂର୍ଣ୍ଣ ବେଳାରେ ବ୍ୟବହାର କରିବ । ମୁଁ ଯଦି ତମକୁ ଦୁର୍ବବ୍ୟବହାର କରୁଚି, ସେ ବି ସେଇ ବାଟରେ ତା’ କରୁଚି । କିନ୍ତୁ ଫ୍ରୀଡ଼ା, ଭାବିଲ ଦେଖି, ହୋଟେଲ୍‌ ମାଲିକାଣୀ ଯାହା କହୁଚି ତା’ ଠିକ୍‌ ସତ ବୋଲି ଧରିନେଲେ ବି ଗୋଟାଏ ଧାରଣା ଦୃଷ୍ଟିରୁ ତା’ ଖୁବ୍‌ ଲଜ୍ଜାଜନକ, ଆଉ ସେଇଟା ହେଲା ତମେ ମତେ ଭଲପାଅନି । ତେବେ, ତେବେ ଯାଇ କେବଳ ପ୍ରକୃତରେ ମନେ ହେବ ଯେ ମୁଁ ହିସାବ କରି, କୌଶଳ କରି ତମକୁ ହାସଲ କରିଚି, ଯୋଉଥିରେ କି ତମକୁ ହାତରେ ରଖି ମୁଁ ଫାଇଦା ଉଠେଇଥାନ୍ତି । ତା’ ହେଇଥିଲେ ଓଲ୍‌ଗା ସାଙ୍ଗରେ ହାତ ଧରା ଧରି ହେଇ ତମର ଦୟା ଉଦ୍ରେକ କରିବା ପାଇଁ ତମ ଆଗକୁ ଆସିବାର ମୁଁ ବି ଆଗରୁ ଭାବିଚିନ୍ତି କରିଥିଲି ବୋଲି କୁହାଯାଇ ପାରିବ । ଆଉ ହୋଟେଲ୍‌ ମାଲିକାଣୀ ମୋ’ ଅପରାଧର ତାଲିକାରେ ସେଇଟା ଯୋଡ଼ିବାକୁ ଭୁଲି ଯାଇଚି । କିନ୍ତୁ ତା’ ଯଦି ଯେତେଟା ଦିଶୁଚି ସେତେ ଖରାପ ନୁହେ, ଯଦି ସେଦିନ ରାତିରେ ତମକୁ ଗୋଟେ ଚତୁର ଶିକାରୀ ଜନ୍ତୁ ଆକ୍ରମଣ କରିନି, ବରଂ ତମେ ମତେ ଭେଟିବାକୁ ଆସିଲ, ଠିକ୍‌ ମୁଁ ଯେମିତି ତମକୁ ଭେଟିବାକୁ ଗଲି, ଆଉ ଆମେ ଦୁହେଁ ନିଜ ନିଜ କଥା ଟିକିଏ ନଭାବି ପରସ୍ପରକୁ ପାଇଗଲେ, ତା’ ହେଲେ, ଫ୍ରୀଡ଼ା, ତମେ କହ, କଥାଟା କେମିତି ଦେଖାଯିବ ? ଯଦି ତା’ ସେମିତି ହେଇଥାନ୍ତା, ମୋ’ ନିଜ ପାଇଁ ଅଭିନୟ କରି ମୁଁ ତମ ପାଇଁ ବି ଅଭିନୟ କରୁଥିଲି, ଦୁଇଟା ଭିତରେ କିଛି ତଫାତ୍‌ ନାଇଁ, ଜଣେ ଶତ୍ରୁ କେବଳ ତଫାତ୍‌ ଦେଖି ପାରେ । ଏବଂ ସବୁ କଥା ପ୍ରତି ଏୟା ପ୍ରଯୁଜ୍ୟ, ଏପରି କି ହାନ୍‌ସ କଥାରେ ବି, ତା’ ଛଡ଼ା ମୋର ଓ ହାନ୍‌ସର କଥାବାର୍ତ୍ତାକୁ ତମେ ଯୋଉ ଗାଳି ଦେଉଚ, ତମର ଭାବ ପ୍ରବଣତା ହିଁ ଘଟଣାଟାକୁ ଖରାପ ଦିଗରେ ବେଶୀ ନେଇଯାଉଚି, କାରଣ ଯଦି ହାନ୍‌ସର ଓ ମୋର ଉଦ୍ଦେଶ୍ୟ ପରସ୍ପର ସାଙ୍ଗରେ ଖାପ ଖାଉନାଇଁ, ତେବେ ବି ତା’ର ଅର୍ଥ ନୁହ ଯେ ସେ ଦି’ଟା ଭିତରେ କୌଣସି ପ୍ରକାର ବିରୋଧ ଅଛି । ତା’ ଛଡ଼ା ଆମର ଉଦ୍ଦେଶ୍ୟ ଯେ ଅଲଗା ଅଲଗା ତା’ ହାନ୍‌ସ ବୁଝି ପାରିଚି । ତମେ ଯଦି ଭାବୁଥାଅ ଯେ ତମେ ସେଇ ସତର୍କ ସାନ ମଣିଷଟି ପ୍ରତି ବହୁତ ଅନ୍ୟାୟ କରୁଚ, ଆଉ ଯଦି ହାନ୍‌ସ ସେ ସବୁ କିଛି ବୁଝି ନପାରିଚ, ତେବେବି କାହାର କିଛି କ୍ଷତି ହେଉନି ବୋଲି ମୋର ଧାରଣା ।

 

‘‘ନିଜ ବାଟ ନିଜେ ଦେଖିବା ବଡ଼ କଷ୍ଟ, କେ.’’ ଫ୍ରୀଡ଼ା କହିଲା ଦିର୍ଘ ନିଃଶ୍ୱାସ ପକାଇ । ତମ ବିଷୟରେ ମୋର ନିଶ୍ଚେ କିଛି ସନ୍ଦେହ ନଥିଲା, ଆଉ ମୁଁ ଯଦି ହୋଟେଲ୍‌ ମାଲିକାଣୀର ପ୍ରଭାବରେ କିଛିଟା ସନ୍ଦେହ କରୁଚି, ମୁଁ ଖୁସିରେ ତା’ ମୋ’ ମନରୁ ନିକାଲି ଦେବି ଆଉ ତମ ଆଗରେ ଆଣ୍ଠୁଭାଙ୍ଗି କ୍ଷମା ମାଗିବି, ଯାହା କି ମୁଁ ସବୁବେଳେ କରେ, ବିଶ୍ୱାସ କର ମତେ, ଏଡ଼େ ଭୟଙ୍କର କଥା ସବୁ କହୁଥିଲେ ବି । କିନ୍ତୁ ଏକଥା ସତ ଯେ ତମେ ମୋ’ଠୁ ବହୁତ କିଛି ଲୁଚଉଚ; ତମେ ଆସୁଚ ଯାଉଚ, ମୁଁ ଜାଣେନି କୁଆଡ଼ୁ କୁଆଡ଼କୁ । ଏବେ ହାନ୍‌ସ ଯେତେବେଳେ କବାଟ ଠକ ଠକ କଲା, ତମେ ବାର୍ଣ୍ଣାବାସ ନାଁ ପାଟିକରି ଡାକିଲ । ମୁଁ ଖାଲି ଏତିକି ଭାବିଲି ତମେ ଥରେ ହେଲେ ମତେ ସେତିକି ସ୍ନେହରେ ଡାକିଥାନ୍ତ । କୋଉ କାରଣରୁ କେଜାଣି ତମେ ସେଇ ଘୃଣ୍ୟ ନାଁ ଟା ଧରିଲି । ମୋଠି ଯଦି ତମର ବିଶ୍ୱାସ ନାଇଁ, ମୋ’ ଆବିଶ୍ୱାସ ବଢ଼ିବା ମୁଁ କେମିତି ଅଟକାଇବି ? ଏଇ କଥାରେ ମୁଁ ପୂରା ପୂରି ହୋଟେଲ୍‌ ମାଲିକାଣୀ ଆଡ଼କୁ ଚାଲି ଯାଉଚି; ଯିଏ ଠିକ୍‌ କଥା କହୁଚି ବୋଲି ଅନ୍ତତଃ ତମର ତା’ ପ୍ରତି ବ୍ୟବହାର ସୂଚାଇ ଦେଇଚି । ସବୁ କଥାରେ ନୁହ, ମୁଁ କହିବିନି ଯେ ସବୁ କଥାରେ ତମେ ତା’କୁ ଠିକ୍‌ ବୋଲି ସାବ୍ୟସ୍ତ କରୁଚ । କାରଣ ତମେ କ’ଣ ଖାଲି ମୋ’ ପାଇଁ ସହକାରୀମାନଙ୍କୁ ଘରୁ ତଡ଼ି ଦେଲନି କି,? ଆଃ ତମେ ଖାଲି ଜାଣିପାରନ୍ତ କି ମୁଁ କେଡ଼େ ଆବେଗରେ ମୋ ପାଇଁ ଟିକିଏ ସୁଖ ଖୋଜୁଚି, ତମେ ଯାହା ସବୁ କରୁଚ ଓ କହୁଚ ତା’ ଭିତରେ ଏପରିକି ତମେ ମତେ କଷ୍ଟ ଦେଲାବେଳ ବି ।’’ ଶେଷଥର ପାଇଁ କହି ଦେଉଚି, ଫ୍ରୀଡ଼ା କେ. କହିଲା, ‘‘ମୁଁ କାଣିଚା ଏ ବି ତମଠୁ ଲୁଚାଉନି । ଦେଖ, ହେଟେଲ୍‌ ମାଲିକାଣୀ ମତେ କେତେ ଘୃଣା କରୁଚି, ଆଉ ତମକୁ ମୋ’ ପାଖରୁ ନେଇ ଯିବାକୁ ସେ କେତେ ଚେଷ୍ଟା କରୁଚି, କି କଦର୍ଯ୍ୟ ଉପାୟ ସବୁ ସେ କରୁଚି ଆଉ ତମେ କେମିତି ତା’ କବଳରେ ପଡ଼ିଯାଇଚ, ଫ୍ରୀଡ଼ା, ତମେ କେମିତି ତା’ ଅକ୍ତିଆରକୁ ଚାଲି ଯାଇଚ ! ଏବେ ମତେ କହ ମୁଁ କେମିତି ତମଠୁ’ କଥା ଲୁଚେଇଲି ? ମୁଁ କ୍ଳାମ୍‌ଙ୍କ ପାଖରେ ପହଞ୍ଚିବାକୁ ଚାହୁଁଚି, ତମେ ଜାଣ, ଆହୁରି ବି ଜାଣ ଯେ ସେଥିରେ ତମେ ମତେ ସାହାଯ୍ୟ କରି ପାରିବ ନାଇଁ, ଆଉ ମତେ ନିଜ ଚେଷ୍ଟାରେ ତା’ ହାସଲ କରିବାକୁ ପଡ଼ିବ, ମୁଁ ଯେ ସେଥିରେ ଏଯାଏଁ ସଫଳ ହେଇ ପାରିନି ତା’ ତମେ ଦେଖୁଚ । ମୁଁ ଯୋଉ ବେକାର ଚେଷ୍ଟା କରି ନିଜକୁ ଯଥେଷ୍ଟ ଅପମାନିତ କରିଚି, ସେ ଗୁଡ଼ିକ ତମକୁ ଜଣେଇ ମତେ କ’ଣ ଆଉଥରେ ନିଜକୁ ଅପମାନିତ କରିବାକୁ ପଡ଼ିବ ? କ୍ଳାମ୍‌ଙ୍କ ସ୍ଳେଜ୍‌ ଗାଡ଼ି କବାଟ କଡ଼ରେ ସାରା ଉପର ଓଳି ଶୀତରେ ଥରି ଥରି ଅପେକ୍ଷା କରିବା କଥା କହି ମତେ କ’ଣ ନିଜକୁ ଗୌରବାନ୍ୱିତ କରିବାକୁ ପଡ଼ିବ ? ଏସବୁ କଥା ଭାବିବାକୁ ପଡ଼ୁନି ବୋଲି ଯେତେବେଳେ ମୁଁ ଖୁସି ହେଇଯାଇଚି, ମୁଁ ତମ ପାଖକୁ ଦୌଡ଼ି ପଳାଇ ଆସୁଛି, ଆଉ ତମେ ପୁଣି ସେଇ ସବୁ ଗାଳିରେ ମତେ ଅଭ୍ୟର୍ଥନା କରୁଚ । ଆଉ ବାର୍ଣ୍ଣାବାସ ? ଏୟା ସତ ଯେ ମୁଁ ତା’କୁ ଅପେକ୍ଷା କରିଚି । ସେ କ୍ଳାମ୍‌ଙ୍କ ଖବର ଆଣିବା ଲୋକ, ମୁଁ ତ ତା’କୁ ସେୟା କରିନି ।’’ ପୁଣି ବାର୍ଣ୍ଣାବାସ !’’ ଫ୍ରୀଡ଼ା ଚିତ୍‌କାର କଲା, ‘‘ମୁଁ ଭାବି ପାରୁନି ଯେ ସେ ଜଣେ ଭଲ ଖବର ଆଣିବା ବାଲା ହେଇଥିବ ବୋଲି ।’’ ‘‘ତମେ ବୋଧେ ଠିକ୍‌ କହୁଚ,’’ କେ. କହିଲା ‘‘କିନ୍ତୁ ସେ ଏକମାତ୍ର ଲୋକ ଯାହାକୁ ମୋ’ ପାଖକୁ ପଠାଯାଇଚି ।’’ ତା’ ହେଲେତ ଆହୁରି ଖରାପ କଥା ତମ ପାଇଁ,’’ ଫ୍ରୀଡ଼ା ବହିଲା, ‘‘ତମେ ତା’ ବିଷୟରେ ସାବଧାନ ରହିବା ପାଇଁ ବଡ଼ କାରଣ ସେଇଟା ।’’ ‘‘ଦୁଃଖର କଥା, ମୁଁ ସେମିତି ଭାବିବା ପାଇଁ ସେ କିଛି ଏଯାଏଁ କରିନି,’’ କେ. ହସି କହିଲା । ‘‘ସେ କ୍ୱଚିତ୍‌ ଆସେ, ଆଉ ଯା ସବୁ ଖବର ଆଣେ ସେ ଗୁଡ଼ାକର କିଛି ଗୁରୁତ୍ୱ ନାଇଁ, ଖାଲି ସେ ଖବର ସବୁ କ୍ଳାମ୍‌ଙ୍କ ପାଖରୁ ଆସୁଚି ବୋଲି ତା’ର କିଛି ମୂଲ୍ୟ ଅଛି ।’’ ‘‘କିନ୍ତୁ ମୁଁ କଣ କହୁଚି ଶୁଣ,’’ ଫ୍ରୀଡ଼ା କହିଲା, ‘‘କ୍ଳାମ୍‌ ବି ଆଉ ତମର ଲକ୍ଷ୍ୟ ନୁହନ୍ତି, ଏଇଟାହିଁ ମତେ ସବୁଠୁ’ ବେଶୀ ବିବ୍ରତ କରୁଚି; ତମେ ଯେ ମତେ ପକଡ଼ି ସାରି ସବୁବେଳେ କ୍ଳାମ୍‌ଙ୍କ କଥା ଭାବୁଥିଲ, ତା’ ତ ଖରାପ କଥା, କିନ୍ତୁ ଏବେ ତମେ କ୍ଳାମ୍‌ଙ୍କ ପାଖରେ ପହଞ୍ଚିବା ପାଇଁ ଆଉ ଚେଷ୍ଟା କରୁନ ବୋଲି ମନେ ହେଉଚି, ତା’ ଆହୁରି ଖରାପ କଥା । ଏଇଟା ଏମିତି ଗୋଟାଏ କଥା ଯା’ ଘଟିବ ବୋଲି ହେଟେଲ୍‌ ମାଲିକାଣୀ ମଧ୍ୟ ଆଶଙ୍କା କରିନଥିଲା । ତା’ କହିବା ଅନୁସାରେ, ତମର ସୁଖ, ଆପତ୍ତି ଜନକ ହେଲେ ବି ପ୍ରକୃତ ସୁଖ, ସେଇଦିନ ଶେଷ ହେଇଯିବ, ଯୋଉଦିନ ତମେ ଶେଷରେ ଜାଣି ପାରିବ ଯେ କ୍ଳାମ୍‌ଙ୍କ ଉପରେ ତମେ ଯେଉଁ ଆଶା ରଖିଥିଲ ସେ ସବୁ ବୃଥା । କିନ୍ତୁ ବର୍ତ୍ତମାନ ସେଇ ଦିନଟା ପାଇଁ ବି ତମେ ଆଉ ଅପେକ୍ଷା କରୁନ, ହଠାତ୍‌ ଗୋଟେ ଟୋକା ଆସୁଚି, ଆଉ ତା’ ମା’ କୁ ନେି ତମେ ତା’ ସାଙ୍ଗରେ ଲଢେଇ କରୁଚ, ସତେ ଯେମିତି ତମେ ତମ ନିଜ ଜୀବନ ପାଇଁ ଲଢେଇ କରୁଚ ।’’ ‘‘ହାନ୍‌ସ ସାଙ୍ଗରେ ମୋ’ କଥା ବାର୍ତ୍ତାକୁ ତମେ ଠିକ୍‌ ବୁଝିଚି,’’ କେ. କହିଲା, ‘‘ତା’ ପ୍ରକୃତରେ ସେୟା । କିନ୍ତୁ ତମେ କ’ଣ ଆତୀତ ଜୀବନ କଥା ପୁରା ପୂରୀ ମନରୁ ପୋଛି ଦେଲଣି (ଅବଶ୍ୟ ହୋଟେଲ୍‌ ମାଲିକାଣୀକୁ ଛାଡ଼ି, ସେ ନିଜକୁ ପୋଛି ହେଇଯିବାକୁ ଦେବନି), ଯେ ତମେ ଆଉ ଭାବିପାରୁନ ଜଣେ ଉପରକୁ ଉଠିବାକୁ କେମିତି ଲଢ଼େଇ କରିବ, ବିଶେଷ କରି ସେ ଯେତବେଳେ ଏକେବାରେ ତଳେ ଅଛି ? କେମିତି ଜଣେ ସବୁ ପରିସ୍ଥିତିର ସୁଯୋଗ ନେବ, ସେଥିରୁ କିଛି ଆଶାର ସୂଚନା ମିଳୁଛି ? ଆଉ ଏଇ ସ୍ତ୍ରୀ ଲୋକ ଜଣକ ଦୁର୍ଗରୁ ଆସୁଚି, ସେ ନିଜେ ମତେ ସେୟା କହିଲା, ମୁଁ ଯୋଉଦିନ ପ୍ରଥମ କରି ଏଠିକି ଆସିଲି ଆଉ ଲେଜ୍‌ମାନ୍‌ ଘର ଭିତରକୁ ପଶିଗଲି । ତା’ ଠୁ’ ଉପଦେଶ କି ସାହାଯ୍ୟ ଚାହିଁବାଠୁ’ ବଳି ଅଧିକ ସ୍ୱାଭାବିକ କଥା କ’ଣ ହେଇପାରେ; ହୋଟେଲ୍‌ ମାଲିକାଣୀ ଯଦି ଖାଲି ଜାଣେ ଯେ କ୍ଳାମ୍‌ଙ୍କ ପାଖରେ ପହଞ୍ଚିବାକୁ ଗଲାବେଳେ ଜଣକୁ କେମିତି ଅଟକାଇ ଦେବ, ତା’ ହେଲେ ଏ ସ୍ତ୍ରୀଲୋକଟି ବୋଧେ ଜାଣେ ତାଙ୍କ ପାଖରେ କୋଉ ବାଟରେ ପହଞ୍ଚି ହେବ, କାରଣ ସେ ନିଜେ ସେଇ ବାଟ ଦେଇ ଆସିଚି ।’’ ‘‘କ୍ଳାମଙ୍କ ପାଖରେ ପହଞ୍ଚିବାର ବାଟ ?’’ ଫ୍ରୀଡ଼ା ପଚାରିଲା । ‘‘ହଁ, କ୍ଳାମଙ୍କ ପାଖରେ, ଆଉ କୋଉଠିକି ? କେ. କହିଲା । ତା’ପରେ ସେ ହଠାତ ଉଠି ପଡ଼ିଲା,. ‘‘କିନ୍ତୁ ବହୁତ ଡେରି ହେଲାଣି, ମୋର ଖାଇବା ଆଣିବାକୁ ଯିବା କଥା ।’’ ବସିବା ପାଇଁ ଫ୍ରୀଡ଼ା ତାକୁ ଅନୁନୟ କଲା, ବହୁତ ଆଗ୍ରହରେ, ଏତେ ବେଶୀ ଆଗ୍ରହରେ ଯେ ତା’ପରିସ୍ଥିତି ସାଙ୍ଗରେ ତା’ ଖାପ ଖାଉ ନଥିଲା । ସତେ ଯେମିତି ତା’ ପାଖରେ ଆଉ କିଛି ବେଳ ରହିଁଗଲେ ହିଁ କେ. ତାକୁ ସାନ୍ତ୍ୱନା ଦେବା ପାଇଁ ଯାହା ସବୁ କହିଚି ସେ ଗୁଡ଼ିକ ସତ ବୋଲି ପ୍ରମାଣିତ ହୋଇଯିବ । କିନ୍ତୁ କେ. ମାଷ୍ଟରବାବୁ କଥା ଭାବୁଥିଲା, ସେ କବାଟ ଆଡ଼କୁ ହାତ ଦେଖାଇଲା, ଯେଉଁଟାକି ଯେ କୌଣସି ମୁହୂର୍ତ୍ତରେ ଖୋଲି ଯାଇ ପାରେ ଖୁବ ଜୋର୍‌ରେ ଶବ୍ଦ କରି, ଏବଂ ଶୀଘ୍ର ଫେରି ଆସିବ ବୋଲି କଥା ଦେଲା । ଫ୍ରୀଡ଼ାକୁ ନିଆଁଟା ଜଳାଇବାକୁ ବି ପଡ଼ିବ ନାହିଁ, ସେ ନିଜେ ସେ କଥା ବୁଝିବ । ଶେଷରେ ଫ୍ରୀଡ଼ା ନୀରବରେ ରାଜି ହୋଇଗଲା । କେ. ଯେତେବେଳେ ବାହାର ବରଫ ଉପରେ ପାଦ ଥାପି ଥାପି ଚାଲି ଯାଉଥିଲା-ରାସ୍ତାରୁ ବରଫ କେବେଠୁ’ ପରିସ୍କାର କରା ହେବା, କଥା, ଆଶ୍ଚର୍ଯ୍ୟ କଥା କେତେ ଆସ୍ତେ ଆସ୍ତେ ସବୁ କାମ ହେଉଚି-ସେ ଜଣେ ସହକାରୀ କୁ ଦେଖିଲା, ଏକେବାରେ ହାଲିଆ ହୋଇଯାଇ ରେଲିଂ କୁ ଧରି ସେମିତି ବସିଛି । ମାତ୍ର ଜଣେ, ଅନ୍ୟ ଜଣକ ଗଲା କୁଆଡ଼େ ? କେ. କ’ଣ ଅନ୍ତତଃ ଜଣକର ସହିବାର ଶକ୍ତି ନଷ୍ଟ କରି ଦେଇ ସାରିଛି ତେବେ ? ଯେଉଁ ଜଣକ ତଥାପି ବସି ରହିଥିଲା; ସେ ସେତେବେଳେ ବି ବେଶ୍‌ ଆଗ୍ରହି ଜଣା ପଡ଼ିଥିଲା । ଯେ କୌଣସି ଲୋକ ତାହା ଲକ୍ଷ୍ୟ କରି ପାରିଥାନ୍ତା, ଯେତେବେଳେ କେ.କୁ ଦେଖି ଅଧିକ ଉତ୍ସାହିତ ହୋଇପଡ଼ି ସେ ଆହୁରି ଜୋର୍‌ରେ ତା’ ହାତ ଆଗକୁ ବଢ଼ାଇ ଦେଲା ଓ ଆଖି ଡୋଳା ବୁଲାଇଲା । ‘‘ୟାର ଜିଦ୍‌ ପ୍ରକୃତରେ ଆଶ୍ଚର୍ଯ୍ୟ ରକମର,’’ କେ. ନିଜକୁ କହିଲା, କିନ୍ତୁ ପୁଣି କହିଲା, ‘‘ଇଏ ଯଦି ଏମିତି ରହେ ତେବେ ରେଲିଂ ସାଙ୍ଗରେ ବରଫ ପାଲଟି ଯିବ ।’’ କିନ୍ତୁ କେ. ସହକାରୀ ଜଣକୁ କଥାରେ କିଛି କହିଲା ନାହିଁ, କେବଳ ହାତ ମୁଠା କରି ଧମକ ଦେଲା, ଯାହା ଫଳରେ କି ସହକାରୀ ଜଣକ ଆଉ ପାଖକୁ ଆସିବ ନାହିଁ । ପ୍ରକୃତରେ ସହକାରୀ ଜଣକ ଗୋଟାଏ ଆଶାଜନକ ଦୂରତାକୁ ଅପସରି ଗଲା । ଠିକ୍‌ ସେତିକିବେଳେ ଫ୍ରୀଡ଼ା ଗୋଟିଏ ଝରକା ଖୋଲିଦେଲା ନିଆଁ ଜାଳିବା ପୂର୍ବରୁ ଘର ଭିତରକୁ କିଛି ପବନ ଆସିବା ପାଇଁ । ନିଆଁ ଜାଳିବା ଆଗରୁ ତା’ କରବି ବୋଲି ସେ କେ.କୁ କଥା ଦେଇଥିଲା ତତ୍‌କ୍ଷଣାତ୍କ ସହକାରୀ ଜଣକ କେ. ଉପରୁ ତା’ ଦୃଷ୍ଟି ଫେରାଇ ନେଲା, ଏବଂ ଭୀଷଣ ଭାବେ ଆକୃଷ୍ଟ ହୋଇଥିବା ଭଳି ଝରକା ଆଡ଼କୁ ଚାଲିଲା । ସହକାରୀ ଜଣକ ପ୍ରତି ଦୟା ଏବଂ କେ. ପ୍ରତି ଏକ ଅନୁନୟ ଭରା କରୁଣ ଚାହାଁଣୀ ଚାହିଁ ଫ୍ରୀଡ଼ା ଝରକା ବାହାରକୁ ଗୋଟିଏ ହାତ ବଢ଼ାଇ ଦେଲା, କୁଣ୍ଠିତ ଭାବରେ । ତା’କୁ ସମ୍ଭାଷଣ ଜଣାଇବା ପାଇଁକି ତା’କୁ ଚାଲିଯିବାକୁ ଆଦେଶ ଦେବା ପାଇଁ ସେ ସେମିତି କଲା ତାହା ସ୍ପଷ୍ଟ ଭାବରେ ଜଣା ପଡ଼ିଲା ନାହିଁ । ସହକାରୀ ଜଣକ ବି ସେଥିରେ ପରାହତ ନ ହୋଇ ଝରକା ଆଡ଼କୁ ସେମିତି ଆଗେଇଲା । ତା’ ପରେ ଫ୍ରୀଡ଼ା ଝରକାର ବାହାରଟା ବନ୍ଦ୍‌ କରିଦେଲା, କିନ୍ତୁ ସେଠି ସେମିତି ଠିଆ ହୋଇ ରହିଲା, ଝରକା ସାସ୍‌ ଉପରେ ହାତ ରଖି, ତା’ ମୁଣ୍ଡ ଗୋଟାଏ ପଟକୁ ଢଳାଇ, ଆଖି ବଡ଼ ବଡ଼ କରି, ଏବଂ ମୁହଁରେ ସ୍ତିର ହସଟିଏ ଧରି ସେ କ’ଣ ଜାଣିଥିଲା ଯେ ସେମିତି ଠିଆ ହେଲେ ସେ ସହକାରୀ ଜଣକୁ ମନରେ ଘୃଣା ଜନ୍ମାଇବା ବଦଳରେ ତା’କୁ ଆକୃଷ୍ଟ କରିବାର ସମ୍ଭାବନା ବେଶୀ ବୋଲି ? କିନ୍ତୁ କେ. ଆଉ ଫେରି ଅନାଇଁଲା ନାହିଁ, ସେ ଭାବିଲା ସେ ବରଂ ଯେତେ ଶୀଘ୍ର ପାରେ ଚାଲି ଯିବ, ଯାହା ଫଳରେ କି ସେ ଯଲଦି ଫେରି ଆସି ପାରିବ ।

 

ଚଉଦ

 

ଶେଷରେ, ସନ୍ଧ୍ୟା ବେଳକୁ, ଅନ୍ଧାର ହୋଇ ସାରିଥାଲଏ, କେ ବଗିଚା ରାସ୍ତା, ସଫା କରି ଦେଇଥାଏ, ରାସ୍ତା ଉଭୟ ପଟରେ ବରଫ ଜମା କରି ଦେଇଥାଏ, ବରଫକୁ ବାଡ଼େଇ ଟାଣ କରି ଦେଇଥାଏ, ଏବଂ ଦିନକର ଆଉସବୁ କାମ ମଧ୍ୟ ସାରି ଦେଇଥାଏ । ବଗିଚା ଗେଟ୍‌ ପାଖରେ ସେ ଠିଆ ହୋଇଥାଏ, ଏକ ବିପୁଳ ନିର୍ଜନତା ମଧ୍ୟରେ । ପଛରେ ରହିଯାଇ ଥିବା ସହକାରୀଜଣକୁ ସେ ଅନେକ ବେଳୁ ତଡ଼ି ଦେଇଥାଏ ଏବଂ ତାକୁ ବହୁତ ଦୂର ଯାଏଁ ଗୋଡ଼ାଇ ଯାଇଥାଏ, କିନ୍ତୁ ଲୋକଟା ବଗିଚା ଓ ସ୍କୁଲଘର ଭିତରେ କେଉଁଠି ଲୁଚି ଯାଇଥାଏ ଏବଂ ମିଳୁନଥାଏ, କିମ୍ବା ସେତେବେଳୁ ସେ ପଦାକୁ ବାହାରୁ ନଥାଏ । ଫ୍ରୀଡ଼ ଘର ଭିତରେ ଥାଏ, ଲୁଗା ସଫା କରିବା ଆରମ୍ଭ କରିଥାଏ, କିମ୍ବା ଗିସାର ବିରାଡ଼ିକୁ ସେ ଯାଏଁ ଗାଧୋଇ ଦେଉଥାଏ । ସେହି ଅପ୍ରୀତିକର ଓ ଅପ୍ରତ୍ୟାଶିତ କାମଟି ଫ୍ରୀଡ଼ାକୁ ଦିଆ ଯାଇଥାଏ । ସେଥିରୁ ଏହି ସୂଚନା ମିଳିଥାଏ ଯେ ଫ୍ରୀଡ଼ା ପ୍ରତି ଗିସାର ବିଶ୍ୱାସ ରହିଛି । ଫ୍ରୀଡ଼ା ସେ କାମ କରୁ ବୋଲି କେ. ଚାହିଁ ନଥାନ୍ତା । କିନ୍ତୁ ସେ ଦୁହିଁଙ୍କର ବିବିଧ ଦୁର୍ବଳତା ଦୃଷ୍ଟିରୁ ଗିସାର ଶୁଭ ଦୃଷ୍ଟି ହାସଲ କରିବା ପାଇଁ ସମସ୍ତ ସୁଯୋଗର ସଦ୍‌ବ୍ୟବହାର କରିବା ସେ ଦୁହିଁଙ୍କ ପକ୍ଷରେ ଆବଶ୍ୟକ ହେଉଥିଲା । ଗିସା ସପ୍ରଶଂସ ଦୃଷ୍ଟିରେ ଚାହିଁ ରହିଥିଲା, ଯେତେବେଳେ କେ. ସିଡ଼ିଘରୁ ଛୋଟ ପିଲାଙ୍କର ଗାଧୁଆ କୁଣ୍ଡଟା ଆଣିଲା, ପାଣି ଗରମ କଲା, ଏବଂ ଶେଷରେ ବିରାଡ଼ିଟାକୁ ଯତ୍ନରେ ସେକୁଣ୍ଡ ଭିତରେ ରଖିଲା । ତା’ପରେ ସେ ବିରାଡ଼ିଟାର ଯତ୍ନ ନେବା ପୂରା ପୂରି ଫ୍ରୀଡ଼ା ଉପରେ ଛାଡ଼ି ଦେଇଥିଲା, କାରଣ ସ୍ୱାଜର ପ୍ରଥମ ସନ୍ଧ୍ୟାରେ ଯାହା ସାଙ୍ଗରେ କେ.ର ପରିଚୟ ହୋଇଥିଲା, ସେ ଆସି ପହଞ୍ଚିଥାଏ; କେ.କୁ ଲଜ୍ଜାବୋଧ (ସେ ସନ୍ଧ୍ୟାର ଘଟଣା ବଳୀରୁ ଉଦ୍‌ଭୂତ) ଏବଂ ଜଣେ ରୁଣ ଦାତା ପ୍ରତି ପ୍ରଯୁଜ୍ୟ ଅଖଣ୍ଡ ଘୃଣାର ମିଶ୍ରଣରେ ସମ୍ଭାସଣ ଜଣାଇଥାଏ ଏବଂ ଅନ୍ୟ ସ୍କୁଲଘରଟା ଭିତରେ ଗିସାକୁ ଧରି ପଶିଥାଏ । ଉଭୟ ସେ ଘର ଭିତରେ ସେ ଯାଏଁ ଥାଆନ୍ତି । କେ. ବ୍ରାଜ୍‌ଇନ୍‌ରେ ଶୁଣିଥିଲା ଯେ ସ୍ୱାଜର୍‌ ସେ ଗାଁରେ କେତେଦିନ ହେଲା ରହିଛି, ଜଣେ ଦୁର୍ଗ ରକ୍ଷକର ପୁଅ ହେଲେ ବି ଗିସାର ପ୍ରେମ ପାଇଁ । ଏବଂ ପ୍ରଭାବଶାଳୀ ଲୋକଙ୍କ ଭିତରେ ତା’ର ବହୁ ପରିଚିତ ଥିବା ଯୋଗୁ ଯେ ଜଣେ ଛାତ୍ର-ଶିକ୍ଷକ ଭାବରେ ନିଯୁକ୍ତି ପାଇଥାଏ । ମୁଖତଃ ଗିସାର ସମସ୍ତ କ୍ଲାସ୍‍ରେ ଯୋଗ ଦେଇ ସେ ତା’ର ଧନ୍ଦା ତୁଲାଉଥାଏ, କେବେ ପିଲାଙ୍କ ଭିତରେ ସ୍କୁଲ ବେଞ୍ଚ୍‌ରେ ବସି ତ ଅନେକ ସମୟରେ ଶିକ୍ଷକ ଙ୍କ ପାଇଁ ଉଦ୍ଧିଷ୍ଟ ଡାୟାସ୍‌ ଉପରେ ଗିସାର ପାଦ ପାଖରେ ବସି । ତାର ଉପସ୍ଥିତ ସେମିତି କିଛି ବିଭ୍ରାଟ ସୃଷ୍ଟି କରୁ ନଥାଏ, ପିଲାମାନେ ସେଥିରେ ଅଭ୍ୟସ୍ତ ହୋଇ ସାରିଥାନ୍ତି, ବେଶ୍‌ ସହଜରେ, କାରଣ ସ୍ୱାଜର୍‌ ବୋଧ ହୁଏ ପିଲାଙ୍କୁ ଭଲ ପାଉ ନଥାଏ କିମ୍ବା ବୁଝିପାରୁ ନଥାଏ । ଏ ଗିସଠାରୁ ବ୍ୟାୟାମ ଶିକ୍ଷା ନେଲା ବେଳ ଛଡ଼ା ସେମାନଙ୍କ ସାଙ୍ଗରେ କ୍ୱଚିତ୍‌ କଥା ବାର୍ତ୍ତା କରୁଥାଏ । ଏବଂ ଗିସା ସହିତ ଘନିଷ୍ଠତାରେ ଏବଂ ତା’ର ନୈକଟ୍ୟ ଓ ଉଷ୍ମତାରେ କେବଳ ସେ ବେଶ୍‌ ସନ୍ତୁଷ୍ଟ ଥାଏ ।

 

ତା’ ବିଷୟରେ ସବୁଠାରୁ ଆଶ୍ଚର୍ଯ୍ୟ କଥାଟି ହେଲା ଏୟା, ବ୍ରିଜ୍‌ଇନ୍‌ରେ ଅନ୍ତତଃ ଲୋକେ କିଛିଟା ସମ୍ମାନ ଦେଖାଇ ସ୍ୱାଜର ବିଷୟରେ କଥାବାର୍ତ୍ତା କରୁଥିଲେ, ଯଦିଓ ତା’ର କ୍ରିୟା କଳାପ ପ୍ରଶଂସନୀୟ ହେବା ପରିବର୍ତ୍ତେ ବହୁତ ହାସ୍ୟକର ଥିଲା, ଏବଂ ଗିସାକୁ ସେହି ପ୍ରଶଂସାପୂର୍ଣ୍ଣ ବାତାବରଣ ଅଂଶ-ବିଶେଷ କରିଦିଆ ଯାଇଥିଲା । ତେବେ ଜଣେ ଛାତ୍ର ଶିକ୍ଷକର ପଦବୀ ପାଇ ସେ କେ. ଠାରୁ ବହୁ ଉର୍ଦ୍ଦ୍ୱରେ ବୋଲି ଯାହା ଭାବୁଥିଲା, ତା’ର କୌଣସି କାରଣ ନଥିଲା । ଏପ୍ରକାର ଗୁରୁତ୍ୱ ତା’ର ନଥିଲା । ଜଣେ ସ୍କୁଲ ଜାନିଟର୍‌ ଅନ୍ୟାନ୍ୟ କର୍ମଚାରୀଙ୍କ ନିକଟରେ ଜଣେ ଗୁରୁତ୍ୱପୂର୍ଣ୍ଣ ଲୋକ ଥିଲା-ଏବଂ ସ୍ୱାଜର୍‌ ଭଳି ଜଣେ ସହକାରୀ ପାଇଁ ସେ ଗୁରୁତ୍ୱ ବିଶେଷ ଭାବରେ ରହିବା କଥା-ଏବଂ ତାକୁ ସହଜରେ କରଛଡ଼ା ଦେଉ ନଥିଲା । ଯଦି ଚାକିରୀ ଦୃଷ୍ଟିରୁ ତା’କୁ ଘୃଣା କରିବାର ଯଥେଷ୍ଟ କାରଣ ନାହିଁ, ତେବେ ତା’କୁ ଉପଯୁକ୍ତ ସମ୍ମାନ ଦେଖାଇ ଗ୍ରହଣ କରି ନେବା ଉଚିତ । କେ. ଏକଥା ମନେ ରଖିବାକୁ ଠିକ୍‌ କରିନେଇଥିଲା, ଏବଂ ପ୍ରଥମ ସନ୍ଧ୍ୟାର ଭେଟ ଦୃଷ୍ଟିରୁ ସ୍ୱାଜର ତା’ ପାଖରେ ଋଣୀ ରହିଥିବା କଥା ମଧ୍ୟ । ତା’ ପରବର୍ତ୍ତୀ ଦିନମାନଙ୍କରେ ଘଟିଥିବା ଘଟଣାବଳୀ କେ. ପ୍ରତି ସ୍ୱାଜର୍‌ର ବ୍ୟବହାରକୁ ଯଥାର୍ଥ ସାବ୍ୟସ୍ତ କରିଥିଲେ ମଧ୍ୟ ସେ ଋଣର ପରିମାଣ କିଛି କମି ନଥିଲା । କାରଣ ଏହା ଭୁଲିଯିବା ଉଚିତ ନୁହେଁ ଯେ ଏହି ବ୍ୟବହାର ପରବର୍ତ୍ତୀ ଘଟଣାବଳୀ କି ରୂପ ନେବ ତାହା ସ୍ଥିର କରିଥିଲା । ସ୍ୱାଜର୍‌ ଯୋଗୁଁ କର୍ତ୍ତୃପକ୍ଷଙ୍କର ସମସ୍ତ ଦୃଷ୍ଟି ଅତ୍ୟନ୍ତ ଅଯୌକ୍ତିକ ଭାବରେ କେ ଉପରେ ନିବଦ୍ଧ ହୋଇ ଯାଇଥିଲା, ସେ ପହଞ୍ଚିବାର ପ୍ରଥମ ଘଣ୍ଟାକ ଭିତରେ ହିଁ । ଯଦିଓ ସେ ସେତେବେଳେ ଗାଁ ଭିତରେ ଜଣେ ସଂପୂର୍ଣ୍ଣ ଅଜଣା ଅଶୁଣା ଲୋକ, ଯାହାର ଜଣେ ହେଲେ ଚିହ୍ନା କେହି ନାହାନ୍ତି କିମ୍ବା ଦ୍ୱିତୀୟ ଆଶ୍ରୟ ସ୍ଥଳ ନାହିଁ । ଚାଲି ଚାଲି ସେ ବହୁତ ହାଲିଆ ହୋଉ ଯାଇଥିଲା, ନଡ଼ା ଶେଯ ଉପରେ ପଡ଼ି ନିଜକୁ ନିରାଶ୍ରୟ ବୋଲି ମନେ କରୁଥିଲା, ଏବଂ ଯେ କୌଣସି ସରକାରୀ ପ୍ରକିୟା ଉପରେ ପୂରା ନିର୍ଭର କରୁଥିଲା । ରାତିକ ପରେ ହୁଏତ ସବୁ କିଛି ବଦଳି ଯାଇଥାନ୍ତା, ଘଟଣାଗୁଡ଼ିକ ନୀରବରେ ଘଟିଯାଇଥାନ୍ତା ଏବଂ ସେ ଗୁଡ଼ିକୁ କେହି ସଂପୂର୍ଣ୍ଣ ଭାବରେ ଲକ୍ଷ୍ୟ କରି ନଥାନ୍ତେ । ସେ ଯାହା ହେଉନା କାହିଁକି, କେହି ତା’ ବିଷୟରେ କିଛି ଜାଣିପାରି ନଥାନ୍ତେ କିମ୍ବା ସନ୍ଦେହ କରି ନଥାନ୍ତେ; ତା’କୁ ଅନ୍ତତଃ ଦିନକ ପାଇଁ ଜଣେ ବାର ବୁଲା ଲୋକ ଭାବରେ ଗ୍ରହଣ କରିନେବା ପାଇଁ କାହାର କୁଣ୍ଠାବୋଧ ହୋଇ ନଥାନ୍ତା, ପାଖ ପଡ଼ିଶାରେ ତା’ର ସହଜଲଭ୍ୟତା ଓ ବିଶ୍ୱସ୍ତତାକୁ ଲୋକେ ଚିହ୍ନି ପାରିଥାନ୍ତେ ଓ ପ୍ରଶଂସା କରିଥାନ୍ତେ, ଏବଂ ସେ ବୋଧହୁଏ ଶୀଘ୍ରଜଣେ ଚାକର ଭାବରେ ଅନ୍ୟ କେଉଁ ଯାଗାରେ ରହିଯାଇ ପାରିଥାନ୍ତା । ଅବଶ୍ୟ କର୍ତ୍ତୃପକ୍ଷ ତା’କୁ ଖୋଜି ବାହାର ଦେଇଥାନ୍ତେ । କିନ୍ତୁ ପରସ୍ପର ଭିତରେ ବହୁତ ପାର୍ଥକ୍ୟ ଥିବା ଦୁଇପ୍ରକାର ଘଟଣାରୁ ଗୋଟିଏ ଘଟିଥାନ୍ତା । ଏକେ ସ୍ୱାଜର୍‌, ଯେକି ସେତେବେଳେ ବୋଧହୁଏ ଠିକ୍‌ ଅବସ୍ଥାରେ ନଥିଲା, ସେ ରାତି ଅଧରେ ସେଣ୍ଟ୍ରାଲ, ବୁରୋ କିମ୍ବା ଯେ କେହି ଟେଲିଫୋନ୍‌ ଧରିଥିଲା ତା’ ସାଙ୍ଗରେ କେ. ସମ୍ବନ୍ଧରେ ଶୀଘ୍ର ନିଷ୍ପତ୍ତି ନେବା ପାଇଁ ଜୋର୍‌ ଦେଇ ଅଥଚ ନମ୍ର ଭାବରେ ଅନୁରୋଧ କରିଥାନ୍ତା କିମ୍ବା କେ. ତା’ ପରଦିନ ଅଫିସ୍‌ ଚାଲିଥିବା ସମୟରେ ଚୁପ୍‌ ଚାପ ସୁପରିଣ୍ଟେଣ୍ଡେଣ୍ଟ ସାଙ୍ଗରେ ଦେଖା କରି କହିଥାନ୍ତା ଯେ ସେ ଜଣେ ବାରବୁଲା ଅଚିହ୍ନା ଲୋକ ଯେ’କି ଜଣେ ସମ୍ମାନିତ ବ୍ୟକ୍ତିଙ୍କ ଘରେ ରହିବା ପାଇଁ ଯାଗା ପାଇଛି ଏବଂ ଯେ’କି ବୋଧହୁଏ ଆଉ ଦିନକ ଭିତରେ ସେ ଯାଗା ଛାଡ଼ି ଚାଲିଯିବ, ଯଦି ଅନ୍ୟଥା କିଛି ନଘଟେ ଏବଂ ସେ ସେହି ଗାଁରେ କିଛି କାମ ପାଇଯାଏ, ଦିନେ ଦୁଇ ଦିନ ପାଇଁ କେବଳ, କାରଣ ସେ ବେଶୀ ଦିନ ସେଠାରେ ରହିବାକୁ ଚାହୁଁ ନାହିଁ । ସ୍କାଜର୍‌ ନଥିଲେ ତାହା କିମ୍ବା ସେପରି କିଛି ହିଁ ଘଟିଥାନ୍ତା । କର୍ତ୍ତୃପକ୍ଷ ସେ ବିଷୟରେ ଅଧିକ ଆଗେଇ ଥାନ୍ତେ, କିନ୍ତୁ ଧୀର ସ୍ଥିର ଭାବରେ, ସାଧାରଣ କାମ କରିବା ଭିତରେ, ଏବଂ ସେମାନେ ଯେଉଁ କଥାକୁ ବେଶୀ ଘୃଣା କରନ୍ତି, ଯଥା-ଜଣେ ଅପେକ୍ଷା କରିଥିବା ଲୋକର ଅଧୈର୍ଯ୍ୟ ହେବା, ତାହାଦ୍ଦ୍ୱାରା ବିବ୍ରତ ନହୋଇ । ହଁ, ସେ ସବୁ କେ.ର ଭିଲ୍‌ ନଥିଲା, ଥିଲା ସ୍ୱାଜର୍‌ର, କିନ୍ତୁ ସ୍ୱାଜର୍‌ ହେଲା ଜଣେ ଦୁର୍ଗ ରକ୍ଷକର ପୁଅ ଏବଂ ସେ ବାହ୍ୟ ସମ୍ଭ୍ରମ ରକ୍ଷା କରି କାମ କରୁଥିଲା, ଏବଂ ତେଣୁ ସେ ବିଷୟରେ କେବଳ କେ. ମୁଣ୍ଡରେ ହିଁ ଦାୟିତ୍ୱ ଆସି ପଡ଼ିଗଲା । ଏବଂ ସେ ସବୁର କ୍ଷୁଦ୍ରାତି କ୍ଷୁଦ୍ର କାରଣଟି କ’ଣ ? ବୋଧହୁଏ ସେ ଦିନ ଗିସାର ମନ ଖରାପ ଥିଲା, ଯାହା ଫଳରେ କି ସ୍ୱାଜର୍‌ ସାତାରାତି ଅନିଦ୍ରାରେ ଏଣେ ତେଣେ ବୁଲିଥିଲା ଏବଂ କେ. ଉପରେ ସବୁ ରାଗ ଶୁଝାଇ ଦେଲା । ଅବଶ୍ୟ ଅନ୍ୟ ପକ୍ଷରେ ଜଣେ ଯୁକ୍ତି କରିପାରେ ଯେ ସ୍ୱାଜର୍‌ ଯେଉଁ ଦୃଷ୍ଟି ଦେଖାଇଥିଲା, ସେଥିରେ କେ. ତା’ ପ୍ରତି କୃତଜ୍ଞ ରହିବା ଉଚିତ । ସେହି ଦୃଷ୍ଟି ଭଙ୍ଗୀ ଯୋଗୁଁ ହିଁ କେବଳ ପରିସ୍ଥିତି ସେପରି ରୂପ ନେଇଥିଲା, ଯାହାକି କେ. ପକ୍ଷରେ ହାସଲ୍‌ କରିବା ସମ୍ଭବ ହୋଇ ନଥାନ୍ତା, କିମ୍ବା ହାସଲ କରିବାକୁ ସେ ସାହସ କରି ନଥାନ୍ତା, ଏବଂ ଯାହା ଘଟିବା ପାଇଁ କର୍ତ୍ତୃପକ୍ଷ ନିଜେ ମୋଟେ ଅନୁମତି ନେଇ ନ ଥାନ୍ତେ । ପରିସ୍ଥିତିଟି ହେଲା :-ପୂରା ଆରମ୍ଭରୁ ହିଁ କୌଣସି ଛଳନାର ଅବକାଶ ନଥାଇ ସେ କର୍ତ୍ତୃପକ୍ଷଙ୍କ ସହିତ ସାମ୍ନା ସାମ୍ନି ହୋଇଗଲା, ଯେତେ ଦୂର ତାହା ସମ୍ଭବ ହେଲା । ତଥାପି ତାହା ଥିଲା ଏକ ସନ୍ଦେହ ପୂର୍ଣ୍ଣ ଲାଭ; ଅବଶ୍ୟ ତାହାଦ୍ଦ୍ୱାରା କେ.କୁ ମିଛ କହିବା ବା ଫନ୍ଦି କରିବା ଦରକାର ପଡ଼ିଲା ନାହିଁ, କିନ୍ତୁ ତାହା କେ.କୁ ପ୍ରାୟ ନିରାଶୟ କରି ପକାଇଲା, ସଂଘର୍ଷରେ ତା’କୁ ଯାହା ହେଲେ ବି ଅକର୍ମ୍ମଣ କରିଦେଲା, ଏବଂ ତା’କୁ ସଂପୂର୍ଣ୍ଣ ହତାସ କରି ଦେଇଥାନ୍ତା, ଯଦି ସେ ନିଜକୁ ମନେପକାଇ ଦେଇ ନଥାନ୍ତା ଯେ ତା’ ନିଜର ଏବଂ କର୍ତ୍ତୃପକ୍ଷଙ୍କ ଶକ୍ତି ଭିତରେ ଥିବା ପାର୍ଥକ୍ୟ ଏତେ ବିରାଟ ଯେ ସେ ଯେତେ ଦୂର ଛଳନା କରିବାପାଇଁ ସମର୍ଥ ସେତେଦୂର କରି ନିଜର ଲାଭ ପାଇଁ ସେ ପାର୍ଥକ୍ୟକୁ ଉପଯୁକ୍ତ ପରିମାଣରେ କମାଇ ଦେଇ ପାରିବ ନାହିଁ । କିନ୍ତୁ ସେ ଚିନ୍ତା କେବଳ ଥିଲା ତା’ର ଆତ୍ମ ସନ୍ତୋଷ ପାଇଁ; ସେ ଯାହା ହେଲେ ବି ସ୍ୱାଜର୍‌ ତା’ ପାଖରେ ଋଣୀ, ଏବଂ ସେ କେ.ର କ୍ଷତି କରି ସାରିବା ପରେ ବର୍ତ୍ତମାନ ତା’କୁ ସାହାଯ୍ୟ କରିପାପାଇଁ ଡକା ହୋଇ ପାରିବ । ଅତି ଛୋଟ ଓ ଅନିର୍ଦ୍ଦିଷ୍ଟ ପ୍ରାରମ୍ଭିକ ଚେଷ୍ଟାଗୁଡ଼ିକରେ କେ. ପାଇଁ ଅନ୍ୟର ସାହାଯ୍ୟ ଦରକାର ହେବ, କାରଣ ବାର୍ଣ୍ଣାବାସ୍‌ ପୁଣି ତା’କୁ ଠକି ଦେଇଥିବା ଭଳି ମନେ ହେଉଥିଲା ।

 

ଫ୍ରୀଡ଼ା ଯୋଗୁଁ କେ. ଦିନସରା ବାର୍ଣ୍ଣାବାସ୍‌ ଘରକୁ ଗଲା ନାହିଁ, କ’ଣ ହେଲା ପଚାରି ଆସିବାକୁ । ଫ୍ରୀଡ଼ାର ଉପସ୍ଥିତିରେ ବାର୍ଣ୍ଣାବାସ୍‌ ତା’ ପାଖକୁ ଯେମିତି ନ ଆସିବ ସେଥିପାଇଁ ସେ ଘର ବାହାରେ ରହି କାମ ଦାମ କଲା ଏବଂ ତା’ ସରିଯିବା ପରେ ବି ବାର୍ଣ୍ଣାବାସ୍‌କୁ ଅପେକ୍ଷା କରି ସେମିତି ବାହାରେ ରହିଲା, କିନ୍ତୁ ବାର୍ଣ୍ଣାବାସ୍‌ ଆସିଲା ନାହିଁ । ବର୍ତ୍ତମାନ ସେ କେବଳ ଗୋଟିଏ କଥା କରି ପାରିବ, ବାର୍ଣ୍ଣାବାସ୍‌ର ଭଉଣୀମାନଙ୍କୁ ଭେଟି ପାରିବ, ମିନିଟିଏ ଦୁଇ ମିନିଟ୍‌ ପାଇଁ, ସେ କେବଳ ଦୁଆର ବନ୍ଧରେ ଠିଆ ହୋଇ ପଚାରିବ, ଏବଂ ଶୀଘ୍ର ଘରକୁ ଫେରି ଆସିବ । ତେଣୁ ସେ କୋଦାଳଟାକୁ ବରଫ ଭିତରେ ଠେସି ଦେଲା ଏବଂ ବାର୍ଣ୍ଣାବାସ୍‌ ଘର ଆଡ଼େ ପ୍ରାୟ ଦୌଡ଼ି ଦୌଡ଼ି ଗଲା । ଧଇଁ ସଇଁ ହୋଇ ସେ ବାର୍ଣ୍ଣାବାସ୍‌ ଘରେ ପହଞ୍ଚିଲା, ଏବଂ କବାଟ ଧଡ଼ ଧଡ଼ କରି ସେଟାକୁ ଖୋଲି ଦେଲା ଏବଂ ଘର ଭିତରେ କିଏ ଅଛି ନ ଦେଖି ନ ଶୁଣି ପଚାରିଲା; ‘‘ବାର୍ଣ୍ଣାବାସ୍‌ କ’ଣ ଏଯାଏଁ ଫେରି ନାହାଁନ୍ତି ? ‘‘ସେତେବେଳେ ଯାଇ ସେ ଦେଖି ପାରିଲା ଯେ ଓଲ୍‌ଗା ସେଠାରେ ନାହିଁ, । ଏବଂ ବୁଢ଼ା ବୁଢ଼ୀ ଦୁଇ ଜଣ ଯେଉଁମାନେ କି ଫାଙ୍କା ଦୃଷ୍ଟିରେ ଅନାଇଁ ପୁଣି ସେମିତି ଟେବୁଲ୍‌ର ଶେଷ ଆଡ଼କୁ ବସିଥିଲେ, ସେମାନେ ବୁଝି ପାରୁ ନଥିଲେ ଦୁଆର ବନ୍ଧଠାରେ କ’ଣ ଘଟୁଛି ଏବଂ ବର୍ତ୍ତମାନ ଆସ୍ତେକିନା ସେଆଡ଼େ ବୁଲି ଅନାଇଁଛନ୍ତି ଏବଂ ଶେଷରେ କେ. ଦେଖି ପାରିଲା ଆମାଲିଆ ଗୋଟିଏ କମ୍ବଳ ଘୋଡ଼ି ହୋଇ ନିଆଁ ଜଳା ଯାଗା ପାଖରେ ଶୋଇଥିଲା ଏବଂ ହଠାତ୍‌ କେ. ପହଞ୍ଚିଯିବା ଦେଖି ଚମକି ପଡ଼ିଲା ଏବଂ ନିଜକୁ ପ୍ରକୃତିସ୍ଥ କରିବା ପାଇଁ କପାଳରେ ହାତ ଦେଇ ସେ ଉଠିଲା । ଯଦି ଓଲ୍‌ଗା ସେଠାରେ ଥାଆନ୍ତା, ସେ ତତ୍‌କ୍ଷଣାତ୍‌ ଉତ୍ତର ଦେଇଥାନ୍ତା, ଏବଂ କେ. ପୁଣି ଫେରି ଯାଇଥାନ୍ତା, କିନ୍ତୁ ସେ ଯାହା ହେଉ କେ.କୁ ପାଦେ ଦୂଇ ପାଦ ଆଗେଇ ଯିବାକୁ ହେଲା ଆମାଲିଆ ଆଡ଼କୁ, ତା’ ହାତ ବଢ଼ାଇ ଦେଲା, ଆମାଲିଆ ନୀରବରେ ସେ ହାତକୁ ଚାପ ଦେଲା, ଏବଂ କେ. ତା’କୁ ଅନୁନୟ କଲା ଯେ ସେ ଦେଖୁ ଯେମିତି ବୁଢ଼ା ବୁଢ଼ୀ ଦୁଇଜଣ ଘର ଭିତରେ ବୁଲିବା ଆରମ୍ଭ କରି ନ ଦିଅନ୍ତୁ । ଆମାଲିଆ ଅଳ୍ପ କେଇପଦ କଥା କହି ତାହା କରି ଦେଲା-। କେ. ଶୁଣିଲା ଯେ ଓଲ୍‌ ଗାଆଗଣାରେ କାଠ ହାଣୁଛି, ଏବଂ ଆମାଲିଆ ହାଲିଆ ହୋଇ ଯାଇ-କ’ଣ ପାଇଁ ସେ କହିଲା ନାହିଁ–ଅଳ୍ପ କିଛି ସମୟ ହେଲା ଶୋଇ ପଡ଼ିବାକୁ ବାଧ୍ୟ ହୋଇଥିଲା, ଏବଂ ବାର୍ଣ୍ଣାବାସ୍‌ ସେ ଯାଏଁ ପ୍ରକୃତରେ ଫେରି ନଥିଲା, କିନ୍ତୁ ସେ ଶୀଘ୍ର ଫେରି ଆସିବା କଥା, କାରଣ ସେ କେବେ ହେଲେ ଦୁର୍ଗରେ ରାତିରେ ରହିଯାଉ ନଥିଲା । ଏ ଖବର ପାଇଁ କେ. ତା’କୁ ଧନ୍ୟବାଦ ଦେଲା, ଯାହା ଫଳରେ ସେ ବର୍ତ୍ତମାନ ଫେରି ଯାଇ ପାରିଥାନ୍ତା, କିନ୍ତୁ ଆମାଲିଆ ତା’କୁ ପଚାରିଲା ସେ କ’ଣ ଓଲ୍‌ଗା ସାଙ୍ଗରେ ଦେଖା କରିବାକୁ ଅପେକ୍ଷା କରିବ ନାହିଁ କି ବୋଲି । ତେବେ ସେ କହିଲା ଯେ ଦିନ ବେଳା କେ. ଓଲ୍‌ଗା ସାଙ୍ଗରେ ତ କଥାବାର୍ତ୍ତା କରିଛି । ସେ ଆଶ୍ଚର୍ଯ୍ୟ ହୋଇ ଉତ୍ତର ଦେଲା ଯେ ସେ କଥାବାର୍ତ୍ତା କରିନାହିଁ ଏବଂ ଓଲ୍‌ଗା ତା’କୁ କହିବା ପାଇଁ ନିର୍ଦ୍ଦିଷ୍ଟ ଭାବରେ ଜରୁରୀ କୌଣସି କଥା ଅଛି କି ବୋଲି ସେ ପଚାରିଲା । ସତେ ଯେମିତି ଆମାଲିଆ ସାମାନ୍ୟ ବିରକ୍ତ ହେଲା । ସେ ଚୁପ୍‌ ଚାପ ତା’ ପାଟିକୁ ଚାପି ଧରିଲା ମୁଣ୍ଡ ହଲାଇଲା, ସ୍ପଷ୍ଟ ଭାବରେ ତା’କୁ ବିଦାୟ ଜଣେଇ, ଏବଂ ପୁଣି ଶୋଇ ପଡ଼ିଲା । ସେମିତି ଶୋଇ ରହିବା ଅବସ୍ଥାରେ ସେ ତା’ ଉପରେ ତା’ ଦୃଷ୍ଟି ନିବଦ୍ଧ କରି ରଖିଲା, ସତେ ଯେମିତି କେ. ସେଠାରେ ସେମିତି ଠିଆ ହୋଇ ରହିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ତା’ ର ଦୃଷ୍ଟି ଥିଲା । ଶୀତଳ, ପରିଷ୍କାର ଓ ନିର୍ଦ୍ଦିଷ୍ଟ ମଧ୍ୟ । ତାହା ଠିକ୍‌ ସେ ଚାହିଁ ରହିଥିବା ବସ୍ତୁ ଉପରେ ସମାନ୍ତର ଭାବେ ନିବଦ୍ଧ ନଥିଲା, କିନ୍ତୁ ବିଚଳିତ ଭାବରେ ସେ ବସ୍ତୁକୁ କିଛିଟା ଟପି ଯାଇଥିଲା । ସ୍ପଷ୍ଟ ଲକ୍ଷ୍ୟ କରି ହେଉ ନଥିଲେ ମଧ୍ୟ ଦୃଷ୍ଟି ନିଶ୍ଚୟ ବସ୍ତୁକୁ କିଛିଟା ଟପି ଯାଉଥିଲା । ତା’ର କାରଣ ଆମାଲିଆର ଦୁର୍ବଳତା ନୁହେଁ ବୋଧହୁଏ, କିମ୍ବା ଲଜ୍ଜାବୋଧ ନୁହେ କିମ୍ବା ଛଳନା ନୁହେ । ତା’ର କାରଣ ହେଲା ନିଃସଙ୍ଗତା ହାସଲ କରିବା ପାଇଁ ଏକ ନିୟମିତ ଓ ଶକ୍ତିଶାଳୀ ଇଚ୍ଛା । ଏହି ଭାବରେ ହିଁ ବୋଧହୁଏ ସେ ଇଚ୍ଛା ବିଷୟରେ ସଚେତନ ହେଉଥିଲା । କେ ଭାବିଲା ତା’ର ମନେ ପଡ଼ୁଛି ସେ କେମିତି ପ୍ରଥମ ସନ୍ଧ୍ୟାରେ ଏହି ଦୃଷ୍ଟି ଦ୍ୱାରା ହଡ଼ବଡ଼େଇ ଯାଇଥିଲା । ସମ୍ଭବତଃ ସେ ପରିବାର ହଠାତ୍‌ ତା’କୁ ଦେଇଥିବା ସମଗ୍ର ଘୃଣା ପୂର୍ଣ୍ଣ ଧାରଣାଟି ସେ ଦୃଷ୍ଟିରେ ନିହିତ ଥିଲା । ସେ ଦୃଷ୍ଟି ଆପେ ଘୃଣା ପୂର୍ଣ୍ଣ ନଥିଲା, ବରଂ ଥିଲା ଅହଙ୍କାରୀ ଓ ସ୍ୱକୀୟ ଗାମ୍ଭୀର୍ଯ୍ୟରେ ସ୍ଥିର ନିଶ୍ଚଳ । ‘‘ତମେ ସବୁବେଳେ ଏତେ ମନ ମାରି ରହୁଚ, ଆମାଲିଆ, ‘‘କେ କହିଲା, ‘‘କ’ଣ ହେଇଚି ତମର ? ତମେ କ’ଣ କହି ପାରିବନି ତମର କ’ଣ ହେଇଚି ? ମୁଁ ତମ ଭଳି ଗୋଟିଏ ଗାଉଁଲି ଝିଅ କେବେ ଦେଖିନି । ଏକଥା ମୋର କେବେ ମନେ ହେଉନି । ତମେ ସତରେ କ’ଣ ଏଗାଁର ଝିଅ ? ତମେ ଏଇଠି ଜନ୍ମ ହେଇଚ ?’’ ଆମାଲିଆ ମୁଣ୍ଡ ହଲାଇଲା, ସତେ ଯେମିତି କେ ଏହି ଶେଷପ୍ରଶ୍ନଟି ହିଁ ପଚାରିଥିଲା, ଏବଂ ତା’ପରେ କହିଲା: ‘‘ତା’ ହେଲେ ଆପଣ ଓଲଗାକୁ ଅପେକ୍ଷା କରିବେ ? ‘‘ମୁଁ ବୁଝି ପାରୁନି ତମେ କାହିଁକି ଥରକୁ ଥର ମତେ ସେ କଥା ପଚାରୁଚ,’’ କେ କହିଲା, ‘‘ମୁଁ ଆଉ ରହିପାରିବିନି କାରଣ ମୋର ଭାବୀ ସ୍ତ୍ରୀ ମତେ ଘରେ ଅପେକ୍ଷା କରିଚି ।’’ ଆମାଲିଆ କହୁଣୀ ଭାଗ ଦେଇ ଉଠିଲା; ସେ କେ.ର ନିର୍ବନ୍ଧ କଥା ଶୁଣି ନଥିଲା । କେ ଫ୍ରୀଡ଼ାର ନାଁ କହିଲା । ଆମାଲିଆ ତା’କୁ ଜାଣିନଥିଲା । ଓଲଗା ସେମାନଙ୍କ ନିର୍ବନ୍ଧ କଥା ଜାଣିଛିକି ବୋଲି ସେ ପଚାରିଲା । କେ କହିଲା ସେ ଭାବୁଚି ସେ ଜାଣିଛି ବୋଲି, କାରଣ ଓଲ୍‌ଗା ତା’କୁ ଫ୍ରୀଡ଼ା ସାଙ୍ଗରେ ଦେଖିଛି, ଏବଂ ସେ ପ୍ରକାର ଖବର ଗାଁ ଭିତରେ ଖୁବ୍ ଶୀଘ୍ର ବ୍ୟାପିଯାଏ । ଆମାଲିଆ କିନ୍ତୁ ତା’କୁ ଜୋର୍‌ ଦେଇ କହିଲା ଯେ ଓଲ୍‌ଗା ସେ ବିଷୟରେ କଇଚି ଜାଣେ ନାହିଁ, ଏବଂ ସେ ଜାଣିଲେ ବହୁତ ମନ ଖରାପ କରିବ, କାରଣ ସେ କେ.କୁ ଭଲ ପାଉଥିବା ଭଳି ମନେ ହେଉଥିଲା । ଓଲ୍‌ଗା ନିଜେ ସେ କଥା ସିଧା କହିନାହିଁ, କାରଣ ସେ ବେଶୀ କଥା କହେ ନାହିଁ, କିନ୍ତୁ ପ୍ରେମ ଅବଲିଳା କ୍ରମେ ନିଜକୁ ପରାସ୍ତ କରି ଦେଇଛି । କେ. ନିଶ୍ଚିତ ହେଲା ଯେ ଆମାଲିଆ ଭୁଲ୍‌ ବୁଝିଛି । ମାଆଲିଆ ହସିଲା, ଏବଂ ତା’ର ଏହି ହସ ଦୁଃଖ ପୂର୍ଣ୍ଣ ହେଲେ ବି ତା’ର ବିମର୍ଷ ମୁହଁକୁ ଉଦ୍‌ଭାସିତ କରି ଦେଲା, ତା’ର ନିରବତାକୁ କରିଦେଲା ବାତ୍ଂମୟ, ତା’ର ଦୂରତ୍ୱକୁ ଅନ୍ତରଙ୍ଗ, ଏବଂ ଏଯାଏଁ ଅତି ରଗ୍ରହରେ ଲୁଚାଇ ରଖା ଯାଇଥିବା ଏକ ପ୍ରହେଳିକାକୁ ବାହାରକୁ ନେଇ ଆସିଲା । ସେ ପ୍ରହେଳିକାକୁ ପ୍ରକୃତରେ ଆଉ ଥରେ ଲୁଚାଇ ଦିଆ ଯାଇ ପାରିବ, କିନ୍ତୁ ଆଉ ଏମିତି ସଂପୂର୍ଣ୍ଣ ଭାବରେ ନୁହେ । ଆମଲିଆ କହିଲା ଯେ. ସେ ନିଶ୍ଚୟ ଭୁଲ୍‌ ବୁଝି ନାହିଁ; ସେ ଆହୁରି ଆଗେଇ ଯାଇ ଜୋର ଦେଉ କହି ପାରିବ ଯେ କେ. ମଧ୍ୟ ଓଲ୍‌ଗା ଆଡ଼କୁ କିଛିଟା ଢଳିଥିଲା, ଏବଂ ବାର୍ଣ୍ଣାବାସ୍‌ ଠାରୁ କୌଣସି ନା କୌଣସି ଖବର ନେବା ପାଇଁ କେ. ଯେ ତାଙ୍କ ଘରକୁ ଆସୁଥିଲା, ତା’ର ପ୍ରକୃତ ଉଦ୍ଧେଶ୍ୟ ଥିଲା ଓଲ୍‌ଗାକୁ ଦେଖା କରିବା । କିନ୍ତୁ ବର୍ତ୍ତମାନ ଯେହେତୁ ଆମାଲିଆ ସେ ବିଷୟ ସବୁ ଜାଣିସାରିଲାଣି, କେ. ନିଜ ବିଷୟରେ ଏତେଟା ସଚେତନ ହେବା ଦରକାର ନାହିଁ ଏବଂ ତାଙ୍କ ଘରକୁ ଆହୁରି ବେଶୀ ଥର ସେ ଆସିପାରେ ଆମାଲିଆ ଏତିକି ହିଁ କହିବାକୁ ଚାହୁଁଥିଲା । କେ. ମୁଣ୍ଡ ହଲାଇଲା ଏବଂ ତା’ ନିଜର ନିର୍ବନ୍ଧକଥା ଆମାଲିଆକୁ ମନେ ପକାଇ ଦେଲା । ଆମାଲିଆରା ଆମଲିଆ ସେ ନିର୍ବନ୍ଧ ପ୍ରତି କୌଣସି ଗୁରୁତ୍ୱ ଦେଇ ନଥିବା ଭଳି ମନେ ହେଲା । କେ. ତ ସବୁବେଳେ ଏକୁଟିଆ ଆସେ ଏବଂ ସେଥିରୁ ଆମାଲିଆ ହଠାତ୍‌ ଯାହା ଧାରଣ ହୋଇଛି, ତାହାହିଁ ଶେଷ କଥା । କେ.ର କେବେ ସେ ଝିଅ ସାଙ୍ଗରେ ଜଣା ଶୁଣା ହେଲା କେବଳ ସେ ପଚାରିଲା କାରଣ କେ. ତ ଅଳ୍ପ ଦିନ ହେଲା ଯେ ଗାଁକୁ ଆସିଛି । ହେରେନ୍‌ହଫ୍‌ ଠାରେ ସେ ରାତି ବିଷୟ କେ. ତାକୁ କହିଲା । ତାହା ଶୁଣି ଆମଲିଆ ସଂକ୍ଷିପ୍ତ ଭାବରେ କେବଳ ଏତିକି କହିଲା ଯେ କେ.କୁ ହେରେନ୍‌ହଫ୍‌ ନିଆଯିବା ବିରୁଦ୍ଧରେ ସେ ବହୁତ ଆପତ୍ତି କରିଥିଲା ।

 

ସେ ତା’ କଥା ପାଇଁ ସମର୍ଥନ ଲୋଡ଼ିଲା ଓଲ୍‌ଗାଠାରୁ, ଯେକି ସେତେବେଳେ କାଠ ଗୋଛାଏ ଧରି ଆସି ଏଇମାତ୍ର ପହଞ୍ଚିଥିଲା । ଓଲ୍‌ଗା ବାହାରର ଥଣ୍ଡା ପବନରୁ ଆସି ସତେଜ ଓ ଉଜ୍ଜ୍ୱଳ ଦିଶୁଥିଲା । ସେ ବେଶ୍‌ ଟାଣୁଆ ଓ ପରିଷ୍କାର ଦିଶୁଥିଲା, ସତେ ଯେମିତି ଘର ଭିତରେ ଲକ୍ଷ୍ୟହୀନ ଭାବରେ ଠିଆ ହେବା ଅବସ୍ଥାରୁ ଏହି ପରିବର୍ତ୍ତନ ତାକୁ ସଂପୂର୍ଣ୍ଣ ଭାବରେ ବଦଳାଇ ଦେଇଥିଲା । ସେ କାଠ ଗୋଛାକ ତଳେ ପକାଇ ଦେଲା, ଖୋଲା ଖୋଲି ଭାବରେ କେ. କୁ ଅଭିବାଦନ କଲା ଏବଂ ତତ୍‌କ୍ଷଣାତ୍‌ ଫ୍ରୀଡ଼ା କଥା ପଚାରିଲା । କେ. ଆମାଲିଆ ସାଙ୍ଗରେ ଦୃଷ୍ଟି ଆଦାନ ପ୍ରଦାନ କଲା, କିନ୍ତୁ ଆମାଲିଆ ମୋଟେ ବିଚଳିତ ମନେ ହେଉ ନଥିଲା । ସାମାନ୍ୟ ଆଶ୍ୱସ୍ତ ହୋଇ କେ ଅଧିକ ନିରଙ୍କୁଶ ଭାବରେ ଫ୍ରୀଡ଼ା କଥା କହିଲା । ଅନ୍ୟ ଅବସ୍ଥାରେ ସେ ସେମିତି କହି ପାରି ନ ଥାନ୍ତା । ସେ ବର୍ଣ୍ଣନା କଲା ଫ୍ରୀଡ଼ା କେତେ ଅସୁବିଧା ସହି ସ୍କୁଲରେ କୌଣସି ମତେ କେମିତି ଘର ଚଳାଉଛି, ଏବଂ ସେ ଏତେ ତରବରରେ ସବୁକଥା କହିଗଲା ଯେ-କାରଣ ସେ ତତ୍‌କ୍ଷଣାତ୍‌ ଫେରି ଯିବାକୁ ଚାହଁଥିଲା-ବିଦାୟ ନେଇ ଗଲା ବେଳେ ତା’ ଘରକୁ ଆସିବା ପାଇଁ ସେ ଦୁଇ ଭଉଣୀଙ୍କୁ କହିବାକୁ ଯାଇ ନିଜ କଥା ଭୁଲିଗଲା । ଆମଲିଆ ଯେତେବେଳେ ତା’କୁ ଆଉ ଗୋଟିଏ ହେଲେ ଶବ୍ଦ କହିବାକୁ ନଦେଇ ନିମନ୍ତ୍ରଣ ଗ୍ରହଣ କରିନେଲା, କେ. ଥାଥା ମାମା ହୋଇ ଏଣୁ ତେଣୁ କହିବାକୁ ଲାଗିଲା । ତା’ ପରେ ଓଲ୍‌ଗା ସେ ନିମନ୍ତ୍ରଣ ସହିତ ଜଡ଼ିତ ହୋଇଯିବାକୁ ବାଧ୍ୟ ହେଲା । କିନ୍ତୁ ସେ ଶୀଘ୍ର ଘରକୁ ଫେରିବ । ଉଚିତ୍‌ ବୋଲି ବିବ୍ରତ ହୋଇ ଏବଂ ଆମାଲିଆର ଚାହାଁଣୀରେ ଅସ୍ୱିସ୍ତି ବୋଧ କରି, କେ. କୌଣସି କୁଣ୍ଠା ନକରି ମାନିନେଲା ଯେ ସେ ଆଗରୁ ଚିନ୍ତା ନକରି ନିମନ୍ତ୍ରଣ କରି ବସିଛି, ବ୍ୟକ୍ତଗତ ଆବେଗରୁ । କେବଳ, କିନ୍ତୁ ଦୁଃଖର କଥା ସେ ତା’ର ନିମନ୍ତ୍ରଣ ପ୍ରତ୍ୟାହାର କରି ନେଉଛି, କାରଣ ଫ୍ରୀଡ଼ା ଓ ସେମାନଙ୍କ ପରିବାର ଭିତରେ ଚରମ ଶତ୍ରୁତା ରହିଛି, ଯାହାକି ତା’ ପାଇଁ ବେଶ୍‌ ଅବୋଧ୍ୟ । ‘‘ତା’ ଶତ୍ରୁତା ନୁହେଁ,’’ ଆମାଲିଆ କହିଲା, ଖଟ ଉପରୁ ଉଠି ପଡ଼ି ଓ କମ୍ବଳଟାକୁ ପଛକୁ ଠେଲି ଦେଇ, ‘‘ତା’ ସେମିତି କିଛି ନୁହେ, କେବଳ ସେ ଯାହା ଚାରିଆଡ଼େ ଶୁଣୁଚି ସେ କଥାକୁ ଶୁଆ ପରି ଘୋଷି ହେଉଚି । ଏବଂ ବର୍ତ୍ତମାନ ଯା’ନ୍ତୁ, ପଳାନ୍ତୁ, ଯା’ନ୍ତୁ ଆପଣଙ୍କର ଯୁବା ବୟସୀ ସ୍ତ୍ରୀଲୋକ ପାଖକୁ, ମୁଁ ବୁଝି ପାରୁଚି ଆପଣ ଖୁବ୍ ତରବର ହେଉଚନ୍ତି । ଆମେ ଆସିଯିବୁ ବୋଲି ଆପଣ ମୋଟେ ଡରନ୍ତୁ ନାହିଁ, ମୁଁ କେବଳ ମଜାରେ ସେମିତି କହିଦେଲି, ଖେଚଡ଼ାମିରେ । କିନ୍ତୁ ଆପଣ ଆମ ସାଙ୍ଗେ ଦେଖା କରିବାକୁ ଆହୁରି ବେଶୀ ବେଶୀ ଆସି ପାରନ୍ତି, ଆପଣଙ୍କୁ କେହି ବାଧା ଦେବନି, ଆପଣ ସବୁବେଳେ କହି ଦେଇ ପାରନ୍ତି ଯେ ବାର୍ଣ୍ଣାବାସ୍‌ଠୁ’ ଖବର ନେବାକୁ ଆସିଛନ୍ତି । ମୁଁ ଏକଥା ଆପଣଙ୍କ ପାଇଁ ଆହୁରି ସହଜ କରିଦେବି, ଏୟା ଆପଣଙ୍କୁ କହି ଯେ ବାର୍ଣ୍ଣାବାସ୍‌ ଦୁର୍ଗରୁ ଆପଣଙ୍କ ପାଇଁ କିଛି ଖବର ଆଣିଥିଲେ ବି ଆପଣଙ୍କୁ ଭେଟିବା ପାଇଁ ସ୍କୁଲ ଯାଏଁ ଯାଇ ପାରିବ ନାହିଁ, ବିଚରା ଚାକିରି କରି ତ ହାଲିଆ ହୋଇ ଯାଉଛି, ଖବର ନେବା ପାଇଁ ଆପଣ ନିଜେ ଆସିବାକୁ ପଡ଼ିବ ।’’ ଏତେ ଗୁଡ଼ାଏ ବାକ୍ୟ ଆମାଲିଆ ଏକା ଧାରରେ କହିବା କେ. କେବେ ଶୁଣି ନଥିଲା । ଏବଂ ସେଗୁଡ଼ିକ ତା’ର ସ୍ୱାଭାବିକ କଥାବାର୍ତ୍ତା ଠାରୁ ଖୁବ୍‌ ଅଲଗା ଶୁଭିଲା । ସେଗୁଡ଼ିକରେ ଏମିତି ଏକ ମର୍ଯ୍ୟାଦା ବୋଧ ଥିଲା, ଯାହାକି କେବଳ ଯେ କେ. କୁ ମୁଗଧ୍‌ କଲା ତାହା ନୁହେ, ଓଲ୍‌ଗାକୁ ମଧ୍ୟ, ଯଦିଓ ଓଲ୍‌ଗା ତା’ ଭଉଣୀର କଥାବାର୍ତ୍ତା ସହିତ ବେଶ୍‌ ଅଭ୍ୟସ୍ତ ଥିଲା । ସେ ଗୋଟାଏ ପଖାକୁ ଯାଇ ହାତ ଯୋଡ଼ି ପୁଣି ଥରେ ଠିଆ ହେଲା, ତା’ର ସ୍ୱାଭାବିକ ନିର୍ବେଦ ଓ କିଛିଟା ଆଗକୁ ନଇଁ ପଡ଼ିବା ଭଙ୍ଗୀରେ, ଆମାଲିଆ ଉପରେ ତା’ର ଦୃଷ୍ଟି ନିବଦ୍ଧ କରି । ଅନ୍ୟ ପକ୍ଷରେ ଆମାଲିଆ କେବଳ କେ.କୁ ଅନାଇଁ ରହିଲା । ‘‘ଏଇଟା ଭୁଲ୍‌ କଥା,’’ କେ. କହିଲା, ‘‘ବଡ଼ ଭୁଲ କଥା ଭାବିବା ଯେ ମୁଁ ବାର୍ଣ୍ଣାବାସ୍‌ଙ୍କୁ ଦେଖା କରିବା ପାଇଁ ଆତୁର ନୁହେ ଉଦ୍‌ଗ୍ରୀବ ନୁହେ, ତା’ ତ ମୋର ସବୁଠୁ ବେଶୀ ଜରୁରୀ ଇଚ୍ଛା, ପ୍ରକୃତରେ ମୋର ଏକମାତ୍ର ଇଚ୍ଛା କର୍ତ୍ତୃପକ୍ଷଙ୍କ ସାଙ୍ଗରେ ମୋ’ ବିଷୟର ଉପଯୁକ୍ତ ନିଷ୍ପତ୍ତି କରିନେବା । ଏବଂ ବାର୍ଣ୍ଣାବାସ୍‌କୁ ମତେ ସେଥିରେ ସାହାଯ୍ୟ କରିବାକୁ ପଡ଼ିବ, ମୋର ଅଧିକାଂଶ ଆଶାର ସଫଳତା ତାଙ୍କ ଉପରେ ନିର୍ଭର କରୁଚି । ମୁଁ ମାନୁଚି ଯେ ସେ ଥରେ ମତେ ବହୁତ ନିରାଶ କରିଛନ୍ତି, କିନ୍ତୁ ସେଇଟା ତା’ ଅପେକ୍ଷା ବେଶୀ ମୋର ଭୁଲ୍‌ । ଏ ଗାଁରେ ଆସି ପହଞ୍ଚିବାର ପ୍ରଥମ କେଇ ଘଣ୍ଟାର ଅନୁଭୂତିରେ ବାଉଳା ହୋଇ ମୁଁ ଭାବି ନେଇଥିଲି ଯେ ସନ୍ଧ୍ୟାବେଳେ କିଛି ବାଟ ବୁଲି ଆସିଲେ ସବୁ କଥାର ସମାଧାନ ହୋଇଯିବ । ଏବଂ ଯେତେବେଳେ ଅସମ୍ଭବଟା ଅସମ୍ଭବ ବୋଲି ପ୍ରମାଣିତ ହୋଇଗଲା, ମୁଁ ସେଥିପାଇଁ ତା’ଙ୍କୁ ଦୋଷ ଦେଲି । ତମର ପରିବାର ଓ ତମମାନଙ୍କ ବିଷୟରେ ମୋର ମତାମତକୁ ବି ତା’ ପ୍ରଭାବିତ କଲା । କିନ୍ତୁ ସେ ସବୁ ଗଲାକଥା, ମୁଁ ଭାବୁଚି ଯେ ତମମାନଙ୍କୁ ବର୍ତ୍ତମାନ ଅଧିକ ଭଲ ଭାବରେ ବୁଝିପାରୁଚି’ ଏପରିକି ତମେ ମାନେ-’’ କେ. ଠିକ୍‌ ଶବ୍ଦଟି ଚିନ୍ତା କରିବାକୁ ଚେଷ୍ଟା କଲା, କିନ୍ତୁ ହଠାତ୍‌ ପାଇଲା ନାହିଁ, ତେଣୁ ଆଉ ଗୋଟିଏ ଶବ୍ଦରେ ଚଳାଇ ନେଲା ‘‘ମୋର ଅନୁଭୁତିରୁ ମୁଁ ଜାଣିପାରୁଚି ଯେ ତମେମାନେ ଏଗାଁରେ ସବୁଠୁ’ ଭଲ ପ୍ରକୃତିର ଲୋକ । କିନ୍ତୁ ଏବେ, ଆମାଲିଆ, ମତ ଭାଇଙ୍କର କାମକୁ ନ ହେଲେ ବି ତାଙ୍କର ସାହାଯ୍ୟ ମୋ ପାଇଁ କେତେ ଦରକାର ସେ କଥାକୁ ନା ପସନ୍ଦ କରିଦେଇ ତମେ ମତେ ଭୁଲ୍‌ ବାଟରେ ନେଇ ଯାଇଚ । ତମେ ବୋଧେ, ତାଙ୍କର କାମ ଧନ୍ଦା କ’ଣ ଜାଣିନା, ତା’ ହେଇଥିଲେ କିଛି ଅସୁବିଧା ନାହିଁ, କିନ୍ତୁ ବୋଧେ ତମେ ସେ ସବୁ ଜାଣିଚ,-ମୋର ତ କାହିଁକି ସେୟା ଧାରଣା ହେଉଛଚି-, ତା, ହେଇଥିଲେ ଏଇଟା ଖରାପ କଥା, କାରଣ ଏଥିରୁ ମନ ହେବ ଯେ ତମ ଭାଇ ମତେ ଠକୁଚନ୍ତି ।’’ ‘‘ଶାନ୍ତ ହୁଅନ୍ତୁ,’’ ଆମାଲିଆ ପାଟିକଲା, ମୁଁ ସେ ସବୁ କିଛି ଜାଣେନି, ସେ ସବୁ ଜାଣିବା ପାଇଁ ମତେ କୌଣସି କଥା ପ୍ରବର୍ତ୍ତାଇ ପାରିବନି, ଜମ୍ମା ନୁହେ, ଏପରିକି ଆପଣଙ୍କ ପାଇଁ ମୋରି ଭାବନା ଯେତିକି, ତା’ ବି ନୁହେଁ, ଯଦିଓ ତାହା ମତେ ଅନେକ କିଛି କରିଦେବା ପାଇଁ ଶକ୍ତି ଯୋଗାଇ ପାରେ, କାରଣ, ଆପଣ କହିଲା ଭଳି, ଆମେ ଭାରି ଭଲ ପ୍ରକୃତିର ଲୋକ କିନ୍ତୁ ମୋ, ଭାଇଙ୍କର କାମ ଧନ୍ଦା ତାଙ୍କ ନିଜର ବିଷୟ । ମୁଁ କିଛି ଜାଣେନି, ଖାଲି ଯାହାକେବେ କେମିତି ମୋ’ ଇଚ୍ଛା ବିରୁଦ୍ଧରେ ହଠାତ୍‌ ଶୁଣିଚି, ସେତିକି ଅନ୍ୟ ପକ୍ଷରେ ଓଲ୍‌ଗା ସେ ବିଷୟରେ ଆପଣଙ୍କୁ ସବୁ କିଛି କହି ଦେଇପାରିବ, ଭାଇଙ୍କର’ ସେଭାରି ବିଶ୍ୱସ୍ତ ।’’ ଏବଂ ଆମାଲିଆ ଚାଲିଗଲା, ପ୍ରଥମେ ତା’ର ବାପ ମା’ଙ୍କ ପାଖକୁ, ଓ ସେମାନଙ୍କୁ କ’ଣ ଫିସ୍‌ ଫିସ୍‌ ହୋଇ କହିବା ପରେ, ରନ୍ଧାଘର ଭିତରକୁ । ସେ କେ. ଠାରୁ ବିଦାୟ ନନେଇ ଚାଲିଗଲା, ସତେ ଯେମିତି ସେ ଜାଣିଥିଲା ଯେ କେ. ଆହୁରି ଆନେକ ସମୟ ଯାଏଁ ସେଠି ରହିବ ଏବଂ ତେଣୁ ବିଦାୟ ନେବାର ଆବଶ୍ୟକତା ନାହିଁ ।

 

।। ପନ୍ଦର ।।

 

ପ୍ରାୟ ଆଶ୍ଚର୍ଯ୍ୟ ମୁହଁରେ କେ. ସେଠାରେ ଠିଆ ହୋଇ ରହିବା ଦେଖି ଓଲ୍‌ଗା ତା’ ଆଡ଼କୁ ଚାହିଁ ହସିଲା, ଏବଂ ନିଆଁ ଜଳା ଯାଗା ପାଖରେ ଥିବା ଉଁଚା ଚୈକୀ ଆଡ଼କୁ ତା’କୁ ଡାକିନେଲା । ସେଠି କେ. ସାଙ୍ଗରେ ଏକାଟିଆ ବସିବାର ସମ୍ଭାବନାରେ ସେ ବେଶ୍‌ ଖୁସି ମନେ ହେଉଥିଲା । କିନ୍ତୁ ତା’ର ସୁଖରେ ଇର୍ଷାର ସାମାନ୍ୟତମ ସୂଚନା ନଥିଲା । ଏବଂ ତା’ର ଠିକ୍‌ ଏହି ଇର୍ଷାଠାରୁ ମୁକ୍ତ ହୋଇ ରହିବା ଏବଂ ତେଣୁ କେ. ଉପରେ କୌଣସି ପ୍ରକାର ଦାବୀ ନ କରିବା ହିଁ କେ. ପାଇଁ ମଙ୍ଗଳକର ହେଉଥିଲା । ଓଲଗାର ନୀଳ ଆଖିକୁ ଚାହିଁ ରହି କେ: ଖୁସି ହେଉଥିଲା । ସେ ଆଖି ଯୋଡ଼ିକ ତା’କୁ ନା ଅନୁନୟ କରୁଥିଲେ ନା ଅତ୍ୟାଚାର, ସେ ଯୋଡ଼ିକ ଥିଲେ ଲଜ୍ଜିତ ଭାବରେ ସରଳ ଓ ଆନ୍ତରିକ । ସତେ ଯେମିତି ଫ୍ରୀଡ଼ାର ଓ ହୋଟଲ୍‌ ମାଲିକାଣୀର ସାବାଧନବାଣୀ ତା’କୁ ସେ ସବୁ ଜିନିଷର ଶିକାର କରି ନଦେଇ ତା’କୁ ଅଧିକ ସତର୍କ ଓ ତୀକ୍ଷ୍ଣ ଦୃଷ୍ଟି କରି ଦେଇଥିଲା-। ଏବଂ ଓଲ୍‌ଗା ଯେତେବେଳେ କହିଲା ଯେ କେ. ଆମାଲିଆକୁ ଅନ୍ୟ କିଛି ନ କହି ଭଲ ପ୍ରକୃତିର ଝିଅ ବୋଲି କହିବା ଶୁଣି ସେ ଆଶ୍ଚର୍ଯ୍ୟ ହୋଇ ଯାଇଛି, କେ ଓଲ୍‌ଗା ସାଙ୍ଗରେ ହସିଲା । ଆମାଲିଆର ଅନ୍ୟାନ୍ୟ ବହୁତ ଗୁଣ ଥିଲା, କିନ୍ତୁ ଉତ୍ତର ପ୍ରକୃତି ସେ ସମସ୍ତ ଗୁଣ ଭିତରେ ଗୋଟିଏ ଗୁଣ ନଥିଲା । ଏକଥା ଶୁଣି କେ ବୁଝାଇ ଦେଲା ଯେ ଅବଶ୍ୟ ତା’ର ପ୍ରଶଂସା ଓଲ୍‌ଗା ପାଇଁ ଉଦ୍ଦିଷ୍ଟ ଥିଲା, କିନ୍ତୁ ଆମାଲିଆ ଖୁବ୍‌ ଚାଲାକ୍‌ ହୋଇଥିବାରୁ ତା’ ଉପସ୍ଥିତିରେ ଯାହା କୁହାଗଲା ଖାଲି ଯେ ସେ ତା’ ନିଜ ଉପରକୁ ନେଇଗଲା ତା’ ନୁହେ, ସେ ମଧ୍ୟ ଅନ୍ୟ ସମସ୍ତଙ୍କୁ ସେମାନଙ୍କ ନିଜ ଇଚ୍ଛାରେ ତା’କୁ ସବୁ କଥାରେ ଭର୍ତ୍ତି କରି ନେବାକୁ ପ୍ରବର୍ତ୍ତାଇଲା । ‘‘ତା’ ଠିକ୍‌,’’ ଅଧିକ ଗମ୍ଭୀର ହୋଇ ଓଲ୍‌ଗା କହିଲା, ‘‘ଆପଣ ଯେତିକି ଭାବୁଛନ୍ତି ତା’ଠୁ ବେଶୀ । ଆମାଲିଆ ମୋ’ଠୁ ସାନ, ବାର୍ଣ୍ଣାବାସ୍‌ଠୁ’ ବି, କିନ୍ତୁ ପରିବାର ଭିତରେ ଭଲ ପାଇଁ ହେଉ କି ଖରାପ ପାଇଁ ହେଉ, ତା’ କଥା ହିଁ ରହିବ, ଅବଶ୍ୟ ଅନ୍ୟମାନଙ୍କ ଅପେକ୍ଷା ସେ ବେଶୀ ଦାୟିତ୍ୱ ତା’ ନିଜ ମୁଣ୍ଡକୁ ନେଇଥାଏ, ଭଲ ପାଇଁ ହେଉକି ଖରାପ ପାଇଁ ହେଉ କେ ଭାବିଲା ଯେ ଓଲ୍‌ଗା ବଢ଼ାଇ କହୁଛି, କାରଣ ଆମଲିଆ ଏଇ ମାତ୍ର କହିଲା ଯେ ସେ ମୋଟେ ଦୃଷ୍ଟି ଦିଏ ନାହିଁ; କେଉଁ କଥାକୁ, ଯେମିତି ତା’ ଭାଇର କଥାକୁ, ଅଥଚ ଓଲ୍‌ଗା ସେ ସବୁ କଥା ଜାଣେ । ‘‘ମୁଁ ଆଉ କେତେ ସ୍ପଷ୍ଟ କରି କହିବି ? ‘‘ଓଲ୍‌ଗା କହିଲା, ନା ମତେ ନା ବାର୍ଣ୍ଣାବାସକୁ, ଆମାଲିଆ କାହାକୁ ଖାତିର୍‌ କରେନି, ପ୍ରକୃତରେ ସେ କାହାରି କଥାରେ ବି ମୁଣ୍ଡ ଖେଳାଏ ନାଇଁ, ଖାଲି ବୁଢ଼ା ବୁଢ଼ୀଙ୍କ କଥା ଭାବେ, ଆଉ ଦିନ ରାତି ସେମାନଙ୍କର ସେବା କରୁଥାଏ-। ବର୍ତ୍ତମାନ ଏଇ ମାତ୍ର ସେ ପଚାରିଲା ସେମାନଙ୍କର କ’ଣ ଦରକାର ବୋଲି, ଆଉ ସେମାନଙ୍କ ପାଇଁ କିଛି ରାନ୍ଧିବା ପାଇଁ ରନ୍ଧାଘରେ ପଶିଚି, ଆଉ ସେମାନଙ୍କ ପାଇଁ ସେ ତା’ ରୋଗକୁ ବି ଜିଣିନେଇଚି, କାରଣ ଖରାବେଳୁ ତା’ ଦେହ ଖରାପ ଥିଲା ଆଉ ସେ ଉଁଚା ବେଞ୍ଚ୍‌ଟା ଉପରେ ଶୋଇ ରହିଥିଲା । କିନ୍ତୁ ସେ ଆମ କଥାରେ ମୁଣ୍ଡ ନ ଖେଳାଇଲେ ବି ଆମେ ସମସ୍ତେ ତା’କୁ ଅନାଇଁ ଥାଉ ସେ ଯେମିତି ଆମ ସମସ୍ତଙ୍କଠୁ ବୟସରେ ବଡ଼, ଆଉ ସେ ଯଦି ଆମ କଥା ନେଇ ଆମକୁ କିଛି ଉପଦେଶ ଦେବ, ଆମେ ନିଶ୍ଚେ ତା ପାଳିବୁ, ଖାଲି ଯା’ ସେ ସେମିତି କିଛି କରେନି, ସେ ଆମମାନଙ୍କ ଠୁ’ ଅଲଗା । ଆପଣ କେତେ ଲୋକଙ୍କୁ ଜାଣିଚନ୍ତି, ଗୋଟିଏ ଅଜଣା ଅଶୁଣା ରାଜ୍ୟରୁ ଆସିଚନ୍ତି, ଆପଣ ବି କ’ଣ ଭାବୁନାହାଁନ୍ତି ଯେ ସେ ଅସାଧାରଣ ଭାବେ ଚାଲାକ-?’’ ‘‘ଅସାଧାରଣ ଭାବେ ଅସୁଖୀ ଭଳି ମତେ ଲାଗେ,’’ କେ କହିଲା ‘‘କିନ୍ତୁ ତମେମାନେ ତ ତା’କୁ ସମ୍ମାନ ଦେଖାଅ, ତେବେ ଧର, ବାର୍ଣ୍ଣାବାସ, ସେ କେମିତି ଜଣେ ପିଅନ୍‌ ଚାକିରୀ କରୁଚନ୍ତି, ଆମାଲିଆ ତା’କୁ ସ୍ପଷ୍ଟ ଭାବେ ନା ପସନ୍ଦ, ଏପରିକି ଘୃଣା କରୁଥିଲେ ବି ?’’ ‘‘ଆଉ କ’ଣ କରି ପାରିବ ବୋଲି ସେ ଯଦି ଜାଣି ପାରନ୍ତା, ସେ ପିଅନ୍‌ ଚାକିରୀ ଛାଡ଼ି ଦିଅନ୍ତା, କାରଣ ଏ ଚାକିରୀ ତା’କୁ ଭଲ ଲାଗୁନି ।’’ ‘‘ସେ ପରା ଖୁବ୍‌ ଭଲ ଯୋତା ତିଆରି କରି ପାରନ୍ତି ?’’ କେ. ପଚାରିଲା । ‘‘ହଁ, ଖୁବ୍‌ ଭଲ,’’ ଓଲ୍‌ଗା କହିଲା, ‘‘ଆଉ ଫୁରୁସତ ମିଳିଲେ ସେ ବ୍ରନ୍‌ସଓ୍ୱିକ୍‌ଙ୍କ କାମ କରେ, ଆଉ ତା’କୁ ସେ କାମ ଭଲ ଲାଗିଥିଲେ ସେ ବହୁତ କାମ ପାଇଥାନ୍ତା, ରାତି ଦିନ ଖଟିବା ପାଇଁ, ଓ ବେଶ୍‌ ରୋଜଗାର କରି ପାରିଥାନ୍ତା ।’’ ‘‘ବାସ୍‌, ତେବେ, କେ. କହିଲା, ‘‘ସେ କାମ ତା’ର ପିଅନ ଚାକିରୀ ପାଇଁ ଛୋଟିଏ ବିକଳ୍ପ ହୁଅନ୍ତା ।’’ ‘‘ଗୋଟିଏ ବିକଳ୍ପ ?’’ ଓଲ୍‌ଗା ଆଶ୍ଚର୍ଯ୍ୟ ହୋଇ ପଚାରିଲା,’’ ଆପଣ କ’ଣ ଭାବୁଛନ୍ତି ସେ ଟଙ୍କା ପାଇଁ ସେ ଚାକିରୀ କରୁଚି ?’’ ‘‘କରୁଥାଇ ପାରେ,’’ କେ. କହିଲା, ‘‘କିନ୍ତୁ ତମେ କହିଲନି କି ଯେ ସେ ଆସନ୍ତୁଷ୍ଟ ସେଥିରେ ବୋଲି ?’’ ସେ ଅସନ୍ତୁଷ୍ଟ ଏବଂ ସେଥିପାଇଁ ବହୁତ କାରଣ ଅଛି,’’ ଓଲଗା କହିଲା, ‘‘କିନ୍ତୁ ସେଇଟା ଯା’ ହେଲେ ବି ତ ଦୁର୍ଗ ଚାକିରୀ, ଗୋଟାଏ ପ୍ରକାର ଦୁର୍ଗ ଚାକିରୀ, ଅନ୍ତତଃ ଜଣେ ତ ସେୟା ଭାବିବ ।’’ ‘‘କ’ଣ କହିଲ !’’ କେ. କହିଲା’ ‘‘ତମର କ’ଣ ସେଥିରେ ବି ସନ୍ଦେହ ଅଛି ?’’ ‘‘ଆରେ, ଓଲ୍‌ଗା କହିଲା, ପ୍ରକୃତରେ ତା’ ନୁହ, ବାର୍ଣ୍ଣାବାସ୍‌ ବୁରୋ ଭିତରକୁ ଯାଏ ଏବଂ ସେଠି କାମ କରୁଥିବା ଲୋକେ ତା’କୁ ସେମାନଙ୍କ ଭିତରେ ଜଣେ ବୋଲି ଭାବି ନିଅନ୍ତି, ସେ ଅନେକ ଅଫିସର୍‌ଙ୍କୁ ଦେଖେ ବି, ଦୂରରୁ । ତା’କୁ ବେଶ୍‌ ଜରୁରୀ ଚିଠି ପତ୍ର ନେବା ଆଣିବାକୁ ଦିଆଯାଏ, ଏପରିକି ମୌଖିକ ଖବର ମଧ୍ୟ । ଏତକ ତ ବେଶ୍‌ କିଛି କାମ, ଆଉ ଏତେ କମ୍‌ ବୟସରେ ସେ ଯେତିକି ହାସଲ୍‌ କରିଚି, ସେଥିରେ ଆମେ ଗର୍ବ କରିବା କଥା ।’’ ‘‘କେ. ମୁଣ୍ଡ ହଲାଇଲା ଏବଂ ଘରକୁ ଫେରିବା କଥା ଆଉ ଭାବିଲା ନାହିଁ । ‘‘ତା’ ନିଜର ଅଲଗା ପୋଷାକ ବି ଅଛି ? ସେ ପଚାରିଲା । ‘‘କ’ଣ ଜ୍ୟାକେଟ୍‌ ଟା କଥା କହୁଛନ୍ତି ?’’ ଓଲ୍‌ଗା ପଚାରିଲା, ‘‘ନା, ସେ ଚାକିରୀ କରିବାର ବହୁ ଆଗରୁ ଆମାଲିଆ ତା’ ପାଇଁ ସେଇଟା ବନେଇ ଦେଇଥିଲା । କିନ୍ତୁ ଆପଣ ଗୋଟିଏ ଅସୁବିଧା କଥା ଉଠାଉଚନ୍ତି । ସେ ଅନେକ ଆଗରୁ ପାଇବା ଉଚିତ ଥିଲା, ନା, ଅଲଗା ପୋଷାକ ନୁହେ, କାରଣ ଦୁର୍ଗରେ ବେଶୀ ପୋଷାକ ନାହିଁ, କିନ୍ତୁ ତା’ ଡିପାର୍ଟମେଣ୍ଟରୁ ଗୋଟିଏ ସୂଟ୍‌ ପାଇବା ଉଚିତ ଥିଲା, ତା’କୁ ଗୋଟିଏ ଦିଆ ହେବ ବୋଲି ପ୍ରତିଶୃତି ମିଳିଚି; କିନ୍ତୁ ସେ ସବୁ ବିଷୟରେ ଦୁର୍ଗରେ ଭାରି ଆସ୍ତେ ଆସ୍ତେ କାମ ହୁଏ; ଆଉ ସବୁଠୁ’ ଖରାପ କଥା ହେଲା, ଏମିତି ଆସ୍ତେ ଆସ୍ତେ କାମ ହେବାର ଅର୍ଥ କ’ଣ କେହି ଜାଣନ୍ତି ନାହିଁ; ୟାର ଅର୍ଥ ହୋଇପାରେ ଯେ ବିଷୟଟା ବିଚାର କରାଯାଉଚି, କିନ୍ତୁ ୟାର ଅର୍ଥ ମଧ୍ୟ ହୋଇପାରେ ଯେ ବିଷୟଟା ଏଯାଏଁ ହାତକୁ ନିଆଯାଇନି । ଯେମିତି ଧରନ୍ତୁ ବାର୍ଣ୍ଣାବାସ୍ ସେ ଏଯାଏଁ ଚାକିରୀରେ ଖାଏମ୍‌ ହୋଇନି । ଏବଂ ସବା ଶେଷରେ ୟାର ଅର୍ଥ ହୋଇ ପାରେ ଯେ ବୟସଟା ନିଷ୍ପତ୍ତି ହୋଇ ସାରିଚି ଯେ କୌଣସି କାରଣରୁ ପ୍ରତିଶ୍ରୁତିଟା ଫେରାଇ ନିଆଯାଇଚି ଆଉ ବାର୍ଣ୍ଣାବାସ୍‌କୁ କେବେହେଲେ ସୂଟ୍‌ଟା ମିଳିବନି । ଠିକ୍‌ କ’ଣ ଘଟୁଚି ଜଣେ କେବେ ଜାଣି ପାରିବନି, କିମ୍ବା ଅନେକ ପରେ ଜାଣିବ । ଆମର ଏଠି ଗୋଟେ କଥା ଅଛି, ଆପଣ ଶୁଣିଥିବେ ବୋଧେ ସରକାରୀ ନିଷ୍ପତ୍ତି ସବୁ କିଶୋରୀ ଝିଅଙ୍କ ପରି ଲାଜକୁଳି ।’’ ‘‘ବେଶ୍‌ ଭଲ କଥାଟିଏ,’ କେ. କହିଲା, ସେ କଥାଟାକୁ ଓଲ୍‌ଗା ଅପେକ୍ଷା ଅଧିକ ଗୁରୁତ୍ୱ ଦେଲା, ‘‘ଭଲ କଥାଟିଏ, ଆଉ କିଶୋରୀ ଝିଅଙ୍କ ସାଙ୍ଗରେ ସମାନ ଥିବା ଆହୁରି ଅନେକ ଗୁଣ ବି ଥାଇପାରେ ନିଷ୍ପତ୍ତି ଗୁଡ଼ିକର ।’’ ‘‘ବୋଧେ ଅଛି, ଓଲ୍‌ଗା କହିଲା । ‘‘କିନ୍ତୁ ସରକାରୀ ସୁଟ୍‌ ମିଳିବା ଘଟଣା, ସେଇଟା ବାର୍ଣ୍ଣାବାସକୁ ବହୁତ କଷ୍ଟ ଦେଇଚି, ଆଉ ଆମେ ସମସ୍ତେ ଯେହେତୁ ଆମ ଅସୁବିଧା ସବୁକୁ ବାଣ୍ଟିନେଉ, ଘଟଣାଟାରେ ମୁଁ ବି କିଛିଟା କଷ୍ଟ ପାଇଚି ଆମେ ବୃଥାରେ ପଚାରି ହେଉଚୁ, ସେ ସରକାରୀ ସୂଟ୍‌ଟା ତା’କୁ ମିଳୁନି କାଇଁକି ? କିନ୍ତୁ ଘଟଣାଟା ଯେତେଟା ଲାଗୁଚି ସେତେଟା ସହଜ ନୁହେ । ଧରନ୍ତୁ ଅଫିସର୍‌ମାନେ, ସେମାନଙ୍କର ସରକାରୀ ପୋଷାକ ନାଇଁ; ଆମେ ଏଠି ଯେତେଦୂର ଜାଣୁ, ଆଉ ବାର୍ଣ୍ଣାବାସ୍‌ର କହିବା କଥା ଯେ ଅଫିସରମାନେ ସାଧାରଣ ପୋଷାକ ପତ୍ର ପିନ୍ଧନ୍ତି, ସେ ଗୁଡ଼ିକ ଖୁବ୍‌ସୁନ୍ଦର ନିଶ୍ଚେ । ଆଚ୍ଛା ଆପଣ କ୍ଳାମ୍‌ଙ୍କୁ ତ ଦେଖିଚନ୍ତି ବର୍ତ୍ତମାନ ବାର୍ଣ୍ଣାବାସ ଜଣେ ଅଫିସର ନିଶ୍ଚେ ନୁହେ, ସବା ତଳ ଶ୍ରେଣୀର ବି ନୁହ, ଆଉ ସେପରିକା ଜଣେ ହେବା ପାଇଁ ସେ କେବେ ତା’ ସୀମା ଲଂଘନ କରେନି । କିନ୍ତୁ ବାର୍ଣ୍ଣାବାସ କହିବା ଅନୁଯାୟୀ, ଉପର ସ୍ତରର ଚାକିରିଆମାନେ, ଯେଉଁମାନଙ୍କୁ କେବେ କେହି ଏ ଗାଁ ଭିତରେ ଦେଖି ପାରେନି; ସେମାନଙ୍କର ସରକାରୀ ପୋଷାକ କିଛି ନାଇଁ, ସେଇଟା ଗୋଟେ ପ୍ରକାର ଭଲ ବୋଲି ଜଣେ ଭାବିପାରେ, କିନ୍ତୁ ସେଇଟା ଭଲ ଭଳି ଦିଶେ କେବଳ, କାରଣ ବାର୍ଣ୍ଣାବାସ୍‌ କ’ଣ ଜଣେ ଉପର ସ୍ତରର ଚାକିରିଆ ? ନା, ଜଣେ ଯେତେ ତା’ ପକ୍ଷ ନେଇ କହିଲେ ବି ଏକଥା କହି ପାରିବ ନାଇଁ ଯେ ସେ ଏଇ ଗାଁ ଭିତରକୁ ଆସିବା ଓ ଏଠି ରହିବା ଦ୍ୱାରା ସେ ଜଣେ ଉପର ସ୍ତରର ଚାକିରିଆ ନୁହ ବୋଲି ପ୍ରମାଣିତ ହୋଇଯାଉଚି । କାରଣ ଅଫିସର୍‌ମାନଙ୍କ ଅପେକ୍ଷା ଉପର ସ୍ତରର ଚାକିରିଆମାନଙ୍କୁ ଅଧିକ ସହଜରେ ଦେଖା କରି ହେବ । ତା’ ହେବା ବୋଧେ ଠିକ୍‌, ସେମାନଙ୍କର ସ୍ଥାନ ବୋଧେ ଅନେକ ଅଫିସର୍‌ଙ୍କଠୁ’ ଉପରେ, ଏ କଥାର କିଛିଟା ପ୍ରମାଣ ଅଛି, ସେମାନେ କମ୍‌ କାମ କରନ୍ତି । ଆଉ ବାର୍ଣ୍ଣାବାସ୍‌ କହେ ଯେ ଏହି ଲମ୍ବା ଚେହେରାର ବଡ଼ ବଡ଼ିଆ ଲୋକେ ବାରନ୍ଦାରେ ଧୀରେ ଧୀରେ ଚାଲି ଯାଉଥିବାର ଦୃଶ୍ୟ ଖୁବ୍‌ ସୁନ୍ଦର, ବାର୍ଣ୍ଣାବାସ ସବୁବେଳେ ସେମାନଙ୍କ ବିଷୟରେ ଭଲ କଥା କହେ । ହେଲା, ସେ ଜଣେ ତଳସ୍ତରର ଚାକିରିଆ ହେଇ ପାରିଥାଏ, କିନ୍ତୁ ଏମାନେ ସବୁବେଳେ ସରକାରୀ ସୂଟ୍‌ ପିନ୍ଧିଥାନ୍ତି, ଅନ୍ତତଃ ଯେତେବେଳେ ଏମାନେ ଗାଁ ଭିତରକୁ ଆସନ୍ତି, ତା’ ଠିକ ଏକା ପ୍ରକାର ସରକାରୀ ପୋଷାକ ନୁହେ ଭିନ୍ନ ଭିନ୍ନ ରକମର ବରଂ, କିନ୍ତୁ ଦୁର୍ଗର ଚାକିରିଆମାନଙ୍କୁ ସେମାନଙ୍କ ପୋଷାକ ଦେଖି ଜଣେ ଚିହ୍ନି ଦେଇ ପାରିବ, ଆପର ଏମିତି କେତେ ଜଣଙ୍କୁ ହେରେନ୍‌ହଫ୍‌ରେ ଦେଖିଚନ୍ତି । ସେ ପୋଷାକର ସବୁଠୁ’ ବେଶୀ ଲକ୍ଷ୍ୟ କରିବାର ଜିନିଷଟି ହେଲା ଏୟା ଯେ ସେ ଗୁଡ଼ିକ ସବୁବେଳେ ଦେହ ସାଙ୍ଗରେ ଠିକ୍‌ ଖାପ ଖାଇ ଯାଏ, ଜଣେ ଚାଷୀ କିମ୍ବା ହାତ କାମ କଲା ବାଲା ସେ ପୋଷେକ ପିନ୍ଧିଲେ ଚଳି ପାରିବନି । ବାସ୍‌, ସେମିତିକା ସୂଟ୍‌ଟିଏ ବାର୍ଣ୍ଣାବାସ୍‌କୁ ଦିଆଯାଇନି, ଆଉ ଖାଲି ସେଇ ଲାଜରେ, ସେଇ ଅପମାନରେ ନୁହେ-ଜଣେ ତା’ ସହିଯାଇ ପାରିବ-ବରଂ କେତେକ ମୁହୂର୍ତ୍ତର ମନ ଖରାପ ଅବସ୍ଥାରେ-ଆଉ ଏମିତିକା ମୁହୂର୍ତ୍ତ ଆମର ଅନେକ ସମୟରେ ଆସେ, ପ୍ରାୟ ସବୁବେଳେ, ବାର୍ଣ୍ଣାବାସ୍‌ର ଓ ମୋର-ଆମେ ସବୁ କଥାକୁ ସନ୍ଦେହ କରି ବସୁ । ବାର୍ଣ୍ଣାବାସ୍‌ କ’ଣ ସତରେ ଦୁର୍ଗ ଚାକିରୀ କରୁଚି ? ଆମେ ନିଜ ନିଜକୁ ସେତେବେଳେ ପଚାରୁ ହେଲା, ସେ ବୁରୋ ଭିତରକୁ ଯାଏ, କିନ୍ତୁ ବୁରୋଗୁଡ଼ିକ କ’ଣ ପ୍ରକୃତ ଦୁର୍ଗର ଅଂଶ ? ଏବଂ, ଯଦିବା ଦୁର୍ଗରେ ଅନେକ ଗୁଡ଼ିଏ ବୁରୋ ପ୍ରକୃତରେ ଅଛି, ସେଗୁଡ଼ିକ କ’ଣ ସେଇ ବୁରୋ ଯାହା ଭିତରେ ପଶିବାକୁ ବାର୍ଣ୍ଣାବାସ୍‌ ଅନୁମତି ପାଇଚି ?

 

‘‘ସେ କେତେକ ନିର୍ଦ୍ଦିଷ୍ଟ ଘର ଭିତରକୁ ପଶିପାରେ, କିନ୍ତୁ, ସେଗୁଡ଼ିକ ତ ସମଗ୍ର ଘରଟାର ଅଂଶ ମାତ୍ର, କାରଣ କାନ୍ଥ ପଛରେ ଆହୁରି ଅନେକ ଘର ଅଛି । ସେ କାନ୍ଥ ଗୁଡ଼ାକ ଟପି ଯିବା ପାଇଁ ଯେ ତା’କୁ ମନା କରାଯାଇଚି ତା’ ନୁହ, କିନ୍ତୁ ଥରେ ତା’ର ବଡ଼ ଅଫିସର୍‌ଙ୍କ ସାଙ୍ଗରେ ଦେଖା ହେଇଗଲା ପରେ ଓ ସେମାନେ ତା’କୁ ଯିବାକୁ କହି ସାରିବା ପରେ ସେ ଆଉ ସେ କାନ୍ଥ ଟପି ଯାଇପାରେ ନାଇଁ । ତା’ ଛଡ଼ା, ପ୍ରତ୍ୟେକ ଲୋକର ଗତିବିଧିକୁ ସେଠି ନଜର ଦିଆଯାଏ, ଅନ୍ତତଃ ଆମର ସେୟା ବିଶ୍ୱାସ । ଆଉ ଯଦି ବି ସେ ଭିତରକୁ ପଶିଲା, ତା’ର କି ମଙ୍ଗଳ ହେବ ସେଥିରେ, ଯଦି ତା’ର କିଛି ସରକାରୀ କାମ କରିବା ପାଇଁ ନାଇଁ ଆଉ ସେ ଜବରଦସ୍ତ ପଶେ ? ଆଉ ଆପଣ ମୋଟେ ଭାବନ୍ତୁ ନାଇଁ ଯେ ଏଇ କାନ୍ଥଗୁଡ଼ାକ ନିର୍ଦ୍ଦିଷ୍ଟ ଭାବରେ ଗୋଟା, ବିଭାଜକ ରେଖା । ବାର୍ଣ୍ଣାବାସ୍‌ ମତେ ଏକଥା ସବୁବେଳେ କହେ । ଯୋଉ ଘର ଭିତରକୁ ସେ ପଶେ, ସେ ଗୁଡ଼ାକର ଦୁଆର ଆଗରେ ବି ବାଡ଼ ଦିଆ ହୋଇଚି, ତେଣୁ ଦେଖନ୍ତୁ ଏମିତି କାନ୍ଥ ବାଡ଼ବି ଅଛି, ଯାହାକୁ କି ସେ ଟପି ଯାଇ ପାରିବ, ଏବଂ ସେଗୁଡ଼ିକ ଠିକ୍‌ ଅନ୍ୟ କାନ୍ଥ ବାଡ଼ ପରି, ଯୋଉଗୁଡ଼ିକୁ ସେ ଏଯାଏଁ ଟପି ପାରିନି, ଯାହାର ମାନେ ହେଲା ଏୟା ଯେ କେହି ଭାବିବା ଉଚିତ ନୁହ ଯେ, ଶେଷ କାନ୍ଥ ବାଡ଼ ପଛରେ ଥିବା ବୁରୋ ଗୁଡ଼ାକ ବାର୍ଣ୍ଣାବାସ୍‌ ଦେଖି ସାରିଥିବା ବୁରୋ ଗୁଡ଼ାକ ଠୁ’ କିଛି ଅଲଗା ବୋଲି । ଖାଲି ମନ ଖରାପ ଥିଲା ବେଳେ ଆମେ ସେମିତି ଭାବୁ । ଏବଂ ଆମର ସନ୍ଦେହ ସେଠି ସରିଯାଏନି, ଆମେ ଆମର ସନ୍ଦେହକୁ ସୀମାଭିତରେ ରଖି ପାରୁନା । ବାର୍ଣ୍ଣାବାସ୍‌ ଅଫିସରମାନଙ୍କୁ ଭେଟେ, ବାର୍ଣ୍ଣାବାସ୍‌ ହାତରେ ଖବର ଦିଆଯାଏ । କିନ୍ତୁ ସେ ଅଫିସରମାନେ କିଏ-? ସେମାନେ ଦେଇଥିବା ଖବର ଗୁଡ଼ାକ କ’ଣ ? ବର୍ତ୍ତମାନ ସେ କହୁଚି ତା’ର ନିଯୁକ୍ତି ହୋଇଚି କ୍ଳାମ୍‌ଙ୍କ ପାଖରେ, କ୍ଳାମ୍‌ ନିଜ ମୁହଁରେ ତାକୁ ଆଦେଶ ଦେଉଚନ୍ତି । ବାସ୍‌ ସେତକ ତ ଗୋଟାଏ ବଡ଼ କଥା, ଉପର ସ୍ତରର ଚାକିରିଆମାନେ ବି ସେଯାଏଁ ଯାଇ ପାରନ୍ତିନି, ଏକଥା ବିଶ୍ୱାସ କରିବା କଷ୍ଟ; ପ୍ରାୟ ଭୟଙ୍କର । ଭାବି ଦେଖନ୍ତୁ, କ୍ଳାମ୍‌ଙ୍କ ପାଖରେ ସିଧା ନିଯୁକ୍ତ ତା’ଙ୍କ ସାଙ୍ଗରେ ସାମ୍ନା ସାମ୍ନି କଥାବାର୍ତ୍ତା ! କିନ୍ତୁ ଘଟଣାଟା କ’ଣ ସତରେ ଏୟା ? ଆଚ୍ଛା, ଧରି ନିଆଯାଉ ଯେ ସତ, ତା’ ହେଲେ ବାର୍ଣ୍ଣାବାସ୍‌ କାହିଁକି ସନ୍ଦେହ କରୁଚି ଯେ ଯୋଉ ଅଫିସରଙ୍କୁ କ୍ଳାମ ବୋଲି କୁହାଯାଉଚି, ସେ କ୍ଳାମ ନୁହଁନ୍ତି ବୋଲି ? ‘‘ଓଲଗା,’’ କେ. କହିଲା, ‘‘ତମେ ନିଶ୍ଚେ ଥଟ୍ଟା କରୁଚ, କ୍ଳାମ୍‌ଙ୍କ ଚେହେରା ବିଷୟରେ କିଏ କେମିତି ସନ୍ଦେହ କରିବ ? ପ୍ରତ୍ୟେକେ ଜାଣନ୍ତି ତାଙ୍କ ଚେହେରା କେମିତି ଏପରିକି ମୁଁ ବି ତାଙ୍କୁ ଦେଖିଚି । ‘‘ମୋଟେ ନୁହେ, କେ,’’ ଓଲଗା କହିଲା,’’ ମୁଁ ମୋଟେ ଥଟ୍ଟା କରୁନି, ମୁଁ ବେଶ ଭାବିଚିନ୍ତି କହୁଚି । ତେବେ ମୁଁ ଆପଣଙ୍କୁ ଏସବୁ କହୁନି ଖାଲି ମୋ’ମନ ହାଲୁକା କରିଦେଇ ଆପଣଙ୍କ ମନକୁ ଭାରି କରି ଦେବାକୁ, କିନ୍ତୁ ଏଇଥିପାଇଁ କହୁଚି ଯେ ଆମାଲିଆ ମତେ ଏସବୁ କହିବାକୁ ବାଧ୍ୟ କରିଚି, କାରଣ ଆପଣ ବାର୍ଣ୍ଣାବାସ୍‌କୁ ଖୋଜୁଥିଲେ, ଆଉ ମୁଁ ବି ଭାବୁଚି ଯେ ସବୁ ବିଷୟରେ ବେଶୀ ଜାଣିଲେ ଆପଣଙ୍କର କାମରେ ଲାଗିବ । ମୁଁ ଏକଥା ବାର୍ଣ୍ଣାବାସ୍‌ ପାଇଁ ବି କରୁଚି, ଯାହା ଫଳରେ କି ଆପଣ ତା’ ଉପରେ ଗୁଡ଼ାଏ ଆଶା ରଖିବେନି, ଆଉ ନିରାଶ ହେବନି, ଆଉ ଆପଣ ନିଜେ ନିରାଶ ହୋଇ ତା’କୁ କଷ୍ଟ ଦେବେନି । ସେ ଭାରି ଭାବପ୍ରବଣ, ଯେମିତି ଦେଖନ୍ତୁ । କାଲିସନ୍ଧ୍ୟାରେ ଆପଣ ତା’ଉପରେ ଅସନ୍ତୁଷ୍ଟ ହେଲେ ବୋଲି ସେ ସାରା ରାତି ଶୋଇ ପାରିଲେନି । ଆପଣ ଯୋଉ କହିଲେ ଯେ ତା’ ଭଳି ଜଣେ ଖବର ନିଅ ଆଣ କରିବା ଲୋକକୁ ଧରି ଆପଣ ହଇରାଣ ହେଲେ, ତା’ ତା’କୁ ଖରାପ ଲାଗିଲା । ଏଇ କଥା କେତେ ପଦରେ ସେ ସାରା ରାତି ଅନିଦ୍ରା । ମୁଁ ଭାବୁନି ଯେ ସେ ଯେତେଟା ମନ ଖରାପ କରିଚି ଆପଣ ଲକ୍ଷ୍ୟ କରିଚନ୍ତି ବୋଲି; କାରଣ ଦୁର୍ଗର ପିଅନମାନେ ନିଜକୁ ସଂଯତ ରଖିବାକୁ ବାଧ୍ୟ । କିନ୍ତୁ ତା’ର ବେଳ କାଳ ଭଲ ଯାଉନି, ଆପଣଙ୍କ ସାଙ୍ଗରେ ବି ଯଦିଓ ଆପଣଙ୍କ ଦୃଷ୍ଟି କୋଣରୁ ଆପଣ ତା’କୁ ବହୁତ କିଛି କରିବାକୁ କହୁନାହାଁନ୍ତି, କାରଣ ଜଣେ ପିଅନ୍‌ କ’ଣ କରି ପାରିବ ସେ ବିଷୟରେ ଆପଣଙ୍କର ଆଗରୁ କିଛିଟା ଧାରଣା ଅଛି ଓ ଆପଣ ସେଇ ଧାରଣା ଅନୁସାରେ ତା’କୁ କାମ ଦେଉଚନ୍ତି । କିନ୍ତୁ ଦୁର୍ଗ ଭିତରର ଲୋକେ ଜଣେ ପିଅନର କର୍ତ୍ତବ୍ୟ ବିଷୟରେ ଅଲଗା ଧାରଣା ରଖିଥାନ୍ତି, ଯାହାକି ଆପଣଙ୍କ ଧାରଣା ସାଙ୍ଗରେ ଖାପ ଖୁଆଇ ହେବ ନାଇଁ, ଏପରିକି ବାର୍ଣ୍ଣାବାସ ପୂରା ପୂରୀ ସେ କାମରେ ମଜ୍ଜି ଯାଇଥିଲେ ମଧ୍ୟ, ଏବଂ ଦୁଃଖର କଥା, ସେ ମଜ୍ଜି ଯିବା ପାଇଁ ଚାହୁଁଥିବା ଭଳି ଅନେକ ସମୟରେ ମନେ ହୁଏ । ତେବେ, ଜଣେ ସେ କଥା ଗ୍ରହଣ କରି ନେବା ଉଚିତ ଆଉ କୌଣସି ଆପତ୍ତି ନକରିବା ଉଚିତ । ଅବଶ୍ୟ ବାର୍ଣ୍ଣାବାସ୍‌ ପ୍ରକୃତରେ ଜଣେ ପିଅନ କି ନୁହେଁ ସେ ପ୍ରଶ୍ନ ନ ଉଠିଲେ । ଆପଣଙ୍କ ସାମ୍ନାରେ ଅବଶ୍ୟ ସେ ଏ ବିଷୟରେ କୌଣସି ସନ୍ଦେହ ପ୍ରକାଶ କରି ପାରିବନି, ତା’ କଲେ ସେ ତା’ ନିଜର ଅସ୍ତିତ୍ୱକୁ ବିପଦରେ ପକେଇବ ଏବଂ ଯୋଉ ଆଇନ କାନୁନ୍‌କୁ ସେ ଏଯାଏଁ ବିଶ୍ୱାସ କରି ଆସିଚି, ସେଗୁଡ଼ିକ ବିରୁଦ୍ଧରେ ସେ ଯିବ; ଆଉ ମୋ ସାଙ୍ଗରେ ବି ସେ ଖୋଲା ଖୋଲି କଥାବାର୍ତ୍ତା କରେନି, ସତେ ତା’କୁ କେତେ ଫୁସୁଲେଇବାକୁ ପଡ଼େ, ଗେଲ କରି ତା’ ମନରୁ ସନ୍ଦେହଗୁଡ଼ାକ ପଦାକୁ ଆଣିବାକୁ ହୁଏ, ଆଉ ସେତେବେଳେ ବି ସେ ମାନେନି ଯେ ତା’ ସନ୍ଦେହ ଗୁଡ଼ାକ ପ୍ରକୃତରେ ସନ୍ଦେହ । ଆମାଲିଆର କିଛି ଗୁଣ ତା’ ପାଖରେ ଅଛି । ଆଉ ମୁଁ ନିଶ୍ଚିତ ଯେ ସେ ମତେ ସବୁ କଥା କହେନି, ଯଦିଓ ମତେ ସେ ସବୁଠୁ’ ବେଶୀ ବିଶ୍ୱାସ କରେ । କିନ୍ତୁ ଆମେ ଅନେକ ସମୟରେ କ୍ଳାମ୍‌ଙ୍କ ବିଷୟରେ କଥାବାର୍ତ୍ତା ହେଉ, ଯାହାଙ୍କୁ ମୁଁ କେବେ ଦେଖିନି; ଆପଣ ଜାଣନ୍ତି ଫ୍ରୀଡ଼ା ମତେ ଭଲ ପାଏନି ଏବଂ ମତେ ତାଙ୍କୁ କେବେ ଦେଖିବାକୁ ଦେଇନି, ତେବେ ତାଙ୍କ ଚେହେରା କେମିତି ଗାଁ ଲୋକ ଭଲ ଭାବରେ ଜାଣନ୍ତି, କେତେକ ତାଙ୍କୁ ଦେଖିଚନ୍ତି । ପ୍ରତ୍ୟେକ ତାଙ୍କ କଥା ଶୁଣିଚନ୍ତି, ଏବଂ ଅଳ୍ପ ଟିକିଏ ଦେଖା, ଶୁଣା ଶୁଣି କଥା ଓ ଅନେକ ଗୋଳମାଳିଆ ବାଟରେ କ୍ଳାମ୍‌ଙ୍କର ଗୋଟିଏ ଭାବମୁର୍ତ୍ତି ତିଆରି ହୋଇଚି, ଯାହାକି ମୂଳ କଥା ଗୁଡ଼ିକ ଦୃଷ୍ଟିରୁ ଠିକ୍‌ । କିନ୍ତୁ ମୂଳ କଥା ଦୃଷ୍ଟିରୁ କେବଳ । ସବୁ ବିଷୟ ବିଚାରକୁ ନେଲେ ସେ ଭାବମୂର୍ତ୍ତି ବଦଳିଯାଏ, ତଥାପି କ୍ଳାମ୍‌ଙ୍କ ପ୍ରକୃତ ଚେହେରା ଯେତେ ବଦଳେ ସେତେ ନୁହ । କାରଣ ଆମେ ଶୁଣିଚୁ ଯେ ସେ ଯେତେବେଳେ ଗାଁ ଭିତରକୁ ଆସନ୍ତି, ତାଙ୍କ ଚେହେରା ଯାହା ଥାଏ, ସେ ଗାଁରୁ ବାହାରି ଗଲାବେଳେ ତା’ ଅନ୍ୟ ପ୍ରକାର ହୋଇଯାଏ; ବୀୟର ଖାଇବା ଆଗରୁ ତାଙ୍କର ଚେହେରା ବୀୟର୍‌ ଖାଇବା ପରବର୍ତ୍ତୀ ଚେହେରା’ଠୁ ଅଲଗା, ସେ ଯେତେବେଳେ ଚେଇଁଥାନ୍ତି ସେ ଯାହା ଦିଶନ୍ତି, ଶୋଇଥିଲା ବେଳେ ତା’ଠୁ ଅଲଗା ଦିଶନ୍ତି, ସେ ଯେତେବେଳେ ଏକା ଥାନ୍ତି ଗୋଟାଏ ପ୍ରକାର ଦେଖାଯାନ୍ତି, ଲୋକଙ୍କ ସାଙ୍ଗରେ କଥାବାର୍ତ୍ତା କଲାବେଳେ ଅନ୍ୟ ପ୍ରକାର ହୋଇଯାନ୍ତି, ଏବଂ ଯୋଉ କଥା କି ମୋଟେ ବୁଝି ହୁଏନି–ଦୁର୍ଗ ଭିତରେ ଥିଲାବେଳେ ସେ ପ୍ରାୟ ଜଣେ ଅଲଗା ଲୋକ । ଏବଂ ଗାଁ ଭିତରେ ମଧ୍ୟ ତାଙ୍କ ବିଷୟରେ ଯୋଉ ସବୁ ବର୍ଣ୍ଣନା ଶୁଣିବାକୁ ମିଳେ ସେ ସବୁ ଭିତରେ ବେଶ୍‌ କିଛି ତଫାତ୍‌ ଥାଏ, ତାଙ୍କର ଠାଣି, ତାଙ୍କର ଆକାର, ତାଙ୍କ ଦାଢ଼ି କଟା ଢଙ୍ଗ; ଭାଗ୍ୟର କଥା, କେବଳ ଗୋଟିଏ ଜିନିଷରେ ସବୁ ବର୍ଣ୍ଣନା ଏକମତ, ସେ ସବୁବେଳେ ସେଇ ଏକା ପୋଷାକ ପିନ୍ଧିଥାନ୍ତି । ପଛକୁ ଲମ୍ବା ହୋଇ ଝୁଲୁଥିବା ଗୋଟାଏ କଳା ରଙ୍ଗର ମର୍ଣ୍ଣିଙ୍ଗ୍‌ କୋଟ୍‌ । ବର୍ତ୍ତମାନ ଏସବୁ ଅଲଗା ଅଲଗା କଥା ଅବଶ୍ୟ କିଛି ମେଜିକ୍‌ ନୁହେଁ, ଏଗୁଡ଼ିକୁ ସହଜରେ ବୁଝାଇ ଦେଇ ହେବ, ଏସବୁ ଲକ୍ଷ୍ୟ କରୁଥିବା ଲୋକର ମନର ଅବସ୍ଥା ଉପରେ ନିର୍ଭର କରେ, ତା’ଉତ୍ତେଜନାର ମାନ ଉପରେ, କ୍ଳାମ୍‌ଙ୍କୁ ଦେଖିଲାବେଳେ ତା’ ମନରେ ଯୋଉ ଆଶା ନିରାଶାର ଅସଂଖ୍ୟ ଦୋଳନ ହୋଇପାରେ, ତା’ ଉପରେ, ଏବଂ ଏହା ଛଡ଼ା, ସେ କ୍ଳାମ୍‌ଙ୍କୁ କେବଳ ଗୋଟିଏ ଦି’ଟା ସେକେଣ୍ଡ ପାଇଁ ଦେଖିପାରେ । ବାର୍ଣ୍ଣାବାସ୍‌ ମତେ ଅନେକ ସମୟରେ ଯେମିତି କହିଚି ମୁଁ ଠିକ୍‍ ସେମିତି ଆପଣଙ୍କୁ ଏସବୁ କହୁଚି, ଏବଂ ମୋଟ ଉପରେ, ଏ ବିଷୟରେ ବ୍ୟକ୍ତିଗତ ଭାବରେ ମୁଣ୍ଡ ଖେଳାଉ ନଥିବା ଯେ କେହି ଲୋକର ବୁଝିବା ପାଇଁ ଏତକ ଯଥେଷ୍ଟ । ଆମ ପାଇଁ ଅବଶ୍ୟ ନୁହେଁ, ସେ ଯାହା ସାଙ୍ଗରେ କଥାବାର୍ତ୍ତା କରୁଚି ସେ କ୍ଳାମ୍‌ କି ନୁହେ ଜାଣିବା ବର୍ଣ୍ଣାବାସ୍‌ ପକ୍ଷରେ ବଂଚିବା ମରିବା ଭଳି ।’’ ‘‘ଏବଂ ମୋ ପାଇଁ ବି କିଛି କମ୍‍ ନୁହେଁ’’ କେ. କହିଲା ଏବଂ ଦୁହେଁ ଉଁଞ୍ଚା ବେଞ୍ଚଟା ଉପରେ ପରସ୍ପର ପାଖକୁ ଲାଗି ଆସିଲେ ।

 

Unknown

ଓଲଗାର ଏସମସ୍ତ ନିରାସପୂର୍ଣ୍ଣ କଥା କେ.କୁ ନିଶ୍ଚିତ ଭାବେ ପ୍ରଭାବିତ କଲା, କିନ୍ତୁ ସେ ଯେତେବେଳେ ଦେଖିଲା ଯେ ତା’ ନିଜ ଭଳି ପରିସ୍ଥିତିରେ ଅନ୍ୟ ଲୋକମାନେ ଅନ୍ତତଃ ବାହାର ଦୃଷ୍ଟିରୁ ହେଲେ ମଧ୍ୟ ଅଛନ୍ତି, ସେ ଓଲଗାର କଥାରୁ ବହୁତ ସାନ୍ତ୍ୱନା ପାଇଲା । ସେମାନଙ୍କ ସାଙ୍ଗରେ ସେ କାନ୍ଧ ମିଳାଇ ପାରେ ଏବଂ ଅନେକ ସ୍ଥଳରେ ସେ ସେମାନଙ୍କର ଖୁବ୍‌ ପାଖକୁ ଆସିଯାଇ ପାରେ, ଫ୍ରୀଡ଼ା ଭଳି କେବଳ ଅଳ୍ପ କେତେଟା ସ୍ଥଳରେ ନୁହେ । ବାର୍ଣ୍ଣାବାସ୍‌ ଜରିଆରେ ସଫଳତା ହାସଲ କରିବାର ଆଶା ସେ ପ୍ରକୃତରେ ଆସ୍ତେ ଆସ୍ତେ ହରାଇ ବସୁଥାଏ, କିନ୍ତୁ ଦୁର୍ଗ ଭିତରେ ବାର୍ଣ୍ଣାବାସ୍‌ ଯେତିକି ଅସୁବିଧାରେ ପଡ଼ିଥାଏ ଏଠି ସେ ତା’ ଆଡ଼କୁ ସେତିକି ଟାଣି ହୋଇ ଯାଉଥାଏ; କେ. କଦାପି ଭାବି ପାରିନଥାନ୍ତା ଯେ ବାର୍ଣ୍ଣାବାସ୍‌ ଓ ତା’ ଭଉଣୀ ଯେଉଁ ସଂଘର୍ଷରେ ପଡ଼ିଛନ୍ତି ଗାଁ ଭିତରେ ସେ ପ୍ରକାର ଗୋଟାଏ ହତାଶ ସଂଘର୍ଷ ଲାଗି ରହିପାରେ ବୋଲି । ଅବଶ୍ୟ ଏଯାଏଁ ସେ ସଂଘର୍ଷକୁ ପୂରା ପୂରୀ ବୁଝି ହୋଇନାହିଁ, ଏବଂ ତାହା ପୂରା ଓଲଟା ଭାବେ ଗତି କରି ପାରେ । ଓଲ୍‌ଗାର ନିଃସନ୍ଦେହ ନିରୀହତା ଦ୍ୱାରା ବିଭ୍ରାନ୍ତ ହୋଇ ଜଣେ ବାର୍ଣ୍ଣାବାସ୍‌ର ସାଧୁତାକୁ ପୁରା ଗ୍ରହଣ କରିନେବା ଉଚିତ ନୁହେ । କ୍ଳାମ୍‌ଙ୍କ ଚେହେରା ବିଷୟରେ ଯେଉଁସବୁ ବର୍ଣ୍ଣନା ଶୁଣିବାକୁ ମିଳେ, ବାର୍ଣ୍ଣାବାସ୍‌ ସେ ଗୁଡ଼ିକ ସହିତ ପରିଚିତ,’’ ଓଲ୍‌ଗା କହି ଚାଲିଲା; ‘‘ସେ ଗୁଡ଼ାଏ ସଂଗ୍ରହ କରିଚି ଓ ମିଶେଇଚି, ବୋଧେ ଅନେକ ଗୁଡ଼ାଏ ଏପରିକି ସେ ଥରେ କ୍ଳାମ୍‌ଙ୍କୁ ଗାଁରେ ଗୋଟିଏ ଗାଡ଼ିରେ ଝରକା ଭିତରୁ ବି ଦେଖିଚି କିମ୍ବା ଦେଖିଚି ବୋଲି ଭାବୁଚି, ଏବଂ ତେଣୁ ପୁଣି ତାଙ୍କୁ ଦେଖି ଚିହ୍ନି ପାରିବ ବୋଲି ସେ ଯଥେଷ୍ଟ ଭାବରେ ପ୍ରସ୍ତୁତ ହୋଇ ରହିଥିଲା, ତଥାପି-ଏକଥା ଆପଣ କେମିତି ବୁଝାଇବେ ?-ସେ ଯେତେବେଳେ ଦୁର୍ଗର ଗୋଟିଏ ବୁରୋ ଭିତରେ ପଶିଲା ଏବଂ କେତେଜଣ ଅଫିସର୍‌ ତାଙ୍କୁ ଏଇ ହେଲେ କ୍ଳମ୍‌ କହି ଦେଖାଇ ଦେଲେ, ସେ ତାଙ୍କୁ ଚିହ୍ନି ପାରିଲେ ନାହିଁ, ଏବଂ ସେ ଘଟଣାର ବହୁତ ଦିନ ପର ଯାଏଁ ସେଇ ଲୋକ କ୍ଳାମ ବୋଲି ଭାବିବା ସହିତ ସେ ନିଜକୁ ଅଭ୍ୟସ୍ତ କରି ପାରିଲା ନାହିଁ । କିନ୍ତୁ ଆପଣ ଯଦି ପଚାରିବେ ସେଇ କ୍ଳାମ୍‌ ଓ କ୍ଳାମ୍‌ଙ୍କ ବିଷୟରେ ଯୋଉ ସାଧାରଣ ବର୍ଣ୍ଣନା ଶୁଣିବାକୁ ମିଳେ, ଏ ଦୁଇଟା ଭିତରେ ତଫାତ୍‍ କ’ଣ, ସେ ଆପଣଙ୍କୁ କିଛି କହି ପାରିବ ନାହିଁ । କିମ୍ବା ସେ ଆପଣଙ୍କୁ କହିବାକୁ ଚେଷ୍ଟା କରୁଚି ଓ ଦୁର୍ଗ ଭିତରେ ଦେଖିଥିବା ଅଫିସର୍‌କୁ ବର୍ଣ୍ଣନା କରୁଚି, କିନ୍ତୁ ତା’ର ବର୍ଣ୍ଣନା କ୍ଳାମ୍‌ଙ୍କ ବିଷୟରେ ଆମେ ସାଧାରଣତଃ ଯୋଉ ସବୁ ବର୍ଣ୍ଣନା ଶୁଣିଥାଇ, ସେ ସବୁ ସାଙ୍ଗରେ ପୂରା ମିଳି ଯାଉଚି । ବାସ୍‌, ତେବେ, ବାର୍ଣ୍ଣାବାସ୍‌, ମୁଁ କୁହେ ତା’କୁ, ତମେ କାହିଁକି ଏକଥା ସନ୍ଦେହ କରୁଚ, ନିଜକୁ ଏତେ କଷ୍ଟ ଦେଉଚ ? ଯୋଉ କଥା ଶୁଣି ସେ ଭାରି ଅଡ଼ୁଆରେ ପଡ଼ିଯିବ, ଦୁର୍ଗ ଭିତରେ ଦେଖିଥିବା ଅଫିସରଟିର କେତେକ ବିଭାବକୁ ମନେ ପକାଇବାକୁ ଆରମ୍ଭ କରି ଦେବ, କିନ୍ତୁ ମନେ ହେବ ଯେ ସେ ସବୁ ଭାବି କହୁଚି, ବର୍ଣ୍ଣନା କରୁନାହିଁ, ଏବଂ ୟା ଛଡ଼ା ସେ ଗୁଡ଼ିକ ଏତେ ନଗଣ୍ୟ ଯେ–ଯଥା, ସେ କେମିତି ମୁଣ୍ଡ ହଲାନ୍ତି କିମ୍ବା ! କେତେବେଳେ ସେ ବୋତାମ ଖୋଲାଥିବା ଓ୍ୱେଇଷ୍ଟକୋଟ ପିନ୍ଧିଥାନ୍ତି–ଜଣେ ସେ କଥାକୁ ମୋଟେ ଗୁରୁତ୍ୱ ଦେଇପାରିବ ନାହିର୍ । କ୍ଳାମ ଯୋଉ ଭାବରେ ବାର୍ଣ୍ଣାବାସ୍‌ କଥା ଶୁଣନ୍ତି, ସେଇଟା ବରଂ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ମୋର ମନେହୁଏ । ବାର୍ଣ୍ଣାବାସ୍‌ ସେ କଥା ମୋ ଆଗରେ ଅନେକ ଥର ବର୍ଣ୍ଣନା କରିଚି, ଏପରି କି ଘର ଭିତରଟା ଆଙ୍କି ଦେଇଚି । ପ୍ରାୟ ତା’କୁ ଗୋଟିଏ ରୁମ୍‍ ଭିତରକୁ ଯିବାକୁ କୁହାଯାଏ, କିନ୍ତୁ ସେ ରୁମ୍‍ଟା କ୍ଳାମଙ୍କ ବୁରୋ ନୁହେ, କି କୌଣସି ନିର୍ଦ୍ଦିଷ୍ଟ ଜଣେ ଅଫିସରଙ୍କର ନୁହେ । ରୁମଟା ଏକାନ୍ଥରୁ ସେ କାନ୍ଥ ଯାଏଁ ପଡ଼ିଥିବା ଗୋଟିଏ ପଢ଼ା ଟେବୁଲ ଦ୍ୱାରା ଦୁଇ ଭାଗରେ ବିଭକ୍ତ ହୋଇଥାଏ; ଗୋଟିଏ ପାଖ ଏତେ ଅଣ ଓସାରିଆ ଯେ ଦି’ଜଣ ଲୋକ କୌଣସି ମତେ ଠେଲି ପେଲା ହୋଇ ପଶି ପାରିବେ, ଏବଂ ତା’ ଅଫିସରମାନଙ୍କ ପାଇଁ ବୋଲି ରଖା ଯାଇଥାଏ, ଅନ୍ୟଟା ବେଶ ବଡ଼ ଏବଂ ସେଇଠି ହିଁ କାମ ଥିବା ଲୋକେ, ଦର୍ଶକ ଚାକର ବାକର ଓ ପିଅନମାନେ ଅପେକ୍ଷା କରନ୍ତି । ଟେବୁଲ ଉପରେ ବେଶ ବଡ଼ ବଡ଼ ବହି ସବୁ ଖୋଲା ହୋଇ ପଡ଼ିଥାଏ, ପାଖକୁ ପାଖ ଲାଗି, ଏବଂ ଅଫିସରମାନେ ଠିଆ ହୋଇ ସେ ସବୁ ପଢ଼ିବାରେ ଲାଗିଥାନ୍ତି । ସେମାନେ ସବୁବେଳେ ସେଇ ଗୋଟିଏ ବହି ସାଙ୍ଗରେ ଲାଗିନଥାନ୍ତି, ତେବେ ସେମାନେ ବହି ବଦଳାଉ ନଥାନ୍ତି, ବଦଳାଉଥାନ୍ତି ସେମାନଙ୍କର ଠିଆ ହେବା ଯାଗାକୁ । ଏବଂ ସେମାନେ ଯେତେବେଳେ ଯାଗା ବଦଳାନ୍ତି, କି ଭାବରେ ଯେ ସେମାନେ ପରସ୍ପର ଠେଲା ପେଲା ହୋଇଥାନ୍ତି, ତା’ ଦେଖି ବାର୍ଣ୍ଣାବାସ ସବୁବେଳେ ବହୁତ ଆଶ୍ଚର୍ଯ୍ୟ ହୁଏ, କାରଣ ସେଠି ଯାଗା ଏତେ କମ । ଟେବୁଲ ସାମ୍ନାକୁ ଲାଗି ଛୋଟ ନୁଆଣିଆ ଟେବୁଲ ପଡ଼ିଥାଏ, ସେ ସବୁ ଟେବୁଲ ପାଖରେ କିରାଣୀମାନେ ବସିଥାନ୍ତି, କେହି କିଛି ଡାକିଲେ ଲେଖିବାକୁ ପ୍ରସ୍ତୁତ ହୋଇ, ଅଫିସରମାନେ, ଯେତେବେଳେ ଚାହିଁବେ । ଏବଂ ସେ କାମ ଯେମିତି ହୁଏ ବାର୍ଣ୍ଣାବାସ ସବୁବେଳେ ଆଶ୍ଚର୍ଯ୍ୟ ହୁଏ । ଅଫିସର ଜଣକ କୌଣସି ସ୍ପଷ୍ଟ ଆଦେଶ ଦିଅନ୍ତି ନାହିଁ, କିମ୍ବା ସେ ଯାହା ଡାକନ୍ତି ବଡ଼ ପାଟିରେ ଡାକନ୍ତି ନାହିଁ, ଜଣେ ଶୁଣିଲେ ଭାବି ପାରିବ ନାହିଁ କିଛି ଡକା ଯାଉଚି ବୋଲି; ଅଫିସର୍‌ ଜଣକ ଆଗ ଭଳି ସେମିତି ପଢ଼ି ଚାଲିଛନ୍ତି ବୋଲି ମନେ ହେବ, ପଢ଼ ପଢ଼ୁ ସେ କ’ଣ ଫିସ୍‌ ଫିସ୍‌ ହୋଇ କହୁଚନ୍ତି ଓ କିରାଣୀ ଜଣକ ସେ ଫିସ୍‌ ଫିସ୍‌ କଥା ଶୁଣି ପାରୁଚି । ଅନେକ ସମୟରେ କଥା ଏତେ କମ୍‌ ଶୁଭେ ଯେ କିରାଣୀ ତା’ ଯାଗାରେ ତା’ ଶୁଣି ପାରେନି, ଏବଂ ସେତେବେଳେ ତା’କୁ ଉଠି ପଡ଼ିବାକୁ ହୁଏ, କ’ଣ ଡକାଯାଉଚି ଶୁଣିବାକୁ ପଡ଼େ, ତା’ ପରେ ସେ ହଠାତ୍‌ ବସିପଡ଼ି କଥାଟା ଟିପିନିଏ, ପୁଣି ଉଠିପଡ଼େ, ଆଉ ଏମିତି ଚାଲିଥାଏ । କି ବିଚିତ୍ର କାରବାର-! କିଛି ତ ପ୍ରାୟ ବୁଝି ହେଉନି ଏଥିରୁ । ଅବଶ୍ୟ ଏସବୁ କଥା ଲକ୍ଷ୍ୟ କରିବା ପାଇଁ ବାର୍ଣ୍ଣାବାସ୍‌ର ଯଥେଷ୍ଟ ସମୟ ଥାଏ, କାରଣ ଅନେକ ସମୟରେ ତା’କୁ ବଡ଼ ରୁମ୍‌ଟା ଭିତରେ ଏକାଦିକ୍ରମେ ଘଣ୍ଟା ଘଣ୍ଟା ଧରି ଦିନ ଦିନ ଧରି ଠିଆ ହୋଇ ରହିବାକୁ ପଡ଼େ, କ୍ଳାମ୍‌ ତାକୁ ଦେଖି ପାରିବା ଯାଏଁ । ଏବଂ କ୍ଳାମ୍‌ ତା’କୁ ଦେଖିଲେ ବି ଏବଂ ସେ ସିଧା ହୋଇ ଠିଆ ହୋଇ ପଡ଼ିଲେ, ବି, ତା’ର କିଛି ଅର୍ଥ ନାଇଁ କାରଣ କ୍ଳାମ ପୁଣି ଉପରୁ ଆଖି ଫେରାଇ ନେଇ ବହି ପଢ଼ିବାରେ ଲାଗିଯାଇ ପାରନ୍ତି ଏବଂ ତା’ କଥା ପୂରା ପୂରା ଭୁଲି ଯାଇ ପାରନ୍ତି । ଏମିତି ଅନେକ ସମୟରେ ଘଟେ । କିନ୍ତୁ ଜଣେ ଖବର ନିଅ ଆଣ କରିବା ଲୋକର ଚାକିରୀ ଯଦି ଏତେ ବେକାରିଆ, ସେଥିରେ କି ଫାଇଦା ଅଛି ? ବାର୍ଣ୍ଣାବାସ୍‌ ସକାଳେ ଯଦି ମତେ କହେ ଯେ ସେ ଦୁର୍ଗକୁ ଯାଉଚି, ମୋ ମନ ଭାରି ଦୁଃଖ ହୋଇଯାଏ । ତା’ର ଯିବାଟା ବୋଧେ ପୂରା ବେକାର ହୋଇଯିବ, ଦିନଟେ ନଷ୍ଟ ହେବ, ତା’ ଆଶା ପୂରା ବୃଥା ହୋଇଯିବ । ଏ ସବୁଥିରେ ଲାଭ କ’ଣ ? ଆଉ ଏଠି ଯୋତା ତିଆରି କାମ ନ ସରି ଜମିବାରେ ଲାଗିଚି, ବ୍ରନ୍‌ସ୍‌ଓ୍ୱିକ୍‌ ସବୁବେଳେ ପଚାରୁଚନ୍ତି ।’’ ‘‘ଓହୋ, ତେବେ,’’ କେ. କହିଲା, ‘‘ତାକୁ କିଛି ଖବର ଦିଆ ହେଲା ଯାଏଁ ବାର୍ଣ୍ଣାବାସ୍‌ ସେମିତି ଅପେକ୍ଷା କରି ରହିଥିବ । ତା’ ତ ବୁଝି ହେଉଚି, ଯାଗାଟାରେ ଗୁଡ଼ାଏ ଅଧିକା ଲୋକ କାମ କରୁଥିବା ଭଳି ମନେ ହେଉଚି, ଏବଂ ପ୍ରତ୍ୟେକଙ୍କୁ ସବୁଦିନ କିଛି କିଛି କାମ ଦେଇ ହେବନି, ତମେ ସେଥିରେ ଆପତ୍ତି କରିବା ଉଚିତ ନୁହେ, କାରଣ ପ୍ରତ୍ୟେକ ହଇରାଣ ହେବାକୁ ବାଧ୍ୟ କିନ୍ତୁ ପରିଶେଷରେ ଜଣେ ବାର୍ଣ୍ଣାବାସ୍‌କୁ ମଧ୍ୟ କାମ ମିଳି ପାରୁଚି, ସେ ମୋ’ ପାଇଁ ଦୁଇଟା ଚିଠି ଆଣି ସାରିଲାଣି ।’’ ‘‘ତା’ ଅବଶ୍ୟ ହୋଇପାରେ,’’ ଓଲଗା ଉତ୍ତର ଦେଲା, ‘‘ଆମେ ଆପତ୍ତି କରି ହୁଏତ ଭୁଲ୍‌ କରୁଚୁ, ବିଶେଷ କରି ମୋ’ ଭଳି ଜଣେ ଝିଅ, ଯେ କି ଏକଥା ସବୁ ୟାଠୁ ତା’ଠୁ ଶୁଣିଚି ଓ ବାର୍ଣ୍ଣାବାସ୍‌ ଯେତେ ଭଲ ଭାବରେ ବୁଝିପାରୁଚି, ତା’ ନିଜେ ପାରୁନାହିଁ, ବାର୍ଣ୍ଣାବାସ୍‌ ତ ନିଶ୍ଚୟ ଅନେକ କଥା ନିଜ ପାଖରେ ଲୁଚେଇ ରଖୁଚି । କିନ୍ତୁ ଆପଣଙ୍କୁ ମୁଁ କହିବି ଚିଠିପତ୍ର କେମିତି ବାହାରକୁ ପଠାଯାଏ, ଧରନ୍ତୁ ଆପଣଙ୍କ ଚିଠିପତ୍ର । ବାର୍ଣ୍ଣାବାସ୍‌ ଏସବୁ ଚିଠିପତ୍ର ସିଧା କ୍ଳାମଙ୍କଠୁ’ ପାଏ ନାହିଁ, ପାଏ ଜଣେ କିରାଣୀଠୁ’ । ଏମିତି କୌଣସି ନିର୍ଦ୍ଦିଷ୍ଟ ଦିନ ନାହିଁ, ନିର୍ଦ୍ଦିଷ୍ଟ ବେଳା ନାହିଁ-ଏଇଥିପାଇଁ ଚାକିରିଟା ଏତେ ସହଜ ଜଣା ପଡ଼ିଲେ ବି ପ୍ରକୃତରେ ବଡ଼ କ୍ଳାନ୍ତିକର, କାରଣ ବାର୍ଣ୍ଣାବାସକୁ ସବୁବେଳେ ସତର୍କ ହୋଇ ରହିବାକୁ ପଡ଼େ-ଜଣେ କିରାଣୀର ହଠାତ୍‌ ବାର୍ଣ୍ଣାବାସ କଥା ମନେ ପଡ଼ିଯିବ ଏବଂ ସେ ତା’କୁ ଠାରରେ ଜଣାଇ ଦେବ, କ୍ଳାମଙ୍କଠୁ’ ସେମିତି କିଛି ଆଦେଶ ପାଇନଥିଲେ ବି, କାରଣ କ୍ଳାମ ତ ତାଙ୍କ ବହି ପଢ଼ିବାରେ ସେମିତି ଲାଗିଥିବେ । ହିଁ, ଏକଥା ସତ, ବେଳେ ବେଳେ କ୍ଳାମ ତାଙ୍କ ଚଷମା କାଚ ପୋଛୁଥିଲା ବେଳେ ବାର୍ଣ୍ଣାବାସ ପହଞ୍ଚିଯାଏ, କିନ୍ତୁ ସେତ ପ୍ରାୟ ଅନେକ ସମୟରେ ସେୟା କରୁଥାନ୍ତି-ସେ ଯା’ ହେଉ, ସେତେବେଳେ ସେ ବର୍ଣ୍ଣାବାସ ଆଡ଼କୁ ଟିକିଏ ଅନାଇଁଦେଇ ପାରନ୍ତି, ଏୟା ଭାବି ଯେ ଚଷମା ନ ପିନ୍ଦି ବି ଯେ କୌଣସି ଜିନିଷ ଦେଖି ପାରିବେ, ଯାହାକି ବାର୍ଣ୍ଣାବାସ୍‌ ସନ୍ଦେହ କରେ; କାରଣ କ୍ଳାମଙ୍କ ଆଖି ଦୁଇଟା ପ୍ରାୟ ବୁଜି ହୋଇଥାଏ, ସବୁବେଳେ ସେ ଶୋଇଥିବା ଭଳି ଲାଗନ୍ତି ଏବଂ ନିଦରେ ଯେମିତି ତାଙ୍କ ଚଷମା କାଚ ସଫା କରୁଥାନ୍ତି ୟା ଭିତରେ କରାଣୀ ଜଣକ ଟେବୁଲ ହାତଲେଖା କାଗଜର ଗଦାକୁ ଘାଣ୍ଟିଘୁଣ୍ଟି ତମ ପାଇଁ ଗୋଟିଏ ଚିଠି ବାହାର କରି ଆଣିବ, ତେଣୁ ଚିଠିଟା ଯେ ସଦ୍ୟ ଲେଖା ହୋଇଚି ତା’ ନୁହେ, ତା’ ଲଫାଫାର ଚେହେରାରୁ ହିଁ ଜଣାପଡ଼ିଯାଏ, ଚିଠିଟା ପ୍ରାୟ ସବୁବେଳେ ବହୁତ ପୁରୁଣା ଆଉ ସେଠି ଅନେକଦିନ ଧରି ପଡ଼ି ରହିଥିବ । କିନ୍ତୁ ତା’ ଯଦି ହୋଇ ଥାଏ, ସେମାନେ ବାର୍ଣ୍ଣାବାସକୁ ସେମିତି ଅପେକ୍ଷା କରାଇ ରଖିଥାନ୍ତି କାହିଁକି ? ଏବଂ ତୁମକୁ ବି ? ଏବଂ ଚିଠିଟାକୁ ମଧ୍ୟ, କାରଣ ଚିଠିଟା ବହୁତ ପୁରୁଣା ହୋଇ ଯାଇଥାଏ । ଏୟା କରି ସେମାନେ ବର୍ଣ୍ଣାବାସକୁ ଜଣେ ଖରାପ, ଅଳସୁଆ ପିଅନ ବୋଲି ବଦନାମ କରି ଦେଇଚନ୍ତି । କିରାଣୀଟାର କିଛି ଯାଏ ଆସେ ନାହିଁ, ସେ ଖାଲି ବାର୍ଣ୍ଣାବାସ୍‌କୁ ଚିଠିଟା ବଢେଇ ଦେଇ କହେ, ‘‘କ୍ଳାମ୍‌ଙ୍କ ଚିଠି, କେ. ପାଇଁ,’’ ଏବଂ ତା’କୁ ପଠାଇଦିଏ । କିନ୍ତୁ ବାର୍ଣ୍ଣାବାସ୍‌ ଧଇଁ ସଇଁ ହୋଇ ଘରକୁ ଫେରେ, ବହୁ କଷ୍ଟରେ ପାଇଥିବା ଚିଠିଟା ଛାତିରେ ଜାକି ଧରେ, ଏବଂ ତା’ ପରେ ଆମେ ଏମିତି ଏଇ ଉଁଚା ବେଞ୍ଚଟା ଉପରେ ବସୁ ଏବଂ ସେ ମତେ ଚିଠିଟା କଥା କୁହେ ଏବଂ ଆମେ ସବୁ ଟିକି ନିଖି କଥା ଭିତରକୁ ଯାଉ, ଏବଂ ସେ କ’ଣ ହାସଲ କରିଚି ତା’ର ମୂଲ୍ୟ ବିଚାର କରୁ, ଏବଂ ଶେଷରେ ଦେଖୁ ଯେ ତା’ କିଛି ନୁହେ, ଏବଂ ପୁଣି ତା’ ମୂଲ୍ୟ ସନ୍ଦେହ ଜନକ । ଶେଷରେ ବାର୍ଣ୍ଣାବାସ୍‌ ଚିଠିଟାକୁ ତଳେ ରଖିଦିଏ ଏବଂ ସେଟା ଠିକଣା ଲୋକକୁ ଦେବାକୁ ତା’ର ଆଉ ଇଚ୍ଛା ହୁଏନି, ତଥାପି ଶୋଇବାକୁ ଯିବାକୁ ମଧ୍ୟ ତା’ ମନ କହେନି, ଏବଂ ତେଣୁ ସାରା ରାତି ବସି ସେ ଯୋତା ତିଆରି କରେ । କଥା ହେଲା ଏୟା, କେ., ଏବଂ ବର୍ତ୍ତମାନ ଆପଣ ମୋର ସବୁ ଗୋପନ କଥା ଶୁଣିଲେ, ଏବଂ ଆମାଲିଆ ଏସବୁ ପ୍ରତି ଏତେ ଉଦାସିନ କାହିଁକି ବୋଲି ଆପଣ ଆଉ ଆଶ୍ଚର୍ଯ୍ୟ ହେବେନି’’ । ‘‘ଏବଂ ଚିଠିଟାର କ’ଣ ହୁଏ ?’’ କେ. ପଚାରିଲା । ‘‘ଚିଠିଟା ?’’ ଓଲଗା କହିଲା । ‘‘ଓ, ସେ ବିଷୟରେ ମୁଁ ବାର୍ଣ୍ଣାବାସ୍‌କୁ ବହୁତ ହରକତ୍‌ କରିବା ପରେ, କେତେ ଦିନ କେତେ ସପ୍ତାହ ପରେ ବାର୍ଣ୍ଣାବାସ୍‌ ପୁଣି ଚିଠିଟା ଧରେ ଓ ପାଇବାକୁ ଥିବା ଲୋକକୁ ଦେବାକୁ ଯାଏ । ଏସବୁ କଥାରେ ସେ ମୋ ଉପରେ ବହୁତ ନିର୍ଭର କରେ । କାରଣ ତା’ର କଥା ଶୁଣିବା ପରେ ପ୍ରଥମେ ମୋର ଯା’ ଧାରଣା ହୁଏ, ସେଥିରୁ ଉଦ୍ଧାର ପାଇ ମୁଁ ପୁଣି ସହଜ ହୋଇଯାଇପାରେ, କିନ୍ତୁ ସେ ତା’ କରିପାରେନି, ଏଇଥିପାଇଁ ଯେ ସେ ବହୁତ କିଛି ଜାଣେ । ତେଣୁ ସବୁବେଳେ ତା’କୁ କହିବା ପାଇଁ ମୁଁ କିଛିନା କିଛି ଖୋଜି ରଖିଥାଏ, ଯଥା, ତମର ପ୍ରକୃତରେ ଲକ୍ଷ୍ୟ କ’ଣ ବାର୍ଣ୍ଣାବାସ୍‌ ? କି ପ୍ରକାର ଚାକିରୀ, କି ଉଚ୍ଚାକାଂକ୍ଷାର ସ୍ୱପ୍ନ ଦେଖୁଚ ତମେ ? ତମେ କ’ଣ ଭାବୁଚ ତମେ ଏତେ ଉପରକୁ ଉଠିଯିବ ଯେ ଆମକୁ ଛାଡ଼ି ଚାଲିଯିବାକୁ ହେବ ତମକୁ, ମତେ ଛାଡ଼ି ଚାଲିଯିବ, ଏକେବାରେ ? ଏୟା କ’ଣ ତମର ଲକ୍ଷ୍ୟ ? ମୁଁ ଏମିତି ନଭାବି ବି କେମିତି ଯେତେବେଳେ ମୁଁ ଦେଖୁଚି ଯେ ତମେ ଯାହା କିଛି କରିଚ, ସେଥିରେ ତମେ ଭୟଙ୍କର ଭାବରେ ଅସନ୍ତୁଷ୍ଟ ହେବାର କାରଣ ଆଉ କିଛି ନ ଥାଇ ପାରେ ? ଖାଲି ଟିକିଏ ଚାରି ଆଡ଼କୁ ଚାହିଁ ଦେଖ, ଆମ ସାଇ ପଡ଼ିଶାରେ କେହି ତମ ଭଳି ଭଲରେ ଅଛନ୍ତି କି ? ମୁଁ ମାନୁଚି, ସେମାନଙ୍କର ପରିସ୍ଥିତି ଆମଠୁ’ ଅଲଗା ଏବଂ ଦୈନନ୍ଦିନ କାମଠୁ’ ଅଧିକା କିଛି ଆଶା କରିବା ପାଇଁ ସେମାନଙ୍କର କିଛି କାରଣ ନାହିଁ, କିଛି ଏପ୍ରକାର ତୁଳନା ନକରିବି ସହଜରେ ଦେଖି ହେଉଚି ଯେ ତମେ ଭଲରେ ଅଛ-। ବାଧା ବିଘ୍ନ ଥାଇପାରେ, ସନ୍ଦେହ ଓ ହତାଶା ଥାଇପାରେ, କିନ୍ତୁ ସେ ସବୁର ଅର୍ଥ ହେଲା, ଯାହା ଆଗରୁ ଆମେ ଜାଣିବେ, ଯେ କିଛି ନଦେଲେ ତମେ କିଛି ପାଇବନି,, ଯେ ଛୋଟ କଥାଟିରେ ବି ତମକୁ ଲଢେଇ କରିବାକୁ ପଡ଼ିବ; ଭାଙ୍ଗି ନପଡ଼ି ଗର୍ବ କରିବା ପାଇଁ ତ ଏସବୁ କାରଣ ରହିଛି । ଏବଂ ତମେ କ’ଣ ଆମ ସମସ୍ତଙ୍କ ପାଇଁ ଲଢ଼େଇ କରୁନ ? ତମ ପାଖରେ କ’ଣ ସେ ଲଢ଼େଇର କିଛି ଅର୍ଥ ନାଇଁ ? ତା’ ତମକୁ ନୂଆ ଶକ୍ତି ଯୋଗାଉନି କି ? ଆଉ ମୁଁ ଯେ ଏମିତି ଜଣେ ଭାଇ ପାଇ ଏତେ ସୁଖୀ ଓ ଗର୍ବରେ ଫୁଲି ଉଠୁଚି, ତା’ ତୁମକୁ କ’ଣ କିଛି ଆତ୍ମବିଶ୍ୱାସ ଦେଉନି ? ତମେ ଦୁର୍ଗରେ ଯାହା ହାସଲ କରିଚ, ସେଥିରେ ମୁଁ ହତାଶ ହୋଇନି, ହତାସ ଏଇଥିପାଇଁ ଯେ ତମ ସାଙ୍ଗରେ ମିଶି ମୁଁ କିଛି ହାସଲ କରି ପାରୁନି । ତମେ ଦୁର୍ଗ ଭିତରକୁ ଯାଇ ପାରୁଚ, ତମେ ସବୁ ବୁରୋକୁ ନିୟମିତ ଯାଆ ଆସ କରୁଚ, କ୍ଳାମ୍‌ଙ୍କ ସାଙ୍ଗରେ ଏକା ରୁମ୍‌ରେ ସାରାଦିନ କଟାଉଚ, ତମେ ଜଣେ ସରକାରୀ ଚାକିରିଆ, ସରକାରୀ ସୁଟଟେ୍‌ ପାଇବା ପାଇଁ ତମେ ଦାବୀ କରି ପାରୁଚ, ତମ ହାତରେ ଜରୁରି କାମମାନ ଦିଆ ହେଉଚି, ତମେ ଏତେ ସବୁ କରି ପାରୁଚ, ଏବଂ ତା’ପରେ ତମେ ଏଠିକି ଆଉ ମତେ କୁଣ୍ଡେଇ ଧରି ଖୁସିରେ କାନ୍ଦିପକାନ୍ତ କ’ଣ ତମେ ମତେ ଦେଖିଲା କ୍ଷଣି ସାହାସ ହରେଇ ବସୁଚ ଏବଂ ସବୁ କଥାକୁ ସନ୍ଦେହ କରୁଚ, ଯୋତା ତିଆରି ଛଡ଼ା ତମକୁ ଆଉ କିଛି ଭଲ ଲାଗୁନି, ଯେଉଁ ଚିଠିଟା ଉପରେ ଆମର ଭବିଷ୍ୟତ ନିର୍ଭର କରୁଚି, ସେଇଟାକୁ ଗୋଟେ କଣରେ ପକେଇ ଦେଉଚ ! ’ମୁଁ ତା’ ସାଙ୍ଗରେ ଏମିତିକା କଥାବାର୍ତ୍ତା କରେ, ଏବଂ ମୁଁ ଦିନ ଦିନ ଧରି ସେଇ କଥାଗୁଡ଼ିକ ଦୋହରାଇବା ପରେ ସେ ଶେଷରେ ଚିଠିଟାକୁ ଉଠାଇ ଧରେ ଦୀର୍ଘ ନିଶ୍ୱାସ ପକାଇ, ଏବଂ ବାହାରକୁ ପଳାଏ । ତଥାପି ବୋଧେ ମୋ’ କଥାର ପ୍ରଭାବରେ ସେ ବାହାରକୁ ପଳାଏନି କିନ୍ତୁ ପୁଣିଥରେ ଦୁର୍ଗକୁ ଯିବା ପାଇଁ ତା’ର କାମନା ଯୋଗୁଁ ସେ ଯାଏ, ସେ ଖବାରଟା ଠିକଣା ଯାଗାରେ ନ ପହଞ୍ଚାଇ ସେ ତା’ କରିପାରିବନି ।’’ ‘‘କିନ୍ତୁ ତମେ ସବୁ କଥା ଏକେବାରେ ଠିକ୍‌ କହୁଚ,’’ କେ. କହିଲା, ‘‘ବଡ଼ ଆଶ୍ଚର୍ଯ୍ୟ କଥା ତମେ ଏସବୁ ଏତେ ସୁନ୍ଦର ଧରି ପାରୁଚ । ତମର ଚିନ୍ତାଧାରା କି ଅସାଧାରଣ ଭାବରେ ପରିଷ୍କାର !’’ ‘‘ନା,’’ ଓଲ୍‌ଗା କହିଲା, ‘‘ଆପଣ ଏଥିରେ ଭୋଳ ହେଇ ଯାଉଛନ୍ତି ଆଉ ବୋଧେ ସିଏ ବି । କାରଣ ସେ ପ୍ରକୃତରେ କ’ଣଟା ହାସଲ କରିଚି ? ସେ ଗୋଟିଏ ବୁରୋ ଭିତରକୁ ପଶି ପାରୁଚି, କିନ୍ତୁ ସେଇଟା ତ ଗୋଟିଏ ବୁରୋ ଭଳି ବି ଦେଖାଯାଉନି । ସେ କ୍ଳାମ୍‌ଙ୍କ ସାଙ୍ଗରେ କଥାବାର୍ତ୍ତା କରୁଚି, କିନ୍ତୁ ସେ କ’ଣ ପ୍ରକୃତରେ କ୍ଳାମ୍‌ ? ବରଂ ସେ କ’ଣ ଅନ୍ୟ ଜଣେ ଲୋକ ନୁହ, କ୍ଳାମ୍‌ଙ୍କ ସାଙ୍ଗରେ ଯାହାର ସାମାନ୍ୟ ସାଦୃଶ୍ୟ ଅଛି ? ବେଧେ ଅତି ବେଶୀରେ ଜଣେ ସଚିବ, ଯିଏ କି କ୍ଳାମ୍‌ ଭଳି ଟିକିଏ ଦିଶେ ଏବଂ ଆହୁରି ବେଶୀ ଦିଶିବାକୁ କଷ୍ଟ କରେ, ଏବଂ କ୍ଳାମ୍‌ଙ୍କ ନିଦ୍ରଳୁ, ସ୍ୱପ୍ନା ବିଷ୍ଟ ଢଙ୍ଗରେ କିଛିଟା ହାବ ଭାବ ଦେଖାଏ । ତାଙ୍କର ଏଇ ସ୍ୱଭାବଟି ଅନୁକରଣ କରିବା ସବୁଠୁ’ ସହଜ, ଅନେକେ ତା’ ନକଲ କରିବାକୁ ଚେଷ୍ଟା କରନ୍ତି, ଯଦିଓ ଅଧିକା କିଛି ନକଲ ନ କରିବା ପାଇଁ ତାଙ୍କର ଯଥେଷ୍ଟ ବୁଦ୍ଧି ଅଛି । ଏବଂ କ୍ଳାମ୍‌ଙ୍କ ଭଳି ଜଣେ ଲୋକ ଯାହା ପଛରେ ଏତେ ଲୋକ ଦୌଡ଼ିଥାନ୍ତି ଓ ବାହାରେ ଯାହାର ଦେଖା ପ୍ରାୟ ମିଳେନି, ସେ ଲୋକଙ୍କ କଳ୍ପନାରେ ଭିନ୍ନ ଭିନ୍ନ ଋପ ନେବା ସ୍ୱାଭାବିକ କଥା । ଉଦାହରଣତଃ, ଏଠି କ୍ଳାମ୍‌ଙ୍କ ଜଣେ ଗ୍ରାମ ସଚିବ ଅଛି, ତା’ ନାଁ ମୋସମ୍‌-। ଆପଣ ତା’କୁ ଜାଣିଛନ୍ତି କି ? ସେ ବି ପ୍ରାୟ ପଛରେ ଥାଏ, ଆଗକୁ ଆସେନା, କିଛି ମୁଁ ତାକୁ ଅନେକ ଥର ଦେଖିଚି । ମୋଟା ସୋଟା ହୋଇ ଟୋକା ଲୋକ ଜଣେ, ନୁହ ? ଏବଂ ଯେ କେହି କହିବ ସେ ମୋଟେ କ୍ଳାମ୍‌ଙ୍କ ଭଳି ଦିଶେନା । ତଥାପି ଗାଁରେ ଆପଣ ଏମିତିକା ଲୋକ ପାଇବେ ଯୋଉମାନେ ଶପଥ କରି କହିବେ ଯେ ମୋମସ୍‌ ହିଁ କ୍ଳାମ୍‌, କ୍ଳାମ୍‌ଙ୍କ ଛଡ଼ା କେହି ନୁହ । ଏମିତି ଲୋକେ ନିଜେ ନିଜେ ଗୋଳମାଳ ସୃଷ୍ଟି କରନ୍ତି । ଦୁର୍ଗରେ ଭିନ୍ନ ପ୍ରକାରେ ହେବ ବୋଲି କ’ଣ କିଛି କାରଣ ଅଛି ? କେହି ଜଣେ ବାର୍ଣ୍ଣାବାସ୍‌କୁ ଦେଖାଇ ଦେଲା ଯେ ସେଇ ଅଫିସର୍‌ ଜଣକ ହେଉଛନ୍ତି କ୍ଳାମ୍‌ ଏବଂ ପ୍ରକୃତରେ ଦୁହିଁଙ୍କ ଭିତରେ ଗୋଟାଏ ସାଦୃଶ୍ୟ ଆଛି, ଯେଉଁଥିରେ ବାର୍ଣ୍ଣାବାସ୍‌ର ସନ୍ଦେହ । ଏବଂ ସବୁ କଥା ତା’ର ସନ୍ଦେହ କରିବା ସପକ୍ଷରେ ଯାଉଚି । ଆମେ କ’ଣ ଏୟା ଭାବିବା କଥା ଯେ ଅନ୍ୟ ଅଫିସରଙ୍କ ଗହଳିରେ ଠେଲି ପେଲି କାନରେ ପେନସିଲ ଗୁଞ୍ଜି କ୍ଳାମ ସେଇ ଏକା ରୁମ୍‍ରେ ବୁଲୁଥିବେ ଏଇଟା ଅତି ଅସମ୍ଭବ କଥା । ବାର୍ଣ୍ଣାବାସ ଅନେକ ସମୟରେ ଏୟା କୁହେ, ପ୍ରାୟ ପିଲାଙ୍କ ଭଳି, କିନ୍ତୁ ପିଲାଙ୍କର ବିଶ୍ୱାସ କଲା ବେଳର ମାନସିକ ଅବସ୍ଥାରେ; ‘‘ଅଫିସର ଜଣକ ପ୍ରକୃତରେ ଏକାବେଳେକେ କ୍ଳାମ୍‌ଙ୍କ ପରି ଦେଖିବାକୁ, ଏବଂ ସେ ଯଦି ତାଙ୍କ ନିଜ ଅଫିସରେ ନିଜ ଟେବୁଲ ପାଖରେ କବାଟରେ ନିଜ ନାଁ ଲେଖି ବସିଥାନ୍ତେ, ମୋର ଟିକିଏ ହେଲେ ସନ୍ଦେହ ହୁଅନ୍ତା ନାହିଁ ।’’ ଏଇଟା ପିଲାଳିଆ କଥା, କିନ୍ତୁ ଯୁକ୍ତି ଯୁକ୍ତ । ଅବଶ୍ୟ ଆହୁରି ଯୁକ୍ତି ଯୁକ୍ତ ହୁଅନ୍ତା ବାର୍ଣ୍ଣାବାସ୍‌ ବାର୍ଣ୍ଣାବାସ୍‌ ପାଇଁ, ଯଦି ସେ ସେଠିକି ଯାଇ ବିଭିନ୍ନ ଜିନିଷର ସତ୍ୟାସତ୍ୟ ବିଷୟରେ କିଛି ଲୋକଙ୍କୁ ପଚାରନ୍ତା, ତା ନିଜ କଥାରୁ ସତ୍ୟାସତ୍ୟ ନିର୍ଣ୍ଣୟ କରିବା ପାଇଁ ସେଠି ଅନେକ ଲୋକ ଠିଆ ହୋଇ ରହିଥାନ୍ତି । ଏବଂ ସେମାନେ ଦେବା ଖବର ନିଜ ଆଡ଼ୁ କ୍ଳାମ୍‌ଙ୍କୁ ଦେଖାଇ ଦେଇଥିବା ଲୋକର ଖବରଠୁ’ ଅଧିକ ନିର୍ଭର ଯୋଗ୍ୟ ନ ହେଲେ ବି, ସେମାନେ ଯାହା ସବୁ କଥା କହିଲେ, ସେଥିରୁ କିଛିଟା ସମାନ କଥା ବାହାରିବ, ତୁଳନା କରିବା ପାଇଁ । ଏଇ ଧାରଣାଟା ମୋର ନୁହେ, ବାର୍ଣ୍ଣାବାସ୍‌ର, ତଥାପି ସେ ଏଇ ଧାରଣା ନେଇ ଆଗେଇବାକୁ ସାହାସ କରୁନି’ ତା’ର ସହାସ କୁଳାଉନି କାହାକୁ କହିବାକୁ, ତା’ର ଭୟ ଯେ ସେ କିଛି ନଜାଣି କୌଣସି ଅଜଣା ଆଇନ କାନୁନ୍‌ ବିରୁଦ୍ଧରେ ଯିବ ଓ ତା’ ଫଳରେ ତା’ ଚାକିରି ଚାଲିଯିବ । ଆପଣ ଦେଖନ୍ତୁ ସେ ନିଜକୁ କେତେ ଅନିଶ୍ଚିତ ମନେ କରିଚି; ଏବଂ ତା’ର ଏଇ ଦୟନୀୟ ଅନିଶ୍ଚିତତା ସେଠି ତା’ର ସୃତି ବିଷୟରେ ବେଶ୍‌ ଧାରଣା ଦେଉଚି, ତା’ ନିଜ କହିବା କଥାଠୁ’ ବି ଅଧିକ । ସବୁ କଥା ତା’କୁ କେଡ଼େ ଅନିଶ୍ଚିତ ଓ ବିପଦ ପୂର୍ଣ୍ଣ ମନେ ହେଉଥିବ, ଯେତେବେଳେ ସେ ଗୋଟିଏ ନିରୀହ ପ୍ରଶ୍ନ ପଚାରିବା ପାଇଁ ଟିକିଏ ପାଟି ବି ଖୋଲିପାରୁନି ! ଏକଥା ଭାବିଲେ ମୁଁ ନିଜକୁ ଦୋଷ ଦିଏ, ମୁଁ ଭାବେ ମୁଁ ତାକୁ ଏଇ ସବୁ ଅଜଣା ରୁମ୍‌ ଭିତରେ ଏକା ପଶିବାକୁ ଦେଉଚି ବୋଲି । ତା’ ଉପରେ ୟାର ଏମିତି ପ୍ରଭାବ ପଡ଼ୁଚି ଯେ, ସେ ସେଠି ଠିଆ ହୋଇଥିଲା ବେଳେ ବୋଧେ ଭୟରେ ଥରୁଚି, ଯଦିଓ ସେ ଏମିତିରେ ବେଶ୍‌ ସାହାସୀ, ଡରକୁଳା ନୁହେଁ ।’’

 

‘‘ମୁଁ ଭାବୁଚି ଏଇଠି ତମେ ଅସଲ କଥାଟା ଉପରକୁ ଆସିଲ,’’ କେ. କହିଲା, ‘‘ଠିକ୍ କଥା । ତମଠୁ ଏସବୁ ଶୁଣିଲା ପରେ ମୋର ବିଶ୍ୱାସ ହେଉଚି, ମୁଁ କଥାଟା ସ୍ପଷ୍ଟ ଭାବରେ ବୁଝିପାରିବି । ଏ କାମ ପାଇଁ ବାର୍ଣ୍ଣାବାସ୍‌ର ବୟସ ହୋଇନି । ତମକୁ ସେ ଯାହା କହୁଚି ତାକୁ ଉପର ଠାଉରିଆ ଭାବରେ ନେଇ ଗୁରୁତ୍ୱ ଦେଇ ହେବନି । ସେଇଠି ଯେହେତୁ ସେ ଡରିମରି ଅଛି, ସେ କିଛି ଲକ୍ଷ୍ୟ କରି ପାରୁନି, ଏବଂ ତମେ ତା’କୁ ଯେତେବେଳେ ବାଧ୍ୟ କରୁଚ ସେ ଯାହା ଦେଖିଚି. ତା’ର ଗୋଟିଏ ବିବରଣୀ ଦେବାକୁ, ତମେ ଶୁଣୁଚ କେବଳ ଗୋଳମାଳିଆ ମନଗଢ଼ା କଥା । ମୁଁ ଏଥିରେ ଆଶ୍ଚର୍ଯ୍ୟ ହେଉନି । ଉପରବାଲାଙ୍କ ପ୍ରତି ଭୟ ଏଠି ତମମାନଙ୍କ ଭିତରେ ଜନ୍ମ ନିଏ, ଏବଂ ସାରା ଜୀବନ ବିଭିନ୍ନ ବାଟରେ ଏବଂ ପ୍ରତ୍ୟେକ ଦିଗରେ ସେ ଭୟ ତମମାନଙ୍କୁ ଗୋଡ଼ାଇଥାଏ, ଏବଂ ତମେମାନେ ହିଁ ତା’କୁ ଯେତେ ଦୂର ସମ୍ଭବ ଟାଣୁଆ କରିଥାଅ । ତେବେ ମୋର ତାଙ୍କ ବିରୁଦ୍ଧରେ କୌଣସି ମୌଳିକ ଅଭିଯୋଗ ନାହିଁ; ଯଦି ଉପରବାଲା ଭଲ ଲୋକ, ତେବେ ତାଙ୍କୁ ଭୟ କରାଯିବ ନାହିଁ କାହିଁକି ? ବାର୍ଣ୍ଣାବାସ୍‌ ଭଳି ଜଣେ ଅନୁଭୂତି ହୀନ ଟୋକା ଲୋକକୁ କେହି ହଠାତ୍‌ ଦୁର୍ଗକୁ ପଠାଇଦେବା ଉଚିତ ନୁହେ; ସେ ତ ଗାଁ ବାହାରକୁ ବି କେବେ ଯାଇ ନାହାଁନ୍ତି, ଏବଂ ପଠାଇ ଦେଇ ତାଙ୍କଠୁ ସବୁ କଥାର ସଠିକ ବିବରଣୀ ଆଶା କରିବା ଉଚିତ ନୁହେ କି ତାଙ୍କର ପ୍ରତିଟି ଶବ୍ଦ ବିରାଟ କିଛି ଆବିଷ୍କାର ବୋଲି ଅର୍ଥ କରିବା ଉଚିତ ନୁହେ, ଏବଂ ସେଇ ଅର୍ଥ ଉପରେ ଜୀବନର ସମସ୍ତ ସୁଖଶାନ୍ତି ନିର୍ଭର କରୁଚି ବୋଲି ଭାବିବା ଉଚିତ ନୁହେ’ ୟାଠୁ’ ଭଳି ଭୁଲ୍‌ ଆଉ କିଛି ନହୋଇପାରେ । ମୁଁ ମାନୁଚି ଯେ ଠିକ୍‌ ସେଇଭଳି ମତେ ଭୁଲ୍‌ ବାଟରେ ନେବାକୁ ମୁଁ ତା’ଙ୍କୁ ସୁଯୋଗ ଦେଇଚି, ତାଙ୍କ ଉପରେ ଅନେକ ଆଶା ରଖିଚି ଏବଂ ତାଙ୍କ ଯୋଗୁଁ ଗୁଡ଼ାଏ ବ୍ୟର୍ଥତା ଭୋଗିଚି, ଉଭୟ ଖାଲି ତାଙ୍କ କହିବା କଥା ଉପରେ ନିର୍ଭର କରି, ମାନେ କୌଣସି କାରଣ ନଥାଇ-।’’ ଓଲ୍‌ଗା ଚୁପ୍‌ ରହିଲା । ‘‘ମୋ’ ପକ୍ଷରେ ଏୟା ସହଜ ନୁହେ,’’ କେ. କହିଲା, ‘‘ଏମିତି କଥା କହି ଚାଲିଲା ତମ ଭାଇ ଉପରେ ତମର ଆସ୍ଥା ତୁଟାଇଦେବା, କାରଣ ମୁଁ ଜାଣୁଚି ତମେ ତାଙ୍କୁ କେତେ ଭଲ ପାଅ ଏବଂ ତାଙ୍କଠୁ’ କେତେ କ’ଣ ଆଶାକର । କିନ୍ତୁ ମତେ ତା’ କରିବାକୁ ପଡ଼ିବ, ହେଉ ପଛକେ ଖାଲି ସେଇ ଭଲ ପାଇବା, ସେଇ ଆଶା କରିବା ହେତୁରୁ । କାରଣ ମୁଁ କହୁଚି ଶୁଣ, ଏମିତି ଗୋଟିଏ କିଛି ଅଛି-କଣ ସେଟା ମୁଁ ଜାଣେନି-ଯାହାକି ତମକୁ ଅସୁବିଧାରେ ପକାଉଚି, ଆଉ ତମେ ଭଲ ଭାବରେ ବୁଝି ପାରୁନ ବାର୍ଣ୍ଣାବାସ୍‌ କ’ଣ ସବୁ-ହାସଲ କରିଚି ବୋଲି ମୁଁ କହୁନି–କିନ୍ତୁ କ’ଣ ସବୁ ତାଙ୍କୁ ଦିଆ ହୋଇଚି । ସେ ବୁରୋ ଭିତରକୁ ପଶି ପାରୁଛନ୍ତି, କିମ୍ବା ତମକୁ ଶୁଣିଲେ ଯଦି ଭଲ ଲାଗିବ, ଗୋଟିଏ ଭିତରିଆ ଘର ଭିତରକୁ, ହେଉ ହେଲା ଗୋଟିଏ ଭିତରିଆ ଘର, ଭିତରକୁ ଭିତରକୁ ଅନେକ ଦୁଆର ଅଛି ସେଟାର, ଯୋଉ ଗୁଡ଼ାକୁ ସାହାସ ଥିଲେ ଜଣେ ଟପି ଯାଇ ପାରିବ-। ଅଥଚ ଦେଖ, ମୋ’ କଥା, ମୁଁ ମୋଟେ ସେ ଭିତରିଆ ଘର ଭିତରକୁ ପଶି ପାରିବିନି, ଅନ୍ତତଃ ବର୍ତ୍ତମାନ ପାଇଁ । ସେଠି ବାର୍ଣ୍ଣାବାସ୍‌ କାହା ସାଙ୍ଗରେ କଥାବାର୍ତ୍ତା କରନ୍ତି, ସେ ବିଷୟରେ ମୋର ଧାରଣା ନାଇଁ କିରାଣୀ ଜଣକ ବୋଧେ କର୍ମଚାରୀଙ୍କ ଭିତରେ ସବୁଠୁ’ ତଳେ, କିନ୍ତୁ ସେ ସବା ତଳେ ହେଲେ ବି ଠିକ ତା’ ଉପରର ଲୋକ ସାଙ୍ଗରେ ଜଣକୁ ଚିହ୍ନା କରାଇ ଦେଇପାରେ, ଏବଂ ସେ ଯଦି ତା’ ନକରିପାରେ, ସେ ଅନ୍ତତଃ ଅନ୍ୟ ଜଣକର ନାଁ କହିପାରିବ, ଏବଂ ତା’ବି ଯଦି କରି ନପାରିବ; ସେ ଏମିତି ଜଣକ ପାଖକୁ ପଠାଇଦେଇ ପାରିବ ଯିଏ କି ନାଁଟା କହି ଦେଇ ପାରିବ । ଏଇ ତଥା କଥିତ କ୍ଳାମ୍‌ଙ୍କର ପ୍ରକୃତ କ୍ଳାମ୍‌ଙ୍କ ସାଙ୍ଗରେ ସାମାନ୍ୟ ଟିକିଏ ବି ସାମଞ୍ଜସ୍ୟ ନଥାଇପାରେ ବାର୍ଣ୍ଣାବାସ୍‌ ଯିଏ କି ଭୟରେ ପ୍ରାୟ ଅନ୍ଧ, ତାଙ୍କ ଛଡ଼ା ଅନ୍ୟ କାହାରି ଦୃଷ୍ଟିରେ ସେ ସାଦୃଶ୍ୟ ନଥାଇ ପାରେ, ସେ ସବା ତଳର ଅଫିସର୍‌ ଜଣେ ହୋଇ ପାରିଥାନ୍ତି, ଏପରିକି ସେ ଜଣେ ଅଫିସର ବି ନ ହୋଇ ଥାଇ ପାରନ୍ତି, କିନ୍ତୁ ଯାହା ହେଲେ ବି ଟେବୁଲ୍‌ ପାଖରେ ବସି କରିବା ପାଇଁ ତାଙ୍କର କିଛି ନା କିଛି କାମ ରହିଚି, ତାଙ୍କର ବିଶାଳ ବହି ଖୋଲି ସେ କିଛି ନା କିଛି ପଢ଼ୁଚନ୍ତି, ସେ କିରାଣୀକୁ ଫିସ୍‌ ଫିସ୍‌ ହୋଇ କିଛି କହୁଚନ୍ତି, ସେ କିଛିନା କିଛି ଭାବୁଥିଲା ବେଳେ ତାଙ୍କର ଆଖି ଥରେ ଅଧେ ବାର୍ଣ୍ଣାବାସ୍‌ଙ୍କ ଉପରେ ପଡ଼ି ଯାଇଚି, ଏବଂ ତା’ ବି ଯଦି ସତ ନୁହେ ଏବଂ ସେ ଓ ତାଙ୍କର କାମର କୌଣସି ପ୍ରକାର ମୂଲ୍ୟ ନାହିଁ, ତେବେ ସେ ତ ଅନ୍ତତଃ କୌଣସି ଉଦ୍ଦେଶ୍ୟରେ ସେଠି କାହାଦ୍ୱାରା ରଖା ହୋଇଚନ୍ତି । ଏସବୁର ଅର୍ଥ ହେଲା, ସେଠି ଏମିତି କିଛି ଅଛି ଯାହାକି ବାର୍ଣ୍ଣାବାସ୍‌ ବ୍ୟବହାର କରିପାରନ୍ତି, ଅନ୍ତତଃ କିଛି ତ ଅଛି; ଏବଂ ବାର୍ଣ୍ଣାବାସ୍‌ ଯଦି ସନ୍ଦେହ, ଉଦବେଗ ଓ ନୈରାଶ୍ୟକୁ ଟପି ଯାଇ ନପାରିବେ । ତେବେ ସେଇଟା ତାଙ୍କ ନିଜର ଭୁଲ୍‌ । ଏବଂ ତା ବି ମୁଁ କହୁଚି ଘଟଣା ଗୁଡ଼ିକର ଖରାପ ଅର୍ଥ ଉପରେ ନିର୍ଭର କରି, ଯାହାକି ପୂରା ପୂରି ଅସମ୍ଭବ-। କାରଣ ଆମ ପାଖରେ ପ୍ରକୃତ ଚିଠି ଗୁଡ଼ାକ ଅଛି, ମୁଁ ସେ ସବୁକୁ ନିଶ୍ଚୟ ଏମିତି କିଛି ବେଶୀ ଗୁରୁତ୍ୱ ଦେଉନି, ତେବେ ବାର୍ଣ୍ଣାବାସ୍‌ ଯେତିକି ଦେଉଚନ୍ତି ତା’ଠୁ ବେଶୀ ଗୁରୁତ୍ୱ ଦେଉଚି । ସେ ଗୁଡ଼ାକ ମୂଲ୍ୟହୀନ ପୁରୁଣା ଚିଠି ହୋଇପାରେ, ସେମିତି ଆହୁରି ଅନେକ ମୂଲ୍ୟହୀନ ପୁରୁଣା ଚିଠି ଗଦା ଭିତରୁ ଏଠୁ ସେଠୁ ସେ ଗୁଡ଼ାକୁ ବାହାର କରି ଅଣା ହୋଇଚି ଏବଂ କିଛି ନଭାବି ନ ଚିନ୍ତି ମଧ୍ୟ ବାହାର କରା ହୋଇଚି, ହେଇପାରେ ଯେମିତି ମେଳା ହାଟରେ ଭାଗ୍ୟ ଲେଖା ହୋଇଥିବା କାର୍ଡ଼ ଗଦା ଭିତରୁ ଶୁଆ ଗୋଟିଏ କାର୍ଡ଼ ବାହାର କରି ଦିଏ, ସେ ଗୁଡ଼ାକ ସେୟା ହୋଇଥାଉ, ତଥାପି ମୋ ଭାଗ୍ୟ ସାଙ୍ଗରେ ସେଗୁଡ଼ିକର କିଛିଟା ସଂପର୍କ ଅଛି । ସେଗୁଡ଼ାକ ନିଶ୍ଚୟ ମୋ’ ପାଇଁ ଉଦ୍ଦିଷ୍ଟ, ଯଦିଓ ମୋର ଭୁଲ ପାଇଁ ନ ହୋଇପାରେ, ଏବଂ ସୁପରିଣ୍ଟେଣ୍ଡେଣ୍ଟ ଓ ତାଙ୍କ ସ୍ତ୍ରୀ ଯାହା କହିଲେ, ସେ ଗୁଡ଼ାକ କ୍ଳାମ୍‌ଙ୍କ ନିଜ ହାତରେ ଲେଖା ଏବଂ ପୁଣି ସୁପରିଣ୍ଟେଣ୍ଡଣ୍ଟ୍‌ ଯାହା କହିଲେ, ସେ ଗୁଡ଼ାକର ଏମିତି ଗୋଟିଏ ମୂଲ୍ୟ ଅଛି ଯାହାକି ଅତି ଗୋପନୀୟ ଓ ଅବୋଧ୍ୟ, ହୋଇପାରେ, ତଥାପି ତା’ ବହୁତ । ‘‘ସୁପରିଣ୍ଟେଣ୍ଡେଟ ସେୟା କହିଲେ ?’’ ଓଲଗା ପଚାରିଲା । ‘‘ହଁ,’’ କେ. ଉତ୍ତର ଦେଲା । ‘‘ମୁଁ ଏକଥା ବାର୍ଣ୍ଣାବାସ୍‌କୁ କହିଦେବାକୁ ପଡ଼ିବ,’’ ଓଲ୍‌ଗା ହଠାତ୍‌ କହି ପକାଇଲା, ‘‘ସେଥିରୁ ସେ ବହୁତ ପ୍ରେରଣା ପାଇବା’’ ‘‘କିନ୍ତୁ ପ୍ରେରଣା ତାଙ୍କର ଦରକାର ନାଇଁ,’’ କେ. କହିଲା, ‘‘ତାଙ୍କୁ ଉତ୍ସାହ ଦେବା ଅର୍ଥ ସେ ଯାହା କହୁଚନ୍ତି ତା’ ଠିକ୍‌ ବୋଲି ତାଙ୍କୁ କହିବା, ସେ ବର୍ତ୍ତମାନ ଯାହା କରୁଚନ୍ତି ସେମିତି କରି ଚାଲିଥାନ୍ତୁ ବୋଲି କହିବା, ଏବଂ ତା’ ହେଲେ ତ ସେ କୌଣସିଟା ହାସଲ କରି ପାରିବେ ନାଇଁ । ଯଦି ଜଣେ ତା’ ନିଜ ଆଖିରେ ଅନ୍ଧ ପୁଟୁଳି ବନ୍ଧାଇଚି ତମେ ତା’କୁ ପୁଟୁଳି ଭିତର ଦେଇ ଅନାଇଁବାକୁ କହିବା ପର୍ଯ୍ୟନ୍ତ ଉତ୍ସାହିତ କରିପାର, କିନ୍ତୁ ସେ କିଛି ଦେଖି ପାରିବ ନାହିଁ । ସେ ଦେଖି ପାରିବ କେବଳ ସେତିକିବେଳେ, ଯେତେବେଳେ ତା’ ଅନ୍ଧ ପୁଟୁଳି ଖୋଲା ହୋଇଯିବ । ବାର୍ଣ୍ଣାବାସ୍‌ଙ୍କର ସାହାଯ୍ୟ ଦରକାର, ଉତ୍ସାହ ନୁହେ । ଖାଲି ଏତିକି ଭାବିଲ, ସେଠି ତମ ପାଇଁ ଅଛି ଗୋଟାଏ ବିରାଟ ଉପରିସ୍ଥ ଶକ୍ତିର ଅଡ଼ୁଆ ଜଞ୍ଜାଳ-ଏଠିକି ଆସିବା ଆଗରୁ ମୁଁ ଭାବିଥିଲି ଯେ ସେ ଜଞ୍ଜାଳର ପ୍ରକୃତି ବିଷୟରେ ମୋର କିଛିଟା ନିର୍ଦ୍ଦିଷ୍ଟ ଧାରଣା ଅଛି । କିନ୍ତୁ ମୋ ଧାରଣା ସବୁ କି ପିଲାଳିଆ ଥିଲା ! -ସେଠି ତେଣୁ ଉପରିସ୍ଥ ହାକିମମାନେ ଅଛନ୍ତି ତମର ଏବଂ ଏପଟେ ବାର୍ଣ୍ଣାବାସ୍‌, ତାଙ୍କଠୁ ବଳି ବେଶୀ କେହି ନୁହେ ସେ ପୁଣି ଏତେ ଦୟନୀୟ ଭାବରେ ଏକୁଟିଆ, ସେଠି ଯଦି ସେ ସାରା ଜୀବନ କୌଣସି ବୁରୋର ଅନ୍ଧାରୁଆ ବିସ୍ତୃତ କୋଣରେ ଘୁଷୁରି ଘୁଷୁରି କଟାଇ ଦିଅନ୍ତି ସେତିକି ତା’ଙ୍କ ପାଇଁ ଯଥେଷ୍ଟ ସମ୍ମାନର ବିଷୟ ହେବ ।’’ ‘‘ଆପଣ ଭାବନ୍ତୁନି, କେ., ଯେ ବାର୍ଣ୍ଣାବାସ୍‌ର ଯୋଉ ସବୁ ଅସୁବିଧା ଅଛି ସେ ଗୁଡ଼ିକୁ ଆମେ ଯଥୋଚିତ ଗୁରୁତ୍ୱ ଦେଉନ ଓଲ୍‌ଗା କହିଲା, ‘‘ଉପରିସ୍ଥ ହାକିମମାନଙ୍କ ପ୍ରତି ଆମର ଯଥେଷ୍ଟ ସମ୍ମାନ ଅଛି, ଆପଣ ନିଜେ ସେୟା କହିଚନ୍ତି ।’’ ‘‘କିନ୍ତୁ ତା’ ଭୁଲ୍‌ ରକମର ସମ୍ମାନ, ଯୋଉ ସମ୍ମାନ କି ତା’ ପାଇବାକୁ ହକ୍‌ଦାର ଲୋକର ଅସମ୍ମାନ କରିଥାଏ । ତମେ କ’ଣ ଏହାକୁ ସମ୍ମାନ ଦେଖାଇବା ବୋଲି କହିବ, ଯେତେବେଳେ ବାର୍ଣ୍ଣାବାସ୍‌ ସେଠି ଯାଇ କିଛି କାମ ନ କରି ସେଠିକି ଯାଇପାରିବାର ଅଧିକାର ଅପବ୍ୟୟ କରୁଚନ୍ତି ଏବଂ ଯାହା ଫଳରେ କି ସେ ଏଠିକି । ଫେରି ଆସି ସେ ଯେଉଁ ଲୋକଙ୍କ ଆଗରେ ଥରି ଥରି ଠିଆ ହୋଇ ଆସିଚନ୍ତି ଠିକ୍‌ ସେଇମାନଙ୍କୁ ଛୋଟ ଲୋକ ବୋଲି କହୁଚନ୍ତି, କିମ୍ବା ଯାହା ହେତୁରୁ ସେ ମନ ଖରାପ ଅଛି ବା ହାଲିଆ ହୋଇ ଯାଇଚନ୍ତି ବୋଲି କହି ଚିଠି ପତ୍ର ଠିକ୍‌ ସମୟରେ ପହଞ୍ଚେଇ ନାହାନ୍ତି ଏବଂ ତାଙ୍କୁ ଯୋଉ କାମ ଦିଆଯାଇଚି ତା’ କରୁ ନାହାନ୍ତି ? ଏସବୁ ସମ୍ମାନ ଦେଖାଇବାଠାରୁ ବହୁତ ଦୂରରେ । କିନ୍ତୁ ମୋର ଆଉ ଟିକିଏ ଗାଳି ଦେବାର ଅଛି. ଓଲ୍‌ଗା, ମୁଁ ତମକୁ ମଧ୍ୟ ଦୋଷ ଦେବି ତମକୁ ବାହା ଦେଇ ପାରିବିନି । ତମେ ଯଦିଓ ଭାବୁଚ ତମେ ଉପରିସ୍ଥ ଲୋକଙ୍କୁ ସମ୍ମାନ ଦେଖାଉଚ ବୋଲି, ତମେ ହିଁ ତ ବାର୍ଣ୍ଣାବାସ୍‌ଙ୍କୁ ଦୁର୍ଗକୁ ପଠାଇ ଦେଲ ତାଙ୍କର କମ୍‌ ବୟସ, ଦୁର୍ବଳତା ଓ ଏକାକୀତ୍ୱ ସମେତ, କିମ୍ବା ତମେ ଅନ୍ତତଃ ତା’ଙ୍କୁ ସେଠିକି ନ ଯିବାକୁ ତ କହିଲନି ।’’

 

‘‘ଏଇ ଯେ ଅଭିଯୋଗ ଆପଣ କରୁଚନ୍ତି,’’ ଓଲ୍‌ଗା କହିଲା, ‘‘ତା’ ମୁଁ ନିଜେ ଆରମ୍ଭରୁ କରି ଆସିଚି । ମୁଁ ଯେ ବାର୍ଣ୍ଣାବାସ୍‌କୁ ଦୁର୍ଗକୁ ପଠାଇଲି ତା’ ନୁହେ, ମୁଁ ପ୍ରକୃତରେ ପଠାଇ ନଥିଲି, ସେ ନିଜେ ଗଲା, କିନ୍ତୁ ମୋର ତା’କୁ ମନାକରିବା ଉଚିତ ଥିଲା, ମୋର ସବୁ ଶକ୍ତି, ସବୁ ଅଧିକାର, କୌଶଳ, ପ୍ରରୋଚନା ପ୍ରୟୋଗ କରି । ମୋର ତା’କୁ ମନାକରିବା ଉଚିତ ଥିଲା, କିନ୍ତୁ ଆଜି ଯଦି ପୁଣି ମତେ ଠିକ୍‌ କରିବାକୁ ପଡ଼ନ୍ତା ଆଉଥରେ, ଏବଂ ବାର୍ଣ୍ଣାବାସ୍‌ ଓ ଆମ ସାରା ପରିବାର ଯୋଉ ଅସୁବିଧାରେ ପଡ଼ିଛନ୍ତି ତା’ ଯଦି ସେତେବେଳେ ଯେମିତି ଅନୁଭବ କରୁଥିଲି ଏବଂ ଏବେ ବି ଯେମିତି ଅନୁଭବ କରୁଚି ସେମିତି ଆଉଥରେ ତୀବ୍ର ଭାବରେ ଅନୁଭବ କରିବାକୁ ପଡ଼ନ୍ତା, ଏବଂ ବାର୍ଣ୍ଣାବାସ୍‌ ଯଦି ତା’ ସାମ୍ନାରେ ଥିବା ଦାୟିତ୍ୱ ଓ ବିପଦ ସଂପର୍କରେ ପୂରା ସଚେତନ ଥାଇ ଆଉ ଥରେ ମୋ ଅକ୍ତିଆରରୁ ଖସି ଯାନ୍ତା ହସିଦେଇ, ତେବେ ବି ମୁଁ ତା’କୁ ଅଟକାଇବିନି, ୟା ଭିତରେ ଯାହା ସବୁ ଘଟି ଯାଇଚି ତା’ ସତ୍ତ୍ୱେ । ଏବଂ ମୋର ବିଶ୍ୱାସ ଯେ ମୋ’ ଯାଗାରେ ଆପଣ ବି ଠିକ୍‌ ସେୟା କରନ୍ତେ । ଆପଣ ଯାଣନ୍ତିନି ଆମେ କି ଦୁର୍ଦ୍ଦଶା ଭୋଗୁଚୁ, ସେଇଥିପାଇଁ ଆମମାନଙ୍କ ପ୍ରତି ଏଇ ଅନ୍ୟାୟ କରୁଚନ୍ତି, ଏବଂ ବିଶେଷ କରି ବାର୍ଣ୍ଣାବାସ୍‌ ପ୍ରତି । ସେ ସମୟରେ ବର୍ତ୍ତମାନ ଅପେକ୍ଷା ମୋର ବହୁତ ବେଶୀ ଆଶା ଥିଲା, କିନ୍ତୁ ସେତେବେଳେ ଆମର ଆଶା ଏମିତି କିଛି ବିରାଟ ନଥିଲା, କିନ୍ତୁ ଆମର ଦୁର୍ଦ୍ଦଶା ବହୁତ ବିରାଟ ଥିଲା, ଏବଂ ଏଯାଏଁ ବି ସେମିତି ଅଛି । ଫ୍ରୀଡ଼ା କ’ଣ ଆମ ବିଷୟରେ ଆପଣଙ୍କୁ କିଛି କହିନି ?’’ ‘‘ଏଇ ସାମାନ୍ୟ,’’ କେ. କହିଲା, ‘‘ନିର୍ଦ୍ଦିଷ୍ଟ ଭାବରେ କିଛି ନୁହେ, କିନ୍ତୁ ତମର ନାଁ ପଡ଼ିଲେ ସେ ବ୍ୟସ୍ତ ହୋଇ ଉଠେ ।’’ ‘‘ଆଉ ହୋଟେଲ୍‌ ମାଲିକାଣୀ ବି ଆପଣଙ୍କୁ କିଛି କହିନି ?’’ ‘‘ନା’ କିଛି ନୁହେ ।’’ ‘‘ଆଉ କେହି ବି ନୁହ ?’’ ‘‘କେହି ନୁହ ।’’ ‘‘ହଁ, ଆପଣଙ୍କୁ ବା କିଏ କେମିତି କହିବ ?’’ ସମସ୍ତେ ଆମ କଥା କିଛି କିଛି ଜାଣନ୍ତି, ଏକେ ଯାହା ସତ, ଯେତେ ଦୂର ତା’ ଜାଣି ହେବ, ନହେଲେ ଅନ୍ତତଃ ବଢେଇ ବୁଢେଇ କିଏ କ’ଣ କହିଥିବ ସେତେକ ଶୁଣା କଥା, ମନରୁ ବାହାରିଥିବା କଥା, ଏବଂ ପ୍ରତ୍ୟେକ ଆମ ବିଷୟରେ ଯେତିକି ଦରକାର ତା’ଠୁ ବେଶୀ ଭାବନ୍ତି, କିନ୍ତୁ କେହି ପ୍ରକୃତରେ ସେ ବିଷୟ ଉଠାଇବେନି, ସେ କଥା ଭାଷାରେ କହିବାକୁ ଲୋକଙ୍କୁ ଲାଜ ମାଡ଼େ । ଏବଂ ସେଥିରେ ସେମାନେ ଠିକ ହିଁ କରୁଚନ୍ତି । ଆପଣଙ୍କ ଆଗରେ ବି, କେ., ସେ ବିଷୟ ଉଠାଇବା କଷ୍ଟକର ଏବଂ ଆପଣ ଯେତେବେଳେ ସବୁ କଥା ଶୁଣି ସାରିବେ ଏୟା ହୋଇ ପାରେ-ନୁହେ ?-ଯେ ଆପଣ ପଳାଇଯିବେ ଏବଂ ଆମ ସାଙ୍ଗରେ ଆଉ କୌଣସି ସଂପର୍କ ରଖିବାକୁ ଆପଣ ଚାହିବେ ନାହିଁ, ସେ ବିଷୟରେ ଆପଣଙ୍କର କିଛି ଯାଏ ଆସେ ନଥିଲେ ବି । ତା’ ପରେ ଆମେ ଆପଣଙ୍କୁ ହରାଇ ବସିଥିବୁ, ଏବଂ ମୁଁ ଏକଥା ସ୍ୱୀକାର କରୁଚି ଯେ ବାର୍ଣ୍ଣାବାସ୍‌ର ଦୁର୍ଗ ଚାକିରୀଠାରୁ ଆପଣ ମୋ’ ପାଇଁ ପ୍ରାୟ ବେଶୀ ମୂଲ୍ୟବାନ । ତଥାପି-ଏବଂ ଏଇ କଥା ସନ୍ଧ୍ୟାବେଳ ସାରା ମୋ ମୁଣ୍ଡ ଗୋଳ ମାଳ କରିଚି-ଆପଣଙ୍କୁ ସବୁ କିଛି କହିଦେବାକୁ ପଡ଼ିବ, ନହେଲେ ଆମର ପରିସ୍ଥିତି ସଂପର୍କରେ ଆପଣଙ୍କର କୌଣସି ସୂକ୍ଷ୍ମ ଧାରଣା ହେବ ନାହିଁ, ଏବଂ ମତେ ସବୁଠୁ’ ଯାହା ବେଶୀ ଖରାପ ଲାଗିବ, ଆପଣ ବାର୍ଣ୍ଣାବାସ୍‌ ପ୍ରତି ଏମିତି ଅନ୍ୟାୟ କରି ଚାଲିବେ । ଆମ ଭିତରେ ଥିବା ସଂପୂର୍ଣ୍ଣ ବୁଝମଣା ଭାଙ୍ଗିଯିବ, ଏବଂ ଆପଣ ଆମକୁ ନା ସାହଯ୍ୟ କରି ପାରିବେ ନା ଆମଠୁ, ଅଧିକା ସାହାଯ୍ୟ ଗ୍ରହଣ କରିପାରିବେ । ତେବେ ଆହୁରି ଗୋଟିଏ ପ୍ରଶ୍ନ ଅଛି : ଆପଣ କ’ଣ ସତରେ ସେ ସବୁ କଥା ଶୁଣିବାକୁ ଚାହୁଁଚନ୍ତି ?’’ ‘‘ଏକଥା କାହିଁକି ପଚାରୁଚ ?’’ କେ କହିଲା, ‘‘ଯଦି ଦରକାର ପଡ଼େ, ମୁଁ ବରଂ ଶୁଣିବି, କିନ୍ତୁ ତମେ କାହିଁକି ଏତେ ନିର୍ଦ୍ଦିଷ୍ଟ ଭାବରେ ପଚାରୁଚ ?’’ ‘ଓଲ୍‌ଗା କହିଲା, ଆପଣ ଏତେ ନିରୀହ, ପ୍ରାୟ ବାର୍ଣ୍ଣାବାସ୍‌ ଭଳି ନିରୀହ, ଆପଣ ଆମ ପରିସ୍ଥିତି ସାଙ୍ଗରେ ଜଡ଼ିତ ହୋଇଯିବେ ।’’ ‘ଜଲ୍‌ଦି କହ ମତେ,’’ । କେ. କହିଲା, ‘‘ମୁଁ ମୋଟେ ଡରୁନି । ଘଟଣାଟା ଯା’ ନୁହେ, ତା’କୁ ତମେ ବେଶୀ ଖରାପ କରି କହୁଚ ନିଶ୍ଚେ, ଏଇ ସବୁ ସ୍ତ୍ରୀ ଲୋକ ସୁଲଭ ଗୌର ଚନ୍ଦ୍ରିକା ଦେଇ ।’’

 

ଆମାଲିଆର ଗୋପନ କଥା

 

‘‘ଆପଣ ନିଜେ ବିଚାର କରନ୍ତୁ,’’ ଓଲ୍‌ଗା କହିଲା, ‘‘ମୁଁ ଆଗରୁ ସତର୍କ କରାଇ ଦେଉଚି, କଥାଟା ଭାରି ସରଳ ମନେ ହେବ, ପ୍ରଥମେ ଜଣେ ବୁଝି ପାରିବ ନାଇଁ ଏଥିରେ କି ଗୁରୁତ୍ୱ ଅଛି । ଦୁର୍ଗରେ ସଟିନି ବୋଲି ଜଣେ ବଡ଼ ଅଫିସର୍‌ ଅଛନ୍ତି ।’’ ‘‘ମୁଁ ତାଙ୍କ ନାଁ ଶୁଣିଚି,’’ କେ. କହିଲା, ‘‘ମୋର ଏଠିକି ଆସିବାରେ ତାଙ୍କର କିଛିଟା ହାତ ଅଛି ।’’ ମୁଁ ତା’ ବିଶ୍ୱାସ କରୁନି,’’ ଓଲ୍‌ଗା କହିଲା,. ‘‘ସଟିନି ତ କେବେ ବାହାରକୁ ଆସନ୍ତିନି । ଆପଣ ଆଉ ସଡ଼ିନିକୁ ସଟିନି କହୁ ନାହାଁନ୍ତି ତ ? ସଡ଼ିନି ଡ, ଡ ?’ ‘‘ତମେ ଠିକ୍‌ କହିଚ,’’ କେ. କହିଲା, ‘‘ହଁ,’’ ସିଏ ସଡ଼ିନି ।’’ ‘‘ହଁ,’’ ଓଲ୍‌ଗା କହିଲା, ‘‘ସଡ଼ିନିଙ୍କୁ ଅନେକ ଜାଣନ୍ତି, ଜଣେ ଖୁବ୍‌ ପରିଶ୍ରମୀ ଅଫିସର୍‌, ତାଙ୍କ କଥା ଅନେକ ସମୟରେ ପଡ଼େ, ଅନ୍ୟ ପକ୍ଷରେ ସଟିନି ଭାରି ଢିଲା, ଏବଂ ତାଙ୍କୁ ପ୍ରାୟ କେହି ଜାଣନ୍ତି ନାଇଁ । ତିନି ବର୍ଷରୁ ବେଶୀ ହେବ, ମୁଁ ତାଙ୍କୁ ପ୍ରଥମ ଓ ଶେଷଥର ପାଇଁ ଦେଖିଥିଲି । ଜୁଲାଇ ତିନି ତାରିଖ ସେ ଦିନ ଫାୟାର୍‌ ବ୍ରିଗେଡ଼୍‌ର କ’ଣ ଗୋଟାଏ ଉତ୍ସବରେ । ଦୁର୍ଗ ମଧ୍ୟ ସେଥିରେ ଭାଗ ନେଇଥାଏ ଏବଂ ସେମାନଙ୍କୁ ଗୋଟିଏ ନୂଆ ଦମକଳ ଦେଇଥାଏ । ସଟିନି ଯେ କି ଫାୟାର୍‌ ବ୍ରିଗେଡ଼୍‌ର କାମ ଦାମକୁ କିଛିଟା ନିୟନ୍ତ୍ରଣ କରିବା କଥା, କିନ୍ତୁ ବୋଧେ ଅନ୍ୟ କାହା ପାଇଁ ସେ କାମ ତୁଲାଉଥିଲେ-ଅଫିସ୍‌ରମାନେ ପରସ୍ପର ପଛରେ ସେମିତି ଲୁଚି ରହିଥାନ୍ତି, ତେଣୁ ଜଣେ ଅଫିସରର ପ୍ରକୃତ ଦାୟିତ୍ୱ କ’ଣ ଜାଣିବା କଷ୍ଟକର-ସଟିନି ଦମକଳ ଅର୍ପଣ ଉତ୍ସବରେ ଭାଗ ନେଇଥିଲେ । ଦୁର୍ଗରୁ ଅନ୍ୟ ଅନେକ ଲୋକ ମଧ୍ୟ ଆସିଥିଲେ, ଅଫିସର୍‌ମାନେ ପିଅନ୍‌ମାନେ । ଏବଂ ତାଙ୍କ ପ୍ରକୃତି ଯାହା ସଟିନ ସେମିତି ପଛ ଆଡ଼େ ରହିଥାନ୍ତି । ସେ ଦେଖିବାକୁ ସାନ ଦୁର୍ବଳ, ଚିନ୍ତାଶୀଳ ଦିଶୁଥିବା ଭଦ୍ରଲୋକ, ଏବଂ ଯେଉଁମାନେ ତାଙ୍କୁ ଦେଖି ପାରିଲେ, ସେମାନଙ୍କୁ ତାଙ୍କର ଗୋଟିଏ ଜିନିଷ ବହୁତ ଆକୃଷ୍ଟ କଲା, ତାଙ୍କର କପାଳର ରେଖା ଗୁଡ଼ାକ; ସବୁଗୁଡ଼ାକ ରେଖା-ଏବଂ ତାଙ୍କର ଅନେକ ଗୁଡ଼ାଏ ଥିଲା, ଯଦିଓ ତାଙ୍କର ବୟସ ନିଶ୍ଚେ ଚାଳିଶରୁ ବେଶୀ ହେବନି-ତାଙ୍କ କପାଳ ଉପରେ ଫ୍ୟାନ୍‌ ଭଳି ବିଛେଇ ହୋଇଥିଲା ଏବଂ ତାଙ୍କ ନାକ ମୂଳରୁ ବାହାରିଥିଲା । ମୁଁ ସେମିତିକା ଦୃଶ୍ୟ କେବେ ଦେଖିନି । ହଁ, କ’ଣ କହୁଥିଲି, ସେଇ ଉତ୍ସବଟା ହେଉଥିଲା । ତା’ ଆଗରୁ କେତେ ସପ୍ତାହ ଧରି ଆମାଲିଆ ଓ ମୁଁ ସେ ବିଷୟରେ ବହୁତ ଉତ୍ତେଜିତ ହୋଇ ପଡ଼ିଥିଲୁ, ସେ ଉତ୍ସବ ପାଇଁ ଆମର ସବୁଠୁ’ ଭଲ ପୋଷାକ ତକ ସଜଡ଼ା ହୋଇ ରଖା ହୋଇଥିଲା, ସେ ଗୁଡ଼ାକ ବି କିଛିଟା ନୂଆ ହୋଇ ତିଆରି ହୋଇଥିଲା, ଆମାଲିଆର ପୋଷାକ ପ୍ରକୃତରେ ଭାରି ସୁନ୍ଦର ହୋଇଥିଲା, ଗୋଟିଏ ଧଳା ବ୍ଳାଉଜ, ସାମ୍ନାକୁ ରହୁଥାଏ, ଧାଡ଼ି ପରେ ଧାଡ଼ି ଝାଲର୍‌ ଲଗା ହୋଇଥାଏ ମା’ ସବୁତକ ଝାଲର ଗୋଟାଇ ପୋଟାଇ ସେଥିରେ ଲଗାଇ ଦେଇଥାଏ । ମୋର ହିଁସା ହେଲା, ଉତ୍ସବ ପୂର୍ବଦିନ ରାତି ଯାକ ମୁଁ କାନ୍ଦିଲି । କେବଳ ବ୍ରିଜ୍‌ଇନ୍‌ ହୋଟେଲ୍‌ ମାଲିକାଣୀ ସକାଳେ ଯେତେବେଳେ ଆମ ଘରକୁ ଆସିଲା’’-‘‘ବ୍ରିଜ୍‌ଇନ୍‌ ହୋଟେଲ୍‌ ମାଲିକାଣୀ ?’’ କେ. ପଚାରିଲା । ‘‘ହଁ,’’ ଓଲ୍‌ଗା କହିଲା, ‘‘ସେ ଆମ ପରିବାରର ଜଣେ ଭଲ ସାଙ୍ଗ ଥିଲା ହଁ, ସେ ଆସିଲା ଏବଂ ଦେଖି କହିବାକୁ ବାଧ୍ୟ ହେଲା ଯେ ଆମାଲିଆ ବେଶୀ ସୁନ୍ଦର ଦିଶୁଚି, ତେଣୁ ମତେ ସାନ୍ତ୍ୱନା ଦେବାକୁ ସେ ମତେ ତା’ର ବୋହେମିଆନ୍‌ ପୋହଳା ହାରଟା ଧାର ଦେଲା । ଆମେ ଯିବାକୁ ବାହାରିଚୁ, ଆମାଲିଆ ମୋ’ କଡ଼ରେ ଠିଆ ହୋଇଚି ଏବଂ ସମସ୍ତେ ତାକୁ ପ୍ରଶଂସା କରୁଚୁ, ସେତେବେଳେ ବାପା କହିଲେ : ‘‘ଆଜି ମୋ କଥା ମନେ ରଖିଥା’, ଆମାଲିଆକୁ ତା ବର ମିଳିଯିବ,’’ ତା’ପରେ ମୁଁ’ ଜାଣେନି କାହିଁକି, ମୁଁ ମୋର ହାର ବାହାର କରି ଦେଲି, ମୋ’ ଗର୍ବର ହାରଟି, ଏବଂ ଆମାଲିଆ ବେକରେ ପିନ୍ଧାଇ ଦେଲି, ଏବଂ ଆଉ ତା’କୁ ମୋଟେ ହିଂସା କଲିନି । ତା’ର ବିଜୟ ଆଗରେ ମୋ’ ମୁଣ୍ଡ ନୁଆଁଇ ଦେଲି, ଏବଂ ମୋତେ ଲାଗିଲା ଯେ ସମସ୍ତେ ତା’ ଆଗରେ ମୁଣ୍ଡ ନୁଆଇଁ ଦେବା କଥା, ସବୁଠୁ ବେଶୀ ଆମକୁ ଯାହା ଆଶ୍ଚର୍ଯ୍ୟ କରି ଦେଉଥିଲା, ସେଟା ତା’ ଚେହେରାରେ ଆସିଥିବା ଭିନ୍ନତା, କାରଣ ସେ ପ୍ରକୃତରେ ସୁନ୍ଦର ନଥିଲା, କିନ୍ତୁ ତା’ର ଗମ୍ଭୀର ଚାହାଣୀ ଏବଂ ସେ ଦିନଠୁ ତା’ ସେମିତି ଗମ୍ଭୀର ରହି ଆସିଚି, ଆମ ମୁଣ୍ଡ ଉପରେ ବୁଲି ଆସୁଥାଏ, ଏବଂ ଜଣେ ଇଚ୍ଛା ନ କରି ବି ତା’ ଆଗରେ ସତକୁ ସତ ମୁଣ୍ଡ ନୁଆଇଁ ଦେବ । ସମସ୍ତେ ସେ ଚାହାଁଣୀ ବିଷୟରେ ମନ୍ତବ୍ୟ ଦେଲେ, ଏପରିକି ଆମକୁ ନେବାକୁ ଆସିଥିବା ଲେଜ୍‌ମାନ୍‌ ଓ ତାଙ୍କ ସ୍ତ୍ରୀ ମଧ୍ୟ ।’’ ‘‘ଲେଜମାନ୍‌ ?’’ କେ. ପଚାରିଲା । ‘‘ହଁ, ଲେଜ୍‌ମାନ୍‌’’ ଓଲ୍‌ଗା କହିଲା, ‘‘ଆମକୁ ଭାରି ମର୍ଯ୍ୟାଦା କରା ଯାଉଥାଏ ଏବଂ ଆମକୁ ଛାଡ଼ି ଉତ୍ସବ ଆରମ୍ଭ ହୋଇ ନ ପାରିବା କଥା, କାରଣ ମୋ ବାପା ଫାୟାର୍‌ ବିରେଡ଼୍‌ର ତୃତୀୟ ଉଚ୍ଚପଦସ୍ଥ ଅଫିସର୍‌ ଥିଲେ । ବାପା ସେଯାଏଁ କାର୍ଯ୍ୟକ୍ଷମ ଥିଲେ ?’’ କେ. ପଚାରିଲା ‘‘ବାପା ? ଓଲ୍‌ଗା ଦୋହାରାଇଲା ଶବ୍ଦଟାକୁ, ସତେ ଯେମିତି ସେ ଠିକ୍‌ ବୁଝି ପାରିଲା ନାହିଁ, ‘‘ତିନି ବର୍ଷ ଆଗ ଯାଏଁ ସେ ଅପେକ୍ଷାକୃତ ଭାବେ ଯୁବକ ଥିଲେ, ଯେମିତି ଧରନ୍ତୁ । ଥରେ ହେରେନ୍‌ ହଫ୍‌ରେ ନିଆଁ ଲାଗିଗଲା, ସେ ଏକା ଦୌଡ଼କେ ଭିତରକୁ ଯାଇ ଗାଲାଟର୍‌ ବୋଲି ଜଣେ ଅଫିସରକୁ, ଭାରି ଓଜନିଆ ମଣିଷଟାକୁ, ପିଠିରେ ଧରି ବାହାରକୁ ପଳାଇ ଆସିଲେ । ମୁଁ ନିଜେ ସେଠି ଥିଲି ସେମିତି କିଛି ବିପଦ ନଥିଲା, ନିଆଁ ଜଳା ଯାଗା ପାଖରେ ଥୁଆ ହୋଇଥିବା ଗୁଡ଼ିଏ ଶୁଖିଲା କାଠରୁ ଧୁଆଁ ବାହାରୁଥିଲା, କିନ୍ତୁ ଗାଲାଟର୍‌ ଭୀଷଣ ଡରି ଯାଇଥିଲେ ଏବଂ ଝରକା ବାଟେ ରକ୍ଷା କର ବୋଲି ପାଟି କରୁଥିଲେ, ଏବଂ ବାପା ତାଙ୍କୁ ବୋହି ଆଣିବାକୁ ପଡ଼ିଲା, ଯଦିଓ ନିଆଁ ସେତେବେଳକୁ ଲିଭାଇ ଦିଆ ସାରିଥିଲା । ଅବଶ୍ୟ ଗାଲାଟର୍‌ ସହଜରେ ଚଲା ବୁଲା କରି ପାରନ୍ତି ନାଇଁ ଏବଂ ସେ ପ୍ରକାର ପରିସ୍ଥିତିରେ ତାଙ୍କୁ ସତର୍କ ରହିବାକୁ ପଡ଼େ । କେବଳ ବାପାଙ୍କ ପାଇଁ ମୁଁ ଏସବୁ କଥା ଆପଣଙ୍କୁ କହୁଚି; ଏ ଭିତରେ ମାତ୍ର ତିନୋଟି ବର୍ଷ କଟିଚି ଏବଂ ଏବେ ତାଙ୍କୁ ଦେଖନ୍ତୁ ।’’ କେବଳ ସେତିକି ବେଳେ କେ. ଜାଣି ପାରିଲା ଯେ ଆମାଲିଆ ପୁଣି ରୁମ୍‌ ଭିତରକୁ ଆସିଛି କିନ୍ତୁ ସେ ବେଶ୍‌ ଦୂରରେ ଟେବୁଲ୍‌ ପାଖରେ ତା’ ବାପା ମା’ଙ୍କ ପାଖରେ ବସିଥାଏ, ଗଣ୍ଠିବାତ ହେତୁ ତା’ ମା’ ଙ୍କର ହାତ ଚଳୁ ନଥାଏ, ସେ ତାଙ୍କୁ ଖୁଆଇ ଦେଉଥାଏ, ଏବଂ ତା’ ଭିତରେ ଟିକିଏ ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ ତା’ବାପାଙ୍କୁ ତାଗିଦ୍‌ କରୁଥାଏ, ଆଉ ଟିକିଏ ପରେ ସେ ଖୁଆଇଦେବ । କିନ୍ତୁ ତା’ର ତାଗିଦ୍‌ କରିବା ବୃଥା, କାରଣ ତା’ ବାପା ସୂପ୍‌ର ଲୋଭ ସମ୍ବରଣ କରି ନପାରି ତାଙ୍କ ଦୁର୍ବଳତାକୁ ନ ମାନି ପ୍ରଥମେ ଚାମୁଚ୍‌ରୁ ଓ ପରେ ଗିନାର ସୁପ୍‌ ଖାଇନେବାକୁ ଚେଷ୍ଟା କଲେ, ଏବଂ ଯେତେବେଳେ ପାରିଲେ ନାହିଁ ଗଜର ଗଜର ହେଲେ ଓଠ ପାଖକୁ ଆଣିଲା ବେଳକୁ ଚାମୁଚ୍‌ଟା ଖାଲି ହୋଇ ଯାଇଥାଏ ଏବଂ ସୂପ୍‌ ପାଖକୁ ପାଟି ନେଇ ହେଉନଥାଏ, କାରଣ ତାଙ୍କର ଝୁଲି ପଡ଼ିଥିବା ନିଶ ସୂପ ଭିତରେ ବୁଡ଼ିଯାଉଥାଏ ଏବଂ ତାଙ୍କ ପାଟି ଭିତର ଛଡ଼ା ସବୁ ଆଡ଼େ ସୂପ୍‌ ଛିଟିକି ଯାଉଥାଏ । ‘‘ଏବଂ ତିନି ବର୍ଷରେ ତାଙ୍କର ଏ ଅବସ୍ଥା ହୋଇଚି ?’’ କେ. ପଚାରିଲା ତଥାପି ବୁଢ଼ା ବୁଢ଼ୀଙ୍କ ପାଇଁ କୌଣସି ପ୍ରକାର ସହାନୁଭୂତି ତା’ ମନରେ ଜାଗ୍ରତ ହେଲା ନାହିଁ ଏବଂ ଟେବୁଲ୍‌ ସମେତ ସେ ଯାଗାଟା ପ୍ରତି ତା’ର କେବଳ ଘୃଣା ହେଲା । ‘‘ତିନି ବର୍ଷ, ଓଲଗା ଆସ୍ତେ ଆସ୍ତେ ଉତ୍ତର ଦେଲା, ‘‘କିମ୍ବା, ଆହୁରି ସଂକ୍ଷେପ କରି କହିଲେ ସେ ଉତ୍ସବର କେଇ ଘଣ୍ଟା । ଗାଁ ପାଖରେ ଗୋଟିଏ ପଡ଼ିଆରେ ଉତ୍ସବଟି ହୋଉଥିଲା, ଝରଣା କୂଳରେ । ଆମେ ପହଞ୍ଚିଲା ବେଳକୁ ବହୁତ ଲୋକ ଜମି ସାରିଲେଣି ଆଖ ପାଖ ଗାଁରୁ ଅନେକ ଲୋକ ଆସିଥାନ୍ତି, ଏବଂ ପାଟି ତୁଣ୍ଡ ମୁଣ୍ଡ ଖରାପ କରି ଦେଉଥାଏ । ବାପା ଅବଶ୍ୟ ଆମକୁ ପ୍ରଥମେ ଦମକଳଟା ଦେଖାଇବାକୁ ନେଲେ ଯେମିତି ସେଟାକୁ ଦେଖିଚନ୍ତି ସେ ଭାରି ଖୁସି ହୋଇଗଲେ ଏବଂ ହସିଲେ, ନୂଆ ଦମକଳଟା ଦେଖି ସେ ସୁଖୀ ହେଲେ, ସେଟାକୁ ଖୁଣ୍ଟି ନାଣ୍ଟି ଦେଖିଲେ ଏବଂ ଆମକୁ ସବୁ କଥା ବୁଝାଇ ଦେଲେ, ତାଙ୍କ କଥାକୁ ଆମେ କୋଉଠି ବିରୋଧ କଲେ ବା କିଛି ନ କହିଲେ ସେ ବିରକ୍ତ ହେଉଥାନ୍ତି, ଏବଂ ଆମ ପ୍ରତ୍ୟେକଙ୍କୁ ନଇଁବାକୁ ଏବଂ ପ୍ରାୟ ଇଞ୍ଜିନ୍‌ ତଳେ ଘୁଷୁରିବାକୁ ବାଧ୍ୟ କରୁଥାନ୍ତି, ସେଠି ତଳେ ତାଙ୍କର କିଛି ଦେଖାଇବାର ଥିଲେ, ଏବଂ ବାର୍ଣ୍ଣାବାସ୍‌ ମନା କରିବାକୁ ତାକୁ ମାରିଲେ । କେବଳ ଆମାଲିଆ ଇଞ୍ଜିନଟାପ୍ରତି ଦୃଷ୍ଟି ଦେଲା ନାଇଁ, ସେ ତା’ ପାଖରେ ସିଧା ହୋଇ ଠିଆ ହୋଇଥାଏ ତାର ସୁନ୍ଦର ପୋଷାକରେ, ଏବଂ କେହି ତାକୁ ପଦେ କଥା ବି କହିବାକୁ ସାହାସ କଲେ ନାଇଁ, ବେଳେ ବେଳେ ମୁଁ ତା ପାଖକୁ ଦୌଡ଼ି ଯାଉଥାଏ, ଏବଂ ତା’ ହାତ ଧରୁଥାଏ, କିନ୍ତୁ ସେ କିଛି କହୁନଥାଏ । ଏପରିକି ଆଜି ମଧ୍ୟ ମୁଁ ବୁଝାଇ ପାରିବିନି ଆମେ କେମିତି ଏତେ ସମୟ ଧରି ସେ ଇଞ୍ଜିନ୍‌ ସାମ୍ନାରେ ଠିଆ ହୋଇଥିଲୁ ଅଥଚ ସଟିନିଙ୍କୁ ଦେଖି ପାରିନଥିଲୁ, ବାପା ବୁଲି ପଡ଼ି ନ ଅନାଇଁଲା ଯାକେ, କାରଣ ସେ ନିଶ୍ଚେ ସେ ଯାଏଁ ଦମକଳଟା ପଛରେ ଗୋଟିଏ ଚକା ଉପରେ ଆଉଜି ଠିଆ ହୋଇଥିଲେ । ଆମ ଚାରିଆଡ଼େ ଅବଶ୍ୟ ଭାରି ପାଟି ତୁଣ୍ଡ ହେଉଥାଏ, ଖାଲି ସାଧାରଣରେ ଯେମିତି ହୁଏ ତା ନୁହେଁ, କାରଣ ଦୁର୍ଗ ଦମକଳଟା ସାଙ୍ଗରେ କେତେଟା ତୂରୀ ମଧ୍ୟ ଫାୟାର୍‌ ବ୍ରିଗେଡ଼୍‌କୁ ଉପହାର ଦେଇଥାଏ, ଅସଧାରଣ ଯନ୍ତ୍ର ଗୁଡ଼ିଏ ଯାହାକୁ କି ଟିକିଏ ଚେଷ୍ଟା କରିବି-ସାନ ପିଲାଟି ବି ତା’ କରିଦେବ-ଭୟଙ୍କର ଶବ୍ଦ ସୃଷ୍ଟି କରିପାରିବ; ସେ ତା’ ଶବ୍ଦ ଖଶଳି ଶୁଣିଦେଲେ ହିଁ ଜଣେ ଭାବିବ ଯେ ସେଠିକି ଶତୃପକ୍ଷ ଆସି ଗଲେଣି, ସେ ଶବ୍ଦ ମୋଟେ ସହି ହେଉନଥାଏ, ପ୍ରତ୍ୟେକ ଥର ଶବ୍ଦରେ ମଣିଷ ଚମକି ପଡ଼ୁଥାଏ । ଏବଂ ତୂରୀ ଗୁଡ଼ିକ ନୂଆ ହୋଇଥିବାରୁ ସମସ୍ତେ ଚାହିଁଲେ ଟିକିଏ ବଜାଇବେ, ଏବଂ ଉତ୍ସବ ହେଉଥିବାରୁ ମସସ୍ତଙ୍କୁ ବଜାଇବାକୁ ଦିଆ ହେଲା । ଆମ କାନ ପାଖରେ ଆସି ଠିଆ ହୋଇଥାନ୍ତି କେତେ ଜଣ ତୁରୀ ବଜାଇବା ବାଲା, ବୋଧେ ଆମାଲିଆ ସେମାନଙ୍କୁ ଆକୃଷ୍ଟ କରିଥିଲା । ମୁଣ୍ଡ ଠିକ୍‌ ରଖିବା କଷ୍ଟ ହେଉଥାଏ, ଏବଂ ବାପାଙ୍କ କଥା ମାନିବା ଓ ଦମକଳକୁ ଦେଖିବା ଆମ ପାଇଁ ଯଥେଷ୍ଟ ହୋଇ ସାରିଥାଏ, ତେଣୁ ଏତେ ସମୟ ଧରି ଆମେ ସଟିନିଙ୍କୁ ଲକ୍ଷ୍ୟ କରି ପାରି ନଥିଲୁ ଏବଂ ତା’ ଛଡ଼ା ସେ କିଏ ସେ ବିଷୟରେ ଆମର ଧାରଣା ନଥିଲା । ‘‘ସଟିନି ସେଠି ଠିଆ ହୋଉଚନ୍ତି,’’ ଲେଜ୍‌ମାନ୍‌ ଫିସ୍‌ ଫିସ୍‌ କରି ବାପାଙ୍କୁ କହିଲେ-ମୁଁ ପାଖରେ ଠିଆ ହୋଇଥାଏ-ବାପା ଅତି ଉଚ୍ଚାଟ ହୋଇ ଯାଇ ମୁଣ୍ଡ ନୁଆଁଇ ପ୍ରଣାମ କଲେ, ଏବଂ ଆମକୁ ସେୟା କରିବାକୁ ଠାରିଲେ । ବାପା ସେ ଯାଏଁ ତାଙ୍କୁ ଯଦିଓ କେବେ ଭେଟି ନଥାନ୍ତି, ସେ ତାଙ୍କୁ ଫାୟାର୍‌ ବ୍ରିଗେଡ଼୍‌ କାରବାରରେ ଜଣେ ମୁଖିଆ ଲୋକ ବୋଲି ସମ୍ମାନ କରୁଥାନ୍ତି ଏବଂ ଅନେକ ସମୟରେ ଘରେ ତାଙ୍କ କଥା କହନ୍ତି, ତେଣୁ ତାଙ୍କୁ ନିଜ ଆଖିରେ ଦେଖିବା ପ୍ରକୃତରେ ଗୋଟାଏ ଆଶ୍ଚର୍ଯ୍ୟଜନକ ଓ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା । ସଟିନି କିନ୍ତୁ ଆମକୁ ମୋଟେ ଅନାଇଲେ ନାଇଁ, ଏବଂ ସେଟା କିଛି ବିଚିତ୍ର ନୁହେ, କାରଣ ଅଧିକାଂଶ ଅଫିସ୍‌ର ବାହାରେ ଲୋକଙ୍କ ଆଗରେ ଦୂରେଇ ରହନ୍ତି, ତା’ ଛଡ଼ା ସେ ହାଲିଆ ହୋଇ ଯାଇଥିଲେ, କେବଳ ସରକାରୀ କାମରେ ଆସିଥିଲେ ବୋଲି ସେ ସେଠାରେ ଥାନ୍ତି । ସବୁଠୁ’ ଖରାପ ଅଫିସର ମାନେ କେବଳ ସେ ପ୍ରକାର କାମକୁ କଷ୍ଟ ବୋଲି ଭାବନ୍ତି ନାଇଁ, ସେ ଯା’ ହେଉ ସେଠି ଅନ୍ୟ ଅଫିସର୍‌ ଓ ପିଅନ୍‌ମାନେ ଥିଲେ, ଲୋକଙ୍କ ସାଙ୍ଗରେ ମିଳାମିଶା କରୁଥିଲେ । କିନ୍ତୁ ସେ ଦମକଳ ପାଖରେ ଠିଆ ହୋଇଥାନ୍ତି ଯେଉଁମାନେ କିଛି ଗୋଟାଏ ଅନୁରୋଧ କରିବାକୁ ବା ଟିକିଏ ଖୋସାମତ କରିବାକୁ ତାଙ୍କ ପାଖକୁ ଆସିବାକୁ ଚେଷ୍ଟା କରୁଥାନ୍ତି, ସେମାନଙ୍କୁ ସେ ତାଙ୍କର ନୀରବତା ଦ୍ୱାରା ନିରୁତ୍ସାହିତ କରି ଦେଉଥାନ୍ତି । ତେଣୁ ଏୟା ହେଲା ଯେ ଆମେ ତାଙ୍କୁ ଦେଖିବାର ଅନେକ ପର ପର୍ଯ୍ୟନ୍ତ ସେ ଆମକୁ ଦେଖି ନ ଥିଲେ । କେବଳ ଆମେ ଯେତେବେଳେ ସମ୍ମାନ ଦେଖାଇ ମୁଣ୍ଡ ନୋଇଁଲୁ ଏବଂ ବାପା ଆମ କଥା କହିଲେ, ସେ ଆମ ଆଡ଼େ ଅନାଇଁଲେ ଏବଂ ଜଣ ଜଣ କରି ସମସ୍ତଙ୍କୁ କ୍ଳାନ୍ତ ଆଖିରେ ନିଠେଇ ଚାହିଁଲେ, ସତେ ଯେମିତି ସେ ଜଣକ ପରେ ଆଉ ଜଣେ ଥିବା ଦେଖି ଦୀର୍ଘ ନିଃଶ୍ୱାସ ପକାଉଥାନ୍ତି, ଶେଷରେ ତାଙ୍କ ଆଖି ଆମାଲିଆ ଉପରେ ସ୍ଥିର ହୋଇଗଲା, ଯାହାକୁ ଚାହିଁବା ପାଇଁ ତାଙ୍କୁ ମୁଣ୍ଡ ଉପରକୁ ଉଠାଇବାକୁ ପଡ଼ିଲା କାରଣ ଆମାଲିଆ ତାଙ୍କଠୁ ଅନେକ ଲମ୍ବା । ତାକୁ ଦେଖି ସେ ଚମକି ପଡ଼ିଲେ ଏବଂ ବାଡ଼ ଡେଇଁ ପାଖେଇ ଆସିଲେ । ଆମେ ପ୍ରଥମେ ତାଙ୍କୁ ଭୁଲ ବୁଝିଲୁ ଏବଂ ତାଙ୍କ ଆଡ଼କୁ ଆଗେଇଲୁ, ବାପା ଆଗେ ଆଗେ ଚାଲିଥାନ୍ତି, କିନ୍ତୁ ସେ ହାତ ଉପରକୁ ଟେକି ଆମକୁ ଅଟକାଇ ଦେଲେ ଏବଂ ହାତ ହଲାଇ ଆମକୁ ପଳାଇବାକୁ କହିଲେ । ବାସ ସେତିକି । ଆମେ ଆମାଲିଆକୁ ବହୁତ ଚିଡ଼େଇଲୁ ଯେ ପ୍ରକୃତରେ ତାକୁ ବର ମିଳିଗଲା, ଏବଂ କିଛି ନଜାଣି ଆମେ ସାରା ଉପରଓଳିଟା ବେଶ୍‌ ଖୁସିରେ କଟାଇ ଦେଲୁ । କିନ୍ତୁ ଆମାଲିଆ ଅନ୍ୟ ବେଳ ଅପେକ୍ଷା ବେଶୀ ଚୁପ୍‌ ଚାପ୍‌ ହୋଇ ଯାଇଥାଏ । ସିଏ ସଟିନିଙ୍କ ପ୍ରେମରେ ଉବୁଟୁବୁ ହେଉଚି ବ୍ରନ୍‌ସଓ୍ୱିକ୍‌ କହିଲେ, ସେ ପ୍ରାୟ ସବୁବେଳେ ପ୍ରାୟ ଅସଭ୍ୟ, ଏବଂ ଆମାଲିଆ ଭଳି ଝିଅଙ୍କ ପ୍ରକୃତି ବିଷୟରେ ତାଙ୍କର ଧାରଣା ନାଇଁ । ତଥାପି ଏଥର ଆମେ ଭାବିଲୁ ଯେ ସେ ଠିକ୍‌ କହୁଛନ୍ତି, ସେଇ ଦିନ ସାରା ଆମେ ପୂରା ପାଗଳ ହୋଇ ଯାଇଥିଲୁ ଏବଂ ଆମେ ସମସ୍ତେ, ଏପରିକି ଆମାଲିଆ ମଧ୍ୟ, ଅଧରାତିରେ ଘରକୁ ଫେରିଲା ବେଳକୁ ଦୁର୍ଗରୁ ଆସିଥିବା ମିଠା ମଦ ପିଇ ଟଳ ଟଳ ହେଉଥାଉ ।’’ ଆଉ ସଟିନି ?’’ କେ. ପଚାରିଲା । ‘‘ହଁ’’ ସଟିନି, ଓଲଗା କହିଲା’’ ସେଦିନ ଉପରଓଳି ମୁଁ ତାଙ୍କୁ ଅନେକ ବାର ଦେଖିଲି ବୁଲୁଥିଲା ବେଳେ ସେ ଦମକଳ ବାଡ଼ା ଉପରେ ହାତ ଯୋଡ଼ି ବସିଥାନ୍ତି, ଏବଂ ଦୁର୍ଗର ଗାଡ଼ି ତାଙ୍କୁ ନେବାକୁ ଆସିବା ଯାଏଁ ସେଠି ସେମିତି ବସି ରହିଥିଲେ । ଏପରିକି ସେ ନିଆଁ ଲିଭାଳିଙ୍କ ଖେଳ ଦେଖିବାକୁ ଗଲେ ନାଇଁ । ସେଥିରେ, ସଟିନି ଦେଖୁଚନ୍ତି ବୋଲି ବାପା ତାଙ୍କ ବୟସର ଅନ୍ୟ ସମସ୍ତଙ୍କଠୁ ବେଶୀ ଚମତ୍କାର ଖେଳ ଦେଖାଇଲେ ।’’ ‘‘ଆଉ ତାଙ୍କଠୁ କ’ଣ କିଛି ଖବର ପାଇଲ ନାଇଁ ?’’ କେ. ପଚାରିଲା । ‘ମୋର ମନେ ହେଉଚି ତମେ ସଟିନିଙ୍କୁ ବହୁତ ଗୁରୁତ୍ୱ ଦେଉଚ ।’ ‘ଓ, ହଁ ଗୁରୁତ୍ୱ ‘ଓଲଗା କହିଲା ‘‘ହଁ ହଁ, ଆମେ ତାଙ୍କଠୁ ଅବଶ୍ୟ ଖବର ପାଇଲୁ ତା’ ପରଦିନ ସକାଳେ ଆମେ ନିଘୋଡ଼ ନିଦରେ ଶୋଇଥାଉ, ଆମାଲିଆର ଚିତ୍‌କାରରେ ଆମ ନିଦ ଭାଙ୍ଗିଗଲା, ଅନ୍ୟମାନେ ପୁଣି ଯାକିଯୁକି ହୋଇ ଶୋଇ ପଡ଼ିଲେ, ମୋ ନିଦ କିନ୍ତୁ ପୂରା ଭାଙ୍ଗୀ ଯାଇଥାଏ ଏବଂ ମୁଁ ତା’ ପାଖକୁ ଦୌଡ଼ିଗଲି ହାତରେ ଗୋଟିଏ ଚିଠି ଧରି ସେ ଝରକା ପାଖରେ ଠିଆ ହୋଇଥାଏ ଚିଠିଟି ଜଣେ ଲୋକ ଆଣି ଝରକାବାଟେ ତାକୁ ଦେଇ ଥାଏ, ଏବଂ ଉତ୍ତର ନେବା ପାଇଁ ଅପେକ୍ଷା କରିଥାଏ । ଛୋଟ ଚିଠିଟିଏ, ଆମାଲିଆ ସେଟିକି ପଢ଼ି ସାରିଥାଏ ଓ ତାର ଝୁଲି ରହିଥିବା ହାତରେ ଧରିଥାଏ, ତାକୁ ସେମିତି ହାଲିଆ ହୋଇଯାଇଥିବା ଅବସ୍ଥାରେ ଦେଖିବାକୁ ମୋତେ ସବୁବେଳେ କି ଭଲ ଲାଗୁଥାଏ । ମୁଁ ତା ପାଖରେ ଆଣ୍ଠେଇ ପଡ଼ିଲି ଓ ଚିଠିଟି ପଢ଼ିଲି । ମୋ’ ପଢ଼ା ସରିଛି କି ନାହିଁ ଆମାଲିଆ ମତେ ଟିକିଏ ଚାହିଁଦେଇ ଚିଠିଟି ନେଇଗଲା କିନ୍ତୁ ସେଟିକି ସେ ପୁଣିଥରେ ଆଉ ପଢ଼ିପାରିଲା ନାଇଁ ଟିକି ଟିକି କରି ଚିରିଦେଇ ବାହାରେ ଠିଆ ହୋଇଥିବା ଲୋକର ମୁହଁ ଉପରକୁ ଫିଙ୍ଗି ଦେଲା । ଓ ଝରକା ବନ୍ଦ୍‌ କରିଦେଲା । ସେଇ ସକାଳେ ହିଁ ଆମ ଭାଗ୍ୟ ନିଷ୍ପତ୍ତି ହୋଇଗଲା । ମୁଁ ନିଷ୍ପତ୍ତି ବୋଲି କହୁଚି କିନ୍ତୁ ତା ଆଗଦିନ ଉପରଓଳି ପ୍ରତ୍ୟେକ ମୁହୂର୍ତ୍ତ ଥିଲା ନିଷ୍ପତ୍ତି ମୂଳକ ।’’ ‘ଏବଂ ଚିଠିରେ କଣ ଥିଲା ? କେ. ପଚାରିଲା । ହଁ ସେ କଥା ମୁଁ ଆପଣଙ୍କୁ କହିନି ଏଯାଏଁ ଓଲଗା କହିଲା, ‘‘ଚିଠିଟା ଲେଖିଥିଲେ ସଟିନି ପୋହଳା ହାର ପିନ୍ଧିଥିବା ଝିଅ ପାଖକୁ । ସେଥିରେ ଯାହାସବୁ ଲେଖା ହୋଇଥିଲା ମୁଁ ଦୋହରାଇ ପାରିବିନି । ଚିଠିରେ ଥିଲା ହେରେନ୍‌ହପ୍‌କୁ ତାଙ୍କ ପାଖକୁ ଯିବାକୁ ଡାକରା, ସେଇକ୍ଷଣି ଯିବାକୁ କାରଣ ଅଧ ଘଣ୍ଟାକ ଭିତରେ ସେ ସେଠା ଛାଡ଼ି ପଳାଇବା କଥା । ଚିଠିଟାର ଭାଷା ଥିଲା ଅତି କଦର୍ଯ୍ୟ, ଏମିତି ଭାଷା କେବେ ମୁଁ ଦେଖିନି ଏବଂ ତା ଅର୍ଥ କେବଳ ସେଇ ପରିସ୍ଥିତି ଠାରୁ ମୁଁ ଅନୁମାନ କରି ପାରିଲି । ଯିଏ ଆମାଲିଆକୁ ଜାଣିନି ଅଥଚ ଚିଠିଟା ପଢ଼ିବ; ସେ ନିଶ୍ଚେ ଭାବି ଥାନ୍ତା ଯେ ଯୋଉ ଝିଅ ପାଖକୁ ଏମିତି କା ଚିଠି ଲେଖା ଯାଇପାରେ ସେ ନିଶ୍ଚେ ଦୁଶ୍ଚରିତ୍ରା ହୋଇଥିବ, ଯଦିଓ କେହି ତା ଦେହରେ ସେଯାଏଁ ଟିପ ଦେଇ ନଥିଲେ । ଏବଂ ସେଇଟା ପ୍ରେମ ଚିଠି ନଥିଲା । ସେଥିରେ ପଦେ ହେଲେ ଆଦରର କଥା ନଥିଲା, ବଂର ସଟିନି ନିଶ୍ଚେ ଖୁବ୍‌ ରାଗିଯାଇଥିଲେ କାରଣ ଆମାଲିଆ ତାଙ୍କୁ ବ୍ୟସ୍ତକରି ଦେଇଥିଲା ତାଙ୍କ କାମରେ ତାଙ୍କୁ ବିଚଳିତ କରି ପକାଇଥିଲା । ପରେ ଆମେ ସବୁ କଥା ଯୋଡ଼ିଯାଡ଼ି ଦେଖିଲୁ ସଟିନି ନିଶ୍ଚେ ସେଦିନ ସନ୍ଧ୍ୟାରେ ସିଧା ଦୁର୍ଗକୁ ପଳାଇବାକୁ ଚାହିଁଥିଲେ, କିନ୍ତୁ ତା’ବଦଳରେ ଆମାଲିଆ ପାଇଁ ଗାଁ ଭିତରେ ରହି ଯାଇଥିଲେ, ଏବଂ ସକାଳେ ସାରାରାତି ଆମାଲିଆକୁ ଭୁଲିଯିବାକୁ ଚେଷ୍ଟା କରି ଭୁଲି ନପାରି ରାଗିଯାଇ ସେ ଚିଠିଟା ଲେଖିଥିଲେ । ଯେ କେହି ସେ ଚିଠିଟା ପଢ଼ିଲେ ଉତ୍ତ୍ୟକ୍ତ ହୋଇଯିବ, ଏପରିକି ସବୁଠୁ ମୁଣ୍ଡ ଥଣ୍ଡା ଥିବା ଲୋକ ଜଣକ ମଧ୍ୟ, କିନ୍ତୁ ଅନ୍ୟ କିଏ ହୋଇଥିଲେ ସେ ଚିଠିର ଧମକ ପୂର୍ଣ୍ଣ ଭାଷା ଦେଖି ଡରି ଯାଇଥାନ୍ତା, ଆମାଲିଆ କୁ କିନ୍ତୁ ରାଗ ଲାଗିଲା, ଡର ଭୟ ସେ ଜାଣେନି, ନିଜକୁ ନେଇ ନା ଅନ୍ୟ କାହାକୁ । ଏବଂ ମୁଁ ଚିଠିର ଶେଷ ଧାଡ଼ିଟା ଦୋହରାଇ ପୁଣି ଶେଯରେ ଗଡ଼ିଗଲି, ସେଇଟା ହଠାତ୍‌ ମଝିରେ ଶେଷ ହୋଇ ଯାଇଥାଏ । ଦେଖ, ଯେମିତି ଆସିବ, ଏଇକ୍ଷଣି, ନ ହେଲେ– !’ ଆମାଲିଆ ଝରକା ଉପରେ ବସି ବାହାରକୁ ଅନାଇଁ ଥାଏ, ସତେ ଯେମିତି ଆଉ କେହି କିଛି ଖବର ନେଇ ଆସିବେ ବୋଲି ସେ ଆଶା କରୁଥାଏ, ଏବଂ ପ୍ରଥମ ଲୋକକୁ ଯେମିତି ବ୍ୟବହାର ଦେଖାଇଲା, ସେ ସମସ୍ତଙ୍କୁ ସେଇ ବ୍ୟବହାର ଦେଖାଇବାକୁ ପ୍ରସ୍ତୁତ ହୋଇ ରହିଥାଏ,’’ ‘‘ତା’ ହେଲେ ଅଫିସର୍‌ ମାନେ ହେଲେ ଏମିତିକା ଲୋକ,’’ କେ. କହିଲା, କୁଣ୍ଠିତ ଭାବରେ, ‘‘ସେମାନଙ୍କ ଭିତରେ କି ପ୍ରକାର ଲୋକ ଅଛନ୍ତି ତା’ର ଇଏ ଗୋଟେ ନମୁନା ତମ ବାପା କଣ କଲେ ? ମୁଁ ଭାବୁଚି ସେ ଠିକ୍‌ ଯାଗାରେ ଯାଇ ତୀବ୍ର ଅଭିଯୋଗ କରିଥିବେ, ଯଦି ହେରେନ୍‌ହଫ୍‌ ଯାଇ ସେ ସଂକ୍ଷିପ୍ତ ଭାବରେ ଓ ଶୀଘ୍ର ଅଭିଯୋଗ କରି ନଥିବେ । ଆମାଲିଆ’ ପ୍ରତି ହୋଇଥିବା ଅପମାନ ସେ ଘଟଣାର ସବୁଠୁ’ ଖରାପ କଥା ନୁହେ, ତା’ର ପ୍ରତିଶୋଧ ସହଜରେ ନିଆଯାଇ ପାରିଥାନ୍ତା, ମୁଁ ଜାଣି ପାରୁନି ତମେ ସେ କଥା ଉପରେ ଏତେ ଗୁରୁତ୍ୱ ଦେଉଚ କାହିଁକି ସଟିନିଙ୍କଠୁ’ ଆସିଥିବା ଏମିତି ଗୋଟିଏ ଚିଠି ଚିରକାଳ ପାଇଁ ଆମାଲିଆକୁ ଲଜ୍ଜା ଦେବ କାହିଁକି ?–ତମ କଥା ଶୁଣି ଯେ କେହି ସେୟା ହିଁ ଭାବିବ, କିନ୍ତୁ ତା’ ପୂରା ଅସମ୍ଭବ କଥା, ଅତି ସହଜରେ ଆମାଲିଆ ସାଙ୍ଗରେ ଠିକ୍‌ ବୁଝାମଣା କରି ହୋଇଥାନ୍ତା ଏବଂ ଅଳ୍ପ କେଇଟା ଦିନ ଭିତରେ ପୂରା ଜିନିଷଟା ଉଡ଼େଇ ଦେଇ ହୋଇଥାନ୍ତା, ସଟିନି ନିଜକୁ ହିଁ ଅପମାନିତ କଲେ, ଆମାଲିଆକୁ ନୁହେ । ସଟିନିଙ୍କ କଥା ହିଁ ମତେ ଭୟଙ୍କର ଲାଗୁଚି, ଶକ୍ତିର ଅପ ବ୍ୟବହାର, ଏ ସମ୍ଭାବନାଟା, ଯୋଉ କଥା ଏତେ ଉଲଗ୍ନ ସ୍ପଷ୍ଟ ଭାବରେ ଘଟିଲା ବୋଲି ଏବଂ ଆମାଲିଆ ତା’ର ବିରୋଧ କଲା ବୋଲି ଏଥର ସଫଳ ହୋଇ ପାରିଲା ନାହିଁ, ତାହା ପୂରା ସଫଳ ହୋଇ ପାରିଥାନ୍ତା ଅନ୍ୟ ଅନେକ ପରିସ୍ଥିତିରେ । ସେ ପରିସ୍ଥିତି ଗୁଡ଼ାକ ଆହୁରି କମ୍‌ ଅନୁକୂଳ ହୋଇଥିଲେ ବି, ଏବଂ ସେଥିରେ ଶିକାର ହୋଇଥିବା ଲୋକ ବି ତା’ ଜାଣି ପାରି ନଥାନ୍ତା ।’’ ‘‘ଆସ୍ତେ,’’ ଓଲ୍‌ଗା କହିଲା, ‘‘ଆମାଲିଆ ଏଆଡ଼େ ଚାହିଁଚି । ଆମାଲିଆ ତା’ ବାପା ମା’ ଙ୍କୁ ଖୁଆଇ ସାରିଥାଏ ଏବଂ ବର୍ତ୍ତମାନ ତା’ ମା’ ଙ୍କର ଲୁଗାପଟା କାଢ଼ିନେବାରେ ଲାଗିଥାଏ । ସେ ଖାଲି ସ୍କଟ୍‌ଟା ଖୋଲି, ତା’ ନିଜ ବେକ ଚାରି ପାଖେ ମା’ଙ୍କ ହାତ ଝୁଲାଇ ଦେଇ ତାଙ୍କୁ ଟିକିଏ ଟେକି ଦେଲା ଏବଂ ସ୍କଟ୍‌ଟା ଟାଣି ନେଇଗଲା ଏବଂ ବର୍ତ୍ତମାନ ତାଙ୍କୁ ଆସ୍ତେକିନା ତଳେ ବସାଇ ଦେଲା । ତା’ ବାପା ସେ ଯାଏଁ ରାଗୁ ଥାନ୍ତି, ତାଙ୍କ ସ୍ତ୍ରୀଙ୍କ ସେବା ପ୍ରଥମେ କରାଯାଉଛି ବୋଲି । ତାହା କରାଯାଉଥିଲା ନିଶ୍ଚୟ କେବଳ ଏଇ କାରଣରୁ ଯେ ତାଙ୍କ ଅପେକ୍ଷା ତାଙ୍କ ସ୍ତ୍ରୀ ଥିଲେ ବେଶୀ ଅକର୍ମ୍ମଣ୍ୟ । ସେ ନିଜ ଲୁଗାପଟା ଖୋଲିବାକୁ ଚେଷ୍ଟା କରୁଥାନ୍ତି । ତାହା କରି ସେ ଭାବୁଥାନ୍ତି ବୋଧ ହୁଏ ଯେ ତାଙ୍କ ଝିଅର କାଳ୍ପନିକ ଅଳସୁଆମିକୁ ସେ ଉପହାସ କରୁଛନ୍ତି । ତଥାପି ଯଦିଓ ସେ ସବୁଠୁ ସହଜ ଓ ଅଦରକାରୀ ଜିନିଷଟିଏରେ ଆରମ୍ଭ କଲେ, ସେଇ ବଡ଼ ଚପଲ ଯୋଡ଼ାକ କାଢ଼ିବା ପାଇଁ ଯେଉଁ ଯୋଡ଼ାକ କି ତା’ଙ୍କ ପାଦକୁ ଢିଲା ହେଉଥାଏ, ସେ ସେ ଯୋଡ଼ାକ ମୋଟେ କାଢ଼ି ପାରିଲେ ନାହିଁ ଏବଂ ଗର୍‌ ଗର୍‌ ହୋଇ ତାଙ୍କ ଚେଷ୍ଟା ବନ୍ଦ କଲେ ଏବଂ ପୁଣି ଚେୟାର୍‌ ପଛରେ ଆଉଜି ପଡ଼ିଲେ । ‘‘କିନ୍ତୁ ଆପଣ ବୁଝି ପାରୁନାହାନ୍ତି ପ୍ରକୃତ ଗୁରୁତ୍ୱପୂର୍ଣ୍ଣ କଥାଟା କ’ଣ,’’ ଓଲ୍‌ଗା କହିଲା, ‘‘ଆପଣ ଯାହା ସବୁ କହିଲେ ତା’ ଠିକ୍‌ ହୋଇପାରେ, କିନ୍ତୁ ଆମାଲିଆ ହେରେନ୍‌ହଫ୍‌କୁ ନଯିବାଟା ହିଁ ସବୁଠୁ’ ଗୁରୁତ୍ୱପୂର୍ଣ୍ଣ କଥା; ଚିଠି ଆଣିଥିବା ଲୋକଟାକୁ ସେ ଯୋଉ ବ୍ୟବହାର ଦେଖାଇଲା, ସେଥିପାଇଁ ତା’କୁ କ୍ଷମା କରି ଦିଆ ଯାଇଥାନ୍ତା, ସେ କଥା ଭୁଲି ହୋଇ ଯାଇଥାନ୍ତା କିନ୍ତୁ ସେ ଗଲା ନାହିଁ ବୋଲି ଆମ ପରିବାରର ଏ ଦଶା ହେଲା, ଏବଂ ସେଥିପାଇଁ ହିଁ ଚିଠି ଆଣିଥିବା ଲୋକଟା ପ୍ରତି ତା’ ବ୍ୟବହାର ହୋଇଗଲା ଗୋଟାଏ ଅକ୍ଷମଣୀୟ ଅପରାଧ, ହଁ, ଏପରିକି ସେଇଟା ମୁଖ୍ୟ ଅପରାଧ ବୋଲି ପରେ ଖୋଲା ଖୋଲି ଭାବରେ କୁହାଗଲା ।’’ ‘‘କ’ଣ ହେଲା ।’’ କେ. ତତ୍‌କ୍ଷଣାତ୍‌ ପାଟି କଲା, ପୁଣି ତା’ ସ୍ୱର ନୀଚା କରି ଦେଇ, ଓଲ୍‌ଗା ଯେମିତି ହାତ ଟେକି ତା’କୁ ଅନୁନୟ କରିଛି, ‘‘ତମେ, ତା’ ଭଉଣୀ, ପ୍ରକୃତରେ କ’ଣ କ’ଣ କହୁଚ ଯେ ସଟିନିଙ୍କ ପଛରେ ଆମାଲିଆ ହେରେନ୍‌ହପ୍‌କୁ ଦୌଡ଼ି ଯିବା ଉଚିତ ଥିଲା ?’’ ‘‘ନା,’’ ଓଲ୍‌ଗା କହିଲା, ‘‘ଏପ୍ରକାର ସନ୍ଦେହରୁ ଭଗବାନ ମୋତେ ରକ୍ଷାକର, ଆପଣ ଏମିତି କେମିତି ଭାବୁଛନ୍ତି ? ଏମିତି ଆଉ କାହାକୁ ମୁଁ ଜାଣେନି ଯିଏ ଆମାଲିଆ ପରି ଯୋଉ କାମ କରିବ ଠିକ୍‌ ଭାବେ କରିବ । ସେ ହେରେନ୍‌ହଫ୍‌ ଯାଇଥିଲେ ମଧ୍ୟ ମୁଁ ତା’କୁ ସେୟା ଭାବିଥାନ୍ତି, କିନ୍ତୁ ସେ ନ ଯିବାଟା ତା’ର ବୀର ପଣିଆ । ମୋ କଥା ମୁଁ ଖୋଲି କହୁଚି, ମୁଁ ସେମିତିକା ଚିଠିଟେ ପାଇଥିଲେ ପଳାଇଥାନ୍ତି । କ’ଣ ଯେ ଘଟିବ ସେଇ ଡର ମୁଁ ସହି ପାରିନଥାନ୍ତି, କେବଳ ଆମାଲିଆ ତା’ କରି ପାରିଥାନ୍ତା, କଲା । କାରଣ ଅନେକ ଦିଗରୁ ଘଟଣାଟାକୁ ଦେଖି ହେବ । ଧରନ୍ତୁ ଆଉ କିଏ ହୋଇଥାନ୍ତା, ସେ ନିଜକୁ ସାଜି ଗୁଜି କିଛି ସମୟ ନଷ୍ଟ କରିଥାନ୍ତା, ତା’ ପରେ ହେରେନ୍‌ ହଫ୍‌ ଯାଇଥାନ୍ତା ଦେଖିଥାନ୍ତା ଯେ ସଟିନି ସେଠା ଛାଡ଼ି ଚାଲି ଯାଇଚନ୍ତି, ବୋଧେ ସେ ଦେଖିଥାନ୍ତା ଚିଠିଟା ପଠାଇ ଦେବା ପରେ ପରେ ହିଁ ସେ ପଳାଇଛନ୍ତି, ଏମିତିକା ହେବା ଖୁବ୍‌ ସମ୍ଭବ, କାରଣ ଭଦ୍ର ଲୋକମାନଙ୍କ ମନ ଭାରି ଚଞ୍ଚଳ । କିନ୍ତୁ ଆମାଲିଆ ନା ତା’ କଲା ନା ଅନ୍ୟ କିଛି, ସେ ଭାରି ଅପମାନିତ ବୋଧ କଲା ଏବଂ କୌଣସି କଥା ନ ଲୁଚାଇ ତା ଉତ୍ତର ଦେଲା । ସେ ଯଦି ସଟିନିଙ୍କ କଥା ମାନି ନେବାର ଛଳନା କିଛିଟା କରିଥାନ୍ତା କି ଠିକ୍‌ ମୁହୂର୍ତ୍ତରେ ହେରେନ୍‌ ହଫ୍‌ର ଏରୁଣ୍ଡି ଡେଇଥାନ୍ତା, ଆମକୁ ଏ ଦଣ୍ଡ ଭୋଗିବାକୁ ପଡ଼ିନଥାନ୍ତା, ଆମର ଏଠି ଖୁବ୍‌ ଚାଲାକ ଚତୁର ଓକିଲ ଅଛନ୍ତି ଯେଉଁମାନେ କି ସାମାନ୍ୟ କଥାରୁ ବହୁତ ଅର୍ଥ ବାହାର କରି ଦେଇ ପାରିବେ, କିନ୍ତୁ ସେ ଘଟଣାରେ ସେମାନେ ସେଇ ସାମାନ୍ୟ କଥାଟିକକ ମଧ୍ୟ ପାଇଲେ ନାଇଁ, ବରଂ ଘଟଣାଟା ହେଲେ ସଟିନିଙ୍କ ଚିଠି ଆଣିଥିବା ଲୋକଟା ପ୍ରତି ଅପମାନ ।’’ ‘‘କିନ୍ତୁ ଏସବୁ ଦଣ୍ଡ ଓ ଓକିଲ ମାନଙ୍କ କଥା କ’ଣ ?’’ କେ. ପଚାରିଲା । ‘‘ସଟିନିଙ୍କ ଅପରାଧ ଯୋଗୁଁ ନିଶ୍ଚୟ ଆମାଲିଆକୁ ଦୋଷ ଦେବା, ଦଣ୍ଡ ଦେବା କଥା ନୁହେ ।’’ ‘‘ହଁ,’’ ଓଲ୍‌ଗା କହିଲା ସେ ଯେମିତି ହେଲେ ଦଣ୍ଡ ପାଇଥାନ୍ତା, ଅବଶ୍ୟ ଗୋଟାଏ ସିଧା ମକଦ୍ଦମାରେ ନୁହେଁ; ଏବଂ ତା’କୁ ସିଧା ବାଟରେ ଦଣ୍ଡ ଦିଆ ହେଲା ନାଇଁ, କିନ୍ତୁ ଅନ୍ୟାନ୍ୟ ବାଟରେ ତା’ କୁ ଯାହା ଦଣ୍ଡ ଦିଆ ହେବା କଥା ଦିଆଗଲା, ତା’କୁ ଏବଂ ସାରା ପରିବାରକୁ ଏବଂ ସେ ଦଣ୍ଡ କେତେ କୋଠର ତା’ ଆପଣ ନିଶ୍ଚେ ବୁଝି ପାରୁଛନ୍ତି । ଆପଣଙ୍କ ମତରେ ଏହା ଅନ୍ୟାୟ ଓ ଭୟଙ୍କର କିନ୍ତୁ ସାରା ଗାଁରେ କେବଳ ଆପଣଙ୍କର ହିଁ ଏୟା ମତ, ଏଇ ମତ ଆମକୁ ସୁହାଉଚି, ଏବଂ ଆମକୁ ସୁଖୀ କରିବା କଥା, ଏବଂ ତା’ କରନ୍ତା ଯଦି ଏହା ଏତେ ସ୍ପଷ୍ଟ ଭାବରେ ଗୋଟାଏ ଭୁଲ୍‌ ଧାରଣାରୁ ଜନ୍ମି ନଥାନ୍ତା । ମୁଁ ତା’ ସହଜରେ ପ୍ରମାଣ କରି ଦେବି, ଏବଂ ଯଦି ମୁଁ ଏମିତି ଫ୍ରୀଡ଼ା କଥା ଉଠାଏ, ଆପଣ ମତେ କ୍ଷମା କରିବେ, କିନ୍ତୁ ଫ୍ରୀଡ଼ା ଓ କ୍ଳାମ୍‌ଙ୍କ ଭିତରେ ସଂପର୍କ ପ୍ରଥମେ, ଆମାଲିଆ ଓ ସଟିନିଙ୍କ ଭିତରେ ଯେମିତି ହେଲା ସେମିତି ଆରମ୍ଭ ହୋଇଥିଲା, ଅବଶ୍ୟ ଏ ଦୁଇ ଘଟଣାର ଶେଷ ପରିଣତି ଯା’ ହେଲା ସେ କଥାକୁ ବାଦ୍‌ ଦିଅନ୍ତୁ ତଥାପି, ଯଦିଓ ପ୍ରଥମେ ଆପଣ ସେଥିରେ ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତେ, ବର୍ତ୍ତମାନ ଆପଣ ଭାବୁଛନ୍ତି ତା’ ବେଶ୍‌ ସ୍ୱାଭାବିକ ବୋଲି । ଏବଂ ତା’ ଖାଲି ଏଇଥିପାଇଁ ନୁହେ ଯେ ଆପଣ ସେଥିରେ ଅଭ୍ୟସ୍ତ ହୋଇ ଗଲେଣି, କେବଳ ଅଭ୍ୟାସ ଜଣକର ବିଚାର ବୁଦ୍ଧିକୁ ନଷ୍ଟ କରି ଦେଇ ପାରିବ ନାଇଁ, ଖାଲି ଏୟା ଯେ ଆପଣ ଖରାପ ଧାରଣା କରିବା ଅବସ୍ଥାରୁ ମୁକୁଳି ଯାଇଚନ୍ତି ।’’ ‘‘ନା, ଓଲ୍‌ଗା,’’ କେ. କହିଲା, ‘‘ମୁଁ ବୁଝି ପାରୁନି ତମେ ଫ୍ରୀଡ଼ାକୁ କାହିଁକି ଏ ଭିତରକୁ ଟାଣୁଚ, ତା’ କଥା ଅଲଗା ଥିଲା ଦୁଇଟାଯାକ ଘଟଣାକୁ ଏମିତି ମିଶେଇ ଦିଅ ନାଇଁ, ଏବଂ ବର୍ତ୍ତମାନ ତମେ ତମ କାହାଣୀ କୁହ । ‘‘ଦୟାକରି ଖରାପ ଭାବନ୍ତୁ ନାଇଁ,’’ ଓଲ୍‌ଗା କହିଲା, ‘‘ଯଦି ମୁଁ ଏମିତି ଏଇ ଦୁଇ ଘଟଣାର ତୁଳନା କରେ, ଆପଣଙ୍କ ମନରେ ତଥାପି କିଛିଟା ଖରାପ ଧାରଣା ରହିଯାଇଚି ଏପରିକି ଫ୍ରୀଡ଼ାକୁ ନେଇ ମଧ୍ୟ, ଯାହା ଫଳରେ କି ଆପଣ ଭାବୁଚନ୍ତି ଫ୍ରୀଡ଼ାକୁ ଏ ତୁଳନାରୁ ଆପଣ ରକ୍ଷା କରିବେ । ତାକୁ ରକ୍ଷା କରିବା କିଛି ଦରକାର ନାଇଁ, ତା’କୁ ପ୍ରଶଂସା କରିବା କଥା । ଏଦୁଇ ଘଟଣା ତୁଳନା କରିବାକୁ ଯାଇ ମୁଁ କହୁ ନେଇ ଯେ ଦୁଇଟା ଯାକ ଏକେବାରେ ସମାନ, କଳା ସାଙ୍ଗରେ ଧଳାର ଯୋଉ ସଂପର୍କ ଏ ଦୁଇ ଘଟଣାର ଠିକ୍‌ ସେଇ ସଂପର୍କ, ଏବଂ ଫ୍ରୀଡ଼ା ହେଉଚି ଧଳା । ଯଦି କିଏ ଫ୍ରୀଡର ପ୍ରତି ତାତ୍ସଲ୍ୟର ହସ ହସେ, ତା’ଠୁ ବଳି ଖରାପ କଥା ଆଉ କିଛି ନାଇଁ, ମୁଁ ଯେମିତି ବାର୍‌ରେ ହସିଥିଲି, ଅତି ନିଷ୍ଠୁର ଭାବରେ-ଏବଂ ପରେ ସେଥିପାଇଁ ମୁଁ ବହୁତ ଦୁଃଖ କରିଥିଲି-କିନ୍ତୁ ଯଦି ବି ଜଣେ ହସେ ସେ ହସିବ ଇର୍ଷାରେ, ହିଂସାରେ, ଯାହା ହେଲେ ବି ଜଣେ ତ ହସି ପାରିବ । ଅନ୍ୟ ପକ୍ଷରେ ଆମାଲିଆ ସାଙ୍ଗରେ ରକ୍ତର ସଂପର୍କ ନଥିବା ଯେ କେହି ଲୋକ ତା’କୁ କେବଳ ଘୃଣା କରିବ । ତେଣୁ ଦିଟା ଘଟଣା ଭିତରେ ଅନେକ ତଫାତ୍‌ ଆପଣ ଯା’ କହୁଚନ୍ତି, କିନ୍ତୁ ଦି’ଟା ଯାକ ଏକାପରି ମଧ୍ୟ ।’’ ‘‘ଏ ଦୁଇଟା ଘଟଣା ମୋଟେ ଏକା ପରି ନୁହେ,’’ କେ. କହିଲା, ଏବଂ ସେ ତା’ କଥାରେ ଜୋର, ଦେଇ ମୁଣ୍ଡ ହଲାଇଲା ‘‘ଫ୍ରୀଡ଼ାକୁ ୟା ଭିତରକୁ ଆଣନାଇଁ, ଫ୍ରୀଡ଼ା ସଟିନିଙ୍କ ଚିଠି ଭଳି ସୁନ୍ଦର ଚିଠିଟିଏ ପାଇ ନଥିଲା, ଏବଂ ଫ୍ରୀଡ଼ା ପ୍ରକୃତରେ କ୍ଳାମ୍‌ଙ୍କୁ ଭଲ ପାଉଥିଲା, ଏବଂ, ତମେ ଯଦି ମୋ’ କଥା ସନ୍ଦେହ କରୁଚ, ତମେ ଖାଲି ତା’କୁ ପଚାରି ଦିଅ, ସେ ତାଙ୍କୁ ଏବେ ବି ଭଲ ପାଏ ।’’ ‘‘କିନ୍ତୁ ସେଇଟା କ’ଣ ପ୍ରକୃତରେ ଗୋଟାଏ ତଫାତ୍‍ ?’’ ଓଲ୍‌ଗା ପଚାରିଲା । ‘‘ଆପଣ ଓଲ୍‌ଗା ପଚାରିଲା । ‘‘ଆପଣ କ’ଣ ଭାବୁଛନ୍ତି କ୍ଳାମ୍‌ ଠିକ୍‌ ସେଇ ଧରଣର ଚିଠି ଫ୍ରୀଡ଼ାକୁ ଲେଖି ପାରି ନଥାନ୍ତେ ? ସବୁ ଭଦ୍ରଲୋକ ମାନେ ସେମିତି, ଯେତେବେଳେ ସେମାନେ ସେମାନଙ୍କ ଟେବୁଲ୍‌ ପାଖରୁ ଉଠିଯାନ୍ତି, ସାଧାରଣ ପୃଥିବୀରେ ରହିବାକୁ ସେମାନଙ୍କୁ ଅଡ଼ୁଆ ଲାଗେ ଏବଂ ବିରକ୍ତରେ ସେମାନେ ଭୟଙ୍କର କଥା ସବୁ କହନ୍ତି; ସମସ୍ତେ ନୁହନ୍ତି, କିନ୍ତୁ ଅନେକ । ଆମାଲିଆ ପାଖକୁ ସେ ଚିଠି ଲେଖିବା ଗୋଟାଏ ମୁହୂର୍ତ୍ତର ଆବେଗ ହୋଇଥାଇ ପାରେ ସେଥିରୁ ଯେଉଁ ଅର୍ଥ ବାହାରି ପାରେ ତା’ ପ୍ରତି ଖାତିର୍‌ ନ କରି ସେ ଆବେଗକୁ କାଗଜ ଉପରକୁ ଫିଙ୍ଗିଦିଆ ହୋଇଥିଲା-। ଆମେ ଏସବୁ ଭଦ୍ର ଲୋକଙ୍କ ଚିନ୍ତାଧାରା ବିଷୟରେ କ’ଣ ଜାଣୁ ଆପଣ କ’ଣ ଶୁଣି ନାହାଁନ୍ତି, ନିଜେ ଶୁଣିନାହାଁନ୍ତି, କ୍ଳାମ୍‌ ଫ୍ରିଡ଼ା ସାଙ୍ଗରେ କୋଉ ଧରଣର କଥାବାର୍ତ୍ତା କରନ୍ତି ? କ୍ଳାମ୍‌ ଭାରି ନିଷ୍ଠୁର ବୋଲି ତାଙ୍କର ବଦନାମ୍‌ ଅଛି, ସେ ମୂକଙ୍କ ଭଳି ଘଣ୍ଟା ଧରି ବସି ପାରନ୍ତି ଏବଂ ତା’ ପରେ ହଠାତ୍‌ ଏମତି ଗୋଟାଏ ନିଷ୍ଠୁର କଥା କହି ବସିବେ ଯାହା ଶୁଣିଲେ ଜଣେ ଭୟରେ ଥରି ଉଠିବ । ସଟିନିଙ୍କ ବିଷୟରେ ସେମିତି କିଛି କେବେ ଶୁଣା ଯାଇନି । ଲୋକେ ଖାଲି ଏତିକି ଜାଣନ୍ତି ଯେ ତାଙ୍କ ନାଁ ସଡ଼ିନ ଭଳି ଶୁଭେ । ସେ ଦୁଇଟା ନାଁ ଭିତରେ ଏ ସାମଞ୍ଜସ୍ୟ ନଥିଲେ ବୋଧେ ତାଙ୍କୁ କେହି ଜାଣିନଥାନ୍ତେ । ଫାୟାର ବ୍ରିଗେଡ଼୍‌ର ହାକିମ ଭାବରେ ବି ଲୋକେ ତାଙ୍କୁ ସଡ଼ିନି ବୋଲି ଭାବନ୍ତି, ସଡ଼ିନି ହିଁ ପ୍ରକୃତ ହାକିମ, ଏବଂ ଏଇ ସାମଞ୍ଜସ୍ୟର ସୁବିଧା ନେଇ ଅନେକ କଥା ସଟିନିଙ୍କ ମୁଣ୍ଡ ଉପରକୁ ଠେଲି ଦିଅନ୍ତି, ବିଶେଷ କରି ଅନ୍ୟ କାହାରି କାମ ତାଙ୍କୁ କରିବାକୁ ପଡ଼ିଲେ-। ତା’ ଫଳରେ ସେ ନିଜେ କାମ ସୁରୁଖୁରୁରେ କରିପାରିବେ ବୋଲି । ବର୍ତ୍ତମାନ ସଟିନିଙ୍କ ଭଳି ସମାଜ ସାଙ୍ଗରେ ଖାପ ଖୁଆଇ ଚଳି ପାରୁନଥିବା ଲୋକ ଜଣେ ହଠାତ୍‌ ଯେତେବେଳେ ଜଣେ ଗାଉଁଲି ଝିଅର ପ୍ରେମରେ ପଡ଼ିଯିବ, ସେ ସ୍ୱଭାବିକ ଭାବରେ କଥାଟା ଅଲଗା ଭାବରେ ଦେଖିବ, ପଡ଼ିଶା ଘର ବଢ଼େଇ ପାଖରେ କାମ ଶିଖୁଥିବା ଲୋକଠୁ’ ଅଲଗା । ଏବଂ ଆମକୁ ଆହୁରି ମଧ୍ୟ ମନେ ରଖିବାକୁ ହେବ ଯେ ଜଣେ ଅଫିସର୍‌ ଓ ଜଣେ ଗାଉଁଲି ମୋଚିର ଝିଅ ଭିତରେ ବିରାଟ ଗୋଟାଏ ତଫାତ୍‌ ଅଛି ଯେଉଁଟାକି ଯେମିତି ହେଲେ ଦୂର କରିବାକୁ ପଡ଼ିବ, ଏବଂ ସଟିନି ସେଇ ବାଟରେ ତା’ କରିବାକୁ ଚାହିଁଲେ, ଅନ୍ୟ କିଏ ଅଲଗା ବାଟରେ କରିଥାନ୍ତା ଅବଶ୍ୟ ଆମେ ସମସ୍ତେ ଦୁର୍ଗର ଲୋକ ବୋଲି ନିଜ ନିଜକୁ ଭାବିବା କଥା, ଏବଂ ଆମ ଭିତରେ କୌଣସି ପ୍ରକାର ତଫାତ୍‌ ନରହିବା କଥା, ତା’କୁ ଦୂରକରିବାର ପ୍ରଶ୍ନ ନ ଉଠିବା କଥା, ଏବଂ ସାଧାରଣ ପରିସ୍ଥିତିରେ ସେ କଥା ବେଶ୍‌ ସତ ହୋଇପାରେ, କିନ୍ତୁ ଆମ ପାଖରେ ଭୟଙ୍କର ପ୍ରମାଣ ଯେ ଯଦି କେତେବେଳେ ଗୋଟାଏ ଗୁର୍‌ତ୍ୱପୂର୍ଣ୍ଣ ପରିସ୍ଥିତି ଉପୁଜେ ସେ କଥା ଆଉ ସତ ହୋଇ ରହେ ନାଇଁ । ସେ ଯାହା ହେଉ, ଏସବୁ ଶୁଣିବା ପରେ ସଟିନିଙ୍କ କଳା କୌଶଳକୁ ଆପଣ ଭଲ ଭାବରେ ବୁଝି ପାରୁଥିବେ, ତା’ ଏତେ ଭୟଙ୍କର ବୋଲି ଆଉ ଭାବୁ ନଥିବେ; କ୍ଳାମଙ୍କ କଳା କୌଶଳ ତୁଳନାରେ ସଟିନିଙ୍କ କଳା କୌଶଳ ଦେଶ୍‌ ଯୁକ୍ତି ଯୁକ୍ତ, ଏବଂ ଯେଉଁମାନଙ୍କ ଉପରେ ତା’ର ପ୍ରଭାବ ପଡ଼ୁଚି ସେମାନେ ତା’ ସହି ନେଇ ପାରିବେ । କ୍ଳାମ୍‌ ଯେତେବେଳେ ଗୋଟିଏ ପ୍ରେମ ଚିଠି ଲେଖନ୍ତି, ତା’ ସଟିନିଙ୍କର ସବୁଠୁ’ ବେଶୀ ନିଷ୍ଠୁର ଚିଠିଠୁଁ ବି ଅଧିକ କଦର୍ଯ୍ୟ ଲାଗେ । ଆପଣ ମତେ ଭୁଲ୍‌ ବୁଝିବେ ନାଇଁ, ମୁଁ କ୍ଳାମ୍‌ଙ୍କ ସମାଲୋଚନା କରୁନି, ମୁଁ କେବଳ ଦୁଇ ଜଣଙ୍କର ତୁଳନା କରୁଚି, କାରଣ ଏତୁଳନାକୁ ଆପଣ ଆଖି ବୁଜି ଦେଉଛନ୍ତି । ସ୍ତ୍ରୀ ଲୋକଙ୍କ ଉପରେ ଭାରି ଅତ୍ୟାଚାର କରନ୍ତି କ୍ଳାମ୍‌, ସେ ଏବେ ଜଣକୁ ପରେ ଆଉ ଜଣକୁ ତାଙ୍କ ପାଖକୁ ଆସିବାକୁ ଆଦେଶ ଦିଅନ୍ତି, କାହା ସାଙ୍ଗରେ ବେଶୀ ସମୟ କଟାନ୍ତି ନାଇଁ, ଏବଂ ସେମାନଙ୍କୁ ଆସିବାକୁ ଯେମିତି ଯିବାକୁ ବି ସେମିତି ଆଦେଶ ଦିଅନ୍ତି । ଓରେ ବାବା, କ୍ଳାମ୍‌ ତ ପ୍ରଥମେ ଚିଠି ଖଣ୍ଡିଏ ଲେଖିବାର ଦାୟିତ୍ୱ ବି ନେବେ ନାଇଁ । ୟା ତୁଳନାରେ, ସଟିନି ଯେ କି ଏତେ ଲାଜକୁଳା ଲୋକ ଏବଂ ସ୍ତ୍ରୀ ଲୋକମାନଙ୍କ ସାଙ୍ଗରେ ଯାହାର ସଂପର୍କ ବିଷୟରେ ଆମେ କିଛି ଜାଣୁନା, ସେ ଯଦି ଥରେ ତାଙ୍କର ସୁନ୍ଦର ହସ୍ତାକ୍ଷରରେ ଗୋଟିଏ ଚିଠି ଲେଖି ପକାଇଲେ, ତା’ କ’ଣ ବେଶୀ ଭୟଙ୍କର, ସେ ଚିଠି ଯେତେ କଦର୍ଯ୍ୟ ହୋଇଥାଉ ପଛକେ ? ଏବଂ ବର୍ତ୍ତମାନ ଯଦି ଆମେ ଦେଖିଲୁ ଯେ କ୍ଳାମ୍‌ କୋଉ ଗୁଣରେ ଭଲ ନୁହନ୍ତି, ବରଂ ଠିକ୍‌ ଓଲଟା, ତେବେ ତାଙ୍କ ପ୍ରତି ଫ୍ରୀଡ଼ାର ଭଲ ପାଇବା ତାଙ୍କୁ କୋଉ ବାଟରେ ଭଲ କରି ଦେବ ? ମତେ ବିଶ୍ୱାସ କରନ୍ତୁ ଅଫିସର ଓ ସ୍ତ୍ରୀ ଲୋକମାନଙ୍କ ଭିତରେ ଥିବା ସଂପର୍କ ଅତି ବିଚିତ୍ର, କିମ୍ବା ତା’ ବରଂ ଅତି ସହଜରେ ବୁଝି ହେବ । ପ୍ରେମ ସବୁବେଳେ ତା’ ଭିତରକୁ ଆସିଯାଏ । ଜଣେ ଅଫିସରଙ୍କର ଅସଫଳ ପ୍ରେମ ବୋଲି କିଛି ନାଇଁ । ତେଣୁ ସେ ଦୃଷ୍ଟିରୁ ଜଣେ ଝିଅ ଯଦି-ମୁଁ ଫ୍ରୀଡ଼ା ଛଡ଼ା ଅନ୍ୟ ଅନେକ ଝିଅଙ୍କ କଥା କହୁଚି-ପ୍ରେମରେ ପଡ଼ି ଜଣେ ଅଫିସରଙ୍କ ହାତରେ ନିଜକୁ ଅର୍ପଣ କରିଦିଏ, ସେଥିରେ ତା’କୁ ପ୍ରଶଂସା କରିବାର କିଛି ନାଇଁ । ସେ ତାଙ୍କୁ ଭଲ ପାଇଲା, ଗୋଟା ପଣେ ତାଙ୍କର ହୋଇଗଲା ବାସ୍‌ ସେତିକି, ସେଥିରେ ପ୍ରଶଂସା କଲା ଭଳି କିଛି ନାଇଁ । କିନ୍ତୁ ଆପଣ ଆପତ୍ତି ଉଠାଇବେ ଯେ ଆମାଲିଆ ସଟିନିଙ୍କୁ ଭଲ ପାଇଲା ନାଇଁ । ହେଲା ସେ ବୋଧେ ତାଙ୍କୁ ଭଲ ପାଇନଥିଲା, କିନ୍ତୁ ସେ ସବୁ ଯାକ ଯାହା ହେଲେ ବି ସେ ବୋଧେ ତାଙ୍କୁ ଭଲ ପାଇଥିଲା, କିଏ କହିବ ? ସେ ନିଜେ ବି କହି ପାରିବନି । ସେ କେମିତି ଭାବିବ ସେ ତାଙ୍କୁ ଭଲ ପାଉନଥିଲା ବୋଲି, ଯେତେ ବେଳେ ସେ ତାଙ୍କୁ ଏତେ ରାଗରେ ପ୍ରତ୍ୟାଖ୍ୟାନ କଲା, ଯାହାକି ଜଣେ ଅଫିସରଙ୍କୁ କେହି କେବେ କରିବ ନାହିଁ ? ବାର୍ଣ୍ଣାବାସ୍‌ କହେ ଯେ ତିନିବର୍ଷ ଆଗେ ସେ ଯୋଉ ରାଗରେ ଝରକା ବନ୍ଦ୍‌ କରି ଦେଇ ଥିଲା, ସେଇ ରାଗରେ ଏବେ ବି ବେଳେବେଳେ ଥରିଯାଉଚି । ସେ କଥା ସତ, ତେଣୁ ତାଙ୍କୁ କେହି କିଛି ପଚାରି ପାରିବେନି ।

 

ସଟିନିଙ୍କ ସାଙ୍ଗରେ ତା’ର ସବୁ ସମ୍ପର୍କ ତୁଟିଯାଇଛି, ଏବଂ ସେତିକି ହିଁ ସେ ଜାଣେ; ସେ ତାଙ୍କୁ ଭଲ ପାଏ କି ନାଇ ସେ ଜାଣେନା କିନ୍ତୁ ଆମେ ଜାଣୁ ଯେ ସ୍ତ୍ରୀ ଲୋକମାନେ ଅଫିସର ମାନଙ୍କୁ ଭଲ ନ ପାଇ ରହିପାରିବେନି, ଥରେ ଯଦି ଅଫିସରମାନେ ସେମାନଙ୍କୁ ମୁହଁ ଦେଇଚନ୍ତି, ସେମାନେ ଅଫିସରମାନଙ୍କୁ ଆଗରୁ ହିଁ ଭଲ ପାଇ ବସିଥାନ୍ତି, ସେମାନେ ଯେତେ ଇଚ୍ଛା ଏକଥା ଅସ୍ୱୀକାର କରିପାରନ୍ତି, ଏବଂ ସଟିନି ଯେ ଆମାଲିଆକୁ ଖାଲି ମୁହଁ ଦେଇଥିଲେ ତା ନୁହେଁ ସେ ତାଙ୍କୁ ଦେଖି ବାଡ଼ ଡେଇଁ ଆସିଥିଲେ, ଟେବୁଲ ପାଖରେ ବସି ବସି ତାଙ୍କ ଗୋଡ଼ ବଧିରା ହୋଇଯାଇଥିଲେ ମଧ୍ୟ ସେ ବାଡ଼ ଏପାଖକୁ ଡେଇଁ ପଡ଼ିଥିଲେ । କିନ୍ତୁ ଆମାଲିଆ କଥା ଅଲଗା ବୋଲି ଆପଣ କହିବେ । ହଁ ତା’ କଥା ଅଲଗା, ସେ ତା ପ୍ରମାଣ କରିଦେଇଚି ସଟିନିଙ୍କ ପାଖକୁ ଯିବାକୁ ମନା କରି ଦେଇ, ଏଥିରୁ ତ ଜଣା ପଡ଼ୁଚି ସେ କେତେ ଅଲଗା, ରକମର, କିନ୍ତୁ ୟାଁ ଛଡ଼ା ବି ଯଦି ସେ ସଟିନିଙ୍କୁ ଭଲପାଇ ନଥାନ୍ତା, ସେ ଏତେ ଅଲଗା ରକମର ହୋଇଥାନ୍ତା ଯେ ସାଧାରଣ ବୁଦ୍ଧିରେ ତାକୁ ମୋଟେ ବୁଝି ହୁଅନ୍ତା ନାଇଁ । ସେଦିନ ଉପରଓଳି, ମୁଁ ସତ କହୁଚି ଆମେ ଅନ୍ଧହୋଇ ଯାଇଥିଲୁ, କିନ୍ତୁ ଆମର ମୁଣ୍ଡ ଗୋଳମାଳ ସତ୍ତ୍ୱେ ଯେ ଆମ ଆମାଲିଆ ପ୍ରେମରେ ପଡ଼ିଥିବାର କିଛି ସୂଚନା ପାଇଥିଲୁ ସେଥିରୁ ଜଣା ପଡ଼ୁଚି ଯେ ଅନ୍ତତଃ ଆମର ବିଚାର ବୁଦ୍ଧି କିଛିଟା କାମ କରୁଥିଲା । କିନ୍ତୁ ଏସବୁ କଥା ବିଚାରକୁ ନେଲେ, ଫ୍ରୀଡ଼ା ଓ ଆମାଲିଆ ଭିତରେ କି ତଫାତ ରହିବ ? କେବଳ ଗୋଟିଏ କଥା ଆମାଲିଆ ଯାହା କରିବାକୁ ମନା କରିଦେଲା, ଫ୍ରୀଡ଼ା ତା କଲା । ‘‘ହୋଇପାରେ’’ କେ. କହିଲା । କିନ୍ତୁ ମୋ ପାଇଁ ମୁଖ୍ୟ ତଫାତଟି ହେଲା ଏୟା ଯେ ଫ୍ରୀଡ଼ା ସାଙ୍ଗରେ ମୋର ନିର୍ବଦ୍ଧ ହୋଇ ଯାଇଚି କିନ୍ତୁ ଆମାଲିଆ ବିଷୟରେ ମୁଁ କେବଳ ଟିକିଏ ଭାବେ କାରଣ ସେ ବାର୍ଣ୍ଣାବାସଙ୍କ, ଭଉଣୀ ଦୁର୍ଗରୁ ଚିଠିପତ୍ର ଆଣିବା ଲୋକଟିର, ଏବଂ ଏଥିପାଇଁ ଯେ ଆମାଲିଆର ଭାଗ୍ୟ ତା’ର କର୍ତ୍ତବ୍ୟ ସାଙ୍ଗରେ ଜଡ଼ିତ ହୋଇ ଯାଇପାରିଥାଏ । ତମ କଥା ଶୁଣି ମୂଳରୁ ମନେ ହୋଇଥିଲା ଯେ ଆମାଲିଆ ପ୍ରତି ଜଣେ ଅଫିସର ଏତେ ଘୋର ଅନ୍ୟାୟ କରିଚନ୍ତି । ତା’ ଯଦି ହୋଇଥାଏ, ମୁଁ ଘଟଣାଟାକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି, କିନ୍ତୁ ସାଧାରଣ ଲୋକଙ୍କ ପ୍ରତି ଆମର କର୍ତ୍ତବ୍ୟ ଦୃଷ୍ଟିରୁ, ଆମାଲିଆ ପ୍ରତି କୌଣସି ବ୍ୟକ୍ତିଗତ ସହାନୁଭୂତି ଦୃଷ୍ଟିରୁ ନୁହେଁ । କିନ୍ତୁ ତମେ ଯାହା କହିଲ ସେଥିରେ ପରିସ୍ଥିତିଟା ଏମିତି ଭାବରେ ବଦଳିଗଲା, ଯାହାକି ମୁଁ ପୁରା ବୁଝିପାରୁନି, କିନ୍ତୁ ତା ମୁଁ ଗ୍ରହଣ କରିନେବାକୁ ପ୍ରସ୍ତୁତ; କାରଣ ତମେ ମତେ କହୁଚ ଏବଂ ସେଥିଯୋଗୁଁ ମୁଁ ଘଟଣାଟା ପୂରା ଭୁଲିଯିବାକୁ ଚାହେଁ । ମୁଫାୟାର ବ୍ରିଗେଡର ଲୋକ ନୁହେଁ, ମୋ ପାଇଁ ସଟିନି କେହି ନୁହଁନ୍ତି । କିନ୍ତୁ ଫ୍ରୀଡ଼ାର କିଛି ମୂଲ୍ୟ ମୋ ପାଖରେ ଅଛି, ମୁଁ ତାଙ୍କୁ ପୂରା ବିଶ୍ୱାସ କରି ଚାଲିବାକୁ, ମୋର ଇଚ୍ଛା ଏବଂ ମତେ ଆଶ୍ଚର୍ଯ୍ୟ ଲାଗୁଛି ଯେ ତମେ ଆମାଲିଆ କଥା କହିଲା ବେଳେ କିଛି ବାଛବିଚାର ନ କରି ଫ୍ରୀଡ଼ାକୁ ଏତେ ଗାଳିଦେଉଚ ଏବଂ ତା ପ୍ରତିଥିବା ମୋର ବିଶ୍ୱାସକୁ ଦୋହଲାଇ ଦେଉଚ । ତମେ ଏକଥା ଜାଣି ଶୁଣି ଇଚ୍ଛାକରି କରୁଚ ବୋଲି ମୁଁ ଭାବୁନାଇଁ, କୌଣସି ଖରାପ ଉଦ୍ଦେଶ୍ୟରେ କରୁଚ ବୋଲିତମୋଟେ ନୁହେଁ, କାରଣ ସେମିତି ଭାବୁଥିଲେ ମୁଁ ଅନେକ ଆଗରୁ ଛାଡ଼ି ପଳାଇଥାନ୍ତି । ତମେ ଏକଥା ଜାଣି ଶୁଣି କରୁନ, ପରିସ୍ଥିତି ତମକୁ ୟା କରିବାକୁ ପ୍ରବର୍ତ୍ତାଉଚି, ଆମାଲିଆ ପ୍ରତି ତମର ସ୍ନେହ ଏତେ ବେଶୀ ଯେ ତମେ ତାକୁ ସବୁ ସ୍ତ୍ରୀଲୋକଙ୍କଠୁ ଉପରେ ନେଇ ଥୋଇବାକୁ ଚାହୁଁଚ, ଏବଂ ଆମାଲିଆ ପାଖରେ ଯେହେତୁ ତମେ ସେମିତି କିଛି ଗୁଣ ଦେଖିପାରୁନ ତମେ ଅନ୍ୟମାନଙ୍କୁ ଛୋଟ କରି ଦେଉଚ । ଆମାଲିଆ ଯାହା କଲା, ତା ନିଶ୍ଚୟ ବହୁତ ବଡ଼ କଥା କିନ୍ତୁ ସେ ବିଷୟରେ ଯେତେ ବେଶୀ କହିବ ସେଇଟା ପ୍ରକୃତରେ ମହାନ କି କ୍ଷୁଦ୍ର, ଚାଲାକି ନା ବୋକାମି, ବୀରପଣିଆ ନା କାପୁରୁଷତା, ତା ନିର୍ଣ୍ଣୟ କରିବା ସେତିକି କଷ୍ଟ କର ହେବ । ଆମାଲିଆ ତାର ଉଦ୍ଦେଶ୍ୟ ସବୁ ତା ମନ ଭିତରେ ଲୁଚାଇ ରଖେ, ଏବଂ ସେଗୁଡ଼ିକ କ’ଣ କେହି କେବେ ଜାଣିପାରିବେ ନାଇଁ ଅନ୍ୟ ପକ୍ଷରେ, ଫ୍ରୀଡ଼ା ସେମିତି କିଛି ବଡ଼ କଥା କରିନାଇଁ, ସେ କେବଳ ତା’ ମନ ଯାହା ଡାକିଲା ତା’ କରିଚି, ଯଦି କେହି ଖରାପ ଉଦ୍ଦେଶ୍ୟ ନରଖି ତା’ କଥା ବିଚାର କରେ ସେ ଏହା ସ୍ପଷ୍ଟ ଭାବରେ ବୁଝି ପାରିବ, ଏହାକୁ ପ୍ରମାଣ କରିହେବ, ଏଥିରେ ବଦନାମ କରିବାର ବାଟ ନାହିଁ । ତେବେ, ଆମାଲିଆକୁ ଛୋଟ କରି ଦେବା କି ଫ୍ରୀଡ଼ାର ପକ୍ଷ ନେଇ କହିବାକୁ ମୁଁ ଚାହୁଁନାଇ, ମୁଁ ଖାଲି ଏତିକି ଚାହୁଁଚି ଯେ ଫ୍ରୀଡ଼ା ଉପରେ ତମେ ଯେତେ ଥର ଆକ୍ରମଣ କରୁଚ ମୋ ଉପରେ ହିଁ ତା’ କରୁଚ ବୋଲି ଭାବ । ମୁଁ ନିଜ ଇଚ୍ଛାରେ ଏଠାକୁ ଆସିଲି ଏବଂ ନିଜ ଇଚ୍ଛାରେ ହିଁ ଏଠି ଥଇଥାନ ହେଲି, କିନ୍ତୁ ମୁଁ ଏଠି ଆସି ପହଞ୍ଚିବା ବେଳଠୁ ଯାହା ସବୁ ଘଟିଚି ଏବଂ, ସବୁଠୁ ବଡ଼ କଥା, ମୋର ଯଦି କିଛି ଭବିଷ୍ୟତ ଥାଏ-ତା’ ଯେତେ ଅନ୍ଧକାର ହେଲେ ବିତ ଅଛି-ସେ ସବୁ ପୂରା ଫ୍ରୀଡ଼ା ଯୋଗୁଁ ହିଁ ସମ୍ଭବ ହୋଇଚି, ଏବଂ ତମର ଏଥିରେ କିଛି କହିବାର ନାଇଁ । ଏହା ସତ ଯେ ଜଣେ ଅମିନ ଭାବରେ ଏଠିକି ଆସିବା ପାଇଁ ମତେ କୁହାଯାଇଥିଲା, ତଥାପି ତା କେବଳ ଗୋଟିଏ ବାହାନା ଥିଲା, ସେମାନେ ମୋ’ ସାଙ୍ଗରେ ଖେଳୁଥିଲେ, ସମସ୍ତଙ୍କ ଘରୁ ମୁଁ ତଡ଼ା ଖାଇଲି, ସେମାନେ ଆଜିଯାଏ ମୋ ସାଙ୍ଗରେ ଖେଳୁଚନ୍ତି । କିନ୍ତୁ ସେ ଖେଳ ଏବେ କେତେ ଜଟିଳ ହୋଇସାରିଲାଣି ଯେ, ଯାହା କହନ୍ତି, ମୋର ପରିଧି ବଡ଼ ହୋଇଯାଇଚି-ଯାହାର କିଛି ମାନେ ଅଛି ବେଶୀ ନହେଲେ ମଧ୍ୟ-ତଥାପି ମୋର ଗୋଟିଏ ସଂସାର ହୋଇ ସାରିଲାଣି, ଗୋଟିଏ ଚାକିରୀ, କରିବା ପାଇଁ କାମ ମୋର ଅନ୍ୟଧନ୍ଦା ଥିଲା ବେଳେ ମୋର ଭାବୀ ସ୍ତ୍ରୀ ପାଖରେ ରହି ମୋ କାମ କିଛିଟା କରି ଦେଉଚି ମୁଁ ତାକୁ ବାହା ହେବାକୁ ଯାଉଚି, ସମାଜର ଜଣେ ସଭ୍ୟ ହେବାକୁ ଯାଉଚି, ଏବଂ କ୍ଲାମ୍‌ଙ୍କ ସହିତ ମୋର ସରକାରୀ ସଂପର୍କ ଛଡ଼ା ଗୋଟିଏ ବ୍ୟକ୍ତିଗତ ସଂପର୍କ ବି ଅଛି, ଯଦିଓ ମୁଁ ଏଯାଏଁ ସେ ସଂପର୍କକୁ କାମରେ ଲଗାଇ ପାରିନାଇଁ । ଏତକ ତ ଅନେକ କିଛି ? ଏବଂ ମୁଁ ତମ ପାଖକୁ ଯେତେବେଳେ ଆସୁଚି ତମେ ମତେ ଅଭ୍ୟର୍ଥନା ଜଣାଉଚ କାହିଁକି ? ତମେ କାହିଁକି ତମ ପରିବାରର ଇତିହାସ ମତେ ବିଶ୍ୱାସ କରି କହୁଚ ? ତମେ କାହିଁକି ଆଶା କରୁଚ ଯେ ମୁଁ ତମକୁ ସାହାଯ୍ୟ କରିପାରେ ? ନିଶ୍ଚୟ ଏଥିପାଇଁ ନୁହ ଯେ ମୁଁ ଜଣେ ଅମିନ, ଯେ କି, ଧର ସପ୍ତାହକ ତଳେ ଲେଜ୍‌ମାନ୍‌ ଓ ବ୍ରନ୍‌ସୱିକ୍‌ ଘରୁ ତଡ଼ା ଖାଇଚି, କିନ୍ତୁ ଏଥିପାଇଁ ଯେ ମୁଁ ଜଣେ ପୁରୁଷ, ମୋର କିଛିଟା ଶକ୍ତି ଅଛି । କିନ୍ତୁ ସେ ସବୁ ଫ୍ରୀଡ଼ା ପାଇଁ, ଯିଏ ଏତେ ନମ୍ର ଯେ ତମେ ଯଦି ସେ କଥା ତା’କୁ ପଚାରିବ, ସେ କହି ପାରିବ ନାଇ ସତରେ କିଛି ଅଛି ବୋଲି । ଏବଂ ତେଣୁ, ଏସବୁ କଥା ବିଚାରକୁ ନେଲେ ମନେ ହେବ ଯେ ଆମାଲିଆ ତା’ର ଗର୍ବ ନେଇ ଯାହା ହାସଲ କରି ନାଇଁ, ଫ୍ରୀଡ଼ା ତା’ ନିରୀହତା ନେଇ ତା’ଠୁ ଅଧିକ ହାସଲ କରିଚି, କାରଣ ମୁଁ କହିପାରେ କି ଯେ ତମେ ଆମାଲିଆ ପାଇଁ ସାହାଯ୍ୟ ଚାହୁଁଚ ବୋଲି ମୋର ଧାରଣା ହେଉଚି ? ଏବଂ କାହାଠୁ ଶେଷରେ, ଆଉ କାହାଠୁ ନୁହେ, ଫ୍ରୀଡ଼ାଠୁ ।’’ ‘‘ମୁଁ ଫ୍ରୀଡ଼ା ବିଷୟରେ କ’ଣ ପ୍ରକୃତରେ କଦର୍ଯ୍ୟ କରି କହିଲି ?’’ ଓଲ୍‌ଗା ପଚାରିଲା, ‘‘ମୁଁ ସତରେ ସେମିତି କିଛି କହିବାକୁ ଚାହୁଁନଥିଲି, ଏବଂ ପ୍ରକୃତରେ କହିଚି ବୋଲି ଭାବୁନାଇଁ, ତେବେ, କହିପାରେ; ଆମେ ହଇରାଣରେ ପଡ଼ିଚୁ, ଆମର ସାରା ସଂସାର ଭୁଷୁଡ଼ି ପଡ଼ିଛି; ଏବଂ ଥରେ ଆମେ ଗାଳି ଦେବା ଆରମ୍ଭ କଲେ ଆମେ ଯେ କୁଆଡ଼େ ଚାଲି ଯାଉଚୁ ବୁଝିପାରୁନୁ । ଆପଣ ଠିକ୍‍ କହିଛନ୍ତି, ବର୍ତ୍ତମାନ ଆମେ ଓ ଫ୍ରୀଡ଼ା ଭିତରେ ବହୁତ ବେଶୀ ତଫାତ୍‌, ଏବଂ ଏକଥାକୁ ବେଳେ ବେଳେ ଜୋର୍‌ ଦେଇ କହିବା ଭଲ । ତିନି ବର୍ଷ ତଳେ ଆମେ ଥିଲୁ ଭଲ ଘରର ଝିଅ ଆଉ ଫ୍ରୀଡ଼ା ଗୋଟେ ବାଜେ ଝିଅ, ବ୍ରିଜଇନ୍‌ର ଚାକରାଣୀ, ଆମେ ତା’ପାଖ ଦେଇ ଚାଲିଗଲା ବେଳେ ତା’ ଆଡ଼େ ଅନାଉ ନଥିଲୁ । ମୁଁ ମାନୁଚି, ଆମେ ଭାରି ଅହଂକାରୀ ଥିଲୁ, କିନ୍ତୁ ଆମେ ତ ସେମିତି ବଢ଼ିଥିଲୁ । କିନ୍ତୁ ହେରେନ୍‌ହଫର ସେ ସନ୍ଧ୍ୟା ବୋଧେ ଆମର ଆଜିର ପାରସ୍ପରିକ ଅବସ୍ଥା ସଂପର୍କରେ ଆପଣଙ୍କୁ ସବୁ କିଛି ଜଣାଇ ଦେଲା । ଫ୍ରୀଡ଼ା ହାତରେ ବେତ, ଆଉ ମୁଁ ଚାକରମାନଙ୍କ ଗହଳିରେ । କିନ୍ତୁ ତା’ ଅପେକ୍ଷା ବି ଅବସ୍ଥା ଖରାପ ଏବେ ଫ୍ରୀଡ଼ା ଆମକୁ ଘୃଣା କରିପାରେ, ତା’ର ସ୍ଥିତି ବର୍ତ୍ତମାନ ଯାହା ସେ ଦୃଷ୍ଟିରୁ, ପରିସ୍ଥିତି ତା’କୁ ବାଧ୍ୟ କରିବ । କିନ୍ତୁ ଏମିତି କିଏ ଅଛି ଯିଏ ଆମକୁ ଘୃଣା ନକରୁଚି ? ଆମକୁ ଘୃଣା କରିବାପାଇଁ ଯେ କେହି ଚାହିଁବ ତା’କୁ ଅନେକ ସାଙ୍ଗ ମିଳିଯିବେ । ଫ୍ରୀଡ଼ା ପରେ ଯିଏ ଆସିଲା ତା’କୁ ଆପଣ ଜାଣନ୍ତି କି ? ତା’ ନାଁ ପେପି । ପରଦିନ ରାତିରେ ପ୍ରଥମ କରି ତା’ ସଙ୍ଗେ ମୋର ଦେଖା ହେଲା, ସେ ଜଣେ ଚ୍ୟାମ୍ବର୍‌ ମେଡ଼୍‌ ଥିଲା । ତା’ର ମୋ’ ପ୍ରତି ଏତେ ଘୃଣା, ଫ୍ରୀଡ଼ାକୁ ମଧ୍ୟ ଟପି ଯାଇଚି । ମୁଁ ବୀୟର ପାଇଁ ଆସିଲା ବେଳେ ସେ ଝରକା ବାଟେ ମତେ ଦେଖିଲା, ଏବଂ ଦୌଡ଼ିଯାଇ କବାଟଟା ବନ୍ଦ୍‌ କରିଦେଲା ତା’ ଫଳରେ କେତେ ସମୟ ଧରି ମତେ କାକୁତି ମିନତି ହେବାକୁ ପଡ଼ିଲା, କବାଟ ଖୋଲିଲେ ମୋ ମୁଣ୍ଡର ରିବନ୍‌ଟା ତା’କୁ ଦେଇ ଦେବି ବୋଲି କଥା ଦେବାକୁ ହେଲା । କିନ୍ତୁ ସେଇଟା ଯେତେବେଳେ ତା’କୁ ଦେଲି ସେ ଗୋଟାଏ କଣକୁ ଫିଙ୍ଗି ଦେଲା । ହେଉ ସେ ଯଦି ମୋତେ ଘୃଣା କରୁଚି ସେଥିରେ ମୁଁ କ’ଣ କରିପାରିବି ? ମୁଁ ତା’କୁ ଖୁସି କରି ରଖିବାକୁ ପଡ଼ିବ, ସେ ହେରେନ୍‌ହଫ୍‌ର ବାର୍‌ ମେଡ଼ (ମଦ ପରୁଷୁଥିବା ପରିଚାରିକା) କେବଳ ବର୍ତ୍ତମାନ ପାଇଁ, ସତ, କାରଣ ସେଠି ସବୁଦିନ ରହିବାପାଇଁ ତା’ର କିଛି ଗୁଣନାଇଁ । ଖାଲି କେହି ଜଣେ ଶୁଣୁ ହୋଟେଲ ମାଲିକ ତା’ ସାଙ୍ଗରେ କି ପ୍ରକାର କଥାବାର୍ତ୍ତା କରୁଚି, ଏବଂ ଫ୍ରୀଡ଼ା ସାଙ୍ଗରେ ସେ କେମିତି କଥାବାର୍ତ୍ତା କରୁଥିଲା ତାକୁ ତୁଳନା କରୁ । କିନ୍ତୁ ଆମାଲିଆକୁ ପେପି ଘୃଣା କରିବାରେ ବି ତା’ କିଛି ବାଧା ଦେଉନାଇଁ, ଆମାଲିଆ ଯାହାର ଗୋଟିଏ ଚାହାଁଣି ଯଥେଷ୍ଟ ହେବ ପେପିକୁ ତା’ ବେଣୀ ରିବନ୍‌ ସମେତ ନିକାଲି ଦେବା ପାଇଁ, ଏବଂ ଏତେ ଶୀଘ୍ର ଯେ ପେପି ମୋଟା ମୋଟା ଗୋଡ଼ରେ ଦୌଡ଼ି ପାରିବ ନାଇ । କାଲି ପୁଣି ମତେ ଶୁଣିବାକୁ ହେଲା ଆମାଲିଆ ବିରୁଦ୍ଧରେ ତା’ର ବିଷୋଦ୍‌ଗାରଣ; ଶେଷରେ ହୋଟେଲକୁ ଆସିଥିବା ଲୋକେ ମୋ’ ପାଇଁ କହିବାକୁ ଆରମ୍ଭ କଲେ ଅବଶ୍ୟ ଯୋଉ ଭାବରେ ତା’ କରିବା ଆପଣ ଦେଖିଛନ୍ତି ସେମିତି ।’’ ‘‘କି ଭାବ ପ୍ରବଣ ତମେ, ‘‘କେ. କହିଲା, ‘‘ମୁଁ କେବଳ ଫ୍ରୀଡ଼ା ଯାହା ତା’ କହିଲି କିନ୍ତୁ ତମକୁ ଛୋଟ କରିଦେବାକୁ ମୁଁ ଚାହୁଁନଥିଲି ତମେ ଯେମିତି ଭାବୁତ । ତମର ପରିବାର ପ୍ରତି ମୋର ଗୋଟାଏ ସ୍ୱତନ୍ତ୍ର ଆକର୍ଷଣ ଅଛି, ମୁଁ ଏକଥା କେବେ ମନା କରିନି, କିନ୍ତୁ ଏଇ ଆକର୍ଷଣ ମତେ ତମକୁ ଘୃଣା କରିବାକୁ କାହିଁକି ଦେବ ମୁଁ ବୁଝି ପାରୁନି ।’’ ‘‘ଓଃ, କେ; ଓଲ୍‌ଗା କହିଲା, ‘‘ଆପଣଙ୍କୁ କେମିତି ବୁଝେଇବି ମୁଁ ଜାଣିପାରୁନି, ଆପଣ କ’ଣ ଏତିକି ବୁଝି ପାରୁନାହାନ୍ତି ଯେ ସଟିନିଙ୍କ ପ୍ରତି ଆମାଲିଆର ବ୍ୟବହାର ହିଁ ଲୋକେ ଆମକୁ ଘୃଣା କରିବାର ମୂଳ କାରଣ ?’’ ‘‘ତା’ ହେଲେ ତ ବଡ଼ ଅସୁବିଧା କଥା କେ. କହିଲା, ‘‘ଆମାଲିଆକୁ ଜଣେ ପ୍ରଶଂସା କରିପାରେ କିମ୍ବା ଗାଳି ଦେଇପାରେ, କିନ୍ତୁ ତା’କୁ ଘୃଣା କରିବ କାହିଁକି ? ଏବଂ ତା’କୁ ଯଦି ଘୃଣା କରାଗଲା ଏମିତି କୌଣସି କାରଣରୁ ଯାହାକି ମୁଁ ବୁଝିପାରୁନି, ସେ ଘୃଣା ତମ ସମସ୍ତଙ୍କ ପ୍ରତି ବି ଲାଗୁ ହେବ କାହିଁକି ତମ ପରିବାରର ନିରୀହ ଲୋକ ଗୁଡ଼ିକ ପ୍ରତି ? ଧର ପେପି ତମକୁ ଘୃଣା କରୁଚି, ସେଇଟା ତା’ର ମୂର୍ଖାମି, ଏବଂ ମୁଁ ଆଉ ଥରେ ହେରେନ୍‌ହଫ୍‌ ଗଲେ ତା’କୁ ଏକଥା କହିବି ।’’ ‘‘ଆପଣ ଯଦି କେ, ଆମକୁ ଘୃଣା କରୁଥିବା ସବୁ ଲୋକର ମନ ପରିବର୍ତ୍ତନ କରିବାକୁ ବାହାରିବେ, ଆପଣଙ୍କର କାମ ଧନ୍ଦା ବନ୍ଦ୍‌ ହୋଇଯିବ କାରଣ ଏସବୁ ଦୁର୍ଗ ଲୋକେ ଆରମ୍ଭ କରିଚନ୍ତି । ଯୋଉ ସକାଳ କଥା ମୁଁ କହିଲି ତା’ ପରଦିନର ସବୁ ଘଟଣା ମୋର ଟିକି ନିଖି ମନେ ଅଛି । ବ୍ରନସୱିକ୍‌ ଯେ କି ସେତେବେଳେ ଆମ ପାଖରେ କାମ କରୁଥିଲେ । ସେ ସବୁଦିନ ପରି ଆସି ପହଞ୍ଚି ଯାଇଥିଲେ, ତାଙ୍କର କାମ ନେଇ ଘରକୁ ଫେରି ଯାଇଥିଲେ ଏବଂ ଆମେ ସକାଳ ଖିଆ ବସି ଖାଉଥିଲୁ, ଆମେ ସମସ୍ତେ ଏପରିକି ଆମାଲିଆ ଆଉ ମୁଁ ନିଜେ ବି, ବାପା ଉତ୍ସବ କଥା କହି ଚାଲିଥାନ୍ତି ଓ ଫାୟାର ବ୍ରିଗେଡ଼୍‌ ବିଷୟରେ ତାଙ୍କର ସବୁ ଯୋଜନା କଥା କହୁଥାନ୍ତି, ହଁ ଆପଣ ଜାଣିବା କଥା ଯେ ଦୁର୍ଗର ନିଜର ଫାୟାର ବ୍ରିଗେଡ଼୍‌ ଅଛି ଯେଉଁମାନେ କି ଉତ୍ସବକୁ ସେମାନଙ୍କର ପ୍ରତିନିଧି ପଠାଇଥିଲେ । ଏବଂ ସେ ବିଷୟରେ ବହୁତ ଆଲୋଚନା ହୋଇଥିଲା । ଦୁର୍ଗରୁ ଯେଉଁ ଭଦ୍ରଲୋକମାନେ ସେଠାକୁ ଆସିଥିଲେ ସେମାନେ ଆମ ଫାୟାର ବ୍ରିଗେଡର ଖେଳ ଦେଖିଲେ, ଭାରି ପସନ୍ଦ କଲେ, ଏବଂ ତା ତୁଳନାର ଦୁର୍ଗର ଫାୟର୍‌ ବ୍ରିଗେଡ଼୍‌କୁ ଖରାପ ବୋଲି କହିଲେ, ତେଣୁ ଗାଁର ଶିକ୍ଷକମାନଙ୍କ ସାହାଯ୍ୟ ନେଇ ଦୁର୍ଗ ବ୍ରିଗେଡ଼କୁ ସଜାଡ଼ିବା ବିଷୟରେ କିଛିଟା କଥାବାର୍ତ୍ତା ହେଲା; ଅନେକ ଲୋକ ଥିଲେ ଶିଖାଇବା ପାଇଁ ଯିବାକୁ କିନ୍ତୁ ବାପା ଭାବୁଥିଲେ ଯେ ସେ ବଛା ହେବେ । ସେଇ କଥା ସେ ଆଲୋଚନା କରୁଥିଲେ, ଏବଂ ତାଙ୍କର ସବୁଦିନିଆ ଖୁସି ମଜାଜ୍‌ରେ ସେ ଟେବୁଲ୍‌ ଉପରେ ଗଡ଼ିଗଲେ, ଟେବୁଲର ଅଧା ଜିନିଷକୁ କୁଣ୍ଢେଇ ଧରି ପାରିଲା ଯାଏଁ, ଏବଂ ସେ ଯେତେବେଳେ ଖୋଲା ଝରକା ଭିତର ଦେଇ ଆକାଶକୁ ଚାହିଁଲେ ତାଙ୍କର ମୁହଁ ଦିଶୁଥିଲା ସତେଜ, ଆଶାରେ ଉଜ୍ଜ୍ୱଳ, ଏବଂ ସେଇ ଥର ପାଇଁ ହିଁ ମୁଁ ତାଙ୍କୁ ସେମିତି ଦେଖିଚି । ତା’ପରେ ଆମାଲିଆ ଗମ୍ଭୀର ଭାବରେ କହିଲା-ସେମିତି ଆଗରୁ ତା’ଙ୍କୁ ଆମେ କେବେ ଦେଖିନଥିଲୁ-ଯେ ଦୁର୍ଗର ଭଦ୍ର ଲୋକମାନେ ଯାହା କହିଲେ ତା’କୁ ବେଶୀ ଗୁଡ଼ାଏ ବିଶ୍ୱାସ କରିବା ଉଚିତ ନୁହେ, ଏପ୍ରକାର ମେଳା ମଉତ୍ସବରେ ଖୁସି ବାସିଆ କଥା କହିବା ସେମାନଙ୍କର ଅଭ୍ୟାସ, ତା’ର ଅର୍ଥ ପ୍ରାୟ କିଛି ନାଇଁ, ସେ କଥାଗୁଡ଼ିକ ତାଙ୍କ ପାଟିରୁ ବାହାରିଥିବ କି ନାଇଁ ସେ ସବୁ ସେମାନେ ଭୁଲି ଯାଇଥିବେ । ଅବଶ୍ୟ ଆର ଥରକୁ ନିଆ ହେବେ ବୋଲି ଲୋକେ ପ୍ରସ୍ତୁତ ହୋଇ ରହିଲେ । ଏମିତି କଥା ନ କହିବାକୁ ମା’ ତାକୁ କହିଲେ, କିନ୍ତୁ ତା’ର ଜ୍ଞାନୀ ଭଳି ଦେଖାଇ ହେବା ପଣକୁ ବାପା କେବଳ ଥଟ୍ଟା କଲେ, ତା’ପରେ ସେ ଚମକି ପଡ଼ିଲେ ଏବଂ କଣ ଗୋଟାଏ ଭୁଲି ଯାଇଚନ୍ତି ଓ ସେଟାକୁ ଖୋଜିଲା ଭଳି ଚାରିଆଡ଼କୁ ଅନାଇଁଲେ-କିନ୍ତୁ କିଛିହେଲେ ସେ ଭୁଲି ଯାଇନଥିଲେ-ଏବଂ କହିଲେ ଯେ ବ୍ରନସୱିକ୍‌ ତାଙ୍କୁ କହୁଥିଲେ କୋଉ ଜଣେ ପିଅନ୍‌ ଓ ଗୋଟିଏ ଛିଣ୍ଡା ଚିଠି କଥା, ଆମେ ସେ ବିଷୟରେ କିଛି ଜାଣୁକି, କାହା ପାଖୁ ସେ ଚିଠି ଆସିଥିଲା, କ’ଣ ସେଥିରେ ଥିଲା ? ଆମେ ଚୁପ୍‌ ରହିଲୁ; ବାର୍ଣ୍ଣାବାସ ଯେ କି ସେତେବେଳେ ବସନ୍ତ ଋତୁର ମେଣ୍ଢା ଛୁଆ ଭଳି ଖଲ ଖଲ ହେଉଥିଲା ସେ ଗୋଟିଏ ମୁର୍ଖଙ୍କ ଭଳି କ’ଣ କହିଲା, କଥାବାର୍ତ୍ତାର ବିଷୟ ବସ୍ତୁ ବଦଳିଗଲା, ଏବଂ ପୂରା ଘଟଣାଟା ଭୁଲ ହୋଇ ଗଲା ।’’

 

ଆମାଲିଆର ଦଣ୍ଡ

 

‘‘କିନ୍ତୁ ଅଳ୍ପ ସମୟ ପରେ ହିଁ ସେ ଚିଠି ଘଟଣା ବିଷୟରେ ଚାରିଆଡ଼ୁ ପ୍ରଶ୍ନ ପଚାରି ଲୋକେ ଆମକୁ ଅସ୍ତ ବ୍ୟସ୍ତ କରି ଦେଲେ ବଂଧୁ ଆମ ଘରକୁ ଆସିଲେ, ଶତ୍ରୁ ମଧ୍ୟ ଆସିଲେ, ଅଚିହ୍ନା ଲୋକେ ମଧ୍ୟ ଆସିଲେ, କେହି ଜଣେ ହେଲେ ବି ବେଶୀ ସମୟ ରହିଲେ ନାଇଁ; ଆମର ଘନିଷ୍ଟ ବଂଧୁମାନେ ସବୁଠୁ’ ଆଗେ ଫେରିଗଲେ । ଲେଜ୍‌ମାନ୍‌ ଯେ କି ଧୀରସ୍ଥିର ଓ ଗମ୍ଭୀର, ସେ ତରବର ହୋଇ ଆସିଲେ, ସତେ ଯେମିତି ସେ ଘର ଭିତରଟା କେତେ ବଡ଼ ଦେଖିବାକୁ ଆସିଛନ୍ତି, ଥରେ ଚାରିଆଡ଼କୁ ଅନାଇଁ ଦେଲେ ଏବଂ ପଳାଇଲେ, ଘଟଣାଟା ଦିଶିଲା ଗୋଟାଏ ଭୟଙ୍କର ରକମର ପିଲା ଖେଳ ଭଳି ଯେତେବେଳେ ସେ ଚାଲିଗଲେ; ଏବଂ ବାପା ଅନ୍ୟ କେତେକ ଲୋକଙ୍କ ହାବୁଡ଼ରୁ ଖସି ଆସି ତାଙ୍କ ପଛରେ କବାଟ ଯାଏଁ ଦୌଡ଼ିଗଲେ ଏବଂ ତା’ପରେ ପାରିବେ ନାହିଁ ଦେଖି ରହିଗଲେ; ବ୍ରନ୍‌ସୱିକ୍‌ ଆସିଲେ ଏବଂ କହି ଦେଇ ଗଲେ ଯେ ସେ ଆଉ କାମ କରିବେ ନାଇଁ, ସେ ଭାରି ଆନ୍ତରିକ ଭାବରେ କହିଲେ ଯେ ସେ ନିଜେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯାଉଚନ୍ତି, ଖୁବ୍‌ ଚାଲାକ ଲୋକ ଠିକ୍‌ ସମୟ କେତେବେଳେ ଆସିବ ଜାଣନ୍ତି, ଲୋକେ ଆସିଲେ ଏବଂ ଯୋଉ ଯୋତା ମରାମତି କରିବାକୁ ଦେଇଥିଲେ ସେ ଗୁଡ଼ାକ ବାପାଙ୍କ ଷ୍ଟୋର ରୁମ୍‌ରୁ ଗୋଟାଇ ପୋଟାଇ ନେଇ ଗମେ, ପ୍ରଥମେ ବାପା ସେମାନଙ୍କ ମନ ବହଳାଇବାକୁ ଚେଷ୍ଟା କଲେ ଏବଂ ଆମେ ସମସ୍ତେ ବି ଯାହା ପାରିଲୁ କହିଲୁ-କିନ୍ତୁ ସେ ପାରିଲେ ନାଇଁ, ଏବଂ ଆଉ କିଛି ନ କହି ସେମାନଙ୍କର ଜିନିଷ ପତ୍ର ଖୋଜା ଖୋଜି କରିବାରେ ସେମାନଙ୍କୁ ସାହାଯ୍ୟ କଲେ, ଅର୍ଡ଼ର ବହିରେ ଧାଡ଼ି ଧାଡ଼ି ଅର୍ଡ଼ର କାଟି ଦିଆ ହେଲା, ଲୋକେ ଯୋଉ ଚମଡ଼ା ଖଣ୍ଡ ସବୁ ଦେଇଥିଲେ ସେ ଗୁଡ଼ାକ ଫେରାଇ ଦିଆ ହେଲା, ଆମର ଯାହାକୁ ଯାହା ପଇସା ଦେବା କଥା ଦୀଆ ହୋଇ ଗଲା, ଟିକିଏ ବି ଗଣ୍ଡଗୋଳ ହୋଇନି, ସବୁ କଥା ସୁରୁଖୁରୁରେ ଘଟି ଗଲା, ସେମାନେ ଆମ ସାଙ୍ଗରେ ଜଲ୍‌ଦି ସବୁ ସଂପର୍କ ପୂରା ତୁଟାଇ ଦେବାକୁ ଚାହିଁଲେ, ଅଧିକ କିଛି ନୁହେଁ, ସେଥିରେ ସେମାନଙ୍କର କ୍ଷତି ହେଉଥିଲେ ମଧ୍ୟ ସେଥିରେ କିଛି ଯାଉ ଆସୁ ନ ଥିଲା କାହାର । ଏବଂ ଶେଷରେ ଆମେ ଯାହା ଭାବିବା ଉଚିତ ଥିଲା ସେୟା ହେଲା, ସୀମାନ ଆସିଲେ, ଫାୟାର ବ୍ରିଗେଡର କ୍ୟାପ୍‌ଟେନ୍‌ । ମୋ ଆଖିକି ସେ ଦୃଶ୍ୟ ଏବେ ବି ଜଳ ଜଳ ଦିଶି ଯାଉଚ, ସୀମାନ, ଲମ୍ବା ମୋଟା ଲୋକ । କିନ୍ତୁ ଫୁସ୍‌ଫୁସ୍‌ରେ କ’ଣ ହୋଇଥିବାରୁ ଟିକିଏ କୁଜା ଦିଶନ୍ତି, ଭାରି ଗମ୍ଭୀର ପ୍ରକୃତିର ଲୋକ, କେବେ ହସିବେ ନାଇଁ, ସେ ଆସି ବାପାଙ୍କ ଆଗରେ ଠିଆ ହେଲେ । ବାପାଙ୍କୁ ସେ ଭାରି ପ୍ରଶଂସା କରୁଥିଲେ । ତାଙ୍କୁ ଡେପୁଟି କ୍ୟାପ୍‌ଟେନ୍‌ କରିଦେବେ ବୋଲି ଗୋପନରେ କଥା ଦେଇଥିଲେ । ବର୍ତ୍ତମାନ ସେ ବାପାଙ୍କୁ କହିବାକୁ ଆସିଲେ ଯେ ବ୍ରିଗେଡ଼୍‌ରେ ତାଙ୍କର ଆଉ ରହିବା ଦରକାର ନାଇଁ ଏବଂ ସେ ତାଙ୍କର ଡିପ୍ଲୋମା ଫେରାଇ ଦିଅନ୍ତୁ । ଆମ ଘରେ ସେତେବେଳେ ଯେତେ ଲୋକ ରୁଣ୍ଡ ହୋଇଥାନ୍ତି, ସେମାନେ ସମସ୍ତେ ହଠାତ୍‌ କାମ ବନ୍ଦ କରି ଦେଇ ସେ ଦୁଇ ଜଣଙ୍କ ଚାରିପଟେ ଘେରି ଠିଆ ହୋଇଗଲେ । ସୀମାନ୍‌ ଆଉ କିଛି କହି ପାରୁ ନଥାନ୍ତି ଏବଂ ବାପାଙ୍କ କାନ୍ଧ ଖାଲି ଥାପୁଡ଼ାଉଥାନ୍ତି, ସତେ ଯେମିତି ବାପାଙ୍କୁ ଥାପୁଡ଼ାଉ ତାଙ୍କ ଭିତରୁ ସେ ଯେଉଁ କଥା କହିବାକୁ ହେବ ତା’ ବାହାର କରିବାକୁ ଚେଷ୍ଟା କରୁଥାନ୍ତି କିନ୍ତୁ ପାରୁନଥାନ୍ତି-। ଏବଂ ସେ ହସିବାକୁ ଲାଗିଲେ, ବୋଧେ ନିଜକୁ ଓ ଅନ୍ୟ ସମସ୍ତଙ୍କୁ ଟିକିଏ ହାଲୁକା କରି ଦେବା ପାଇଁ ଏବଂ ସେ ଯେହେତୁ ହସିପାରନ୍ତି ନାଇଁ ଏବଂ ସେ ଏମିତି ହସିବା କେବେ କେହି ଦେଖିନଥିଲେ, କେହି ବୁଝି ପାରିଲେ ନାଇଁ ସେ ପ୍ରକୃତରେ ହସୁଛନ୍ତି ବୋଲି । କିନ୍ତୁ ବାପା ବହୁତ ହାଲିଆ ହୋଇ ଯାଇଥିଲେ, ଭାଙ୍ଗି ପଡ଼ିଥିଲେ ସେ ଦିନକର ଘଟଣାରେ, ଆଉ କାହାକୁ ସାହାଯ୍ୟ କରିବା ଅବସ୍ଥାରେ ନଥିଲେ, ସେ ଆହୁରି ବେଶୀ ହାଲିଆ ଦିଶିଲେ ଏବଂ କ’ଣ ଘଟୁଚି କିଛି ବୁଝି ପାରିଲେ ନାଇଁ । ଆମେ ସମସ୍ତେ ମଧ୍ୟ ଭାଙ୍ଗି ପଡ଼ିଥିଲୁ, କିନ୍ତୁ ବୟସ କମ୍‌ ହୋଇଥିବାରୁ ଆମେ ଯେ ପୂରା ପୂରି ଧ୍ୱଂସ ହୋଇଯାଇଚୁ, ସେ କଥା ବିଶ୍ୱାସ କରୁନ୍‌ଥିଲୁ, ଏବଂ ଆଶା କରି ଚାଲିଥିଲୁ, ସେ ସବୁ ଲୋକଙ୍କ ଗହଳି ଭିତରୁ ଜଣେ କେହି ବାହାରି ଆସିବ ଅଧିକା କିଛି ଘଟିବାକୁ ଦେବ ନାଇଁ, ଘଟଣାର ଦିଗ ପୁଣି ବଦଳାଇଦେବ । ଆମର ବେକାମିରୁ ଆମେ ଭାବୁଥିଲୁ ଯେ ସୀମାନ ହେବ ସେଇ ଲୋକ । ତାଙ୍କର ହସ ବନ୍ଦ୍‌ହେବା ପାଇଁ, ତାଙ୍କ ପାଟିରୁ ଶେଷରେ ସେଇ ବଚନ ପଦକ ବାହାରିବା ପାଇଁ, ଆମେ ଚାହିଁ ବସିଥାଉ । ସେ କୋଉଥିପାଇଁ ଏତେ ହସୁଥିଲେ, ଯଦି ଆମ ପ୍ରତି କରାଯାଇଥିବା ଅନ୍ଧ ଅନ୍ୟାୟ ଦେଖି ନୁହେଁ ? କ୍ୟାପ୍‌ଟେନ, କ୍ୟାପ୍‌ଟେନ୍‌, ବର୍ତ୍ତମାନ ଆପଣ ହେଲେ କହି ଦିଅନ୍ତୁ ସେମାନଙ୍କୁ, ଆମେ ଭାବୁଥାଉ ଏବଂ ତାଙ୍କ ପାଖକୁ ଲାଗି ଯାଉଥାଉ, କିନ୍ତୁ ତା’ ଦେଖି ସେ କେବଳ ଆମଠୁ ଦୂରେଇ ଯାଉଥାନ୍ତି ଅତି ବିଚିତ୍ର ଭାବରେ । ଶେଷରେ ଅବଶ୍ୟ ସେ ପାଟି, ଖୋଲିଲେ, ଆମର ଗୋପନ ଇଚ୍ଛାର ଉତ୍ତରରେ ନୁହେ, କିନ୍ତୁ ଲୋକେ ତାଙ୍କୁ କହିବା ପାଇଁ ଉତ୍ସାହିତ କରୁଥିବା ଦେଖି ବା ରାଗି ପାଟିତୁଣ୍ଡ କରୁଥିବା ଦେଖି । ତଥାପି ଆମର ଆଶା ଥିଲା । ସେ ଆରମ୍ଭ କଲେ ବାପାଙ୍କ ଉପରେ ପ୍ରଶଂସା ଅଜାଡ଼ିବାକୁ, କହିଲେ ସେ ବ୍ରିଗେଡର ଅଳଙ୍କାର ଭଳି, ଭବିଷ୍ୟତରେ ଲୋକେ ତାଙ୍କଠୁଁ ଅନେକ କଥା ଶିଖିବାର ଅଛି, ସେ ବ୍ରିଗେଡର ଜଣେ ଅପରିହାର୍ଯ୍ୟ ଅଂଶ ତାଙ୍କୁ ବାହାରକରି ଦେଲେ ବ୍ରିଗେଡ଼୍‌ ପ୍ରାୟ ନଷ୍ଟ ହୋଇଯିବ । ସେ ସବୁ ଭାରି ସୁନ୍ଦର ଶୁଭିଥାନ୍ତା ଯଦି ସେ ସେଇଠି ବନ୍ଦ୍‌ କରି ଦେଇଥାନ୍ତେ । କିନ୍ତୁ ସେ କହି ଲାଗିଲେ ଯେ ତା’ ସତ୍ତ୍ୱେ ଯଦି ବ୍ରିଗେଡ଼୍‌ ତାଙ୍କୁ ତଡ଼ିଦେବାକୁ ନିଷ୍ପତ୍ତି କରିଚି, ଅବଶ୍ୟ କିଛି ଦିନ ପାଇଁ, ତା’ ହେଲେ ବ୍ରିଗେଡ଼୍‌ ସେମିତି କରିବାକୁ କାହିଁକି ବାଧ୍ୟ ହେଲା, ତା’ର ଗୁରୁତ୍ୱ ଲୋକେ ବୁଝିବେ । ତା’ ଆଗ ଦିନ ଉତ୍ସବରେ ବାପା ଯଦି ଏତେ ଚମତ୍‌କାର ଖେଳ ଦେଖାଇ ନଥାନ୍ତେ, ଏତେ ଦୂର ଯିବା ବୋଧେ ଦରକାର ହୋଇ ନଥାନ୍ତା । କିନ୍ତୁ ତାଙ୍କର ସେଇ ଦକ୍ଷତା ବ୍ରିଗେଡ଼୍‌ ପ୍ରତି ସରକାରୀ ଦୃଷ୍ଟି ଆକର୍ଷଣ କରିଥିଲା ଏବଂ ବ୍ରିଗେଡ଼୍‌କୁ ଏତେ ସୁନାମ ଦେଇଥିଲା ଯେ ତାହା ଆଗ ଅପେକ୍ଷା ଅଧିକ ସମ୍ମାନ ପାଇବାକୁ ହକ୍‌ଦାର୍‌ ହୋଇ ଉଠିଥିଲା । ଏବଂ ବର୍ତ୍ତମାନ ଯେ ଜଣେ ପିଅନ୍‌କୁ ଅପମାନ କରାହୋଇଚି, ବ୍ରିଗେଡ଼୍‌ ଆଉ କିଛି କରିପାରିବ ନାଇଁ, ଏବଂ ସେ, ସୀମାନ୍‌, ବ୍ରିଗେଡ଼୍‌ର ନିଷ୍ପତ୍ତି ଜଣାଇ ଦେବାର କଷ୍ଟକରି ଦାୟିତ୍ୱ ତୁଲାଇବାକୁ ଆସିଥିଲେ । ସେ ଆଶା କଲେ ଯେ ବାପା ପରିସ୍ଥିତିକୁ ଆଉ ବେଶୀ ଖରାପ ହେବାକୁ ଦେବେନି । ସୀମାନ୍‌ ଏକଥା କହି ଦେଇ ପାରିଥିବାରୁ ଖୁସି ହୋଇଥିଲେ । ସେ ଆତ୍ମ ସନ୍ତୋଷରେ ଏତେ ବିଭୋର ହୋଇ ପଡ଼ିଥିଲେ ଯେ ତାଙ୍କର କୌଶଳ କଥା ଭୁଲି ଯାଇଥିଲେ, ଏବଂ କାନ୍ଥରେ ଟଙ୍ଗା ହୋଇଥିବା ଡିପ୍ଲୋମା ଆଡ଼କୁ ଆଙ୍ଗୁଠି ଦେଖାଇ ଇସାରା କଲେ । ବାପା ମୁଣ୍ଡ ହଲାଇଲେ ଏବଂ ସେଇଟାକୁ କାଢ଼ି ଆଣିବାକୁ ଗଲେ, କିନ୍ତୁ ତାଙ୍କର ହାତ ଏତେ ବେଶୀ ଥରିଲା ଯେ ସେଇଟାକୁ କଣ୍ଟାରୁ ବାହାର କରି ପାରିଲେ ନାଇଁ । ମୁଁ ଗୋଟିଏ ଚେୟାର୍‌ ଉପରେ ଚଢ଼ିଲି ଏବଂ ତାଙ୍କୁ ସାହାଯ୍ୟ କଲି । ସେଇ ମୁହୂର୍ତ୍ତରୁ ତାଙ୍କର ଯେମିତି ସବୁ କିଛି ସରିଗଲା, ଏମିତି କି ସେ ଫ୍ରେମ୍‌ରୁ ବି ଡିପ୍ଲୋମାଟାକୁ ଅଲଗା କଲେ ନାଇଁ ଏବଂ ପୂରାଟା ସୀମାନ୍‌ଙ୍କ ହାତକୁ ବଢ଼ାଇ ଦେଲେ । ତା’ ପରେ ସେ ଯାଇ ଗୋଟିଏ ଯାଗାରେ ବସି ପଡ଼ିଲେ, ଏବଂ ଆଉ ଉଠିଲେ ନାଇଁ କି କାହାକୁ କିଛି କହିଲେ ନାଇଁ, ଏବଂ ଶେଷ ଆଡ଼କୁ ଯୋଉ ଲୋକମାନେ ଥିଲେ, ସେମାନଙ୍କର କାମ ଆମେ ଯେତିକି ପାରିଲୁ କଲୁ ।’’ ‘‘ଏବଂ ଏ ସବୁଥିରେ ଦୁର୍ଗର ପ୍ରଭାବ ତମେ କୋଉଠି ଦେଖୁଚ ?’’ କେ. ପଚାରିଲା । ‘‘ଏଯାଏଁ ସେ ପ୍ରଭାବ ପଡ଼ିଥିବା ଭଳି ମନେ ହେଉନାଇଁ । ତମେ ମତେ ଯାହା ସବୁ କହିଲ ତା’ କେବଳ ଲୋକଙ୍କର ସାଧାରଣ ବିଚାର ବୁଦ୍ଧିହୀନ ଭୟର କଥା, ଜଣେ ପୋଡ଼ଶୀର କ୍ଷତି କରି ଖୁସି ହେବା କଥା, ବିଚିତ୍ର ବଂଧୁତାର କଥା, ଏସବୁ ତ ପ୍ରାୟ ସବୁଠି ଦେଖିବାକୁ ମିଳେ, ଏବଂ ମୁଁ କହିବି ତମ ବାପାଙ୍କର-ଅନ୍ତତଃ, ମତେ ସେମିତି ଦିଶୁଚି-ଗୋଟାଏ ରକମର ଛୋଟଲୋକି କଥା, କାରଣ ଡିପ୍ଲୋମାଟା ଏମିତି କି ବଡ଼ ଜିନିଷ ? ଖାଲି ତାଙ୍କର ସାମର୍ଥ୍ୟର ଗୋଟାଏ ପ୍ରମାଣ, ସେ ସାମର୍ଥ୍ୟ ଗୁଡ଼ିକ ତ ତାଙ୍କଠୁ ନିଆଗଲା ନାଇଁ, ସେ ଗୁଡ଼ିକ ଯଦି ତାଙ୍କୁ ଜଣେ ଅପରିହାର୍ଯ୍ୟ ବ୍ୟକ୍ତିତ୍ୱ କରି ଦେଲା ତା’ ହେଲେ ଆହୁରି ଭଲ କଥା, ଏବଂ କ୍ୟାପଟେନ୍‌ଙ୍କୁ ଅଡ଼ୁଆରେ ପକାଇବା ପାଇଁ ତାଙ୍କର ଗୋଟିଏ ବାଟ ଥିଲା, କ୍ୟାପଟେନ ପାଟି ଖୋଲିବା ଆଗରୁ ସେ ଡିପ୍ଲୋମାଟାକୁ ତାଙ୍କ ପାଦ ତଳକୁ ଫିଙ୍ଗି ଦେଇଥାନ୍ତେ । କିନ୍ତୁ ମୋ ପାଇଁ ସବୁଠୁ’ ଆଶ୍ଚର୍ଯ୍ୟ କଥା ହେଉଚି ତମେ ଆମାଲିଆ କଥା ମୋଟେ ଉଠାଇଲନି, ଆମାଲିଆ ଯାହା ଯୋଗୁଁ ଏତେ ସବୁ ଘଟିଗଲା, ସେ ବୋଧେ ଚୁପ୍‌ ଚାପ୍‌ ଠିଆ ହୋଇ ରହିଲା ପଛ ପଟେ ଏବଂ ସାରା ସଂସାର ତମର ଭୁଷୁଡ଼ି ପଡ଼ିବା ଦେଖୁଥିଲା ।’’ ‘‘ନ,’’ ଓଲ୍‌ଗା କହିଲା, ‘‘କାହାକୁ ଦୋଷ ଦେବା ଉଚିତ ନୁହେ, କେହି କିଛି କରିପାରି ନଥାନ୍ତେ, ଯାହା ସବୁ ଘଟି ସାରିଥିଲା, ତା ଦୁର୍ଗର ପ୍ରଭାବରୁ ସମ୍ଭବ ହୋଇଥିଲା ।’’ ‘‘ତା’ ଦୁର୍ଗର ପ୍ରଭାବ,’’ ଆମାଲିଆ ଦୋହୋରାଇଲା, ସେ ସେତେବେଳକୁ ସମସ୍ତଙ୍କର ଅଲକ୍ଷ୍ୟରେ ଅଗଣାରୁ ପଳାଇ ଆସିଥିଲା, ବୁଢ଼ା ବୁଢ଼ୀ ଅନେକ ବେଳୁ ଖଟରେ ଶୋଇ ଯାଇଥିଲେ । ‘‘ତମେମାନେ କ’ଣ ଦୁର୍ଗରେ ଶୁଣା ଯାଉଥିବା ଗୁଲି ଗପ କଥା କଥାବାର୍ତ୍ତା କରୁଚ ? ଏଯାଏଁ ମୁହଁକୁ ମୁହଁ ଯୋଡ଼ି ବସିଚ ? ଏବଂ ଆପଣ ଆସିଲା କ୍ଷଣି ପଳେଇ ଯିବେ ବୋଲି କହୁଥିଲେ, କେ., ଏବଂ ଏବେ ଆସି ଦଶଟା ବାଜିବାକୁ ବସିଲାଣି । ଆପଣଙ୍କୁ କ’ଣ ସେ ଗୁଲି ଗପ ପ୍ରକୃତରେ ଭଲ ଲାଗୁଚି ? ଗାଁରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଖାଲି ସେଇ ଗପ କରି ବଞ୍ଚନ୍ତି, ସେମାନେ ବି ଆପଣ ଦିହିଁଙ୍କ ଭଳି ମୁହଁକୁ ମୁହଁ ଯୋଡ଼ି ବସିଥାନ୍ତି । ଏବଂ ମଜା କରୁଥାନ୍ତି । କିନ୍ତୁ ମୁଁ ଭାବିନଥିଲି ଆପଣ ସେମାନଙ୍କ ଭିତରୁ ଜଣେ ।’’ ଉହୁଁ, ବରଂ,’’ କେ. କହିଲା, ‘‘ମୁଁ ଠିକ୍‌ ସେଇଆ, ଏବଂ ତା’ ଛଡ଼ା ଯୋଉ ଲୋକେ ଏପ୍ରକାର ଗପ ନିଜେ କରନ୍ତି ନାଇଁ ଅନ୍ୟମାନଙ୍କୁ ତା’ କରିବାକୁ ଛାଡ଼ି ଦିଅନ୍ତୁ, ଅନେକ ମତେ ଭଲ ଲାଗନ୍ତିନି ।’’ ‘‘ସତେ’’ ଆମାଲିଆ କହିଲା, ଅନେକ ଅନେକ ରକମର ଭଲ ଲାଗିବା ଅଛି, ମୁଁ ଜଣେ ଯୁବକଙ୍କ କଥା ଥରେ ଶୁଣିଲି ଯେକି ଦିନ ରାତି ଦୁର୍ଗ କଥା ଛଡ଼ା ଆଉ କିଛି ଭାବୁନଥିଲେ, ସେ ଅନ୍ୟ ସବୁ କାମରେ ହେଳା କରୁଥିଲେ ଏବଂ ଲୋକେ ତାଙ୍କ ହାବଭାବ ଦେଖି ଡରୁଥିଲେ, ତାଙ୍କ ମନ ଦୁର୍ଗ କଥାରେ ପୁରା ମଜ୍ଜିଯାଇଥିଲା । ଶେଷରେ କିନ୍ତୁ ଜଣା ପଡ଼ିଲା ଯେ ସେ ପ୍ରକୃତରେ ଦୁର୍ଗ କଥା ଭାବୁନଥିଲେ, ଭାବୁଥିଲେ ସେଠା ଅଫିସରେ କାମ କରୁଥିବା ଜଣେ ଚାକରାଣୀର ଝିଅ କଥା ତେଣୁ ସେ ଝିଅଟାକୁ ନେଇ ଆସିଲେ ଏବଂ ପୁଣି ସବୁ ଠିକ୍‌ ଠାକ୍‌ ହୋଇଗଲା ।’’ ‘‘ମୁଁ ଭାବୁଚି ମତେ ଭଲ ଲାଗୁଚି ସେଇ ଯୁବକ ଜଣକୁ, ‘‘କେ. କହିଲା । ‘‘ଆପଣଙ୍କୁ ସିଏ ଭଲ ଲାଗୁଚି, କେଜାଣି ମୋର ସନ୍ଦେହ ହେଉଚି,’’ ଆମାଲିଆ କହିଲା, ‘‘ଆପଣଙ୍କୁ ତା ସ୍ତ୍ରୀ ବୋଧେ ଭଲ ଲାଗିବ । ହେଉ, ମୁଁ ଆଉ ଆପଣମାନଙ୍କୁ ହଇରାଣ କରିବନି, ମତେ ଶୋଇ ପଡ଼ିବାକୁ ହେବ, ଏବଂ ବୁଢ଼ା ବୁଢ଼ୀଙ୍କ ପାଇଁ ମତେ ଆଲୁଅ ଲିଭାଇ ଦେବାକୁ ପଡ଼ିବ । ସେମାନେ ଖୁବ୍‌ ନିଦରେ ଶୋଇଚନ୍ତି ଏବେ, କିନ୍ତୁ ସେମାନେ ପ୍ରକୃତରେ ଘଣ୍ଟାକରୁ ବେଶୀ ଶୋଇ ପାରନ୍ତି ନାଇଁ, ଏବଂ ତା’ ପରେ ଟିକିଏ ଆଲୁଅ ବି ସେମାନେ ସହି ପାରିବେନି । ଶୁଭ ରାତ୍ରି ।’’ ଏବଂ ପ୍ରକୃତରେ ଆଲୁଅ ସେଇକ୍ଷଣି ଲିଭିଗଲା, ଏବଂ ତା’ ବାପା ମା’ଙ୍କ ପାଖରେ କେଉଁଠି ଆମାଲିଆ କହିଲା ?’’ କେ. ପଚାରିଲା । ‘ମୁଁ ଜାଣେନି, ‘‘ଓଲ୍‌ଗା କହିଲା, ‘‘ବୋଧେ ବ୍ରନ୍‌ସୱିକ୍‌, ଯଦିଓ କଥାଟା ତାଙ୍କ ଠିକ୍‌ ଖାପ ଖାଉନି, କିନ୍ତୁ ସେ ଆଉ କିଏ ବି ହୋଇ ପାରିଥାଏ । ତା’କୁ ଠିକ୍‌ ଧରିବା ସହଜ ନୁହଁ, କାରଣ ସମୟରେ ସେ ବଙ୍କେଇ କହୁଚି କି ସିଧା କଥା କହୁଚି, ଜଣେ ଜାଣି ପାରିବନି । ପ୍ରାୟ ସେ ସିଧା କଥା କହେ, କିନ୍ତୁ ତା’ ବଙ୍କାଇ କହିଲା ଭଳି ଶୁଭେ ।’’ ‘‘ଥାଉ, ମତେ ବୁଝେଇବା ଦରକାର ନାଇଁ କେ. କହିଲା । ‘‘ତମେ କେବେଠୁ’ ତା’ ଉପରେ ଏତେ ନିର୍ଭର କରିବାକୁ ଆରମ୍ଭ କଲଣି ? ସେଇ ଦୁର୍ଗତି ଘଟିବା ଆଗରୁ କ’ଣ ସବୁ କିଛି ଏମିତି ଥିଲା ? ନା ପରେ ହେଲା ? ଏବଂ ତମର ଏତେ ନିର୍ଭର କରିବାରେ କ’ଣ କିଛି ଯୁକ୍ତି ଯୁକ୍ତତା ଅଛି-? ସେ ସମସ୍ତଙ୍କଠୁ’ ସାନ, ତେଣୁ ତମକୁ ବାଟ ଛାଡ଼ି ଦେବା ଉଚିତ । ଜାଣି ଶୁଣି ହେଉ କି ନ ହେଉ, ସେ ହିଁ ତମ ପରିବାରକୁ ଧ୍ୱଂସ କରି ଦେଇଚି । ଏବଂ ସେଥିପାଇଁ ସବୁଦିନ ତମକୁ କ୍ଷମା ମାଗିବ କ’ଣ, ସେ ସମସ୍ତଙ୍କ ମୁଣ୍ଡ ଉପରେ ବସୁଚି, ବାପା ମା’ଙ୍କ କାମ ଟିକିଏ ଯାହା ସେ କରିବାକୁ ଚାହୁଁଚି, ତା’ ଛଡ଼ା ଅନ୍ୟ କୋଉ ଜିନିଷ ପ୍ରତି ତା’ର ଖାତିର ନାଇଁ, ତମ କଥା ଜାଣିବା ପାଇଁ ତା’କୁ କୌଣସି ଜିନିଷ ପ୍ରବର୍ତ୍ତାଇ ପାରିବ ନାଇଁ, ସେ ଯେମିତି କହେ, ଏବଂ ତା’ପରେ ବି ସେ ଯଦି ତମ ସାଙ୍ଗେ କଥାବାର୍ତ୍ତା କରେ, ସେ ସିଧା କଥା କହିବ, କିନ୍ତୁ ତା’ ବଙ୍କାଇ କହିଲା ଭଳି ଶୁଭିବ । ସେ ତମମାନଙ୍କ ଉପରେ ଚଢ଼ି ବସୁଚି କ’ଣ ସେ ସୁନ୍ଦର ବୋଲି, ଯୋଉ କଥା ତମେ ମୋ’ ଆଗରେ ଅନେକ ଥର ଉଠାଇଚ ? ତମେ ତିନି ଜଣ ଯାକ ଏକା ରକମର, କିନ୍ତୁ ଆମାଲିଆର ଚେହେରାରେ ଯାହା ବାରି ହୋଇ ପଡ଼େ, ତା’ ସେମିତି କିଛି ନୁହେ, ଏବଂ ପ୍ରଥମ ଥର ଯେତେବେଳେ ତା’ ଦେଖିଲି, ମତେ ମୋଟେ ଭଲ ଲାଗିଲାନି, ଥଣ୍ଡା କଠିନ ଚାହାଁଣୀ କଥା । ଏବଂ ସେ ସମସ୍ତଙ୍କଠୁ’ ସାନ ହୋଇ ଥିଲେ ମଧ୍ୟ ସେ ସେମିତି ଦିଶେନା, ତା’ ଚେହେରା ଏମିତି ଜଣେ ସ୍ତ୍ରୀ ଲୋକର ଯେ କି କେବେ ବୁଢ଼ି ହେବନି, କିନ୍ତୁ କେବେ ଟୋକୀ ଥିଲେ ଭଳି ବି ମନେ ହୁଏନି । ତମେ ତା’କୁ ସବୁ ଦିନ ଦେଖୁଚ, ତମେ ତା’ ମୁହଁର କଠିନତାକୁ ଲକ୍ଷ୍ୟ କରି ପାରିନ । ସେଇଥି ପାଇଁ ଚିନ୍ତା କରି ମୁଁ ଦେଖୁଚି, ତା’ ପ୍ରତି ସଟିନିଙ୍କ ଆକର୍ଷଣକୁ ମୁଁ ବେଶୀ ଜୋର ଦେଇ ପାରିବିନି, ସେ ବୋଧେ ଚିଠିଟା ପଠାଇଥିଲେ ତା’କୁ ଦଣ୍ଡ ଦେବା ପାଇଁ, ତା’କୁ ଡକାଇବା ପାଇଁ ନୁହେ ।’’ ‘‘ସଟିନିଙ୍କ ବିଷୟରେ ମୁଁ ଯୁକ୍ତି କରିବିନି,’’ ଓଲ୍‌ଗା କହିଲା, ‘‘ଦୁର୍ଗର ଭଦ୍ରଲୋକଙ୍କ ପକ୍ଷରେ ସବୁକିଛି ସମ୍ଭବ, ଝିଅଟା ଯେତେ ସୁନ୍ଦର ହେଉ କି ଅସୁନ୍ଦର ହୋଇଥାଉ । କିନ୍ତୁ ଅନ୍ୟ ସବୁ କଥା ଆପଣ ପୁରା ଭୁଲ୍‌ ବୁଝିଲେ ଆମାଲିଆ ବିଷୟରେ । ଆମାଲିଆର ପକ୍ଷ ନେଇ ଆପଣ କହନ୍ତୁ, ଏୟା ମୋର ଉଦ୍ଦେଶ୍ୟ ନୁହେ ମୋଟେ, ଏବଂ ମୋର ଯଦି ସେମିତି କିଛି ଉଦ୍ଦେଶ୍ୟ ଥାଏ, ତା’ କେବଳ ଆପଣଙ୍କର ଭଲ ପାଇଁ । ଯୋଉ ଭାବରେ ହେଉନା କାହିଁକି, ଆମାଲିଆ ଆମ ଦୁର୍ଭାଗ୍ୟର କାରଣ ହେଲା, ସତ କଥା, କିନ୍ତୁ ଏମିତିକି ବାପା ମଧ୍ୟ, ଯେ କି ସବୁଠୁ’ ବଡ଼ ଧକ୍‌କା ପାଇଲେ ଏବଂ ଯେ କି ଯାହା କହିବା କଥା ରୋକ୍‌ ଠୋକ୍‌ କହିଦେବେ, ବିଶେଷ କରି ଘର ଭିତରେ, ସେ ବି ଆମାଲିଆକୁ ପଦେ ହେଲେ ଗାଳି ଦେଇ ନାହାନ୍ତି, ଆମର ଖରାପ ଅବସ୍ଥାରେ ମଧ୍ୟ । ସିଏ ଯାହା କଲା, ବାପା ଯେ ତା’ ପସନ୍ଦ କରୁଥିଲେ ତା’ ନୁହେ, ସେ ସଟିନିଙ୍କର ଜଣେ ସ୍ତାବକ ଥିଲେ, ଏବଂ ସେ କେମିତି ତା ପସନ୍ଦ କରିଥାନ୍ତେ ? ସେ କିଛି ହେଲେ ବୁଝି ପାରିଲେ ନାଇଁ, ସଟିନିଙ୍କ ପାଇଁ ସେ ନିଜକୁ ଓ ନିଜର ଯାହା କିଛି ଥିଲା ସବୁ କିଛି ଖୁସିରେ ବଳି ଦେଇ ପକାଇଥାନ୍ତେ, ଯଦିଓ ଘଟଣା ସବୁ ଯୋଉ ଭାବରେ ଘଟିଗଲା, ସେଇ ଭାବରେ ସଟିନିଙ୍କ ରାଗର ପରିଣତି ଭାବରେ ବୋଧେ, ଠିକ୍‌ ସେଇ ଭାବରେ ନୁହେ । ମୁଁ କହୁଚି ବୋଧେ, କାରଣ ତା’ପରେ ଆମେ ସଟିନିଙ୍କଠୁ’ ଆଉ କୌଣସି ଖବର ପାଇନୁ, ତା’ ଆଗରୁ ଯଦି ସେ କେବଳ ଅଳ୍ପ କଥା କହୁଥିବା ଲୋକଟିଏ ଥିଲେ, ସେ ଦିନଠୁ’ ସେ ଆମ ପାଇଁ ପ୍ରାୟ ମରି ହଜିଗଲେ । ଆପଣ ସେତେବେଳେ ଆମାଲିଆକୁ ଦେଖିଥାନ୍ତେ । ଆମେ ଜାଣିଥାଉ ଯେ ଆକୁ କୌଣସି ନିର୍ଦ୍ଦିଷ୍ଟ ଧରଣର ଦଣ୍ଡ ଦିଆ ଯିବନି । କେବଳ ଆମ ପାଖ କେହି ମାଡ଼ିଲେ ନାଇଁ, ଗାଁ ଲୋକେ ଏବଂ ଦୁର୍ଗର ଲୋକେ । କିନ୍ତୁ ଗାଁରେ ଆମକୁ ବାସନ୍ଦ କରିବା ଆଗେ ଲକ୍ଷ୍ୟ କରି ପାରିଲୁ ଦୁର୍ଗର ସେମିତି କିଛି ସୂଚନା ପାଇଲୁନି । ଅବଶ୍ୟ ଅତୀତରେ ଦୁର୍ଗ ଆମକୁ ଦୟା ଦେଖାଇବାର କୌଣସି ସୂଚନା ମିଳିନଥିଲା, ତେଣୁ ତା’ର ଓଲଟାଟା ଆମେ କେମିତି ଲକ୍ଷ୍ୟ କରିଥାନ୍ତୁ ? ଏଇ ଚୁପ୍‌ ରହିବାଟା ଆମକୁ ଭାରି କଷ୍ଟ ଦେଲା । ଲୋକେ ଆମଠୁ’ ଦୂରେଇ ଯିବା । ଅପେକ୍ଷା ବି ସେ କଥା ବେଶୀ କଷ୍ଟ ଦେଲା ଆମକୁ । କାରଣ ଲୋକେ କିଛି ବୁଝି ବିଚାରି ଆମକୁ ବାସନ୍ଦ କରିନଥିଲେ, ବୋଧେ ଆମ ବିରୁଦ୍ଧରେ ତାଙ୍କର ସେମିତି କିଛି ଗୁରୁତର ଅଭିଯୋଗ ନଥିଲା, ସେମାନେ ଆମକୁ ଏବେ ଯେତେ ଘୃଣା କରୁଚନ୍ତି, ସେତେବେଳେ ସେତେଟା କରୁନଥିଲେ, ସେମାନେ କେବଳ ଭୟରେ ସେମିତି କଲେ, ଏବଂ ୟାପରେ କ’ଣ ଘଟିବ ଦେଖିବାକୁ ଅପେକ୍ଷା କରୁଥିଲେ । ଏବଂ ଆମେ ଯେ ପୂରା ବୁଡ଼ିଯିବୁ, ଏ ଭୟ ଆମର ନଥିଲା, କାରଣ ଆମଠୁ ଯୋଉମାନେ ଧାର ଉଧାର କରିଥିଲେ, ସେମାନେ ଆମକୁ ସବୁ ଟଙ୍କା ଫେରାଇ ଦେଲେ, ସେମାନଙ୍କ ସାଙ୍ଗରେ ଯୋଉଁ ଫଇସଲା ହେଲା, ତା ଆମ ପକ୍ଷରେ ଗଲା, ଏବଂ ଯୋଉ ଜିନିଷ ଆମ ଘରେ ନଥିଲା, ତା ଆମ ବନ୍ଧୁ ବାନ୍ଧବ ଲୁଚେଇ ପଠାଇ ଦେଉଥିଲେ, ଆମେ ସୁବିଧାରେ ଚଳି ଯାଉଥିଲୁ, ସେତେବେଳକୁ ଫସଲକଟା ସମୟ-ଯଦିଓ ଆମର ନିଜର ବିଲବାଡ଼ି ନଥିଲା ଏବଂ କେହି ଆମକୁ ବିଲବାଡ଼ି କାମ ଦେଉନଥିଲେ, ତେଣୁ ଆମ ଜୀବନରେ ପ୍ରଥମ ଥର ପାଇଁ ଆମେ ପ୍ରାୟ ଅଳସୁଆ ହୋଇ ପଡ଼ିଲୁ । ତେଣୁ ଜୁଲାଇ ଓ ଅଗଷ୍ଟ ମାସର ଗରମରେ ଝରକା ବନ୍ଦ୍‌ କରି ଆମେ ଘରେ ବସିଥାଉଁ । କିଛି ହେଲେ ଘଟିଲା ନାଇଁ ନା କୋଉଠୁ ଡାକରା ଆସିଲା, ନା ଖବର; ନା କେହି ଆମ ଘରକୁ ବୁଲି ଆସିଲେ, କିଛି ଘଟିଲାନି । ଆଛା, କେ କହିଲା,’’ ଯଦି କିଛି ଘଟିଲାନି ଏବଂ ତମକୁ ନିର୍ଦ୍ଦିଷ୍ଟ କୌଣସି ଦଣ୍ଡ ଦିଆ ହେବ ବୋଲି ତମେ ଭାବୁନଥିଲ, କ’ଣ ପାଇଁ ତମେ ଭୟ କରୁଥିଲ ? କି ଲୋକ ତମେ ସବୁ !’’ ମୁଁ ତା କେମିତି ବୁଝାଇବ ?’’ ଓଲଗା କହିଲା,’’ ଆମେ ଭବିଷ୍ୟତରେ କ’ଣ ଘଟିବ ବୋଲି ଭୟ କରୁନଥିଲୁ, ଆମେ ବର୍ତ୍ତମାନର ଦୁଃଖ କଷ୍ଟରେ ସହୁଥିଲୁ ଆମେ ପ୍ରକୃତରେ ଆମେ ଦଣ୍ଡ ଭୋଗୁଥିଲୁ । ଗାଁରେ ଅନ୍ୟମାନେ ଖାଲି ଅପେକ୍ଷା କରିଥାନ୍ତି, ଆମେ କେବେ ସେମାନଙ୍କ ପାଖକୁ ଆସିବୁ, କେବେ ପୁଣି ବାପା ତାଙ୍କ ଯୋତା ତିଆରି କାମ ଆରମ୍ଭ କରିବେ; ଆମାଲିଆ ଯିଏ କି ସୁନ୍ଦର ଜାମା ପଟା ତିଆରି କରୁଥିଲା ବଡ଼ ଘର ଲୋକଙ୍କ ଲାଏକ, ସେ ପୁଣି କେବେ କାମ ମାଗିବା ପାଇଁ ଆସିବ । ସେମିତି ଅପେକ୍ଷା କରିବାକୁ ପଡ଼ୁଥିବାରୁ ସେମାନେ ଦୁଃଖ କରୁଥିଲେ । ଗୋଟେ ଜଣା ଶୁଣା ଘରର ଲୋକେ ଯେତେବେଳେ ଗାଁର ସାଧାରଣ ଜୀବନରୁ ଅଲଗା ହୋଇଯାନ୍ତି ସେଥିରେ ସମସ୍ତଙ୍କର କ୍ଷତି ହୁଏ; ତେଣୁ ସେମାନେ ଯେତେବେଳେ ଆମ ସାଙ୍ଗରେ ସମ୍ପର୍କ ତୁଟାଇ ଦେଲେ, ସେମାନେ ତା’ କରିବା ଦୃଷ୍ଟିରୁ କରୁଚନ୍ତି ବୋଲି ଭାବିଲେ, ତାଙ୍କ ଯାଗାରେ ଥିଲେ ଆମେ ବି ସେୟା କରିଥାନ୍ତୁ । କ’ଣ ପ୍ରକୃତରେ ହୋଇଥିଲା ସେମାନେ ଜାଣିନଥିଲେ, ଖାଲି ଏତିକି ଜାଣିଥିଲେ ଜଣେ ଲୋକ ଛିଣ୍ଡା କାଗଜ ମୁଠେ ଧରି ହେରେନ ହଫ୍‌ରକୁ ଫେରିଯାଇଥିଲା । ଫ୍ରୀଡ଼ା ତା’କୁ ସେଠୁ ବାହାରିବା ଓ ସେଠିକି ଫେରି ଆସିବା ଦେଖିଥିଲା; ତା’ ସାଙ୍ଗରେ କେତେପଦ କଥାବାର୍ତ୍ତା ହୋଇଥିଲା ଏବଂ ତା’ ପରେ ଯେତିକି ଜାଣିଥିଲା ସେତିକି ସବୁଆଡ଼େ ପ୍ରଚାର କରି ଦେଇଥିଲେ । କିନ୍ତୁ ଆମ ସାଙ୍ଗରେ ଶତ୍ରୁତା ଯୋଗୁଁ ନୁହେ ମୋଟେ, ଖାଲି କର୍ତ୍ତବ୍ୟ ଦୃଷ୍ଟିରୁ; ଯାହାକି ତା’ ଅବସ୍ଥାରେ ଥିଲେ ଯେ କୌଣସି ଲୋକ କରିଥାନ୍ତା । ଏବଂ, ମୁଁ ଆଗରୁ ଯାହା କହିଚି ପୂରା ଘଟଣାଟାର ପରିଣତି ଯଦି ଭଲ ହୋଇଥାନ୍ତା, ସମସ୍ତେ ଖୁସି ହୋଇଥାନ୍ତେ । ଆମେ ଯଦି ବାହାରେ କହିବୁଲିଥାନ୍ତୁ ଯେ ସବୁ ଫଇସାଲା ହୋଇଗଲା, ଭୁଲ ବୁଝାମଣା ହୋଇଯାଇଥିଲା, ବର୍ତ୍ତମାନ ସବୁ ଠିକ୍‍ ଠାକ୍‍ ହୋଇଗଲା, କିମ୍ବା ପ୍ରକୃତରେ ଆମର ଭୁଲ ହୋଇଥିଲା ଓ ସେ ଭୁଲ ସୁଧାରି ଦିଆ ହେଲାଣି କିମ୍ବା ଏବଂ ୟା ମଧ୍ୟ ଲୋକଙ୍କୁ ସନ୍ତୁଷ୍ଟ କରିଥାନ୍ତା–ଦୁର୍ଗରେ ଆମର ଚିହ୍ନା ଜଣା ଥିବାରୁ ଘଟଣାଟାକୁ ଉଡ଼େଇ ଦିଆ ହେଲା, ଆମକୁ ପୁଣି ନିଶ୍ଚେ ଲୋକେ ଛାତିରେ ଆଉଜାଇ ନେଇଥାନ୍ତେ ଗେଲ କରିଥାନ୍ତେ, ଅଭିନନ୍ଦନ ଜଣାଇଥାନ୍ତେ । ଅନ୍ୟ କେତେକଙ୍କ ଜୀବନରେ ଥରେ ଦି’ଥର ସେମିତି ଘଟିବା ମୁଁ ଦେଖିଚି । ଏବଂ ସେତକ ମଧ୍ୟ କହିବା ଦରକାର ପଡ଼ିନଥାନ୍ତା ଖାଲି ଆମେ ଯଦି ବାହାରକୁ ଆସି ଥାନ୍ତୁ । ସମସ୍ତଙ୍କ ଆଗକୁ ଆମର ପୁରୁଣା ସମ୍ପର୍କ ପୁଣି ଯୋଡ଼ିଥାନ୍ତୁ ସେ ଚିଠି କଥା ମୋଟେ ନ ଉଠାଇ, ସେତିକି ଯଥେଷ୍ଟ ହୋଇଥାନ୍ତା, ସେ କଥା ନ ଉଠାଇବା ସମସ୍ତଙ୍କୁ ଭଲ ଲାଗି ଥାନ୍ତା ସେଇ ଦୁଃଖର ଘଟଣା ଓ ସେମାନଙ୍କର ଭୟ ଯୋଗୁଁ ଲୋକେ ଆମଠୁ ଦୂରେଇ ଯାଇଥିଲେ, ଖାଲି ସେ କଥା ଶୁଣିବେ ନାଇଁ ବୋଲି, କହିବେ ନାଇ କି ଭାବିବେ ନାଇ ବୋଲି, କିମ୍ବା କେଉବାଟରେ ହେଲେ ତାର ପ୍ରଭାବ ଯେମିତି ନପଡ଼ିବ ବୋଲି । ଫ୍ରୀଡ଼ା ଯେତେବେଳେ ସେକଥା କହି ଦେଲା, ତା ଗୋଳମାଳ କରିବାକୁ ନୁହେ, ଲୋକଙ୍କୁ ସାବଧାନ କରାଇ ଦେବାକୁ । ସମସ୍ତଙ୍କୁ ଜଣାଇଦେବାକୁ ଯେ ଯୋଉ ଘଟଣା ଘଟିଚି, ସେଥିରୁ ଦୂରେଇ ରହିବାକୁ ସମସ୍ତେ ଚେଷ୍ଟା କରିବା ଉଚିତ । ଲୋକେ ଆମ ପରିବାରକୁ ବାସନ୍ଦ କରିନଥିଲେ, କରିଥିଲେ ସେ ଘଟଣାଟାକୁ ଏବଂ ଆମ ପରିବାରକୁ ଯେତିକି କରିଥିଲେ ତା’ କେବଳ ସେ ଘଟଣା ସହିତ ଆମ ପରିବାର ଜଡ଼ିତ ହୋଇ ପଡ଼ିଥିବା ଯୋଗୁଁ । ତେଣୁ ଆମେ ଯଦି ଚୁପଚାପ ଆଗେଇ ଆସିଥାନ୍ତୁ ଏବଂ ଗଲାକଥା ଗଲାଣି ବୋଲି କହିଦେଇ ଥାନ୍ତୁ ଏବଂ ଆମର ଚାଲିଚଳନରେ ସେ ଘଟଣା ଭୁଲି ଗଲୁଣି ବୋଲି ଦେଖାଇ ହୋଇଥାନ୍ତୁ ଯୋଉ ଉପାୟରେ ହେଲେ ବି, ଏବଂ ଲୋକଙ୍କୁ କହି ଦେଇଥାନ୍ତୁ ଯେ ସେ କଥା । ଆଉ କେବେ ଉଠିବାର ସମ୍ଭାବନା ନାଇଁ ସେଇଟା ଯୋଉ ପ୍ରକାର ଘଟଣା ହୋଇ ଥାଉ ପଛକେ, ସବୁ କିଛି ସେଇ ବାଟରେ ମଧ୍ୟ ଠିକ୍‌ ଠାକ୍‌ ହୋଇ ଯାଇଥାନ୍ତା, ଆଗ ଭଳି ସବୁ ଆଡ଼ୁ ଆମକୁ ଭଲ ପାଉଥିବା ଲୋକେ ମିଳି ଯାଇଥାନ୍ତେ, ଏବଂ ଆମେ ଯଦି ବି ଘଟଣାଟାକୁ ପୂରା ଭୁଲି ଯିବାରେ ଆମକୁ ସାହାଯ୍ୟ କରିଥାନ୍ତେ । ତା ନ କରି ଆମେ ଘର ଭିତରେ ବସି ରହିଲୁ । ମୁଁ ଜାଣେନି ଆମେ କ’ଣ ଆଶା କରୁଥିଲୁ, ବୋଧେ ଆମାଲିଆଠୁ କିଛି ନିଷ୍ପତ୍ତି, କାରଣ ସେ ଦିନ ସକାଳେ ସେ ଘରଲୋକଙ୍କ ଭିତରେ ମୁଖିଆ ପଣ କରିଥିଲା ଏବଂ ତା ମୋଟେ ଛାଡ଼ୁନଥିଲା । କୌଣସି ପ୍ରକାର ଚେଷ୍ଟା ଚରିତ୍ର ନ କରି କାହାକୁ କିଛି ଆଦେଶ ନଦେଇ, ଅନୁନୟ ନ କରି, ପ୍ରାୟ ଖାଲି ଚୁପ୍‌ ଚାପ ରହି । ଆଉ ଆମେ ଅନ୍ୟମାନେ ଅବଶ୍ୟ ଗୁଡ଼ାଏ କଥା ଆଲୋଚନା କରୁଥିଲୁ, ସକାଳୁ ସନ୍ଧ୍ୟା ଯାଏ ଫିସ ଫିସ କଥାବାର୍ତ୍ତା ଚାଲିଥିଲା, ଏବଂ ବେଳେ ବେଳେ ବାପା ହଠାତ୍‌ ବ୍ୟସ୍ତ ହୋଇ ପଡ଼ି ମତେ ଡାକପକାଇବେ ଏବଂ ଅଧାରାତି ତାଙ୍କ ଖଟ ଦାଢ଼ରେ ମତେ କଟାଇବାକୁ ପଡ଼ିବ । କିମ୍ବା ମୁଁ ଓ ବାର୍ଣ୍ଣାବାସ, ଆମେ ଦିହେଁ ଅନେକ ସମୟରେ ଚୁପ୍‌ ଚାପ୍‌ ଖସି ପଳାଇବୁ, ସିଏ ପ୍ରଥମେ ପ୍ରଥମେ ସେ କଥା କିଛି ଜାଣି ନଥିଲା, ଏବଂ ସବୁବେଳେ ଘଟଣା କ’ଣ ଶୁଣିବାକୁ କାନ ଡେରି ବସିଥିବ, ସବୁ ବେଳେ ସେୟା, କାରଣ ସେ ଭଲ ଭାବରେ ବୁଝି ପାରିଥିଲା ଯେ ତା’ ବୟସର ଟୋକାମାନେ ଯୋଉ ଫୁଲାଫାଙ୍କିଆ ଦିନ ଗୁଡ଼ିକ ଆସିବାକୁ ଚାହିଁ ବସିଥିଲେ, ତା’ ପକ୍ଷରେ ସେ ସବୁର ପ୍ରଶ୍ନ ହିଁ ଉଠୁନଥିଲା, ତେଣୁ ଆମେ ମୁହଁ ଯୋଡ଼ି ଯାଡ଼ି ବସିଥାଉ, କେ, ଏବେ ଯେମିତି ଆମେ ବସିଚେ, ଏବଂ ଏଇଟା ରାତି କି ହେଇ ସକାଳ ହେଲାଣି, କିଛି ଜାଣିପାରୁ ନଥାଉ । ଆମ ମା’ ଥିଲା ସବୁଠୁ’ ଦୁର୍ବଳିଆ, ବୋଧେ ଏଇଥିପାଇଁ ଯେ ସେ ଆମ ସମସ୍ତଙ୍କର ସାଧାରଣ ଦୁଃଖ ସହୁଥିଲା ଏବଂ ତା’ ସାଙ୍ଗରେ ଆମ ପ୍ରତ୍ୟେକଙ୍କର ବ୍ୟକ୍ତିଗତ ଦୁଃଖ ମଧ୍ୟ, ଏବଂ ତେଣୁ ତା’ ଭିତରେ ଭୟଙ୍କର ପରିବର୍ତ୍ତନ ସବୁ ହୋଇ ଯାଇପାରେ ବୋଲି ଅନୁମାନ କରି ଆମେ ଡରି ମରି ରହିଥାଉ । ତା’ର ବସିବା ଯାଗା ହେଲେ ସୋଫା କଣଟା, ଅନେକ ଦିନରୁ ସେଇଟା ଗଲାଣି, ଏବେ ବ୍ରନ୍‌ସୱିକ୍‌ଙ୍କ ବଡ଼ ଦାଣ୍ଡଘର ଭିତରେ ସେଟା ପଡ଼ିଚି ହଁ, ସେଇଠି ସେ ବସେ, ଏବଂ-ଆମେ ଜାଣି ପାରୁନଥିଲୁ ତା’ର କ’ଣ ଅସୁବିଧା ହେଉଥିଲା-ଢୁଳାଏ କିମ୍ବା ନିଜ ସାଙ୍ଗରେ ଅନେକ ବେଳ ଧରି କ’ଣ ଗପେ, ତା’ ଓଠକୁ ଅନାଇଁ ଆମେ ଜାଣି ପାରୁଥାଉ । ସବୁବେଳେ ସେ ଚିଠି କଥା ଗପିବା ସେଥିରେ ଯା’ ଲେଖା ହୋଇଥିଲା ତା’ର ଅର୍ଥ କ’ଣ ତା’ର ଆଉ କି ଅର୍ଥ ହୋଇପାରେ ଭାବିବା ଏବଂ ଆମ ଭାଗ୍ୟ କେମିତି ବଦଳାଇବୁ ସେ ବିଷୟରେ ଇଏ ଗୋଟେ କହିଲାଣି ତ ସିଏ ଆଉ ଗୋଟେ କଥା କହିବା-ଏସବୁ ଆମେ କରୁଥିଲ, କରିବା ସ୍ୱାଭାବିକ; ଓ ନ କଲେବି ନଚଳେ, କିନ୍ତୁ ସେସବୁ ଠିକ୍‌ ହେଉନଥିଲା, ତା’ କରି ଆମେ କେବଳ ଯୋଉଥିରୁ ବାହାରି ଆସିବାକୁ ଚାହୁଁଥିଲୁ ସେଥିରେ ଆହୁରି ଭିତରକୁ ଡୁବି ଯାଉଥିଲୁ । ଏବଂ ସେସବୁ ଚିନ୍ତାରେ ଲାଭ କ’ଣ ସେଗୁଡ଼ାକ ଯେତେ ଚମତ୍‌କାର ହେଉ ପଛକେ ? ଆମାଲିଆକୁ ଛାଡ଼ି ସେଥିରୁ ଗୋଟିକୁ ମଧ୍ୟ କାମରେ ଲଗାଇ ହେବନି, ସେଗୁଡ଼ାକ ସବୁ ସେମିତି ଚିନ୍ତା ହୋଇ ରହିଥାଏ, ବେକାର ପଡ଼ିଥାଏ, କାରଣ ଆମାଲିଆକୁ ସେ ସବୁ କହି ହେଉନଥାଏ, ଏବଂ ଆମାଲିଆକୁ ସେ ସବୁ କହିଥିଲେ ସେ କିଛି କରିନଥାନ୍ତା, ଚୁପ୍‌ ରହିଥାନ୍ତା । ହଁ, ଆଗ ଅପେକ୍ଷା ଏବେ ମୁଁ ଆମାଲିଆକୁ ବେଶୀ ଭଲ ଭାବରେ ବୁଝିପାରୁଚି ବୋଲି ମତେ ଖୁସି ଲାଗୁଚି । ଆମ ଅପେକ୍ଷା ତା’କୁ ବହୁତ ବେଶୀ ଭୋଗିବାକୁ ପଡ଼ୁଥିଲା, ସେସବୁ ସିଏ କେମିତି ସହିଲା ଓ ବଞ୍ଚିରହିଲା ବୁଝି ହେଉନି । ମା’ ବୋଧେ ଆମ ସମସ୍ତଙ୍କର ଦୁଃଖ କଷ୍ଟ ଭୋଗିଲା, କାରଣ ସେଗୁଡ଼ାକ ତା’ ଉପରେ ଅଜାଡ଼ି ହୋଇ ପଡ଼ୁ୍‌ଥାଏ, ଏବଂ ସେ ବେଶୀଦିନ ସମ୍ଭାଳି ପାରିଲା ନାଇଁ, କେହି କହି ପାରିବ ନାଇଁ ଯେ ସେ ଏବେ ସେସବୁ ସମ୍ଭାଳି ପାରୁଚି ବୋଲି ଏବଂ ସେତେବେଳେ ବି ତା’ ମୁଣ୍ଡ ଆଉ ଠିକ୍‌ ରହୁନଥାଏ । କିନ୍ତୁ ଆମାଲିଆ ଖାଲି ଦୁଃଖ ଭୋଗିଲାନାଇଁ, ସେ ଜାଣିଥିଲା ସେ ଦୁଃଖକୁ କେମିତି ଭଲ ଭାବରେ ଦେଖି ହେବ, ଆମେ କେବଳ ପରିଣତି ଗୁଡ଼ାକ ଦେଖିଲୁ, କିନ୍ତୁ ସେ କାରଣ ଜାଣିଥିଲା, ଆମେ କୋଉ ବାଟରେ ଟିକିଏ ରକ୍ଷା ପାଇଯିବୁ ଭାବୁଥିଲୁ, ସେ ଜାଣିଥିଲା ସବୁ କିଛି ନିଷ୍ପତ୍ତି ହୋଇ ସାରିଚି, ଆମକୁ ଫିସ୍‌ ଫିସ୍‌ ହେବାକୁ ପଡ଼ୁଥିଲା, ତା’କୁ ଚୁପ୍‌ଚାପ ରହିବାକୁ, ସେ ସତ୍ୟର ମୁହା ମୁହିଁ ଠିଆ ହୋଇଥାଏ, ବଞ୍ଚିଥାଏ, ଏବଂ ବର୍ତ୍ତମାନ ଭଳି ତା’ ଦୁଃଖକୁ ଭୋଗୁଥାଏ, ଆମର ସବୁ କଷ୍ଟ ସତ୍ତ୍ୱେ ଆମେ ତା’ ଅପେକ୍ଷା ଭଲରେ ଥାଉ । ଅବଶ୍ୟ, ଆମକୁ ଆମ ଘରଟା ଛାଡ଼ି ଦେବାକୁ ପଡ଼ିଲା । ବ୍ରନସୱିକ୍‌ ସେଟା ନେଇ ଗଲେ, ଏବଂ ଆମକୁ ଏ କୁଡ଼ିଆ ଖଣ୍ଡକ ଦିଆହେଲା । ଆମର ଜିନିଷପତ୍ର ସବୁ କେତେ ଥରରେ ନେଇ ଆସିଲୁ, ଗୋଟିଏ ହାତଟଣା ଗାଡ଼ିରେ, ବାର୍ଣ୍ଣାବାସ ଓ ମୁଁ ଟାଣିଲୁ ବାପା ଓ ଆମାଲିଆ ପଛରୁ ଠେଲିଲେ, ମା’ ଏଠି ଆସି ସେତେବେଳକୁ ଗୋଟିଏ ସିନ୍ଦୂକ ଉପରେ ବସିଥାଏ, କାରଣ ତା’କୁ ଆମେ ପ୍ରଥମେ ନେଇ ଆସିଥିଲୁ, ଏବଂ ସେ ସାରାଟା ସମୟକୁଁ କୁଁ ହେଉଥାଏ । ତଥାପି ମୋର ମନେ ପଡ଼ୁଚି ସେଇ ଝାଳବୁହା ଗାଡ଼ିଟଣା ବେଳେ ବି–ଭାରି କଷ୍ଟ ଲାଗୁଥାଏ ସେତେବେଳେ, କାରଣ ଅନେକ ସମୟରେ ଫସଲ ବୋଝେଇ ଶଗଡ଼ ଆସୁଥାଏ, ଏବଂ ଲୋକେ ଆମକୁ ଦେଖିଲା କ୍ଷଣି ଚୁପଚାପ ହୋଇ ଯାଉଥାନ୍ତି, ମୁହଁ ଆଡ଼େଇ ଦେଉଥାନ୍ତି-ସେତେବେଳେ ଚି-ବାର୍ଣ୍ଣାବାସ ଓ ମୁଁ ଆମର ଦୁଃଖ କଷ୍ଟ କଥା ଆମର ଯୋଜନା ସବୁ ଆଲୋଚନା କରୁଥାଉ, ତେଣୁ ଅନେକ ଥର ଆମେ ରାସ୍ତା ଉପରେ ଠିଆ ହୋଇ ପଡ଼ୁଥାଉ, ବାପା ପଛରୁ ‘‘ହେଇ’’ ବୋଲି ପାଟି ନ କଲାଯାଏଁ । କିନ୍ତୁ ସେ ସବୁ କଥାବାର୍ତ୍ତାର କିଛି ଫଳ ହେଲାନି ଆମ ଜୀବନରେ, ଏଠିକି ଆସିବା ପରେ ଖାଲି ଏତିକି ହେଲା, ଆମେ ଆମ ଦାରିଦ୍ର୍ୟର ତାଡ଼ନା ଅନୁଭବ କରିବାକୁ ଆରମ୍ଭ କଲୁ । ଆମ ବନ୍ଧୁବାନ୍ଧବ ଆଉ ଜିନିଷପତ୍ର ପଠାଇଲେନି, ଆମର ଟଙ୍କା ପଇସା ସରିଯାଇଥାଏ, ଏବଂ ସେତିକି ବେଳେ ହିଁ ଲୋକେ ପ୍ରଥମେ ଆମକୁ ଘୃଣା କରିବା ଆରମ୍ଭ କରିଦେଲେ ଯାହା ଏବେ ବି ଚାଲିଚି ଆପଣ ଦେଖୁଚନ୍ତି । ସେମାନେ ବୁଝିନେଲେ ଯେ ସେ ଦୁର୍ନାମରୁ ବର୍ତ୍ତିବା ପାଇଁ ଆମପାଖରେ ଶକ୍ତି ନାଇଁ; ଏବଂ ସେଥିପାଇଁ ସେମାନେ ରାଗିଗଲେ । ସେମାନେ ଆମ ଦୁଃଖ କଷ୍ଟକୁ କିଛି କମ୍‌ ବୋଲି ଭାବୁ ନଥିଲେ, ଯଦିଓ ସେମାନେ ଜାଣିନଥିଲେ ସେ ଗୁଡ଼ିକ ଠିକ କ’ଣ ବୋଲି, ଏବଂ ସେମାନେ ବୋଧେ ଜାଣିଥିଲେ ସେ ଗୁଡ଼ିକ ଠିକ କ’ଣ ବୋଲି, ଏବଂ ସେମାନେ ବୋଧେ ଜାଣିଥିଲେ ଯେ ସେମାନେ ମଧ୍ୟ ସେଇ ଦୁଃଖକଷ୍ଟକୁ ଆମଠୁ ବେଶୀ ସମ୍ଭାଳି ପାରିନଥାନ୍ତେ, କିନ୍ତୁ ସେଇଥିପାଇଁ ହିଁ ସେମାନେ ଆମଠୁ ଦୂରେଇ ରହିବାକୁ ବେଶୀ ଚାହିଁଲେ-ଆମେ ଯଦି ଜିଣିଥାନ୍ତୁ ସେମାନେ ଆମକୁ ସମ୍ମାନ ଦେଖାଇଥାନ୍ତେ, କିନ୍ତୁ ଆମେ ଯେହେତୁ ହାରିଗଲୁ, ଯାହାକୁ ବା ସେମାନେ ଅଳ୍ପଦିନ ପାଇଁ ବୋଲି ଭାବିଥିଲେ, ସେଇ ନିଷ୍ପତ୍ତିକୁ ଶେଷ ବୋଲି ଗ୍ରହଣ କରିନେଲେ, ଏବଂ ଆମକୁ ସବୁଦିନ ପାଇଁ ସମାଜରୁ ତଡ଼ିଦେଲେ । ଆମକୁ ଆଉ ସାଧାରଣ ମଣିଷ ବୋଲି କେହି ଭାବିଲେ ନାଇଁ ଆମ ନା କେହି କେବେ ଉଠାଇଲେନି, ଆମ କଥା ଯଦି କେବେ ଉଠାଇବାକୁ ପଡ଼ିଲା, ସେମାନେ ଆମକୁ ବାର୍ଣ୍ଣାବାସ ଘର ଲୋକ ବୋଲି କହିଲେ, କାରଣ ସେ ହିଁ ଥିଲା ସବୁଠୁ କମ୍‌ ଦୋଷୀ; ଆମ କୁଡ଼ିଆ ଘରଟାର ବି ଦୁର୍ନାମ ରଟିଗଲା, ଏବଂ ଆପଣ ନିଶ୍ଚେ ମାନିବେ, ଯଦି ଆପଣ ସତ କହୁଥାନ୍ତି ଯେ ପ୍ରଥମେ ଯେତେବେଳେ ଆପଣ ଏଠିକି ଆସିଲେ ଆପଣ ଭାବିଥିଲେ ଏଘରର ଦୁର୍ନାମ ଯଥାର୍ଥ । ପରେ, ଲୋକେ ଯେତେବେଳେ ସମୟ ସମୟରେ ଆମ ଘରକୁ ଆସିଲେ, ଅତି ଛୋଟ କଥାରେ ମଧ୍ୟ ସେମାନେ ନାକ ଟେକୁଥାନ୍ତି; ଯେମିତି ଧରନ୍ତୁ, ଟେବୁଲ ଉପରେ ଝଲୁଥିବା ଛୋଟ ଲଣ୍ଟନଟା । ଯଦି ଟେବୁଲ ଉପରେ ନୁହ, ସେଇଟା ଆଉ କୋଉଠି ଝୁଲିବ ? ତଥାପି ସେମାନଙ୍କୁ ସେଇଟା ଭଲ ଲାଗିଲା ନାଇଁ । ଆମେ ଯଦି ଲଣ୍ଠନଟାକୁ ଅନ୍ୟ କୋଉଠି ନେଇ ଝୁଲେଇଲୁ, ତେବେ ବି ସେମାନେ ବିରକ୍ତ ହେଲେ । ଆମେ ଯାହା କଲୁ, ଆମର ଯାହା କିଛି ଥିଲା, ସବୁ ହେଲା ଖରାପ ।

 

ପେଟିସ୍‌ନ୍‌

 

‘‘ଏବଂ ଆମେ ତା’ ଭିତରେ କଲୁ କ’ଣ ? ସବୁଠୁ ଖରାପ କଥାଟି, ଆମର ପ୍ରଥମ ଦୋଷ ଅପେକ୍ଷା ଅଧିକ ଘୃଣ୍ୟ କଥାଟି–ଆମେ ଆମାଲିଆ ସାଙ୍ଗରେ ବିଶ୍ୱାସ ଘାତକରା କଲୁ । ଆମେ ତା’ର ନୀରବ ସଂଯତ ଭାବକୁ କାଢ଼ି ଫିଙ୍ଗି ଦେଲୁ, ଆମେ ସେଇ ଭାବରେ ଆଉ ଜୀବନ କଟାଇ ପାରିଲୁ ନାଇଁ, କୌଣସି ପ୍ରକାର ଆଶା ନଥାଇ ଆମେ ତିଷ୍ଠି ପାରିଲୁ ନାଇଁ, ଏବଂ ଆମେ ଯା’ ତା’ ବାଟରେ ଦୁର୍ଗ ଆମକୁ କ୍ଷମା ଦେଉ ବୋଲି ପ୍ରାର୍ଥନା କରିବା ଆରମ୍ଭ କରି ଦେଲୁ, ପାଟିତୁଣ୍ଡ କଲୁ । ଅବଶ୍ୟ ଆମେ ଜାଣିଥିଲୁ ଯେ ଭଲ କିଛି କରିବା ଅବସ୍ଥାରେ ଆମେ ନାହୁଁ, ଏବଂ ଆମେ ଆହୁରି ମଧ୍ୟ ଜାଣିଥିଲୁ ଯେ ଦୁର୍ଗ ସହିତ ଆମର ସଂପର୍କ ଟିକକ-ସଟିନିଙ୍କ ଜରିଆରେ, ସଟିନି ଯେ କି ବାପାଙ୍କ ଉପର ଅଧିକାରୀ ଥିଲେ ଏବଂ ପସନ୍ଦ କରୁଥିଲେ-ନଷ୍ଟ ହୋଇ ସାରିଥିଲା ସେଇ ଘଟଣା ବେଳୁ, ତଥାପି ଆମେ ତା’ କରିବାରେ ଲାଗି ପଡ଼ିଲୁ । ବାପା ତା’ ଆରମ୍ଭ କଲେ, ସେ ଗାଁ ସୁପରିଣ୍ଟେଣ୍ଡଣ୍ଟଙ୍କ ପାଖକୁ ୟାଡ଼ୁ ସ୍ୟାଡ଼ୁ ପେଟିସନ୍‌ ଲେଖି ଲାଗିଲେ, ସେକ୍ରେଟାରି, ଆଡ଼୍‌ଭୋକେଟ୍‌, କିରାଣୀ, ସମସ୍ତଙ୍କ ପାଖକୁ ଲେଖିଲେ, କେହି ପ୍ରାୟ ତା’ଙ୍କୁ ଦେଖା ଦେଲେ ନାଇ, କିନ୍ତୁ ଯଦି ମିଛ କହି ବା କେଉଁ ବାଟରେ ଦେଖା ପାଇଯାନ୍ତି-ଏବଂ ସେ ଖବର ଆସିଲେ ଆମେ କେଡ଼େ ଖୁସିରେ ହାତକୁ ହାତ ଘଷୁଥାଉ-ତାଙ୍କୁ ସେଇକ୍ଷଣି ତଡ଼ି ଦିଆଯାଏ, ଆଉ କେବେ ସେ ଯାଗାକୁ ପୂରାଇ ଦିଆଯାଏ ନାଇଁ । ତା’ ଛଡ଼ା ତାଙ୍କୁ ଉତ୍ତର ଦେବା ଭାରି ସହଜ, ଦୁର୍ଗର ସେ ଅଧିକାର ସବୁବେଳେ ଅଛି । ସେ କ’ଣ ପ୍ରକୃତରେ ଚାହୁଁଥିଲେ ? ତାଙ୍କୁ କ’ଣ ସବୁ କରାଯାଇଥିଲା ? କୋଉଥିପାଇଁ ସେ କ୍ଷମା ପାଇବାକୁ ଚାହୁଁଛନ୍ତି ? ଦୁର୍ଗରେ କେବେ ଓ କିଏ ତାଙ୍କର ଟିକିଏ ହେଲେ ବି କ୍ଷତି କରିବାକୁ ଚାହିଁଥିଲା ? ହେଲା ସେ ଗରିବ ହୋଇ ଯାଇଛନ୍ତି, ତା’ଙ୍କୁ ଆଉ କାମ ଦେବାକୁ ଲୋକେ ଆସୁନଥାନ୍ତି, ଇତ୍ୟାଦି, ଏଗୁଡ଼ାକ ତ ନିତିଦିନିଆ ଜୀବନରେ ଏମିତି ଘଟିଥାଏ, ସବୁ ଦୋକାନ ବଜାରରେ ଘଟିଥାଏ, ଦୁର୍ଗକୁ କ’ଣ ଏ ପ୍ରକାର ବି ମୁଣ୍ଡ ଖେଳାଇବାକୁ ପଡ଼ିବ ? ଅବଶ୍ୟ ସାଧାରଣଙ୍କର କେମିତି ମଙ୍ଗଳ ହେବ ଦୁର୍ଗ ସେଇ କଥା ଦେଖିବ, କିନ୍ତୁ ପ୍ରାକୃତିକ ଘଟଣାବଳୀରେ ତ ଦୁର୍ଗ ସେଇ କଥା ଦେଖିବ, କିନ୍ତୁ ପ୍ରାକୃତିକ ଘଟଣା ବଳୀରେ ତ ଦୁର୍ଗ ଆଉ ହସ୍ତକ୍ଷେପ କରିପାରିବ ନାଇଁ, ଜଣଙ୍କର ସେଥିରେ କିଛିଟା ଲାଭ ହେବ ବୋଲି ସେ କ’ଣ ଆଶା କରୁଚନ୍ତି ଯେ ଅଫିସର୍‌ମାନେ ତାଙ୍କ ଲୋକଙ୍କ ପଛରେ ଗୋଡ଼ାଇ ତାଙ୍କ ପାଖକୁ ବାହୁଡ଼ାଇ ଆଣିବେ ? କିନ୍ତୁ ବାପା କହିବେ-ଆମେ ସେଇ କଥାବାର୍ତ୍ତାକୁ ଆଗରୁ ଓ ପରେ ସବୁବେଳେ ଆଲୋଚନା କରୁଥିଲୁ, ଗୋଟିଏ କଣରେ ବସି ସତେ ଯେମିତି ଆମେ ଆମାଲିଆଠୁ’ ଦୂରେଇ ରହିବାକୁ ଚାହୁଁଥିଲୁ, ସେ ଅବଶ୍ୟ ଜାଣୁଥିଲା ଆମେ କ’ଣ କରୁଚୁ, କିନ୍ତୁ ସେ କଥାକୁ ଦୃଷ୍ଟି ଦେଇ ନଥିଲା-ହଁ, ବାପା କହିବେ, ସେ ତାଙ୍କ ଦାରିଦ୍ର୍ୟ କଥା କହୁନାହାଁନ୍ତି, ତାଙ୍କର ଯାହା ସବୁ ଚାଲିଯାଇଚି, ସେ ପୁଣି ସେସବୁ ଫେରାଇ ଆଣି ପାରିବେ, ତାଙ୍କୁ ଖାଲି ଯଦି କ୍ଷମା ଦିଆ ହୋଇଯାଏ, ସେ ଗୁଡ଼ାକରେ କିଛି ଯାଏ ଆସେ ନାଇଁ, କିନ୍ତୁ କେଉଁଥିପାଇଁ କ୍ଷମା ଦିଆଯିବ ? ଉତ୍ତର ଆସିଲା; ତାଙ୍କ ବିରୁଦ୍ଧରେ ତ କୌଣସି ଅଭିଯୋଗ ଆସିନଥିଲା, ଅନ୍ତତଃ ଫାଇଲ୍‌ ପତ୍ରରେ କିଛି ତ ଲେଖା ନାଇଁ, ପୁଣି ସର୍ବ ସାଧାରଣଙ୍କ ଓକିଲମାନେ ଯୋଉ ଫାଇଲ୍‌ ପତ୍ର ଦେଖି ପାରିବେ ସେଥିରେ ନାଇଁ । ତେଣୁ ଯାହା ଜଣା ପଡ଼ୁଚି, ତାଙ୍କ ବିରୁଦ୍ଧରେ ନା କେବେ କୌଣସି ଅଭିଯୋଗ ଆସିଚି ନା କୌଣସି ଅଭିଯୋଗ ହେବାକୁ ଯାଉଚି । ତାଙ୍କ ବିରୁଦ୍ଧରେ କୌଣସି ସରକାରୀ କାଗଜ ପତ୍ର ଆସିଥିବା କଥା ସେ କହି ପାରିବେ କି-? ବାପା ତା’ କରି ପାରିଲେନି । ବାସ୍‌, ତା’ ହେଲେ ସେ ଯଦି କିଛି ଜାଣିନାହାଁନ୍ତି ଓ ଘଟିନାଇଁ, ତେବେ ସେ କ’ଣ ଚାହୁଁଚନ୍ତି ? କୋଉଥିପାଇଁ ତା’କୁ କ୍ଷମା ଦିଆ ହେବ ? କୋଉଥିପାଇଁ ନୁହେ, ସେ ଉଦ୍ଦେଶ୍ୟହୀନ ଭାବରେ ସରକାରଙ୍କ ସମୟ ନଷ୍ଟ କରୁଚନ୍ତି କେବଳ, କିନ୍ତୁ ତା’ ହିଁ ତ ଅକ୍ଷମଣୀୟ ଅପରାଧ । ବାପା ଓହରି ଗଲେନି, ସେତେବେଳେ ସେ ଭାରି ଟାଣୁଆ ଥିଲେ, ଏବଂ ତାଙ୍କ ଉପରେ ଜବରଦସ୍ତ ଯୋଉ ଅବସର ଲଦି ଦିଆ ହୋଇଥିଲା, ସେଥିରେ ସେ ବହୁତ ସମୟ ପାଉଥିଲେ । ମୁଁ ଆମାଲିଆର ସମ୍ମାନ ଫେରାଇ ଆଣିବି, ଆଉ ବେଶୀ ସମୟ ଲାଗିବନି, ଦିନକରେ ଅନେକ ଥର ସେ ଏୟା ବର୍ଣ୍ଣାବାସ୍‌କୁ ଓ ମତେ କହୁଥାନ୍ତି, କିନ୍ତୁ ଚାପା ଗଳାରେ, ନ ହେଲେ ଆମାଲିଆ କାଳେ ଶୁଣିବ, ଏବଂ ତେବେ ବି ସେ ତା’ର ମଙ୍ଗଳ ପାଇଁ ତ ସେ କଥା କହୁଥିଲେ, କାରଣ ପ୍ରକୃତରେ ସେ ଆମାଲିଆର ସମ୍ମାନ ଫେରାଇ ଆଣିବ କଥା ଆଶା କରୁ ନଥିଲେ; ଆଶା କରୁଥିଲେ କ୍ଷମା ପାଇବାକୁ । ତଥାପି କ୍ଷମା ଦିଆଯିବା ଆଗରୁ ତାଙ୍କୁ ତାଙ୍କର ଦୋଷ ପ୍ରମାଣ କରିବାକୁ ପଡ଼ିବ, ଏବଂ ସବୁ ବୁରୋ ସେ ଦୋଷ କରି ନାହାଁନ୍ତି ବୋଲି କହିଲେ । ହଠାତ୍‌ ତାଙ୍କ ମୁଣ୍ଡକୁ ଜୁଟିଲା ଏବଂ ସେଥିରୁ ଜଣାପଡ଼ିଲା ଯେ ତାଙ୍କ ବୁଦ୍ଧି ଆଉ କାମ କରୁନି–ଯେ ତାଙ୍କ ଅପରାଧ ତାଙ୍କଠୁ ଲୁଚାଇ ରଖାହେଉଚି ଏଥିପାଇଁ ଯେ ସେ ଯଥେଷ୍ଟ ଟଙ୍କା ପଇସା ଦେଇନାହାଁନ୍ତି; ସେ ଯାଏଁ ସେ କେବଳ ନିର୍ଦ୍ଧାରିତ ଟିକସଗୁଡ଼ାକ ଦେଇଥାନ୍ତି, ଆମ ଅବସ୍ଥା ଦୃଷ୍ଟିରୁ ସେ ଗୁଡ଼ାକ ବହୁତ ବେଶୀ ଥିଲା । କିନ୍ତୁ ବର୍ତ୍ତମାନ ସେ ଭାବିଲେ ଯେ ତାଙ୍କର ଅଧିକ ଟଙ୍କା ପଇସା ଦେବା କଥା; ତା’ ଥିଲା ଗୋଟାଏ ଭୁଲ ଧାରଣା, କାରଣ ଯଦିଓ ଅଫିସର୍‌ମାନେ ଝାମେଲାରେ ନ ପଡ଼ିବା ପାଇଁ ଅଯଥା କଥାବାର୍ତ୍ତା ନ କରିବା ପାଇଁ ଲାଞ୍ଚ ନିଅନ୍ତି ସେଥିରେ କିଛି ଲାଭ ହୁଏନି । ତଥାପି, ବାପା ଯଦି ସେଇ ଧାରଣା ଉପରେ ନିର୍ଭର କରି ବହୁତ କିଛି ଆଶା କରୁଚନ୍ତି, ଆମେ ଚାହିଁଲୁ ନାଇଁ ତା’ ଦୂରେଇ ଦେବାକୁ । ଆମ ପାଖରେ ଯାହା ଜିନିଷ ପତ୍ର ବାକୀ ଥିଲା ସେ ଗୁଡ଼ା ବିକି ଦେଲୁ–ପ୍ରାୟ ସବୁ ଜିନିଷ, ଯୋଉ ଗୁଡ଼ାକ ନଥିଲେ ନଚଳେ–ବାପାଙ୍କୁ ଟଙ୍କା ଯୋଗାଇ ଦେବା ପାଇଁ, ଏବଂ ଅନେକ ଦିନ ସକାଳୁ ଆମକୁ ଏଇ କଥା ଭାବିଲେ ଭାରି ଭଲ ଲାଗୁଥିଲା ଯେ ବାପା ଦିନସାରା ଯୁଆଡ଼େ ଗଲେ ତାଙ୍କ ପକେଟରେ କିଛି ପଇସା ଝଣ ଝଣ ହେଉଥିବ । ଅବଶ୍ୟ ଆମକୁ ସାରାଦିନ ଭୋକରେ ରହିବାକୁ ପଡ଼ିଲା, ଏବଂ ସେ ଟଙ୍କା କେବଳ ଏତିକି କଲା ପ୍ରକୃତରେ, ବାପା ପ୍ରାୟ ଭବିଷ୍ୟତରେ ସୁଖ ସ୍ୱପ୍ନ ଦେଖି ଖୁସି ରହିଲେ ସେଥିରେ ଅବଶ୍ୟ ଆମର କିଛି ସୁବିଧା ହେଲା ବୋଲି କହି ହେବନି । ଦିନସାରା ବୁଲି ବୁଲି ସେ ଝଡ଼ିଗଲେ, ଏବଂ ଟଙ୍କାଟା ସେଇ ବୁଲାବୁଲିକୁ ଆହୁରି ବଢ଼ାଇ ଦେଲା, ପରିଣତି ଯାହା ହେବା କଥା ହେଲାନି, ଶୀଘ୍ର ବି ହେଲାନି । ଯେହେତୁ ସେ ଅଧିକା ଟଙ୍କା ବଦଳରେ ପ୍ରକୃତରେ ତାଙ୍କ ପାଇଁ କିଛି କରାଯାଇ ପାରିଲାନି, ଏଠି ସେଠି କିରାଣୀମାନେ ତା’ ବଦଳରେ ତାଙ୍କୁ କିଛି ଦେବାର ଛଳନା କଲେ କଥା ଦେଲେ ସେମାନେ ବୁଝିବେ, ଏବଂ ସେମାନେ ଗୋଟାଏ ବାଟ ପାଉଥିବାର ସୂଚନା ଦେଲେ; ଏବଂ ତା’ ବି ବାପାଙ୍କ ପ୍ରତି ଦୟା କରି, କର୍ତ୍ତବ୍ୟଦୃଷ୍ଟିରୁ ନୁହେ, ସେମାନେ ସେ କାମ ପଛରେ ଲାଗିବେ-ଏବଂ ବାପା ସନ୍ଦେହ କରନ୍ତେ କ’ଣ ସେମାନଙ୍କ କଥାକୁ ବେଶୀ ବେଶୀ ବିଶ୍ୱାସ କଲେ । ସେ ସବୁ ବେକାର ପ୍ରତିଶ୍ରୁତି ଗୁଡ଼ାକ ଧରି ସେ ଘରକୁ ଫେରନ୍ତି, ସତେ ଯେମିତି ସେ ଗୁଡ଼ାକରେ ତାଙ୍କର ଜୟ ଲାଭ ହୋଇଚି । ଏବଂ ଆମକୁ ଭାରି କଷ୍ଟ ଲାଗେ ଯେତେବେଳେ ସେ ଆମାଲିଆ ପାଖରେ ଠିଆ ହୋଇ ମୁହଁ ନେଫେଡ଼ି ଟିକିଏ ହସି ଦିଅନ୍ତି, ଏବଂ ଏଡ଼େ ବଡ଼ ଆଖି କରି ତା’ ଆଡ଼କୁ ହାତ ଦେଖାଇ ଆମକୁ କହନ୍ତି ଯେ ତା’ର ମୁକ୍ତିଲାଭର ଦିନ ପାଖେଇ ଆସୁଚି ତାଙ୍କର ଚେଷ୍ଟାରୁ, କିନ୍ତୁ ସେ କଥା ଏବେ ବି ଲୁଚାଇ ରଖା ହୋଇଚି ଏବଂ ଆମେ କାହାକୁ କିଛି ଯେମିତି ନ କହୁ । ସେ ମୁକ୍ତି ଲାଭ କଥା ଶୁଣି ଆମାଲିଆ ହିଁ ସବୁଠୁ’ ବେଶୀ ଆଶ୍ଚର୍ଯ୍ୟ ହୋଇଥାନ୍ତା, ଆମ ଅପେକ୍ଷା । ଏ ସବୁ ନିଶ୍ଚେ ଅନେକ ଦିନ ଧରି ଏମିତି ଚାଲିଥାନ୍ତା, ଯଦି ଟଙ୍କା ଦେବା ଅବସ୍ଥାରେ ଆମେ ସେ ଯାଏଁ ରହିଥାନ୍ତୁ । ଆମର ଟଙ୍କା କିନ୍ତୁ ସରିଗଲା । ବାର୍ଣ୍ଣାବାସ୍‌ ବ୍ରନ୍‌ସୱିକ୍‌ଙ୍କୁ’ ବହୁତ କାକୁତି ମିନତି କରି ୟା ଭିତରେ ତାଙ୍କ ପାଖରେ କାମ ପାଇଥିଲା । ସର୍ତ୍ତଥିଲା ଯେ ସେ ସନ୍ଧ୍ୟାବେଳେ ତା’ କାମ ଦେଖାଇବ, ପୁଣି ରାତିରେ ବି ଦେଖାଇବ-ବ୍ରନ୍‌ସୱିକ୍‌, ଯେ ସେ ପାଇଁ ତାଙ୍କ ବ୍ୟବସାୟ ପ୍ରତି ବିପଦ ଡାକି ଆଣୁଥିଲେ, ଏକଥା ମାନିବାକୁ ପଡ଼ିବ, କିନ୍ତୁ ତା’ ବଦଳରେ ସେ ବାର୍ଣ୍ଣାବାସ୍‌କୁ ମୋଟେ କିଛି ଦେଉନଥିଲେ, ଏବଂ ବାର୍ଣ୍ଣାବାସ୍‌ ଭାରି ଭଲ କାମ କରେ-ତଥାପି ସେ ଯେତିକି ମୂଲ ପାଉଥିଲା ସେଥିରେ ଆମେ କୌଣସି ମତେ ଚଳି ଯାଉଥିଲୁ । ଅତି ଭଦ୍ର ଏବଂ ତାଙ୍କ ମନରେ ଯେମିତି ଆଘାତ ନ ହେବ ସେପରି ଭାବରେ ଆମେ ବାପାଙ୍କୁ କହିଲୁ ତାଙ୍କୁ ଆମେ ଟଙ୍କା ଦେଇ ପାରିବୁ ନାଇଁ । ବାପା ଏକଥା ଚୁପ୍‌ ଚାପ୍‌ ଶୁଣିଲେ । ତାଙ୍କର ସମସ୍ତ ଚେଷ୍ଟାର ଯେ କୌଣସି ଫଳ ହେବନି, ବାପା ସେ କଥା ଆଉ ବୁଝି ପାରୁ ନଥିଲେ, କିନ୍ତୁ ବାରମ୍ବାର ବ୍ୟର୍ଥ ହେବା ଫଳରେ ସେ ଭାରି ବିବ୍ରତ ହୋଇ ପଡ଼ିଥିଲେ । ସେ କହିଲେ-ଏବଂ ସେ ଆଗଭଳି ସ୍ପଷ୍ଟ ଭାବରେ କହି ପାରିଲେ ନାଇଁ, ସେ ଅତି ସ୍ପଷ୍ଟଭାବରେ ହିଁ କହିବା କଥା କହୁଥିଲେ-ଯେ ତାଙ୍କର ଖୁବ୍‌ କମ୍‌ ଟଙ୍କା ଦରକାର ହୋଇଥାନ୍ତା, କାରଣ ତା’ ପରଦିନ କିମ୍ବା ସେଇ ଦିନ ହିଁ ତାଙ୍କୁ ସବୁ ଜଣା ପଡ଼ିଯାଇଥାନ୍ତା, ଏବଂ ବର୍ତ୍ତମାନ ସବୁ କିଛି ନଷ୍ଟ ହୋଇଗଲା, କେବଳ ଟଙ୍କା ଯୋଗୁଁ, ଇତ୍ୟାଦି, କିନ୍ତୁ ତାଙ୍କ କହିବାର ଭଙ୍ଗୀରୁ ଜଣା ପଡ଼ୁଥିଲା ଯେ ସେ ଏସବୁ କଥାରେ ନିଜେ ବିଶ୍ୱାସ କରୁନଥିଲେ । ତା’ ଛଡ଼ା, ସେଇକ୍ଷଣି ସେ ନିଜେ ନିଜେ ଗୋଟିଏ ନୂଆ ଯୋଜନା ସ୍ଥିର କଲେ । ସେ ଯେହେତୁ ତାଙ୍କ ଦୋଷ ପ୍ରମାଣ କରି ପାରିଲେ ନାଇଁ ଏବଂ ତା’ ଫଳରେ ଅଫିସ୍‌ମାନଙ୍କ ଜରିଆରେ ଆଉ କିଛି ହୋଇ ପାରିବ ବୋଲି ତାଙ୍କର ଆଶା ନଥିଲା ସେ ଖାଲି ଅପୀଲ ଉପରେ ନିର୍ଭର କରିବେ, ଏବଂ ବ୍ୟକ୍ତିଗତ ଭାବରେ ଅଫିସରମାନଙ୍କ ପ୍ରବର୍ତ୍ତାଇବେ । ସେମାନଙ୍କ ଭିତରେ ଭଦ୍ର ହୃଦୟବାନ୍‌ ଲୋକ ନିଶ୍ଚୟ ଥିବେ, ତାଙ୍କର ହାର୍ଦ୍ଦିକତା ସେମାନେ ଅଫିସର୍‌ ଭାବରେ ଦେଖାଇ ପାରୁନଥିବେ, କିନ୍ତୁ ଅଫିସ୍‌ କାମ ସରିବା ପରେ ଯଦି, ଠିକ୍‌ ସମୟରେ ଜଣେ ସେମାନଙ୍କୁ ଧରିପାରିବ, ସେମାନେ ନିଶ୍ଚୟ ଶୁଣିବେ ।

 

କେ. ଏଯାଏ ମନୋଯୋଗ ଦେଇ ଶୁଣୁଥିଲା, ବର୍ତ୍ତମାନ ସେ ଗୋଟିଏ ପ୍ରଶ୍ନ ପଚାରି ଓଲ୍‌ଗାକୁ ଅଟକାଇ ଦେଲା, ‘‘ଏବଂ ତମେ କ’ଣ ଭାବୁନ ସେ ଠିକ କହୁଥିଲେ ବୋଲି ?’’ ଯଦିଓ ଓଲ୍‌ଗାର କାହାଣୀ ପୂରା ଶୁଣିଥିଲେ ସେ ପ୍ରଶ୍ନର ଉତ୍ତର ତା’କୁ ମିଳି ଯାଇଥାନ୍ତା, ସେ ସେ କ୍ଷଣି ଉତ୍ତର ପାଇବାକୁ ଚାହିଁଲା ।

 

‘‘ନା,’’ ଓଲ୍‌ଗା କହିଲା, ‘‘ନା, ଦୟା କରୁଣାର ପ୍ରଶ୍ନ ଇ ଉଠୁନଥିଲା । ଆମର ବୟସ କମ୍‌ ଥିଲା, ଜୀବନ ବିଷୟରେ ଅନୁଭୂତି ନଥିଲା, ତେବେ ବି ଆମେ ତା’ ଜାଣିଥିଲୁ, ଏବଂ ବାପା ବି ଜାଣିଥିଲେ କିନ୍ତୁ ଅନ୍ୟ ସବୁକଥା ପରି ସେକଥା ମଧ୍ୟ ତାଙ୍କମୁଣ୍ଡକୁ ଜୁଟୁନଥିଲା । ତାଙ୍କର ଯୋଜନା ହେଲା ସେ ଦୁର୍ଗ ଆଡ଼କୁ ଯାଉଥିବା ବଡ଼ ରୋଡ଼ ଉପରେ ଅପେକ୍ଷା କରିବେ, ସେଇ ବାଟେ ଅଫିସରମାନେ ସେମାନଙ୍କ ଗାଡ଼ିରେ ଯାଆନ୍ତି, ଏବଂ ସେ ସାମାନ୍ୟ ସୁବିଧା ପାଇଲେ କ୍ଷମା ଦେବା ପାଇଁ ସେମାନଙ୍କୁ ଅନୁନୟ କରିବେ । ସତରେ କହୁଚି । ସେଇଟା ଥିଲା ଗୋଟିଏ ମସ୍ତ ପାଗାଳାମି, ଯଦିବା ହୁଏତ ଯା’ ଅସମ୍ଭବ ତା’ ସମ୍ଭବ ହୋଇଥାନ୍ତା ଏବଂ ତାଙ୍କର ଅନୁନୟ ବିନୟ କୌଣସି ଅଫିସ୍‌ର କାନରେ ପଡ଼ିଥାନ୍ତା । କାରଣ ଜଣେ ଅଫିସ୍‌ର କେମିତି କ୍ଷମା ଦେଇ ଦେବେ ? କ୍ଷମା ଯଦି ଦେବା କଥା, ପୂରା ଶାସନ କଳ ତା’ ଦେବ, ଏବଂ ଶାସନ କଳ କେବଳ ଦଣ୍ଡ ଦେଇପାରେ, କ୍ଷମା ନୁହେ, ଏହା ଜଣା ଶୁଣା କଥା । ଏବଂ ସେ ଯାହା ହେଉ, ଜଣେ ଅଫିସ୍‌ର ଯଦି ତାଙ୍କ ଗାଡ଼ିରେ ଓହ୍ଲାଇ ଆସିଥାନ୍ତେ, ଏବଂ ବାପାଙ୍କ ବିଷୟରେ କିଛି କରିବା ପାଇଁ ଚାହିଁଥାନ୍ତେ, ତାଙ୍କର ଘଟଣାଟା ସଂପର୍କରେ ସ୍ପଷ୍ଟ ଧାରଣା କେମିତି ହୋଇଥାନ୍ତା, ବାପାଙ୍କ ଭଳି ବିଚରା ଜଣେ ହାଲିଆ ହୋଇ ପଡ଼ିଥିବା ବୁଢ଼ା ଲୋକର ଆବୁରୁ ଜାବୁରୁ କଥାରୁ ? ଅଫିସର୍‌ମାନେ ଉଚ୍ଚ ଶିକ୍ଷିତ, କିନ୍ତୁ ଏକ ବାଗିଆ, ତାଙ୍କ ନିଜ ଡିପାଟ୍‌ମେଣ୍ଟ୍‌ରେ ଜଣେ ଅଫିସର ପଦେ କଥା ଶୁଣି ଦେଇ ପୂରା ଘଟଣାଟା ବୁଝି ନେଇ ପାରିବେ, କିନ୍ତୁ ଅନ୍ୟ ଗୋଟିଏ ଡିପାଟ୍‌ମେଣ୍ଟ୍‌ର ବିଷୟଟିଏ ତାଙ୍କୁ ଘଣ୍ଟା ଘଣ୍ଟା ଧରି ବୁଝାଇ କୁହାଯାଉ, ସେ ଭଦ୍ରଲୋକି ଦେଖାଇ ମୁଣ୍ଡ ଲାଡ଼ି ପାରନ୍ତି, କିନ୍ତୁ ସେ କିଛି ବୋଇଲେ କିଛି ବୁଝି ପାରିବେନି । ତା’ ଖୁବ୍‌ ସ୍ୱାଭାବିକ କଥା, ଜଣେ ସାଧାରଣ ଲୋକର ଛୋଟ ଅଫିସ୍‌ କାମ କଥା ବି ନିଅନ୍ତୁ-ଏତେ ଛୋଟ କାମ ଯେ ଅଫିସର୍‌ମାନେ ତା’କୁ ମୁହୂର୍ତ୍ତକରେ ସାରି ଦେଇ ପାରନ୍ତି-ଏବଂ ସେଟାକୁ ପୂରା ବୁଝିବାକୁ ଚେଷ୍ଟା କରନ୍ତୁ, କିନ୍ତୁ ଆପଣଙ୍କର ସାରା ଜୀବନ ସେଥିରେ ବିତିଯିବ ପଛକେ କିଛି ଫଳ ହେବନି । କିନ୍ତୁ ବାପା ଯଦିବା ଜଣେ ଦାୟିତ୍ୱବାନ୍‌ ଅଫିସର୍‌ଙ୍କୁ ଭେଟନ୍ତି, ଦରକାରୀ କାଗଜ ପତ୍ର ନଥିଲେ କୌଣସି ଅଫିସର୍‌ କିଛି ନିଷ୍ପତ୍ତି ନେଇ ପାରିବେ ନାଇଁ, ଏବଂ ନିଶ୍ଚେ ରାସ୍ତା ମଝିରେ ନୁହେ; ସେ କ୍ଷମା ଫ୍ୟମା ଦେଇ ପାରିବେନି, ସେ କେବଳ ଅଫିସ୍‌ ନିୟମ ଅନୁସାରେ ଘଟଣାଟାର ନିଷ୍ପତ୍ତି କରି ପାରିବେ, ଏବଂ ସେ ଅଫିସ୍‌ କାମରେ ପଦ୍ଧତି କଥା ଉଠାଇବେ, ଏବଂ ସେଥିରେ ତ ବାପା ପୁରା ବିଫଳ ହୋଇ ସାରିଥାନ୍ତି । ଏମିତି ଗୋଟାଏ ଯୋଜନା ଧରି ଜିଦ୍‌ କରି ବାପା କି ଧନ୍ଦାରେ ନ ପଡ଼ିଥିବେ । ଯଦି ସେଇ ବାଟରେ କିଛି ପାଇବାର ସମ୍ଭାବନା ଟିକିଏ ହେଲେ ଥାନ୍ତା, ରୋଡ଼ରେ କୌଣସି ଗୋଟେ ଯାଗାରେ ଲୋକେ ପେଟିସନ୍‌ ଧରି ହାଉ ଯାଇ ହେଉଥାନ୍ତେ, କିନ୍ତୁ ସେ କଥା ପୂରା ଅସମ୍ଭବ ଥିବାରୁ, ସ୍କୁଲ୍‌ର ସବୁଠୁ ଛୋଟ ପିଲାଟିର ମୁଣ୍ଡରୁ ବାହାରିଥିବା କଥାଟିଏ ଭଳି ହୋଇ ଥିବାରୁ ରୋଡ଼୍‌ଟା ପୂରା ଖାଲି ପଡ଼ିଚି । କିନ୍ତୁ ସେ କଥା ବି ବାପାଙ୍କୁ କିଛିଟା ବଳ ଦେଉଥିଲା ବୋଧେ, ସେ ସବୁଆଡ଼େ ସଫଳତାର ସୂଚନା ଦେଖି ପାରିଲେ-। ତାଙ୍କ ପାଇଁ ସେମିତି ଯୋଜନାଟିଏ ଖୁବ୍‌ ଦରକାର ଥିଲା, କାରଣ ସୁସ୍ଥ ମନରେ କୌଣସି ଲୋକ ଏମିତି ଗୋଳମାଳିଆ ହିସାବ କରିବ ନାଇଁ, ତା’ ଚାରିଆଡ଼ର ଅବସ୍ଥା ଦେଖି ସେ ବୁଝି ପାରିଥାନ୍ତା ଯେ ଇଏ ଗୋଟେ ନ ହେବାର କଥା । ଅଫିସର୍‌ମାନେ ଯେତେବେଳେ ଗାଁ ଭିତରକୁ ଆସନ୍ତି, କିମ୍ବା ଦୁର୍ଗକୁ ବାହୁଡ଼ନ୍ତି, ସେମାନେ ନିଜ ଖୁସି ପାଇଁ ତା’ କରନ୍ତି ନାଇଁ କିନ୍ତୁ ଗାଁରେ ବା ଦୁର୍ଗରେ ତାଙ୍କର କାମ ଥାଏ ବୋଲି କରନ୍ତି, ତେଣୁ ସେମାନଙ୍କର ଗାଡ଼ି ଜୋରରେ ଦୌଡ଼ୁଥାଏ-। ପେଟିସନ୍‌ ଧରି ଠିଆ ହୋଇଥିବା ଲୋକଙ୍କୁ ଖୋଜିବା ପାଇଁ ଗାଡ଼ି ଝରକା ବାଟେ ସେମାନେ ଚାହିଁବେ, ଏ କଥା ତାଙ୍କ ମୁଣ୍ଡକୁ ଜୁଟିବାର ସମ୍ଭାବନା ନାଇଁ, କାରଣ ଗାଡ଼ିରେ କାଗଜ ପତ୍ର ଭର୍ତ୍ତି ହୋଇଥାଏ ଏବଂ ଯିବା ଆସିବା କଲାବେଳେ ସେମାନେ ସେ ଗୁଡ଼ା ପଢ଼ନ୍ତି ।’’

Unknown

 

‘‘କିନ୍ତୁ’’ କେ କହିଲା. ‘‘କିନ୍ତୁ ମୁଁ ଗୋଟିଏ ସ୍ଲେଜ୍‌ଗାଡ଼ିର ଭିତର ଦେଖିଚି, ସେଥିରେ ତ କାଗଜ ପତ୍ର ନଥିଲା ।’’ ଓଲ୍‌ଗାର କାହାଣୀ ତା’ ପାଇଁ ଏମିତି ଗୋଟିଏ ବିରାଟ ଓ ପ୍ରାୟ ଅବିଶ୍ୱାସ୍ୟ ପୃଥିବୀର ଦ୍ୱାର ଖୋଲି ଦେଉଥିଲା ଯେ ସେ ତା’ ନିଜର ଛୋଟ ଛୋଟ ଅନୁଭୂତିକୁ ସେ ପୃଥିବୀର ପରିପ୍ରେକ୍ଷୀରେ ପରୀକ୍ଷା ନକରି ରହିପାରୁନଥିଲା ସେ ପୃଥିବୀର ବାସ୍ତବତାକୁ ନିଜ ପାଖରେ ସେ ଯେତିକି ସାବ୍ୟସ୍ତ କରିବାକୁ ଚାହୁଁଥିଲା, ନିଜର ଅସ୍ତିତ୍ୱକୁ ମଧ୍ୟ ସେତିକି ସାବ୍ୟସ୍ତ କରିବାକୁ ଚାହୁଁଥିଲା ।

 

‘‘ତା’ ହୋଇଥାଇପାରେ,’’ ଓଲ୍‌ଗା କହିଲା ‘‘କିନ୍ତୁ ତା ହୋଇ ଥିଲେ ତ ଆହୁରି ଖରାପ କଥା, କାରଣ ତା’ର ଅର୍ଥ ହେଲା ଏୟା, ସେ ଅଫିସରଙ୍କ କାମ୍‌ ଏତେ ଜରୁରୀ, ତାଙ୍କର କାଗଜପତ୍ର ଗୁଡ଼ାଏ ଏତେ ମୂଲ୍ୟବାନ ଓ ସଂଖ୍ୟାରେ ଏତେ ବେଶୀ ଯେ ସେଗୁଡ଼ାକ ସାଙ୍ଗରେ ନେଇ ହେବନି, ଏବଂ ସେ ପ୍ରକାର ଅଫିସରମାନେ ଅତି ଜୋରରେ ଯା’ଆସ କରନ୍ତି । ସେ ଯାହା ହେଉ, ବାପାଙ୍କ ପାଇଁ କେହି ସମୟ ଦେଇ ପାରିବେନି । ଏବଂ ତା’ ଛଡ଼ା, ଦୁର୍ଗକୁ ଯିବା ପାଇଁ ଅନେକ ଗୁଡ଼ାଏ ରୋଡ଼୍‌ ଅଛି । ବର୍ତ୍ତମାନ ଗୋଟିଏ ରୋଡ଼ରେ ଯିବା ଫେସନ ହୋଇଚି, ଏବଂ ଅଧିକାଂଶ ଗାଡ଼ି ସେଇ ରୋଡ଼୍‌ ଦେଇ ଯିବ ଯଦି ଫେସନ ବଦଳିଗଲା, ସବୁ ଗାଡ଼ି ଘୋଡ଼ା ଅଲଗା ଗୋଟିଏ ରୋଡ଼ରେ ଯିବେ । ଏବଂ କୋଉ କାରଣରୁ ଫେସନ ଏମିତି ବଦଳେ ତା’ ଏଯାଏଁ ଜଣାପଡ଼ିନି । ଦିନେ ସକାଳେ ଆଠଟା ବେଳେ ସବୁ ଗାଡ଼ି ଅନ୍ୟ ଗୋଟେ ରୋଡ଼ରେ ଯାଉଥିବେ-ଦଶମିନିଟ୍‌ ପରେ ଆଉ କୋଉ ରୋଡ଼ରେ, ଏବଂ ଅଧଘଣ୍ଟାକ ପରେ ପୁଣି ପ୍ରଥମ ରୋଡ଼ରେ ଏବଂ ତା’ପରେ ସମସ୍ତେ ସାରାଦିନ ଧରି ସେଇ ରୋଡ଼ରେ ଯିବେ, କିନ୍ତୁ ପ୍ରତ୍ୟେକ ମିନିଟ ତା’ ବଦଳିଯିବାର ସମ୍ଭାବନା ରହିଚି । ଅବଶ୍ୟ ସବୁ ଗୁଡ଼ାକ ରୋଡ଼ ଗାଁ ପାଖରେ ମିଶିଚି, କିନ୍ତୁ ସେତେବେଳକୁ ସବୁଯାକ ଗାଡ଼ି ପାଗଳଙ୍କ ପରି ଦୌଡ଼ୁଚନ୍ତି, କିନ୍ତୁ ଦୁର୍ଗ ପାଖେଇ ଆସିଲାବେଳକୁ ସେମାନଙ୍କର ଗତି ଧିମେଇ ଯାଏ । ଅଲଗା ଅଲଗା ସମୟରେ ରୋଡ଼ଗୁଡ଼ାକ ଯେମିତି ପୂରା ବଦଳିଯାଉଥାଏ ଏବଂ କାହିଁକି ବଦଳୁଥାଏ ବୁଝି ହେଉନଥାଏ, ଗାଡ଼ିଘୋଡ଼ା ଗହଳିର ପରିଣାମ ଠିକ ସେମିତି ବଦଳି ଯାଉଥାଏ । ଏମିତି ଦିନ ଅଛି, ଗୋଟିଏ ହେଲେ ଗାଡ଼ି ଦେଖିବାକୁ ମିଳିବନି, ଏବଂ ଏମିତି ବି ଦିନ ଅଛି, ଗାଡ଼ି ଭେଳା ଭେଳା ହେଉଥିବେ । ବର୍ତ୍ତମାନ, ଭାବିଲେ ଦେଖି, ସେ କଥା ଆଉ ବାପାଙ୍କ ଯୋଜନା କଥା, ତାଙ୍କର ସବୁଠୁ ଭଲ ସୁଟଟି ଯୋଉଟାକି ଶୀଘ୍ର ତାଙ୍କର ଏକମାତ୍ର ସକାଳେ ଘରୁବାହାରି ଯିବେ ଆମର ଶୁଭେଚ୍ଛା ନେଇ । ସାଙ୍ଗରେ ସେ ଗୋଟିଏ ଛୋଟ ଫାୟାର୍‌ ବ୍ରିଗେଡ଼ ବ୍ୟାଜ ନିଅନ୍ତି, ଯୋଉଟାକି ପାଖରେ ରଖିବାର କାରଣ ପ୍ରକୃତରେ କିଛି ନାଇଁ, କାରଣ ଗାଁରୁ ବାହାରି ଗଲା କ୍ଷଣି ସେଟିକି ସେ କୋଟ୍‌ରେ ଲଗାଇ ଦିଅନ୍ତି, କାରଣ ଗାଁରେ କିଏ ଦେଖିବ ବୋଲି ତାଙ୍କର ଡର ଥାଏ, ଯଦିଓ ସେଇଟା ଏତେ ଛୋଟ ସେ ଦି’ ପାହୁଣ୍ଡ ଦୂରରୁ ମଧ୍ୟ ଦିଶିବ ନାଇଁ, କିନ୍ତୁ ବାପା ଜିଦ୍‌ କରନ୍ତି । ଓ କହନ୍ତି ଯେ ତା’ ପିନ୍ଧିଲେ ସେ ରାସ୍ତାରେ ଯାଉଥିବା ଅଫିସରଙ୍କ ଦୃଷ୍ଟି ଠିକ ଆକର୍ଷଣ କରିପାରିବେ ଦୁର୍ଗ ଗେଟ୍‌ ପାଖାପାଖି ଗୋଟିଏ ଫଳ ପରିବା ବଗିଚା ଅଛି, ବର୍ଟୁସ ବୋଲି ଗୋଟିଏ ଲୋକର, ସେ ଦୁର୍ଗରେ ପନିପରିବା ବିକେ ଏବଂ ସେଠି ବଗିଚା ବାଡ଼ କଡ଼ରେ ଗୋଟିଏ ଅଣ ଓସାରିଆ ପଥର ଉପରେ ବାପା ଯାଇ ଅପେକ୍ଷା କରି ବସି ରହିଲେ । ବର୍ଟୁସ କୌଣସି ଆପତ୍ତି କଲା ନାଇଁ କାରଣ ବାପାଙ୍କ ସାଙ୍ଗରେ ତା’ର ବେଶ୍‌ ବଂଧୁତା ଥିଲା ଏବଂ ସେ ବାପାଙ୍କ ପାଖରୁ ପ୍ରାୟ ଯୋତା ତିଆରି କରି ନେଉଥିଲା-ଦେଖିଲେ, ତା’ର ଗୋଟିଏ ଗୋଡ଼ ଛୋଟା ଏବଂ ସେ ଭାବୁଥିଲାଯେ ବାପାଙ୍କ ଛଡ଼ା କେହି ତା’ର ସେ ଗୋଡ଼ ପାଇଁ ବୁଟ୍‌ଟିଏ ତିଆରି କରିଦେଇ ପାରିବେନି । ଆଚ୍ଛା, ବାପା ସେଠି ଯାଇ ଦିନ ପରେ ଦିନ ଅପେକ୍ଷା କଲେ, ସେ ବର୍ଷ ଶରତ୍‌ ଋତୁରେ ଭାରି ବର୍ଷା ତୋଫାନ ହେଲା, କିନ୍ତୁ ବାପା ସେଥିପ୍ରତି ଖାତିର କଲେନି । ପ୍ରତିଦିନ ସକାଳେ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ସେ କବାଟ କରେ ହାତ ରଖି ଆମଠୁ ବିଦାୟ ନେଇଯିବେ ଏବଂ ସନ୍ଧ୍ୟାରେ ଓଦା ସରସର ହୋଇ ଫେରିବେ, ପ୍ରତିଦିନ ଏମିତି । ଏବଂ ଆଗ ଅପେକ୍ଷା ଟିକିଏ ବେଶୀ ନଇଁ ପଡ଼ିଥିବେ, ଏବଂ ଆସିଲାକ୍ଷଣି ଗୋଟେ ଯାଗାରେ ଚାରିକାତ ମେଲାଇ ପଡ଼ିଯିବେ । ପ୍ରଥମେ ପ୍ରଥମେ ସେ ଆମକୁ ତାଙ୍କର ଛୋଟ ଛୋଟ ଅନୁଭୂତି କଥା କହୁଥିଲେ ଯଥା ବର୍ଟୁସ କେମିତି ଦୟା ଦେଖାଇ ଏବଂ ବନ୍ଧୁତାର ଖାତିରିରେ ବାଡ଼ ସେପାଖରୁ ତାଙ୍କ ଉପରକୁ ଗୋଟିଏ କମ୍ବଳ ଫିଙ୍ଗିଦେଲା ଏବଂ କେମିତି ସେ ଚାଲି ଯାଉଥିବା ଗାଡ଼ି ଭିତରେ ଏଇ ଅଫିସର କି ସେଇ ଗାଡ଼ିବାଲା ତାଙ୍କୁ ପୁଣି ଚିହ୍ନି ପାରିଲା ଏବଂ ତାଙ୍କ ଆଡ଼କୁ ଦେଖାଇ ମଜାରେ ଚାବୁକ୍‌ ପିଟିଦେଲା । କିନ୍ତୁ ପରେ ଏସବୁ କଥା କହିବା ସେ ବନ୍ଦ୍‌ କରିଦେଲେ, ବୋଧେ ଏଇଥିପାଇଁ ଯେ ସେଠି କୌଣସି କାମ ହାସଲ କରିପାରିବେ ବୋଲି ଆଉ ଆଶା କରୁନଥିଲେ, ଏବଂ ଖାଲି କର୍ତ୍ତବ୍ୟ ଭାବରେ ସେୟା କରୁଥିଲେ, ସେଠିକି ଯିବା ଓ ସାରାଦିନ ସେଠି କଟାଇବାର ବିରକ୍ତିକର କାମ । ସେତିକିବେଳେ ହିଁ ତାଙ୍କର ଆଣ୍ଠୁଗଣ୍ଠି ବଥା ଆରମ୍ଭ ହେଲା, ଶୀତ ମାଡ଼ି ଆସୁଥାଏ । ଜଲଦି; ବରଫ ପଡ଼ିଥିଲା, ଶୀତ ଏଠି ଖୁବ୍‌ ଜଲ୍‌ଦି ଆରମ୍ଭ ହୋଇଯାଏ; ଆଚ୍ଛା, ସେଠି ସେ କେତେବେଳେ ସେ ଓଦା ପଥର ଉପରେ ବସି ରହୁଥିଲେତ କେତେବେଳେ ବରଫ ଭିତରେ । ରାତିରେ ବାନ୍ଧି ଛଟା ହେଲେ ଗଁ ଗଁ ହୁଅନ୍ତି, ଏବଂ ସକାଳେ ଆଉ ଯିବେ କି ନଯିବେ ଅନେକ ସମୟଧରି ଠିକ୍‌ କରିପାରନ୍ତିନି, କିନ୍ତୁ ସବୁବେଳେ ତାଙ୍କର କୁଣ୍ଠାବୋଧକୁ ଜୟ କରିନିଅନ୍ତି ଓ ଯାଆନ୍ତି । ମା’ ତାଙ୍କୁ ଜାବୁଡ଼ି ଧରେ, ତାଙ୍କୁ ଯିବାକୁ ମନା କରେ, ତେଣୁ ବୋଧେ ତାଙ୍କ ଗୋଡ଼ ହାତ ତାଙ୍କ ଇଚ୍ଛାମତେ ଆଉ ଚଳୁନଥିବାରୁ ସେ ଦୁର୍ବଳ ଅନୁଭବ କରିଥାନ୍ତି, ସେଥିପାଇଁ ମା’ଙ୍କୁ ତାଙ୍କ ସାଙ୍ଗରେ ନେବା ପାଇଁ ରାଜି ହୋଇଗଲେ, ଏବଂ ତା ଫଳରେ ମା’ର ମଧ୍ୟ ବିନ୍ଧାଛିଟା ଆରମ୍ଭ ହୋଇଗଲା । ଆମେ ଅନେକ ସମୟରେ ସେମାନଙ୍କ ପାଖକୁ ଯାଉ ଖାଇବା ନେଇ, କିମ୍ବା ଖାଲି ସେମିତି ଦେଖିଆସିବାକୁ, କିମ୍ବା ଘରକୁ ଫେରିଆସିବା ପାଇଁ ପ୍ରବର୍ତ୍ତାଇବାକୁ; କେତେଥର ଆମେ ନ ଦେଖିଚୁ ଦୁହିଁଙ୍କୁ, କୁଙ୍କୁଡ଼ି କାଙ୍କୁଡ଼ି ହୋଇ ବସିଥିବେ, ଛୋଟ ପଥରଟା ଉପରେ ପରସ୍ପର ଉପରକୁ ଝୁଙ୍କିପଡ଼ି, ଗୋଟେ ପତଳା କମ୍ବଳରେ ଗୁଡ଼େଇ ଗାଡ଼େଇ ହୋଇ, ସେଇଟା ପୁଣି ଦିହିଁଙ୍କ ଘୋଡ଼ି ହେବା ପାଇଁ ଯଥେଷ୍ଟ ନୁହେଁ, ଏବଂ ସେମାନଙ୍କ ଚାରିଆଡ଼େ ଧୂସର ବରଫ ଓ କୁହୁଡ଼ି ଛଡ଼ା ଆଉ କିଛି ନଥିବ, ଏବଂ ଦିନ ଦିନ ଧରି ଏକାଦିକ୍ରମେ ଦୂରରେ ମଧ୍ୟ ମଣିଷଟିଏ ଦିଶୁନଥିବ, ଗାଡ଼ିଟିଏ ଯାଉନଥିବ । ସେ ଦୃଶ୍ୟ, କେ, ଦେଖିଲା ଭଳି ଦୃଶ୍ୟ । ଶେଷରେ ଦିନେ ସକାଳେ ବାପା ଆଉ ଶୋଇଥିବା ଯାଗାରୁ ଉଠି ପାରିଲେନି, ତାଙ୍କ ଗୋଡ଼ ମୋଟେ ଚଳିଲାନି, ତାଙ୍କୁ ଆମେ ସାହାଯ୍ୟ କରିବାକୁ ଗଲୁ ଯେ ସେ ମନା କରିଦେଲେ, ପ୍ରାୟ ଅଚେତନ ଅବସ୍ଥାରେ ତାଙ୍କର ମନେ ହେଲା ଯେ ସେଇ ମୁହୂର୍ତ୍ତରେ ବର୍ଟୁସର ବଗିଚା କଡ଼ରେ ଜଣେ ଅଫିସର ତାଙ୍କର ଗାଡ଼ି ଅଟକାଇଲେ, ବାଡ଼ କଡ଼େ କଡ଼େ ଯାଇ ବାପାଙ୍କୁ ବହୁତ ଖୋଜିଲେ ଏବଂ ନ ପାଇ ରାଗରେ ପୁଣି ଗାଡ଼ି ଭିତରକୁ ଉଠିଗଲେ ମୁଣ୍ଡ ଲାଡ଼ି ଲାଡ଼ି । ସେ ଦୃଶ୍ୟ ଦେଖି ବାପା ଏତେ ଜୋରରେ ପାଟି କଲେ ଯେ ମନେ ହେଲା, ସେ ଯେମିତି ଚାହୁଁଥିଲେ ଏତେ ଦୂରରୁ ସେ ଅଫିସର ତାଙ୍କ କଥା ଶୁଣନ୍ତୁ ବୋଲି ଏବଂ ସେ ଅଫିସରଙ୍କୁ ସେ ଯେମିତି ବୁଝାଇବାକୁ ଚାହୁଁଥିଲେ ଯେ ସେ ସେଇ ବାଡ଼ କଡ଼ରେ ନଥିବାଟା ତାଙ୍କର ଦୋଷ ନୁହେଁ । ଏବଂ ଅନେକ ଦିନ ଧରି ସେ ସେଠିକି ଆଉ ଯାଇ ପାରିଲେନି, ଆଉ କେବେ ଯାଇପାରିଲେନି, ଏବଂ ମାସ ମାସ ଧରି ଶେଯ ଛାଡ଼ି ପାରିଲେନି । ଆମାଲିଆ ସେବା ଶୁଶ୍ରୁଷା ଚିକିତ୍ସାର ଭାର ନେଲା, ତାଙ୍କର ଯାହା ଦରକାର ସେ କଲା, ଏବଂ ମଝିରେ ମଝିରେ କେଇଟା ଦିନ ଛାଡ଼ିଦେଲେ, ଏଯାଏଁ ତା’ କରିଆସୁଚି । ତାଙ୍କ ବଥା କମାଇଦେବା ପାଇଁ କି ଚେରମୂଳି ଅଛି ସେ ଜାଣେ, ନିଜେ ପ୍ରାୟ ଶୁଏନାଇଁ, କେବେ ଛାନିଆଁ ହୁଏନି, ଡରେନି, କେବେ ଅଧୈର୍ଯ୍ୟ ହୁଏନି, ବୁଢ଼ା ବୁଢ଼ୀଙ୍କ ପାଇଁ ସେ ସବୁ କିଛି କରେ । ଆମେ ଯେତେବେଳେ କାହା ପାଇଁ କିଛି କରି ନପାରି ଲସର ପସର ହେଉଥିବୁ, ସେ ଯାହା ଘଟିଗଲେ ମଧ୍ୟ ଧୀରସ୍ଥିର, ଚୁପ ଚାପ ରହିଥିବ । ତା’ପରେ ଯେତେବେଳେ ସବୁଠୁ ଖରାପବେଳ କଟିଗଲା, ଏବଂ ଆମ ଭିତରୁ ଜଣେ ଦୁଇହାତରେ ଧରିଲେ ବାପା ପୁଣି ବଡ଼ କଷ୍ଟରେ ହେଲେବି ଟିକିଏ ଉଠା ବସା କରିଲେ, ଆମାଲିଆ ପୁଣି ପଛେଇ ଗଲା ଏବଂ ତାଙ୍କୁ ଆମ ଉପରେ ଛାଡ଼ି ଦେଲା ।

 

ଓଲଗାର ଯୋଜନା

 

‘‘ବର୍ତ୍ତମାନ ବାପାତ କିଛିଟା ଭଲ ହୋଇଗଲେ, ତାଙ୍କର ସମୟ କଟିବା ପାଇଁ ପୁଣି କିଛି ଧନ୍ଦା ଦେଖିବା ଦରକାର ପଡ଼ିଲା, ଏମିତି କିଛି ଧନ୍ଦା, ଯୋଉଥିରୁ ସେ ଭାବିବେ ଯେ ପରିବାରର ମୁଣ୍ଡ ଉପରୁ ଅପରାଧର ବୋଝ ଦୂରେଇବା ପାଇଁ ସେ କିଛିଟା କରୁଚନ୍ତି, ସେମିତିକା କାମଟେ ଖୋଜିବା କିଛି କଷ୍ଟ ହେଲାନି, ବର୍ଟୁସର ବଗିଚାରେ ବସିବା ଦ୍ୱାରା ଯାହା ଲାଭ ହୁଏ, ତା’ ଯାଚ୍ଛାତା କାମରେ ବି ହୋଇପାରିବ କିନ୍ତୁ ମୁଁ ଏମିତି କିଛି ଯୋଗାଡ଼ କଲି ଯାହାକି ପ୍ରକୃତରେ ସାମାନ୍ୟ ଆଶାନ୍ୱିତ କରିଦେଲା । ଅଫିସର, କିରାଣୀ ବା ଅନ୍ୟମାନେ ଯେତେବେଳେ ଆମର ଅପରାଧ ବିଷୟରେ ଆଲୋଚନା କରନ୍ତି, ସେମାନେ ପ୍ରାୟ ସଟିନିଙ୍କ ଲୋକକୁ ହୋଇଥିବା ଅପମାନ କଥା ଉଠାନ୍ତି ତା’ଠୁ ଅଧିକା କିଛି କହିବାକୁ କେହି ସାହାସ କରନ୍ତିନି । ବର୍ତ୍ତମାନ ମୁଁ ନିଜକୁ କହିଲି, ଯଦି ଜନମତ, ବାହାରକୁ ଯେତିକି ଜଣା ପଡ଼ୁଚି, ସେ ଲୋକଟିକୁ ହୋଇଥିବା ଅପମାନ ଛଡ଼ା ଆଉ କୌଣସି କଥା ଉଠାଉନି, ତେବେ, ସେମିତି ବାହାରକୁ ଦେଖାଇଲା ଭଳି ବି ସେ ଲୋକଟାକୁ ମନେଇ ଦିଆ ଯାଇପାରିଲେ ସବୁ ଠିକ ଠାକ ହୋଇଯିବ । ଆମକୁ କୁହା ହୋଇଥିଲା ଯେ ଆମ ବିରୁଦ୍ଧରେ କୌଣସି ପ୍ରକାର ଅଭିଯୋଗ କରା ହୋଇନି ତେଣୁ କୌଣସି ଡିପାଟମେଣ୍ଟ ଘଟଣାଟାକୁ ସେଯାଏଁ ହାତକୁ ନେଇନଥିଲା ତେଣୁ ସେ ଲୋକଟା ତା’ ହାତରେ ଯେତିକି ହେବ କରିଦେଇ ପାରିବ-ଅଧିକା କିଛି କରିବାର ପ୍ରଶ୍ନ ଉଠୁନଥିଲା–ଯେ ଅପରାଧ କ୍ଷମା କରିଦେଇ ପାରିବ । ଅବଶ୍ୟ ସେ ସବୁ କଲେ ଯେ ଘଟଣାଟାର ଗୋଟାଏ ଶେଷ ନିଷ୍ପତ୍ତି ହୋଇଯିବ, ତା ନୁହେଁ, ସେସବୁ ଶେଷ ନିଷ୍ପତ୍ତି ଭଳି ଦିଶୁଥିଲା କେବଳ ଏବଂ ସେମିତି ଦିଶିବା ଛଡ଼ା ସେଥିରୁ ଆଉ କିଛି ଲାଭ ହେବନି, ତଥାପି ବାପା ସେଥିରେ ଖୁସି ହୋଇ ଯିବେ ଏବଂ ଯୋଉ କିରାଣୀମାନେ ତାଙ୍କୁ ଏତେ ହଇରାଣ କଲେଣି, ସେମାନେ କିଛିଟା ବୁଦ୍ଧି ଶିଖିଯିବେ, ଏବଂ ତା କରିପାରିଲେ ତ କିଛିଟା ସନ୍ତୋଷ ଲାଗିବ । ପ୍ରଥମେ ଅବଶ୍ୟ ସେ ଲୋକଟାକୁ ଖୋଜି ବାହାର କରିବାକୁ ପଡ଼ିବ । ମୁଁ ଯେତେବେଳେ ବାପାଙ୍କୁ ମୋ ଯୋଜନା କଥା କହିଲି, ପ୍ରଥମେ ସେ ବିରକ୍ତ ହେଲେ କାରଣ ସତ କହୁଚି ସେ ଭାରି ଏକ ଜିଦିଆ ହୋଇ ଯାଇଥିଲେ । ଯେମିତି ଧରନ୍ତୁ ସେ ପୂରା ଭାବି ନେଇଥିଲେ ଯେ-ସେ ରୋଗରେ ପଡ଼ିଥିଲା ବେଳେ ୟା ହୋଇଥିଲା-ଯେ ସେ ଚରମ ସଫଳତା ହାସଲ କରିବାକୁ ଯାଉଚନ୍ତି, ଆମେ ତାଙ୍କୁ ପଛରୁ ଟାଣିଧରୁଚୁ, ପ୍ରଥମେ ତାଙ୍କୁ ଟଙ୍କା ଦେବା ବନ୍ଦ୍‌ କରି ଦେଇ, ଏବଂ ଦ୍ୱିତୀୟରେ ତାଙ୍କୁ ଶେଯରେ ଶୁଆଇରଖି; ଆଉ ଗୋଟିଏ କଥା, କୌଣସି ନୂଆ ଚିନ୍ତାକୁ ଭଲ ଭାବରେ ବୁଝିବାକୁ ତାଙ୍କର ଆଉ ଶକ୍ତି ନଥିଲା । ମୁଁ ତାଙ୍କୁ ମୋ ଯୋଜନାଟା ପୂରା କହିବା ଆଗରୁ ହିଁ ସେ ସେଟାକୁ ପ୍ରତ୍ୟାଖ୍ୟାନ କରିଦେଲେ, ସେ ଭାବି ନେଇଥିଲେ ଯେ ତାଙ୍କର କର୍ତ୍ତବ୍ୟ ହେଲା ବର୍ଟୁସର ବଗିଚାରେ ଯାଇ ଅପେକ୍ଷା କରିବା ଏବଂ ବର୍ତ୍ତମାନ ଯେହେତୁ ସେ ଏକା ପ୍ରତିଦିନ ସେଠିକି ଯିବା ଅବସ୍ଥାରେ ନଥିଲେ, ଗୋଟିଏ ଠେଲା ଗାଡ଼ିରେ ବସାଇ ତାଙ୍କୁ ସେଠିକି ନେବାକୁ ପଡ଼ିବ ଆମକୁ । କିନ୍ତୁ ମୁଁ ସେଥିରେ ରାଜି ହେଲିନି, ଏବଂ ଆସ୍ତେ ସେ ମୋ’ ଯୋଜନାଟାକୁ ଗ୍ରହଣ କରିନେଲେ । ଏ ବିଷୟରେ ତାଙ୍କୁ ମୋ’ ଉପରେ ପୂରା ନିର୍ଭର କରିବାକୁ ପଡ଼ିବ-ଏଇ କଥା ଭାବି ହିଁ ସେ ବ୍ୟସ୍ତ ହେଲେ । କାରଣ ମୁ ହିଁ ଚିଠି ଆଣିଥିବା ଲୋକଟାକୁ ଦେଖି ଥିଲି, ବାପା ତାକୁ ଜାଣି ନଥିଲେ । ଅବଶ୍ୟ ଚିଠି ନେବା ଆଣିବା ଲୋକମାନେ ସମସ୍ତେ ଦେଖିବାକୁ ଏକା ପରି ଏବଂ ମୁଁ ନିଜେ ତାକୁ ଦେଖିଲେ ଯେ ଚିହ୍ନି ଦେଇ ପାରିବି ସେ ବିଷୟରେ ନିଶ୍ଚିତ ନଥିଲି-। ବର୍ତ୍ତମାନ ଆମେ ହେରେନହଫ୍‍ ଯାଇ ସେଠାର ଚାକର ବାକରଙ୍କ ଭିତରେ ସେ ଲୋକଟାକୁ ଖୋଜିବା ଆରମ୍ଭ କରିଦେଲୁ । ସେ ଲୋକଟା ଅବଶ୍ୟ ସଟିନିଙ୍କ କାମ କରୁଥିଲା, ଏବଂ ସଟିନି ଗାଁକୁ ଆସିବା ବନ୍ଦ୍‌ କରି ଦେଇଥିଲେ । କିନ୍ତୁ ସେଇ ଭଦ୍ର ଲୋକମାନେ ସବୁବେଳେ ଚାକର ବାକର ବଦଳାଉଥାନ୍ତି ତେଣୁ ଅନ୍ୟ କୌଣସି ଭଦ୍ରଲୋକଙ୍କ ଚାକର ବାକରଙ୍କ ଭିତରେ ସେ ଲୋକଟାକୁ ଖୋଜିଲେ ସହଜରେ ମିଳିଯିବ, ଏବଂ ସେ ନିଜେ ବି ଯଦି ନ ମିଳେ, ଅନ୍ୟ ଚାକର ବାକରଙ୍କଠୁ’ ବୋଧେ ତା ଖବର ମିଳିଯିବ । ଏଥିପାଇଁ ଅବଶ୍ୟ ପ୍ରତିଦିନ ସନ୍ଧ୍ୟାରେ ହେରେନ୍‌ହଫ୍‌ ଯିବା ଦରକାର, ଏବଂ ଆମକୁ ଯୋଉଠି ସେଠି ଦେଖିଲେ ଲୋକଙ୍କୁ ଭଲ ଲାଗୁନଥିଲା, ସେମିତିକା ଯାଗାରେ ତ ମୋଟେ ନୁହେଁ ଏବଂ ଟଂକା ଖର୍ଚ୍ଚ କରି ଅନ୍ୟମାନଙ୍କ ପରି ସେଠିକି ଆମେ ଯାଇ ପାରିବୁନି । କିନ୍ତୁ ଦେଖାଗଲା ଯେ, ସେମାନେ ଆମକୁ କିଛିଟା କାମରେ ଲଗାଇଦେଲେ । ଆପଣ ଜାଣନ୍ତି ଚାକରମାନେ ଫ୍ରୀଡ଼ାକୁ କେତେ ହଇରାଣ କଲେ, ସେମାନେ ପ୍ରାୟ ସମସ୍ତେ ଅବଶ୍ୟ ଶାନ୍ତ ଶିଷ୍ଟ ଲୋକ କିନ୍ତୁ ତାଙ୍କର ମୁହଁ ବଢ଼ାଇ ଦିଆ ହୋଇଚି ଏବଂ କାମ ପ୍ରାୟ କିଛି ନଥିବାରୁ ସେମାନେ ଅଳସୁଆ ହୋଇ ଯାଇଚନ୍ତି-‘‘ଜଣେ ଚାକର ଭଳି ଭଲରେ ଥାଅ,’’ ଅଫିସରମାନେ ମଦ ଖାଇଲା ବେଳେ ପରସ୍ପରକୁ ଏଇ ଶୁଭେଚ୍ଛା ଜଣାନ୍ତି–ଏବଂ ପ୍ରକୃତରେ ଖୁସି ବାସିଆ ଜୀବନ ଦୃଷ୍ଟିରୁ ଦେଖିଲେ, ଚାକରମାନେ ହିଁ ଦୁର୍ଗର ସର୍ବେ ସର୍ବା ଭଳି ମନେ ହୁଅନ୍ତି । ସେମାନେ ମଧ୍ୟ ସେମାନଙ୍କ ନିଜର ମର୍ଯ୍ୟାଦା କ’ଣ ତା ଜାଣନ୍ତି, ଏବଂ ଦୁର୍ଗ ଭିତରେ, ଯୋଉଠି ସେମାନଙ୍କୁ ନିୟମ କାନୁନ ମାନି ଚଳ ପ୍ରଚଳ ହେବାକୁ ହୁଏ, ସେଠି ସେମାନେ ଖୁବ୍‌ ଶାନ୍ତ ଓ ଭଦ୍ର । ଅନେକ ଥର ମୁଁ ଏକଥା ଶୁଣିଚି, ଏବଂ ଏଠିକାର ଚାକରମାନଙ୍କ ଭିତରେ ମଧ୍ୟ ତା’ର ଅସ୍ପଷ୍ଟ ସୂଚନା ମିଳେ, କିନ୍ତୁ ଅସ୍ପଷ୍ଟ ସୂଚନା କେବଳ, କାରଣ, ଗାଁରେ ଆଉ ଦୁର୍ଗର ନିୟମ କାନୁନ୍‌ ମାନିବାକୁ ଯେହେତୁ ସେମାନେ ବାଧ୍ୟ ନୁହଁନ୍ତି, ସେମାନେ ପ୍ରାୟ ଅନେକଟା ବଦଳି ଗଲା ଭଳି ଲାଗେ, ପଂଝେ ଉଦ୍‌ବାର୍ଯ୍ୟ ଲୋକ, ଯେଉଁମାନେ କି ନିୟମ କାନୁନ୍‌ ଅପେକ୍ଷା ନିଜ ନିଜର ମୁଣ୍ଡକୁ ଯାହା ଜୁଝିଲା ସେଇ ଅନୁସାରେ କାମ କରିବେ । ସେମାନଙ୍କ କଦର୍ଯ୍ୟ ବ୍ୟବହାରର କୌଣସି ସୀମା ସରହଦ ନାଇଁ,, ସେମାନେ ଯେ ଅନୁମତି ବିନା ହେରେନ୍‌ ହଫ୍‌ ଛାଡ଼ି ଯାଇ ପାରିବେ ନାଇଁ, ସେଇଟା ଗାଁ ପକ୍ଷରେ ଭାଗ୍ୟର କଥା, କିନ୍ତୁ ହେରେନ୍‌ହଫ୍‌ରେ ମଧ୍ୟ ସେମାନଙ୍କ ସାଙ୍ଗରେ ନିଜକୁ କୌଣସି ପ୍ରକାରେ ଚଳାଇ ନେବାକୁ ଚେଷ୍ଟା କରିବାକୁ ହେବ; ଫ୍ରୀଡ଼ା ଧରନ୍ତୁ, ତା’ କରି ପାରିଲା ନାଇଁ, ଏବଂ ତେଣୁ ଚାକରଙ୍କୁ ଧୀରସ୍ଥିର କରି ରଖିବାର କାମ ମତେ ସେ ଖୁସିରେ ଦେଲା । ପ୍ରାୟ ଦୁଇ ବର୍ଷରୁ ଅଧିକ କାଳ, ସପ୍ତାହରେ ଅନ୍ତତଃ ଦୁଇଥର କରି ମତେ ଚାକର ମାନଙ୍କ ସାଙ୍ଗରେ ରାତି କଟାଇବାକୁ ପଡ଼ିଲା, ସେମାନେ ରହୁଥିବା ଷ୍ଟଲ ମାନଙ୍କରେ । ଆଗେ ଯେତେବେଳେ ବାପା ମୋ ସାଙ୍ଗରେ ହେରେନ୍‌ହଫ୍‌ ଯାଇ ପାରୁଥିଲେ, ସେ ମଦବିକା ଘରେ କୋଉଠି ଶୋଇ ପଡ଼ୁଥିଲେ, ସକାଳୁ ମୁଁ କି ଖବର ଆଣୁଚି ଶୁଣିବାକୁ, ଆଣିବା ପାଇଁ ସେମିତି କିଛି ଖବର ନଥିଲା । ଆମେ ଏଯାଏଁ ଚିଠି ଆଣିଥିବା ଲୋକଟାକୁ ଖୋଜି ପାଇନୁ, ସେ ନିଶ୍ଚୟ ସଟିନିଙ୍କ ପାଖରେ ଥିବ ସଟିନି ତା’କୁ ଭାରି ପସନ୍ଦ କରନ୍ତି, ଏବଂ ସଟିନି ଯେତେବେଳେ ଗୋଟାଏ ଅଜଣା ଅଶୁଣା ବୁରୋକୁ ଚାଲିଗଲେ, ସେ ତାଙ୍କ ସାଙ୍ଗରେ ସେଠିକି ଚାଲିଯାଇଥିବ । ଆମେ ନିଜେ ତା’କୁ ଯା’ ଦେଖିଥିଲୁ, ସେଇ ଦିନଠୁ’ ଅଧିକାଂଶ ଚାକର ବାକର ତା’କୁ ଦେଖି ନାହାଁନ୍ତି, ଏବଂ ଜଣେ ଦି’ଜଣ ତା’କୁ ଦେଖିଚନ୍ତି ବୋଲି କହୁଚନ୍ତି, କିନ୍ତୁ ବୋଧେ ଭୁଲରେ । ତେଣୁ ମୋ’ ଯୋଜନା ପ୍ରକୃତରେ ବିଫଳ ହୋଇ ଯାଇ ଥାଇ ପାରେ, କିନ୍ତୁ ଏଯାଏଁ ପୂରା ବିଫଳ ହୋଇନି । ସତ କଥା, ଆମେ ସେ ଲୋକଟାକୁ ପାଇନୁ, ଏବଂ ହେରେନ୍‌ହଫ୍‌କୁ ଯିବା ଏବଂ ସେଠି ରାତି କଟାଇବା ଫଳରେ-ବୋଧେ ମୋ’ ପ୍ରତି ତାଙ୍କର ଦୟା ଯୋଗୁଁ, ଅନ୍ତତଃ ଯେତିକି ଦୟା ସେ ଦେଖାଇ ପାରୁଛନ୍ତି-ବାପାଙ୍କ ସ୍ୱାସ୍ଥ୍ୟ ନଷ୍ଟ ହୋଇଗଲା, ଏବଂ ଦୁଇ ବର୍ଷ ହେଲାଣି, ସେ କି ଅବସ୍ଥାରେ ଅଛନ୍ତି ଆପଣ ତ ଦେଖୁଚନ୍ତି, ଏବଂ ତଥାପି ମୋ’ ମା’ ଅପେକ୍ଷା ସେ ବୋଧେ ଭଲ ଅଛନ୍ତି, କାରଣ ସେ କେତେବେଳେ ମରିଯିବ ଆମେ ଅପେକ୍ଷା କରି ରହିବୁ; ସେ ଏଯାଏଁ ମରିନି କେବଳ ଆମାଲିଆର ଅତି ମାନବ ସୁଲଭ ସେବା ଶୁଶ୍ରୂଷା ଯୋଗୁଁ । କିନ୍ତୁ ହେରେନ୍‌ ହଫ୍‌ ଯାଇ ମୋର ଗୋଟିଏ ଲାଭ ହୋଇଚି, ମୁଁ ଦୁର୍ଗ ସାଙ୍ଗରେ କିଛିଟା ସଂପର୍କର ବାଟ ପାଇଚି; ମୋର କୃତକର୍ମ ପାଇଁ ମୁଁ ଅନୁତାପ କରୁନି ଶୁଣି ଆପଣ ମତେ ଘୃଣା କରିବେନି । ଦୁର୍ଗ ସାଙ୍ଗରେ କି ପ୍ରକାର ସଂପର୍କ ହୋଇପାରେ, ତା’ ଆପଣ ନିଶ୍ଚେ ଭାବୁଥିବେ । ପ୍ରକୃତରେ ସେମିତି କିଛି ସଂପର୍କ ନୁହେଁ । ମୁଁ ଅନେକ ଚାକର ବାକରଙ୍କୁ ୟା ଭିତରେ ଜାଣି ସାରିଲିଣି ଅବଶ୍ୟ, ପ୍ରାୟ ସବୁ ଭଦ୍ର ଲୋକଙ୍କ ଚାକରମାନଙ୍କୁ, ଯୋଉମାନେ କି ଗତ ଦୁଇ ବର୍ଷ ଭିତରେ ଏ ଗାଁକୁ ଆସିଚନ୍ତି, ଏବଂ ଯଦି ମୁଁ କେବେ ଦୁର୍ଗ ଭିତରକୁ ଯାଏ, ମତେ ଆଉ କେହି ଅଚିହ୍ନା ବାରିବେନି । ସେମାନେ ଅବଶ୍ୟ ଗାଁ ଭିତରେ ହିଁ ଚାକର, ଦୁର୍ଗରେ ସେମାନେ ପୂରା ଅଲଗା, ଏବଂ ବୋଧେ ମତେ ଓ ଅନ୍ୟ ଯେ କେହି ଯିବ ତା’କୁ ଚିହ୍ନି ପାରିବେନି, ଭାବିବେନି ଯେ ଗାଁ ଭିତରେ ଆମ ସାଙ୍ଗରେ ସେମାନଙ୍କ ଚିହ୍ନା ପରିଚୟ ହୋଇଥିଲା । ତା’ ନିଶ୍ଚିତ, ଯଦିବା ଷ୍ଟଲରେ ସେମାନେ ଶହେ ଥର ରାଣ ପକାଇ କହିଛନ୍ତି ଯେ ଦୁର୍ଗକୁ ପୁଣି ମୁଁ ଗଲେ ସେମାନେ ବହୁତ ଖୁସି ହେବେ । ତା’ ଛଡ଼ା; ଏସବୁ ରାଣ ନିୟମର ମୂଲ୍ୟ ଯେ କିଛି ନାଇଁ ମୁଁ ବୁଝି ସାରିଲିଣି । ତେବେ ସେଇଟା ପ୍ରକୃତରେ ବଡ଼ କଥା ନୁହେ କେବଳ ଚାକର ବାକରଙ୍କ ଜରିଆରେ ଯେ ଦୁର୍ଗ ସାଙ୍ଗରେ ମୋର ସଂପର୍କ ହୋଇଚି, ତା’ ନୁହେ, କାରଣ ତା’ପରେ ବି ମୋର ଆଶା ଓ ବିଶ୍ୱାସ ଅଛି ଯେ ମୁଁ ଯାହା କରୁଚି, ତା’ ସେଠି କେହି ଜଣେ ଲକ୍ଷ୍ୟ କରୁଚନ୍ତି ଚାକର ବାକରଙ୍କ କଥା ବୁଝିବା ପ୍ରକୃତରେ ଗୋଟିଏ ଅତି ଜରୁରୀ ଓ ଶ୍ରମ ସାପେକ୍ଷ ସରକାରୀ କାର୍ଯ୍ୟ ଏବଂ ଶେଷରେ ମତେ ଯିଏ ଲକ୍ଷ୍ୟ କରୁଚନ୍ତି, ସେ ବୋଧେ ମୋ ବିଷୟରେ ଅନ୍ୟମାନଙ୍କ ଅପେକ୍ଷା ବେଶୀ ଭଲ ଧାରଣା କରିବେ ଯେ ମୁଁ ମୋ ପରିବାର ପାଇଁ ଏତେ କଷ୍ଟ କରୁଚି, ଏବଂ ମୋ ବାପାଙ୍କ କାମ ନିଜେ କରି ଦେଉଚି, ଯେତେ ଖରାପ ଭାବରେ ହେଉ ପଛକେ । ସେ ଯଦି ଏପରି ଭାବରେ ଜିନିଷଟାକୁ ଦେଖନ୍ତି, ତେବେ ମୁଁ ଚାକର ମାନଙ୍କ ପାଖରୁ ଟଙ୍କା ନେଇ ଆମ ଘର ପାଇଁ ଖର୍ଚ୍ଚ କରିବାଟାକୁ ସେ ବୋଧେ କ୍ଷମା କରିଦେବେ । ଏବଂ ଆହୁରି ଅଧିକା କିଛି ହାସଲ କରିଚି, ଯୋଉଥିପାଇଁ, ମୋର ଭୟ ହେଉଚି, ଆପଣ ବି ମୋତେ ଦୋଷ ଦେବେ । ଚାକର ମାନଙ୍କ ପାଖରୁ ଅନେକ କଥା ଜାଣି ପାରୁଚି, କୋଉ ବାଟରେ ଦୁର୍ଗରେ ଚାକିରୀ ପାଇହେବ । ଚାକିରୀ ମିଳିବା ପାଇଁ ପ୍ରଥମେ ଯୋଉ ସବୁ କଷ୍ଟ କରିବାକୁ ପଡ଼ିବ ତା’ ନ କରି, ବେଳେ ବେଳେ ସେଥିପାଇଁ ବର୍ଷ ବର୍ଷ ଲାଗିଯାଏ; ତା’ କଲେ ଅବଶ୍ୟ ଜଣେ ପ୍ରକୃତ ସରକାରୀ କର୍ମଚାରୀ ହୋଇଯାଏନି, ହୁଏ କେବଳ ଜଣେ ବେସରକାରୀ, ଅର୍ଦ୍ଧ-ସରକାରୀ ଚାକରିଆ, ତା’ର ନା ଅଛି ଅଧିକାର, ନା କର୍ତ୍ତବ୍ୟ-ସବୁଠୁ ଖରାପ କଥା ହେଲା କର୍ତ୍ତବ୍ୟ ବୋଲି କିଛି ନଥିବା–କିନ୍ତୁ ଗୋଟିଏ ସୁବିଧା ଅଛି, ସେଟା ହେଲା, ତମେ ଠିକ୍‌ ଯାଗାରେ ରହିଲ ସୁବିଧା ସୁଯୋଗ ଦେଖି ନିଜ କାମ କରାଇ ନେଲ, ତୁମେ କର୍ମଚାରୀ ନ ହୋଇ ଥାଇପାରେ, କିନ୍ତୁ ଭାଗ୍ୟ ଭଲ ଥିଲେ କିଛି କାମ ମିଳି ଯାଇପାରେ, ବୋଧେ କୌଣସି କର୍ମଚାରୀ ହାତ ପା’ନ୍ତାରେ, ନଥାନ୍ତି ଡାକରା ଆସିବ ତମେ ଦୌଡ଼ିଯିବ, ଏବଂ ମିନିଟ୍‌କ ଆଗରୁ ତମେ ଯାହା ନଥିଲ, ତା’ ଏବେ ହୋଇ ଗଲ, ଜଣେ କର୍ମଚାରୀ । ଖାଲି ଏତିକି ସେମିତି ସୁଯୋଗ କେବେ ଆସିପାରେ ? ବେଳେ ବେଳେ ସେଇ କ୍ଷଣି, ତମେ ଆସି ପହଞ୍ଚିଚ କି ନାଇଁ, ଚାରି ଆଡ଼କୁ ଅନାଇଁଚ କି ନାଇଁ ସୁଯୋଗ ଆସିଗଲା, ଏବଂ ଅନେକେ ନୂଆ ହୋଇ ଆସିଥିବାରୁ ହଠାତ୍‌ ଜାଣି ପାରନ୍ତିନି, ସୁଯୋଗର ସଦ୍‌ବ୍ୟବହାର କରି ପାରନ୍ତିନି; କିନ୍ତୁ ଅନ୍ୟ ବେଳେ ଅନେକ ଅନେକ ବର୍ଷ ଅପେକ୍ଷା କରିବାକୁ ପଡ଼େ, ସରକାରୀ କର୍ମଚାରୀଙ୍କ ଅପେକ୍ଷା ବି ବେଶୀ ସମୟ ଏବଂ ଅର୍ଦ୍ଧ-ସରକାରୀ ଚାକିରିଆ ହୋଇ ଏତେ ଦିନ ରହିଗଲେ ଆଉ ପରେ କେବେ ତା’କୁ ପୂରା ସରକାରୀ ଚାକିରିଆ କରି ନିଆଯାଏନି । ତେଣୁ ଏଠି ବହୁତ କଥା ଦେଖିବାକୁ ପଡ଼େ, କିନ୍ତୁ ସେ ସବୁ ଦେଖିବାର କାରଣ କିଛି ନାଇଁ, କାହିଁକି ନା ସରକାରୀ ଚାକିରୀ ପାଇଁ ଯୋଉ ପରୀକ୍ଷା ହୁଏ, ତା’ ଭାରି କଷ୍ଟ, ଏବଂ ଦୁର୍ନାମ ହୋଇଥିବା ପରିବାରରୁ କେହି ପ୍ରାର୍ଥୀ ଥିଲେ ତା’କୁ ଆଗରୁ ହିଁ ତଡ଼ି ଦିଆ ଯାଏ ଧରନ୍ତୁ, ସେମିତି କେହି ଜଣେ ପରୀକ୍ଷା ଦେବାକୁ ଗଲା, ବର୍ଷ ବର୍ଷ ଧରି ଭୟରେ ଥରି ଥରି ସେ ଫଳ ବାହାରିବାକୁ ଅପେକ୍ଷା କରେ, ପ୍ରଥମ ଦିନରୁ ହିଁ ତା’କୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଚାରନ୍ତି, ସେ ଏ ଭୟଙ୍କର କାମରେ ହାତ ଦେବାକୁ କେସିତି ସାହସ କଲା ବୋଲି, କିନ୍ତୁ ସେ ଆଶା କରି ଚାଲିଥାଏ–ସେ କେମିତି ବଂଚି ରହିବ ନ ହେଲେ ?-ତା’ ପରେ ବର୍ଷ ବର୍ଷ ବିତିଗଲା ପରେ, ବୋଧେ ସେ ସେତେବେଳକୁ ବୁଢ଼ା ହୋଇ ସାରିଥିବ, ସେ ଶୁଣେ ଯେ ପରୀକ୍ଷାରେ ସେ ଫେଲ ହୋଇଚି, ସେତେବେଳେ ସେ ବୁଝିପାରେ, ତା’ର ସବୁ କିଛି ନଷ୍ଟ ହୋଇ ଯାଇଚି, ତା’ର ସାରା ଜୀବନ ବ୍ୟର୍ଥ ହୋଇଚି । ଏଥିରେ ମଧ୍ୟ ଅଲଗା ପ୍ରକାର ଘଟଣା ଘଟିଥାଏ, ତେଣୁ ହିଁ ଜଣେ ଏଥି ପ୍ରତି ଆକୃଷ୍ଟ ହୁଅନ୍ତି; ପ୍ରବେଶିକା ପରୀକ୍ଷାରେ ଏମାନେ ନିଶ୍ଚେ ଚାରିଆଡ଼େ ଶୁଙ୍ଗି ବୁଲିବେ; ଓଠ ଚୁ ଚୁ କରିବେ, ଏବଂ ଆଖି ବୁଲାଇବେ ଜଣେ ପ୍ରାର୍ଥୀକୁ ଅନାଇଁ, ସେ ସେମାନଙ୍କର କ୍ଷୁଧା ଏତେ ବେଶୀ ବଢ଼ାଇଦିଏ ଏବଂ ଏମାନେ ତା’ଠୁ ରକ୍ଷା ପାଇବା ପାଇଁ ଆଇନ କାନୁନ୍‌ ବହି ଧରି ବସି ରହିବାକୁ ବାଧ୍ୟ । ବେଳେ ବେଳେ କିନ୍ତୁ ସେ ପ୍ରାର୍ଥୀ ଜଣକୁ ଏମିତି ଭାବରେ ଚାକିରୀଟା ମିଳେନି, ଚାକିରୀ ପାଇବା ଆଗରୁ ଯୋଉ ସବୁ ବ୍ୟବସ୍ଥାପତ୍ର ହେବା କଥା, ତା’ ବର୍ଷ ବର୍ଷ ଧରି ଗଡ଼ିଯାଏ, ଏବଂ ଶେଷରେ ବିଚରା ପ୍ରାର୍ଥୀ ଜଣକ ମରିଗଲେ, ସେ ସବୁ ବନ୍ଦ କରି ଦିଆଯାଏ । ତେଣୁ ସରକାରୀ ଚାକିରୀ ହେଉ, ଯା’ ହେଉ, ତା’ ମିଳିବାରେ ଅନେକ ଅସୁବିଧା ଅଛି, ସେ ଗୁଡ଼ାକ ବାହାରକୁ ଜଣାପଡ଼ୁ କି ଲୁଚି କରି ଥାଉ ଏବଂ ଯଦି କିଏ ଏପ୍ରକାର ଚାକିରୀ ଖୋଜି ଆସେ ସେ ଅତି ସାବଧାନତାର ସହିତ ଏସବୁ କଥା ଭାବିନେବା ଦରକାର । ବର୍ତ୍ତମାନ କଥା ହେଲା, ଆମେ ତା’ କରି ପାରିଥିଲୁ, ବାର୍ଣ୍ଣାବାସ୍‌ ଓ ମୁଁ । ହେରେନ୍‌ହଫ୍‌ରୁ ମୁଁ ଯେମିତି ଫେରି ଆସିବି, ଆମେ ଦୁହେଁ ଏକାଠି ବସିବୁ, ମୁଁ ସଦ୍ୟ ପାଇଥିବା ଖବର ସବୁ ତା’କୁ କହିବି । ଅନେକ ଦିନ ଧରି ଆମେ ଏମିତି କଥାବାର୍ତ୍ତା କଲୁ । ଏବଂ ଖରାପ କଥା ହେଲା ଏୟା ଯେ ବାର୍ଣ୍ଣାବାସ୍‌ର କାମ ଅନେକଟା ଦିନ ଦିନ ଧରି ବାକୀ ପଡ଼ିଯାଏ ଏବଂ ଏ କ୍ଷେତ୍ରରେ ମୁଁ ଦୋଷୀ ହେବି ଆପଣଙ୍କ ଦୃଷ୍ଟିରେ । ମୁଁ ଭଲ ଭାବରେ ଜାଣିଥିଲି ଯେ ଚାକର ବାକରଙ୍କ କଥାରେ ବେଶୀ ନିର୍ଭର କଲେ ଚଳବନି । ମୁଁ ଜାଣିଥିଲି ଯେ ଦୁର୍ଗର କଥା ସବୁ କହିବାକୁ ସେମାନେ ସେମିତି ଚାହୁଁ ନଥିଲେ; ସେମାନେ ସବୁବେଳେ କଥାର ମୋଡ଼ ବଦଳାଇ ଦିଅନ୍ତି, ଏବଂ ତାଙ୍କ ପାଟିରୁ ସବୁ କଥା ଜବରଦସ୍ତ ବାହାର କରିବାକୁ ପଡ଼ିବ, ଏବଂ ତା’ପରେ ସେମାନେ ବେଶ୍‌ କିଛି ବାଟ ଆଗେଇ ଯିବା ପରେ ଆଉ ମୋଟେ ଅଟକିବେନି, ବାଜେ କଥା ଗପିବେ, ପ୍ରୌଢ଼ି ଦେଖାଇବେ, ଡାହା ମିଛ କଥା ଉଦ୍‌ଭାବନ କରିବାରେ ପରସ୍ପର ସାଙ୍ଗରେ ପ୍ରତିଯୋଗିତା କରିବେ । ଫଳରେ ଅନ୍ଧାରୁଆ ଷ୍ଟଲ ଗୁଡ଼ାକରେ ପାଟି ତୁଣ୍ଡ ଚାଲିବ ଜୋରରେ, ଜଣେ ଏଠି କଥା ବନ୍ଦ୍‌ କଲାତ ଆଉ ଜଣେ ଆରମ୍ଭ କରିଦେବ, ଏବଂ କେବଳ ଅଳ୍ପ କିଛି ସତ କଥା ଯେ ସେମାନଙ୍କ ପାଟି ଗୋଳ ଭିତରୁ ମିଳୁଚି, ତା’ ସ୍ପଷ୍ଟ ହୋଇଯିବ । କିନ୍ତୁ ମୁଁ ଯାହା ଯେମିତି ଶୁଣିଥାଏ ସବୁ ସବୁ ଆସି ବାର୍ଣ୍ଣାବାସ୍‌ ଆଗରେ କହିଦିଏ, ଯଦିଓ ତା’ର ସେଯାଏଁ ଶକ୍ତି ହୋଇନଥାଏ କୋଉଟା ସତ କୋଉଟା ମିଛ ଜାଣିବାକୁ, ଏବଂ ଆମ ଘରର ଅବସ୍ଥା ଦୃଷ୍ଟିରୁ ସେ ଏସବୁ କଥା ଶୁଣିବାକୁ ଅନାଇଁ ବସିଥାଏ । ଏବଂ ସେ ସବୁ କଥା ପାଣି ପରି ପିଇଯାଏ, ଏବଂ ଆହୁରି କିଛି ଶୁଣିବା ପାଇଁ ବ୍ୟଗ୍ର ହୁଏ । ଏବଂ ସତ କହିବାକୁ ଗଲେ, ବାର୍ଣ୍ଣାବାସ୍‌ ଥିଲା ମୋ ନୂଆ ଯୋଜନାର ମୂଳ ଦୁଆ । ଚାକରମାନଙ୍କ ଜରିଆରେ ଆଉ ଅଧିକ କିଛି କରି ହେଲା ନାଇଁ । ସଟିନି ପଠାଇଥିବା ଲୋକଟାକୁ ଖୋଜି ବାହାର କରି ହେଲାନି, ବାହାର କରି ହେବାର ନୁହେ, ସଟିନି ଓ ତାଙ୍କ ଲୋକ ଦୂରକୁ ଦୂରକୁ ପଛେଇଗଲା ପରି ମନେ ହେଲା । ସେମାନଙ୍କ ଚେହେରା ଓ ନାଁ ଅନେକ ସମୟରେ ମତେ ସେମାନଙ୍କର ବିଶଦ ବର୍ଣ୍ଣନା ଦେବାକୁ ପଡ଼ୁଥିଲା, ଏବଂ ତଥାପି ସେମାନଙ୍କ ବିଷୟରେ କିଛି ଖବର ମିଳିଲାନି । ମୁଁ ଯୋଉ ଚାକରକୁ ସେମାନଙ୍କ କଥା ପଚାରିଲି, ସେ ବହୁ କଷ୍ଟରେ ସେମାନଙ୍କୁ ମନେ ପକାଇ ପାରୁଥିଲା ଆଉ କିଛି ଖବର ଦେଇପାରୁନଥିଲା । ଏବଂ ଚାକର ବାକରଙ୍କ ସାଙ୍ଗରେ ମୁଁ ଯେମିତି ଚଳପ୍ରଚଳ ହେଉଥିଲି, ତା’ ଲୋକଙ୍କ ଆଖିକି କେମିତି ଦିଶୁଥିବ କଳନା କରିବାକୁ ମୋର ଶକ୍ତି ନଥିଲା । ମୁଁ ଖାଲି ଏତିକି ଆଶା କରୁଥିଲି, ମୁଁ ଯୋଉ ଦୃଷ୍ଟିରେ ତା’କୁ ଦେଖୁଥିଲି, ଦୁର୍ଗ ମଧ୍ୟ ସେଇ ଦୃଷ୍ଟିରେ ଦେଖୁ ବୋଲି । ଏବଂ ତା’ ଫଳରେ ଆମ ପରିବାରର ଅପରାଧ କିଛିଟା ସେମାନେ ମାଫ୍‌ କରି ଦେବେ ବୋଲି, କିନ୍ତୁ ଏ ପ୍ରକାର ପରିଣତିର ସୂଚନା କିଛି ବାହାରକୁ ଦେଖାଗଲାନି । ତଥାପି ମୁଁ ସେମିତି ଚଳପ୍ରଚଳ ହେବାକୁ ଲାଗିଲି, କାରଣ ମୋ କ୍ଷେତ୍ରରେ ମୁଁ ଦେଖିଲି ଦୁର୍ଗରେ ଆମେ କିଛି କରାଇ ନେବାର ଅନ୍ୟ କୌଣସି ବାଟ ନଥିଲା । ବାର୍ଣ୍ଣାବାସ୍‌କୁ ଛାଡ଼ି ଦେଲେ, ମୁଁ ଆଉ ଗୋଟିଏ କଥା କରି ପାରିବି ବୋଲି ଭାବିଲି । ଚାକରମାନଙ୍କ କଥାରୁ ମୁଁ ବୁଝିଲି-ଯଦି ମୋର ସେ ସବୁ ଶୁଣିବାକୁ ଇଚ୍ଛା ଥିଲା, ଏବଂ ଶୁଣିବାକୁ ମୋର ବହୁତ ଇଚ୍ଛା ଥିଲା-ଯେ କେହି ଲୋକ ଦୁର୍ଗ ଚାକିରିରେ ଭର୍ତ୍ତି ହୋଇଗଲା ପରେ ତା’ ନିଜ ପରିବାର ପାଇଁ ଅନେକ କିଛି କରିପାରିବ । କିନ୍ତୁ ସେ ସବୁ କଥାରେ ବିଶ୍ୱାସ କେତେ ଦୂର କରି ହେବ ? ତା’ ଠିକ୍‌ କରି କହିବା ଅସମ୍ଭବ, ତେବେ ସେ ସବୁ ଥିରେ ଯେ ବିଶ୍ୱାସ କରିବା ଭଳି କଥା ବହୁତ କମ୍‌ ଥିଲା, ତା’ ସ୍ପଷ୍ଟ ଜଣା ପଡ଼ୁଥିଲା । କାରଣ, ଧରନ୍ତୁ ଜଣେ ଚାକର ଯାହା ସାଙ୍ଗରେ ମୋର ଆଉ କେବେ ଦେଖା ହେବନି, ଏବଂ ପୁଣି ଦେଖା ହେଲେବି ମୁଁ ତା’କୁ ଚିହ୍ନି ପାରିବିନି, ଧରନ୍ତୁ, ସେ ମତେ କଥା ଦେଲା ଯେ ମୋ ଭାଇକୁ ଦୁର୍ଗରେ ଚାକିରୀଟିଏ ଯୋଗାଡ଼ କରି ଦେବାରେ ସେ ମୋତେ ସାହାଯ୍ୟ କରିବ, କିମ୍ବା ଅନ୍ତତଃ ତା’ ପଛରେ ଠିଆ ହେବ-କାରଣ ଚାକର ବାକରଙ୍କ କଥା ଅନୁସାରେ ଏମିତି ଅନେକ ସମୟରେ ଘଟେ, ଭିନ୍ନ ଭିନ୍ନ ଚାକିରୀ ପାଇଁ ଥିବା ପ୍ରାର୍ଥୀମାନେ ଅନେକ ଦିନ ଧରି ଅପେକ୍ଷା କରି କରି ଅଚେତା ହୋଇଯାନ୍ତି, ପାଗଳ ହୋଇଯାନ୍ତି, ଏବଂ ସେତେବେଳେ ଯଦି କେହି ଜଣେ ତାଙ୍କର ଦେଖା ଶୁଣା କରିବାକୁ ନଥିବେ, ସେମାନଙ୍କର କଥା ସରିଗଲା-ଏପ୍ରକାର କଥା ଏବଂ ଏମିତି ଆହୁରି ଅନେକ କିଛି ଯେତେବେଳେ ମୁଁ ଶୁଣିଲି, ସେ ଗୁଡ଼ିକ ବୋଧେ ମତେ ସାବଧାନ କରାଇ ଦେବା ଦୃଷ୍ଟିରୁ ଯଥାର୍ଥ ଥିଲା, କିନ୍ତୁ ସେ ସବୁ ସାଙ୍ଗରେ ଯୋଉସବୁ ପ୍ରତିଶ୍ରୁତି ମିଳୁଥିଲା ସେଗୁଡ଼ାକର କୌଣସି ଭିତ୍ତି ନଥିଲା । କିନ୍ତୁ ବାର୍ଣ୍ଣାବାସ୍‌ ପାଇଁ ସେଗୁଡ଼ାକ ଭିତ୍ତିହୀନ ନଥିଲା, ସତ କଥା ସେ ଗୁଡ଼ାକ ବିଶ୍ୱାସ ନ କରିବା ପାଇଁ ମୁଁ ବାର୍ଣ୍ଣାବାସ୍‌କୁ ସତର୍କ କରାଇ ଦେଲି, କିନ୍ତୁ ମୋର ସେ ସବୁ କହିବା ହିଁ ତା’କୁ ମୋ’ ଯୋଜନାରେ ସାମିଲ କରି ଦେବା ପାଇଁ ଯଥେଷ୍ଟ ହେଲା । ସେଥିପାଇଁ ମୁଁ ଯୋଉ ସବୁ କାରଣ ବାଢ଼ିଲି ସେଗୁଡ଼ାକ ତା’ର ପସନ୍ଦ ହେଲାନି ତା’କୁ ବେଶୀ ପ୍ରଭାବିତ କଲା ଚାକର ବାକରଙ୍କ କହିବା କଥା, ତେଣୁ ବାସ୍ତବ କ୍ଷେତ୍ରରେ ମତେ ହିଁ ସବୁ କିଛି କରିବାକୁ ପଡ଼ିଲା । ଆମାଲିଆ ଥିଲା ଏକମାତ୍ର ଲୋକ, ଯେ କି ବାପା ମା’ଙ୍କ ପାଖରେ ନିଜକୁ ବୁଝାଇ ପାରୁଥିଲା, ଏବଂ ମୋ’ ବାପାଙ୍କ ମୂଳ ଯୋଜନା ଧରି ମୋ’ ନିଜ ବାଟରେ ମୁଁ ଯେତିକି ଆଗେଇଲି, ଆମାଲିଆ ସେତିକି ମୋଠୁ ଦୂରେଇ ଗଲା, ଆପଣ କିମ୍ବା ଅନ୍ୟ କିଏ ଥିଲେ ସେ ମୋ’ ସାଙ୍ଗରେ କଥାବାର୍ତ୍ତା କରୁଚି, କିନ୍ତୁ ଆମେ ଏକୁଟିଆ ଥିଲେ ନୁହେ; ହେରେନ୍‌ହଫ୍‌ର ଚାକରମାନଙ୍କ ପାଇ ମୁଁ ଥିଲି ଗୋଟିଏ ଖେଳଣା, ଯାହାକୁ କି ସେମାନେ ରାଗରେ ଭାଙ୍ଗି ଦେଲେ, ସେ ଦୁଇ ବର୍ଷ ଭିତରେ ଜଣଙ୍କ ସାଙ୍ଗରେ ବି ମନ ଖୋଲା କଥା ପଦେ କହି ପାରିନି, ମୁଁ ସେମାନଙ୍କୁ ଠୁ’ ଶୁଣିଚି ଖାଲି ଚାଲାକି କଥା କିମ୍ବା ମିଛ କଥା; କିମ୍ବା ବାଜେ ବେକାର କଥା ତେଣୁ ମୋ’ ପାଇଁ କେବଳ ବାର୍ଣ୍ଣାବାସ୍‌ ବାକୀ ଥିଲା, ବହୁତ କମ୍‌ ବୟସରେ ଟୋକା । ମୁଁ ସେ ସବୁ କଥା କହିଲା ବେଳେ ତା’ ଆଖିର ଜ୍ୟୋତି ଦେଖିଲି । ସେ ଜ୍ୟୋତି ଏଯାଏଁ ସେମିତି ଅଛି, ଏବଂ ତା ଦେଖି ମୁଁ ଡରିଗଲି, ତଥାପି ଅଟକି ଗଲିନି, ଯୋଉ କାମ ସବୁ ମୋର କରିବାର ଥିଲା, ସେ ଗୁଡ଼ାକ ଭାରି ବଡ଼ ବୋଲି ମନେ ହେଉଥିଲା । ମୁଁ ମାନୁଚି, ମୋର ଯୋଜନା ମୋର ବାପାଙ୍କ ଯୋଜନା ଭଳି ନଥିଲା, ଫମ୍ପା ହେଲେ ବି ଏତେ ବଡ଼ ନଥିଲା । ପୁରୁଷ ଲୋକଙ୍କର ଜିଦ୍‌ ମଧ୍ୟ ମୋ’ ପାଖରେ ନଥିଲା । ମୁଁ କେବଳ ଏତିକି କରିବାକୁ ଚାହୁଁଥିଲି, ସେ ଲୋକଟାକୁ ହୋଇଥିବା ଅପମାନର କ୍ଷତି ପୂରଣ ଦେଇ ଦେବି, ଏବଂ ମୋ ଚେଷ୍ଟାର ନିରୀହତା ପାଇଁ ହିଁ ଲୋକେ ମତେ ପ୍ରଶଂସା କରିବେ । କିନ୍ତୁ ମୁଁ ନିଜେ ଯାହା ହାସଲ୍‌ କରି ପାରିନଥିଲି, ତା’ ବର୍ତ୍ତମାନ ଅନ୍ୟ ବାଟରେ ଏବଂ ନିଶ୍ଚିତ ଭାବରେ ବାର୍ଣ୍ଣାବାସ୍‌ ଜରିଆରେ ହାସଲ୍‌ କରିବାକୁ ଚାହୁଁଥିଲି । ଆମେ ସେ ଲୋକଟାକୁ ଅପମାନିତ କରିଥିଲୁ, ତା’କୁ ଗୋଟିଏ ଅଜଣା ଅଶୁଣା ବୁରୋକୁ ପଠାଇ କରିଥିଲୁ, ସେ ଲୋକଟା ଯାଗାରେ ବର୍ତ୍ତମାନ ବାର୍ଣ୍ଣାବାସ୍‌କୁ ଥୋଇଦେବା ଅପେକ୍ଷା ଅଧିକ ସ୍ୱାଭାବିକ କଥା ଆମ ପାଇଁ କ’ଣ ବା ହୋଇଥାନ୍ତା, ସେ ଲୋକର କାମ ଧନ୍ଦା ବାର୍ଣ୍ଣାବାସ୍‌ କରି ଦିଅନ୍ତା ଏବଂ ସେଇ ଲୋକଟା ତା’ର ଯେତେ ଦିନ ଇଚ୍ଛା ଶାନ୍ତିରେ ରହିପାରନ୍ତା କିଛି ନ କରି, ଯେତେ ଦିନ ଯାଏ ସେ ସେଇ ଅପମାନ ଭୁଲି ନ ପାରିଚି ? ମୁଁ ଅବଶ୍ୟ ବୁଝି ପାରୁଥିଲି ଯେ ମୋ’ ଯୋଜନାର ସମସ୍ତ ନିରୀହତା ସତ୍ତ୍ୱେ ସେଥିରେ ଏମିତି କିଛି ଥିଲା, ଯାହାକୁ ମୁଁ ଠିକ୍‌ ବୋଲି ଧରି ନେଇଥିଲି । ଆହୁରି ମଧ୍ୟ ବୁଝିପାରୁଥିଲି, ମୋ’ ଯୋଜନା ଏଇ ଧାରଣା ନେଇପାରେ ଯେ ଆମେ ଗୋଟାଏ ବ୍ୟକ୍ତିଗତ ସମସ୍ୟାର ସମାଧାନର ସୂତ୍ର କ’ଣ ହେବ ତା’ କର୍ତ୍ତୃପକ୍ଷଙ୍କ ପାଇଁ ନିଜେ ସ୍ଥିର କରି ଦେଉଚୁ । କିମ୍ବା ସେମାନେ ଠିକ୍‌ ବ୍ୟବସ୍ଥା କରି ପାରିବେ କି ନାଇଁ ସେଥିରେ ଆମର ସନ୍ଦେହ ଅଛି । କିଛି କରା ଯାଇପାରିବ ବୋଲି ଆମର ଧାରଣା ହେବାର ଅନେକ ଆଗରୁ ହୁଏତ ସେମାନେ ସବୁ ଠିକ୍‌ ଠାକ୍‌ କରି ଦେଇଥାନ୍ତେ । ତଥାପି ମୁଁ ପୁଣି ଭାବିଲି ଯେ କର୍ତ୍ତୃପକ୍ଷ ମତେ ଏତେ ବେଶୀ ଭୁଲ୍‌ ବୁଝିବା ଅସମ୍ଭବ, କିମ୍ବା ଯଦି ବା ସେମାନେ ଭୁଲ୍‌ ବୁଝନ୍ତି, ସେମାନେ ଇଚ୍ଛା କରି ଭୁଲ୍‌ ବୁଝିବେ, ଅନ୍ୟ କଥାରେ କହିଲେ, ମୁଁ ଯାହା କିଛି କଲି ତା’କୁ ସେମାନେ ଅଧିକା ପରୀକ୍ଷା ନକରି ଆଗରୁ ରଦ୍ଦ କରିଦେବେ । ତେଣୁ ମୁଁ ଅଟକି ଗଲନି, ଏବଂ ବାର୍ଣ୍ଣାବାସ୍‌ର ଉଚ୍ଚାଶା ତା’କୁ ଅଟକି ଯିବାକୁ ଦେଲାନି-। ଏ ପ୍ରକାର ପ୍ରସ୍ତୁତି ଚାଲିଥିଲା ବେଳେ ବାର୍ଣ୍ଣାବାସ ଏତେ ଉପର ମୁହାଁ ହୋଇ ଉଠିଲା ଯେ ଯୋତା ତିଆରି ତା’କୁ ଅତି ନିଚ୍ଛୁକ କାମ ଭଳି ମନେ ହେଲା ସେ ଜଣେ ଭାବୀ ବୁରୋ କର୍ମଚାରୀ, ହଁ, ସେ ଆମାଲିଆର କଥା ଖଣ୍ଡନ କରିବାକୁ ବି ସାହସ କଲା ଏବଂ ବେଶ୍‌ ସିଧା ଭାବରେ, ଯୋଉ କେତେଥର ଆମାଲିଆ ତା’ ସାଙ୍ଗରେ ସେ ବିଷୟରେ କଥାବାର୍ତ୍ତା କଲା । ତା’ର ତା’ର ଏଇଟିକକ ସୁଖ ପ୍ରତି ମୋର କୌଣସି ଆପତ୍ତି ନଥିଲା, କାରଣ ସେ ଦୁର୍ଗ ଯିବାର ପ୍ରଥମ ଦିନରେ ହିଁ ତା’ର ସୁଖ ଓ ଅହଙ୍କାର ସବୁ କୁଆଡ଼େ ଚାଲିଯିବ, ସେ କଥା ସହଜରେ ଅନୁମାନ କରି ହେଉଥିଲା । ଏବଂ ବର୍ତ୍ତମାନ ଆରମ୍ଭ ହେଲା ଚାକିରୀର ହାସ୍ୟକର ଅନୁକରଣ, ଯୋଉ କଥା ମୁଁ ଆପଣଙ୍କୁ କହିସାରିଚି । ଅତି ଆଶ୍ଚର୍ଯ୍ୟ କଥା, ପ୍ରଥମ ଥର ଯୋଉଦିନ ବାର୍ଣ୍ଣାବାସ୍‌ ଦୁର୍ଗକୁ ଗଲା, ତା’ର କୌଣସି ଅସୁବିଧା ହେଲାନି । ସେ ପ୍ରକୃତରେ ଗୋଟିଏ ବୁରୋକୁ ଯାଇଥିଲା ଯୋଉଟାକି ତା’ର କର୍ମଶାଳା ହୋଇଯାଇଚି ବୋଲି କହିହେବ । ସନ୍ଧ୍ୟାବେଳେ ଘରକୁ ଫେରି ବାର୍ଣ୍ଣାବାସ୍‌ ଯେତେବେଳେ ଏକଥା ମୋ’ କାନରେ ଫିସ୍‌ ଫିସ୍‌ କରି କହିଲା ମୁଁ ମୋ’ ସଫଳତା ଦେଖି ସେତେବେଳେ ପାଗଳ ପ୍ରାୟ ହୋଇଗଲି । ମୁଁ ଆମାଲିଆ ପାଖକୁ ଧାଇଁଗଲି, ତା’କୁ କୁଣ୍ଢେଇ ପକାଇଲି, ଗୋଟିଏ କଡ଼କୁ ଡାକି ନେଲି, ଏବଂ ତା’କୁ ଏତେ ଜୋରରେ ଗେଲ କଲି ଯେ ସେ ଯନ୍ତ୍ରଣାରେ ଓ ଭୟରେ ଚିତ୍‌କାର କରି ଉଠିଲା । ସେ ଉତ୍ତେଜିତ ଅବସ୍ଥାରେ ମୁଁ ତା’କୁ କିଛି ହେଲେ ବୁଝାଇ କହିପାରିଲିନି, ଏବଂ ତା’ ଛଡ଼ା ତା’ ଆଗରୁ ଅନେକ ଦିନ ଧରି ଆମର କଥାବାର୍ତ୍ତା ହୋଇନଥିଲା । ତେଣୁ ମୁଁ ତାକୁ ତା’ ପରଦିନ କିମ୍ବା ତା’ ପରଦିନ କହିବି ବୋଲି ଠିକ୍‌ କରିନେଲି ତା’ ପର କିଛି ଦିନ ଯାଏଁ କିନ୍ତୁ କହିବା ପାଇଁ ଅଧିକା କିଛି ପ୍ରକୃତରେ ନଥିଲା । ପ୍ରଥମ ହଠାତ୍‌ ସଫଳତା ପରେ ଅଧିକା କିଛି ଘଟିଲା ନାଇଁ । ଦୁଇବର୍ଷ କାଳ ବାର୍ଣ୍ଣାବାସ୍‌ ଏପ୍ରକାର ଛାତିଫଟା ଜୀବନ କଟାଇଲା । ଚାକରମାନେ ଆମକୁ ପୂରା ହଇରାଣ କରି ଦେଲେ । ମୁଁ ବାର୍ଣ୍ଣାବାସ୍‌କୁ ସାଙ୍ଗରେ ଧରି ଯିବା ପାଇଁ ଗୋଟିଏ ଛୋଟ ଚିଠି ଦେଲି ସେମାନଙ୍କ ପାଖକୁ, ସେଥିରେ ସେମାନେ କେତେ ରକମର କଥା ଦେଇଥିଲେ ତା’ ମନେ ପକାଇ ଦେଇଥିଲି, ଏବଂ ବାର୍ଣ୍ଣାବାସ୍‌ ଯୋଉ ଚାକରକୁ ଦେଖିଲା, ପକେଟ୍‌ରୁ ସେ ଚିଠିଟା ବାହାର କରି ତା’କୁ ଦେଖାଇଲା । ମୋ’ ସାଙ୍ଗରେ ଚିହ୍ନା ପରିଚୟ ନଥିବା କୌଣସି ଚାକରକୁ ସେ ଚିଠି ହୁଏତ ଦେଖାଇଥିବ, ଏବଂ ଯୋଉମାନେ ମୋତେ ଜାଣିଥିଲେ ମଧ୍ୟ, ସମସ୍ତେ ବାର୍ଣ୍ଣାବାସ ସେମିତି ଚୁପ୍‌ଚାପ୍‌ ଚିଠିଟା ବାହାର କରି ଦେଖାଇବାରେ ବିରକ୍ତ ହେଲେ-ସେତ ଆଉ ସେଠି ପାଟି ଖୋଲିବାକୁ ସାହସ କରିବନି । ତେବେ ସେ ଯା’ହେଉ, ବଡ଼ ଲଜ୍ଜାରକଥା, କେହି ତାକୁ ସାହାଯ୍ୟ କଲେନି, ଏବଂ ଭଲ ବି ହେଲା-ଯାହାକି, ମାନୁଚି, ଆମେ ଆଗରୁ ନିଜ ହାତରେ କରିଦେଇ ପାରିଥାନ୍ତୁ-ଯେତେବେଳେ ଜଣେ ଚାକର ଅନେକଥର ସେ ଚିଠିଟା ଦେଖି ବିରକ୍ତି ହେଇଯାଇ ସେଟାକୁ ମୋଡ଼ିମାଡ଼ି ଅଳିଆ ଟୋକେଇ ଭିତରକୁ ଫିଙ୍ଗିଦେଲା । ସତେ ଯେମିତି ସେ କହିଲା ‘‘ତମେମାନେ ଠିକ୍‌ ଏୟାକର ଚିଠିପତ୍ରକୁ,’’ ମୋର ସେୟା ମନେହେଲା । କିନ୍ତୁ ସେତେବେଳେ ଅନ୍ୟ କୌଣସି ବାଟରେ ଯେହେତୁ କିଛି ଘଟୁନଥିଲା, ଏ ଘଟଣାର ଗୋଟିଏ ଭଲପ୍ରଭାବ ପଡ଼ିଲା ବାର୍ଣ୍ଣାବାସ୍‌ ଉପରେ, ଯଦି ତା’ର ଟୋକା ବୟସରେହିଁ ବୁଢ଼ା ହୋଇ ଯିବାଟା ଭଲ ବୋଲି କହିହେବ, ଯଦି ବୟସ ହେବା ଆଗରୁ ତା’ର ବଡ଼ ମଣିଷଟିଏ ହୋଇଯିବା, ହଁ ଏପରିକି ଅନ୍ୟ ମଣିଷମାନଙ୍କ ଅପେକ୍ଷା ଅଧିକ ଚିନ୍ତାଶୀଳ ଓ ଗମ୍ଭୀର ହୋଇ ଯିବାକୁ ଭଲବୋଲି କହିଦେବ । ଅନେକ ସମୟରେ ତା’କୁ ଦେଖିଲେ, ଏବଂ ଦୁଇବର୍ଷର ଆଗର ସେଇ ଟୋକାଟା ସାଙ୍ଗରେ ତା’କୁ ତୁଳନା କଲେ, ମତେ ବଡ଼ ଦୁଃଖ ଲାଗେ । ଏବଂ ଏସବୁ ଘଟିଲା ପରେ ବି ବୟସଲୋକ ଜଣେ ନିଶ୍ଚିତରେ ମତେ ଯୋଉ ସୁଖ ସ୍ୱାଚ୍ଛନ୍ଦ୍ୟ ଦେଇ ପାରନ୍ତା, ତା’ ସେ ଦେଇ ପାରିଲାନି । ମୁଁ ନଥିଲେ ସେ ଦୁର୍ଗ ଭିତରକୁ ମୋଟେ ଯାଇପାରିନଥାନ୍ତା । କିନ୍ତୁ ଯେହେତୁ ସେ ସେଠିକି ଯାଇପାରୁଚି, ସେ ମୋ’ ଉପରେ ଆଉ ନିର୍ଭର କରୁନି । ମୁଁ ତାର ଏକମାତ୍ର ଭଲ ସାଙ୍ଗ, କିନ୍ତୁ ମୁଁ ନିଶ୍ଚିତ ଯେ ତା’ ମୁଣ୍ତରେ ଯାହା ସବୁ ଖେଳୁଚି, ସେଥିରୁ ଅଳ୍ପ କିଛି ହିଁ ସେ ମୋତେ କହୁବି । ସେ ମତେ ଦୁର୍ଗ ବିଷୟରେ ଅନେକ କଥା କହେ, କିନ୍ତୁ ତା’ କଥାରୁ ତାର ସାନ ସାନ କଥା ଗୁଡ଼ିକରୁ, ଜଣେ କେବେ ଅନ୍ତତଃ ବୁଝିପାରିବନି ସେ ସବୁ ତା’କୁ ଏତେ ବେଶୀ ବଦଳାଇଦେଲା କେମିତି । ଏଇ ନିର୍ଦ୍ଦିଷ୍ଟ କଥାଟି ମୁଁ ବୁଝିପାରୁନି, ପିଲାବେଳେ ତା’ର ଯୋଉ ସାହସ ଥିଲା-ଏବଂ ସେଥିପାଇଁ ପ୍ରକୃତରେ ଆମେ ଭାରି ଚିନ୍ତିତ ହୋଇ ପଡ଼ୁଥିଲୁ-ସେ ସାହସ ସେ ଏବେ ବଡ଼ ମଣିଷ ହୋଇଯିବା ପରେ କୁଆଡ଼େ ପୂରା ଚାଲିଗଲା ? ଅବଶ୍ୟ ଏତେ ସମୟ ବେକାରଟାରେ ଠିଆହେବା, ସାରାଦିନ, ଦିନପରେ ଦିନ ଅପେକ୍ଷା କରିବା, ଏବଂ କୌଣସି ପରିବର୍ତ୍ତନର ସମ୍ଭାବନା ନଥାଇ ସମୟ କାଟି ଚାଲିବା ଯେ କୌଣସି ମଣିଷର ଅଣ୍ଟା ଭାଙ୍ଗିଦେବ, ତା ନିଜ ବିଷୟରେ ତାର ସନ୍ଦେହ ହେବ, ଏବଂ ଶେଷରେ ଏମିତି ଆଶାଶୂନ୍ୟ ଭାବରେ ଠିଆହୋଇ ରହିବା ଛଡ଼ା ଆଉକିଛି କରିବାର ଶକ୍ତି ତା’ର ପ୍ରକୃତରେ ରହିବନି । କିନ୍ତୁ ପ୍ରଥମରୁ ହିଁ ସେ ଲଢ଼େଇ ନକଲା କାହିଁକି ? ବିଶେଷକରି ସେ ଯେତେବେଳେ ଜାଣିପାରିଲା ଯେ ମୁଁ ଠିକ୍‌ କରିଚି, ସେଠି ତା’ର ଉଚ୍ଚାକାଂକ୍ଷା ପୂରଣ କରିବାର ସୁଯୋଗ ନାଇଁ, ଯଦିଓ ଆମ ଘରର ଅବସ୍ଥା ଟିକିଏ ଭଲ ହେବାର ସାମାନ୍ୟ ଆଶାଅଛି କେବଳ ? କାରଣ ସେଠି ଚାକରବାକରଙ୍କ ପାଗଳାମି ସତ୍ତ୍ୱେ ସବୁକଥା ଧୀରସ୍ଥିର ଭାବରେ ଚାଲିଥାଏ । ଭଲ ଭାବରେ କାମ କରିବାରେ ହିଁ ଆକାଂକ୍ଷା ପୂରଣ ହୋଇଥାଏ; ଏବଂ ଏଇଭାବରେ କାମର ଗୁରୁତ୍ୱ ବଢ଼ିଯାଉ ଥିବାରୁ ଆକାଂକ୍ଷାର ଆଉ କୌଣସି ସ୍ଥାନ ରହେନାଇଁ । ତଥାପି, ବାର୍ଣ୍ଣାବାସ ନିଜେ ମତେ କହିଚି, ସେ ଭାବିଲା ଯେ ଯୋଉ ବୁରୋରେ ସେ କାମ କରେ ସେଠାରେ ସେଇ ଅପାରଗ ମନେ ହେଉଥିବା ଅଫିସର ମାନଙ୍କର ଶକ୍ତି କେତେ ବେଶୀ ଜ୍ଞାନ କେତେ ବେଶୀ ସେ ଭଲଭାବରେ କଳନା କରି ପାରୁଚି । କେତେ ଜଲଦି ସେମାନେ ପାଠ ଡାକି ପାରନ୍ତି, ଆଖି ଅଧାବୁଜି, ଛୋଟ ଛୋଟ ଅଙ୍ଗଭଙ୍ଗୀ କରି, ଖାଲି ଆଙ୍ଗୁଠି ଦେଖାଇ ସେମାନେ ଗର ଗର ହେଉଥିବା ଚାକରବାକରଙ୍କ ଚୁପ୍‌ କରାଇ ଦିଅନ୍ତି ଏବଂ ସେତେବେଳେ ବି ସେ ଚାକରମାନଙ୍କୁ ସେମାନେ ଖୁସିରେ ହସାଇ ଦେଇ ପାରନ୍ତି; କିମ୍ବା ବହିରେ ସେମାନେ କୋଉଠି ଗୋଟାଏ ଗୁରୁତ୍ୱପୂର୍ଣ୍ଣ ଯାଗା ଦେଖିପକାଇ ସେଥିରେ ପୂରା ମଜ୍ଜିଯାନ୍ତି । ଅନ୍ୟ ସମସ୍ତେ ସେତେବେଳେ ଚାରିପାଖର ଯାଗା ଟିକକର ଖୁନ୍ଦିଖାନ୍ଦି ହେଇ ଠିଆ ହୋଇ ସେ ବହିଆଡ଼କୁ ଉହୁଙ୍କି ଦେଖୁଥିବେ । ଏଇସବୁ କଥା ଓ ଅନ୍ୟାନ୍ୟ କଥା ସେମାନଙ୍କ ବିଷୟରେ ବାର୍ଣ୍ଣାବାସକୁ ଗୋଟାଏ ଉଚ୍ଚ ଧାରଣା ଦେଲା, ଏବଂ ତା’ର ମନେହେଲା ଯେ ଯଦି ସେମାନଙ୍କ ଆଖି ପଡ଼ିଲା ଭଳି ଯାଗାକୁ ଚାଲିଯାଇ ପାରିବ, ସେମାନଙ୍କ ସାଙ୍ଗରେ ପଦେ ଦି’ପଦ କଥାବାର୍ତ୍ତା କରିବାକୁ ସାହସ କରି ପାରିବ, ଜଣେ ଅଚିହ୍ନା ଲୋକ ଭାବରେ ନୁହେଁ, ବୁରୋର ଜଣେ ସହକର୍ମୀ ଭାବରେ-ହେଲା, ଜଣେ ଅତି ଅଧସ୍ତନ ସହକର୍ମୀ ତେବେ ଆମ ପରିବାର ପାଇଁ ଦୁର୍ମୂଲ୍ୟ ଜିନିଷ ସବୁ ହାସଲ କରିହେବ । କିନ୍ତୁ ଘଟଣା ସେଯାଏଁ ଗଲାନି କେବେ, ଏବଂ ସେପରି କିଛି ହାସଲ କରିବା ପାଇଁ ଯାହା କରିବା ଦରକାର, ସେକଥା କରିବାକୁ ବାର୍ଣ୍ଣାବାସର ସାହସ ହେଲାନି, ଯଦିଓ ସେ ଭଲକରି ଜାଣେ ତା’ର ସେଇ ଦୁର୍ଭାଗ୍ୟଜନକ ଘଟଣା ଯୋଗୁଁ ଏତେ କମ୍‌ ବୟସରେ ସାରା ଘରଲୋକଙ୍କ ମୁହଁରେ ଖାଦ୍ୟଦେବାର କଠିନ ଦାୟିତ୍ୱର ବୋଝ ତା’ ମୁଣ୍ଡରେ ରହିଛି ଏବଂ ବର୍ତ୍ତମାନ ମୁଁ ଶେଷ ଘଟଣାଟି କହି ଦେଉଚି ସେଇଟି ଘଟିଥିଲା ଆପଣ ଆସିବାର ସପ୍ତାହକ ପରେ । ହେରେନ୍‌ହଫ୍‌ରେ ସେ କଥା କିଏ କହୁଥିଲା, ମୁଁ ଶୁଣିଲି, କିନ୍ତୁ ବିଶେଷ ଦୃଷ୍ଟି ଦେଲିନି; ଜଣେ ଅମିନ ଆସିଛନ୍ତି ଏବଂ ଅମିନମାନେ କ’ଣ ମଧ୍ୟ ମୁଁ ସେତେବେଳେ ଜାଣିନଥାଏ । କିନ୍ତୁ ତା’ପରଦିନ ସନ୍ଧ୍ୟାବେଳେ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ମୁଁ ବାହାରେ କିଛି ବାଟ ଚାଲି ଚାଲି ଯାଇଥିଲି, ବାର୍ଣ୍ଣାବାସ୍‌କୁ ବାଟରୁ ଧରି ଆଣିବା ପାଇଁ-ବାର୍ଣ୍ଣାବାସ୍‌ ଜଲ୍‌ଦି ଫେରି ଆସିଲା, ଆମାଲିଆକୁ ଦେଖିଲା ଦାଣ୍ଡ ଘରେ ବସିଚି, ମତେ ବାହାରକୁ ଡାକିନେଲା, ମୋ କାନ୍ଧରେ ହାତ ରଖିଲା, ଏବଂ କେତେ ମିନିଟ ଧରି କାନ୍ଦିଲା । ସେ ଆଗରୁ ଯୋଉ ପିଲାଟି ଥିଲା, ପୁଣି ସେୟା ହୋଇଗଲା । ଯୋଉଥିପାଇଁ ସେ ପ୍ରସ୍ତୁତ ନଥିଲା, ସେମିତିକା କିଛି ଘଟଣା ଘଟିଥିଲା । ସତେ ଯେମିତି ଗୋଟାଏ ସଂପୂର୍ଣ୍ଣ ନୂଆ ପୃଥିବୀର ଦ୍ୱାର ତା’ ପାଇଁ ଖୋଲି ଯାଇଥିଲା, ଏବଂ ସେ ସମସ୍ତ ନୂତନତାର ଆନନ୍ଦ ଓ ଉଦ୍ଦୀପନା ସେ ସହ୍ୟ କରି ପାରୁନଥିଲା । ତେବେ ଘଟଣାଟି ଏତିକି ଆପଣଙ୍କୁ ଆଣି ଦେବା ପାଇଁ ତା’ ହାତରେ ଗୋଟିଏ ଚିଠି ଦିଆ ହୋଇଥିଲା । କିନ୍ତୁ ସେଇଟା ପ୍ରକୃତରେ ଥିଲା ପ୍ରଥମ ଚିଠି, ତା’ର ପ୍ରଥମ କାମ, ଯାହାକି ତା’କୁ କରିବାକୁ ଦିଆ ଯାଇଥିଲା ।’’

 

ଓଲ୍‌ଗା କଥା ବନ୍ଦ୍‌ କଲା । ବୁଢ଼ା ବୁଢ଼ିଙ୍କ ଓଜନିଆ ନିଃଶ୍ୱାସ ପ୍ରଶ୍ୱାସ ଯାହା ବେଳେ ବେଳେ ଶୁଭୁଥିଲା, ନହେଲେ ସାରା ଘରଟା ଥିଲା ଚୁପ୍‌ ଚାପ୍‌ । କେ. ଖାଲି କହିବା ପାଇଁ କହି ଦେଲା ସତେ ଯେମିତି ଓଲ୍‌ଗାର କାହାଣୀର ଶେଷଟା ସେ କହି ଦେଉଚି : ‘‘ତମେମାନେ ସମସ୍ତେ ମୋ’ ସାଙ୍ଗରେ ଖେଳି ଆସିଚ । ବାର୍ଣ୍ଣାବାସ୍‌ ମତେ ଚିଠିଟା ଆଣିଦେଲା, ଏମିତି କାଇଦାରେ ଯେ ସେ ଯେମିତି ବହୁଦିନରୁ ସବୁବେଳେ ଚିଠିପତ୍ର ନିଆ ଆଣ କରୁଚି । ଏବଂ ତମେ ଆମାଲିଆ-ସେତେବେଳେ ତମ ସାଙ୍ଗରେ ତା’ର ଭଲ ପଡ଼ୁଥିବା ନିଶ୍ଚୟ-ଏମିତି ବ୍ୟବହାର ଦେଖାଇଲ, ସତେ ଯେମିତି ଖବର ଆଣିବା, ସେଇ ଚିଠିଟା ଆଣିଦେବା କିଛି ଗୁରୁତ୍ୱ ପୂର୍ଣ୍ଣ ବିଷୟ ନୁହେ ।’’ ‘‘ଆପଣ ଆମ ସମସ୍ତଙ୍କୁ ସମାନ ଭାବିବା ଉଚିତ ନୁହେ’’ ଓଲ୍‌ଗା କହିଲା । ‘‘ଚିଠିଟା ପାଇ ବାର୍ଣ୍ଣାବାସ୍‌ ପୁଣି ଆଗର ସେଇ ଖୁସି ବାସିଆ ଟୋକା ହୋଇଗଲା, ଯଦିଓ ତା’ ନିଜର ଶକ୍ତି ବିଷୟରେ ତା’ର ଅନେକ ସନ୍ଦେହ ଥିଲା । ସେ ସେଇ ସନ୍ଦେହ ଗୁଡ଼ାକୁ ତା’ ମୋ’ ଭିତରେ ସୀମିତ କରି ରଖିଲା, କିନ୍ତୁ ଜଣେ ପ୍ରକୃତ ଖବର ନିଆ ଆଣ କରିବା ଲୋକ ଭଳି ଦିଶିବା ତା’ ପାଇଁ ଥିଲା ସମ୍ମାନର ବିଷୟ । ତା’ ନିଜ ଦୃଷ୍ଟିରେ ସେପ୍ରକାର ଲୋକ ଜଣେ ଯେମିତି ଦିଶିବା କଥା ସେମିତି ଦିଶିବା । ତେଣୁ ବର୍ତ୍ତମାନ ଯଦିଓ ସେ ହଳେ ସରକାରୀ ପୋଷାକ ପାଇବ ବୋଲି ଆଶା କରୁଥିଲା, ମତେ ତା’ର ପ୍ୟାଣ୍ଟ୍‌ଟାକୁ ଟିକିଏ ବଦଳା ବଦଳି କରି ଦେବାକୁ ପଡ଼ିଲା, ତା’ ପୁଣି ଦି’ ଘଣ୍ଟା ଭିତରେ, ଫଳରେ ସରକାରୀ ପୋଷାକ ସାଙ୍ଗରେ ତା’ ପୋଷାକର ଅନ୍ତତଃ କିଛି ସାମଞ୍ଜସ୍ୟ ଥିଲା ଭଳି ଦିଶିବ, ଏବଂ ସେଇ ପ୍ୟାଣ୍ଟ୍ ପିନ୍ଧି ସେ ଆପଣଙ୍କ ଆଗରେ ଆସି ଠିଆ ହେବ, ସେ କ’ଣ ପିନ୍ଧିଚି ଆପଣ ତା’ ଠିକ୍‌ ବୁଝିପାରିବେ ନାଇଁ ବୋଲି ସେ ଜାଣିଥିଲା । ଇଏ ଗଲା ବାର୍ଣ୍ଣାବାସ୍‌ କଥା । କିନ୍ତୁ ଆମାଲିଆ ପ୍ରକୃତରେ ବାର୍ଣ୍ଣାବାସ୍‌ର ସେଇ କାମକୁ ପସନ୍ଦ କରେନି, ଏବଂ ବର୍ତ୍ତମାନ ଯେହେତୁ ସେଥିରେ ସେ କିଛିଟା ସଫଳତା ହାସଲ କରି ସାରିଥିଲା-ସେ ତା’ ସହଜରେ ଅନୁମାନ କରିପାରିଥିଲା, ବାର୍ଣ୍ଣାବାସ୍‌ ଓ ମୋର ଫିସ୍‌ ଫିସ୍‌ କଥାବାର୍ତ୍ତାରୁ ଆମାଲିଆ ବାର୍ଣ୍ଣାବାସ୍‌ର କାମକୁ ସବୁବେଳ ଅପେକ୍ଷା ବେଶୀ ଘୃଣା କଲା । ସେ ସତକଥା କହୁଥିଲା, ସେ ବିଷୟରେ ଆପଣ ଅଲଗା ରକମ କଥା କିଛି ଭାବିବେନି । କିନ୍ତୁ, କେ. ମୁଁ ଯଦି ବାର୍ଣ୍ଣାବାସ୍‌ର କାମକୁ ନ୍ୟୁନ କରି ଦେଖିଲି, ଆପଣଙ୍କୁ ଠକିବା ମୋର ଉଦ୍ଦେଶ୍ୟ ନଥିଲା, ଉଦ୍‌ବେଗରେ ପଡ଼ି ମୁଁ ସେମିତି ଭାବିଲି । ବାର୍ଣ୍ଣାବାସ୍‌ ଦେଇ ଏଇ ଯୋଉ ଦୁଇଟା ଚିଠି ଯାଇଚି, ସେ ଯୋଡ଼ାକ ଯେତେ ସନ୍ଦେହ ଜନକ ହେଲେ ବି, ତିନି ବର୍ଷ ଧରି ଆମ ପରିବାର ପାଇଥିବା ସହାନୁଭୂତିର ପ୍ରଥମ ସନ୍ତକ ସେ ଯୋଡ଼ାକ-। ଏଇ ପରିବର୍ତ୍ତନ, ଯଦି ୟାକୁ ପରିବର୍ତ୍ତନ କହିହେବ, ଠକାମି ନୁହେ–ଠକାମିରେ ପଡ଼ିବା ପରିବର୍ତ୍ତନ ଅପେକ୍ଷା ବେଶୀଥର ଘଟିଥାଏ–ଆପଣଙ୍କର ଏଠାକୁ ଆସିବା ସହିତ ଏଇ ପରିବର୍ତ୍ତନର ସଂପର୍କ ରହିଚି, ଗୋଟାଏ ଦୃଷ୍ଟିରୁ ଆମର ଭାଗ୍ୟ ଆପଣଙ୍କ ଉପରେ ନିର୍ଭର କରିବା ଆରମ୍ଭ କରିଚି, ଏଇ ଚିଠି ଯୋଡ଼ାକ ବୋଧେ ଆରମ୍ଭ ମାତ୍ର, ଏବଂ ଆପଣଙ୍କ ବିଷୟରେ ଆସିଥିବା ଏ ଦୁଇଟା ଚିଠି ଛଡ଼ା ଅନ୍ୟଥିରେ ମଧ୍ୟ ବାର୍ଣ୍ଣାବାସ୍‌ର ଶକ୍ତିକୁ ବ୍ୟବହାର କରା ହେବ-ଆମେ ଯେତେ ଦିନ ଯାଏ ପାରିବୁ, ଏଇ ଆଶା ରଖିବୁ–ବର୍ତ୍ତମାନ ପାଇଁ କିନ୍ତୁ ସବୁ କିଛି ଆପଣଙ୍କ ଉପରେ ନିର୍ଭର କରୁଚି । ବର୍ତ୍ତମାନ ଦୁର୍ଗରେ ଆମର ଭାଗ୍ୟ ଯେମିତି ନିର୍ଣ୍ଣୟ କରାଯାଇଚି, ସେଥିରେ ଆମକୁ ସନ୍ତୁଷ୍ଟ ରହିବାକୁ ପଡ଼ିବ, କିନ୍ତୁ ଏଠି, ଏୟା ହୋଇପାରେ, ଆମେ ନିଜେ କିଛିଟା କରିବୁ, ମାନେ, ଆପଣଙ୍କର ସଦିଚ୍ଛା ବିଷୟରେ ନିଶ୍ଚିତ ହେବୁ କିମ୍ବା ଯାହା ଅଧିକ ଜରୁରୀ ତା’ କରିବୁ, ଯାହା ଫଳରେ କି ଦୁର୍ଗ ସାଙ୍ଗରେ ଆପଣଙ୍କର ସଂପର୍କ ନଷ୍ଟ ହୋଇ ଯିବନି । ତା’ କଲେ ଆମର ବି କିଛିଟା ସାହାଯ୍ୟ ହେବ । ବର୍ତ୍ତମାନ ତା’ ହାସଲ କରିବା ପାଇଁ ଆମର ସବୁଠୁ’ ଭଲ ଉପାୟଟି କ’ଣ-? ଆମେ ଯେତେବେଳେ ଆପଣଙ୍କ ପାଖକୁ ଆସିବୁ, ସେତେବେଳେ ଆପଣ ଆମକୁ ମୋଟେ ସନ୍ଦେହ ଯେମିତି ନ କରନ୍ତି ତା’ ଦେଖିବା କାରଣ ଆପଣ ଏଠି ଜଣେ ବିଦେଶୀ, ଏବଂ ସେଥିପାଇଁ ଆପଣଙ୍କ ମନରେ ସନ୍ଦେହ ଭର୍ତ୍ତି ହୋଇଥିବ, ସେ ସନ୍ଦେହ ମଧ୍ୟ ଅମୂଳକ ନୁହେ । ଏବଂ ତା’ ଛଡ଼ା ଆମକୁ ସମସ୍ତେ ଘୃଣା କରନ୍ତି ଏବଂ ସମସ୍ତଙ୍କର ଏଇ ପ୍ରକାର ବ୍ୟବହାରର ପ୍ରଭାବ ଆପଣଙ୍କ ଉପରେ ପଡ଼ିଥିବ, ବିଶେଷ କରି ଆପଣଙ୍କ ପ୍ରେମିକା ଜରିଆରେ, ତେଣୁ ଆମେ କେମିତି ଆଗେଇ ପାରିଥାନ୍ତୁ, ଯଦି ଆମେ ପୂରା ଆମ ନିଜ ଇଚ୍ଛା ବିରୁଦ୍ଧରେ ଆପଣଙ୍କ ପ୍ରେମିକା ସାଙ୍ଗରେ ଶତ୍ରୁତା କରି ନଥାନ୍ତୁ, ଏବଂ ସେୟା କରି ଆପଣଙ୍କୁ ଆଘାତ ଦେଇନଥାନ୍ତୁ ? ଏବଂ ଯୋଉ ଖବର ଗୁଡ଼ିକ ଆପଣଙ୍କ ପାଖକୁ ଆସିଲା, ସେ ଗୁଡ଼ାକ ଆପଣଙ୍କ ପାଖରେ ଆସି ପହଞ୍ଚିବା ଆଗରୁ ମୁଁ ପଢ଼ିନେଇଥିଲି–ବାର୍ଣ୍ଣାବାସ୍‌ ପଢ଼ିନଥିଲା, ଜଣେ ଖବର ନିଅ ଆଣ କରିବା ଲୋକ ହିସାବରେ ସେ ତା’ କରିବା କଥା ନୁହେ-ଏବଂ ସେ ଖବର ଗୁଡ଼ିକ ପ୍ରଥମେ ବେକାର ଗୁରୁତ୍ୱହୀନ ବୋଲି ମନେ ହେଉଥିଲା, କିନ୍ତୁ ସେଥିରେ ଆପଣଙ୍କୁ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ ପାଖକୁ ଯିବା ପାଇଁ କୁହାହୋଇଥିବା ଦୃଷ୍ଟିରୁ ସେ ଗୁଡ଼ିକର ଗୁରୁତ୍ୱ ବହୁତ ବଢ଼ିଗଲା । ବର୍ତ୍ତମାନ ଏପ୍ରକାର ପରିସ୍ଥିତିରେ ଆମେ ଆପଣଙ୍କ ସାଙ୍ଗରେ କି ପ୍ରକାର ବ୍ୟବହାର କରିଥାନ୍ତୁ ? ଆମେ ଯଦି ସେ ଚିଠିର ଗୁରୁତ୍ୱ ବେଶୀ ବୋଲି କହିଲୁ, ଯାହା ଗୁରୁତ୍ୱପୂର୍ଣ୍ଣ ନୁହେ, ତା’କୁ ଗୁରୁତ୍ୱ ଦେଇ ଆମେ ଆପଣଙ୍କର ସନ୍ଦେହର ଶିକାର ହେବୁ, ଏବଂ ସେ ଚିଠି ଆମେ ଆଣିଚୁ ବୋଲି ପ୍ରୌଢ଼ି କଲେ ଆମେ ଆପଣଙ୍କ କଥା ନ ଦେଖି ନିଜ ଉଦ୍ଦେଶ୍ୟ ସାଧନରେ ଲାଗିଚୁ ବୋଲି ଆମକୁ ସନ୍ଦେହ କରା ହେବ; ତା’ ଛଡ଼ା ସେୟା କଲେ ଆପଣଙ୍କ ଆଖିରେ ସେ ଚିଠିର ମୂଲ୍ୟ ଆମେ କମାଇ ଦେଇପାରୁ, ଏବଂ ତା’ ଫଳରେ ଆମ ଇଚ୍ଛା ବିରୁଦ୍ଧରେ ଆପଣଙ୍କୁ ବହୁତ ନିରାଶ କରି ଦେଇପାରୁ । କିନ୍ତୁ ଆମେ ଯଦି ସେ ଚିଠି ଯୋଡ଼ାକର ଗୁରୁତ୍ୱ ଉପରେ ଜୋର୍‌ ନଦେଲୁ, ତେବେ ବି ଆମେ ସନ୍ଦେହର ଶିକାର ହେବୁ, କାରଣ ତା’ ହୋଇଥିଲେ ଆମେ ଗୋଟେ ବେକାର ଚିଠି ଆଣି ପହଞ୍ଚାଇଥାନ୍ତୁ କାହିଁକି, ଆମର କଥା ଓ ଆମର କାମ ଭିତରେ ଏତେ ତଫାତ୍‌ ରହିବ କାହିଁକି, ଏୟା କରି ଆପଣଙ୍କୁ ଚିଠି ପାଇବା ଲୋକକୁ, ଏବଂ ଚିଠି ପଠାଇଥିବା ଲୋକକୁ ଆମେ କାହିଁକି ନିରାଶ କରିବୁ ? ଯିଏ ଚିଠି ପଠାଇଥିଲେ, ସେ ନିଶ୍ଚୟ ଚାହିଁନଥିଲେ, ଆମେ ଆମର କଥାବାର୍ତ୍ତାରେ ସେ ଚିଠିର ଗୁରୁତ୍ୱ କମାଇଦେଉ ବୋଲି ଏବଂ ଏପଟକୁ କି ସେପଟକୁ ବେଶି ନଯାଇ ମଝି ମଝିଆ ବାଟ ଧରିବା, ମାନେ, ସେ ଚିଠି ଯୋଡ଼ାକର ଠିକ୍‌ ମୂଲ୍ୟ କ’ଣ କଳନା କରିବା ଅସମ୍ଭବ, ସେଗୁଡ଼ାକର ଗୁରୁତ୍ୱ ସବୁବେଳେ କମ୍‌ ବେଶୀ ହେଉଥାଏ, ସେଗୁଡ଼ାକ ଯୋଉ ଚିନ୍ତାର ଉଦ୍ରେକ କରନ୍ତି, ତା’ର ସୀମା ନାଇଁ; ଏବଂ ଚିନ୍ତା ବନ୍ଦ କରିବାକୁ ହେବ, ତା’ ନିଜେ ଠିକ୍‌ କରି ପାରିବେନି, ଏବଂ ସେଥିପାଇଁ ସେଗୁଡ଼ାକର ମୂଲ୍ୟ ଆମେ କଳନା କରିବା ମଧ୍ୟ ଗୋଟାଏ ଅନିଶ୍ଚିତ ବିଷୟ । ଏବଂ ସର୍ବୋପରି ଆପଣଙ୍କ ସଂପର୍କରେ ଯେତେବେଳେ ଆମର ଉଦ୍‌ବେଗ ବଢ଼ିଲା, ସବୁ କିଛି ଗୋଳମାଳ ହୋଇଗଲା, ଏବଂ ମୁଁ ଯାହା ସବୁ କହିଲି, ସେଥିରେ ଆପଣ ବିରକ୍ତ ହେବା ଉଚିତ ହେଉନି । ଧରନ୍ତୁ ସେଥର ଯେମିତି ଘଟିଲା, ବାର୍ଣ୍ଣାବାସ୍‌ ଆସି ଖବର ଦେଲା ଆପଣ ତା’ କାମରେ ଆସନ୍ତୁଷ୍ଟ, ସେଇ ପ୍ରଥମ ଧକ୍‌କାରେ-ମୁଁ ନିଶ୍ଚେ କହିବି, ତା’ର ଚାକିରୀଗତ ଅହଙ୍କାର ବେଶ୍‌ ଆଘାତ ପାଇଥିଲା-ସେ ଠିକ୍‌ କଲା ଚାକିରୀଟା ଛାଡ଼ିଦେବ । ତାପରେ ସେ ଭୁଲ୍‌କୁ ବାଗେଇ ଦେବା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ଥିଲି, ଠକିବାକୁ, ମିଛ କହିବାକୁ, ବିଶ୍ୱାସ ଘାତକତା କରିବାକୁ, ଯାଇଛା ତା କରିବାକୁ, ତା’ ଯେତେ ଖରାପ କାମ ହୋଉ ପଛକେ ଯଦି ସେଥିରେ କିଛି ଲାଭ ହେବ । କିନ୍ତୁ ସେତେବେଳେ ମଧ୍ୟ ମୁଁ ସେୟା କରିଥିବି ହୁଏତ, କରିଥିବି ଆମ ଭଲ ପାଇଁ ଯେତିକି ଆପଣଙ୍କ ଭଲ ପାଇଁ ବି ସେତିକି, ଅନ୍ତତଃ ମୋ’ ନିଜ ଦୃଷ୍ଟି କୋଣରୁ ।’’

 

କିଏ କବାଟ ଖଟ୍‌ ଖଟ୍‌ କଲା । ଓଲ୍‌ଗା ଦୌଡ଼ିଗଲା ଓ କବାଟ ଖୋଲି ଦେଲା । ଗୋଟିଏ କଳା ପଡ଼ିଯାଇଥିବା ଲଣ୍ଠନର ଆଲୁଅ ଟିକିଏ ଆସି ଏରୁଣ୍ତିବନ୍ଧ ଉପରେ ପଡ଼ିଲା । ଏତେ ରାତିରେ ଆସିଥିବା ଲୋକଟି ଫିସ୍‌ ଫିସ୍‌ ହୋଇ କ’ଣ ପଚାରିଲା ଏବଂ ଓଲ୍‌ଗା ତା’କୁ ଫିସ୍‌ ଫିସ୍‌ ହୋଇ ଉତ୍ତର ଦେଲା । କିନ୍ତୁ ଲୋକଟି ସେଥିରେ ସନ୍ତୁଷ୍ଟ ନ ହୋଇ ଘର ଭିତରକୁ ପଶିବାକୁ ଚେଷ୍ଟା ଗଲା ଓଲ୍‌ଗା ଦେଖିଲା, ସେ ଆଉ ତା’କୁ ଅଟକାଇ ପାରିବନାହିଁ, ଏବଂ ଆମାଲିଆକୁ ଡାକ ପକାଇଲା । ସେ ନିଶ୍ଚୟ ଏୟା ଭାବୁଥିଲା-ବୁଢ଼ା ବୁଢ଼ୀଙ୍କ ଶୋଇଥିବା ବେଳେ କିଛି ଗୋଳମାଳ ଯେମିତି ନହୁଏ ସେଥିପାଇଁ ଲୋକଟାକୁ ତଡ଼ିଦେବାକୁ ଆମାଲିଆ ଯା’ ଇଚ୍ଛା ତା’ କରିଦେବ । ଏବଂ ପ୍ରକୃତରେ ଆମାଲିଆ ଧାଇଁ ଆସିଲା, ଓଲ୍‌ଗାକୁ ଠେଲି ଦେଇ ଦାଣ୍ଡକୁ ଗଲା ଏବଂ କବାଟ ବନ୍ଦ୍‌ କରି ଦେଲା । ସେ ବାହାରେ ମୁହୂର୍ତ୍ତକ ପାଇଁ ରହିଲା, ପ୍ରାୟ ସେହିକ୍ଷଣି ସେ ଫେରି ଆସିଲା । ଓଲ୍‌ଗା ପାଇଁ ଯାହା ଅସମ୍ଭବ ମନେ ହେଉଥିଲା, ଆମାଲିଆ ତାହା ନିମିଷକରେ କରିଦେଲା ।

 

କେ. ତା’ପରେ ଓଲ୍‌ଗାଠୁ’ ଶୁଣିଲା ଯେ ଲୋକଟା ତା’ ପାଇଁ ଆସିଥିଲା । ଲୋକଟା ଥିଲା ଜଣେ ସରକାରୀ, ଫ୍ରୀଡ଼ାର ଆଦେଶର କେ.କୁ ଖୋଜିବାକୁ ଆସିଥିଲା । ଓଲ୍‌ଗା ଚାହିଁଥିଲା, ଲୋକଟା ଯେମିତି କେ.କୁ ନଦେଖେ; ଯଦି କେ. ଚାହିଁବ ସେ ଏଠିକି ଆସିଥିଲା ବୋଲି, କିନ୍ତୁ ସହକାରୀ ଜଣକ ଜରିଆରେ ଫ୍ରୀଡ଼ା ସେ କଥା ଜାଣିବା ଉଚିତ ନୁହେ । କେ. ସେଥିରେ ରାଜିହେଲା । କିନ୍ତୁ ଓଲ୍‌ଗା ଯେତେବେଳେ କହିଲା ସେ ବାର୍ଣ୍ଣାବାସ୍‌କୁ ଅପେକ୍ଷା କରି ରାତିଟା ସେଠି କରାଇ ଦେଉ କେ. ମଙ୍ଗିଲା ନାହିଁ । ନିଜ କଥା ହୋଇଥିଲେ ସେ ହୁଏତ ରାଜି ହୋଇ ଯାଇଥାନ୍ତା । କାରଣ ରାତି ଅନେକ ହୋଇଯାଇଥିଲା ଏବଂ ତା’ର ମନେ ହେଉଥିଲା ଯେ ବର୍ତ୍ତମାନ, ସେ ଚାହୁଁ କି ନ ଚାହୁଁ, ସେ ଏଇ ପରିବାର ସାଙ୍ଗରେ ଏପରି ଭାବରେ ବାନ୍ଧି ହୋଇ ଯାଇଥିଲା ଯେ ଏଠି ରାତିଟିଏ କଟାଇବା ଗାଁ ଭିତରେ ତା’ ପାଇଁ ସବୁଠୁ’ ସୁବିଧା ଜନକ ହେବ । ଅନେକ କାରଣରୁ ତାହା କଷ୍ଟ ଦାୟକ ହୋଇପାରେ ତଥାପି ବଂଧୁତା କଥା ତ ବିଚାର କରିବାକୁ ପଡ଼ିବ । ତଥାପି ସେ ରାଜି ହେଲା ନାହିଁ, ସହକାରୀ ଜଣକ ସେଠିକି ଆସିବାରେ ସେ ଆତଙ୍କିତ ହୋଇ ପଡ଼ିଥିଲା । ଫ୍ରୀଡ଼ା ତା’ର ଅଭିଳାଷ କଣ ଜାଣିଛି ଏବଂ ସହକାରୀମାନେ ତାକୁ ଡରିବାକୁ ଶିଖିଲେଣି । ପୁଣି ଏମାନେ କେମିତି ଏକାଠି ହୋଇଗଲେ କେ. ତାହା ବୁଝିପାରିଲା ନାହିଁ । ଫ୍ରୀଡ଼ା ସହକାରୀ ଜଣକୁ ତାକୁ ଡାକିନେବାକୁ ପଠାଇଲା, କେମିତି କିଛି ଭାବିଲା ନାହିଁ କେଜାଣି । ତ ପୁଣି କେବଳ ଜଣକୁ ପଠାଇଲା ଅନ୍ୟ ଜଣକ ବୋଧହୁଏ ତା ପାଖରେ ରହିଲା । ସେ ଓଲଗାକୁ ପଚାରିଲା ତାର ଚାବୁକ ଅଛିକି ବୋଲି । ଓଲଗା ପାଖରେ ଚାବୁକ ନଥିଲା । କିନ୍ତୁ ତା ପାଖରେ ଗୋଟାଏ ବେତ ଥିଲା ଏବଂ କେ ସେଟାକୁ ଧରିଲା । ତା ପରେ ସେ ପଚାରିଲା ଘରୁ ବାହାରକୁ ଯିବାପାଇଁ ଅନ୍ୟ କୌଣସି ବାଟ ଅଛିକି ବୋଲି । ଅଗଣାପଟେ ଗୋଟାଏ ବାଟ ଥିଲା । କେବଳ ଘର କଡ଼ରେ ଥିବା ବଗିଚା କାନ୍ଥ ଡେଇଁବାକୁ ପଡ଼ିବ ଏବଂ ବଗୀଚା ଭିତରେ ଦେଇ ଚାଲି ଚାଲି ଯିବାକୁ ହେବ । କେ. ସେୟା କରିବ ବୋଲି ଠିକ କଲା । ଓଲଗା ତାକୁ ଅଗଣାରେ ବାଟ କଢ଼ାଇ ନେଉଥିବା ବେଳେ କେ ତରବର ହୋଇ କହିଲା ଯେ ଓଲଗାର ତାକୁ ଡରିବାର କିଛି କାରଣ ନାହିଁ । ଓଲଗା ଯେଉଁ ଛୋଟ ଛୋଟ ଗୋଳମାଳ କରିଥିବା କଥା ତାକୁ କହିଲା, ସେଥିରେ ସେ ମୋଟେ ରାଗିନାହିଁ, ସେଗୁଡ଼ିକର ଉଦ୍ଦେଶ୍ୟ ସେ ଠିକ ବୁଝିପାରିଛି । ଓଲଗା ତାକୁ ବିଶ୍ୱାସ କରି ତା କାହାଣୀ ଶୁଣାଇଥିବାରୁ କେ. ତାକୁ ଧନ୍ୟବାଦ ଦେଲା, ଏବଂ ବାର୍ଣ୍ଣାବାସ ଫେରିଲା କ୍ଷଣି ଯେତେରାତି ହେଉପଛକେ ସ୍କୁଲକୁ ପଠାଇଦେବାକୁ ଓଲଗାକୁ କହିଲା । ବାର୍ଣ୍ଣାବାସ ଯେଉଁ ଖବର ସବୁ ଆଣୁଥିଲା ସେଗୁଡ଼ିକ ଯେ କେ ପାଇଁ ଏକ ମାତ୍ର ଭରସା ନଥିଲା । ତାହା ସତ । ତା ନହୋଇଥିଲେ କେ ବହୁତ ହଇରାଣରେ ପଡ଼ନ୍ତା । ଏବଂ କୌଣସି ଉପାୟରେ ମଧ୍ୟ ସେ ସେହି ଖବର ଗୁଡ଼ିକୁ ହିସାବକୁ ନ ନେଇ ରହିପାରୁନଥିଲା । ସେ ସେଗୁଡ଼ିକ ଉପରେ ନିର୍ଭର କରୁଥିଲା ଏବଂ ଏଣେ ଓଲଗାକୁ ଭୁଲିଯିବାକୁ ବି ଚାହୁଁନଥିଲା କାରଣ ସେହି ଖବର ଗୁଡ଼ିକ ଠାରୁ ମଧ୍ୟ ନିଜେ ତା’ର ସାହାସ ତାର ବିଚାର ବୁଦ୍ଧି ଓଲଗା ତା ପାଇଁ ବେଶୀ ଆବଶ୍ୟକ ହେଉଥିଲା ଯଦି ତାକୁ ଓଲଗା ଓ ଆମାଲିଆ ଭିତରୁ ଜଣକୁ ବାଛିବାକୁ ପଡ଼େ ତାକୁ ବେଶୀ ସମୟ ଭାବିବାକୁ ପଡ଼ିବ ନାହିଁ । ଏବଂ ସେ ପୁଣି ଥରେ ଓଲଗାର ହାତକୁ ସ୍ନେହରେ ଚାପ ଦେଲା ଏବଂ ଘର କଡ଼ରେ ବଗିଚା କାନ୍ଥ ଉପରକୁ ଉଠିଗଲା ।

 

ଶୋହଳ

 

ରାସ୍ତାକୁ ଚାଲିଗଲା ପରେ ସେ ଅସ୍ପଷ୍ଟ ଭାବରେ ଦେଖି ପାରିଲା, କିଛି ଦୂରରେ ସହକାରୀ ଜଣକ ସେ ଯାଏଁ ବାର୍ଣ୍ଣାବାସ୍‌ ଘର ଆଗରେ ଲଙ୍ଗର ପଙ୍ଗର ହେଉଛି; ବେଳେ ବେଳେ ସେ ଅଟକି ଯାଉଛି ଓ ଝରକା ପର୍ଦ୍ଦା ଭିତରେ ଦେଇ ଘର ଭିତରକୁ ଅନାଇଁବାକୁ ଚେଷ୍ଟା କରୁଛି । କେ. ତା’କୁ ଡାକ ପକାଇଲା; ଲୋକଟା ଚମକି ପଡ଼ିଥିଲା ଭଳି ମନେ ହେଲା ନାହିଁ କିନ୍ତୁ ସେ ଘର ଭିତରକୁ ଅନାଇଁବା ବନ୍ଦ୍‌ କଲା ଏବଂ କେ. ଆଡ଼କୁ ଆସିଲା । ତମେ କାହାକୁ ଖୋଜୁଚ ?’’ କେ ପଚାରିଲା, ବେତଟାକୁ ଗୋଡ଼ରେ ବାଡ଼େଇ ସେଟା କେତେ ନହକା ଦେଖୁ ଦେଖୁ । ‘‘ଆପଣଙ୍କୁ’’ ସହକାରୀ ଜଣକ କହିଲା ପାଖେଇ ଆସି । ‘‘କିନ୍ତୁ ତମେ କିଏ ?’’ କେ. ହଠାତ ପଚାରିଲା, କାରଣ ଲୋକଟା ସହକାରୀ ଜଣକ ଭଳି ଦେଖାଯାଉନଥିଲା । ସେ ବେଶୀ ବୟସ୍କ ଦିଶୁଥିଲା, ବ୍ୟସ୍ତତାରେ ତା’ କପାଳର ରେଖା ସବୁ କୁଞ୍ଚିତ ହୋଇଯାଇଥିଲା, କିନ୍ତୁ ମୁହଁଟା ବେଶୀ ଗୋଲଗାଲ ଦିଶୁଥିଲା, ତା’ର ଚାଲି ମଧ୍ୟ ସହକାରୀ ଜଣକର ଛାଁଟକାଟ ଚାଲି ଅପେକ୍ଷା ଭିନ୍ନ ଥିଲା; ସହକାରୀ ଜଣକର ଚାଲି ଦେଖିଲତ ତା’ ଗଣ୍ଠି ଗୁଡ଼ାକରେ ବିଦ୍ୟୁତଶକ୍ତି ସଂଚାର ହେଉଥିବା ଭଳି ମନେ ହେଉଥାଏ । ଲୋକଟା ଆସ୍ତେ ଆସ୍ତେ ଚାଲୁଥିଲା, ମଝିରେ ଅଟକି ଯାଇଥିଲା, ରୋଗିଣାଙ୍କ ଭଳି ଟଳି ଟଳି । ‘‘ଆପଣ ମତେ ଚିହ୍ନି ପାରୁନାହାନ୍ତି ? ଲୋକଟି ପଚାରିଲା’’ ମୁଁ । ଜେରେମିଆ; ଆପଣଙ୍କର ପୁରୁଣା ସହକାରୀ ।’’ ‘‘ଓହୋ, କେ. କହିଲା, ବେତଟାକୁ ପୁଣି ଥରେ ପିଠି ପଟରୁ ସାମ୍ନାକୁ ନେଇଁ ଆସି କିନ୍ତୁ ତମେତ ପୂରା ଅଲଗା ଦିଶୁଚ ।’’ ‘‘କାରଣ ମୁଁ ଏକେଲା ଆସିଚି ଜେରେମିଆ କହିଲା । ମୁଁ ଏକେଲା ଥିଲା ବେଳେ ମୋର ସବୁ ଚଞ୍ଚଳତା କୁଆଡ଼େ ଚାଲିଯାଏ ।’’ ‘‘କିନ୍ତୁ ଆର୍ଥର କାହିଁ ?’’ କେ. ପଚାରିଲା । ‘‘ଆର୍ଥର ? ଜେରେମିଆ କହିଲା । ‘‘ସେଇ ଟୋକାଟା ? ସେ ଚାକିରୀ ଛାଡ଼ି ଦେଲା । ଆପଣ ଆମ ପ୍ରତି ଭାରି ଖରାପ ବ୍ୟବହାର ଦେଖାଇଲେ, ଭାରି ନିଷ୍ଠୁର ହେଲେ, ବୁଝିଲେ ଆଉ ସେ ଟୋକାଟା ଭାରି ଭଲ ସେ ତା ସହିପାରିଲା ନାଇଁ । ଅଭିଯୋଗଟିଏ ଦାଖଲ କରିବାକୁ ସେ ଦୁର୍ଗକୁ ବାହୁଡ଼ି ଯାଇଚି ।’’ ‘‘ଆଉ ତମେ ? କେ. ପଚାରିଲା । ‘‘ମୁଁ’’ ଏଠି ରହିଯାଇ ପାରୁଚି, ଜେରେମିଆ କହିଲା; ‘‘ଆର୍ଥର ମୋ ପାଇଁ ମଧ୍ୟ ଅଭିଯୋଗଟିଏ ଦାଖଲ କରୁଚି ।’’ ‘‘ତମେ ତେବେ କୋଉ ବିଷୟରେ ଅଭିଯୋଗ କରୁଚ ?’’ କେ. ପଚାରିଲା । ‘‘ଏୟା ଯେ ଆପଣ ଥଟ୍ଟା ଟିକିଏବି ବୁଝି ପାରନ୍ତିନି । ଆମେ କ’ଣ ଟିକିଏ ପରିହାସ କଲୁ ଟିକିଏ ହସା ହସି କଲୁ, ଆପଣଙ୍କ ଭାବୀ ସ୍ତ୍ରୀଙ୍କୁ ଟିକିଏ ଚିଡ଼େଇଲୁ । ଏବଂ ଏସବୁ ଆମକୁ ଯେମିତି କୁହାଯାଇଥିଲା ସେ ଅନୁସାରେ କଲୁ । ଗାଲାଟର ଯେତେବେଳେ ଆମକୁ ଆପଣଙ୍କ ପାଖକୁ ପଠାଇଲେ-’’ ‘‘ଗାଲାଟର ? କେ. ପଚାରିଲା-। ‘‘ହଁ ଗାଲାଟର’’ ଜେରେମିଆ କହିଲା, ସେତେବେଳେ ସେ କ୍ଲାସଙ୍କ ପ୍ରତିନିଧିତ୍ୱ କରୁଥିଲେ । ସେ ଆମକୁ ଯେତେବେଳେ ଆପଣଙ୍କ ପାଖକୁ ପଠାଇଲେ କହିଲେ-ମୁଁ ସବୁକଥା ଠିକ ମନେ ରଖିଚି, ମନେ ରଖିବାତ ଆମର କାମ-ସେ କହିଥିଲେ । ଅମିନ ବାବୁଙ୍କ ସହକାରୀ ଭାବରେ ତମ ଦିହିଁଙ୍କୁ ଯିବାକୁ ପଡ଼ିବ । ଆମେ ଉତ୍ତର ଦେଲୁ । କିନ୍ତୁ ଆମେ ତ ସେ କାମ ବିଷୟରେ କିଛି ଜାଣିନୁ । ଏହା ଶୁଣି ସେ କହିଲେ । ସେଇଟା ମୂଳକଥା ନୁହେ ଦରକାର ପଡ଼ିଲେ ସେ ତାମକୁ କମଟା ଶିଖାଇଦେବେ । ବଡ଼ କଥା ହେଲା ତାଙ୍କୁ ଖୁସି କରି ରଖିବା । ମୁଁ ଯାହା ଶୁଣିଚି ସେ ସବୁ କଥାରେ ଭାରି ବ୍ୟସ୍ତ ହୋଇ ପଡ଼ନ୍ତି । ସେ ଏଇ ମାତ୍ର ଗାଁ ଭିତରକୁ ଯାଇଚନ୍ତି ଏବଂ ଭାବୁଚନ୍ତି ସେଇଟା ଗୋଟାଏ ବହୁତ ବଡ଼ ଅନୁଭୂତି, ଯଦିଓ ପ୍ରକୃତରେ ସେଇଟା ସେମିତି କିଛି ନୁହେଁ । ତମର କାମ ହେଲା ସେକଥା ତାଙ୍କୁ ସୂଚେଇ ଦେବା । ‘‘ଆଚ୍ଛା ? କେ. କହିଲା ‘‘ଗାଲଟାର କ’ଣ ଠିକ କଥା କହିଥିଲେ ? ତମେ ଦିହେଁ ତମ କାମ ଠିକ୍‍ ଠିକ୍‍ କଲ ତ ?’’ ‘‘ସେ କଥା ମୁଁ ଜାଣେନି’’ ଜେରେମିଆ ଉତ୍ତର ଦେଲା, ‘ଏତେ କମ୍‌ ସମୟରେ ତା କରିବା ସମ୍ଭବ ହେଲାନି । ମୁଁ ଖାଲି ଏତିକି ଜାଣେ ଯେ ଆପଣ ଆମ ପ୍ରତି ଭାରି କଠୋର ହୋଇଚନ୍ତି ଏବଂ ତା’ ବିରୁଦ୍ଧରେ ହିଁ ଆମେ ଅଭିଯୋଗ କରୁଚୁ । ମୁଁ ବୁଝି ପାରୁନି ଆପଣ ଜଣେ ଚାକିରିଆ ହୋଇ ମଧ୍ୟ, ତା’ ପୁଣି ଦୁର୍ଗ ଭିତରର ଚାକିରିଆ ନୁହଁନ୍ତି ଆପଣ କେମିତି ଜାଣିପାରୁନାହାନ୍ତି ସେ କାମ କେଡ଼େ କଷ୍ଟ, ସେଥିରେ ପୁଣି ବିଚରା ସହକାରୀମାନଙ୍କ କାମକୁ ଆହୁରି କଷ୍ଟ କରାଇଦେବା କେମିତି ଭୁଲ୍‌ ହେଉଚି, ଆପଣ କେମିତି ବେଖାତିରିଆ, ପିଲାଳିଆ ଭାବରେ ବ୍ୟବହାର କରିଚନ୍ତି ? ଆପଣ କିଛି ନଭାବି ନଚିନ୍ତି ସେଇ ରେଲିଂଗୁଡ଼ାକ ପାଖରେ ଆମକୁ ଶୀତରେ ଥରାଇଲେ, ଏବଂ ଠେଲି ଦେଇ ଆର୍ଥର୍‌କୁ ଅଖାମୁଣା ଉପରେ ତଳକୁ ପକାଇ ଦେଲେ-ଆର୍ଥର ଯେ କି ପଦେ କଡ଼ା କଥା ଶୁଣିଲେ ଦିନ ଦିନ ଧରି ଭାବିବ ଏବଂ ସାରା ଉପର ଓଲଟା ମତେ ବରଫ ଭିତରେ ଏଣେ ତେଣେ ଗୋଡ଼ାଇ ଧାଇଁଲେ, ସେଥିରୁ ରକ୍ଷା ପାଇବା ପାଇଁ ମତେ ଘଣ୍ଟାଏ ଲାଗିଗଲା ସେଇଥିଯୋଗୁଁ ଆଉ ମୁଁ ତ ଟୋକାଲୋକ ନୁହ ।’’ ‘‘ଶୁଣ, ଜେରେମିଆ,’’ କେ. କହିଲା, ‘‘ତମେ ଠିକ୍‌ କଥା କହିଚ, ତେବେ ତମେ ଦିହେଁ କେବଳ ଗାଲଟ୍‌ରଙ୍କ ପାଖରେ ଅଭିଯୋଗ କରିପାର ସେ ନିଜ ଇଚ୍ଛାରେ ତମକୁ ଏଠିକି ପଠାଇଥିଲେ, ତମକୁ ପଠାଇବାକୁ ମୁଁ ତାଙ୍କୁ ଅନୁରୋଧ କରିନଥିଲି । ଏବଂ ମୁଁ ଯେହେତୁ ତମକୁ ଡକାଇ ଆଣିନଥିଲି, ତମକୁ ଫେରାଇ ଦେବା ମୋ ଇଚ୍ଛା ଉପରେ ନିର୍ଭର କରୁଥିଲା, ଏବଂ ତମମାନଙ୍କ ଭଳି ମୁଁ ବି ଶାନ୍ତିପୂର୍ଣ୍ଣ ଭାବରେ, ମାଡ଼ପିଟ ନ କରି, ତା’ କରିଥାନ୍ତି, କିନ୍ତୁ ମୋର ମନେ ହେଲା, ତମେ ଯେମିତି ବାଟରେ ଯିବାକୁ ଚାହୁଁନ ତା’ଛଡ଼ା, ଏବେ ଯେମିତି ଖୋଲା ଖୋଲି କଥା କହିଲ, ସେମିତି କଥାବାର୍ତ୍ତା ତମେ ଯେତେବେଳେ ପ୍ରଥମେ ଆସିଲ କଲନିକାହିଁକି ?’’ ‘‘କାରଣ ମୁଁ ଚାକିରୀ କରୁଥିଲି,’’ ଜେରେମିଆ କହିଲା, ‘‘ଆପଣ ବୁଝିପାରୁଚନ୍ତି ନିଶ୍ଚେ ।’’ ‘‘ଏବଂ ବର୍ତ୍ତମାନ ତମେ ଆଉ ଚାକିରିରେ ନାହଁ ? କେ. ପଚାରିଲା । ନା, ନାହିଁ’’ ଜେରେମିଆ କହିଲା, ଆର୍ଥର ଦୁର୍ଗକୁ ଜଣାଇ ଦେଇଚି ଯେ ଆମେ ଚାକିରୀ ଛାଡ଼ି ଦେଉଚୁ, କିମ୍ବା ଅନ୍ତତଃ କାଗଜପତ୍ରରେ ଲେଖା ଲେଖି ଆରମ୍ଭ ହେଲାଣି, ଯା’ ଫଳରେ ଆମକୁ ଶେଷରେ ମୁକ୍ତି ମିଳିଯିବ ।’’ ‘‘କିନ୍ତୁ ତମେ ଏବେ ବି ମତେ ଖୋଜୁଚ, ସତେ ଯେମିତି ତମେ ଚାକିରିରେ ଅଛ, କେ. କହିଲା । ‘‘ନା, ଜେରେମିଆ ଉତ୍ତର ଦେଲା, ‘‘ଫ୍ରୀଡ଼ାକୁ ସନ୍ତୁଷ୍ଟ କରିବାପାଇଁ ଖାଲି ମୁଁ ଆପଣଙ୍କୁ ଖୋଜୁଥିଲି । ଆପଣ ଯେତେବେଳେ ତା’କୁ ଛାଡ଼ି ବାର୍ଣ୍ଣାବାସ୍‌ର ଭଉଣୀ ପାଖକୁ ଚାଲିଗଲେ, ସେ ଭାରି ବ୍ୟସ୍ତ ହୋଇ ପଡ଼ିଲା, ତା’ର କ୍ଷତି ହୋଇଗଲା ବୋଲି ନୁହେ, ବରଂ ଆପଣ ବିଶ୍ୱାସ ଘାତକତା କଲେ ବୋଲି ତା’ଛଡ଼ା ଏହା ଘଟିବ ବୋଲି ସେ ଅନେକ ଦିନରୁ ଆଶଙ୍କା କରି ଆସୁଥିଲା ଏବଂ ସେଥିପାଇଁ ବହୁତ କଷ୍ଟ ପାଉଥିଲା । ମୁଁ ସ୍କୁଲ ଝରକା ପାଖକୁ ଆଉଥରେ ଗଲି, ଏବଂ ଆମ ଭିତରେ ଗୋଟିଏ ଚୁକ୍ତି ହେଲା । ସବୁ କଥା ଠିକ୍‌ କରା ହୋଇଯାଇଚି । ମୁଁ ହେରେନହଫ୍‌ରେ ୱେଟର ହେବି, ଅନ୍ତତଃ ଦୁର୍ଗ ଚାକିରୀ ବିଷୟରେ ନିଷ୍ପତ୍ତି ନହେଲା ଯାଏଁ, ଏବଂ ଫ୍ରୀଡ଼ା ପୁଣି ମଦବିକା ଘରେ ଯାଇ କାମ କରିବ । ଫ୍ରୀଡ଼ା ପାଇଁ ସେଇଟା ଭଲ ହେବ । ସେ ତମର ସ୍ତ୍ରୀ ହେବା ପଛରେ କିଛି ଯୁକ୍ତି ଯୁକ୍ତତା ନଥିଲା । ଏବଂ ସେ ଆପଣଙ୍କ ପାଇଁ ଯେତିକି ତ୍ୟାଗ କରିବାକୁ ପ୍ରସ୍ତୁତ ଥିଲା, ତା’ର ମୂଲ୍ୟ ବି ଆପଣ ବୁଝିଲେ ନାଇଁ । କିନ୍ତୁ ଝିଅଟା ଏତେ ଭଲ ସେ ତଥାପି ସେମିତି କରିବ ନ କରିବ ହେଉଥିଲା, ବୋଧେ ସେ ଆପଣଙ୍କ ପ୍ରତି ଅନ୍ୟାୟ କରୁଚି ବୋଲି ଭାବୁଥିଲା, ଆପଣ ବାର୍ଣ୍ଣାବାସ୍‌ର ଭଉଣୀ ପାଖକୁ ନଯାଇ ପାରିଥାନ୍ତି ମଧ୍ୟ ବୋଲି ଭାବିଲା । ଯଦିଓ ଆପଣ କୁଆଡ଼େ ଯାଇଚନ୍ତି ଯେ ବିଷୟରେ ସନ୍ଦେହ ନଥିଲା, ମୁଁ ଶେଷଥର ପାଇଁ ସେ ବିଷୟରେ ନିଶ୍ଚିତ ହୋଇଯିବା ପାଇଁ ସେଠିକି ଯାଇଥିଲି, କାରଣ ଏତେ ସବୁ ବ୍ୟସ୍ତତା ପରେ ଫ୍ରୀଡ଼ା ଟିକିଏ ଶାନ୍ତିରେ ଶୋଇବା ଦରକାର, ମୋ କଥା ଛାଡ଼ନ୍ତୁ । ତେଣୁ ମୁଁ ଗଲି ଏବଂ ସେଠି ଖାଲି ଆପଣଙ୍କୁ ଯେ ଦେଖିଲି ତା’ ନୁହେ ଆପଣ ସେ ଝିଅ ଯୋଡ଼ାକ ବେକରେ ଯେ ପଘା ପକାଇ ରଖିଚନ୍ତି ତା’ ବି ଦେଖିଲି, ବେଶୀ ସେଇ କାଳୀ ଝିଅଟା-ବଣ ବିଲେଇ ଖଣ୍ଡେ ସିଏ ଆପଣଙ୍କୁ ଖାପଚରେ ପକେଇଚି । ହେଉ ଯାହାର ଯାହା ରୁଚି । କିନ୍ତୁ ସେ ଯା’ ହେଉ, ଆପଣ ଘରକଡ଼ ବିଗିଚା ଭିତରେ ପଶି ଏତେ ବାଟ ବୁଲି ଆସିବା କିଛି ଦରକାର ନଥିଲା, ମୁଁ ସେ ବାଟଟା ଜାଣିଚି ।

 

ତେଣୁ ଯେଉଁ ଘଟଣା ଘଟିବ ବୋଲି ସେ ଆଶଙ୍କା କରୁଥିଲା ଏବଂ ଯାହାକୁ ସେ ଅଟକାଇ ପାରିନଥାନ୍ତା ସେ ଘଟଣାଟା ଶେଷରେ ଘଟିଗଲା ବର୍ତ୍ତମାନ । ଫ୍ରୀଡ଼ା ତାକୁ ଛାଡ଼ି ପଳାଇଥିଲା । ଶେଷ ଥର ପାଇଁ ବୋଧହୁଏ, ଘଟଣାଟା ଏତେ ଖରାପ ହୋଇ ଘଟିନଥିଲା, ଫ୍ରୀଡ଼ାକୁ ପୁଣି ଫେରାଇ ଆଣି ହେବ, ଯେକୌଣସି ଅଜଣା ଅଶୁଣା ଲୋକ ତାକୁ ପ୍ରଭାବିତ କରି ଦେଇ ପାରିବେ, ଯେଉଁ ମାନେ କି ଫ୍ରୀଡ଼ାର ଏବଂ ସେମାନଙ୍କର ଅବସ୍ଥାକୁ ଏକ ପ୍ରକାର ବୋଲି ଭାବୁଥିଲେ, ଏବଂ ଯେଉଁ ମାନଙ୍କର ଚାକିରୀ ଛାଡ଼ି ଦେବା କଥା ଶୁଣି ଫ୍ରୀଡ଼ା ମଧ୍ୟ ଚାକିରୀ ଛାଡ଼ିଦେବ ବୋଲି ଜଣାଇ ଦେଇଥିଲା । କିନ୍ତୁ କେ. କୁ ଖାଲି ଥରେ ଫ୍ରୀଡ଼ା ପାଖକୁ ଯିବାକୁ ପଡ଼ିବ, ନିଜର ସଦଗୁଣ ବିଷୟରେ ଯାହା ସବୁ କହିବା କଥା କହିବାକୁ ପଡ଼ିବ, ଏବଂ ଫ୍ରୀଡ଼ା ସେ କଥା ଶୁଣି ଦୁଃଖ କରିବ ଏବଂ ତା ପାଖକୁ ଫେରି ଆସିବ, ବିଶେଷ କରି କେ. ଯଦି ସେ ଝିଅଙ୍କ ପାଖକୁ ଯାଇ କି ଲାଭ ପାଇଲା, ସେ ବିଷୟରେ ଫ୍ରୀଡ଼ାକୁ ବୁଝାଇ କହିଦେଇ ପାରିବ । ତଥାପି ଫ୍ରୀଡ଼ାକୁ କେମିତି ପୁଣି ବୁଝାଇ ଶୁଝାଇ ଆଣିପାରିବ, ସେ ବିଷୟରେ ଏତେ ଚିନ୍ତା କରିବା ସତ୍ତ୍ୱେ ସେ ନିଜେ ସେଥିରେ ସନ୍ତୁଷ୍ଟ ହୋଇପାରିଲା ନାହିଁ । ଏଇ କେତେ ମିନିଟ ତଳେ ସେ ଓଲଗା ଆଗରେ ଫ୍ରୀଡ଼ାକୁ ପ୍ରଂଶସା କରୁଥିଲା, ତା’ର ଏକମାତ୍ର ଆଶ୍ରା ବୋଲି କହୁଥିଲା; କିନ୍ତୁ ଫ୍ରୀଡ଼ା ସେମିତି ଗୋଟାଏ ଟାଣୁଆ ଆଶ୍ରା ନଥିଲା, ଫ୍ରୀଡ଼ାକୁ କେ ପାଖରୁ ଛଡ଼ାଇ ନେବା ପାଇଁ ବଡ଼ ବଡ଼ିଆଙ୍କ ହସ୍ତକ୍ଷେପ ଦରକାର ହୋଇ ନଥିଲା-ଏପରିକି ଏଇ ଗୋଳମାଳିଆ ସହକାରୀ ଜଣକ ସେଥିପାଇଁ ଯଥେଷ୍ଟ ହେଲା । ଫ୍ରୀଡ଼ା ଥିଲା ସେମିତି ଗୋଟିଏ କଣ୍ଢେଇ ଯିଏକି ବେଳେ ବେଳେ ଧାରଣା ଦେଉଥିଲା ଯେ ତା’ ଭିତରେ ଠିକ ଜୀବନ ନାହିଁ ।

 

ଜେରେମିଆ ପଳାଇଯିବାକୁ ବସିଥିଲା । କେ. ତାକୁ ପଛରୁ ଡାକ ପକାଇଲା । ‘ଜେରେମିଆ’ ସେ କହିଲା, ମୁଁ ତମ ସାଙ୍ଗରେ ବେଶ୍‌ ଖୋଲା ଖୋଲି କଥାବାର୍ତ୍ତା କରିବାକୁ ଚାହେଁ । ଠିକ୍‍ ସେମିତି ଖୋଲା ଖୋଲି ଭାବରେ ମୋର ଗୋଟିଏ ପ୍ରଶ୍ନର ଉତ୍ତର ଦିଅ । ଆମେ ଆଉ ଖାଉନ୍ଦ ଚାକର ହୋଇ ନାହେଁ ଏଇଟା ଖାଲି ତମ ପାଇଁ ନୁହେଁ ମୋ ପାଇଁ ବି ଖୁସିର କଥା; ଆଉ ସେଇଥିପାଇଁ ଆମେ ପରସ୍ପରକୁ ମିଛ କହିବାର କୌଣସି କାରଣ ନାଇ । ତମ ଆଖି ଆଗରେ ମୁଁ ଏଇ ବେତଟା ଶୂନ୍ୟରେ ବାଡ଼ାଉଚି ଏଇଟା ମୁଁ ତମକୁ ବାଡ଼େଇବା ପାଇଁ ଆଣିଥିଲି, କାରଣ ତମକୁ ଡରିଯାଇ ମୁଁ ପଛ ପଟ ରାସ୍ତାରେ ଆସି ନଥିଲି, କିନ୍ତୁ ଆସିଥିଲି ତମକୁ ଆଶ୍ଚର୍ଯ୍ୟ କରିଦେବି ବୋଲି, ଏବଂ ତମ କାନ୍ଧରେ ଏଇଟା କେତେଥର ବାଡ଼େଇବି ବୋଲି । କିନ୍ତୁ ମୋତେ ଖରାପ ଭାବନି, ସେସବୁ କଥା କୁଆଡ଼େ ଗଲାଣି । ତମକୁ ଯଦି ବିରୋ ଜଣେ ଚାକର ଭାବରେ ମୋ ଉପରେ ଲଦି ଦେଇନଥାନ୍ତା, ତମେ ଯଦି ମୋର ଜଣେ ସାଧାରଣ ଚିହ୍ନା ପରିଚୟ ଲୋକ ହୋଇଥାନ୍ତ, ଆମେ ଖୁବ୍‍ ଆରାମରେ ଚଳିଥାନ୍ତେ, ବେଳେ ବେଳେ ତମକୁ ଦେଖି ମତେ ବିରକ୍ତ ଲାଗୁ ପଛକେ । ଏବଂ ଆମେ ସେୟା ସେମିତି ହୋଇଥିବାରୁ ଯାହା ସବୁ ହରାଇ ବସିଚେ, ବର୍ତ୍ତମାନ ସେସବୁ ଫେରିପାଇ ପାରିବା ।’’ ‘ଆପଣ ସତରେ କଣ ସେମିତି ଭାବୁଚନ୍ତି ? ହାଇମାରି ହାଲିଆ ହୋଇ ଆଖି ବୁଜି ଦେଇ ସରକାରୀ ଜଣକ କହିଲା । ‘‘ମୁଁ ଅବଶ୍ୟ ଘଟଣାଟାକୁ ଆହୁରି ଭଲ ଭାବରେ ବୁଝାଇପାରିଥାନ୍ତି, କିନ୍ତୁ ମୋ’ ହାତରେ ସମୟ ନାଇଁ, ମତେ ଫ୍ରୀଡ଼ା ପାଖକୁ ଯିବାକୁ ପଡ଼ିବ, ବିଚାରୀ ମତେ ଅପେକ୍ଷା କରିଚି ସେ ତା’ ନୂଆ ଚାକିରୀ ଏଯାଏଁ ଆରମ୍ଭ କରିନି, ମୁଁ ଅନୁରୋଧ କରିବାରୁ ହୋଟେଲ୍‌ ମାଲିକ ତା’କୁ କେଇ ଘଣ୍ଟା ପାଇଁ ରିହାତି ଦେଇଚନ୍ତି-ସେ ସେଇକ୍ଷଣି କାମରେ ଲାଗିଯିବାକୁ ଚାହୁଁଥିଲା, ବୋଧେ ସବୁ କଥା ଭୁଲି ହୋଇଯିବ ବୋଲି-ଏବଂ ଆମେ ସେଇ ଟିକକ ସମୟ ଅନ୍ତତଃ ଏକାଠି କଟାଇବାକୁ ଚାହୁଁଚୁ । ଆପଣ ଯୋଉକଥା କହିଲେ, ମୁଁ ଆପଣଙ୍କୁ ଠକିବାର କାରଣ ନିଶ୍ଚେ କିଛି ନାଇଁ, କିନ୍ତୁ ଆପଣଙ୍କୁ ବିଶ୍ୱାସ କରି କହିବାର କିଛି ମଧ୍ୟ ମୋର ନାଇଁ-। ଅନ୍ୟ ଭାବରେ କହିଲେ, ମୋ’ କଥାଠୁ’ ଆପଣଙ୍କ କଥା ଦୋସରା । ଆପଣଙ୍କ ସାଙ୍ଗରେ ମୋର ଯେତେଦିନ ଯାଏ ଜଣେ ଚାକରର ସଂପର୍କ ଥିଲା, ଆପଣ ସ୍ୱାଭାବିକ ଭାବରେ ମୋ’ ଆଖିରେ ଜଣେ ବଡ଼ ଲୋକ ଥିଲେ, ସେଥିପାଇଁ ଆପଣଙ୍କର ଯେ ଗୁଣ ଥିଲା ତା’ ନୁହେ, ମୋ’ ଚାକିରୀ ଥିଲା ସେମିତି, ଆପଣ ଯାହା ଚାହିଁବେ ମୁଁ ତାହା କରିଦେବା କଥା । କିନ୍ତୁ ମୋ’ ପାଇଁ ଆପଣଙ୍କର ଆଉ କୌଣସି ଗୁରୁତ୍ୱ ନାଇଁ । ଏପରିକି ଆପଣ ବେତଟା ପିଟି ପିଟି ଭାଙ୍ଗିଦେଲେ ବି ମୋର କିଛି ଯାଏ ଆସେ ନାଇଁ, ସେଇଟା ଖାଲି ମତେ ମନେ ପକାଇ ଦେଉଚି; ମୋ’ ଖାଉନ୍ଦ କି ନିଷ୍ଠୁର ଲୋକ, ଆପଣ ତା’ କଲେ ଆପଣଙ୍କ ବିଷୟରେ ମୋ’ ମତ ବଦଳି ଯିବନାଇଁ ।’’ ‘‘ତମେ ଏମିତି କଥାବାର୍ତ୍ତା କରୁଚ,’’ କେ. କହିଲା, ‘‘ସତେ ଯେମିତି ଭବିଷ୍ୟତରେ ମତେ ଡରିବାର ଆଉ କାରଣ କିଛି ରହିବ ନାଇଁ ବୋଲି ତମେ ନିଶ୍ଚିତ । କିନ୍ତୁ ପ୍ରକୃତରେ ତା’ ଠିକ୍‌ ନୁହେ । ଯୋଉ ଦୃଷ୍ଟିରୁ ଦେଖୁଚ ଦେଖ, ତମେ ଏଯାଏଁ ମୋ’ଠୁ ମୁକୁଳିନ, ଏଠି ତ ଏମିତିକା ବିଷୟ ସବୁ ଏତେ ଶୀଘ୍ର ନିଷ୍ପତ୍ତି ହୋଇଯାଏନି-’’ ‘‘ବେଳେ ବେଳେ ଆହୁରି ଶୀଘ୍ର ହୋଇଯାଏ,’’ ଜେରେମିଆ କହି ପକାଇଲା-। ‘‘ବେଳେ ବେଳେ,’’ କେ. କହିଲା, ‘‘କିନ୍ତୁ ଏଥର ତା’ ହୋଇଚି ବୋଲି ତ କୌଣସି ପ୍ରମାଣ ନାଇଁ, ଅନ୍ତତଃ ତମେ ନୁହ କି ମୁଁ ନୁହ, କେହି ତ ତା’ ପ୍ରମାଣ କରି ପାରିବାନି । କାଗଜ ପତ୍ରରେ ଲେଖା ଲେଖି ଆରମ୍ଭ ହୋଇଚି କେବଳ, ଯାହା ମନେ ହେଉଚି ଏବଂ ସେଥିରେ ହସ୍ତକ୍ଷେପ କରିବାକୁ ମୁଁ ଏଯାଏଁ ଚେଷ୍ଟା କରିନି, କିନ୍ତୁ ମୁଁ ତା’ କରିବି । ଯଦି ୟାର ପରିଣତି ତମ ପାଇଁ ଖରାପ ହୁଏ, ତମେ ଦେଖିବ ଯେ ତମେ ତମ ଖାଉନ୍ଦର ମନ ଠିକ୍‌ ଜିଣି ପାରିନଥିଲ, ଏବଂ ବେତଟା ଭାଙ୍ଗିଦେବା ମୋଟେ ଦରକାର ନଥିଲା । ଏବଂ ତା’ପରେ ତମେ ଫ୍ରୀଡ଼ାକୁ ଅପହରଣ କରି ନେଇଚ, ଏବଂ ସେୟା କରିଚ ବୋଲି ତମେ ନିଜକୁ ବେଶ୍‌ ବଡ଼ ମନେ କରୁଚ, କିନ୍ତୁ ଦେଖ, ତମ ପ୍ରତି ମୋର ଶ୍ରଦ୍ଧା ଅଛି, ତମର ମୋ ପ୍ରତି କିଛି ନଥାଉ ପଛକେ ଏବଂ ମୁଁ ଫ୍ରୀଡ଼ାକୁ କେତେ ପଦ କଥା କହିଦେଲେ ସେତିକି ଯଥେଷ୍ଟ ହେବ; ମୁଁ ଜାଣେ, ତମେ ମୋ ବିଷୟରେ ଯୋଉସବୁ ମିଛ କଥା ତା’କୁ କହିଚ, ସେ ସବୁ କୁଆଡ଼େ ମିଳେଇଯିବ । ଏବଂ କେବଳ ସେଇ ମିଛ କଥା ଗୁଡ଼ାକ ଯୋଗୁଁ ଫ୍ରୀଡ଼ା ମୋ‘ଠୁ ଦୂରେଇଁ ଯାଇଚି ।’’ ‘‘ଏସବୁ କଥାରେ ମୁଁ ଡରିଯିବା ଲୋକ ନୁହ ଜେରେମିଆ କହିଲା,’’ ଆପଣ ତ ମତେ ଜଣେ ସହକାରୀ ହିସାବରେ ମୋଟେ ଚାହାଁନ୍ତି ନାଇଁ, ମୁଁ ସହକାରୀ ଥିଲା ବେଳେ ବି ଆପଣ ମତେ ଡରୁଥିଲେ, ଆପଣଙ୍କର ତ ସହକାରୀମାନଙ୍କୁ ସହଜରେ ଡର, ସେଇ ଡର ଯୋଗୁଁ ହିଁ ଆପଣ ବିଚରା ଆର୍ଥର୍‌କୁ ମାରିଲେ ।’’ ‘‘ହୋଇପାରେ, କେ. କହିଲା, ‘‘କିନ୍ତୁ ସେଥିପାଇଁ ମାଡ଼ଟା କ’ଣ କମ୍‌ କାଟିଲା ? ବୋଧେ ସେଇ ଭାବରେ ମୋର ଡରକୁ ମୁଁ ଅନେକ ଥର ଦେଖାଇ ପାରିବି-। ଥରେ ଯଦି ମୁଁ ଦେଖିଲି ଯେ ଜଣେ ସହକାରୀ ଭାବରେ କାମ କରି ତମେ ଖୁସି ହୋଇ ପାରୁନ, ମୋର ସବୁ ରକମର ଡର ସତ୍ତ୍ୱେ ତମକୁ ସେଇ କାମରେ ରଖିପାରିଲେ ମତେ ଭାରି ସୁଖ ଲାଗିବ-। ଏବଂ ୟା ଛଡ଼ା ଆସନ୍ତା ଥରକୁ ଆର୍ଥର୍‌କୁ ନ ଆଣି ତମେ ନିଜେ ଏକା ଯେମିତି ଆସିବ ତା’ର ବ୍ୟବସ୍ଥା ମୁଁ କରିବି, ସେତେବେଳେ ମୁଁ ତମ ପ୍ରତି ବେଶୀ ଦୃଷ୍ଟି ଦେଇ ପାରିବି ।’’ ‘‘ଆପଣ କ’ଣ ଭାବୁଚନ୍ତି,’ ଜେରେମିଆ ପଚାରିଲା,’’ ଏଥିରେ ମୋର ତିଳେ ହେଲେ ଭୟ ଅଛି ?’’ ‘‘ହଁ, ଭାବୁଚି,’’ କେ. କହିଲା, ‘‘ତମେ ଯେ ଟିକିଏ ଡରି ଯାଇଚ ତା’ ନିଶ୍ଚିତ, ଆଉ ତମର ଯଦି ବୁଦ୍ଧି ବିବେକ ଅଛି, ତମେ ବେଶୀ ଡରିବ । ଯଦି ତା’ ନହୋଇଥାନ୍ତା, ତମେ ସିଧା ଫ୍ରୀଡ଼ା ପାଖକୁ ପଳାଇ ଗଲନି କାହିଁକି ? ତେବେ ମତେ କହିଦିଅ, ତମେ କ’ଣ ତା’କୁ ଭଲପାଉଚ-? ‘‘ଭଲପାଉଚି ।’’ ଜେରେମିଆ କହିଲା । ‘‘ସିଏ ଗୋଟିଏ ଭଲ ଝିଅ; ଚାଲାକ ଚତୁର, କ୍ଲାମ୍‌ଙ୍କର ଜଣେ ପୂର୍ବତନ ପ୍ରେମିକା, ତେଣୁ ଯାହା ହେଲେ ବି ତା’କୁ ସମ୍ମାନ ଦେଖାଇବା କଥା । ଏବଂ ସେ ଯେତେବେଳେ ତମ କବଳରୁ ତା’କୁ ରକ୍ଷା କରିବା ପାଇଁ ମୋ’ ସାଙ୍ଗରେ ବାରମ୍ବାର ଲାଗିଲା, ମୁଁ ତା’କୁ ସେତକ ସାହାଯ୍ୟ ନ କରିବି କାହିଁକି ? ବିଶେଷ କରି ମୁଁ ଯେତେବେଳେ ଆପଣଙ୍କର କିଛି କ୍ଷତି କରୁନି, ମୁଁ ଯେତେବେଳେ ଦେଖୁଚି ଯେ ଏଇ ବାଜେ ଧରଣର ଝିଅ ଯୋଡ଼ାକ, ବାର୍ଣ୍ଣାବାସ୍‌ର ଭଉଣୀ ଯୋଡ଼ାକ ସାଙ୍ଗରେ ଆପଣ ବେଶ୍‌ ଖୁସିରେ ଅଛନ୍ତି ।’’ ‘‘ବର୍ତ୍ତମାନ ମୁଁ ଦେଖିପାରୁଚି ତମେ କେତେ ଡରିଯାଇଚ,’’ କେ. କହିଲା, ‘‘ଭୟରେ ତମର ପିଳେଇ ପାଣି ହେଲାଣି; ତମେ ମତେ ଗୁଡ଼େ ମିଛ କହି ବାଆଁରେଇ ଦେବାକୁ ବସିଚ । ଫ୍ରୀଡ଼ା ଖାଲି ଏତିକି ଚାହୁଁଥିଲା, ସେଇ ସହକାରୀ ବୋଲାଉଥିବା ଅସନ ଘଷୁରି ଯୋଡ଼ାଙ୍କଠୁ’ ନିଜକୁ ରକ୍ଷା କରିବାକୁ, ସେ ଯୋଡ଼ାକ ସୀମା ବାହାରକୁ ଚାଲିଯାଉଥିଲେ, କିନ୍ତୁ ଦୁଃଖରେ କଥା ତା’ର ଇଚ୍ଛା ପୂରା କରିବାକୁ ମୋର ସମୟ ନଥିଲା, ଏବଂ ବର୍ତ୍ତମାନ ମୋ’ ହେଳାର ଫଳ ଫଳିଲା ଏୟା ।’’

 

ଅମିନବାବୁ, ଅମିନବାବୁ ! କେହି ଜଣେ ବାହାରେ ଦାଣ୍ଡରେ ପାଟି କରି ଡାକିଲା । ବାଣ୍ଣାବାସ୍‌ ଡାକୁଥିଲା । ସେ ଧଇଁ ସଇଁ ହୋଇ ଧାଇଁ ଆସିଲା, କିନ୍ତୁ କେ. କୁ ମୁଣ୍ଡ ନୁଆଇଁ ସମ୍ମାନ ଦେଖାଇବାକୁ ଭୁଲିଲାନାହିଁ । ‘କାମଟା ହୋଇଗଲା !’’ ସେ କହିଲା । ‘‘କୋଉ କାମଟା ?’’ କେ. ପଚାରିଲା ।’’ କ୍ଳାମ୍‌ଙ୍କ ଆଗରେ ମୋର ଅନୁରୋଧ ଜଣାଇଦେଲେ ?’’ ‘‘ତା’ ହୋଇ ପାରିଲାନାଇଁ,’’ ବାର୍ଣ୍ଣାବାସ୍‌ କହିଲା ‘‘ମୁଁ ସବୁ ଚେଷ୍ଟା କଲି, କିନ୍ତୁ ସେଟା ହେଲାନି, ମୁଁ ଭାରି ଉଦ୍‌ଗ୍ରୀବ ହୋଇ ସାରାଦିନ ଠିଆ ହୋଇ ରହିଲି କେହି ମତେ କିଛି ପଚାରିଲେନି, ଏବଂ ମୁଁ ଟେବୁଲ୍‌କୁ ଏତେ ଲାଗି ଠିଆ ହୋଇଥିଲି ଯେ ଜଣେ କିରାଣୀ ମତେ ପ୍ରକୃତରେ ଠେଲି ଦେଲା, କାରଣ ମୁଁ ତା’ ମୁହଁ ଆଗରେ ମୁଁ ଠିଆ ହୋଇଥିଲି, କ୍ଲାମ ଯେତେବେଳେ ମୁହଁ ଟେକି ଅନାଇଁଲେ; ମୁଁ ଆସିଚି ବୋଲି ତାଙ୍କୁ ହାତ ଟେକି ଜଣାଇ ଦେଲି-ଏବଂ ସେମିତି କିଛି କରିବା ମନା-ବୁରୋରୁ ସମସ୍ତେ ଚାଲି ଯାଇଥିଲେ, ଖାଲି ମୁଁ ଥିଲି ଆଉ ଚାକର ବାକର ଗୁଡ଼ାକ ଥିଲେ, କିନ୍ତୁ ଭାଗ୍ୟକୁ କ୍ଲାମ ପୁଣି ଥରେ ସେଠିକି ବାହୁଡ଼ିଲେ, କିନ୍ତୁ ସେ ମୋ’ ପାଇଁ ବାହୁଡ଼ିନଥିଲେ ସେ କେବଳ ଆସିଥିଲେ ତରବରିଆ ଭାବରେ ବହିରେ କ’ଣ ଗୋଟାଏ ଦେଖିନେବାକୁ, ଏବଂ ସେଇକ୍ଷଣି ପୁଣି ବାହାରିଗଲେ, ଶେଷରେ, ମୁଁ ଯେତେବେଳେ ସେଠୁ ଘୁଞ୍ଚୁନି ଦେଖିଲେ ଚାକର ଗୁଡ଼ାକ ମତେ ଛାଞ୍ଚୁଣୀ ଝାଡ଼ୁରେ ଠେଲି ଠେଲି ସେଠୁ ବାହାର କରିଦେଲେ ମୁଁ ଏତେ ସବୁକଥା କହୁଚି ଏଇଥିପାଇଁ, ମୁ’ ଚେଷ୍ଟା କରିନି ବୋଲି ଭବିଷ୍ୟତରେ ଆପଣ କେବେ ଯେମିତି ନ କହନ୍ତି ।’’ ‘‘ତମର ଏତେ ସବୁ ଚେଷ୍ଟାରେ ମୋର କି ଲାଭ ହେଲା, ବାର୍ଣ୍ଣାବାସ୍‌’’ କେ. କହିଲା, କୋଉଥରେ, ତ କିଛି କାମ ହେଲାନି ?’’ ‘‘କିନ୍ତୁ କାମ ହୋଇଚି କିଛି ।’’ ବାର୍ଣ୍ଣାବାସ୍‌ ଉତ୍ତର ଦେଲା । ମୁଁ ବୁରୋରୁ ବାହାରି ଆସୁଚି-ସେଟାକୁ ମୋ’ ବୁରୋ ବୋଲି ମୁଁ କୁହେ-ଦେଖିଲି ଜଣେ ଭଦ୍ରଲୋକ ଗୋଟିଏ ବାରନ୍ଦା ଉପରେ ଆସ୍ତେ ଆସ୍ତେ ଚାଲିଚାଲି ମୋ’ ଆଡ଼କୁ ଆସୁଛନ୍ତି । ସେଇ ବାରନ୍ଦା ଗୁଡ଼ାକରେ ସେଇ ଜଣକ ଛଡ଼ା ଆଉ କେହି ଜଣେ ବି ଦିଶୁନଥିଲା । ସେତେବେଳକୁ ପ୍ରକୃତରେ ଅନେକ ଡେରି ହେଲାଣି । ମୁଁ ଠିକ୍‌ କଲି ସେ ଆସିବା ଯାଏଁ ଅପେକ୍ଷା କରିବି । ଆଉ କିଛି ବେଳ ଅପେକ୍ଷା କରିବା ପାଇଁ ତା’ ଗୋଟିଏ ଭଲ ଆଳ ହୋଇ ଯୁଟିଲା, ତେବେ ଯାହା ହେଲେ ବି, ମୁଁ ଆହୁରି କେତେ ସମୟ ଅପେକ୍ଷା କରିଥାନ୍ତି, ଆପଣଙ୍କ ପାଖକୁ ବିଫଳତାର ଖବର ନେଇ ନ ଆସିବାପାଇଁ । ତା’ ଛଡ଼ା ଅପେକ୍ଷା କରିବା ବି ଦରକାର ଥିଲା, କାରଣ ସେଇ ଭଦ୍ରଲୋକ ଜଣକ ଥିଲେ ଅର୍ଲାଙ୍ଗର୍‌ । ଆପଣ ତା’ଙ୍କୁ ଜାଣିନାହାଁନ୍ତି-? ସେ କ୍ଲାମ୍‌ଙ୍କର ଜଣେ ମୁଖ୍ୟ ସଚିବ । ଦୁବଲା ପତଲା ସାନ ମଣିଷଟିଏ, ଟିକିଏ ଛୋଟେଇ ଛୋଟେଇ ଚାଲନ୍ତି । ସେ ମତେ ସେଇକ୍ଷଣି ଚିହ୍ନି ପକାଇଲେ, ତାଙ୍କର ସ୍ମୃତି ଶକ୍ତି ପାଇଁ, ବିଭିନ୍ନ ଲୋକଙ୍କ ବିଷୟରେ ତାଙ୍କର ଜ୍ଞାନ ପାଇଁ, ସେ ଖୁବ୍‌ ପ୍ରସିଦ୍ଧ, ସେ କେବଳ ନିଠେଇ ଚାହିଁ ଦିଅନ୍ତି ଏବଂ ଲୋକଙ୍କୁ ଚିହ୍ନି ପକାଇବା ପାଇଁ ସେତିକି ଯଥେଷ୍ଟ, ଅନେକ ସମୟରେ ସେ କେବେ ଆଗରୁ ଦେଖି ନଥିବା ଲୋକଙ୍କୁ ମଧ୍ୟ ଚିହ୍ନି ପକାନ୍ତି, ଖାଲି ସେ ଲୋକ କଥା ଆଗରୁ ଶୁଣିଥିବେ କିମ୍ବା କୋଉଠି ପଢ଼ିଥିବେ; ଏଇ ତ ଦେଖିଲେ, ସେ ମତେ ବା ଆଗରୁ ଦେଖିଥିଲେ କେବେ ? କିନ୍ତୁ ଯଦିଓ ସେ ଲୋକଙ୍କୁ ଦେଖିଲା କ୍ଷଣି ଚିହ୍ନି ପକାନ୍ତି ସେ ଯେମିତି ଠିକ୍‌ ଧରି ପାରୁନାହାଁନ୍ତି ସେମିତି ପ୍ରଥମେ ପଚାରି ନିଅନ୍ତି, । ତମେ ବାର୍ଣ୍ଣାବାସ୍ ତ ? ସେ ମତେ ପଚାରିଲେ । ଏବଂ ତା’ ପରେ କହି ଚାଲିଲେ: ତମେ ଅମିନବାବୁଙ୍କୁ ଜାଣିଚ, ନା ଜାଣିନ ? ଏବଂ ତା’ପରେ ସେ କହିଲେ ବେଶ୍‌ ଭଲ ହେଲା । ମୁଁ ବର୍ତ୍ତମାନ ହେରେନ୍‌ହଫ୍‌ ଯାଉଚି । ଅମିନବାବୁ ସେଠିକି ଆସି ମତେ ଦେଖା କରିବେ । ମୁଁ ୧୫ ନମ୍ବର ରୁମରେ ଥିବି । କିନ୍ତୁ ତାଙ୍କୁ ଏଇକ୍ଷଣି ଆସିବାକୁ ପଡ଼ିବ । ମୁଁ ସେଠି ଖାଲି ଅଳ୍ପ କେତେଟା ବିଷୟ ବୁଝା ବୁଝି କରିଦେଇ ସକାଳ ୫ଟାରେ ପୁଣି ଦୁର୍ଗକୁ ବାହୁଡ଼ିଯିବି । ତାଙ୍କୁ କହିଦେବ, ତାଙ୍କ ସାଙ୍ଗରେ ମୋର ଅତି ଜରୁରୀ କଥାବାର୍ତ୍ତା ଅଛି ।

 

ହଠାତ୍‌ ଜେରେମିଆ ଦୌଡ଼ିବାକୁ ଆରମ୍ଭ କରିଦେଲା । ବାର୍ଣ୍ଣାବାସ୍‌ ଏତେ ଉତ୍ତେଜିତ ହୋଇ ପଡ଼ିଥିଲା ଯେ ସେ ସେଠି ଠିଆ ହୋଇଥିବା ସେ ଏଯାଏଁ ଲକ୍ଷ୍ୟ କରି ନଥିଲା । ବାର୍ଣ୍ଣାବାସ୍‌ ପଚାରିଲା : ‘‘ଜେରେମିଆ କୁଆଡ଼େ ଯାଉଚି ?’’ ‘‘ମୋ’ ଆଗରୁ ଅର୍ଲାଙ୍ଗର୍‌ଙ୍କ ପାଖରେ ପହଞ୍ଚିଯିବ ବୋଲି ।’’ କେ. କହିଲା, ଏବଂ ଜେରେମିଆ ପଛରେ ଦୌଡ଼ିଲା, ତା’କୁ ଧରିଲା, ତା’ ଡେଣାକୁ ପକଡ଼ି କହିଲା : ‘‘ଫ୍ରୀଡ଼ାକୁ ପାଇବା ପାଇଁ କ’ଣ ହଠାତ୍‌ ଇଚ୍ଛା ହେଲାଯେ ତମେ ଏମିତି ଦୌଡ଼ିଚ ? ମୋର ବି ସେମିତିକା ଇଚ୍ଛା ହେଉଚି, ତେଣୁ ଆମେ ଦୁହେଁ ଯାକ ଯିବା, ହାତ ଧରାଧରି ହୋଇ ।’’

 

ସତର

 

ଅନ୍ଧାର ହୋଇଥିବା ହେରେନ ହଫ୍‌ ସାମ୍ନାରେ ଦଳେ ଲୋକ ଠିଆ ହୋଇଥାନ୍ତି, ସେମାନଙ୍କ ଭିତରୁ ଦୁଇ ତିନିଜଣ ଲଣ୍ଠନ ଧରିଥାନ୍ତି, ତେଣୁ ଏଠି ସେଠି ଗୋଟେ ଅଧେ ଚିହ୍ନା ମୁହଁ ଦିଶିଯାଉଥାଏ । କେ. କେବଳ ଜଣେ ପରିଚିତ ଲୋକକୁ ଦେଖି ପାରିଲା ସେ ଦେଉଚି ଗାଡ଼ିବାଲା ଗରଷ୍ଟ୍ୟାକର । ଗରଷ୍ଟ୍ୟାକର ଏଇ ପ୍ରଶ୍ନ ପଚାରି କେ, କୁ ସମ୍ଭାଷଣ ଜଣାଇଲା ‘ଆପଣ ଏଯାଏଁ ଗାଁରେ ଅଛନ୍ତି ?’’ ‘ହଁ’ କେ, ଉତ୍ତର ଦେଲା । ମୁ ଏଠିକି ସବୁଦିନ ପାଇଁ ପଳାଇ ଆସିଚି ।’’ ‘ସେଥିରେ ମୋର କିଛି ଯାଏ ଆସେନା,’ ଗରଷ୍ଟ୍ୟାକର କହିଲା ତା’ ପରେ ଜୋରରେ କାଶି କାଶି ଅନ୍ୟମାନଙ୍କ ଆଡ଼କୁ ଚାଲିଗଲା ।

 

ଯାହା ଜଣା ପଡ଼ିଲା, ସେମାନେ ଅର୍ଲାଙ୍ଗରଙ୍କୁ ଅପେକ୍ଷା କରିଥାନ୍ତି । ଅର୍ଲାଙ୍ଗର ଆସି ପହଞ୍ଚି ଯାଇଥାନ୍ତି, କିନ୍ତୁ ଅନ୍ୟ ମାନଙ୍କୁ ଦେଖା ଦେବା ଆଗରୁ ସେ ମୋମସଙ୍କ ସାଙ୍ଗରେ ପରାମର୍ଶ କରୁଥାନ୍ତି । ସେମାନଙ୍କୁ ଭିତରେ ଯାଇ ଅପେକ୍ଷା କରିବାକୁ ଦିଆ ଯାଉନାହିଁ, ସେମାନେ ବାହାରେ ବରଫରେ ଠିଆ ହେବାକୁ ବାଧ୍ୟ ହେଉଛନ୍ତି ବୋଲି ସେମାନେ ଅଭିଯୋଗ କରୁଥାନ୍ତି । ପାଗ ସେମିତି କିଛି ଖରାପ ନଥିଲା, ତଥାପି ସେମାନଙ୍କୁ ଘରଟା ଆଗରେ ଅନ୍ଧାରରେ ହୁଏତ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବ-ଏଥିରୁ ଉପରିସ୍ଥମାନଙ୍କର ବିଚାର ହୀନତାର ସୂଚନା ମିଳୁଥିଲା । ଅବଶ୍ୟ ଭୁଲଟା ଅର୍ଲାଙ୍ଗରଙ୍କର ନୁହେଁ ସେ ସବୁବେଳେ ପରିସ୍ଥିତି ସାଙ୍ଗରେ ଖୁବ ଆରେଇ ଯାଇପାରନ୍ତି ଲୋକେ ଏମିତି ଅପେକ୍ଷା କରିଚନ୍ତି ବୋଲି ସେ ଜାଣି ନଥିଲେ, ଯାଣିଲେ ସେ ନିଶ୍ଚୟ ବହୁତ ବିରକ୍ତ ହେବେ । ଦୋଷ ହେଲା ହେରେନ୍‌ହଫ୍‌ ମାଲିକାଣୀର । ତାର ରୁଚି ଜ୍ଞାନ ବହୁତ ବେଶୀ ବୋଲି ଦେଖାଇ ହେବାକୁ ଯାଇ ସେ ଏତେ ଗୁଡ଼ାଏ ଲୋକଙ୍କୁ ଏକା ସମୟରେ ହେରେନ୍‌ହଫ୍‌ ଭିତରେ ପୂରାଇ ଅସୁବିଧାରେ ପଡ଼ିବାକୁ ଚାହିଁଲା ନାହିଁ । ସେମାନେ ଆସିବା ଯଦି ନିହାତି ଦରକାର ଏବଂ ସେମାନେ ଯଦି ନିଶ୍ଚେ ଆସିବେ ତେବେ ଥରକେ ଜଣ ଜଣ କରି ଭିତରକୁ ଆସନ୍ତୁ, ବାବା । ସେ କହୁଥାଏ । ଲୋକେ ପ୍ରଥମେ ବାରନ୍ଦା ଉପରେ ଅପେକ୍ଷା କରିଥିଲେ, ତାପରେ ସେମାନେ ସିଡ଼ିରେ ଯାଇ ଠିଆ ହେଲେ, ତା’ପରେ ହଲ ଭିତରେ ଏବଂ ଶେଷରେ ମଦବିକା ଘରେ ଯାଇ ଠିଆ ହୋଇଗଲେ । ସେ ସମସ୍ତଙ୍କୁ ହୋଟେଲ ମାଲିକାଣୀ କୌଣସିମତେ ବାହାର କରିଦେଲା । କିନ୍ତୁ ସେତିକିରେ ମଧ୍ୟ ସେ ସନ୍ତୁଷ୍ଟ ହେଲା ନାହିଁ । ତା’ କହିବା ଅନୁସାରେ, ତା’ ନିଜ ଘର ଭିତରେ ଏମିତି ଘେରାଉ ହୋଇରହିବା ସେ ସହ୍ୟ କରି ପାରୁନଥିଲା । ସେ ଲୋକମାନେ ଏମିତି ଆସି ଅପେକ୍ଷା କାହିଁକି କରିବେ ସେ ବୁଝିପାରୁନଥିଲା । ‘ସାମ୍ନା ପାହାଚ ଅସନା କରି ଦେବାକୁ ଜଣେ ଅଫିସର ଥରେ ତା’କୁ ଏୟା କହିଥିଲେ, ନିଶ୍ଚୟ ରାଗରେ, କିନ୍ତୁ ଏ ମନ୍ତବ୍ୟଟା ତା’କୁ ଖୁବ୍‍ ଗୁରୁତ୍ୱପୂର୍ଣ୍ଣ ମନେ ହୋଇଥିଲା ଏବଂ ସେ ବାରମ୍ବାର ସେ କଥା କହି ହେଉଥିଲା । ହେରେନ୍‌ହଫ୍‌ ସାମ୍ନାରେ ଲୋକ ଅପେକ୍ଷା କରିବା ପାଇଁ ଗୋଟାଏ ଘର ତିଆରି କରାଇ ନେବା ପାଇଁ ସେ ବହୁତ ଚେଷ୍ଟା କରିଥିଲା-ସେଥିରେ ଅନେକେ ତା’କୁ ସମର୍ଥନ ଜଣାଇଥିଲେ । ପୂରା ହେରେନ୍‌ହଫ୍‌ ବାହାରେ ଯଦି ସବୁପ୍ରକାର ଭେଟ ଭେଟି ପଚରା ଉଚରା କରାଯାଉଥାନ୍ତା, ସେ ଭାରି ଖୁସି ହୋଇଥାନ୍ତା, କିନ୍ତୁ ଅଫିସରମାନେ ସେଥିରେ ରାଜି ହେଲେ ନାହିଁ, ଏବଂ ଅଫିସରମାନେ ଯେତେବେଳେ ଜୋରରେ ଆପତ୍ତି ଉଠାଇଲେ; ହେଟେଲ ମାଲିକାଣୀ ସେମାନଙ୍କ କଥା ଟାଳିପାରିଲା ନାହିଁ ସ୍ୱାଭାବିକ କଥା । ଅବଶ୍ୟ ଅନ୍ୟାନ୍ୟ ଛୋଟ ଛୋଟ ବିଷୟରେ ସେ ସ୍ୱେଚ୍ଛାଚାରିଣୀର କର୍ତ୍ତୃତ୍ୱ କିଛିଟା ଜାହିର୍‌ କଲା । ସେମିତି କରିବା ପାଇଁ ତା’ର ପ୍ରଚୁର ସ୍ତ୍ରୀ ଲୋକ ସୁଲଭ ଅଦ୍ୟମ ଉତ୍ସାହ ଥିଲା । ଏବଂ ହୋଟେଲ୍‌ ମାଲିକାଣୀକୁ ବୋଧହୁଏ ଚିରକାଳ ପାଇଁ ହେରେନ୍‌ହଫ୍‌ ଭିତରେ ଦେଖାଦେଖି ପଚରା ଉଚରା ଚାଲିବ ସହ୍ୟ କରିବାକୁ ପଡ଼ିବ, କାରଣ ଦୁର୍ଗରୁ ଆସିଥିବା ଭଦ୍ରଲୋକମାନେ ଗାଁ ଭିତରେ ସରକାରୀ କାର୍ଯ୍ୟ ତୁଲାଉଥିବା ବେଳେ ସେଠାରୁ ତିଳେ ହେଲେ ଘୁଚିବାକୁ ମନା କରିଦେଲେ । ସେମାନେ ସବୁବେଳେ ଖୁବ୍‌ ତରବର ହେଉଥାନ୍ତି, ଗାଁ ଭିତରକୁ ଆସିବାପାଇଁ ସେମାନଙ୍କର ମୋଟେ ଇଚ୍ଛା ନଥାଏ ଯେତିକି ସମୟ ରହିବା ନିହାତି ଦରକାର, ତା’ଠାରୁ ବେଶୀ ସମୟ ରହିବାପାଇଁ ସେମାନଙ୍କର ତିଳେ ମାତ୍ର ଇଚ୍ଛାନଥାଏ । ତେଣୁ, ହେରେନ୍‌ହଫ୍‌ ଭିତରେ ଗୋଳମାଳ ଯେମିତି ନହେବ, କେବଳ ସେଥିପାଇଁ କାଗଜପତ୍ର ଧରି ଅନ୍ୟ କେଉଁ ଯାଗାକୁ ଚାଲିଯିବାରେ ସମୟ ନଷ୍ଟ କରିବାପାଇଁ ସେମାନଙ୍କୁ କୁହାଯାଇ ପାରିଲାନାହିଁ । ଅଫିସରମାନେ ମଦବିକାଘରେ କିମ୍ବା ସେମାନଙ୍କ ରୁମ୍‌ରେ, ସମ୍ଭବ ହେଲେ ସେମାନେ ଖିଆପିଆ କରୁଥିଲା ବେଳେ କିମ୍ବା ଶୋଇବାକୁ ଯିବା ଆଗରୁ ଖଟ ଉପରେ, କିମ୍ବା ସକାଳେ ହାଲିଆ ହୋଇ ଉଠିନପାରି ଖଟରେ ଗଡ଼ୁଥିଲା ବେଳେ ସେମାନଙ୍କ କାମ ସାରିଦେବାକୁ ଚାହୁଁଥିଲେ । ତଥାପି ଗୋଟିଏ ଅପେକ୍ଷା ଗୃହ ତିଆରି ହେବା ପ୍ରସ୍ତାବର ଅନୁକୂଳ ନିଷ୍ପତ୍ତି ହୋଇଯିବା ଭଳି ମନେ ହେଉଥିଲା, କିନ୍ତୁ ଅପେକ୍ଷା ଗୃହ ତିଆରି ହେବା ପାଇଁ ଏତେ ଦେଖାଦେଖି ଦରକାର ହେଲା ଯେ ହୋଟେଲ୍‌ ବାରନ୍ଦା ଆଉ ଖାଲି ରହିଲା ନାହିଁ-ଏଥିରେ ହୋଟେଲ ମାଲିକାଣୀକୁ ବହୁତ ବାଧିଲା-ଲୋକେ କିଛିଟା ଥଟ୍ଟା ମଧ୍ୟ କଲେ ।

 

ଅପେକ୍ଷା କରିଥିବା ଲୋକମାନେ ସେ ବିଷୟରେ ଫିସ୍‌ ଫିସ୍‌ କଥାବାର୍ତ୍ତା କରି ସମୟ କଟାଉଥାନ୍ତି । କେ. କୁ ଖୁବ୍‌ ଆଶ୍ଚର୍ଯ୍ୟ ଲାଗିଲା ଯେ ସେମାନେ ଯେତେ ବିରକ୍ତ ହୁଅନ୍ତି ପଛକେ, ଅର୍ଲାଙ୍ଗର ସେମାନଙ୍କୁ ରାତି ଅଧରେ ଦେଖା କରିବାକୁ ଡାକିଥିବା ସତ୍ତ୍ୱେ କେହି କିଛି ଆପତ୍ତି କରୁନଥିଲେ । ଏମିତି କାହିଁକି ହେବ ବୋଲି ସେ ପଚାରିଲା, କିନ୍ତୁ ଉତ୍ତର ପାଇଲା ଯେ ସେମାନେ ଅର୍ଲାଙ୍ଗରର ପ୍ରତି ଅତ୍ୟନ୍ତ କୃତଜ୍ଞ । ସେ ଯଦି ଗାଁ ଭିତରକୁ ଆସିଛନ୍ତି, କେବଳ ତାଙ୍କର ଶୁଭେଚ୍ଛା ଯୋଗୁଁ ଏବଂ ତାଙ୍କର ନିଜ ଦାୟିତ୍ୱ ସଂପର୍କରେ ତାଙ୍କର ଉଚ୍ଚ ଧାରଣା ଯୋଗୁଁ । ସେ ଯଦି ଚାହିଁବେ, ସେ ସହଜରେ ଜଣେ ଉପସଚିବଙ୍କୁ ପଠାଇ ଦେଇ ପାରିବେ, ଲୋକଙ୍କ ଆପତ୍ତି ଅଭିଯୋଗ ଆସି ଲେଖି ନେବା ପାଇଁ-ଏବଂ ଏହା କରି ବୋଧହୁଏ ସେ ସରକାରୀ ନିୟମ କାନୁନ୍‌ ବେଶୀ ମାନିଥାନ୍ତେ । ତଥାପି ସେ ଏହା କରିବାପାଇଁ ପ୍ରାୟ ମନା କରୁଥିଲେ । ସେ ନିଜେ ସବୁ କଥା ଦେଖିବାକୁ ଶୁଣିବାକୁ ଚାହୁଁଥିଲେ, କିନ୍ତୁ ଏଥିପାଇଁ ତାଙ୍କର ରାତିଗୁଡ଼ାକ ତାଙ୍କୁ ଖର୍ଚ୍ଚ କରିବାକୁ ପଡ଼ିଲା, କାରଣ ତାଙ୍କର ସରକାରୀ କାର୍ଯ୍ୟସୂଚୀରେ ଗାଁ ଭିତରକୁ ଆସିବାପାଇଁ କୌଣସି ସମୟ ଧାର୍ଯ୍ୟ କରାଯାଇ ନଥିଲା । କେ. ଓଲଟି ଅଭିଯୋଗ କଲା ଯେ କ୍ଲାମ ଦିନବେଳା ଗାଁକୁ ଆସୁଥିଲେ ଏବଂ ଏପରିକି ଦିନ ଦିନ ଧରି ରହିଯାଉଥିଲେ, ତେବେ ଅର୍ଲାଙ୍ଗର୍‌ କ’ଣ ଜଣେ ସାଧାରଣ ସଚିବ ମାତ୍ର; ଯାହାଙ୍କୁ ସେଠି ଦୁର୍ଗରେ ବେଶୀ ସମୟ ରହିବାକୁ ପଡ଼ିବ ? ଜଣେ ଅଧେ ମଜାରେ ହସିଲେ, ଅନ୍ୟମାନେ ସଭ୍ରମ ସହକାରେ ନୀରବ ରହିଲେ, ବେଶୀ ଲୋକ ନୀରବ ରହିଲେ, କେ. ପ୍ରାୟ କୌଣସି ଉତ୍ତର ପାଇଲା ନାହିଁ । କେବଳ ଜଣେ ଲୋକ କୁଣ୍ଠିତ ଭାବରେ ଉତ୍ତର ଦେଲା ଏବଂ କହିଲା ଯେ କ୍ଲାମ୍‌ ମଧ୍ୟ ଦୁର୍ଗ ଭିତରେ ଯେତିକି ଗାଁ ଭିତରେ ସେତିକି ଅପରିହାର୍ଯ୍ୟ ବ୍ୟକ୍ତି ।

 

ତା’ପରେ ସାମ୍ନା ଦ୍ୱାର ଖୋଲାଗଲା ଏବଂ ମୋମସ୍‌ ବାହାରକୁ ଆସିଲେ । ତାଙ୍କ ଦୁଇପାଖରେ ଦୁଇଜଣ ଚପରାସି ଲାଇଟ୍‌ ଧରି ଠିଆ ହୋଇଥାନ୍ତି । ‘‘ପ୍ରଥମେ ଗର୍‌ଷ୍ଟ୍ୟାକର ଓ କେ. ଆସିବେ ଅର୍ଲାଙ୍ଗର ସାହେବଙ୍କ ପାଖକୁ । ସେମାନେ ଏଠି ଅଛନ୍ତି କି ? ସେ ପଚାରିଲେ । ସେ ଦୁହେଁ ହାଜର୍‌ ଅଛନ୍ତି ବୋଲି ଜଣାଇଲେ; କିନ୍ତୁ ସେମାନେ ଆଗେଇ ଗଲାବେଳେ ଜେରେମିଆ ପଶିଆସି ‘‘ମୁଁ ବି ଏଠି ଅପେକ୍ଷା କରିଚି,’’ ବୋଲି କହିଲା, ଏବଂ ମୋମସ୍‌ ତା’ କାନ୍ଧରେ ହାତ ଥାପୁଡ଼ାଇ ତାକୁ ସମ୍ଭାଷଣ କଲେ ଏବଂ ଭିତରକୁ ଚାଲିଗଲେ । ‘‘ଜେରେମିଆ ଉପରେ ମତେ ବେଶୀ ନଜର ଦେବାକୁ ପଡ଼ିବ,’’ କେ. ନିଜକୁ କହିଲା, ଯଦିଓ ସେ ଜାଣିଥିଲା ଯେ ଆର୍ଥର୍‌ ଭଳି ଜେରେମିଆ ବୋଧହୁଏ ସେତେ ବିପଜ୍ଜନକ ଲୋକ ନୁହେ । ଆର୍ଥର ଦୁର୍ଗରେ ତା’ ବିରୁଦ୍ଧରେ ଲାଗିଥିଲା । କେ. ଯଦି ତା’ର ସହକାରୀମାନଙ୍କୁ ତା’କୁ ଆହୁରି ବେଶୀ ବିରକ୍ତ କରିବାକୁ ଦେଇଥାନ୍ତା ତାହା ବୋଧେ ବୁଦ୍ଧିମାନର କାମ ହୋଇଥାନ୍ତା । କିନ୍ତୁ ବର୍ତ୍ତମାନ ସେ ଦୁହେଁ କେ.ର ନଜର ବାହାରେ ବୁଲୁଛନ୍ତି, ଏବଂ ସ୍ୱାଧୀନ ଭାବରେ ବିଭିନ୍ନ ଷଡ଼ଯନ୍ତ୍ରରେ ଲିପ୍ତ ଅଛନ୍ତି । ସେ ପ୍ରକାର ଷଡ଼ଯନ୍ତ୍ର କରିବା ପାଇଁ ସେ ଦୁହିଁଙ୍କର ସ୍ୱତନ୍ତ୍ର ସୁବିଧା ଥିଲା ଭଳି ମନେ ହେଉଥିଲା ।

 

କେ. ଯେମିତି ମୋମସ୍‌ଙ୍କ କଡ଼ଦେଇ ଚାଲିଗଲା, ମୋମସ୍‌ ଚମକି ପଡ଼ିଲେ, ସତେ ଯେମିତି ସେ ବର୍ତ୍ତମାନ ହିଁ ତା’କୁ ଅମିନ ବୋଲି ଚିହ୍ନିପାରିଲେ । ‘‘ଆରେ, ଅମିନବାବୁ ଯେ ? ‘‘ସେ କହିଲେ । ଯୋଉ ଲୋକ ପଚରା ଉଚରା ହେବାକୁ ଏତେ ମନା କରୁଥିଲା । ସେ ଏବେ ସେଥିପାଇଁ ଏତେ ତରବର ହେଉଚି । ସେତେବେଳେ ମତେ ପଚରାଉଚରା କରିବାକୁ ଦେଇଥିଲେ କେଡ଼େ ସୁବିଧା ହୋଇଥାନ୍ତା । ହେଉ ଲୋକଙ୍କ କଥା ଶୁଣିବା ପାଇଁ ବେଳା ଠିକ୍‌ କରିବା ଭାରି କଷ୍ଟ କିନ୍ତୁ,’’ ଏକଥା ଶୁଣି କେ. ଅଟକି ଯିବାରୁ ମୋମସ୍‌ କହି ଚାଲିଲେ,’’ ଭିତରକୁ ଯା’ନ୍ତୁ, ଯା’ନ୍ତୁ । ସେତେବେଳେ ମୁଁ ଆପଣଙ୍କର ଉତ୍ତର ଚାହୁଁଥିଲି, ବର୍ତ୍ତମାନ ଆଉ ଚାହୁଁନି ।’’ ତଥାପି କେ. ଉତ୍ତର ଦେଲା, ମୋମସ୍‌ଙ୍କ କଥାର ସ୍ୱରରେ ଉତ୍ତେଜିତ ହୋଇ ‘‘ଆପଣମାନେ କେବଳ ନିଜକଥା ଭାବନ୍ତି-। କାହାର ଚାକିରୀ କ’ଣ ଖାଲି ତା’ ଦେଖି ମୁଁ କେବେ ହେଲେ ଉତ୍ତର ଦେବିନାହିଁ, ସେତେବେଳେ ଦେଇନି,, ଏବେ ବି ନୁହେଁ ।’’ ମୋମସ୍‌ କହିଲେ, ‘‘ତେବେ ଆମେ କାହାକଥା ଭାବିବା ଉଚିତ୍‌ ବୋଲି କହୁଛନ୍ତି ? ଆଉ କିଏ ଅଛି ? ଆପଣ ନିଜେ ଖୋଜି ବାହାର କରନ୍ତୁ ।’’

 

ହଲ୍‌ ଭିତରେ ଗଲାବେଳେ ଜଣେ ଚପରାଶି ଆସି ସେମାନଙ୍କୁ ପୁରୁଣା ରାସ୍ତାରେ, କେ. ସେ ରାସ୍ତାଟା ଜାଣିଥିଲା, ଅଗଣା ବାଟଦେଇ ନେଇଗଲା ତା’ପରେ ସେମାନେ ସାମ୍ନା ଦ୍ୱାରରେ ପହଞ୍ଚି ନୀଚା ତଳକୁ ଗଡ଼ିଯାଇଥିବା ଭଳି ଲାଗୁଥିବା ଗୋଟିଏ ବାରନ୍ଦାରେ ଚାଲିଲେ । ଉପରମହଲା ଗୁଡ଼ାକ ନିଶ୍ଚୟ ସଂରକ୍ଷିତ ହୋଇ ରହିଥିଲା ବଡ଼ ବଡ଼ ଅଫିସରମାନଙ୍କ ପାଇଁ ଅନ୍ୟ ପକ୍ଷରେ ସଚିବମାନଙ୍କ ପାଇଁ ବାରନ୍ଦାର ରୁମ ଗୁଡ଼ାକ ରଖାଯାଇଥିଲା । ଏପରିକି ଅର୍ଲାଙ୍ଗରଙ୍କ ପାଇଁ ମଧ୍ୟ ଯଦିଓ ସେ ସେମାନଙ୍କ ଭିତରେ ଜଣେ ସବୁଠାରୁ ବଡ଼ ଅଫିସର । ଚପରାଶି ଲଣ୍ଠନଟା ଲିଭାଇ ଦେଲା, କାରଣ ସେଠାରେ ଉଜ୍ଜ୍ୱଳ ଇଲେକ୍‌ଟ୍ରିକ୍‌ ଆଲୁଅ ଜଳୁଥିଲା । ସବୁ ଜିନିଷ ସାଧାରଣ ଭାବରେ ସଜା ହୋଇଥାଏ କିନ୍ତୁ ସେଗୁଡ଼ିକ ସୁନ୍ଦର ଭାବରେ ତିଆରି । ଥିବା ଯାଗାତକ ପୂରା କାମରେ ଲଗାଯାଇଥାଏ । ବାରନ୍ଦା ଉପର ଛାତ ଯେତିକି ଉଁଚା ସେଥିରେ ଜଣେ ମୁଣ୍ଡ ନ ନୁଆଁଇ ଚାଲି ଚାଲି ଯାଇପାରିବ । ଉଭୟ ପାଖର ଦ୍ୱାର ଗୁଡ଼ାକ ପ୍ରାୟ ଲଗାଲଗି ହୋଇ ରହିଥାଏ-। କାନ୍ଥଗୁଡ଼ାକ ଠିକ୍‌ ଛାତ ପର୍ଯ୍ୟନ୍ତ ପହଞ୍ଚି ନଥାଏ, ବୋଧହୁଏ ପବନ ଯିବା ଆସିବା କରିବା ପାଇଁ କାରଣ ବାରନ୍ଦାରେ ଥିବା ଏହି ନୀଚା ଗମ୍ଭିରା ଘର ଭଳି ଛୋଟ ଛୋଟ ରୁମ୍‌ ଗୁଡ଼ାକରେ ଝରକା ପ୍ରାୟ ନ ରହିବା କଥା । କାନ୍ଥ ଗୁଡ଼ାକ ପୂରା ତିଆରି ହୋଇ ନଥିବାର ଏକମାତ୍ର ଅସୁବିଧା ହେଲା ବାରନ୍ଦାରେ ଏବଂ ନିଶ୍ଚିତ ଭାବରେ ବଖରା ଗୁଡ଼ାକରେ, ବହୁତ ରକମର ଶବ୍ଦ ଶୁଭୁଥାଏ । ଅଧିକାଂଶ ରୁମରେ ଲୋକମାନେ ଆସି ରହିଥିବା ଭଳି ମନେ ହେଉଥାଏ ଅଧିକାଂଶ ରୁମରେ ସେମାନେ ଶୋଇ ନଥାନ୍ତି, ସେମାନଙ୍କ ପାଟି ଶୁଭୁଥାଏ ହାତୁଡ଼ିମାଡ଼ କାଚ ଝଣ ଝଣ ଶୁଭୁଥାଏ । ଏବଂ ନିର୍ଦ୍ଦିଷ୍ଟ ଧରଣର ଖୁସି ବାସିଆ ଧାରଣାଟିଏ ଏସବୁଥିରୁ ମିଳୁ ନଥାଏ । ଲୋକଙ୍କ କଥାବାର୍ତ୍ତା ଖୁବ ଚାପା ଗଳାରେ ଚାଲିଥାଏ । ଏଠି ସେଠି ପଦେ ପଦେ କଥା ଅସ୍ପଷ୍ଟ ଭାବରେ ଶୁଭୁଥାଏ । ତାହା ପୁଣି କଥାବାର୍ତ୍ତା ଭଳି ମନେ ହେଉନଥାଏ । ବୋଧ ହୁଏ ଜଣେ କେହି ଅନ୍ୟ ଜଣେକର ଲେଖିବା ପାଇଁ କଣ ଡାକୁଚି କିମ୍ବା ବଡ଼ ପାଟିରେ କ’ଣ ପଢ଼ୁଚି । ଏବଂ କେବଳ ରୁମ ଗୁଡ଼ାକ ଭିତରୁ ଗ୍ଲାସ ଓ ପ୍ଲେଟର ଶବ୍ଦ ଶୁଭୁଥାଏ । କୌଣସି କଥାବାର୍ତ୍ତା ଶୁଭୁନଥାଏ । ଏବଂ ହାତୁଡ଼ି ମାଡ଼ ଶୁଣି କେ.ର ମନେ ପଡ଼ିଗଲା ଯେ କେବେ ଥରେ ଶୁଣିଥିଲା ଅଫିସରମାନେ ବେଳେ ବେଳେ ବଢ଼େଇ କାମ, ଇଞ୍ଜିନ୍‌ ତିଆରି ଇତ୍ୟାଦି କାମ କରନ୍ତି, ନିୟମିତ ମାନସିକ ପରିଶ୍ରମର ପ୍ରଭାବରୁ ରକ୍ଷା ପାଇବା ପାଇଁ । ବାରନ୍ଦାଟା ପ୍ରାୟ ଫାଙ୍କା ଥିଲା କେବଳ ଜଣେ ଶେତାଳିଆ ମୁହାଁ ଡେଙ୍ଗା ପତଳା ଭଦ୍ରଲୋକ ଗୋଟିଏ ଫର କୋଟ୍‌ ପିନ୍ଧି-ଭିତରୁ ତାଙ୍କର ନୈଶ ପୋଷାକ ଫୁଟି ଦିଶୁଥାଏ-ଗୋଟିଏ ଦ୍ୱାର ସାମ୍ନାରେ ବସିଥିବା ଦେଖାଗଲା । ରୁମ ଭିତରେ ବୋଧହୁଏ ତାଙ୍କୁ ବହୁତ ଗରମ ଲାଗିଲା ତେଣୁ ସେ ଆସି ବାହାରେ ବସିଥିଲେ ଏବଂ ଗୋଟିଏ ଖବର କାଗଜ ପଡ଼ୁଥିଲେ କିନ୍ତୁ ସେମିତି କିଛି ମନୋଯୋଗ ସହକାରେ ନୁହେ । ଅନେକ ସମୟରେ ତାଙ୍କର ହାଇ ଆସୁଥିଲା ଏବଂ ସେ ପଢ଼ା ବନ୍ଦ୍‌ କରି ଦେଉଥିଲେ ଆଗକୁ ନଇଁପଡ଼ି ବାରନ୍ଦା ଯାକ ଅନାଇଁ ଦେଖୁଥିଲେ ବୋଧହୁଏ ସେ କାହାକୁ ଅପେକ୍ଷା କରୁଥିଲେ ଯାହାକୁ କି ସେ ନିମନ୍ତ୍ରଣ କରିଥିଲେ ଅଥଚ ସିଏ ଆସିନଥିଲେ । ସେମାନେ ତାଙ୍କୁ ଟପି ଗଲା ବେଳେ ଚପରାଶି ଜଣକ ଗରଷ୍ଟ୍ୟାକରକୁ କହିଲା ‘‘ସିଏ ହେଉଛନ୍ତି ପିଞ୍ଜଗାୱେର ।’’ ଗରଷ୍ଟ୍ୟାକର ମୁଁଣ୍ଡ ହଲାଇଲା, ସେ ଏଠିକି ବେଶୀଦିନ ହେଲା ତ ଆସିନାହାନ୍ତି, ‘ସେ କହିଲା । ‘‘ନା ବର୍ତ୍ତମାନ ବେଶୀ ଦିନ ପାଇଁ ନୁହେଁ’’ ଚପରାଶି ଜଣକ ଏକମତ ହେଲା ।

 

ଶେଷରେ ସେମାନେ ଏମିତି ଗୋଟିଏ ଦ୍ୱାର ସାମ୍ନାରେ ପହଞ୍ଚିଲେ ଯେଉଁଟା କି ଅନ୍ୟାନ୍ୟ ଦ୍ୱାର ଠାରୁ ଭିନ୍ନ ନଥିଲା, ଏବଂ ତଥାପି ସେହି ରୁମ ଭିତରେ ଅର୍ଲାଙ୍ଗର ଅଛନ୍ତି ବୋଲି ଚପରାଶି ଜଣକ ସେମାନଙ୍କୁ କହିଲା । ଚପରାଶି ଜଣକ କେ.କୁ କହିଲା ତା’କୁ କାନ୍ଧ ଉପରକୁ ଉଠାଇ ଦେବା ପାଇଁ ଏବଂ ତା’ପରେ ଫାଙ୍କ ଭିତରେ ରୁମ୍‍ ଭିତରକୁ ଅନାଇଁଲା । ‘‘ସେ ଶୋଇଛନ୍ତି’’ ଓହ୍ଲାଇ ପଡ଼ି ଚପରାଶି ଜଣକ କହିଲା; ଖଟରେ ଲୁଗାପଟା ପିନ୍ଧି, ସତ କିନ୍ତୁ ମୁଁ ତେବେ ବି ଭାବୁଚି ସେ ନିଦରେ ଶୋଇ ପଡ଼ିଚନ୍ତି । ଅନେକ ସମୟରେ ସେ ଭାରି ହାଲିଆ ହୋଇ ପଡ଼ନ୍ତି ଏମିତି ଏଠି ଗାଁ ଭିତରେ; ତାଙ୍କ ଅଭ୍ୟାସ ଯେତେ ବଦଳାଇଲେ ବି କ’ଣ ହେବ ? ଆମକୁ ଅପେକ୍ଷା କରିବାକୁ ପଡ଼ିବ । ଉଠିଲେ ସେ ଘଣ୍ଟି ବଜେଇବେ । ତା’ ଛଡ଼ା ତାଙ୍କର ଆଗରୁ ଏମିତି ଘଟିଚି ଗାଁରେ ଥିବା ସମୟତକ ତାଙ୍କର ଶୋଇ ଶୋଇ କଟିଯିବ, ଏବଂ ଉଠିବା ପରେ ହିଁ ତାଙ୍କୁ ଦୁର୍ଗକୁ ଦୌଡ଼ି ପଳାଇବାକୁ ପଡ଼ିବ । ଅବଶ୍ୟ ଏଠି ଯୋଉ କାମ ସେ କରୁଛନ୍ତି, ସେଟା ତାଙ୍କ ନିଜ ଇଚ୍ଛା ଉପରର କଥା ।’’ ‘‘ତାହେଲେ ସେ ଯଦି ଖାଲି ଶୋଇ ରହନ୍ତେ ଭଲ ହୁଅନ୍ତା, ଗରଷ୍ଟ୍ୟାକର କହିଲା କାରଣ ସେ ଶୋଇ ଉଠିବା ପରେ କାମ କରିବା ପାଇଁ ଯୋଉ ସମୟ ଟିକକ ବଳିଥାଏ ସେତକ ସେ କାହିଁକି ଶୋଇପଡ଼ିଲେ ବୋଲି ବିରକ୍ତ ହେବାରେ କଟିଯାଏ, ତା’ପରେ ସେ ଭାରି ତରବର ହୁଅନ୍ତି କାମ ସାରିବା ପାଇଁ, ଫଳରେ ପଦେ କଥା ବି ତାଙ୍କ କାନରେ ପଡ଼ିବା କଷ୍ଟ । ଆପଣ ଆସିଚନ୍ତି ନୂଆ ଘର ତିଆରି ପାଇଁ ଜିନିଷ ପତ୍ର ବୁହାବୋହି କରିବା ବିଷୟରେ ଚୁକ୍ତି ପାଇଁ ? ‘‘ଚପରାଶି ଜଣକ ପଚାରିଲା । ଗରଷ୍ଟ୍ୟାକର ମୁଁଣ୍ଡ ହଲାଇଲା, ଚପରାଶିଟାକୁ ଗୋଟିଏ କଡ଼କୁ ଡାକିନେଲା ଏବଂ ତା ସାଙ୍ଗରେ ନୀଚା ଗଳାରେ କଥାବାର୍ତ୍ତା କଲା, କିନ୍ତୁ ଚପରାଶିଟା ମୋଟେ ଶୁଣିଲା ନାହିଁ, ଗରଷ୍ଟ୍ୟାକର ମୁଁଣ୍ଡ ଉପର ଦେଇ ଏଣେ ତେଣେ ଅନାଇଁଲା । ଗରଷ୍ଟ୍ୟାକରଠାରୁ ସେ ଥିଲା ବହୁତ ଡେଙ୍ଗା ଏବଂ ସେ ଗରଷ୍ଟ୍ୟାକର ମୁଁଣ୍ଡବାଳ ଗମ୍ଭୀର ଭାବରେ ସାଉଁଳେଇଲା ।

 

ଅଠର

 

ତା’ପରେ ଲକ୍ଷ୍ୟହୀନ ଭାବରେ ଏଣେ ତେଣେ ଅନାଉଁ ଅନାଉଁ ଦୂରରେ ବାରନ୍ଦାର ଗୋଟିଏ ମୋଡ଼ରେ କେ.ଫ୍ରୀଡ଼ାକୁ ଦେଖିଲା । ସେ ଯେମିତି କେ.କୁ ଚିହ୍ନି ନାହିଁ, ସେପ୍ରକାର ବ୍ୟବହାର ଦେଖାଇଲା । ଏବଂ ଫାଙ୍କା ଆଖିରେ ତାଆଡ଼କୁ ଅନାଇଁଲା । ଫ୍ରୀଡ଼ା ଖାଲି ପ୍ଲେଟଗିନା ଥିବା ଗୋଟିଏ ଟ୍ରେ ଧରିଥାଏ । କେ.ଚପରାଶିଟାକୁ କ’ଣ କହିଲା ସେ କିନ୍ତୁ ସେଥିପ୍ରତି କୌଣସି ଦୃଷ୍ଟି ଦେଲା ନାହିଁ–ତା’ ସାଙ୍ଗରେ ଜଣେ ଯେତେ ବେଶୀ କଥାବାର୍ତ୍ତା କରିବ, ସେ ସେତିକି ଅନ୍ୟମନସ୍କ ହୋଇଯିବା ଭଳି ମନେ ହେଉଥାଏ । କେ.କହିଲା ସେ, ଏଇକ୍ଷଣି ଆସୁଛି, ଏବଂ ଫ୍ରୀଡ଼ା ଆଡ଼କୁ ଦୌଡ଼ିଗଲା । ତା’ ପାଖରେ ପହଞ୍ଚି ସେ ତା’ କାନ୍ଧକୁ ଜୋରରେ ଧରିପକାଇଲା ସତେ ଯେପରି ସେ ତା’ ନିଜର ଅପହୃତ ଧନ ସମ୍ପତ୍ତି ଫେରି ପାଇଛି । ଫ୍ରୀଡ଼ା ଆଖିରେ ଆଖି ରଖି କେ. ତାକୁ କେତେକ ଅଦରକାରୀ ପ୍ରଶ୍ନ ପଚାରିଲା । କିନ୍ତୁ ଫ୍ରୀଡ଼ାର ମୁହଁ ସେମିତି କଠୋର ହୋଇ ରହିଲା, ସେ ହଡ଼ ବଡ଼େଇ ଯାଇ ଟ୍ରେର ବାସନ କୁସନ ସଜାଇବାକୁ ଲାଗିଲା ଏବଂ କହିଲା: ତମେ କ’ଣ ଚାହୁଁଚ ମୋଠୁଁ ? ଯାଅ ଅନ୍ୟ ମାନଙ୍କ ପାଖୁ ଫେରିଯାଅ–ଆଃ, ତମେ ଜାଣିଚ ମୁଁ କାହା କଥା କହୁଛି, ତମେତ ଏଇନେ ସେଇମାନଙ୍କ ପାଖରୁ ଆସୁଚ, ମୁଁ ଠିକ୍‌ ଜାଣିଚି । କେ.ତାର କୌଶଳ ସେହିକ୍ଷଣି ବଦଳାଇ ଦେଲା; ସେ ହଠାତ୍‌ ଫ୍ରୀଡ଼ାକୁ ବୁଝାଇ ଶୁଝାଇ କହିବା ଅନୁଚିତ, ଏବଂ ତା’ର ବୟାନ ସବୁଠାରୁ ଖରାପ, ତା’ ନିଜ ପ୍ରତି କ୍ଷତିକାରକ, କଥାଟାରୁ ଆରମ୍ଭ ହେବା ଉଚିତ ନୁହେଁ । ମୁଁ ଭାବିଥିଲି ତମେ ମଦବିକା ଘରେ ଥିବ, ସେ କହିଲା । ଫ୍ରୀଡ଼ା ଆଶ୍ଚର୍ଯ୍ୟ ହୋଇ ତା’ ଆଡ଼କୁ ଅନାଇଲା ଏବଂ ତା’ପରେ ଅତି ନରମ ଭାବରେ ତାର ଫାଙ୍କା ଥିବା ହାତଟି କେ.ର କପାଳ ଓ ଗାଲ ଉପରେ ବୁଲାଇଲା ସତେ ଯେମିତି କେ.ର ଚେହେରା ସେ ଭୁଲିଯାଇ ଥିଲା ଏବଂ ପୁଣି ମନେ ପକାଇବାକୁ ଚେଷ୍ଟା କରୁଥିଲା ତା ଆଖିର ଡବ ଡବ ଚାହାଣୀ ମଧ୍ୟ ସୂଚାଉଥିଲା ଯେ ସେ ଅତି କଷ୍ଟରେ ମନେ ପକାଇବାକୁ ଚେଷ୍ଟା କରୁଛି । ମତେ ପୁଣି ମଦବିକା ଘର କାମ ଦିଆ ହୋଇଚି, ଫ୍ରିଡ଼ା ଶେଷରେ ଆସ୍ତେ ଆସ୍ତେ କହିଲା ସତେ ଯେମିତି ସେ କ’ଣ କହୁଛି ସେଥିରେ କିଛି ଯାଏ ଆସେ ନାହିଁ, କିନ୍ତୁ ସତେ ଯେମିତି ତା’ର ସେହି କଥାର ଅନ୍ତରାଳରେ ସେ କେ. ସାଙ୍ଗରେ ଅଧିକ ଜରୁରୀ ଏକ ଅନ୍ୟ ରକମର କଥାବାର୍ତ୍ତା ଚଳାଇଛି । ଏଇ କାମ ମୋ ପାଇଁ ନୁହେଁ, ଯେ କୌଣସି ଲୋକ ଏ କାମ କରିଦେଇ ପାରେ ଯିଏ ଶେଯ ପକେଇ ପାରିବ ଏବଂ ଭଲ ପ୍ରକୃତିର ଭଳି ଦିଶିବ ଯିଏ ଏଠି ଆସି ରହିଥିବା ଲୋକଙ୍କର ଦୂର୍ବ୍ୟବହାର ସହିଯିବ ଏବଂ ଏମାନଙ୍କୁ ପ୍ରକୃତରେ ଭଲ ପାଇବ, ଯିଏ ଏସବୁ କରିପାରିବ ସିଏ ହେବ ଜଣେ ଭଲ ଚ୍ୟାମ୍ବରମେଡ୍‌ କିନ୍ତୁ ମଦବିକା ଘରେ କଥା ପୁରା ଅଲଗା । ପୁଣି ସିଧା ମଦବିକା ଘର କାମ ପାଇଁ ମତେ ନିଆଯାଇଚି ଯଦିଓ ଏଠା ଛାଡ଼ି ଗଲା ବେଳେ ମୋର ସେମିତି କିଛି ନା ହୋଇ ନଥିଲା କିନ୍ତୁ ମୋ ବିଷୟରେ ଆଗରୁ କୁହାଯାଇଥିଲା । ଏବଂ ମୋ କଥା ଆଗରୁ କୁହାଯାଇଥିବାରୁ ହୋଟେଲ ମାଲିକଙ୍କୁ ମତେ ପୁଣି ନେଇଯିବାକୁ ସୁବିଧା ହେଲା ଏବଂ ସେଥିରେ ସେ ଭାରି ଖୁସି ହେଲେ । ଶେଷରେ ସେମାନେ ମତେ ଚାକିରୀଟା ନେବା ପାଇଁ ବାଧ୍ୟ କଲେ ଘଟଣାଟା ଏମିତି ଶେଷ ହେଲା ମଦବିକା ଘର ମତେ କଣ ମନେ ପକାଇଦେଇଚି ତମେ ଯଦି ଟିକିଏ ଭାବିବ ତା’ ହେଲେ ବୁଝି ପାରିବ । ଶେଷରେ ମୁଁ ଠିକ୍‌ କଲି ଚାକିରୀଟା ନେଇଯିବି । ମୁଁ ଏଠି ଅଳ୍ପଦିନ ପାଇଁ ଅଛି । ତଥାପି ମତେ ହାତ ଗୋଡ଼ ଧରି କହିଲା ମଦବିକା ଘର ତାକୁ ହାଠାତ୍‌ ନିକାଲି ଦେଇ ତା’କୁ ଅପମାନ ନ ଦେବାକୁ ଏବଂ ସେତ ପୁଣି ନିଜ ଇଚ୍ଛାରେ ସବୁ ଶକ୍ତି ପ୍ରୟୋଗ କରି ତାର କାମ କରିଚି, ଆମେ ତା’କୁ ଆଉ ଚବିଶ ଘଣ୍ଟା ରହିବାକୁ ଦେଇଚୁ । ସେସବୁ ବ୍ୟବସ୍ଥା ଠିକ ହୋଇଚି ‘କେ. କହିଲା କିନ୍ତୁ ଥରେ ତମେ ମୋ ପାଇଁ ମଦବିକା ଘର ଛାଡ଼ି ଚାଲିଯାଇଥିଲ, ଏବଂ ବର୍ତ୍ତମାନ ଆମେ ବାହାହେବାକୁ ଯାଉଚେ ବର୍ତ୍ତମାନ ତମେ କ’ଣ ପୁଣି ସେଠିକି ଫେରିବ ? ବାହାଘର ହେବନି ଫ୍ରୀଡ଼ା କହିଲା । କାରଣ ମୁଁ ତମ ପ୍ରତି ବିଶ୍ୱାସ ଘାତକତା କରିଛି ? କେ. ପଚାରିଲା । ଫ୍ରୀଡ଼ା ମୁଣ୍ଡ ହଲାଇଲା । ‘‘ଏଇ ଶୁଣ ଫ୍ରୀଡ଼ା କେ. କହିଲା ‘‘ଆମେ ଅନେକ ସମୟରେ ମୋର ଏଇ ତଥାକଥିତ ବିଶ୍ୱାସଘାତକତା ବିଷୟରେ କଥାବାର୍ତ୍ତା କରିଚେ, ଏବଂ ପ୍ରତ୍ୟେକ ଥର ତମେ ଶେଷରେ ବୁଝିପାରିଚ ଯେ ତମର ସନ୍ଦେହ ଅମୂଳକ । ଏବଂ ସେ ଦିନଠୁ ମୁଁ କୌଣସି ପ୍ରକାରେ ବଦଳିଯାଇନି ମୁଁ ଯାହା କିଛି କରିଚି, ସେଥିରେ ଆଗରୁ ଯେମିତି ନିର୍ଦ୍ଦୋଷ ଥିଲି, ଏବେ ବି ସେୟା ଅଛି, ଏବଂ ସବୁବେଳେ ସେୟା ରହିବି । ତେଣୁ ତମ ପେଟରେ କିଛି ବଦଳିଯାଇଥିବେ ନିଶ୍ଚେ, ଅଜଣା ଅଶୁଣା ଲୋକେ..... କ’ଣ ସବୁ କହିଥିବେ ତମକୁ ସେଥିପାଇଁ ନହେଲେ ଅନ୍ୟ କୋଉ କାରଣରୁ । ସେ ଯା’ ହେଉ ତମେ ମୋ ପ୍ରତି ଅନ୍ୟାୟ କରୁଚ, ଏଇ କହୁଚି ଶୁଣ, ସେଇ ଝିଅ ଯୋଡ଼ାକ ସାଙ୍ଗରେ ମୋର ସମ୍ପର୍କ କ’ଣ ସାବନା ହୋଇ ଯୋଉଟା–ଏମିତି ସବୁ କଥାରେ ନିଜ ପକ୍ଷ ନେଇ କହିବାକୁ ମତେ ଲାଜ ମାଡୁଚି ତେବେ ତମେ ତ ମତେ ବାଧ୍ୟ କରୁଚ–ହଁ ସେଇ ସାବନା ହୋଇ ଝିଅଟା ତମକୁ ଯେମିତି ଭଲ ଲାଗେନି ମତେ ବି ସେମିତି ଭଲ ଲାଗେନି । ସବୁଥିରେ ମୁଁ ତାକୁ ଦୂରେଇ ରହେ, ଏବଂ ମତେ ସେମିତି ରହିବା ସହଜ ହୁଏ କାରଣ ତା’ ଭଳି କିଏ ଏତେ ବେଶୀ କର ଛଡ଼ା ଦେଇ ରହେନି ।’’ ‘‘ହଁ’’ ଫ୍ରିଡ଼ା ପାଟିକରି କହିଲା ତା’ ଇଚ୍ଛା ବିରୁଦ୍ଧରେ ଯେମିତି ଶବ୍ଦଟି ତା’ ପାଟିରୁ ବାହାରି ଆସିଲା । ଫ୍ରୀଡ଼ାର ଆଖି ଅନ୍ୟ ଆଡ଼େ ଚାଲିଯାଉଥିବା ଦେଖି କେ..... କୁ ଭାରି ଖୁସି ଲାଗିଲା, ଫ୍ରୀଡ଼ା ଯାହା କହିବାକୁ ଚାହିଁଥିଲା ତାହା କହୁନଥିଲା । ‘‘ହଁ ତମେ ତା’କୁ କରଛଡ଼ା ଦେଉଥିବା ଝିଅବୋଲି ଭାବୁଚ ଭାବ, ମତେ କହୁଚ ଯେ ଯା’ର ଲାଜ ସରମ ବୋଲି କିଛି ନାଇଁ, ସିଏ କରଛଡ଼ା ଦେଇ ରହୁଚି, ଏବଂ ଏକଥା ଯେତେ ବିଶ୍ୱାସ ନକରିବା କଥା ହେଉ ପଛକେ ତମେ ଆନ୍ତରିକ ଭାବରେ କହୁଚ, ତମେ ମିଛ କହୁନ, ମୁଁ ଜାଣେ । ବ୍ରିଜଇନ୍‌ ହୋଟେଲ ମାଲିକାଣୀ ଥରେ ତମ ବିଷୟରେ କହିଥିଲେ, ‘ମୁଁ ତାଙ୍କୁ ଧରି ଚଳିପାରିବିନି, କିନ୍ତୁ ତା’କୁ ଏକୁଟିଆ ମଧ୍ୟ ଛାଡ଼ି ପାରିବିନି, ଗୋଟିଏ ଛୁଆ ଯଦି ଚାଲି ଶିଖିନି ଅଥଚ ବହୁତ ବାଟ ପଳେଇ ଯିବାକୁ ଚେଷ୍ଟା କରିବ ଜଣେ ନିଜକୁ ଅଟକାଇ ପାରିବନି, ତାକୁ ନିଶ୍ଚେ କିଛି କରିବାକୁ ପଡ଼ିବ ।’’ ‘‘ଏଇଥରକ ପାଇଁ ତାଙ୍କ ଉପଦେଶ ତମେ ଯେତେ ଇଚ୍ଛା ସେତେ ଶୁଣ, ‘‘କେ. ହସି କହିଲା, ‘‘କିନ୍ତୁ ସେ ଝିଅଟା ସିଏ କରଛଡ଼ା ଦେଇ ରହୁ କି ତା’ର ଲାଜ ସରମ ନଥାଉ, ସେଥିରେ କିଛି ଯାଏଆସେନି–ତା’ ବିଷୟରେ ଆଉ କିଛି ଶୁଣିବାକୁ ମୁଁ ଚାହେଁନି ।’’ ‘‘କିନ୍ତୁ ତମେ ତାକୁ କରଛଡ଼ା ଦେଉଥିବା ଝିଅ ବୋଲି କାହିଁକି କହୁଚ ?’’ ଜିଦ୍‌ କରି ଫ୍ରୀଡ଼ା ପଚାରିଲା–ତା’ର ଏହା ଜାଣିବା ପାଇଁ ଇଚ୍ଛାକୁ ଗୋଟିଏ ଶୁଭଲକ୍ଷଣ ବୋଲି କେ. ଭାବିଲା ‘‘ତମେ ତା’କୁ ସେମିତି କେବେ ଦେଖିଛ ନା ତମେ ଅନ୍ୟ ଜଣଙ୍କ ବିଷୟରେ ଖାଲି ସେମିତି ଭାବୁଚ ?’’ ‘‘ଏଇଟା ନୁହ କି ସେଇଟା ନୁହ,’’ କେ. କହିଲା, ‘‘ସେ ସେମିତି ବୋଲି ମୁଁ କହୁଚି କୃତଜ୍ଞତାରୁ, କାରଣ ତା’ଠୁ ଦୂରେଇ ରହିବା ମୋ ପାଇଁ ସେ ସହଜ କରି ଦେଉଚି, ଏବଂ ସେ ଯଦି ମତେ ପଦେ ଦି’ପଦ କଥା କହିବ, ମୁଁ ତା’ ପାଖକୁ ଆଉ ଫେରିଯାଇ ପାରିବିନି, ଏବଂ ନଗଲେ ମୋର ବହୁତ କ୍ଷତିହେବ । ଆମ ଦି’ଜଣଙ୍କ ଭବିଷ୍ୟତ ଦୃଷ୍ଟିରୁ ମତେ ତା ପାଖକୁ ଯିବାକୁ ପଡ଼ିବ, ତମେ ସେକଥା ଜାଣିଚ ଏବଂ କେବଳ ଏଇ କାରଣ ଯୋଗୁଁ ମତେ ଅନ୍ୟ ଝିଅଟା ସାଙ୍ଗରେ କଥାବାର୍ତ୍ତା କରିବାକୁ ପଡ଼ିବ । ମୁଁ ମାନୁଚି ମୁଁ ତାକୁ ସମ୍ମାନ କରେ, ତା’ର ସାମର୍ଥ୍ୟ, ବୁଦ୍ଧି ଓ ସ୍ୱାର୍ଥହୀନତା ଯୋଗୁଁ, ଏବଂ ତାକୁ କେହିବି ତ ସେମିତି ସୁନ୍ଦର ବୋଲି କହିବେନି ।’’ ‘‘ଚାକର ବାକର କିନ୍ତୁ ଅନ୍ୟପ୍ରକାରେ କହନ୍ତି,’’ ଫ୍ରୀଡ଼ା କହିଲା । ‘‘ସେ ବିଷୟରେ ଏବଂ ଅନ୍ୟ ଅନେକ ବିଷୟରେ,’’ କେ. କହିଲା, ‘‘ଚାକର ବାକରଙ୍କ ରୁଚିରୁ କ’ଣ ତମେ ମୋର ବିଶ୍ୱାସଘାତକତା କଥା ବାହର କରୁଚ ?’’ ଫ୍ରୀଡ଼ା ନୀରବ ରହିଲା ଏବଂ କେ. ତା’ ହାତରୁ ଟ୍ରେଟା ନେଇଯିବାକୁ ଦେଲା । କେ. ଟ୍ରେଟା ତଳେ ଥୋଇଦେଲା ଏବଂ ଫ୍ରୀଡ଼ା ହାତରେ ନିଜ ହାତ ଛନ୍ଦି ବାରନ୍ଦାର ଗୋଟିଏ କଡ଼ରେ ଏପଟ ସେପଟ ହେଲା । ‘‘ବିଶ୍ୱାସ କ’ଣ ତମକୁ ଜଣାନାଇଁ,’’ ଫ୍ରୀଡ଼ା କହିଲା, କେ. ଏତେ ପାଖରେ ଥିବାରୁ ସେ ଟିକିଏ ଆତ୍ମ-ସଚେତନ ହୋଇ ପଡ଼ୁଥାଏ, ସେ ଝିଅଟା ସାଙ୍ଗରେ ତମର ସଂପର୍କ କ’ଣ ସେଇଟା ବଡ଼କଥା ନୁହେଁ । ଖାଲି ତମେ ଯେ ତାଙ୍କ ଘରକୁ ଯାଉଚ, ଏବଂ ତମ ଲୁଗାପଟାରେ ତାଙ୍କ ରୋଷେଇ ଘରର ବାସ୍ନା ନେଇ ଫେରୁଚ, ସେତିକି ମୋ ପାଇଁ ବଡ଼ ଅପମାନର କଥା, ମୁଁ ତା ସହିପାରୁନି ଏବଂ ପୁଣି ତମେ ସ୍କୁଲରୁ ଭୁଷ୍‌କିନା ବାହାରି ଯାଉଚ, ପଦେ ହେଲେ କଥା ନକହି, ଏବଂ ରାତି ଅଧଯାକେ ସେମାନଙ୍କ ପାଖରେ ରହିଯାଉଚ ମଧ୍ୟ । ଏବଂ ତମକୁ ଖୋଜିବାକୁ ଗଲେ, ତମେ ସେଠି ନାହଁ ବୋଲି ତମେ ସେ ଝିଅଯୋଡ଼ାକୁ କହିବାକୁ ଦେଉଚ, ସେମାନେ ଖୁବ୍‌ ଯୋର୍‌ରେ କହିବେ ମତେ ସେଠି ନାହଁ ବୋଲି, ବିଶେଷ କରି ତମର ସେଇ ଚମତ୍‌କାର କରଛଡ଼ା ଦେଇ ରହୁଥିବା ଝିଅ ଖଣ୍ଡ । ଏବଂ ତମେ ଗୋଟେ ଚୋରା ରାସ୍ତାରେ ଲୁଚି ବାହାରି ଆସିବ, ବୋଧେ ସେ ଝିଅ ଯୋଡ଼ାକର ବଦ୍‌ନାମ ଯେମିତି ନହେବ ସେଇଥିପାଇଁ, ନା, ଥାଉ, ସେ ବିଷୟରେ ଆମେ ଆଉ କଥାବାର୍ତ୍ତା କରିବାନି ।’’ ‘‘ହଁ, ଆଉ କଥାବାର୍ତ୍ତା କରିବାନି, ‘‘କେ. କହିଲା,’’ ଅନ୍ୟ ବିଷୟରେ କଥାବାର୍ତ୍ତା କରିବା ଫ୍ରୀଡ଼ା । ତା’ଛଡ଼ା ସେ ବିଷୟରେ ଆଉକିଛି କଥାବାର୍ତ୍ତା ହେବାର ନାଇଁ । ତମେ ଜାଣିଚ ମତେ ସେଠିକି କାହିଁକି ଯିବାକୁ ପଡ଼ୁଚି । ମତେ ତା କରିବା ସୁବିଧା ଲାଗୁନି, ତେବେ ମୁଁ ନିଜକୁ ସମ୍ଭାଳି ନେଉଛି । ସେଥିରେ ତ କଷ୍ଟ ଲାଗୁଚି, ତମେ ଆଉ ମତେ କଷ୍ଟ ଦିଅନି । ଆଜି ରାତିରେ ମୁଁ ଭାବିଲି ସେ ଆଡ଼େ ଯାଇ ବୁଲି ଆସିବି, ବାର୍ଣ୍ଣାବାସ୍‌ ଫେରିଲାଣିକି ନାଇଁ ଦେଖିଦେଇ, କାରଣ ବର୍ଣ୍ଣାବାସ୍‌ ଗୋଟଏ ଖବର ଆଣି ପହଞ୍ଚିବା କଥା, ସେ ଖବର ସେ ଅନେକ ଆଗରୁ ଆଣିବାର ଥିଲା । ସେ ଆସି ନଥିଲା କିନ୍ତୁ ତା’ର ଶୀଘ୍ର ଆସିବାର ଥିଲା, ମତେ ସେୟା କୁହାଗଲା । ଏବଂ ସେ ଶୀଘ୍ର ଫେରିଆସିବା ଭଳି ଲାଗୁଥିଲା ମଧ୍ୟ । ମୁଁ ଚାହୁଁ ନଥିଲି ସେ ମୋ ପଛରେ ଆସୁ ବୋଲି, କାରଣ ସେ ଆସିଲେ ତମକୁ ଅପମାନ୍‌ ଲାଗିବ । ଘଣ୍ଟା ଘଣ୍ଟା ବିତିଗଲା, ଦୁଃଖର କଥା ସେ ଫେରିଲାନାଇଁ-। କିନ୍ତୁ ଆଉ ଜଣେ ଠିକ୍‌ ଆସିଗଲା, ଜଣେ ଲୋକ ଯାହାକୁ ମୁଁ ଘୃଣା କରେ । କେହି ମତେ ସେମିତି ଲୁଚି ଲୁଚି ଅନାଉଁଥାଉ ବୋଲି ମୁଁ ଚାହିଁ ନଥିଲି, ତେଣୁ ମୁଁ ପଡ଼ିଶା ଘର ବଗିଚା ବାଟଦେଇ ପଳାଇ ଆସିଲି, ଏବଂ ମୁଁ ତା’ଠାରୁ ଲୁଚିବାକୁ ମଧ୍ୟ ଚାହିଁ ନଥିଲି, ଏବଂ ରାସ୍ତାକୁ ବାହାରିଲା କ୍ଷଣି ମୁଁ ତା ପାଖକୁ ସିଧା ଚାଲିଗଲି, ମାନୁଚି ହାତରେ ଧରିଥିଲି ଗୋଟିଏ ବଢ଼ିଆ ନହକା ବେତ । ବାସ୍‌, ଆଉ ସେ ବିଷୟରେ କହିବାର କିଛି ନାଇଁ, କିନ୍ତୁ ଅନ୍ୟ ଗୋଟିଏ ବିଷୟରେ ଅନେକ କିଛି କହିବାର ଅଛି-। ସହକାରୀ ଯୋଡ଼ାଙ୍କର କଥା କ’ଣ ଯୋଉମାନଙ୍କ ନାଁ ଧରିଲେ ମତେ ଘୃଣା ଲାଗେ ? ସେ ଯୋଡ଼ାକ ସାଙ୍ଗରେ ତମର ସମ୍ପର୍କକୁ ମୋର ସେଇ ପରିବାର ସାଙ୍ଗରେ ଥିବା ସଂପର୍କ ତୁଳନା କର-। ବାର୍ଣ୍ଣାବାସ୍‌ ଘର ପ୍ରତି ତମର ଏତେ ରାଗ କାହିଁକି ତା’ମୁଁ ବୁଝିଚି, ଏବଂ ମୁଁ ବି କିଛିଟା ରାଗିପାରେ-। ଖାଲି ମୋ’ ନିଜର କାମ ଅଛି ବୋଲି ମୁଁ ସେମାନଙ୍କୁ ଦେଖା କରିବାକୁ ଯାଏ, ବେଳେବେଳେ ମୋର ମନେ ହେଉଚି, ମୁଁ ସେମାନଙ୍କୁ ଖରାପ ଉଦ୍ଦେଶ୍ୟରେ ବ୍ୟବହାର କରୁଚି, ସେମାନଙ୍କଠୁ ଫାଇଦା ଉଠାଉଚି । କିନ୍ତୁ ତମେ ଓ ସହକାରୀ ଯୋଡ଼ାକ ! ସେମାନେ ଯେ; ତମକୁ ହରକତ କରୁଛନ୍ତି, ସେକଥା ତମେ କେବେ ମନା କରିନ, ଏବଂ ତମେ ମାନିଚ ଯେ ତମେ ସେମାନଙ୍କ ପ୍ରତି ଆକୃଷ୍ଟ ହୋଇ ପଡ଼ିଚ । ମୁଁ ସେଥିପାଇଁ ତମ ଉପରେ ରାଗିନଥିଲି, ମୁଁ ଜାଣିଥିଲି ଏମିତି ଶକ୍ତି ସବୁ କାମ କରୁଛନ୍ତି, ଯୋଉମାନଙ୍କୁ ତମେ ପାରିବ ନାଇଁ ତମେ ଅନ୍ତତଃ ସେମାନଙ୍କୁ ଦୂରେଇ ରଖିବାକୁ ଚେଷ୍ଟା କରୁଚ ଦେଖି ମୁଁ ଖୁସି ହୋଇଥିଲି, ମୁଁ ତମ ପକ୍ଷ ନେଇ ସବୁବେଳେ ଲାଗିଲି, ଏବଂ ମୁଁ ଖାଲି କେଇଯା ଘଣ୍ଟା ପାଇଁ ପଳାଇଲି ବୋଲି, ତା’ ପୁଣି ତମର ଭଲ ପାଇବା ଉପରେ ବିଶ୍ୱାସ ରଖି ଏବଂ, ମାନୁଚି ମୁଁ ଏୟା ଭାବିଲି ଯେ ଘର ଦ୍ୱାର ତାଲା ଦିଆ ହୋଇଚି ଏବଂ ସେ ସହକାରୀ ଯୋଡ଼ାକୁ ତଡ଼ିଦିଆ ହୋଇଛି- ଏବେ ଭାବୁଚି ମୁଁ ସେ ଯୋଡ଼ାକ କେଡ଼େ ଗଣ୍ଡଗୋଳିଆ ଲୋକ ଜାଣି ପାରିନଥିଲି–ଖାଲି ମୁଁ କେଇଟା ଘଣ୍ଟା ପାଇଁ ପଳାଇଲି ବୋଲି ଏବଂ ଏଇ ଜେରେମିଆ–ଯିଏକି, ତମେ ଭଲ ଭାବରେ ଲକ୍ଷ୍ୟ କଲେ ଜାଣିପାରିବ, ଜଣେ ଅସୁସ୍ଥ ବୟସ୍କ ଚରିତ୍ର-ଝରକା ପାଖରେ ଯାଇ ଠିଆ ହୋଇଗଲା ମୂର୍ଖ ଖାଲି ଏଇଥିପାଇଁ, ଫ୍ରୀଡ଼ା, ମୁଁ ତୁମକୁ ହରାଇବି, ଏବଂ ଯେତେବେଳେ ଫେରି ପାଇବି, ତମେ ‘‘ବାହାଘର ହେବ ନାଇଁ’’ ବୋଲି କହି ମତେ ସମ୍ଭାଷଣ ଜଣାଇବା ? ବରଂ ମୁଁ ତୁମକୁ ଗାଳିଦେବା କଥା କି ନୁହେଁ ? କିନ୍ତୁ ମୁଁ ତୁମକୁ ଗାଳି ଦିଏନି, ମୁଁ କେବେ ଗାଳି ଦେଇନି ।’’ ଏବଂ ପୁଣି ଥରେ କେ.ର ମନେ ହେଲା ଯେ ଫ୍ରୀଡ଼ାର ଦୃଷ୍ଟି ଟିକିଏ ଅନ୍ୟ ଆଡ଼କୁ ନେଇଯିବା ତା’ର ଦରକାର, ଏବଂ ସେ ଫ୍ରୀଡ଼ାକୁ କହିଲା ଖାଇବାକୁ ସେ କିଛି ଖାଇ ନଥିଲା-। ଏହି ଅନୁରୋଧରେ କିଛିଟା ଆଶ୍ୱସ୍ତ ହୋଇ ଫ୍ରୀଡ଼ା ମୁଣ୍ଡ ହଲାଇଲା ଏବଂ କିଛି ଆଣିବାପାଇଁ ଦୌଡ଼ିଗଲା, ଅବଶ୍ୟ ବାରନ୍ଦାର ବହୁତ ଦୂର ଆଡ଼କୁ ନୁହେଁ, ଯେଉଠି ରୋଷେଇଶାଳଟା ଅଛି ବୋଲି କେ.ର ଧାରଣା ଥିଲା, ସେ ଚାଲିଗଲା ବାଁ ପଟକୁ କେତେ ପାଦ । ଅଳ୍ପ ସମୟ ପରେ ସେ ଗୋଟିଏ ପ୍ଲେଟ ମାଂସ ଓ ବୋତଲେ ୱାଇନ୍‌ ଧରି ଫେରିଲା, କିନ୍ତୁ ସେଗୁଡ଼ିକ ନିଶ୍ଚୟ କୌଣସି ଲୋକର ବଳି ପଡ଼ିଥିଲା, ମାଂସ ଖଣ୍ଡଗୁଡ଼ିକ ତରବରରେ ପୁଣିଥରେ ସଜାଇ ଦିଆ ହୋଇଥିଲା, ଅଇଁଠା ବୋଲି ଯେମିତି ଜାଣି ନହେବ, ତଥାପି ମାଂସ ଆଚାରରେ ଚୋପା ଗୁଡ଼ାକ ସେମିତି ପଡ଼ିଥିଲା ଏବଂ ବୋତଲର ଚାରିଭାଗରୁ ତିନି ଭାଗ କିଏ ପିଇଦେଇଥିଲା-। ସେ ଯାହା ହେଉ; କେ. କିଛି କହିଲା ନାହିଁ, ଏବଂ ଭୋକ ଦାଉରେ ଖାଇବାକୁ ଆରମ୍ଭ କରିଦେଲା-। ତମେ ରୋଷେଇ ଘରେ ଥିଲା ? ସେ ପଚାରିଲା । ‘‘ନା ମୋ ରୁମ୍‌ରେ’’ ଫ୍ରୀଡ଼ା କହିଲା । ସେଆଡ଼େ ମୋର ଗୋଟିଏ ରୁମ୍‌ ଅଛି । ତମେ ମତେ ସେଠିକି ନିଶ୍ଚେ ନେଇ ପାରିଥାନ୍ତ’’ କେ. କହିଲା, ମୁଁ ବର୍ତ୍ତମାନ ଯିବି ସେଠିକି, ଟିକିଏ ବସି ପଡ଼ି ଖିଆଟା ସାରି ଦେବି । ମୁଁ ତମ ପାଇଁ ଗୋଟିଏ ଚୋକିଆଣି ଦେବି, ଫ୍ରୀଡ଼ା କହୁ କହୁ ଯିବାକୁ ବାହାରିଲା । ଧନ୍ୟବାଦ କେ. ଉତ୍ତର ଦେଲା ଏବଂ ଫ୍ରୀଡ଼ାକୁ ଅଟକାଇ ଦେଲା । ନା ଆଉ ମୁଁ ସେଠିକି ଯାଉଚି, ନା ମୋର ଚୋକୀ ଦରକାର । ତା ବାହାରେ କେ.ର ହାତ ରଖିବା ଫ୍ରୀଡ଼ା ରାଗରେ ସହ୍ୟ କଲା, ମୁଁଣ୍ଡ ନୂଆଇଁଲା ଏବଂ ଓଠ କାମୁଡ଼ିଲା । ହଁ ହଁ ସେ ସେଠି ଅଛି । ଫ୍ରୀଡ଼ା କହିଲା ତମେ ଅନ୍ୟ କିଛି ଭାବୁଥିଲ କି ? ସେ ମୋ ଖଟରେ ଗଡ଼ୁଚି, ତାର ଥଣ୍ଡା ହୋଇଚି ସେ ଥରୁଚି ସେ ପ୍ରାୟ କିଛି ଖାଇନି । ତଳେଇ ଦେଖିଲେ ସବୁ ତମର ଭୁଲ ତମେ ଯଦି ସହକାରୀ ଯୋଡ଼ାକୁ ତଡ଼ି ଦେଇନଥାନ୍ତ ଏବଂ ସେଇ ଲୋକଙ୍କ ପଛରେ ଗୋଡ଼ାଇ ନଥାନ୍ତ ଆମେ ହୁଏତ ଏବେ ସ୍କୁଲରେ ଆରମରେ ବସିଥାନ୍ତେ ତମେ ହିଁ ଆମର ସୁଖ ନଷ୍ଟ କରିଦେଲ । ତମେ କଣ ଭାବୁଚ ଜେରେମିଆ ଚାକିରି କରୁଥିଲା ବେଳେ ମତେ ନେଇ ପଳାଇବାକୁ ସାହସ କରିଥାନ୍ତା ? ତା ପରେ ଏଠାକାର ସମସ୍ତ ବ୍ୟବସ୍ଥାକୁ ତମେ ପୂରା ଭୁଲ ବୁଝିଲ-। ସେ ମତେ ଚାହିଁଲା, ନିଜକୁ କଷ୍ଟ ଦେଲା ସେ ମତେ ଛକିଲା କିନ୍ତୁ ସେ ସବୁ ଥିଲା ଗୋଟାଏ ଖେଳ ଯେମିତି ଗୋଟାଏ ଭୋକିଲା କୁକୁର ଖେଳୁଥାଏ, କିନ୍ତୁ ଟେବୁଲ ଉପରକୁ ଚଢ଼ିବାକୁ ସାହସ କରେନି । ଏବଂ ମୋ କଥା ବି ସେୟା । ମୁଁ ତା ଆଡ଼କୁ ଆକୃଷ୍ଟ ହେଲି, ସେ ପିଲା ଦିନେ ମୋର ଖେଳସାଥୀ ଥିଲା–ଆମେ କାସଲ ହିଲର ଗଡ଼ାଣିରେ ସାଙ୍ଗ ହୋଇ ଖେଳୁଥିଲୁ, ଭାରିମଜାରେ ବେଳ କଟୁଥିଲା, ତମେ ମୋ ଅତୀତ ବିଷୟରେ କେବେ କିଛି ପଚାରିନ–କିନ୍ତୁ ଜେମେରିଆ ଚାକିରିରେ ଥିଲା ଯାକେ ସେ ସବୁଥିରେ କିଛି ଯାଏ ଆସେ ନଥିଲା କାରଣ ତମର ଭାବି ସ୍ତ୍ରୀ ହିସାବରେ ମୋର କଣ କର୍ତ୍ତବ୍ୟ ତା ମୁଁ ଜାଣିନଥିଲି । କିନ୍ତୁ ତମେ ସହକାରୀ ଯୋଡ଼ାକୁ ତଡ଼ିଦେଲ ଏବଂ ତା ଛଡ଼ା ତଡ଼ିହେଇ ସାରି ଭାରି ଫୁଟାଣି ଦେଖାଇଲ, ସତେ ଯେମିତି ସେମାନଙ୍କୁ ତଡ଼ି ଦେଇ ତମେ ମୋ ପାଇଁ କିଛି କରି ପକାଇଚ; ହେଲା କେତେକ ଦୃଷ୍ଟିରୁ ତା ସତ । ଆର୍ଥର ଯେତେ ଦୂର ସମ୍ପୃକ୍ତ ସେଥିରେ ତମର ଯୋଜନା ବେଶ୍‌ ସଫଳ ହେଲା, କିନ୍ତୁ କେବଳ ସେଇ ସମୟତକ ପାଇଁ ସିଏ ଭାରି ସୁକୁମାରିଆ, ଜେରେମିଆର ଯୋଉ ଅଦ୍ୟମ କାମନା ତା ଆର୍ଥରର ନାଇଁ ତା ଛଡ଼ା ସେ ଦିନ ରାତିରେ ତମେ ଯୋଉ ବୁଫେ ଦେଲ ତା ଖାଇ ତା ସ୍ୱାସ୍ଥ୍ୟ ପ୍ରାୟ ନଷ୍ଟ ହୋଇ ଗଲା–ମୋ ସୁଖ ପ୍ରତି ମଧ୍ୟ ତା ଥିଲା ଗୋଟାଏ ଧକ୍‌କା–ସେ ଅଭିଯୋଗ କରିବାକୁ ଦୁର୍ଗକୁ ଦୌଡ଼ିଲା ଏବଂ ଯଦି ବି ସେ ଜଲଦି ଫେରିଆସେ ସେ ପଳାଇଯାଇଚି ତ କିନ୍ତୁ ଜେରେମିଆ ରହିଲା । ଚାକିରି କରୁଥିଲା ବେଳେ ତା’ ଖାଉନ୍ଦର ଆଖି ପଡ଼ିଗଲେ ସେ ଡରିଯାଏ କିନ୍ତୁ ଚାକିରୀରେ ନଥିଲା ବେଳେ କୋଉ କଥାକୁ ତା’ର ଡର ନାଇଁ । ସେ ଆସିଲା ଏବଂ ମତେ ନେଇଗଲା ତମେ ମତେ ଛାଡ଼ି ଚାଲିଯାଇଥିଲ ସିଏ ମୋର ପୁରୁଣା ସାଙ୍ଗ ମତେ ଆଦେଶ କଲା ମୁଁ ପ୍ରତିରୋଧ କରି ପାରିଲିନି । ମୁଁ ସ୍କୁଲଘର ଖୋଲିଲି ନାଇଁ ସେ ଝରକାଟା ଭାଙ୍ଗି ଦେଲା ଏବଂ ମତେ ଉଠାଇ ଆଣିଲା । ଆମେ ଏଠିକି ଦୌଡ଼ି ଆସିଲୁ, ହେଟେଲ ମାଲିକ ତା’କୁ ଅନାଇଁଲେ ତା ଭଳିଆ ଗୋଟିଏ ୱେଟର ପାଇଁ ହୋଟେଲରେ ଆସି ରହିଥିବା ଲୋକେ ଭାରି ଖୁସି ହେଲେ ତେଣୁ ଆମେ ନିଆ ହୋଇଗଲୁ, ସିଏ ମୁଁ ସ୍ୱାମୀ ସ୍ତ୍ରୀ ଭଳି ରହୁନୁ କିନ୍ତୁ ଆମେ ଏକା ରୁମରେ ରହୁଚୁ । ଏସବୁ ସତ୍ତ୍ୱେ କେ କହିଲା ସହକାରୀ ଯୋଡ଼ାକୁ ଚାକିରୀରୁ ନିକାଲି ଦେଇଥିବା ଯୋଗୁ ମତେ ଦୁଃଖ ଲାଗୁନି । ଘଟଣାଗୁଡ଼ାକ ତମେ ଯେମିତି କହୁଚ ସେମିତି ଯଦି ହୋଇଥାନ୍ତା ଏବଂ ଚାକର ଭାବରେ ଥିବାରୁ ଯଦି ତମର ବିଶ୍ୱସ୍ତତାକୁ ସହକାରୀ ଯୋଡ଼ାକ ହିଁ ନିର୍ଣ୍ଣୟ କରିଥାନ୍ତେ । ତା ହେଲେ ସବୁ ଏମିତି ଶେଷ ହୋଇଯିବାଟା ଭଲ ହୋଇଥାନ୍ତା-। ଦୁଇ ଦୁଇଟା ଶିକାରୀ ଜନ୍ତୁଙ୍କ ସାଙ୍ଗରେ ରହି–ସେମାନଙ୍କୁ କେବଳ ବେତରେ ଜବତ୍‌ କରିହେବ–ବିବାହିତ ଜୀବନର ସୁଖ ସେମିତି କିଛି ବେଶୀ ହୋଇନଥାନ୍ତା । ସେ ଦୃଷ୍ଟିରୁ ମୁଁ ତ ସେଇ ଘର ଲୋକଙ୍କ ପ୍ରତି କୃତଜ୍ଞ । ଆମକୁ ଅଲଗା କରି ଦେବାରେ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ହେଲେବି ସେମାନଙ୍କର କିଛିଟା ହାତ ଥିଲା । ସେ ଦୁହେଁ ନୀରବ ହୋଇଗଲେ ଏବଂ ପରସ୍ପର ଲଗାଲଗି ହୋଇ ଏପଟ ସେପଟ ହେବାକୁ ଲାଗିଲେ ଯଦିଓ କେହି ବର୍ତ୍ତମାନ କହିପାରି ନଥାନ୍ତେ ପ୍ରଥମେ କିଏ ଚାଲିବା ଆରମ୍ଭ କଲା । ଫ୍ରୀଡ଼ା କେ’ର ଦେହକୁ ଲାଗି ଚାଲୁଥାଏ, କେ. ତା’ ହାତ ଆଉ ଥରେ ଧରିଲାନାହିଁ ବୋଲି ତାକୁ ରାଗ ଲାଗୁଥାଏ । ଏବଂ ତେଣୁ ସବୁ ଠିକ୍‌ ଠାକ୍‌ ହୋଇ ଯାଇଚି କେ. କହିବାକୁ ଲାଗିଲା, ଏବଂ ଆମେ ପରସ୍ପରଠୁଁ ବିଦାୟ ନେଇଗଲେ ହୁଅନ୍ତା, ଏବଂ ତମର ଜେରେମିଆ ପାଖକୁ ଚାଲିଯାଅ । ମତେ ଯାହା ଲାଗୁଚି ତା’କୁ ବଗିଚା ଭିତରେ ମୁଁ ଗୋଡ଼ାଇବା ବେଳୁ ତା’କୁ ଥଣ୍ଡା ଧରିପକାଇଚି, ଏବଂ ତମେ ତ ତା’କୁ ଅନେକ ବେଳୁ ଏକା ଛାଡ଼ିଦେଇ ଆସିଲଣି, ମୁଁ ଯିବି ଫାଙ୍କା ସ୍କୁଲ ଘରକୁ, କିମ୍ବା ତମକୁ ଛାଡ଼ି ଯଦି ସେଠି ମୋ ପାଇଁ ଜାଗା ନାଇଁ, ମତେ ସେମାନେ ଯୁଆଡ଼େ ନେଇଯିବେ ମୁଁ ସିଆଡ଼େ ଚାଲିଯିବି । ୟା ସତ୍ତ୍ୱେ ମୁଁ କ’ଣ କରିବି ଭାବିପାରୁନି, କାରଣ ତମେ ମତେ ଯାହା କହିଲ ସେଥିରେ ମୋର ଟିକିଏ ସନ୍ଦେହ ଏଯାଏଁ ଅଛି ଏବଂ ସେ ସନ୍ଦେହର କାରଣ ମଧ୍ୟ ଅଛି । ଜେରେମିଆ ବିଷୟରେ ମୋର ଧାରଣା ଅଲଗା ରକମର । ସେ ଯେତେଦିନ ଯାଏ ଚାକିରୀରେ ଥିଲା, ସବୁବେଳେ ତମ ପଛରେ ଗୋଡ଼ାଇଥିଲା, ଏବଂ ମୁଁ ଭାବୁନି ଯେ ତା’ ଚାକିରୀ ତମକୁ ଜବରଦସ୍ତ ଅଧିକାର କରିନେବାର ଚେଷ୍ଟାରୁ ତା’କୁ ଚିରକାଳ ପାଇଁ ନିବୃତ୍ତ କରିଥାନ୍ତା । କିନ୍ତୁ ଯେହେତୁ ସେ ଚାକିରୀରୁ ମୁକ୍ତି ପାଇ ଯାଇଚି ବୋଲି ଭାବୁଚି, ପରିସ୍ଥିତି ଏବେ ଅଲଗା । ମୁଁ ଏମିତି କହୁଚି, ମତେ କ୍ଷମା କରିବ । ତମେ ବର୍ତ୍ତମାନ ଯେହେତୁ ତା’ ଖାଉନ୍ଦର ଭାବୀ ସ୍ତ୍ରୀ ନୁହଁ, ତମେ ଆଉ ଆଗଭଳି ତା’ପାଇଁ ଏତେବଡ଼ ଆକର୍ଷଣ ନୁହଁ-। ତମେ ତା ପିଲାଦିନର ସାଙ୍ଗ ହୋଇପାର, କିନ୍ତୁ–ଆଜି ରାତିରେ ଅଳ୍ପ ଟିକିଏ କଥାବାର୍ତ୍ତାରୁ ମୁଁ ତାକୁ ପ୍ରକୃତରେ ଜାଣିଲି–ମୋ’ ମତରେ ସେ ଏ ପ୍ରକାର ଭାବପ୍ରବଣ କଥା ଉପରେ ବେଶୀ କିଛି ଗୁରୁତ୍ୱ ଦିଏନି । ମୁଁ ଜାଣି ପାରୁନି ସେ ତମ ଆଖିକୁ ଏମିତି ଜଣେ ଆବେଗପ୍ରବଣ ଲୋକଭଳି ଦିଶୁଚି କାହିଁକି ? ବରଂ ତା’ମନ ଭାରି ଉଦାସୀନ ଭଳି ମୋତେ ଲାଗେ-। ମୋ ସଂପର୍କରେ ସେ ଗାଲାଟରଠୁ କିଛି ଶୁଣିଲା, ସେଗୁଡ଼ାକ ବୋଧେ ମୋ’ ସପକ୍ଷରେ ବେଶୀ ନୁହେଁ, ସେଗୁଡ଼ାକ କାମରେ ଲଗାଇବାପାଇଁ ସେ ବହୁତ ଚେଷ୍ଟାକଲା । ସେଥିରେ ବେଶ୍‌ ଆଗ୍ରହ ଥିଲା ତା’ର, ଏକଥା ମୁଁ ମାନିବି–ସେଥିରୁ ଗୋଟିଏ କଥା ହେଲା, ସେ ଆମ ସମ୍ପର୍କକୁ ଭାଙ୍ଗିଦେବ-। ଅନେକ ଉପାୟରେ ତା’ କରିବାକୁ ସେ ବୋଧେ ଚେଷ୍ଟାକଲା । ସେଥିରୁ ଗୋଟିଏ ଉପାୟ ହେଲା ତା’ର ଖରାପ ଉଦ୍ଦେଶ୍ୟ ଥିବା ଅଳସ ଚାହାଣିରେ ସେ ତମକୁ ଉତ୍ତେଜିତ କରିବ, ଆଉ ଗୋଟିଏ ହେଲା–ଏଥିରେ ହୋଟେଲ ମାଲିକାଣୀ ତା’କୁ ସମର୍ଥନ କଲା–ମୋ’ ବିଶ୍ୱାସଘାତକତା ସଂପର୍କରେ କାହାଣୀ ଉଦ୍ଭାବନ କରିବ । ତାର ଚେଷ୍ଟା ସଫଳ ହେଲା, କ୍ଳାମଙ୍କର କିଛି ନା କିଛି ସ୍ମୃତି ତା’ ସାଙ୍ଗରେ ଜଡ଼ିତ ଅଛି, ସେଇଟା ତା’କୁ କିଛିଟା ସାହାଯ୍ୟ କରିଥିବ, ତା’ ଚାକିରୀ ଚାଲି ଯାଇଚି, ସତ, କିନ୍ତୁ ସେଟା ଚାଲିଯିବାକୁ ଯୋଉ ସମୟରେ ସେ ଚାହୁଁଥିଲା, ଠିକ୍‌ ସାହି ସମୟରେ, ତା’ପରେ ସେ ତା’ ଶ୍ରମର ଫଳ ପାଇଲା, ଏବଂ ସ୍କୁଲ ଘର ଝରକାବାଟେ ତମକୁ ଉଠେଇ ଆଣିଲା-। ସେତିକିରେ ତା’ କାମ ସରିଗଲା, ଏବଂ ଚାକିରୀ ପାଇଁ ତା’ର ଉତ୍ସାହ ଯେହେତୁ ବର୍ତ୍ତମାନ ମରିଯାଇଚି, ସେ ଭାରି ବେକାର ଅନୁଭବ କରିବ, ସେ ବରଂ ଆର୍ଥର ଯାହା କରୁଚି ତା’ କରିବ, ଆର୍ଥର ବୋଧେ ସେଠି ଅଭିଯୋଗ କରୁନି ମୋଟେ, ବରଂ ପ୍ରଶଂସା ଅର୍ଜନ କରୁଚି, ନୂଆ କାମ ଯୋଗାଡ଼ କରୁଚି କିନ୍ତୁ ଘଟଣାଟା କୁଆଡ଼େ ଯାଉଚି ଦେଖିବାକୁ କେହି ଜଣେ ରହିଯିବାକୁ ପଡ଼ିଲା । ତମର ଦେଖାଶୁଣା କରିବା ତା’ପାଇଁ ବରଂ ଗୋଟାଏ ବୋଝ । ତମ ପ୍ରତି ତାର କାଣିଚାଏ ଭଲ ପାଇବା ନାହିଁ, ସେ ଏକଥା ମୋତେ ଖାଲି କହିଚି । କ୍ଳାମଙ୍କର ଜଣେ ପ୍ରେମିକା ଭାବରେ ଅବଶ୍ୟ ସେ ତମକୁ ସମ୍ମାନ କରେ, ଏବଂ କୌଣସି ଉପାୟରେ ତମର ଶୋଇବା ଘରକୁ ପଶିବା ଏବଂ ଥରକ ପାଇଁ ହେଲେ ବି ନିଜକୁ ଗଣେ ସାନ କ୍ଳାମ୍‌ ବୋଲି ଭାବିବାରେ ସେ ଖୁସି ହୁଏ, କିନ୍ତୁ ସେତିକି ବାସ୍‌, ତମେ ନିଜେ ଆଉ ତା ପାଇଁ କିଛି ନୁହଁ ଏବେ, ତମ ପାଇଁ ସେ ଏଇଠି ଯାଗାଟିଏ ଖୋଜି ଦେଇଚି, ସେଇଟା ତା’ ମୂଳ କାମର ଅଂଶ ମାତ୍ର; ତମେ ବ୍ୟସ୍ତ ହୋଇ ନପଡ଼ିବ ଯେମିତି, ସେଥିପାଇଁ ସେ ଏଠି ବି ଆସି ରହୁଚି, କିନ୍ତୁ ଖାଲି ବର୍ତ୍ତମାନ ପାଇଁ ଦୁର୍ଗରୁ ସେ ଆଉ କିଛି ଖବର ନପାଇଲା ଯାଏଁ ଏବଂ ତମ ମୁଣ୍ଡ ଥୁଣ୍ଟା କରି ରଖିବାର ଉଦ୍ଦେଶ୍ୟ ପୂରଣ ନହେଲା ଯାଏଁ । ଦୁଇ ହାତ ମୁଠା ବାଡ଼େଇ ଫ୍ରୀଡ଼ା କହିଲା ‘‘ତମେ କେ.....ତେ ବଦନାମ କରୁଚ ତା’ର ।’’ ‘‘ବଦ୍‌ନାମ-?’’ କେ. କହିଲା, ‘‘ନା, ତା’କୁ ବଦ୍‌ନାମ କରିବା ମୋର ଇଚ୍ଛା ନୁହେଁ । କିନ୍ତୁ ମୁଁ ତା’ପ୍ରତି ବୋଧେ କିଛିଟା ଅନ୍ୟାୟ କରୁଚି, ତା’ ହୋଇଥାଇ ପାରେ । ମୁଁ ତା ବିଷୟରେ ଯାହାସବୁ କହିଲି ସେ କଥା ଏମିତି ଉପରକୁ ଫୁଟି ଦିଶୁନି ଯେ ସମସ୍ତେ ଦେଖିପାରିବେ, ଏବଂ ସେ କଥାକୁ ଅଲଗା ଭାବରେ ମଧ୍ୟ ଦେଖାଯାଇପାରେ । କିନ୍ତୁ ବଦ୍‌ନାମ କରିବା ପଛରେ କେବଳ ଗୋଟିଏ ଉଦ୍ଦେଶ୍ୟ ଥାଇପାରେ, ତମର ତା’ ପ୍ରତି ଭଲପାଇବାକୁ ନଷ୍ଟ କରିଦେବା । ତା’ ଯଦି ଦରକାର ହୋଇଥାନ୍ତା ଏବଂ ବଦନାମ କରିବା ଏକମାତ୍ର ଉପାୟ ହୋଇଥାନ୍ତା ତେବେ ତା’କୁ ବଦ୍‌ନାମ କରିବାକୁ ମୁଁ କୁଣ୍ଠିତ ହୁଅନ୍ତିନି । ସେଥିଲାଗି ମତେ କେହି ଦୋଷ ଦେଇ ପାରିବେ ନାଇଁ, ମୋ ଅବସ୍ଥା ତୁଳନାରେ ତା’ ଅବସ୍ଥାର ଏତିକି ସୁବିଧା ମତେ ଯଦି ପୂରାପୂରି ମୋ’ ନିଜବାଟ ଧରି ଚାଲିବାକୁ ପଡ଼ନ୍ତା, ମୁଁ ତାକୁ ଟିକିଏ ବଦ୍‌ନାମ କରିଦିଅନ୍ତି । କିନ୍ତୁ ତା’ କଲେ ତାର କ୍ଷତି ହେବ ନାଇଁ ଏବଂ ଶେଷରେ ମୋର ବି କିଛି ଲାଭ ହେବନି ତେଣୁ ତମେ ଏମିତି ହାତ ମୁଠା କରନି । ଏବଂ କେ. ଫ୍ରୀଡ଼ାର ହାତ ଧରିଲା ଫ୍ରୀଡ଼ା ହାତ ଛିଞ୍ଚାଡ଼ି ଦେବାକୁ ଚେଷ୍ଟାକଲା, କିନ୍ତୁ ହସ ହସ ମୁହଁରେ ଏବଂ କୌଣସି ପ୍ରକାର ଆଗ୍ରହ ନ ଦେଖାଇ । କିନ୍ତୁ ମୋର ବଦ୍‌ନାମ ଦରକାର ନାଇଁ’’ କେ. କହିଲା, କାରଣ ତମେ ତା’କୁ ଭଲପାଅନି, ତମେ ଖାଲି ଭାବୁଚ ଯେ ତମେ ତା’କୁ ଭଲପାଅ ଏବଂ ମୁଁ ତମର ଭୁଲ ଧାରଣା ଦୂରେଇ ଦେଇଚି ଦେଖି ତମେ ମତେ ଧନ୍ୟବାଦ ଦେବ । କାରଣ ଭାବିଦେଖ, ଯଦି ତମକୁ ମୋଠୁ କେହି ଛଡ଼ାଇ ନେବାକୁ ଚାହିଁଲା, କୌଣସି ପ୍ରକାର ଗୁଣ୍ଡାମି ନକରି କିନ୍ତୁ ଭାରି ସାବଧାନରେ ଚିନ୍ତା କରି, ସେ କେବଳ ଦୁଇ ସହକାରୀଙ୍କ ଜରିଆରେ ତା’ କରିପାରିଥାନ୍ତା । ବାହାରକୁ ବେଶ୍‍ ଭଲ, ପିଲାଳିଆ, ଖୁସିବାସିଆ, ଦାୟିତ୍ୱହୀନ ଟୋକା ଯୋଡ଼େ ଆକାଶରୁ ଖସି ପଡ଼ିଛନ୍ତି, ଦୁର୍ଗରୁ ଖସି ଆସିଚନ୍ତି ପିଲା ଦିନର ସ୍ମୃତିର କିଛିଟା ଆବହାୱ ବି ତାଙ୍କ ଚାରିପଟେ ରହିଚି ସେସବୁ ଅବଶ୍ୟ ସୁନ୍ଦର ଲାଗିଥିବ ବିଶେଷ କରି ମୁଁ ଯେତେବେଳେ ସେମାନଙ୍କର ଠିକ୍‌ ଓଲଟା ପ୍ରକୃତିର ଏବଂ ସବୁବେଳେ ଏମିତି କାରବାର ପଛରେ ଧାଇଁଥିଲି ଯାହାକି ବୁଝିବା କଷ୍ଟ; ଯୋଉ ଗୁଡ଼ାକ ଦେଖି ତମେ ବିରକ୍ତ ହେଉଥିଲ ଏବଂ ଯୋଉଗୁଡ଼ାକ ମତେ ଏମିତି ଲୋକଙ୍କୁ ହାବୁଡ଼େଇ, ଦେଉଥିଲା, ଯେଉଁମାନଙ୍କୁ ତମେ ଘୃଣା କରିବା କଥା ବୋଲି ତମେ ଭାବୁଥିଲ–ସେଇ ଘୃଣାର କିଛିଟା ତମେ ମୋ ପ୍ରତି ବି ପ୍ରୟୋଗ କଲ, ମୋର କିଛି ଦୋଷ ନଥିବା ସତ୍ତ୍ୱେ । ପୁରା ଘଟଣାଟା ହେଲା ଏୟା, ଆମ ସମ୍ପର୍କରେ ଥିବା ଦୁର୍ବଳତା ଫାଇଦା ଉଠାଗଲା, ଅତି ନିଷ୍ଠୁର କିନ୍ତୁ ଚତୁର ଭାବରେ । ପ୍ରତ୍ୟେକଙ୍କର ସଂପର୍କରେ ଦୁର୍ବଳତା ଅଛି, ଆମ ସମ୍ପର୍କରେ ବି ଆମେ ଦୁଇ ଅଲଗା ପୃଥିବୀରୁ ଆସି ଏକାଠି ହେଲେ ଏବଂ ଆମେ ଯେହେତୁ ପରସ୍ପରକୁ ଜାଣିଚେ ଆମର ନିଜ ନିଜ ଜୀବନ ପୂରାପୂରି ଅଲଗା ହେବାକୁ ବାଧ୍ୟ ଆମେ ଏଯାଏଁ ନିଜକୁ ନିରାପଦ ମଣୁନେ ଏସବୁ ଖୁବ୍‌ ନୂଆ ଲାଗୁଚି । ମୁଁ ନିଜ କଥା କହୁନି, ମୋ କଥାରେ କିଛି ଯାଏ ଆସେନା ପ୍ରକୃତରେ ତମର ମୋ ଉପରେ ଆଖି ପଡ଼ିବା ଦିନୁ ମୋର ବହୁତ ଲାଭ ହୋଇଛି ଏବଂ ଜଣେ ତାର ଲାଭ କରିଥିବା ସମ୍ପତ୍ତି ସାଙ୍ଗରେ ନିଜକୁ ସୁହାଇ ନେବା ବଡ଼ କଷ୍ଟ କାମଟେ ନୁହେଁ । କିନ୍ତୁ–ଅନ୍ୟ କଥା ଛାଡ଼ ତମକୁ କ୍ଳାମଙ୍କ ପାଖରୁ ଛଡ଼ାଇ ଅଣା ହେଲା; ସେଥିର ଗୁରୁତ୍ୱ କ’ଣ ମୁଁ କଳନା କରିପାରୁନି କିନ୍ତୁ ଆସ୍ତେ ଆସ୍ତେ ମୁଁ ସେ ଗୁରୁତ୍ୱ ସମ୍ପର୍କରେ କିଛିଟା ଅସ୍ପଷ୍ଟ ଧାରଣା କରିପାରିଲ, ତମେ ଝୁଣ୍ଟିଲ ତମେ ନିଜକୁ ଖୋଜି ପାଇଲ ନାଇଁ ମୁଁ ତୁମକୁ ସାହାଯ୍ୟ କରିବାକୁ ସବୁବେଳେ ପ୍ରସ୍ତୁତ ଥିଲା ବି ମୁଁ ବୋଧେ ସବୁବେଳେ ହାଜର ନଥିଲି ଏବଂ ମୁଁ ଯେତେବେଳେ ଥିଲି, ତମେ ତମର ସ୍ୱପ୍ନମାନଙ୍କ ହାତରେ କିମ୍ବା ଅନ୍ୟ କୌଣସି ଅଧିକ ସ୍ପଷ୍ଟ ଜିନିଷରେ ବନ୍ଦୀ ହୋଇ ରହିଲ, ଧର ସେଇ ହୋଟେଲ ମାଲିକାଣୀ–ଅଳ୍ପ କଥାରେ କହିଲେ ଏମିତି ସବୁ ବେଳ ଆସିଲା ଯେତେ ବେଳେ ତମେ ମୋଠୁ ମୁଁହଁ ବୁଲାଇ ନେଲ, ବିଚାରୀ ପିଲା ଲୋକ, ତମେ ଅସ୍ପଷ୍ଟ ଅକୁହା ଜିନିଷ ପାଇଁ ବାଇ ହେଲ ଏବଂ ସେ ପ୍ରକାର ସମୟରେ ଜଣେ ସରଳିଆ ଲୋକ ଖାଲି ତମେ ସ୍ୱପ୍ନର ପ୍ରଳୟ ଭିତରକୁ ପଳାଇ ଆସିଲା ତ ତମେ ତା ପାଖରେ ନିଜକୁ ହଜାଇ ଦେଲ ଏବଂ ତମେ ଗୋଟାଏ ପ୍ରହେଳିକା ଭିତରେ ଡୁବିଗଲ, ଭାବିଲ ଯେ ସେଇ ମୁଁହୂର୍ତ୍ତକର କଳ୍ପନା ଭୂତ ପୁରୁଣା ସ୍ମୃତି, ଅତୀତର କଥା ଏବଂ ଯୋଉ ସବୁ କଥା ଆହୁରି ଦୂର ଅତୀତ ଆଡ଼କୁ ପଛେଇ ପଛେଇ ଯାଉଚି, ଥରେ କେବେ କଟାଇଥିବା ଜୀବନ–ଏସବୁ ହେଉଚି ପ୍ରକୃତ ବର୍ତ୍ତମାନର ଗୀବନ ଏଇଟା ଭୁଲ ଫ୍ରୀଡ଼ା; ଶେଷରେ ମୁଁ ଯାହା କହିଲି ଠିକ୍‌ ଭାବରେ ଦେଖିଲେ ତା ହିଁ ତମର ଚରମ ସୁଖଲାଭରେ ଘୃଣ୍ୟ ବାଧା ସବୁ ସୃଷ୍ଟି କରୁଚି । ନିଜ ବିଷୟରେ ସଚେତନ ହୁଅ, ନିଜ ଭିତରଟା ସଜାଡ଼ି ନିଅ ତମେ ଭାବିଥିଲ ଯେ କ୍ଳାମ ସହକାରୀ ଦୁଇଟାକୁ ପଠାଇଥିଲେ–ମିଛ କଥା ସେ ଯୋଡ଼ାକ ଗାଲଟର ପାଖରୁ ଆସିଥିଲା–ଏବଂ ସେମାନେ ଏଇ ଧାରଣା ବଳରେ ତମକୁ ପୂରାପୂରି ମନ୍ତ୍ର ମୁଁଗ୍‌ଧ କରିଦେଇ ଥିଲେ ଏବଂ ତମେ ସେମାନଙ୍କ ବାଜେ ଧରଣର କୌଶଳ ଓ ଯୌନ ଲାଳସା ଭିତରେ ମଧ୍ୟ କ୍ଳାମଙ୍କର ଗୁଣ କିଛିଟା ଦେଖିଥିଲ । ଯେମିତି ଜଣେ ଭାବେ ଯେ ଗୋବର ଗଦା ଭିତରେ ହଜାଇ ଦେଇଥିବା ରତ୍ନଖଣ୍ଡକୁ ଦେଖି ପାରୁଚି ବୋଲି, ଯଦିଓ ରତ୍ନଟା ସେଠି ପଡ଼ିଥିଲେ ମଧ୍ୟ ସେ ପ୍ରକୃତରେ ତା ଦେଖିପାରିବା ସମ୍ଭବ ନୁହେଁ । ସେ ଯାହା ହେଉ ସେମାନେ ଷ୍ଟଲରେ ରହୁଥିବା ଚାକର ବାକରଙ୍କ ଭଳି ଯୋଡ଼ାଏ ଟୋକା, ଖାଲି ସେମାନଙ୍କର ସ୍ୱାସ୍ଥ୍ୟ ସେ ଯୋଡ଼ାକର ଦେହ ଖରାପ ହୋଇଯାଏ ଏବଂ ସେମାନେ ଖଟିଆରେ ପଡ଼ିବାକୁ ବାଧ୍ୟ ହୁଅନ୍ତି । ମୁଁ କହିବି ଯେ ଚାକର ବାକରଙ୍କ ଭଳି ଚାଲାକି କରି କେମିତି ଗଣ ଗଣିଆ ସ୍ୱରର କଥା କହିବାକୁ ହେବ, ତା ସେମାନେ ଜାଣନ୍ତି ଫ୍ରୀଡ଼ା ସେତେବେଳକୁ କେ.ର କାନ୍ଧ ଉପରେ ମୁଁଣ୍ଡ ଭାର ଦେଇ ସାରିଥିଲା ପରସ୍ପର ଅଣ୍ଟାରେ ହାତ ଦେଇ ସେମାନେ ଚୁପଚାପ ଏମୁଁଣ୍ଡ ସେମୁଁଣ୍ଡ ଚାଲୁଥାନ୍ତି । ‘‘ଆମେ ଖାଲି ଯଦି ଅଳ୍ପ ସମୟ ପରେ ଖୁବ ଆସ୍ତେ ଶାନ୍ତ ଭାବରେ ପ୍ରାୟ ପ୍ରଶାନ୍ତିର ସ୍ୱରରେ ଫ୍ରୀଡ଼ା କହିଲା, ସତେ ଯେମିତି ସେ ଜାଣିଥିଲା ଯେ କେ.ର କାନ୍ଧ ଉପରେ ସେମିତି ଆଉଜିବାର ସୁଖ କ୍ଷଣକପାଇଁ ତା ଲାଗି ସଂରକ୍ଷିତ ହେଇ ରହିଛି ଏବଂ ସେହି ସୁଖର ସବୁ କିଛି ସେ ଉପଭୋଗ କରିନେବାକୁ ଚାହେଁ, ଆମେ ଖାଲି ଯଦି ସେଇ ରାତିରେ ହିଁ କୁଆଡ଼େ ଚାଲି ଯାଇଥାନ୍ତେ ଆମେ ହୁଏତ ବର୍ତ୍ତମାନ ଶାନ୍ତିରେ ଥାନ୍ତେ ସବୁବେଳେ ଏକା ସାଙ୍ଗରେ ଥାନ୍ତେ । ମୁଁ: ଯେତେବେଳେ ଇଚ୍ଛା ସେତେବେଳେ ଧରି ପକାଇବା ପାଇଁ ତମର ହାତ ମୋ’ ପାଖରେ ଥାନ୍ତା; ଆଃ, ମୁଁ ତମକୁ ପାଖରେ ପାଇବାକୁ କେତେ ଚାହୁଁଚି । ତମକୁ ଜାଣିବା ଦିନୁଁ ତମେ ପାଖରେ ନଥିଲ ମୁଁ କେଡ଼େ ଅସହାୟ ମଣିଚି ନିଜକୁ-। ତମକୁ ପାଖରେ ପାଇବା ହିଁ ମୋର ଏକମାତ୍ର ସ୍ୱପ୍ନ ହୋଇ ରହି ଆସିଚି । ବିଶ୍ୱାସ କର ମତେ, ଖାଲି ସେଇ ଗୋଟିଏ ସ୍ୱପ୍ନ ଆଉ କିଛି ନୁହେଁ ।’’

 

Unknown

ତା’ପରେ କଡ଼ପଟ ବାରନ୍ଦାରୁ କିଏ ଜଣେ ଡାକିଲା, ସେ ଥିଲା ଜେରେମିଆ, ସବା ତଳ ପାହାଚରେ ଠିଆ ହୋଇଥାଏ, ସାର୍ଟ ପିନ୍ଧିଥାଏ, କିନ୍ତୁ ଫ୍ରୀଡ଼ାର ଚଦରଟିଏ ଦେହରେ ଗୁଡ଼ାଇ ହୋଇଥାଏ । ସେ ସେଠି ସେମିତି ଠିଆ ହୋଇଥାଏ, ଫୁରୁ ଫୁରୁ ମୁଁଣ୍ଡ ବାଳ, ପତଳା ଦାଢ଼ି ଆହୁରି ପତଳା ଦିଶୁଥାଏ, ସତେ ଯେମିତି ଓଦା ସରସର ହୋଇ ରହିଚି, ରାଗରେ ବଡ଼ ହୋଇଯାଇଥିବା ଆଖିରେ ବ୍ୟଥାତୁର ଅନୁନୟର ଚାହାଣୀ, ପତଳା ଗାଲ ଦୁଇଟା ଲାଲ୍‌ କିନ୍ତୁ ରୋଗା, ଲଙ୍ଗଳା ଗୋଡ଼ ଯୋଡ଼ାକ ଏତେ ଯୋରରେ ଥରୁଚଛି ଯେ ଚଦରର ଧଡ଼ି ଥର ଥର ହେଉଛି । ହାସପାତାଳରୁ ଆସିପଳାଇ ଆସିଥିବା ରୋଗୀଟେ ପରି ଦିଶୁଥାଏ, ଏବଂ ତା’ ଚେହେରା ଦେଖିଲେ ଗୋଟିଏ ଇଚ୍ଛା ହେବ, ତା’କୁ ପୁଣି ନେଇ ଶେଯରେ ଶୁଆଇ ଦେବାର ଇଚ୍ଛା । ଫ୍ରୀଡ଼ା ଉପରେ ପ୍ରକୃତରେ ଏ ପ୍ରକାର ପ୍ରଭାବ ପଡ଼ିଲା, ସେ କେ. ପାଖରୁ ଖସି ପଳାଇଲା ଏବଂ ସେକେଣ୍ଡକ ଭିତରେ ଯାଇ ଜେମେରିଆ ପାଖରେ ଠିଆହୋଇପଡ଼ିଲା । ତା’ର ଏତେ ପାଖରେ ଥିବା, ଅତି ସନ୍ତର୍ପଣରେ ଚଦରଟା ଜେରେମିଆ ଦେହରେ ଭଲ ଭାବେ ସଜାଡ଼ି ଦେବା, ତରବରରେ ତା’କୁ ପୁଣି ରୁମ୍‌ ଭିତରକୁ ଜବରଦସ୍ତ ନେଇ ଯିବାକୁ ଚେଷ୍ଟା କରିବା ଇତ୍ୟାଦି ଜେରେମିଆକୁ ନୂଆ ଶକ୍ତି ଯୋଗାଇଲା, ସତେ ଯେମିତି ସେ ବର୍ତ୍ତମାନ ହିଁ କେ.କୁ ଚିହ୍ନିପାରିଲା । ‘‘ଆରେ, ଅମିନ ବାବୁ ଯେ-!’’ ସେ କହିଲା, ଫ୍ରୀଡ଼ାକୁ ଶାନ୍ତ କରିବା ପାଇଁ ତା’ ଗାଲ ଆଉଁଷୁ ଆଉଁଷୁ, କାରଣ ଫ୍ରୀଡ଼ା ଚାହୁଁ ନଥିଲା ସେ ବେଶୀ କଥାବାର୍ତ୍ତା କରୁ ବୋଲି, ‘‘ମୁଁ ହଇରାଣ କଲି, କ୍ଷମା କରିବେ । କିନ୍ତୁ ମୋ ଦେହ ମୋଟରୁ ଭଲ ନାଇଁ; ସେଇଟା ହିଁ ମୁଁ ପଳାଇଆସିବାର ଏକମାତ୍ର କାରଣ । ମତେ ଜର ଜର ଲାଗୁଚି, ମତେ କିଛି ଚା ପିଇବାକୁ ପଡ଼ିବ, ଚା ପିଇଲେ ଝାଳଟେ ବୋହିଯିବ । ସ୍କୁଲ ବଗିଚାରେ ସେଇ କଦର୍ଯ୍ୟ ରେଲିଂ ଗୁଡ଼ାକ ସେ ଗୁଡ଼ାକ ମତେ ଏବେବି କିଛି ଚିନ୍ତା କରିବାର ଖୋରାକ ଯୋଗାଇବ । ଶୀତରେ ପଥର ପାଲଟି ଯାଇ ମତେ ଶେଷରେ ରାତିଯାକ ଦୌଡ଼ା ଦୌଡ଼ି କରିବାକୁ ପଡ଼ିଲା । ଯୋଉଥି ପାଇଁ ସ୍ୱାସ୍ଥ୍ୟ ଖରାପ କରିବା କଥା ନୁହେଁ, ସେଥିପାଇଁ ହିଁ ଜଣକୁ ତା’ ସ୍ୱାସ୍ଥ୍ୟ ବଳି ଦେବାକୁ ପଡ଼େ, ଏବେ ସେତିକିବେଳେ ଏକଥା ଲକ୍ଷ୍ୟ କରି ହୁଏନାଇଁ । କିନ୍ତୁ ଆପଣ ଅମିନବାବୁ, ମୋ’ ଦ୍ୱାରା ନିଜେ ହଇରାଣ ହେବାକୁ ନିଅନ୍ତୁ ନାଇଁ, ଆମ ସାଙ୍ଗରେ ଏଇ ରୁମ୍‌ ଭିତରକୁ ଆସନ୍ତୁ, ଜଣେ ରୋଗୀକୁ ଦେଖିଯାନ୍ତୁ ଏବଂ ଆଉ ଯାହା ଆପଣଙ୍କୁ କହିବାର ଅଛି । ସେ ସବୁ ଫ୍ରୀଡ଼ାକୁ କହିଦଅନ୍ତୁ । ପରସ୍ପର ସହିତ ଖାପଖୁଆଇ ସାରିଥିବା ଦୁଇଜଣ ଯେତେବେଳେ ବିଦାୟ ନିଅନ୍ତି, ସେମାନେ ଶେଷ ମୁଁହୂର୍ତ୍ତରେ ପରସ୍ପରକୁ ଗୁଡ଼ାଏ କଥା କହିବା ସ୍ୱାଭାବିକ୍‌, ଏବଂ ଜଣେ ତୃତୀୟ ବ୍ୟକ୍ତି, ସେ ରୋଗ ଶଯ୍ୟାରେ ପଡ଼ି ଚା’ ଆସିବାକୁ ଅପେକ୍ଷା କରୁଥିଲେ ମଧ୍ୟ, ସେସବୁ କଥା ବୋଧେ ବୁଝି ପାରେନି । କିନ୍ତୁ ଆସନ୍ତୁ ଭିତରକୁ । ମୁଁ ପୁରା ଚୁପଚାପ୍‌ ରହିବି ।’’ ବାସ୍‌, ବାସ୍‌,’’ ଫ୍ରୀଡ଼ା କହିଲା, ତା’ର ହାତ ଟାଣିଦେଇ । ‘‘ତାକୁ ଜର ହୋଇଚି, ସେ କ’ଣ କହୁଚି ନିଜେ ଜାଣି ପାରୁନି, କିନ୍ତୁ ତମେ କେ. ତମେ ଭିତରକୁ ଆସନି, ମୁଁ ତମକୁ ଅନୁରୋଧ କରୁଚି । ଏଇଟା ମୋର ଓ ଜେରେମିଆର ରୁମ୍‌, କିମ୍ବା ଏଇଟା ମୋ ରୁମ୍‌, କେବଳ ମୋର, ମୁଁ କହିଦେଉଚି, ତମେ ଭିତରକୁ ଆସବନି । ତମେ ସବୁବେଳେ ମୋ’ ଉପରେ ଏମିତି ଅତ୍ୟାଚାର କଲ; ଓଃ, କେ. ତମେ ମତେ ସବୁବେଳେ ଏମିତି ଅତ୍ୟାଚାର କରୁଚ କାଇଁକି ? ନା, କେବେ ନୁହଁ, କେବେ ବି ମୁଁ ତମ ପାଖକୁ ଫେରିବିନି, ମୁଁ ଯେତିବେଳେ ଫେରିବା କଥା ଭାବୁଚି, ମୋ ଛାତି ଭିତରଟା ଥରିଯାଉଚି । ତମେ ତମର ସେଇ ମାଇକିନିଆ ଯୋଡ଼ାକ ପାଖକୁ ଯାଅ, ସେମାନେ ନିଆଁ ପାଖରେ ତମ ଦେହକୁ ଲାଗି ବସନ୍ତି ଖାଲି ଖଣ୍ଡେ ଖଣ୍ଡେ ଗାଉନ୍‌ ଦେହରେ ଗଳେଇ ଦେଇ, ମୁଁ ଏକଥା ଶୁଣିଚି, ଏବଂ କିଏ ଯଦି ତମକୁ ନେବାକୁ ଆସିଲା, ସେମାନେ ତା ଉପରେ ଛେପ ପକାନ୍ତି । ସେଠି ତମକୁ ଭାରି ଭଲ ଲାଗୁଥିବ, କାରଣ ସେ ଯାଗାଟା ତମକୁ ଏତେ ବେଶୀ ଆକର୍ଷଣ କରୁଚି । ତମେ ସେଠିକି ଯେମିତି ନଯିବ ସେଥିଲାଗି ମୁଁ ଅନେକ ଚେଷ୍ଟା କରିଚି, କିନ୍ତୁ ସଫଳ ହୋଇନି, ତେବେ ଯାହା ହେଲେ ବି ମୁଁ ଚେଷ୍ଟା କରିଚି, ସେସବୁ କଥା ଗଲାଣି, ବର୍ତ୍ତମାନ ତମେ ମୁକ୍ତ । ତମ ଆଗରେ ଗୋଟିଏ ସୁନ୍ଦର ଜୀବନ ପଡ଼ିଚି, ଜଣକ ପାଇଁ ହୁଏତ ତୁମକୁ ଚାକର ବାକରଙ୍କ ସାଙ୍ଗରେ କିଛିଟା ଟଗଡ଼ା କରିବାକୁ ପଡ଼ିବ, କିନ୍ତୁ ଅନ୍ୟ ଜଣକ ସ୍ୱର୍ଗ ମର୍ତ୍ତ୍ୟରେ ଏମିତି କେହି ନାଇଁ ଯେ କି ସିଏ ତମ ପାଖକୁ ଯିବାଟା ଅଟକାଇ ଦେଇ ପାରିବ । ତମର ମିଳନ ପାଇଁ ଆଗରୁ ଆଶୀର୍ବାଦ ମିଲି ସାରିଚି । ସେକଥା ଭୁଲ ବୋଲି କହନି, ମୁଁ ଜାଣେ ତମେ ଯେ କୌଣସି କଥାକୁ ଭୁଲ ପ୍ରମାଣିତ କରିଦେଇ ପାରିବ । କିନ୍ତୁ ଶେଷରେ କୌଣସି କଥା ଭୁଲ ପ୍ରମାଣିତ ହୋଇ ପାରେନି । ଜେରେମିଆ ଦେଖ ସେ ସବୁ କିଛି ଭୁଲ୍‌ ପ୍ରକାଶିତ କରି ଦେଇଚନ୍ତି ! ପରସ୍ପର ବୁଝାମଣାର ସୂଚକ ହସଟିଏ ହସି ସେମାନେ ମୁଣ୍ଡ ହଲାଇଲେ । ‘‘କିନ୍ତୁ’’ ଫ୍ରୀଡ଼ା କହି ଚାଲିଲା, ‘‘ସବୁ କଥା ଭୁଲ୍‌ ପ୍ରମାଣିତ ହୋଇଗଲେ ବି ସେଥିରେ ଲାଭ କ’ଣ ହେବ, ସେଥିରେ ମୋର ଯାଏ ଆସେ କ’ଣ ? ସେଇ ଘର ଭିତରେ କ’ଣ ଘଟୁଚି ସେଇଟା ପୁରା ସେମାନଙ୍କର ମୁଣ୍ଡ ବଥା, କେ.ଙ୍କର ମୁଣ୍ଡ ବଥା, ମୋର ନୁହେଁ । ମୋର କାମହେଲା ତମର ସେବାସୁଶ୍ରୁଷା କରି ତମକୁ ଭଲ କରିଦେବା, ଦିନେ ତମେ ଯେମିତି ସୁସ୍ଥ ଥିଲ, କେ. ମୋ’ ପାଇଁ ତମକୁ ହଇରାଣ ହରକତ କରିବା ଆଗରୁ ।’’ ‘‘ତା’ ହେଲେ ଆପଣ ଭିତରକୁ ଆସୁନାହାଁନ୍ତି, ଅମିନବାବୁ ?’’ ଜେରେମିଆ ପଚାରିଲା, କିନ୍ତୁ ବର୍ତ୍ତମାନ ଫ୍ରୀଡ଼ା ତା’କୁ ଟାଣି ଟାଣି ନେଇଗଲା ଏବଂ କେ. ଆଡ଼କୁ ଥରେ ହେଲେ ବୁଲି ଚାହିଁଲା ନାହିଁ । ସେଠି ଗୋଟିଏ ଛୋଟିଆ ଦ୍ୱାର ଥିଲା, ବାରନ୍ଦାରେ ଥିବା ଦ୍ୱାର ଗୁଡ଼ାକଠୁ ବି ସାନ–ଖାଲି ଜେରେମିଆକୁ ନୁହେଁ, ଫ୍ରୀଡ଼ାକୁ ମଧ୍ୟ ମୁଣ୍ଡ ନୁଆଇଁ ଯିବାକୁ ପଡ଼ିଲା–ଭିତରଟା ଖୁବ୍‌ ଉଜ୍ଜ୍ୱଳ ଓ ଉଷୁମ ବୋଲି ମନେ ହେଲା, କିଛି ଫିସ୍‌ଫିସ୍‌ କଥା ଶୁଣାଗଲା, ବୋଧହୁଏ ଜେରେମିଆକୁ ଶୁଆଇ ଦେବାପାଇଁ ଫ୍ରୀଡ଼ା ତା’ ସାଙ୍ଗରେ ଗେହ୍ଲେଇ ହେଉଥିଲା, ତା’ପରେ କବାଟ ବନ୍ଦ୍‌ ହୋଇଗଲା ।

 

ବର୍ତ୍ତମାନ କେ. ଲକ୍ଷ୍ୟ କଲା, ବାରନ୍ଦାଟା ଶୂନ୍‌ଶାନ୍‌ ହୋଇ ଗଲାଣି । ବାରନ୍ଦାର କେବଳ ଏହି ପଟେ ନୁହେଁ, ଯେଉଠିଁ ସେ ଫ୍ରୀଡ଼ା ସାଙ୍ଗରେ ଏଯାଏଁ କଥାବାର୍ତ୍ତା କରୁଥିଲା, ଏବଂ ଯେଉଁଠି ସର୍ବ ସାଧାରଣଙ୍କ ରହିବା ପାଇଁ ରୁମ୍ ଗୁଡ଼ାକ ରହିଛି, କିନ୍ତୁ ସେପଟ ଲମ୍ବା ବାରନ୍ଦାଟା ମଧ୍ୟ, ଯେଉଁଠି ଅନ୍ୟ ରୁମ୍‌ ଗୁଡ଼ାକ ରହିଛି ଏବଂ ଯେଉଁଠି ଏତେ ପାଟି ତୁଣ୍ଡ ଏଯାଏଁ ଶୁଭୁଥିଲା । ତେବେ ସମସ୍ତ ଭଦ୍ରଲୋକ ଶେଷରେ ଶୋଇ ପଡ଼ିଲେଣି । କେ. ମଧ୍ୟ ଖୁବ୍‌ କ୍ଳାନ୍ତ ହୋଇ ପଡ଼ିଥିଲା, ସେ ଜେରେମିଆ ସାଙ୍ଗରେ ଯେମିତି ଟକ୍‌କର ଦେବା କଥା ସେମିତି ନ ଦେଇ ପାରିଥିବା ଜନିତ ଆତ୍ମଗ୍ଲାନି ତା’ର କ୍ଲାନ୍ତିର କାରଣ ବୋଧହୁଏ । ଜେରେମିଆର ବ୍ୟବହାରରୁ କେ. ନିଜେ କେମିତି ବ୍ୟବହାର କରିବ, ତାହା ଠଉରେଇନେବା ଅଧିକ ବୁଦ୍ଧିମାନର କାମ ହୋଇଥାନ୍ତା । ଜେରେମିଆ ନିଶ୍ଚୟ ତା’ର ଥଣ୍ଡା ଜର କଥା ବହୁତ ବଢ଼ାଇ କହୁଥିଲା ତାକୁ ଜର ହୋଇଥିଲେ ବି ସେ ସେମିତି ଓଃ ଆଃ ହେଉନଥିଲା, ସେମିତି ହେବା ତା’ର ଜନ୍ମଗତ ସ୍ୱଭାବ, ଏବଂ କୌଣସି ପ୍ରକାର ଚେରମୁଁଳି ଚା ଖାଇଲେ ବି ତା’ ବନ୍ଦ ହେବାର ନୁହେଁ–ଜେରେମିଆ ଭଳି ବ୍ୟବହାର କରୁଥିଲେ ତା ନିଜର ପ୍ରକୃତ କ୍ଲାନ୍ତିକୁ ଜେରେମିଆ ଭଳି ପ୍ରକାଶ କରିଥିଲେ, ବାରନ୍ଦାରେ କଚାଡ଼ି ପଡ଼ିଥିଲେ ଅଧିକ ବୁଦ୍ଧିମାନର କାମ ହୋଇଥାନ୍ତା । ସେମିତି କରିଥିଲେ ତା’କୁ କିଛିଟା ଭଲ ଲାଗିଥାନ୍ତା, ସେ ଟିକିଏ ଶୋଇ ପାରିଥାନ୍ତା ଏବଂ ତା’କୁ କିଛିଟା ଭଲ ଲାଗିଥାନ୍ତା, ସେ ଟିକିଏ ଶୋଇ ପାରିଥାନ୍ତା ଏବଂ ତା’କୁ ବୋଧେ କିଛିଟା ସେବା ସୁଶ୍ରୁଷା ମଧ୍ୟ ମିଳିଥାନ୍ତା । ତେବେ ଜେରେମିଆ ଯେତେଟା ସଫଳ ହେଲା, ସେ ବୋଧହୁଏ ସେତେଟା ହୋଇ ପାରିନଥାନ୍ତା, ସହାନୁଭୁତି ଲାଭ କରିବା ପାଇଁ ଏପ୍ରକାର ପ୍ରତିଯୋଗିତା ଜେରେମିଆ ନିଶ୍ଚୟ ଜିଣି ଯାଇଥାନ୍ତା, ଏବଂ ତା’ ଯୁକ୍ତି ଯୁକ୍ତ ହୋଇଥାନ୍ତା, ବୋଧହୁଏ, ଏବଂ ଅନ୍ୟ ସବୁ ଯୁଦ୍ଧ ବି ସେ ନିଶ୍ଚିତ ଭାବରେ ଜିଣିଥାନ୍ତା । କେ.କୁ ଏତେ ବେଶୀ କ୍ଲାନ୍ତ ଲାଗୁଥିଲା ଯେ ସେ ଗୋଟାଏ ରୁମ୍‌ ଭିତରକୁ ପଶିଯିବ କି ନାହିଁ ସେକଥା ଭାବିଲା, କେତେ ଗୁଡ଼ାଏ ରୁମ୍‌ ତ ନିଶ୍ଚୟ ଖାଲିଥିବ, ପଶିଯାଇ ସେ ଶେଯରେ ଆରାମରେ ଶୋଇଯିବ କି ? ତା’ ଦୃଷ୍ଟିରେ, ଏତକ ହୁଅନ୍ତା ଅନ୍ୟାନ୍ୟ ବହୁ ଅଭାବର କ୍ଷତିପୂରଣ । ଶୀଘ୍ର ନିଦ ହୋଇଯିବା ପାଇଁ ଓଷଦ ଥିଲା ହାତ ପାହାନ୍ତାରେ । ଫ୍ରୀଡ଼ା ଯେଉଁ ଟ୍ରେଟା ତଳେ ରଖିଦେଇ ପଳାଇଥିଲା, ସେଥିରେ ରମ୍‌ ଭର୍ତ୍ତି ସାନ ବୋତଲଟିଏ ଥିଲା । ସାମାନ୍ୟ ପଛେଇ ଯାଇ ସେଇଟା ନେଇ ଆସିବା ପାଇଁ କେ. କୁଣ୍ଠା କଲା ନାହିଁ; ଏବଂ ବୋତଲଟା ଢକ୍‌ ଢକ୍‌ କରି ପିଇଗଲା ।

 

ବର୍ତ୍ତମାନ ଅର୍ଲାଙ୍ଗରଙ୍କ ସାମ୍ନା କରିବା ପାଇଁ ଅନ୍ତତଃ ଶକ୍ତି ଆସିଲା । ସେ ଅର୍ଲାଙ୍ଗର ରହୁଥିବା ରୁମ୍‌ଟା ଖୋଜିଲା, ଏବଂ ଚାକରଟା କି ଗରଷ୍ଟ୍ୟାକର ଆଉ ଦେଖା ଯାଉନଥିବା ଯୋଗୁଁ ଏବଂ ସବୁଯାକ ରୁମ୍‌ ଏକାଭଳି ଦିଶୁଥିବା ଯୋଗୁଁ, ସେ ରୁମ୍‌ଟା ଖୋଜି ପାଇଲା ନାହିଁ । ତଥାପି ସେ ଭାବୁଥିଲା ଯେ କେଉଁପଟ ବାରନ୍ଦାରେ ସେ ରୁମ୍‌ଟା ଅଛି, ତା’ର ମନେ ଅଛି, ଏବଂ ସେ ଠିକ୍‌ କଲା ଗୋଟାଏ ରୁମ୍‌ର ଦ୍ୱାର ଖୋଲି ଦେବାକୁ ତା’ ନିଜ ମତରେ ସେହି ରୁମ୍‌ଟାକୁ ହିଁ ସେ ଏଯାଏଁ ଖୋଜୁଥିଲା । ତା’ର ଏହି ଦୁଃସାହାସିକ ପରୀକ୍ଷା ବୋଧହୁଏ ସେମିତି କିଛି ବିପଜ୍ଜନକ ହେବ ନାହିଁ-। ସେଟା ଅର୍ଲାଙ୍ଗରଙ୍କ ରୁମ୍‌ ହୋଇଥିଲେ ଅର୍ଲାଙ୍ଗର ତା’କୁ ଡାକିବେ, ବସାଇବେ; ଅନ୍ୟ କାହାର ରୁମ୍‌ ହୋଇଥିଲେ ମଧ୍ୟ କ୍ଷମା ମାଗିନେଇ ହେବ ଏବଂ ପୁଣି ବାହାରି ଆସି ହେବ, ଏବଂ ଭିତରେ ଥିବା ଲୋକ ଯଦି ଶୋଇ ପଡ଼ିଥାନ୍ତି, ସମ୍ଭବତଃ ଶୋଇପଡ଼ିଥିବେ, ତେବେ ସେ ପଶିବା କହାରି ଦୃଷ୍ଟରେ ପଡ଼ିବ ନାହିଁ, କେବଳ ରୁମ୍‌ଟା ଖାଲି ଥିଲେ ଅସୁବିଧା ହୋଇପାରେ, କାରଣ ତା’ ହୋଇଥିଲେ କେ.ଖଟ ଉପରେ ପଡ଼ିଯାଇ ବହୁ ସମୟ ଧରି ଶୋଇପଡ଼ିବାର ଲୋଭ ସମ୍ବରଣ କରିପାରିବ ନାହିଁ । ସେ ପୁଣି ଥରେ ବାରନ୍ଦାର ଥରେ ଏମୁଣ୍ଡରୁ ସେମୁଣ୍ଡ ଯାଏ ଅନାଇଲା, ହୁଏତ କେହି ଜଣେ କେଉଁ ପଟରୁ ଆସୁଥାଇ ପାରେ, ଯାହା ଫଳରେ ତା’ର ଏପ୍ରକାର ପଦକ୍ଷେପ ନେବା ଦରକାର ପଡ଼ିବ ନାହିଁ । କିନ୍ତୁ ଲମ୍ବା ବାରନ୍ଦାଟା ସେମିତି ଚୁପ୍‌ଚାପ୍‌ ଶୂନ୍‌ଶାନ୍‌ ହୋଇ ପଡ଼ିଥାଏ । ତା’ପରେ କେ.କବାଟରେ କାନ ଦେଲା । ସେ ଏତେ ଆସ୍ତେ ଆସ୍ତେ କବାଟ ବାଡ଼େଇଲା ଯେ ଯଦି ଜଣେ ଶୋଇ ପଡ଼ିଥିବ ସେ ଉଠିବ ନାହିଁ, ଏବଂ ଏଯାଏଁ କିଛି ନ ଘଟିବାରୁ ସେ ଭାରି ସନ୍ତର୍ପଣରେ କବାଟଟା ଖୋଲିଲା । କିନ୍ତୁ ହଠାତ୍‌ ତା’କୁ ଗୋଟାଏ ଅସ୍ପଷ୍ଟ ଚିତ୍କାର ଶୁଭିଲା ।

 

ରୁମ୍‌ଟା ଛୋଟ, ଗୋଟାଏ ଓସାରିଆ ଖଟ ଅଧା ଯାଗା ମାଡ଼ି ବସିଥାଏ, ଟେବୁଲ ଉପରେ ଇଲେକଟ୍ରିକ୍‌ ଲାଇଟ୍‌ ଜଳୁଥାଏ, ତା’ କଡ଼ରେ ପଡ଼ିଥାଏ ଗୋଟିଏ ଯିବା ଆସିବା କଲାବେଳେ ଦରକାର ହ୍ୟାଣ୍ଡବ୍ୟାଗ । ଖଟ ଉପରେ କିନ୍ତୁ ରେଜେଇରେ ପୁରା ଘୋଡ଼ାଇ ହୋଇ କେହି ଜଣେ ଅସ୍ୱସ୍ତିରେ ହଲ ଚଲ ହେଲା ଏବଂ ବିଛଣା ଚଦର ଓ ରେଜେଇ ଫାଙ୍କରେ ଫୁସ୍‌ ଫୁସ୍‌ ହୋଇ କହିଲା କିଏ ? ବର୍ତ୍ତମାନ କେ. ସହଜରେ ବାହୁଡ଼ି ଆସି ପାରିଲା ନାହିଁ । ଅସ୍ତିତ୍ୱରେ ସେ ବିଶାଳ ଶେଯଟା ଉପରେ ଆଖି ବୁଲାଇ ଆଣିଲା, ଦୁଃଖର କଥା ଶେଯଟା ଖାଲି ନଥିଲା, ତା’ ପରେ ସେ ପ୍ରଶ୍ନଟାକୁ ମନେ ପକାଇ ତା’ ନାଁ କହିଲା; ଏହାର ଫଳ ହେଲା ଭଳି ମନେ ହେଲା, ଖଟରେ ଶୋଇଥିବା ଲୋକଟି ରେଜେଇଟା ମୁଁହଁରୁ ଟିକିଏ କାଢ଼ି ଦେଲା, ଅବଶ୍ୟ ସବୁ କିଛି ଯଦି ଠିକ୍‌ ଠାକ୍‌ ଥାଏ ସେ ପୁଣି ଘୋଡ଼ି ପୋଡ଼ି ହୋଇ ଶୋଇପଡ଼ିବାକୁ ପ୍ରସ୍ତୁତ ରହିଥାଏ ଅତି ଆଗ୍ରହରେ । କିନ୍ତୁ ତା’ପରେ ସେ କୌଣସି କୁଣ୍ଠାନକରି ରେଜେଇଟାକୁ ଗୋଡ଼ ଆଡ଼କୁ ଟାଣିନେଲା ଏବଂ ଉଠିବସି ପଡ଼ିଲା, ଲୋକଟା ନିଶ୍ଚୟ ଅର୍ଲାଙ୍ଗର ନୁହଁନ୍ତି । ଜଣେ ଛୋଟିଆ ଭଲ ଚେହେରାର ଭଦ୍ରଲୋକ ତାଙ୍କ ମୁହଁରେ ଅଦଭୁତ ବିରୋଧାଭାସା ଯଥା ତାଙ୍କର ଗାଲ ଯୋଡ଼ାକ ପିଲାଙ୍କ ଗାଲ ଭଳି ପୂରିଲା ପୂରିଲା, ଆଖି ଯୋଡ଼ାକ ପିଲାଙ୍କ ଆଖି ଭଳି କୌତୁକିଆ, କିନ୍ତୁ ତାଙ୍କର ଉଁଚା କପାଳ, ଗୋଜିଆ ନାକ, ଅଣଓସାରିଆ ପାଟି, ଓଠ ଯୋଡ଼ିକ ପ୍ରାୟ ବନ୍ଦ ହେଉ ନଥାଏ, ପ୍ରାୟ ଦେଖାଯାଉନଥିବା ଥୋଡ଼ି ଏସବୁ ପିଲାଙ୍କ ଭଳି ମୋଟେ ନୁହେଁ । ସେଥିରୁ ଉଚ୍ଚ ଦରର ବୁଦ୍ଧିମତ୍ତାର ସୂଚନା ମିଳୁଥାଏ । ତାଙ୍କର ଏହି ସନ୍ତୋଷ, ଆତ୍ମ ସନ୍ତୋଷ ହିଁ ନିଃସନ୍ଦେହରେ ତାଙ୍କ ବ୍ୟକ୍ତିତ୍ୱରେ ରହି ଯାଇଥିବା ବାଳକ ସୁଲଭ ଆନନ୍ଦର କାରଣ । ‘‘ଆପର ଫ୍ରୀଡ଼ରିକକୁ ଜାଣନ୍ତି ? ସେ ପଚାରିଲେ । କେ. ଜାଣେ ନାହିଁ ବୋଲି କହିଲା । କିନ୍ତୁ ସେ ଆପଣଙ୍କୁ ଜାଣନ୍ତି, ଭଦ୍ରଲୋକ ହସି କହିଲା । କେ. ମୁଣ୍ଡ ହଲାଇଲା ତା’କୁ ଜାଣିଥିବା ଲୋକଙ୍କର ଅଭାବ ନାହିଁ ଏୟା ହିଁ ପ୍ରକୃତରେ ତା’ ବାଟରେ ଏକ ମୁଖ୍ୟ ଅନ୍ତରାୟ । ମୁଁ ତାଙ୍କର ସଚିବ, ଭଦ୍ରଲୋକ କହିଲେ, ମୋ ନାଁ ବ୍ୟୁରଗେଲ । ‘‘କ୍ଷମା କରିବେ’’ କେ. କହିଲା କବାଟ ଆଡ଼କୁ ହାତ ବଢ଼ାଉ ବଢ଼ାଉ ମୁଁ ଦୁଃଖିତ ମୁଁ ଅନ୍ୟ ଜଣଙ୍କର ରୁମ ଭାବି ପଶି ଆସିଥିଲି । ପ୍ରକୃତରେ ମତେ ସଚିବ ଅର୍ଲାଙ୍ଗର ପାଖକୁ ଡକାଯାଇଛି’’ ‘‘ଆରେ କି ଅସୁବିଧା କଥା ବ୍ୟୁର୍ଗେଲ କହିଲେ । ଆପଣଙ୍କୁ ଯେ ଅନ୍ୟ କୋଉଠିକି ଡକାହୋଇଚି ସେଥିପାଇଁ ନୁହେଁ କିନ୍ତୁ ଆପଣ ଦ୍ୱାର ଚିହ୍ନି ପାରିବାରେ ଭୁଲ୍‌ କରିଦେଇଚନ୍ତି । ପ୍ରକୃତରେ ମତେ ଥରେ ନିଦରୁ ଉଠାଇ ଦିଆଗଲେ ମୁଁ ଆଉ ଶୋଇ ପାରିବିନି, ଏକଥା ନିଶ୍ଚିତ । ତଥାପି ଆପଣ ସେଥିପାଇଁ ଏତେ ଦୁଃଖ କରିବା ଦରକାର ନାଇଁ, ଏଇଟା ମୋର ବ୍ୟକ୍ତିଗତ ଦୁର୍ଭାଗ୍ୟ । ଏ ଦ୍ୱାର ଗୁଡ଼ାକ ତାଲା ଦେଇ ବନ୍ଦ୍‌ କରା ହେଉନି କାହିଁକି କେଜାଣି ? ଅବଶ୍ୟ ସେଥିପାଇଁ ଗୋଟିଏ କାରଣ ଅଛି । କାରଣଟି ହେଲା ଗୋଟିଏ ପୁରୁଣା କଥା ଅନୁସାରେ ସଚିବମାନଙ୍କ ଦ୍ୱାର ସବୁବେଳେ ଖୋଲା ରହିବା ଉଚିତ-। କିନ୍ତୁ ତା’ ପୁଣି ଏମିତି ଅକ୍ଷରେ ଅକ୍ଷରେ ପାଳନ କରାଯିବା କିଛି ଆବଶ୍ୟକ ନୁହେଁ ବ୍ୟୁର୍ଗେଲଙ୍କ ମୁହଁ ଖୁସି ବାସିଆ ଦିଶିଲା, ଉତ୍ତର ପାଇଁ ଅପେକ୍ଷା କରିବାର ଉଦ୍‌ବେଗ ସତ୍ତ୍ୱେ । ଦ୍ୱାର ଗୁଡ଼ାକ ଖୋଲା ରହିବା ବ୍ୟବସ୍ଥାର ସେ ଦୁଃଖ କଲେ ମଧ୍ୟ ସେ ଭିତରେ ଭିତରେ ବେଶ୍‌ ଶାନ୍ତ ମନେ ହେଉଥିଲେ । ବର୍ତ୍ତମାନ କେ. ଯେତିକି କ୍ଳାନ୍ତ ବ୍ୟୁର୍ଗେଲ ତାଙ୍କ ଜୀବନରେ କେବେ ସେତିକି କ୍ଳାନ୍ତ ହୋଇନଥିଲେ, ଏଥିରେ ସନ୍ଦେହ ନାହିଁ । ଆପଣ ବର୍ତ୍ତମାନ କୁଆଡ଼େ ଯିବେ ବୋଲି ଭାବୁଚନ୍ତି-? ବ୍ୟୁର୍ଗେଲ ପଚାରିଲେ । ‘‘ବର୍ତ୍ତମାନ ଚାରିଟା ବାଜିଚି । ଆପଣ ଯାହା ପାଖକୁ ଯିବେ ବୋଲି ଭାବୁଛନ୍ତି, ତା’କୁ ଆପଣ ଉଠାଇବାକୁ ପଡ଼ିବ, ସମସ୍ତେ ମୋଭଳି ଏମିତି ହଇରାଣ ହେବାରେ ଅଭ୍ୟସ୍ତ ନୁହଁନ୍ତି । ସମସ୍ତେ ମୋ ଭଳି ଏତେ ସହନଶୀଳତା ଦେଖାଇବେ ନାହିଁ ସଚିବ ଗୁଡ଼ାକ ଦଳେ ଡରକୁଳା ମଣିଷ । ତେଣୁ କିଛି ସମୟ ଅପେକ୍ଷା କରିଯାନ୍ତୁ । ଏଠି ଲୋକେ ପ୍ରାୟ ପାଞ୍ଚଟା ବେଳେ ଉଠିବାକୁ ଆରମ୍ଭ କରନ୍ତି । ସେତେବେଳେ ଆପଣ ଯେଉଁମାନଙ୍କ ପାଖରୁ ଡାକରା ଆସିଚି, ସେମାନଙ୍କ ପାଖକୁ ଯିବେ ତେଣୁ ଦୟା କରି ବର୍ତ୍ତମାନ କବାଟ ଖୋଲନ୍ତୁ ନାହିଁ ଏବଂ କେଉଁଠି ଗୋଟାଏ ବସିପଡ଼ନ୍ତୁ । ଠିକ୍‌ କଥା ଏଠି ବେଶୀ ଯାଗା ନାହିଁ । ଏଇ ଖଟ ଦାଢ଼ରେ ଆପଣ ବସି ଗଲେ ସବୁଠୁ ଭଲ ହେବ । ମୋର ଏଠି ଟେବୁଲ କି ଚୌକି ନାହିଁ ବୋଲି ଆପଣ ଆଶ୍ଚର୍ଯ୍ୟ ହେଉଚନ୍ତି ? ଆଚ୍ଛା ମତେ ବାଛିବାକୁ ପଡ଼ିଲା ଗୋଟିଏ ଛୋଟିଆ ଖଟ ପଡ଼ିଥିବା କିନ୍ତୁ ଟେବୁଲ ଚୌକି ସବୁ ଥିବା ରୁମଟି କିମ୍ବା ଏମିତି ଗୋଟିଏ ବଡ଼ ଖଟ ପଡ଼ିଥିବା କିନ୍ତୁ ଅଲଗୁଣୀଟେ ଛଡ଼ା ଆଉ କିଛି ଜିନିଷ ନଥିବା ରୁମ ଭିତରୁ ଗୋଟିଏ । ମୁଁ ଶେଷରେ ବଡ଼ ଖଟଟା ବାଛିଲି, ଶୋଇବା ଘରେ ଖଟଟା ହିଁ ସବୁଠୁ ବେଶୀ ଦରକାର ଜିନିଷ । ଆଃ ହାତ ଗୋଡ଼ ଲମ୍ବାଇ ଶୋଇ ପଡ଼ୁଥିବା ଲୋକ ପାଇଁ ଗଭୀର ନିଦରେ ଶୋଇ ପାରୁଥିବା ଲୋକ ଖଟଟା ନିଶ୍ଚୟ ଖୁବ୍‌ ଆରାମ୍‌ଦାୟକ । କିନ୍ତୁ ମୋ ପାଇଁ ମଧ୍ୟ, ଶୋଇ ପାରୁନଥିବାରୁ ମୁଁ ସବୁବେଳେ ଖୁବ୍‌ କ୍ଳାନ୍ତ, ଏଇଟା ଗୋଟିଏ ଆଶୀର୍ବାଦ ଭଳି ଦିନର ଅନେକଟା ସମୟ ମୁଁ ୟା ଉପରେ କଟାଇ ଦିଏ । ଏଇ ଖଟରେ ବସି ସବୁ ପ୍ରକାର ଚିଠି ପତ୍ର ପଢ଼ା ପଢ଼ି ଲେଖା ଲେଖି କରେ । ଏଇଠି ହିଁ ପ୍ରାର୍ଥୀମାନଙ୍କର ମୌଖିକ ପରୀକ୍ଷା ପରିଚାଳନା କରେ । ଏଇଟା ବେଶ୍‌ ଭଲ କାମ ଦିଏ । ଅବଶ୍ୟ ପ୍ରାର୍ଥୀମାନଙ୍କର ବସିବା ପାଇଁ ଯାଗା ନାହିଁ କିନ୍ତୁ ସେମାନେ ସେତକ ଅସୁବିଧା ସହ୍ୟ କରି ନିଅନ୍ତି ଏବଂ ସେ ଯାହା ହେଉନା କାହିଁକି, ସେମାନେ ଠିଆ ହୋଇ ରହିଲେ ସେମାନଙ୍କ କଥା ଟିପିଟାପି ରଖୁଥିବା ଲୋକ ଜଣକୁ ଆରାମ ଲାଗେ । ସେମାନେ ଯଦି ଆରାମରେ ବସିଯିବେ, ତେବେ ସେ ସେମାନଙ୍କ ଉପରେ ଗର୍ଜନ କରୁଥିବ । ୟା ଅପେକ୍ଷା ସେମାନେ ଠିଆ ହୋଇ ରହିବା ବେଶୀ ସୁବିଧାଜନକ । ତେଣୁ ଯେଉଁ ଯାଗା ଟିକକ ମୁଁ ସବୁବେଳେ ଯାଚି ଦିଏ, ସେଇଟା ହେଲା ଏଇ ଖଟର ଦାଢ଼, କିନ୍ତୁ ଏଇଟା ଆଇନ ଅନୁମୋଦିତ ଯାଗା ନୁହେଁ ଏବଂ ଏଇଟା କେବଳ ରାତି ବେଳାର କଥାବାର୍ତ୍ତା ପାଇଁ ଉଦ୍ଦିଷ୍ଟ । କିନ୍ତୁ ଆପଣ ଏତେ ଚୁପଚାପ ଯେ ଅମିନ ବାବୁ ?’’ ‘‘ମୁଁ ଭାରି ହାଲିଆ ହୋଇ ପଡ଼ିଚି,’’ କେ. କହିଲା ଏବଂ ବ୍ୟୁର୍ଗେଲ ହିଁ ନିମନ୍ତ୍ରଣ ପାଇଲାକ୍ଷଣି ସେ କିଛି ସଂଭ୍ରମ ନକରି ଭୁଷକିନା ଖଟ ଉପରେ ବସି ପଡ଼ିଲା ଏବଂ ଖଟ ବାଡ଼ ଦେହରେ ଆଉଜି ପଡ଼ିଲା । ‘‘ହଁ, ଠିକ୍‌ କଥା,’’ ବ୍ୟୁର୍ଗେଲ ହସି ହସି କହିଲେ, ‘‘ସମସ୍ତେ ଏଠି ଖୁବ୍‌ କ୍ଳାନ୍ତ । ଦେଖନ୍ତୁ, କାଲି ମୁଁ ଯେତିକି କଲି ଏବଂ ଆଜି ଯେତିକି କାମ ସାରିଲିଣି, ତା’ କିଛି ଛୋଟ କଥା ନୁହେଁ । ମୁଁ ଏବେ ଶୋଇବାର ପ୍ରଶ୍ନ ମୋଟେ ଉଠୁ ନାହିଁ, କିନ୍ତୁ ମୁଁ ଶୋଇପାରିବା ଭଳି ଅତି ଅସମ୍ଭବ ଘଟଣାଟି ଯଦି ଘଟେ ଶେଷରେ, ଆପଣ ଏଠି ବସିଥିବା ବେଳେ ହିଁ ମତେ ଶୋଇ ପଡ଼ିବାକୁ ହେବ, ତେଣୁ ଦୟାକରି ଚୁପଚାପ ବସନ୍ତୁ, କବାଟ ଖୋଲିବେ ନାହିଁ ମଧ୍ୟ । କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ, ମୁଁ ନିଶ୍ଚେ ଶୋଇ ପାରିବି ନାହିଁ, ଶୋଇଲେ ବି ଅଳ୍ପ କେଇମିନିଟ ପାଇଁ । ପ୍ରାର୍ଥୀମାନଙ୍କ ସହିତ ସବୁବେଳେ କାରବାର କରୁଥିବାରୁ ବୋଧହୁଏ ସେ’ ପାଖରେ କେହି ଥିଲାବେଳେ ହିଁ ମୁଁ ଅତି ସହଜରେ ଶୋଇ ପଡ଼ିପାରେ । ମୋର ଅଭ୍ୟାସ ଏମିତି ହୋଇ ଯାଇଛି ।’’ ‘‘ଶୋଇ ପଡ଼ନ୍ତୁ, ଯା’ନ୍ତୁ ଆଜ୍ଞା,’’ କେ. କହିଲା, ତାଙ୍କର ଘୋଷଣା ଶୁଣି । ‘‘ମୁଁ ଆପଣଙ୍କର ଅନୁମତି ନେଇ ଟିକିଏ ଶୋଇ ପଡ଼ିବି ।’’ ‘‘ନାଁ, ନାଁ,’’ ବ୍ୟୁର୍ଗେଲ କହିଲେ ପୁଣି ହସି ହସି, ‘‘ଦୁଃଖର କଥା, ମତେ ଶୋଇବାକୁ ଆମନ୍ତ୍ରଣ କରାଗଲା ବୋଲି ମୁଁ ଶୋଇ ପଡ଼ିବି ତା’ ନୁହେଁ, କଥାବାର୍ତ୍ତା ଚାଲିଥିଲାବେଳେ ହିଁ ଶୋଇ ପଡ଼ିବାର ସୁଯୋଗଟା ଆସିଯାଇ ପାରେ । କଥାବାର୍ତ୍ତା ହିଁ ମତେ ଶୁଆଇ ପକାଉଥିବା ସମ୍ଭବ । ହଁ, ଆମର କାମ ଏମିତି ଯେ ସ୍ନାୟୁ ଉପରେ ବହୁତ ଚାପ ପଡ଼େ । ଦେଖନ୍ତୁ, ମୁଁ ଜଣେ ଲୋକସମ୍ପର୍କ ସଚିବ । ସେଇଟା କ’ଣ ଆପଣ ଜାଣନ୍ତି ନାହିଁ ? ଆରେ ମୁଁ ଦୃଢ଼ ସଂପର୍କ ପ୍ରତିଷ୍ଠା କରେ’’–ଏଠାରେ ସେ ସ୍ୱତଃ ପ୍ରବୃତ୍ତ ଭାବରେ ଖୁସି ହୋଇଯାଇ ତରବରରେ ହାତରେ ହାତ ଘଷିଲେ–‘‘ଫ୍ରୀଡ୍‌ରିକ୍‌ ଏବଂ ଗାଁ ଲୋକଙ୍କ ଭିତରେ, ତାଙ୍କର ଦୁର୍ଗ ଓ ଗ୍ରାମ ସଚିବମାନଙ୍କ ଭିତରେ ସଂପର୍କ ରଖେ, ପ୍ରାୟ ଗାଁ ଭିତରେ ରହେ, କିନ୍ତୁ ସବୁଦିନ ପାଇଁ ନୁହେଁ; ପ୍ରତ୍ୟେକ ମୁଁହୂର୍ତ୍ତରେ ଦୁର୍ଗକୁ ପଳାଇ ଯିବାପାଇଁ ମତେ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ । ଏଇ ବ୍ୟାଗ୍‌କୁ ଦେଖନ୍ତୁ, ଯିବାଆସିବା କରିବା ପାଇଁ–ଏମିତି ଦୌଡ଼ା ଧାପଡ଼ା ଜୀବନ, ସମସ୍ତଙ୍କୁ ସୁହାଏ ନାହିଁ । ଅନ୍ୟ ପକ୍ଷରେ ଏହା ସତ ଯେ ମୁଁ ବର୍ତ୍ତମାନ ଏ ପ୍ରକାର କାମ ନକଲେ ଚଳିପାରିବି ନାହିଁ, ଅନ୍ୟାନ୍ୟ ସବୁ ପ୍ରକାର କାମ ମତେ ପୋଚରା ଲାଗିବ । ଏବଂ ଆପଣଙ୍କ ଜମି ମପାଚୁପା କାମ କେମିତି ଚାଲିଚି ?’’ ମୁଁ ସେ ପ୍ରକାର କାମ କିଛି କରୁନି, ମତେ ଅମିନ ଭାବରେ ନିଯୁକ୍ତି ଦିଆ ଯାଉନି, ‘‘କେ. କହିଲା, ସେ ବିଷୟରେ ପ୍ରକୃତରେ ତାର ମନ ନଥିଲା, ପ୍ରକୃତରେ ବ୍ୟୁର୍ଗେଲ୍‌ କେମିତି ଶୋଇ ପଡ଼ିବେ, ସେଥିପାଇଁ ସେ ଅନାଇ ବସିଥିଲା, ଏବଂ ତା’ବି ନିଜ ପ୍ରତି ତା’ର କିଛିଟା କର୍ତ୍ତବ୍ୟ ଦୃଷ୍ଟିରେ ସେ ଚାହୁଥିଲେ, ତା’ର ଅନ୍ତଃ କରଣରେ ସେ ନିଶ୍ଚିତ ଥିଲା ଯେ ବ୍ୟୁର୍ଗେଲ ଶୋଇ ପଡ଼ିବାର ମୁଁହୂର୍ତ୍ତଟି ତଥାପି ଅନେକ ଅନେକ ଦୂରରେ । ‘‘ଖୁବ୍‌ ଆଶ୍ଚର୍ଯ୍ୟ କଥା,’’ ସୁନ୍ଦର ଭାବରେ ମୁଣ୍ଡ ହଲାଇ ବ୍ୟୁର୍ଗେଲ କହିଲେ, ଏବଂ ରେଜେଇ ତଳୁ ନୋଟଖାତା ବାହାର କରି କ’ଣ ଟିପି ନେଲେ । ‘‘ଆପଣ ଜଣେ ଅମିନ, କିନ୍ତୁ ଜମି ମପାମପି କାମ ଆପଣଙ୍କର ନାହିଁ ।’’ କେ. ଯନ୍ତ୍ରବତ୍‌ ମୁଁଣ୍ଡ ହଲାଇଲା, ଖଟ ବାଡ଼ା ଉପରେ ସେ ତା’ର ବାଁ ହାତ ଲମ୍ବାଇ ଦେଇଥିଲା. ଏବଂ ତା ଉପରେ ମୁଁଣ୍ଡ ରଖିଥିଲା, ନିଜକୁ ଯେମିତି ଆରାମ ଲାଗିବ ସେଥିପାଇଁ ସେ ନାନା ପ୍ରକାର ଉପାୟ ଚିନ୍ତା କରି ସାରିଥିଲା, କିନ୍ତୁ ଏମିତି ବସିବା ହିଁ ସବୁଠାରୁ ବେଶୀ ଆରାମ ଲାଗୁଥିଲା, ଏବଂ ବର୍ତ୍ତମାନ ସେ ବ୍ୟୁର୍ଗେଲଙ୍କ କଥା କିଛିଟା ଭଳ ଭାବରେ ଶୁଣିପାରୁଥିଲେ ମଧ୍ୟ । ‘‘ମୁଁ ପ୍ରସ୍ତୁତ,’’ ବ୍ୟୁର୍ଗେଲ କହି ଚାଲିଲେ, ‘‘ଏ ବିଷୟରେ ଆହୁରି କଥାବାର୍ତ୍ତା କରିବା ପାଇଁ । ଆମର ଏଠି ବ୍ୟବସ୍ଥା ସବୁ ଏମିତି ଯେ ଜଣେ ବିଶେଷଜ୍ଞଙ୍କୁ ଆମେ ନିଶ୍ଚିତ କାମରେ ନ ଲଗାଇ ଛାଡ଼ିବୁ ନାହିଁ । ଏବଂ ଆପଣମାନଙ୍କୁ ମଧ୍ୟ ଏମିତି ରହିବା ଫଳରେ ଭାରି କଷ୍ଟ ହେଉଥିବ । ଆପଣଙ୍କୁ କଷ୍ଟ ଲାଗୁନାହିଁ ?’’ ‘‘ମତେ କଷ୍ଟ ଲାଗୁଚି,’’ କେ. ଆସ୍ତେକିନା କହିଲା ଏବଂ ନିଜକୁ ଲକ୍ଷ୍ୟ କରି ହସିଲା, କାରଣ ବର୍ତ୍ତମାନ ସେ ସେଥିପାଇଁ କୌଣସି ପ୍ରକାର କଷ୍ଟ ଅନୁଭବ କରୁନଥିଲା । ତା’ ଛଡ଼ା ବ୍ୟୁର୍ଗେଲଙ୍କ କଥା ତା’ ଉପରେ କୌଣସି ପ୍ରଭାବ ପକାଇ ନଥିଲା । ସେ କେବଳ ଦେଖାଇ ହେଉଥିଲେ । କେଉଁ ପରିସ୍ଥିତିରେ କେ.କୁ ନିଯୁକ୍ତି ମିଳିଥିଲା, ସେଥିପାଇଁ ଲୋକଙ୍କ ଭିତରେ ଏବଂ ଦୁର୍ଗରେ କି କି ଅସୁବିଧା ଅତିକ୍ରମ କରିବାକୁ ପଡ଼ିଥିଲା, କେ.,ଠିକ୍‍ ଆସିବା ପୂର୍ବରୁ କି କି ଗୋଳମାଳ ହୋଇଥିଲା ବା ହେବାର ଥିଲା ସେସବୁ ବିଷୟରେ କିଛି ନଜାଣି, ଏବଂ ସାଧାରଣ ଭାବରେ ଜଣେ ସଚିବଙ୍କ ଠାରୁ ଯାହା ଆଶା କରାଯାଏ, ଯେ ସେସବୁ ବିଷୟରେ ଅନ୍ତତଃ କିଛି ସୂଚନା ପାଇଥିବେ, ସେମିତି କିଛି ସୁଚନା ପାଇଥିଲା ଭଳି ନ ଦେଖାଇ, ସେ ପୁରା ଘଟଣାଟା ସେଠି ମୁହୂର୍ତ୍ତକ ଭିତରେ ତାଙ୍କର ଛୋଟିଆ ନୋଟ୍‌ ଖାତା ସାହାଯ୍ୟରେ ନିଷ୍ପତି କରିନେବାକୁ ବସିଥିଲେ । ‘‘ଆପଣ କେତେକ କ୍ଷେତ୍ରରେ ବିଫଳ ହୋଇଥିବା ଭଳି ମନେ ହେଉଛନ୍ତି,’’ ବ୍ୟୁର୍ଗେଲ୍‌ କହିଲେ, ଏହି ମନ୍ତବ୍ୟ କରି ସେ ଦେଖାଇଦେଲେ ଯେ ମନୁଷ୍ୟ ପ୍ରକୃତି ସମ୍ବନ୍ଧରେ ତାଙ୍କର କିଛିଟା ଜ୍ଞାନ ଅଛି । ଏବଂ ବାସ୍ତବିକ ରୂମ୍ ଭିତରକୁ ଆସିବା ପରଠାରୁ ବ୍ୟୁଗେଲ୍‌ଙ୍କୁ ନ୍ୟୁନ କରି ନ ଦେଖିବା ପାଇଁ କେତେ ନିଜକୁ ତାଗିଦ କରି ଆସିଥିଲା, କିନ୍ତୁ ସେ ଯେଉଁ ଅବସ୍ଥାରେ ଥିଲା ସେଥିରେ ନିଜର କ୍ଳାନ୍ତି ବ୍ୟତୀତ ଅନ୍ୟ କୌଣସି ବିଷୟରେ ସଠିକ ଧାରଣା କରିବା ତା’ ପକ୍ଷରେ କଷ୍ଟକର ହେଉଥିଲା । ‘‘ନା’’ ବ୍ୟୁର୍ଗେଲ୍ କହିଲେ, ସତେ ଯେମିତି ସେ.କେ.ର ଚିନ୍ତାର ଉତ୍ତର ଦେଉଥିଲେ ଏବଂ ଖୁବ୍ ସହାନୁଭୂତିର ସହିତ ଚେଷ୍ଟା କରୁଥିଲେ, କେ. ଯେମିତି ସେ ଚିନ୍ତାକୁ ଶବ୍ଦରେ ପ୍ରକାଶ ନ କରିବ ସେଥିପାଇଁ । ‘‘ବିଫଳତାରେ ଆପଣ ଭୟ ପାଇଗଲେ ଚଳିବ ନାହିଁ । ଏଠି ଏମିତି ଅନେକ ବ୍ୟବସ୍ଥା କରା ହୋଇଛି, ଯେଉଁଥିରେ ଲୋକେ ଭୟ ପାଇ ପଳେଇଯିବେ, ଏବଂ ଜଣେ ଯେତେବେଳେ ନୂଆ କରି ଏଠାକୁ ଆସେ, ବାଧା ବିଘ୍ନଗୁଡ଼ାକ ସଂପୂର୍ଣ୍ଣ ଅନତିକ୍ରମ୍ୟ ମନେ ହୁଏ । ଏ ସବୁର ପ୍ରକୃତ ଉଦ୍ଦେଶ୍ୟ କ’ଣ ସେକଥା ମୁଁ ବିଶ୍ଳେଷଣ କରିବାକୁ ଯାଉନାହିଁ, ବାହାରକୁ ଯାହା ଦେଖାଯାଉଛି ଭିତରଟା ବି ପ୍ରକୃତରେ ସେମିତି ବୋଧହୁଏ । ମୋ’ ପରିସ୍ଥିତି ଯାହା, ସେଥିରେ ସେ ବିଷୟରେ କିଛି ନିର୍ଦ୍ଦିଷ୍ଟ ଭାବରେ କହିପାରିବା ଭଳି ଉପଯୁକ୍ତ ଧରଣର ଦୂରତ୍ୱ ମୋର ନାହିଁ । କିନ୍ତୁ ମନେ ରଖନ୍ତୁ, ବେଳେ ବେଳେ ଏମିତି ସୁଯୋଗ ସବୁ ଆସି ଜୁଟେ, ଯେଉଁ ଗୁଡ଼ାକର ସାଧାରଣ ପରିସ୍ଥିତି ସାଙ୍ଗରେ କୌଣସି ସଂପର୍କ ନଥାଏ, ଏମିତି ସୁଯୋଗ ସବୁ, ଯେଉଁଥିରେ କି ପଦେ କଥାରେ, ମୁହୂର୍ତ୍ତକର ଚାହାଣୀରେ, ବିଶ୍ୱାସର ସାମାନ୍ୟ ସୂଚନାରେ ଅନେକ କିଛି ହାସଲ କରିହେବ, ସାରା ଜୀବନର ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ଜଣେ ଯାହା ହାସଲ କରି ପାରିବ, ତା’ଠାରୁ ବି ଅଧିକ । ବାସ୍ତବିକ୍ ଏମିତି ଘଟେ । କିନ୍ତୁ ତା’ ପରେ ଏ ସୁଯୋଗ ସବୁ ସାଧାରଣ ପରିସ୍ଥିତି ଅନୁଯାୟୀ ଆସିଥାଏ, ଅବଶ୍ୟ ଯେତେ ଦୂରଯାଏ ଏଗୁଡ଼ାକର ସଦୁପଯୋଗ କରାଯାଉନଥାଏ । କିନ୍ତୁ ଏଗୁଡ଼ାକର ସଦୁପଯୋଗ କରାଯାଏନା କାହିଁକି ତେବେ ? ମୁଁ ବାରମ୍ୱାର ପଚାରେ ।’’ କେ; ଜାଣି ନଥିଲା କାହିଁକି; ସେ ନିଶ୍ଚିନ୍ତ ଭାବରେ ହୃଦୟଙ୍ଗମ କରୁଥିଲା ଯେ ବ୍ୟୁର୍ଗେଲ ଯେଉଁ କଥା କହୁଛନ୍ତି, ତା’ ସହିତ ତା’ର ନିବିଡ଼ ସଂପର୍କ ବୋଧହୁଏ ଅଛି । କିନ୍ତୁ ବର୍ତ୍ତମାନ ସେ ନିଜେ ସଂପୃକ୍ତ ଥିବା ସମସ୍ତ ବିଷୟ ପ୍ରତି ତା’ର ବହୁତ ଘୃଣା ଆସିଲା । ସେ ତା’ର ମୁଣ୍ଡ ଗୋଟାଏ ପଟକୁ ଆଡ଼େଇ ଦେଲା, ସତେ ଯେମିତି ସେ ତବ୍ଦ୍ୱାରା ବ୍ୟୁର୍ଗେଲଙ୍କ ପ୍ରଶ୍ନଗୁଡ଼ାକ ଆସିବା ପାଇଁ ବାଟ କରି ଦେଉଛି ଏବଂ ସେସବୁ ପ୍ରଶ୍ନ ତା’କୁ ଆଉ ଛୁଇଁ ପାରିବେ ନାହିଁ-। ‘‘ସଚିବମାନେ,’’ ବ୍ୟୁର୍ଗେଲ କହିଲେ, ହାତ ଦୁଇଟା ଲମ୍ୱାଇ ଦେଇ ଓ ହାଇମାରି, ଏ ଭଙ୍ଗୀ ତାଙ୍କର କଥାର ଗାମ୍ଭୀର୍ଯ୍ୟର ବିରୁଦ୍ଧାଚରଣ କଲା ଅତି ଗୋଳମାଳିଆ ଭାବରେ, ‘ସଚିବମାନେ ସବୁବେଳଳେ ଅଭିଯୋଗ କରୁଛନ୍ତି ଯେ ଗାଁ ଭିତରେ ଲୋକଙ୍କୁ ପଚରା ଉଚରା କରିବା କାମ ସେମାନେ ସବୁବେଳେ ରାତିରେ କରିବାକୁ ବାଧ୍ୟ ହେଉଛନ୍ତି କିନ୍ତୁ ସେମାନେ ଏ ପ୍ରକାର ଅଭିଯୋଗ କରନ୍ତି କାହିଁକି ? କାରଣ ସେମାନଙ୍କୁ ଏକାମ ଭାରି କଷ୍ଟ ଲାଗୁଛି ? କାରଣ ସେମାନେ ରାତିଟା ଶୋଇ କଟାଇ ଦେବାକୁ ଚାହାଁନ୍ତି ? ନା, ସେମାନଙ୍କର ଅଭିଯୋଗର କାରଣ ସେୟା ନୁହେଁ ନିଶ୍ଚୟ-। ସଚିବମାନଙ୍କ ମଧ୍ୟରେ ଅବଶ୍ୟ ଅନେକ ଖୁବ୍ ପରିଶ୍ରମୀ, ଅନ୍ୟମାନେ କମ୍ ପରିଶ୍ରମୀ, ସବୁଠାରେ ଯେମିତି ଦେଖାଯାନ୍ତି; କିନ୍ତୁ କେହି ହେଲେ ବହୁତ ପରିଶ୍ରମ ପଡ଼ୁଚି ବୋଲି କହନ୍ତିନାହିଁ, ତା’ପୁଣି ବାହାରେ ସମସ୍ତଙ୍କ ଆଗରେ ମୋଟେ ନୁହେଁ । ଆମେ ସେମିତି କେବେ କରୁନା । ଏ ଦୃଷ୍ଟିରୁ ଆମେ ସାଧାରଣ ସମୟ ଓ କାମକରିବା ସମୟ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖୁନା । ଏ ପ୍ରକାର ପାର୍ଥକ୍ୟ ଦେଖିବା ସହିତ ଆମେ ଅଭ୍ୟସ୍ତ ନୋହୁ । କିନ୍ତୁ ରାତିରେ ପଚରା ଉଚରା କରିବା କାମ ବିରୁଦ୍ଧରେ ସଚିବମାନଙ୍କର କ’ଣ କହିବାର ଅଛି ? ତାହା ପ୍ରାର୍ଥୀମାନଙ୍କ ପ୍ରତି ସହାନୁଭୂତି ଦେଖାଇ ସେମାନେ କରନ୍ତି କି ? ନା, ନା, ତାହା ସେୟା ମଧ୍ୟ ନୁହେଁ । ପ୍ରାର୍ଥୀମାନଙ୍କ ବିଷୟ ଯେଉଁଠି ଉଠିଲା ସଚିବମାନେ ସେଠାରେ ଖୁବ୍ ନିଷ୍ଠୁର, ଅବଶ୍ୟ ମାନିବାକୁ ପଡ଼ିବ ଯେ ନିଜପ୍ରତି ସେମାନେ ଯେତେ ନିଷ୍ଠୁର, ତା’ଠାରୁ କାଣିଚାଏ ବେଶି ନୁହଁନ୍ତି; କିନ୍ତୁ ଠିକ୍ ସେହି ପରିମାଣରେ ନିଷ୍ଠୁର । ପ୍ରକୃତରେ ଏହି ନିଷ୍ଠୁରତା, ଆପଣ ଭାବି ଦେଖିବେ, ଏହି ନିଷ୍ଠୁରତା ଆଉ କିଛି ନୁହେଁ, କେବଳ ତାଙ୍କର କର୍ତ୍ତବ୍ୟ ପ୍ରତି ଆନୁଗତ୍ୟ ଓ ନିଷ୍ଠାର ଗୋଟାଏ ରୂପ, ପ୍ରାର୍ଥୀମାନେ ଏହି ପ୍ରକାର ନ୍ୟାୟଠାରୁ ଅଧିକ କିଛି ଆଶା କରି ନ ପାରନ୍ତି । ଏବଂ ମୂଳତଃ-ଠିକ୍ କଥା, ଉପରେ ଠାଉରିଆ ଭାବରେ ଦେଖିଲେ ଜଣେ ଜାଣିପାରିବ ନାହିଁ–ଏହା ସମସ୍ତେ ପୂରା ଗ୍ରହଣ କରି ନେଇଥାନ୍ତି । ପ୍ରକୃତରେ ଏ ରାତିବେଳା ପଚରା ଉଚରାକୁ ପ୍ରାର୍ଥୀମାନେ ଖୁବ୍ ପସନ୍ଦ କରନ୍ତି, ଦେଖୁନାହାନ୍ତି, ଏ କ୍ଷେତ୍ରରେ କ’ଣ କେମିତି ହେଉଛି ? ରାତିବେଳା ପଚରା ଉଚରା ବିରୁଦ୍ଧରେ ନୀତିଗତ ଭାବରେ କୌଣସି ଅଭିଯୋଗ କେହି କରେନା । ତଥାପି ସଚିବମାନେ ଏତେ ନାପସନ୍ଦ କରନ୍ତି କାହିଁକି ?’’ ଏକଥା ମଧ୍ୟ କେ. ଜାଣିନଥିଲା, ସେ ଏତେ କମ୍ ଜିନିଷ ଜାଣିନଥିଲା, କେଉଁଠି ବ୍ୟୁର୍ଗେଲ୍ ପ୍ରକୃତରେ ଉତ୍ତର ଚାହୁଁଛନ୍ତି, କେଉଁଠି ସେ ଉତ୍ତର ପାଇବା ଉପରେ ବିଶେଷ ଜୋର୍ ଦେଉ ନାହାନ୍ତି ତା ମଧ୍ୟ ସେ ବୁଝିପାରୁ ନଥିଲା । ‘‘ତମେ ଯଦି ଖଟରେ ମତେ ଶୋଇପଡ଼ିବାକୁ ଦେବ,’’ କେ ଭାବିଲା, ‘‘ମୁଁ ତମର ସବୁ ପ୍ରଶ୍ନର ଉତ୍ତର ଦେଇଦେବି, କାଲି ଖରାବେଳେ, ସନ୍ଧ୍ୟା ବେଳେ ହେଲେ ଆହୁରି ଭଲ ।’’ କିନ୍ତୁ ବ୍ୟୁର୍ଗେଲ୍ ତା ପ୍ରତି କୌଣସି ଦୃଷ୍ଟି ଦେଇଥିବା ଭଳି ମନେ ହେଉନଥିଲା, ସେ ନିଜକୁ ଯେଉଁ ପ୍ରଶ୍ନ ପଚାରିଥିଲେ, ସେଥିରେ ବହୁତ ବେଶୀ ମଜ୍ଜି ଯାଇଥିଲେ ? ମୁଁ ଯେତେଦୂର ବୁଝିଛି ଏବଂ ମୋର ଅନୁଭୂତି କେତେଦୂର ହେଇଛି, ରାତିବେଳା ପଚରା ଉଚରା ବିରୁଦ୍ଧରେ ସଚିବମାନଙ୍କର ନିମ୍ନଲିଖିତ ଅଭିଯୋଗଗୁଡ଼ିକ ରହିଛି । ପ୍ରାର୍ଥୀମାନଙ୍କ ସହିତ ଆଳାପ ଆଲୋଚନା କରିବା ପାଇଁ ରାତିବେଳଟା ଉପଯୁକ୍ତ ସମୟ ନୁହେଁ କାରଣ ରାତିରେ ଆଳାପ ଆଲୋଚନାର ଆଇନଗତ ଚରିତ୍ର ବଜାୟ ରଖିବା କଷ୍ଟକର କିମ୍ୱା ନିଶ୍ଚିତ ଭାବରେ ଅସମ୍ଭବ । ବାହାରକୁ ଆଲୋଚନା କିପରି କରାଯିବ, ସେଥି ସହିତ ଏହାର ସଂପର୍କନାହିଁ, କାରଣ ଇଚ୍ଛାକଲେ ଅବଶ୍ୟ ଦିନରେ ଯେମିତି ରାତିବେଳା ସେମିତି । କଥାବାର୍ତ୍ତାର ଆଦବ କାଇଦା କଠୋର ଭାବରେ ପାଳନ କରାଯାଇ ପାରିବ । ତେଣୁ ଅନ୍ୟପକ୍ଷରେ ରାତିବେଳାରେ ଯେ ଆଇନ ଅନୁଯାୟୀ ବିଚାର କରିବାର ଶକ୍ତି କମିଯାଏ ତାହାନୁହେଁ । ନିଜେ ନ ଚାହିଁଲେ ବି ରାତିବେଳା ଜଣେ ଗୋଟାଏ ଅଧିକ ବ୍ୟକ୍ତିଗତ ଦୃଷ୍ଟି କୋଣରୁ ବିଷୟଗୁଡ଼ିକର ବିଚାର କରିଥାଏ, ପ୍ରାର୍ଥୀମାନଙ୍କର ଅଭିଯୋଗ ଗୁଡ଼ାକ ଯେତିକି ସ୍ୱାଭାବିକ ତା’ଠାରୁ ଅଧିକ ଓଜନଦାର୍ ମନେହୁଏ, ଗୋଟାଏ ନିର୍ଦ୍ଦିଷ୍ଟ ବିଷୟର ବିଚାର ସହିତ ପ୍ରାର୍ଥୀମାନଙ୍କର ଅନ୍ୟାନ୍ୟ ପରିସ୍ଥିତି ସଂପର୍କୀୟ ଅତି ଅପ୍ରାସଙ୍ଗିକ ବିଷୟ, ସେମାନଙ୍କର ଦୁଃଖଯନ୍ତ୍ରଣା, ଆଶା ଆକାଂକ୍ଷା ଇତ୍ୟାଦି ମିଶିଯାଇ ଗୋଳମାଳିଆ ଅବସ୍ଥା ସୃଷ୍ଟି ହୁଏ । ପ୍ରାର୍ଥୀ ଓ ଅଫିସରମାନଙ୍କ ମଧ୍ୟରେ ଥିବା ଆବାଶ୍ୟକୀୟ ପ୍ରାଚୀର, ତାହା ବାହାରକୁ ଅକ୍ଷୁର୍ଣ୍ଣ ‘ଥିବା ଭଳି ମନେ ହେଉଥିଲେ ମଧ୍ୟ, ଦୁର୍ବଳ ହୋଇପଡ଼େ । ଏବଂ ଅନ୍ୟ ସ୍ଥଳମାନଙ୍କରେ କେବଳ ପ୍ରଶ୍ନ ଓ ଉତ୍ତର ବଦଳା ବଦଳି ହେଉଥିବା ବେଳେ, ସବୁବେଳେ ଯେମିତି ହୁଏ, ଏଠାରେ ଅତି ବିଚିତ୍ରଭାବରେ ସଂପୂର୍ଣ୍ଣ ଯୁକ୍ତିହୀନ ଘଟଣାଟିଏ ଘଟେ, ଏଠାରେ ବ୍ୟକ୍ତି ବିଶେଷଙ୍କର ସ୍ଥାନ ପରିବର୍ତ୍ତନ ହୋଇଯାଏ । ଅନ୍ତତଃ ସଚିବମାନେ ଏୟା କହନ୍ତି, ଏବଂ ସେମାନେ ଅବଶ୍ୟ ହେଲେ ସେହି ପ୍ରକାର ଲୋକ, ଯେଉଁମାନେ କି ସେମାନଙ୍କର ଚାକିରୀ ମାଧ୍ୟମରେ ଏ ସବୁ ବିଷୟରେ ଅତି ଅସାଧାରଣ ଭାବରେ ଭାବପ୍ରବଣ ହୋଇ ପଡ଼ିଥାନ୍ତି । କିନ୍ତୁ ସେମାନେ ମଧ୍ୟ-ଏବଂ ଆମ ଭିତରେ ଏ ବିଷୟ ବହୁବାର ଆଲୋଚିତ ହୋଇଛି-ସେମାନେ ମଧ୍ୟ ରାତିବେଳା ପଚରା ଉଚରା କରିବାର ଏ ଅସୁବିଧାଗୁଡ଼ିକ ସ୍ପଷ୍ଟଭାବରେ ହୃଦୟଙ୍ଗମ କରିପାରନ୍ତି ନାହିଁ । ବରଂ ମୂଳରୁ ହିଁ ସେମାନେ ସେ ଅସୁବିଧା ଗୁଡ଼ିକ ଅତିକ୍ରମ କରିନେବା ପାଇଁ ବହୁଶ୍ରମ ସ୍ୱୀକାର କରନ୍ତି ଏବଂ ଶେଷରେ ଭାବିନିଅନ୍ତି ଯେ ସେମାନେ ନିର୍ଦ୍ଦିଷ୍ଟ ଭାବରେ ସୁଫଳ ଲାଭ କରିଛନ୍ତି । କିନ୍ତୁ ପରେ ଯଦି କେହି ରେକଡ଼ପତ୍ର ପଢ଼େ, ସେଥିରେ ସ୍ପଷ୍ଟ ଭାବରେ ରହିଥିବା ଦୁର୍ବଳତାଗୁଡ଼ିକ ଦେଖି ସେ ଅନେକ ସମୟରେ ଆଶ୍ଚର୍ଯ୍ୟ ହୁଏ । ଏଗୁଡ଼ିକ ହେଲା ଦୋଷ ଦୁର୍ବଳତା, ଏବଂ ଆହୁରି କ’ଣ ନା, ଏଗୁଡ଼ିକର ଅର୍ଥ ହେଲା ପ୍ରାର୍ଥୀମାନେ ଅର୍ଦ୍ଧ-ଯୁକ୍ତି ଯୁକ୍ତ ଫଳ ମାତ୍ର ପାଇଲେ । ଆମ ଆଇନ କାନୁନ୍ ଅନୁସାରେ ଅନ୍ତତଃ ସାଧାରଣ ସିଧା ବାଟରେ ଏହାର କ୍ଷତିପୂରଣ କରିବା ସମ୍ଭବ ନୁହେଁ । ଭବିଷ୍ୟତରେ ସେଗୁଡ଼ିକ ନିଶ୍ଚିତ ଭାବରେ ଜଣେ କଣ୍ଟ୍ରୋଲ୍-ଅଫିସର ସଂଶୋଧନ କରିଦେବେ, କିନ୍ତୁ ତା’ ଫଳରେ କେବଳ ଆଇନ ଲାଭବାନ୍ ହେବ, କିନ୍ତୁ ସେହି ପ୍ରାର୍ଥୀର ଅଧିକା କ୍ଷତି ସଂଘଟିତ ହେବ ନାହିଁ । ଏପ୍ରକାର ପରିସ୍ଥିତିରେ କ’ଣ ସଚିବମାନଙ୍କର ଆପତ୍ତି ଅଭିଯୋଗ ଗୁଡ଼ାକ ସଂପୂର୍ଣ୍ଣ ଯଥାର୍ଥ ନୁହେଁ ?’’ କେ. ସେତେବେଳକୁ କିଛି ସମୟ ଅଧା ନିଦରେ ଶୋଇ ସାରିଲେଣି, ବର୍ତ୍ତମାନ ତାକୁ ପୁଣି ଉଠାଇ ଦିଆ ହେଲା । ଏ ସବୁ କାହିଁକି ? ଏସବୁ କାହିଁକି ?’’ ସେ କିଛି ବୁଝି ପାରିଲା ନାହିଁ, ଏବଂ ନିଦ ଢୁଳୁଢୁଳୁ ଆଖିପତା ତଳୁ ଅନାଇଁ ସେ ବ୍ୟୁର୍ଗେଲଙ୍କୁ ତା’ ସାଙ୍ଗରେ କେତେକ ଜଟିଳ ବିଷୟ ଆଲୋଚନା କରୁଥିବା ଜଣେ ଅଫିସର ବୋଲି ଭାବିଲା ନାହିଁ, ତାଙ୍କୁ ଭାବିଲା ଏମିତି ଗୋଟାଏ ବସ୍ତୁ ବୋଲି ଯାହାକି ତା’କୁ ଶୋଇବାକୁ ଦେଉନାହିଁ, ଏବଂ ଯାହାର ଅନ୍ୟ କିଛି ଅର୍ଥ ସେ ଖୋଜି ପାଉନାହିଁ । କିନ୍ତୁ ବ୍ୟୁର୍ଗେଲ ତାଙ୍କ ଚିନ୍ତାରାଜ୍ୟରେ ଏତେ ମଜ୍ଜି ଯାଇଥିଲେ ଯେ ସେ ହସିଦେଲେ; ସତେ ଯେମିତି ସେ କେ: କୁ ସାମାନ୍ୟ ଭୁଲ୍ ବାଟରେ ନେଇଯିବାରେ ସଫଳ ହୋଇଛନ୍ତି । ତଥାପି ତା’କୁ ତତ୍‌କ୍ଷଣାତ୍ ଠିକ୍ ବାଟକୁ ନେଇ ଆସିବାକୁ ସେ ପ୍ରସ୍ତୁତ ଥିଲେ । ‘‘ଆଛା’’, ସେ କହିଲେ, ‘‘ଅନ୍ୟ ପକ୍ଷରେ ଏ ଅଭିଯୋଗଗୁଡ଼ିକ ପୂରା ଯୁକ୍ତିଯୁକ୍ତ ବୋଲି ମଧ୍ୟ ଜଣେ କହିଦେଇ ପାରିବି ନାହିଁ, ରାତିବେଳା ପଚରା ଉଚରା କରିବା ବିଷୟ ପ୍ରକୃତରେ ଆଇତ କେଉଁଠି କହୁନାହିଁ, ତେଣୁ ଜଣେ ଯଦି ସେ କାମ ରାତିବେଳା ନକରେ, ସେ ଆଇନ ବିରୁଦ୍ଧ ଆଚରଣ କରୁନାହିଁ, କିନ୍ତୁ ଅବସ୍ଥା ଚକ୍ର, କାମର ଚାପ, ଦୁର୍ଗରେ ଅଫିସର୍‍ମାନେ ଯେଉଁ ପରିଶ୍ରମ କରନ୍ତି, ସେମାନେ କେତେ ଦୂର ଅପରିହାର୍ଯ୍ୟ, ସବୁ ପ୍ରକାର ଅନୁସନ୍ଧାନ ସରିବା ପରେ, କିନ୍ତୁ ଯଥା ଶୀଘ୍ର ପ୍ରାର୍ଥୀମାନଙ୍କୁ ପଚରା ଉଚରା କରିବାର ଯେଉଁ ନିୟମ ଅଛି-ଏସବୁ ଏବଂ ଅନ୍ୟ ବହୁତ କାରଣ ଯୋଗୁଁ ରାତିବେଳା ପଚରା ଉଚରା କରିବା ଏତେ ବେଶୀ ଦରକାର ହୋଇ ପଡ଼େ । କିନ୍ତୁ ବର୍ତ୍ତମାନ ଯଦି ସେ କାମ ଏତେ ଆବଶ୍ୟକ ହୋଇ ପଡ଼ିଛି-ମୁଁ ତ ସେୟା କହୁଛି-ତାହା ମଧ୍ୟ ଯେତେ ପରୋକ୍ଷ ଭାବରେ ହେଉନା କାହିଁକି, ଆଇନ୍ କାନୁନ୍‌ରୁ ହିଁ ଜାତ ହୋଇଛି, ଏବଂ ରାତିବେଳା ପଚରା ଉଚରାରେ ଥିବା ଦୋଷ ଦୁର୍ବଳତାଗୁଡ଼ିକ ଦେଖିବାର ଅର୍ଥ ପ୍ରାୟ ହେବ–ମୁଁ ଅବଶ୍ୟ ଟିକିଏ ବଢ଼ାଇ କହୁଛି, ଏବଂ ବଢ଼ାଇ କହୁଥିବାରୁ ହିଁ ମୁଁ ଏକଥା ଏମିତି କହି ପାରୁଛି ଆଇନ୍ କାନୁନ୍‌ରେ ଥିବା ଦୋଷଗୁଡ଼ିକ ଦେଖିବା ।

 

‘‘ଅନ୍ୟ ପକ୍ଷରେ ସଚିବମାନଙ୍କୁ ଏତିକି ସୁବିଧା ଦିଆଯାଇପାରେ । ରାତି ବେଳ ପଚରା ଉଚରା କରିବା କାମରୁ ବର୍ତ୍ତିବା ପାଇଁ ସେମାନଙ୍କର ଏହି ପ୍ରକାର ସ୍ପଷ୍ଟ ଅସୁବିଧାଗୁଡ଼ିକ ଦୁର କରିବା ପାଇଁ, ସେମାନେ ଆଇନ୍ କାନୁନ୍‌ର ପରିସର ଭିତରେ ଯତ୍‍ପରୋନାସ୍ତି ଚେଷ୍ଟା କରିପାରିବେ । ପ୍ରକୃତରେ ସେମାନେ ଏହା ହିଁ କରନ୍ତି, ଏବଂ ବେଶ୍ ଭାବରେ କରନ୍ତି । ସେମାନେ କଥାବାର୍ତ୍ତା କରିବା ପାଇଁ ଏମିତି ବିଷୟଗୁଡ଼ିକ ଅନୁମତି ଦିଅନ୍ତି, ଯେଉଁଥିରେ କି ଭୟ ପାଇବାର ପ୍ରାୟ କୌଣସି କାରଣ ନଥିବ, କଥାବାର୍ତ୍ତା କରିବା ଆଗରୁ ନିଜ ନିଜକୁ ଭଲ ଭାବରେ ପରୀକ୍ଷା କରିନିଅନ୍ତି, ଏପରିକି ଶେଷ ମୁହୂର୍ତ୍ତରେ ମଧ୍ୟ ପଚରା ଉଚରା କାମ ସ୍ଥଗିତ ରଖିଦିଅନ୍ତି, ଜଣେ ପ୍ରାର୍ଥୀ ସାଙ୍ଗରେ କଥାବାର୍ତ୍ତା କରିବା ପୂର୍ବରୁ ତା’କୁ ଦଶ ଦଶ ଥର ଡକାଇ ନିଜ ନିଜ ହାତ ମୁଠା ଟାଣ କରିନିଅନ୍ତି, ନିଜ ନିଜ ବଦଳରେ କାମ ତୁଲାଇ ଦେବାପାଇଁ ସହକର୍ମୀମାନଙ୍କୁ ପଠାଇ ଦେବା ସେମାନଙ୍କର ସଉକ । ସେ ସହକର୍ମୀମାନଙ୍କର କାମ ତୁଲାଇ ପାରିବାର ଦକ୍ଷତା ନଥାଏ, ତେଣୁ ସେମାନେ କାମଟା ସେମାନଙ୍କର ସୁବିଧା ଅନୁସାରେ କରନ୍ତି । ପୁଣି ସଚିବମାନେ କଥାବାର୍ତ୍ତା କରିବା ପାଇଁ ରାତିର ଆରମ୍ଭରେ କିମ୍ୱା ଶେଷରେ ସମୟ ସ୍ଥିର କରନ୍ତି, ମଧ୍ୟରାତ୍ରୀ ବେଳଟା ବାଦ୍ ଦେଇ’ ଏମିତି ଆହୁରି ଅନେକ ବ୍ୟବସ୍ଥା ସେମାନେ କରିଥାନ୍ତି । ସଚିବମାନେ ସେମାନଙ୍କୁ ବଳିଯିବାର ସୁଯୋଗ ସୁବିଧା ଅନ୍ୟ କାହାକୁ ସହଜରେ ଦେବାର ଲୋକ ନୁହନ୍ତି, ସେମାନେ ଯେତିକି ଭୁଲ୍ ଭଟକା କରନ୍ତି, ସେତିକି ନିଜ ନିଜକୁ ସୁଧାରି ନେଇ ପାରନ୍ତି ।’’ କେ. ଶୋଇ ପଡ଼ିଥିଲା ପ୍ରକୃତ ନିଦରେ ନୁହେଁ, ସେ ତା’ର ପୂର୍ବର କ୍ଳାନ୍ତିକର ସଚେତନ ଅବସ୍ଥା ଅପେକ୍ଷା ବର୍ତ୍ତମାନ ବ୍ୟୁର୍ଗେଲ୍‌ଙ୍କ କଥାବାର୍ତ୍ତା ବେଶୀ ଭଲ ଭାବରେ ଶୁଣିପାରୁଥିଲା, ପଦ ପଦ କଥା ଆସି ତା’ କାନରେ ବାଜୁଥାଏ, କିନ୍ତୁ ତା’ର କ୍ଳାନ୍ତିକର ସଚେତନ ଅବସ୍ଥା ଅତି କ୍ରାନ୍ତ ହୋଇଯାଇଥାଏ । ସେ ମୁକ୍ତ ଅନୁଭବ କଲା, ବ୍ୟୁର୍ଗେଲ୍ ଆଉ ତା’କୁ ଧରି ରଖି ପାରିଲେ ନାହିଁ, ସେ ନିଜେ କେବଳ ବ୍ୟୁର୍ଗେଲ୍‌ଙ୍କ ଆଡ଼କୁ ବେଳେ ବେଳେ ମାଡ଼ି ଯାଇଥିଲା । ସେଯାଏଁ ସେ ନିଦର ଗଭୀରତାକୁ ଯାଇନଥିଲା, କିନ୍ତୁ ନିଦରେ ଡ଼ୁବିଯାଇଥିଲା ନିଶ୍ଚୟ । ବର୍ତ୍ତମାନ କେହି ତା’ଠାରୁ ସେ ନିଦ ଛଡ଼ାଇ ନେବା ଉଚିତ ହେବ ନାହିଁ । ଏବଂ ସେମିତି ଶୋଇପଡ଼ିବା ଦ୍ୱାରା ସତେ ଯେମିତି ସେ ଏକ ପ୍ରକାର ବିଜୟ ଲାଭ କରିଥିଲା, ଏବଂ ଦଳେ ଲୋକ ଯେମିତି ବିଜୟ ଉତ୍ସବ ପାଳନ କରିବା ପାଇଁ ସେଠାକୁ ଆସି ସାରିଥିଲେ ଏବଂ ସେ ନିଜେ କିମ୍ୱା ଅନ୍ୟ କେହି ଜଣେ ସାଂପେନ୍ ଗ୍ଳାସ୍ ଉଠାଇ ବିଜୟ ଲାଭ ପ୍ରତି ସମ୍ମାନ ଦେଖାଉଥିଲେ, ସେମିତି ମନେ ହେଉଥିଲା । ଏବଂ ସମସ୍ତେ ଯେପରି ସେ ବିଷୟରେ ଜାଣିପାରିବେ ସେଥିପାଇଁ ସଂଘର୍ଷ ଓ ବିଜୟ ଭାବରେ ପୁନରାବୃତ୍ତି କରାଗଲା କିମ୍ୱା ତାହା ମୋଟେ କରାଗଲା ନାହିଁ, ସଂଘର୍ଷ ଓ ବିଜୟ ବର୍ତ୍ତମାନ ହିଁ କେବଳ ଘଟିଲା ଏବଂ ସେ ସବୁ ପାଇଁ ଆଗରୁ ଉତ୍ସବ ଆରମ୍ଭ ହୋଇଛି ଏବଂ ସେ ଉତ୍ସବ ସେମିତି ଚାଲିଛି, କାରଣ ସୌଭାଗ୍ୟକୁ ତା’ର ନିଶ୍ଚିନ୍ତ ଫଳା ଫଳ କ’ଣ ତାହା ଜଣା ପଡ଼ିଯାଇଛି । କୌଣସି ଗ୍ରୀକ୍ ଦେବତାର ପ୍ରତିମୂର୍ତ୍ତି ଭଳି ଉଲଗ୍ନ ଜଣେ ସଚିବ ସଂଘର୍ଷରେ କେ. ଠାରୁ ହୁଏତ ମାଡ଼ ଖାଇଯାଇଛନ୍ତି । ଘଟଣାଟି ବେଶ୍ ହାସ୍ୟ କର ଏବଂ କେ.ର ଆକ୍ରମଣରେ ସଚିବ ଜଣକ କିପରି ତାଙ୍କର ଗର୍ବୋନ୍ନତ ଭଙ୍ଗୀ ସତ୍ତ୍ୱେ ବାରମ୍ୱାର ଚମକି ପଡ଼ୁଥିଲେ, ତାହାଦେଖି କେ. ନିଦରେ ହସିଦେଲା; ବର୍ତ୍ତମାନ ସଚିବ ଜଣକ ତାଙ୍କର ଉଦ୍ୟତ ବାହୁ ଓ ହାତ ମୁଠାରେ ତାଙ୍କ ଦେହକୁ ଆକ୍ରମଣରୁ ରକ୍ଷା କରିବାପାଇଁ ଚେଷ୍ଟା କରୁଥିଲେ, କିନ୍ତୁ ଏଯାଏଁ ସେ କ୍ଷିପ୍ରଗତିରେ ତାହା କରିପାରିନଥିଲେ । ଯୁଦ୍ଧ ବେଶୀ ସମୟ ଚାଲିଲା ନାହିଁ, ଖୁବ୍ ଲମ୍ୱା ଲମ୍ୱା ପାଦ ପକାଇ କେ. ଆଗେଇଲା । ସେଟା କ’ଣ ପ୍ରକୃତରେ ଯୁଦ୍ଧ ? କୌଣସି ଗୁରୁତର ପ୍ରତିବନ୍ଧକ ନଥିଲା, ବେଳେ ବେଳେ ସଚିବ ଜଣକ କେବଳ କେଁ କାଁ ଶବ୍ଦ କରୁଥାନ୍ତି । ଏହି ଗ୍ରୀକ୍ ଦେବତା ଜଣକ, ଜଣେ ଝିଅକୁ କୁତୁ କୁତୁ କଲେ ସେ ଯେମିତି କେଁ କାଁ ଶବ୍ଦ କରେ, ସେମିତି ଶବ୍ଦ କରୁଥାନ୍ତି । ଶେଷରେ ସେ ପଳାଇ ଗଲେ, କେ. ସେହି ବଡ଼ ରୁମ୍‌ଟାରେ ଏକୁଟିଆ ହୋଇଗଲା, ଯୁଦ୍ଧ କରିବା ପାଇଁ ସେ ବୁଲି ଚାହିଁଲା, ତା’ର ପ୍ରତିଦ୍ୱନ୍ଦୀ କେଉଁଠି ଦେଖିବା ପାଇଁ; କିନ୍ତୁ ସେଠାରେ ଆଉ କେହି ନଥିଲେ, ଜିନିଷପତ୍ର ଏଣେ ତେଣେ ଛିଟିକି ଯାଇଥାଏ, କେବଳ ସାଂପେନ୍ ଗ୍ଳାସଟା ଭାଙ୍ଗି ଯାଇ ତଳେ ପଡ଼ିଥାଏ । କେ. ପାଦରେ ଚାପି ସେଟାକୁ ଗୁଣ୍ଡ କରିଦେଲା । କିନ୍ତୁ କାଚ ଖଣ୍ଡ ତା’ ପାଦରେ ଗଳିଗଲା, ଚମକି ପଡ଼ି ସେ ନିଦରୁ ଆଉଥରେ ଉଠି ପଡ଼ିଲା, ଛୋଟ ପିଲାଟିଏକୁ ନିଦରୁ ଉଠାଇଦେଲେ ଯେମିତି ତାକୁ ଜରଜର ଲାଗେ, କେ: କୁ ସେମିତି ଲାଗିଲା । ତଥାପି ବ୍ୟୁର୍ଗେଲଙ୍କ ଖୋଲା ଛାତି ଉପରେ ଆଖି ପଡ଼ିଛି ଯେମିତି ତା’ ସ୍ୱପ୍ନର ଅଂଶ ବିଶେଷ ଗୋଟିଏ ଚିନ୍ତା ତା’ର ଚେତନାକୁ ଛୁଇଁ ଚାଲିଗଲା । ତୋର ଗ୍ରୀକ୍ ଦେବତା ଏଇଠି ! ଯା’ ତାଙ୍କୁ ଖଟ ଉପରୁ ଉଠାଇ ଆଣ୍ ! ‘‘ତେବେ’’, ବ୍ୟୁର୍ଗେଲ କହିଲେ, ଚିନ୍ତାଶୀଳ ଦୃଷ୍ଟିରେ ଛାତ ଆଡ଼କୁ ଅନାଇଁ, ସତେ ଯେପରି ଉଦାହରଣ ଖୋଜିବା ପାଇଁ ସେ ତାଙ୍କ ସ୍ମୃତିକୁ ଘଣ୍ଟୁଛନ୍ତି, କିନ୍ତୁ କୌଣସି ଉଦାହରଣ ଖୋଜି ପାଉ ନାହାଁନ୍ତି, ‘‘ତେବେ ବି, ସମସ୍ତ ସାବଧାନତା ଅବଲମ୍ୱନ କରିବା ସତ୍ତ୍ୱେ, ଏମିତି ଗୋଟାଏ ଉପାୟ ଅଛି, ଯାହାବ୍ଦ୍ୱାରା କି ଦରଖାସ୍ତକାରୀମାନେ ସଚିବମାନଙ୍କର ନୈଶ ଦୁର୍ବଳତାରୁ ଫାଇଦା ଉଠାଇ ପାରନ୍ତି-ସବୁବେଳେ ଏହାକୁ ଗୋଟାଏ ଦୁର୍ବଳତା ବୋଲି ଭାବିନେଇ-ସେମାନଙ୍କର ସୁବିଧା ପାଇଁ । ଅବଶ୍ୟ ଏହା ଗୋଟିଏ ଦୁଷ୍ପ୍ରାପ୍ୟ ସମ୍ଭାବନା ବୋଲି, କିମ୍ୱା ଏମିତି ପ୍ରାୟ କେବେ ଘଟିନାହିଁ ବୋଲି ମାନିନେବାକୁ ପଡ଼ିବ । ରାତି ଅଧରେ କୌଣସି ଖବର ନଦେଇ ଦରଖାସ୍ତକାରୀ ଜଣକ ପଶି ଆସିବାରେ ଏହା ନିହିତ । ଏହା ଗୋଟାଏ ଜଣାଶୁଣା କଥା ବୋଲି ମନେ ହେଉଥିଲେ ମଧ୍ୟ ଏହା ଯେ ସବୁବେଳେ ଏମିତି ଘଟେ ନାହିଁ ଦେଖି ଆପଣ ବୋଧହୁଏ ଆଶ୍ଚର୍ଯ୍ୟ ହେଉଛନ୍ତି । ଆରେ, ହଁ, ଏଠାକାର ପରିସ୍ଥିତି ଆପଣ ଜାଣନ୍ତି ନାହିଁ । କିନ୍ତୁ ମୁଁ ଭାବୁଚି ଏଠାକାର ସରକାରୀ ବ୍ୟବସ୍ଥା ପତ୍ରର ନିରଙ୍କୁଶତା ଆପଣଙ୍କୁ ମୁଗ୍‌ଧ କରିଛି । ଏହି ନିରଙ୍କୁଶତା ଯୋଗୁଁ, ଯେଉଁମାନେ ଦରଖାସ୍ତ ଧରି ଆସିଛନ୍ତି କିମ୍ୱା ଅନ୍ୟାନ୍ୟ କାରଣରୁ ଯେଉଁମାନଙ୍କ ବିଳମ୍ୱ ନକରି ଯଥାଶୀଘ୍ର ପଚରା ଉଚରା କରିବା ଆବଶ୍ୟକ, ସେମାନେ ବିଷୟଟା ଭଲ ଭାବରେ ନିଜେ ନଜେ ବୁଝି ନେବା ଆଗରୁ ହିଁ, ଏପରିକି ସେମାନେ ନିଜେ ନିଜେ ସେ ବିଷୟଟା କ’ଣ ଜାଣିବା ଆଗରୁ ହିଁ ସେମାନଙ୍କୁ ଡକା ହୋଇସାରିଥାଏ । ଧରନ୍ତୁ ଜଣକୁ ଏଥର କିଛି ପଚରା ଯାଇନାହିଁ, ପ୍ରାୟ ସେଯାଏଁ କିଛି ପଚରା ଯାଇନଥାଏ, ବିଷୟଟା ଏଯାଏଁ ସେ ସ୍ତରକୁ ଆସିନାହିଁ ବୋଲି କିନ୍ତୁ ସେ ଲୋକଟିକୁ ଡକା ହୋଇସାରିଛି, ସେ ଆଉ ନକହି ନଶୁଣି ପଶି ଆସିପାରିବ ନାହିଁ, ଖୁବ୍ ବେଶୀ ହେଲେ ସେ ଅସମୟରେ ଆସି ପହଞ୍ଚିଯାଇ ପାରେ, ବେଶ୍ ତା’ହେଲେ ନିର୍ଦ୍ଦିଷ୍ଟ ତାରିଖ ଓ ନିର୍ଦ୍ଦିଷ୍ଟ ସମୟ ପ୍ରତି ତା’ର ଦୃଷ୍ଟି ଆକର୍ଷଣ କରାଯାଏ, ଏବଂ ତା’ପରେ ଯଦି ସେ ନିର୍ଦ୍ଦିଷ୍ଟ ସମୟରେ ଆସେ, ତାକୁ ନୀତିଗତ ଭାବରେ ଫେରାଇ ଦିଆଯାଏ, ସେଥିରେ ଆଉ ଅସୁବିଧା କିନ୍ତୁ ହୁଏ ନାହିଁ; ଦରଖାସ୍ତକାରୀ ହାତକୁ ସମନ ଦେଇ ଦେବା ଏବଂ ଫାଇଲ ପତ୍ରରେ ତା’ କଥା ଟିପି ରଖିବା ଯେ ସବୁବେଳେ ଯଥେଷ୍ଟ ନୁହେଁ ତାହା ସତ, କିନ୍ତୁ ସେଗୁଡ଼ିକ ସଚିବମାନଙ୍କ ହାତରେ ଖୁବ୍ ଶକ୍ତିଶାଳୀ ଆତ୍ମରକ୍ଷାକାରୀ ଅସ୍ତ୍ର ଭାବରେ କାର୍ଯ୍ୟ କରେ । ଅବଶ୍ୟ ଏକଥା ମାନିବାକୁ ପଡ଼ିବ ଯେ ଏ କ୍ଷେତ୍ରରେ କେବଳ ସେହି ସଚିବଜଣକ ସଂପୃକ୍ତ, ସେ ବିଷୟଟାରେ ନିଷ୍ପତ୍ତି ନେବା ଯାହର କ୍ଷମତାର ଅନ୍ତର୍ଭୁକ୍ତ । ତଥାପି ଅନ୍ୟ ସଚିବମାନଙ୍କୁ ବିସ୍ମିତ କରି ଦେଇ ରାତିରେ ମଧ୍ୟ ଭେଟି ହେବ । ତେବେ ଏପରି ପ୍ରାୟ କେହି କେବେ କରନ୍ତି ନାହିଁ । କାରଣ ଏପରି କରିବାର କୌଣସି ଅର୍ଥ ନାହିଁ । ପ୍ରଥମତଃ ଏପରି କଲେ ସଂପୃକ୍ତ କ୍ଷମତା ପ୍ରାପ୍ତ ସଚିବ ଜଣକ ବହୁତ ଉତ୍‌କ୍ଷିପ୍ତ ହୋଇ ପଡ଼ିବେ । ଏହା ସତ ଯେ ଆମେ ସଚିବମାନେ କାର୍ଯ୍ୟକ୍ଷେତ୍ରରେ କୌଣସି ମତେ ପରସ୍ପରକୁ ଈର୍ଷା କରୁନା, କାରଣ ପ୍ରତ୍ୟେକଙ୍କ ମୁଣ୍ଡରେ ବିରାଟ ଗୋଟାଏ କାମର ବୋଝ; ସେ ବୋଝ ତାଙ୍କ ଉପରେ ଜମା ହେବାରେ ଲାଗିଥାଏ, କିନ୍ତୁ ଦରଖାସ୍ତକାରୀମାନଙ୍କ କଥା ବୁଝାଶୁଣା କଲାବେଳେ ଆମ ନିଜ ନିଜ କ୍ଷମତାର ପରିସର ଭିତରେ କେହି ହସ୍ତକ୍ଷେପ କରିବା ଆମେ ସହ୍ୟକରି ପାରୁନା । ଅତୀତରେ ଅନେକେ ଏଥିପାଇଁ ହଇରାଣ ହୋଇ ଯାଇଛନ୍ତି, କାରଣ ଜଣେ ଦରଖାସ୍ତକାରୀ ଯେତେବେଳେ ଜାଣିଲା ଯେ ସଂପୃକ୍ତ କର୍ତ୍ତୁପକ୍ଷଙ୍କ ପାଖରେ ସେ କୌଣସି ଅଗ୍ରଗତି କରିପାରୁ ନାହିଁ, ସେ ଚୁପ୍ ଚାପ୍ ଅନ୍ୟ ଜଣକ ପାଖକୁ ଖସି ଚାଲିଯାଏ, ତା’ କାମ କରିଦେବା ପାଇଁ ସେ ଅନ୍ୟ ଜଣକର କ୍ଷମତା ନଥାଏ । ତା’ଛଡ଼ା ଏପ୍ରକାର ଚେଷ୍ଟା ସବୁ ବିଫଳ ହେବାକୁ ବାଧ୍ୟ, କାରଣ ସଠିକ୍ କ୍ଷମତାପ୍ରାପ୍ତ ହୋଇନଥିବା ଜଣେ ସଚିବ, ରାତି ଅଧରେ ତାଙ୍କୁ ବିସ୍ମିତ କରି ଦେଇ ଭେଟିଲେ ମଧ୍ୟ ଏବଂ ସେ କାମ କରିଦେବା ପାଇଁ ତାଙ୍କର ବହୁତ ଇଚ୍ଛା ଥିଲେ ମଧ୍ୟ ସେ ତାଙ୍କର କ୍ଷମତାହୀନତା ଯୋଗୁଁ ପ୍ରାୟ କେଉଁଥିରେ ହସ୍ତକ୍ଷେପ କରି ସଫଳ ହୋଇ ପାରନ୍ତି ନାହିଁ । ଜଣେ ଭଲ ଓକିଲଙ୍କଠାରୁ ଅଧିକ ହୁଅନ୍ତି, କାରଣ ତାଙ୍କର ଗୋଟାଏ ବଡ଼ ଅସୁବିଧା ହେଲା–ଅନ୍ୟ ଉପାୟରେ ସେ କିଛି କରି ପାରନ୍ତେ ହୁଏତ, କାରଣ ଏ ସମସ୍ତ ଓକିଲଙ୍କ ଅପେକ୍ଷା ଆଇନର ଗୋପନ ରାସ୍ତା ସବୁ ତାଙ୍କୁ ଭଲ ଭାବରେ ଜଣା-ସମୟର ଅଭାବ, ଯେଉଁ ବିଷୟରେ ତାଙ୍କର କ୍ଷମତା ନାହିଁ ସେଥିରେ କୌଣସି ନିଷ୍ପତ୍ତି ନେବାକୁ ଗଲାବେଳେ ତାଙ୍କର ସମୟ ନଥାଏ, ସେ ସେଥିଲାଗି ମୁହୂର୍ତ୍ତଟିଏ ଦେଇ ପାରନ୍ତି ନାହିଁ । ଯଦି ଫଳାଫଳ ଏହା ହେବ, ତା’ ହେଲେ କିଏ ବା କ୍ଷମତାପ୍ରାପ୍ତ ହୋଇ ନଥିବା ସଚିବମାନଙ୍କ ସାଙ୍ଗରେ ରାତି ରାତି ଖେଳିବାକୁ ଯିବ ? ପୁଣି ଦରଖାସ୍ତକାରୀମାନେ ଯାହା ହେଲେ ବି ସବୁବେଳେ ପୂରା ବ୍ୟସ୍ତ ଥାନ୍ତି, ଯଦି ସେମାନଙ୍କର ନିତ୍ୟ ନିୟମିତ କାମ ଛଡ଼ା ସେମାନେ ସମନ ଓ କ୍ଷମତାପ୍ରାପ୍ତ ଅଧିକାରୀମାନଙ୍କଠାରୁ ଇଂଗିତ ପାଇ ଆସିବାକୁ ଚାହାଁନ୍ତି । ଦରଖାସ୍ତକାରୀମାନେ ଯେଉଁ ଅର୍ଥରେ ‘‘ପୂରା ବ୍ୟସ୍ତ’’ ଥାନ୍ତି, ତାହା ଅବଶ୍ୟ ସଚିବମାନେ ଯେଉଁ ଅର୍ଥରେ ‘‘ପୂରା ବ୍ୟସ୍ତ’’ ଥାଆନ୍ତି ତାହାଠାରୁ ଭିନ୍ନ’’ କେ: ହସି ମୁଣ୍ଡ ହଲାଇଲା ସେ ଭାବିଲା ଯେ ବର୍ତ୍ତମାନ ସେ ସବୁ କିଛି ସ୍ପଷ୍ଟ ଭାବରେ ବୁଝିପାରିଛି; ସେ ସେଥିରେ ସଂପୃକ୍ତ ବୋଲି ନୁହେ, ବରଂ ବର୍ତ୍ତମାନ ସେ ନିଶ୍ଚିତ ହୋଇଯାଇଥିଲା ଯେ ଅଳ୍ପ କେଇଟା ମିନିଟ୍ ଭିତରେ ସେ ପୁଣି ଗଭୀର ନିଦରେ ଶୋଇ ପଡ଼ିବ, ଏଥର ସେ ଆଉ ସ୍ୱପ୍ନ ଦେଖିବ ନାହିଁ କି କେହି ତା’ ନିଦ ଭାଙ୍ଗିଦେବେ ନାହିଁ; ଏକ ପକ୍ଷରେ କ୍ଷମତାପ୍ରାପ୍ତ ସଚିବମାନେ, ଅନ୍ୟ ପକ୍ଷରେ କ୍ଷମତାପ୍ରାପ୍ତ ହୋଇନଥିବା ସଚିବମାନଙ୍କ ଭିତରେ, ଏବଂ ପୂରା ବ୍ୟସ୍ତ ଥିବା ଦରଖାସ୍ତକାରୀ ଦଳ ସାମ୍ନାରେ, ସେ ଗଭୀର ନିଦ ଭିତରେ ଡୁବିଯାଇ ଏବଂ ଏହିପରି ଭାବରେ ସବୁଥିରୁ ଖସିଯାଇ ପାରିବ । ବ୍ୟୁର୍ଗେଲଙ୍କ ଧୀର ଆତ୍ମସନ୍ତୁଷ୍ଟ ସ୍ୱର, ଯାହାକି ତାଙ୍କୁ ଶୁଆଇ ପକାଇବା ପାଇଁ ଯଥାସାଧ୍ୟ ଚେଷ୍ଟା କରୁଥାଏ, ସେ ସ୍ୱର ସହିତ ବର୍ତ୍ତମାନ ସେ ଏତେ ଅଭ୍ୟସ୍ତ ହୋଇ ପଡ଼ିଥାଏ ଯେ ତାହା ଶୁଣି ତା’ ନିଦ ଭାଙ୍ଗିଯିବା ଦୂରେ ଥାଉ ସେ ବେଶ୍ ନିଦରେ ଶୋଇ ପଡ଼ିବ । ‘‘ହେ କଳ, ଘଡ଼ ଘଡ଼ ହୁଅ, ଘଡ଼ ଘଡ଼ ହେଉଥା,’’ ସେ ଭାବିଲା, ‘‘ତମେ ଖାଲି ମୋ’ ପାଇଁ ଘଡ଼ ଘଡ଼ ହେଉଚ ।’’ ‘‘କୁଆଡ଼େ ଗଲା ବର୍ତ୍ତମାନ,’’ ବ୍ୟୁର୍ଗେଲ କହିଲେ, ଦୁଇ ଆଙ୍ଗୁଠିରେ ତଳ ଓଠଟାକୁ ଏପଟ ସେପଟ କରି ବଡ଼ ବଡ଼ ଆଖିରେ, ବେକ ଲମ୍ୱାଇ ଦେଇ, ସତେ ଯେମିତି ବହୁ ସମୟ କଷ୍ଟ କରି ଚାଲିବା ପରେ ସେ ଗୋଟିଏ ସୁନ୍ଦର ଦୃଶ୍ୟ ଆଡ଼କୁ ମୁହାଁଇଛନ୍ତି, ‘‘କୁଆଡ଼େ ଗଲା ବର୍ତ୍ତମାନ, ପୂର୍ବରୁ ଉଲ୍ଲେଖ କରାଯାଇଥିବା ଦୁଷ୍ପ୍ରାପ୍ୟ ସମ୍ଭାବନା, ଯାହାକି ପ୍ରାୟ କେବେହେଲେ ସତ୍ୟ ହୁଏ ନାହିଁ ? ଏହାର ଗୋପନ ସୂତ୍ରଟି କ୍ଷମତା ସଂପର୍କିତ ଆଇନ କାନୁନ ଭିତରେ ଲୁଚି ରହିଛି । କଥା ହେଉଛି, ସବୁ ଜିନିଷ ଏପରି ଭାବରେ ସଂଗଠିତ ହୋଇ ନାହିଁ ଏତେ ବଡ଼ ଜୀବନ୍ତ ସଂଗଠନରେ ଯେମିତି ହେବା ସମ୍ଭବ ନୁହେଁ-ଯାହା ଫଳରେ କି କେବଳ ଜଣେ ନିର୍ଦ୍ଦିଷ୍ଟ ସଚିବ ସବୁ ବିଷୟ ବୁଝିବାକୁ ଅଛନ୍ତି ବୋଲି କହି ହେବ । ବରଂ କୁହାଯାଇ ପାରିବ ଯେ ଜଣେ ଅନ୍ୟମାନଙ୍କ ଅପେକ୍ଷା ବହୁତ ବେଶୀ କ୍ଷମତା ପ୍ରାପ୍ତ, କିନ୍ତୁ ଅନ୍ୟ ଅନେକେ କେତେକ ନିର୍ଦ୍ଦିଷ୍ଟ ଦିଗରୁ କ୍ଷମତା ପ୍ରାପ୍ତ ମଧ୍ୟ, ସେମାନଙ୍କର କ୍ଷମତା କମ୍ ହେଉ ପଛକେ । ସେ ଯେତେ ପରିଶ୍ରମୀ ହେଉନା କାହିଁକି ଏବଂ ଘଟଣାଟା ଯେତେ ସାମାନ୍ୟ ଧରଣର ହେଉ ପଛକେ, କିଏ ବା ସେ ଘଟଣାର ସବୁ ଗୁଡ଼ାକ ବିଷୟ ଏକା ତା’ ଟେବୁଲରେ ଯୋଡ଼ିଯୋଡ଼ି ରଖିପାରିବ ? ଏବଂ ମୁଁ ସମସ୍ତଙ୍କଠାରୁ ଅଧିକ ସାମର୍ଥ୍ୟ ବିଷୟ ଯାହା କହୁଥିଲି, ତାହା ମଧ୍ୟ କହିବା ବହୁତ ବେଶୀ ହୋଇଯିବ । କାରଣ ସମସ୍ତଙ୍କଠାରୁ ନ୍ୟୁନ ଲୋକଟି ପାଖରେ ମଧ୍ୟ ସମସ୍ତ ସାମର୍ଥ୍ୟ ରହିପାରେ । ଯେଉଁ ଉତ୍ସାହର ସହିତ ଗୋଟିଏ ବିଷୟର ବିଚାର କରାଯାଏ, ତାହା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନୁହେ କି ? ଏବଂ ଏହି ଉତ୍ସାହ କ’ଣ ସବୁବେଳେ ସମାନ ନୁହେ, ସବୁବେଳେ ସଂପୂର୍ଣ୍ଣ ହୋଇ ରହିନଥାଏ ? ସମସ୍ତ ପ୍ରକାର ବିଷୟରେ ସଚିବମାନଙ୍କ ମଧ୍ୟରେ ପାର୍ଥକ୍ୟ ରହିପାରେ, ଏବଂ ଏପ୍ରକାର ଅସଂଖ୍ୟ ପାର୍ଥକ୍ୟ ରହିଛି, କିନ୍ତୁ ସେମାନଙ୍କର ଉତ୍ସାହରେ ନୁହେଁ; ସେମାନଙ୍କ ଭିତରୁ କେହି ବି ନିଜକୁ ସଂଯତ କରି ରଖି ପାରିବେ ନାହିଁ, ଯଦି ତାଙ୍କୁ କୁହାଯାଏ ଯେ ସେ ଅତି କମ୍ ପରିମାଣରେ ହେଉ ପଛକେ, ତାଙ୍କର କ୍ଷମତା ଓ ସାମର୍ଥ୍ୟର ପରିସରଭୁକ୍ତ ଗୋଟିଏ ବିଷୟ ସହିତ ସଂପୃକ୍ତ ହୁଅନ୍ତୁ । ବାହାରକୁ ଅବଶ୍ୟ କଥାବାର୍ତ୍ତାର ଗୋଟିଏ ସୁସଂଯତ ପଦ୍ଧତି ଅନୁସରଣ କରିବାକୁ ପଡ଼ିବ, ଏବଂ ତେଣୁ କ’ଣ ହୁଏନା ଜଣେ ନିର୍ଦ୍ଦିଷ୍ଟ ସଚିବ ପ୍ରତ୍ୟେକ ଦରଖାସ୍ତକାରୀଙ୍କ ପାଇଁ ସାମ୍ନାକୁ ଚାଲି ଆସନ୍ତି, ସରକାରୀ ନିୟମ ଅନୁସାରେ ସେପରି କରିବାକୁ ପଡ଼େ । ଅବଶ୍ୟ ଏହି ସଚିବ ଜଣକ ସେହି ବିଷୟ ବୁଝିବା ପାଇଁ ସବୁଠାରୁ ବେଶୀ କ୍ଷମତା ପ୍ରାପ୍ତ ବ୍ୟକ୍ତି ନହୋଇ ଥାଇପାରନ୍ତି, ଏଠାରେ ଯାହା ଗୁରୁତ୍ୱପୂର୍ଣ୍ଣ, ତାହାହେଲା ସଂଗଠନ, ଏବଂ ସେହି ନିର୍ଦ୍ଦିଷ୍ଟ ସମୟରେ ସେ ସଂଗଠନ ଯାହା ଯାହା ଆବଶ୍ୟକ କରେ ସେସବୁ ଏହାହିଁ ସାଧାରଣ ପରିସ୍ଥିତି । ଏବଂ ବର୍ତ୍ତମାନ ଅମିନ ବାବୁ, ଧରି ନିଅନ୍ତୁ ଜଣେ ଦରଖାସ୍ତକାରୀ, କେତେକ ପରିସ୍ଥିତି ଏମିତି ହେଲା ଯେ ମୁଁ ଯେଉଁ ସବୁ ପ୍ରତିବନ୍ଧକ ବର୍ଣ୍ଣନା କଲି ସେଗୁଡ଼ାକ ସତ୍ତ୍ୱେ, ଏବଂ ସେଗୁଡ଼ାକ ସାଧାରଣ ଭାବରେ ଯଥେଷ୍ଟ ହେଉଥିବା ସତ୍ତ୍ୱେ, ସେ ରାତି ଅଧରେ ଜଣେ ସଚିବଙ୍କର ପାଖକୁ ଆସିଗଲା ଏବଂ ଧରନ୍ତୁ ସେହି ବିଷୟରେ ସେ ସଚିବଙ୍କର କିଛିଟା କ୍ଷମତା ଅଛି । ମୁଁ କ’ଣ କହି ପାରିବି ଯେ ଆପଣ ଏପ୍ରକାର ଗୋଟାଏ ସମ୍ଭାବନା ଅଛି ବୋଲି କେବେ ଭାବୁ ନାହାନ୍ତି ? ମୁଁ ଏହାକୁ ବିଶ୍ୱାସ କରିବାକୁ ପ୍ରସ୍ତୁତ । ଏକଥା ନ ଭାବିଲେ ବି କିଛି ଯାଏ ଆସେ ନାହିଁ, କାରଣ ଏପ୍ରକାର ଘଟଣା ବାସ୍ତବକ୍ଷେତ୍ରରେ କେବେ ଘଟେ ନାହିଁ । ସେହି ଅତୁଳନୀୟ ଚାଲୁଣି ଭିତର ଦେଇ ଖସିଯିବାପାଇଁ ଜଣେ ଦରଖାସ୍ତକାରୀକୁ କି ପ୍ରକାର ବିଚିତ୍ର ଓ ସ୍ୱତନ୍ତ୍ର ଭାବରେ ସଙ୍ଗଠିତ କ୍ଷୁଦ୍ର କୁଶଳୀ ଶସ୍ୟଟିଏ ହେବା ଦରକାର ? ଆପଣ ଭାବୁଛନ୍ତି, ଏପରି କେବେ ଘଟିନପାରେ କିନ୍ତୁ କୌଣସି କୌଣସି ରାତିରେ-କିଏ ବା ସବୁକଥାରେ ଜୋରଦେଇ କହିପାରିବ ?–ଏପରି ଘଟିଥାଏ । ମୁଁ ମାନୁଛି, ମୋର ପରିଚିତ କୌଣସି ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା କେବେ ଘଟିନାହିଁ ବେଶ୍ କିନ୍ତୁ ଏଥିରୁ ବିଶେଷ କିଛି ପ୍ରମାଣିତ ହେଉନାହିଁ ଏଠାରେ ଥିବା ଲୋକଙ୍କ ସଂଖ୍ୟା ଦୃଷ୍ଟିରୁ ମୋର ପରିଚିତ ଲୋକ ବେଶୀ ନୁହନ୍ତି ଏବଂ ତା ଛଡ଼ା ଯଦି କୌଣସି ସଚିବଙ୍କ କ୍ଷେତ୍ରରେ ଏହା ଘଟିଥାଏ ସେ ତାହା ମାନିଯିବା କୌଣସିମତେ ନିଶ୍ଚିତ ନୁହେଁ କାରଣ ତାହା ଗୋଟିଏ ବ୍ୟକ୍ତିଗତ ବ୍ୟାପାର ଏବଂ ଗୋଟିଏ ଦୃଷ୍ଟିରୁ ବେଶ ଲଜ୍ଜାକର-। ତେବେ ମୋର ଅନୁଭୂତି ବୋଧହୁଏ ପ୍ରମାଣିତ କରୁଛି ଯେ ଆମେ ଯେଉଁ ବିଷୟରେ କଥା ବାର୍ତ୍ତା କରୁଛେ ତାହା ପ୍ରାୟ ଘଟେ ନାହିଁ ପ୍ରକୃତରେ ଘଟିବ ବୋଲି କେବଳ ଶୁଣାଯାଉଥାଏ, ଘଟିବାର କୌଣସି ନିର୍ଦ୍ଦିଷ୍ଟ ସୂଚନା ନଥାଏ । ଏବଂ ସେଥିପାଇଁ ତାକୁ ଭୟ କରିବାର କୌଣସି କାରଣ ପ୍ରକୃତରେ ନାହିଁ । ସେ ପ୍ରକାର ଘଟଣା ପ୍ରକୃତରେ ଯଦିବା ଘଟେ–ଆପଣ ଭାବୁଥିବେ-ଜଣେ ସେ ଘଟଣାକୁ ବିପଦଶୂନ୍ୟ ବୋଲି ପ୍ରମାଣିତ କରି ଦେଇପାରେ, ସେ ପ୍ରକାର ଘଟଣା ପାଇଁ ଏ ପୃଥିବୀରେ ସୁଯୋଗ ନାହିଁ ବୋଲି କହି, ଏବଂ ଏମିତି କହିଦେବା ଭାର ସହଜ । ସେ ଯାହା ହେଉନା କାହିଁକି, ସେ ଘଟଣାକୁ ଡରି ରେଜେଇ ଭିତରେ ମୁହଁ ଲୁଚାଇ ଦେବା ଥରେ ହେଲେ ମୁହଁ କାଢ଼ି ନ ଅନାଇଁବା ବଡ଼ କଦର୍ଯ୍ୟ କଥା ଏବଂ ଯଦି ବା ଏହି ଅସମ୍ଭାବ୍ୟ ଘଟଣାଟି ବାସ୍ତବ ରୂପ ନେଲା, ସେଥିରେ କ’ଣ ସବୁ କିଛି ନଷ୍ଟ ହୋଇଗଲା ? ବରଂ ଠିକ୍ ଓଲଟା । ସବୁ କିଛି ନଷ୍ଟ ହୋଇଯିବା ସବୁଠାରୁ ଅସମ୍ଭବ କଥାଠାରୁ ମଧ୍ୟ ଅଧିକ ଅସମ୍ଭବ । ଠିକ କଥା, ଦରଖାସ୍ତକାରୀ ଜଣେ ଯଦି ରୁମ ଭିତରକୁ ପଶିଆସେ ତାହେଲେ ବଡ଼ ଅସୁବିଧା । ଏହା ଦ୍ୱାରା ହୃଦୟ ସଂକୁଚିତ ହୋଇଯାଏ । ‘‘କେତେ ସମ ତୁ ଏମିତି ପ୍ରତିରୋଧ କରିବୁ’’ ଜଣେ ନିଜକୁ ପଚାରେ । କିନ୍ତୁ ସେ ପ୍ରତିରୋଧ ହୋଇ ରହିବ ନାହିଁ, ସେ ଏକଥା ଜାଣେ । ଆପଣଙ୍କୁ ସେ ପରିସ୍ଥିତିଟା ଠିକ୍ ଭାବରେ ବୁଝିନେବାକୁ ପଡ଼ିବ କେବଳ । କେବେ ଦେଖାନଥିବା, ସବୁବେଳେ ଆସିବାକୁ ଥିବା ଦରଖାସ୍ତକାରୀ, ସବୁବେଳେ ଉଦ୍‌ବିଗ୍ନ ହୋଇ ତା’ର ଆସିବାକୁ ଅପେକ୍ଷା କରାଯାଉଥାଏ ଏବଂ ସବୁବେଳେ ସେ ଯଥୋଚିତ ଦୂରତ୍ୱରେ ରହିଥାଏ-ସେହି ଲୋକ ଆସି ବସିଲାଣି ସେଠି । ଅନ୍ୟ କିଛି ନ ହେଲେ ବି ଏହି ନୀରବ ଉପସ୍ଥିତି ହିଁ ତା’ର ଦୁଃସ୍ଥ ଜୀବନ ଭିତରକୁ ପଶିବା ପାଇଁ ଏକ ପ୍ରକାର ନିମନ୍ତ୍ରଣ ହୋଇ ଉଠେ, ତା’ପରେ ତମେ ନିଜ ଜମିଜମା ଉପରେ ଠିଆ ହୋଇ ଚାରିଆଡ଼କୁ ଅନାଇଁଲା ପରି ଅନାଇଁଛ, ଏବଂ ତା’ର ବୃଥା ଦାବୀ ଗୁଡ଼ାକର ଚାପରେ ତା’ ସାଙ୍ଗରେ ମିଶି କଷ୍ଟ ପାଉଛ । ନୀରବ ରାତିର ଏହି ନିମନ୍ତ୍ରଣ ଶଠତା ପୂର୍ଣ୍ଣ । ଜଣେ ସେ ନିମନ୍ତ୍ରଣ ରକ୍ଷାକଲା ଓ ସେ ଆଉ ନିଜ ସରକାରୀ ପଦବୀ ଅନୁସାରେ କାମ କରି ପାରିବ ନାହିଁ । ଏ ଏମିତି ଏକ ପରିସ୍ଥିତି, ଯେଉଁଥିପାଇଁ କି କାହାକୁ ଦୟା ଦେଖାଇବାକୁ ମନା କରିଦେବା ଖୁବ୍ ଶୀଘ୍ର ଅସମ୍ଭବ ହୋଇପଡ଼େ । ସଂକ୍ଷିପ୍ତ ଭାବରେ କହିଲେ, ଜଣେ ହତାଶହୋଇ ପଡ଼େ, ଆହୁରି ସଂକ୍ଷିପ୍ତ ଭାବରେ କହିଲେ, ଜଣେ ଖୁବ୍ ଖୁସି ହୋଇ ଉଠେ । ହତାଶ, କାରଣ ନିରାଶ୍ରୟ ଅବସ୍ଥାରେ ଦରଖାସ୍ତକାରୀର ଆସିବା, ତାର ଯୁକ୍ତି ବାଢ଼ିବାକୁ ଅପେକ୍ଷା କରିବାକୁ ପଡ଼େ । ଥରେ ତା’ର ଦାବୀ ଶୁଣିଲା ପରେ ତାହା ପୂରଣ କରିବାକୁ ପଡ଼େ । ଏପରିକି, ଅନ୍ତତଃ ପରିସ୍ଥିତିର ସାଧାରଣ ରୁପ ଦୃଷ୍ଟିରୁ, ସେ ଦାବୀ ପୂରଣ କରିବା ଫଳରେ ସରକାରୀ ସଂଗଠନ ଛିନ୍ନ ବିଛିନ୍ନ ହୋଇ ଯାଇଥିଲେ ମଧ୍ୟ । ନିଜର କର୍ତ୍ତବ୍ୟ ସଂପାଦନ କଲାବେଳେ ଏହାଠାରୁ ବଳି ଖରାପ କଥା କିଛି ଘଟେ ନାହିଁ ବୋଲି ମୋର ଧାରଣା । ସର୍ବୋପରି-ଅନ୍ୟ ସବୁକଥା ବାଦ୍ ଦେଲେବି ଏହା ଏମିତି ଏକ ସାହାଯ୍ୟ; ଯାହାକି ସମସ୍ତ ଧାରଣାର ବାହାରେ ଏବଂ ସେହି ନିର୍ଦ୍ଦିଷ୍ଟ ସମୟରେ ଜଣେ ସଚିବ ଏ ପ୍ରକାର ସାହାଯ୍ୟ ଦେବାର ଅଧିକାର ଜବରଦସ୍ତ ହାତକୁ ନେଇଯାନ୍ତି । ଆମେ ଯେଉଁ ପ୍ରକାର ଦାବୀ ପୂରଣ କରିବାର ଅଧିକାର ଆମର ନାହିଁ, ଏହା ଆମର ପରିସ୍ଥିତିରେ ଅନ୍ତର୍ନିହିତ । ତଥାପି ରାତିବେଳା ଦରଖାସ୍ତକାରୀ ଆମର ଖୁବ୍ ନିକଟକୁ ଆସିବା ଫଳରେ ଆମର କ୍ଷମତା କେମିତି ଏକ ପ୍ରକାର ବଢ଼ିଯାଏ, ଆମେ ଏମିତି ସବୁ କାମ କରିବାକୁ ଆଗେଇଯାଉ, ଯାହାକି ଆମ କ୍ଷମତାର ପରିସର ବାହାରେ, ଏବଂ କେବଳ ସେତିକି ନୁହେଁ, ଆମେ ଯାହା କରିବୁ ବୋଲି କହୁ, ତାହା କରିଦେଉ । ଦସ୍ୟୁ ଜଂଗଲ ଭିତରେ ଛଡ଼ାଇ ନେଲା ପରି ଦରଖାସ୍ତକାରୀ ଆମକୁ ଲୁଟିନିଏ, ଆମେ ଏମିତି ସବୁ ତ୍ୟାଗକରୁ ଯାହାକି ସାଧାରଣ ଭାବରେ ଆମେ କରିପାରନ୍ତୁ ନାହିଁ । ବେଶ୍ ତେବେ ଦରଖାସ୍ତକାରୀ ଯେତେ ସମୟଯାଏଁ ଅଛି, ଏମିତି ସବୁ ଘଟେ, ସେ ଆମକୁ ବଳ ଦେଉଥାଏ, ବାଧ୍ୟ କରୁଥାଏ ଏବଂ ଆଗେଇ ନେଉଥାଏ; ଏବଂ ସବୁ କିଛି କାମ ଆମ ଅଜାଣତରେ ଯେମିତି ଘଟିବାକୁ ଯାଉଥାଏ; କିନ୍ତୁ ପରେ ଯେତେବେଳେ ସବୁ ଶେଷ ହୋଇଯାଏ, ସନ୍ତୁଷ୍ଟ ହୋଇ ବେପରଓ୍ୱା ଭାବରେ ଦରଖାସ୍ତକାରୀ ଯେତେବେଳେ ଆମକୁ ଛାଡ଼ି ଚାଲିଯାଏ ଏବଂ ଆମେ ଏକା ହୋଇଯାଉ, ଆମର ସରକାରୀ କ୍ଷମତା ଅପବ୍ୟବହାର କରିଥିବା ଯୋଗୁଁ ଆମକୁ ହତାଶ ଲାଗେ, ସେତେବେଳେ କ’ଣ ହେବ ତାହା ଭାବି ହେଉନାହିଁ ! ତଥାପି ଆମେ ଖୁସି । ସୁଖ ବି କେତେ ଦୁର ଆତ୍ମଦହନ ହୋଇପାରେ ସତେ । ଦରଖାସ୍ତକାରୀ ପାଖରୁ ପ୍ରକୃତ ଅବସ୍ଥା ଲୁଚାଇ ରଖିବା ପାଇଁ ଆମେ ଅବଶ୍ୟ ଚେଷ୍ଟା କରିପାରୁ । ସେ ନିଜେ ଚେଷ୍ଟା କରି କିଛି ଜାଣି ପାରିବ ନାହିଁ । ସେ ନିଜେ ବୋଧହୁଏ ଭାବେ ଯେ କୌଣସି ସାଧାରଣ ଓ ଅକସ୍ମାତ୍ କାରଣ ବଶତଃ ସେ ଏମିତି ଗୋଟାଏ ରୁମ୍ ଭିତରକୁ ପଶି ଆସିଛି, ଯାହା ଭିତରକୁ ସେ ନ ଆସିବା କଥା-ଅତିଶୟ କ୍ଳାନ୍ତି, ହତାଶା ଓ ଦୁଃସାହାସ ଫଳରେ ସେ ପଶିଆସେ ସେ କ୍ଳାନ୍ତି ଓ ହତାଶା ତା’କୁ ପଥର କରି ଦେଇଥାଏ । ତା’ପରେ କଣ ଘଟୁଛି କିଛି ନଜାଣି ଓ କ’ଣ ସବୁ ଚିନ୍ତା କରି ସେ ବସିରହେ । ଯଦି ତା’ର ମନ ବ୍ୟସ୍ତ ଥାଏ, ତାହା ତାର ଭୁଲ୍ କରିଥିବା ଯୋଗୁଁ । ସେ ଅବସ୍ଥାରେ ତା’କୁ ଜଣେ କ’ଣ ଛାଡ଼ି ଚାଲି ଯାଇ ପାରିବନାହିଁ ? ନା, ପାରିବ ନାହିଁ । ଖୁସିଥିଲେ ଜଣେ ଯେଉଁ ଉତ୍ସାହର ସହିତ କଥାବାର୍ତ୍ତା କରେ, ସେ ପ୍ରକାର କଥାବାର୍ତ୍ତା କରି ତା’କୁ ବୁଝାଇଦେବାକୂ ହୁଏ । ଆପଣ ନିଜକଥା ମୋଟେ ଭୁଲି ନପାରି ତା’କୁ ଠିକେ ଠିକେ ଦେଖାଇ ଦେବେ କ’ଣ ସବୁ ଘଟିଛି ଏବଂ କେଉଁଥିପାଇଁ ସେସବୁ ଘଟିଛି, ସେ ସୁଯୋଗଟି କି ଅସାଧାରଣ ଭାବରେ ଦୁଷ୍ପ୍ରାପ୍ୟ ଓ କି ମହାନ୍ ! ଚରମ ହତାଶା ମଧ୍ୟ ଦେଇ ଦରଖାସ୍ତକାରୀ ଅକସ୍ମାତ୍ ସେ ସୁଯୋଗ ପାଇଥିଲେ ମଧ୍ୟ, ଯାହାକି ଜଣେ ଦରଖାସ୍ତକାରୀ ଛଡ଼ା ଅନ୍ୟ କେହି ପାଇ ପାରିନଥାନ୍ତେ, ସେ ଯଦି ବର୍ତ୍ତମାନ ଚାହିଁବ, ଅମିନବାବୁ, ସେ ସବୁ କିଛି ଉପରେ କର୍ତ୍ତୃତ୍ୱ ଜାହିର କରିପାରିବ, ଏବଂ ସେଥିପାଇଁ ତା’କୁ ଅନ୍ୟ କିଛି ନକରି କେବଳ ଯେ କୌଣସି ମତେ ନିଜର ଦାବୀ ଉପସ୍ଥାପିତ କରିବାକୁ ପଡ଼ିବ । ସେ ଦାବୀ ପୂରଣ ହେବା ଅବସ୍ଥାକୁ ଯାଉଛି । ଏ ସମସ୍ତ ବିଷୟ ତା’କୁ ଜଣାଇ ଦେବାକୁ ପଡ଼ିବ । ଏହା ହେଉଛି ଜଣେ ଅଫିସର୍ ପକ୍ଷରେ ଚରମ ପରୀକ୍ଷାର ବେଳ । ଏବଂ ଜଣେ ଯେତେବେଳେ ତାହା ମଧ୍ୟ କରିଦିଏ, ଅମିନବାବୁ, ଯାହା କିଛି ଆବଶ୍ୟକ ତାହା ସବୁ କରି ଦିଆଗଲା ବୋଲି କହିବାକୁ ହେବ । ତା’ପରେ ଆଉ କିଛି କରିବାର ନଥିବ, କେବଳ ଅପେକ୍ଷା କରିବା ଛଡ଼ା ।

 

କେ: ଶୋଇ ପଡ଼ିଥାଏ, ଯାହାସବୁ ଘଟୁଥାଏ ସେ କିଛି ଜାଣି ପାରୁନଥାଏ । ପ୍ରଥମେ ଖଟ ବାଡ଼ା ଦେହରେ ବାଁ ହାତ ଉପରେ ତା’ର ମୁଣ୍ଡଟି ରହିଥିଲା । ବର୍ତ୍ତମାନ ସେ ଶୋଇ ପଡ଼ିଥିବା ଫଳରେ ତାହା ଖସିଯାଇ ଆଶ୍ରାହୀନ ଭାବରେ ଝୁଲୁଥିଲା, ତଳକୁ ତଳକୁ ଖସି ଯାଉଥିଲା । ଉପରେ ଥିବା ହାତଟିର ଆଶ୍ରା ଆଉ ଯଥେଷ୍ଟ ହେଉନଥିଲା କେ. ତା’ର ଅଜାଣତରେ ବର୍ତ୍ତମାନ ଗୋଟିଏ ନୂଆ ଆଶ୍ରାପାଇଲା, ତା’ର ଡାହାଣ ହାତ ବେଶ୍ ଶକ୍ତ କରି ରେଜେଇ ଉପରେ ରଖିଲା ତା’ ଫଳରେ ସେ ରେଜେଇ ତଳୁ ବାହାରି ବ୍ୟୁର୍ଗେଲଙ୍କ ଗୋଟିଏ ପାଦକୁ ଅକସ୍ମାତ୍ ଧରି ପକାଇଲା । ବ୍ୟୁର୍ଗେଲ ତଳକୁ ଅନାଇଁଲେ, ଏବଂ ତାଙ୍କୁ କଷ୍ଟ ହେଉଥିଲେ ମଧ୍ୟ କେ.ତା’ ହାତରେ ସେ ପାଦଟା ଧରିବାକୁ ଛାଡ଼ିଦେଲେ ।

 

ଦୁଇ ବଖରା ମଝି କାନ୍ଥରେ କିଏ ଜୋର୍‌ରେ ଆଘାତ କରୁଥିବା ଶୁଭିଲା ବର୍ତ୍ତମାନ । କେ. ଚମକି ଉଠି ପଡ଼ିଲା ଏବଂ କାନ୍ଥ ଆଡ଼କୁ ଚାହିଁଲା । ‘‘ଅମିନବାବୁ ଭିତରେ ଅଛନ୍ତି ନା ?’’ କେହି ଜଣେ ପଚାରିଲା । ‘‘ହଁ’’, ବ୍ୟୁର୍ଗେଲ କହିଲେ, କେ. ହାତରୁ ପାଦଟା ଛଡ଼ାଇ ନେଲେ, ଏବଂ ହଠାତ୍ ଗୋଟିଏ ଛୋଟ ପିଲା ଭଳି ଗୋଡ଼ ହାତ ଲମ୍ୱାଇ ଅଳସ ଭାଙ୍ଗିଲେ । ‘‘ତା’ ହେଲେ ତାଙ୍କୁ କୁହନ୍ତୁ, ସେ ବର୍ତ୍ତମାନ ଏଠିକି ଆସିବା କଥା ଅନେକ ଡେରି ହେଲାଣି,’’ କାନ୍ଥ ସେ ପାଖରୁ ଶୁଭିଲା-। ସେ ସ୍ୱରରେ ବ୍ୟୁର୍ଗେଲଙ୍କ ପ୍ରତି କୌଣସି ସହାନୁଭୂତି ନଥିଲା, ସେ ଯେ ଆହୁରି ବେଶୀ ସମୟ କେ.ର ଉପସ୍ଥିତି ଦରକାର କରିପାରନ୍ତି, ସେଥିପ୍ରତି ଖାତିର୍ ନଥିଲା । ‘‘ଅର୍ଲାଙ୍ଗର,’’ ବ୍ୟୁର୍ଗେଲ ଫିସ୍ ଫିସ୍ ହୋଇ କହିଲେ, ଅର୍ଲାଙ୍ଗର ଯେ ସେ ପାଖ ରୁମ୍ ରେ ଅଛନ୍ତି, ସେଥିରେ ସେ ଆଶ୍ଚର୍ଯ୍ୟ ହେଲା ଭଳି ମୋଟେ ମନେ ହେଉନଥାନ୍ତି । ‘‘ଯାନ୍ତୁ ତାଙ୍କ ପାଖକୁ, ଶୀଘ୍ର, ସେ ରାଗିଗଲେଣି, ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରନ୍ତୁ । ତାଙ୍କର ନିଦ ଭାରି ଗଭୀର, କିନ୍ତୁ ଆମେ ବହୁତ ବଡ଼ ପାଟିରେ କଥାବାର୍ତ୍ତା କରୁଥିଲେ, କୌଣସି ବିଷୟରେ କଥାବାର୍ତ୍ତା କଲାବେଳେ ନିଜକୁ ଓ ନିଜର ପାଟିକୁ ସଂଯତ କରି ରଖିବା ଅସମ୍ଭବ । ଚାସ ଯାଆନ୍ତୁ ବର୍ତ୍ତମାନ, ଆପଣ ନିଦରୁ ଉଠି ପାରିଲା ଭଳି ତ ଜଣା ପଡ଼ୁନାହାଁନ୍ତି । ଯାଆନ୍ତୁ, ଆଉ ଏଠି କରୁଛନ୍ତି କ’ଣ ? ନା, ଆପଣଙ୍କୁ ଭାରି ନିଦ ଲାଗୁଚି ବୋଲି ଆପଣ କ୍ଷମା ମାଗିବାର କୌଣସି କାରଣ ନାହିଁ, କାହିଁକି କ୍ଷମା ମାଗିବେ ? ସମସ୍ତଙ୍କର ଶାରୀରିକ ଶକ୍ତି ସୀମିତ । ଏବଂ ସମସ୍ତ କ୍ଷେତ୍ରରେ ବି ଯଦି ଏହି ସୀମାର ଗୁରୁତ୍ୱ ରହେ, କିଏ ବା କ’ଣ କରିପାରିବ ? ନା, କେହି କିଛି କରିପାରିବେ ନାହିଁ । ଏପରି ଭାବରେ ହିଁ ପୃଥିବୀ ତା’ର ଗତିରେ ରହିଯାଉଥିବା ଭୁଲ୍ ଭଟକା ସୁଧାରିନିଏ, ଏବଂ ଭାରସାମ୍ୟ ରକ୍ଷା କରେ । ଏହା ପ୍ରକୃତରେ ଗୋଟିଏ ଚମତ୍‌କାର ବ୍ୟବସ୍ଥା, ସବୁ ସମୟରେ, ଅଚିନ୍ତନୀୟ ଭାବରେ ଚମତ୍‌କାର, ଅନ୍ୟ ଦିଗରୁ ଯେତେ ନିରାନନ୍ଦ ଓ ନୈରାଶ୍ୟ ଜନକ ହେଉ ପଛକେ ବାସ୍‌ ଯାଆନ୍ତୁ । ମୁଁ ବୁଝି ପାରୁନାହିଁ ଆପଣ ମତେ ସେମିତି ଅନାଇଁ-ଛନ୍ତି କାହିଁକି ? ଆପଣ ଯଦି ଡେରି କରିବେ, ଅର୍ଲାଙ୍ଗର୍‌ ମୋ ଉପରେ ଚଢ଼ିଯିବେ, ଏବଂ ଏପରି କିଛି ଘଟିବାକୁ ମୁଁ ଦେବିନାହିଁ । ଯାଆନ୍ତୁ ବର୍ତ୍ତମାନ । କିଏ ଜାଣେ ସେଠି ଆପଣଙ୍କ ପାଇଁ କ’ଣ ସବୁ ଅଛି ? ଏଠି ସବୁତ ନୁଆ ନୁଆ ସୁଯୋଗରେ ପୂର୍ଣ୍ଣ । ଅବଶ୍ୟ ଏମିତି କେତେକ ସୁଯୋଗ ଅଛି ଯାହାକି, ସେମିତି କହିବାକୁ ଗଲେ ଏତେ ବିରାଟ ଯେ ସେଗୁଡ଼ିକ କାମରେ ଲଗାଇ ହେବ-ନାହିଁ । ଏମିତି ଜିନିଷ ଅଛି ଯେଉଁଗୁଡ଼ିକ ସ୍ୱତଃ ନଷ୍ଟ ହୋଇଯାନ୍ତି । ହଁ, ତାହା ଆଶ୍ଚର୍ଯ୍ୟର ବିଷୟ । ଆଉ କ’ଣ ? ଭାବୁଚି ବର୍ତ୍ତମାନ ମୁଁ କିଛି ସମୟ ଶୋଇଯାଇ ପାରିବି । ଅବଶ୍ୟ ବର୍ତ୍ତମାନ ପାଞ୍ଚଟା ବାଜିଲାଣି, ଏବଂ ଖୁବ୍ ଶୀଘ୍ର ପାଟି ତୁଣ୍ଡ ଆରମ୍ଭ ହୋଇଯିବ । ଆଃ, ଆପଣ ଯଦି ପଳାନ୍ତେ !

 

ଗଭୀର ନିଦରୁ ହଠାତ୍‌ ଉଠା ହୋଇଯିବା ଯୋଗୁଁ ହତଭମ୍ବ ହୋଇ ଯାଇଥାଏ, ଆହୁରି ଅନେକ ସମୟ ଶୋଇ ପଡ଼ିବାକୁ ଚାହୁଁଥାଏ, ଏବଂ ସେ ପ୍ରକାର ଅସୁବିଧା ଅବସ୍ଥାରେ ରହିଥିବା ଯୋଗୁଁ ତା’ ଦେହସାରା ବଥା ହେଉଥାଏ ତେଣୁ କେ. ବହୁତ ସମୟ ଯାଏଁ ଠିକ୍‌ ଭାବରେ ଠିଆ ହୋଇପାରିଲା ନାହିଁ, ସେ ତା’ କପାଳକୁ ଦୁଇ ହାତରେ ଚାପି ଧରି ତଳକୁ, ନିଜ କୋଳଆଡ଼କୁ, ଅନାଇଁ ରହିଲା । ବ୍ୟୁର୍ଗେଲ୍‌ ବାରମ୍ବାର ତଡ଼ୁଥିଲେ ମଧ୍ୟ ସେ ହୁଏତ ଯାଇନଥାନ୍ତା, କେବଳ ତାର ଯେତେବେଳେ ଧାରଣା ହେଲା ଯେ ସେଠି ଆଉ ରହିବା ଏକାବେଳକେ ବେକାର, ସେତେବେଳେ ସେ ଯିବାକୁ ବାହାରିଲା । ରୁମ୍‍ଟା ତାକୁ କେତେ ଅବର୍ଣ୍ଣନୀୟ ଭାବରେ ଶୂନ୍‍ଶାନ୍‍ ମନେହେଲା । ସେଟା ଶୂନ୍‍ଶାନ୍ ରହିଥିଲା କି ହଠାତ୍‌ ସେମିତି ହୋଇଗଲା ସେ ଜାଣିପାରୁ ନଥିଲା । ଏଠି ସେ ଆଉ ଶୋଇ ବି ପାରିବ ନାହିଁ । ଏହି ଧାରଣା ହିଁ ତା କର୍ମପନ୍ଥା ସ୍ଥିର କରିଦେଲା; ସାମାନ୍ୟ ହସି ହସି ସେ ଉଠିଲା, ଗଲାବେଳେ ଯେଉଠି ଯାହା ଦେଖିଲା ତା’ ଉପରେ ହାତ ଭରା ଦେଇ, ଖଟ ଉପରେ କାନ୍ଥରେ, କବାଟରେ, ଏବଂ ସେ ଅନେକ ଆଗରୁ ବ୍ୟୁର୍ଗେଲଙ୍କ ଠାରୁ ବିଦାୟ ନେଇ ସାରିଛି ଯେମିତି ସେ ବିଦାୟ ନନେଇ ରୁମ୍‌ ଭିତରୁ ବାହାରି ଗଲା ।

 

ଉଣେଇଶ

 

ଅର୍ଲାଙ୍ଗର ନିଜେ ତାଙ୍କ ରୁମ ଆଗରେ ଠିଆ ହୋଇ ତା’କୁ ଡାକୁନଥିଲେ ସେ ବୋଧହୁଏ ସେମିତି ଉଦାସୀନ ଭାବରେ ତାଙ୍କର ରୁମ୍‌ ଟପି ଚାଲିଯାଇଥାନ୍ତା । ଅର୍ଲାଙ୍ଗର ତାଙ୍କର ବିଶି ଆଙ୍ଗୁଠି ଦେଖାଇ ଇଙ୍ଗିତ କଲେ । ସେ ବାହାରକୁ ଯିବାପାଇଁ ପୋଷାକପତ୍ର ପିନ୍ଧି ସାରିଥିଲେ, ସେ ଗୋଟାଏ କଳା ଫର୍‌ କୋଟ ପିନ୍ଧିଥାନ୍ତି, ବେକ ଚିପା କୋଟ୍‌ଟାରେ ଉପରଯାଏଁ ବୋତାମ ଲାଗିଥାଏ । ଜଣେ ଚାକର ତାଙ୍କୁ ଗ୍ଲୋବ ଯୋଡ଼ାକ ବଢ଼ାଇ ଦେଉଥାଏ ଏବଂ ଗୋଟାଏ ଫର୍‌ ଟୋପି ନିଜେ ଧରିଥାଏ । ‘‘ଆପଣ ଅନେକ ଆଗରୁ ଆସିବା ଉଚିତ ଥିଲା,’’ ଅର୍ଲାଙ୍ଗର୍‌ କହିଲେ । କେ. କ୍ଷମା ମାଗିବାକୁ ଚେଷ୍ଟା କଲା । କ୍ଲାନ୍ତ ଭାବରେ ଆଖି ବୁଜି ଦେଇ ଅର୍ଲାଙ୍ଗର୍‌ ସୂଚାଇଦେଲେ ଯେ କ୍ଷମା ଫ୍ୟମା ମାଗିବା ତାଙ୍କର ଦରକାର ନାହିଁ । ଘଟଣାଟା ହେଉଛି ଏୟା,’’ ସେ କହିଲେ । ‘‘ଆଗରୁ ଫ୍ରୀଡ଼ା ନାମ୍ନୀ କେହିଜଣେ ମଦବିକା ଘରେ ନିଯୁକ୍ତି ପାଇଥିଲା, ମୁଁ କେବଳ ତା ନାଁ ଜାଣିଛି, ସେ ଝିଅଟାକୁ ମୁଁ ଜାଣେ ନାହିଁ, ତା ସାଙ୍ଗରେ ମୋର କିଛି ସମ୍ପର୍କ ନାହିଁ । ଏ ଫ୍ରୀଡ଼ା ବେଳେବେଳେ କ୍ଳାମଙ୍କୁ ବୀୟର ପରଷି ଦେଉଥିଲା । ବର୍ତ୍ତମାନ ବୋଧହୁଏ ଅନ୍ୟଜଣେ ଝିଅ ସେଠି ଅଛି । ଏହି ପରିବର୍ତ୍ତନ ଅବଶ୍ୟ କାହାରିପାଇଁ କିଛି ଗରୁତର ବିଷୟ ହୋଇନପାରେ, ଏବଂ କ୍ଲାମଙ୍କ ପାଇଁ ତ ନିଶ୍ଚତ ଭାବରେ ନୁହେଁ । କିନ୍ତୁ ଚାକିରୀଟା ଯେତିକି ବଡ଼-ବାହାର ପୃଥିବୀଠାରୁ ନିଜକୁ ରକ୍ଷା କରିବାର ଶକ୍ତି ସେତିକି କମ୍‌ ହୋଇଯାଏ, ଏବଂ ତା’ଫଳରେ ଅତି ସାଧାରଣ ପରିବର୍ତ୍ତନଟିଏ ମଧ୍ୟ ବହୁତ ଗୋଳମାଳ ସୃଷ୍ଟିକରେ । ଲେଖା ଲେଖି ଟେବୁଲ ଉପରେ ସାମାନ୍ୟ କିଛି ବଦଳିଗଲେ, ଯେତେଦିନ ଯାଏଁ ମନେ ପକାଇହେବ ସେତେଦିନରୁ ରହିଥିବା ମଇଳା ଦାଗଟିଏ ଲିଭିଗଲେ, ଗୋଳମାଳ ସୃଷ୍ଟି ହୋଇପାରେ, ଏବଂ ସେହିପରି ଭାବରେ ବାରମେଡ୍‌ ଜଣେ ନୂଆହୋଇ ଆସିଲେ ମଧ୍ୟ ଗୋଳମାଳ ସୃଷ୍ଟି ହୁଏ । ଅବଶ୍ୟ ଏସବୁ ଅନ୍ୟମାନଙ୍କୁ ଯେତେ ହଇରାଣ କଲେ ମଧ୍ୟ, ଅନ୍ୟ ଚାକିରୀରେ ଯେତେ ଗୋଳମାଳ ସୃଷ୍ଟି କଲେ ମଧ୍ୟ, କ୍ଳାମକୁ ହଇରାଣ କରେନାହିଁ; ସେ ପ୍ରକାର ହେବାର ପ୍ରଶ୍ନ ନାହିଁ । ତଥାପି କ୍ଳାମଙ୍କର ସୁଖସ୍ୱଚ୍ଛନ୍ଦ୍ୟ ଆମକୁ ଏତେ ବେଶୀ ଦେଖିବାକୁ ପଡ଼େ ଯେ ସେ ପ୍ରକାର ସମସ୍ତ ଗୋଳମାଳକୁ ଆମେ ମୂଳପୋଛ କରିଦେଉ-ସେ ପ୍ରକାର ଗୋଳମାଳରେ ସେ ବ୍ୟସ୍ତ ନ ହୁଅନ୍ତୁ ପଛକେ, ଏବଂ ହୁଏତ ତାକୁ ହରକତ କରିବା ଭଳି ଗୋଳମାଳ କରିବା କିଛି ନାହିଁ, ତେବେ ବି କୌଣସି ବିଷୟ ତାଙ୍କୁ ହଇରାଣରେ ପକାଇବା ଭଳି ମନେହେଲେ ଆମେ ତା’ର ମୂଳପୋଛ କରିଦେଉ । ଆମେ ତାଙ୍କ ପାଇଁ ବା ତାଙ୍କର କାମପାଇଁ ଏ ସମସ୍ତ ଗୋଳମାଳର ମୂଳପୋଛ କରୁନା, କରୁ ଆମ ନିଜ ପାଇଁ, ଆମର ବିବେକ ପାଇଁ, ଆମ ମନର ଶାନ୍ତିପାଇଁ । ଏହି କାରଣରୁ ଏ ଫ୍ରୀଡ଼ା ଜଣକ ଶୀଘ୍ର ମଦ ବିକା ଘରକୁ ଫେରି ଆସିବା ଦରକାର । ତାର କେବଳ ଫେରି ଆସିବା ଫଳରେ ବି ଗୋଳମାଳ ସୃଷ୍ଟି ହୋଇପାରେ; ବେଶ୍‌ ତା ଯଦି ହୁଏ, ଆମେ ପୁଣି ତାକୁ ବାହାର କରିଦେବୁ, କିନ୍ତୁ ବର୍ତ୍ତମାନ ପାଇଁ ତାଙ୍କୁ ଫେରି ଆସିବାକୁ ପଡ଼ିବ । ଆପଣ ତା’ ସାଙ୍ଗରେ ରହୁଛନ୍ତି ବୋଲି ମୁଁ ଶୁଣିଛି, ତେଣୁ ସେ ଯେମିତି ଶୀଘ୍ର ଫେରି ଆସିବ, ତାର ବ୍ୟବସ୍ଥା କରନ୍ତୁ । ଏଥିରେ କାହାର ବ୍ୟକ୍ତିଗତ ମତାମତ ବିଚାରକୁ ନିଆଯିବ ନାହିଁ, ଏକଥା ନ କହିଲେ ବି ଚଳିବ, ଅବଶ୍ୟ ଏଣିକି ଏ ବିଷୟରେ କୌଣସି ଅଧିକ ଆଲୋଚନା ହେଲେ ମୁଁ ସେଥିରେ ମୋଟେ ଭାଗ ନେବିନାହିଁ । ଯାହା କରିବା ଦରକାର ତା’ଠାରୁ ବହୁତ ବେଶୀ ମୁଁ କରୁଛି, ତେଣୁ ମୁଁ କହୁଛି, ଏ ଛୋଟ କଥାରେ ମୁଁ ଆପଣଙ୍କ ଉପରେ ନିର୍ଭର କରିପାରେ ବୋଲି ଯଦି ଆପଣ ଦେଖାଇ ଦେଇ ପାରିବେ, ତା’ ହେଲେ ଆପଣଙ୍କ ଭବିଷ୍ୟତ ଦୃଷ୍ଟିରୁ ତାହା ଆପଣଙ୍କୁ ସାହାଯ୍ୟ କରିପାରେ । ଏତିକି ହିଁ ମୋର ଆପଣଙ୍କ କହିବାର ଥିଲା ।’’ ସେ କେ. କୁ ଚାଲିଯିବାକୁ ଇଙ୍ଗିତ ଦେଲେ, ଚାକର ବଢ଼ାଇଦେବା ଫର୍‌ ଟୋପିଟାକୁ ପିନ୍ଧିଲେ ଏବଂ ଚାକର ପଛେ ପଛେ, ସେ ଆଗେ ଆଗେ, ବାରନ୍ଦା ଉପରେ ଛୋଟେଇ ଛୋଟେଇ ଶୀଘ୍ର ଶୀଘ୍ର ଚାଲିଗଲେ ।

 

ଏଠି ବେଳେ ବେଳେ ଏମିତି ଆଦେଶ ସବୁ ଦିଆହୁଏ, ଯାହାକି ପାଳନ କରିବା ଖୁବ୍‌ ସହଜ, କିନ୍ତୁ ଏହି ଆଦେଶରେ କେ: ସୁଖି ହୋଇ ପାରିଲା ନାହିଁ । ଆଦେଶଟା ସେ ଫ୍ରୀଡ଼ା ବିଷୟରେ ଥିଲା, ଆଦେଶ ଭାବରେ ଉଦ୍ଦିଷ୍ଟ ଥିଲେ ମଧ୍ୟ ତାହା ସେ କେ. ପ୍ରତି ଘୃଣାବ୍ୟଞ୍ଜକ ପରିହାସ ଭଳି ଶୁଭିଲା କେବଳ ସେଥିପାଇଁ ନୁହେଁ, ବରଂ ଏଇଥି ପାଇଁ ଯେ ତାହା କେ. କୁ ତା’ର ନିଜସ୍ୱ ସମସ୍ତ ବ୍ୟର୍ଥତାର ସାମ୍ନା କରାଇ ଦେଲା । ଭଲ ଓ ମନ୍ଦ, ଏ ଉଭୟ ପ୍ରକାର ଆଦେଶର କୌଣସି ଖାତିର ରହିଲା ନାହିଁ କେ. ପ୍ରତି ଏବଂ ସେ ଏତେ ତଳ ସ୍ତରରେ ଥିଲା ସେ ନିଜେ ସେ ବିଷୟରେ କିଛି କରିପାରିଲା ନାହିଁ, ଆଉ ସେ ସବୁ ଆଦେଶକୁ ଚୁପ୍‌ କରାଇ ଦେବା ଏବଂ ନିଜକଥା ଅନ୍ୟମାନେ ଯେପରି ଶୁଣିବେ ସେ ଅଧିକାର ହାସଲ କରିବା ଓ ଦୁରର କଥା । ଆର୍ଲାଙ୍ଗର ଯେତେବେଳେ ତମକୁ ଚାଲିଯିବାକୁ ଇଙ୍ଗିତ କରୁଛନ୍ତି, ସେତେବେଳେ ତମେ ଆଉ କଣ କରିବ ? ଏବଂ ସେ ଯଦି ତମକୁ ଚାଲିଯିବାକୁ ଇଙ୍ଗିତ ନ କରନ୍ତି, ତେବେ ତମେ ତାଙ୍କୁ କ’ଣ କହିବ ? ସତରେ କେ. ର ଧାରଣା ହେଲା ଯେ ଆଜ ତା’ର କ୍ଲାନ୍ତି ତା’ର ବେଦ ଉପରେ ଆସ୍ଥା ରଖିପାରିବ, ଏବଂ ସେ ପ୍ରକାର ବିଶ୍ୱାସ ନଥିଲେ ସେ ମୋଟେ ଏଯାଏଁ ଆସିନଥାନ୍ତା ସେ କାହିଁକି ତେବେ କେତେଟା ଖରାପ ରାତି ଓ ଗୋଟିଏ ବିନିଦ୍ର ରାତି ସହ୍ୟ କରିପାରିଲା ନାହିଁ ଏତେ ଅଚିନ୍ତନୀୟ ଭାବରେ କାହିଁକି କ୍ଲାନ୍ତ ହୋଇପଡ଼ିଲା, ଠିକ୍‌ ଏହି ଯାଗାରେ ଯେଉଠି କେବେ କେହି କ୍ଲାନ୍ତ ହୁଅନ୍ତି ନାହିଁ, କିମ୍ବା ସମସ୍ତେ ବରଂ ଯେଉଁଠି କ୍ଲାନ୍ତ ହୋଇ ପଡ଼ିଥାନ୍ତି ଅବଶ୍ୟ ସେଥିରେ କୌଣସି କାମ କେବେ ଅଟକି ଯାଏ ନାହିଁ, ବରଂ କାମ ଅଧିକ ହେଲା ଭଳି ମନେ ହୁଏ । ଏଥଇରୁ ଏହି ସିଦ୍ଧାନ୍ତରେ ପହଞ୍ଚିହେବ-ସେ କ୍ଲାନ୍ତି କେ.ର କ୍ଲାନ୍ତି ଠାରୁ ଭିନ୍ନ ଧରଣର । ଏଠି ଏହା ନିଃସନ୍ଦେହରେ ହେଉଛି ସୁଖକର କାମ ଦାମ ଭିତରର କ୍ଲାନ୍ତି, ଏମିତି ଗୋଟାଏ ଜିନିଷ ଯାହାକି ବାହାରକୁ କ୍ଲାନ୍ତି ଭଳି ଜଣା ପଡ଼େ କିନ୍ତୁ ପ୍ରକୃତରେ ତାହା କେବେ ନଷ୍ଟ ନ ହେବା ଭଳି ବିଶ୍ରାମ, ଚିରନ୍ତନ ଶାନ୍ତି । ଯଦି ଖରାବେଳେ କେହି ଯଦି କ୍ଲାନ୍ତ ହୋଇ ପଡ଼ିଲା ତାହା ସାରା ଦିନର ସୁଖର ଘଟଣା ପ୍ରବାହର ଏକ ଅଂଶମନ୍ତ୍ର । ଏଠାରେ ଭଦ୍ରଲୋକମାନଙ୍କ ପାଇଁ ସବୁବେଳେ ଖରାବେଳ ହୋଇଥାଏ । କେ. ନିଜେ ନିଜକୁ କହିଲା ।

 

ଏବଂ ଠିକ ଏହିପରି ଭାବରେ ବର୍ତ୍ତମାନ ପାଞ୍ଚଟାବେଳେ ବାରନ୍ଦାର ଦୁଇକଡ଼ କର୍ମଚଞ୍ଚଳ ହୋଇ ଉଠିଲା । ରୁମ୍ ଗୁଡ଼ାକ ପାଟି ଶୁଭୁଥିବା ପାଟିତୁଣ୍ଡ ବେଶ ଖୁସିବାସିଆ ଶୁଭୁଥାଏ । ବର୍ତ୍ତମାନ ତାହା ବଣଭୋଜି ପାଇଁ ପ୍ରସ୍ତୁତ ହେଉଥିବା ପିଲାଙ୍କର ଆନନ୍ଦ ଉଲ୍ଲାସ ଭଳି ଶୁଭୁଥାଏ । ପରମୁହୂର୍ତ୍ତରେ ମନେ ହେଉଥାଏ ସତେ ଯେମିତି କୁକୁଡ଼ା ଘରେ ସକାଳ ହୋଇ ଆସୁଛି । ଆରମ୍ଭ ହେଉଥିବା ଦିନ ସହିତ ପୂରା ସାମିଲ ହୋଇ ରହିବାର ଆନନ୍ଦ ସେଥିରେ ନିହିତ । ପ୍ରକୃତରେ କେଉଁଠି ଜଣେ ଭଦ୍ର ଲୋକ ଗୋଟାଏ ଗଞ୍ଜା କୁକୁଡ଼ାର ସ୍ୱର ଅନୁକରଣ କଲେ । ବାରନ୍ଦଟା ସେଯାଏଁ ଅବଶ୍ୟ ଖାଲି ପଡ଼ିଥାଏ । କିନ୍ତୁ କବାଟ ଗୁଟିକଗୁଡ଼ିକ ପାଖରେ ଯିବାଆସିବା ଆରମ୍ଭ ହୋଇ ଯାଇଥାଏ, ବାରମ୍ବାର ସେଗୁଡ଼ିକ ସାମାନ୍ୟ ଖୋଲା ହେଉଥାଏ ପୁଣି ଶୀଘ୍ର ବନ୍ଦ ହେବା ଶବ୍ଦର ଗୁଞ୍ଜରଣରେ ସାରା ବାରନ୍ଦାଟା ଭର୍ତ୍ତି ହୋଇ ଯାଉଥାଏ, ଆହୁରି ମଧ୍ୟ ଛାତ ଯାଏଁ ଉଠିନଥିବା ଦୁଇ ରୁମ୍‌ ମଝିରେ କାନ୍ଥ ଉପର ପାଙ୍କରେ ଆଲୁଳାୟିତ କେଶ ମୁଣ୍ଡ ଗୁଡ଼ିଏ ବାହାରିବା ଏବଂ ତତ୍‌କ୍ଷଣାତ୍‌ ଅଦୃଶ୍ୟ ହୋଇଯିବା କେ ଲକ୍ଷ୍ୟ କଲା । ଅନେକ ଦୁରରୁ ଫାଇଲ୍‌ ଭର୍ତ୍ତି ଗୋଟିଏ ଛୋଟ ଠେଲା ଗାଡ଼ି ଧରି ଜଣେ କଡ଼େ କଡ଼େ ଚାଲିଥାଏ, ହାତରେ ଗୋଟିଏ ତାଲିକା ଧରି, ସେ ନିଶ୍ଚୟ କବାଟରେ ଲେଖା ହୋଇଥିବା ନମ୍ବର ଗୁଡ଼ାକ ସାଙ୍ଗରେ ଫାଇଲର ନମ୍ବର ଗୁଡ଼ାକ ମିଳାଉ ଥାଏ । ଛୋଟ ଠେଲା ଗାଡ଼ିଟା ପ୍ରାୟ ସବୁ ରୁମ ଆଗରେ ଅଟକିଲା, ପ୍ରାୟ ସେତିକିବେଳେ କବାଟ ଖୋଲିଯିବା ଏବଂ ଦରକାରୀ ଫାଇଲ ପତ୍ର କେଉଁଠି କେଉଁଠି କିନ୍ତୁ ଖଣ୍ଡେ ଛୋଟ କାଗଜ-ଏକ୍ଷେତ୍ରରେ ରୁମ ଓ ବାରନ୍ଦାର ଲୋକଙ୍କ ଭିତରେ ଟିକିଏ କଥାବାର୍ତ୍ତା ହେବ, ବୋଧହୁଏ ଚାକର ଜଣକ ଗାଳି ଖାଉଥିବ-ରୁମ୍‌ ଭିତରର ଲୋକଙ୍କ ହାତକୁ ବଢ଼ାଇ ଦିଆଗଲା, କବାଟ ଯଦି ବନ୍ଦ ଅଛି ଫାଇଲଗୁଡ଼ିକ ସାବଧାନର ଏରୁଣ୍ଡି ବନ୍ଧ ପାଖରେ ରଖି ଦିଆଗଲା, ଏ କ୍ଷେତ୍ରରେ କେ.ର ମନେ ହେଲା, ସତେ ଯେମିତି କବାଟ ପାଖରେ ଯିବା ଆସିବା କୌଣସି ମତେ କମିଯାଉନଥିଲା, ଫାଇଲଗୁଡ଼ିକ ବଣ୍ଟା ସରିଥିଲେ ମଧ୍ୟ । ବରଂ ମନେ ହେଉଥିବା ଯିବା ଆସିବା ବଢ଼ୁଥିଲା ସିନା କମୁନଥିଲା । ଅନ୍ୟମାନେ ବୋଧହୁଏ ଏରୁଣ୍ଡିବନ୍ଧ ଉପରେ ରହସ୍ୟମୟ ଭାବରେ ଜମା ହୋଇଥିବା ଫାଇଲଗୁଡ଼ିକ ପ୍ରତି କବାଟ ଫାଙ୍କରେ ସତୃଷ୍ଣ ନୟନରେ ଚାହିଁ ଥାନ୍ତି, ସେମାନେ ବୁଝିପାରୁନଥାନ୍ତି ଯେ ଫାଇଲଗୁଡ଼ିକ ଭିତରମୁ ନେଇଯିବା ପାଇଁ ସେମାନଙ୍କୁ କବାଟ ଖୋଲିବାକୁ ପଡ଼ିବ, କିନ୍ତୁ ସେମାନେ ଖୋଲିବା କଥା ନୁହେଁ, ବୋଧହୁଏ ଏହା ମଧ୍ୟ ସମ୍ଭବ ଥିଲା ସେଗୁଡ଼ାକ ଯେ ଯଦି କୌଣସି ଫାଇଲ ପତ୍ର ଗୋଟାଇ ଭିତରକୁ ନିଆଯାଏ, ସେଗୁଡ଼ିକ ପରେ ଅନ୍ୟାନ୍ୟ ଭଦ୍ରଲୋକଙ୍କ ଭିତରେ ବାଣ୍ଟିଦିଆଯିବ, ଯେଉଁ ମାନେକି ଏଯାଏଁ କବାଟ ଫାଙ୍କ ଭିତରେ ବାରମ୍ବାର ଉଙ୍କି ମାରି ଫାଇଲପତ୍ର ଏରୁଣ୍ଡି ବନ୍ଧ ଉପରେ ସେମିତି ପଡ଼ିଛି କି ନାହିଁ, ସେଗୁଡ଼ିକ ସେମାନଙ୍କ ହାତକୁ ଆସିବାର ଆଶା ଅଛିକି ନାହିଁ ସେ ବିଷୟରେ ନିଶ୍ଚିତ ସେବାକୁ ଚାହୁଁଥିବା ଏ ସମସ୍ତ ଫାଇଲ ପ୍ରାୟ ବଡ଼ ବଡ଼ ବିଡ଼ାରେ ବନ୍ଧା ହୋଇଥାଏ, ଏବଂ କେ. ଭାବିଲା ଯେ ଏକ ପ୍ରକାର ଅହଙ୍କାର ଯୋଗୁଁ କିମ୍ବା ଘୃଣା ଯୋଗୁ କିମ୍ବା ଏକ ପ୍ରକାର ଯୁକ୍ତି ଯକ୍ତ ଗର୍ବ ଯୋଗୁଁ ଫାଇଲଗୁଡ଼ାକ ଏମିତି ଭାବରେ ପକାଇ ଦିଆଯାଇଛି । ସେ ଗର୍ବ ଓ ଅହଙ୍କାର ଅନ୍ୟାନ୍ୟ ସହକର୍ମୀମାନଙ୍କୁ ପ୍ରେରଣା ଯୋଗାଇ ପାରେ । ତା’ର ଏ ପ୍ରକାର ଧାରଣା ବଳବତ୍ତର ହେବାର କାରଣ ହେଲା, ବେଳେବେଳେ, ଏବଂ ସେ ଅନାଇଁ ନଥିଲା ବେଳେ ସବୁବେଳେ, ଫାଇଲ ବିଡ଼ାଟା ବହୁତ ସମୟ ଲୋକଙ୍କ ଆଖିରେ ପଡ଼ିଥିବା ପରେ ସେଟାକୁ ହଠାତ୍‌ ତରବରରେ ରୁମ ଭିତରକୁ ଘୋଷାରି ନିଆ ଯାଉଥିଲା ଏବଂ ତା’ପରେ କବାଟ ଆଗଭଳି ବନ୍ଦ୍ ହୋଇ ଯାଉଥିଲା, ଆଖ ପାଖ ରୁମର କବାଟଗୁଡ଼ିକ ସତେ ଯେମିତି ହତାଶ ହୋଇ ବନ୍ଦ ହୋଇ ଯାଉଥିଲା, କିମ୍ବା ଏମିତି ବି ହୋଇପାରେ ଅନେକ ସମୟ ଧରି ଲୋକଙ୍କୁ ଟିହାଉଥିବା ବସ୍ତୁଟି ଶେଷରେ ପ୍ରତ୍ୟାହୃତ ହୋଇ ଯିବାରୁ ସେ କବାଟଗୁଡ଼ିକ ଖୁସିରେ ବନ୍ଦହୋଇ ଯାଉଥିଲା ଏବଂ ତା’ପରେ ଅବଶ୍ୟ ସେଗୁଡ଼ିକ ପୁଣି ଗତିଶୀଳ ହୋଇ ଉଠୁଥିଲା ।

Unknown

 

କେବଳ କୌତୁହଳର ସହିତ ନୁହେଁ ସହାନୁଭୁତିର ସହିତ ମଧ୍ୟ କେ. ଏସବୁ ଘଟଣା ଲକ୍ଷ୍ୟ କରୁଥିଲା । ଏସମସ୍ତ ଗୋଳମାଳ ଭିତରେ ରହିବାର ଅନୁଭବଟିକୁ ସେ ପ୍ରାୟ ଉପଭୋଗ କରୁଥିଲା, ଏଣେ ତେଣେ ଅନାଉଥିଲା ଚାକରଗୁଡ଼ାଙ୍କୁ–ଅବଶ୍ୟ ଯଥାଯଥ ଦୂରତ୍ୱରୁ ଲକ୍ଷ୍ୟ କରୁଥିଲା: ଏକଥା ମାନିବାକୁ ପଡ଼ିବ ଯେ ସେମାନେ ମୁଣ୍ଡ ନୁଆଇଁ ପାଟି କାମୁଡ଼ା କଠୋର ଦୃଷ୍ଟିରେ ତା’ଆଡ଼କୁ କେତେଥର ବୁଲି ଅନାଇଁ ସାରିଥାନ୍ତି, ସେ ଯେତେବେଳେ ସେମାନଙ୍କର ଫାଇଲ ବଣ୍ଟନ କାର୍ଯ୍ୟ ଲକ୍ଷ କରୁଥାଏ । ସେ କାର୍ଯ୍ୟ ଯେତେ ଆଗେଇଲା, ସେତିକି ଗୋଳମାଳ ହେଲା, ଏକେ ତାଲିକାଟା ଠିକ୍‌ ନଥିଲା, କିମ୍ବା ଚାକର ଗୁଡ଼ାକ ଫାଇଲ ଗୁଡ଼ାକୁ ଠିକ ଭାବରେ ଚିହ୍ନୋଟ କରିପାରିଲେ ନାହିଁ, କିମ୍ବା ଭଦ୍ର ଲୋକମାନେ ଅନ୍ୟ କୌଣସି କାରଣରୁ ବିଭିନ୍ନ ପ୍ରକାର ଆପତ୍ତି ଉଠାଇଲେ । ସେ ଯାହା ହେଉ, କେତେ ଗୁଡ଼ାଏ ଫାଇଲକୁ ବୋଧହୁଏ ପ୍ରତ୍ୟାହାର କରିନେବାକୁ ପଡ଼ିଲା, ତା’ପରେ ଛୋଟ ଠେଲା ଗାଡ଼ିଟି ପଛେଇଲା ଏବଂ ଫାଇଲ ଫେରାଇ ଦେବା ପାଇଁ କବାଟ ଫାଙ୍କରେ କଥାବାର୍ତ୍ତା ଆରମ୍ଭ ହେଲା । ଏହି କଥାବାର୍ତ୍ତା ଅନ୍ୟାନ୍ୟ ଅସୁବିଧା ସୃଷ୍ଟି କଲା, କିନ୍ତୁ ଅନେକ ସମୟରେ ଏପରି ହେଲା ଯେ ଫାଇଲ ଫେରାଇବା କଥା ଉଠିଲେ ହିଁ ଆଗରୁ ଯେଉଁ ରୁମ ଗୁଡ଼ାକର କବାଟ ସବୁ ସୁନ୍ଦର ଭାବରେ ଗତିଶୀଳ ଥିଲା । ସେଗୁଡ଼ିକ ମୋଟେ ଯେମିତି ଆଉ ଖୋଲିବ ନାହିଁ ସେମିତି ବନ୍ଦ ରହିଲା । ସତେ ଯେପରି ଭିତରେ ଥିବା ଲୋକେ ସେ ବିଷୟରେ ଅଧିକ କିଛି ଜାଣିବାକୁ ଚାହୁଁନଥିଲେ । ସେତେବେଳେ ହିଁ ପ୍ରକୃତ ଅସୁବିଧା ଆରମ୍ଭ ହେଲା । ଯେଉଁ ଲୋକ ଭାବୁଥିଲା ଯେ ତା’ର ହିଁ ଫାଇଲଗୁଡ଼ିକ ପାଇବା କଥା ସେ ଅତି ଅଧୈର୍ଯ୍ୟ ହୋଇ ଉଠିଲା, ରୁମ୍‌ ଭିତରେ ବହୁତ ପାଟିତୁଣ୍ଡ କଲା, ଜୋର୍‌ରେ ତାଳି ମାରିଲା; ତଳେ ପାଦ କଚାଡ଼ିଲା ଏବଂ କବାଟ ଫାଙ୍କରେ ଗୋଟିଏ ନିର୍ଦ୍ଧିଷ୍ଟ ଫାଇଲ୍‌ର ନମ୍ବର ପାଟି କରି ବାରମ୍ବାର ଘୋଷଣା କଲା । ତା’ପରେ ପୁଣି ଅନେକ ସମୟରେ ସେ ଛୋଟ ଠେଲା ଗାଡ଼ିଟି ପାଖରେ କେହି ରହୁନଥିଲେ । ଜଣେ ଚାକର ଅଧୈର୍ଯ୍ୟ ଅଫିସର୍‌ଙ୍କୁ ଶାନ୍ତ କରାଇବାରେ ବ୍ୟସ୍ତଥାଏ, ଅନ୍ୟ ଜଣକ ବନ୍ଦ୍‌ କବାଟ ଆଗରେ ଠିଆ ହୋଇ ଫାଇଲ୍‌ ଫେରାଇଦେବାକୁ ଯୁକ୍ତିତର୍କ କରୁଥାଏ । ଉଭୟ ଭାରି କଷ୍ଟ କରୁଥାନ୍ତି । ଅଧୈର୍ଯ୍ୟ ଅଫିସର୍‌ଙ୍କୁ ଶାନ୍ତ କରାଇବାକୁ ଗଲେ ସେ ଅନେକ ସମୟରେ ବେଶୀ ଅଧୈର୍ଯ୍ୟ ହୋଇ ଉଠୁଥାନ୍ତି, ଚାକରର ଅର୍ଥହୀନ କଥାବାର୍ତ୍ତାକୁ ସେ ଆଉ ବେଶୀ ସମୟ ସହ୍ୟ କରି ପାରିନଥାନ୍ତି; ସେ ସ୍ୱାନ୍ତନା ଚାହୁଁନଥାନ୍ତି, ସେ ଚାହୁଁଥାନ୍ତି ଫାଇଲ୍‌; ଥରେ ଏ ପ୍ରକାର ଜଣେ ଭଦ୍ରଲୋକ ଉପର ଫାଙ୍କପଟେ ଚାକରଟା ଉପରକୁ ଗୋଟେ ହାତ ଧୁଆ ବେସିନ୍‌ର ସମସ୍ତ ଆବର୍ଜନା ଢାଳି ଦେଲେ । କିନ୍ତୁ ଅନ୍ୟ ଚାକର ଜଣକ, ଯେ କି ପ୍ରଥମ ଜଣକ ଠାରୁ ଉଚ୍ଚତାର ପଦବୀରେ ନିଶ୍ଚୟ ଥିଲା, ସେ ଆହୁରି ଅଧିକ କଷ୍ଟ ପାଉଥିଲା, ସଂପୃକ୍ତ ଭଦ୍ରଲୋକ ଜଣକ କଥାବାର୍ତ୍ତା କରିବାକୁ ରାଜି ହେଉଥିଲେ, ତେବେ ନିହାତି ଦରକାରୀ ଜିନିଷଗୁଡ଼ିକ ବିଷୟରେ ଆଲୋଚନା ହେଉଥିଲା । ସେ ପ୍ରକାର ଆଲୋଚନା ଚାଲିଥିଲା ବେଳେ ଚାକରଟି ତାଲିକା ଆଡ଼କୁ ହାତ ଦେଖାଉଥିଲେ, ଏବଂ ସେ ଯୋଉଁ ଫାଇଲ୍‌ଗୁଡ଼ାକ ଫେରାଇବା କଥା, ସେ ଆଡ଼କୁ ଦେଖାଉଥିଲେ, ସେ ପୁଡ଼ାକୁ ସେ ତାଙ୍କ ହାତରେ ସେତେବେଳେ ଜୋରରେ ଚାପିଧରିଥାନ୍ତି, ତାହା ଫଳରେ ଚାକରଟିର ସତୃଷ୍ଣ ଦୃଷ୍ଟିରେ ସେ ଫାଇଲ୍‌ ଗୁଡ଼ାକର ସାମାନ୍ୟ ଟିକିଏ ଅଶଂ ମଧ୍ୟ ପଡ଼ୁନଥିଲା । ତା’ପରେ ପୁଣି ଚାକରଟି ନୁଆ କାରଣ କିଛି ଖୋଜି ଆଣିବା ପାଇଁ ଠେଲା ଗାଡ଼ିଟି ପାଖକୁ ଦୌଡ଼ୁଥିଲା, ବାରନ୍ଦାଟା ଟିକିଏ ଗଡ଼ାଟିଏ ହୋଇଥିବାରୁ ଗାଡ଼ିଟି ଆପେ ଆପେ କିଛି ଦୂର କୁ ଗଡ଼ିଯାଇଥିଲା । କିମ୍ବା ଫାଇଲ୍‌ ଦାବୀ କରୁଥିବା ଭଦ୍ରଲୋକଙ୍କ ଆପତ୍ତି ଅଭିଯୋଗଗୁଡ଼ିକ ତାଙ୍କୁ ଜଣାଉ ଦେଉଥିଲା, ଏବଂ ତା’ ବଦଳରେ ପ୍ରତି ଅଭିଯୋଗ ଶୁଣୁଥିଲା । ଏପ୍ରକାର କଥାବାର୍ତ୍ତା ଅନେକ ସମୟ ଚାଲିଥାଏ, କେବେ କେବେ ଗୋଟିଏ ସାଲି୍‌ସ୍‌ ହୋଇ ଯାଉଥାଏ, ଭଦ୍ରଲୋକ ଜଣକ ହୁଏତ କିଛିଟା ଫାଇଲ୍‌ ଦେଉଥାନ୍ତି ଏବଂ ତା’ର କ୍ଷତି ପୁରଣ ଭାବରେ ଅନ୍ୟ ଫାଇଲ୍‌ ନେଇ ଯାଉଥାନ୍ତି, କାରଣ ଯାହାସବୁ ଏଯାଏଁ ଘଟିଲା, ତାହା ଭୁଲ୍‌ରେ ଘଟି ଯାଇଥିଲା । କିନ୍ତୁ ଏମିତି ବି କେଉଁଠି କେଉଁଠି ଘଟିଲା-ଯେଉଁ ଫାଇଲ୍‌ଗୁଡ଼ିକ ଅନ୍ୟମାନେ ଦାବି କରୁଥିଲେ, ସେଗୁଡ଼ିକ ସେମିତି ପକାଇଦେଇ ଜଣେ କେହି ଚାଲିଯାଇଥିଲେ, କାରଣ ହୁଏତ ଚାକରଟିର ନୂଆ ଯୁକ୍ତି ଶୁଣି ସେ ଦୁରକୁ ଅପସରି ଯାଉଥିଲେ, କିମ୍ବା ଦୀର୍ଘ ସମୟ କଥାବାର୍ତ୍ତା କରି ସେ କ୍ଲାନ୍ତ ହୋଇ ପଡ଼ୁଥିଲେ ତେବେ ସେ ଫାଇଲ୍‌ଗୁଡ଼ିକ ଚାକରଟିର ହାତକୁ ଦେଉନଥିଲେ, ହଠାତ୍‍ କୌଣସି ସିଦ୍ଧାନ୍ତରେ ପହଞ୍ଚିଯାଇ ସେ ସେଗୁଡ଼ିକୁ ବାରନ୍ଦା ଉପରକୁ ପିଙ୍ଗି ଦେଉଥିଲେ, ତା’ଫଳରେ ବନ୍ଧା ହୋଇଥିବା ଫିତାଗୁଡ଼ିକ ଖୋଲି ଯାଉଥିଲା, ଏବଂ କାଗଜପତ୍ର ଏଣେ ତେଣେ ବିଛାଡ଼ି ହୋଇ ପଡ଼ୁଥିଲା, ଏବଂ ସେଗୁଡ଼ିକ ଗୋଟାଇ ପୁଣି ଠିକ୍‌ ଠାକ୍‌ କରି ରଖିବା ପାଇଁ ଚାକର ଦୁଇଜଣଙ୍କୁ ବହୁତ କଷ୍ଟ କରିବାକୁ ପଡ଼ୁଥିଲା । ଫାଇଲ୍‌ଗୁଡ଼ିକ ଫେରାଇଦେବା ପାଇଁ ଅନୁନୟ କରିବା ପରେ ମଧ୍ୟ କେହି ନ ଶୁଣିଲେ ଚାକରଟି ଯେଉଁ ଅସୁବିଧାରେ ପଡ଼ୁଥିଲା, ତା’ତୁଳନାରେ ଏସବୁ ଘଟଣା ତ କିଛି ନୁହେ ସେ ବନ୍ଦ କବାଟ ଆଗରେ ଠିଆ ହୋଇଥିବ, ଅନୁନୟ କରୁଥିବ, ନେହୁରା ହେଉଥିବ, ତାଲିକା କଥା କହୁଥିବ, କିନ୍ତୁ ସବୁ ବୃଥା, ରୁମ୍‌ ଭିତରୁ କେହି ଜବାବ୍‌ ଦେବେ ନାହିଁ, ଏବଂ ଅନୁମତି ନନେଇ ଭିତରକୁ ପଶିବା, ଜଣେ ଚାକର ତାହା କେବେ କରିପାରିବ ନାହିଁ । ତା’ପରେ ବେଳେ ବେଳେ ମଧ୍ୟ ଏହି ଚମତ୍‌କାର ଚାକରଟି ଆତ୍ମ-ସଂଯମ ହରାଇ ବସିବ, ସେ ଠେଲାଗାଡ଼ି ପାଖକୁ ଯିବ, ଫାଇଲ୍‌ଗୁଡ଼ିକ ପାଖରେ ବସିପଡ଼ିବ, କପାଳରୁ ଝାଳ ପୋଛିବ, କିମ୍ବା କିଛି ସମୟ ପାଇଁ ହତାଶ ଭାବରେ ଗୋଡ଼ ହଲାଇବା ଛଡ଼ା ଆଉ କିଛି କରିବନାହିଁ । ସେ ଏମିତି ବସିଥିଲା ବେଳେ ସମସ୍ତେ ଚାରିଆଡ଼େ ତା’ଆଡ଼କୁ ଅନାଇଁଥିବେ, ସବୁ ପଟେ ଫିସ୍‌ ଫିସ୍‌ କଥାବର୍ତ୍ତା ଶୁଭିବ, କୌଣସି ରୁମ୍‌ ଚୁପ୍‌ ଚାପ୍‌ ରହିବ ନାହିଁ, ଏବଂ ଅଦା ଉଠା କାନ୍ଥ ଉପରେ ସ୍କାର୍ଫ କିମ୍ବା ରୁମାଲ୍‌ ଆଖପାଖେ ବନ୍ଧା ହୋଇଥିବା ମୁହଁ ଗଡ଼ିଏ ଦିଶିବ, ସେଗୁଡ଼ିକ ଅବଶ୍ୟ କିଛି ତାଙ୍କୁ ଫାଇଲ୍‌ ଦିଆଗଲା ନାହିଁ କାହିଁକି ? ଚାକରଟି କେବଳ ଅଳ୍ପ କେତେକ ରୁମ୍‌ ରେ-ଏବଂ ସେଗୁଡ଼ିକ ବୋଧହୁଏ ଖାଲିଥିବ-କୌଣସି ଫାଇଲ୍‌ ପତ୍ର ନଦେଇ ଚାଲିଗଲେ । ଅନ୍ୟ ପକ୍ଷରେ ଅର୍ଲାଙ୍ଗର୍‌ଙ୍କ ରୁମ୍‌ ରେ ଜଣେ କିଏ ଅତି ବ୍ୟସ୍ତ ବିଚଳିତ ରକମର ବ୍ୟକ୍ତି ଆସି ରହିଥାନ୍ତି । ସେ ନିଶ୍ଚୟ ଅର୍ଲାଙ୍ଗରଙ୍କୁ ରାତିରେ ସେ ରୁମ୍‌ରୁ ବାହାର କରି ଦେଇଥାନ୍ତି, ଅର୍ଲାଙ୍ଗର୍‌ଙ୍କ ଥଣ୍ଡା ମିଜାଜ୍‌ ସାଙ୍ଗରେ ଏହା ଖାପ୍ ଖାଉନଥାଏ, କିନ୍ତୁ ସେ ଦୁଆର ବନ୍ଧରେ ଠିଆ ହୋଇ କେ. କୁ ଅପେକ୍ଷା କରୁଥଲେ, ସେ ଦୃଷ୍ଟିରୁ ତାଙ୍କୁ ତଡ଼ି ଦିଆ ଯାଉଥିବା ସମ୍ଭବ-

 

ତା’ପରେ ଅନ୍ୟ କୌଣସି ବିଷୟ ପ୍ରତି ଦୃଷ୍ଟି ନ ଦେଇ କେ. ଚାକରଟିର ଗତିବିଧିକୁ କେବଳ ବାରମ୍ବାର ଲକ୍ଷ୍ୟ କଲା । ଅନେକ ସମୟରେ କେ ଚାକର ବାକରଙ୍କ ବିଷୟରେ ସାଧାରଣ ଭାବରେ ଅନେକ କିଛି ଶୁଣିଥିଲା, ସେମାନଙ୍କ ତିଳାମି ଫୁଲା ଫାଙ୍କିଆ ସ୍ୱଭାବ, ସେମାନଙ୍କର ଅହଙ୍କାର ବିଷୟରେ । କିନ୍ତୁ ସେସବୁ ଏ ଚାକରଟି ପ୍ରତି ଲାଗୁ ହେବ ନାହିଁ । ଚାକରମାନଙ୍କର ଭିତରେ ନିଃସନ୍ଦେହରେ ଅନେକ ବ୍ୟତିକ୍ରମ ଥିବେ, କିମ୍ବା ଏହା ମଧ୍ୟ ସମ୍ଭବ ଯେ ସେମାନଙ୍କ ଭିତରେ ଅନେକ ଗୁଡ଼ିଏ ଦଳ ଥିଲେ । କାରଣ ଏଠି ସେମାନଙ୍କ ଭିତରେ କେ ଏମିତି କିଛି ଲକ୍ଷଣ ଦେଖିଲା, ଯାହାର କି ସାମାନ୍ୟତମ ସୂଚନା ବି ସେ ଆଗରୁ କେବେ ପାଇନଥିଲା । ତା’କୁ ସବୁ ଠାରୁ ଭଲ ଲାଗିଲା ଏ ଚାକରଟିର ଜିଦ୍‌ଖୋର ସ୍ୱଭାବ । ଏ ସମସ୍ତ ଛୋଟ ଛୋଟ ଏକ ବାଗିଆ ରୁମ୍‌ ଗୁଡ଼ାକ ସାଙ୍ଗରେ କାରବାର କଲାବେଳେ-କେ,ର ଅନେକ ସମୟରେ ମନେ ହେଉଥିଲା ଯେ ଚାକରଟି ରୁମ୍‌ ଗୁଡ଼ାକ ସାଙ୍ଗରେ ହିଁ କାରବାର କରୁଛି କାରଣ ସେ ରୁମ୍‌ରେ ରହିଥିବା ଲୋକଙ୍କୁ ପ୍ରାୟ ଦେଖି ପାରୁନଥିଲା–ସେ କେବେ ହାରିଯାଉନଥିଲା । ବେଳେ ବେଳେ ଅବଶ୍ୟ ସେ ଶକ୍ତି ହରାଇ ବସୁଥିଲା–କାହାର ବା ସେମିତି ନହେବ ? କିନ୍ତୁ ସେ ଶୀଘ୍ର ନିଜକୁ ଠିକ୍‌ ଠାକ୍‌ କରି ନେଉଥିଲା; ଠେଲାଗାଡ଼ିଟି ପାଖରୁ ପଳାଇ ଆସି ସିଧା ସିଧା ଠିଆ ହୋଇ ପଡ଼ୁଥିଲା, ଦାନ୍ତ କଡ଼ ମଡ଼ କରି ପୁଣି ଆକ୍ରମଣ ଆରମ୍ଭ କରି ଦେଉଥିଲା, ରୁମ୍‌ଟାକୁ ଜୟ କରି ନେବା ପାଇଁ । ଏବଂ ତା’ ପୁଣି ଖୁବ୍‌ ସହଜ ଉପାୟରେ, ସେହି ଜଟିଳ ନୀରବତାର ପ୍ରଭାବରେ କେବଳ, କିନ୍ତୁ ତା’ସତ୍ତ୍ୱେ ସେ ହାର ମାନିବ ନାହିଁ । ସାମ୍ନା ସାମ୍ନି ଆକ୍ରମଣ କରି ତା’ର କୌଣସି ପ୍ରକାର ଲାଭ ହେଉନାହିଁ ଦେଖି ସେ ଅନ୍ୟ ଉପାୟ କରିବ, ଯଥା, ଚାଲାକି, ଅବଶ୍ୟ କେ ଯଦି କଥାଟା ଠିକ୍‌ ରୁପେ ବୁଝିଥାଏ । ତା’ପରେ ମନେ ହେବ ସେ ରୁମ୍‌ର ଦୁଆର ପାଖ ଛାଡ଼ି ପଳାଇଯାଉଛି, ସତେ ଯେମିତି ରୁମ୍‌ ତା’ର ଜିଦ୍‌ କରି କରି ହାଲିଆ ହୋଇଯିବ । ସେ ଅନ୍ୟ ରୁମ୍‌ର ଦୁଆର ପାଖକୁ ଯିବ, କ୍ଷଣକ ପରେ ବାହୁଡ଼ି ଆସିବ, ଅନ୍ୟ ଚାକରଟିକୁ ଡାକିବ, ଏ କଥା ସବୁ ବେଶ୍‌ ଆଡ଼ମ୍ବର ପୂର୍ଣ୍ଣ ଭାବରେ କରିବ, ପାଟିତୁଣ୍ଡ କରି କରିବ, ଏବଂ ବନ୍ଦ କବାଟ ଆଗରେ ଫାଇଲ୍‌ପତ୍ର ଜମା କରିବା ଆରମ୍ଭ କରିଦେବ, ସତେ ଯେମିତି ବର୍ତ୍ତମାନ ସେ ଅନ୍ୟ ପ୍ରକାର ଭାବୁଛି, ଏବଂ ସତେ ଯେମିତି ଏହି ଭୁତ ଲୋକଙ୍କ ପାଖରୁ କୌଣସି ଜିନିଷ ନେଇ ପଳାଇଯିବାର କୌଣସି ଯଥାର୍ଥତା ନାହିଁ, ବରଂ ଅନ୍ୟ ପକ୍ଷରେ ତାଙ୍କୁ କିଛି ଦେବାର ଅଛି । ତା’ପରେ ସେ ଆଗେଇ ଚାଲିଯିବ, ଅବଶ୍ୟ ସେ ବନ୍ଦ କବାଟ ଉପରେ ଦୃଷ୍ଟି ରଖି; ଏବଂ ତା’ପରେ ଯେତେବେଳେ ଭଦ୍ରଲୋକ ଫାଇଲଗୁଡ଼ାକୁ ଭିତରକୁ ଘୋଷାରି ନେବାପାଇଁ ଅତି ସନ୍ତର୍ପଣରେ କବାଟ ଖୋଲିବେ, ଧଡ଼ପଡ଼ ହୋଇ ଚାକର ଜଣକ ସେଠି ପହଞ୍ଚିଯିବ, ରୁମ୍‌ ଭିତରକୁ ଗୋଟାଏ ଗୋଡ଼ ପୂରାଇ ଦେବ । ଫଳରେ ଭଦ୍ର ଲୋକ ଜଣକ ତା’ସାଙ୍ଗରେ ମୁହାଁ ମୁହିଁ କଥାବାର୍ତ୍ତା କରିବା ପାଇଁ ଅନ୍ତତଃ ବାଧ୍ୟ ହେବ । ଏହାର ଫଳାଫଳ ସାଧାରଣତଃ ଉଣାଅଧିକେ ସନ୍ତୋଷ ଜନକ ହେବ । ଏହି ଉପାୟ ଯଦି ସଫଳ ନହେଲା, କିମ୍ବା କୌଣସି ଗୋଟେ ରୁମ୍‌ କ୍ଷେତ୍ରରେ ଏହା ଯଦି ଠିକ୍‌ ଉପାୟ ରୁପେ ମନେ ନହେଲା, ସେ ଅନ୍ୟ ଗୋଟାଏ ଉପାୟ ଚିନ୍ତା କରିବ । ତା ପରେ ଯେଉଁ ଭଦ୍ରଲୋକ ଫାଇଲ ଦାବୀ କରୁଥିବେ ତାଙ୍କ ଆଡ଼କୁ ସେ ତା’ର ଦୃଷ୍ଟି ଫେରାଇ ନେବ । ତା’ପରେ ଅନ୍ୟ ଯେଉଁ ଚାକରଟି ଯନ୍ତ୍ର ଭଳି କାମ କରି ଯାଉଥିବ, ତା’ର ବେକାର ସହକାରୀ ଜଣକ ତା’କୁ ଠେଲି ଦେଇ ସେ ନିଜ ଭଦ୍ରଲୋକଙ୍କ ସାଙ୍ଗରେ ପ୍ରଭାବଶାଳୀ ଢଙ୍ଗରେ କଥାବାର୍ତ୍ତା କରିବ, ଫିସ୍‌ ଫିସ୍‌ ହୋଇ ଚୁପ୍‌ ଚାପ୍‌, ରୁମ୍‌ ଭିତରକୁ ମୁଣ୍ଡ ପୁରାଇ । ବୋଧ ହୁଏ ସେ ତାଙ୍କ ଅନେକ ପ୍ରକାର କଥା ଦେବ; ଏବଂ କହିବ ସେ ପରବର୍ତ୍ତୀ ଫାଇଲ ବଣ୍ଟନ ବେଳେ ଅନ୍ୟ ଭଦ୍ରଲୋକ ଜଣକ ଉଚିତ ଦଣ୍ଡ ପାଇବେ, ସେ ଯାହାହେଉ କଥାବାର୍ତ୍ତା କଲାବେଳେ ସେ ସେହି ଅନ୍ୟ ଭଦ୍ରଲୋକଙ୍କ ରୁମ୍‌ଆଡ଼କୁ ଆଙ୍ଗୁଠି ଦେଖାଉଥିବ ଏବଂ ହସୁଥିବ, କ୍ଲାନ୍ତ ହୋଇ ପଡ଼ିଥିବା ଯୋଗୁଁ ଅବଶ୍ୟ ସେ ଯେତିକି ପାରିବ ହସିବ । ଗୋଟାଏ ଯୋଡ଼ାଏ କ୍ଷେତ୍ରରେ କିନ୍ତୁ ସେ ମୋଟେ କୌଣସି ଚେଷ୍ଟା ନକରି ପଳାଇଯିବ । ତେବେ କେ.ର ଧାରଣା ଯେ ତା’ର ସେମିତି ଛାଡ଼ି ଛାଡ଼ି ପଳାଇ ଯିବାଟା ଉପରେ ଠାଉରିଆ କେବଳ, କିମ୍ବା ଅନ୍ତତଃ ସେମିତି ପଳାଇଯିବା ପଛରେ ଯୁକ୍ତି ଯୁକ୍ତ ବରଣମାନ ରହିଛି । କାରଣ ପଛକୁ ଥରେ ହେଲେ ନ ଅନାଇଁ, ପଛରେ ପାଟିତୁଣ୍ଡ କରୁଥିବା ଭଦ୍ରଲୋକଙ୍କ ବ୍ୟବହାର ସହ୍ୟ କରିନେଇ, ସେ ଚୁପ୍‌ ଚାପ୍‌ ଆଗେଇଯିବ । ବେଳେ ବେଳେ ସେ ଏକାଦିକ୍ରମେ ବେଶ୍‌ କିଛି ସମୟ ପାଇଁ ଆଖି ବୁଜି ଦେଉଥିବ । ସେଥିରେ ଜଣା ପଡ଼ୁଥାଏ ଯେ ସେହି ପାଟିତୁଣ୍ଡ ତା’କୁ ଖୁବ୍‌ କଷ୍ଟ ଦେଉଛି । ତା’ପରେ କିନ୍ତୁ ଭଦ୍ରଲୋକ ଜଣକ କ୍ରମେ କ୍ରମେ ଚୁପ୍‌ ହୋଇଯିବେ, ରାହା ଧରି କାନ୍ଦୁଥିବା ଗୋଟାଏ ଛୁଆ ଯେମିତି ଶେଷଆଡ଼କୁ ଧକେଇ ଧକେଇ କାନ୍ଦେ, ତାଙ୍କର ପାଟିତୁଣ୍ଡ ସେମିତି କମି ଆସିବ । କିନ୍ତୁ ସବୁ ବାସ୍‌ ଚୁପ୍‌ ଚାପ୍‌ ହୋଇଗଲା ପରେ ମଧ୍ୟ ବେଳେ ବେଳେ ହଠାତ୍‌ କାହାର ଗୋଟାଏ ଶୁଭୁଥିବ, କିମ୍ବା କବାଟ ଧଡ଼ ଧାଡ଼ ହୋଇ ଖୋଲିବା ବନ୍ଦହେବା ଶୁଭିବ । ସେ ଯାହା ହେଉ ନା କାହିଁକି, ଏକ୍ଷେତ୍ରରେ ମଧ୍ୟ ମନେ ହେବ ଯେ ଚାକରଟି ଠିକ୍‌ ଭାବରେ ତା’ର କର୍ତ୍ତବ୍ୟ କରିଛି । ଶେଷରେ କେବଳ ଜଣେ ଭଦ୍ରଲୋକ ରହିଯିବେ, ତାଙ୍କର ପାଟିତୁଣ୍ଡ କମିବ ନାହିଁ, ଅନେକ ସମୟ ଧରି ସେ ଚୁପ୍‌ ଚାପ୍‌ ହୋଇଯିବେ, ତା’ପରେ ପୁଣି ପାଟି କରିବାକୁ ଲାଗିବେ, ଆଗ ଅପେକ୍ଷା କୌଣସି ପ୍ରକାରେ କମ୍‌ ଜୋରରେ ନୁହେଁ । ସେ ଏତେ ଜୋରରେ କାହିଁକି ଏମିତି ପାଟିତୁଣ୍ଡ କରନ୍ତି ବୁଝି ହେବ ନାହିଁ । ବୋଧହୁଏ ଫାଇଲ ବଣ୍ଟନ ସହିତ ସେ ପାଟି ତୁଣ୍ଡରେ କୌଣସି ସଂପର୍କ ନାହିଁ । ଏହା ଭିତରେ ଚାକରଟିର କାମ ଶେଷ ହୋଇଯାଇଥିଲା; କେବଳ ଗୋଟିଏ ଫାଇଲ୍‌, ପ୍ରକୃତରେ ଛୋଟ ଖଣ୍ଡେ କାଗଜ, ଗୋଟିଏ ନୋଟ ଖାତାରୁ ଫର୍ଦ୍ଦେ, ଠେଲାଗାଡ଼ି ଭିତରେ ପଡ଼ି ରହିଥିଲା । ତା’ ସହକାରୀର ଭୁଲ ଯୋଗୁଁ । ବର୍ତ୍ତମାନ ସେଟା ସେମାନେ କାହାକୁ ଦେବେ ଜାଣି ପାରୁନଥିଲେ । ‘‘ସେଇଟା ମୋ’ ଫାଇଲ ମଧ୍ୟ ହୋଇପାରେ,’’ ଏକଥା କେ: ମନକୁ ହଠାତ୍‌ ଆସିଲା । ମେୟର୍‌ ସାହେବ ତ ସବୁବେଳେ କ୍ଷୁଦ୍ରାତି କ୍ଷୁଦ୍ରଗୋଟିଏ ଫାଇଲ୍‌ ବିଷୟ କହନ୍ତି । ଏବଂ ତା’ର ଏପ୍ରକାର ଧାରଣାକୁ ମୂଳତଃ ଅକାରଣ ଓ ହାସ୍ୟକାର ବୋଲି ଭାବୁଥିଲେ ମଧ୍ୟ କେ: ଚାକରଟିଆଡ଼କୁ ପାଖେଇଯିବାକୁ ଚେଷ୍ଟା କଲା । ଚାକରଟା ଅତି ଗମ୍ଭୀର ଭାବରେ ସେହି କାଗଜ ଖଣ୍ଡଟିକୁ ଅନାଇଁ ରହିଥିଲା । ତା’ ଆଡ଼କୁ ପାଖେଇ ଯିବା ସହଜ ହେଲା ନାହିଁ, କାରଣ ଚାକରଟି କେ: ର ସମବେଦନାକୁ ଭ୍ରୁକ୍ଷେପ କରୁନଥିଲା । ଏତେ କଠିନ ପରିଶ୍ରମ ଭିତରେ ବି କେ: ଆଡ଼କୁ ରାଗରେ ଅଧୈର୍ଯ୍ୟ ଭାବରେ ଚାହିଁବା ପାଇଁ ତା’କୁ ବେଳ ମିଳିଥିଲା, ସେ ଥରକୁଥର ମୁଣ୍ଡ ହଲାଉଥାଏ । କେବଳ ବର୍ତ୍ତମାନ ଫାଇଲପତ୍ର ବଣ୍ଟାବଣ୍ଟି ସରିବା ପରେ ସେ କୌଣସି ମତେ କେ: କଥା ଭୁଲି ଯାଇଥିଲା ଭଳି ମନେହେଲା । ପ୍ରକୃତରେ ସେ ପୂରା ପୂରି ଉଦାସୀନ ହୋଇ ପଡ଼ିଥିଲା, ଏବଂ ତା’ର କ୍ଲାନ୍ତି ଏହାର କାରଣ ବୋଲି ବୁଝି ହେଉଥିଲା । ସେ କାଗଜ ଖଣ୍ଡକ ବିଷୟରେ ମଧ୍ୟ ସେ ବେଶୀ ମୁଣ୍ଡ ଖେଳାଇଲା ନାହିଁ, ବୋଧହୁଏ ସେଟା ସେ ପ୍ରକୃତରେ ପଢ଼ିଲା ନାହିଁ, କେବଳ ପଢ଼ିବାର ଛଳନା କଲା । ଏବଂ ଏହି ବାରନ୍ଦାରେ ଯଦିଓ ସେ କାଗଜ ଖଣ୍ଡକ ଦେଇ କାହାକୁ ଜଣକୁ ଖୁସି କରାଇ ପାରିଥାନ୍ତା, ସେ ସେପରି କିଛି କଲା ନାହିଁ । ବଣ୍ଟା ବଣ୍ଟି କରି ସେ ହାଲିଆ ହୋଇ ପଡ଼ିଥିଲା, ତା’ ଦେହ ଖରାପ ଲାଗୁଥିଲା । ଓଠ ଉପରେ ବିଶି ଆଙ୍ଗୁଠି ରଖି ସେ ତାର ସଙ୍ଗିକୁ ଚୁପ୍‌ ରହିବାକୁ ଇଙ୍ଗିତ କଲା, କାଗଜଟା ଚିରିଲା-କେ. ସେତେବେଳକୁ ମଧ୍ୟ ତା ପାଖା ପାଖି ପହଞ୍ଚି ପାରିନଥାଏ କାଗଜ ଖଣ୍ଡକ ଟୁକୁରା ଟୁକୁରା କରିଦେଲା ଏବଂ ସେହି ଟୁକୁରାଗୁଡ଼ିକ ପକେଟରେ ପୂରାଇଲା । ଏଠାକାର ଶାସନ ପରିଚାଳନାରେ ଏହି ପ୍ରଥମ ଥର ପାଇଁ କେ. ଗୋଟିଏ ବେନିୟମ କାମ ହେବା ଲକ୍ଷ୍ୟ କଲା । ଅବଶ୍ୟ ଏହା ମାନିବାକୁ ହେବ ଯେ ଘଟଣାଟିକୁ ସେ ଭୁଲ ବୁଝିଥାଇପାରେ । ଏବଂ ତାହା ଗୋଟିଏ ବେନିୟମ କାମ ହେଲେ ମଧ୍ୟ ତାହା କ୍ଷମଣୀୟ । ଏଠାକାର ଅବସ୍ଥା ପରିବେଶ ଯାହା, ସେଥିରେ ଚାକରଟିର କାମରେ ତୃଟି ଯେ ନରହିବ ତା’ ନୁହେଁ-। ବେଳେ ବେଳେ ସମସ୍ତ ସଞ୍ଚିତ ବିରକ୍ତି, ସମସ୍ତ ଅସନ୍ତୋଷ ପ୍ରକଟିତ ହୋଇଯିବ । ଏବଂ ଗୋଟେ ଛୋଟ କାଗଜ ଚିରିଦେବାରେ ଯଦି ତାହା ପ୍ରକଟିତ ହେଲା, ତାହା ଅନ୍ୟାନ୍ୟ ଘଟଣା ତୁଳନାରେ ବେଶ୍‌ ନିର୍ଦ୍ଦୋଷ । କାରଣ ଯେଉଁ ଭଦ୍ରଲୋକଙ୍କୁ କୌଣସି ଉପାୟରେ ଶାନ୍ତ କରାଇ ହେଲା ନାହିଁ । ତାଙ୍କର ଚିତ୍‌କାର ସେପର୍ଯ୍ୟନ୍ତ ସେ ବାରନ୍ଦାରେ ପ୍ରତିଧ୍ୱନିତ ହେଉଥାଏ, ଏବଂ ତାଙ୍କର ସହକର୍ମୀମାନେ ଯେଉଁମାନେକି ଅନ୍ୟାନ୍ୟ ବିଷୟରେ ପରସ୍ପର ପ୍ରତି ବନ୍ଧୁ ସୁଲଭ ଆଚରଣ ଦେଖାଉନଥିଲେ, ସେମାନେ ମଧ୍ୟ ସେ ପାଟିତୁଣ୍ଡକୁ ସଂପୂର୍ଣ୍ଣ ସମର୍ଥନ କରୁଥିବା ଭଳି ମନେ ହେଉଥାଏ । କ୍ରମେ କ୍ରମେ ଏମିତି ମନେ ହେଲା ଯେ ଯେଉଁମାନେ ସେ ଭଦ୍ରଲୋକଙ୍କୁ ଡାକ ପକାଇ ଏବଂ ନିଜ ମୁଣ୍ଡ ହଲାଇ ତାଙ୍କୁ ଚିତ୍‌କାର କରିବାକୁ ଉତ୍ସାହିତ କରୁଥିଲେ, ସେମାନଙ୍କ ପାଇଁ ସେ ଭଦ୍ର ଲୋକ ସେମିତି ଚିତ୍‌କାର କରିବେ ବୋଲି ସ୍ଥିର କରି ନେଇଥିଲେ । କିନ୍ତୁ ବର୍ତ୍ତମାନ ଚାକର ଜଣକ ସେଥିପ୍ରତି ଆଉ ଦୃଷ୍ଟି ଦେଉନଥିଲା, ତାର କାମ ସେ ସାରି ଦେଇଥିଲା, ସେ ଠେଲା ଗାଡ଼ିର ହାତଟା ଆଡ଼କୁ ଦେଖାଇ ସଂକେତ ଦେଲା ଯେ ଅନ୍ୟ ଚାକର ଜଣକ ସେଟା ଧରୁ । ଏବଂ ତା’ପରେ ସେ ଦୁହେଁ ଯେମିତି ଆସିଥିଲେ ସେମିତି ଚାଲିଗଲେ, କିନ୍ତୁ ବେଶ୍‌ ଖୁସି ମନରେ । ଏବଂ ଏତେ ଶୀଘ୍ର ଶୀଘ୍ର ସେମାନେ ଯାଉଥାନ୍ତି ଯେ ଛୋଟ ଠେଲା ଗାଡ଼ିଟି ଦୁହିଁଙ୍କ ଆଗରେ ଗଡ଼ି ଗଡ଼ି ଯାଉଥାଏ । କେବଳ ଥରେ ସେ ଦୁହେଁ ଅଟକି ଯାଇ ପଛକୁ ଅନାଇଁଲେ, ଯେଉଁ ଭଦ୍ରଲୋକ ଜଣକ ଏକାଦିକ୍ରମେ ପାଟିତୁଣ୍ଡ ଓ ଚିତ୍‍କାର କରୁଥିଲେ ଏବଂ ଯାହାଙ୍କ ରୁମ୍‌ ଆଗରେ ସେ ପ୍ରକୃତରେ କ’ଣ ଚାହୁଁଛନ୍ତି ଜାଣିବା ପାଇଁ କେ. ବର୍ତ୍ତମାନ ଲସର ପସର ହେଉଥିଲା, ସା ବୋଧହୁଏ ବୁଝଇପାରିଲେ ଯେ କେବଳ ପାଟିତୁଣ୍ଡ ଯଥେଷ୍ଟ ହେଉନାହିଁ, ଗୋଟିଏ ଇଲେକ୍‌ଟ୍ରିକ୍‌ ଘଣ୍ଟିର ସ୍ୱିଚ୍‌ ସେ ପାଇ ଯାଇଥାନ୍ତି ଏବଂ ଏହା ପାଇଁ ପାଟିତୁଣ୍ଡ କରିବାରୁ ମୁକ୍ତି ମିଳିଗଲା ବୋଲି ଆନନ୍ଦରେ ବିହ୍ୱଳ ହୋଇ ପଡ଼ିସେ ପାଟିତୁଣ୍ଡକରିବା ବଦଳରେ ସେ ଘଣ୍ଟିଟିକୁ ଏକାଦିକ୍ରମେ ବଜାଇ ଲାଗିଲେ । ଏହା ଫଳରେ ଅନ୍ୟାନ୍ୟ ରୁମ୍‌ରେ ଜୋର୍‍ରେ ଗୁଞ୍ଜରଣ ଆରମ୍ଭ ହେଲା, ସେଥିରୁ ମନେ ହେଲା ଯେ ଏହି ଘଣ୍ଟି ବଜାଇବା ପ୍ରତି ସମସ୍ତଙ୍କର ସମର୍ଥନ ରହିଛି; ଭଦ୍ର ଲୋକ ଜଣକ ଯାହା କରୁଛନ୍ତି, ତାହା ଅନ୍ୟମାନେ ଅନେକ ଆଗରୁ କରିବାକୁ ପସନ୍ଦ କରିଥାନ୍ତେ, ଏବଂ କେବଳ କୌଣସି ଅଜ୍ଞାତ କାରଣରୁ ସେମାନେ ତାହା କରିନଥିଲେ । ଭଦ୍ରଲୋକ ଜଣକ କ’ଣ ପାଇ ଘଣ୍ଟି ବଜାଉଥିଲେ ? କୌଣସି କାମ ପାଇଁ କାହାକୁ ଡାକୁଥିଲେ ? ଫ୍ରୀଡ଼ାକୁ ଡାକୁଥିଲେ ? ତାହା ଯଦି ହୋଇଥାଏ ସେ ବହୁ ସମୟ ଧରି ଘଣ୍ଟିଟା ବଜାଇବେ । କାରଣ ଫ୍ରୀଡ଼ା ବର୍ତ୍ତମାନ ଜେରେମିଆକୁ ଓଦା କପଡ଼ାରେ ଘୋଡ଼ାଇବାକୁ ବ୍ୟସ୍ତ ଅଛି,ଏବଂ ଧର, ଜେରେମିଆ ବର୍ତ୍ତମାନ ଭଲ ହୋଇ ଗଲାଣି, ତା’ ହୋଇଥିଲେ ମଧ୍ୟ ଫ୍ରୀଡ଼ାର ସମୟ ନଥିବ, କାରଣ ସେ ଜେରେମିଆର ଆଲିଙ୍ଗନବଦ୍ଧ ହୋଇ ରହିଥିବ । କିନ୍ତୁ ଘଣ୍ଟି ବଜାଇବାର ଫଳ ତତ୍‌କ୍ଷଣାତ ଫଳିଲା । ଏପରିକି ହେରେନ୍‌ହଫର ମାଲିକ ଅନେକ ଦୂରରୁ ଦୌଡ଼ି ଦୌଡ଼ି ଆସି ପହଞ୍ଚିଗଲା, ସେ ବୋତାମଦିଆ କଳା ରଙ୍ଗର ଜାମା ପିନ୍ଧିଥାଏ ସବୁବେଳ ପରି କିନ୍ତୁ ସତେ ଯେମିତି ସେ ତା’ ନିଜର ମର୍ଯ୍ୟାଦାବୋଧ ପାଶୋରି ପକାଇଥାଏ, ସେମିତି ସେ ଦୌଡ଼ୁଥାଏ । ତାର ହାତ ଯୋଡ଼ାକ ଦୁଇ ପାଖକୁ ସିଧା ଲମ୍ବି ଥାଏ, ସତେ ଯେମିତି କୌଣସି ଭ୍ୟାନକ ଦୁର୍ଘଟଣା ଘଟୁଥିବା ଯୋଗୁ ତା’କୁ ଡକା ଯାଇଥାଏ, ଏବଂ ସେ ଦୁର୍ଘଟଣା ଟା ଉପରେ ହାତ ପକାଇ ମାଡ଼ି ମକଚି ସେ ସେଟାକୁ ତା ଛାତିରେ ଜାକି ଧରିନେବ । ଏବଂ ଟିକିଏ ବନ୍ଦ ହୋଇଯାଇ ଘଣ୍ଟିଟା ପୁଣି ବାଜି ଉଠିଲେ, ସେ ଉପରକୁ ଡେଇଁ ପଡ଼ୁଥାଏ ଏବଂ ଆହୁରି ଜୋରରେ ଦୌଡୁଥାଏ । ବର୍ତ୍ତମାନ ତା ସ୍ତ୍ରୀ ମଧ୍ୟ ଆସୁଥିବା ଦେଖାଗଲା, ତା’ର ବେଶ୍‌ ପଛରେ, ସେ ମଧ୍ୟ ହାତ ଦୁଇ ପଟକୁ ଲମ୍ବାଇ ଦୌଡ଼ି ଆସୁଥାଏ, କିନ୍ତୁ ଖୁପୁରୁ ଖୁପୁରୁ ହୋଇ, କଷ୍ଟ କରି । ଏବଂ କେ ଭାବିଲା ଯେ ସେ ଆସି ପହଞ୍ଚିବାକୁ ବହୁତ ଡେରି ହେବ, ଏହା ଭିତରେ ଯାହା କରିବା କଥା, ମାଲିକ ତା’ କରି ସାରିଥିବ । ଏବଂ ହୋଟେଲ ମାଲିକକୁ ବାଟ ଛାଡ଼ିଦେବା ପାଇଁ କେ: କାନ୍ଥ ଆଡ଼କୁ ଘୁଞ୍ଚି ଲାଗି ଠିଆ ହୋଇ ପଡ଼ିଲା । କିନ୍ତୁ ହୋଟେଲ୍‌ ମାଲିକ କେ. ସମ୍ନାରେ ଆସି ଅଟକି ଗଲା, ସତେ ଯେମିତି କେ ତାର ଲକ୍ଷ୍ୟ ସ୍ଥଳ, ଏବଂ ତା ପର ମୁହୂର୍ତ୍ତରେ ମାଲିକାଣୀ ମଧ୍ୟ ସେଠି ଆସି ପହଞ୍ଚିଗଲା, ଏବଂ ଉଭୟ ତା’କୁ ଗାଳି ଗୁଲଜରେ ବୁଡ଼ାଇ ପକାଇଲେ । ଏ ଘଟଣାର ଆକସ୍ମିକତା ଓ ବିସ୍ମୟ ଯୋଗୁଁ କେ କିଛି ବୁଝିପାରିଲା ନାହିଁ, ବିଶେଷ କରି ଏଥିପାଇଁ ଯେ ଭଦ୍ରଲୋକଙ୍କ ଘଣ୍ଟିର ଶବ୍ଦ ସେ ଗାଳି ଗୁଲଜରେ ମିଶି ଯାଉଥିଲା, ଏବଂ ଅନ୍ୟାନ୍ୟ ଘଣ୍ଟି ବାଜିବା ମଧ୍ୟ ଆରମ୍ଭ ହୋଇଯାଇଥିଲା । ବର୍ତ୍ତମାନ ଅବଶ୍ୟ ସେ ଘଣ୍ଟିଶବ୍ଦରୁ କୌଣସି ଜରୁରୀ ପରିସ୍ଥିତିରେ ସୂଚନା ମିଳୁନଥିଲା,ବରଂ ଅତି ଖୁସିରେ ମଜା କରିବା ପାଇଁ ଘଣ୍ଟିଗୁଡ଼ିକ ବଜା ହେଉଥିଲା । କେ. ତା’ର ଦୋଷ କ’ଣ ହେଲା ଜାଣିବା ପାଇଁ ଭାରି ବ୍ୟସ୍ତ ହୋଇପଡ଼ିଲା । ସେଥିପାଇଁ ହୋଟେଲ ମାଲିକ ଯେତେବେଳେ ତା’ର ହାତ ଧରି ସେ ତାକୁ ସେ ଗୋଳମାଳ ଭିତରୁ ଦୂରକୁ ଟାଣି ନେଇଗଲା, କେ: କୌଣସି ପ୍ରକାର ଆପତ୍ତି କଲା ନାହିଁ । ସେମାନଙ୍କର ଅନେକ ପଛରେ ଗୋଳମାଳ ବଢ଼ିବା ଲାଗିଥାଏ-କେ. ମୋଟେ ବୁଲି ଅନାଇଲା ନାହିଁ, କାରଣ ହୋଟେଲ ମାଲିକ ଏବଂ ଏପରିକି ଅନ୍ୟ ପାଖରେ ମାଲିକାଣୀ ମଧ୍ୟ, ତାକୁ କଣ ସବୁ ତରବର ହୋଇ କହୁଥାଏ-ରୁମ୍‌ ଗୁଡ଼ାକର ଦ୍ୱାର ସବୁ ଠିଆ ମେଲା ହୋଇଯାଇଥାଏ । ବାରନ୍ଦାରେ ଲୋକ ଗହଳି ଆରମ୍ଭ ହୋଇ ଆସୁଥାଏ, ଗୋଟିଏ ଛୋଟ ସଂକୀର୍ଣ୍ଣ ଗଳି ଭିତରେ ଯେମିତି ସେମାନଙ୍କ ଆଗକୁ ଥିବା ରୁମ୍‌ଗୁଡ଼ିକର ଦ୍ୱାର ସବୁ କେ ସେବାଟ ଦେଇ ଚାଲିଯିବା ପାଇଁ ଅଧୈର୍ଯ୍ୟ ଭାବରେ ଅପେକ୍ଷା କରିଥାନ୍ତି, ସେ ଚାଲିଗଲା ପରେ ସେମାନେ ସେଥିରେ ରହୁଥିବା ଭଦ୍ରଲୋକ ମାନଙ୍କୁ ବାହାରକୁ ଛାଡ଼ିଦେବେ ଏବଂ ଏସବୁ ଘଟଣା ଭିତରେ ସ୍ୱିଚ୍‌ ବାରମ୍ବାର ଟିପା ହେଉଥିବା, ଯୋଗୁଁ ଘଣ୍ଟିଗୁଡ଼ିକ ବାଜିବାରେ ଲାଗିଥାନ୍ତି ସତେ ଯେମିତି କୌଣସି ଏକ ବିଜୟ ଉତ୍ସବ ଅନୁଷ୍ଠିତ ହେଉଛି । ବର୍ତ୍ତମାନ ଶେଷରେ-ସେତେବେଳକୁ ସେମାନେ ପୁଣି ଶାନ୍ତ ଶୁଭ୍ର ଅଗଣାଟିରେ ଆସି ପହଞ୍ଚି ଯାଇଥିଲେ ସେଠି କେତେଗୁଡ଼ିଏ ସ୍ଲେଜଗାଡ଼ି ଅପେକ୍ଷା କରିଥାନ୍ତି-କେ. ଆସ୍ତେ ଆସ୍ତେ ଜାଣିପାରିଲା କଣ ସବୁ ଘଟୁଛି । ନା ହୋଟେଲ ମାଲିକ ନା ମାଲିକାଣୀ, କେହି ବୁଝିପାରିଲେ ନାହିଁ କେ କେମିତି ଏପ୍ରକାର ଗୋଟିଏ କାମ କରିବାକୁ ସାହସ କଲା । କିନ୍ତୁ ସେ କ’ଣ କରିଥିଲା ? କେ. ବାରମ୍ୱାର ପଚାରିଲା, କିନ୍ତୁ ଅନେକ ସମୟ ଧରି କୌଣସି ଉତ୍ତର ପାଇଲା ନାହିଁ, କାରଣ ସେ ଦୋଷ କରିଥିବା ବିଷୟଟା ସେମାନେ ଏତେ ସାଧାରଣ ଓ ସହଜ ଭାବରେ ଗ୍ରହଣ କରି ନେଇଥିଲେ ଯେ ସେ ପ୍ରକୃତରେ ଉତ୍ତର ଚାହୁଁଛି ବୋଲି ସେମାନଙ୍କର ଧାରଣା ହେଲା ନାହିଁ । ଖୁବ ଆସ୍ତେ ଆସ୍ତେ କେବଳ କେ. ବୁଝିପାରିଲା ପରିସ୍ଥିତି କ’ଣ । ସେ ବାରନ୍ଦାକୁ ଆସିବାର ଅଧିକାର ତାର ନଥିଲା, ଅତି ବେଶୀରେ ସେ ମଦବିକା ଘର ଭିତରକୁ ପଶିପାରନ୍ତା ଏବଂ ତା’ପୁଣି ତା’ପୁଣି ତା’କୁ ସେହି ସୁବିଧା ଟିକକ ଦିଆଯାଇଥିବା ଦୃଷ୍ଟିରୁ ସେ ସୁବିଧା ପ୍ରତ୍ୟାହାର କରି ନିଆଯାଇପାରେ ମଧ୍ୟ । ଯଦି କୌଣସି ଭଦ୍ରଲୋକ ତାକୁ ଡାକିଲେ, ସେ ଅବଶ୍ୟ ଡକା ହେବା ସ୍ଥାନରେ ଆସି ହାଜର ହେବା କଥା କିନ୍ତୁ ତାକୁ ସବୁବେଳେ ମନେ ରଖିବାକୁ ହେବ–ତାର ନିଶ୍ଚୟ ସାମାନ୍ୟ ସାଧାରଣ କାଣ୍ଡଜ୍ଞାନ ଥିବ ? –ସେ ଏମିତି ଗୋଟିଏ ଯାଗାରେ ଆସି ରହିଛି, ଯେଉଁଟା କି ନିଜ ଯାଗା ନୁହେଁ ସେହି ଯାଗାକୁ ସେ ଆସିଛି ରହିଛି, ଯେଉଁଟା କି ନିଜ ଯାଗା ନୁହେଁ ସେହି ଯାଗାକୁ ସେ ଆସିଛି ଜଣେ ଭଦ୍ରଲୋକଙ୍କ ଡକରା ପାଇ ସେ ଡକରା ପୁଣି ଅତି କୁଣ୍ଠିତ ଭାବରେ ପଠା ହୋଇଥିଲା ସରକାରୀ କାମର ତାଡ଼ନାରେ । ତେଣୁ ସେ କଣ କରିବା କଥା ନା ଶୀଘ୍ର ଆସି ପହଞ୍ଚି, ଏବଂ ପଚାରା ଉଚରା ସରିଯିବା ପରେ ପରେ ହିଁ ପଳାଇଯିବା କଥା ସମ୍ଭବ ହେଲେ ଆହୁରି ଆଗରୁ ମଧ୍ୟ । ସେ ବାରନ୍ଦାକୁ ଆସିଥିବାର ଭୟଙ୍କର ବେନିୟମ କାମ ବିଷୟରେ ତା’ର ତେବେ କୌଣସି ଧାରଣା ହିଁ ହୋଇନଥିଲା ? କିନ୍ତୁ ତା’ର ଯଦି ସେ ପ୍ରକାର ଧାରଣା ହୋଇଥାନ୍ତା ସେ ସେଠି ଆସି କ’ଣ ଏମିତି ବୁଲୁଥାଂତା, ପଡ଼ିଆରେ ଗୋରୁ ଗାଈ ବୁଲିଲା ପରି ? ରାତି ବେଳା ପଚରା ଉଚରା ପାଇଁ କଣ ତାକୁ ଡକରା ହୋଇନଥିଲା ଏବଂ ସେ କଣ ଜାଣିନଥିଲା ରାତିବେଳା ପଚରା ଉଚରା ବ୍ୟବସ୍ଥା କାହିଁକି କରାହୋଇଛି ? ରାତିବେଳା ପଚରା ଉଚରା ଗୁଡ଼ାକ-ଏବଂ ଏଠି ସେ ଗୁଡ଼ାକୁ ଅଲଗା ଅର୍ଥରେ କେ.କୁ ବୁଝାଇ ଦିଆଯାଇଥିଲା-ବ୍ୟବସ୍ଥା କରା ହୋଇଥିଲା ଏଥିପାଇଁ ଯେଉଁ ଦରଖାସ୍ତକାରୀମାନଙ୍କ ଚେହେରା ଭଦ୍ରଲୋକମାନେ ଦିନର ଆଲୁଅରେ ସହ୍ୟ କରିପାରିବେ ନାହିଁ ସେମାନଙ୍କୁ ପରିକ୍ଷା କରିବା ପାଇଁ ତା ପୁଣି ରାତିରେ, ଶ୍ରୀଘ ଶୀଘ୍ର କୃତ୍ରିମ ଆଲୁଅରେ, ଯାହା ଫଳରେ କି ପଚରା ଉଚରା ସରିଯିବା ପରେ ପରେ ଭଦ୍ରଲୋକମାନେ ନିଦ୍ରାଯାଇ ସମସ୍ତ ପ୍ରକାର କୁରୁପତା ଭୁଲି ଯାଇପାରିବେ । କେ.ର ବ୍ୟବହାରରେ କିନ୍ତୁ ସେ ସମସ୍ତ ସାବଧାନତା ମୂଳକ ବ୍ୟବସ୍ଥା ପ୍ରତି ତାତ୍ସଲ୍ୟ ରହିଥିଲା । ଭୁତପ୍ରେତ ମଧ୍ୟ ସକାଳ ରହିଲା ପକେଟରେ ହାତ ପୂରାଇ ସତେ ଯେମିତି ସେ ଆଶା କରୁଥିଲା ଯେ ସେ ଯେହେତୁ ନିଜକୁ ଉଡ଼ାଇ ନେଇପାରିଲା ନାହିଁ, ପୂରା ବାରନ୍ଦାଟା, ସମସ୍ତ ରୁମ ଓ ଭଦ୍ରଲୋକମାନଙ୍କ ସମେତ ଉପରକୁ ଉଠି ଉଡ଼ିଯିବେ । ଏବଂ ଏହି ଘଟଣା–ସେ ଏ ବିଷୟରେ ନିଶ୍ଚିତ ଥିଲା-ନିଶ୍ଚିତ ଭାବରେ ଘଟିପାରିଥାଂତା ଯଦି ତାହା ଘଟିବା କୌଣସି ମତେ ସମ୍ଭବ ହୋଇଥାଂତା କାରଣ ଭଦ୍ରଲୋକମାନଙ୍କର ସୁକୁମାର ପଣର ଅଂତ ନଥିଲା-। କେହି ଜଣେ ବି କେ. କୁ ତଡ଼ି ବାହାର କରି ଦେବେ ନାହିଁ କିମ୍ୱା ଧରନ୍ତୁ ଯାହା ସବୁ ଘଟିଗଲା କୌଣସି କଥାବାର୍ତ୍ତା ନ ହୋଇ ସେଥିରେ ସେ ଶେଷରେ ନିଜେ ପଳାଇଯାଇଥାନ୍ତା, କେହି ସେ କଥା କରି ନଥାନ୍ତେ, ଯଦିଓ ସେ ସମୟ ଭିତରେ କେ ସେଠି ଉପସ୍ଥିତ ଥିଲାବେଳେ ସେମାନେ ବୋଧହୁଏ ଉତ୍ତେଜନାରେ ଥରୁଥିଲେ ଏବଂ ସେମାନଙ୍କର ପ୍ରିୟ ସମୟ ସକାଳଟା ସେମାନଙ୍କ ପାଇଁ ନଷ୍ଟ ହୋଇଯାଉଥିଲା । କେ. ବିରୁଦ୍ଧରେ କୌଣସି ପଦକ୍ଷେପ ନେବା ପରିବର୍ତ୍ତେ ସେମାନେ ନିଜେ କଷ୍ଟ ଭୋଗିବାକୁ ପସନ୍ଦ କଲେ, ଏଥିରେ ଅବଶ୍ୟ ସେମାନେ ସମ୍ଭବତଃ ଆଶା କରୁଥିଲେ ଯେ ପରିଶେଷରେ ଯାହା ଏତେ ବେଶୀ ସ୍ଫଷ୍ଟ ତାହା କ୍ରମେ କ୍ରମେ ହୃଦୟଙ୍ଗମ ନକରି କେ ରହିପାରିବ ନାହିଁ ଏବଂ ଭଦ୍ରଲୋକମାନଙ୍କର କଷ୍ଟଭୋଗ ସଙ୍ଗେ ସଂଗେ କେ ନିଜେ କଷ୍ଟ ଭୋଗିବାକୁ ଆରମ୍ଭ କରିବ ସହିବାର ଶେଷ ସୀମାକୁ ଚାଲିଯିବ । ସେ ନିଜେ ସକାଳେ ସେହି ବାରଂଦାରେ ଠିଆ ହୋଇଥିବା ଯୋଗୁ ସମସ୍ତଙ୍କ ଆଖି ଆଗରେ, ସେମିତି ଭୟଙ୍କର ଅସୁନ୍ଦର ଭାବରେ । ବୃଥା ଆଶା । ସେମାନେ ଜାଣିନଥିଲେ କିମ୍ୱା ସେମାନଙ୍କର ଦୟାପ୍ରବଣତା ଏବଂ ଉପାଧି ଯୋଗୁ ସେମାନେ ମାନିବାକୁ ଚାହୁଁନଥିଲେ ଯେ ଏମିତି ଅନେକ କଠିନ କଠୋର ହୃଦୟ ଅଛନ୍ତି ଯେଉଁ ଗୁଡ଼ିକ ସମ୍ମାନ ବୋଧ ଦ୍ୱାରା ମୋଟେ ନରମିଯିବେ ନାହିଁ । ରାତିବେଳା ଉଡ଼ୁଥିବା ବିଚରା ପତଂଗଟି ବି କ’ଣ ସକାଳ ହୋଇଗଲେ ଗୋଟିଏ ଚୁପଚାପ ଅନ୍ଧାରୁଆ ଯାଗା ଖୋଯେନାହିଁ, ସେ ଯାଗାରେ ଲାଖି ରହିଯାଏ ନାହିଁ, କେମିତି ଅଦୃଶ୍ୟ ହୋଇଯାନ୍ତା ଭାବେ ନାହିଁ ଏବଂ ଅଦୃଶ୍ୟ ହୋଇପାରୁନଥିବାରୁ ଦୁଃଖ କରେ ନାହିଁ ? ଅନ୍ୟ ପକ୍ଷରେ କେ. କେଉଁଠି ସମସ୍ତଙ୍କର ଆଖି ପଡ଼ିବ ସେଠି ଠିଆ ହୋଇ ରହିଲା, ଏବଂ ସେମିତି କରିବା ଫଳରେ ଯଦି ସକାଳ ହେବା ଅଟକି ଯାଇଥାନ୍ତା, ତେବେ ସେ ସେମିତି କରିଥାନ୍ତା । ସେ ସକାଳ ହେବା ଅଟକାଇ ପାରିଲା ନାହିଁ, କିନ୍ତୁ ଆହା କିନ୍ତୁ ସକାଳ ହେବାଟା ଡେରି କରାଇ ଦେଲା, କଷ୍ଟ କର କରାଇଦେଲା । ଫାଇଲ ପତ୍ର ବଣ୍ଟା ହେବା ସେ କ’ଣ ଦେଖିନଥିଲା ? ସେ କଥା ଦେଖିବା ପାଇଁ କାହାକୁ ହେଲେ ଅନୁମତ ଦିଆଯାଇନଥିଲା କେବଳ ଅତି ଘନିଷ୍ଠ ଭାବରେ ସଂକୃକ୍ତ ଲୋକଙ୍କ ଛଡ଼ା ହୋଟେଲ୍‌ ମାଲିକ ଓ ମାଲିକାଣୀଙ୍କୁ ମଧ୍ୟ ସେମାନଙ୍କ ନିଜ ଘରେ ସେକଥା ଦେଖିବାକୁ ଅନୁମତି ଦିଆଯାଇନଥିଲା । ସେକଥା ସେମାନେ କେବଳ ୟାଠୁ ତା’ଠୁ ଶୁଣୁଥିଲେ ଯେମିତି ଆଜି ଚାକରମାନଙ୍କ ଠାରୁ । ସେ କ’ଣ ତେବେ ଫାଇଲ ପତ୍ର ବଣ୍ଟା ବଣ୍ଟିକାମ କି କଷ୍ଟରେ ଚାଲିଥିଲା ତାହା ଲକ୍ଷ କରିନଥିଲା ? ସେ ପ୍ରକାର ଅସୁବିଧା କାହିକି ହୁଏ ବୁଝି ହୁଏ ନାହିଁ କାରଣ ଭଦ୍ରଲୋକମାନେ ନିଜର ବ୍ୟକ୍ତିଗତ ସୁବିଧା କଥା ନଭାବି କେବଳ କାମଟା କେମିତି ହୋଇଯିବ ସେକଥା ଦେଖୁଥିଲେ, ଏବଂ ଫାଇଲ ବଂଟା ବଂଟି ଭଳି ଗୋଟିଏ ଜରୁରୀ ମୌଳିକ ପ୍ରାରମ୍ଭିକ କାର୍ଯ୍ୟ କେମିତି ବିନା ଭୁଲ ଭଟକାରେ ଶୀଘ୍ର ଶୀଘ୍ର ସରିଯିବ, ସେଥିପ୍ରତି ଦୃଷ୍ଟି ଦେଇ ସେମାନେ ପ୍ରତ୍ୟେକେ ସେମାନଙ୍କର ସମସ୍ତ ଶକ୍ତି ବିନିଯୋଗ କରୁଥିଲେ । ସେ ଅସୁବିଧାର ମୂଳ କାରଣଟି ହେଲା ଏୟା ଫାଇଲ ବଂଟା ବଂଟି କାମ ଚାଲିଲା ବେଳେ ସବୁ ରୁମର କବାଟ ପ୍ରାୟ ବନ୍ଦ୍‌ ଥିଲା । ଭଦ୍ର ଲୋକମାନଙ୍କ ଭିତରେ ସିଧା କଥାବାର୍ତ୍ତା ହେବାର କୌଣସି ବ୍ୟବସ୍ଥା ନଥିଲା ସେମାନେ ମୁହୂର୍ତ୍ତକ ଭିତରେ ଏକ ପାରସ୍ପରିକ ବୁଝାମଣାରେ ପହଞ୍ଚି ପାରନ୍ତେ ଯଦିଓ ତେଣୁ ଚାକରମାନଙ୍କ ଜରିଆରେ ସେ କାମ ହେଉଥିବା ଯୋଗୁଁ ସେ କାମ ସେମିତି ଘଣ୍ଟା ଘଣ୍ଟା ଧରି ଚାଲିଲା, ନ ଚାଲି ଉପାୟ ନାହିଁ, ସୁରୁଖୁରୁରେ ସରିଲା ନାହିଁ, ସୁରୁଖୁରୁରେ ସରିଲା ନାହିଁ, ଏବଂ ସେଥିପାଇଁ ଉଭୟ ଭଦ୍ରଲୋକ ଓ ଚାକରମାନେ ଏତେ ସମୟ ଧରି କଷ୍ଟ ପାଇଲେ, ଏବଂ ପରେ ଯେଉଁ କାମ ହେବା କଥା, ତା’ଉପରେ ସମ୍ଭବତଃ ଏହାର ଅନିଷ୍ଟକର ପ୍ରଭାବ ପଡ଼ିବ । କେ. ମନରେ କ’ଣ ଏହି ଧାରଣା ଟିକିଏ ବି ହେଲା ନାହିଁ ? ଏବଂ ଭଦ୍ରଲୋକମାନେ ପରସ୍ପର ସାଙ୍ଗରେ ଆଲୋଚନା କରି ପାରିଲେ ନାହିଁ କାହିଁକି ? ଆଛା, କେ: କ’ଣ ଏହି ଧାରଣା ଟିକିଏ ବି ହେଲା ନାହିଁ ? ଏବଂ ଭଦ୍ରଲୋକମାନେ ପରସ୍ପର ସାଙ୍ଗରେ ଆଲୋଚନା କରି ପାରିଲେ ନାହିଁ କାହିଁକି ? ଆଛା, କେ: କ’ଣ ତଥାପି ବୁଝି ପାରିଲା ନାହିଁ ? ହୋଟେଲ୍‌ ମାଲିକାଣୀ ତା’ ଜୀବନରେ କେବେ ଏମିତି କଥା ଜାଣିନଥିଲା-ଏବଂ ମାଲିକ ମଧ୍ୟ ସେୟା କହିଲା-ଏବଂ ସେମାନେ ଜୀବନରେ ବହୁ ରକମର ଅଖାଡ଼ୁଆ ଲୋକଙ୍କ ସାଙ୍ଗରେ ଚଳପ୍ରଚଳ ହୋଇଛନ୍ତି । ଯେଉଁ ସବୁ କଥା ସାଧାରଣତଃ କେହି ବନେଇ ଚୁନେଇ କହିବାକୁ ସାହାସ କରିବେ ନାହିଁ, ସେ ସବୁ ତାକୁ ଖୋଲା ଖୋଲି ଭାବରେ କହିବାକୁ ପଡ଼ିବ, ନ ହେଲେ ସେ ଗୁରୁତ୍ୱପୂର୍ଣ୍ଣ କଥାଗୁଡ଼ିକ ମୋଟେ ବୁଝି ପାରିବନାହିଁ । ହେଉ, ହେଲା କହିବାକୁ ତ ପଡ଼ିଲା ! ତା’ ଯୋଗୁଁ, ପୂରା ପୂରି ଓ କେବଳ ତା’ ଯୋଗୁଁ ଭଦ୍ରଲୋକମାନେ ସେମାନଙ୍କ ନିଜ ନିଜ ରୁମଖ ଭିତରୁ ବାହାରକୁ ଆସିପାରିଲେ ନାହିଁ, କାରଣ ସକାଳେ, ନିଦରୁ ଉଠିବା ପରେ ପରେ ସେମାନଙ୍କୁ ଭାରି ସମ୍ଭ୍ରାମ ଲାଗୁଥିଲା, ଦୁର୍ବଳ ଲାଗୁଥିଲା; ଏବଂ ସେଥିପାଇଁ ଅପରିଚିତ ଲୋକଙ୍କ ସାମ୍ନା କରିବାକୁ ସେମାନେ କୁଣ୍ଠିତ ହେଉଥିଲେ । ଯେତେ ଭଲ ଭାବରେ ପୋଷାକ ପତ୍ର ପିନ୍ଧିଥିଲେ ବି ଅନ୍ୟମାନଙ୍କ ଆଗରେ ସେମାନଙ୍କୁ ଲଙ୍ଗଳା ଲଙ୍ଗଳା ଲାଗିଲା । ସେମାନଙ୍କୁ ଏପ୍ରକାର ଲାଜ କାହିଁକି ଲାଗିଲା କହିବା କଷ୍ଟ, ମାନିବାକୁ ପଡ଼ିବ, ବୋଧହୁଏ ଶୋଇପଡ଼ୁଥିଲେ ବୋଲି ଚିରକାଳ ଧରି କର୍ମପ୍ରବଣ ଥିବା ଏହି ଲୋକଗୁଡ଼ିକୁ ଲାଜ ମାଡ଼ିଲା । କିନ୍ତୁ ସେମାନେ ବାହାରକୁ ଆସିବା ଫଳରେ ଯେତିକି ଲାଜ ମାଡ଼ିଲା, ତା’ଠାରୁ ବହୁତ ବେଶୀ ଲାଜ ମାଡ଼ିଲା ବୋଧହୁଏ ଅପରିଚିତ ଲୋକଙ୍କୁ ଦେଖି । ରାତି ବେଳା ପଚରା ଉଚରା କରି ସେମାନେ ଯେଉଁଥିରୁ ରକ୍ଷା ପାଇଯାଇଥିଲେ ଯଥା, ସେମାନଙ୍କ ପାଇଁ ଅସହ୍ୟ ଦରଖାସ୍ତକାରୀଙ୍କ ଚେହେରା, ସେ କଥା ପୁଣି ସକାଳେ, ହଠାତ୍‌, ଆଗରୁ କୌଣସି ସୂଚନା ନଥାଇ ଆସି ପହଞ୍ଚିଯିବା ଅତି ସ୍ପଷ୍ଟ ଭାବରେ ଏବଂ ସେମାନଙ୍କୁ ସମସ୍ତଙ୍କୁ ପୁଣି ଆବୋରୀ ବସିବ-ଏହା ସେମାନେ ମୋଟେ ସାମ୍ନା କରି ପାରିବେନାହିଁ । ଜଣେ କି ପ୍ରକାର ଲୋକ ହୋଇଥିବ ଯାହାର ଏଥିପ୍ରତି ମଧ୍ୟ ସହାନୁଭୂତି ନାହିଁ । ହଁ, ସେ ନିଶ୍ଚୟ କେ. ଭଳି ଜଣେ ଲୋକ ହୋଇଥିବ, ଏମିତି ଜଣେ ଲୋକ ଯେ କି କୌଣସି ବିଷୟକୁ ଖାତିର୍‌ କରିନାହିଁ, ନା ଆଇନ୍‌ କାନୁନ୍‌କୁ ନା ସାଧାରଣ ମାନବିକ ସମବେଦନାକୁ । ଏତେ ବେଶୀ ତା’ର ଉଦାସୀନତା, ଚେତନାହୀନତା । ଏମିତି ଜଣେ ଲୋକ ଯେ କି ଫାଇଲ ବଣ୍ଟନ କାର୍ଯ୍ୟକୁ ଏତେ ବେଶୀ କଷ୍ଟକର କରି ଦେଉଛି, ଏବଂ ଘରର ମର୍ଯ୍ୟାଦାକୁ ନଷ୍ଟ କରି ଦେଉଛି ବୋଲି ଟିକିଏ ହେଲେ ଭାବିଲା ନାହିଁ । ସେ ଏମିତି କିଛି କରି ବସିଲା, ଯାହା କି ଆଗରୁ କେବେ ଘଟିନଥିଲା, ଯାହା ଫଳରେ ଭଦ୍ରଲୋକମାନେ ଅତ୍ୟନ୍ତ ହତାଶ ହୋଇପଡ଼ି ଆତ୍ମରକ୍ଷା କରିବାକୁ ଆରମ୍ଭ କରିଦେଲେ । ଏବଂ ସେମାନଙ୍କର ଆବେଗଗୁଡ଼ିକ ଉପରେ ସାଧାରଣ ଲୋକଙ୍କ କଳ୍ପନା ବହିର୍ଭୁତ ଏକ ବିଜୟ ହାସଲ କରିସାରି ଘଣ୍ଟି ବଜାଇ ଲାଗିଲେ, ଏହି ଲୋକଟାକୁ ତଡ଼ି ଦେବା ପାଇଁ, ଏହା ଲୋକଟା ଯେ କି ଅନ୍ୟ କୌଣସି ଉପାୟରେ ପ୍ରଭାବିତ ହୋଇନଥାନ୍ତା ! ସେମାନେ ଭଦ୍ରଲୋକମାନେ ପୁଣି ସାହାଯ୍ୟ ମାଗିବେ ! ଯଦି ହୋଟେଲ୍‌ ମାଲିକ ଓ ମାଲିକାଣୀ ସକାଳେ ଡକା ନ ହୋଇ ଆସି ଭଦ୍ରଲୋକଙ୍କ ସାମ୍ନାରେ ଠିଆ ହେବାକୁ ସାହାସ କରିବେ, ତା’ ପୁଣି ସେମାନଙ୍କ କଥା ବୁଝାବୁଝି କରି ତତ୍‌କ୍ଷଣାତ୍‌ ପଳାଇ ଯିବାପାଇଁ, ସେ ଦୁହେଁ କ’ଣ ଚାକର ବାକରଙ୍କୁ ଧରି ତା’ର ବହୁତ ଆଗରୁ ପଳାଇ ନଯିବେ ? କେ. ପ୍ରତି ଘୃଣା ଓ ରାଗରେ ଥରି ଥରି ନିଜ ନିଜର ନିପାରିଲା ଅବସ୍ଥାରେ ହନ୍ତସନ୍ତ ହୋଇ, ବାରନ୍ଦା ଶେଷ ମୁଣ୍ଡରେ ସେ ଦୁହେଁ ଅପେକ୍ଷା କରିଥିଲେ, ଏବଂ ଘଣ୍ଟି ଯେତେବେଳେ ବାଜିଲା ଯାହାକି ସେମାନେ କେବେ ଶୁଣିବେ ବୋଲି ଆଶା କରିନଥିଲେ ସେମାନଙ୍କୁ ସୁଯୋଗ ମିଳିଗଲା । ସେ ଯାହା ହେଉ, ବର୍ତ୍ତମାନ ଚରମ ଦୁର୍ଭାଗ୍ୟ ଜନକ ମୁହୂର୍ତ୍ତଟି କଟିଯାଇଥିଲା ! ଆପଣ ଯଦି ଖାଲି ଟିକିଏ ଆଖି ପକାନ୍ତେ ସେ ଭଦ୍ରଲୋକମାନଙ୍କ ଉପରେ ! କେ ଠାରୁ ମୁକ୍ତି ପାଇ ସେମାନେ କି ଖୁସିରେ ଯାଆ ଆସ ଗପ ସପ କରୁଛନ୍ତି ! କେ: ପାଇଁ ଅବଶ୍ୟ ସେ ମୁହୂର୍ତ୍ତଟି ଏଯାଏଁ କଟିନଥିଲା; ସବୁ କିଛି ଶେଷ ହୋଇଯାଇନଥିଲା, ସେ ଏଠି ଯେଉଁ ଗଣ୍ଡଗୋଳ ସୃଷ୍ଟି କଲା, ତା’ର କୈଫିୟତ୍‌ ତା’କୁ ନିଶ୍ଚୟ ଦେବାକୁ ପଡ଼ିବ ।

 

ଏହା ଭିତରେ ସେମାନେ ମଦବିକା ଘରେ ପହଞ୍ଚି ଯାଇଥିଲେ; ହୋଟେଲ ମାଲିକ ତାର ସମସ୍ତ ରାଗ ସତ୍ୱେ କେ.କୁ ଏଠାକୁ କାହିଁକି ନେଇ ଆସିଲା ବୁଝି ହେଲା ନାହିଁ ବୋଧହୁଏ ସେ ଜାଣିପାରିଥିଲା ଯେ କେ ବର୍ତ୍ତମାନ ବହୁତ କ୍ଲାନ୍ତ ହୋଇ ପଡ଼ିଥିବାରୁ, ସେ ଯାଗା ଛାଡ଼ି ଯିବା ତା ପକ୍ଷରେ ଅସମ୍ଭବ । କେହି ତାକୁ ବସିବା ପାଇଁ କହିବାକୁ ଅପେକ୍ଷା ନକରି ପର ମୁହୂର୍ତ୍ତରେ ହିଁ କେ ଗୋଟିଏ ପିମ୍ପା ଉପରେ କଚାଡ଼ି ହୋଇ ପଡ଼ିଗଲା । ସେହି ଅନ୍ଧର ଭିତରେ ତା’କୁ ବେଶ୍ ଭଲ ଲାଗିଲା । ଏତେ ବଡ଼ ଘରଟା ଭିତରେ ବିୟର ଥିବା ଯାଗା ଉପରେ କେବଳ ଗୋଟିଏ ମିଞ୍ଜି ମିଞ୍ଜି ଇଲେକ୍‌ଟ୍ରି ବଲବ ଜଳୁଥିଲା । ବାହାରେ ମଧ୍ୟ ଅନ୍ଧାର ଖୁବ ଘନେଇ ରହିଥିଲା ମନେ ହେଉଥିଲା ପବନରେ ବରଫ ଗୁଣ୍ଡ ଉଡ଼ୁଛି । ଏହି ଏହି ଉଷୁମ ଯାଗା ଟିକକ ପାଇଁ ସେ କୃତଜ୍ଞ ରହିବା କଥା ଏବଂ ତାକୁ ଯେମିତି ତଡ଼ି ଦିଆ ନ ଯାଏ ସେଥିପାଇଁ ତାକୁ ସାବଧାନ ରହିବାକୁ ପଢ଼ିବ । ହୋଟେଲ ମାଲିକ ଓ ମାଲିକାଣୀ ତା’ଆଗରେ ସେଠି ସେମିତି ଠିଆ ହୋଇ ରହିଥାନ୍ତି, ସତେ ଯେମିତି ଏବେ ସେମାନେ ତା’କୁ ଗୋଟିଏ ବିପଜ୍ଜନକ ଲୋକ ବୋଲି ଭାବୁଥାନ୍ତି, ସତେ ଯେମିତି ସେ ଅତ୍ୟନ୍ତ ଆସ୍ଥାହୀନ ହୋଇଥିବା ଦୃଷ୍ଟିରୁ ସେ ହଠାତ୍‌ ଏଠାରୁ ଉଠିଯାଇ ପୁଣି ଥରେ ବାରନ୍ଦାଟାକୁ ଅଧିକାର କରିନେବାକୁ ଚେଷ୍ଟା କରିବା ମୋଟେ ଅସମ୍ଭବ ନୁହେଁ । ତା’ଛଡ଼ା ରାତିରେ ସେମାନେ ଯେଉଁ ଦୁର୍ଯ୍ୟୋଗରେ ପଡ଼ିଥିଲେ ଏବଂ ସବୁ ଦିନ ଅପେକ୍ଷା ଚଞ୍ଚଳ ନିଦରୁ ଉଠିଥିଲେ ସେଥିରେ ଦୁହେଁ ବେଶ କ୍ଲାନ୍ତ ହୋଇ ପଡ଼ିଥିଲେ । ବିଶେଷ କରି ମାଲିକାଣୀ, ସେ ଗୋଟିଏ ରେଶମ ଭଳି ଖସ୍‍ ଖସ୍‍ ହେଉଥିବା, ଅଣ୍ଟା ତଳକୁ ଚଉଡ଼ା ବେଢ଼ଥିବା ମାଟିଆ ରଙ୍ଗର ଗୋଟିଏ ପୋଷକ ପିନ୍ଧିଥାଏ, କେମିତି ଗୋଟାଏ ଗୋଳମାଳିଆ ଭାବରେ ବୋତାମ ଲଗାଇ-ତରବରରେ ସେ ସେଟାକୁ କେଉଁଠୁ ବାହାର କରି ଆଣିଥିଲା ?-ଏବଂ ଗୋଟିଏ ମଉଳା ଫୁଲ ପରି ତା ମୁଣ୍ଡକୁ ତା’ସ୍ୱାମୀର କାନ୍ଧ ଉପରେ ଲୋଟାଇ ଦେଇ ସେ ଠିଆ ହୋଇଥାଏ, ଗୋଟିଏ ପାତଳା ରୁମାଲରେ ଆଖି ପୋଛୁଥାଏ ଏବଂ ସେସବୁ ଥରକ ଥର ପିଲାଳିଆ ହିଂସ୍ର ଦୃଷ୍ଟିରେ କେ. ଆଡ଼କୂ ଅନାଉଁଥାଏ । ସେ ଦୁହିଁଙ୍କୁ ବୁଝାଇବାକୁ ଯାଇ କେ.କହିଲା ଯେ ବର୍ତ୍ତମାନ ସେମାନେ ତାକୁ ଯାହା ସବୁ କହିଲେ ସେକଥା ସେ ମୋଟେ ଜାଣି ନଥିଲା, ଏବଂ ବିଷୟରେ ତାର ଅଜ୍ଞତା ସତ୍ତ୍ୱେ ସେ ଏତେ ସମୟ ବାରନ୍ଦାରେ ରହିନଥାନ୍ତା, ସେଠାରେ ତାର କୌଣସି କାମ ନଥିଲା ଏବଂ ଘଟିଗଲା କେବଳ ସେ ଅତିଶୟ କ୍ଲାନ୍ତ ହୋଇ ପଡ଼ିଥିବା ଯୋଗୁଁ । ସେ ଦୁର୍ଭାଗ୍ୟଜନକ ପରିସ୍ଥିତି ତୁଟାଇ ଦେଇଥିବାରୁ ସେ ସେମାନଙ୍କୁ ଧନ୍ୟବାଦ ଦେଲା, ସେଥିପାଇଁ ତାକୁ ଯଦି ଦଣ୍ଡ ଦିଆଯାଏ, ସେ ତାହା ଆଦରରେ ଗ୍ରହଣ କରିନେବ, କାରଣ ଏହି ଭାବରେ ହିଁ ସେ ତା’ର ବ୍ୟବହାରର କଦର୍ଥ କରା ହେବାକୁ ରୋକିଦେଇ ପାରିବ । ଆଉ କିଛି ନୁହେ, କ୍ଲାନ୍ତି ହିଁ ସେ ଘଟଣାର ମୂଳ । ଅବଶ୍ୟ ଏହି କ୍ଲାନ୍ତିର କାରଣ ହେଲା ଏ ଯେ ପଚରା ଉଚରା ଏତେ ବେଶୀ କଡ଼ା ଧରଣର ହୁଏ ବୋଲି ସେ କେବେ ଜାଣିନଥିଲା । ଆଉ, ସେ ତ ଏଠି ସେମିତି କିଛି ବେଶୀ ସମୟ ରହିନାହିଁ । ଏସବୁ ବିଷୟରେ ତା’ର କିଛିଟା ଅନୁଭୂତି ହୋଇଯିବା ପରେ ଏ ପ୍ରକାର କୌଣସି ଘଟଣା ଘଟିବା ଅସମ୍ଭବ ହୋଇ ପଡ଼ିବ । ସେ ବୋଧହୁଏ ପଚରା ଉଚରା ବ୍ୟବସ୍ଥାଟାକୁ ବହୁତ ଗୁରୁତ୍ୱ ହେଉଥିଲା, କିନ୍ତୁ ସେ ପଚରା ଜନିଷଟା ବୋଧହୁଏ ସେମିତି କିଛି ଅସୁବିଧା କରୁନଥିଲା । ଦୁଇ ଦୁଇଟା ପଚରା ଉଚରା ଦେଇ ତା’କୁ ଯିବାକୁ ପଡ଼ିଥିଲା, ଗୋଟାକ ସରିବା ପରେ ପରେ ଆଉ ଗୋଟାଏ, ଗୋଟାଏ ବ୍ୟର୍ଗେଲ୍‌ଙ୍କ ସାଙ୍ଗରେ ଏବଂ ଅନ୍ୟଟା ଅର୍ଲାଙ୍ଗର୍‌ଙ୍କ ସାଙ୍ଗରେ, ଏବଂ ବିଶେଷ କରି ପ୍ରଥମଟାରେ ସେ ବହୁତ କ୍ଲାନ୍ତ ହୋଇ ପଡ଼ିଥିଲା, ଯଦିଓ ଦ୍ୱିତୀୟଟା ବେଶୀ ସମୟ ଧରି ଚାଲିନଥିଲା । ଅର୍ଲାଙ୍ଗର କେବଳ ସାହାଯ୍ୟ ଟିକିଏ ଚାହିଁଥିଲେ, କିନ୍ତୁ ଦୁଇଟାଯାକ ମିଶିଯାଇ ତା’ ପାଇଁ ଟିକିଏ କେଶୀ ହୋଇଗଲା, ସେ ସହିପାରିଲାନାହିଁ । ଏବଂ ସେ ପ୍ରକାର ଗୋଟାଏ ଅନୁଭୂତି ଅନ୍ୟମାନଙ୍କ ପାଇଁ ମଧ୍ୟ ଅସହ୍ୟ ହେବ ବୋଧହୁଏ, ଯଥା, ହୋଟେଲ୍‌ ମାଲିକଙ୍କ ପାଇଁ । ଦ୍ୱିତୀୟ ଥର ପଚରା ଉଚରା ସରିଯିବା ପରେ ସେ ପ୍ରକୃତରେ ମୂର୍ଚ୍ଛା ହୋଇଗଲା ଭଳି ଚାଲୁଥିଲା । ମନେ ହେଉଥିଲା ସତେ ଯେମିତି ସେ ମାତାଲ୍‌; ଯାହା ହେଲେ ବି ସେ ସେହି ଦୁଇ ଭଦ୍ରଲୋକଙ୍କୁ ପ୍ରଥମ କରି ଦେଖୁଥିଲା, ସେମାନଙ୍କ କଥା ଶୁଣିଥିଲା, ଏବଂ ସେମାନଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ତା’କୁ ଦେବାକୁ ପଡ଼ୁଥିଲା । ବ୍ୟବସ୍ଥା ହେଉଥିଲା ସେମିତି । ତା’ର ଜାଣିବାରେ ସବୁ କଥା ଠିକ୍‌ ଠାକ୍‌ ଚାଲିଥିଲା, କିନ୍ତୁ ତା’ପରେ ସେ ଦୁର୍ଘଟଣାଟା ଘଟିଗଲା । ପୂର୍ବରୁ ଯାହା ଯାହା ସବୁ ଘଟିଯାଇଥିଲା, ସେ ପରିପ୍ରେକ୍ଷୀରେ ସେ ଦୁର୍ଘଟଣା ପାଇଁ ତା’କୁ ଦୋଷୀ କରିବା କଥା ନୁହେଁ । ଦୁଃଖର କଥା, କେବଳ ଅର୍ଲାଙ୍ଗର୍‌ ଓ ବ୍ୟୁର୍ଗେଲ୍‌ ତା’ର ଅବସ୍ଥା ହୃଦୟଙ୍ଗମ କରିପାରିଥିଲେ, ଏବଂ ଦୁହେଁ ନିଶ୍ଚୟ ତା’ର ଦେଖାଶୁଣା କରିଥାନ୍ତେ ଏବଂ ଅନ୍ୟସବୁ ଘଟଣାକୁ ରୋକିଦେଇ ପାରିଥାନ୍ତେ କିନ୍ତୁ ଅର୍ଲାଙ୍ଗରଙ୍କୁ ହଠାତ୍‌ ପଳାଇ ଯିବାକୁ ଥିଲା । ଏବଂ ବ୍ୟୁର୍ଗେଲ ପଚରା ଉଚରା କରି ବୋଧହୁଏ କ୍ଲାନ୍ତ ହୋଇ ପଡ଼ିଥିଲେ,–ଏବଂ ତା’ ଯଦି ହୁଏ କେ କେମିତା ତା’ର ଶକ୍ତି କିଛି ନଷ୍ଟ ନ ହୋଇ ସେଠାରୁ ପଳାଇ ଆସିବାକୁ ସମର୍ଥ ହୋଇଥାନ୍ତା ? –ସେ ଶୋଇପଡ଼ିଲେ ଏବଂ ପ୍ରକୃତରେ ଫାଇଲ ବଣ୍ଟନ କାର୍ଯ୍ୟ ଚାଲିଥିବା ସମୟଯାକ ସେ ଶୋଇଯାଇଥିଲେ । କେ.କୁ ଯଦି ସେପ୍ରକାର ସୁଯୋଗଟିଏ ମିଳିଥାନ୍ତା, ସେ ଖୁସିରେ ତା’ର ସଦ୍‌ବ୍ୟବହାର କରିଥାନ୍ତା, ଏବଂ ସେଠାରେ ଯାହା ସବୁ ଚାଲିଥିଲା, ତା ଭିତରେ ମୁଣ୍ଡ ପୂରାଇ ନଥାନ୍ତା । କୌଣସି କଥା ଦେଖିବାକୁ ତ ମନା ଥିଲା । ସେ ନ ଦେଖିଥିଲେ ଭାରି ଖୁସି ହୋଇଥାନ୍ତା କାରଣ ପ୍ରକୃତରେ କୌଣସି ଜିନିଷ ଦେଖିବାର ସାମର୍ଥ୍ୟ ତା’ର ନଥିଲା । ସେଥିପାଇଁ ସବୁଠାରୁ ସ୍ପର୍ଶକାତର ଭଦ୍ରଲୋକମାନେ ମଧ୍ୟ କୌଣସି ସଙ୍କୋଚ ନ କରି ତା ସମ୍ନାକୁ ଆସିପାରିଥାନ୍ତେ ।

 

ଦୁଇଟା ପଚରା ଉଚରା ବିଷୟ ଉଲ୍ଲେଖ କରିବା ପରେ-ବିଶେଷ କରି ଅର୍ଲାଙ୍ଗରଙ୍କ ସାଙ୍ଗରେ ହୋଇଥିବା ଗୋଟାକ ଏବଂ ଭଦ୍ରଲୋକମାନଙ୍କ କଥା । ସମ୍ମାନର ସହିତ କହିବା ଦେଖି ହୋଟେଲ୍‌ ମାଲିକ କେ. ପ୍ରତି-ସଦୟ ହୋଇ ଉଠିଲା । ପିମ୍ପା ଗୁଡ଼ାକ ଉପରେ ଗୋଟିଏ ପଟା ପକାଇ ଅନ୍ତତଃ ଭୋର ଯାଏ ସେଠି ଶୋଇ ଯିବା ପାଇଁ କେ ଯେଉଁ ଅନୁରୋଧ କଲା ସେ ସେଥିରେ ରାଜି ହୋଇଯିବ ବୋଲି ମନେ ହେଲା । କିନ୍ତୁ ମାଲିକାଣୀ ଏ କଥାର ପୂରା ବିରୋଧ କଲା; ସେ ତା’ର ପୋଷାକର ଏଠି ସେଠି ଚିମୁଟୁ ଥାଏ, ବୋଧହୁଏ କି ଅସନା ହୋଇଛି ସେ ପୋଷାକଟା ସେ ବର୍ତ୍ତମାନ ଦେଖି ବୁଝି ପାରିଥାଏ, ସେ ତାର ମୁଣ୍ଡ ହଲାଇବାରେ ଲାଗିଥାଏ; ଘରର ରୀତିନୀତି ସଂପର୍କୀୟ ବହୁଦିନର ଗୋଟିଏ କଳହ ପୁଣି ଆରମ୍ଭ ହେବାର ସୂଚନା ମିଳୁଥାଏ-। କେ.ର ଏହି କ୍ଲାନ୍ତ ଅବସ୍ଥାରେ ସେ ଦୁହିଁଙ୍କ ଭିତରେ ଚାଲିଥିବା କଥାବାର୍ତ୍ତା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଉଠିଲା । ତା’କୁ ଯଦି ଏଠାରୁ ତଡ଼ି ଦିଆଯାଏ, ସେ ଦୁର୍ଭାଗ୍ୟ ଏଯାଏଁ ଘଟିଥିବା ସବୁ ଘଟଣା ଅପେକ୍ଷା ଅଧିକ ମର୍ମନ୍ତୁଦ ହେବ । ଏପରି ଘଟିବାକୁ ସେ ଦେବନାହିଁ ନିଶ୍ଚୟ, ହୋଟେଲ-ମାଲିକ ଓ ମାଲିକାଣୀ ଯଦି ପୁଣି ମିଳିମିଶି ତା’ ବିରୁଦ୍ଧରେ ଯାଆନ୍ତି, ତେବେ ବି ନୁହେଁ । ପିମ୍ପା ଉପରେ ଗୁଞ୍ଜି ହୋଇ ବସି ସେ ଉଭୟଙ୍କର ଆଡ଼କୁ ଆଶାପୂର୍ଣ୍ଣ ଦୃଷ୍ଟିରେ ଅନାଇଁ ଥାଏ କିନ୍ତୁ ମାଲିକାଣୀ ଯାହାର ସ୍ପର୍ଶକାତରତା ଅତି ତୀବ୍ର ବୋଲି ସେ ଅନେକ ଆଗରୁ ଜାଣିଥିଲା ସେ ଆଗେଇ ଆସିଲା, ବୋଧହୁଏ ବର୍ତ୍ତମାନ ସେ ମାଲି ସାଙ୍ଗରେ ଅନ୍ୟ ବିଷୟ କଥାବାର୍ତ୍ତା ହେଉଥିଲା ଏବଂ କହିଲା: ‘‘କେମିତି ମୋ’ ଆଡ଼କୁ ଅନେଇଁଚି, ଦେଖ ! ଏଇ ମୁହୂର୍ତ୍ତରେ ତାକୁ ବାହାର କରି ଦିଅ ।’’ କିନ୍ତୁ ସୁଯୋଗ ଟିକିଏ ପାଇ ଯାଇ, ଏବେ ନିଜେ ସେଠାରେ ରାତିଟା ରହିବ ବୋଲି ନିଶ୍ଚିତ ହୋଇ, ଏତେ ବେଶୀ ନିଶ୍ଚିତ ହୋଇ ଯେ ପ୍ରାୟ ସେ ବିଷୟରେ ଉଦାସୀନ ହୋଇ ଉଠି କେ. କହିଲା: ‘‘ମୁଁ ତୁମକୁ ଅନାଉଁନାଇଁ, ଅନାଉଚି ଖାଲି ତମ ପୋଷାକକୁ ।’’ ‘‘ମୋ ପୋଷାକକୁ କାହିଁକି-?’’ –ଉତ୍ତୋଚିତ ହୋଇ ମାଲିକାଣୀ ପଚାରିଲା । କେ. କାନ୍ଧ ଦୋହଲାଇ ଜଣାଇଦେଲା ଯେ କିଛି ନାହିଁ, ଏମିତି । ‘‘ଆସ !’’ ମାଲିକାଣୀ ମାଲିକକୁ କହିଲା । ‘‘ତମେ କ‘ଣ ଦେଖି ପାରୁନି କେଡ଼େ ମାତାଲ୍‌ ଅବସ୍ଥାରେ ଅଛି ବଦ୍‌ମାସ୍‌ଟା ? ତା’ ନିଶା ଛାଡ଼ିଲା ଯାଏଁ ସେ ଶୋଉ, ଛାଡ଼ିଦିଅ ତାକୁ !’’ ଏବଂ ଏପରିକି ସେ ପେପିକୁ ମଧ୍ୟ ତା ଡାକ ଶୁଣି ଅନ୍ଧାର ଭିତରୁ ଝାମ୍ପୁରା ମୁଣ୍ଡ, ନିଦ ମଳମଳ ଆଖି, ହାତରେ ଗୋଟିଏ ଛାଞ୍ଚୁଣି ଧରି ପେପି ବାହାରି ଆସିଲା–ଯେ ପେପିକୁ ମଧ୍ୟ କହି ଦେଇ ଗଲା ତାକୁ କିଛି ଗୋଟାଏ ଗଦି ଦେଇ ଦେବାକୁ ।

 

କୋଡ଼ିଏ

 

କେ ଯେତେବେଳେ ଉଠିଲା ସେ ପ୍ରଥମେ ଭାବିଲା ଯେ ସେ ମୋଟେ ଶୋଇଁ ନାହିଁ; ରୁମଟା ଆଗଭଳି ଫାଙ୍କା ଓ ଉଷୁମ ଲାଗୁଥାଏ ଅନ୍ଧାରରେ କାନ୍ଥ ଗୁଡ଼ାକ ଦିଶୁନଥାଏ, ବୀୟର ଥିବା ଯାଗା ଉପରର ବଲ୍‌ବଟା ଲିଭି ସାରିଥାଏ; ଏବଂ ଝରକା । ବାହାରେ ଅନ୍ଧାର ଥାଏ । କିନ୍ତୁ ସେ ଯେତେବେଳେ ଅକସ ଭାଙ୍ଗିଲା, ଗଦିଟା ଖସିପଡ଼ିଲା ଏବଂ ଖଟ ପିମ୍ପାଗୁଡ଼ିକ କେଁ କେଁ ହେଲା, ପେପି ସେହିକ୍ଷଣି ଆସି ପହଞ୍ଚିଥିଲା, ଏବଂ ବର୍ତ୍ତମାନ ସେ ଜାଣିଲା ଯେ ସନ୍ଧ୍ୟା ହୋଇ ସାରିଲାଣି; ଏବଂ ସେ ବାର ଘଣ୍ଟାରୁ ଅଧିକ ସମୟ ଶୋଇ ପଡ଼ିଲା । ଦିନରେ ଅନେକ ଥର ହୋଟେଲ୍‌ ମାଲିକାଣୀ ତା’ କଥା ପଚାରୁଛି, ଗର୍‌ଷ୍ଟ୍ୟାକର୍‌ ମଧ୍ୟ, ଯେ କି ବିୟର ଥିବା ଜାଗାରେ ଅନ୍ଧାରରେ ଅପେକ୍ଷା କରିଥିଲା, ସକାଳେ ଯେତେବେଳେ କେ. ମାଲିକାଣୀ ସାଙ୍ଗରେ କଥାବାର୍ତ୍ତା କରୁଥିଲା, କିନ୍ତୁ ସେତେବେଳେ ସେ କେ.କୁ ହଇରାଣ କରିବାକୁ ସାହାସ କରିନଥିଲା, ଆଉଥରେ ସେ ଆସି କେ. କେମିତି ଅଛି ଦେଖି ଯାଇଥିଲା, ଏବଂ ଶେଷରେ ଏୟା ମଧ୍ୟ ଶୁଣାଗଲା ଯେ ଫ୍ରୀଡ଼ା ବି ଆସିଥିଲା; ଏବଂ ମୁହୁର୍ତ୍ତକ ପାଇଁ କେ ପାଖରେ ଠିଆ ହୋଇଥିଲା; ତଥାପି ସେ କେ. ପାଇଁ ସେଠିକି ଆସିନଥିଲା, କିନ୍ତୁ ସେଠି ଗୁଡ଼ାଏ ଜିନିଷ ପ୍ରସ୍ତୁତ କରି ରଖିବାକୁ ସେ ଆଣିଥିଲା କାରଣ ସନ୍ଧ୍ୟାରେ ସେ ତାର ପୁରୁଣା ଚାକିରୀ ପୁଣି ଆରମ୍ଭ କରିବା କଥା ଥିଲା । ‘‘ମୁଁ ଭାବୁଚି ସେ କ’ଣ ଆପଣଙ୍କୁ ଆଉ ଭଲପାଉନି ? ପେପି ପଚାରିଲା, କଫି ଓ କେକ୍‌ ରଖୁରଖୁ । କିନ୍ତୁ ସେ ଏକଥା ଆଉ ଘୃଣାର ସହିତ ପଚାରୁନଥିଲା, ଅତୀତରେ ଯେମିତି, ବରଂ ଦୁଃଖରେ ପଚାରୁଥିଲା ସତେ ଯେମିତି ସେ ଏହା ଭିତରେ ପୃଥିବୀର ସମସ୍ତ ଘୃଣା ବିଷୟ ଜାଣି ନେଇଛି; ଯେଉଁ ଘୃଣା ତୁଳନାରେ ଜଣକର ବ୍ୟକ୍ତିଗତ ସମସ୍ତ ଘୃଣା ବେକାର ଓ ଅର୍ଥହୀନ ହୋଇପଡ଼େ, ସେ କେ. ସାଙ୍ଗରେ କଥାବାର୍ତ୍ତା କରୁଥାଏ, ଯେମିତି କୋ ତାର ସମଦୁଖୀ ଏବଂ ଯେତେବେଳେ ସେ କଫି ଟିକିଏ ଚାଖିଲା, ଏବଂ ପେପି ଭାବିଲା ଯେ କଫିଟାର କେ. ପାଇଁ ଠିକ୍‌ ମିଠା ହୋଇନାହିଁ, ସେ ଦୌଡ଼ିଯାଇ ଚିନି ଭର୍ତ୍ତି ହୋଇଥିବା ଗିନାଟା ନେଇ ଆସିଲା ତାର ଦୁଃଖ ସତ୍ତ୍ୱେ ସେ ସୂତ୍ର କରି ବାହାରକୁ ପଳାଇ ଆସିବା ପାଇଁ ସମର୍ଥ ହୋଇଥିଲା, କିଛି ନ ହେଲେ ବି ଆଗ ଅପେକ୍ଷା ଅଧିକ ସଫଳ ଭାବରେ; ସେ ତା’ ବାଳରେ ଅନେକ ରକମର କଣ୍ଟା ରିବନ୍‌ ନାଇଥିଲା, କପାଳ ଉପର ଯାକ ବାଳ କୁଞ୍ଚି କୁଞ୍ଚି ହୋଇ ସଜଡ଼ା ହୋଇଥିଲା, ଏବଂ ବେକରେ ଝୁଲୁଥିଲା ଗୋଟିଏ ସରୁଚେନ୍‌, ସେଇଟି ତାର ତଳୁଆ କରି କଟା ହୋଇଥିବା ବ୍ଳାଉଜ୍‌ ଫାଙ୍କ ଉପରକୁ ଲମ୍ୱି ଆସିଥିଲା । ଏତେ ସମୟ ଶୋଇ ପଡ଼ିଥିବାରୁ ଏବଂ ବର୍ତ୍ତମାନ ଭଲ କପେ କଫି ପିଇବାକୁ ମିଳିଥିବାରୁ, କେ. କୁ ଆରାମ ଲାଗୁଥିଲା, ସେ ଧୀରେ ତାର ହାତ ବଢ଼ାଇ ପେପି ମୁଣ୍ଡର ଗୋଟିଏ କଣ୍ଟାକୁ ଖୋଲି ଦେବାକୁ ଚେଷ୍ଟା କଲା । ପେପି କ୍ଳାନ୍ତ ଗଳାରେ କହିଲା ‘‘ଛାଡ଼ନ୍ତୁ ମତେ,’’ ଏବଂ ତା ପାଖରେ ଗୋଟିଏ ପିମ୍ପା ଉପରେ ବସିପଡ଼ିଲା । ଏବଂ ଘଟଣା କ’ଣ ବୋଲି କେ.କୁ ପଚାରିବାକୁ ମଧ୍ୟ ଦରକାର ପଡ଼ିଲା ନାହିଁ, ସେ ତତ୍‌କ୍ଷଣାତ୍‌ କାହାଣୀଟା କହିବା ଆରମ୍ଭ କରିଦେଲା କହିଲାବେଳେ ଏକା ଲୟରେ କେ. ର କଫି ମରା ଭିତରକୁ ଅନାଇଁଥାଏ, ସତେ ଯେମିତି କଥା କହିଲା ବେଳେ ମଧ୍ୟ ତାର ଟିକିଏ ଖେଳିବା ଦରକାର, ସତେ ଯେମିତି ସେ ନିଜକୁ ତାର ସମସ୍ତ ଦୁଃଖକଷ୍ଟ ଭୋଗିବାକୁ ଛାଡ଼ି ଦେଇ ପାରୁନଥିଲା; ଏପରିକି ସେ ସେହି କଥା ଆଲୋଚନା କଲାବେଳେ ମଧ୍ୟ । କାରଣ ସେମିତି କରିବା ତା’ ଶକ୍ତିର ବାହାରେ । ପ୍ରଥମେ କେ. ଜାଣିବାକୁ ପାଇଲା ଯେ ପେପିର ଦୁଃଖକଷ୍ଟ ପାଇଁ ପ୍ରକୃତରେ ସେ ଦାୟୀ, କିନ୍ତୁ ସେଥିପାଇଁ ପେପିର ତା’ ପ୍ରତି କୌଣସି ଅସୁୟା ନଥିଲା । ଏବଂ ପେପି କଥା କହୁଥିଲା ବେଳେ ଉଦ୍‌ବିଗ୍ନ ଭାବରେ ମୁଣ୍ଡ ହଲାଉଥାଏ ଏଥିପାଇଁ ଯେ. କେ କୌଣସି ଆପତ୍ତି ନ ଉଠାଉ । ପ୍ରଥମ କଥା ହେଲା ସେ ମଦବିକା ଘରୁ ଫ୍ରୀଡ଼ାକୁ ନେଇ ପଳାଇଥିଲା ଏବଂ ତା ଫଳରେ ପେପିର ଉନ୍ନତି ସମ୍ଭବ ହେଲା । ଫ୍ରୀଡ଼ା ତା’ ଚାକିରୀ ଛାଡ଼ିଦେବା ଭଳି ପରିସ୍ଥିତି ଅନ୍ୟ କୌଣସି ଉପାୟରେ ସୃଷ୍ଟି କରାଯାଇ ପାରିନଥାନ୍ତା, ବୁଢ଼ିଆଣୀ ତା’ ନିଜ ଜାଲରେ ବସିଥିଲା ଭଳି ସେ ମଦବିକା ଘରେ ଠାକି ରହିଥିଲା, ସବୁତକ ସୂତା ଥିଲା ତା’ ହାତରେ ଯେଉଁ ସୂତା ଗୁଡ଼ାକ ବିଷୟରେ ତା’ଛଡ଼ା ଅନ୍ୟ କେହି ଜାଣିନଥିଲେ; ତା’ ଇଚ୍ଛା ବିରୁଦ୍ଧରେ ତାକୁ ସେଠାରୁ କାଢ଼ି ଆଣିବା ବହୁତ କଷ୍ଟକର ହୋଇଥାନ୍ତା, କେବଳ ଜଣେ ନୀଚସ୍ତରରେ ଲୋକ ପ୍ରତି ପ୍ରେମ, ମାନେ ଏମିତି କିଛି ଯାହାକି ତାର ସମକକ୍ଷ ନୁହେଁ, ଏମିତି କିଛି ହିଁ ତାକୁ ସେ ଜାଗାରୁ ବାହାର କରି ଦେଇ ପାରିଥାନ୍ତା । ଆଉ ପେପି ସେ କ’ଣ କେବେ ଭାବିଥିଲା, ସେ ସ୍ଥାନଟା ପାଇବ ବୋଲି ? ସେ ଥିଲା ଗୋଟିଏ ଚାମ୍ୱର ମେଡ଼, ନଗଣ୍ୟ ଚାକିରୀ, ଭିବଷ୍ୟତ କିଛି ନାହିଁ, ଅନ୍ୟାନ୍ୟ ଝିଅମାନଙ୍କ ପରି ସେ ମଧ୍ୟ ବିରାଟ ଭବିଷ୍ୟତରେ ସ୍ୱପ୍ନ ଦେଖୁଥିଲା, ସ୍ୱପ୍ନ ଦେଖିବାରୁ ତ କେହି ନିଜକୁ ଅଟକାଇ ଦେଇପାରିବେ ନାହିଁ, କିନ୍ତୁ ସଂସାରରେ ଚଳିବା କଥା ସେ କେବଳ ନିବିଡ଼ ଭାବେ ଚିନ୍ତା କରିନଥିଲା, ଯେଉଁ ଚାକିରୀରରେ ସେ ଥିଲା ସେଥିରେ ସେମିତି ରହିଯିବ ବୋଲି ସେ ଭାବି ନେଇଥିଲା । ଏବଂ ବର୍ତ୍ତମାନ ଫ୍ରୀଡ଼ା ହଠାତ୍‌ ମଦବିକାରୁ ଉଭାନ ହୋଇଗଲା, ଘଟଣାଟା ଏତେ ଅକସ୍ମାତ ଘଟିଗଲା ଯେ ସେ ମୂହୁର୍ତ୍ତରେ ହୋଟେଲ୍‌ ମାଲିକ ଉଚିତ ବିକଳ୍ପଟିଏ ଯୋଗାଡ଼ କରିପାରିଲା ନାହିଁ, ସେ ଚାରିଆଡ଼େ ଆଖି ପକାଇଲା, ଏବଂ ତା’ ଆଖି ପେପି ଉପରେ ପଡ଼ିଲା । ଏକଥା ଅବଶ୍ୟ ମାନିବାକୁ ହେବ, ଯେ ପେପି ଏମିତି ଭାବରେ ଠେଲି ହୋଇ ଆଗକୁ ପଳାଇ ଆସିଥିଲା, ଯେମିତି ଦୃଷ୍ଟି ତା’ ଉପରେ ପଡ଼ିବ । ସେ ସମୟରେ ସେ କେ. କୁ ଭଲ ପାଉଥିଲା, ଆଗରୁ କାହାକୁ କି ସେ ଏମିତି ଭଲ ପାଇନଥିଲା, ମାସ ମାସ ଧରି ସେ ତାର ଛୋଟ ଅନ୍ଧାରୁଆ ରୁମଟାରେ ପଡ଼ିଥାଏ, ବର୍ଷ ବର୍ଷ ସେଠି ସେମିତି କଟାଇ ଦେବାକୁ ପ୍ରସ୍ତୁତ ଥାଏ କିମ୍ୱା ଯଦି ତା ଭାଗ୍ୟ ଏତେ ଖରାପ, ସାରା ଜୀବନ ହଠାତ୍‌ କେ; ଆସି ପହଞ୍ଚିଗଲା, ବୀର ପୁରୁଷ କେ. ଦୁଃଖିନୀ କନ୍ୟାମାନଙ୍କୁ ଉଦ୍ଧାର କରିବା ପାଇଁ, ଏବଂ ଉପର ମହଲାର ରାସ୍ତା ତା’ ପାଇଁ ସେ ଖୋଲି ଦେଲା । ସତ କଥା ସେ ପେପି ବିଷୟରେ କିଛି ଜାଣିନଥିଲା, ସେ ତା ପାଇଁ ସେ କଥା କରିନଥିଲା, ତଥାପି ପେପିର କୃତଜ୍ଞତା କମିଯାଇନଥିଲା, ଯେଉଁ ଦିନ ରାତିରେ ଚାକିରୀଟା ହେଲା-ଚାକିରୀଟା ନିଶ୍ଚିତ ହୋଇନଥିଲା, ତେବେ ବି ହୋଇଯିବାର ବହୁତ ସମ୍ଭାବନା ଥିଲା-ସେ କେ. ସାଙ୍ଗରେ ଘଣ୍ଟା ଘଣ୍ଟା ଧରି ଚପିଲା, ତା’ କାନରେ ଫିସ୍‌ ଫିସ୍‌ ହୋଇ ଧନ୍ୟବାଦ ଅଜାଡ଼ି ଦେଲା । ଏବଂ କେ. ଯାହାର ଭାର ନିଜ ମୁଣ୍ଡକୁ ନେଲା, ସେ ଆଉ କେହି ନୁହେଁ କେବଳ ଫ୍ରୀଡ଼ା ହୋଇଥିବ ପେପି ଆଖିରେ କଥାଟା ବହୁତ ବଡ଼ ଦିଶିଲା; ପେପି ପାଇଁ ରାସ୍ତା କରି ଦେବାକୁ ଯାଇ ଫ୍ରୀଡ଼ାକୁ ରକ୍ଷିତା କରି ନେବାରେ ଏକ ପ୍ରକାର ରହସ୍ୟମୟ ସ୍ୱାର୍ଥତ୍ୟାଗ ନିହିତ ଥିଲା । ଫ୍ରୀଡ଼ା, ଅତି ସାଧାରଣ ଝିଅଟେ, ବୟସ ହୋଇ ଆସୁଛି, ହାଡ଼ିଆ ଚେହେରା, ମୁଣ୍ଡବାଳ ଛୋଟ ଓ ପତଳା, ସେଥିରେ ପୁଣି ଚୋର ମୁହଁ, ସବୁବେଳେ କଥା ଲୁଚାଉଥିବ, ସେ କଥାଟାରେ ବୋଧହୁଏ କୌଣସି ବାଟରେ ତାର ଚେହେରା ସାଙ୍ଗରେ ସଂପର୍କ ଅଛି, ତା’ ମୁହଁ ଦେହରେ ଯଦି ତାର ଦୁଃସ୍ଥିତି ସ୍ପଷ୍ଟ ଫୁଟି ଉଠୁଥାଏ, ସେ ଆହୁରି ଅନେକ କଥା ଲୁଚାଉଥିବ, ଯେଉଁ କଥା କେହି କେବେ ଜାଣି ପାରିବେନାହିଁ, ଯଥା କ୍ଳାମ୍‌ଙ୍କ ସାଙ୍ଗରେ ତାର କାରବାର କଥା ଯାହା କୁହାଯାଏ । ଏବଂ ସେ ସମୟରେ ଏକପ୍ରକାର ଚିନ୍ତା ମଧ୍ୟ ପେପି ମୁଣ୍ଡକୁ ଜୁଟୁଥିଲା କେ. ଫ୍ରୀଡ଼ାକୁ ଭଲ ପାଉଚି, ଏହା କ’ଣ ସମ୍ଭବ, ସେ କ’ଣ ନିଜକୁ ଠକୁ ନାହିଁ, କିମ୍ୱା ସେ ବୋଧହୁଏ ଫ୍ରୀଡ଼ାକୁ ହିଁ ଠକି ଦେଉଛି, ଏବଂ ଏ ସବୁଥିର ଫଳ ସ୍ୱରୂପ ବୋଧହୁଏ ଆଉ କିଛି ଘଟିବ ନାହିଁ, ଖାଲି କ’ଣ ପେପିର ସାଂସାରିକ ଉନ୍ନତି ହେବ, ଏବଂ ତା’ପରେ କ’ଣ କେ. ନିଜର ଭୁଲଟା ଲକ୍ଷ୍ୟ କରିପାରିବ, ଏବଂ କଥା ଲୁଚାଇ ରଖିବାକୁ ସେ ଆଉ ଚେଷ୍ଟା କରିବ ନାହିଁ, ଖାଲି ପେପି ସାଙ୍ଗରେ ଦେଖା କରିବ ? ଏମିତି ଭାବିବା ପେପି ପକ୍ଷରେ ଅହଙ୍କାର ନହୋଇପାରେ, ପାଗଳାମି ନ ହୋଇପାରେ, କାରଣ ଫ୍ରୀଡ଼ା ଯେତେଦୂର ସଂପୃକ୍ତ, ସେଥିରେ ପେପି ତାର ସମକକ୍ଷ ଇଏ ଜଣେ ଝିଅ, ଏକଥା କହି ମନାକରି ପାରିବେନାହିଁ । ଏବଂ ସେତେବେଳେ ଫ୍ରୀଡ଼ାର ଚାକିରୀ ଓ ସେ ଚାକିରୀକୁ ଫ୍ରୀଡ଼ା ଯେଉଁ ଗୌରବ ମର୍ଯ୍ୟାଦା ଆଣି ଦେଇଥିଲା, ସେଥିରେ ହିଁ ମୂଳତଃ କେ. ମୁଗ୍‌ଧ ଚକିତ ହୋଇ ପଡ଼ିଥିଲା । ଏବଂ ତେଣୁ ପେପି ସ୍ୱପ୍ନ ଦେଖୁଥିଲା ଯେ ସେ ସେହି ଚାକିରୀଟା ପାଇଗଲେ କେ. ତା ପାଖକୁ ମାଗି ଯାଚି ହୋଇ ଆସିବ । ଏବଂ ସେତେବେଳେ ସେ ତା ବାଟ ବାଛିନେବ, ଏକେ କେ.ର ପ୍ରାର୍ଥନା ଶୁଣି ଚାକିରୀଟା ହରାଇବ, କିମ୍ୱା କେ. କୁ ପରିତ୍ୟାଗ କରି ଚାକିରୀରେ ଆହୁରି ଉନ୍ନତି କରିବ । ଏବଂ ସେ ମନେ ମନେ ଯୋଜନା କରି ସାରିଥିଲା ଯେ ସେ ସବୁ କିଛି ଛାଡ଼ି ଛୁଡ଼ି ଦେଇ ନିଜକୁ ଖସାଇ ଆଣିବ କେ. ର ସ୍ତରକୁ ଏବଂ ସଚ୍ଚା ପ୍ରେମ କ’ଣ ତାକୁ ଶିଖାଇବ, ଯାହାକି ପୃଥିବୀର ସମସ୍ତ ମର୍ଯ୍ୟାଦାକୁ ଶୃଙ୍ଖଳରୁ ମୁକ୍ତ । କିନ୍ତୁ ଘଟଣାସବୁ ଅନ୍ୟ ପ୍ରକାରେ ଘଟିଲା । ଏବଂ ସେଥିପାଇଁ କିଏ ଦୋଷୀ ? ସର୍ବୋପରି କେ. ଏବଂ ତା’ପରେ ଅବଶ୍ୟ ଫ୍ରୀଡ଼ାର କୌଶଳ । ସର୍ବୋପରି କେ । କାରଣ ସେ କ’ଣ ଚାହୁଁଥିଲା, କି ପ୍ରକାର ଆଶ୍ଚର୍ଯ୍ୟ ଲୋକ ସେ ? ସେ କ’ଣ ହାସଲ କରିବାକୁ ଚେଷ୍ଟା କରୁଥିଲା, ଏମିତି କି ସବୁ ଜରୁରୀ ବିଷୟ ଥିଲା ଯେଉଁଥିରେ ସେ ବ୍ୟସ୍ତ ରହୁଥିଲା, ଏବଂ ଯାହା କିଛି ଅତି ନିକଟରେ, ସବୁଠାରୁ ଭଲ ଏବଂ ସବୁଠାରୁ ସୁନ୍ଦରଜିନିଷ, ସେ ସବୁ ଭୁଲି ଯାଉଥିଲା ? ପେପିକୁ ବଳି ପଡ଼ିବାକୁ ହେଲା ଏବଂ ସବୁ କଥା ବେକାର ହୋଇଗଲା, ନଷ୍ଟ ହୋଇଗଲା, ଏବଂ ଯଦି ବାହାର ଶକ୍ତିଥାଏ ହେରେନ୍‌ହଫ୍‌ରେ ନିଆଁ ଲଗାଇଦେବାର ସେଟାକୁ ଜାଳିପୋଡ଼ି ଧ୍ୱଂସ କରିଦେବାର, ଯାହା ଫଳରେ କି ସେଟାର ଚିହ୍ନବର୍ଣ୍ଣ ରହିବ ନାହିଁ, ଚୁଲିରେ ଟୁକୁରାଏ କାଗଜ ଭଳି ପୋଡ଼ି ଦେବାର, ସେହ ଲୋକ ଆଜି ହେବ ପେପି ମନ ଲୋଭା ପ୍ରେମିକ । ବାସ୍‍, ପେପି ନାଚଘର ଭିତରକୁ ଆସିଲା, ଚାରିଦିନ ଆଗେ ମଧ୍ୟାହ୍ନଭୋଜନ ବେଳର ଠିକ୍‌ ପୂର୍ବରୁ । ଏଠି କାମ ଦାମ ସେମିତି କିଛି ସହଜ ନୁହେଁ; ପରିଶ୍ରମ ମଣିଷକୁ ପ୍ରାୟ ମାରିଦେବ, କିନ୍ତୁ ସେଥିରୁ ଅନେକ କିଛି ପାଇବାର ମଧ୍ୟ ଥାଏ । ଅତୀତରେ ବି ପେପି କେବଳ ବର୍ତ୍ତମାନ ପାଇଁ ବଞ୍ଚୁନଥିଲା, ଏବଂ ତାର ସବୁଠାରୁ ପାଗଳ ସ୍ୱପ୍ନରେ ମଧ୍ୟ ସେ ଭାବିନଥିଲା ଯେ ସେ ଏକପ୍ରକାର ଚାକିରୀଟାଏ ପାଇବ, ତଥାପି ସେ ଅନେକ ଜିନିଷ ଲକ୍ଷ୍ୟ କରିଥିଲା; ସେ ଜାଣିଥିଲା ଏ ଚାକିରୀରେ କ’ଣ ସବୁ କରିବାକୁ ହେବ ସେ ଆଗରୁ ପ୍ରସ୍ତୁତ ନ ହୋଇ ଚାକିରୀଟା ଗ୍ରହଣ କରିନଥିଲା, ଆଗରୁ ପ୍ରସ୍ତୁତ ନ ହୋଇଥିଲେ ପ୍ରଥମ କେଇ ଘଣ୍ଟା ଭିତରେ ହିଁ ଚାକିରୀଟା ଚାଲିଯିବ । ବିଶେଷ କରି ଜଣେ ଚାମ୍ୱର ମେଡ଼୍‌ ହିସାବରେ ଜଣେ ଯଦି ଏଠି ବ୍ୟବହାର କରିବ ! ଜଣେ ଚାମ୍ୱର ମେଡ଼୍‌ ଭାବରେ ଯେ କେହି ସମୟ ଆସିଗଲେ ବୁଝି ପାରିବ ଯେ ସେ ଗଲା, ମରି ହଜି ଗଲା; ଗୋଟାଏ ଖଣି ଭିତରେ କାମ କଲା ଭଳି ଇଏ, ଅନ୍ତତଃ ସଚିବମାନଙ୍କ ବାରନ୍ଦାରେ କାରବାର ସବୁ ଏମିତି, ଦିନ ଦିନ ସେଠି ଏମିତି ସରିଯାଏ; ଖାଲି ଦିନ ବେଳାର ଦରଖାସ୍ତକାରୀ କେତେଜଣ ଭିତରକୁ ବାହାରକୁ ଦୌଡ଼ା ଦୌଡ଼ି କରୁଥାନ୍ତି, ମୁହଁ ଟେକି ଅନାଇଁବାକୁ ସେମାନଙ୍କର ସାହସ ନଥାଏ, ସେମାନଙ୍କ ଛଡ଼ା ଆଉ କାହାକୁ ଦେଖିବାକୁ ମିଳେନା, ଦୁଇ ତିନି ଜଣ ଚାମ୍ୱରମେଡ଼୍‌ଙ୍କ ଛଡ଼ା ଆଉ କେହି ନଥାନ୍ତି, ଏବଂ ସେମାନେ ମଧ୍ୟ ସେମିତି ବିରକ୍ତ । ସକାଳେ ତମେ ରୁମ୍‌ ଛାଡ଼ି ମୋଟେ ଯାଇ ପାରିବ ନାହିଁ, ସେତେବେଳେ ସଚିବମାନେ ଏକା ରହିବାକୁ ଚାହାଁନ୍ତି, ପୁରୁଷ ଚାକରମାନେ ରୋଷାଇ ଘରୁ ସେମାନଙ୍କ ପାଇଁ ଖାଇବା ଜିନିଷ ଆଣି ଦିଅନ୍ତି, ସେ କାମରେ ଚାମ୍ୱର ମେଡ଼୍‌ମାନଙ୍କର ପ୍ରାୟ କୌଣସି ହାତ ନଥାଏ, ଏବଂ ଖିଆ ପିଆ ସମୟରେ ମଧ୍ୟ କେହି ବାରନ୍ଦାରେ ବୁଲା ଚଲା କରି ପାରିବେ ନାହିଁ । ଭଦ୍ରଲୋକମାନେ ଯେତେବେଳେ କାମ କରୁଥାନ୍ତି, କେବଳ ସେତେବେଳେ ହିଁ ଜଣେ ରୁମ୍‌ ସଫାସଫି କରି ପାରିବ ନାହିଁ, ପୁଣି କେବଳ ସେମାନେ ତାହା କରି ପାରିବେ, ଏବଂ ସେ କାମ ଅତି ଚୁପ୍‌ଚାପ୍‌ କରିବାକୁ ପଡ଼ିବ, ଯାହା ଫଳରେ ଭଦ୍ରଲୋକମାନଙ୍କ କାମରେ କୌଣସି ବ୍ୟାଘାତ ସୃଷ୍ଟି ହେବ ନାହିଁ । କିନ୍ତୁ ଭଦ୍ରଲୋକମାନଙ୍କ ଯେତେବେଳେ ଏକାଦି କ୍ରମେ ଅନେକ ଦିନ ଧରି ରୁମ୍‌ରେ ରହିଥାନ୍ତି, ସେଠି ସଫା ସଫି କାମ କେମିତି ଚପୁ୍‌ଚାପ୍‌ ହେବ ? ଏବଂ ପୁରୁଷ ଚାକର ଗୁଡ଼ାକ, କି ଅସନା ଲୋକ ପଂଝାଏ ସେମାନେ, ସେଠି ଲଙ୍ଗରପଙ୍ଗର ହେଉଥାନ୍ତି, ଏବଂ ଚାମ୍ୱରମେଡ଼୍‌ଟିକୁ ଯେତେବେଳେ ଶେଷରେ ରୁମ୍‌ ଭିତରେ ପଶିବାକୁ ଦିଆଯାଏ, ରୁମ୍‌ଟା ଏତେ ଅସନା ହୋଇ ପଡ଼ିଥାଏ ଯେ ପ୍ରଳୟବନ୍ୟା ମଧ୍ୟ ସେଟାକୁ ସଫା କରିଦେଇ ପାରିବ ନାହିଁ । ସତକଥା, ସେମାନେ ଉଚ୍ଚପଦସ୍ଥ ଭଦ୍ରଲୋକ, କିନ୍ତୁ ସେମାନଙ୍କର ରୁମ୍‌ ସଫା କରିବା ପାଇଁ, ନିଜର ଘୃଣା ଓ ବିରକ୍ତିକୁ ଜୟ କରିବା ପାଇଁ, ଜଣକୁ ବହୁତ ଚେଷ୍ଟା କରିବାକୁ ପଡ଼େ । ଚାମ୍ୱର ମେଡ଼୍‌ମାନଙ୍କର ଯେ ବହୁତ ଗୁଡ଼ାଏ କାମ ଥାଏ, ତାହା ନୁହେଁ, କିନ୍ତୁ କାମଟା ଭାରି କଷ୍ଟ । ଏବଂ ବିପଦ ସହାନୁଭୂତି ସୂଚକ କଥା ନାହିଁ ଖାଲି ଗାଳି, ବିଶେଷ କରି ଏହି କଥା, ଯାହାକି ସବୁଠାରୁ କଷ୍ଟଦାୟକ, ସବୁବେଳେ ଶୁଣିବାକୁ ମିଳେ, ରୁମ୍‌ ସଫା ସୁଫି କଲାବେଳେ ଫାଇଲ୍‌ ପତ୍ର ହଜି ଯାଇଛି । ପ୍ରକୃତରେ କେବେ କିଛି ହଜିଯାଏ ନା, ପ୍ରତି କାଗଜ ଟୁକୁରାଟି ମାଲିକଙ୍କ ହାତରେ ଦେଇ ଦିଆଯାଏ, କିନ୍ତୁ ଫାଇଲ୍‌ ପତ୍ର ଅବଶ୍ୟ ପ୍ରକୃତରେ ଥରେ ହଜିଗଲା, କେବଳ ଏତିକି ଯେ ସେଥିରେ ଚାମ୍ୱରମେଡ଼୍‌ ଦୋଷ ନଥିଲା । ଏବଂ ତାପରେ କମିସନ୍‌ମାନ ବସା ହେଲା, ସେମାନେ ଆସିଲେ, ଏବଂ ଚାମ୍ବରମେଡ଼୍‌ମାନଙ୍କୁ ରୁମ୍‌ ଛାଡ଼ି ଚାଲିଯିବାକୁ ପଡ଼ିଲା, ଏବଂ କମିସନ୍‌ର ସଭ୍ୟମାନେ ଶେଯ ତିକିଆ ଘାଣ୍ଟି ପକାଇଲେ, ଝିଅ ଗୁଡ଼ାଙ୍କର ଜିନିଷପତ୍ର ବୋଲି କିଛି ନଥିଲା ଅବଶ୍ୟ, ଯେଉଁ ଅଳ୍ପ କେତେଟା ଜିନିଷ ସେଗୁଡ଼ିକ ସବୁ ଗୋଟିଏ ବାସ୍‌କେଟ୍‌ରେ ରଖି ଦେଇ ହେବ, ତଥାପି କମିସନ୍‌ ଘଣ୍ଟା ଘଣ୍ଟା ଧରି ଖୋଜା ଚଳାଇଲେ-। ସ୍ୱାଭାବିକ କଥା, ସେମାନେ କିଛି ପାଇଲେ ନାହିଁ । ଫାଇଲ୍‌ପତ୍ର ସେଠାକୁ ବା କେମିତି ଆସିବ ? ଫାଇଲ୍‌ ପତ୍ରରେ ମେଡ଼୍‌ମାନଙ୍କର କ’ଣ ଯାଏ ଆସେ ? କିନ୍ତୁ ଏ ସବୁର ଫଳା ଫଳ ସବୁବେଳେ ସେୟା ହୁଏ, କିମିସନ୍‌ ହତାଶ ହୋଇ ଗାଳି ଗୁଲିନ କରନ୍ତି, ଧମକ ଦିଅନ୍ତି, ମାଲିକ ମଧ୍ୟ । ଏବଂ କେବେ ହେଲେ ଟିକିଏ ଶାନ୍ତି ନାହିଁ, ରାତିରେ ନୁହେଁ, ଅଧରାତି ଯାଏଁ ପାଟିତୁଣ୍ଡ, ସକାଳ ହେଉ ହେଉ ପାଟିତୁଣ୍ଡ । ଖାଲି ଅନ୍ତତଃ ଯଦି ସେଠି ରହିବାକୁ ନ ପଡ଼ନ୍ତା, କିନ୍ତୁ ରହିବାକୁ ପଡ଼େ, କିନ୍ତୁ ବିଭିନ୍ନ ସମୟରେ ବିଶେଷ କରି ରାତିବେଳା, ରୋଷାଇ ଘରୁ ଜଳଖିଆ କୁହାଗଲା ଚାମ୍ୱରମେଡ଼୍‌ମାନଙ୍କୁ ସେ ସବୁ ଆଣିବାକୁ ପଡ଼େ । ଯେତେବେଳେ ନାହିଁ ଚାମ୍ୱରମେଡ଼୍‌ କବାଟ ଖଟ୍‌ ଖଟ୍‌ ହେଲା ତ କ’ଣ ଆଣିବାକୁ ହେବ ଶୁଣିଦେଇ ଦେ’ ଦୌଡ଼ି ରୋଷାଇ ଘରକୁ, ବାସନ ଧୂଆ ଲୋକୁ ତରବର କର, ଚାମ୍ୱର ମେଡ଼୍‌ର ଦ୍ୱାର ଆଗରେ ମଗା ହୋଇଥିବା ଜିନିଷ ସଜା ସଜି କରି ଟ୍ରେରେ ରଖ, ସେଠାରୁ ପୁରୁଷ ଚାକରମାନେ ନେଇ ଆସିବେ–କି ହଇରାଣିଆ କଥା ଏ ସବୁ । କିନ୍ତୁ ସବୁଠାରୁ ଖରାପ କଥା ସେୟା ନୁହେଁ । ସବୁଠାରୁ ଖରାପ ବେଳ ହେଲା ଯେତେବେଳେ କେହି କିଛି ମାଗୁନଥିବେ, ମାନେ, ଯେତେବେଳେ ଅଧରାତିରେ ସମସ୍ତେ ଶୋଇ ପଡ଼ିଥିବା କଥା ଏବଂ ଅଧିକାଂଶ ପ୍ରକୃତରେ ଶୋଇ ପଡ଼ିଥାନ୍ତି, ସେତେବେଳେ ଦିନେ ଦିନେ ଚାମ୍ୱର ମେଡ଼୍‌ ମାନଙ୍କ ରୁମ୍‌ ଆଗରେ କେହି କେହି ତ ଚୁପ୍‌ଚାପ୍‌ ଏପାଖ ସେପାଖ ହେଉଥିବେ ତାପରେ ଝିଅ ଗୁଡ଼ାକ ଶେଷ ଛାଡ଼ି ଉଠି ଆସିବେ–ସେମାନଙ୍କର ଶୋଇବା ଯାଗା ଗୋଟିଏ ପରେ ଗୋଟିଏ ଭଡ଼ି ଭଳି ବ୍ୟବସ୍ଥା କରାଯାଇଥାଏ, କାରଣ ସେଠାରେ ଯାଗା ବହୁତ କମ୍‌, ଯେଉଁ ରୁମ୍‌ ସେମାନଙ୍କୁ ମିଳିଥାଏ, ସେଟା ପ୍ରକୃତରେ ତିନି ଭାଡ଼ି ବାଲା ଗୋଟାଏ ବଡ଼ ଆଲ୍‌ମାରି ଭଳି ହେବ–କବାଟରେ କାନପାତି ଶୁଣିବେ, ଆଣ୍ଠେଇ ପଡ଼ିବେ, ଭୟରେ ପରସ୍ପରକୁ କୁଣ୍ଢାଇ ଧରିବେ । ଏବଂ ଯେ କେହି କବାଟ ସେ ପାଖରେ ଏପାଖ ସେପାଖ ହେଉଥାଉ ନା କାହିଁକି, ତା’ କଥା ସବୁବେଳେ ଶୁଣି ହେଉଥିବ । ସେ ଯଦି ଭିତରକୁ ପଶି ଆସିଲା ତ କାମ ଫତେ, ସମସ୍ତେ ସେଥିପାଇଁ କୃତଜ୍ଞ କରିବେ, କିନ୍ତୁ କିଛି ଘଟିବ ନାହିଁ, କେହି ଭିତରକୁ ଆସିବେ ନାହିଁ । ଏବଂ ତତ୍‌ ସଙ୍ଗେ ସଙ୍ଗେ ମାନିବାକୁ ପଡ଼ିବ ଯେ ତା’ ଉପରକୁ ସେମିତି କିଛି ବିପଦ ଆସୁନାହିଁ, ବୋଧହୁଏ କେହି ଜଣେ କବାଟ ସେପାଖରେ କେବଳ ଏପଟ ସେପଟ, ବୁଲାଚଲା କରୁଛି, କିଛି ଗୋଟା, ଜିନିଷ ମାଗିବାପାଇଁ ମନେ ମନେ ଠିକ୍‌ କରୁଛି, ଏବଂ ତା’ ପରେ ଶେଷରେ କିଛି ଠିକ୍‌ କରି ପାରୁନାହିଁ । କଥାଟା ବୋଧହୁଏ ସେତିକି, କିନ୍ତୁ ପୂରା ଅଲଗା ରକମର ହୋଇ ପାରିଥାଏ ମଧ୍ୟ । କାରଣ ପ୍ରକୃତରେ ଭଦ୍ରଲୋକମାନଙ୍କୁ ତ ଜଣେ ଜାଣିନଥାଏ ସେମାନଙ୍କୁ ଭଲକରି ତ ଦେଖି ହୋଇ ନଥାଏ-। ସେ ଯାହାହେଉ, ରୁମ୍‌ ଭିତରେ ଝିଅ ଗୁଡ଼ାକର ଆତଙ୍କରେ ମୂର୍ଚ୍ଛାହେବା ଅବସ୍ଥା, ଏବଂ ଶେଷରେ ଯେତେବେଳେ ପୁଣି ସବୁ ଚୁପ୍‌ଚାପ୍‌ ହୋଇଯାଏ, ସେମାନେ କାନ୍ଥ ଦେହରେ ଆଉଜି ପଡ଼ନ୍ତି, ଶୋଇବା ଯାଗାକୁ ଫେରି ଆସିବାପାଇଁ ସେମାନଙ୍କର ଯଥେଷ୍ଟ ବଳ ଆଉ ନଥାଏ । ଏହି ପ୍ରକାର ଜୀବନକୁ ପୁଣି ପେପିର ଫେରିବାର ଥିଲା, ଏହି ସନ୍ଧ୍ୟାରେ ହିଁ, ତା’ର ମେଡ଼୍‌ମାନଙ୍କର ରୁମ୍‍ରେ ବାହୁଡ଼ି ଯିବାର କଥା । ଏବଂ କାହିଁକି ? କେ ଆଉ ଫ୍ରୀଡ଼ାଙ୍କ ଯୋଗୁଁ । ପୁଣି ସେହି ପୁରୁଣା ଜୀବନକୁ, ଯେଉଁଥିରୁ ସେ ଏକମାତ୍ର ଖସି ଆସିଥିଲା କି ନାହିଁ, ଯେଉଁଥିରୁ ସତରେ ସେ ଖସି ଆସିଥିଲା କେ ର ସାହାଯ୍ୟରେ, ଏବଂ ଆହୁରି ମଧ୍ୟ ନିଜେ ପ୍ରଚୁର ଚେଷ୍ଟା କରି । କାରଣ ସେ ଚାକିରୀରେ ଝିଅଗୁଡ଼ାକ ନିଜ ନିଜ ପ୍ରତି ବହୁତ ଅବହେଳା କରନ୍ତି, ଏପରିକି ଯେଉଁମାନେ ଅନ୍ୟଥିରେ ବେଶ୍ ସତର୍କ ଓ ଶୃଙ୍ଖଳିତ, ସେମାନେ ବିସ କାହାପାଇଁ ସେମାନେ ନିଜକୁ ଫୂର୍ତ୍ତବାଜ୍‌ କରାଇ ହେବେ ? କେହି ସେମାନଙ୍କୁ ଦେଖନ୍ତି ନାହିଁ, ଖୁବ୍ ବେଶୀରେ ରୋଷଇଘରେ କାମ କରୁଥିବା ଲୋକେ କେବଳ ଦେଖନ୍ତି, ଏବଂ ସେତିକି ଯାହାପାଇଁ ଯଥେଷ୍ଟ, ସେ ନିଜେ ସଜାଇ ହେଉ, କିଏ ମନା କରୁଛ ? କିନ୍ତୁ ଅନ୍ୟମାନେ ସବୁବେଳେ ସେମାନଙ୍କର ଛୋଟିଆ ରୁମ୍‍ଟି ଭିତରେ ଥିବେ କିମ୍ବା ଭଦ୍ରଲୋକମାନଙ୍କ ରୁମ୍‍ରେ ଥିବେ, ଯଉଁଠି ସଫା ଲୁଗା ପିନ୍ଧି ପଶିବା ଏକ ରକମର ପାଗଳାମି ଏବଂ ବେକାର କଥା । ଏବଂ ସବୁବେଳେ କୃତ୍ରିମ ଆଲୁଅ ତଳେ, ସେହି ନିଃଶ୍ୱାସ ରୁନ୍ଧି ହୋଇଯାଇଥିବା ପରିବେଶରେ–ସବୁବେଳେ ଯେ ନିଆଁ ଜଳୁଥାଏ–ଏବଂ ସବୁବେଳେ ପ୍ରକୃତ କ୍ଳାନ୍ତ ଅବସ୍ଥାରେ । ସପ୍ତାହରେ ଯେଉଁ ଗୋଟିକ ଉପରଓଳି ଛୁଟି ମିଳେ, ସେଇଟି ରୋଷାଇଘର ଗୋଟିଏ କଣରେ ନିର୍ଭୟରେ ଶୋଇ ରହି କଟାଇଦେବା ସବୁଠାରୁ ଭଲ । ତେବେ ଜଣେ ନିଜକୁ ସଜେଇବ କଣ ପାଇଁ ? ହଁ, ଜଣେ ଭଲ ପିନ୍ଧାପିନ୍ଧି କରିବା ଦିଗରେ ପ୍ରାୟ ନଜର ଦିଏ ନାହିଁ । ଏବ ବର୍ତ୍ତମାନ ପେପିକୁ ହଠାତ୍‌ ମଦବିକା ଘରକୁ ବଦଳି କରିଦିଆଯାଉଥିଲା, ଯେଉଁଠିକି ଜଣେ ତା’ର ସ୍ଥିତି ବଜାୟ ରଖିବାକୁ ଚାହିଁଲେ, ଠିକ ଓଲଟା ଟା ହିଁ ତା’ର କରିବା ଦରକାର ଯେଉଁଠି ଜଣକୁ ସମସ୍ତଙ୍କ ଆଗରେ ଠିଆ ତା’ର କରିବା ଦରକାର ଯେଉଁଠି ଜଣକୁ ସମସ୍ତଙ୍କ ଆଗରେ ଠିଆ ହେବାକୁ ପଡ଼ିବେ;ଏବଂ ସେମାନଙ୍କ ଭିତରେ ବେଶ ନିଠେଇ ଦେଖୁଥିବା ଭଦ୍ରଲୋକମାନେ ଥିବେ; ସବୁ ଜିନିଷର ଭଲଟା ସହିତ ଅଭ୍ୟସ୍ତ ଥିବ, ଏବଂ ଯେଉଁଠି କି ସବୁବେଳେ ଯେତେଦୂର ସମ୍ଭବ ଖୁବ୍‌ ଚଞ୍ଚଳ ଓ ଆକର୍ଷଣୀୟ କରି ରଖିବାକୁ ପଡ଼ିବ । ବାସ୍‌, ସେ ବି ଗୋଟାଏ ପରିବର୍ତ୍ତନ । ଏବଂ ପେପି ଯେ ସେ ସବୁ ଭଲ ଭାବରେ କରିପାରିଛି, ସେ କଥା ସେ ନିଜ ବିୟଷରେ କହିପାରୁଥିଲା । ପରେ କ’ଣ ହେବ, ସେ ବିଷୟରେ ପେପି ଚିନ୍ତା କରୁନଥିଲା । ସେ ଜାଣିଥିଲା ଯେ ଏହି ପରିସ୍ଥିତିରେ ଚଳିବାପାଇଁ ତା’ର ସାମର୍ଥ୍ୟ ଥିଲା, ଏ ସଂପର୍କରେ ନିଶ୍ଚିତ ଥିଲା, ଏବେ ବି ତା’ର ଏହି ଆତ୍ମବିଶ୍ୱାସ ରହିଥିଲା, କେହି ତାହା ତା’ ଠାରୁ କାଢ଼ି ନେଇ ପାରିବେ ନାହିଁ, ଆଜି ବି ନୁହେ, ତା’ର ଏହି ପରାଜୟର ଦିନରେ । କେବଳ ଗୋଟିଏ ସମସ୍ୟା ଥିଲା, ପ୍ରଥମେ ସେ କେମିତି ସେ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହେବ, କାରଣ ସେ ତ ଜଣେ ଦରିଦ୍ର ଚାମ୍ବରମାଡ଼, ତା’ର ପିନ୍ଧିବାକୁ ଲୁଗା ନାହିଁ କି ଗହଣା ନାହିଁ, ଏବଂ ଭଦ୍ରଲୋକମାନେ ଧୈର୍ଯ୍ୟ ଧରି ଅପେକ୍ଷା କରିବେ ନାହିଁ, ସେ କେମିତି ଉନ୍ନତ କରୁଛି ଦେଖିବାପାଇଁ, ସେମାନେ ଏହି ମୁହୂର୍ତ୍ତରେ କୌଣସି ସମୟ ନଦେଇ ଜଣେ ଉଚିତ ଧରଣର ବାରମେଡ଼ ଚାହୁଁଛନ୍ତି, ନ ହେଲେ ସେମାନେ ମୁହଁ ବୁଲାଇଦେବେ । କେହି ହୁଏତ ଭାବିପାରେ ଯେ ସେମାନେ ଏତେ ବେଶୀ ଆଶା କରୁନଥିଲେ, କାରଣ ଫ୍ରୀଡ଼ା ସେମାନଙ୍କୁ ସନ୍ତୁଷ୍ଟ କରିପାରୁନଥିଲା-। କିନ୍ତୁ ସେଟା ଠିକ କଥା ନୁହେ । ପେପି ଅନେକ ସମୟରେ ଏକଥା ଭାବିଥିଲା, ସେ ତ ଅନେକ ସମୟରେ ଫ୍ରୀଡ଼ା ସାଙ୍ଗରେ ରହିଥିଲା, ଏବଂ କିଛି ଦିନ ପାଇଁ ସେମାନେ ଏକାଠି ଶୋଉଥିଲେ । ଫ୍ରୀଡ଼ାକୁ ବୁଝିବା ସହଜ ନଥିଲା, ଏବଂ ଜଣେ ଯଦି ବେଶୀ ସତର୍କ ଦୃଷ୍ଟିରେ ନ ଦେଖେ–ଏବଂ କେଉଁ ଭଦ୍ରଲୋକ ବା ଏତେ ବେଶୀ ସତର୍କ ଥିଲେ ? ଫ୍ରୀଡ଼ା ତା’କୁ ଭୁଲ୍ ରାସ୍ତାରେ ନେଇ ଯାଉଥିଲା । ନିଜେ ଫ୍ରୀଡ଼ା ଅପେକ୍ଷା ଅନ୍ୟ କେହି ଅଧିକ ଭଲ ଭାବରେ ଜାଣି ପାରୁନଥିଲେ ସେ କେଡ଼େ ଅସୁନ୍ଦର । ଉଦାହରଣତଃ, ସେ ବାଳଖୋଲି ଦେଇଥିବା ବେଳେ ଜଣେ ଯଦି ତା’କୁ ଦେଖିବ, ସେ ତା’କୁ ଦୟା କରିବ ହାତରେ ହାତ ଚାପି, ରୂପ ଦୁଷ୍ଟିରୁ ସେମିତିକା ଜଣେ ଝିଅ ଜଣେ ଚାମ୍ବର ମେଡ଼୍ ହେବାର ମଧ୍ୟ ଯୋଗ୍ୟ ନୁହେ: ଏବ ସେ କଥା ସେ ଜାଣିଥିଲା, ଏବଂ ସେଥିପାଇଁ ସେ ଅନେକ ରାତି କାନ୍ଦି କାନ୍ଦି କଟାଇଥିଲା, ପେପି ଦେହକୁ ଲାଗି ଶୋଇ ପେପିର ବାଳ ନିଜ ମୁଣ୍ଡ ଚାରିପାଖେ ବିଛାଇ ଦେଉଥିଲା । କିନ୍ତୁ କାମ କଲାବେଳେ ତା’ର ସେ ସବୁ ସନ୍ଦେହ କେଉଁଆଡ଼େ ଉଭେଇ ଯାଉଥିଲା, ସେ ଭାବୁଥିଲା ଯେ ସେ ସମସ୍ତଙ୍କ ଅପେକ୍ଷା ଅଧିକ ସୁନ୍ଦରୀ,ଏବଂ ସମସ୍ତଙ୍କୁ ସେପରି ଭାବିବାକୁ ମଧ୍ୟ କରିବାର କୌଶଳ ସେ ଜାଣିଥିଲା । ଲୋକମାନେ କ’ଣ, କି ପ୍ରକାରର, ଏବଂ ପ୍ରକୃତରେ ସେଥିରେ ହିଁ ତା’ର କଳା କୌଶଳ ପ୍ରକଟିତ ହେଉଥିଲା । ଏବଂ ସେ ଖୁବ୍‌ ଶୀଘ୍ର ମିଛ କହି ପାରୁଥିଲା, ଠକି ଦେଉଥିଲା, ଫଳରେ ତା’କୁ ଭଲ ଭାବରେ ଲକ୍ଷ୍ୟ କରିବା ପାଇଁ ଲୋକଙ୍କୁ ସୁଯୋଗ ମିଳୁନଥିଲା । ସ୍ୱାଭାବିକ କଥା, ଶେଷରେ ଏସବୁ କିଛି କାମ ଦେବ ନାହିଁ, ଲୋକଙ୍କର ଆଖି ଅଛି, ଏବଂ ଜଲ୍‌ଦି ହେଉ କି ଡେରିରେ ହେଉ ସେମାନଙ୍କର ଆଖି ସେମାନେ କ’ଣ ଭାବିବା ଉଚିତ ତାହା କହିଦେବ । କିନ୍ତୁ ସେ ପ୍ରକାର ଆସୁଛି ବୋଲି ଯେମିତି ସେ ଜାଣିପାରିବ, ସେ ଅନ୍ୟ ଗୋଟିଏ ଉପାୟ କରିବ, ଯେମିତି ଧର, କ୍ଳାମ୍‌ଙ୍କ ସହିତ ତା’ର ସମ୍ପର୍କ, ଏଇ ଅଳ୍ପଦିନ ତଳର କଥା । କ୍ଳାମ୍‌ଙ୍କ ସହିତ ତା’ର ସମ୍ପର୍କ ! ତମେ ଯଦି ଏକଥା ବିଶ୍ୱାସ କରୁନ, ତମେ ଯାଇ ପ୍ରମାଣ ସଂଗ୍ରହ କରିପାର, କ୍ଳାମ୍‌ଙ୍କ ପାଖକୁ ଯାଅ, ତାଙ୍କୁ ପଚାର । କେଡ଼େ କେଡ଼େ ଚାଲକ, କେଡ଼େ ଚତୁର । ଏବଂ ଏମିତି ଗୋଟାଏ ବିଷୟ କ୍ଳାମ୍‌ଙ୍କୁ ଯାଇ ପଚାରିବାର ସାହାସ ଯଦି ତମର ହେଉନାହିଁ; ଏବଂ ଏହାଠାରୁ ଅନେକ ଗୁଣରେ ଭଳି ଜରୁରୀ ବିଷୟ ପଚାରିବା ପାଇଁ ମଧ୍ୟ ତାଙ୍କ ପାଖକୁ ଯାଇ ଦେଉନାହିଁ, ଏବଂ କ୍ଳାମ୍‌ଙ୍କ ପାଖରେ ପହଞ୍ଚିବା ପ୍ରକୃତରେ ତମ ପକ୍ଷରେ ଅସମ୍ଭବ,–କେବଳ ତମ ପକ୍ଷରେ, ତମ ଭଳି ଲୋକଙ୍କ ପକ୍ଷରେ, କାରଣ ଫ୍ରୀଡ଼ା ତ ଯେତେବେଳେ ଇଚ୍ଛା ସେତେବେଳେ ଚାଲିଯାଇ ପାରୁଛି–ଯଦି ସେମିତି ହୋଇଥାଏ, ତେବେ ମଧ୍ୟ ତମକୁ ଘଟଣାଟାର ପ୍ରମାଣ ମିଳିବ, ତମକୁ କେବଳ ଅପେକ୍ଷା କରିବାକୁ ପଡ଼ିବ । ଯାହା ହେଲେ ବି କ୍ଳାମ୍‌ ବେଶୀ ଦିନ ଏପ୍ରକାର ମିଛ ପ୍ରଚାର ସହ୍ୟ କରିପାରିବେ ନାହିଁ, ସେ ନିଶ୍ଚିତ ଭାବରେ ସତର୍କ ରହିବେ, ମଦରିକା ଘର ଓ ଅନ୍ୟାନ୍ୟ ଘରମାନଙ୍କରେ ତାଙ୍କ ବିଷୟରେ ଲୋକେ କ’ଣ ସବୁ କହୁଛନ୍ତି ସେ କଥା ଜାଣିବାକୁ, ଏସବୁ ତାଙ୍କ ପାଇଁ ବହୁତ ଦରକାର,ଏବଂ କୌଣସିଟା ଯଦି ମିଛ, ସେ ତତ୍‌କ୍ଷଣାତ୍‌ ସେଟାକୁ ଅସ୍ୱୀକାର କରିବେ । କିନ୍ତୁ ସେ ଅସ୍ୱୀକାର କରନ୍ତି ନାହିଁ, ହେଲା ତା’ ହେଲେ ଅସ୍ୱୀକାର କରିବା ପାଇଁ କିଛି ନାହିଁ, ଏବଂ ଏଇଟା ହେଲା କଞ୍ଚା ସତ କଥା । ପ୍ରକୃତରେ ଜଣେ କ’ଣ ଦେଖେ ? ଦେଖେ ଯେ ଫ୍ରୀଡ଼ା ବୀୟର୍ ନେଇ କ୍ଳାମ୍‌ଙ୍କ ରୁମ୍‍କୁ ଯାଉଛି ଏବଂ ଦାମଟା ଧରି ବାହୁଡ଼ି ଆସୁଛି; କିନ୍ତୁ ଜଣେ ଯାହା ନଦେଖି ପାରେ, ସେ ବିଷୟ ଫ୍ରୀଡ଼ା ନିଜେ କହେ, ଏବଂ ତା’ କଥା ବିଶ୍ୱାସ କରିବାକୁ ପଡ଼ିବ । ଏବଂ ସେ ମଧ୍ୟ ନିଜେ ସେ କଥା କହେ ନାହିଁ, ଯାହା ହେଲେ ବି ସବୁ କଥା ପଦାରେ କହିବାକୁ ସେ ଯାଉନାହିଁ; ନା, ସେ ସବୁ ଗୁପ୍ତ କଥା ସେ ଯେଉଁଆଡ଼େ ଯାଏ, ସେଠାରେ ପ୍ରଘଟ ହୋଇଯାଏ, ଏବଂ ସେଗୁଡ଼ିକ ଯେହେତୁ ସବୁଦିନ ପାଇଁ ପ୍ରଘଟ ହୋଇଗଲା, ସେ ନିଜେ ଆଉସେ ସବୁ କଥା କହିବାକୁ ସଙ୍କୋଚ କରେ ନାହିଁ, ସତ କଥା, କିନ୍ତୁ ସେ ନମ୍ରତାର ସହିତ କହେ, କୌଣସି କଥା ଉପରେ ଜୋର୍‌ ନ ଦେଇ, ଖାଲି ଯାହା ଅନ୍ୟମାନେ ଜାଣିସାରିଛନ୍ତି, ସେହି ପ୍ରସଙ୍ଗ ଉଠାଏ । ଉଦାହରଣଃ ଗୋଟିଏ ବିଷୟରେ ସେ କିଛି କହେ ନାହିଁ, ସେଟା ହେଲା ସେ ମଦବିକା ଘରକୁ ଆସିଲା ଦିନୁଁ କ୍ଳାମ୍‌ ଆଗ ଅପେକ୍ଷା କମ୍‌ ବୀୟର୍‌ ପିଉଛନ୍ତି, ବେଶୀ କମ୍‌ ନୁହେଁ ତଥାପି ବେଶ୍ କମ୍‌ ବୋଲି ଜାଣିହେବ, ଏବଂ ଏହାର ଅନେକ କିଛି କାରଣ ଥାଇପାରେ’ ହୋଇପାରେ,ଏମିତି ବେଳ ଆସି ପହଞ୍ଚିଛି, କ୍ଳାମ୍‌ଙ୍କୁ ବୀୟର ଆଗ ଭତି ଭଲଲାଗୁନାହିଁ, କିମ୍ବା ଫ୍ରୀଡ଼ା ତାଙ୍କୁ ବୀୟର୍ ପିଇବା କଥା ଭୁଲାଇ ଦେଇଛି । ସେ ଯାହାହେଉ, ଯେତେ ଆଶ୍ଚର୍ଯ୍ୟ କଥା ହେଉ ପଛକେ, ଫ୍ରୀଡ଼ା ହେଉଛି କ୍ଳାମ୍‌ଙ୍କ ରକ୍ଷିତା । ଏବଂ ଯାହା କ୍ଳାମ୍‌ଙ୍କ ଏତେ ଭଲ ଲାଗୁଛି, ଅନ୍ୟମାନେ ସେଟାକୁ ପସନ୍ଦ ନ କରିବେ କେମିତି? ଏବଂ ତେଣୁ, କ’ଣ ଘଟୁଛି ସେ କଥା ଅନ୍ୟମାନେ ଜାଣିବା ଆଗରୁ, ଫ୍ରୀଡ଼ା ଅତି ପରମା ସୁନ୍ଦରୀ ବନିଯାଇଛି, ମଦବିକା ଘରେ ଯେମିତିକା ଝିଅ ଦରକାର, ଠିକ୍‌ ସେମିତିକା ଝିଅ ଅଟେ; ବାସ୍ତବିକ, ଅତି ବେଶୀ ସୁନ୍ଦରୀ, ଅତି ଶକ୍ତିଶାଳୀ, ଏବେ ମଧ୍ୟ ସତରେ, ମଦବିକା ଘରେ ଏଯାଏଁ ସେ ରହିଛି ଦେଖି ଲୋକଙ୍କୁ ଅଡ଼ୁଆ ଲାଗିଲାଣି; ବାର୍‌ମେଡ଼୍‌ ହେବା ତ ବେଶ୍ ବଡ଼ କଥା, ଏବଂ ସେ ଦୃଷ୍ଟିରୁ କ୍ଳାମ୍‌ଙ୍କ ସହିତ ତା’ର ସଂପର୍କକୁ ଗ୍ରହଣ କରି ହେଉଛି, କିନ୍ତୁ ମଦବିକାଘର ଝିଅ ଯଦି କ୍ଳାମଙ୍କ ରକ୍ଷିତା ହୋଇ ଯାଇଛି, ସେ ତାକୁ ମଦବିକାଘରେ ଛାଡ଼ି ଯାଉଛନ୍ତି କେମିତି ? ତା’ ପୁଣି ଏତେ ଦିନ ହେଲାଣି ? ସେ ତା’କୁ ଆହୁରି ଉପରକୁ ନେଇଯାଉ ନାହାଁନ୍ତି କାହିଁକି ? ଲୋକଙ୍କୁ ହଜାରେ ଥର କହିଦେଇ ହେବ ଯେ ଏଥିରେ କିଛି ଅଡ଼ୁଆ ନାହିଁ, କ୍ଳାମ୍‌ ଯେଉଁପ୍ରକାର ଆଚରଣ ଦେଖାଉଛନ୍ତି, ସେଥିପାଇଁ ନିର୍ଦ୍ଦିଷ୍ଟ କିଛି କାରଣ ଥିବ, କିମ୍ବା କେବେ ଦିନେ, ବୋଧହୁଏ ବର୍ତ୍ତମାନ ଯେ କୌଣସି ମୁହୂର୍ତ୍ତରେ, ଫ୍ରୀଡ଼ାର ଉପରକୁ ଉଠିବା ଘଟଣାଟା ଘଟିଯିବା । ଏସବୁ କଥାର କୌଣସି ପ୍ରଭାବ ପଡ଼ୁ ନାହିଁ, ଲୋକଙ୍କର ନିର୍ଦ୍ଦିଷ୍ଟ ଧାରଣାମାନ ହୋଇ ଯାଇଛି, ଏବଂ ଶେଷରେ କୌଣସି ପ୍ରକାର ପ୍ରବୋଧନା ଦ୍ୱାରା ସେମାନଙ୍କ ଏ ଧାରଣା ସବୁ ଟାଳି ଦେଇ ହେବ ନାହିଁ, ପ୍ରବୋଧନା ଯେତେ କୌଶଳପୂର୍ଣ୍ଣ ହେଉ ପଛକେ । ଫ୍ରୀଡ଼ା କ୍ଳାମ୍‌ଙ୍କର ରକ୍ଷିତା ବୋଲି ଆଉ କାହାର ସନ୍ଦେହ ନଥିଲା, ଏପରିକି ଯେଉଁମାନେ ଅଧିକ ବୁଦ୍ଧିମାନ, ସେମାନେ ମଧ୍ୟ ସନ୍ଦେହ କରି କରି ହାଲିଆ ହୋଇଗଲେଣି । ‘‘ଯା,’ କ୍ଳାମଙ୍କ ରକ୍ଷିତା ହ, ଯା’ ଗଲା,’’ ସେମାନେ ଭାବିଲେ, ‘‘କିନ୍ତୁ ତୁ ଯଦି ପ୍ରକୃତରେ ସେୟା ହୋଇସାରିଲୁଣି, ଆମେ ତୋର ଚାଲିଚଳନରେ ସେ କଥାର ପ୍ରମାଣ ଦେଖିବାକୁ ଚାହୁଁଚୁ ।’’ କିନ୍ତୁ ସେ ପ୍ରମାଣ କାହାକୁ ବି ଦେଖିବାକୁ ମିଳିଲା ନାହିଁ, ଏବଂ ଆଗ ଭଳି ଫ୍ରୀଡ଼ା ମଦବିକା ଘରେ ସେମିତି ରହିଲା, ଏବଂ ସବୁ ଜିନିଷ ଯେମିତି ରହିବା କଥା ସେମିତି ରହିଥିବାରୁ ମନେ ମନେ ଭାରି ଖୁସି ହେଲା । କିନ୍ତୁ ଲୋକଙ୍କ ପାଖରେ ତା’ର ସମ୍ମାନ ଚାଲିଗଲା, ତାହା ଅବଶ୍ୟ ସେ ଲକ୍ଷ୍ୟ କରିବାରେ ବିଫଳ ହେଲା ନାହିଁ, ବାସ୍ତବିକ କୌଣସି ଘଟଣା ଘଟି ନଥିବା ଆଗରୁ ସେ ତାହା ଲକ୍ଷ୍ୟ କରି ପାରୁଥିଲା । ପ୍ରକୃତ ସୁନ୍ଦରୀ, ମନଲୋଭା ଝିଅଟିଏ, ପରେ ସେ ମଦବିକା ଘରେ ଆସ୍ଥାନ ଜମାଇ ଦେଲା ଆଉ ତା’ର କଳାକୌଶଳ ଦେଖାଇବା ଦରକାର ନାହିଁ, ସେ ଯେତେଦିନ ଯାଏଁ ସୁନ୍ଦରୀ ରହିଛି, ସେ ସେତେଦିନ ଯାଏଁ ମଦବିକା ଘରର ପରିଚାରିକା ହୋଇ ରହିବ, ଅବଶ୍ୟ ଯଦି କୌଣସି ଦୁର୍ଭାଗ୍ୟଜନକ ଘଟଣା ନଘଟେ । କିନ୍ତୁ ଫ୍ରୀଡ଼ା ଭଳିକା ଗୋଟିଏ ଝିଅ ତା’ର ଅନସ୍ଥା ବିଷୟରେ ସବୁବେଳେ ଚିନ୍ତିତ ରହିବାକୁ ବାଧ୍ୟ ଏବଂ ସେ କଥା ବାହାରକୁ ପ୍ରକାଶ ଅନସ୍ଥା ବିଷୟରେ ସବୁବେଳେ ଚିନ୍ତିତ ରହିବାକୁ ବାଧ୍ୟ ଏବଂ ସେ କଥା ବାହାରକୁ ପ୍ରକାଶ ନ କରିବାର ସଦ୍‌ବୁଦ୍ଧି ସ୍ୱାଭାବିକ ଭାବରେ ତା’ର ଅଛି, ଅନ୍ୟ ପକ୍ଷରେ ତା’ର ଅବସ୍ଥା ବିଷୟରେ ସବୁବେଳେ ମୁଣ୍ଡ ବାଡ଼େଇବା, ଗାଳି କରିବାର ଅଭ୍ୟାସ ତା’ର ଅଛି । କିନ୍ତୁ ସମସ୍ତଙ୍କ ଅଲକ୍ଷ୍ୟରେ ସେ ସବୁବେଳେ ସତର୍କ ରହିଥାଏ । ଏବଂ ତେଣୁ ସେ ଦେଖି ପାରିଲା, ଲୋକେ କେମିତି ଉଦାସୀନ ହୋଉ ଉଠିଲେଣି, ଫ୍ରୀଡ଼ା ଆସି ଠିଆ ହୋଇଗଲେ ଆଉ କେହି ମୁହଁ ଉଠାଇ ତା’କୁ ଅନାଇବାକୁ ନିହାତି ଦରକାର ବୋଲି ମନେ କଲେ ନାହିଁ, ଏପରି କି ପୁରୁଷ ଚାକରମାନେ ମଧ୍ୟ ତା’ ଆଡ଼କୁ ଆଖି ପକାଇଲେ ନାହିଁ, ଓଲଗା ଓ ତା’ ଭଳି ଅନ୍ୟ ଝିଅମାନଙ୍କ ପଛରେ ଲାଗିବା ଭଳି ବୁଦ୍ଧିମାନର କାମ ବୋଲି ଭାବିଲେ, ହୋଟେଲ୍ ମାଲିକର ବ୍ୟବହାରରୁ ମଧ୍ୟ ସେ ଲକ୍ଷ୍ୟ କଲା ଯେ ତାର ଏକଚାଟିଆ ପ୍ରଭାବ କମିବାକୁ ଲାଗିଲାଣି । ଜଣେ ତ ଆଉ ସବୁବେଳେ କ୍ଳାମ୍‌ଙ୍କ ବିଷୟରେ କାହାଣୀ ଉଦ୍‌ଭାବନ କରିପାରିବ ନାହିଁ, ତେଣୁ ଆମ ଫ୍ରୀଡ଼ା ନୂଆ କିଛି ଉପାୟ ସ୍ଥିର କଲା । ସେତିକିବେଳେ ଖାଲି ସେ କଥା କେହି ଜଣେ ଜାଣି ପାରିଥାନ୍ତା କି ? ପେପି ଟିକିଏ ଆଭାସ ପାଇଥିଲା, କିନ୍ତୁ ଦୁଃଖର କଥା, ସେ ଘଟଣାର ଭିତରକୁ ପଶି ପାରିନଥିଲା । ଫ୍ରୀଡ଼ା ଠିକ୍‌ କଲା ଗୋଟାଏ ବଦନାମିଆ କଥା ଆରମ୍ଭ କରିବ, ସେ, କ୍ଳାମଙ୍କ ରକ୍ଷିତା, ଆଗ ଯିଏ ଆସିଲା ତା’ ହାତରେ ନିଜକୁ ସମର୍ପି ଦେବ, ଯଦି ସମ୍ଭବ ହୁଏ ଅତି ତଳସ୍ତରର ଗୋଟିଏ ଲୋକ ହାତରେ । ସେଥିରେ ବେଶ୍‌ ହଇଚଇ ସୃଷ୍ଟି ହେବ; ଲୋକେ ଅନେକ ଦିନ ସେ ବିଷୟରେ କଥାବାର୍ତ୍ତା କରିବେ, ଏବଂଶେଷରେ, ସବା ଶେଷରେ, ଲୋକେ ବୁଝି ପାରିବେ କ୍ଳାମଙ୍କ ରକ୍ଷିତା ହେବାର ମାନେ କ’ଣ, ଏବଂ ଏକ ନୁତନ ପ୍ରେମର ଉତ୍ତେଜନାରେ ସେ ଗୌରବକୁ ଫିଙ୍ଗି ଫୋପାଡ଼ି ଦେବାର ଅର୍ଥ କ’ଣ । କେବଳ ଅସୁବିଧାଟି ହେଲା ଠିକ୍‍ ଲୋକଟିକୁ ପାଇବା ଯାହା ସାଙ୍ଗରେ ଚାଲାକ ଖେଳଟିଏ ଖେଳହେବ । ଲୋକଟି ଫ୍ରୀଡ଼ାର ଜଣାଶୁଣା ସଂପର୍କୀୟ ନ ହୋଇଥିବା ଆବଶ୍ୟକ, ଜଣେ ପୁରୁଷ ଚାକର ବି ନୁହେ, କାରଣ ସେ ହୁଏତ ତା’କୁ ଆଶ୍ଚର୍ଯ୍ୟ ହୋଇ ଅନାଇଁବ ଏବଂ ପଳାଇବ, ସର୍ବୋପରି ସେ କଥାଟାକୁ ଗୁରୁତ୍ୱ ଦେଇ ବେଶୀ ସମୟ ରହି ପାରିବ ତାହିଁ, ଏବଂ ଫ୍ରୀଡ଼ା ଯାହା କହିଲେ ମଧ୍ୟ, ସେ ଏକଥା ପ୍ରଚାର କରି ଦେବା ଅସମ୍ଭବ, ଯେ ଫ୍ରୀଡ଼ା ଉପରେ ସେ ଆକ୍ରମଣ କଲା, ଫ୍ରୀଡ଼ା ନିଜକୁ ରକ୍ଷା କରିପାରିଲା ନାହିଁ, ଏବଂ ଘଣ୍ଟାକ ଭିତରେ ସେ ନିଜେ କ’ଣ ସବୁ କରୁଛି ବୁଝିନପାରି ତା’ର ବଶ୍ୟତା ସ୍ୱୀକାର କରିନେଲା । ଏବଂ ସେ ଲୋକ ଯଦିଓ ଅତି ତଳସ୍ତରର ହେବା କଥା, ତଥାପି ସେ ଏମିତି ଜଣେ ହୋଇଥିବା ଦରକାର, ଯେକି ତା’ର ଅସଭ୍ୟ କଦାକାର ସ୍ୱଭାବ ସତ୍ତ୍ୱେ ଏହି ଧାରଣା ଦେଉଥିବ ଯେ ଫ୍ରୀଡ଼ା ଛଡ଼ା ତା’ର ଅନ୍ୟ କୌଣସି ଆକାଂକ୍ଷା ନାହିଁ ଏବଂ ତାକୁ ବାହାହେବା ଛଡ଼ା–ହେ ଭଗବାନ ! –ତା’ର ଉଚ୍ଚତର ଅଭିଳାଷ କିଛି ନାହିଁ । ଏବଂ ଯଦିଓ ସେ ଜଣେ ସାଧାରଣ ଲୋକ ହେବା କଥା, ସମ୍ଭବ ହେଲେ ଜଣେ ଚାକରଠାରୁ ମଧ୍ୟ ନୀଚ ସ୍ତରର, ବହୁତ ନୀଚ ସ୍ତରର ତଥାପି ସେ ଏମିତିକା ହୋଇଥିବା ଦରକାର, ଯାହାକୁ ନେଇ ସବୁ ଝିଅ ଫ୍ରୀଡ଼ାକୁ ଚାହିଁ ତାତ୍ସଲ୍ୟର ହସ ହସିବେ ନାହିଁ, ଏମିତି ଜଣେ ଲୋକ, ଯାହା ଭିତରେ ଅନ୍ୟ ଜଣେ ଝିଅ, ବୁଦ୍ଧିମତୀ ଝିଅ, କେବେହେଲେ ବି କିଛିଟା ଆକର୍ଷଣ ଦେଖି ପାରିବ । କିନ୍ତୁ ଏମିତିକା ଲୋକଟିଏ ମିଳିବ କେଉଁଠୁ ? ଅନ୍ୟ ଜଣେ ଝିଅ ହୁଏତ ସେପରିକା ଲୋକଟିଏ ଖୋଜି ପାଇବାକୁ ସାରା ଜୀବନ ବିତାଇ ଦିଅନ୍ତା । ଫ୍ରୀଡ଼ାର ଭାଗ୍ୟ ଅମିନ ବାବୁଙ୍କୁ ମଦବିକା ଘରକୁ ଘେନି ଆସିଲା, ନେଇ ଆସିଲା ତା ପାଖକୁ, ବୋଧହୁଏ ସେହି ଦିନ ସନ୍ଧ୍ୟାରେ, ଯେଉଁଦିନ କି ପ୍ରଥମଥର ପାଇଁ ତା’ ମୁଣ୍ଡକୁ ଏହି ଧାରଣାଟି ଜୁଟିଥିଲା । ଅମିନ ବାବୁ । ହଁ, କେ. ଆଉ କ’ଣ ଭାବୁଥିଲା କି ? କି ବିଶେଷ ଧରଣର ଚିନ୍ତା ତା ମୁଣ୍ଡକୁ ଆସୁଥିଲା ? ସେ କ’ଣ ସ୍ୱତନ୍ତ୍ର ଧରଣର କିଛି ହାସଲ୍ କରିବାକୁ ଯାଉଥିଲା ? ଗୋଟାଏ ଭଲ ଚାକିରୀ, ପଦମର୍ଯ୍ୟାଦା ? ସେ କଣ ଏମିତି କିଛି ଜିନିଷ ଖୋଜୁଥିଲା ? ବେଶ୍, ତେବେ ସେ ମୂଳରୁ ହିଁ ସେସବୁ ବିଷୟରେ ଅଲଗା ରକମର ଧାରଣା କରିନେଇ ଥିଲା । ତା’ପରେ, ସେ ଥିଲା ଜଣେ ବିଶେଷତ୍ୱହୀନ ସାଧାରଣ ମଣିଷ, ତା’ ଅବସ୍ଥା ଦେଖିଲେ ଛାତି ଫାଟି ଯାଉଥିଲା । ସେ ଥିଲା ଜଣେ ଅମିନ, ସେତକ ବୋଧହୁଏ କିଛିଟା ବୋଲି କହିହେବ, ସେ ତା, ହେଲେ କିଛି ବିଦ୍ୟା ଶିଖିଛି, କିନ୍ତୁ ସେତକ ଧରି ଜଣେ କ’ଣ କରିବ ନ ଜାଣିଲେ ତା’ର ବି କିଛିମୂଲ୍ୟ ନାହିଁ । ଏବଂ ସେଥିରେ ମଧ୍ୟ ସେ ଅନେକ ରକମର ଜିନିଷ ଦାବୀ କଲା, ତା’ ପଛରେ କେହି ନଥିଲେ, ସିଧା ଭାବରେ ବି ଦାବୀ କଲା ନାହିଁ, କିନ୍ତୁ ସେ ଯେ କିଛିଟା ଦାବୀ କରୁଥିଲା, ତାହା ଲକ୍ଷ୍ୟ କରି ହେଉଥିଲା, ଏବଂ ସେଥିରେତ ଜଣେ ବହୁତ ରାଗିଯିବ । ସେ କ’ଣ ଜାଣି ପାରୁଥିଲା ଜଣେ ଚାମ୍ବରମେଡ଼୍‌ ବି ଯଦି ତା’ ସାଙ୍ଗରେ କିଛି ସମୟ କଥାବାର୍ତ୍ତା କରୁଥିଲା, ତା’ର ସମ୍ମାନ ହାନି ହେଉଥିଲା ବୋଲି ? ଏବଂ ଏ ସମସ୍ତ ସ୍ୱତନ୍ତ୍ର ଦାବୀ ଧରି ପ୍ରଥମ ଦିନ ସନ୍ଧ୍ୟାରେ ହିଁ ସେ ଜଳ ଜଳ ଦେଖା ଯାଉଥିବା ଜନ୍ତା ଭିତରକୁ ଡେଇଁପଡ଼ିଲା । ତା’କୁ ଲାଜ ଲାଗିଲା ନାହିଁ ? ଫ୍ରୀଡ଼ାଠାରେ ସେ ଏମିତି କି ରସ ଲାଗିଥିବା ଦେଖିଲା ? ସେ ଚେମେଡ଼ି, ଧେନି ଝିଅଟା କ’ଣ ପ୍ରକୃତରେ ତା’କୁ ଭଲ ଲାଗିଲା ? ନା,ନା, ସେ ତ ତା’କୁ ଅନାଇଁଲା ନାହିଁ, ଫ୍ରୀଡ଼ାକୁହିଁ କହିବାକୁ ପଡ଼ିଲା ସେ କ୍ଳାମଙ୍କ ରକ୍ଷିତା ବୋଲି, କେ. ପାଇଁ ସେ କଥାଟି ଥିଲା ଅଭିନବ ଏବଂ ତେଣୁ ସେ ବୁଡ଼ିଗଲା । କିନ୍ତୁ ବର୍ତ୍ତମାନ ଫ୍ରୀଡ଼ାକୁ ବାହାରି ଯିବାକୁ ପଡ଼ିବ; ବର୍ତ୍ତମାନ ଫ୍ରୀଡ଼ାକୁ ବାହାରି ଯିବାକୁ ପଡ଼ିବ; ବର୍ତ୍ତମାନ ଫ୍ରୀଡ଼ାକୁ ବାହାରି ଯିବାକୁ ପଡ଼ିବ; ବର୍ତ୍ତମାନ ହିଁ ହେରେନହଫ୍ ରେ ତା’ ପାଇଁ ଆଉ କୌଣସି ଯାଗାନାହିଁ । ଯେଉଁଦିନ ସେ ଚାଲିଯିବା କଥା, ସେଦିନ ସକାଳେ ହିଁ ପେପି ତା’କୁ ଦେଖିଲା, କର୍ମଚାରୀମାନେ ସମସ୍ତେ ଦୌଡ଼ି ଆସିଲେ, ଯାହା ହେଲେ ବି ସମସ୍ତ ଦୃଶ୍ୟଟା ଦେଖିବାକୁ କୌତୁହଳୀ ଥିଲେ । ଏବଂ ଫ୍ରୀଡ଼ାର ଶକ୍ତି ସେତେବେଳେ ବି ଏତେ ବେଶୀ ଥିଲା ଯେ ସମସ୍ତେ ଆହା କଲେ, ପ୍ରତ୍ୟେକେ ତା’ପ୍ରତି ଆହା କଲେ, ଏପରି କି ତା’ର ଶତ୍ରୁମାନେ ମଧ୍ୟ । ମୂଳରୁ ହିଁ ତାର ହିସାବ ପୂରା ପୂରି ଠିକ୍‌ ଥିବା ପ୍ରମାଣିତ ହାଇଗଲା; ଏମିତି ଜଣେ ଲୋକ ହାତରେ ତା’ର ନିଜକୁ ସମର୍ପି ଦେବା ପ୍ରତ୍ୟେକଙ୍କ ଆଖିକୁ ଖୁବ୍‌ ରହସ୍ୟମୟ ଦିଶିଲା, ଦୁର୍ଭାଗ୍ୟର କଷାଘାତ ବୋଲି ମନେହେଲା, ରୋଷାଇ ଘରର ଛୋଟିଆ ଚାକରାଣୀ ଗୁଡ଼ିକ, ଯେଉଁମାନେ କି ଜାଣେ ବାରମେଡ଼କୁ ସପ୍ରଶଂସ ଆଖିରେ ଅନାନ୍ତି, ସେମାନତ କାନ୍ଦି କାନ୍ଦି ନୟାନ୍ତ । ପେପିକୁ ମଧ୍ୟ ଖରାପଲାଗିଲା, ସେ ବ୍ୟସ୍ତ ନହୋଇ ରହିପାରିଲା ନାହିଁ, ଯଦିଓ ତା’ର ଦୃଷ୍ଟି ପ୍ରକୃତରେ ଅନ୍ୟ ଗୋଟାଏ ଜିନିଷ ଉପରେ ଥିଲା । ଫ୍ରୀଡ଼ା ପ୍ରକୃତରେ ମୋଟେ ଦୁଃଖ କରୁନଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା । ଯାହା ହେଲେ ବି ଗୋଟାଏ ଭୟଙ୍କର ଦୁର୍ଭାଗ୍ୟ ଓ ତା’ ଉପରକୁ ଘୋଟି ଆସିଥିଲା ଏବଂ ସେ ମଧ୍ୟ ଭାରି ଦୁଃଖୀ ଯେମିତି ସେମିତି ବ୍ୟବହାର ଦେଖାଉଥିଲା, କିନ୍ତୁ ତାହା ଯଥେଷ୍ଟ ନଥିଲା, ସେ ଅଭିନୟ ପେପିକୁ ଠକି ପାରିଲା ନାହିଁ । ତେବେ ଫ୍ରୀଡ଼ାକୁ ଆଗେଇ ନେବାପାଇଁ ଏମିତି ଜିନିଷ ଥିଲା ? ତା’ର ନୂତନ ପ୍ରେମ ଜନିତ ସୁଖ ? ହଁ, କିନ୍ତୁ ଏ ପ୍ରକାର ସମ୍ଭାବନାକୁ ବିଚାରକୁ ନିଆଯାଇ ପାରିଲା ନାହିଁ । ତେବେ ଆଉ କ’ଣ ହୋଇପାରେ ? ପେପି, ଯେ କି ତା’ର ଉତ୍ତରାଧିକାରିଣୀ ବୋଲି ସମସ୍ତେ ଜାଣି ସାରିଥିଲେ, ତା ସାଙ୍ଗରେ ମଧ୍ୟ ଆଗଭଳି ଏଡ଼େ ସୁନ୍ଦର ବ୍ୟବହାର କରିବାପାଇଁ ଶକ୍ତି ତା’ର କେଉଁଠାରୁ ଆସୁଥିଲା ? ସେ ବିଷୟରେ ଚିନ୍ତା କରିବା ପାଇଁ ପେପିର ସେତେବେଳେ ସମୟ ନଥିଲା, ନୂଆ ଚାକିରୀ ପାଇଁ ପ୍ରସ୍ତୁତ ହେବାକୁ ତା’କୁ ଅନେକ ଗୁଡ଼ାଏ କାମ କରିବାକୁ ପଡ଼ିଥିଲା । ଅଳ୍ପ କେଇଘଣ୍ଟା ଭିତରେ ହିଁ ତା’କୁ କାମରେ ଯୋଗଦେବା ପାଇଁ, ପଡ଼ିବ, ଅଥଚ ସେ ଏଯାଏଁ ତା’ ମୁଣ୍ଡ ଭଲକରି କୁଣ୍ଡାଇ ନଥିଲା, ଭଲ ଲୁଗାପଟା ପିନ୍ଧିନଥିଲା, ଭଲ ଯୋତା ହଳେ ବି ନଥିଲା ପାଦରେ । ଅଳ୍ପ କେଇ ଘଣ୍ଟା ଭିତରେ ଏସବୁ ଯୋଗାଡ଼ କରିବାକୁ ପଡ଼ିବ; ଯଦି ଜଣେ ନିଜକୁ ଭଲ ଭାବରେ ସଜା ସଜି ନକରି ପାରିବ ସେ ସେହି ଚାକିରୀ କଥା ଭୁଲି ଯିବାହିଁ ଭଲ ହେବ କାରଣ ସଜାସଜି ନହେଲେ ପ୍ରଥମ ଅଧ ଘଣ୍ଟାକ ଭିତରେ ହିଁ ଚାକିରୀଟା ଚାଲିଯିବା ନିଶ୍ଚିତ । ସେ ଯାହା ହେଉ ସେ କିଛି ଅଂଶରେ ସଫଳ ହେଲା । ଗଭା, ବେଣୀ ପାରିବାରେ ତା’ର ସ୍ୱତନ୍ତ୍ର ଦକ୍ଷତା ଥିଲା, ଥରେ ପ୍ରକୃତରେ ହୋଟେଲ ମାଲିକାଣୀ ତା’ ନିଜ ମୁଣ୍ଡ କୁଣ୍ଡାଇ ଦେବା ପାଇଁ ପେପିକୁ ଡକାଇ ଥିଲା, ହାତ ଚଞ୍ଚଳ ହେଲେ ସେ କାମ ଭଲ ହୁଏ ଏବଂ ତା’ ହାତ ଥିଲା ସେପ୍ରକାରର, ତା’ର ଏତେ ସୁନ୍ଦର ଗହଳ ବାଳ ଥିଲା ଯାହାକୁ ନେଇ ଯେ କୌଣସି ପ୍ରକାରର ସଜା ସଜି କରାଯାଇପାରେ । ଲୁଗାପଟା ବିଷୟରେ ମଧ୍ୟ କେହି କେହି ତାକୁ ସାହାଯ୍ୟ କରିବେ ବୋଲି କହିଥାନ୍ତି । ତା’ର ଦୁଇଜଣ ଯାକ ସହକର୍ମି ମଧ୍ୟ ତା’କୁ ସାହାଯ୍ୟ କରୁଥାନ୍ତି, ଯାହାହେଲେ ବି ସେମାନଙ୍କ ପାଇଁ ମଧ୍ୟ ଏ ଗୋଟାଏ ସମ୍ମାନ, ଯଦି ତାଙ୍କ ଦଳରୁ ଜଣେ ଝିଅକୁ ବାରମେଡ଼ ଭାବରେ ବଚ୍ଛା ଯାଇଛି, ପେପି ଯେତେବେଳେ ପ୍ରକୃତ ଅଧିକାର ହାତକୁ ନେବ ସେ ସେମାନଙ୍କର ଅନେକ ସୁବିଧା କରାଇଦେଇ ପାରିବ । ଜଣେ ଝିଅ ଅନାକ ଦିନ ଧରି ପାଖରେ ଗୋଟିଏ ଦାମୀ କନା ରଖିଥାଏ, ସେଇଟା ଥିଲା ତାର ସମ୍ପତ୍ତି, ଅନ୍ୟମାନଙ୍କୁ ସେ ଅନେକଥର ସେଇଟା ଦେଖାଇଛି, ଏହି ସ୍ୱପ୍ନ ଦେଖି ଯେ ଭବିଷ୍ୟତରେ ଦିନେ ସେ ଏହାର ଚମତ୍କାର ବ୍ୟବହାର କରିବ ଏବଂ କେଡ଼େ ଭଲ ଝିଅଟିଏ ପ୍ରକୃତରେ ବର୍ତ୍ତମାନ ସେଇଟା ଯେତେବେଳେ ପେପିର ଦରକାର ହେଲା,ସେ ସେଇଟା ଦେଇଦେଲା । ଏବଂ ସେଟାକୁ ସିଲେଇ କରିବାରେ ଉଭୟ ଝିଅ ତାକୁ ସାହାଯ୍ୟ କଲେ, ନିଜ ପାଇଁ ସେମାନେ ଯଦି ସିଲାଇ କରୁଥାନ୍ତେ, ଏତେ ବେଶୀ ମନୋଯୋଗ ଦେଇ କରିନଥାନ୍ତେ । ଭାରି ଖୁସିରେ ସେ କାମ ହେଲା ପ୍ରକୃତରେ ଖୁବ ମଜା ହେଲା-। ସେମାନେ ନିଜ ନିଜ ଶୋଇବା ଭାଡ଼ିରେ, ଜଣକ ଉପରେ ଜଣେ ବସି ସିଲାଇ କରୁଥାନ୍ତି ଗୀତ ଗାଉଥାନ୍ତି ଏବଂ ପରସ୍ପରକୁ ସିଲାଇ ହୋଇସାରିଥିବା ଅଂଶ ଗୁଡ଼ିକ ଓ ଅନ୍ୟାନ୍ୟ ଦରକାରୀ ଜିନିଷ ବଢ଼ାଇ ଦେଉଥାନ୍ତି, ଜଣେ ଏବେ ତଳକୁ ତ ଆର ଜଣକ ଉପରକୁ । ପେପି ସେକଥା ଯେତେବେଳେ ଭାବିଲା, ତା’ ମନ ଭାରି ଦୁଃଖ ହେଲା, କାରଣ ଏସବୁ ଥିଲା ବୃଥା, ସେ ତା’ର ସାଙ୍ଗମାନଙ୍କ ପାଖକୁ ଖାଲି ହାତରେ ବାହୁଡ଼ିଯିବ । କି ଦୁର୍ଭାଗ୍ୟ ଏବଂ କେଡ଼େ ବେଖାତିର ଭାବରେ ତା’କୁ ଏ କଷ୍ଟ ଦିଆହେଲା, ସମସ୍ତଙ୍କ ଅପେକ୍ଷା କେ. ଏଥିପାଇଁ ବେଶୀ ଦାୟୀ । ସେତେବେଳେ ସେମାନେ କି ଖୁସି ନ ହୋଇ ଥିଲେ ପୋଷାକଟା ଦେଖି, ସଫଳତା ନିଶ୍ଚିତ ବୋଲି ଜଣା ପଡ଼ୁଥିଲା ଏବଂ ଶେଷ ମୁହୂର୍ତ୍ତରେ ଯେତେବେଳେ ଆଉ ଗୋଟିଏ ରିବନ୍‌ ଲାଗିବା କଥା ବୋଲି ଜଣା ପଡ଼ିଲା, ଆଉ ସନ୍ଦେହ ରହିଲା ନାହିଁ । ଏବଂ ସତରେ କ’ଣ ସୁନ୍ଦର ଦିଶୁ ନଥିଲା ? ଏହି ପୋଷାକଟି, ବର୍ତ୍ତମାନ ସେଇଟା ମୋଡ଼ି ମକଚି ହୋଇଯାଇଥିଲା, ଏଠି ସେଠି ଦାଗ ହୋଇଯାଇଥିଲା, ପ୍ରକୃତ ଘଟଣାଟି ହେଲା, ପେପିର ଦ୍ୱିତୀୟ ପୋଷାକ ବୋଲି କିଛି ନଥିଲା, ଏହି ଗୋଟିକ ସେ ଦିନ ରାତି ସବୁବେଳେ ପିନ୍ଧୁଥିଲା, ତଥାପି କି ସୁନ୍ଦର ସେଇଟା ବୋଲି ଯେ କେହି ଲୋକ କହିବ, ଏମିତି କି ସେ ହତଭାଗିନୀ ବାର୍ଣ୍ଣାବାସ ଝିଅଟା ମଧ୍ୟ ଏହାଠାରୁ ବଳି ସୁନ୍ଦର ପୋଷାକଟିଏ ବନାଇ ପାରିବ ନାହିଁ । ଏବଂ ସେଇଟିକୁ ଜଣେ ଟାଣିଦେଇ ଜାକ କରି ଦେଇପାରେ ଏବଂ ଇଚ୍ଛା ଅନୁସାରେ ଢିଲା କରିଦେଇ ପାରେ, ଉପରେ ଯେମିତି ତଳେ ସେମିତି, ଫଳରେ ପୋଷାକ ସେହି ଗୋଟିକ ହେଲେ ମଧ୍ୟ ତା’କୁ ଥରକୁ ଥର ବଦଳାଇ ଦିଆଯାଇପାରେ-ଏହା ଥିଲା ସେ ପୋଷାକର ଗୋଟିଏ ବଡ଼ ସୁବିଧା ଏବଂ ପ୍ରକୃତରେ ପେପିର ଉଦ୍‍ଭାବନ । ଅବଶ୍ୟ ତା’ ପାଇଁ ପୋଷାକ ତିଆରି କରିବା କିଛି କଷ୍ଟ ନଥିଲା, ପେପିକୁ ସେକଥା ଗର୍ବରେ କହିବାକୁ ପଡ଼ିବ ନାହିଁ ସେଟା ଜଣା ଶୁଣା କଥା-ସ୍ୱାସ୍ଥ୍ୟବତୀ ଯୁବତୀ ଝିଅଙ୍କୁ ଯାହାକିଛି ହେଲେ ବି ମାନିବ । ଅନ୍ତର୍ବାସ ଓ ବୁଟ୍‌ଯୋତା ଯୋଗାଡ଼କରିବା ବେଶୀ କଷ୍ଟ, ଏବଂ ଏହି କ୍ଷତ୍ରରେ ବିଫଳତା ପ୍ରକୃତରେ ଆରମ୍ଭ ହେଲା । ଏଥିରେ ମଧ୍ୟ ତା’ର ଝିଅସାଙ୍ଗମାନେ ତା’କୁ ସାଧ୍ୟ ମତେ ସାହାଯ୍ୟ କଲେ କିନ୍ତୁ ସେମାନେ ବେଶୀ କିଛି କରିପାରିଲେ ନାହିଁ । ସେମାନେ କେବଳ ମୋଟା ଧରଣର କନା ଯୋଗାଡ଼ କରି ଯୋଡ଼ା ଯୋଡ଼ି କଲେ, ଏବଂ ଉଁଚା ଗୋଇଠି ବାଲା ବୁଟ୍‌ ଯୋତା ପରିବର୍ତ୍ତେ ଚପଲ ପିନ୍ଧି ତା’କୁ କାମ ଚଳାଇବାକୁ ପଡ଼ିଲା, ତା’ ପୁଣି ଏମିତି ଚପଲ ଯେ ଜଣେ ସେ ଯୋଡ଼ାକ କାହାକୁ ଦେଖାଇବାକୁ ଲାଜ ମାଡ଼ିବ । ସେମାନେ ପେପିକୁ ସନ୍ତ୍ୱାନା ଦେଲେ ! ଫ୍ରୀଡ଼ା ବି ସେମିତି କିଛି ସୁନ୍ଦର ପୋଷାକ କେବେ ପିନ୍ଧିନଥିଲା, ଏବଂ ବେଳେ ବେଳେ ସେ ଏମିତି ଶସ୍ତା ରକମର ପୋଷାକରେ ଯିବାଆସିବା କରୁଥିଲା ଯେ ଅତିଥିମାନେ ତା’ ହାତ ଅପେକ୍ଷା ପୁରୁଷ ମଦ ବିକାଳିଙ୍କ ହାତରୁ ମଦ ନେଇ ପିଇବାକୁ ଅଧିକ ପସନ୍ଦ କରୁଥିଲେ । ପ୍ରକୃତରେ ଏୟା ହେଉଥିଲା, କିନ୍ତୁ ଫ୍ରାଡ଼ା ସେମିତି କରିପାରୁଥିଲା ତା’ର ନା ହୋଇଯାଇଥିଲା ତା’କୁ ସମସ୍ତେ ଭଲ ପାଉଥିଲେ; ଯଦି ଜଣେ ଭଦ୍ର ମହିଳା ଥରେ କେବେ ଅସନା ହୋଇ ଯାଚ୍ଛାତା ଭାବରେ ଲୁଗା ପିନ୍ଧି ବାହାରିବେ ସେତ ଆହୁରି ସୁନ୍ଦର ଦିଶିବେ-କିନ୍ତୁ ପେପି ଭଳି ଜଣେ ନୂଆ ଲୋକ ପକ୍ଷରେ ? ଏବଂ ତ ଛଡ଼ା, ଫ୍ରୀଡ଼ା ଭଲ ଭାବରେ ଲୁଗା ପଟା ପିନ୍ଧି ପାରୁନଥିଲା, ତାର କୌଣସି ପ୍ରକାର ରୁଚିଜ୍ଞାନ ନଥିଲା; ଯଦି ଜଣଙ୍କର ରଙ୍ଗ ରୋଗା ହଳଦିଆ, ତା ହେଲେ ସେ ତ ଚୁପ୍‌ ରହିବ, ସେ ତ ଆଉ ଫ୍ରୀଡ଼ା ଭଳି ଏଣେ ତେଣେ ବୁଲିବ ନାହିଁ, ତା ରଙ୍ଗ ସାଙ୍ଗରେ ମିଳାଇ ତଳୁଆ ହୋଇ କଟା ହୋଇଥିବା ଦୁଧସର ରଙ୍ଗର ବ୍ଳାଉଜ ପିନ୍ଧି, ଯାହା ଫଳରେ କି ସମସ୍ତଙ୍କର ଆଖି ସେ ହଳଦିଆ ରଙ୍ଗରେ ଝଲସି ଯିବ । ଏବଂ ସେୟା ଯଦି କାରଣ ନହୁଏ ବି, ଏତେ ଛୋଟ ମନ ତା’ର ଯେ ସେ ଭଲ ଲୁଗାପଟା କେବେ ପିନ୍ଧିବ ନାହିଁ, ଯାହା ରୋଜଗାର କଲା ତାହା ସଞ୍ଚିବ କେହି ଜାଣିନଥିଲେ କ’ଣ ପାଇଁ । ତା’ କାମରେ ତା’ର ପଇସାପତ୍ର ଦରକାର ହେଉ ନଥିଲା, ସେ ମିଛ କହି କୌଶଳ କରି ସବୁ କିଛି ଚଳାଇ ନେଉଥିଲା, ଏହି କଥା ପେପି ଅନୁକରଣ କରିବାକୁ ଚାହୁଁ ନଥିଲା କି କରିପାରିଲା ନାହିଁ, ଏବଂ ସେଥିପାଇଁ, ଆରମ୍ଭରୁ ହିଁ ସମସ୍ତଙ୍କର ଦୃଷ୍ଟି ଭଲ ଭାବରେ ଆକର୍ଷଣ କରିବା ପାଇଁ ତା’ର ଏମିତି ଫୁର୍ତ୍ତିବାଜ୍‌ ହୋଇ ବାହାରିବା ଯୁକ୍ତିସଙ୍ଗତ ଥିଲା । ସେ ଯଦି ଏହା ଆହୁରି ଭଲ ଭାବରେ କରିପାରିଥାନ୍ତା, ଫ୍ରୀଡ଼ାର ସମସ୍ତ ଚାଲାକି ସତ୍ତ୍ୱେ କେ.ର ସମସ୍ତ ବୋକାମି ସତ୍ତ୍ୱେ ସେ ଗଡ଼ ଜିଣି ପାରିଥାନ୍ତା । ସେ ଯାହା ହେଉ, ଆରମ୍ଭଟା ଭଲରେ ଭଲରେ ହୋଇଗଲା । ତା’ କାମ ସଂପର୍କରେ ଯେଉଁ କେତେଟା କଥା ଜାଣିବା କଥା, ସେ ଆଗରୁ ଭଲଭାବରେ ବୁଝି ନେଇଥିଲା । ମଦବିକା ଘରକୁ ଯେମିତି ସେ ପଶିଛି, ତା’କୁ ଆଉ ଅଡ଼ୁଆ ଲାଗିଲା ନାହିଁ । କେହି ଆଉ ଫ୍ରୀଡ଼ାକୁ ମନେ ପକାଇଲେ ନାହିଁ । ଦ୍ୱିତୀୟ ଦିନ କେବଳ କେତେଜଣ ଅତିଥି ଫ୍ରୀଡ଼ାର କ’ଣ ହୋଇଛି ବୋଲି ପଚାରିଲେ । କିଛି ଗୋଳମାଳ ହେଲା ନାହିଁ, ହେଟେଲ୍‌ ମାଲିକ ବେଶ୍‌ ଖୁସି ହେଲା, ପ୍ରଥମ ଦିନ ତା’କୁ ଏତେ ଛାନିଆଁ ଲାଗୁଥିଲା ଯେ ସେ ସାରା ସମୟ ମଦବିକା ଘର ଭିତରେ କଟାଇ ଦେଲା, ପରେ ସେ କେବଳ ଥରେ ଥରେ ପଳାଇ ଆସୁଥାଏ, ଏବଂ ଶେଷରେ, ତା’ର ସେଦିନକାର ରୋଜଗାରର ହିସାବ ଠିକ୍‌ ଥିବାରୁ-ସେଦିନର ରୋଜଗାର ଫ୍ରୀଡ଼ା ଥିବାବେଳ ଅପେକ୍ଷା ଅଧିକ ହୋଇଥିଲା-ସେ ସବୁକଥା ପେପି ହାତରେ ଛାଡ଼ି ଦେଲା । ପେପି ନୂଆ ନୂଆ ବ୍ୟବସ୍ଥା ସବୁ କଲା । ଫ୍ରୀଡ଼ା ପୁରୁଷ ଚାକର ଗୁଡ଼ାକର ମଧ୍ୟ ତଦାରଖ କରୁଥିଲା, ଅନ୍ତତଃ ଆଂଶିକ ଭାବରେ, ବିଶେଷ କରି କେହି ଯେତେବେଳେ ଲକ୍ଷ୍ୟ କରୁଥିବ, କାମରେ ତା’ର ନିଷ୍ଠା ଯୋଗୁଁ ନୁହେ ଅବଶ୍ୟ, ବରଂ ତା’ର ଛୋଟ ଲୋକି ଯୋଗୁଁ, ସମସ୍ତଙ୍କ ଉପରେ ଚଢ଼ି ବସିବାର ଇଚ୍ଛା ଯୋଗୁଁ କେହି କାଳେ ତା’ର ଅଧିକାର ଛିଣ୍ଡାଇ ନେଇଯିବ, ସେହି ଭୟରେ, ଅନ୍ୟ ପକ୍ଷରେ ପେପି ଏ କାମ ପୂରାଟା ମଦବିକାଙ୍କ ହାତରେ ଦେଇଦେଲା, ଯାହା ହେଲେ ବି ସେମାନେ ଏ କାମରେ ଧୁରନ୍ଧର । ଏହି ବ୍ୟବସ୍ଥା କରିବା ଫଳରେ ରୁମ୍‍ଗୁଡ଼ାକ ଭିତରେ ସେ ବେଶୀ ସମୟ କଟାଇ ପାରିଲା, ଅତିଥିମାନେ ସେମାନଙ୍କର ଦରକାରୀ ଜିନିଷ ଶୀଘ୍ର ଶୀଘ୍ର ପାଇଲେ; ତଥାପି ପ୍ରତ୍ୟେକଙ୍କ ସାଙ୍ଗରେ ପଦେ ଦୁଇପଦ କଥାବାର୍ତ୍ତା ପାଇଁ ସେ ସମୟ କରି ପାରିଲା, ଫ୍ରୀଡ଼ା ଭଳି ନୁହେ, ଯେ କି ପୂରା ପୂରି କ୍ଳାମ୍‌ଙ୍କ ସାଙ୍ଗରେ ଛନ୍ଦି ହୋଇ ରହୁଥିଲା ଏବଂ ଅନ୍ୟ କେହି ଯଦି କ’ଣ କହିଲେ, କ’ଣ ଚାହିଁଲେ, ତାହା କ୍ଳାମ୍‌ଙ୍କ ପ୍ରତି ଅପମାନ ବୋଲି ଭାବୁଥିଲା । ଅବଶ୍ୟ ଏମିତି କରିବା ତା’ର ଚତୁରତାର ପରିଚାୟକ, କାରଣ ଯଦି ଥରକ ପାଇଁ କାହାକୁ ସେ ତା’ ପାଖକୁ ଆସିବାକୁ ଅନୁମତି ଦେଉଥିଲା ତ ସେ ଅତିଶୟ ଦୟା କଲା ବୋଲି ସମସ୍ତେ ଭାବୁଥିଲେ । ପେପି କିନ୍ତୁ ଏପ୍ରକାର କଳା କୌଶଳକୁ ଘୃଣା କଲା, ଏବଂ ସେ ଯାହାହେଉନା କାହିଁକି, ସେଗୁଡ଼ିକ ଆରମ୍ଭରେ କିଛି ଦରକାରରେ ଲାଗିବ ନାହିଁ । ସେ ସମସ୍ତଙ୍କ ସାଙ୍ଗରେ ଭଲ ବ୍ୟବହାର କଲା, ସମସ୍ତେ ତା’କୁ ଭଲ ବ୍ୟବହାର ଦେଖାଇଲେ । ଏହି ପରିବର୍ତ୍ତନରେ ସମସ୍ତେ ଖୁବ୍‌ ଖୁସି ହେଲେ, ଭଦ୍ରଲୋକମାନେ ଯେତେବେଳେ କାମ କରି କରି କ୍ଳାନ୍ତ ହୋଇ ବୀୟର ନେଇ କିଛି ସମୟ ବସିବେ, ଜଣେ ପଦେ କଥା କହି, ଟିକିଏ ଅନାଇଁ ଦେଇ କିମ୍ବା କାନ୍ଧ ଦୋହଲାଇ ଦେଇ ସେମାନଙ୍କୁ ପୂରା ବଦଳାଇ ଦେଇ ପାରିବ । ପେପିର କୁଞ୍ଚୁ କୁଞ୍ଚୁ ବାଳକୁ ଆଗ୍ରହରେ ଏତେ ଲୋକ ଆଉଁଷି ଦେଉଥାନ୍ତି ଯେ ଦିନକରେ ଦଶ ଦଶ ଥର ତା’କୁ ମୁଣ୍ଡ କୁଣ୍ଡାଇବାକୁ ପଡ଼େ, ସେ କୁଞ୍ଚ କୁଞ୍ଚୁ ବାଳ ଓ ରିବନ୍‌କୁ ଛୁଇଁବାର ଆଗ୍ରହକୁ କେହି ଦବାଇ ପାରୁନଥାନ୍ତି, ଏପରି କି କେ. ମଧ୍ୟ ନୁହେଁ, ଯଦିଓ ସେ ଅନ୍ୟ ବିଷୟରେ ମୋଟେ ମନଯୋଗ ଦେଇପାରୁନଥାଏ । ଏପରି ଭାବରେ ଚମତ୍‌କାର ଦିନଗୁଡ଼ିକ ଗଡ଼ି ଚାଲିଲା, ସବୁବେଳେ କାମ, କିନ୍ତୁ ସବୁବେଳେ ସଫଳ ଭାବରେ । ଆହା, ସେଗୁଡ଼ିକ ଯଦି ଏତେ ଶୀଘ୍ର ସରିଯାଇ ନଥାନ୍ତେ ଆଉ କିଛି ସମୟ ଯଦି ମିଳିଥାନ୍ତା ! ଜଣେ ମୂର୍ଚ୍ଛା ହୋଇ ପଡ଼ିବା ଯାଏଁ ପରିଶ୍ରମ କଲେ ମଧ୍ୟ ଚାରିଟା ଦିନ ଯଥେଷ୍ଟ ନୁହେ, ପଞ୍ଚମ ଦିନଟା ବୋଧହୁଏ ଯଥେଷ୍ଟ ହୋଇଥାନ୍ତା, କିନ୍ତୁ ଚାରିଟି ଦିନ କିଛି ନୁହେ । ଚାରିଦିନ ଭିତରେ ବି ପେପି ଯେ ଶୁଭାଙ୍କାକ୍ଷୀ ବନ୍ଧୁ ଅନେକ ପାଇ ପାରିଥିଲା, ସେ କଥା ଯେ କେହି ମାନିବ; ବୀୟର୍‌ମଗ୍‌ ଗୁଡ଼ାକ ଧରି ଆସିଲା ବେଳେ ଯେତେ ଆଖି ତା’ ଆଡ଼କୁ ଅନାଉଁଥିଲେ; ସେଗୁଡ଼ାକୁ ବିଶ୍ୱାସ କଲେ ଏହା କହି ହେବ ଯେ ସେ ବନ୍ଧୁତ୍ୱର ସାଗରରେ ସନ୍ତରଣ କରୁଥିଲା; ବାର୍ଟମେଇୟର୍‌ ନାମକ ଜଣେ କିରାଣୀ ତା’ ପାଇଁ ପାଗଳ ହୋଇ ଯାଇଥିଲା, ତା’କୁ ଏହି ଛୋଟ ଚେନ୍‌ ଓ ଲକେଟ୍‌ଟି ଦେଇଛି, ଲକେଟ୍‌ରେ ତା’ର ଫଟୋଟିଏ ରଖି, ସେମିତି କରିବା ଅବଶ୍ୟ ତା’ ପକ୍ଷରେ ଅତ ଅଲାଜୁକ କଥା; ଏପରିକା ଅନେକ ଘଟଣା ଘଟିଗଲା, କିନ୍ତୁ ମାତ୍ର ଚାରୋଟି ଦିନ ମିଳିଲା, ସେ ଚାରୋଟି ଦିନ ଭିତରେ ପେପି ଚାହିଁଥିଲେ ଲୋକେ ଫ୍ରୀଡ଼ାକୁ ପ୍ରାୟ ଭୁଲିଯାଇଥାନ୍ତେ, ଅବଶ୍ୟ ପୂରା ପୂରୀ ନୁହେ; ତଥାପି ତା’କୁ ଲୋକେ ଭୁଲିଯାଇଥାନ୍ତେ, ହୁଏତ ଆହୁରି ଶୀଘ୍ର ଯଦି ଫ୍ରୀଡ଼ା ତା’ ନିଜ ବିଷୟରେ ସେ ଅପପ୍ରଚାର ଏତେ ଏତେ ଜୋର୍‌ରେ ଚଳାଇନଥାନ୍ତା, ସେମିତି ପ୍ରଚାର କରିବା ଫଳରେ ସେ ଲୋକଙ୍କ ଆଖିରେ ନୂଆ ଜଣେ ହୋଇଗଲା, କେବଳ କୌତୁହଳବଶତଃ ଲୋକେ ତା’କୁ ଆଉଥରେ ଦେଖିବାକୁ ଚାହିଁଲେ; ଏବଂ ଯେଉଁ କଥାରେ ସେମାନେ ଅତିଶୟ ବିରକ୍ତ ହୋଇପଡ଼ିଥିଲେ ଠିକ୍‌ ସେହି କଥା ପୁଣି ସେମାନଙ୍କୁ ଭଲ ଲାଗିଲା, ଏବଂ ଏଥିପାଇଁ ଅନ୍ୟ ସବୁଥିରେ ଏତେ ବିରକ୍ତି କର ଲାଗୁଥିବା କେ. ହିଁ ଦାୟୀ; ଅବଶ୍ୟ ସେମାନଙ୍କ ଆଖି ଆଗରେ ପେପି ଥିବା ଯାକେ, ସେମାନଙ୍କ ଉପରେ ତା’ର ପ୍ରଭାବ ବିସ୍ତାର କରୁଥିବା ଯାକେ, ସେମାନେ ତା’କୁ ଛାଡ଼ିଯାଇ ପାରିନଥାନ୍ତେ, କିନ୍ତୁ ସେମାନେ ସମସ୍ତେ ହେଲେ ବୟସ୍କ ଭଦ୍ରଲୋକ, ଆଚାର ବ୍ୟବହାରରେ ଖୁବ୍‌ ମନ୍ଥର ଓ ଗମ୍ଭୀର, ଜଣେ ନୂଆ ବାର୍‌ମେଡ଼୍‌ ସାଙ୍ଗରେ ନିଜକୁ ଖାପ ଖୁଆଇ ନେବାପାଇଁ ସେମାନଙ୍କୁ କିଛିଟା ସମୟ ଲାଗିଲା, ଏବଂ ସେ ପରିବର୍ତ୍ତନ ଯେତେ ସୁବିଧାଜନକ ହେଲେ ମଧ୍ୟ କିଛି ସମୟ ଲାଗିଲା, ଭଦ୍ରଲୋକମାନଙ୍କ ଇଚ୍ଛା ବିରୁଦ୍ଧରେ ହେଲେ ବି କିଛି ଦିନ ସମୟ ଲାଗିବ, କେବଳ ପାଞ୍ଚଟାଦିନ ଲାଗିଥାନ୍ତା ବୋଧହୁଏ, କିନ୍ତୁ ଚାରି ଦିନ ଯଥେଷ୍ଟ ହେଲା ନାହିଁ, ସେସବୁ ସତ୍ତ୍ୱେ ପେପି କେବଳ ଅଳ୍ପଦିନ ପାଇଁ ହିଁ ବାର୍‌ମେଡ଼୍‌ ହୋଇ ଆସିଛି ବୋଲି ସମସ୍ତେ କହିଲେ । ଏବଂ ସବୁଠାରୁ ଦୁର୍ଭାଗ୍ୟଜନକ କଥା ବୋଧହୁଏ ଏୟା ! ଏହି ଚାରିଦିନ ଭିତରେ, ଯଦିଓ କ୍ଳାମ୍‌ ପ୍ରଥମ ଦୁଇଦିନ ଗାଁ ଭିତରକୁ ଆସିଥିଲେ, ସେ ହୋଟେଲ୍‌କୁ ଆସିଲେ ନାହିଁ । ସେ ଯଦି ଆସିଥାନ୍ତେ, ତାହା ପେପି ପାଇଁ ଚରମ ପରୀକ୍ଷା; ଅବଶ୍ୟ ସେ ପରୀକ୍ଷା ବିଷୟରେ ପେପିର କୌଣସି ପ୍ରକାର ଡରଭୟ ନଥିଲା, ବରଂ ସେ ପ୍ରକାର ଗୋଟିଏ ପରୀକ୍ଷା ଆସୁ ବୋଲି ସେ ଚାହୁଁଥିଲା । ସେ କଦାପି ଅବଶ୍ୟ ଏମିତିକର ବିଷୟ କଥାରେ ନ କହିବା ସବୁଠାରୁ ଭଲ ହେବ-ସେ କଦାପି କ୍ଳାମ୍‌ଙ୍କ ରକ୍ଷିତା ହୋଇ ନ ଥାନ୍ତା, ମିଛ ଫିଛ କହି ସେ ସ୍ତରକୁ ଉଠି ନ ଥାନ୍ତା, କିନ୍ତୁ ଅନ୍ତତଃ ଫ୍ରୀଡ଼ା ଭଳି ସୁନ୍ଦର ଭାବରେ ଟେବୁଲ ଉପରେ ବୀୟର ଗ୍ଳାସ ରଖି ପାରିଥାନ୍ତା, ଫ୍ରୀଡ଼ା ଭଳି ଗମ୍ଭୀର ନ ହୋଇ ‘‘ଶୁଭସକାଳ’’ ଓ ‘‘ବିଦାୟ’’ କହିପାରିଥାନ୍ତା ସୁନ୍ଦର ଭାବରେ ଏବଂ କ୍ଳାମ୍‌ ଯଦି କୌଣସି ଝିଅର ଆଖିରେ କ’ଣ ଦେଖିବାକୁ ଚାହିଁଥାଂତେ ପେପି ଆଖିରେ ତାହା ଦେଖି ତାଙ୍କର ମନବୋଧ ହୋଇ ଯାଇଥାଂତା । କିନ୍ତୁ ସେ ଆସିଲେ ନାହିଁ କାହିଁକି-? ତାଙ୍କର ନ ଆସିବାଟା କ’ଣ ଆକସ୍ମିକ ? ସେତେବେଳେ ପେପି ମଧ୍ୟ ସେୟା ଭାବିଥିଲା-। ସେହି ଦୁଇଦିନ ଯାକ ସେ ଯେ କୌଣସି ମୂହୁର୍ତ୍ତରେ ଆସି ପହଞ୍ଚିବେ ବୋଲି ପେପି ଆଶା କରିଥିଲା, ଏବଂ ରାତିରେ ମଧ୍ୟ ସେ ଅପେକ୍ଷା କଲା । ‘‘ବର୍ତ୍ତମାନ କ୍ଳାମ୍‌ ଆସିଯିବେ,’’ ସେ ଏମିତି ଭାବି ଚାଲିଥାଏ, ଏବଂ ଅନ୍ୟ କୌଣସି କାରଣରୁ ନୁହେ, କେବଳ ଅପେକ୍ଷାର ଆବେଗରେ, ଏବଂ ସେ ଆସି ପହଞ୍ଚି ଗଲେ ସେ ତାଙ୍କୁ ପ୍ରଥମେ ପାଛୋଟି ନେବ ବୋଲି ଏପଟ ସେପଟ ଧାଁ ଧପଡ଼ କରୁଥାଏ । ସେଥିରେ ବାରମ୍ବାର ନିରାଶ ହୋଇ ସେ କ୍ଳାନ୍ତ ହୋଇ ପଡ଼ିଲା, ବୋଧହୁଏ ସେଥିପାଇଁ ସେ ଯାହା ସବୁ କରାଇ ପାରିଥାନ୍ତା, ତା’ କରାଇ ପାରିଲା ନାହିଁ । ଯେତେବେଳେ ଟିକିଏ ସମୟ ମିଳିଲା, ସେ ସେହି ବାରନ୍ଦାକୁ ଚୁପ୍‌କିନା ପଳାଇ ଯାଉଥିଲା, ଯେଉଁ ବାରନ୍ଦାକୁ ଯିବା କର୍ମଚାରୀମାନଙ୍କୁ ମନା ଥିଲା, ସେଠି ସେ କେଉଁ ଗୋଟିଏ କଣରେ ଲୁଚି ରହି ଅପେକ୍ଷା କରୁଥାଏ-। ‘‘ଆଃ ଯଦି କ୍ଳାମ୍‌ ଏବେ ଚାଲି ଆସନ୍ତ,’’ ସେ ଭାବୁଥାଏ, ‘‘ମୁଁ ଯଦି ସେ ଭଦ୍ରଲୋକଙ୍କୁ ଛାତିରେ ଯାକି ତାଙ୍କ ରୁମ୍‍ର୍‌ ବାର୍‌କୁ ନେଇ ଯାଇ ପାରନ୍ତି । ସେ ଯେତେ ଓଜନିଆ ହେଲେ ବି ମୁଁ ପଡ଼ିଯିବି ନାହିଁ । କିନ୍ତୁ ସେ ଆସିଲେ ନାହିଁ । ସେ ବାରନ୍ଦା ଉପର ମହଲା ଥିଲା ଖୁବ୍ ଚୁପ୍‌ଚାପ୍‌ ଏତେ ଚୁପ୍‌ଚାପ୍‌ ଯେ ସେଠାକୁ ନଯାଇଥିବା ଲୋକ ମୋଟେ କଳ୍ପନା କରିପାରିବ ନାହିଁ । ଏତେ ଚୁପଚାପ୍‌ ଯେ ସେଠାରେ ବେଶୀ ସମୟ ଯାଏଁ କେହି ରହିପାରିବ ନାହିଁ, ସେ ନୀରବତା ତା’କୁ ସେଠାରୁ ତଡ଼ି ଦେବ । କିନ୍ତୁ ବାରମ୍ବାର, ଦଶଥର ତଡ଼ା ଖାଇ, ଦଶଥର ପୁଣି ପେପି ସେଠାକୁ ଗଲା-। ଅବଶ୍ୟ ତାହା ଥିଲା ତା’ର ମୁର୍ଖାମି । କ୍ଳାମ୍‌ ଯଦି ଆସିବାକୁ ଚାହିଁବେ, ସେ ଆସିଯିବେ, କିନ୍ତୁ ସେ ଯଦି ଆସିବାକୁ ନ ଚାହିଁବେ, ପେପି ତାଙ୍କୁ ପ୍ରଲୋଭନ ଦେଖାଇ ନେଇ ଆସିବ ନାହିଁ, ସେ ବାରନ୍ଦା କଣରେ ତା’ ଛାତି ଧଡ଼ ଧଡ଼ ହୋଇ ତାକୁ ଅଣନିଃଶ୍ୱାସି କରି ଦେଉ ପଛକେ । ସେ ଅପେକ୍ଷାର କୌଣସି ଅର୍ଥ ନାହିଁ, ଏବଂ ସେ ଯଦି ନ ଆସିବେ, କୌଣସି ଜିନିଷର କିଛି ଅର୍ଥ ରହିବ ନାହିଁ । ଏବଂ ସେ ଆସିଲେ ନାହିଁ । ଆଜି ପେପି ଜାଣିଲା କ୍ଳାମ୍‌ କାହିଁକି ଆସିଲେ ନାହିଁ । ଫ୍ରୀଡ଼ା ଯଦି ପେପିକୁ ସେ ବାରନ୍ଦା କଣରେ ଛାତିରେ ଦୁଇହାତ ରଖି ଠିଆ ହୋଇଥିବା ଦେଖି ପାରିଥିବ, ତା’କୁ ଖୁବ ମଜା ଲାଗିଥିବ । କ୍ଳାମ୍‌ ଆସିଲେ ନାହିଁ; କାରଣ ଫ୍ରୀଡ଼ା ତାଙ୍କୁ ଆସିବାକୁ ଦେଲା ନାହିଁ । ଅନୁନୟ କରି ସେ ତାଙ୍କୁ ଅଟକାଇ ଦେଇନଥିଲ, ତାର ଅନୁନୟ କ୍ଳାମଙ୍କ ଛାତିରେ ଭେଦେ ନାହିଁ । କିନ୍ତୁ ସେତ ଗୋଟିଏ ବୁଢ଼ିଆଣୀ ତା’ର ଏମିତି ସବୁ ଚିହ୍ନା ପରିଚୟ ଲୋକଥିଲେ ଯାହାକି କେହି ଜାଣିନଥିଲେ । ଯଦି କୌଣସି ଅତିଥିଙ୍କୁ ପେପି କିଛି କହୁଥିଲା, ସେ ଖୋଲା ଖୋଲି ଭାବରେ କହୁଥିଲା, ପାଖ ଚେୟାରରେ ବସିଥିବା ଲୋକକୁ ବି ଶୁଣାଯିବ । ଫ୍ରୀଡ଼ାର କିଛି କହିବାର ନଥାଏ, ସେ ଟେବୁଲ ଉପରେ ବୀୟର ରଖି ଦେଇ ପଳାଇଯାଏ, ତା’ ରେଶମୀ ସାୟାର ଖସ୍‍ ଖସ୍‍ ଶବ୍ଦ କେବଳ ଶୁଭୁଥାଏ, ସେହି ଗୋଟିଏ ଜିନିଷ ଉପରେ ହିଁ ସେ ଗୁଡ଼ାଏ ଖର୍ଚ୍ଚ କରିଥାଏ । କିନ୍ତୁ ଥରେ ଯଦି ବା ସେ କିଛି କହୁଥିଲା, ସମସ୍ତଙ୍କ ଆଗରେ କହୁନଥିଲା, ଅତିଥିଙ୍କ କାନରେ ଫିସ୍‌ ଫିସ୍‌ ହୋଇ କହୁଥିଲା, ତଳକୁ ନଇଁପଡ଼ି, ଫଳରେ ପର ଟେବୁଲ ପାଖର ଲୋକେ କାନ ଡେରି ଶୁଣୁଥିଲେ । ସେ ବୋଧହୁଏ କିଛି ଗୁରୁତ୍ୱପୂର୍ଣ୍ଣ କଥା କହୁନଥିଲା, ତଥାପି ସବୁବେଳେ ନୁହେଁ, ତାର ଚିହ୍ନା ପରିଚୟ ଲୋକ ଥାଆନ୍ତି, ସେ ୟାକୁ ଆଣି ତା ପାଖରେ, ତାକୁ ଆଣି ୟା ପାଖରେ ଜୁଟାଉ ଥାଏ, କିନ୍ତୁ କାହା ଜରିଆରେ ବି କିଛି କାମ ଯଦି ନ ହେଲା ଫ୍ରୀଡ଼ା ବିଷୟରେ କିଏ ବା ଏତେ ମୁଣ୍ଡ ଖେଳାଉଥିବ ? ତଥାପି ଜଣକ ପାଖରେ ସବୁବେଳେ ସେ ସଫଳ ହେଉଥିଲା । ଏସବୁ ଚିହ୍ନା ପରିଚୟଲୋକଙ୍କୁ ବର୍ତ୍ତମାନ ସେ ବ୍ୟବହାର କରିବାକୁ ଆରମ୍ଭ କଲା, କେ. ତା’କୁ ଏପରି କରିବାର ସୁଯୋଗ ଦେଲା, ତା ପାଖରେ ବସି ତା’କୁ ଜଗିବା ପରିବର୍ତ୍ତେ ସେ ସବୁବେଳେ ବାହାରକୁ ପଳାଉଥାଏ, ବୁଲୁଥାଏ, ୟା ତା ସାଙ୍ଗରେ କଥାବାର୍ତ୍ତା କରେ, ସମସ୍ତଙ୍କ କଥା ମନଯୋଗ ଦେଇ ଶୁଣେ, କିନ୍ତୁ ଫ୍ରୀଡ଼ା କଥା ଶୁଣେ ନାହିଁ, ଏବଂ ଶେଷରେ ତା’କୁ ଅଧିକ ସ୍ୱାଧୀନତା ଦେବା ଉଦ୍ଦେଶ୍ୟରେ ସେ ବ୍ରିଜ୍‌ଇନ୍‌ରୁ ବାହାରିଯାଇ ସେ ଫାଙ୍କା ଶୂନ୍‌ଶାନ୍‌ ସ୍କୁଲ ଘରକୁ ପଳାଇଗଲା । ମଧୂଚନ୍ଦ୍ରିକାଯାପନର ଏହା ଶୁଭାରମ୍ଭ ହେଉ, କିନ୍ତୁ ତା ସାଙ୍ଗରେ ରହିନପାରୁଛି ବୋଲି କେ କୁ ଗାଳିଦେବା ଲୋକ ନିଶ୍ଚିତ ଭାବରେ ଫ୍ରୀଡ଼ା ନୁହେଁ, କେହି ବି ତା’ ସାଙ୍ଗରେ ରହି ପାରନ୍ତି ନାହିଁ । କିନ୍ତୁ ତା’କୁ କେ ପୂରା ଛାଡ଼ି ଦେଲା ନାହିଁ କାହିଁକି, ସେ ବାରମ୍ବାର ତା ପାଖକୁ ବାହୁଡ଼ି ଆସିଲା କାହିଁକି, ବାହାରେ ଏମିତି ବୁଲା ବୁଲି କରି ସେ ଫ୍ରୀଡ଼ା ପାଇଁ ଏତେ କାମ କରୁଛି, ଏହି ଧାରଣା ଦେଲା କାହିଁକି ? ମନେ ହେଲା ସେ ଯେମିତି ଫ୍ରୀଡ଼ା ସହିତ ତା’ର ସଂପର୍କ ଜରିଆରେ ହିଁ ଜାଣିପାରିଲା ଯେ ପ୍ରକୃତରେ ତା’ର କୌଣସି ନିଜସ୍ୱ ଅସ୍ତତ୍ୱ ନାହିଁ । ସତେ ଯେମିତି ସେ ଫ୍ରୀଡ଼ାର ଯୋଗ୍ୟ ହେବାକୁ ଚାହୁଁଥିଲା ଏବଂ ସେଥିପାଇଁ ବର୍ତ୍ତମାନ ତାର ସଙ୍ଗସୁଖ ତ୍ୟାଗ କରୁଥିଲା ଯାହାଫଳରେ କି ପରେ ଭବିଷ୍ୟତରେ ସେ ଆରାମରେ ତାହା ଉପଭୋଗ କରିବ । ଏହା ଭିତରେ ଫ୍ରୀଡ଼ା ମଧ୍ୟ ତା’ର ସମୟର ସଦୁପଯୋଗ କରୁଥାଏ । ସେ ସ୍କୁଲ ଘରୁ କେଉଁଆଡ଼େ ଯାଏନାହିଁ, ଯେଉଁଠିକି ବୋଧହୁଏ ସେ ହିଁ କେ. ବାଟ କଢ଼ାଇ ନେଇଥିଲା, ଏବଂ ହେରେନ୍‌ ହଫ୍‌ ଓ କେ. ଉପରେ ସତର୍କ ଦୃଷ୍ଟି ରଖିଥାଏ । ତା’ ହାତରେ ଚମତ୍‌କାର ଦୁତ ଥାଆନ୍ତି; କେ,ର ସହକାରୀ ଦୁଇଜଣ, ଯାହାଙ୍କୁ କି. କେ ପୂରା ତା’ପାଖରେ ଛାଡ଼ି ଦେଇଥାଏ, କାହିଁକି କେହି ବୁଝିପାରୁନଥିଲେ, ଏପରିକି ଯେଉଁମାନେ କେ.କୁ ଜାଣିଥିଲେ ସେମାନେ ମଧ୍ୟ ତା’କୁ ବୁଝିପାରୁନଥିଲେ । ସେ ସେ ଦୁହିଁଙ୍କୁ ତା’ର ପୁରୁଣା ସାଂଗସାଥିମାନଙ୍କ ପାଖକୁ ପଠାଉଥାଏ, ସେ ବଞ୍ଚିଛି ବୋଲି ସମସ୍ତଙ୍କୁ ଜଣାଇ ଦେଉଥାଏ, କେ. ଭଳି ଜଣେ ଲୋକ ହାତରେ ସେ ବନ୍ଦୀ ବୋଲି ଅଭିଯୋଗ କରୁଥାଏ, ପେପି ବିରୁଦ୍ଧରେ ଲୋକଙ୍କୁ ମତାଉଥାଏ । ସେ ଆସି ପହଞ୍ଚୁଛି ବୋଲି ଘୋଷଣା କରି ସେମାନଙ୍କର ସାହାଯ୍ୟ ପ୍ରାର୍ଥନା କଲା, କ୍ଳାମ୍‌ଙ୍କୁ କିଛି ନ କହିବା ପାଇଁ ସେମାନଙ୍କୁ ଅନୁରୋଧ କଲା, ଏମିତି ବ୍ୟବହାର କଲା, ସତେ ଯେମିତି ସେ କ୍ଳାମ୍‌ଙ୍କୁ ଆଘାତ ଦେବାକୁ ଚାହୁଁନଥିଲା, ଏବଂ ସତେ ଯେମିତି ସେଥିପାଇଁ କ୍ଳାମ୍‌ କୌଣସି ମତେ ମଦବିକା ଘରକୁ ଆସିବା ଉଚିତ ନୁହେଁ ଏଣେ ଜଣକୁ କହିଲା ଯେ ସେ କ୍ଳାମ୍‌ଙ୍କୁ ଆଘାତ ଦେବାକୁ ଚାହୁଁ ନାହିଁ; ତେଣେ ହୋଟେଲ ମାଲିକ ଅନ୍ୟ ପ୍ରକାରେ କହି ଫାଇଦା ଉଠାଇଲା, ସେ ହୋଟେଲମାଲିକକୁ ଦେଖାଇ ଦେଲା ଯେ କ୍ଳାମ୍‌ ଆଉ ଆସୁନାହାନ୍ତି । ସେ ବା କେମିତି ଆସିବେ, ଯଦି ଜଣେ ପେପି ତଳ ମହଲାରେ ଦେଖା ଶୁଣା କରିବ ? ସତରେ, ସେଟା ହୋଟେଲ ମାଲିକର ଭୁଲ ନୁହେଁ, ସେ ଯେତେ ଝିଅଙ୍କୁ ଦେଖିଲା, ପେପୀ ହିଁ ସମସ୍ତଙ୍କଠୁ ଭଲ ଜଣାପଡ଼ିଲା, କିନ୍ତୁ ଫ୍ରୀଡ଼ା ଯାଗାରେ ଆଉ ଜଣକୁ ରଖିବା ଭଲ ହେଲା ନାହିଁ, ଅଳ୍ପ ଦିନ ପାଇଁ ହେଉ ପଛକେ । ଫ୍ରୀଡ଼ାର ଏ ସମସ୍ତ କାର୍ଯ୍ୟକଳାପ ବିଷୟରେ କେ କିଛି ଜାଣି ନଥାଏ, ସେ ବାହାରେ ଯାଇ ବୁଲା ବୁଲି ନ କରୁଥିଲା ବେଳେ ଫ୍ରୀଡ଼ାର ଚରଣ ସେବା କରୁଥାଏ, କିଛି ଜାଣି ପାରୁନଥାଏ, ଏବଂ ତେଣେ ଫ୍ରୀଡ଼ା ଦିନ ଗଣୁଥାଏ କେମିତି ପେପୀ ମଦବିକା ଘରୁ ବାହାରିଯିବ । କିନ୍ତୁ ଏମିତି ବିଭିନ୍ନ ଲୋକଙ୍କ ପାଖକୁ ଯିବା ଛଡ଼ା ଅନ୍ୟାନ୍ୟ ଅନେକ କାମ ସହକାରୀ ଦୁଇଜଣ କରୁଥାନ୍ତି, ସେମାନେ କେ ମନରେ ଈର୍ଷା ଜନ୍ମାଇବାରେ ଲାଗିଥାନ୍ତି, ତା’କୁ ଫ୍ରୀଡ଼ା ପ୍ରତି ଆକୃଷ୍ଟ କରାଇ ରଖିଥାନ୍ତି । ଫ୍ରୀଡ଼ା ପିଲାଦିନୁଁ ସେ ସହକାରୀ ଦୁଇଜଣଙ୍କୁ ଜାଣିଥାଏ, ସେମାନେ ତା’ ପାଖରେ ଆଉ କୌଣସି କଥା ଲୁଚାଉନଥାନ୍ତି, କିନ୍ତୁ କେ. ପ୍ରତି ସମ୍ମାନ ଦେଖାଇ ସେମାନେ ପରସ୍ପର ପ୍ରତି ଅଧିକ ଆକୃଷ୍ଟ ହୋଇପଡ଼ିବାକୁ ଆରମ୍ଭ କରୁଥାନ୍ତି । ଏବଂ ତାହା ଭୀଷଣ ଧରଣର ପ୍ରେମରେ ପରିଣତ ହେବାର ଭୟ ସୃଷ୍ଟି କଲା କେ. ପାଇଁ । ଏବଂ କେ ଫ୍ରୀଡ଼ା ଯାହା ଚାହିଁଲା ଗଲା, ଏପରିକି ସେସବୁ କାମ ଯେତେ ଅର୍ଥହୀନ ଓ ପରସ୍ପର ବିରୋଧୀ ହେଲେ ମଧ୍ୟ, ସହକାରୀମାନେ ତା’ ମନରେ ଈର୍ଷା ଜନ୍ମାଇବାକୁ ଦେଲା, ତିନିଜଣଯାକୁ ଏକାଠୀ ରହିବାକୁ ଦେଲା, ନିଜେ ଯାଇ ଏକୁଟିଆ ବାହାରେ ବୁଲିଲା । ମନେ ହେଉଥାଏ, ସେ ଯେମିତି ଫ୍ରୀଡ଼ାର ତିନି ନମ୍ବର ସହକାରୀ । ଏବଂ ଏପରି ଭାବରେ ତା’ର ପରିସ୍ଥିତି ଅନୁଧ୍ୟାନ ଉପରେ ନିର୍ଭର କରି ଫ୍ରୀଡ଼ା ଶେଷରେ ତା’ର ବିଦ୍ରୋହ କରିବାର ନିଷ୍ପତ୍ତି ନେଲା : ସେ ଠିକ୍‌ କଲା ସେ ଫେରିଯିବ । ଏବଂ ପ୍ରକୃତରେ ଅନେକ ଡେରି ହୋଇଯାଇଥିଲା, ଚାଲାକ ଚତୁର ଫ୍ରୀଡ଼ା ଯେ ତାହା ଜାଣି ପାରିଲା ଏବଂ ସୁଯୋଗର ସଦ୍‌ବ୍ୟବହାର କଲା, ସେଥିପାଇଁ ତା’କୁ ଯେ କେହି ପ୍ରଶଂସା କରିବ । ପରିସ୍ଥିତି ଅନୁଧ୍ୟାନ କରିବାର ଏବଂ ନିଷ୍ପତ୍ତି ନେବାର ଏ ଶକ୍ତି ଥିଲା ପ୍ରୀଡ଼ାର ଅତୁଳନୀୟ କଳାକୌଶଳ; ପେପିର ଯଦି ଏ ଶକ୍ତି ଥାଆନ୍ତା, ତା’ ଜୀବନର ଗତି ଅନ୍ୟ ପ୍ରକାର ହୋଇଥାନ୍ତା । ଫ୍ରୀଡ଼ା ଯଦି ଆଉ ଦିନେ ଦୁଇଦିନ ସ୍କୁଲ ଘରେ ରହିଯାଇଥାନ୍ତା, ସେ ପେପିକୁ ତଡ଼ି ଦେବା ଆଉ ସମ୍ଭବ ହୋଇନଥାନ୍ତା, ପେପି ସବୁଦିନ ପାଇଁ ବାର୍‍ର ମେଡ଼୍‌ ହୋଇ ରହି ଯାଇଥାନ୍ତା, ସମସ୍ତେ ତା’କୁ ଭଲ ପାଇଥାନ୍ତେ, ସାହାଯ୍ୟ କରିଥାନ୍ତେ, ବହୁତ ପଇସା ରୋଜଗାର କରି ତା’ର ଫାଙ୍କା ପଡ଼ିଥିବା ବାକ୍‌ସକୁ ସୁନ୍ଦର ଚକଚକିଆ ଲୁଗା ପଟାରେ ଭର୍ତ୍ତି କରି ଦେଇଥାନ୍ତା, ଆଉ ଦିନେ ଦୁଇଦିନ ଗଡ଼ିଯାଇଥିଲେ ଚକ୍ରାନ୍ତ କରି କ୍ଳାମ୍‌ଙ୍କୁ ଆଉ ହୋଟେଲ୍‌ରୁ ଦୂରେଇ ରଖି ହୋଇନଥାନ୍ତା, ସେ ଆସିଯାଇଥାନ୍ତେ, ମଦ ପିଇଥାନ୍ତେ, ଆରାମ କରିଥାନ୍ତେ ଏବଂ ଯଦି ବା ସେ ଫ୍ରୀଡ଼ାର ଅନୁପସ୍ଥିତି ଲକ୍ଷ୍ୟ କଲେ, ସେ ଏ ପରିବର୍ତ୍ତନ ଦେଖି ବହୁତ ଖୁସି ହୋଇଥାନ୍ତେ । ଆଉ ଦିନେ ଦୁଇଦିନ ମାତ୍ର, ଏବଂ ଫ୍ରୀଡ଼ାକୁ ସମସ୍ତେ ଭୁଲିଯାଇଥାନ୍ତେ, ତା’ର ବଦନାମ, ତା’ର ଚିହ୍ନା ପରିଚୟ, ତା’ର ସହକାରୀ ଏବଂ ଅନ୍ୟ ସମସ୍ତ କଥା ସତ୍ତ୍ୱେ, ସେ ଆଉ କେବେ ବାହାରେ ମୁହଁ ଦେଖାଇ ପାରିନଥାନ୍ତା । ତା’ପରେ ବୋଧହୁଏ ସେ କେ. କୁ ଆହୁରି ବେଶୀ ଜାବୁଡ଼ି ଧରିଥାନ୍ତା, ଏବଂ ସେ ତାହା କରି ପାରିବ ବୋଲି ଭାବି ନେଇ କେ. କୁ ପ୍ରକୃତରେ ଭଲ ପାଇ ବସିଥାନ୍ତା ? ନା, ତା’ ବି ନୁହେ । କାରଣ କେ: ତା’ ଉପରେ ବିରକ୍ତ ହେବା ପାଇଁ ଦିନକଠାରୁ ବେଶୀ ସମୟ ଲାଗିଲା ନାହିଁ, ସେ ଜାଣି ପାରିଲା, କି କଦର୍ଯ୍ୟ ଭାବରେ ଫ୍ରୀଡ଼ା ତା’କୁ ଠକୁଛି, ସବୁ କଥାରେ ତା’ର ତଥାକଥିତ ସୌନ୍ଦର୍ଯ୍ୟ, ତା’ର ତଥାକଥିତ ଏକାଗ୍ରତା, ଏବଂ ସର୍ବୋପରି କ୍ଳାମ୍‌ଙ୍କର ତା’ ପ୍ରତି ପ୍ରେମ-ଏ ସବୁଥିରେ । ତାକୁ ଆଉ ମାତ୍ର ଦିନଟିଏ ଲାଗିବ, ବେଶୀ ନୁହେ, ତା’କୁ ଘରୁ ନିକାଲିଦେବା ପାଇଁ, ଏବଂ ତା’ ସାଙ୍ଗରେ ସହକାରୀମାନଙ୍କ ସହିତ ତା’ର କଦର୍ଯ୍ୟ ସଂପର୍କକୁ ନଷ୍ଟ କରିଦେବା ପାଇଁ । ଦେଖ, ୟା’ ଠାରୁ ବେଶୀ ସମୟ କେ. କୁ ମଧ୍ୟ ଲାଗିବ ନାହିଁ । ଏବଂ ବର୍ତ୍ତମାନ, ଦୁଇ ବିପଦ ମଝିରେ ପଡ଼ି, ମୁଣ୍ଡ ଉପରେ କବର ବନ୍ଦ୍‌ ହେବାକୁ ବସିଲାଣି-କେ. ତା’ ର ସରଳ ମନରେ ଏଯାଏଁ ତା’ ପାଇଁ ସରୁ ଅଣଓସାରିଆ ରାସ୍ତା ଟିକକ ଖୋଲା ରଖିଥାଏ-ଫ୍ରୀଡ଼ା ହଠାତ୍‌ ଗୋଟାଏ କାଣ୍ଡ କରି ବସିଲା । ହଠାତ୍‌-କେହି ଏମିତି ଘଟିବ ବୋଲି ଆଶଙ୍କା କରିନଥିଲେ, ଏହା ଥିଲା ଅସ୍ୱାଭାବିକ-ହଠାତ୍‌ ସେ ନିଜେ କେ.କୁ ବାହାର କରିଦେଲା, ଯେଉଁ ଲୋକଟି ତା’କୁ ସେଯାଏଁ ଭଲ ପାଉଥିଲା, ତା’ ପଛରେ ଗୋଡ଼ାଇଥିଲା, ଏବଂ ଯେ କି ଫ୍ରୀଡ଼ାର ସାଙ୍ଗସୁଖ ଓ ସହକାରୀମାନଙ୍କ ଚାପରେ ରକ୍ଷାକର୍ତ୍ତା ଭାବରେ ହୋଟେଲ୍‌ ମାଲିକ ଆଗରେ ଠିଆ ହୋଇଥିଲା, ଯେତେବେଳେ ସେ ଅପପ୍ରଚାର ଫ୍ରୀଡ଼ାକୁ ଆଗ ଅପେକ୍ଷା ଅଧିକ ଆକର୍ଷଣୀୟ କରି ଦେଇଥିଲା, ତା’କୁ ସବୁଠାରୁ ତଳସ୍ତରର ଓ ସବୁଠାରୁ ଉପରସ୍ତରର ଲୋକେ ଏକାଧାରାରେ ଖୋଲା ଖୋଲି ଭାବରେ ଚାହୁଁଥିଲେ; ତଥାପି ଫ୍ରୀଡ଼ା କେବଳ ମୁହୂର୍ତ୍ତକ ପାଇଁ ଜଣେ ନୀଚସ୍ତରର ଲୋକର ପାଲରେ ପଡ଼ିଲା, ଖୁବ୍ ଶୀଘ୍ର ତା’କୁ ପରିତ୍ୟାଗ କଲା; ଠିକ୍‌ ହିଁ କଲା, ଏବଂ ପୁଣି, ନା ସେ ଲୋକ ନା ଅନ୍ୟମାନେ କେହି ତା’ ପାଖ ପଶିପାରିଲେ ନାହିଁ, ଯେମିତି ଆଗରୁ ହେଉଥିଲା; କେବଳ ଏତିକି ଯେ ଆଗରୁ ଏସବୁ ଠିକ୍‌ କି ଭୁଲ୍‌ ଲୋକେ ଜାଣିପାରି ନଥିଲେ, ବର୍ତ୍ତମାନ ସମସ୍ତେ ପୁଣି ନିଶ୍ଚିତ ହୋଇ ଯାଇଥିଲେ । ତା’ ପରେ ସେ ବାହୁଡ଼ି ଆସିଲା, ପେପି ଆଡ଼େ କଣେଇ ଚାହିଁ ହୋଟେଲ ମାଲିକ ନ ଯଯୌନସ୍ତଥୌ ହେଲା–ସେ କ’ଣ ତା’କୁ ଛାଡ଼ିଦେବ, ସେ ତା’ର ଯୋଗ୍ୟତା ସାବ୍ୟସ୍ତ କରିସାରିଲା ପରେ ବି ? କିନ୍ତୁ ଲୋକେ ତା’କୁ ଯୁକ୍ତିରେ ହରାଇ ଦେଲେ, ଫ୍ରୀଡ଼ା ସପକ୍ଷରେ ଅନେକ କଥା କହିଲେ, ଏବଂ ସର୍ବୋପରି, ଫ୍ରୀଡ଼ା ଅବଶ୍ୟ କ୍ଳାମ୍‌ଙ୍କୁ ପୁଣି ହୋଟେଲ୍‌କୁ ନେଇ ଆସିବ । ବର୍ତ୍ତମାନ ଆମର ପରିସ୍ଥିତି ଏୟା, ଏହି ସନ୍ଧ୍ୟାରେ । ଫ୍ରୀଡ଼ା ଆସି ପହଞ୍ଚିବା ଯାଏଁ, ବିଜୟ ଦର୍ପରେ ତା’ ଚାକିରୀଟା ଛଡ଼ାଇ ନେବା ଯାଏଁ, ପେପି ଅପେକ୍ଷା କରିବ ନାହିଁ । ସେ ହୋଟେଲ୍‌ ମାଲିକାଣୀକୁ ପଇସା ବାକ୍‌ସଟା ଦେଇ ଦେଇସାରିଛି, ବର୍ତ୍ତମାନ ସେ ଚାଲିଯାଇ ପାରିବ । ତଳ ମହଲାର ଚାକରାଣୀମାନଙ୍କ ରୁମ୍‍ରେ ତା’ ଭାଡ଼ି ଖଣ୍ଡକ ତା’କୁ ଅପେକ୍ଷା କରି ରହିଛି, ସେ ପଶି ଆସିବ, କାନ୍ଦି କାନ୍ଦି ଝିଅ ଗୁଡ଼ାକ ତା’କୁ ସମ୍ଭାଷଣ ଜଣାଇବେ, ତା’ ସାଙ୍ଗମାନେ, ତା’ ଦେହରୁ ପୋଷାକ ପତ୍ର ଓହ୍ଲାଇ ଦେବେ, ତା’ ବାଳରୁ ରିବନ୍‌ ଗୁଡ଼ିକ କାଢ଼ି ଦେବେ, ଏବଂ କେଉଁ କଣରେ ଏସବୁ ନେଇ ମାଡ଼ି ଦେବେ । ସେଠି ସେ ଗୁଡ଼ିକ ଅନ୍ଧାରରେ ପଡ଼ି ରହିଥିବ, ଆଉ ଯେଉଁ ସମୟର କଥା ଭୁଲିଗଲେ ଭଲ, ସେ ସମୟକୁ ମନେ ପକାଇ ଦେଉନଥିବ, ମନେ ପକାଇଦେବା କିଛି ଦରକାର ନାହିଁ । ତା’ପରେ ସେ ବଡ଼ ଡାଲାଟା ଓ ଝାଡ଼ୁମୁଠାଟା ଧରିବ, ଦାନ୍ତ କାମୁଡ଼ିବ, ଏବଂ ତା’ କାମରେ ଲାଗିଯିବ । ଏହା ଭିତରେ କିନ୍ତୁ ସେ କେ. କୁ ସବୁ କଥା କହିଦେବାକୁ ପଡ଼ିଲା, ଏଥିପାଇଁ ଯେ ସେ ତ ଏଯାଏଁ କେହି ନ କହିଲେ କିଛି ବୁଝିପାରୁ ନଥିବ, ସେ ଅନ୍ତତଃ ଥରକ ପାଇଁ ହେଲେ ସ୍ପଷ୍ଟ ଭାବରେ ଦେଖି ପାରିବ, ସେ କି କଦର୍ଯ୍ୟ ବ୍ୟବହାର କରିଛି ପେପି ପ୍ରତି, ଏବଂ ସେଥିରେ ପେପିର କି ଦୁଃଖ ହୋଇଛି । ତେବେ ତା’କୁ ବି ଯେ ଏ ସବୁଥିରେ କାମରେ ଲଗାଯାଇଛି, ଖରାପ କାମରେ ଲଗାଯାଇଛି ତାହା ମାନିବାକୁ ପଡ଼ିବ ।

 

ପେପିର କାମ ସରିଥିଲା । ସେ ଦୀର୍ଘନିଃଶ୍ୱାସ ପକାଇଲା, ଆଖିରୁ ଓ ଗାଲରୁ ଲୁହ ପୋଛିଲା, ଏବଂ କେ. ଆଡ଼କୁ ଅନାଇଁଲା । ସେ ମୁଣ୍ଡ ହଲାଉଥାଏ, ସତେ ଯେମିତି କହୁଥାଏ ଯେ ତା’ର ଏ ଦୁର୍ଭାଗ୍ୟରେ ପ୍ରକୃତରେ କିଛି ଯାଏ ଆସେ ନାହିଁ, ସେ ଏହାକୁ ସହିଯିବ, ସେଥିପାଇଁ ତା’ର ନା ସାହାଯ୍ୟ ଦରକାର ନା କାହାର ସାନ୍ତ୍ୱନା, କେ: ପାଖରୁ ତ ମୋଟେ ନୁହେ, ତା’ର ବୟସ ଏତେ କମ୍‌ ହୋଇଥିଲେ ମଧ୍ୟ ଜୀବନ ବିଷୟରେ କିଛିଟା କଥା ତା’ର ଜଣାଥିଲା, ଏବଂ ସେ ଯାହା ଜାଣିଥିଲା ତା’ର ବର୍ତ୍ତମାନର ଦୁର୍ଭାଗ୍ୟ ସେ ସବୁକୁ କେବଳ ସତ ବୋଲି ପ୍ରମାଣିତ କରିଦେଲା, କିନ୍ତୁ କେ. ବିଷୟରେ ତା’ର ଅନେକ କିଛି ଯାଏ ଆସେ, ପେପି ଚାହିଁଥିଲା ତା’କୁ ଦେଖାଇ ଦେବ ସେ କି ପ୍ରକାର ମଣିଷ, ତା’ର ସମସ୍ତ ଆଶା ଧୁଳିସାତ ହୋଇଯିବା ପରେ ବି ସେ ଏମିତି କରିବା ଦରକାର ବୋଲି ଭାବିଥିଲା ।

 

‘‘କି ପାଗଳାମି କରୁଚ ତମେ, ପେପି,’’ କେ କହିଲା । ‘‘ତମେ ଯେ କେବଳ ବର୍ତ୍ତମାନ ଏସବୁ କଥା ଜାଣି ପାରିଲ, ତା’ ମୋଟେ ସତ ନୁହେଁ । ଅବଶ୍ୟ ଏଗୁଡ଼ାକ ସ୍ୱପ୍ନ ଛଡ଼ା ଆଉ କିଛି ନୁହେ, ଯେଉଁ ସ୍ୱପ୍ନ ତମେ ଚ୍ୟାମ୍ବର୍‌ ମେଡ଼୍‌ମାନେ ତଳମହଲାର ସେଇ ଛୋଟ ଅନ୍ଧାରୁଆ ଘରଟା ଭିତରେ ଦେଖ, ସେଠି ସେ ସ୍ୱପ୍ନ ଦେଖିବା ଠିକ୍‌ ହେବ, ଏଠି ଏ ମଦବିକା ଘରର ଖୋଲା ଜୀବନରେ ସେ ସ୍ୱପ୍ନ ଭାରି ଅଡ଼ୁଆ ଲାଗୁଛି । ଏପ୍ରକାର ଧାରଣା ନେଇ ତମେ ଏଠି ତମ ଚାକିରୀ ରଖି ପାରିଲ ନାହିଁ, ଏଥିରେ ତ କହିବାର କିଛି ନାଇଁ । ତମର ପୋଷାକ ପତ୍ର ତମେ ଯୋଉ ବାଗରେ ମୁଣ୍ଡ କୁଣ୍ଡେଇଚ, ଯୋଉଥିପାଇଁ ତମର ଗର୍ବ-ଏସବୁ ମଧ୍ୟ ସେଇ ଅନ୍ଧାର ଭିତରୁ ତମ ରୁମ୍‍ର ସେଇ ଭାଡ଼ିରୁ ଆସିଥିବା ମିଛ ଗୁଡ଼ିଏ, ସେଠି ସେ ଗୁଡ଼ିକ ସୁନ୍ଦର ଦିଶେ, ଏଥିରେ ମୋର ସନ୍ଦେହ ନାହିଁ କିନ୍ତୁ ଏଠି ସେଗୁଡ଼ିକ ଦେଖି ସମସ୍ତେ ଲୁଚେଇ ଲୁଚେଇ ନହେଲେ ଖୋଲା ଖୋଲି ଭାବରେ ହସନ୍ତି । ଆଉ ତମ କାହାଣୀର କ’ଣ ହେଲା ତା’ ପରେ ? ମତେ ଖରାପ କାମରେ ଲଗା ହୋଇଛି, ଠକି ଦିଆ ହୋଇଛି ତେବେ, ନୁହେ ? ନା ଗୋ ମୋର ପେପି ତମଠୁ ଅଧିକା ମତେ ଖରାପ କାମରେ ଲଗା ହୋଇନି ଠକି ଦିଆଯାଇନି । ଫ୍ରୀଡ଼ା ବର୍ତ୍ତମାନ ପାଇଁ ମତେ ଛାଡ଼ି ଚାଲିଯାଇଥିବା ସତ କିମ୍ବା ତମେ କହିଲା ଭଳି, ସେ ଜଣେ ସହକାରୀ ସାଙ୍ଗରେ ପଳେଇଚି, ତମେ ସତ୍ୟର ଟିକିଏ ସୂଚନା ପାଇଚ, ଏବଂ ସେ ଯେ କେବେ ମୋର ସ୍ତ୍ରୀ ହେବ, ତା’ ପ୍ରକୃତରେ ଖୁବ ଅସମ୍ଭବ କଥା, କିନ୍ତୁ ମୋ ମନ ତମ’ଠୁ ଓହରି ଯାଇଥିବା କଥା କଞ୍ଚା ମିଛ ଡାହାମିଛ, ୟାଠୁ’ ବଳି ମିଛ ହେଲା ମୁଁ ତା’ ପରଦିନ ତା’କୁ ତଡ଼ିଦେବା କିମ୍ବା ସେ ମତେ ଠକି ଦେବା ଅନ୍ୟ ସ୍ତ୍ରୀ ଲୋକମାନେ ଯେମିତି ଜଣେ ପୁରୁଷକୁ ଠକି ଦିଅନ୍ତି । ତମେ ଚ୍ୟାମ୍ବର୍‌ ମେଡ଼୍‌ମାନେ ଚାବିକଣା ବାଟେ ଲୁଚି ଲୁଚି ଅନାଇଁବାରେ ଅଭ୍ୟସ୍ତ, ଏବଂ ସେୟା କରି ତମର ଚିନ୍ତାଧାରା ଏଇ ପ୍ରକାର ହୋଇଯାଏ, କଣ ଗୋଟିଏ ପ୍ରକୃତ ଛୋଟ ଜିନିଷ ଦେଖି ପରିସ୍ଥିତି ବିଷୟରେ ତମେ ମାନେ ଏଇ ପ୍ରକାର ସୁନ୍ଦର ଅଥଚ ମିଛ ଧାରଣା ଗୁଡ଼ିଏ କରି ବସ । ଆଉ ୟାର ପରିଣତ ହେଲା ମୁଁ ତମ ଅପେକ୍ଷା ଏ ବିଷୟରେ କମ୍‌ କଥା ଜାଣିଛି । ଫ୍ରୀଡ଼ା ମତେ କାହିଁକି ଛାଡ଼ି ଚାଲିଯାଇଛି, ତା’ ମୁଁ କୌଣସି ମତେ ତମ ଭଳି ସଠିକ ଭାବରେ କହି ପାରିବିନି । ସବୁଠୁ ବଡ଼ କାରଣଟା ବୋଧହୁଏ ତମେ ଖାଲି ସୂଚାଇ ଦେଲେ, ଭଲ ଭାବରେ କହିଲନି, ଯେ ମୁଁ ତା’ ପ୍ରତି ଅବହେଳା କଲି । ଦୁଃଖର କଥା, ତା’ ସତ ମୁଁ ପ୍ରକୃତରେ ଅବହେଳା କରିଚି, କିନ୍ତୁ ସେଥିପାଇଁ କେତେଗୁଡ଼ିଏ ବିଶେଷ ଧରଣର କାରଣ ଥିଲା, ଏଇ ଆଲୋଚନା, ସାଂଗରେ ସେଗୁଡ଼ିକର କୌଣସି ସଂପର୍କ ନାଇଁ । ସେ ଯଦି ମୋ’ ପାଖକୁ ଫେରି ଆସେ, ମୁଁ ବହୁତ ଖୁସି ହେବି, କିନ୍ତୁ ପୁଣି ତା’କୁ ଅବହେଳା କରିବା ଆରମ୍ଭ କରିଦେବି । ଘଟଣାଟା ହେଲା ଏୟା । ସେ ମୋ ପାଖରେ ଥିଲା ବେଳେ ମୁଁ ସବୁବେଳେ ବାହାରେ ଯାଇ ବୁଲୁଥିଲି, ଯୋଉଥିପାଇଁ ମୋର କିଛି କାମଧନ୍ଦା ନାଇଁ ମୁଁ କ୍ଳାନ୍ତ ହୋଇ ପଡ଼ିଚି, ଏବଂ ଏମିତି ଗୋଟିଏ ଅବସ୍ଥା ଆସୁ ବୋଲି ଚାହି: ବସିଚି ଯେତେବେଳେ ମୋର କାମଧନ୍ଦା ମୋଟେ କିଛି ନଥିବ-। ତମର କ’ଣ ଏ ବିଷୟରେ ମତେ କିଛି ପରାମର୍ଶ ଦେବାର ନାଇଁ ପେପି ?’’ ‘‘ହଁ ଅଛି, ଅଛି’’ ପେପି କହିଲା, ହଠାତ୍‌ ଚଞ୍ଚଳ ହୋଇଉଠି ଓ କେ କାନ୍ଧ ଉପରେ ହାତ ରଖି, ‘‘ଆମେ ଉଭୟେ ଠକିଯାଇଚେ, ଚାଲନ୍ତୁ ଏକାଠି ରହିବା, କେହି କାହାକୁ ଛାଡ଼ିବାନି । ତଳ ମହଲାର ମେଡ଼ମାନଙ୍କ ପାଖକୁ ଯିବା ଚାଲ ।’’ ‘‘ତମେ ଠକିଯାଇଚ ବୋଲି କହୁଥିବା ଯାକେ, କେ କହିଲା, ‘‘ମୁଁ ତମ ସାଂଗରେ କୌଣସି ପ୍ରକାର ବୁଝାମଣା କରିପାରିବିନି । ତମେ ସବୁବେଳେ କହୁଚ ଠକି ଯାଇଚ ବୋଲି, କାରଣ କଥାଟା ତମକୁ ଭଲ ଲାଗୁଚି, ତମ ମନକୁ ଛୁଉଁଚି । କିନ୍ତୁ ପ୍ରକୃତ ସତ କଥାଟି ହେଲା ଏ କାମ ତମକୁ ଠିକ ସୁହାଉନି । ତମକୁ ନସୁହାଉଥିବା କଥାଟି କେଡ଼େ ସ୍ପଷ୍ଟ ଭାବରେ ଜଣାପଡ଼ୁଥିବ ସତରେ; ଯେତେବେଳେ ମୁଁ ତମଠୁ ଏତେ କମ ଜାଣିଥିଲେ ବି ସେଟା ଜାଣିପାରୁଚି । ତମେ ଜଣେ ଭଲ ଝିଅ ପେପି; କିନ୍ତୁ ଏକଥା ଜାଣି ପାରିବା ମୋଟେ ସହଜ ନୁହେଁ, ଦେଖୁନା ମୁଁ ତମକୁ ପ୍ରଥମେ ଭାରି ନିଷ୍ଠଚର ଓ ରାଗୀ ବୋଲି ଭାବିଥିଲି କିନ୍ତୁ ତମେ ସେୟା ନୁହ, ଏ ଚାକିରୀଟା ହିଁ ତମ ମୁଣ୍ଡ ଗୋଳମାଳ କରି ଦେଉଚି, କାରଣ ତମକୁ ସେଟା ସୁହାଉନି । ମୁଁ କହିବାକୁ ଯାଉନି ଯେ ତମ ତୁଳନାରେ ଚାକିରୀଟା ବହୁତ ବଡ଼, ସେ ଯାହା ହେଲେ ବି ଚାକିରୀଟା ସତରେ ଏମିତି କିଛି ବିରାଟ ନୁହେଁ, ବୋଧ ହୁଏ; ଭଲ କରି ଭାବିଲେ ମନେ ହେବ ଯେ ତମର ଆଗର ଚାକିରୀ ଅପେକ୍ଷା ଏଇଟା ଟିକିଏ ବେଶୀ ସମ୍ମାନଜନକ, କିନ୍ତୁ ମୋଟା ମୋଟି ଭାବରେ ଦେଖିଲେ ତଫାତ୍‌ଟା ବେଶୀ ନୁହେଁ, ଉଭୟ ଚାକିରୀ ପ୍ରକୃତରେ ଏକା ଭଳି, ୟାକୁ ତା’କୁ ଭିନ୍ନ କରି ଦେଖିବା ସମ୍ଭବ ନୁହେ, ଆଉ ପ୍ରକୃତରେ ଜଣେ ଜୋର ଦେଇ କହି ପାରିବ ଯେ ମଦବିକା ଘରେ କାମ କରିବା ଅପେକ୍ଷା ଚ୍ୟାମ୍ବରମେଡ଼ ହୋଇ ରହିବା ଭଲ, କାରଣ ଚ୍ୟାମ୍ବର ମେଡ଼ ହଲେ ଜଣେ ସବୁବେଳେ ସଚିବମାନଙ୍କ ଗହଣରେ ରହିବ, ଅନ୍ୟ ପକ୍ଷରେ ଏଠି ଜଣେ ରୁମ ରୁମ୍‌ ବୁଲି ସଚିବମାନଙ୍କ ମୁଖିଆମାନଙ୍କର ଦେଖାଶୁଣା କଲେ ବି ସାଧାରଣ ଲୋକଙ୍କ ସାଙ୍ଗରେ ବି ତା’କୁ ବହୁତ ମିଳାମିଶା କରିବାକୁ ପଡ଼ିବ, ଯେମିତି ଧର ମୋ ସାଙ୍ଗରେ; ପ୍ରକୃତରେ ଏଇ ମଦବିକା ଘର ଛଡ଼ା ଅନ୍ୟ କୋଉଠି ବସାଉଠା କରିବାର ଅଧିକାର ମୋର ନାଇଁ-ଏବଂ ମୋ ସାଙ୍ଗରେ ମିଳାମିଶା କରିବା କ’ଣ ପ୍ରକୃତରେ ଗୋଟାଏ ବିରାଟ ସମ୍ମାନ ଜନକ କଥା ? ବେଶ, ତମକୁ ସେମିତି ଲାଗୁଚି ଏବଂ ତମେ ଏମିତି ଭାବିବାର କାରଣ ବୋଧେ ଅଛି । କିନ୍ତୁ ଠିକ୍‌ ସେଇଥିପାଇଁ ତମକୁ ଚାକିରୀ ସୁହାଉନି-। ଅନ୍ୟ ଯେ କୌଣସି ଚାକିରୀ ଭଳି ଇଏ ଗୋଟେ ଚାକିରୀ, କିନ୍ତୁ ତମ ପାଇଁ ଏଇଟା ସ୍ୱର୍ଗ, ଫଳରେ ତମେ ଯାହା କିଛି କରୁଚ, ବହୁତ ବେଶୀ ଆଗ୍ରହ ଦେଖାଉଚ ସେଥିରେ, ନିଜେ ନିଜକୁ ଦୂରେଇ ନେଉଚ ଯେମିତି, ତମେ କହିଲା ଭଳି, ଦେବଦୂତମାନେ ନିଜ ନିଜକୁ ଦୂରେଇ ନିଅନ୍ତି-କିନ୍ତୁ ବାସ୍ତବ କ୍ଷେତ୍ରରେ ସେମାନେ ପୂରା ଭିନ୍ନ-ଚାକିରୀଟା ପାଇଁ ହନ୍ତ ସନ୍ତ ହେଉଚ, ଭାବୁଚ ଯେ ତମକୁ ସବୁବେଳେ କଷ୍ଟ ଦିଆ ଯାଉଛି, ଯିଏ ତମକୁ ଟିକିଏ ସାହାଯ୍ୟ କରି ପାରିବ ବୋଲି ଭାବୁଚ, ସେପ୍ରକାର ସବୁ ଲୋକଙ୍କ ସାଙ୍ଗରେ ଅତି ଗୁଡ଼ିଏ ମିଳାମିଶା କରି ସେମାନଙ୍କୁ ଜୟ କରି ନେବାକୁ ଚେଷ୍ଟା କରୁଚ, କିନ୍ତୁ ଏୟା କରି ତମେ ସେମାନଙ୍କୁ ବିରକ୍ତ କରୁଚ, ଦୂରେଇ ଦେଉଚ, କାରଣ ହୋଟେଲ୍‌କୁ ଆସି ସେମାନେ ଚୁପ୍‌ ଚାପ୍‌, ଶାନ୍ତିରେ ବସିବାକୁ ଚାହାଁନ୍ତି, ନିଜ ନିଜ ଦୁଃଖ ଉପରେ ଆହୁରି ବାର୍‌ମେଡ଼୍‌ର ଦୁଃଖ୍ କଥା ଶୁଣିବାକୁ ଚାହାଁନ୍ତିନି । ହୋଇପାରେ ଫ୍ରୀଡ଼ା ଚାଲିଗଲା ପରେ କୌଣସି ବଡ଼ ଧରଣର ଅତିଥି ଘଟଣାଟା ଲକ୍ଷ୍ୟ କରିନଥିଲେ, କିନ୍ତୁ ଆଜି ସେମାନେ ସମସ୍ତେ ସେ କଥା ଜାଣି ସାରିଲେଣି, ଏବଂ ଫ୍ରୀଡ଼ା ଫେରିଆସୁ ବୋଲି ସମସ୍ତେ ଚାହୁଁଛନ୍ତି । କାରଣ ଫ୍ରୀଡ଼ା ସବୁ ଜିନିଷ ଅଲଗା ଭାବରେ ଚଳାଉଥିଲା, ଏଥିରେ ସନ୍ଦେହ ନାଇଁ । ଅନ୍ୟ କ୍ଷେତ୍ରରେ ଯେ ଯାହା ହୋଇଥାଉ ପଛକେ, ଚାକିରୀଟାକୁ ଯେତେ ବଡ଼ ବୋଲି ଭାବୁ ପଛକେ, କାମରେ ସେ ଥିଲା ଖୁବ୍‌ ଧୁରନ୍ଧର ଶାନ୍ତି ଧୀରସ୍ଥିର ତମେ ନିଜେ ସେକଥା ଜୋର୍‌ ଦେଇ କହୁଚ, ଯଦିଓ ତମେ ମାନିବ ଯେ ସେଥିରୁ ତମେ କିଛି ଶିଖିଲନି ଏଯାଏଁ । ସେ ବିଭିନ୍ନ ଜିନିଷକୁ କୋଉ ଭାବରେ ଦେଖେ ତମେ କେବେ ଲକ୍ଷ୍ୟ କରିଚ ? ଖାଲି ଜଣେ ବାରମେଡ଼୍‌ର ଦୃଷ୍ଟିରେ ସେ ଦେଖେ ନାଇଁ, ସେ ଦେଖେ ଜଣେ ମାଲିକାଣୀର ଦୃଷ୍ଟିରେ । ସେ ସବୁ କିଛି ଦେଖେ, ସବୁ ଲୋକଙ୍କ ପ୍ରତି ଦୃଷ୍ଟି ଦିଏ, ଏବଂ ପ୍ରତ୍ୟେକ ଲୋକ ଆଡ଼କୁ ସେ ଯୋଉ ଭଙ୍ଗୀରେ ଅନାଏଁ, ତା’ ଏତେ ଜୋର୍‌ଦାର୍‌ ଯେ ଲୋକଟି ଦବି ଯିବ । ତା’ ଚେହେରା ଯଦି ଟିକିଏ ଦୁର୍ବଳିଆ ହେଲା, ସେ ଯଦି ଟିକିଏ ବୁଢ଼ୀ ଭଳି ଦିଶିଲା, ତା’ ମୁଣ୍ଡବାଳ ଯଦି ଅସନା, ସେଥିରେ କ’ଣ ଏମିତି ବିଗିଡ଼ି ଗଲା ?-ତା’ ପାଖରେ ଯାହାସବୁ ଥିଲା, ତା’ ତୁଳନାରେ ଏ ଗୁଡ଼ିକ ତ ବହୁତ ଛୋଟ କଥା; ଏବଂ ଯଦି କେହି ଏଇ ଛୋଟ ଛୋଟ କଥାରେ ବ୍ୟସ୍ତ ହୋଇ ପଡ଼ିଲା, ତେବେ ଭାବିବାକୁ ହେବଯେ ବଡ଼ ବଡ଼ କଥା ଦେଖିବାର ଶକ୍ତି ତା’ର ନାଇଁ । କ୍ଳାମ୍‌ଙ୍କ ବିଷୟରେ ଏପ୍ରକାର କଥା କୁହାଯାଇ ପାରିବ ନାହିଁ, ଏହା ନିଶ୍ଚିତ, ଏବଂ ତମେ ଯଦି ଫ୍ରୀଡ଼ା ପ୍ରତି କ୍ଳାମ୍‌ଙ୍କ ପ୍ରେମକୁ ବିଶ୍ୱାସ କରି ପାରୁନା, ତା’ହେଲେ ସେଥିପାଇଁ ଦାୟୀ କଞ୍ଚା ବୟସର ଗୋଟିଏ ଝିଅର ଦୃଷ୍ଟିକୋଣ । ତମକୁ ଲାଗେ-ଏବଂ ସେମିତି ଲାଗିବା ଠିକ୍‌-ଯେ କ୍ଳାମ୍‌ଙ୍କ ପାଖରେ ତମେ ପହଞ୍ଚି ପାରିବନି, ଏବଂ ସେଇଥିପାଇଁ ତମେ ଭାବୁଚ ଯେ ଫ୍ରୀଡ଼ା ମଧ୍ୟ ତାଙ୍କ ପାଖକୁ ଯାଇପାରି ନଥିବ । ତମେ ଭୁଲ୍‌ ଭାବୁଚ । ଏଥିପାଇଁ ନିଖୁଣ ପ୍ରମାଣ ନଥିଲେ ବି ମୁଁ ଏଥିରେ ଫ୍ରୀଡ଼ାର କହିବା କଥାକୁ ବିଶ୍ୱାସ କରିବି । ତମକୁ ଏକଥା ଯେତେ ଅସମ୍ଭବ ମନେହେଉ ପଛକେ, ଏବଂ ସଂସାର ବିଷୟରେ, ଅଫିସର୍‌ମାନଙ୍କ ଚାଲିଚଳନ ଓ ଭଦ୍ରଲୋକି ବିଷୟରେ, ଜଣେ ସ୍ତ୍ରୀ ଲୋକର ସୌନ୍ଦର୍ଯ୍ୟର ପ୍ରଭାବ ବିଷୟରେ, ତମର ଯାହା ସବୁ ଧାରଣା ଅଛି ସେସବୁ ସାଙ୍ଗରେ ତମେ ଏକଥାଟାକୁ ଖାପ ଖୁଆଇ ନପାରୁଥିଲେ ବି ଏକଥା ସତ, ଆମେ ଏଠି ଯେମିତି ପାଖକୁ ପାଖ ଲାଗି ବସିଚେ, ଏବଂ ମୁଁ ମୋ ଦୁଇ ହାତରେ ତମ ହାତକୁ ଚାପି ଧରିଚି, ଠିକ୍‌ ସେମିତି ବୋଲି ମୁଁ କହିବି; ଏବଂ ତା’ ବି ବୋଧେ ସଂସାରର ଗୋଟିଏ ଅତି ସ୍ୱାଭାବିକ କଥା, ଠିକ୍‌ ସେମିତି କ୍ଳାମ୍‌ ଓ ଫ୍ରୀଡ଼ା ପାଖକୁ ପାଖ ଲାଗି ବସିଥିଲେ, ଏବଂ ସେ ନିଜ ଇଚ୍ଛାରେ ଚାଲି ଆସୁଥିଲେ, ପ୍ରକୃତରେ ସେ ତରବର ହୋଇ ବାହାରି ଆସୁଥିଲେ, ବାରନ୍ଦାରେ ସବୁ କାମ ପଛରେ ପକେଇ ଦେଇ କେହି ତାଙ୍କ ପାଇଁ ଅପେକ୍ଷା କରୁନଥିଲା, କ୍ଳାମ୍‌ ନିଜେ ନିଜକୁ ଉଠାଇ ଆଣି ତଳ ମହଲାକୁ ପଳାଇ ଆସୁଥିଲେ, ଏବଂ ଲୁଗା ପଟା ପିନ୍ଧିବାରେ ଫ୍ରୀଡ଼ା ଯୋଉ ସବୁ ଭୁଲ୍‌ କରୁଥିଲା, ଯୋଉଥିରେ ତମେ ଏକେବାରେ ଆଶ୍ଚର୍ଯ୍ୟ ହୋଇ ଯାଉଚ, ସେଥିରେ କ୍ଳାମ୍‌ ମୋଟେ ବ୍ୟସ୍ତ ହେଉନଥିଲେ । ତମେ ତା’ କଥା ବିଶ୍ୱାସ କରିବନି ! ଏବଂ ତମେ ଜାଣି ପାରୁନ ଏୟା କରି ତମେ ଦୁର୍ବଳତାକୁ କେମିତି ପଦାରେ ପକାଇ ଦେଉଚ, ତମର ଅନୁଭୁତି ମୋଟେ ନାଇଁ ବୋଲି ତମେ ଜଣେଇ ଦେଉଚ ! କ୍ଳାମ୍‌ଙ୍କ ସହିତ ତା’ର ସଂପର୍କ ବିଷୟରେ ଜଣେ କିଛି ଜାଣିନଥାଉ, କିନ୍ତୁ ତା’ ଚାଲିଚଳନ ଦେଖିଲେ ଯେ କେହି ଭାବିବ ଯେ କେହି ଜଣେ ତା’କୁ ବାଗେଇ ଦେଇଚି, ଏମିତି ଜଣେ ଲୋକ ଯେ କି ତମେ, ମୁଁ ଗାଁର ସବୁ ଲୋକଙ୍କ ବଡ଼ ଏବଂ ତାଙ୍କ ଭିତରେ ଯୋଉ କଥାବାର୍ତ୍ତା ହୁଏ ତାହା ଅତିଥି ଓ ପରିଚାରିକାଙ୍କ ଭିତରେ ଚାଲିଥିବା ଥଟ୍ଟା ତାମସା ଟପି ଆଗକୁ ଚାଲିଯାଏ, ଯାହାକି ତମ ଜୀବନର ଲକ୍ଷ୍ୟ ବୋଲି ମଧ୍ୟ ମନେ ହୁଏ । ମୁଁ ତମ ପ୍ରତି ଗୋଟିଏ ଅନ୍ୟାୟ କରୁଚି । ତମେ ନିଜେ ଫ୍ରୀଡ଼ାର ଭଲ ଗୁଣଗୁଡ଼ିକ ଲକ୍ଷ୍ୟ କରି ପାରିଚ, ତମେ ବୁଝିପାରିଚ ତା’ର ବୁଝାଶୁଣା କରିବାର ଶକ୍ତି କେତେ, ତା’ର ନିଷ୍ପତ୍ତି ନେବାର ଶକ୍ତି ଲୋକଙ୍କ ଉପରେ ତା’ର କି ଆଧିପତ୍ୟ, ତମେ ଅବଶ୍ୟ ଏସବୁର ଭୁଲ ଅର୍ଥକରା, କାରଣ ତମେ ଭାବିନିଅ ଯେ ସେ ନିଜର ଲାଭଟାକୁ ଆଖି ଆଗରେ ରଖି ଏବଂ ଖରାପ ଉଦ୍ଦେଶ୍ୟରେ ସବୁ ଜିନିଷକୁ ବଦଳେଇଦିଏ, ଏବଂ ଏପରିକି ତମ ବିରୁଦ୍ଧରେ ଗୋଟିଏ ଗୋଟିଏ ଅସ୍ତ୍ର ଭାବରେ ବ୍ୟବହାର କରେ । ନା, ପେପି, ତା’ ତୃଣୀରେ ଏପ୍ରକାର ତୀର ଥିଲେ ମଧ୍ୟ ସେ ଏତେ ପାଖରୁ ସେ ଗୁଡ଼ା ବିନ୍ଧିପାରିବନି । ଆଉ ସେ ସ୍ୱାର୍ଥପର ? ବରଂ ଜଣେ କହିବ ଯେ ତା’ ପାଖରେ ଯାହା କିଛି ଥିଲା; ସେ ଯାହା ଆଶା କରିବା କଥା, ସେ ସବୁକୁ ଜଳାଞ୍ଜଳି ଦେଇ ସେ ଆମ ଦୁହିଙ୍କୁ ସୁଯୋଗ ଦେଇଥିଲା ଉଚ୍ଚ ସ୍ତରରେ ଆମର ଯୋଗ୍ୟତା ପ୍ରମାଣିତ କରିବା ପାଇଁ, କିନ୍ତୁ ଆମେ ଉଭୟେ ତା’କୁ ନିରାଶ କରିଦେଲେ, ଏବଂ ତା’କୁ ଏଠିକି ଫେରିବା ପାଇଁ ପୁରା ବାଧ୍ୟ କରୁଚେ । ଘଟଣାଟା ଏୟା କି ନୁହେ ମୁଁ ଜାଣେନି, ଏବଂ ମୋର ଦୋଷଟା କ’ଣ ମୁଁ ଠିକ୍‌ ବୁଝିପାରୁନି, କେବଳ ମୁଁ ତମ ସାଙ୍ଗରେ ଯେତେବେଳେ ନିଜର ତୁଳନା କରୁଚି, ଏମିତି ଗୋଟିଏ କଥା ମୋ’ ମନକୁ ଆସୁଚି କଥାଟି ହେଲା; ସତେ ଯେମିତି ଆମେ ଦୁହେଁ ଖୁବ୍‌ ଜୋରରେ, ଗୁଡ଼ାଏ ପାଟିତୁଣ୍ଡ କରି; ପିଲାଳିଆ ଢଙ୍ଗରେ, କୌଣସି ରକମ ଅନୁଭୂତି ନଥାଇ ଏମିତି କିଛି ପାଇବାକୁ ଚେଷ୍ଟା କରିଚେ, ଯାହାକି ଫ୍ରୀଡ଼ାର ସାଂସାରିକ ବୁଦ୍ଧି ଜରିଆରେ ଅତି ସହଜରେ, ମୋଟେ ପାଟିତୁଣ୍ଡ ନ ହୋଇ ଗାଇହୋଇଥାନ୍ତା । ଆମେ କନ୍ଦାକଟା କରି, ରାଂପୁଡ଼ି ବିଦାରି ହୋଇ; ଟଣାଘୋଷରା କରି ତା’ ପାଇବାକୁ ଚେଷ୍ଟା କଲେ-ପିଲାଏ ଯେମିତି ଟେବୁଲ୍‌ ଉପର କନାଟାକୁ ଟାଣିଦିଅନ୍ତି, କିଛି ଲାଭ ହୁଏନି, ଖାଲି ସବୁଗୁଡ଼ାକ ଭଲ ଜିନିଷ ତଳେ ଆସି କଚାଡ଼ି ହୋଇପଡ଼େ ଏବଂ ଫଳରେ ସେ ଜିନିଷଗୁଡ଼ିକ ଆଉ କେବେ ତା’ ହାତ ପା’ନ୍ତାରେ ରଖା ଯାଏନି । ଇଏ ସେମିତିକା କଥା କି ନୁହ ମୁଁ ଜାଣେନି, କିନ୍ତୁ ତମେ ଯେମିତି କହୁଚ ତା’ ଅପେକ୍ଷା ମୁଁ ଯେମିତି, କହୁଚି ତା’ ବେଶୀ ସମ୍ଭବ ବୋଲି ମୁଁ ନିଶ୍ଚିତ । ‘‘ହେଉ, ଛାଡ଼,’’ ପେପି କହିଲା,’’ ଆପଣ ଫ୍ରୀଡ଼ାକୁ ଭଲପାଉଛନ୍ତି କାରଣ ସେ ଆପଣଙ୍କୁ ଛାଡ଼ି ଚାଲିଯାଇଚି, ସେ ପାଖ ଆଖରେ ନଥିଲେ ତା’କୁ ଭଲ ପାଇବା କଷ୍ଟ ନୁହେ । କିନ୍ତୁ ଆପଣ ଯେମିତି କହୁଚନ୍ତି ସେମିତି ହୋଇଥାଉ, ଏବଂ ଆପଣ ସବୁ କଥା ଠିକ କହୁଥିଲେ ମଧ୍ୟ, ଏପରିକି ମତେ ହାସ୍ୟାସ୍ପଦ ବନେଇ ଦେଲେ ବି, ଆପଣ ବର୍ତ୍ତମାନ କ’ଣ କରିବେ ବୋଲି ଭାବିଚନ୍ତି-? ଫ୍ରୀଡ଼ା ଆପଣଙ୍କୁ ଛାଡ଼ି ଚାଲିଯାଇଚି, ମୁଁ ଯାହା କହୁଚି, ଆପଣ ଯାହା କହୁଛନ୍ତି କୌଣସି କଥାରେ ବି ସେ ଫେରି ଆସିବାର ଆଶା ମୋଟେ ନାହିଁ, ଏବଂ ଯଦି ବା ସେ ଫେରି ଆସେ; ଆପଣଙ୍କୁ ଏଇ ସମୟତକ ତ କୋଉଠି ଯାଇ ରହିବାକୁ ପଡ଼ିବ; ଥଣ୍ଡା ପଡ଼ିଚି, ଏବଂ ଆପଣଙ୍କର କିଛି କାମ ଧନ୍ଦା ନାଇଁ କି ଆଶ୍ରୟ ନେବାର ଯାଗା ନାହିଁ, ଆମ ପାଖକୁ ଆସନ୍ତୁ; ମୋ’ ସାଙ୍ଗମାନେ ଆପଣଙ୍କୁ ଭଲ ଲାଗିବେ ଆମେ ଆପଣଙ୍କୁ ଆରାମରେ ରଖିବୁ, ଆପଣ ଆମକୁ ଆମ କାମରେ ସାହାଯ୍ୟ କରିବେ ସେକାମ ଖାଲି ଆମେ ଝିଅମାନେ କରିବା ଭାରି କଷ୍ଟ; ଆମକୁ ଆଉ ଖାଲି ନିଜ ଉପରେ ନିର୍ଭର କରିବାକୁ ପଡ଼ିବନି ! ଆସନ୍ତୁ ଆମ ପାଖକୁ । ମୋ ସାଙ୍ଗମାନେ ମଧ୍ୟ ଫ୍ରୀଡ଼ାକୁ ଜାଣନ୍ତି, ଆମେ ତା’ ବିଷୟରେ ଅନେକ କାହାଣୀ କହିବୁ, ଏତେ କଥା କହିବୁ ଯେ ଆପଣ ବିରକ୍ତ ହୋଇଯିବେ, ଆଉ ତା’ କଥା ଶୁଣିବାକୁ ଚାହିବେନି । ସତରେ ଆସନ୍ତୁ ! ଆମ ପାଖରେ ଫ୍ରୀଡ଼ାର ଅନେକ ଫଟୋ ଅଛି, ଆମେ ସେଗୁଡ଼ିକ ଆପଣଙ୍କୁ ଦେଖେଇବୁ । ସେତେବେଳେ ଫ୍ରୀଡ଼ା ଏବେ ଅପକ୍ଷା ଆହୁରି ସାଧାରଣ ଝିଅଟିଏ ଥିଲା, ଆପଣ ତା’କୁ ମୋଟେ ଚିହ୍ନି ପାରିବେନି, ହୁଏତ ଖାଲି ତା’ ଆଖି ଦେଖିଲେ ଚିହ୍ନି ପାରିବେ, ସେତେବେଳ କାର ଆଖିରେ ବି ଗୋଟିଏ ସନ୍ଦେହ, ସଜାଗ ଭାବ ଥିଲା । ବେଶ୍‌, ଆପଣ ଆସୁଚନ୍ତି ତ ?’’ ‘‘କିନ୍ତୁ ସେଠିକି କ’ଣ ଯାଇ ହେବ ? ହେଇ କାଲି ତ ମୁଁ ତା ବାରନ୍ଦା ଉପରେ ଧରା ପଡ଼ିଲି, ଏତେ ବଡ଼ ଗଣ୍ଡ ଗୋଳ ହେଲା ।’’ ‘‘କାରଣ ଆପଣ ଧରା ପଡ଼ିଗଲେ, କିନ୍ତୁ ଆପଣ ଆମ ପାଖରେ ଥିଲେ ଧରା ପଡ଼ିବେନି । କେହି ଆପଣ ଅଛନ୍ତି ବୋଲି ଜାଣିପାରିବେ ନାଇଁ, ଖାଲି ଆମ ତିନିଜଣକ ଛଡ଼ା । ଆଃ ଖୁବ୍‌ ମଜା ହେବ । ଏଇ ଟିକିଏ ଆଗରୁ ମତେ ଯେମିତି ଲାଗୁଥିଲା ଏବେ ତ ତା’ ଅପେକ୍ଷା ଭଲ ଲାଗୁଚି, ସେଠି ଚଳିବା ଆଉ ଅସହ୍ୟ ମନେ ହେଉନି । ବୋଧେ ମୁଁ ଏଠା ଛାଡ଼ି ଚାଲିଗଲେ ମୋର ସେତେ ବେଶୀ କିଛି ନଷ୍ଟ ହୋଇଯିବନି । ଶୁଣନ୍ତୁ ଆମେ ମାତ୍ର ତିନି ଜଣ ଥିଲେ ମଧ୍ୟ ଆମକୁ ବିରକ୍ତ ଲାଗୁନଥିଲା ଆମ ଜୀବନର ତିକ୍ତତାକୁ ତ ଆମେ ନିଜେ ହିଁ ମଧୁର କରିଦେବାକୁ ପଡ଼ିବ, ଆମର ବୟସ କମ୍‌ ଥିଲା ବେଳେ ଜୀବନ ଆମ ପାଇଁ ତିକ୍ତ କରି ଦିଆ ହୁଏ, ହେଉ ଆମେ ତିନି ଜଣ ପରସ୍ପରକୁ ଜାବୁଡ଼ି ଧରି ରହୁଚୁ, ସେଠି ଯେତିକି ସମ୍ଭବ ସେତିକି ସୁଖରେ ଆମେ ଅଛୁ, ବିଶେଷ କରି ହେନରିଏଟ୍‌ ଆପଣଙ୍କୁ ଭଲ ଲାଗିବ, କିନ୍ତୁ ଏମିତି ବି ଆପଣଙ୍କ ପସନ୍ଦକୁ ଆସିବ, ମୁଁ ଆପଣଙ୍କ କଥା ସେମାନଙ୍କୁ କହିସାରିଚି, ସେଠି ଏପ୍ରକାର କଥାକୁ ଜଣେ ବିଶ୍ୱାସ ନ କଲେ ବି ଶୁଣେ, ସତେ ଯେମିତି ରୁମ୍‍ ବାହାରେ କୌଣସି କଥା ପ୍ରକୃତରେ ଘଟେନି, ସେଠି ଯାଗାଟି ବେଶ୍‌ ଉଷୁମ, ଛୋଟିଆ ହୋଇ, ଖୁବ୍‌ ଆରାମ, ଆମ ପରସ୍ପର ସାଙ୍ଗରେ ଯାକି ଯୁକି ହୋଇ ରହିଚୁ; ନା ଯଦିଓ ଖାଲି ପରସ୍ପର ଉପରେ ନିର୍ଭର କରିବାକୁ ପଡ଼େ, ଆମେ ଏଯାଏଁ ହାଲିଆ ହୋଇ ପଡ଼ିନୁ; ବରଂ ମୁଁ ଯେତେବେଳେ ମୋ’ ସାଙ୍ଗମାନଙ୍କ କଥା ଭାବୁଚି, ମତେ ଭାରି ଖୁସି ଲାଗୁଚି ଯେ ମୁଁ ସେଠିକି ଫେରିଯାଉଚି । ସେମାନେ ଯେମିତି ଚଳୁଛନ୍ତି ତା’ ଅପେକ୍ଷା ମୁଁ କାହିଁକି ବେଶୀ ଭଲରେ ଚଳିବି ? କାରଣ ସେମିତି ଚଳିବା ଯୋଗୁଁ ହିଁ ଆମେ ଏକାଠି ରହିଥିଲୁ; କଥାଟା ହେଲା ଆମ ତିନି ଜଣ ଯାକ ପାଇଁ ରାସ୍ତା ଏକାଭଳି ବନ୍ଦ୍‌ ହୋଇଯାଇଥିଲା, ଏବଂ ଏବେ ମୁଁ ତା’ ଭିତରେ ମାଡ଼ି ମକଚି ପଳାଇ ଆସିଲି ଏବଂ ଆମେ ଅଲଗା ହୋଇଗଲୁ । ମୁଁ ଅବଶ୍ୟ ସେମାନଙ୍କୁ ଭୁଲିଯାଇନି, ଏବଂ ମୁଁ ପ୍ରଥମ କଥା ଭାବୁଥିଲି, ସେମାନଙ୍କ ପାଇଁ କେମିତି କ’ଣ କରିପାରିବି; ମୋ’ ନିଜର ଅବସ୍ଥା ବି ସେତେବେଳେ ନିରାପଦ ନଥିଲା–କେତେ ବେଶୀ ଅସୁବିଧା ଥିଲା ତା’ ବି ମୁଁ ବୁଝିପାରିନଥିଲି-କିନ୍ତୁ ହେନ୍‌ରିଏଟ୍‌ ଓ ଏମିଲି ବିଷୟରେ ମୁଁ ମାଲିକ ସାଙ୍ଗରେ କଥାବାର୍ତ୍ତା କଲି । ହେନ୍‌ରିଏଟ୍‌ କଥା ଯେତେ ଦୂର ଉଠିଲା, ମାଲିକ ସେମିତି କିଛି ଆପତ୍ତି କଲେ ନାଇଁ, କିନ୍ତୁ ଏମିଲି ଯେ କି ଆମ ଅପେକ୍ଷା ବୟସରେ ବେଶ୍‌ ବଡ଼, ତା’ ବୟସରେ ଫ୍ରୀଡ଼ା ସାଙ୍ଗରେ ସମାନ ହେବ, ତା’ ବିଷୟରେ ମାଲିକ ମତେ କିଛି ଆଶା କରିବାକୁ ଦେଲେ ନାଇଁ । ଏକଥା ମୁଁ ମାନୁଚି । କିନ୍ତୁ ଭାବନ୍ତୁ ଏଇ ଟିକକ କଥା, ସେମାନେ ପଳାଇଯିବାକୁ ଚାହାଁନ୍ତିନି, ସେମାନେ ଜାଣନ୍ତି ସେଠି ଯୋଉ ଜୀବନ ବିତାଉଚନ୍ତି, ତା’ କେଡ଼େ ହୀନିମାନିଆ, କିନ୍ତୁ ସେମାନେ ସେପ୍ରକାର ଜୀବନକୁ ଆଦରି ନେଇଚନ୍ତି, ବିଚରା କେଡ଼େ ଭଲ ସେମାନେ, ମୁଁ ଯେତେବେଳେ ବିଦାୟ ନେଇ ଆସିଲି, ସେମାନଙ୍କ କନ୍ଦାକଟାର କାରଣ ଏୟା ବୋଲି ମୁଁ ଭାବୁଚି ମତେ ଆମ ରୁମ୍‍ଟା ଛାଡ଼ି ଚାଲି ଆସିବାକୁ ହେବ, ବାହାରର ଥଣ୍ଡା ଭିତରକୁ ଆସିବାକୁ ହେବ–ସେଠି ଆମ ରୁମ୍‍ ବାହାରେ ଯାହା କିଛି ଅଛି ସବୁ ଖୁବ୍‍ ଥଣ୍ଡା ମନେହୁଏ ଏବଂ ମତେ ବଡ଼ ବଡ଼ ଅଚିହ୍ନା ଅଜଣା ରୁମ ଭିତରେ ଅଚିହ୍ନା ଅଜଣା ଲୋକଙ୍କ ସାଙ୍ଗରେ ମିଶିବାକୁ ପଡ଼ିବ, ଖାଲି ପେଟ ପୋଷିବା ପାଇଁ ଆଉ କିଛି ଉଦ୍ଦେଶ୍ୟ ନାଇଁ; ଆଉ ସେ ଯାଏଁ ଆମେ ଯୋଉ ପ୍ରକାର ଜୀବନ ବିତାଉ ଥିଲୁ, ସେଥିରେ ଆମ ପେଟ ଅପୋଷା ରହୁନଥିଲା । ମୁଁ ଏବେ ଫେରି ଗଲେ ସେମାନେ ବୋଧେ ମୋଟେ ଆଶ୍ଚର୍ଯ୍ୟ ହେବେନି, ଏବଂ ଖାଲି ମତେ ପ୍ରବୋଧନା ଦେବା ପାଇଁ ସେମାନେ ଟିକିଏ କନ୍ଦାକଟା କରିବେ ଓ ମୋ’ ଭାଗ୍ୟକୁ ନିନ୍ଦିବେ । କିନ୍ତୁ ତା’ହେଲେ ବି ସେମାନେ ଆପଣଙ୍କୁ ଦେଖିବେ ଏବଂ ବୁଝିବେ ଯେ ମୁଁ ଯୋଉ ପଳାଇ ଯାଇଥିଲି ଭଲ ହିଁ କରିଥିଲି-। ଜଣେ ପୁରୁଷ ଲୋକ ଆସିଚି ସାହାଯ୍ୟ କରିବାକୁ ଆଶ୍ରା ଦେବାକୁ, ଏକଥା ଦେଖି ସେମାନେ ଭାରି ଖୁସି ହେବେ, ଏବଂ ଏକଥା ଲୁଚାଇ ରଖିବାକୁ ପଡ଼ିବ ଏବଂ ତା’ ଫଳରେ ଆମ ସମସ୍ତେ ଆଗ ଅପେକ୍ଷା ବହୁତ ବେଶୀ ପରସ୍ପର ସାଙ୍ଗରେ ଯୋଡ଼ି ହୋଇ ରହିବା ଜାଣିଲେ ସେମାନେ ଆନନ୍ଦରେ ଅଧୀର ହୋଇ ଉଠିବେ । ଆସନ୍ତୁ, ଆଃ ଦୟାକରି ପଳାଇ ଆସନ୍ତୁ ଆମ ପାଖକୁ-। ଆପଣ କୌଣସି କଥା କରିବାକୁ ବାଧ୍ୟ ନୁହନ୍ତି, ଆପଣଙ୍କୁ ଆମ ରୁମ ଭିତରେ ସବୁବେଳେ ବାନ୍ଧି ହୋଇ ରହିବାକୁ ପଡ଼ିବନି, ଆମେ ଯେମିତି ରହିଚୁ । ବସନ୍ତଋତୁ ଆସିଗଲେ ଏବଂ ଆପଣ କୋଉଠି ବସାଘର ଖଣ୍ଡେ ପାଇଗଲେ, ଏବଂ ଆମ ସାଙ୍ଗରେ ରହିବା ଆପଣଙ୍କୁ ଆଉ ଭଲ ନ ଲାଗିଲେ, ଆପଣ ଚାହିଁଲେ ପଳେଇ ଯିବେ, ଖାଲି ଏତିକି ଅବଶ୍ୟ କରିବାକୁ ପଡ଼ିବ, ସେତେବେଳେ ମଧ୍ୟ ଆପଣଙ୍କୁ କଥାଟା ଲୁଚାଇ ରଖିବାକୁ ହେବ, ପଳାଇଯାଇ ଆଉ ଆମକୁ ପଦାରେ ପକେଇ ଦେବେନି, କାରଣ ତା’ ହେଲେ ଆମେ ଭାବିବୁଯେ ହେରେନ ହପରେ ରହିବାର ଶେଷ ସମୟ ଆମର ଆସିଗଲା, ଏବଂ ଅନ୍ୟାନ୍ୟ ବିଷୟରେ ମଧ୍ୟ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ, ଆମ ସାଙ୍ଗରେ ରହିଥିଲା ବେଳେ, ବି ଆମେ ନିରାପଦ ବୋଲି ନ କହିଲେ ଆପଣ ବାହାରକୁ କୁଆଡ଼େ ଯିବେନି, ଏବଂ ସବୁବେଳେ ଆମର ପରାମର୍ଶ ମାନି ଚଳିବେ; ଏଇ ଗୋଟିକ କଥାରେ ହିଁ ଆପଣ ବାନ୍ଧି ହୋଇ ରହିବେ, ଏବଂ ଇଏ ଆପଣଙ୍କ ପ୍ରତି ଯେମିତି ଲାଗୁ ହେବ ଆମ ପ୍ରତି ବି ସେତିକି ଲାଗୁ ହେବ, କିନ୍ତୁ ଅନ୍ୟ ସବୁ ବିଷୟରେ ଆପଣ ଏକେ ବାରେ ସ୍ୱାଧୀନ, ଆମେ ଯୋଉ କାମଟିକିଏ ଆପଣଙ୍କୁ ଦେବୁ, ସେଟା ସେମିତି କିଛି କଷ୍ଟ ନୁହେଁ ଆପଣ ସେକଥାକୁ ମୋଟେ ଡରିବା ଦରକାର ନାଇଁ । ବେଶ୍‌, ତା’ ହେଲେ ଆପଣ ଆସୁଚନ୍ତି ତ ?’’ ‘‘ବସନ୍ତଋତୁ ଆସିବାକୁ ଆଉ କେତେ ଡେରି ଅଛି ? ‘କେ ପଚାରିଲା । ‘ବସନ୍ତ ଋତୁ ଆସିବାକୁ ? ପେପି ଦୋହରାଇଲା । ଶୀତ ଏଠି ଲମ୍ବା ଖୁବ ଲମ୍ବା, ଏବଂ ବିରକ୍ତି କର । କିନ୍ତୁ ସେଠି ଆମର ସେ ବିଷୟରେ କିଛି ଆପତ୍ତି ଅଭିଯୋଗ ନଥାଏ, ଶୀତ ଆମର କିଛି କରିପାରେନି । ହଁ, ହଁ, ଦିନେ କେବେ ବସନ୍ତ ଋତୁ ମଧ୍ୟ ଆସି ଯାଏ ଏବଂ ଗ୍ରୀଷ୍ମ ଋତୁ, ଏବଂ ତା’ ପାଇଁ ବି ସମୟ ନିର୍ଦ୍ଧିଷ୍ଟ ହେଇ ରହିଥାଏ, ମୋର ସେୟା ଧାରଣା, କିନ୍ତୁ ବର୍ତ୍ତମାନ ଆମ ସ୍ମୃତିରେ ବସନ୍ତ ଓ ଗ୍ରୀଷ୍ମଋତୁ ଏତେ ବେଶୀ ଛୋଟ ମନେ ହେଉଚନ୍ତି, ସତେ ଯେମିତି ସେମାନେ ଦୁଇଦିନରୁ ବେଶୀ ସମୟ ପାଇଁ ଆସିନଥିଲେ, ଏବଂ ସେଇ ଦୁଇଟା ଦିନରେ ମଧ୍ୟ, ସବୁଠୁ ସୁନ୍ଦର ଦିନଟାରେ ବି ବେଳେ ବେଳେ ବରଫ ପଡ଼େ ।’’

 

ଏହି ସମୟରେ ଦ୍ୱାର ଖୋଲି ଗଲା । ପେପି ଚମକି ପଡ଼ିଲା, ତା’ର ଚିନ୍ତା ରାଜ୍ୟରେ ସେ ମଦବିକା ଘର ଠାରୁ ବହୁତ ଦୁରକୁ ଚାଲି ଯାଇଥିଲା, କିନ୍ତୁ ଯିଏ ଆସିଲା, ସେ ଫ୍ରୀଡ଼ା ନୁହ ମାଲିକାଣୀ । କେ ଏଯାଏଁ ସେଠି ଥିବା ଦେଖି ସେ ଆଶ୍ଚର୍ଯ୍ୟ ହେବାର ଛଳନା କଲା । କେ କହିଲା ଯେ ସେ ତା’ ପାଇଁ ଅପେକ୍ଷା କରିଛି, ଏବଂ ତତ୍‌ସଙ୍ଗେ ସଙ୍ଗେ ରାତିଟା ସେଠି କଟାଇବା ପାଇଁ ଅନୁମତି ମିଳିଥିବାରୁ ସେ ତା’କୁ ଧନ୍ୟବାଦ ଜଣାଇଲା, ମାଲିକାଣୀ ବୁଝିପାରିଲା ନାହିଁ, କେ. ତାକୁ କାହିଁକି ଅପେକ୍ଷା କରିଛି । କେ. କହିଲା ଯେ ତା’ର ଧାରଣା ହେଲା, ମାଲିକାଣୀ ପୁଣି ତା’ ସାଂଗରେ କଥାବାର୍ତ୍ତା କରିବ ବୋଲି, ସେ ଯଦି ଭୁଲରେ ସେ ପ୍ରକାର ଧାରଣା କରିଛି, ସେଥିପାଇଁ କ୍ଷମା ମାଗିଲା, ଏବଂ ଆଉ କ’ଣ ? ସେ ବର୍ତ୍ତମାନ ପଳାଇଯିବ, ସେଇ ସ୍କୁଲକୁ, ଯେଉଁଠି ସେ ଚୌକିଦାର ଥିଲା, ବହୁତ ସମୟ ଯାଏଁ ବାହାରେ ରହିଲାଣି, କାଲିର ସମନ ଗୁଡ଼ାକ ହିଁ ସବୁ ଘଟଣା ପାଇଁ ଦାୟୀ, ସେ ସବୁ ବିଷୟରେ ତା’ର ମୋଟେ କୌଣସି ଅଭିଜ୍ଞତା ନଥିଲା କହିଲେ ଚଳେ, ଆଉ କେବେ ସେମିତିକା ଘଟଣା ଘଟିବ ନାହିଁ କାଲି ଭଳି ସେ ଆଉ କେବେ ମାଲିକାଣୀକୁ ଏତେ ଅସୁବିଧାରେ, ଏତେ ହଇରାଣରେ ପକାଇବ ନାହିଁ । ଏବଂ ସେ ମୁଣ୍ଡ ନୁଆଇଁଲା, ବିଦାୟ ନେଇ ଯିବା ଭଙ୍ଗୀରେ । ମାଲିକାଣୀ ତା’ ଆଡ଼କୁ ଅନାଇଁଲା ସତେ ଯେମିତି ସେ ସ୍ୱପ୍ନ ଦେଖୁଛି । ଏ ଚାହାଣୀ କେ ଯେତିକି ସମୟ ଚାହୁଥିଲା, ତା’ ଅପେକ୍ଷା ବେଶୀ ସମୟ ତା’କୁ ଅଟକାଇ ଦେଲା । ବର୍ତ୍ତମାନ ମାଲିକାଣୀ ଟିକିଏ ହସିଦେଲା, ଏବଂ କେ: ମୁହଁରେ ଯେଉଁ ଟିକକ ଆଶ୍ଚର୍ଯ୍ୟ ଭାବ ଥିଲା, ତାହା ତା’କୁ ପ୍ରକୃତରେ ନିଦରୁ ଉଠାଇ ଦେଲା ଯେମିତି, ସତେ ଯେମିତି ସେ ତା’ର ହସର ଗୋଟିଏ ଉତ୍ତର ଚାହୁଁଥିଲା, ଏବଂ ବର୍ତ୍ତମାନ କୌଣସି ଉତ୍ତର ନ ଆସିବାରୁ କେବଳ ସେ ଚେଇଁ ଉଠିଲା । ‘‘କାଲି ବୋଧେ ଆପଣ ମୋ’ ପିନ୍ଧା ପୋଷାକ ବିଷୟରେ କ’ଣ ଗୋଟାଏ କହିବାର ମୁର୍ଖାମି କରିଥିଲେ ।’’ କେ. ର କିଛି ମନେ ପଡ଼ିଲା ନାହିଁ ।’’ ‘‘ମନେ ପକାଇ ପାରୁନାହାଁନ୍ତି ? ତା’ ହେଲେ ଖାଲି ମୂର୍ଖାମି ତ ନୁହେ, କାପୁରୁଷତା ମଧ୍ୟ’’ କେ ପୂର୍ବ ଦିନ ବହୁତକ୍ଳାନ୍ତ ହୋଇ ପଡ଼ିଥିବାର ଆଳ ଦେଖାଇଲା, କହିଲା ଯେ ସେ କିଛି ବାଜେ କଥା କହି ଦେଇଥାଇ ପାରେ, ସେ ଯାହା ହେଉ ବର୍ତ୍ତମାନ ତା’ର କିଛି ମନେ ପଡ଼ୁନାହିଁ । ଏବଂ ମାଲିକାଣୀର ପୋଷାକପତ୍ର ବିଷୟରେ ସେ ବା କ’ଣ କହିଥିବ ? ଏୟା ଯେ, ସେ ଜୀବନରେ ଯେତେ ଲୁଗାପଟା ଦେଖିଛି ସେ ସବୁଠୁ’ ମାଲିକାଣୀର ଲୁଗାପଟା ବେଶୀ ସୁନ୍ଦର । ଅନ୍ତତଃ ସେ କେବେ କୌଣସି ମାଲିକାଣୀକୁ ସେମିତି ପୋଷାକରେ କାମ କରିବା ଦେଖି ନାହିଁ । ‘‘ବାସ୍‌, ବାସ୍‌, ଆଉ କିଛି କହିବା ଦରକାର ନାଇଁ !’’ ମାଲିକାଣୀ ହଠାତ୍‌ କହି ପକାଇଲା । ‘‘ମୋ’ ପୋଷାକ ପତ୍ର ବିଷୟରେ ଆଉ ପଦେ ହେଲେ କଥା ଆପଣଙ୍କଠୁ ମୁଁ ଶୁଣିବାକୁ ଚାହେଁନି । ମୁଁ କ’ଣ ପିନ୍ଧିଲି ସେଥିରେ ଆପଣଙ୍କର କିଛି ଯାଏ ଆସେନା । ଶେଷଥର ପାଇଁ କହି ଦେଉଚି, ସେ ବିଷୟରେ ଆପଣ ଆଉ କିଛି କହିପାରିବେନି । କେ. ମୁଣ୍ଡ ନୁଆଁଇଲା ଏବଂ ଦ୍ୱାର ଆଡ଼କୁ ଆଗେଇଲା । ‘‘ମାନେ, କ’ଣ କହୁଚନ୍ତି ଆପଣ ?’’ ପଛରୁ ମାଲିକାଣୀ ପାଟି କଲା, ଜୀବନରେ କୌଣସି ମାଲିକାଣୀକୁ ଏମିତି ପୋଷାକରେ କାମ କରିବା ଦେଖି ନାହାଁନ୍ତି, କ’ଣ ୟାର ଅର୍ଥ ? ଏମିତିକ ବାଜେ ଧରଣର ମନ୍ତବ୍ୟ କରିବାର ଉଦ୍ଦେଶ୍ୟ କ’ଣ ? ଏଗୁଡ଼ାକ ପୂରା ବାଜେ କଥା । କ’ଣ ଆପଣ କହିବାକୁ ଚାହୁଁଚନ୍ତି ? କେ. ବୁଲି ପଡ଼ିଲା, ଏବଂ ଏତେ ବେଶୀ ଉତ୍ତେଜିତ ନ ହେବାକୁ ମାଲିକାଣାକୁ ଅନୁରୋଧ କଲା । ସେ ଅବଶ୍ୟ ବାଜେ କଥା କହିଛି । ଯାହା ହେଲେ ବି ପୋଷାକପତ୍ର ବିଷୟରେ ତା’ର ବିଶେଷ କୌଣସି ଜ୍ଞାନ ନଥିଲା । ତା’ ପରିସ୍ଥିତିରେ ଯଦି କୌଣସି ପୋଷାକ ସଫାସୁତୁରା ଦିଶିଲା ସେଥିରେ ସେଥିରେ ତାଳି ପଡ଼ିନି, ତା’ ହେଲେ ତା’ ହେଲା ଅତି ଦାମୀ ପୋଷାକ । ମାଲିକାଣୀ ସେଠି ସେ ବାରନ୍ଦାରେ ରାତିରେ ଏଡ଼େ ସୁନ୍ଦର ସନ୍ଧ୍ୟା ପୋଷାକ ପିନ୍ଧି ଅଧା ଲଙ୍ଗଳା ପୁରୁଷ ଲୋକଙ୍କ ଗହଣରେ ଠିଆ ହୋଇଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା, ବାସ୍‌ ସେତିକି ।’’ ହେଲା ତା ହେଲେ,’’ ମାଲିକାଣୀ କହିଲା, ଶେଷରେ ଆପଣ ମନେ ପକାଇ ପାରିଲେ କାଲି କ’ଣ କହିଥିଲେ, ଯାହେଉ । ଏବଂ ଆଉ କିଛି ବାଜେ କଥା କହି ଆପଣ ସେ କଥାଟାକୁ ପୂରା କରିଦେଲେ । ଏଇଟା ଏକେବାରେ ସତ କଥା, ପୋଷାକପତ୍ର ବିଷୟରେ ଆପଣଙ୍କୁ କିଛି ଜଣାନାଇଁ । କିନ୍ତୁ ଦୟାକରି ଚୁପ୍‌ ରହନ୍ତୁ-ମୁଁ ଆପଣଙ୍କୁ ଆନ୍ତରିକ ଅନୁରୋଧ ଜଣାଉଚି-କୋଉଟା ଦାମୀ ପୋଷାକ କୋଉ ସାନ୍ଧ୍ୟ ପୋଷାକଟା ଦେଖା ପିଆ ବା ସେମିତି କିଛି, ସେ ବିଷୟରେ ଆପଣ ଆଉ ବିଚାର କରିବାକୁ ଯାନ୍ତୁ ନାଇଁ...ଏବଂ ମୁଁ ଏତିକି ଆପଣଙ୍କୁ କହିଦିଏ-ସେତେବେଳେ ମନେ ହେଲା ଯେମିତି ତା’ ଦେହ ଭିତରଟା ଥଣ୍ଡାରେ ଥରିଯାଉଛି-ମୋ’ ପୋଷାକ ପତ୍ର ବିଷୟରେ ମୁଣ୍ଡ ଖେଳାଇବାର କୌଣସି ଅଧିକାର ଆପଣଙ୍କର ନାଇଁ, କଣ ଶୁଭୁଚି ? ଏବଂ କେ ପୁଣି ବୁଲିପଡ଼ି ଚୁପ୍‌ ଚାପ୍‌ ପଳାଇବାକୁ ବସିଛି, ଏତିକି ବେଳେ ସେ ପଚାରିଲା; ପୋଷାକ ପତ୍ର ବିଷୟରେ ଆପଣଙ୍କର ଏ ଜ୍ଞାନ କେଉଁଠୁ ହେଲା ଶୁଣେ ? କେ କାନ୍ଧି ଦୋହଲାଇଲା ଏବଂ କହିଲା ଯେ ତା’ର କୌଣସି ଜ୍ଞାନ ନାହିଁ,’’ ଆପଣଙ୍କର କୌଣସି ଜ୍ଞାନ ନାଇଁ, ମାଲିକାଣୀ, କହିଲା । ଠିକ୍‌ ଅଛି, କୌଣସିକଥା ଜାଣିବାକୁ ଚେଷ୍ଟା ବି କରିବେନି, ବୁଝିଲେ ? ଅଫିସଙ୍କୁ ଆସନ୍ତା, ମୁଁ ଆପଣଙ୍କୁ ଗୋଟିଏ ଜିନିଷ ଦେଖାଇବି, ତା’ପରେ ମୁଁ ଭାବୁଚି ଆପଣ ଆଉ ମୁର୍ଖଙ୍କ ଭଳି କଥାବାର୍ତ୍ତା କରିବେନି ।’’ ସେ ତା’ ଆଗେ ଆଗେ ଦ୍ୱାର ବାଟେ ବାହାରକୁ ଚାଲିଗଲା, ପେପି କେ. ଆଡ଼କୁ ମାଡ଼ିଗଲା, ହିସାବପତ୍ର ତୁଟାଇବାର ଆଳରେ, ଦୁହେଁ ଶୀଘ୍ର ଶୀଘ୍ର ତାଙ୍କର କର୍ମପନ୍ଥା ସ୍ଥିର କରିଦେଲେ, କରିବା ଭାରି ସହଜ ହେଲା, କାରଣ କେ. ଜାଣିଥିଲା ଯେ ଅଗଣାର ଗେଟ୍‌ ଆଗପାଖେ ଗତି ରାସ୍ତାଟା ଅଛି ଗେଟ୍‌ ପାଖରେ ଗୋଟିଏ ଛୋଟ କବାଟ ଅଛି, ଘଣ୍ଟାକ ଭିତରେ ପେପି ଯାଇ ସେଠି ଠିଆ ହୋଇଥିବ, ଏବଂ କବାଟରେ ତିନିଟିକିଆ ଆଘାତ ଶୁଭିଲେ ସେ କବାଟଟା ଖୋଲିଦେବ ।

 

ମଦବିକା ଘର ସାମ୍ନା ସାମ୍ନି ଅଫିସ ଘରଟା, ଖାଲି ହଲଟା ଟପି ଯିବାକୁ ହେବ; ମାଲିକାଣୀ ସେତେବେଳକୁ ଯାଇ ଆଲୋକିତ ଅଫିସଘରେ ଠିଆ ହୋଇ ସାରିଲାଣି, ଏବଂ ଅଧୈର୍ଯ୍ୟ ଭାବରେ କେ: ଆଡ଼କୁ ଅନାଇଁ ରହିଥାଏ । କିନ୍ତୁ ସେଠି ଆଉ ଗୋଟାଏ ଗୋଳମାଳ ଥିଲା, ଗର୍‌ଷ୍ଟାକର୍‌ ହଲ୍‌ରେ ଅପେକ୍ଷା କରିଥାଏ ଏବଂ କେ. ସାଙ୍ଗରେ କଥାବାର୍ତ୍ତା କରିବାକୁ ଚାହୁଁଥାଏ । ତା’ଙ୍କୁ ସେଠାରୁ ହଟାଇ ଦେବା ସହଜ ହେଲା ନାହିଁ ମାଲିକାଣୀ ମଧ୍ୟ ଆସିଲା ଏବଂ ତା’ର ଏତେବେଳେ ଆସି ଏମିତି ହଇରାଣ କରିବା ଦେଖି ତା’କୁ ଗାଳିଦେଲା । ‘‘କୁଆଡ଼େ ଚାଲଲେ ? କୁଆଡ଼େ ଯାଉଚନ୍ତି ?’’ ଦ୍ୱାର ବନ୍ଦ୍‌ ହୋଇଯିବା ପରେ ଗରଷ୍ଟ୍ୟକର୍‌ର ପାଟି ଶୁଭୁଥାଏ, ଏବଂ ତା’ର ଏହି କେତେ ପଦ କଥାର ମଝିରେ ମଝିରେ ଦୀର୍ଘନିଃଶ୍ୱାସ ଓ କାଶ ଶବ୍ଦ ଶୁଭୁଥାଏ ।

 

ରୁମ୍‌ଟି ଛୋଟ, ବହୁତ ବେଶୀ ଗରମ କରିଦିଆଯାଇଥାଏ, ଶେଷ କାନ୍ଥକଡ଼କୁ ଲାଗି ଗୋଟିଏ ଟେବୁଲ ଓ ଗୋଟିଏ ଲୁହା ସିନ୍ଦୁକ ରଖା ହୋଇଥାଏ, ଦୁଇକଡ଼ର କାନ୍ଥକୁ ଲାଗି ରହିଥାଏ ଗୋଟିଏ ଅଲୁଗୁଣି-ଆଲମାରୀ ଓ ଗୋଟିଏ ଗଦି ଲାଗିଥିବା ବାକ୍‌ସ । ଅଲୁଗୁଣି-ଆଲମାରୀଟା ଘରଟାର ଅଧିକାଂଶ ଯାଗା ମାଡ଼ି ବସିଥାଏ; ଲମ୍ବା ପଟ କାନ୍ଥଟା ଯେ ପୁରା ମାଡ଼ି ବସିଥାଏ ଖାଲି ସେତିକି ନୁହେ, ଆଲ୍‌ମାରୀଟାର ଚଉଡ଼ା ଏତେ ବେଶୀ ଯେ ରୁମ୍‍ଟା ଖୁବ୍‌ ଅଣ ଓସାରିଆ ଜଣା ପଡ଼ୁଥାଏ, ତା’ ଦେହରେ ତିନିଟା ପଟା ଲାଗିଥାଏ, ଯେଉଁ ଗୁଡ଼ିକ ଠେଲି ଦେଲେ ଆଲ୍‌ମାରୀଟା ପୂରା ଖୋଲିଯିବ । ମାଲିକାଣୀ ଗଦିବାଲା ବାକ୍‌ସଟା ଆଡ଼କୁ ଦେଖାଇ କେ. କୁ ବସି ପଡ଼ିବାକୁ କହିଲା, ସେ ନିଜେ ଟେବୁଲ ପାଖରେ ଏପଟ ସେପଟ ଘୁରୁଥିବା ଚୌକୀରେ ବସିଲା । ‘‘ଆପଣ କେବେ ଦର୍ଜି କାମ ଶିଖିନାହାନ୍ତି ? ମାଲିକାଣୀ ପଚାରିଲା । ‘‘ନା, କେବେ ଶିଖିନି,’’ କେ. କହିଲା । ‘‘ଆପଣ ତେବେ ପ୍ରକୃତରେ କ’ଣ ?’’ ‘‘ଅମିନ । ‘‘ସେଇଟା କ’ଣ’’? କେ. ବୁଝାଇଲା, ତା’ କଥା ଶୁଣି ମାଲିକାଣୀର ହାଇ ଉଠିଲା । ‘‘ଆପଣ ସତକଥା କହୁନାହାଁନ୍ତି । ଆପଣ ସତକଥାଟା କହିବେ ନାଇଁ କାହିଁକି ?’’ ‘‘ତମେ ବି ସତକଥା କହୁନ ? ମୁଁ ତା’ ହେଲେ ପୁଣି ଆପଣ ମୁର୍ଖାମି ଆରମ୍ଭ କରିବାକୁ ବସିଲେଣି ? ଏବଂ ମୁଁ ଯଦି ସତକଥା କହୁନଥାଏ-ସେଥିପାଇଁ କ’ଣ ମତେ ଆପଣଙ୍କ ପାଖରେ କୌଫିୟତ୍ ଦେବାକୁ ପଡ଼ିବ । ମୁଁ ତା’ ହେଲେ କେମିତି ସତକଥା କହୁନି ବୋଲି ଭାବୁଚନ୍ତି ।’’ ‘‘ତମେ ଛଳନା କରୁଚ, ତମେ କେବଳ ଜଣେ ମାଲିକାଣୀ ବୋଲି, କିନ୍ତୁ ତମେ ଖାଲି ସେୟା ନୁହ ।’’ ଦେଖ ହେ ! କ’ଣ ସବୁ ଯେ ଆପଣ ବାହାର କରୁଚନ୍ତି ! ମୁଁ ତା’ ହେଲେ ଆଉ କ’ଣ-? କିନ୍ତୁ ମୁଁ ନିଶ୍ଚେ କହିବି ଯେ ଆପଣଙ୍କ ମୂର୍ଖାମି ଆପଣଙ୍କ ଅକ୍ତିଆରରୁ ଚାଲି ଯାଉଚି ।’’ ‘‘ତମେ ଆଉ କ’ଣ ସେକଥା ମୁଁ ଜାଣେନି; ମୁଁ କେବଳ ଏତିକି ଦେଖି ପାରୁଚି, ତମେ ଜଣେ ହୋଟେଲ୍‌ ମାଲିକାଣୀ ଏବଂ ଏମିତି ପୋଷାକ ପତ୍ର ପିନ୍ଧୁଚ ଯାହାକି ଜଣେ ମାଲିକାଣୀ ଦେହକୁ ମାନୁ ନାହିଁ, ଆଉ ସେ ପୁଣି ଏମିତିକା ପୋଷାକ, ଯାହାକି ଏ ଗାଁରେ କେହି କେବେ ପିନ୍ଧିବା ମତେ ଜଣା ନାହିଁ-।’’ ‘‘ବାସ୍‌ ଆମେ ବର୍ତ୍ତମାନ ଠିକ୍‌ କଥା ଉପରକୁ ଆସିଗଲେ । କଥାଟା ହେଲା, ଆପଣ କିଛି ହେଲେ ନିଜ ଭିତରେ ରଖିପାରିବେନି ବୋଧେ ଆପଣ ମୁର୍ଖ ମଧ୍ୟ ନୁହଁନ୍ତି, ଆପଣ କେବଳ ଜଣେ ପିଲା ଭଳି, ଯେ କି ୟାଡ଼ୁ ସାଡ଼ୁ କେତେଟା ବାଜେ କଥା ଜାଣିଚି, ସେଗୁଡ଼ିକ କୌଣସି ମତେ ଲୁଚେଇ ରଖାଯାଇ ପାରିବନି । ହେଲା, କହନ୍ତୁ ! ଏ ଲୁଗା ପଟା ବିଷୟରେ ଏମିତି କି ବିଶେଷ କଥା କହିବାର ଅଛି ?’’ ‘‘ମୁଁ କହିଲେ ତମେ ରାଗିବ ।’’ ‘‘ନା, ସେକଥା ଶୁଣିଲେ ମତେ ହସ ମାଡ଼ିବ, ତା’ତ ଗୋଟିଏ ପିଲାଳିଆ କଥା ହୋଇଥିବ । ସେଗୁଡ଼ିକ ତେବେ କି ପ୍ରକାର ପୋଷାକ ?’’ ‘‘ତମେ ମତେ ବାଧ୍ୟ କରୁଚ କହିବାକୁ । ଠିକ ଅଛି, ସେଗୁଡ଼ିକ ଭଲ କନାରେ ତିଆରି, ବେଶ୍‌ ଦାମୀ କନାରେ, କିନ୍ତୁ ସେଗୁଡ଼ିକ ପୁରୁଣାକାଳିଆ, ଆଡ଼ମ୍ବରପୂର୍ଣ୍ଣ, ଅନେକ ଯାଗାରେ ମରାମତ କରା ହୋଇଚି, ଚିରା ଏବଂ, ନା ତମର ବୟସ ନା ତମର ଦେହର ଗଠନ ନା ତମର ସାମାଜିକ ସ୍ଥିତି, କୋଉଥିକି ମଧ୍ୟ ସେଗୁଡ଼ିକ ଯୋଗ୍ୟ ନୁହେ । ପ୍ରଥମ ଥର ଯେତେବେଳେ ତମକୁ ଦେଖିଲି, ସେତିକିବେଳୁ ହିଁ ମତେ ସେଗୁଡ଼ିକ ଅଡ଼ୁଆ ଲାଗିଲା, ପ୍ରାୟ ସପ୍ତାହକ ତଳେ, ଏଇ ହଲ୍‌ରେ ।’’ ‘‘ଯା’ ହେଉ, ଶେଷରେ ଆପଣ କହିଲେ ! ସେଗୁଡ଼ିକ ପୁରୁଣାକାଳିଆ, ଆଡ଼ମ୍ବର ପୂର୍ଣ୍ଣ, ଏବଂ ଆଉ କ’ଣ ବୋଲି କହିଲେ ? ଏବଂ କେମିତି ଆପଣ ଏପ୍ରକାର ବିଚାର କଲେ ?’’ ‘‘ମୁଁ ନିଜେ ତ ଦେଖିପାରୁଚି, ସେଥିପାଇଁ କୌଣସି ଟ୍ରେନିଂ ଦରକାର ନାଇଁ ।’’ ‘‘ଆପଣ ନିଜେ ଜାଣି ପାରିବେ, ଆଉ ଗୁଡ଼ାଏ କଥାବାର୍ତ୍ତା ନକରି । କାହାକୁ ଯାଇ ପଚାରିବା ଦରକାର ନାଇଁ ଆଜି କାଲିକାର ଫେସନ୍‌ କ’ଣ ସେଇକ୍ଷଣି ଜଣାପଡ଼ିଯିବ । ତେଣୁ ଆପଣ ମୋ’ ପାଇଁ ଜଣେ ଅପରିହାର୍ଯ୍ୟ ବ୍ୟକ୍ତ ହେବାକୁ ଯାଉଚନ୍ତି, କାରଣ ମୁଁ ମାନୁଚି, ସୁନ୍ଦର ପୋଷାକ ପ୍ରତି ମୋର ଭାରି ଦୁର୍ବଳତା । ଏବଂ ମୁଁ ଯଦି ଆପଣଙ୍କୁ କହ ଯେ ଏ ଆଲମାରୀରେ ଲୁଗାପଟା ଭର୍ତ୍ତି ହୋଇଚି, ଆପଣ କ’ଣ କହିବେ ?’’ ସେ ପଟା ଗୁଡ଼ିକ ଗୋଟିଏ ପଟକୁ ଠେଲି ଦେଲା, ପୋଷାକ ଉପରେ ପୋଷାକ ସଜା ହୋଇ ରହିଥିବା ଦିଶିଲା, ଅଲୁଗୁଣିଟା ଯାକ ଲୁଗାପଟରେ ଭର୍ତ୍ତି, ସବୁଗୁଡ଼ିକ ପ୍ରାୟ କଳା ଧୁସର, ମାଟିଆ ରଙ୍ଗର, ସବୁଗୁଡ଼ିକ ଅତି ସାବଧାନତାର ସହିତ ଝୁଲାଇ ରଖା ହୋଇଛି, ଥାକ ଥାକ କରି ସଜା ହୋଇଛି । ‘‘ଏସବୁ ମୋର ଲୁଗାପଟା, ସବୁଗୁଡ଼ିକ ପୁରୁଣା କାଳିଆ, ଆଡ଼ମ୍ବରପୂର୍ଣ୍ଣ, ଆପଣ ଯେମିତି ଭାବୁଚନ୍ତି । କିନ୍ତୁ ଏଇ ସବୁ ସେଇ ଲୁଗାପଟା, ଯୋଉଥିପାଇଁ ମୋର ଉପର ମହଲ ରୁମ୍‍ରେ ଯାଗା ନାହିଁ, ସେଠି ମୋର ଆଉ ଯୋଡ଼ାଏ ଆଲ୍‌ମାରୀ ଲୁଗାପଟାରେ ଭର୍ତ୍ତି ହୋଇ ରହିଚି, ଦିଟା ଆଲ୍‌ମାରୀ ଉଭୟେ ପ୍ରାୟ ୟା’ ଭଳି ବଡ଼, ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଚି ?’’ ‘‘ନା ଏମିତି କିଛି ହିଁ ଆଶା କରୁଥିଲେ; ମୁଁ କହିଲିନି, ତମେ କେବଳ ଜଣେ ହୋଟେଲ୍‌ ମାଲିକାଣୀ ନୁହ, ତମର ଆଖି ଅନ୍ୟ କେଉଁଥିରେ ଅଛି ।’’ ‘‘ମୋର ଆଖି ଅଛି କେବଳ ସୁନ୍ଦର ସୁନ୍ଦର ପୋଷାକ ପିନ୍ଧିବାରେ, ଏବଂ ଆପଣ ହେଲେ ଜଣେ ବୋକା ଲୋକ କିମ୍ବା ଗୋଟିଏ ପିଲା, କିମ୍ବା ଜଣେ ଅତି ବଦ୍‌ମାସ୍; ବିପଜ୍ଜନକ ଲୋକ । ଯା’ନ୍ତୁ ପଳାନ୍ତୁ ଏବେ !’’ କେ. ହଲ୍‌ ଭିତରେ, ପହଞ୍ଚି ସାରିଥିଲା, ଏବଂ ଗରଷ୍ଟ୍ୟାକର୍ ପୁଣି ତା’ ହାତକୁ ଧରି ପକାଇଥିଲା, ହଠାତ୍‌ ହୋଟେଲ୍‌ ମାଲିକାଣୀ ପଛରୁ ପାଟି କଲା ‘‘ଆସନ୍ତା କାଲି ମୋର ଗୋଟିଏ ନୂଆ ପୋଷାକ ଆସୁଚି, ହୁଏତ ମୁଁ ଆପଣଙ୍କୁ ଡକେଇ ପଠେଇବି ।’’

Image